Unknown

ନୈଷଧ

ଶ୍ରୀ ଗୋପୀନାଥ ସିଂହଦେବ

 

ଉତ୍ସର୍ଗ

ଉତ୍କଳ-ସାହିତ୍ୟ-କୁଞ୍ଜ-ବିହାର-ରସିକ, କମଳାଭାରତୀଙ୍କର ସୁଯୋଗ୍ୟ ନନ୍ଦନ ଚିକିଟି-ଅଧୀଶ୍ୱର ପରମାର୍ଚ୍ଚନୀୟ ମାତୁଳ ଶ୍ରୀ ଶ୍ରୀ ଶ୍ରୀ ରାଧାମୋହନ ରାଜେନ୍ଦ୍ରଦେବ ମହୋଦୟ

ଶ୍ରୀପଦ ପଙ୍କଜେଷ-

(ସପ୍ରଣାମ ନିବେଦନ ମିଦଂ)

ଶ୍ରୀମନ୍‌ ମହାରାଜ,

ଆପଣଙ୍କର ପ୍ରାଚୀନ ସାହିତ୍ୟ ତଥା ପ୍ରାଚୀନ କୀର୍ତ୍ତି ପ୍ରତି ପ୍ରଗାଢ଼ ଅକୃତ୍ରିମ ସ୍ନେହ । ଆପଣ ଅତୁଳ ବିଭବର ଅଧିକାରୀ ହୋଇ ଓ ନାନା ଜଞ୍ଜାଳରେ ବ୍ୟସ୍ତ ଥାଇ ସୁଦ୍ଧା ବାଣୀ-ସେବା-ବ୍ରତରେ ବ୍ରତୀ । ଆପଣଙ୍କ ଆଦର୍ଶରେ ଅନୁପ୍ରାଣିତ ଏ ଚିତ୍ତ-ଆପଣଙ୍କ ଇତିହାସରେ ଏ ଅନ୍ତର ଦୀପ୍ତ; ଆପଣଙ୍କ ଅଗ୍ନିଝଙ୍କାରମୟୀ ଭାଷାରେ ଝଙ୍କୃତ ଏ ହୃଦ୍‌-ଯନ୍ତ୍ର; ଆପଣଙ୍କ ଦୀପକରାଗିଣୀରେ ଚାଳିତ ଏ ଲେଖନୀ । ସେହି ଲେଖନୀ ପ୍ରସୂତ ଏ ନୈଷଧ କାବ୍ୟ-ପୁଷ୍ପ ଆପଣଙ୍କ ଗଳାହାରର ଉପଯୁକ୍ତ ମନେକରି ଆପଣଙ୍କ ଉଦାର ବକ୍ଷରେ ଲମ୍ୱାଇ ଦେବାକୁ ମୁଁ ସାହସୀ । ଆଶାକରେଁ ଆପଣଙ୍କର ଅନାବିଳ-ବାତ୍ସଲ୍ୟ-ସ୍ନେହ-ପରିବର୍ଦ୍ଧିତ ଅଧମର ଏ ଭକ୍ତି-ଶ୍ରଦ୍ଧାସ୍ନାତ ପୁଷ୍ପଟି ସାଦରେ ଗୃହୀତ ହେବ । ଇତି ।

 

ତା ୨୫ । । ୧୯୩୬

ଆପଣଙ୍କ ସ୍ନେହର

କଟକ

ଗୋପୀନାଥ ସିଂହ ଦେବ

 

 

 

ପରମାରାଧ୍ୟ ପୂଜ୍ୟପାଦ ପିତୃଦେବ

ଶ୍ରୀ ଶ୍ରୀ ଶ୍ରୀ ହରିହର ସିଂହ ଦେବ ମହୋଦୟ,

ପଦପଙ୍କଜେଷ

ଆଜ୍ଞା;

ଶ୍ରୀଛାମୁକଲ୍ୟାଣରୁ ଆଜି ଏ ନୈଷଧ କାବ୍ୟଟି ମୁଦ୍ରାଙ୍କିତ ହୋଇଗଲା, ଥରେ ସାନୁଗ୍ରହ ଦୃଷ୍ଟିପାତ କରାଯାଇ ପବିତ୍ର କରାଯାଉ । ଇତି ।

ଚରଣାଶ୍ରିତ ଅଧମ ପୁତ୍ର

ଗୋପୀନାଥ ।

 

ନିବେଦନ

ପ୍ରିୟ ପାଠକପାଠିକା ବୃନ୍ଦ !

ନୈଷଧ ଅତି ଦୁରୂହ ସଂସ୍କୃତ କାବ୍ୟ । ଏହାର ପଦବିନ୍ୟାସଚାତୁରୀ ବର୍ଣ୍ଣନଛଟା ଭାବପ୍ରକାଶର ଅଭିନବ ରୀତି ଅତି ଉଚ୍ଚ ଅଙ୍ଗର । ଏ କାବ୍ୟର ଗୁଣବ୍ୟାଖ୍ୟାରେ ମାଦୃଶ ହୀନପ୍ରଭ ବ୍ୟକ୍ତିର ପ୍ରୟାସ ସର୍ବଥା ହାସ୍ୟାସ୍ପଦ ଭାବି ମୁଁ ମୋର ପରମାର୍ଚ୍ଚନୀୟ ଗୁରୁଦେବ ରେଭେନ୍ସାକଲେଜର ସଂସ୍କୃତ ଅଧ୍ୟାପକ ରାୟ ସାହେବ ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତିଙ୍କୁ ଅନୁରୋଧ କରିଥିଲି । ସେ ମହାଶୟ ଅସୀମ ଶ୍ରମସ୍ୱୀକାରପୂର୍ବକ ଅନୁବାଦିତ କାବ୍ୟଟି ଆମୂଳଚୂଳ ପାଠକରି ଏହାର ଗୁଣାଗୁଣ ସମ୍ୱନ୍ଧରେ ତାଙ୍କର ମନ୍ତବ୍ୟ ଲିପିବଦ୍ଧ କରିଦେବାଦ୍ୱାରା ମୋର ହୃଦୟ-ରାଜ୍ୟର ଭକ୍ତି-ସିଂହାସନ ଅଳଂକୃତ କରିଅଛନ୍ତି । ଏପରି ବୈଚିତ୍ର୍ୟପୂର୍ଣ୍ଣ କାବ୍ୟର ଆମ୍ଭ ଉତ୍କଳଭାଷାରେ ଏକାନ୍ତ ବିରଳତା ଜାଣି ମୁଁ ନୈଷଧ-ଅନୁବାଦ-ସ୍ୱରୂପ ବିଷମ ହଠକାରିତା ସ୍ୱୀକାର କରିଅଛି । ମୁଁ ନୈଷଧକୁ ରୂପାନ୍ତରିତ କରିଅଛି ସତ୍ୟ ମାତ୍ର ଏହାର ସ୍ଵତ୍ୱକୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବାକୁ ଯତ୍ନ କରିଅଛି । ଏ ବିଷୟରେ ମୁଁ ପାଶ୍‌ କରିଅଛି ବା ଫେଲ୍‌ ମାରିଅଛି ତାହା ଆପଣମାନେ ନିର୍ଣ୍ଣୟ କରିବେ । ଏଥିରେ ଥରେ ମାତ୍ର ସାଭିନିବେଶ ଦୃଷ୍ଟିପାତରେ ଆପଣମାନଙ୍କର ସ୍ନେହାନୁବନ୍ଧୀ ଅନୁବାଦକ ଗୋପୀନାଥ ସିଂହଦେବର ଶ୍ରମ ସଫଳ କରନ୍ତୁ ଏତିକି ମାତ୍ର ସନିର୍ବନ୍ଧ ଅନୁରୋଧ । ଇତି ।

ତା ୨୫ । । ୩୬

 

ମନ୍ତବ୍ୟ

ଶ୍ରୀମାନ୍ ସାମନ୍ତ ଗୋପୀନାଥ ସିଂହଦେବ କଲେଜର ଛାତ୍ରାବସ୍ଥାରେ ତାଙ୍କର ଓଡ଼ିଆ ଓ ସଂସ୍କୃତ ସାହିତ୍ୟରେ ଅନୁରାଗ ଓ ନିଷ୍ଠାର ମୁଁ ପରିଚୟ ପାଇଥିଲି । ପଠନାବସ୍ଥା ଶେଷରେ ସେ ଭାରତୀ ଦେବୀଙ୍କର ଉପାସନାରେ ନିଜକୁ ନିୟୋଜିତ କରିଅଛନ୍ତି । ଏହା ଅତି ସୁଖର ବିଷୟ । ଉତ୍କଳ ଭାଷାରେ ତାଙ୍କଦ୍ୱାରା ନୈଷଧାଦି ଷଟ୍‌ କାବ୍ୟର ପଦ୍ୟାନୁବାଦମାନ ତାଙ୍କର ସାହିତ୍ୟ ବିନୋଦିତାର ପୂର୍ଣ୍ଣ ପ୍ରମାଣ । ତାଙ୍କ କୃତ ନାନାବିଧ କବିତା ପାଠକରି ମୁଁ ପ୍ରୀତ ହୋଇଅଛି । ତାଙ୍କଠାରେ କବିତ୍ୱ ଅଛି । ସେ କବିତାରେ ଚାତୁରୀ ବିଦ୍ୟମାନ । ବର୍ତ୍ତମାନ ତାଙ୍କର ନୈଷଧ କାବ୍ୟର ପଦ୍ୟାନୁବାଦ ପ୍ରକାଶିତ ହେଲା । ସଂସ୍କୃତ ନୈଷଧ କାବ୍ୟରେ ଶବ୍ଦାଳଙ୍କାର ତଥା ଅର୍ଥାଳଙ୍କାରମାନଙ୍କରେ ଯେ କଳାଜନିତ ଚାତୁର୍ଯ୍ୟ ଓ ବୈଚିତ୍ର୍ୟ ବିଳସିତ ତାହା ଅନନ୍ୟସାଧାରଣ । ନୈଷଧକାର ଶ୍ରୀହର୍ଷ ବହୁଶାସ୍ତ୍ରବିତ୍‌, ଅପୂର୍ବମେଧା-ସଂପନ୍ନ ପଣ୍ଡିତ ଥିଲେ । ଦର୍ଶନଶାସ୍ତ୍ରରେ ତାଙ୍କର ଅଦ୍ଭୁତ ପାଣ୍ଡିତ୍ୟ ଥିଲା । ଖଣ୍ଡନ ଖଣ୍ଡଖାଦ୍ୟ ଓ ନୈଷଧ କାବ୍ୟର ସପ୍ତଦଶ ସର୍ଗ ତାହାର ଜ୍ୱଳନ୍ତ ନିଦର୍ଶନ ।

 

କାବ୍ୟରେ ବିଭିନ୍ନ ବୃତ୍ତ ଅବଲମ୍ୱନ କାବ୍ୟପାଠରେ ସରସତା ପ୍ରଦାନ କରେ । ଏକ ବୃତ୍ତରେ ସମୁଦାୟ ଗ୍ରନ୍ଥ ଅନୁବାଦ କରିବା ସହଜ କଥା । କିନ୍ତୁ ତାହା ଏକଶ୍ରୁତିଦୋଷରେ ଦୁଷ୍ଟ । ପୁନଶ୍ଚ ପରମ୍ପରା ଭଙ୍ଗଦୋଷ ଓ ଉତ୍କଳ କାବ୍ୟର ସହଜ-ଭାବ-ବିନାଶଜନିତ ଅପରାଧ ଜନ୍ମେ । ଉନ୍ନତି ଦିଗରେ ପରିବର୍ତ୍ତନ ଅନିବାର୍ଯ୍ୟ ତଥା ବାଞ୍ଛନୀୟ, କିନ୍ତୁ ସ୍ଥଳେ ସ୍ଥଳେ ଆଧୁନିକତାର ବୃଥା-ବ୍ୟାମୋହ ଜୀବନର ଅସାରତାର ପରିଚୟ ପ୍ରଦାନ କରେ ।

 

ମୋ ମତରେ ନୈଷଧର ଏହି ପଦ୍ୟାନୁବାଦରେ ଭାବ ଓ ଅବସ୍ଥା ଭେଦରେ ଭିନ୍ନ ଭିନ୍ନ ବୃତ୍ତ ଅବଲମ୍ୱିତ ହୋଇ ଉତ୍କଳ କାବ୍ୟର ସହଜ-ପ୍ରାଣର ସରସତା-ସମ୍ପୂର୍ଣ୍ଣ-ଭାବରେ ସଂରକ୍ଷିତ ହୋଇଅଛି । ଗୋଟିଏ ନୂତନ କାବ୍ୟର ରଚନା ସରସ-ପଦ୍ୟାନୁବାଦ-କାର୍ଯ୍ୟଠାରୁ ଅପେକ୍ଷାକୃତ ସହଜ । କାରଣ ଅନ୍ୟର ଭାବରାଜିକୁ ଦୃଷ୍ଟିଦେଇ ତତ୍‌କୃତିର ବିଶେଷତ୍ୱ ସ୍ୱଭାଷାରେ ସମ୍ପୂର୍ଣ୍ଣରୂପେ ରକ୍ଷା କରିବା ବଡ଼ କଠିନ କଥା । କର୍ମ୍ମୀ ଓ ସାଧକ ଏହା ଜାଣେ । କବି ଗୋପୀନାଥ ତାଙ୍କର ଏହି କୃତିରେ ନିଜର ଭାଷାଜ୍ଞାନ, ଶବ୍ଦ-ଯୋଜନାର ପାଟବ, ଚାତୁରୀ ଓ କଳାଜ୍ଞାନର ଯଥେଷ୍ଟ ପରିଚୟ ପରିଦର୍ଶନ କରିଅଛନ୍ତି । ଏହି କାର୍ଯ୍ୟ ସଂବିଧାନରେ ତାଙ୍କର ପାଣ୍ଡିତ୍ୟର ଯେ ପରିଚୟ ମିଳେ ତାହା କହିବା ନିଷ୍ପ୍ରୟୋଜନ ।

 

ମୁଁ ସର୍ବାନ୍ତଃକରଣରେ ଏହି କୃତିର ପ୍ରକାଶ ପ୍ରଚାର କ୍ରିୟା ସମର୍ଥନ କରୁଅଛି ।

ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି

 

ସୂଚିପତ୍ର

୧ମ-

ନଳବର୍ଣ୍ଣନ, ଦମୟନ୍ତୀ ଗୁଣଶ୍ରବଣ ହଂସଧୃତି ଓ ମୁକ୍ତି

ରସକୁଲ୍ୟା

୨ୟ-

ହଂସଦୌତ୍ୟ ଦମୟନ୍ତୀ ଓ କୁଣ୍ଡିନ ବର୍ଣ୍ଣନା

କୁମ୍ଭକାମୋଦୀ

୩ୟ-

ହଂସ ଦମୟନ୍ତୀ କଥୋପକଥନ

କଲ୍ୟାଣ

୪ର୍ଥ-

ଦମୟନ୍ତୀ ବିରହ ବର୍ଣ୍ଣନ

କାମୋଦୀ

୫ମ-

ଦେବଙ୍କର ନଳଙ୍କୁ ଦୂତ କରଣ

ଆଷାଢ଼ଶୁକ୍ଳ

୬ଷ୍ଠ-

ଦୂତୀ ଦମୟନ୍ତୀ କଥୋପକଥନ

କନଡ଼ା

୭ମ-

ଆପାଦମସ୍ତକ ଦମୟନ୍ତୀ ବର୍ଣ୍ଣନା

କଲ୍ୟାଣ ଆହାରୀ

୮ମ-

ଦମୟନ୍ତୀ ପାଶରେ ନଳଙ୍କ ଦେବଦୌତ୍ୟ

ଅକ୍ରୂର କୋଇଲି ବାଣୀ

୯ମ-

ଦମୟନ୍ତୀ ପାର୍ଶ୍ୱରେ ନଳଙ୍କ ଆତ୍ମପ୍ରକାଶ

ପଞ୍ଚମବରାଡ଼ି

୧୦ମ-

ସ୍ୱୟମ୍ୱର ବର୍ଣ୍ଣନ ଓ ନଳରୂପୀ ଦେବବର୍ଣ୍ଣନ

ଚୋଖି

୧୧ଶ-

ଦମୟନ୍ତୀଙ୍କ ନିକଟରେ ରାଜଗଣ ବର୍ଣ୍ଣନ

ଲଳିତକାମୋଦୀ

୧୨ଶ-

ଦମୟନ୍ତୀଙ୍କୁ ସରସ୍ୱତୀଙ୍କର ରାଜଗଣର ପରିଚୟପ୍ରଦାନ

ଖଣ୍ଡକାମୋଦୀ

୧୩ଶ-

ଦମୟନ୍ତୀଙ୍କୁ ସରସ୍ୱତୀଙ୍କର ଇନ୍ଦ୍ରାଦିଙ୍କ ଶ୍ଳିଷ୍ଟପରିଚୟ ପ୍ରଦାନ

ମାଳଶ୍ରୀ

୧୪ଶ-

ଦମୟନ୍ତୀଙ୍କର ନଳ ବରଣ

ଶଙ୍କରାଭରଣ

୧୫ଶ-

ନଳ ଦମୟନ୍ତୀ ବିବାହ ବର୍ଣ୍ଣନ

ରାଜବିଜେ

୧୬ଶ-

ନଳଙ୍କୁ ଭୀମଙ୍କ କନ୍ୟା ପ୍ରଦାନ ଓ ନୃପତିମାନଙ୍କ ପ୍ରସ୍ଥାନ

ବଙ୍ଗଳାଶ୍ରୀ

୧୭ଶ-

ପଥରେ ଦେବ ଓ କଳ୍ୟାଦିଙ୍କ ସମ୍ଭାଷା

ପାହାଡ଼ିଆକେଦାର

୧୮ଶ-

ନଳ ଦମୟନ୍ତୀ ବିହାର ବର୍ଣ୍ଣନ

କାମୋଦୀ, ଝମ୍ପତାଳ

୧୯ଶ-

ପ୍ରଭାତ ବର୍ଣ୍ଣନ

କଲ୍ୟାଣ

୨୦ଶ-

ନଳ ଦମୟନ୍ତୀଙ୍କ ଜଳକେଳି ବର୍ଣ୍ଣନ

ପଟ୍ଟହମଞ୍ଜରୀ

୨୧ଶ-

ନଳଙ୍କର ଦୈନନ୍ଦିନ ନୀତି ବର୍ଣ୍ଣନ

ବରାଡ଼ି

୨୨ଶ-

ସନ୍ଧ୍ୟା ତାରା ଚନ୍ଦ୍ର ଓ ଦମୟନ୍ତୀ ସୌନ୍ଦର୍ଯ୍ୟ ବର୍ଣ୍ଣନକନଡ଼ା

ତ୍ରିପୁଟା

 

ଶ୍ରୀ ରାଧାମୋହନାଭ୍ୟାଂ ନମୋନମଃ ।

ନୈଷଧ କାବ୍ୟ ।

-------

 

ପ୍ରଥମ ଛାନ୍ଦ

[ରାଗ-ରସକୁଲ୍ୟା]

ସମର-ପୁର-ନର-ସୁରପତି-            ଶିର ସିନ୍ଦୁରେ ସିନ୍ଦୁରିତ ଅତି ।

ଯା ପଦଯୁଗ ମହିଷ-ମର୍ଦ୍ଦନ                  ଛବିକି ଅଦ୍ୟାପି ପକାଏ ମନ ।

କରୁଣାବରୁଣାଳୟା;

ସେ ମଇନାକ ଦୁର୍ଗା-ପଦ-ପଙ୍କଜ ବିତରୁ ଏ ଦୀନେ ଛାୟା ।

 

ହରବରେ ହର ହେଲେହେଁ ବର             ଆଶ୍ରା କଲେ ପରେ ଯେଉଁ ପୟର ।

ତହୁ ବଳି ବିଶ୍ୱେ କିସ ବା ଅଛି             ତାକୁ ସେବି କେ ବା କି ନ ପାଇଛି ।

ମିଳିବାରୁ ସେ ଶରଣ ।

ଛାନ୍ଦ ବନ୍ଧରେ ନୈଷଧ ବାନ୍ଧିବାକୁ କଲି ଲେଖନୀ ଧାରଣ ।

 

କିଞ୍ଚିତ ମାତ୍ର ସିନା ମୋ ସାମର୍ଥ୍ୟ             ଅତି ବିସ୍ତୃତ ଏ ନଳ ଚରିତ ।

ଶ୍ରୀହର୍ଷ ଇଙ୍ଗତ ଭଙ୍ଗିଭରିତ                   ଅଖଣ୍ଡ ରୁଚିର ରସ ସରିତ ।

ହୋଇ ପାରିବି କି ପାରି ।

ବୁଧଜନଙ୍କର ସୁଧା ଉପଦେଶ ଆଶୀଷ ଭେଳାକୁ ଧରି ।

 

ଏମନ୍ତ କାବ୍ୟ ତ ଆଉ ନୋହିବ            ପ୍ରସରୁ ଏତେ ହର୍ଷ ହୃଦେ ଭାବ ।

ଭାବି-କବିଙ୍କି ନିଷେଧିବାପାଇଁ             ନୈଷଧ ନାମ କି ଏହାର ଥୋଇ ।

ସେତ ହୋଇନାହିଁ ମିଛ ।

ରଘୁକୁମାର ତ କୁମାର ଭାରବି ଯେ ତା ତହୁଁ ଏହା ଉଚ୍ଚ ।

 

ଯା ସରସ କଥା ସ୍ମରଣେ ବୁଧେ             ସୁଧାସମ୍ପଦ ନ ଗଣନ୍ତି ହୃଦେ ।

କୀର୍ତ୍ତିସିତ-ଛତ୍ରେ ଯା ରାଜସିଦ୍ଧି             ବିକଶେ ଯେ ସର୍ବ ତେଜଙ୍କ ନିଧି ।

ସେ ଅଙ୍ଗବନ୍ତ ଅନଙ୍ଗ;-

ବତ ନଳକୀର୍ତ୍ତି ବର୍ଣ୍ଣୁଛି ଶ୍ରୀହର୍ଷ ପଦେ ଦେଇ ଉତ୍ତମାଙ୍ଗ ।

ସେ ନଳନୃପ ମହା ଗୁଣବନ୍ତ             ତାଙ୍କ କଥା ତୁଲେ ଅମୃତ ମୃତ ।

ପ୍ରଦୀପ୍ତ ପ୍ରତାପ ଜନିତକୀର୍ତ୍ତି-             ମଣ୍ଡଳେ ପ୍ରକାଣ୍ଡ ପାଣ୍ଡର ଛତି ।

ବିରଚି କନକ ଦଣ୍ଡେ ।

ମଣ୍ଡି ଟେକାଇ ଦେଇଥିଲେ ରଖାଇ ଏ ଭୂମଣ୍ଡଳର ମୁଣ୍ଡେ ।

 

କଳି ବାଧାକୁ ଦଳେ ଅଳପକେ            ଯାର ଯଶ ଗାଥା ଏ ନରଲୋକେ ।

ରସ ପ୍ରବାହେ ପ୍ରକ୍ଷାଳି ପବିତ୍ର             କରଇ ତା’ତ ମୁଁ କରୁଛି ଗୀତ ।

ତେଡ଼େ ବଡ଼ ଖ୍ୟାତି ବହି ।

ତା ନିଜ ସେବକ ଏ’ ମୋ ହୀନ କାବ୍ୟ ପୂତ ନ କରିବ କେହି ।

 

 

ଶାସ୍ତ୍ର ଅଧ୍ୟୟନ ତଦର୍ଥ ଜ୍ଞାନ                  ତଦନୁସାରେ କାର୍ଯ୍ୟ ସମାଧାନ ।

ଲୋକ ସମାଜେ ପୁଣି ତା ପ୍ରଚାର            ଏମନ୍ତେ କରି ବିଭାଗ ଚତୁର ।

ଚତୁରଦଶ ବିଦ୍ୟାରେ ।

ଷଟପଞ୍ଚାଶ ବିଦ୍ୟାବନ୍ତ ନୋହିଲେ କେହି ସେ ନୃପ ବେଭାରେ ।

 

ସର୍ବଦା ନୃପର ନର୍ତ୍ତକୀପରି                   ରସନାରେ ଥାଏ ବିଦ୍ୟା ବିହରି ।

ଅଙ୍ଗେ ଯଥା ବେଦ ବିସ୍ତୃତ ଅତି            ଶିକ୍ଷା ଅଭ୍ୟାସ ବଶେ ସେହି ମତି ।

ସେ ବିଦ୍ୟା ହୋଇ ବିସ୍ତୃତ ।

ଅଷ୍ଟାଦଶ ଦ୍ୱୀପ ଜୟ ମନାସିକି ଦ୍ୱିନବବିଭାଗେ ଖ୍ୟାତ ।

 

ଦଶଦିଗୀଶଙ୍କ ଅଂଶୀ ମହୀଶ            କେବେ ନୁହଁଇ ମିଥ୍ୟା ଏ ସନ୍ଦେଶ ।

କାମନିରାଶକ ଦ୍ୱିତୀୟେତର             ତୃତୀୟ ନେତ୍ର ପରି ଜ୍ଞାନ ସାର ।

ନୃପର ସଦା ବିରାଜେ ।

ନେତ୍ର ତ୍ରୟଧାରୀ ମହେଶ ସୁଷମା ତେଣୁ ସେ ମହୀଶେ ସାଜେ । ୧୦

 

ଏକେତ ସତ୍ୟଯୁଗ ତହିଁ ନଳ             ପରାୟେ ବିରାଜୁ ଅବନୀପାଳ ।

ବିଳସିଲା ଧର୍ମ ଚତୁର ପାଦେ        ପାଳୁ ନ ଥିଲା କେ ଲୋକ ତା ହାଦେ ।

ପଦାଙ୍ଗୁଷ୍ଠ ମାତ୍ରେ ମହୀ !

ଛୁଇଁ ଅତି କୃଶ ପାପ ପରା ତପୀପ୍ରାୟ ଯାଇଥିଲା ହୋଇ । ୧୧

 

 

ଯାତ୍ରା କାଳରେ ନୃପତି ଗହଣେ             ଗମନ୍ତି ଚତୁରଙ୍ଗ ବଳଗଣେ ।

ତାଙ୍କ ପାଦ ପାତେ ଉତ୍ଥିତ ମହୀ-              ରଜେ କ୍ଷୀରସିନ୍ଧୁ ପଙ୍କିଳ ହୋଇ ।

ଯାଉ ତାହାର ନନ୍ଦନ ।

ଇନ୍ଦୁଅଙ୍ଗେ ଯାହା ଅସିତ ଦିଶଇ ଏ ଏକା ସେ ପଙ୍କଚିହ୍ନ । ୧୨

 

ବିଷମ ସମରେ ଅରାତି ତତି             ପ୍ରକାଶି ପ୍ରଚଣ୍ଡ-ପାବକ-ଜ୍ୟୋତି ।

ଯୁଝିଲା ବେଳେ ଯା କାର୍ମୁକ ଘନ             ନିର୍ଘୋଷ ଶରଧାରା ପାତେ ପୁଣ ।

ସେ ତେଜ ଲଭଇ ଲୟ ।

ଅରାତିଙ୍କ ପାଇଁ ଏକା ରହିଥାଏ ଅଯଶ-ଅଙ୍ଗାର-ଚୟ । ୧୩

 

ସେ ରିପୁ ନୃପତିଶାର୍ଦ୍ଦୂଳ ନଳ            ପରପୁରେ କରୁଁ ଅନଳ ମେଳ ।

ତାର ତେଜେ ନିଜ ପ୍ରତାପାନଳ             ଦ୍ୱିଗୁଣେ ଜ୍ୱଳି ଅବନୀ ମଣ୍ଡଳ ।

ଆଲୋକାଇ ଦେଉଥାଏ ।

ସେ ବହ୍ନିଶିଖା ରିପୁଜୟୀ ରାଜାର ଆରତି ପ୍ରତିମ ହୁଏ । ୧୪

 

ସେ ମହୀପତି ପ୍ରତାପଅନଳେ            ଇତି-ଭିତୀଙ୍କ ଇତି ହେଲା ହେଳେ ।

କେବଳ ଅତି ବୃଷ୍ଟି ଗଲା ରହି             ରିପୁନାରୀ-ନେତ୍ର-ଶରଣ-ପାଇ ।

ତହିଁ ସେ ହୋଇଲା ଥୟ ।

ଯେଣୁ ଜାଣଇ ଅବଳାକୁଳେ ନଳବଳ ନୁହଁଇ ଉଦୟ । ୧୫

 

 

ସମରେ ସେନାନୀ ରଣ ଚାତୁରୀ             ମହା-କୃପାଣ ବେମା ତୁଲେ ମିଳି ।

ସୁଧାକରକର ସମ ଶୁକଳ                   ନଳଗୁଣଗଣେ ଦିବ୍ୟ ଦୁକୂଳ ।

ବୁଣି କରୁ ବିତରଣ ।

ଦିଗ ଅଙ୍ଗନାଙ୍କ ଶ୍ରୀଅଙ୍ଗ ସଙ୍ଗମ ଲଭି ସେ ଦିଶେ ଶୋଭନ । ୧୬

 

ରାଜପଣେ ଚାର ବିଚାର ଦର୍ଶୀ             ତେଜଗୁଣେ ମିତ୍ର ଅମିତ୍ର-ଧ୍ୱଂସୀ ।

ଦେଖି ଏମନ୍ତ ସେ ନୃପତି ନୀତି             ଭୀତି ଭଜି ରିପୁ ଭୂପତିପନ୍ତି ।

ସହିତେ ବିରୁଦ୍ଧଧର୍ମେ ।

ଭେଦକତା ବର୍ଜି ନିବର୍ତ୍ତି ରହିଲେ ଧ୍ୟାୟି ନିଜ ନିଜ ଶର୍ମେ । ୧୭

 

ସେ ନଳ ନୃପ ତେଜ ଯଶଥାଉ             ରବି ଶଶୀ ଉଇଁ କି ହେବ ଆଉ ।

ନିଜ କଲା କଥା ନାଶିବି କେହି            ଏମନ୍ତ ସମୟେ ସମୟେ ବିହି ।

ଚିତ୍ତେ ଉପୁଜନ୍ତେ ଚିନ୍ତା ।

ପରିବେଶ ଛଳେ ମଣ୍ଡଳ ବୁଲାଇ ବୋଲେ ୟାଙ୍କ ସୃଷ୍ଟ ବୃଥା । ୧୮

 

ଦରିଦ୍ର ଯେ ପ୍ରାର୍ଥୀ ଲଲାଟ ପଟେ            ଦେଇଅଛି ବିହିଲିହି ନିରାଟେ

ସେ ପିତାମହର ଲେଖାକୁ କେହି            ଲିଭାନ୍ତେ ନଳ ଧର୍ମଶୀଳ ହୋଇ ।

ତେଣୁ ଦେଇ ବହୁବିତ୍ତ ।

ଦାରିଦ୍ର୍ୟ ବିଷୟେ ଦରିଦ୍ର ତାହାକୁ ଦିଅନ୍ତି କରି ଭ୍ୱଭୃତ । ୧୯

 

 

ଦାନକାଳେ ଜଳ ଢାଳି ଦେବାରେ            ସିନ୍ଧୁତ ଶୁଷ୍କ ନୋହିଛି ବେଭାରେ ।

ଦାନେତ ସରି ନାହିଁ ମେରୁଗିରି             ଏ ନିଜ ଅଯଶ ସେ ଦଣ୍ଡଧାରୀ ।

ପରେ ବୋଳିଦେବେ କେହି ।

ଦ୍ୱିଫାଳ-ବାଳ-ଶାମଳା-ଛଳେ ତେଣୁ ମସ୍ତକେ ଅଛନ୍ତି କହି । ୨୦

 

ସର୍ବଦା କବି ବୁଧଙ୍କ ସହିତ                  ସୁଖେ ସମୟ ଯାପନ୍ତି ଭୂଭୃତ ।

ସକଳ କାର୍ଯ୍ୟେ ସେ ଅତି କୁଶଳ             ହେତୁ ବିକଶେ ଶିରୀ ବେଳୁଁ ବେଳ ।

ଉଦୟ ଦିନକୁ ଦିନ ।

ଲଭନ୍ତି ସେ ନରପତି ଯଥା ପ୍ରାତେ ନଭେ ଦେବ ବିବସ୍ଵାନ । ୨୧

 

ଶୋଭାରେ ପଞ୍ଚବ ପଙ୍କଜେ ଦଳି             ଯା ପଦ ଯାଇଛି ତା’ ପରେ ବଳି ।

ସକଳ ମହୀପତି- ଶିରପରେ              ରହିଅଛି ପୁଣି ଯେ ନିଃଶଙ୍କରେ ।

ଉର୍ଦ୍ଧ୍ୱରେଖାଟିଏ ତହିଁ ।

ସର୍ବଜ୍ଞ ବିହି ଯା ଶୈଶବୁଁ ଲିହିଛି ଏଥିକି ଆଶ୍ଚର୍ଯ୍ୟ ହୋଇ ? । ୨୨

 

ଶୈଶବ ଶେଷ ଯୌବନ ପ୍ରବେଶ             ଏ ସମୟକୁ ସେ ନଳ ନରେଣ ।

ସମଗ୍ର ମହୀ କରି କରାୟତ୍ତ             କଲେଣି ମହୀପତି ପଦ ସାର୍ଥ ।

ସେ କାଳେ ତାଙ୍କ ଶ୍ରୀଅଙ୍ଗେ ।

ବସନ୍ତ କାନନେ ବିଳସିଲା ପ୍ରାୟ ଯୌବନ ବିଳସେ ରଙ୍ଗେ । ୨୩

 

 

କମଳ ଦଳିହେଲା ପଦତଳେ             ହାରି କରତଳେ ପଞ୍ଚବ ଥରେ ।

ଉତ୍ତମାଙ୍ଗେଯାଇ ବଦନ ଅଛି              ତା’ ତୁଲେ ପାର୍ଥିବ ପଦାର୍ଥ ଛି ଛି ।

ଯାର ଦାସପଣ ପାଇଁ ।

ଶରଦ-ପାର୍ବଣ ଶର୍ବରୀ ଈଶ୍ୱର ନିମିଷେ ଶକ୍ୟ ନୁହଁଇ । ୨୪

 

ଅଙ୍ଗେ ରାଜେ ନବ ଲୋମ ପଙ୍କତି             ସେ ଛଳେ କି ବିହି ଗୁଣ ଗଣନ୍ତି ।

କଲା ଗୋଟି ଗୋଟି ଗାର ପକାଇ             ଲୋମ କୁପ କଥା ପ୍ରତୀତ ନୋହି ।

ପରଖି ପରଖି ଅଙ୍ଗ ।

କିଛି ଦୋଷନାହିଁ ବୋଲି ଏକା ବହି ଲିହି ଦେଇଅଛି ଦାଗ । ୨୫

 

ଅର୍ଗଳ ପରାଏ ସୁଦୀର୍ଘ ସ୍ଥୂଳ             ସେ ନଳ ନୃପତି ଭୁଜ ଯୁଗଳ ।

ତା ମଧ୍ୟେ ଦୁର୍ଭେଦ୍ୟ ବିଶାଳ ଉର             କପାଟ-ପୁଟ ପରାଏ ସୁନ୍ଦର ।

ସେ ଭୁଜାର୍ଗଳ-କବଳେ ।

ପଡ଼ି ଅରିଏ ଉରତଟକପାଟ ଭେଦି ନ ପାରନ୍ତି ତିଳେ । ୨୬

 

ଯା ବିଳାସ ହାସ ଲେଶକୁ ଶଶୀ             ସମନୋହି ଶେଷେ ପାଣ୍ଡୁର ଦିଶି ।

ପୁଣି ଯହିଁ ଥିବା ଇକ୍ଷଣେ କ୍ଷଣେ             ହାରି ପଳାଇ ପଦ୍ମବୁଡ଼େ ବନେ ।

ସେ ନଳ ବଦନ ତୁଲେ ।

ବିଶ୍ୱେ ଇନ୍ଦୁ ଅରବିନ୍ଦୁଁ ବଳି ନାହିଁ କେ ସମାନ ହେବ ଭଲେ । ୨୭

 

 

ନେତ୍ରେତ ଶତପତ୍ର ବିପର୍ଯ୍ୟସ୍ତ             ଆସ୍ୟ ହସଇ ଶଶିକି ନିରତ

ଗଛିବାକୁ ଆଉ ସେ ମୁଖ ତୁଲେ             କିଛି ଏ ସଂସାରେ ଦ୍ରବ୍ୟ ନ ମିଳେ ।

ବର୍ଣ୍ଣିବାକୁ ଶୋଭା ତାର,

କବି ଯିବ କାହିଁ ଲୋକି ସେ ଶୋଭାରେ ଦରିଦ୍ରତ ଚରାଚର । ୨୮

 

ପଛେ ଥାଇ ତଳେ ଓହଳେ ଯେହି             ନୃପ କେଶ ତୁଲ ହୋଇବା ପାଇଁ ।

ତାର ଦେଖି ଏ ବିପରୀତ ରୀତି             ନାଶ ବିଚାର ବହି ଭୀତି ମତି ।

ଚମରୀକି ବିଞ୍ଚି ବିଞ୍ଚି ।

ନୃପେ ଦୋଷ ମାଗେ ଏ ବାଳ ଚାପଳ ବିନା ନୁହେଁ ବୋଲି କିଛି । ୨୯

 

ଏକେତ ନୃପ କନ୍ଦର୍ପ ସୁନ୍ଦର             ସେ ପୁଣି ପଡ଼ନ୍ତି ଯା ନୟନର ।

ସେ ନାରୀ ଚିତ୍ତ ହୋଇଯାଏ କି କି             ନ ଚଳେ ପାଦ ନିମିଷେ ନ ଟାକି ।

ନଳରୂପେ ନିଜ ଲୋଭେ ।

ସେ ନୃପୁ ତ୍ରିଲୋକ ବାଳୀଙ୍କ କନ୍ଦର୍ପ ବିଭ୍ରମ ନଯାଏ କେବେ । ୩୦

 

ସୁର ନାରୀଏ ପୂର୍ବୁଁ ନିର୍ମିମେଷ            ହେବାରତ କାହିଁ ନାହିଁ ପ୍ରକାଶ ।

ଏକା ଏ ନଳରୂପେ ନି-ସ୍ଫଳକ             ନେତ୍ରେ ଚାହିଁ ରହି ଥିବାରୁ ଠିକ ।

ଅଭ୍ୟାସ ବାହୁଲ୍ୟ ବଶେ ।

ଅଦ୍ୟାପି ସେ ସୁର ନାରୀଙ୍କ ନୟନେ ନିମେଷ ନ ରସେ ଲେଶେ । ୩୧

 

 

ନାଗବାଳୀଏ ଭାଳନ୍ତିପାତାଳେ            ଧିକ ଏ ଆମ୍ଭ ନୟନ ଯୁଗଳେ ।

ନ ଦେଖିଲା ଯାହା ନଳ ମୂରତି             ଶୁଣିଲା ବେଳେ ଏକା ନୃପକୀର୍ତ୍ତି ।

ନଳେ ସେ ନୟନ ତୁଲେ

ପରଶଂସୁଥାନ୍ତି ନିରତ ସେ ଯେଣୁ ଜାତ ଚକ୍ଷୁଶ୍ରବା କୁଳେ । ୩୨

 

ନିଶି ଦିବସରେ ଅନୁବରତେ,             ନଳ ଚିନ୍ତା ପୋଷି ଥିବାରୁ ଚିତ୍ତେ ।

ନେତ୍ର ମୁଦିଲେହେଁ ନଳ ଆକାର             ନୁହେଁ ଲେଶେ ତାଙ୍କ ନୟନୁଁ ଦୂର ।

ଏହିମତି ମରପୁରୀ ।

ନାରୀଙ୍କ ନିମେଷ ନିପାତ ନିର୍ମିତ ବିଘ୍ନ ନୁହେଁ କ୍ଷତିକାରୀ । ୩୩

 

କେ ଯୋଷା ନିଶାରେ ଶୟନକାଳେ                  ନଳ ମୂରତି ନ ବିଲୋକେ ଢାଳେ ।

ଆନେ ଡାକୁଁ ନଳ ନାମ କାହାର                   ବଦନୁ ହୋଇ ନ ଯାଏ ବାହାର ।

ସ୍ୱପତି ସଙ୍ଗତିକାଳେ ।

କେ ବାଳୀ କାନ୍ତେ ନଳ ଜ୍ଞାନ ନକରି ନମାତେ ବା ମାରା ରୋଳେ । ୩୪

 

ନଳ ବିଲୋକନେ କେ ବରବାଳୀ-             କରେ ମୁକୁର ନ କରଇ କେଳି ।

ଭାବେ ସେ ତହିଁ ନିଜ ଛବି ଚାହିଁ             ନଳରୂପକୁ ମୁଁ କି ଯୋଗ୍ୟ ନୋହି

ଏକା ଦମୟନ୍ତୀ ଛାଡ଼ି ।

କା’ କର ମୁକୁରେ ଦୀର୍ଘଶ୍ୱାସ ବାଜି ମଳି ଯାଇନାହିଁ ପଡ଼ି । ୩୫

 

 

ମଦନେ ଭୋଗଭୂଞ୍ଜକ ଗରୁଡ଼             ବହି ଯଥା ବାଣ ରାଜନ ଦୃଢ଼- ।

ଗଡ଼େ ପ୍ରବେଶାଇ ଥିଲା ତେସନେ             ଭୋଗଭୁଞ୍ଜକ ବୟସ ମଦନେ ।

ବିଦର୍ଭ-ପତି-ପୁତ୍ରିର ।

ନଳାବରୁଦ୍ଧ ସୁଦୃଢ଼ ହୃଦଦୁର୍ଗେ ପ୍ରବେଶାଇଲା ସତ୍ୱର ୩୬

 

ନିଜ ରୂପ ସମ୍ପଦ ଅନୁରୂପେ              ଲୋକ ମୁଖେ ଶୁଣି ସେ ନଳନୃପେ ।

ବିଶେଷେ ବିଚାରି ସେ ଭୀମ ପୁତ୍ରୀ             ମାନସଭବ ଚିନ୍ତା ମୋତିତତି ।

ଠୁଳାଇ ମାନସ ଭବ- ।

ଦେବ ବଳେ କବଳିତ ହୋଇ ନଳ ପାରୁଶେ ପେଷିଲା ଜବ । ୩୭

 

ବିଦର୍ଭେଶ ପାଶେ ଚାରଣ ଗଣ             କରନ୍ତି ନୃପଙ୍କ ଗୁଣ ଗାୟନ ।

ସେ କାଳ ଅନୁସରି ଦମୟନ୍ତୀ             ସେବାପାଇଁ ମିଳି ପିତାଙ୍କ କତି ।

ଶୁଣୁଥାଇ ଡେରି ଶ୍ରୁତି

ଏକା ନଳ ନାମ ପଡ଼ିଲେ ପୁଲକୁ ଥାଏ ତନୁ ଲୋମପନ୍ତି । ୩୮

 

କଥା ପ୍ରସଙ୍ଗେ ସଖି ଜନ ମୁଖେ             ଗଲେ ଉଚ୍ଚରି ନଳନାମ ରେଖେ ।

ପ୍ରସଙ୍ଗାଧୀନ ଆନ ବିଷୟରେ            ନ ଦେଇ ମାନସ ଅତିଶୟରେ ।

ଉଚ୍ଛୁକ ଭାବ ପ୍ରକାଶି ।

ଏକା ସେହି ଶବ୍ଦ ଶ୍ରବଣ ବିଷୟେ ଶ୍ରୁତିକି ଥାଏ ନିବେଶି । ୩୯

 

 

ବେଳେ ବେଳେ ଭାଷେ ସଖୀଙ୍କି ବାଳା             ନିସ୍ପଲକ ମୃତ ଅନଙ୍ଗ ପରା ।

ତା କଥା ଶୁଣି ମୋ ଚମକେ ଛାତି                   କହ ସେ ଭଳି ଆନ ଜନ କୀର୍ତ୍ତି ।

ଏମନ୍ତେ ଭାବ ଲୁଚାଇ ।

ସଖି ବଦନୁଁ ଅନବଦ୍ୟ ନିଷଧନାଥକଥା ଶୁଣୁଥାଇ । ୪୦

 

ଦୂତ ଦ୍ୱିଜ ଅବା ବନ୍ଦି ଚାରଣ                  ନିଷଧୁଁ ହୁଏ ଯାର ଆଗମନ ।

ତାଙ୍କୁ ତାଙ୍କ ରାଜ୍ୟ ରାଜା ବାରତା             ସମାଦରେ ପୁଚ୍ଛି ବର-ବନିତା ।

ନଳ ଗୁଣଗଣ ଶୁଣି ।

ବିମର୍ଷେ ଲେଶେ ରହେ ତାଙ୍କୁ ପାରିବି କେହି ଲଭି ବୋଲି ଗୁଣି । ୪୧

 

ଡକାଇ କେବେ ଅବା ଚିତ୍ରକରେ             ଆଦେଶେ ଏ ମୋ ବସତି-ଭିତ୍ତିରେ ।

ତ୍ରିଲୋକ-ସାର ନରନାରୀ ରୂପ             ଲେଖଦେଖି; ଲେଖୁଁ ସେ ନଳଭୂପ ।

ତୁଲେ ତା ନିଜର ଚିତ୍ର ।

ସେ ଛବି ଯୁଗେ ନିବିଡ଼େ ଲାଗିଥାଏ ତାର ନିସ୍ପଲକ ନେତ୍ର । ୪୨

 

ମତିରେ ନଳ ନୃପତିଙ୍କି ବର             ବରିଥିଲା ତ ସେ ଯୁବତୀବର ।

ଏମନ୍ତେ ବିତିନାହିଁ ଏକରାତି             ଯହିଁ ସ୍ୱପନେ ନଳେ ସେ ସୁଦତୀ ।

ନ ପାଇଅଛି ଦର୍ଶନ ।

ଅଦୃଷ୍ଟ-ବଳେ ଅଦୃଷ୍ଟ ଅଭୀପ୍ସିତ ଦ୍ରବ୍ୟେ ଦେଖେ ସ୍ୱପ୍ନେ ଜନ । ୪୩

 

 

ନିଦ୍ରାରେ ନିମିଳିଥାଏ ତ ନେତ୍ର             ହୃଦ ବାହ୍ୟେନ୍ଦ୍ରିୟ-କ୍ରିୟା ରହିତ ।

ହୋଇଥାଏ ସତ ବାଳୀ ସେ କାଳେ             ଦେଖୁଥାଇ ନଳରୂପ ନିରୋଳେ ।

ଲୁଚାଇ ସ୍ୱହୃଦ-ନେତ୍ରେ ।

କେଡ଼େ ଚତୁରୀ ସେ ନାରୀପୁରନ୍ଦରୀ ଏଥୁ ବୁଧେ ବାର ଚିତ୍ତେ । ୪୪

 

ତ୍ରିପୁରବିଜୟୀ ବୀର ମନ୍ମଥ                   ମନ୍ଥିପକାନ୍ତେ ଦମୟନ୍ତୀ ଚିତ୍ତ ।

ତା’ ବାରି ଶଶିର ବାଧା ବାସର            ଗ୍ରୀଷ୍ମବଳ ଦଳି ନିଶା-ଶରୀର ।

ସତ୍ୱର ଦେଇ ଫୁଲାଇ ।

ଯେମାକୁ ଅମାପ ସନ୍ତାପ ବିହିଲେ ଦୁର୍ବଳେ କେ ନ ଦଳଇ । ୪୫

 

ଭୀମଭୂପତି ପୁତ୍ରୀକାନ୍ତିକୀର୍ତ୍ତି             -ଶୁକ୍ତି ସନ୍ତତିତତି କି ତ ଗୁନ୍ଥି ।

ପକାଇଛି ତାର ସୁଗୁଣଗଣ                   ସେ ହାର ମୋହୁଛି ମୁନିଙ୍କ ମନ ।

ତାହା କେ ନ ଦେଖିଅଛି ।

ସେ କଥା ବା କାହା ମୁଖୁଁ ନ ବାହାରି ନଳ ଶ୍ରୁତି ନ ଚୁମ୍ବୁଛି । ୪୬

 

ସ୍ମର ତ ଟାକି ଥିଲା ଏ ବେଳକୁ             ବୋଇଲା ଏ ପରା ମୋ ସୌନ୍ଦର୍ଯ୍ୟକୁ ।

ବୁଡ଼ାଇଛି ଦେବି ଏହାକୁ ଦେଖି             ଏତେ ବିଚାରି ଅମୋଘ ଶକ୍ତିକି ।

ପ୍ରକାଶି ସେତ ରୂପାସ୍ତ୍ର ।

ଦମୟନ୍ତୀରୂପେ ନଳଭୂପେ କୋପେ ସାଧିଲା ବାଦ ତୁରିତ । ୪୭

 

 

ଦମୟନ୍ତୀରୂପ ଚାପ-ଯଷ୍ଟିକି                  ଧରିତ ଥିଲେ ନଳ ଧ୍ୟାୟି ଯାକି ।

ତା’ ଗୁଣ ତାଙ୍କ ଶ୍ରବଣ ସରିକି             ପାଇଥିଲା ତ ତା ମଦନ ଦେଖି ।

ନିଜ କାର୍ମୁକର ଗୁଣ ।

ଶ୍ରୁତି ସରି ଟାଣି ନୃପ ଧୈର୍ଯ୍ୟ ଲୋପେ ପ୍ରକାଶିଲା ନିଜ ଟାଣ । ୪୮

 

ଧୀର ମଉଳିମଣି ନଳରାଜ                   -ବିଜୟେ ଯେତେବେଳେ ମନସିଜ ।

ପୁଷ୍ପଚାପ ଗୁଣେ ମାର୍ଗଣ ସନ୍ଧି             କଲା ବିନ୍ଧି ପକାଇବାକୁ ବୁଦ୍ଧି ।

ତେତେବେଳେ ତ୍ରିଭୂବନ ।

ବିଜୟାର୍ଜିତ ନିଜ ଯଶ ସଂଶୟ ସାଗରେ କଲା ଗମନ । ୪୯

 

ନଳ ଦମୟନ୍ତୀ ବନିତା ବର             ଘଟାଇ ଦେବାରେ ଏକା ବିହିର ।

ଇଚ୍ଛାର ନିରଙ୍କୁଶତା ବିକାଶେ             ନୋହିଲେ କେହି ପୁଷ୍ପଶର ପ୍ରାସେ ।

ବଜ୍ରଦୃଢ଼ ଧୈର୍ଯ୍ୟବର୍ମ ।

ନଳଭୂପାଳର ଅଳପକେ ଗଲା ଦଳି ହୋଇ ତୁଳା ସମ । ୫୦

 

ଏଥୁ ବଳି କିସ ଆଶ୍ଚର୍ଯ୍ୟ ଅଛି             ଲୋକ ପିତାମହ ଯେଉଁ ବିରଞ୍ଚି ।

ସେ କୁସୁମଶର ପ୍ରତାପ ତେଜେ             ଅତି ଭୀତିରେ ଆଶ୍ରିଛି ସରୋଜେ ।

ହେଲେ କାମ ଅତି ବଳୀ ।

ସ୍ୱତନୁ-ଛାୟା-ମାତ୍ର ବୋଲି ଏକା ସେ ନଳେ ନୋହିଥିଲା ଦଳି । ୫୧

 

 

ଯୁବାକାଳର ନବ ଉପହାର             ବର୍ତ୍ତୁଳ ଉରଜ-କୁମ୍ଭ ଯୁଗଳ ।

ଲିଭିଥିବାରୁ ସିନା ଦମୟନ୍ତୀ             ଲଜ୍ଜାନଦୀଦୁର୍ଗ ଦୁର୍ଗମ ଅତି ।

ଅବହେଳେ ହୋଇ ପାରି ।

ନଳ ଭୂପାଳ-ହୃଦୟ-ସ୍ଥଳ ବଳେ ଥିଲେ ଅଧିକାର କରି । ୫୨

 

ମନମଥ ମନ୍ଥି ପକାଇ ଚିତ୍ତେ । ଯେ ମହାପ୍ରାସ ଦେଲା ମହୀଭୃତେ ।

ବାହ୍ୟ ଆକାରରୁ ସେ ପ୍ରାସ-ଲେଶ । ଲୋକ ଲୋଚନେ ନୋହୁଥିଲା ଦୃଶ୍ୟ ।

ଏକା ଶଶାଙ୍କ କୋମଳା ।

ନିଶା ଶଯ୍ୟା ବେନି ବୁଝୁଥିଲେ ନୃପ ବିଷମ ବିରହଜ୍ୱାଳା । ୫୩

 

ବିଷମ-ବିଷମେଶୁ-ମହାପ୍ରାଶ । ଲଭିଲେହେ ନିତି ନଳ ନରେଶ ।

ତଥାପି ବିଦର୍ଭ ପତି କତିରେ । ପୁତ୍ରୀ-ପ୍ରାର୍ଥନାରେ ମତି ନ ଦେଲେ ।

ସୁଖ ସଙ୍ଗତେ ଜୀବିତ ।

ତେଜିପାରେ ମାନୀ ବରଜି ନ ପାରେ ଏକା ଅଯାଚିତ ବ୍ରତ ।୫୪

 

ବିରହ ତାପଜାତ ଦୀର୍ଘଶ୍ୱାସ । ଲୁଚାନ୍ତି ପ୍ରକାଶି ବୃଥା ବିରସ ।

କେ ଯେବେ ପୁଚ୍ଛଇ ଭୋ ଦେବ ତବ । ଅଙ୍ଗ ବହିଛି କିପାଁ ପାଣ୍ଡୁଭାବ ।

ସେ ତାକୁ ଭାଷନ୍ତି ହସି ।

ଚନ୍ଦନେ ଅନବଧାନେ ବା କର୍ପୂର ବେଶି ଯାଇଥିବ ମିଶି । ୫୫

 

 

ବିଲୋକି ଭ୍ରମେ ଦମୟନ୍ତୀରୂପ । ଯେଉଁ ଭାରତୀକି ଭାଷନ୍ତି ଭୂପ ।

ସଭା ସଭ୍ୟଙ୍କୁ ତା ନୁହେଁ ଗୋଚର । ବିପଞ୍ଚି ପଞ୍ଚମ ମୂର୍ଚ୍ଛନାସ୍ୱର ।

ଯେଣୁ କର୍ଣ୍ଣେ ଥାଏ ପୁରି ।

ତେଣୁ ମହୀପତି-ଅଳିକ-ଭାଷିତ ନୁହେଁ ତାହାଙ୍କରେ ବାରି । ୫୬

 

ସମ୍ବର ଅଇରି ବିଜୟଚିହ୍ନ । ଅଙ୍ଗେ ନ ପାରନ୍ତେ କରି ଗୋପନ ।

ଧୀର ବର ଶିରମୁକୁଟ ହୀର । ସେ ନଳ ଅବନୀ ବନିତାବର ।

ସଖା ବୟସ୍ୟଙ୍କ ମେଳେ ।

ଥିଲେ ସଜାଗେ ବେଳେ ବେଳେ ଅବାଗେ ଧରାପଡ଼ି ଯାଉଥିଲେ ।୫୭

 

ଦାକ୍ଷିଣ୍ୟ କରୁଣା ବିବେକ ଆଦି । ଥିଲେ ହେଁ ନୃପ-ହୃଦେ ନିରବଧି ।

ନୋହିଲେ କେହି ତହିଁ ଆଗସରି । ଦେବାକୁ ମନ୍ମଥ ଚାଞ୍ଚଲ୍ୟ ବାରି ।

ଜନମି ଗଲେଟି ପ୍ରେମ ।

ଏତ ଲୋକବିଧି ବିଧି ନିଷେଧକୁ ନିରୋଧି ପକାଏ କାମ । ୫୮

 

ମନ୍ମଥର ମନ ମଥନ ଚିହ୍ନ । ନୋହୁ ନିବାରି କଲେ ହେଁ ଯତନ ।

ସଭାରେ ଶୋଭା ଏ ନୋହିବ ବୋଲି । ନୃପଗୋତ୍ର ଗଭାମୁକୁଟ କଲି ।

ନଳ ଆରାମ ଭ୍ରମଣ-।

ଛଳେ ନିରୋଳ ସ୍ଥାନେ କାଳ ଯାପନେ ବଳାଇଲେ ତହୁଁ ମନ । ୫୯

 

 

ରୂପେ ମନ୍ମଥର ମନ ମନ୍ଥକ । ସେ ବସ ହକାରି ସେବକ ଲୋକ ।

ଆଦେଶିଲେ ଆଣ ଯାନ ବହନ । ମନ ପୁରୋପ କଣ୍ଠ ଉପବନ- ।

ଦର୍ଶନେ ଉତ୍ସୁକ ଅତି ।

ଏଣୁ ନର୍ମ୍ମ ସଖା ବୟସ୍ୟମାନଙ୍କୁ ଘେନି ତହିଁ ଯିବୁ ଧାତି । ୬୦

 

ନୃପତି ଆଜ୍ଞାରେ ସେବକ ଲୋକ । ଅଣାଇଲେ ଏକ ସିତ ଘୋଟକ ।

ଉଚ୍ଚେ ଚଞ୍ଚଳେ ତାର ସମକଛ । ନାହିଁ ନ ଥିଲା ନୋହିବ ଏ ମଞ୍ଚ ।

ଯା ସଦା ଚଞ୍ଚଳ ପଣ ।

ମନ୍ଦୁରା ଉଦର ମହି କହୁଥାଏ ବହି କ୍ଷୁରକ୍ଷତ ଚିହ୍ନ । ୬୧

 

ତା’ଗଳଦେଶେ ଶୋଭେ ରୋମାବର୍ତ୍ତ । ହୋଇଅଛି ସେ ନିଶିନାଥ ମିତ ।

ତହୁଁ ସିତ କେଶର କେଶରାଶି । ଲମ୍ବି ସରଳେ ଯାଉଥାଏ ଦିଶି ।

କୁମୁଦ ବନ୍ଧୁ କୌମୁଦୀ ।

ମୋଦ ଆଦରିକି ଏ ଅଶ୍ୱ-ଅଙ୍ଗର ଦେଲା ଶୁକ୍ଲିମା ସମ୍ପାଦି । ୬୨

 

ଅଜସ୍ର ଭୂମିତଟ କୁଟ୍ଟନରୁ । ଚରଣେ ରେଣୁ ଲାଗି ଦିଶେ ଚାରୁ ।

ତା ଚାହିଁ ଚିତ୍ତକୁ ଆସେ ଏମନ୍ତ । ଲଘୁ ଲୋକଙ୍କ ନୀଚ ଚିତ୍ତ ବ୍ରାତ ।

ଚଞ୍ଚଳ ଶିଖିବା ପାଇଁ ।

ଗୁରୁକରି ମାନି ସେ ଚାରୁବାରୁର ପଦ ଧରିଛନ୍ତି ରହି । ୬୩

 

 

ତା ନାସା ନାଚଇ ଏତେ କାହିଁକି । ସ୍ୱବେଗଦର୍ପ ସେ ଭଣି ବାଞ୍ଛେକି ।

ପୁଣି କିପାଇଁ ରହେ ତୁନି ହୋଇ । ମାନସେ ନିଶ୍ଚେ ଯେଣୁ ଗୁଣିଥାଇ ।

ଅଶ୍ୱଙ୍କ ଆଶୟ ଏତ ।

ଭୂପତି ବିଧାତା ପରାୟେ ବୁଝନ୍ତି ଏଥି ବୃଥା ମୋ ଭାଷିତ । ୬୪

 

ମହାରଥ ଚକ୍ରବର୍ତ୍ତୀ ଭୂଭୁତେ । ଆନର ସାହାଯ୍ୟ ବିନା କିଞ୍ଚିତେ ।

ବହି ଯିବାର ବିଜନିତଯଶ । ବଶେ ସେ ଦିଶଇ ଶୁକ୍ଳ ବିଶେଷ ।

ଦଶନ ଦୀପ୍ତି ଛଟାରେ ।

ରବିଙ୍କ ଅର୍ବକୁ ଦୁର୍ବଳ ଏବୋଲି ହସି ଉଡ଼ାଏ ଥଟାରେ । ୬୫

 

ପୁରତ ପଶ୍ଚାତେ ସିତକେଶର । ପୁଚ୍ଛଚାମର ଦିଶେ ମନୋହର ।

ସେ ପୁଣି ସଦା ହେଉଥାଏ ବିଞ୍ଚି । ତା ଚାହିଁ ମନ ଯାଉ ଥାଏ ପାଞ୍ଚି ।

ଆପେ ଆପେ ମନେ ।

ମନେ ବାଜିସମାଜରାଜତ ଏ ଚାମର ନ ଥାନ୍ତା କେହି ଗହଣେ । ୬୬

 

ଆଗୁ ଗମନ ବେଗେ ଏ ତୁରଗ । ଗରୁଡ଼-ଗର୍ବ କରିଥିଲା ଭଙ୍ଗ ।

ଏକାଅଶୀ ବିଷ ଅଶନେ ତାର । ଟେକ ରହି ଯାଇଥିଲା ମାତର ।

ଚାରୁ ଆୟୁତ ପ୍ରଗ୍ରହ ।

ମୁଖେ ଧରି ଏବେ ଏ ତାକୁ ବୋଲଇ ଦେଖି ମୋ ଆଗରେ ରହ । ୬୭

 

 

ସିନ୍ଧୁସମୁଦ୍ଭୁତ ଅସିତେ ତର । -କର ସହୋଦର ଉଚ୍ଚୈଃଶ୍ରବାର ।

ଶିରୀ-ହାରକ ସେ ତୁରଗେ ଯାଇ । ସମସ୍ତ ଧରିତ୍ରୀଭୃତ ବିଜୟୀ ।

ଅନଳ୍ପଲୋଚନ ନଳ ।

ବିଜେ କରି ନିଜ କ୍ଷିତୀନ୍ଦ୍ରପଦକୁ ସାର୍ଥକ କଲେ କେବଳ । ୬୮

 

ସୁର କରେ ଅରବିନ୍ଦ ଶୋଭଇ । ନୃପ ପାଣିରେ ପଦ୍ମ ଚିହ୍ନ ଶୋହି ।

ବେନିଏ ବିଜେ କରନ୍ତି ବାଜିରେ । ଏକ ବିରାଜନ୍ତି ଆପଣା କରେ ।

ଆରେକ ଗହଣ ସାଦୀ ।

ନିଜ ଦିବ୍ୟରୂପେ ଭୂଲୋକ ଆଲୋକି ଦେଲେ ସୁଷମା ସମ୍ପାଦି । ୬୯

 

ମହା ବେଗବନ୍ତ ତୁରଙ୍ଗେ ରଙ୍ଗେ । ଆରୋହି ମହୀଶ ଗମନ୍ତେ ବେଗେ ।

ଏକେତ ଅଙ୍ଗ ନିନ୍ଦେ କୋଟି କାମ । ସେ ପୁଣି ସାଦୀ ବେଶେ ନିରୂପମ ।

ପ୍ରମୋଦେ ନଗର ନରେ ।

ସେ ଛବି ଲୋଭେ ନିସ୍ପଲକେ ରହିଲେ ଚାହଁ ପୁତ୍ତଳି ପ୍ରକାରେ । ୭୦

 

ସଦ୍‌ଗତିକି ଯେ ଶିଖାଏ ଗତି । ସେ ବାଜିବରେ ଆରୋହି ଭୂପତି ।

କାନ୍ତି ତେଜରେ ନିଶ ଶଚୀପତି । ଦୁହିଙ୍କି ଦ୍ୱିତୀୟେ କରାଇ ସ୍ଥିତି ।

ପୁରୁଁ ବାହାରିବା ବେଳେ ।

ପୁରବାସୀ ନରଙ୍କର ଦୃଷ୍ଟି ବୃଷ୍ଟି ହେଉଥିଲା ତାଙ୍କ ପରେ । ୭୧

 

 

ବିଜୟ କରନ୍ତେ ନୃପତି ରଙ୍ଗେ । ଗହଣ ସାଦିଏ ସମ୍ମୁଖ ଭାଗେ ।

ନବ ପଞ୍ଚବ ଶଲ୍ୟ କରେ ଧରି । କୃତ୍ରିମ ସମର-ସଂରମ୍ଭ କରି ।

ହେଉଥାନ୍ତି ଡକାଡକି ।

ମାର ମାର ବୋଲି କେ କାକୁ ବୋଲଇ କେ ବୋଲେ ଆଡ଼ିଲ ଦେଖି । ୭୨

 

କେତେ ବା ଏ କ୍ଷିତି ଆମ୍ଭ ଗତିକି । ଶୁଖି ସାଗର ମରୁ ହୁଅନ୍ତା କି ।

ନିଜ ବେଗ-ଗର୍ବେ ଅର୍ବେ ଏମନ୍ତେ । ବିଚାରି ଉଡ଼ାଇଲେ କ୍ଷୁର-କ୍ଷତେ ।

ଧରିତ୍ରୀରୁ ଏତେ ରେଣୁ ।

ଯେ ପାତ ମାତ୍ରକେ ସରିତ ପତିର କିଞ୍ଚିତେ ପୋତିବେ ତନୁ । ୭୩

 

ହରିର ଏକମାତ୍ର ପଦ ନଭେ । ବିକ୍ରମି ଥିଲା ତ ଜାଣନ୍ତି ସର୍ବେ ।

ଆମ୍ଭେ ହରି ହୋଇ ଚାରି ପୟରେ । ତାହାକୁ ବିକ୍ରମିବା କି ବିଚାରେ ।

ଏତର୍କ ହୁଅନ୍ତେ ହୃଦେ ।

ଲାଜେ ବାଜିଏ କି ମୁଖ ପୋତି ରୋଧିଥିଲେ ଅର୍ଦ୍ଧୋତ୍ଥିତ ପଦେ । ୭୪

 

ନରପତି ଗହଣ ସାଦୀ ଜନେ । ପରବେଶି ବନେ ବିହାର ସ୍ଥାନେ ।

ଭ୍ରମଲେ ଚୌଦିଗେ ମଣ୍ଡଳାକାରେ । ତହୁଁ ଏ ଭ୍ରାନ୍ତି ଉଦ୍ଭବ ଚିତ୍ତରେ ।

ଜିନ ବଚନକୁ ମାନି ।

ବିହାର ପ୍ରଦେଶ ପ୍ରଦକ୍ଷିଣ କରୁଥିଲେ କି ସେ ସାଦୀ ଶ୍ରେଣୀ । ୭୫

 

 

ନୃପଙ୍କ ଦ୍ୱିଷେ ଦିଶ ଛନ୍ତି ଡେଇଁ । ଯଶକୁ ତ ସିନ୍ଧୁ ଗୋଷ୍ପଦ ହୋଇ ।

ଆଉ ଆମ୍ଭେ ଯିବା କେଣେ କାହିଁକି । ଏମନ୍ତ ବିଚାର ଆଣି ମତିକି ।

ବାଜିଏ ସରଳେ ଗତି ।

ବରଜି ମଣ୍ଡଳି ଗତିରେ ସେ ସ୍ଥଳୀ ଚଉପାଶେ କି ଭ୍ରମନ୍ତି । ୭୬

 

ନିଜ ଆତପତ୍ର ତଳ ସ୍ଥଳରେ । ନଳ ମହୀପାଳ ସୁକଉଶଳେ ।

ମଣ୍ଡଳେ ବାଜିକି ଭ୍ରମାଇବାର । ଦେଖି ପକାଇ ଥିବାରୁ ସମୀର ।

ଏବଯାଏ ଘୋଷେ ତାହା ।

ତା ବାରି ନ ପାରି ମିଛେ ବୋଲୁଥାନ୍ତି ଜନେ ବାତ୍ୟାବର୍ତ୍ତ ଏହା । ୭୭

 

ତଦନ୍ତେ ଚିତ୍ତ ଶାନ୍ତି ପାଇଁ ନଳ । ପ୍ରବେଶିଲେ କ୍ରିଡ଼ା କାନନ ସ୍ଥଳ ।

ପ୍ରବାଳ ରାଗ ପିଙ୍ଗଳ ସେ ବନ । ଘନ ଛାୟାରେ ଅତିହିଁ ଶୋଭନ ।

ଘନଛାୟା ସମପ୍ରଭ ।

ପ୍ରବାଳବନ୍ତ ସାଗରେ ଶୟନାର୍ଥେ ପ୍ରବେଶିଲେ କି ମାଧବ । ୭୮

 

ପୁରବାସୀ-ନରଈକ୍ଷଣ-ଗଣେ । ଗମୁଁ ଥିଲେ ନୃପ ଅନୁସରଣେ ।

ପ୍ରବେଶନ୍ତେ ବନେ ଅବନୀଧବ । ବନ୍ଧୁକୁ ବନ ଯାଏ ଛାଡ଼ିଯିବ ।

ସ୍ମରି କି ଏ ପ୍ରବଚନ ।

ଦୃଷ୍ଟିଏ କଷ୍ଟି ହୋଇ ଫେରି ଅଇଲେ ବନେ ନିବେଶି ରାଜନ । ୭୯

 

 

ପୁଷ୍ପଫଳେ ଅତିଶୟ ମଞ୍ଜୁଳ । ସେ ଉପବନରେ କାନନପାଳ ।

ଅବନୀପାଳ ପୁରତରେ ରହି । ଅଙ୍ଗୁଳି ବଢ଼ାଇ ଦେଇ ଦେଖାଇ ।

କାନନ କମନୀୟତା ।

ରାଜନ ମନୁ କ୍ଷଣକ ପାଇଁ ଦୂର ଦେଲା କରି ଆନଚିନ୍ତା । ୮୦

 

ପକ୍ଷୀ ପକ୍ଷବାତେ କିଞ୍ଚିତଚଳ । ପଲ୍ଲବପାଣିରେ ସ୍ଥାବର-କୁଳ ।

ଫଳ ଫୁଲ ବହି ମହୀପତିକି । ଗ୍ରହିଲେ ପାଛୋଟି ବାର ରିତିକି ।

ସ୍ୱଭାବେ ବନୌକା ସେତ ।

ଅତିଥିସତ୍କାର ବେଭାର ତାଙ୍କର ଅଟଇ କୌଳିକ ବ୍ରତ । ୮୧

 

ଏ କାଳେ କୁତୂହଳେ ଭୂପାଳର । ଇକ୍ଷଣ ହୋଇଲା କେତକେ ମେଳ ।

ବିକଚ ହେମପତ୍ରେ ଅଳିକୁଳ । ସଞ୍ଚରି ଦିଶନ୍ତି ଅତି ମଞ୍ଜୁଳ ।

ହର ବର୍ଜ୍ଜନ ଜନିତ ।

ଦିଗନ୍ତଚଳ ଦୁର୍ଯଶଭାର ଶିରପରେ ବହିଲାର ମତ ୮୨

 

ଗାଲିଲଗା ଭାଲିଶର କାମର । ଭେଦିଲେ ଥରେ ତୁ ବିରହି ଉର ।

ଓଟାରିଲେ ଆସୁ ଜୀବ ସହିତ । କଣ୍ଟକେ ଅତି କଟୁ ସ୍ୱଭାବେ ତ ।

ଏଣୁ ଦର୍ପକ ମର୍ଦ୍ଦନ ।

ବର୍ଜିଛନ୍ତି ତୋତେ ବିଚାରନ୍ତି ଚିତ୍ତେ ଏମନ୍ତ ନଳ ରାଜନ । ୮୩

 

 

ଅଗ୍ର ଅଟେ ତୋର ସୂଚୀ ପ୍ରକାର । ତହିଁରେ କାମ କାମୀଯୁଗଳର ।

ଅପଯଶପଟ୍ଟ ଯତନେ ସିଇଁ । ଲୋକ ସମାଜେ ବିସ୍ତାରି ଦିଅଇ ।

କଣ୍ଟକିତ ପତ୍ରେ ତୁହି ।

କାମୀ-ହୃଦ-କାଷ୍ଠ-କର୍ତ୍ତନକୁ କରପତ୍ର ପ୍ରାୟ ଯାଉ ହୋଇ । ୮୪

 

ପ୍ରସୂନଧନୁନିସ୍ୟନ୍ଦ ମରନ୍ଦ । ଲାଗି ହେବାରୁ କରତଳ ଆର୍ଦ୍ର ।

ତୋରଜେ କାମ ଧୂଳିମାଟି କରି । କର୍କଶ ମୁଷ୍ଟିରେ କାର୍ମୁକ ଧରି ।

ଲାଖ କରୁଛି ମୋ ତନୁ ।

ଯେଣୁ ସେ ଜାଣେ ନାହିଁ ମୋ ଆନଗତି ବିଦର୍ଭି ନନ୍ଦନା ବିନୁଁ । ୮୫

 

ଦୋହତଧୁପିତ ଦାଡ଼ିମଦ୍ରୁମେ । ଫଳି ଓହଳିଛନ୍ତି ଫଳସ୍ତୋମେ ।

ତା ଚାହିଁ ନୃପତି ଚିତ୍ତେ ସମ୍ଭବେ । ଦମୟନ୍ତୀ ସ୍ତନତୁଙ୍ଗତାଲାଭେ ।

ଘଟପଟଳି ନିଶ୍ଚୟ ।

ଅଧୋମୁଖେ ରହି ଧୂମ ପିଇ ଦେଇଛନ୍ତି ତପସ୍ୟାରେ ଲୟ । ୮୬

 

କାହିଁ ନବ-କଣ୍ଟକିତ ଲତାରେ । ପାଚି ଦାଡ଼ିମ ଫାଟି ଶୋଭା ଧରେ ।

ସେ କ୍ଷତେ ଅଶନ-ଆଶାରେ କୀର । ଦେଇଛି ଖଞ୍ଜି ରକ୍ତଚଞ୍ଚୁ ତାର ।

ତା’ ଚାହିଁ ଭାଳନ୍ତି ନୃପ ।

ଏ କାମିନୀ-ମର୍ମ୍ମେ ନିର୍ମମ ମଦନ ବିନ୍ଧିଛି କିଂଶୂକରୋପ । ୮୭

 

 

ପଳାଶ ଦେଖି ଭାବନ୍ତି ଭୁପାଳ । ପଳ-ଅଶନୁ ଏ ନାମ ଏହାର ।

କାମର ପରା ଏ ଅର୍ଦ୍ଧେନ୍ଦୁ ଶର । ବିରହୀ-ରକ୍ତେ ହୋଇଛି ଜର୍ଜ୍ଜର ।

ଦେଇଛି କାଟି କା ଅନ୍ତ ।

ଅଦ୍ୟାପି ମୂଳରେ ମାଂସ ତା ଲାଗିଛି ଦୂରୁ ଦିଶେ ବୃନ୍ତବତ । ୮୮

 

ଗନ୍ଧବହେ ହୋଇ ମନ୍ଦେ ଚୁମ୍ବିତ । ତନୁ ମରନ୍ଦେ ହୋଇଛି ନିଚିତ ।

କଳି ଦଶନାବଳୀକି କିଞ୍ଚିତ । ବିକାଶି ହସୁଛି କମ୍ପି ଇଷତ ।

ଏମନ୍ତ ଲତାର ରୀତି ।

ଦରମିଶ୍ରିତ ଆଦର ଭରେ ନୃପ ନେତ୍ର କଲା ତହିଁ ସ୍ଥିତି । ୮୯

 

ପାନ୍ଥ ପତଙ୍ଗମ ହିଂସାରେ ରସି । ଥିବାରୁ ଅନଳପ ପାପରାଶି ।

ଭୂଷି ହୋଇଛି ଅଳିମାଳ-ଛଳେ । ଚମ୍ପା-କଳି ନୃପ ମାନସେ ବଳେ ।

ଆନ ଭାବନା ଦଳାଇ ।

ମାନସିକ ପୂଜା ପାଇଁକି ପ୍ରଦୀପ କଳ୍ପନା ଦେଲା ଖେଳାଇ । ୯୦

 

ପୁଣି ପୁଷ୍ପେ ବିରହୀ ଦୃଷ୍ଟିଘାତୀ । ପରାଗ ଚାହିଁ ନୃପ ବିଚାରନ୍ତି ।

ବିଭୂତି ଭୂଷଣ ହରେ ବଇରି । ହୋଇ କୁସୁମଶର ସମ୍ବରାରି ।

ପେଷିଥିଲାତ ପୁରୁବେ ।

ସେ ଶରୀର-ଭସ୍ମ ଶରଫଳେ ଲାଗିଥିବା ଦେଖାଗଲା ଏବେ । ୯୧

 

 

କରୁଣା ସମ୍ଭାବକ ସେ ବନରେ । ପିକ ବିରହୀ ଯୁଗ ଦୁର୍ଦ୍ଦଶାରେ ।

କୁହୁ କୁହୁ ସ୍ୱରେ ବର୍ଣ୍ଣିଯିବାରୁ । ଶ୍ରୋତା ମଧୁବ୍ରତ ହୁଁ ହୁଁ ହୁଁ କରୁ ।

କୁସୁମ କର କମ୍ପାଇ ।

ଅନାସ୍ଥା ପ୍ରକାଶେ ସ୍ଥଳ-କମଳିନୀ ଦେଖି ଦୁଃଖୀ ନରସାଇ । ୯୨

 

କାହିଁ ବିଲୋକନ୍ତେ ରସାଳ-ଦ୍ରୁମ । ବହେ ନୃପଚିତ୍ତ ଭୀତି ବିଷମ ।

ବିଚାରଇ ମୋତେ ଏ ତରଜେ କି । ରୋଷେ ଚାଳି ମୁକୁଳ ଅଙ୍ଗୁଳିକି ।

ବ୍ୟାଜ ଏ ଭୃଙ୍ଗଝଙ୍କାର ।

ରୋଷ ଆଭାଷ ବିକାଶର ଏ ପୂର୍ବପୁରୁଷ କର୍କଶ ସ୍ୱର । ୯୩

 

ଛନ୍ନ ମନେ କାହିଁ ନୃପ ଦେଖନ୍ତି । କୋକିଳ-କୁଳ ବସି ଭାବୁଛନ୍ତି ।

ଦ୍ୱିଜ-ଜାତି ଯୋଗେ ହୁଅଇ ଭ୍ରାନ୍ତି । ଭାବନ୍ତି ରୋଷାରକ୍ତ ନେତ୍ରେ ଅତି ।

ବିଯୋଗୀ ଦମ୍ପତି ପ୍ରତି ।

କ୍ଷୀଣୁ କ୍ଷୀଣ ହୁଅ ମୂର୍ଚ୍ଛା ତାପ ପାଅ ବୋଲି ଶାପ କି ଦିଅନ୍ତି ? । ୯୪

 

ଚମ୍ପକ କଳିକାର ଚୂଳେ ଅଳି- । ମଣ୍ତକ ଭ୍ରମନ୍ତି ରଚି ମଣ୍ତଳୀ ।

ତା’ଚାହିଁ ଭାବନ୍ତି ନଳ ରାଜନ । ବିରହି-ବିବହ-ନିଧନଚିହ୍ନ ।

ସୂଚାଇ ଧୂମକେତନ ।

ଉଇଁଅଛି ଶୂନ୍ୟେ ହେଉ ଏତେ ମନେ ଥରି ଯାଏ ଅପଘନ । ୯୫

 

 

ନାଗକେଶରେ ଭୃଙ୍ଗ ହେଉ ସଙ୍ଗ । ମଣ୍ତଳେ ଝରଇ ପରାଗବର୍ଗ ।

ନୃପ ଚିନ୍ତି ଶିଳୀମୁଖଗଣରେ । ଦେଉଛି ଶାଣ କୁସୁମ ଶାଣରେ ।

ନିଶ୍ଚୟ କେଳତିପତି ।

ଝଡ଼ି ପଡ଼ୁଅଛି ଘର୍ଷଣଜନିତ ପ୍ରତପ୍ତ ସ୍ଫୁଲିଙ୍ଗ ତତି । ୯୬

 

ଗୁଣ-ସ୍ପୃହାଳୁ ଶିଳୀମୁଖ ବ୍ରାତ । ନୃପ-ଅଙ୍ଗବାସେ ହୋଇ ଲୋଭିତ ।

କୁସୁମୁଁ ବାହାରି ଝଙ୍କାର କରି । ଆସି ନୃପତି-ପାଶେ ଯାନ୍ତି ଫେରି ।

କୁସୁମଚାପ ତା’ ଚାହିଁ ।

ମୋ-ପରା ବୀରର ଲକ୍ଷ୍ୟଭ୍ରଷ୍ଟ ହେଲା ବୋଲି ଲାଜେ ମଉଳଇ । ୯୭

 

ଅନିଳଲୋଳ-ପଲ୍ଲବ-କଣ୍ଟକ । ବାଜି ବିକ୍ଷତ ହେଉ ଅଙ୍ଗ ଯାକ ।

ଚନ୍ଦନ-ଚାରୁ ସୌରଭ ପ୍ରସରି । ଦିଶ ବିଦିଶ ଯାଉଅଛି ପୂରିଁ ।

ଏମନ୍ତ ଶ୍ରୀଫଳ ଫଳ ।

ବାର-ସ୍ତ୍ରୀକୁଚକୁ ଚିତ୍ତରେ ପକାଇ କଲା ନୃପକୁ ଅକୁଳ ୯୮

 

ପୁଣି ଦେଖନ୍ତି ପାଟଳି ଲତାରେ । ସ୍ତବକ ପୂରିଛି ପୁଷ୍ପ ସମ୍ଭାରେ ।

ଯୁବକ ଯୁବତୀ-ଚିତ୍ତ-ଭେଦନ । ବିଷୟେ ସେ ପୁଷ୍ପ ଅତି ନିପୁଣ

ବୀର କୁସୁମଚାପର ।

ଇଷୁଧି ବିଚାରି ନିଷଧ-ଅଧିପ ହୁଅନ୍ତି ଭୟେ କାତର । ୯୯

 

 

କାହିଁ ଅଗସ୍ତି ଦ୍ରୁମେ ନବ କଳି । ଶୁକ୍ଳିମାରେ ନିଶା ଈଶକୁ ବଳି

ଓହଳି ରହିଛି ତା ବିଲୋକନେ । ବିଚାରୁ ଥାନ୍ତି ମହୀପତି ମନେ ।

କୃଷ୍ଣପକ୍ଷେ କ୍ଷୟ ଛଳେ ।

ଗିଳିତ ଶଶାଙ୍କ କଳାକୁ ଏ ଦ୍ରୁମସ୍ଵର୍ଭାନୁବମେ କି ବଳେ । ୧୦୦

 

ମୃଦୁଳା-ବ୍ରତତୀ-ତନୁ-ଲତାର । ଅଙ୍ଗୁ ନିହାର-ପ୍ରଚ୍ଛଦ ଅମ୍ୱର ।

ଅବିଳମ୍ୱେ ଦୂର କରି ପକାଇ । ତା’ କୁସୁମେ ରସି ଲୀଳା କରଇ ।

ମରୁତର ଏ ରୀତିକି ।

ଚାହିଁ ନେତ୍ର ମୁଦି ରହନ୍ତି ଭୂପତି ମତିରେ ରଖି ଭୀତିକି । ୧୦୧

 

ଯା’ କୋଳେ ଜନମି ହୋଇ ବିଶାଳ । ନିଜକୁଳେ ହୋଇଛନ୍ତି ସଫଳ ।

ସେ ମହୀ-ମାତାକୁ କୃତଜ୍ଞ ପଣେ । ଫଳ-ନତଶିରେ ପାଦପ ଗଣେ ।

ନମିବାର ନୃପ ଚାହିଁ

ଅଭିବନ୍ଦିଲେ ଆନନ୍ଦେ ଦ୍ରୁମ ବୃନ୍ଦେ ଯେଣୁ ସେ ସୁଗୁଣଗ୍ରାହୀ । ୧୦୨

 

କେତକୀ ରଜରାଜିପିଶଙ୍ଗିତ । ଉପ-ବନାନିଳେ ଅତିହିମିତ ।

ପୁଷ୍ପ ମକରନ୍ଦେ ପୀୟୁଷୋପମ । ଦିବା-ଆଲୋକେ ମହା ମନୋରମ ।

ହେଲେହେଁ ସେ ବନସ୍ଥଳ ।

ତାପୀ-ନୃପ-ହୃଦ-କୁମୁଦେ କୈମୁଦି ମୁଦ ନ ବିହିଲା ତିଳ । ୧୦୩

 

 

ମଦନ କଲେହେଁ ଅତି କଦନ । ନ ଗଲା ନୃପତି ମୁଖୁଁ ଲାବଣ୍ୟ ।

ତଥାପି ଦିଶେ ସେ ଶଶାଙ୍କ ସରି । ତା’ ଚାହିଁ ରୋଷେ ନେତ୍ର ରକ୍ତ କରି ।

ସେ ମଦନ-ସଖା-ଦୂତ ।

କୁହୁ କୁହୁ ବୋଲି ଅମାକୁ ଡାକେ କି ଚିନ୍ତି ଏ ଚନ୍ଦ୍ର ନିପାତ । ୧୦୪

 

ପ୍ରବାସୀ ପଥିକେ ଗମନ୍ତେ ପଥେ । ମନ ତାଙ୍କ ମନ୍ଥି ହୁଏ ମନ୍ମଥେ ।

ନାମୁଁ ଗୁଣ ବାରି ମୂଳେ ବିଶ୍ରାମ । କରନ୍ତେ ତାଙ୍କ ଦୁଃଖ ବାରି ଦ୍ରୁମ ।

କରପଲ୍ଲବ ପ୍ରସାରି ।

ଅଶୋକ ନାମକୁ କରଇ କି ସାର୍ଥ ସ୍ମରଶର ପଥଁ ଧରି । ୧୦୫

 

କ୍ରୀଡ଼ାସର ତୀରେ ତରଙ୍ଗ ବୃନ୍ଦ । ବାଜି ଜନମାନ୍ତି-ମୃଦଙ୍ଗ-ନାଦ ।

ପରଭୃତୋଗୀତ ଗାବନ୍ତି ଉଚ୍ଚେ । ପୁଚ୍ଛଟେକି ଶିଖୀ-ନର୍ତ୍ତକୀ ନାଚେ ।

ବନେ ମଧ୍ୟ ନୃପେ ଦେଖି ।

ପ୍ରକୃତି ସଙ୍ଗୀତେ ସେବଇ ସୁଭାଗ୍ୟବନ୍ତ ନୁହେଁ କାହିଁ ସୁଖୀ । ୧୦୬

 

ନୃପଙ୍କ ସୁଗୁଣଗଣ ଘୋଷାଇ । ଲୋକେ ଶୁକେ ଦେଇଥାନ୍ତି ମେଲାଇ ।

ସେମାନେ ବନେ ବୃକ୍ଷଡାଳେ ବସି । ଭାଷୁଥିଲେ ନୃପ ସୁଯଶରାଶି ।

ସୁସ୍ୱରଶାରୀକା ସ୍ୱରେ ।

ଦ୍ୱିଗୁଣିତ ହୋଇ ସେ ଗୀତ ନିରତ ତୋଷୁଥିଲା ନରବରେ । ୧୦୭

 

 

ନାନା ସୁବାସେ ବାସିତ କାନନ । ମଧ୍ୟେ ଶୁକପିକ ଶାରୀ ଗାୟନ ।

ଶୁଣିଲେହେଁ ବାହ୍ୟ ଆନନ୍ଦ ବିନା । ହୃଦେ ତୋଷ ଲେଶ ନ ଗଲା ଚିହ୍ନା ।

ସେ ନଳ ମହୀପତିର ।

ଉଚ୍ଛୁଳେ ଦୁଃଖ ନିରତେ ଯହିଁ ତହିଁ କାହିଁ ବା ସ୍ଥାନ ସୁଖର । ୧୦୮

 

ସକଳ ଋତୁତ ସେ ବନେ ଠୁଳ । ତହିଁ ବିହରନ୍ତି ଅବନୀପାଳ ।

ତା’ ଚାହିଁ ଏମନ୍ତ ଆସେ ମତିକି । ମିତ ମଧୁତୁଲେ ରତିପତିକି ।

ନିଜ କେତୁ ଧରି କରେ ।

ଦ୍ରୁମ-ଆଳବାଳ-ଜଳେ କୁତୂହଳେ ଛାଡ଼ିବାକୁ ମନ କରେ । ୧୦୯

 

ଏକାଳେ ବଲ୍ଲରୀବାଳୀ-ନୃତ୍ୟର-। ଗୁରୁ କୁସୁମ ଚାରୁଗନ୍ଧଚୋର ।

ସମୀର ମକରନ୍ଦ ଗନ୍ଧ ବାରି-। ପ୍ରବାହେ ସଧୀରେ ସ୍ନାହାନ କରି ।

ଧୀର ଧୀର ହୋଇ ଆସି ।

ଦଣ୍ଡଧର ସେବା ସବିଧିରେ ନିର୍ଭା କରିବାରେ ଗଲା ରସି । ୧୧୦

 

ତହୁଁ ନୃପନେତ୍ର ଏକ ତଡ଼ାଗେ । ବନେ ଭ୍ରମୁ ଭ୍ରମୁ ପଡ଼ିଲା ରଙ୍ଗେ ।

ପୁଣି ମନ୍ଥନ ଭୟେ ସରସ୍ୱାନ । ପୂର୍ବସଞ୍ଚିତ ବର୍ଦ୍ଧିତ ରତନ-।

ତକ ଯତନେ ଘେନାଇଁ ।

ସେ ତଡ଼ାଗର ଗଭୀର-ଗର୍ଭେ ଲୁଚିଥିଲା ପରା ପ୍ରତେ ହୋଇ । ୧୧୧

 

 

ହେଲେହେଁ ନୀରେ ଯତନେ ବିଲୀନ । ଶେଷପୁଚ୍ଛକଛ-ସ୍ୱଚ୍ଛବରନ ।

ଅଇରା-ବତର ରଦଶିଖର । ମୃଣାଳ-ଛଳରେ ବାରି ଉପର ।

ଫିଟି ବାରି ହୋଇ ଦିଶେ ।

ତଟଭୂମି ଭେଦି ଥିବାରୁ ଅପରଆଶଙ୍କା ନ ରଖେ ଲେଶେ । ୧୧୨

 

ବନ୍ଧା ହୋଇଛନ୍ତି ବାଜୀଏ ତୀରେ । ପଡ଼ିଛି ତାଙ୍କ ବିମ୍ବ ସରନୀରେ ।

ନୀର ସହିତରେ ନାଚି ସେ ଛାଇ । ଯାଉଛି ସହସ୍ର ସହସ୍ର ହୋଇ ।

ଏଣୁ ଉଚ୍ଚୈଃଶ୍ରବା କୁଳ ।

ବୀଚିକଶାଘାତେ ତହିଁ ତରଛିଲା ପରାଏ ଦିଶେ ମଞ୍ଜୁଳ । ୧୧୩

 

ରାଜେ ବିକଚ ଶ୍ୱେତ-ସରସିଜ । ରସିଛନ୍ତି ତହିଁ ଅଳି-ସମାଜ ।

ମଧ୍ୟ ଦିଶୁଅଛି ତାର ଅସିତ । ତା’ ଚାହିଁ ନ ବିଚାରିବ କେ ଚିତ୍ତ ।

ଏ ସାଗରେ ଶଶିରାଶି ।

ଆପଣା-କଳଙ୍କ କୋଳରେ ଆଦରି ଜଳେ ଉଠିଛନ୍ତି ଭାଷି । ୧୧୪

 

ତହିଁ ସରୋଜିନୀ ଗୁଳ୍ମ ହରିତ । କମଳାଳୟ ସେ ଉଭୟ ମତ ।

ରଥାଙ୍ଗେ ପୁଣି ଅତି ମନୋହର । ଅଛି ମୃଣାଳ ଶେଷନାଗ ତଳ ।

ଏଣୁ ଏଥି ସିନ୍ଧୁ ଲୁଚି ।

ନାହିଁ ବୋଲି ଯେହୁ କହେ କି କହିବା ତାହାକୁ ନ ଦିଶେ ପାଞ୍ଚି । ୧୧୫

 

 

ତରଙ୍ଗତରଙ୍ଗିଣୀମାନେ ଏଥି । ଆସି ମିଶୁଛନ୍ତି ଦିବସ ରାତି ।

ଅଳପବି କସିତ କୋକନଦ-। କଳିକାକୁଳ ପ୍ରବାଳ ସମ୍ପଦ ।

ବଳେ ଆବରି ଅଛନ୍ତି ।

କର ବିଚାର ସୁଧୀରେ ଧୀରେ ବାରେ ଏମନ୍ତ ଯେ ସେ କି ମତି । ୧୧୬

 

ସିତାସିତ ମହାପଙ୍କଜବ୍ରାତ । ବିକଶି-ବାର ଏ ନୁହଁଇ ସତ ।

ଗର୍ଭେତ କାଳ-କୁଟ କଳାନିଧି । ବେନିଙ୍କି ଯତନେ ଅଛି ସମ୍ପାଦି ।

ତାଙ୍କ ଶୁକ୍ଳ ନୀଳ କାନ୍ତି ।

ନୀରଆବରଣ କାହୁଁ ବା ରୋଧିବ ତେଣୁ ଫିଟି ଦିଶୁଛନ୍ତି । ୧୧୭

 

ଶୈବାଳ ବଲ୍ଲରୀ ତରଙ୍ଗବେଗେ । ତରଙ୍ଗ ତରଙ୍ଗ ହେଉଛି ରଙ୍ଗେ ।

ଏହା ଯେ ବୋଲେ ସେ ନଜାଣେ ନିଶ୍ଚେ । ସାଗରେ ବାଡ଼ବାଗ୍ନି ଥିବା ସ୍ୱଚ୍ଛେ ।

ଏ ସିନା ସେ ବହ୍ନି-ଧୂମ ।

କୁଣ୍ଡଳିତ ହୋଇ ଉର୍ଦ୍ଧ୍ୱକୁ ପ୍ରସରି ଦିଶୁଅଛି ମନୋରମ । ୧୧୮

 

ସୂରଦର୍ଶନେ କଣ୍ଟକାଇ ଅଙ୍ଗ । ମହା ଆମୋଦକୁ ପ୍ରକାଶି ବେଗ ।

ଶରୀରକୁ କରି ଶିରୀ ମନ୍ଦିର । ଏ କେ ନାଚୁଅଛି ନୀର ଉପର ।

ଗେଲେ ଗେଲେ ଧୀରେ ଧୀରେ ।

ୟାକୁ ପଦ୍ମସନା କହିବେ ଅପ୍ସରା ଦେଖି ନଥିଲାକୁ ନରେ । ୧୧୯

 

 

ତୀର-ତରୁଙ୍କ ପ୍ରତିବିମ୍ବ ଜଳେ । ପଡ଼ି ନାଚୁଅଛି ତରଙ୍ଗ ତୁଲେ ।

ବୋଇଲେ କେ କିପାଁ କରିବ ସତ । ଶୁଣିଲା ଉତ୍ତାରୁ ଏତେ ଚରିତ ।

ନିଶ୍ଚେ ସେ ତର୍କିବ ମନ ।

ଗର୍ଭ-ଗୁପତ ମୈନାକ ପର୍ବତର ଏକା ଏ ପକ୍ଷକମ୍ପନ । ୧୨୦

 

ଏମନ୍ତେ ସାଗର ଚାତୁରୀ ଚୋରୀ-। କାରୀ କ୍ରୀଡ଼ାସରେ ସେ ଦଣ୍ଡଧାରୀ ।

ଦେଖିଲେ ହିରଣ୍ମୟ ହଂସ ଏକ । ହଂସୀ କଳସ୍ୱନେ ହୋଇ ଉତ୍ସୁକ ।

ତା’ ପାଶେ ଯାଉଛି ଧୀରେ ।

ଅଦ୍ଭୂତପୂର୍ବ ଏ ବିଚିତ୍ର ବିହଗେ ବିଲୋକି ବିସ୍ମିତ ହେଲେ । ୧୨୧

 

ଚଞ୍ଚୁଚରଣ-ଯୁଗଳ-ଛଳର । କାମ ବିଜନିତ-ପ୍ରେମ-ଦ୍ରୁମର ।

ପଲ୍ଲବ-ଯୁଗ-ଯୁତ-ନବାଙ୍କୁର-। ପରାଏ ରତି-ଲାଳସୀ ପ୍ରିୟାର-।

ପାଇକି ହୋଇଛି ସେହି ।

ବେଶି ବର୍ଣ୍ଣିବାକୁ ବସି ତାର ରୂପ ଆଉ ଭାଷା ନ ଦିଶଇ । ୧୨୨

 

ନାହିଁ-ନଥିବା ରୂପବନ୍ତ ଖଗେ । ମହୀ-ମହେନ୍ଦ୍ର ବିଲୋକନ୍ତେ ବେଗେ ।

ହୃଦୁଁ ଦମୟନ୍ତୀ-ବିରହ-ଜାତ । ସନ୍ତାପ କ୍ଷଣେ ହେଉ ଅନ୍ତରିତ ।

ସେ ସ୍ଥାନ ବସିଲା ମାଡ଼ି ।

ବଳେ ପ୍ରବଳ-କୁତୂହଳ ଚପଳେ ନିଜ ଅଧିକାର ଲୋଡ଼ି । ୧୨୩

 

 

ଅବଶ୍ୟମ୍ଭାବୀ ବିଷୟ-ନିକରେ । ବିଧାତା-ବିଧିକି କେ ରୋଧି ପାରେ ।

ହେଉଥିବ ତାର ଯେମନ୍ତ ଗତି । ଏ ବିଶ୍ୱନିବାସୀ ପରାଣୀ-ତତି ।

ବାତ୍ୟା-ବେଗେ ତୃଣବତ ।

ନିରୁପାୟ ହୋଇ ତାର ତୁଲେ ଧାଇଁଥିବେ ଏ କଥା ନିୟତ । ୧୨୪

 

ଏକାଳରେ ସେ ସରୋବର-ତୀରେ ।-ରତଶ୍ରମଜାତ-ଅବସାଦରେ ।

ଅତି ଅଳସରେ ମରାଳ ବର । ଶୟନ-ସୁଖ ସମ୍ଭୋଗେ ତତ୍ପର-।

ହୋଇ ଏକପଦେ ରହି ।

ନିଦ୍ରାଗଲା ଗ୍ରୀବା ବୁଲାଇ ମସ୍ତକ ପକ୍ଷ-ସନ୍ଧିରେ ଲୁଚାଇ । ୧୨୫

 

ନିଷଧାଧିପ ବଦନ ତେଜରେ । କାଞ୍ଚନ-ଅବ୍ଜକି ନିଜ ଓଜରେ ।

ହରାଇ ଲାଜରେ ମୃଣାଳ-ଚୂଳେ । ଲୋଳି ରହିଅଛି କିବା ସଲିଳେ ।

ସଲିଳ ମଣ୍ଡଳେଶର ।

ବିଦ୍ରୁମ ଦଣ୍ଡ ମଣ୍ତିତ ଚାରୁ ହେମଚାମର ସେ ହଂସବର ୧୨୬

 

ଉତୁରି ବାଜିବରୁ ମହାରାଜ । ମହୀତଳେ ଦେଉ ପଦସରୋଜ ।

ତହିଁ ତ ଉପାନହ ରହିଅଛି । ତା’ ଚାହିଁ ଚିତ୍ତକୁ ଏତେ ଆସୁଛି

ବନେତ ପଦ୍ମ ପ୍ରବାଳ ।

ଛନ୍ତି ତାଙ୍କ ତୁଲେ ଯୁଝିବାକୁ ଏକି ଲାଇଛି ବର୍ମ୍ମମଞ୍ଜୁଳ । ୧୨୭

 

 

ଖଗ ଧରିବା-ଆଶାରେ ରାଜନ । ତନୁ ସଙ୍କୁଚାଇ ଦେଇ ବାମନ-।

ଅବତାରର ସର୍ବଶରୀ ହରି । ଧୀରେ ନିଶବଦେ ପଦକୁ ଚାଳି ।

ପାଶେ ହୋଇ ପରବେଶ ।

ଦୀର୍ଘବାହୁ ବଶେ ଇଷତ ଦୂରରୁ ସ୍ୱକରେ ଧରିଲେ ହଂସ । ୧୨୮

 

କଳେବରେ କର ଲାଗିବା ମାତ୍ରେ । ହେଲିକି ଧରା ବୋଲି ଚିନ୍ତି ଚିତ୍ତେ ।

ଉଡ଼ିଯିବା ପାଇଁ ଯତନ କରି । ଶେଷେ ବନ୍ଧନୁଁ ନପାରି ଉବୁରି ।

ନିରାଶେ ନରେଶ କର ।

ମୋର ନିରୋଧକ ଏ ସିନା ବିଚାରି ଦଂଶିବାର କଲା ସାର । ୧୨୯

 

ନରେଶ କରେ ହଂସବର ଦେଖି । ବିହଗ-ବର୍ଗେ ହୋଇ ଅତି ଦୁଃଖୀ ।

ଉଡ଼ି ପଳାନ୍ତେ ତାଙ୍କ ପକ୍ଷବାତ-। ଘାତେ ସରନୀର ଅନୁକମ୍ପିତ ।

ହୋଇଣ କରପଙ୍କଜ ।

ହଲାଇ ବାରେ କି ହେ ନରଶେଖର ଏ ହିଂସା ରୀତି ବରଜ । ୧୩୦

 

ମହା ମନୋରମ ହେମମରାଳେ । ବଞ୍ଚିତ ହେବାର ଚାହିଁ ପଲ୍ୱଳେ ।

ଏଥି ଆଉ ରହି କି କାର୍ଯ୍ୟ ଅଛି । ଏମନ୍ତ ବିଚାରି ଶିରୀ ମୂରୁଛି ।

ବିଜେ କରୁ ସରୋବରେ ।

ପାଦପଦ୍ମର ନୂପୁର ବାଜେ କୂଳେ କଳହଂସ-ସ୍ୱନ-ଛଳେ । ୧୩୧

 

 

ମର୍ଯ୍ୟାଦା ଲଙ୍ଘି ଯାହାର ବଲ୍ଲଭ । ବିନା କାରଣରେ ନିର୍ଦ୍ଦୋଷ ଜୀବ ।

ହିଂସଇ ରହିବାକୁ ତାର ପାଶ । କାହାର ଅବା ବଳଇ ମାନସ ।

ଏମନ୍ତେ ସ୍ୱନ-ବ୍ୟାଜରେ ।

ନିନ୍ଦି ଅବନୀ ବରଜି ନଭେ ଗଲେ ବିହଗେ ମହାରାଜରେ । ୧୩୨

 

ଏଣେ ପକ୍ଷୀକି ଧରି ମହୀପତି । ଚାହିଁ ତାହାର ହେମମୟ କାନ୍ତି ।

ପ୍ରଶଂସନ୍ତି ପକ୍ଷୀକୁଳେ ଏହାର । ପରାଏ ନାହିଁ ନୋହିବ ସୁନ୍ଦର

ଏକାଳେ ତାହାଙ୍କୁ ଚାହିଁ ।

ମାନସନିବାସୀ ସେ ହଂସ ଭାଷଇ କର ପଞ୍ଜରରେ ରହି । ୧୩୩

 

ବୋଲେ ହଂସ ହେ ବସୁନ୍ଧରାପତି । ବିଲୋକି ମୋର ହେମ-ପକ୍ଷତତି ।

ଲୋଭେ ତୁମ୍ଭ ଚିତ୍ତ ହେଲା ଚଞ୍ଚଳ । ଧିକଧିକ ତାକୁ ସହସ୍ରବାର ।

ଏ ମୋ ପକ୍ଷ-କନକରେ ।

କେତେ ବା କମଳୋଦୟ ସମ୍ଭବିବ ତବ କୋଷ ରତ୍ନାକରେ । ୧୩୪

 

ମୋ ବିନାଶେ ଜୀବହତ୍ୟା କେବଳ । ନୋହିବ ଏକା ବିଚାର ଭୂପାଳ ।

ବିଶ୍ୱାସୁଁ ସିନା ତୁମ୍ଭ ଦରଶନେ । ନ ଯାଇ ଶୋଇ ଥିଲି ମୁଁ ଏ ସ୍ଥାନେ ।

କଲେ ବିଶ୍ୱାସ ବଇରି ।

ତାକୁ ଯେ ନାଶେ ନୁହେଁ କିସେ ନିନ୍ଦିତ ବୁଧେ ବୁଝ ବାରେ ବାରି । ୧୩୫

 

 

ସମରେ-ଉଦ୍ଭଟଭଟ ପଙ୍କତି । ପଦେ ପଦେ ବିଶ୍ୱେ ପୂରି ଅଛନ୍ତି ।

ଏ ହିଁସା ରସ ନ ମେଣ୍ଟେ କି ଚହିଁ । ହେ ବୀରକେଶରୀ ନିଷଧ ସାଈଁ ।

ତୁମ୍ଭ ବିକ୍ରମକୁ ଧିକ ।

ନିରାଶ୍ରୟ କୃପା-ପାତ୍ର ପତତ୍ରିରେ ନାହିଁ ଯା ଦୟା ଲେଶେକ । ୧୩୬

 

ଜଳଜାତ-ଫଳ-ମୂଳ-ନିବହ । ଖୋଜି ଲୋଡ଼ି ମୁହିଁ ପାଳଇ ଦେହ ।

ମୁନି-ବୃତ୍ତିରେ ତ ବହେ ଜୀବନ । ନ ବହେ ହିଂସା କାହିଁ କଦାଚନ ।

ଦଣ୍ଡଧାରୀ-ପଣ ମୋରେ ।

ପ୍ରକାଶ ଯାହା ତବ ପତ୍ନୀ ପୃଥିବୀ ନ ନିମଜ୍ଜେ କି ଲଜ୍ଜାରେ । ୧୩୭

 

ଯୁକ୍ତି ଯୁକ୍ତ ଅତି-ପରୁଷ ଗିର । ଭାଷି ନରେଶଙ୍କୁ ସେ ହଂସବର ।

ଦେଇ ବୁଡ଼ାଇ ଲଜ୍ଜା ବିସ୍ମୟରେ । ତହୁଁ ତାଙ୍କ ଚିତ୍ତ ଦୟାସାଗରେ ।

ନିଜ କରୁଣ-କାହାଣୀ-।

ତରଙ୍ଗିଣୀକି ତରଙ୍ଗାଇ ଅଣାଇଁ ଦେଲା ମିଶାଇ ସେକ୍ଷଣି । ୧୩୮

 

ବୋଲେ ହେ ବିଧି ତୁତ ସର୍ବଜ୍ଞାତା । ତୋତେ ଅଜଣା ଅଛି କେଉଁ କଥା ।

ବୃଦ୍ଧାଜନନୀର ମୁଁ ଏକପୁତ୍ର । ନବ-ପ୍ରସୂତି ମୋ ସତୀ କଳତ୍ର ।

ଏ ଦୁହିଙ୍କ ଗତି ମୁହିଁ ।

ମୋତେ ଯା ମରଦି ଦେଉଛୁ ଜାଣିଲି ତୋ ହୃଦେ କରୁଣା ନାହିଁ । ୧୩୯

 

 

ଏ ମୋର ବନ୍ଧନ ବିପତ୍ତି ଦେଖି । ସଙ୍ଗ ସଖାଏ ହୋଇ ଅତି ଦୁଃଖୀ ।

ସଂସାର ନିନ୍ଦି ଲୋତକ ତେଜିବେ । ପୁଣି କାଳବଶେ ପାଶୋରି ଦେବେ ।

ଏକା ଗୋ ଜନନୀ ତୋର ।

ପାଇଁ ନିରନ୍ତର ଦୁସ୍ତର ହୋଇବ ସୁତ-ଶୋକ-ପାରାବାର । ୧୪୦

 

ମୋ ପାଇଁ ମୃଣାଳ-ଭାରେ ମନ୍ଥର । ପତି ଅଛନ୍ତି ଆଉ କେତେ ଦୂର ।

ବାନ୍ଧବି ତୁ ପୁଚ୍ଛୁଁ ଏମନ୍ତ ବୋଲି । ଶୁଣି ତେଜିବେ ଖଗେ ନେତ୍ରୁବାରି ।

ତା’ ତ ତୁ ଦେଖିବୁ ନେତ୍ରେ ।

ତେତେବେଳେ ତୋର ଚିତ୍ତ କି ହୋଇବ ଜୀବିତ ଥିବ କି ଗାତ୍ରେ । ୧୪୧

 

ସେ ମୃଦୁଶୀତଳ ପ୍ରିୟା ଶରୀର । ନିର୍ମାଣିଛି ପରା ବିହି ତୋ’ କର ।

ସେ ବାଳା ତହୁଁ ବିଯୋଗୀ ହେବାର । ଏ କପାଳ-ଫଟା ନିଷ୍ଠୁରାକ୍ଷର ।

କେହି ଲିହିଲୁ ମୋ ଭାଲେ ।

ଏ ବିଶ୍ୱ ସଂସାରେ କେହି ନିଦାରୁଣ ନ ଥିବେ ତୋହର ତୁଲେ । ୧୪୨

 

ମୋ ସହଚର-ହଂସଙ୍କ ବଦନୁ । ଏ ମର୍ମଘାତୀ ବାର୍ତ୍ତାକୁ ସୁତନୁ ।

ଶୁଣି କି କି ହୋଇ ଯାଉ ନ ଥିବୁ । ସରିଲା ଆଜୁଁ ତୋର ସୁଖ ସବୁ ।

ଚାହୁଁଥିଲେ ଦଶଦିଶେ ।

ଶୂନ୍ୟ ବିନା ଆନ ନୟନେ ତୋ ଧନ ତହିଁ ନ ଦିଶିବ ଲେଶେ । ୧୪୩

 

 

ଲଭିଲି ଯେଉଁ ଦାରୁଣ କଷଣ । ସଖା ମୁଖୁଁ ଶୁଣି ରେ ଜୀବଧନ ।

ଲଭିବୁ ଯେବେ ତୁ ଦଶମ ଦଶା । ଯିବ ମୋର ସବୁ ଆଶା ଭରସା ।

ବଞ୍ଚିବେ କି ଶିଶୁ ସୁତେ ।

ମଲିଣିତ ମୁହିଁ ପୁଣିହିଁ ରେ ସହି ଏ ବିହି ମାରିବ ମୋତେ । ୧୪୪

 

ସେ ମୋ ଚିରକାଳ କାମନା ଫଳ, ଫିଟି ନ ଥିଲା ତ ନେତ୍ର ତାଙ୍କର ।

ଅତି ବାଳୁତ ସେ କ୍ଷୁଧା ବିକଳେ । ଯାଉଥିବେ ଗଡ଼ି କୁଲାୟ କୋଳେ ।

ତୋ ବିରହେ ପ୍ରୟ-ସହୀ ।

ଦରିଦ୍ର-ରତନ ସେ ମୋର ନନ୍ଦନ ନିମିଷେ ବଞ୍ଚିବେ ନାହିଁ । ୧୪୫

 

ଆହା ରେ ସୁତେ କରି ଚୁଁ ଚୁଁ କାର । କାହାକୁ ଡାକିବି ଆଉ ଏଥର ।

କା ପାଶେ ଅବା କମ୍ପାଇବ ମଥା । ନ ଥିବ ତୁମ୍ଭେ ଥିବ ତୁମ୍ଭ କଥା ।

ଏତେ ବୋଲୁଁ ଗଲା ମୋହ ।

ପୁଣି କ୍ଷଣକେ ଚେତିଲା ଅଙ୍ଗେ ବାଜୁଁ ନୃପ-ଲୋତକ-ପ୍ରବାହ । ୧୪୬

 

ସେ ଦୀନବନ୍ଧୁ-ନଳ-ମହୀପାଳ । ଅବଲୋକି ମରାଳର ବିକଳ ।

ସହି ନ ପାରି ବୋଇଲେ ହେ ହଂସ । ଯେଉଁ ଦିଗକୁ ବଳୁଛି ମାନସ ।

ସେ ଦିଗେ ସାନନ୍ଦେ ଚଳ ।

ରୂପ ଦରଶନେ ସିନା ଧରିଥିଲି ଇଚ୍ଛା ତ ପୂରିଛି ମୋର । ୧୪୭

 

 

ଚକ୍ରଗତିରେ ସଙ୍ଗ-ବିହଙ୍ଗମେ । ଆଗୁଁ ତ ଉଡ଼ି ବୁଲୁଥିଲେ ବ୍ୟୋମେ ।

ହଂସ ମୁକ୍ତିକି ତାଙ୍କ ବକ୍ରଗତି । ବହିଲା ଏବେ ନିରାଜନା-ରୀତି ।

ତାଙ୍କ ନେତ୍ରୁ ଶୋକଜଳ ।

ପରିବର୍ତ୍ତେ ଆନନ୍ଦାଶ୍ରୁ ବୁହାଇଲା ନୃପେ ମୁକ୍ତ ଏ ମରାଳ । ୧୪୮

 

କବିରାଜ-ରାଜି-ମଥା-ମୁକୁଟ-। ମାଣିକ୍ୟେ ଶ୍ରୀହୀର ହୀରା ପ୍ରକଟ ।

ମାମଲ୍ଲ-ଦେବୀ-କୋଳେ ଜିତେନ୍ଦ୍ରିୟ । ଶ୍ରୀହର୍ଷ ନାମେ ତାହାଙ୍କ ତନୟ ।

ବ୍ରହ୍ମଜ୍ଞ-ପଣୁଁ ଏ କାବ୍ୟ ।

ବିରଚିଛନ୍ତି ଗୋପୀନାଥ ବଦତି ଦୋଷ ନ ଘେନିବ ଭବ୍ୟ । ୧୪୯

-------

 

Unknown

ଦ୍ୱିତୀୟ ଛାନ୍ଦ

[ରାଗ- କୁମ୍ଭକାମୋଦୀ]

ଶୁଣହେ ସୁଧୀରେ ସଧୀରେ ବିଧିରେ ରସ ଏ ଉତ୍ତାରୁ ।

ଜଗତି-ପତି ପୁରୁଷୋତ୍ତମ ନଳ-ଭୂପତି-ଭୂଜରୁ ।

ଲଭି ମୁକତି ସେ ହଂସ ଦ୍ୱିଜ ଅତି ହୋଇଲା ଉଷତ ।

ସେ କାଳ-ସମ୍ଭବ ତୋଷ ତା ନୋହିବ ବଚନେ ବ୍ୟକତ ।

ଫୁଲାଇଦେଇ ତନୁ-ରୁହ-ତତିକି ଅଙ୍ଗ ପୁଲକାଇ ।

ଝାଡ଼ି ହୋଇ ପଡ଼ୁଥାଇ ବାରମ୍ବାର ଗେଲାଇ ଗେଲାଇ ।

ହେବାରୁ ଧରା ଧରାପତି-ଶ୍ରୀକରେ ଅଲରା ପକ୍ଷକୁ ।

ସାଇତି-ପକାଉ-ଥାଏ ତରତରେ ସଗରି ଚଞ୍ଚୁକୁ ।

ମୁକତି ଲଭିବା ମାତ୍ରକେ ଭୂପତିଭୂଜରୁ ଝଟତି ।

ଉତ୍ପକ୍ରମି ଅନ୍ତରୀକ୍ଷେ ପକ୍ଷୀ କୁଲାୟେ କଲା ଯାଇ ସ୍ଥିତି ।

ବସି ତହିଁ ପକ୍ଷ-ସନ୍ଧି-ମଧ୍ୟ-ଦେଇ ଏକପଦ ଚାଳି ।

ଶିର-କଣ୍ଡୁତି-ପିଣ୍ଡ ଦଣ୍ଡି ଖଣ୍ଡିଲା ନଖର ପ୍ରହାରି ।

ପକ୍ଷ-ବୃକ୍ଷ-ଦୁର୍ଗ-ଆଶ୍ରୟ-ବଶରୁ ଦୁଃସହ ବିଶେଷ ।

ଦେହ-ଦଂଶନ ବିଷୟେ ନିରୁପମ କଟୁ କୀଟ-ବଂଶ ।

କଣ୍ଡୁତି-ପଣ୍ଡିତ-ପଟୁ-ଚଞ୍ଚୁପୁଟ-କୋଟ୍ଟିକୁଟ-ନରେ ।

କାଟି-ପକାଇ ତୁଟାଇ-ଦେଲା ଅଙ୍ଗ-କଣ୍ଡୁତି ଧାତି ରେ ।

 

ବସୁଁ ବସାରେ ଯାଇ ସେ ହଂସ ତାର ଦର୍ଶନ ଲାଳସେ ।

ସରୁଁ ସତ୍ୱର ଆସିଲେ ତା ପାଶରେ ଆନ ପକ୍ଷୀ-ବଂଶେ ।

କର-ଗ୍ରହଣ-ବଶୁଁ ଜାତ ବିକୃତି ଅଙ୍ଗେ ତା ବିଲୋକି ।

ଶଙ୍କି ପଳାଇଲେ ଉଡ଼ି ସେ ଆକାଶେ ହୋଇ ଡକା ଡକି ।

 

 

ପୁଣ ବସାରୁ ନରେଶ କରେ ଉଡ଼ି-ଅଇଲା ସେ ହଂସ ।

ଆରକ୍ତବର୍ଣ୍ଣୁ ଏ କୋକନଦ ବୋଲି ଭାଳିକି ମାନସ ।

ଶଇବଲକ୍ଷ୍ମଣ ପଦ୍ମର ସ୍ୱଭାବ-ସିଦ୍ଧତ ଅଟଇ ।

କରପଦ୍ମେ ଭ୍ରାନ୍ତ-ଭ୍ରମର-ରୁଦ୍ରାକ୍ଷେ ସେ ଶୋଭା କି ନାହିଁ ।

 

କରେ ଆସି ସେ ହଂସ ବସୁ ନରେଶ ହୋଇ କୁତୁହଳୀ ।

ବିଚାରନ୍ତି କାହିଁ କେବେହେଁ ଦେଖାତ ନ ଥିଲା ଏ ଭଳି ।

ଧରିଥିଲି କିଛିକାଳ ବୋଲି କରେ ଗଲା ଏ ଭରସି ।

ନୋହିଲେ କି ନୀଡ଼ୁଁ ଉଡ଼ି ଆସି ମୋର କରେ ଥାନ୍ତା ବସି ।

 

ଏମନ୍ତେ ନୃପତି-ମତିକି କୁତୁକ-ସରିତ ପତିର ।

ଅମୃତମୟ ଉର୍ମ୍ମିରେ ନିମଜ୍ଜାଇ ସେ ମରାଳ ବର ।

ତରିବା ପାଇଁକି ଶ୍ରବଣ ଦୁହିଙ୍କି କଳଶ କରାଇ ।

କରଇ ବଚନ-ରଚନ ରାଜନ ବଦନକୁ ଚାହିଁ ।

 

ଆହେ କାମ-ଅଭିରାମ ନୃପ ଧର୍ମ-ମର୍ମ୍ମ ସୁବିଚାରେ-।

ବିଚକ୍ଷଣ ନୃପେ ନିନ୍ଦି ନାହାନ୍ତିତ ମୃଗୟା ବେଭାରେ ।

କରି କରଗତ ମୋତେ ଯା ମୁକତ କଲ ମହୀପାଳ ।

ଏ ଦୟା-ଉଦୟ ଦେଲା କରି ତୁମ୍ଭ ଧର୍ମ୍ମ ସମୁଜ୍ଜ୍ୱଳ ।

 

ନିତି ନିବାସ-ବୃକ୍ଷକୁ ନାନା ବାଗେ ପୀଡ଼ନ୍ତି ବିହଗେ ।

ଜାତି-ପ୍ରୀତି ତେଜି ଦୁର୍ବଳଙ୍କୁ ମୀନେ ଗରାସନ୍ତି ବେଗେ ।

ମୃଦୁ ନିରୀହ ତୃଣକୁ ମୃଗଚୟ ଅଦୋଷେ ଭକ୍ଷନ୍ତି ।

ଏଣୁ ମୃଗୟାରେ ଜୀବ ହିଂସି ଦୋଷୀ ନୁହଁନ୍ତି ଭୂପତି । ୧୦

 

କହିଛି ବହୁତ ଅପ୍ରିୟ ଗିରତ ତହୁଁ ତବ ଚିତ୍ତେ ।

ସଞ୍ଜାତ ବ୍ୟଥାକୁ ବିନାଶି ବାଞ୍ଛୁଛି ଏବେ ବାକ୍ୟାମୃତେ ।

ପ୍ରଖର-ତାପରେ ପାଦପ ନିକରେ ସନ୍ତାପିତ କରି ।

ଶେଷେ ତାଙ୍କ ତାପ ହରିଥାନ୍ତି ଆପ ଦେଇ ଯଥା ହରି । ୧୧

 

ଆପେ ଉପସ୍ଥିତ ଅଯାଚିତ ହିତ ପଦାର୍ଥ ତ୍ୟକତ ।

କରିବା ହେ ନୃପ-ଶେଖର ତୁମ୍ଭର ନୁହଁଇ ଉଚିତ ।

ଅପରିଚିତ ନୁହଁଇ ତୁମ୍ଭ ମୁଁ ତ ଦେଖୁଛତ ଶୁଚି ।

ମୋ ଦାନ ପ୍ରତି ଗ୍ରହିବାକୁ ତୁମ୍ଭଙ୍କୁ ସଞ୍ଚିଛି ବିରଞ୍ଚି । ୧୨

 

 

ଛାର ନଭ ଚର-କୁଳେ ଜାତ ମୋର ତୁମ୍ଭେ ଧରାପତି ।

ଉପକାରକୁ ତୁମ୍ଭର ନାହିଁ ମୋର ଜାଣୁଛି ଶକତି ।

ତଥାପି ତବ କରୁଣା-କଣା ଲଭି ଉଚ୍ଛ୍ୱସିତ ଚିତ୍ତ ।

ମୋ ନୁହଁଇ ସ୍ଥିର ତବ ଉପକାର ନ କରି କିଞ୍ଚିତ । ୧୩

 

ଉପକାରୀର ଉପକାର ତୁରିତ ନିଜ-ଅନୁରୂପେ ।

କରିବା ବିହିତ ଏ ବିଧି ନିୟତ ଲୋକସ୍ଥିତି ବ୍ୟାପେ ।

ସେ ଉପ-କୃତିର ଲଘୁ ବା ଗୁରୁତା ଉପକୃତ ଜନ ।

ନ ଘେନଇ ଚିତ୍ତେ ଯେଣୁ ଉପକୃତେ ନ ଥାଇ ତା ମନ । ୧୪

 

ପକ୍ଷୀ ସିନା ମୁଁ ଯୁକ୍ତିସହ ହୋଇବ କେହି ମୋର ଗିର ।

ତଥାପି ଏଥିରେ ଯୁକ୍ତ ନୋହିବ କି ଶ୍ରବଣ ତୁମ୍ଭର ।

ପକ୍ଷୀ-ବାଣୀ ବୋଲି ଯେବେ ଅନାଦର ହେବ ବା ମୋ ଗିରେ ।

ଘୋଷାଉ ଥାନ୍ତି ପୋଷି କିପାଁ ଯତନେ ତେବେ କୀରେ ନରେ । ୧୫

 

ଅଇରି-ନିକର-ଗିରେ ନାମ ଯାର ହୋଇଛି ସାର୍ଥକ ।

ଲଭନ୍ତୁ ଜୟ ସେ ଭୀମ- ନାମଧାରୀ ବିଦର୍ଭ ନାୟକ ।

ପତି ପଣେ ବସୁମତୀ ଲିଭିଯାକୁ ବାସବ-ପାଳିତା ।

ଅମରାବତୀକି ମତିକି ନ ଆଣି ହାସରସେ ରତା । ୧୬

 

 

ଅତି-ପ୍ରୀତ-ତଥ୍ୟ ବାଦୀ- ଯତିବର-ଦମନ-ପ୍ରସାଦେ ।

ସେ ବିଦର୍ଭପତି ଭୀମ ଲଭିଛନ୍ତି ତନୟା-ସମ୍ପଦେ ।

ଭୂତ ଭବିଷ୍ୟ ବର୍ତ୍ତମାନ ଏ ତିନି କାଳେ ତା’ ସମାନ ।

ନାଗ-ନର-ସୁର-ପୁରରେ ଦୁର୍ଲଭ ବନିତା-ରତନ । ୧୭

 

ଭୁବନ ତ୍ରୟର ଅସୀମ-ସୁଷମାବତୀ ବାମାକୁଳ ।

ତା’ ଶୋଭା ସମ୍ପଦ ତିଳ ତୁଲେ ତୁଳ ହୋଇ ହେଲେ ତିଳ ।

କାମିନୀଙ୍କ କମନୀୟତା ଦମନ କରିବାରୁ ତାର ।

ନାମ ଦମୟନ୍ତୀ ହେଲାକି ନୃପତି ମତିରେ ବିଚାର । ୧୮

 

ଗୁଣସାଗର ସେ ଭୀମ ନରବର ଏ ତାଙ୍କ ତନୟା ।

ଏଣୁ ନିଶ୍ଚୟ ଚିନ୍ତାକର ହୃଦୟ ସେ କମଳାଳୟା

ବୋଲିବ ବା ଦେଖି ନାହିଁତ ମୁଁ ତାକୁ କଳ୍ପିବି କେମନ୍ତେ ।

ଦୂରେ ଥିଲେହେଁ ହରଶିରଶଶିକି କେ ନ ଜାଣେ ହାଦେ । ୧୯

 

ଧୀରା-ମଉଳିମଣ୍ଡନଝରା ସେ ତ ତା’ ଚିକୁର-ଶୋଭା ।

ବର୍ଣ୍ଣି ପାରିବାକୁ ବିହଗଭାଷିତେ କାହିଁ ଶକ୍ତି ଅବା ।

ପଶୁ ଯାହାକୁ ପଛେ ପୁଚ୍ଛେ ରଖିଛି ସେ ଚାମରଭାର ।

ଏ କେଶ-ତୁଲେ ତୁଳିବ ଅବା ସେହି ନାହିଁ ଜ୍ଞାନ ଯାର । ୨୦

 

 

ବାମ-ଲୋଚନାର ବିଶାଳ-ଲୋଚନ-ଚାତୁରିକି ଚାହିଁ ।

ଏଣଈକ୍ଷଣ ଭୟେ କ୍ଷଣେ ମୁଦ୍ରିତ କ୍ଷଣେ ବିକଶଇ ।

କ୍ଷୁରକଣ୍ଡୁୟନ ଛଳରେ ହରିଣ ରହ ରହ ବୋଲି ।

କରୁଥାଏ ଅଶ୍ୱାସନା ତାକୁ ସିନା ଦେଇ ଦମ୍ଭ ଖାଲି । ୨୧

 

ପିତୃ-ମାତୃ କୁଳ ନୟନ-ଯୁଗଳ ରମଣୀ-ସୁଗୁଣ ।

ଏ ଆଦି ସକଳ ସେ ଭୀମ-ଭୂପାଳ-ପୁତ୍ରିର ଶୋଭନ ।

ଶ୍ରୁତିଗାମୀତାରେ ଏତିନି କଥାରେ କେ କା’କୁ ନ ହାରେ ।

ଏଣୁ ଦମୟନ୍ତୀ ନିରୁପମା ଅତି ରମଣୀସଂସାରେ ୨୨

 

ନେତ୍ର-ଚାତୁରୀକି ହାରି ସରସିଜ ଦିଶଇ ମଳିନ ।

ତିର୍ଯ୍ୟକ-ଜାତି ତ ହରିଣ ତା ନେତ୍ର ତହିଁକି ତୁଳନ ? ।

ଏକା ରହିଅଛି ଖଞ୍ଜନ ତା ଗର୍ବ-ଗଞ୍ଜନ ପାଇଁକି ।

ବାଳା କୁତୁହଳେ ଲୋଚନ-ଯୁଗଳେ କଜ୍ଜ୍ଵଳ ଲାଇକି ? । ୨୩

 

ଅଧର-ବିମ୍ୱ ନାମ ଯାହା ବହଇ ସେ ନବୀନା-ଓଷ୍ଠ ।

ତହିଁ ଦୋଷଥିଲାପରି ତ ନୋହିବ କା’ ଚିତ୍ତେ ପ୍ରକଟ

ମୋହର ତହୁଁ ଅଧର ବୋଲି ସିନା ରଦନ-ଚ୍ଛଦନ ।

ବୋଲନ୍ତେ ବିମ୍ବେ ଅଧର-ବିମ୍ୱ ନାମ ଖ୍ୟାତ ତା ଭୁବନ । ୨୪

 

 

ଦିଶେ ଯା ଶଶାଙ୍କ-ଅଙ୍କରେ କଳଙ୍କ ସେ କି ସତେ ଶଶ ।

ସେ ବାଳୀ-ମୁଖ-ନିର୍ମାଣ ପାଇଁ ଭାଳି ବିଧାତା ବିଶେଷ ।

ନେବାରୁ ଖୋଳି ମଧ୍ୟରୁ ସାରତକ ଖାତେ ଅଛି ହୋଇ ।

ସେ ଖାତ-ଗରଭ-ତାମସକୁ ଶଶ ସିନା ଲୋକେ କହି । ୨୫

 

ଅବା ସେ ନାରୀ-ପୁରନ୍ଦରୀ-ବଦନ-ନିରାଜନ ପାଇଁ ।

ଶଶଧର-ଛଳେ-ସୁଧା ବିଲେପିତ ସରା ଧରି ବିହି ।

କଳଙ୍କ-ଛଳେ ଗୋମୟ ତହିଁ ତିଳେ ରଖି ସଯତନେ ।

ଉଦୟ ଅସ୍ତ ବ୍ୟାଜରେ ଭ୍ରମାଉଛି ସଧୀରେ ଗଗନେ । ୨୬

 

ସୁନ୍ଦରପଣ-ପରୀକ୍ଷା ବିଷୟରେ ସରୋଜ-ସମାଜ

ସେ ମୁଖକୁ ଯୋଖ ନୋହି ହାରି ରହିଛନ୍ତି ବହିଲାଜ ।

ଜଳୁ ମସ୍ତକ ଉତ୍ତୋଳନ ଅଦ୍ୟାପ ତେଜି ସେ ନାହାନ୍ତି ।

ବିଚାର ହେ ନରବର ନୁହେଁ କିଏ ପରାଜୟ-ରୀତି । ୨୭

 

ରତି-ପଞ୍ଚବାଣ-ବେନିଙ୍କ କମାଣ ତା ଭ୍ରୁଲତା ଦୁଇ ।

ବିଶ୍ୱ-ବିଜୟ ବିଚାରି ମାନସରେ ନିଶ୍ଚେଁ ଛନ୍ତି ଉଇଁ ।

ତୁଳେ ତିଳଫୁଲେ ତିଳେ ନ ପଚାରେ ତା’ ଉଚ୍ଚ ନାସିକା

ସେ ପୁଡ଼ାନଳିର ଗୁଳି-ବିଘାତକୁ ତୁମ୍ଭେ ଭଳି ଏକା । ୨୮

 

 

ଜଳଦୁର୍ଗଚାରୀ ମୃଣାଳ-ଚାତୁରୀ-ବଳିଛି ଯା ଭୁଜ ।

କରଲୀଳା ଯା ଜିତଇ ମିତ୍ରବନ୍ତ ସରୋଜ-ସମାଜ ।

ହେ ବୀର-ଶିର-ମୁକୁଟ-ବରହୀର ଏକା ତୁମ୍ଭ-ତୁଲେ ।

ଶୋଭିବ ସେ ହେମଗାତ୍ରୀ ଭୀମପୁତ୍ରୀ ସଙ୍ଗତି ଲଭିଲେ । ୨୯

 

ଚତୁରାନନ ରୋମରେଖା ବିରଚି ସେ ବର-ତନୁକୁ ।

ବେନିଭାଗ କରିଦେଲେହେଁ ସେ ନ୍ୟାୟ ନ ଆଣି ମନକୁ ।

ଶଇଶବ ଯଉବନ ବେନିକାଳ ବିବାଦ ଭିଆଇ ।

ଏକ କି ଆରକୁ ବୋଲଇ ତୁ ପଳା ଅଧିକାରୀ ମୁହିଁ । ୩୦

 

ବରାଙ୍ଗୀ ଅଙ୍ଗରୁ ବହେ ଯେ ଅଗାଧ ଲାବଣ୍ୟ-ପ୍ରବାହ ।

ସେ ତରଙ୍ଗିଣୀରେ ମକର-କେତନ ଯଉବନ ଦ୍ୱୟ ।

-ଙ୍କର ସଲିଳ ସନ୍ତରଣ ବିଳାସ ସହାୟ ପରାଏ ।

ସଞ୍ଚ ଉଚ୍ଚ ଘଞ୍ଚ କୁଚ-କୁମ୍ଭ ବେନି ତାର ଶୋଭାପାଏ । ୩୧

 

କଳ-ସେ ତ ନିଜ ହେତୁ-ଦଣ୍ଡଜାତ ଚକ୍ରଭ୍ରମି-ଗୁଣ- ।

ଥିବାର ପଡ଼ିଲା ଏତେକାଳେ ଆସି ଜନଙ୍କ ନୟନ ।

ଏ ବିତର୍କ ଏକା ଆସୁଛି ମାନସେ ବିଲୋକି ବାଳୀର ।

କୁଚ-କଳସୁଁ ଚକ୍ରାକାରେ ସୁଷମା-ଝର ଝରିବାର । ୩୨

 

 

ଚିକୁର-ଚାରୁତା ତାର ବିଲୋକନେ ନୀଳକଣ୍ଠ ପକ୍ଷୀ ।

ପୁଚ୍ଛତ ମୋ ତୁଚ୍ଛହେଲା ବୋଲି ଷଟମୁଖେ ଆଶ୍ରିଛିକି ।

କୁମ୍ଭୀ-କୁମ୍ଭ-ଦଳ ସେ କୁଚ-କୁମ୍ଭର ଆରମ୍ଭ ଅନାଇଁ ।

ଭୟେଐରାବତ ପୁଲୋମଜାକାନ୍ତ-ଆଶ୍ରା ନ ତେଜଇ । ୩୩

 

କରେ ଧରି ବିହି ନିର୍ମାଣିଲା ବେଳେ ସେ ବରାଙ୍ଗୀ ଅଙ୍ଗ ।

ଚତୁରଙ୍ଗୁଳ ଉଦରେ ଚିପି ହୋଇ ରହେ ତିନିଦାଗ ।

ତହୁଁ ତ୍ରିବଳୀ ତା ଉଦରେ ବିଳସେ ଅଙ୍ଗୁଷ୍ଠର ଚିହ୍ନ ।

ପୃଷ୍ଠପଟେ ରହି ନିତମ୍ୱ ଉପରେ ଦିଶଇ ଶୋଭନ । ୩୪

 

ଅବା କେ କୁତୁକୀ ପକାଇ ମୁଷ୍ଟିକି ମାପିଛି ଉଦର ।

ହେମକାଞ୍ଚି ଅଙ୍ଗୁଳିୟକନିବହେ ଅତିହିଁ ରୁଚିର ।

ଅଙ୍ଗୁଳି ଚତୁର ସେ ମୁଷ୍ଟିର ଲାଗି ରହିଛି ଉଦରେ ।

ତାକୁ ବଳି ବୋଲି ବୋଲୁଛନ୍ତି କିଛି ନ ଜାଣିବା ନରେ । ୩୫

 

ନିର୍ମାଣି ଆଗୁଁ ଏକଚକ୍ର ଶତାଙ୍ଗ ସବିତାର ଧାତା ।

ପଛକୁ ମତ୍ସ-କେତନର ତେସନ ଜାତ କରି ଚିନ୍ତା ।

ପୃଥୁକ ବର୍ତ୍ତୁଳ ନିତମ୍ୱେ ବାଳାର ଗଢ଼ିଛି ଯତନେ ।

ନୋହିଲେ ଏତେ ଚାତୁରୀ କାହିଁ ତହିଁ ରଖିହେବ ଆନେ । ୩୬

 

 

ବିଶାଳ ଉରୁ-ଯୁଗଳତ ବାଳାର ମର୍ତ୍ତ୍ୟରମ୍ଭା-ଦମ୍ଭ ।

ଦଳିଛି ଅଛି ବଳି ଏକା ସ୍ୱର୍ଗର ରମ୍ଭା-ଶୋଭାରମ୍ଭ ।

ନଳ-କୁବର-ତପଫଳ-ଯୁଗଳ-କୁଚେ ସେ ରୁଚିର ।

ଏତ ସ୍ୱଭାବ-ସୁନ୍ଦର ଏଥୁ ନୃପ ଉଚ୍ଚ ନୀର ବାର । ୩୭

 

ନିରବଧି-ରବି ସେବା-ସୁକୃତରୁ କମଳ-ଯୁଗଳେ ।

ଲଭିଛନ୍ତି ଦିବ୍ୟଗତି ସେ ପ୍ରମଦା ପୟର-ହେବାରେ ।

ବିହି-ବାହନ ହଂସ କି ସ୍ୱ ପ୍ରେୟସୀ ତୁଲେ ତାଙ୍କ ପାଶେ ।

ଆସି ମଞ୍ଜୁଳେ କୁଜଇ କିଣିନେଇ ଶ୍ରୋତାଙ୍କ ମାନସେ । ୩୮

 

ପବିତ୍ର-ସର ସରିତେ ନିତି ରସି ନିଶାରେ କମଳ ।

ନିର୍ବନ୍ଧେ ସମାଧି ବାନ୍ଧି ସାଧିଅଛି ତପସ୍ୟା ଦୁଷ୍କର ।

ଆନଜନମେ ସେ ଯେବେ ଦମୟନ୍ତୀ-ଶ୍ରୀପଦ ନୁହନ୍ତା ।

ତେବେ କିସ ଲାଭ-ଆଶାପାଇଁ ଜୀବ ସଂସାରେ ତପନ୍ତା । ୩୯

 

ସଲିଳଚୁର ବିହଙ୍ଗମ-କୁଳରେ ଜାତ ଯେଣୁ ମୁହିଁ ।

ସର-ସନ୍ଧାନରେ ବହୁ ଦେଶାନ୍ତରେ ନିରତ ଭ୍ରମଇଁ ।

ଦିନେ ଦେଖିଲି ସୁନ୍ଦରୀ-ପୁରନ୍ଦରୀ ସେ ଦମୟନ୍ତୀ କି ।

ଥିବା ନ ଥିବା ଉଦର ତାର ଜଣା ନ ଗଲା ମତିକି । ୪୦

 

 

ଅମରପୁର-ମାର୍ଗକୃତ ଅର୍ଗଳ ନାହିଁ ମୋର କାହିଁ ।

ସେ ପୁରେ ମଧ୍ୟ ଦେଖିଛି ଦମୟନ୍ତୀ ସମ କେହି ନାହିଁ ।

ତେଣୁ ବିଚାରିଥିଲି ଏତେ ଚିତ୍ତେ ତା ଅନୁରୂପେ ବର ।

ନ ଘଟେତ କାହିଁ ଥିଲେ ଥିବ ଅବା ବିଧାତା-ଚିତ୍ତର । ୪୧

 

ବରପାଇଁ ତାର ଯୁବକ-ସଂସାର ମନେ ମନେ ଲୋଡ଼ି ।

ଏ ନୁହେଁ ଏ ନୁହେଁ ବୋଲି ଏକେ ଏକେ ଦେଲି ସର୍ବ ଛାଡ଼ି ।

ତବରୂପ ଏବେ ଦରଶନେ ଭାବେ ତାର ବରପଣେ ।

ନୋହିବଟି ଯେବେ ତୁମ୍ଭେ ନ ମିଳିବେ ତ୍ରିଭୂବନେ ଜଣେ । ୪୨

 

ସୁଚିସ୍ମିତା ସେ ବିଦର୍ଭରାଜସୁତା ବହୁଦିନ ତଳେ ।

ଅବଲୋକନେ ଥିଲିକରି ସାର୍ଥକ ମୋର ବେନିଡ଼ୋଳେ ।

ପାଶୋରି ପକାଇଥିଲି ତା ଚାତୁରୀ ସମୟ-ପ୍ରଭାବେ ।

ତୁମ୍ଭ ଅସୀମ ମନୋରମ ରୂପ ତା ସୁଚାଇଲା ଏବେ । ୪୩

 

ଧରାଶିର-ଚମ୍ପା-ଝରା-ଦମୟନ୍ତୀ-ଚିତ୍ତେ ଚିତ୍ତଭବ- ।

ଭାବ ଉପୁଜାଇବାରେ ତୁମ୍ଭ ରୂପ ସମର୍ଥ ହୋଇବ ।

କନକବରନା ନବ-ନବୀନାର ପୃଥୁ ପୀନସ୍ତନ ।

ଆସନ ଲଭିସିନା ଶୋଭା ଦିଶଇ ମଣିମାଳ ଘେନ । ୪୪

 

 

ସେ ବରବରନା ନାରୀରତ୍ନ ବିନା ତୁମ୍ଭରୂପ ବ୍ୟର୍ଥ ।

ବିଚାର ମନ ବନ୍ଧ୍ୟଦ୍ରୁମେ ସୁମନ ହୋଇ କେଉଁ ସାର୍ଥ ।

ସମ୍ପଦେ ଅତୁଳ ଏ ମହୀ-ମଣ୍ଡଳ କୋକିଳ କୁଜନ ।

-ମୁଖର ଏ ବନ ତା’ ବିନା ରାଜନ ନୁହଁଇ ଶୋଭନ । ୪୫

 

ସୁରନିକର ଚିନ୍ତନ୍ତି ନିରନ୍ତର ଯାହାର ଲାଭକୁ ।

ନରବର ସିନା ତୁମ୍ଭେ କି ସହଜେ ଲଭିବ ତାହାକୁ ।

ଘନପଟଳିରେ ପହିତ ହୋଇଲେ ପିୟୁଷଦିଧୀତି ।

କୁମୁଦଭାଗ୍ୟେ କୌମୁଦୀ କି ଘଟଇ ବିଚାର ଭୂପତି । ୪୬

 

ମୁଁ ଯିବି ଏବେ ସେ ଯେମାପାଶେ ଜବେ ତହିଁ ତୁମ୍ଭ ଗୁଣା

ଗଣ ବଖାଣି ତା ହୃଦୟ ମଣିକି କିଣିବି ବହନ ।

ଏମନ୍ତ ପ୍ରକାରେ ମଜ୍ଜାଇ ଥିବି ମୁଁ ତୁମ୍ଭରେ ତା ମନ

ପ୍ରାର୍ଥୀ ହେଲେହେଁ ବାସବ ସେ ଯେମନ୍ତେ ନୋହିବ ପ୍ରସନ୍ନ । ୪୭

 

କାର୍ଯ୍ୟବିନା ଆର୍ଯ୍ୟେ ଆନବାଗେ ନ କହନ୍ତି ନିଜଗୁଣ ।

ଏଣୁବଚନ-ରଚନଛଟାକୁ ମୋ ଧିକ ପୁଣ ପୁଣ ।

ଜାଣିଲେ ହେଲେ ଏକଥା ତୁମ୍ଭ ଚିତ୍ତ ବାରିବା ନିମନ୍ତେ ।

ଆନ ଉପାୟ ନ ଥିବାରୁ ହେ ବୀର ଜଳପିଲି ଏତେ । ୪୮

 

 

ସେ ଦ୍ୱିଜରାଜର ଗିର-ସୁଧାଧାର-ଅତି ତୃପ୍ତିଭରେ ।

କରନ୍ତେ ଆକଣ୍ଠ ଦାନ ସେ ରାଜନ ବଦନୁଁ ମୋଦରେ ।

ଉଦ୍‌ଗାର-ଛଳେ ଇଷତ ସ୍ମିତରେଖା ଝଲକି-ଦିଶିଲା ।

ଅମାପସନ୍ତାପ-ଜାତ-ପିତ୍ତତେଜ ତିଳକେ ଲସିଲା । ୪୯

 

କର-କୋକନଦେ ପ୍ରମୋଦେ ନିଷଧ-ଅଧିପ ମରାଳେ ।

ଶାମଳି ଶାମଳି କହନ୍ତି କୋମଳ-ବଚନ ସଲୀଳେ ।

ସତ୍ୟ-ସୁଖକର-ଗିର ସମୂହର ଆକର ଯେ କଣ୍ଠ ।

ତହୁଁ ଜାତ ବାଣୀ ପକ୍ଷୀ-ତୋଷେ ପୁଣି ହେବ କି ନିଅଣ୍ଟ । ୫୦

 

ଭାଷନ୍ତି ନୃପତି ‘ଏ ତୁମ୍ଭ ଆକୃତି ତୁଳନା-ରହିତ ।

ସୌଜନ୍ୟ ପୂର୍ଣ୍ଣ ବଚନକୁ ତୁମ୍ଭର ସମାନ ନାହିଁତ ।

ଯହିଁ ରୂପ ତହିଁ ଥାଏ ଗୁଣ ଏହି ସାମୁଦ୍ରିକ-ବାଣୀ ।

ତୁମ୍ଭ ଦରଶନେ ପ୍ରତିପନ୍ନ ହେଲା ଆହେ ପକ୍ଷୀ ମଣି । ୫୧

 

ସୁବର୍ଣ୍ଣମୟ-ଶରୀର-ଦରଶନେ ତୃପ୍ତ ମୋ ନୟନ ।

ସୁବର୍ଣ୍ଣମୟ ବଚନ ତହୁଁ ବଳି ଦେଲା ତୋଷି କର୍ଣ୍ଣ ।

ନିରବଲମ୍ବନ ଗଗନେ ଯେମନ୍ତ କର ପକ୍ଷପାତ ।

ନିରବଲମ୍ବନ ଜନେ ସାଧୁପଣେ କରୁଛ ତେମନ୍ତ । ୫୨

 

 

ବିଷମ ସନ୍ତାପେ ସନ୍ତାପିତ ଅତି ହେଉଛିତ ନିତି ।

ମୋପାଇଁ ତୁଷାର-ଶୀତଳ-ମରୁତ ତୁମ୍ଭ ଉପସ୍ଥିତି ।

ଧନିକ-ଜନ ପାଇଁକି ସିନା ଧନଲାଭ ନିଧିବତ ।

ନିଧି-ପ୍ରାପତ-ବଡ଼ ଗୁଣି ବିଚାରେ ଭେଟି ଗୁଣବନ୍ତ । ୫୩

 

ତ୍ରିଭୂବନ-ଜନ-ମନ-ଉଚ୍ଚାଟନ-ନିମିତ୍ତ ମୃଗାକ୍ଷି ।

ଔଷଧି-ବତ ବୋଲି ମୁଁ ଥର ଶତ ଶୁଣିଛି ହେ ପକ୍ଷୀ ।

ଏବେ ତବଗିର ଶ୍ରୁତି-ପୁଟେ ମୋର କରନ୍ତେ ବସତି ।

ଦେଖିଲା ପ୍ରାୟେ ନେତ୍ରେ ସେ ସୁଗାତ୍ରୀକି ହେଉଛି ପ୍ରତୀତି । ୫୪

 

ଅଜ୍ଞାତ କେଉଁ ବିଷୟ ବା ଜ୍ଞାନିଙ୍କି ଏ ବିଶ୍ୱ-ସଂସାରେ ।

ସେ ଯେବେ କାହାର ହୁଅନ୍ତି ସୁହୃଦ ଦଇବଯୋଗରେ ।

ତେବେ ତା ନୟନ ଯୁଗଳ କେବଳ ମୁଖଶୋଭାପାଇଁ ।

ନେତ୍ର ନିକଟବର୍ତ୍ତୀ ସୂକ୍ଷ୍ମ-ଦ୍ରବ୍ୟତ ଦେଖି ନ ପାରଇ । ୫୫ ।

 

ରମ୍ୟତାର ଶେଷ-ସୀମା ନିରୁପମା ସେ ରାମା ଚରିତ ।

ତୃଷାର୍ତ୍ତ ମୋ ଶ୍ରୁତି-ବଦନକୁ ଶୁଦ୍ଧ ମଧୁ-ଧାରାବତ ।

ସ୍ମରାନଳକୁ ମୋ ହୃଦେ ଜାଳିବାକୁ ତା ବୃତ୍ତାନ୍ତ ମନ୍ତ୍ର ।

ଲୋକେ କହନ୍ତି ମୋ ଶୁଣି ଧୈର୍ଯ୍ୟ ହଜେ ଧିକ ଏ ଜୀବିତ । ୫୬

 

 

ତାର ବିରହ-ବିଜନିତ-ଦୁର୍ବହ-ଘୋର-ସ୍ମରାନଳ- ।

କବଳକୁ କଳେବର ମୋ ହୋଇଛି ଶୁଷ୍କ ତରୁବର ।

କାଳ-ଦେବର-ଦିଗରୁ ଆସେ ବହି ମୃଦୁଳ ଅନିଳ ।

ତାକୁ ମଣଇଁ ମଳୟ-ବ୍ୟାଳ ବିଷ ଫୁତ୍କାର ପ୍ରକାର । ୫୭

 

ମାସକୁ ମାସ ଏ ଶଶାଙ୍କ ଦିବସ ଈଶପାଶେ ଯାଇ ।

ତା ହୁତାଶବତ-ତେଜରୁ ନିୟତ କିଛି ଆଣିଥାଇ ।

ସେ କଦର୍ଯ୍ୟକର ପ୍ରସାରି ନଭର ଅଙ୍କରେ ବିହରି ।

ଧୃତିକି ମୋର ନିପାତି ଦେଲା ପ୍ରାୟ ଥାଏ ମୁଁ ବିଚାରି । ୫୮

 

କୁସୁମ ଚାପର ରୋପପନ୍ତି ଯେବେ ନୁହଁଇ ଅଶନି ।

ନିଶ୍ଚୟ ତେବେ ସେ ବିଷଲତା ଜାତ ସୁମନସଶ୍ରେଣୀ ।

ତେମନ୍ତ ନୋହିଲେ ଏମନ୍ତ ସନ୍ତାପ ପାରନ୍ତା କି ଦେଇ ।

କ୍ଷଣକୁ କ୍ଷଣ ହଜାଇ ଦେଇ ଜ୍ଞାନ ମୋହ ଉପୁଜାଇ । ୫୯

 

ଏ ଅପାର ମାର-ଶର-ତାପ-ଘୋର-ସାଗରେ ପଡ଼ିଛି ।

ନାହିଁ ମୋ ଆଶ୍ରା ଭରସା ଆଉ କିଛି ନିମଜ୍ଜି ଯାଉଛି ।

ଦଇବେତ ଆସି ମୋ ପାଶେ ପ୍ରବେଶ ହୋଇଛ ମରାଳ ।

ତରଣୀ ହୋଇ ତରୁଣୀ-ମଣିଦେଇ ମୋତେ ଋଣୀ କର । ୬୦

 

 

ସ୍ୱଭାବ-ବଶେ ଇନ୍ଦ୍ରିୟଗଣ ଦ୍ରବ୍ୟ ଗ୍ରହିଲାର ପରି ।

ହୁଅନ୍ତି ସାଧୁ ସଜ୍ଜନ-ମାନେ ସଦା ପର-ଉପକାରୀ ।

ମୋର ଉପକାର କର ଖଗବର ବୋଲି ଯା ବୋଲୁଛି ।

ତୁମ୍ଭଙ୍କୁ ଏ ପିଷ୍ଟ-ପେଷଣ ବିହୀନେ ନୁହେଁ ଆନ କିଛି । ୬୧

 

ଗମନ କର ସାନନ୍ଦେ ପକ୍ଷୀବର ହେଉ ଶୁଭ ପଥେ ।

ତୁମ୍ଭର ଆମ୍ଭର ଭେଟ ପୁନର୍ବାର ସମ୍ଭବୁ ତୁରିତେ ।

ଦୁଃଖ ଘେନି ମୋର ହୋଇବ ସତ୍ତ୍ୱର କାର୍ଯ୍ୟ ସମାଧାନେ ।

ସମୟେ ସମୟେ ପକାଉଥିବଟି ହଂସ ମୋତେ ମନେ’ । ୬୨

 

ସତ୍ୟ ପ୍ରାୟଗିର-ଭାଷଣେ ଅମର-ଗୁରୁ-ସମସରି ।

ସେ ନଳ-ଭୂପାଳ ଏମନ୍ତେ ମରାଳ-ବରେ ବିଦାକରି ।

ପକ୍ଷୀର ନରବଚନେ ମନେ ଅତି ବିସ୍ମୟକୁ ବହି ।

ପ୍ରବେଶ ବନଲୀଳାଗୃହେ ସେ ସ୍ୱନ କର୍ଣ୍ଣେ ବାଜୁଥାଇ । ୬୩

 

ଏଥୁଅନ୍ତେ ରସ ଶୁଣ ସୁବିଦୂଷ ସେ ହଂସ ସତ୍ୱରେ ।

ଦମୟନ୍ତୀ-ଦରଶନେ ସେ ଦିବସ-ସଫଳ-ଆଶାରେ ।

ଭୀମ ମହୀପତି ପାଳିତ କୁଣ୍ଡିନପୁରେ ପ୍ରବେଶଇ ।

ଧରାନାଗରୀ-ଶିର-ଝରା-ପରାଏ ଯେ ତୋରା ଦିଶଇ । ୬୪

 

 

ପଥିକ ଲୋକର ଆଶା-ବଲ୍ଲରୀକି ସିଦ୍ଧି-ସୁମନସେ ।

ହସାଇ ବାରେ କୁଶଳ ଅତି ଜଳପୂରିତ କଲଶେ ।

କଲା ଦରଶନ ପଥର ପଥିକ ସେ ମରାଳବର ।

କରନ୍ତେ ଗମନ ଅନନ୍ତ-ଅଙ୍କରେ ଆପଣା-ପଥର । ୬୫

 

ଉପବନ ଶୋଭା ଦରଶନେ ଲୋଭା ହୋଇ ସେ ଆକାଶେ ।

ଗମନ୍ତେ ଇଷତ ଧୀରେ ଲୀଳାଗତି ବିରଚି ରଭସେ ।

ଧରିତ୍ରୀ-ନାରୀ ଝୁମ୍ପାଲଗା-ଚଉଁରୀ-ମୁଣ୍ଡି-ପରକାର ।

ଦେଖଇ ରସାଳ-ପାଦପ ଦୋଳନ୍ତି ତହିଁ ଫଳମାଳ । ୬୬

 

କାହିଁବା ପଥରେ ତା ନେତ୍ର-ପଥରେ ପଡ଼ଇ ପର୍ବତ ।

ନଭଚାରୀ-ନୀର-ଧର-ଦନ୍ତା-ବଳ ଶାବକେ ସେବିତ ।

ଗୁଳ୍ମଲତା-ମହୀ-ରୁହାଦିରେ ଛାଇ ନିଘଞ୍ଚେ ହୋଇଛି ।

ପତ୍ର ଗହଳେ ଶ୍ୱାପଦ-ସର୍ପାଦିଙ୍କ ଚିହ୍ନ ନ ଦିଶୁଛି । ୬୭

 

ଦରଶକ-ଲୋକ-ହୃଦକୁ କୌତୁକ-ସାଗରେ ବୁଡ଼ାଇ ।

ବେଳେ ବେଳେ ପକ୍ଷ ଚାଳି ଅନ୍ତରୀକ୍ଷ-ବକ୍ଷେ ସେ ଉଡ଼ଇ ।

କେବେ ଅବା ଅତି ଉର୍ଦ୍ଧ୍ୱେ କରି ଗତି ନେତ୍ରକୁ ନ ଦିଶେ ।

କେବେ ବା ବିସ୍ତାରି ସ୍ଥିର-ପକ୍ଷ ଧୀରେ ସଞ୍ଚରେ ରଭସେ । ୬୮

 

 

ଅତି ବେଗଗତିବଶେ ତନୁ-କାନ୍ତି ଦ୍ୱିଗୁଣ ଝଲକେ ।

କିସ ଆକାଶେ ସଞ୍ଚରେ ବୋଲି ବ୍ୟୋମେ ଚାହୁଁ ଥାନ୍ତି ଲୋକେ ।

ନୀଳ-ଅନ୍ତରୀକ୍ଷ-ନିକଷରେ ପକ୍ଷ-ହେମ କଷିବାର ।

ଭ୍ରାନ୍ତି ତାଙ୍କ ଚିତ୍ତେ ଜନ୍ମାଇଁ ତୁରିତେ ଗମଇ ମରାଳ । ୬୯

 

ଅତି-ବେଗ-ବଶେ ପବନପରଶେ ତା ପକ୍ଷ ଶଙ୍କାରେ ।

ତଳ-ପକ୍ଷୀଗଣ ସେ ନିସ୍ୱନେ ଶ୍ୟେନ-ନିପାତ-ଶଙ୍କାରେ ।

ସଙ୍କୋଚି ଶରୀର ଖସନ୍ତି ସତ୍ୱର ତଳରୁ ତଳକୁ ।

ତିର୍ଯ୍ୟକେ ଏକ ନୟନେ ବହି ଦକ ଅନାଇଁ ଉର୍ଦ୍ଧ୍ୱକୁ । ୭୦

 

ଅତି ଉର୍ଦ୍ଧ୍ୱପଥେ ଗମୁଁ ନ ଦିଶନ୍ତେ ମହୀରେ ତା ଛାଇ ।

ଚାହିଁ ନୟନେ ଗଗନେ ଦେଉଁ ଜନେ ଗଲା ବୋଲି କାହିଁ ।

ତେତିକିରେ ସେ ଲୋକଙ୍କ ଦୃଷ୍ଟିପଥ ଅତିକ୍ରମି ଥାଏ ।

ଦିଶ ଆକାଶ ଦର୍ଶକ-ଦୃଶ ଭ୍ରମି ଏକା ଶ୍ରମି ହୁଏ । ୭୧

 

ଉଚ୍ଚ ସଞ୍ଚ-ଦ୍ରୁମମାଳେ ମନୋରମ ଅରଣ୍ୟ ବହୁତ ।

ପଡ଼ିଲେହେଁ ଦୃଶେ କାହିଁ ବିଶ୍ରାମ ସେ ନ କଲା କିଞ୍ଚିତ ।

ନିଜ ଜାତିର ପତତ୍ରୀବ୍ରାତ-ରୁତେ ତିଳେ ନ ସମ୍ଭାଷି ।

ଗଲା ଅତି ବେଗବଶେ ବ୍ୟୋମମାର୍ଗ ଜ୍ୟୋତିରେ ଉଭାସି । ୭୨

 

 

ଶେଷକୁ ସେ ପକ୍ଷୀ-ଚକ୍ଷୁ ଗଲା ଲାଖି କୁଣ୍ଡିନ-ନଗରେ ।

ପାଳିତ ଯେ ମହୀଜୟୀ-ଭୀମସେନ-ଶ୍ରୀକର-ଯୁଗରେ ।

ଅଟେ ସେ ସଂସାରସାର-ସୌନ୍ଦର୍ଯ୍ୟର ମଞ୍ଜୁଳ-ମଞ୍ଜୁଷା

ଉଚ୍ଚେ ସ୍ୱଚ୍ଛେ ଯାର ସୌଧତୁଲେ ତୁଳ ନୁହଁଇ କୈଳାସ । ୭୩

 

ପନ୍ତି ପନ୍ତି ବିରାଜନ୍ତି ସେ ନଗରେ ସ୍ଫଟିକ-ମନ୍ଦିର ।

କଳାନିଧୀ-ଫାଳ ପରି ନିଷ୍କଳଙ୍କ-ଭିତ୍ତିରେ ସୁନ୍ଦର ।

ତା’ ଚାହିଁ ଦର୍ଶକର ନେତ୍ର ଅଟକ ହେଉ ଭାବଇ ସେ ।

ପତି ପ୍ରତି ବା ସୁଦତିର ସୁରତିହାସ ସତେ କି ସେ । ୭୪

 

ନୀଳମଣୀ-ବିନିର୍ମିତ ନରପତି-ନିଳୟ ବିଲୋକି ।

ଜାଲ-ନିପତିତ ଦଶା ନ ଭୋଗଇ କାର ଆକ୍ଷି-ପକ୍ଷୀ ।

ଭାନୁ-ଭୟରେ ଭୂପତି- ଆଶ୍ରୟରେ ନିର୍ଭୟେ ତାମସ ।

ରହିଛି କି ସୁଖେ ସୁସ୍ଥିରେ ନଶଙ୍କି ହେଲେହେଁ ଦିବସ । ୭୫ ।

 

ଶୁଭ୍ର ଦୀପ୍ରମଣିଗଣେ ଗୃହଶ୍ରେଣୀ ହୋଇଛି ନିର୍ମିତ ।

ଆଶପାଶର ଆକାଶ-ସଙ୍ଗେ ମହୀ ସେ ତେଜେ ଶୋଭିତ ।

ସିତ ସିତେତର ପକ୍ଷଭେଦ ତିଳ ମାତ୍ରେ ତହିଁ ନାହିଁ ।

ସର୍ବ ତିଥି ନିଶୀଥିନିରେ ଅତିଥି ପୂର୍ଣ୍ଣିମା ହୁଅଇ । ୭୬

 

 

ସୁନ୍ଦରୀଜନ ସ୍ନାହାନୁ ତନୁଚ୍ୟୁତ କୁସୁମ-ରଙ୍ଗରେ ।

ରଞ୍ଜିତ ବାପୀନିର ନୁହେଁ ପ୍ରସନ୍ନ ରଜନୀ ଯାକରେ ।

ଜୀବନଧନର ମନ ଆନଜନେ ଜାଣି ଚାଟୁ-ବାଣୀ ।

ନ ଶୁଣି ନିଶି ପୁହାଏ ଯଥା ନୋହି ପ୍ରସନ୍ନ ମାନିନୀ । ୭୭

 

ନିଶିଥିନୀରେ ଥରେ ମାତ୍ର ନୀରବ ହେଲାବେଳେ ସର୍ବ ।

ପ୍ରାଚୀର-ରୂପ-କଷାବାସେ ହରେ ସେ ଯୋଗୀଜନ-ଗର୍ବ ।

ବାହ୍ୟ ବିଷୟୁ ଇନ୍ଦିୟ ରୋଧି ମଧ୍ୟେ ତେଜ ସେ ଦେଖଇ ।

ମଧ୍ୟବର୍ତ୍ତି ଦୀପ୍ତ-ନିକେତ-ପନ୍ତିରେ ଏ ତା ସମ ଶୋହି । ୭୮

 

ସରସିରେ ଛାୟାଗତ ସ୍ୱରପୁର ପରାଏ ସେ ପରୀ ।

ନିର-ପରିଖା ଅଙ୍କରେ ରହି ବହେ ଅମାପ ଚାତୁରୀ ।

ଅମର-ପୁର-ପ୍ରତିବିମ୍ବ-ନିପାତ ଉତ୍ତାରୁ ବଳକା ।

ଜଳଭଳି ଦିଶେ ମଞ୍ଜୁଳ ତା ଚଉପଟର ପରିଖା । ୭୯

 

ସେ ପୁରୀ-ଅଟ୍ଟାଳି-ଆଳି-ଚୂଳେ ଚଳେ ରୁଚିର କେତନ ।

ବାତେ ଆନ୍ଦୋଳିତ ହେବାରୁ ସେ ତହୁଁ ଲଭିଣ ତାଡ଼ନ ।

ଗମନ୍ତି ଆପଣା ଛାଏଁ ଦେବ-ବିବସ୍ୱତ-ତୁରଙ୍ଗମ ।

ଅନୁରୁ ଅରୁଣେ ଚାଳନରୁ କ୍ଷଣେ ବିତରି ବିଶ୍ରାମ । ୮୦

 

 

କ୍ଷିତି ଗର୍ଭୁଁ ତଳ ତ୍ରୟେ ବିନିର୍ମିତ ଚାହେ ତହିଁଛନ୍ତି ।

ତଳେ ମଣି ମଧ୍ୟେ ଧନ ଉର୍ଦ୍ଧ୍ୱପୁରେ ନାରୀଏ ଶୋଭନ୍ତି ।

ଏମନ୍ତେ ନାଗ-ନର-ସୁର-ପୁରର ସକଳ-ସମ୍ପଦ ।

ଉଦରେବହ ସେ ରାଜପୁରୀ ରଚେ ବ୍ରହ୍ମାଣ୍ଡେ ବିବାଦ । ୮୧

 

ସୁଧା-ଧବଳିତ ଉତ୍ତୁଙ୍ଗଶିଖର ସଉଧ-ନିକର ।

ଶୋଭନ୍ତି ସେ ପୁରେ ଶଶଧର ଶିରେ ବହିଲା ପ୍ରକାର ।

ଜଳଦ-ମାଳେ ଶିଖରୁଁ ତାଙ୍କ ତଳେ କଲାବେଳେ ଗତି ।

ଲଭନ୍ତି ସଉଧେ ଶଶାଙ୍କ-ଶେଖର-ନୀଳକଣ୍ଠଭୂତି । ୮୨

 

ବିବିଧ ପ୍ରକାରେ ପୁତ୍ତଳି-ନିକର ଭିତ୍ତିରେ ରାଜନ୍ତି ।

ମୁଖ-ଶଶାଙ୍କ ଶୋଭଇ ଏକା ତହିଁ ଶଶାଙ୍କେ ନାହାନ୍ତି ।

ମନ୍ଦିରଦରୀ ଦ୍ୱାର-ଚାରୀ ହରିଏ ଅଛନ୍ତି ଅସଂଖ୍ୟ ।

ଶଶକ-ବଂଶ ଆଉ କାହୁଁ ରହିବେ ଏତ ତାଙ୍କ ଭକ୍ଷ । ୮୩

 

ପାତାଳ ତୁଲେ ଅମର-ପୁର ଭଲେ ନୁହଁଇ ସମାନ ।

ଏ ତ ଅନର୍ଗଳ-ଗତି-ତଥ୍ୟ-ବାଦୀ-ନାରଦ-ବଚନ ।

ସେ ପାତାଳ ଏବେ ଅତୁଳ ହେବାରୁ ଏ ପୁର ସହିତ

ଅଧୋଦେଶରେ ରହି ଅଧୋଭୁବନ ନାମେ ହେଲା ଖ୍ୟାତ । ୮୪

 

 

ପ୍ରତି-ହଟ୍ଟ-ପଥେ ଘରଟ୍ଟ-ଘର୍ଘର ସୁବାସ ସହିତେ ।

ପଥିକ-ଲୋକ-ହୃଦକୁ ଆକରଷେ ସାଦରେ ନିରତେ ।

ଘନ ନିର୍ଘୋଷତ ସର୍ବଦା ସ୍ୱପୁରେ ପାନ୍ଥେ ପେଷୁଥାଇ ।

ଘରଟ୍ଟବାଦେ ସ୍ୱରଭଙ୍ଗୁ ନୀରଦ ଘର୍ଘର ଘୋଷଇ । ୮୫

 

ରତ୍ନ-ନିଚିତ କପାଟ-ପୁଟ ପୁରୀ-ଦ୍ୱାରରେ ଝଟକେ ।

ତା’ ଚାହିଁ ଦର୍ଶକ ଚିତ୍ତକୁ ଏ ଭାବ ଆସଇ ପଲକେ ।

ମାନବତୀ ସୁରବସତି ଯୁବତୀ କୋଳୁଁ ମହୀଭାଗେ ।

ବସୁଁ କପାଟ-ବକ୍ଷା ହେମ-ପ୍ରାକାର ମେରୁ କି ଆଲିଙ୍ଗେ । ୮୬

 

ଅସଂଖ୍ୟ ସବିତା-କାନ୍ତ-ମଣି-ବ୍ରାତେ ନିଘଞ୍ଚେ ନିଚିତ ।

ପୁରର ସୁବର୍ଣ୍ଣ-ପ୍ରାକାର ଦିଶଇ ଅତି ଦୀପ୍ତିମନ୍ତ ।

ଉଦୟୁଁ ଅସ୍ତ ପର୍ଯ୍ୟନ୍ତ ତରଣିର ବହ୍ନିଶିଖା ଛଳେ ।

ସେ ପୁର-ପ୍ରାକାର ହସେ ନିରନ୍ତର ବାଣାସୁର-ପୁରେ ୮୭

 

ବିପଣି ଶ୍ରେଣୀ ଅଛନ୍ତି ତହିଁ ଶୋହି ସମୁଦ୍ର ସମାନ ।

ବେଳା-ବାଲୁକା-କୁଳକୁ ତୁଳ ଏକା କର୍ପୂରର ଚୁର୍ଣ୍ଣ ।

ଅସଂଖ୍ୟ-କମ୍ୱୁ-କପର୍ଦୀ-ମଣିଗଣେ ନିରତ ପୁରିତ ।

ଦ୍ରବ୍ୟ-ଗଣନେ ନର୍ତ୍ତିତ-କରକର୍କଟକେ ବିରାଜିତ । ୮୮

 

 

ଗୃହ-ନିବହ-କୁଟ୍ଟିମେ ଶଶି-କାନ୍ତ-ରତ୍ନେ ବିରଚିତ ।

ଶଶାଙ୍କ-କର-ପରଶେ ହୁଅନ୍ତି ସେ ନିଜେ ସମ୍ପୁରିତ ।

ଉଚ୍ଛଳିତ-ଜଳେ ସେ କାଳେ ଅମର-ସରିତ ଉଚ୍ଛଳେ ।

ପତିବ୍ରତା-ପଣୁଁ ପ୍ରତିର ଉଲ୍ଲାସେ ଉଲ୍ଲସେ ସେ ଭୋଳେ । ୮୯

 

ଗନ୍ଧ-ଦ୍ରବ୍ୟ-ବିପଣିରେ ପ୍ରତିଦିନ ସାୟଂକାଳେ ତହିଁ ।

କୁଙ୍କୁମ-ବିକ୍ରୟ-ବିଥିକା-ନିବହ ଏମନ୍ତ ଶୋଭଇ ।

ଦିବସଈଶ ଅସ୍ତ ଦଶା ଭଜନ୍ତେ ଅବଶିଷ୍ଟ କର ।

ନିରାଶ୍ରୟ ହୋଇ ଅଛନ୍ତି କି ରହି ଆଶ୍ରୟେ ଏହାର । ୯୦

 

ବିକ୍ରୟ ହେତୁ ବାଢ଼ିଛନ୍ତି ବଣିକେ ଆପଣ-ଗଣରେ ।

ବିଶ୍ୱ-ସଂସାରର ପଦାର୍ଥ-ନିକର ଅତି ଯତନରେ ।

ହରି-ଉଦରେ ମାର୍କଣ୍ଡେୟ ସଂସାର ଦେଖିଲା ପରାୟେ ।

ତହିଁ ଦରଶକେ କିଛି ତ୍ରୟଲୋକେ ଛପାତ ନ ଥାଏ । ୯୧

 

କରଇ ବିକ୍ରୟ କାହିଁ କେ ବଣିକ କ୍ରେତାକୁ କସ୍ତୁରୀ ।

ବର୍ଣ୍ଣ-ସମାନରୁ ଗନ୍ଧଲୁବ୍ଧ ମଧୂପେ ବାରି ନ ପାରି ।

ଗୋଳେ ଗୁଞ୍ଜନ ନ ଶୁଭ ମୃଗମଦତୁଲେ ତୁଳେ ଅଳି ।

ଲୋଭ-ବନ୍ଧନୁଁ ସେ ତହୁଁ ମଧ୍ୟ ଉଡ଼ି ନ ଯାଉଛି ଚଳି । ୯୨

 

 

ବିବସ୍ୱତ-କାନ୍ତ-ମଣିରେ ନିର୍ମିତ ସରଣୀ ସେ ପୁରେ ।

ବାସରଯାକ ବୈଶ୍ୱାନର-ତପତି ବହେ ବିକରାଳେ ।

ତେଣୁ ନିଶୀଥରେ ପତିତ ତୁଷାରେ ଶୀତଳ-ଗୁଣରେ ।

ନ ପାରଇ କରି ଜଡ଼ ପଥଚାରୀ-ନରଙ୍କ ପୟରେ । ୯୩

 

ନିଶୀଥନାଥ-ରତନେ କାହିଁ ପଥେ ବନ୍ଧା ହୋଇଛନ୍ତି ।

ନିଷଧଈଶ-ଶୀଳତା-ସମ ଅତି ଶୀତଳ ଅଟନ୍ତି ।

ଶଶାଙ୍କ-କର ପରଶେ ନୀରସ୍ରାବେ ହେଉଥାନ୍ତି ସିକ୍ତ

କଳିକାଳ ଭଳି ଅତପ-ସନ୍ତାପେ ନୁହଁନ୍ତି ସେ ତପ୍ତ । ୯୪

 

ଫଣୀଭାଷିତ-ଭାଷ୍ୟ-ଫକ୍କିକାପରି ସେ ପୁରୀ ଦୁର୍ଗ୍ରହ ।

ହେବାରୁ ଅରିଏ କି ଚିତ୍ତେ ବିଚାରି ଏମନ୍ତ ଉପାୟ ।

ବରଜି ଯାଇଛନ୍ତି ତାକୁ ବନ୍ଧନୀ ମଧ୍ୟେ ରଖିଦେଇ ।

ପୁର-ଚତୁର-ପାରୁଶର ପରିଖା ସେ ଏବେ ବୋଲାଇ । ୯୫

 

ମୁଖ ଚକ୍ଷୁପାଣି-ପାଦଛଳେ ଘେନି କୁଶେଶୟ-ଚୟେ ।

ଅପର ଅଙ୍ଗାଦି ନିର୍ଭାଇ ଚମ୍ପକ କଳିକା ନିଚୟେ ।

ଭୀମ-ଭୂପାଳ-ବାଳୀକା ଦମୟନ୍ତୀ ମଦନ-ପୂଜାର ।

କୁସୁମ-ସ୍ରଜ ସମ ଯହିଁ ରାଜଇ କି ବର୍ଣ୍ଣନ ତାର । ୯୬

 

 

ଘନ-ଜଘନ-ପୀନସ୍ତନ-ଭାରରେ ଭୀରୁତା ହେତୁରେ ।

ନ ପାରି ବିହରି ଅପ୍‌ସରାଏ ନିରାଶ୍ରୟ ଆକାଶରେ ।

ଧରା ଆଶ୍ରୟ କରି ରହିଅଛନ୍ତି ଏମନ୍ତ ମତିକି

ଆଣିବ ସେ ଯେ ଦେଖିଥିବ ଭୂପତି-ପୁତ୍ରୀ-ବୟସୀଙ୍କି । ୯୭

 

ଅତି ଚିତ୍ରମୟୀ ସେ ପୁରୀ ରାଜଇ ସକଳ ବର୍ଣ୍ଣରେ ।

ବ୍ରହ୍ମ-କ୍ଷତ୍ରିୟାଦି ରକ୍ତ-ପୀତ-ଶ୍ୱେତ-ହରିତ-ଭେଦରେ ।

ଅନବରତ ତ ବିବିଧ-ନିସ୍ୱନ-ନିବହେ ମୁଖର ।

ଏଣୁ ସ୍ୱରଭେଦେ ନାନାର୍ଥ-ସମ୍ପଦେ କରଇ ପ୍ରଚାର । ୯୮

 

ମାଣିକ୍ୟମୟ ନିଳୟଚୟ ତହିଁ ଦିବସେ ଭାସ୍ୱତ- ।

ସମାଗମ ଲଭି ସେ ପ୍ରଚଣ୍ଡ-ତାପେ ହୋଇ ସନ୍ତାପିତ ।

ନିଜର ଲୋହିତ-ଆଭାରେ ରଞ୍ଜିତ-କେତୁ-ଜିହ୍ୱାଚାଳି ।

ନିଶାରେ ଲିହନ୍ତି ଶଶାଙ୍କକୁ ଏତ ସୁଧାକର ବୋଲି । ୯୯

 

ଦିବସେ ଦିବସ-ଈଶ-କରପାତେ ତୃଷାର୍ତ୍ତ ବିଶେଷ ।

ସେ ପୁର-ନରବରଙ୍କ ପଦ୍ମରାଗ-ନିର୍ମିତ ନିବାସ ।

ହେବାରୁ କି ରଜନୀରେ ସୁଧାକରେ ବିଲୋକି ଉପରେ ।

ସ୍ୱ ଆଭା-ଜିହ୍ୱାରେ ଲିହେ ପାଶ ହେତୁ ନ ବଢ଼ାଇ କରେ । ୧୦୦

 

 

କଳାନିଧି-କୋଳ-କଳଙ୍କ ନିଶାରେ ସେ ନଗରପୁର- ।

ଶିଖ-ପୀତ-କେତୁ ସଙ୍ଗ ଲଭି ବଳୟିଭୂତ ଶେଷର ।

ପୃଷ୍ଠରେ ଶୟନକାରୀ ପୀତାମ୍ବର-ଶ୍ରୀହରି-ଚାତୁରୀ ।

ଚୋରାଏନିଶୀଥେ ନିଶ୍ଚିନ୍ତରେ ଧରା ନ ପଡ଼ିବ ବୋଲି । ୧୦୧

 

ସଦା ବେଦପାଠ-ମୁଖର ଚତୁର ବଦନେ ବିଧାତା ।

ନିଷେଧୁଁ ଗାଧି-ତନୟର ଅପରସ୍ୱର୍ଗ-ରଚାକଥା ।

ସେ ଅର୍ଦ୍ଧ-ନିର୍ମିତ-ଅମର-ସରିତ-କେତୁ-ତତି-ଛଳେ ।

ସେ ପୁର-ପ୍ରାସାଦ-ଚୁଳେ ଚଳୁଥାଏ ନପଡ଼ି ଭୂତଳେ । ୧୦୨

 

ବିମଳ-ନୀଳମଣି-ମେଳେ ନିର୍ମିତ-ଭୂପାଳ ନିଳୟ ।

-ସ୍ଫୁରିତ-ପ୍ରଭାରେ ଅଳିଭଳି ନୀଳ ଦିଶି କେତୁଚୟ ।

ଦିବସେ ଦିବସ-ଈଶ-ଅଙ୍କଦେଶେ ଲୋଟି ନାନାଭଳି ।

ଖେଳ-ବିଲୋଳା ବାଳୀକା-କାଳିନ୍ଦିର ବହନ୍ତି ଚାତୁରୀ । ୧୦୩

 

ତହିଁ କାମିନୀଏ ନିରଦ-ବିମାନେ ପତି-କେଳିପୁରେ ।

ଚଳନ୍ତି ସ୍ୱଚନ୍ଦ୍ରଶାଳାପୁର-ଚୂଳୁଁ ଲେଶକେ ତୋଷରେ ।

ନପଡ଼ୁଁ ନିମେଷ ପ୍ରାଣେଶ-ଆବାସ ପ୍ରବେଶ ହୁଅନ୍ତି ।

ଦର୍ଶକଙ୍କ ଚିତ୍ତେ ଜନ୍ମାଇ ନିରତେ ଅପସରା-ଭ୍ରାନ୍ତି । ୧୦୪

 

 

ଦମୟନ୍ତୀ-କେଳି-ଶୈଳ-ମରକତ-ଅଂଶୁମାଳ ଚଳି ।

ବ୍ରହ୍ମାଣ୍ଡ-ଉର୍ଦ୍ଧ୍ୱ-ଫାଳ ବାଧ୍ୟା-ଲାଜରେ ଲୁଆଇଁ ମଉଳି ।

ଉତ୍ତାନେ-ଶାୟିତ-ସୁରଗାଭୀ-ବ୍ରାତ-ବଦନେ ପ୍ରବେଶି ।

ଗୋଗ୍ରାସ-ପ୍ରଦାନ-ବ୍ରତ ସୁକୃତରେ ପୁରେ ଥାନ୍ତି ଭୁଷି । ୧୦୫

 

ସେ ରାଜ-ଦୁଲ୍ଲାଳୀ କେଳିବନେ ମିଳି ମରାଳ ଚପଳେ ।

ଦେଖଇ ତରୁଙ୍କ ଆଳବାଳ ବନ୍ଧା ଶଶିକାନ୍ତ ଶଳେ ।

ଅବ୍ଜ-କର ବାଜି ସ୍ୱଦେହ-ନିସୃତ-ନିରେ ସେ ପୂରିତ ।

ଆନ ଜନଙ୍କର ଟେକା-ନିରଦାନ ତହିଁରେ ବିଅର୍ଥ । ୧୦୬

 

ଏକାଳେ ସେ ହେମ-ହଂସ ନିରୁପମ-ସୁନ୍ଦରୀ-ସଜନୀ- ।

ଜନେ ପରିବୃତା ଭୀମଭୂପ-ସୃତା ବିଲୋକିବାକ୍ଷଣି ।

ମଣିଲା ମନେ ଏ ଉପବନ-ନଭେ ବିରଚଇ ଖେଳା ।

ତାରକା ତତି ସଙ୍ଗତି ଲଭି କିବା ନବ ଶଶିକଳା । ୧୦୭

 

ଏତେ ବିଚାରି ମଣ୍ଡଳ ଗତିକରି ଆକାଶେ ଭ୍ରମେ ସେ ।

ଅବତରିବାର ସ୍ଥାନ ଉପବନେ ହେଜିଣ ମାନସେ ।

ମଣ୍ଡଳେ ଭ୍ରମୁଁ ମରାଳ ନଭେ ତାର ତନ-ସ୍ୱର୍ଣ୍ଣପ୍ରଭା ।

ଦମୟନ୍ତୀ-ମୁଖ-ଶଶିପରିବେଶପରି ଦିଶେ ଶୋଭା । ୧୦୮

 

 

ସେ ବନିକାରେ ଅବନୀପତି-ସୁତା ସହଚରୀ ମେଳେ ।

ଖେଳଇ ସେ ଶୋଭା ଚାହିଁ ଲୋଭା ହଂସ ମାନସରେ ଭାଳେ ।

ନନ୍ଦନ କାନନେ ଏମନ୍ତ ଆନନ୍ଦେ ପୁଲୋମଦୁହିତା ।

ସମ୍ଭୋଗୀ ପାରୁତ ନଥିବ ହେଲେହେଁ ଅପ୍‌ସରୀ ସେବିତା । ୧୦୯

 

ଶ୍ରୀହର୍ଷ-ଶଶି-ଭାରତୀ-ଅଂଶୁରାଶି ପ୍ରସରି ଇଷିତେ ।

ଉଛୁଳାଇଛି ଗୋପୀନାଥ-ଆନନ୍ଦ-ସରିତ-ଦୟିତେ ।

ଯାଚିବା-ଭାଜନ ନୁହେଁ ସେ ବିବୁଧେ ଘେନିଲେ ଘେନିବ ।

ସୁଧା-ସ୍ୱାଦ-ଚଖା ମୁଖକୁ ଏ ସିନ୍ଧୁ-ନୀରକି ତୋଷିବ । ୧୧୦

-------

 

ତୃତୀୟ ଛାନ୍ଦ

ରାଗ-କଲ୍ୟାଣ

ଅବତରଣର ସ୍ଥାନ ମାନସରେ ସ୍ଥିରକରି ସେ ହଂସବର ।

ପକ୍ଷ ସଂକୋଚାଇ ରଭସେ ଖସଇ ବରଜି ଗଗନମଣ୍ଡଳ ।

ନିବେଶ ଦେଶ, ଲକ୍ଷି ପକ୍ଷ ବିସ୍ତାରି ।

କମ୍ପଇ ବାରଦ୍ୱୟ ଦମୟନ୍ତୀର ପାଶେ ପରଶେ ବସୁନ୍ଧରୀ ।

ପିଟିହେଉ ପକ୍ଷ-ପୁଟେ କ୍ଷିତି-ବକ୍ଷ-ଦେଶ ଅକସ୍ମାକ ଶବଦ ।

ସମ୍ଭବି ଭୁବି-ବଲ୍ଲଭ-ତନୟାର ମତି କରିଦେଲା ସ୍ତବଧ ।

ସୁଜନେ । ଆନେ ଯେଣୁଥିଲା ସେ ରସି ।

ଏ ଅତରକିତ ଶବଦେ ତା ଚିତ୍ତ ଚମକି ତେଣୁ ଗଳା ଲସି ।

ସଙ୍ଗସଜନୀଜନଙ୍କ ନେତ୍ର-ତତି ରତି ନିଜ ନିଜ ଦ୍ରବ୍ୟରୁ ।

ବରଜି ମଜ୍ଜିଗଲା ସେ ବାଜିରାଜହେମଗରୁତ-ଦର୍ଶନରୁ ।

ସୁଜନେ । ହଂସର ନିରୁପାଖ୍ୟ ରୂପ ।

ବ୍ରହ୍ମବତ ହୋଇ ସଖିଙ୍କ ଆକ୍ଷିକି ଦେଲା କରି ଯୋଗୀ-କଳପ ।

ନିକଟଚାରୀ ମରାଳେ ଗ୍ରହିବାକୁ ଶୟେ ସେ କରୀନ୍ଦ୍ରଗାମିନୀ

ସ୍ଥିରତା ଆଦରୁ ଶରୀରେ ସତ୍ୱରେ ଆଦରେ ବରଋଷି ଠାଣି ।

ସୁଜନେ । ସେତ ସମାଧି-ସ୍ଥିର ହୋଇ ।

ସଦା ପାର୍ଶ୍ୱଚାରୀ ହଂସ ପରିଗ୍ରହାଶୟେ ପ୍ରଯତ୍ନ କରୁଥାଇ ।

 

ଆକାର ଇଙ୍ଗିତୁଁ ଦମୟନ୍ତୀ ମତି ବାରି ପାରିଲେହେଁ ନିର୍ମଳେ ।

ତଥାପି ସେ ହଂସବର ବିହାୟସ-ଦେଶେ ନ ଉତ୍ପିଚ୍ଛେ ଚପଳେ ।

କେବଳ । ଦ୍ରୁତ-ପ୍ଳୁତ-ଗତି ଆଚରି ।

ଦେଉଥାଏ ଏକା ନିଜାଙ୍ଗେ ବରାଙ୍ଗୀ-କର-ପତନ ବୃଥାକରି ।

 

ହଂସ- କଉଶଳେ ସେ କ୍ଷମାଈଶ୍ୱର-ସୂତାଶ୍ରମ ବୃଥା ହେବାର ।

ଦେଖି ସଖିଏ ଆକ୍ଷିରେ ଠରାଠରି ହୋଇ ମାଇଲେ କରତାଳ ।

ହସିଲେ । ଭାଳି କିବା ସେ ମାନସରେ ।

ତୁଳା- କୋମଳା ଯେ ବାଳା ସେ ରସେ ଏ କିପାଁ ଅତୁଳ ସାହସରେ ।

 

ମାରି କରେ କର ଆରମ୍ଭି ଚହଳ ଚାଳି ଦେଉଅଛ ମରାଳେ ।

ମୋ ସହିତ ଆସି ସହିଏ କେହି ଗୋ ସାଧୁଛ ବାଦ ମୋର ତୁଲେ ।

ଏମନ୍ତେ । ବାଳୀରତନ ଉଠି ଚଳି ।

କୋକିଳ-କଳଭାଷିତକୁ ଇଷିତେ ସ୍ୱର-ସମ୍ପଦେ ଦେଲା ଦଳି ।

 

ସଖିଙ୍କର ହାସ ଦରଶନେ ରୋଷ ଇଷତ ବସୁଁ ମାନସରେ ।

ଦ୍ୱିଗୁଣ ଉତ୍ସାହେ ହଂସ ପଛେ ପଛେ ଚଳେ ବାଳା ଛାୟା ପ୍ରକାରେ ।

ପରଶି । ନ ପାରି ଥରେ ହେଲେ କରେ ।

ପଛେ ନ ପକାଉଥାଏ ପକ୍ଷୀ ପଛେ ଚଳିବାର ଲୁଳି ଲାଜରେ । ୮ ।

 

ତା ଦେଖି ସଖୀ ଭାଷନ୍ତି ହସି ଛଳେ ‘‘ହଂସ ଅଭିମୁଖେ ଗମନ ।

ଅନୁଚିତ’’ ଶୁଣି ତରୁଣୀମଣି ସେ ବିରଚେ ଏମନ୍ତ ବଚନ ।

‘‘ସଙ୍ଗିନୀ । ଅଶକୁନ କିପାଁ ବିଚାର ।

ଶୁଭ-ଶକୁନ ତ ହଂସ ଏ ନିଶ୍ଚୟ କରିବ ପ୍ରିୟକାର୍ଯ୍ୟ ମୋର’’ । ୯ ।

 

ଏତେ ସଖୀଙ୍କି କହି ମହୀମଣ୍ଡନା ହଂସଗାମିନୀ ସେ ନବୀନା ।

ଅନୁସରୁ ହଂସେ ତା ଗମନ ଅନୁକରି ହଂସ ହୋଇ ଉନ୍ମନା ।

ସତେକି । ଉପହାସ କରି ବାଳୀକି ।

ଧରା ନ ଦେଇ ତ୍ୱରା ହୋଇ ଚଳଇ ନ ତେଜି ପୁରତ ଚାଲିକି । ୧୦ ।

 

ପ୍ରତି-ପଦେ କରେ ଧରି ପକାଇବି ବୋଲି ବିଚାରୁ ଥାଇ ଜେମା ।

ତା ବିଚାରକୁ ଚୁରିଦେଇ ମରାଳ ବିରଚି ଗତି ମନୋରମା ।

ସୁଧୀରେ । ଖେଳା ଲୋଳେ ଚଳି ବାଳୀକି ।

ନେଲା ଓଟାରି ସଙ୍ଗନୀ-ଛଡ଼ାକରି କ୍ରମେ ଦ୍ରତତି-ଗହଳିକି । ୧୧ ।

 

ରୋଷାବେଗେ ଆଗୁଁ ଗହଣ-ସଙ୍ଗଙ୍କି ବାରିଥିଲା ଅନୁଗମନେ ।

ଏତେବେଳକୁ ଛାୟାବିନା ନିଜର ସଙ୍ଗେ ନଥିଲା କେହି ଜଣେ ।

ସର୍ବାଙ୍ଗ । ଶ୍ରମଜ-ଘର୍ମେ ଥିଲା ପୂରି ।

ସେ ସୁଯୋଗ ଚାହିଁ ନରଭାରତୀରେ ଭାଷେ ମରାଳ କୀର-ପରି । ୧୨ ।

 

 

‘‘ଆଉ କେତେ ଦୂର ଯାଏ ପଛେ ମୋର ଗୋଡ଼ାଇବୁ ଗୋ ସୁକୁମାରୀ ।

ବୃଥା ପରିଶ୍ରମ କି କେ କରୁ ଝରିଲଣି ଅଙ୍ଗୁ ତୋ ଶ୍ରମବାରି ।

କୃଶାଙ୍ଗି । ଦେଖି ଏ ଘନବନାଳିକି ।

ନିମଷେ ହେଲେ ତୋ ମାନସରେ ବାସ ଭୀତି-ଲେଶ ନାହିଁ କରିକି । ୧୩ ।

 

ବୃଥାରେ ରେ ନିରୁପମା ଅପଥେ ତୋ ପଦପକାଇବା ବିଲୋକି ।

ଅନିଳ-ଲୋଳ-ପଲ୍ଲବ-ପାଣି ଚାଳି ବନ ଲତାଏ ହୋଇ ଦୁଃଖୀ ।

ନିଷେଧୁ । ଛନ୍ତି ଚାହାଁ ସହି ପରାଏ ।

ଉହୁଁ ଉହୁଁ ଯାହା କପୋତ-ହୁଙ୍କାର ଶୁଭଇ ତାଙ୍କର ଗିରଏ । ୧୪ ।

 

ନ ବିଚାରୁ କେହି ଚାରୁଶୀଳା ତୁହି ତୁ ଏକା ବସୁନ୍ଧରୀଚାରୀ ।

ଆକାଶ-ରସା ବେନି-ଦେଶେ ମାନସ-ସୁଖେ ଥାଏ ମୁଁ ତ ବିଚରି ।

କେମନ୍ତେ । ମୋତେ ଧରି ତୁ କରୁ ମତି ।

ରହି ସ୍ମରସଖା-ଯୌବନ-ଅଧୀନେ ନ ଯାଏ ଯା ତୋ ଶିଶୁରୀତି । ୧୫ ।

 

ଶତପତ୍ର-ଭବ-ପତ୍ର-ହଂସବଂଶ-ପତତ୍ରି ଅଟୁଁ ଆମ୍ଭେମାନେ ।

ଆମ୍ଭ ଚାଟୁବାଣୀ ସୁମନସଭିନ୍ନ ନରସେ ଆନଜନ କର୍ଣ୍ଣେ ।

ସୁନ୍ଦରୀ । ସ୍ୱର୍ଗଙ୍ଗା,-ସ୍ୱର୍ଣ୍ଣ-ସରୋଜିନୀ- ।

ମୃଣାଳାଶନଁ ଏ କାନ୍ତି ଆମ୍ଭ; କାର୍ଯ୍ୟେ ଥାଏ ତା ହେତୁଗୁଣ ପୁଣି । ୧୬ ।

 

 

ବିଧାତା-ଆଦେଶେ ନିଷଧ-ଅଧିପ-ବିଳାସ-ସର ସେବିବାକୁ ।

ଅନେକ କଳହଂସ ଆସିଅଛନ୍ତି ଆକାଶୁଁ ଏ ରସାତଳକୁ ।

ସୁନ୍ଦରୀ । ସେ ହଂସବଂଶୁ ଏକ ମୁହଁ ।

ଭୂଲୋକ-ବିଲୋକନେ ହୋଇ ଉତ୍ସୁକ ଭ୍ରମଇଁ କଉତୁକେ ମହୀ । ୧୭ ।

 

ଏକ-ସମୟେ ସାରସଭବ ବିଶ୍ୱଭ୍ରମଣେ ବଳାଉଁ ମାନସ ।

ଲଭନ୍ତେ ରଥ-କର୍ଷଣେ ସ୍କନ୍ଧେ ମହାପ୍ରାସ ଆମ୍ଭ ପୂର୍ବପୁରୁଷ ।

ମୁଁ ଏକା । ବିଶ୍ୱେ ରଥ ଥିଲି ଭ୍ରମାଇଁ ।

ତେଣୁ ଅବିଶ୍ରାମ-ସଂସାର-ଭ୍ରମଣେ ଲେଶେ ଶ୍ରମ ମୋର ନୁହଁଇ । ୧୮ ।

 

ସ୍ୱର୍ଗୀୟ ଖଗକୁ ପାର୍ଥିବ ପାଶାଦି ଯନ୍ତ୍ରେ କି ନିୟନ୍ତ୍ରି ହୋଇବ ।

ଏକା ଅମର-ନଗର-ଭୋଗ-ଭାଗ୍ୟ ଭାଲପଟେ ଯା ଲେଖାଥିବ ।

ସୁନ୍ଦରୀ । ତାହାର ଭାଗ୍ୟବଳେ ଏକା ।

ହୋଇପାରୁଁ ଆମ୍ଭେ ବନ୍ଧା କୋଟିକେ ତ ଗୋଟିଏ ତହୁଁ ନୁହେଁ ଦେଖା । ୧୯ ।

 

ଯାଗପୂର୍ତ୍ତାଦି କୀର୍ତ୍ତିରେ ଅମର୍ତ୍ତ୍ୟଙ୍କୁ ନଳ-ନରେଶ ତୋଷିଛନ୍ତି ।

ତେଣୁ ସେମାନେ ସାଗ୍ରହେ ସ୍ୱର୍ଗଭୋଗ ତାଙ୍କୁ ଏ ମର୍ତ୍ତ୍ୟେ ଦେଇଛନ୍ତି ।

ସୁଦତି । ଦୋହଦବଶେ ପରା ଦ୍ରୁମ ।

ଅକାଳେ କୋରକ-ନିକର ବହନ୍ତି ସେବାରେ ନୁହେଁ କେ ପ୍ରସନ୍ନ । ୨୦ ।

 

 

ମେରୁଶୃଙ୍ଗୁ ଅବତରି ଶୀଘ୍ରେ ସ୍ୱର୍ଗ-ଗଙ୍ଗାନୀରେ ପକ୍ଷ ପ୍ରକ୍ଷାଳି ।

ତହିଁ ତାଙ୍କୁ ବିଞ୍ଚୁଥାଉଁ ଆମ୍ଭେ ଆରମ୍ଭିଲା-ବେଳେ ସେ ସ୍ମରକେଳି ।

ସୁନ୍ଦରୀ । ସାଧୁଗଣନେ ସେ ପ୍ରଥମ ।

ଅରି-ନଗର-ନିଜର ଜିଣେ ଯାର ବୀର୍ଯ୍ୟର ଅବଲୀଳା-କ୍ରମ । ୨୧ ।

 

ଅଧ୍ୱରରେ ଆଯ୍ୟଧାରା ତୁଲେ ରାଜ୍ୟ ବିବୁଧ ନିବହେ ବିତରି ।

ଅଧିକୁଁ ଅଧିକ ବଢ଼ାଇ ଅଛନ୍ତି ଶ୍ରୋତ୍ରିୟ ବିପ୍ରଙ୍କର ଶିରୀ ।

ସୁନ୍ଦରୀ । ସେ ଦଣ୍ଡଧାରୀ ଅଦଭୂତେ ।

କରନ୍ତି ଭୋଗ ପ୍ରଥମର ଶେଷକୁ ଅନ୍ତିମକୁ ସମ୍ପୂର୍ଣ୍ଣ ମତେ । ୨୨ ।

 

ଦାରିଦ୍ର୍ୟ-ବିଦାରି-ଦ୍ରବିଣ-ଦାନରେ ପ୍ରାର୍ଥିଙ୍କି ମେଘ ସର୍ବଦା ସେ ।

ନିରତ ପ୍ରଦାନ ହେତୁରୁ ବିରକ୍ତି ଚିତ୍ତେ ନ ଥାଏ ତାଙ୍କ ଲେଶେ ।

ସୁନ୍ଦରୀ । ଲୋକନାଥ ପଦ ତାଙ୍କର ।

ହୋଇଛି ଏକା ସାର୍ଥକ ପ୍ରାର୍ଥି ନୋହି ଅଛି କେ ତାଙ୍କୁ ଏ ସଂସାର । ୨୩ ।

 

ଆମ୍ଭ ମୁଖୁଁ ନଳ-ନୃପ-ଅନଳପ-ଶୋଭା-ସମ୍ଭାର କଥା ଶୁଣି ।

ଅନୁରକ୍ତ ହୋଇ ତାଙ୍କ ତହିଁ ମହୀ-ପାର ପୁର-ରମ୍ଭା ତରୁଣୀ ।

ଶେଷକୁ । ତାଙ୍କୁ ନ ପାଇ ତାଙ୍କ ନାମ-।

ଅଂଶ ଥିବାରୁ କଲା ଯାଇ ପ୍ରକାଶ ନଳକୁବେର ପାଶେ ପ୍ରେମ । ୨୪ ।

 

 

କେଳି କାଳେ ତାଙ୍କ କଳକଣ୍ଠୁ ଗୀତ ଶୁଣିଥାଉତ ଆମ୍ଭେମାନେ ।

ଏଥଁ ଅମରପୁରେ ଗଲେ ସମ୍ଭାଏ ଗନ୍ଧର୍ବ-ସଙ୍ଗୀତ ଶ୍ରବଣେ ।

ସୁନ୍ଦରୀ । ମନକୁ ନପାଉଁ ସେ ଗୀତ ।

ହାହା ବୋଲି ହସୁଁ ଆମ୍ଭେ ସେ ଗନ୍ଧର୍ବେ ହେଲେ ହାହା ନାମେ ବିଖ୍ୟାତ । ୨୫ ।

 

ସେ ଭୂଦାର-ନଳ-ଉଦାର-ରଚିତ-ଶ୍ରବଣେ ସଦାର ବାସବ-।

ସହସ୍ର ନୟନେ ଅୟନ ବଦନେ ବହନ୍ତେ ଅଶ୍ରୁଜଳ ଲବ ।

ପୁଲୋମ- । ସୁତାଭାଗ୍ୟବଶୁଁ ସେ ପଥେ ।

ଥରେ ହେଲେହେ ନ ପଡ଼ଇ ରୋମାଞ୍ଚିଥିବାର ତାର ସର୍ବ ଗାତ୍ରେ । ୨୭ ।

 

ଶୁଣୁ ଶୁଣୁ ଭୂତପତି ସେ ଭୁଭୃତ-ଚିତ୍ତ-ଚୋରା-ଚାରୁ-ଚରିତ ।

ଅର୍ଦ୍ଧାଙ୍ଗ-ସଙ୍ଗିନୀ ଗିରିନ୍ଦ୍ର-ନନ୍ଦିନୀ ଭାବି ଆଉ ରହି ନୁହେଁତ ।

ଶ୍ରବଣ-। କଣ୍ଡୁୟନ ଛଳେ ଅଙ୍ଗୁଳି ।

ଚାଳି ଶ୍ରୁତିପୁଟେ ରୋଧୁଥାନ୍ତି ଆଉ ସେ କଥା ନ ଶୁଣିବି ବୋଲି ।

 

ଧର୍ମ ବିଧିରେ ନିରବଧି ନିବଦ୍ଧ ବିଧାତା ମୌନତାଛଳରେ ।

ସ୍ୱଭାବ-କୁଟିଳା ବାଣୀକି ବନ୍ଦିନୀ କରିଥାଇ କଉଶଳରେ ।

ଜାଣିବ । କାହୁଁ ବା ବେଦଜଡ଼ ସେତ

ବନ୍ଦିନୀ ତାର ଯାଇ ନଳ-ଗଳାରେ ହେବାରେ ଆଲିଙ୍ଗନେ ମତ୍ତ । ୨୮ ।

 

 

ଶିରୀତ ନିରତେ ଆଲିଙ୍ଗିଛି ତାଙ୍କୁ ସେ ହେଲା ମହାସତୀ ।

ଏମନ୍ତ ମତିକି ଆଣିବୁ ଅବା ତୁ ତେଣୁ ଶୁଣ ସେ ଶିରୀପତି ।

ସକଳ-। ଲୋକ-ଦେହରେ ପରାଥାଏ ।

ଏଣୁ ଅନଜନାଲିଙ୍ଗନ ଦୂଷଣ ପତ୍ନିର ପତି ଅଙ୍ଗେ ସହେ । ୨୯ ।

 

ନଳବଦନ-ସୁଷମା-ସଙ୍ଗେ ସମ-କରିବି ବୋଲି ପୂର୍ଣ୍ଣ ଶଶୀ ।

ନିର୍ମାଣିଛି ବିଧାତାର ଯେଉଁକର ଧିକ ତାହାକୁ ରାଶି ରାଶି

ସୁନ୍ଦରୀ । ସେ ମୁଖେ ଚାହିଁ ଯେଉଁ ପାଣି ।

ଅଧେ ନିର୍ମାଣି ନୋହିଲା ବୋଲି ଦେଲା ଶିବ ଶିରେ ଫିଙ୍ଗି ସେ ଜ୍ଞାନୀ । ୩୦ ।

 

ନଳ-ମୁଖ-ପାଖେ ପରୀକ୍ଷାରେ ରେଖେ ସମାନ ନ ହେବାର ଶୁଣି ।

ଆମ୍ଭର ବଦନୁଁ ମନ୍ଦାକ୍ଷେ ନକ୍ଷତ୍ର-ଈଶ ଉପାୟ ଗୁଣି ଗୁଣି ।

ନ ପାରି । କିଛି ଥୟ କରି ଶେଷକୁ ।

କେବେ ସିନ୍ଧୁରେ ଝାସେ ବା ମେଘେ ପଶେ କେବେ ଆଶ୍ରେ ସୁର ପାଶକୁ । ୩୧ ।

 

ଆମ୍ଭେତ ତାଙ୍କ ବାହନ ପରିଜନ ଅର୍ବଜୟୀ ନଳ ମୁଖର ।

ବର୍ଣ୍ଣନ ଆଦେଶ ଆମ୍ଭଙ୍କୁ ବର୍ଣ୍ଣନେ ଯାଉ ହୋଇ ଆମ୍ଭେ ମୁଖର ।

ତା ଶୁଣି । ଯାଏ ନାଭିପଦ୍ମ ସଙ୍କୋଚି ।

ଲୁଚୁଁ ତହିଁ ଧାତା ରସନ୍ତି ଶ୍ରୀହରି ଶୀରୀ ସହିତେ ଲାଜ ମୁଞ୍ଚି । ୩୨ ।

 

 

ଚତୁର୍ଦ୍ଦଶ ଅଷ୍ଟାଦଶ ବେନିବିଦ୍ୟା ଅଛନ୍ତି ଏ ନୃପ ବଦନେ ।

ତାଙ୍କ ଗଣା ବ୍ୟାଜେ ବିହି ଥୋଇଛିକି ତହିଁରେ ଦ୍ୱାତ୍ରିଂଶ ଦଶନେ ।

ସେ ନୃପେ । ବେନି ଶ୍ରୀ ବେନି କ୍ଷମା ଦେଖି ।

ଆଗ ଯୁଗ ଯୋଗୁ ମାର ବଜ୍ରଧର ଶେଷେ ସିଦ୍ଧାର୍ଥ ଶେଷ ଦୁଃଖୀ । ୩୩ ।

 

ସେ ରାଜ-ପାଳିତ ବାଜି-ସମାଜକୁ ଚାହିଁ ଉପୁଜେ ତର୍କ ଚିତ୍ତ ।

ପକ୍ଷ-ବିହୀନ ପନ୍ଧୀରାଜ ଅବା ସେ କିବା ମୁର୍ତ୍ତିମନ୍ତ ମରୁତ ।

ଅଥବା । ଅତିକାୟ ମନ ସେମାନେ ।

କେଉଁ ଦିଗକୁ ଶେଷ କରି ନାହାନ୍ତି ସେ ଅତିତୁରିତ ଗମନେ ।୩୪।

 

ଅରାତି-ଶୋଣିତ-ସରିତେ ସମର ଭୂମି ଭୁଷି ହେଉ ନିରତ ।

ସେ ମହାରଥ ନରନାଥ-ପ୍ରଚଣ୍ତ-କୋଦଣ୍ଡମଣ୍ଡଳୁ ନିର୍ଗତ ।

ମାର୍ଗଣ- । ଫଣୀଗଣଙ୍କର ଅଶନ ।

ପାଇଁକି ବିଶେଷ ଥାଏ ରହି ଅରି ନୃପଙ୍କ ଜୀବିତ ପବନ । ୩୫ ।

 

ତାଙ୍କ ଭୁଜଦଣ୍ଡ ସମର-କଣ୍ଡୁତି ଥାଏ ଆଦରି ଅବିରତ ।

ସେ ଭୁଜେ ଅର୍ଜିତ ଯଶ କିପାଁ ହେବ ନିଜ-ହେତୁ-ଗୁଣେ ରହିତ ।

ସୁନ୍ଦରୀ । ତେଣୁ ସେ ନୁହଁଇ ସମ୍ଭାଳି ।

ଦିଶ-ସରିତ-ସମୁହଙ୍କର ତୀର ଦିଅଇ ଭସାଇ ଉଛୁଳି । ୩୬ ।

 

 

ଯେବେ ଭୁବନ ତ୍ରୟର ସର୍ବଜନ ଅମର-ବିଭୂତି ଲଭିବେ ।

ଏକମନ ହୋଇ ସେ ନୃପ ସୁଗୁଣ-ଗଣ-ଗଣନରେ ରସିବେ ।

ସୁନ୍ଦରୀ । ଯେବେ ବା ପରାର୍ଦ୍ଧକୁ ବଳି ।

ସଂଖ୍ୟାଧିକ ରହି ତେବେ ଅବା ଯାଇ ସେ ସର୍ବ ଗୁଣ ହେବ କଳି ।୩୭।

 

ବିହଙ୍ଗମେ ତ ନଭଚାରୀ ନିଷେଧ ନାହିଁ ତାହାଙ୍କୁ କେଉଁ ସ୍ଥାନ ।

ତେଣୁ ଆମ୍ଭେମାନେ ଅନାୟାସେ ପରବେଶି ଥାଉ ରାଜ-ଭବନ ।

ସୁନ୍ଦରୀ । ସେ ପୁରୀ-ପରମାଣୁ-ଦରୀ ।

ମାନଙ୍କୁ ରମ୍ୟ ଗମନର ବିଶେଷ-ବିଧି ଶିଖାଉଁ ଯତ୍ନ କରି । ୩୮ ।

 

ଉର୍ବଶୀ ଆଦି ଅପ୍ସରାଙ୍କ ସୌଭାଗ୍ୟ ସୁରତ-କ୍ରୀଡ଼ା-କଥାମାନ ।

ସରସ ପଣେ ଯା ତୁଲେ ସୁଧା ଧାରା ହାରଇ ନ ହୋଇ ସମାନ ।

ଯେ ପୁଣି । ସୁକବି କାବ୍ୟେ ପ୍ରଶଂସିତ ।

କରି ସେ କଥା ଆରମ୍ଭ ରସ ଅମ୍ଭୋଧିରେ ମଜ୍ଜାଉ ତାଙ୍କ ଚିତ୍ତ । ୩୯ ।

 

ମଦନ-ରାଜନ-ନବାନୁ-ଶାସନ-ଧନେ କେ ନ ରାଜନ ତହିଁ ।

ଅସୀମ-ବିଶ୍ୱାସ-ବଶେ ଆମ୍ଭପାଶେ ଗଚ୍ଛିତ କରି ନ ରଖଇ ।

ଆମ୍ଭେତ । ପକ୍ଷୀ ନ କରୁଁ ଲାଜ କା’ରେ ।

ଏ କାରଣ ବଶୁଁ କେ କେବେ ହେଲେହେଁ ଲାଜ ନ କରେ ଆମ୍ଭଠାରେ । ୪୦ ।

 

 

ହେଲେହେଁ ଅତି ଅସତୀ ଯାହାକୁ ମୁଁ ସଂଯୋଗୀ ରୂନ୍ଧିବି ହୃଦରେ ।

ସେ ବାରତା ଆନଜନ ପାଶେ ଯିବା କଥା ନ ଥାଇ ଆଉଥରେ ।

ଧାତାର । ଅନେକ-ବଦନେ ଭାଷିତ ।

ଯୋଗଶାସ୍ତ୍ର ଶୁଣି ଶୁଣି କର୍ଣ୍ଣ ବେନି ଯେଣୁ ମୋ ନିରତ ପୁରିତ । ୪୧।

 

ନଳଭୂପାଳ ଆଶ୍ରୟେ ସ୍ୱର୍ଗ ସୁଖ ଭୁଞ୍ଜିବେ ଇତର ଯୋଷିତ ।

ବରାରୋହା ତୁ ଏକାକୀ ହୋଇ ରହିଥିବୁ ଏହା ଦହେ ମୋ ଚିତ୍ତ ।

ସୁନ୍ଦରୀ । ହେଉଛି ଏ କଥା ତେମନ୍ତ ।

ଇନ୍ଦୁ-କରେ ହେଲା ବେଳେ କୁମୁଦିନୀ ସୁଖୀ ଦୁଃଖୀ ପଦ୍ମ ଯେମନ୍ତ । ୪୨ ।

 

ଆମ୍ଭ ରଚିତ ଯେତେ ଚାଟୁ ବଚନ ସେ ଖାଲି ତୋଷୁଛି ତୋ ଶ୍ରୁତି ।

ତା ଭାବ ବୁଝି ନ ପାରିବୁ ନୋହିଲେ ନଳ-ତୁଲେ ମେଳ ସୁଦିତି ।

ରସାଳ । ନୁହେଁ କି ଚୁତ ସବୁଦିନେ ।

ହୋଇଲେ ବସନ୍ତ ସିନା ମଧୁବ୍ରତ-ବ୍ରାତେ ଶୋଭେ ସେ ଘେନ ମନେ । ୪୩ ।

 

ଆଉ କାର ନୋହି ଏକା ତାର ତୁହି ହେବୁ ବୋଲି କେବା କହିବ ।

ବିଧାତା ହୃଦରେ ପଶି ମଦାଳସି କେ ତା ଚିତ୍ତ କଥା ବୁଝିବ ।

ବିବାହ, ନାହୁଁତ ଆଜଯାଏ କରି ।

ତ୍ରିପୁର-ସାର-ସୁନ୍ଦରୀ-ବାରଶିର-ଶିରୀତ ତୁହି ଅଣୁଦରୀ । ୪୪ ।

 

 

ନିଶା ସହିତେ ଶଶାଙ୍କେ ସଂଯୋଗିଛି ଗିରୀଶେ ଗିରିଜା ସହିତ ।

ଶିରୀ ତୁଲେ ହରିକି ଛନ୍ଦି ଦେଇଛି ଏଣୁ ବିଧାତାର ଇ ହିତ ।

ହେଉଛି । ବାରି କେବଳ ମାତ୍ର ବାରି ।

ଯୋଗ୍ୟେ ଯୋଗ୍ୟ ଘଟାଇ ବାରେ ତାହାର ପ୍ରବୃତ୍ତି ସ୍ୱତଃସିଦ୍ଧ ବୋଲି । ୪୫ ।

 

ଉଛୁଳିତ-ନାରୀ-ସୁଗଣ-ସାଗର-ପ୍ରବାହିକା ପ୍ରାୟ ତୁ ଧୀରା ।

ନଳ ଭିନ୍ନ ଆନ-ଜନେ ତୋ ମିଳନ ହେଲେ ବୁଡ଼ିବ ନିଶ୍ଚେ ଧରା ।

ଗୁନ୍ଥିବା । ପାଇଁ କୋମଳ ମଲ୍ଲିମାଳ ।

କରକଶ କୁଶ ଘାସେ ବଳା ରଜ୍ଜୁ ଖୋଜୁଥାଇଁ କେଉଁ ପାଗଳ । ୪୬ ।

 

ଦିନେ ଯାନେ ନିଯୋଜିତ ହୋଇ ମୁହିଁ ବହନ କରିବା କାଳରେ ।

ଚତୁରାନନଙ୍କୁ ପୁଚ୍ଛିଲି ଏସନ ରସିବ କେ ନଳ କୋଳରେ ।

ସେକାଳେ । ଚକ୍ରଙ୍କ ଘର୍ଘରସ୍ୱନିତେ ।

ତାଙ୍କ ଗିରେ ତୋର ନାମ କର୍ଣ୍ଣେ ମୋର ବାଜିଲା ପ୍ରାୟ ହେଲା ପ୍ରତେ । ୪୭ ।

 

ଆନେ ମିଳନ ହେଲେ ତୁ ତହୁଁ ଜନ୍ମହେବ ଯେଉଁ ଅପକୀରତି ।

ବିହିର ଦେହକଯାକ-ବିଜ୍ଞପଣ ତେତେକେ ଯିବ ହୋଇ ପୋତି ।

ସୁନ୍ଦରୀ । ଜନାପବାଦ ନିରନିଧି ।

ତରିବାକୁ ତରୀ-ସୃଜନେ ତାହାକୁ ସାଧିଲେ ନ ଦିଶିବ ବୁଦ୍ଧି । ୪୮ ।

 

 

ଏ ଅପ୍ରାସଙ୍ଗିକ ପ୍ରସଙ୍ଗର ବରଅଙ୍ଗି ଏତେକେ ହେଉ ଇତି ।

କେତେ ବିଷୟକୁ ଏତେ ଶ୍ରମ ତୋତେ ଦେଲି ବୋଲି ମୁଁ ଖିନ୍ନମତି ।

ହେଉଛି । ଦୋଷତ ସାରିଲିଣି କରି ।

ଏବେ କହ କେଉଁ ବାଞ୍ଛା ତୋ ସମ୍ପାଦି ସେ ଅପରାଧୁଁ ହେବି ପାରି’’ । ୪୯ ।

 

ବସୁମତୀପତି-ସନ୍ତତି-ମତିକି କଳିବାପାଇଁ ସେ ପତତ୍ରୀ ।

ଏମନ୍ତ ବଚନ-ଚାତୁରୀ ରଚନ କରି ଭଜିଲା ମୁନିଭୂତି ।

ସୁଜନେ । ଗଭୀର ସରସୀ ମାନସ ।

ଏ ବେନିଙ୍କି ବାରି ନ ପାରିଲା ଯାଏ ଏଥି ନ ରସନ୍ତି ବିଦୂଷ । ୫୦ ।

 

ଏକାଳେ କଳଙ୍କୀ-କଳାନିଧି ଶୋଭା-ସମ୍ଭାର-ଦମ୍ଭଦଳା ମୁଖେ ।

ଅବନୀ-ବନିତା-ଜୀବେଶର ସୁତା ସୁକୁମାରୀ ରଖି ତୀର୍ଯକେ ।

କିଞ୍ଚିତ । ମାତ୍ର ଚିତ୍ତେ କରି ବିଚାର ।

ମରାଳକୁ ଚାହିଁ ମଞ୍ଜୁଳ କୋମଳ ଗିରେ ଦେଲା ପ୍ରତି ଉତ୍ତର । ୫୧ ।

 

‘‘ବାଳକ-ସୁଲଭ ଚପଳତାକୁ ମୋ ସହସ୍ରବାର ହେଉ ଧିକ ।

ଏହା ଯୋଗୁଁ ସିନା ହୋଇ ମୁଁ ଉନ୍ମନା ଆଗ୍ରହେ ଅଧିକୁଁ ଅଧିକ ।

ସମୀର- । ଚାଳିତ ତରଙ୍ଗ ପରାଏ ।

ତଟସ୍ଥ ତୁମ୍ଭଙ୍କୁ ଦେଇ ଉଦ୍‌ବେଗକୁ ଅଇଲି ଧାଇଁ ଏତେଯାଏ । ୫୨ ।

 

 

ସାଧୁ ସଜ୍ଜନଙ୍କ ଆଦର୍ଶ ହୋଇଛ ଆପଣା ସ୍ୱଚ୍ଛତା ପଣରେ ।

ନୋହିଲେ କେହି ଏ ଅପରାଧିନୀର ଦୋଷକୁ ନ ଘେନି ମନରେ ।

କରୁଛ । ପ୍ରଶଂସା ଯା ତା ପୁରତରେ ।

ଏଣୁ ଏ ମୋର ଅପରାଧ ତୁମ୍ଭର ସ୍ୱଚ୍ଛ ଆତ୍ମାରେ ପ୍ରତିଫଳେ । ୫୩ ।

 

ଏକେତ ନାରୀ ମୁହିଁ ତହିଁ କୁମାରୀ ମୋର ଅସାଧୁ ଆଚରଣ ।

କ୍ଷମ ନଭଚରବର ହେ ମରାଳ ତୁମ୍ଭେତ ସାଧୁଙ୍କ ଭୂଷଣ ।

ଦେବାଂଶ । ବଶୁଁ ତ ଅଟ ପୂଜନୀୟ ।

କେକୀପୂଚ୍ଛଧାରୀ-ଶ୍ରୀବତ୍ସ ଚିହ୍ନିତ-ଶ୍ରୀହରି-ମତ୍ସ୍ୟମୂର୍ତ୍ତି ପ୍ରାୟ । ୫୪ ।

 

ଅଧିକ ଆଉ କି ମୋର ତୃପତିକି ସାଧିବ ହେ ବର-ମରାଳ ।

ଯେ ତୁମ୍ଭ ଲୋକନ ଜନ୍ୟ ମୋ ଲୋଚନ ଆନନ୍ଦୁ ହୋଇବ ପ୍ରବଳ ।

ଚନ୍ଦ୍ରମା । ଆପଣା-କିରଣ-ପୀୟୁଷେ ।

ଲୋକ-ଲୋଚନକୁ ତୋଷିଲା ଉତ୍ତାରୁ ଆଉ ବେଶି କିସ ଦେବ ସେ । ୫୫ ।

 

ମାନସ ଯାହାକୁ ନିମିଷେ ନ ତେଜେ ସେ ମନୋରଥ କେହି ମୋର ।

କଣ୍ଠସରଣୀ କି ଭରସ ଆସିବ, “କରିବି ତା କାହୁଁ ପ୍ରଚାର ।

ଅବଳା । ନାମ ବହି କେଉଁ ଯୁବତୀ ।

ଦ୍ୱିଜ-ରାଜକର-ଗ୍ରହଣ ବାଞ୍ଛିବ ଚିତ୍ତୁଁ ଲଜ୍ଜାଲତା ନିପାତି’’ । ୫୬ ।

 

 

ସ୍ୱାଦରେ ଦ୍ରାକ୍ଷାକୁ ଲକ୍ଷ୍ୟ ବକ୍ଷ-ମାଣବାକ୍ୟ ଶୁଣି ବରାରୋହାର ।

ରସାଳ-ଚଖାମୁଖୁଁ ଖସା ଘୋଷରେ ବସନ୍ତଦୂତର ମରାଳ ।

ନକଲା । ତିଳେ ମାତ୍ର ଆଉ ଆଦର ।

ବୀଣା-କ୍ୱଣିତକୁ ଘୃଣାରେ ଚିନ୍ତିଲା ଅଯୋଗ୍ୟ ବୋଲି ଗଣନାର । ୫୭ ।

 

ମନ୍ଦାକ୍ଷବଶୁଁ ମନ୍ଦାକ୍ଷର ସଂକ୍ଷେପ ଗିରେ ସେ ବରବରନାର ।

ଲକ୍ଷି ନପାରି ବିଶଦାର୍ଥ ସଂଶୟ ରଖି ଚତୁର ପକ୍ଷୀବର ।

ମାନସ । ପରକ୍ଷିବା ପାଇଁ ଯେମାର ।

ନିଜବଦନ ସରସିଜେ ସଂଯୋଗ କଲା ଏମନ୍ତ ପୁଣି ଗର । ୫୮ ।

 

ଭାଷଇ ମରାଳ; ‘‘ଆଗୋ ମହୀପାଳ-ଦୁଲାଳି କରେ କଳାକର ।

ଧାରଣ ଆଦି ଯା ବଚନ ରଚନ କଲୁ ଶ୍ରୁତିପୁଟେ ତାହାର ।

ସଦର୍ଥ । ଗ୍ରହଣେ ଅଯୋଗ୍ୟ କି ମୁହିଁ ।

ବେଦ ବଚନ ଶ୍ରବଣରେ ଯେସନ ଶୁଦ୍ରଜନ ଯୋଗ୍ୟ ନୁହଁଇ । ୫୯ ।

 

ଯାହା ମୋ ବିଚାର ପଥେ ନିରନ୍ତର ରହିଛି ସେ ତୋ ମନୋରଥ ।

ଏତେ ଲୁଚାଉଛୁ କି ପାଇଁ ସୁଶୀଳା ଲଭିବୁ କେଉଁ ପୁରୁଷାର୍ଥ ।

ଭାବିବୁ । ଅବା ମୁଁ ଜାଣିଲି ତା କେହି ।

ଘେନ ଯେ ମନେ ଅଗମ୍ୟ ସେ ବ୍ରହ୍ମକୁ ଜନ ଧ୍ୟାନରେ ଥାଏ ପାଇ । ୬୦ ।

 

 

ରେ ଅସ୍ତନାସ୍ତି ସଂଶୟ ସମାଶ୍ରୟ ଉଦରି ଗୋରି ଚାରୁଶଳେ ।

ଲୋକେଶ-ଲୋକନିବାସୀ ଳୋକଯାକ ରୁତ-ଭାଷଣେ ମୋର ତୁଲେ ।

ନୁହଁନ୍ତି । ସମ ଏ କଥା ମନେ ଘେନ ।

ପକ୍ଷୀ ହେଲେ କିସ ହେବ ସ୍ୱଭାବତ ବିଧାତାର କର-ସୃଜନ । ୬୧ ।

 

ବ୍ରହ୍ମା ବଦନେ ତ ସଦା ଶ୍ରୁତିଥାଏ ଆମ୍ଭେ ଥାଉଁ ସଦା ସେ ଲୋକେ ।

ଆମ୍ଭର ବଦନ-ନିବାସନୀ ବାଣୀ ପ୍ରତିବାସନୀ-ଶ୍ରୁତଦକେ ।

କେବେହେଁ । ଭ୍ରମେ ହେଲେ ସେ ଅପଥରେ ।

ନ ଗମଇ ସାଧୁ-ସଙ୍ଗମୁଁ ଏମନ୍ତ ପୁଣ ତା ଗୁଣ ମାନସରେ । ୬୨ ।

 

ସାଗର ଅଙ୍କ ପର୍ଯ୍ୟଙ୍କ ପରି ଯାର ସେ ଲଙ୍କାପୁରୀକି ସୁନ୍ଦରୀ ।

ମନାସୁ ଯେବେ ମାନସେ ତେବେ ତାକୁ ବିଚାର କରଧରାପରି ।

ତାବିନେ । ଆନେ ଯେବେ ଥାଏ ତୋ ମନ ।

ତାକୁ ମଧ୍ୟ ତୋର ଶ୍ରୀକର-କୋରକ-ଉଦରଦରୀଶାୟୀ ଘେନ’’ । ୬୩ ।

 

ଏମନ୍ତ ବିଚିତ୍ରବାଣୀ ପତ୍ରରଥ-ମୁଖୁଁ ଶୁଣି ନୃପଦୁଲଣୀ-।

ମାନସ ଅଧିକରଣେ ଆରମ୍ଭିଲେ ବାଦ ଲାଜ ତୋଷ ସେକ୍ଷଣି ।

ବୋଇଲା । ‘‘ଆନେ ନାହିଁ ମୋ ଅଭିଳାଷ’’ ।

ମନ ନ ଲଙ୍କାମହୀ ମୋର ବାଞ୍ଛଇ କିସ ବା କହିବି ବିଶେଷ’’ । ୬୪ ।

 

 

ଅବଳାଙ୍କର ଶୀତଳା ତ ଶଇଳ-ତୁଳକୁ ନୁହଁଇ ଅଳପ ।

ପୁଣି ତାଙ୍କ ଲଜ୍ଜା-ନଦୀରେ ମଦନ-ନାଗ ମଜ୍ଜି ଥିବା ସ୍ୱରୂପ ।

ଏ ବେନି । କଥାକୁ ବିଚାରି ମାନସେ ।

ଅସ୍ପଷ୍ଟ-ବାଦିନୀ ସେ ବରାରୋହାକୁ ପୁଣି ସେ ହଂସବର ଭାଷେ । ୬୫ ।

 

‘‘ଯେ ବିଚିତ୍ର ଶ୍ଳେଷ ଭାଷିଲୁ ନାରୀଶ ‘ଦ୍ୱିଜରାଜ କର ଗ୍ରହଣ ।

ମନ ନ ଳଙ୍କା ମହୀ ମୋର ବାଞ୍ଛଇ’ ଆଦି ଏଥିରୁ ତୋର ମନ ।

ପାରିଲି । ନାହିଁ କି ବାରି ଶଶୀମୁଖି ।

ଶ୍ଳେଷ ରଚନେ ଚାତୁରୀ ତୋର ଥିଲେ ନୁହେଁ ତ ସୁଧୀରେ ମୁଁ ଦୁଃଖୀ । ୬୬ ।

 

ଯୁବତୀଙ୍କ ମତ ଅତିହିଁ ଚପଳ ତାକୁ ଲାଖି ରଖି କୁସୁମ- ।

ବିଶିଖ ବିଶିଖ ସନ୍ଧି ନ ହୁଅଇ ଯେଣୁ ସର୍ବଦା ସାର୍ଥ-କାମ ।

ମୋହିନି । ତେଣୁ ତୋ ଚିତ୍ତ-ବିପର୍ଯ୍ୟୟ- ।

ଆଶଙ୍କା ହେବାରୁ ଥିଲି ସିନା ନ ବୁଝିଲା ପ୍ରାୟ ତୋ ଅଭିପ୍ରାୟ । ୬୭ ।

 

ମହୀକି ମହେନ୍ଦ୍ର-ବତ ସେ ନରେନ୍ଦ୍ର ମୁଁ ହେବି ତାଙ୍କ ପାଶେ ଦୂତ ।

ତୁ ଯାହା କହିଲୁ ଆରେ ବରାରୋହା ତାହା ତ ଅର୍ଥ-ଯୁଗେ ଯୁତ ।

ସଂଶୟ-। ଯୁତ ଏ ବିଷୟ କେମନ୍ତେ ।

କହିବି ଇତର ବତ ଯାଇ ମୁହିଁ ତାଙ୍କ-ପରା ନୃପ ପୁରତେ । ୬୮ ।

 

 

ନୋହୁତ ଏବେ ତୁ ସ୍ୱାଧୀନା ଅଧୀନେ ରହିଛୁ ଜନକର ବାଳା ।

ତାଙ୍କ ଆଦେଶେ ଅବା ନିଜ ମାନସେ ଆନେ ଲମ୍ବାଉ ଯେବେ ମାଳା ।

ତୋପାଇଁ । ନୃପେ ପ୍ରାର୍ଥୀ ହୋଇ ଥିବେତ ।

ପଡ଼ିଲେ ଏ ରୀତି ଶ୍ରୁତି-ପୁଟେ ମୋରେ କିବା ନୋହିବ ତାଙ୍କ ଚିତ୍ତ । ୬୯ ।

 

ଆଶଙ୍କା-ବଶରୁ ନିର୍ମଳେ ନ କହି ଶ୍ଳେଷ କହିଲୁ ଯାହା ଧନୀ ।

ତେମନ୍ତ ସଂଶୟ-କାର୍ଯ୍ୟେ ବ୍ୟବସାୟ କରିବି କା ବଳେ ମୁଁ ପୁଣି ।

କହୁଛି । ତେଣୁରେ କନକ-ବରନି ।

ଏହା ତେଜି କହ ଆନ ଇଚ୍ଛା ଥିଲେ ତାହା ସାଧିବି ଏହିକ୍ଷଣି’’ । ୭୦ ।

 

ଏମନ୍ତେ ସେ ହଂସ-ସମ୍ଭାଷ ଶ୍ରବଣେ କରୁ ପ୍ରବେଶ କୃଶୋଦରୀ ।

ଅତି ଅନିଚ୍ଛାରେ ମସ୍ତକ କିଞ୍ଚିତ କମ୍ପାଇ ସ୍ଥିର ନୋହିପାରି ।

ମନ୍ଦାକ୍ଷେ । ଦର ଆଦର ବେନି ତେଜି ।

ମରାଳକୁ ଚାହିଁ ମୃଦୁଳ ବଚନ ବିରଚନେ କଲା ମରଜି । ୭୧ ।

 

‘‘ମୋତେ ଆନେ ଦେବା କଳ୍ପନା ଯଦି ବା ବେଦବତ ମନେ ଘେନୁଛ ।

ତେବେ ସେ ବେଦର ପ୍ରଥମ ଅକ୍ଷର ଓଁକାରେ କା’ରେ କଳ୍ପିଅଛ ।

ମରାଳ । ମୋ ମତରେ ବିଭାବରିର ।

ନିଶାପତି ଭିନ୍ନ ଆନକୁ ବରଣ ହେଉ ତାର ଆଦ୍ୟ ଓଁକାର । ୭୨ ।

 

 

ସବିତା-ବିନା ଆନରେ ସରୋଜିନୀ ପ୍ରକାଶେ ଅନୁରାଗ ବୋଲି ।

ଶଙ୍କାତ କାହି ନିମିଷେ ହେଲେ ଲେଶେ ତୁମ୍ଭ ବଦନୁନ ଶୁଣିଲି ।

ମରାଳ । ଏକାବରଣ ଆନେ ମୋର ।

ଆଶଙ୍କା କରି-ପକାଉଛ ରଭସେ ସାହସ ଧନ୍ୟ ହେ ତୁମ୍ଭର । ୭୩ ।

 

ଅନଳ ଜନେ ଯା ମୋହର ମିଳନ ଆଶଙ୍କା କରୁଛ ମରାଳ ।

ନଳ ବିନା ଆନ ଜନେ ହେଲେ ମେଳ କରିବି କୋଳ ମୁଁ ଅନଳ ।

ତ୍ରିବାର । ସତ୍ୟ ଏ କଥା ମୋର ଘେନ ।

ନ କରିବି ନୃପ-ଛାମୁରେ ଅସତ୍ୟବାଦୀ ତୁମ୍ଭଙ୍କୁ କଦାଚନ । ୭୪ ।

 

ନଳ ବିନା ଆନଜନେ ମୋ ବରଣ ଆଶଙ୍କା କର ଯେ ବୁଦ୍ଧିରେ ।

କିସ ପ୍ରୟୋଜନେ ମୁଁ ଏହା କରିବି ସେ ନ କହେ କି ତା ତୁମ୍ଭରେ ।

ମରାଳ । ବ୍ୟଭିଚାର-ଶଙ୍କା ଯହିଁରେ ।

ନାହିଁ ସେ ଗିର ଯେବେ ବେଦ ନୁହଁଇ ଆଉ ବେଦ କାହିଁ ମହୀରେ । ୭୫ ।

 

ନଳେ ନ ଦେଇ ଯେବେ ଆନେ ଜନକ କରନ୍ତି ମୋରେ ସମ୍ପ୍ରଦାନ ।

ତେବେ ସେ ଦହନେ ଦାନ କି ନ ଦେବେ ମୋ ଜୀବହୀନ ଅପଘନ ।

ହଂସ ହେ । ସେ ସିନା ଦେଇଛନ୍ତି ଦେହ ।

ଦେହେ ତାଙ୍କ ଅଧିକାର, ମନ ମୋର, ତାହାର ନଳ ନୃପେ ସ୍ନେହ । ୭୬ ।

 

 

ନଳ-ମହୀପାଳ-ଚରଣ-ତଳର ସେବିକା-ପଣେ ସେବିବାର-।

ଠାରୁ କି ଅଧିକ ସୁଖ ମୋର ଆଉ ସମ୍ପାଦିବ ଆହେ ମରାଳ ।

ବିଚାର । ଶର୍ଶା ନୁହେଁ କି ସୁଧାକର ।

ଏହା ବୋଲି କେହି ତେଜି ଦିନସାଈଁ ତାକୁ ଆଦରଇ କମଳ । ୭୭ ।

 

ମନ ତ ମୋର ତାଙ୍କ ବିନା ଆନର ଆଶାୟୀ ନୁହେଁ କଦାଚନ ।

ଚିନ୍ତାରତନ ତାଙ୍କ ତୁଲେ ବିଚାରେ ମୋର ପାଷାଣୁଁ ନୁହେଁ ଭିନ୍ନ ।

ହଂସ ହେ । ଲୋକ ତ୍ରୟର ସାରନିଧି ।

ପଦ୍ମମୁଖ ସେ ଅଟନ୍ତି ସର୍ବଦା ମୋ ଏଥି ନାହିଁଟି ଆନ ବୁଦ୍ଧି । ୭୮ ।

 

ଶୁଣିଛି ସେ କ୍ଷିତିପତି-ଯଶକୀର୍ତ୍ତି ଏକଚିତ୍ତେ ତାଙ୍କୁ ଧ୍ୟାୟିଛି ।

ଭ୍ରାନ୍ତିରେ ହରିତ-ତତିରେ ମୂର୍ତ୍ତିକି ନିତି ତାଙ୍କ ଲକ୍ଷ କରୁଛି ।

ହଂସ ହେ । ଲଭିବି ବା ତାଙ୍କୁ ମରିବି ।

ଏ ବେନି କଥାତ ତୁମ୍ଭ ହସ୍ତେ ଅଛି କେତେ ବା ବୁଝାଇ କହିବି । ୭୯ ।

 

ଆଶ୍ରିତଜନ-ପାଳନ-ଜନ୍ୟ-ପୁଣ୍ୟ-ତୁଲେ ମୋତେ ପ୍ରାଣ-ପ୍ରଦାନ ।

-ସୁକୃତ ତୁମ୍ଭର ଦିଶୁ ସମୁଜ୍ଜ୍ୱଳ ମରାଳ ଘେନ ମୋ ବଚନ ।

ନ ରଖ । ଏ ବୃଥା-ଆଶଙ୍କାକୁ ଚିତ୍ତ ।

ମଙ୍ଗଳକାର୍ଯ୍ୟ ଆରମ୍ଭେ ବୁଝ ଆର୍ଯ୍ୟ ଅଶୁଭ ଶଙ୍କ୍ୟ ଅନୁଚିତ । ୮୦ ।

 

 

ଆହେ ସୁଧୀର ହଂସ କରି ବିନାଶ ମୋର ପ୍ରାର୍ଥନା କିସ ଲାଭ ।

ବିଧିସିଦ୍ଧ ବିଷୟରେ ବାଦସାଧି କିବା ପୁରୁଷାର୍ଥ ହୋଇବ ।

ପ୍ରାର୍ଥନା-। ପୁରଣ-ଜାତ-ଯଶ-ପ୍ରାପ୍ତି ।

ଯହିଁ ଦୁଷ୍ଟଙ୍କ ମଧ୍ୟ ଓଷ୍ଠ ନ ଫିଟେ ତେଜି ତା କହ କିସ କ୍ଷ୍ୟାତି । ୮୧ ।

 

ମୋ ଜୀବନ ମୋତେ ପ୍ରଦାନେ ଏମନ୍ତେ କାର୍ପଣ୍ୟ କରୁଛ ମରାଳ ।

ଆନପାଇଁ ନିଜ-ଜୀବନ-ଦାତାଙ୍କ ଠାରୁ କି ଲଜ୍ଜା ବରଜିଲ ।

ଏସନ । ଅନ୍ୟାୟ ଯେବେ ଆଚରିବ ।

କୀର୍ତ୍ତିଧାରା-ଧୌତ-ବିଦୀପ୍ତ ଧର୍ମତ କରୁ ତୁମ୍ଭର ଖସି ଯିବ । ୮୨ ।

 

ଦେଲେ ମୋତେ ଜୀବ ଦେଇ ମୁହିଁ ଜୀବ ସୁଝିବି ତୁମ୍ଭ ଉପକାର ।

ଜୀବୁଁ ଅଧିକ ଯା ତା ଦେଲେ ଆଉ ତ ନ ଥିବ ପଥ ସୁଝିବାର ।

ହଂସ ହେ । ତେସନ ଦାନ ଦେଇ ମୋରେ ।

ମଜ୍ଜାଥ ଶୋଧପଥ ରୋଧି ଅସୀମ-ଦାରିଦ୍ର୍ୟ-ସମୁଦ୍ର ଉଦରେ । ୮୩ ।

 

କରତ୍ରୟ ମୋ ଜୀବନ-ପଣ୍ୟଦ୍ରବ୍ୟ ନାହିଁ ନ କର ଖଗବର ।

ନୋହୁ ପଛେ ଏଥି ଉପକାର ତୁମ୍ଭ ହୋଇବ ତ ପୁଣ୍ୟ ଅତୁଳ ।

ପାରିବି । ଜୀବେଶଦାତାକୁ କି ଦେଇ ।

ତଥାପି ଯଶ ତୁମ୍ଭର ଘୋଷୂଥିବି ଜୀବନ ଥିବାଯାଏ ରହି । ୮୪ ।

 

 

କିଞ୍ଚିତ-ମାତ୍ର ଉପକାରେ ଆୟତ୍ତ-ହେବାର କୃତଜ୍ଞ-ଜନଙ୍କୁ ।

ଧନମଦେ ଭୋଳ ଧନୀଏ ମରାଳ ନ ଆଣନ୍ତି ସିନା ମନକୁ ।

ଦେଖାନ୍ତି । କାର୍ଯ୍ୟମୁଖେ ଯେ ନିଜଗୁଣ ।

ତେମନ୍ତ ସାଧୁଏ ଏମନ୍ତ କୃତଜ୍ଞ-ଜନେ କିଣନ୍ତି ଦେଇ ପ୍ରାଣ । ୮୫ ।

 

ଅଷ୍ଟଦିଗପାଳ ଅଂଶ ତ ଭୂପାଳ ତହିଁ ମୋ ଏକନିଷ୍ଠା ଯୋଗେ ।

ସେମାନେ ଭାଗ୍ୟକୁ ପ୍ରସନ୍ନ ହୋଇଲେ ନୋହିଲେ କାହୁଁ ମହୀଭାଗେ ।

ହଂସ ହେ । ତୁମ୍ଭଭଳି ସ୍ୱର୍ଗ-ନିବାସୀ ।

ଦିଅନ୍ତା ଭରସା ଦେଖାଦେଇ ପ୍ରିୟ-ପ୍ରାପ୍ତିରେ ମୋତେ ଆପେ ଆସି । ୮୬ ।

 

କାରଣ ବିହୀନେ ଆତ୍ମଭୂସର୍ଜ୍ଜିତ ବି-ରଣର ମୂଳ ହୋଇଛ ।

ମୋ ଭାଗ୍ୟ ଏବେ ନଳଦ୍‌ହେବାର କଥାକୁ କି ତୁମ୍ଭ ହେବ ମିଛ ।

ମରାଳ । ଅବଳା ମୁହିଁତ ଯୁଗତେ ।

ହେଉ ଏ ପ୍ରତପ୍ତ ହୃଦେ ତୁମ୍ଭ ଦାନ ଚନ୍ଦନ-ଲେପନ ତୁରିତେ । ୮୭ ।

 

ନ କର ହେଳା ମରାଳ ଆଉ ଚାହୁଁ ଚାହୁଁ ବେଳ ବଳି ଯାଉଛି ।

ବିଳମ୍ବ-ସହ-ବିଷୟ ଆରମ୍ଭରେ ବିଚାରିବାର ସିନା ଗଛି !

ପ୍ରତିଭା । ଗୁରୁ-ଉପଦେଶେ ଅପେକ୍ଷା ।

ନ ରଖିଲା ତୁଳ ରୋଗାତୁର କାଳ-ବିଳମ୍ବେ କରଇ ଉପେକ୍ଷା । ୮୮ ।

 

 

ହଂସ ହେ ଯାଉତ ଅଛ ହୋଇ ଦୂତ ମୋର ନିଷଧ-ଈଶ ପାଶେ ।

ଅନ୍ତଃପୁରେ ଯେବେ ଭେଟିବ ରଟିବ ନାହିଁଟି ମୋ ସନ୍ଦେଶ ଲେଶେ ।

ପ୍ରେୟସୀ-। ଜନରେ ଦାକ୍ଷିଣ୍ୟ ବଶରୁ ।

ଫିଟିବ ନାହିଁଟି ନିଷେଧ-ଇତର ବଚନ ନୃପବଦନରୁ । ୮୯ ।

 

ଯେବେ ଅବା ଅନ୍ତଃପୁର-ଭୋଗେ ତୃପ୍ତ ପୃଥିବୀ ପତି ହୋଇଥିବେ ।

ତେବେ ଜଣାଇ ନ ଦେବଟି ଛାମୁରେ ତାଙ୍କର ମୋର କଥା ଲବେ ।

ମରାଳ । ଶୋଷିକି ସିନା ତୋଷେ ନୀର ।

ସ୍ୱାଦୁ ସୁଶୀତଳ ସୁଗନ୍ଧ ହେଲେହେଁ ସେ ଜଳେ କିସ ଅଶୋଷିର । ୯୦ ।

 

ହୋଇଥାନ୍ତି କ୍ରୁଦ୍ଧ ଯେବେ ବା ନିଷଧ-ଅଧିପ ତେବେହେଁ ମରାଳ ।

ତାଙ୍କ ଶ୍ରୀ ଛାମୁରେ ଏ ମୋ ନିବେଦନ ସନ୍ଦେଶ ନ ଭାଷିବ ତିଳ ।

ଜାଣତ । ପିତ୍ତୋତ୍ତର-ନର-ଜିହ୍ୱାରେ ।

ଥିଲେହେଁ ସାକର ତାକୁ ସେ ମଧୁର ନ ଲାଗଇ ତିକ୍ତ ବାହାରେ । ୯୧ ।

 

କାର୍ଯ୍ୟାନ୍ତରେ ଚିତ୍ତ ତାଙ୍କର ନିରତ ଥିବାର ଯେବେ ବିଚାରିବ ।

ତେତେବେଳେ ହେ ସୁଧୀର କଥା ମୋର କେବେ ଲବେ ନ ଉଚ୍ଚାରିବ ।

ଯେଣୁ ସେ । ଅନ୍ୟ-ମନସ୍କତା ବଶରେ ।

ଶୁଣି ନ ଶୁଣିଲା ପରାୟ ହୋଇଲେ ଗଣା ହେବ ତା ଅବଜ୍ଞାରେ । ୯୨ ।

 

 

ଏଣୁ ଜଣାଉଛି ହେ ଗୁଣିକ-ବର ଠିକଣା କରି ସୁସମୟ ।

ସେ ମହୀପତି-ଛାମୁରେ ଜଣାମଣା କରିବ ମୋ ଉଦନ୍ତଚୟ ।

କହିବି । କିବା ମୁଁ ତୁମ୍ଭର ବିଚାରେ ।

ମୂଳୁଁ ଅସିଦ୍ଧ ବିଳମ୍ବ-ସିଦ୍ଧକାର୍ଯ-ଯୁଗେ କେ ଅଧିକ ବେଭାରେ । ୯୩ ।

 

ନାରୀଜନ ହୋଇ ଏମନ୍ତ ବଚନ-ରଚନ ଅନୁଚିତ ଅତି ।

ଏ ଭାବ ସିନା ତୁମ୍ଭ ଆମ୍ଭ ମତିକି ଆସିବା ଯୋଗାଏ ଝଟତି ।

ହେଲେହେଁ । କାମ ତା ନିଦ୍ଦୋଷିତା ସାକ୍ଷୀ ।

ସେ ସିନା ତାକୁ ମତାଇ ତା ବଦନେ ଏମାନ ବଳେ ଦେଲା ଯୋଖି । ୯୪ ।

 

ହର-ସ୍ମରତ ପରସ୍ପର ବଇର-ଭାବ ପୂର୍ବୁଛନ୍ତି ଆଦରି ।

ତେଣୁ ଉନ୍ମତ୍ତ-ଦରଶନେ ସେ ବେନି ଘେନନ୍ତି ବଳେ ବୈର ସ୍ମରି ।

କୁସୁମେ । ହର ସ୍ମର ଶର-ଛଳରେ ।

ବିରହ-ବ୍ୟାଧିପୀଡ଼ିତ ନରେ ହର-ସେବୀ-ଯୋଗେ ମାର ରୋଷରେ । ୯୫ ।

 

ଏମନ୍ତ ସେ କ୍ଷିତି-ପତି-ପୁତ୍ରୀ-ମତି ନିଷଧ-ଧରିତ୍ରୀ ପତିରେ ।

ଅତି ଆଶକତ ଭାରତୀ ତତିରୁ ବାରି ନ ଉଚ୍ଚାରି ଧାତିରେ ।

ମୂକତା ।-ପାଶରୁ ମୁକତି ବହନ ।

ବିହିଲା ତା ଟଞ୍ଚୁ-ପୁଟକୁ ତହିଁରେ ବିକଶାଇ ଦେଇ ହସନ । ୯୬ ।

 

 

ପୁଣି ବୋଲେ ହଂସ, ‘‘ଆରେ ନାରୀଈଶ ନଳେ ଆଶକ୍ତ ତୁ ତ ଅତି ।

ତୋତେ ଭାବି ଭାବି ସେ ଭୁବି-ବଲ୍ଲଭେ ନ ଅଣ୍ଟାଇ ତ ଦିବା ରାତି ।

ମଦନ । ଆଗୁଁ ତ ତୁମ୍ଭ ବେନିଜନେ ।

ଯୋଜି ସାରିଲାଣି ଏଣିକି ମୁ ପୁଣି ହେବି ଦୂତ କେଉଁକାରଣେ । ୯୭ ।

 

ତୋ-ଚିନ୍ତାନିରତ ସେ ଧରଣୀଭୃତ-ବିହିରିନ୍ଦ୍ରିୟେ ଉପବାସୀ ।

ହୋଇ ତପ ଯାହା ସାଧୁଥିଲେ ତାହା ସଫଳ ହେଲା ଏବେଆସି ।

ତୋଷିବୁ । ଅମୃତବତ ତାଙ୍କୁ ତୁହି ।

ତେଣୁ ତାହାଙ୍କର ଦେବତ୍ୱ ଏ ମରଶରୀରେ ଯିବ ଲାଭ ହୋଇ । ୯୮ ।

 

ଆରେ ସୁନ୍ଦରି କନ୍ଦର୍ପ ବିଚାରିଲା ଆମ୍ଭେ ଦୁହେଁ ତ ଏକସରି ।

ଈଶାନ ନୟନ-ଅନଳେ ଦହନ ହୋଇ ହେଲି ମୁଁ ହତଶିରୀ ।

ଅନଳ । କଥା ଦୂରେ ଥାଉ ଏ ନଳ-।

ପାଶେ ନ ଭରସେ ତାପ ତ ତେଣୁ କି-ତାପି ତାଙ୍କୁ କରେ ବିକଳ । ୯୯ ।

 

ଭିତ୍ତି-ବିଭୂଷା ତୋର ଚିତ୍ର ସେ ରସାଈଶ ନିର୍ନିମେଷ ନୟନେ ।

ଲୋକନ କରୁ ନିରଝର ନିରତେ ଝରେ ତାଙ୍କ ଦୃଷ୍ଟି-ଅୟନେ ।

ତହିଁରେ । ଯାଏ ବିକସି ରଙ୍ଗବର୍ଣ୍ଣ ।

ସେ କାର୍ଯ୍ୟକୁ ଅଶ୍ରୁ ସମ୍ପାତ ଦ୍ୱିତୀୟ ତୋ ଚିନ୍ତା ପ୍ରଥମ କାରଣ । ୧୦୦ ।

 

 

ପଲକପତନ ପାଶୋରି ରାଜନ ମୋଦରେ ଦେଖନ୍ତେ ତୋ ଛବି ।

ନିରୋଧ ନ ମାନି ଜନମାଇଁ ବାଧା ଲୋତକ ପଡ଼ୁଥାଇ ସ୍ରବି ।

ନୟନ ।-ପ୍ରୀତି ପଲକବିହୀନତା ।

ଦୁହେଁ ବିବାଦ କରନ୍ତି ଅଶ୍ରୁପାଇଁ କହି ଏ ମୋ ଯୋଗୁ ଜନିତା । ୧୦୧ ।

 

ବିହରିଲେହେଁ ବାହାରେ ତୁ ମଧ୍ୟରେ ଅଛୁ ସେ ନୃପତି-ହୃଦର ।

କେଉଁ ପ୍ରକାରେ ନୋହିଛୁ ମହୀ ଶୋଭି କହ ତାଙ୍କ ପ୍ରାଣ-ପ୍ରକାର ।

ନିରତ । ଧ୍ୟାଏ ଯା ତୋତେ ତାଙ୍କ ଚିତ୍ତ ।

ହେବାରେ ସେ ଚିତ୍ତ ତୋ ଆୟତ୍ତ ଏଥି ଅଛିକି ବିଚିତ୍ର କିଞ୍ଚିତ । ୧୦୨ ।

 

ତୋ ପାଇଁ ତାଙ୍କ ଯା ଅନଳ୍ପ କଳ୍ପନା ସୁଦୀର୍ଘ-ସୋପାନ-ଶ୍ରେଣୀ ସେ ।

ତହିଁ ଅବିରତ ସୁଶ୍ରୋଣି ତୁ ଆରୋହଣ କରୁଛୁ ଅନଳସେ ।

ରମ୍ଭୋରୁ । ଶ୍ରମୁଁ ତୋ ବହିବା ନିଶ୍ୱାସ ।

ତୋତେ ଭାବି ଭାବି ତୋ ସାରୂପ୍ୟଲଭିଥିବା ନୃପେ ତାହା ପ୍ରକାଶ । ୧୦୩ ।

 

ଅତି ଗୋପନେ ମନେ ମନେ ରାଜନ ତୋତେ ଯାହା ଯାହା ଭାଷନ୍ତି ।

ପକାଏ ବ୍ୟକ୍ତ କରି ବକ୍ତ୍ର ତାଙ୍କର ଅତରକିତେ ତା ସୁଦତି ।

ବଦନ । ତାଙ୍କର ଶତ୍ରୁ ଅଛି ହୋଇ ।

ନୃପତି-ଅରାତି-ରତୀଶ-ମଇତ୍ର-ରତୀଶ-ସାଥି ଯେଣୁ ସେହି । ୧୦୪ ।

 

 

ପର୍ଯ୍ୟଙ୍କ ଅଙ୍କେ ନିଶାରେ ପହୁଡ଼ନ୍ତେ ଧୀରେ ଆଦରେ କୋଳ କରି ।

ନୟନ ଚୁମ୍ୱି ନୃପ-ମନ ବହନ ହରୁଥିଲା ଯେ ନିଦ୍ରା-ନାରୀ ।

ଗୋରୀରେ । ତୋ ଚିନ୍ତା-ନିରତ ନୃପତି ।

କତିକି ଗତି କରିବାକୁ ଏବେ ସେ ମତିରେ ସାଇତିଛି ଭୀତି । ୧୦୫ ।

 

ମାରି ମାରି ଶର କ୍ରୂର ପଞ୍ଚଶର ଶୋଷିଲାଣି ତାଙ୍କ ଶରୀର ।

ନାହିଁ ନାହିଁ ଆଉ କିଛିହିଁ କୃଶତା ବିନା ତେଜି ଶୀରି ମାତର ।

ସୁନ୍ଦରୀ । ବୃଥା ଶ୍ରମ କରେ ଅନଙ୍ଗ ।

ଅନଙ୍ଗ ହେଲେହେଁ ତେଜିବେ କେବେହେଁ ନୃପ କି ତାରେ ବାଦରଙ୍ଗ । ୧୦୬ ।

 

ଅପଥେ ପଦ ପକାଇ ତୋ ପ୍ରାପତି ହେଲେହେଁ ତହିଁ ନ ଡରନ୍ତି ।

ତୋ ପୟର-ପରି-କର ପଣକୁ ସେ ଅମର-ପଦ ବିଚାରନ୍ତି ।

ଭାବୁଛି । ଶର ମାରି ମାରି ମଦନ ।

ତନୁ-କର୍ତ୍ତନ ତୁଲେ କରିଦେଲାଣି ସ୍ୱଭାବୁଁ କି କିଛି ଛେଦନ । ୧୦୭ ।

 

ଘୋର-ବିରହ-ଜ୍ୱର-ଉପଚାରକୁ ସିଦ୍ଧହସ୍ତ ବୈଦ୍ୟ ନିବହ ।

ପରକ୍ଷି ପରକ୍ଷି ନୃପଅଙ୍ଗ କଲାବେଳକୁ ନିଦାନ ଉଦୟ ।

ସୁନ୍ଦରୀ । ଗଲେ ହୋଇ ସଦ୍ୟ ନିର୍ବେଦ ।

ସେ ଶୀଳବନ୍ତ-ଭୂପାଳ-ଲଜ୍ଜା କି କେ କଲା ତାଙ୍କ ଅଙ୍ଗେ ଆସ୍ପଦ । ୧୦୮ ।

 

 

ଭ୍ରମେ ତୋ ରୋଷାରକ୍ତ ମୁଖ ବିଲୋକି କେବେ ଥରନ୍ତି କେବେ ଅବା ।

ତୋ ସଙ୍ଗଲାଭ-କଳ୍ପନାକୁ ପ୍ରକୃତ ମଣି ହସନ୍ତି ଗୋରୀ କିବା ।

ଗମନ୍ତି । ଅନୁସରିଲା ପ୍ରାୟ ତୋତେ ।

କେବେ କେବେ ପ୍ରତିଉତ୍ତର ଦିଅନ୍ତି ଶୁଣିଲା-ବତ ତୋ ଭାଷିତେ । ୧୦୯ ।

 

ତୋ ବିରହ-ଜାତ-ଆର୍ତ୍ତି-ଅନାରତ-ସ୍ରୋତରେ ଅତିହିଁ ପ୍ରଖରା ।

ଦଣ୍ଡଧରର ଭାଗିନୀ-ତରଙ୍ଗିଣୀ ତରଙ୍ଗି ଯାଏ ତାଙ୍କ ତ୍ୱରା ।

ସେ ପୁଣି । ମୂର୍ଚ୍ଛା-ଦ୍ୱୀପ-ମୋହ ପଙ୍କରେ ।

ଭାଷଣା; ତହିଁ ସେ ଉଦ୍ଭଟ-ଭୂଦ୍ଭୃତ-ମାତଙ୍ଗ ମଜ୍ଜନ୍ତି ଅବଳେ । ୧୧୦ ।

 

ସବ୍ୟ-ଅପସବ୍ୟେ ଶର ସନ୍ଧୁ ପଞ୍ଚଶର ନରବର-ଶରୀରେ ।

ପଞ୍ଚ ଦ୍ୱିଗୁଣୁ ନବ-ଯାଏ ବାଜିଣ ଗୋଟିକେ ଗୋଟିଏ ଦଶାରେ ।

ବିମ୍ବୋଷ୍ଠି । ସୃଷ୍ଟି କଲେଣି ଅବଶିଷ୍ଟ ।

ଶରଟି ଆକାଶପୁଷ୍ପ ହୋଇ ଯାଇ ନଷ୍ଟ କରୁ ତୋ ମନ କଷ୍ଟ । ୧୧୧ ।

 

ରତିପତି-ତ୍ରାସେ ଯାର ଆସ୍ୟେ ଲେଶେ ହାସ ବିଶ୍ରାମ ନ କରଇ ।

ସେ ନରେଶ-ଦୁତପଣେ ତୋର ଚିତ୍ତ ବାରିବାକୁରେ ଚାନ୍ଦମୁହିଁ ।

ଏଠାକୁ । ଆସିଥିଲି ସର୍ବ ବୁଝିଲି ।

ଗୁଣାନୁରାଗିଣୀ ତୋ-ପରି କାମିନୀ କାହିଁତ ଆଉ ନ ଦେଖିଲି । ୧୧୨ ।

 

 

କି ପରଶଂସିବସି ଅବା ତାକୁ ଯାହାର ସୁଗୁଣ-ଗଣରେ ।

ନଳ ପରାଏ ଧୈର୍ଯ୍ୟଶୀଳ ଭୂପାଳ ଚଞ୍ଚଳିତ ଅନୁକ୍ଷଣରେ ।

ସମୁଦ୍ରେ । ଉଛଳାଇ ଦେବାରୁ ବଳି ।

କଉମୁଦୀ ଆଉ କି ବା ପରଶଂସା ଲଭିବ ଭାବ ବରବଳି । ୧୧୩ ।

 

ଶଶି ତୁଲେ ନିଶା-ପ୍ରାଏ ରସାଳସା ନରେଶେ ମିଶି ଶୋଭା ପାଅ ।

ସେ ତୋ ତୁଲେ ମିଶି ନିଶା ସଙ୍ଗେ ଶଶି-ସମ ଦିଶନ୍ତୁ ରମଣୀୟ ।

ସୁନ୍ଦରୀ । ନିଶା-ଶଶିଙ୍କି ପୁଣ ପୁଣ ।

ଯୋଡ଼ି ସିଦ୍ଧହସ୍ତ ହୋଇ ବିହି ତୁମ୍ଭ ଦୁହିଙ୍କି କରିବ ମିଳନ । ୧୧୪ ।

 

ନିଷଧ-ଅଧିପର ଶିଳ୍ପ କଳ୍ପନାସୀମାକୁ ତ ବଳି ଯାଇଛି ।

ତାର ବୈଦଗ୍‌ଧ୍ୟ-ବିକଶନେ ଭୂବନ ତ୍ରୟରେ ସ୍ଥାନ ନାହିଁ କିଛି ।

ବରାଙ୍ଗି । ତୋ ଉଚ୍ଚ କୁଚ-ଯୁଗ ଯେବେ ।

ପଡ଼ିବ କରେ ତାଙ୍କ ସେ ଶିଳ୍ପ ପତ୍ର-ରଚନେ ବିକଶିବ ତେବେ । ୧୧୫ ।

 

ଏକ ଶଶଧର କେମନ୍ତେ ବା ତୋର ନେତ୍ର-ଇନ୍ଦୀବର-ଯୁଗଳେ ।

ଦାନ କରିବ ସନ୍ତୋଷ ନାରୀଈଶ ତେଣୁ ଏମନ୍ତ ଚିତ୍ତେ ଭାଳେ ।

ଭୂପାଳ । ନଳ-ବଦନ-କଳାକର ।

ସେ ଶଶି ତୁଲେ ମିଶି କରୁ ସାଧନ ତୋଷ ତୋ ନୟନ ଯୁଗର । ୧୧୬ ।

 

 

ସେ ମହୀପାଳର ଅନଳପ-ତପ-ଫଳ-ବୀଜରୁ ଅଙ୍କୁରିତ ।

ରେ ରଙ୍କୁ-ଈକ୍ଷଣି ଯେ ସୁକୃତି-ଲତା ସେ ତୋ ନଟାଙ୍କୁରେ ଶୋଭିତ ।

ତାହାର । ନବୀନ ପତ୍ର-ଯୁଗପରି ।

ଭୁରୁ ଯୁଗ ତୋର ରାଜଇ ଅଧର ଧରି ରହିଛି ଡେମ୍ଫ ଶିରୀ । ୧୧୭ ।

 

ପାଣି-ପଲ୍ଲବ-ଯୁଗଳେ ପଲ୍ଲବିତ ସ୍ମୃତି କୋରକେ ସୁରୁଚିର ।

ମନ ସହିତ ତନୁ-କମନୀୟତା-ସୁମନସରେ ମନୋହର ।

ଫଳିଛି । ବାଳା ପୟୋଧର-ଶ୍ରୀଫଳ-।

ଯୁଗଳେ ବୋଲୁଛି ଶୋଭାରେ ସମାନ ନାହିଁ ମୋ କେ ମହୀମଣ୍ଡଳ । ୧୧୮ ।

 

ପ୍ରୀତି-ସମ୍ପତ୍ତି-ବଣିଜାର କେଳତିପତି ଧରି ବିଶା ବସିଛି ।

ତଉଲିବାପାଇଁ କୁସୁମ-ନାରାଚ-ନାଡ଼େ କର ତାର ରସିଛି ।

ରହିଛି । ତହୁଁ ରଶ୍ମିଗଣେ ଓହଳି ।

ଶଶାଙ୍କ-କଂସା-ପରୁଡ଼ି ତୁମ୍ଭ ବେନି ପ୍ରେମ-ହେମ ସେ ତହିଁ ତୁଳି । ୧୧୯ ।

 

ମଦନ ଉତ୍ସବେ ସାତ୍ୱିକ-ବିକାର-ହେତୁ ଜାତ ସ୍ୱେଦ-ମଧୁଥ୍‌ଥେ ।

ସ୍ୱିନ୍ନ ନରନାଥ-କରପତ୍ରେ ଯୁତ ତୋ କୁଚ-ପତ୍ର-ଚିତ୍ରବ୍ରାତେ ।

ହୋଇଣ । ତହୁଁ ପୁଣି ତୋ ପୟୋଧରେ ।

ଫେରିଆସି ବିମ୍ୱାଧରୀ ରେ ଚାତୁରୀ ପରକାଶନ୍ତୁ ନିରନ୍ତରେ । ୧୨୦ ।

 

 

ବିବିଧ ବନ୍ଧରେ ନିଧୁବନ-ମଲ୍ଲଯୁଦ୍ଧ କେଳିବନେ ସମ୍ପାଦ ।

ଅବଲୋକନ କରି ସେ ଭାବମାନ ଲଭନ୍ତୁ ମରୁତେ ପ୍ରମୋଦ ।

କରନ୍ତୁ । ପୁଷ୍ପବୃଷ୍ଟି ସେ ଅବିଚ୍ଛନ୍ନେ ।

ସେ ସୁମନସ-ପତନ ପ୍ରତିଗ୍ରହ ସାନନ୍ଦେ ତୁମ୍ଭେ-ବେନିଜନେ । ୧୨୧ ।

 

ସମ୍ମିଳନେ ବେନିଜନେ ଅନ୍ୟୋନ୍ୟର ସୁସମା-ସୀମା ବଢ଼ାଇବ ।

ନାନା ବିଳାସ ସମ୍ଭୋଗକୁ ମାନସ-ଯୁଗ ତ ପଥ କଢ଼ାଇବ ।

ସୁନ୍ଦରୀ । ବେନି-ମନ ଅଣୁ-ଯୁଗଳ ।

ମିଶି ଦିଶିବ ଅନଙ୍ଗେ ଅଙ୍ଗବନ୍ତ ପୁଣ କଲା ପ୍ରାଏ ମଞ୍ଜୁଳ । ୧୨୨ ।

 

କୁସୁମଚାପ ହାରି ସେ ନୃପେ କୋପେ ତୋତେ ଧନୁ କଲା ମଦନ ।

ସ୍ୱଭାବେ ତ ତୁ ଶୁଦ୍ଧବଂଶ ସମ୍ଭୂତା ସୁଗୁଣେ ହୋଇଛୁ ଶୋଭନ ।

ସୁନ୍ଦରୀ । ତା ମୁଠାବନ୍ଧା ଡୋର-ଫୁଲି ।

ଶୋଭାକୁ ପୃଷ୍ଠେ-ଲୋଳ ତୋ ଗଳା-ଭୂଷା ରଙ୍ଗ-ପଟ୍ଟସୁତ୍ରେ ବାରିଲି । ୧୨୩ ।

 

ଚାପତ ତୁ ବାଳୀ ତୋ ମାଳି ମୁକୁତା-ଆବଳି-ବାଟୁଳି ନିଶ୍ଚୟ ।

ରୋମାବଳି ଗୁଣଭଳି ଝଲକଇ ନାଭି-ପନ୍ଥାରେ ରମଣୀୟ ।

ସୁନ୍ଦରୀ । ପାଇଲାକୁ ସିନା ଏ ସଜ ।

ସେ ରାଜହଂସକୁ ଲକ୍ଷ କରିବାକୁ ସାହସ କଲା ମନସିଜ । ୧୨୪ ।

 

 

ସେ ନୃପେ ହାରି ମନସ୍ତାପେ ଯେ କାମ ତୋ ଚିକୁରେ ଶରନିକରେ ।

ଲଲାଟପଟେ କାର୍ମୁକ ବିରୁପାକ୍ଷ-ଲୋଚନ-ଭର୍ଜନ-ପାତ୍ରରେ ।

ପକାଇ ।-ଥିଲା ଅଙ୍ଗ ଏବେ ସେ ପୁଣି ।

ତୋ କୁଚ-ଗିରି-ପତ୍ର ପର୍ଣ୍ଣଶାଳାରେ ତପେ ଜୟକୁ ହୋଇ ମୁନି’’ ।୧୨୫।

 

ଏମନ୍ତେ ନରେଶ-ସୁତା ତୁଲେ ହଂସ ସମ୍ଭାଷ ହେଉ ଆଳି-ପାଳି ।

ଲୋଡ଼ି ଆସନ୍ତେ କାହିଁପାଇଁ ବାଳୀର ଏଡ଼େ ବିଳମ୍ବ ହେଲା ବୋଲି ।

ତା ବାରି । ହଂସ ‘ହେଉ ତୋ ସର୍ବଶୁଭ’ ।

କହି ମେଲାଣି ହୋଇ ନଳ-ନୃମଣି-ପୁରେ ନଭରେ ଗଲା ଯବ । ୧୨୬ ।

 

ଅଭିଷ୍ଟସୁଗନ୍ଧସଙ୍ଗତ ପତଙ୍ଗ-ପୁଙ୍ଗବ-ଗର୍ବ-ହୈୟଙ୍ଗବି ।

ସଙ୍ଗେ ମିଶନ୍ତେ ଅନଙ୍ଗର କୁସୁମ-ମାର୍ଗଣୁଁ ମଧୁ-ଧାରା ସ୍ରାବି ।

ସେ ରସ । ଆସ୍ୱାଦି ଆସ୍ୱାଦି ନୃପଜା ।

ନୋହିଲା ତୃପ୍ତ ବଢ଼ିଲା ତାପ ମାତ୍ର ମୂର୍ଚ୍ଛା ଅରାଇ ଦେଲା ମଜ୍ଜା । ୧୨୭

 

ହିତ ପ୍ରିୟକାରୀ ସେ ଗଗନଚାରୀ ଯାଆନ୍ତେ ଗମି ଅନ୍ତରୀକ୍ଷେ ।

ତା ପଛେ ଗୋଡ଼ାଉଥିଲା ଦମୟନ୍ତୀ-ନେତ୍ର ଯୁଗଳ ଟେକି ପକ୍ଷେ ।

ଲୋତକ । ହୁଅନ୍ତେ ପରିପନ୍ଥି ଏଥି ।

ଛନ ଛନ ହୋଇ ମନ ଗୋଡ଼ାଇଲା ଧନ୍ୟ ତାହାର ବନ୍ଧୁପ୍ରୀତି । ୧୨୮ ।

 

 

ପକ୍ଷକମ୍ପନେ ଆଶ୍ୱାସିଲା ପରାଏ ସମସ୍ତ ବୃତ୍ତାନ୍ତ ଜଣାଇଁ ।

ନିଷଧ-ଈଶ୍ୱରେ ସେ ମରାଳ ଖରେ ଅନ୍ତରୀକ୍ଷ-ମାର୍ଗେ ଗମଇଁ ।

ସଖିଏ । ‘‘ପଥ ଭୁଲିଲୁକି କାନ୍ତାରେ ।

ନ କାନ୍ଦ ଆସ ଯିବା’’ ବୋଲି ପ୍ରବୋଧି ନେଲେ ବାଳୀକି ଅନ୍ତଃପୁରେ । ୧୨୯ ।

 

ଯେଉଁସର-ପାଶେ ପୂରୁବେ ନରେଶେ ବିଲୋକି ଥିଲା ତାର ତୀରେ ।

କାମର ଜ୍ୱଳିତ ଶର ଫଳବ୍ରାତବତ ଶୋଭି ପୁଷ୍ପ-ଗୁଚ୍ଛରେ ।

ଅଶୋକ । ଥିଲା ପତ୍ରତଳ୍ପ ତା ତଳେ ।

ଦେଖିଲା ପହୁଡ଼ିଛନ୍ତି ସେ ମରାଳ ଅଙ୍ଗତାପରେ ପତ୍ର ଲୁଳେ । ୧୩୦ ।

 

ଦମୟନ୍ତୀ ପରବତୀ ତୁ କିସ ମୁଁ କହିବି ବୋଲୁଁ ନୃପ ଏତେ ।

ମରାଳ ମିଳୁଁ ପୁଚ୍ଛୁଁ ସେ ଏ ବିଷୟ ସର୍ବ ନିବେଦିଲା ତୁରିତେ ।

ସୁକୃତ- । ବନ୍ତଙ୍କ ଅଭୀଷ୍ଟ-ପୂର୍ତ୍ତିକି ।

ମାନସେ ସମ୍ଭବିବାରେ ଅଭିଳାଷ ବିଳମ୍ୱ ଯେତିକି ତେତିକି । ୧୩୧ ।

 

ଶୁଣିଲେହେଁ ହଂସ-ଆସ୍ୟରୁ ନରେଶ-ସୁତାର ସମ୍ବାଦ ସମସ୍ତ ।

କହ କି କି ବୋଲି ବୋଇଲା ସେ ବାଳୀ ବୋଲି ପଚାରନ୍ତି ଭୂଭୃତ ।

ଆନନ୍ଦେ । ଅଧୀର ହେଲା ଯେଣୁ ମତି ।

ହଂସେ ନ ଚାହିଁ ଏହା ଏହା ମୋ ସହି ବୋଇଲା ବୋଲି ବୋଳୁଥାନ୍ତି । ୧୩୨ ।

 

 

ଭାରତୀ-ଭଣ୍ଡାର-ସାର-ହୀରାପରି ଯାର ଭାରତୀର ପ୍ରତିଭା ।

ସୁରତ-ରସବର୍ଷୀ ସେ ଶ୍ରୀହର୍ଷର ହର୍ଷେ ଆଚରି ପଦସେବା ।

ସୁଜନେ । ହେଉ ବା ସରସ ନିରସ ।

ତୁମ୍ଭ ପ୍ରସାଦେ ଏ ଗ୍ରନ୍ଥ ଅନୁବାଦେ ଗୋପୀନାଥ କରେ ପ୍ରୟାସ । ୧୩୩ ।

-------

 

Unknown

ଚତୁର୍ଥ ଛାନ୍ଦ

ରାଗ-କାମୋଦୀ

ଏଥୁଅନ୍ତେ ସୁମତି ଏଥିନିବେଶ ଶ୍ରୁତି ଶ୍ରୁତି-ଅନ୍ତିକେ ଉପଗତ ।

-ନଳ ନରେଶ-ଯଶ-ସୁରଭି-ସୁମନସ- ଚାରୁ-ଚାପରେ ରାତିଈଶ । ସୁମନରୁ ।

ସେ ନୃପେ ରୋପକରି ସନ୍ଧି ।

ଭୈମୀ ବିଜୟେ ବୁଦ୍ଧିଫାନ୍ଦି ।

ଶ୍ରୁତିପଥୋପଗତ ତାଙ୍କ ସୁଗୁଣ-ବ୍ରାତ-ଗୁଣକୁ କରି କାର୍ଯ୍ୟ ସାଧି । ସାଧୁଜନେ ।

 

କୁସୁମଶର ପରତାପ-ଜନିତ-ଜ୍ୱର ଜର୍ଜ୍ଜରଗାତ୍ରୀ ସୁକୁମାରୀ ।

କିଛିହିଁ ନ ବିଚାରି ପ୍ରିୟଚରିତ-ବାରିଧିରେ ଅଧୀରେ କରୁଁ କେଳି । ସାଧୁଜନେ ।

ପ୍ରବଳ ହୋଇ ବେଳୁଁ ବେଳ ।

ଶେଷେ ବିଷମ ହେଲା ଜ୍ୱର ।

ତା ଅନ୍ତରୁ ସେ ତାପ କିଞ୍ଚିତ ନୋହିଲୋପ ହୋଇଲା ସ୍ଥାୟୀ ଚିରକାଳ । ସାଧୁଜନେ ।

 

ପୂରୁବେତ କେବେହେଁ ଅଧୀରତା ଲବେହେଁ ଧୀଚାର ଧରା ନ ପଡ଼ଇ ।

ଏଣିକି ଦ୍ୱିଗୁଣିତ ହୋଇ ତା ପ୍ରକାଶିତ ତାର ଯା ନିରତ ହୁଅଇ । ଘେନ ଜନେ ।

ଦୟିତ-ଦୂତ ସେ ମରାଳ ।

ଶିଖାଇଲା କିଏ ଚାଞ୍ଚଲ୍ୟ ।

ଯେଣୁ କାର୍ଯ୍ୟ କାରଣ ପଛେ ସଦା ଗମନ କରଇ ତେଣୁ ଏ ବିଚାର । ସାଧୁଜନେ ।

 

ଇଷତ ହାସ ପରକାଶେ ସେ ନାରୀଶର ବଦନ କାର୍ପଣ୍ୟ ବହିଲା ।

ଅପାଙ୍ଗ-ଅଙ୍ଗନରେ ଖେଳନେ ଖଞ୍ଜତାରେ ନେତ୍ର-ଖଞ୍ଜନ ଗଞ୍ଜି ହେଲା । ସ୍ମର ନୃପ ।

ବେନିଏ ତିଳେ ମାତ୍ର ତାର ।

ଅନ୍ତରୁ ନୁହଁନ୍ତି ଅନ୍ତର ।

ବାଳାବଶ ମହେନ୍ଦ୍ର ସେ ଛଳେ ସ୍ୱର୍ଗବୈଦ୍ୟ ଯୁଗେ କି ପେଷିଛନ୍ତି ବାର । ସାଧୁଜନେ ।

 

କମଳ ମନୋରମ ବଦନ ତାର କାମ-କଦନେ ଶୁଖେ ଦିନୁଁ ଦିନ ।

ପ୍ରଭାକର-ପ୍ରଭାବେ ଅନୁଦିନ ବିଭବେ ଯେ ଭାବେ ଶଶି ହୁଏ ହୀନ । ସାଧୁଜନେ ।

ତାରୁଣ୍ୟ ତରଣି-କିରଣ- ।

ଦୃଢ଼ ତା ସ୍ତନ କୁମ୍ଭ ଘେନ ।

ତାକୁ ଯଥାରୀତିରେ ଅନଳ ସଙ୍ଗତିରେ ତାପେ କୁମ୍ଭକାର-ମଦନ । ସାଧୁଜନେ ।

 

ତାପେ ତପ୍ତ କାମର ଉରୁଯୁଗେ ତାହାର ହୋଇବ ଅବା ରମ୍ଭା ତୁଳି ।

ରହି ମରୁଭୂମିରେ ଉଷର-ତପତିରେ ଯେବେ ସେ ଯାଇଥିବ ଲୁଳି । କର ଯୁଗ ।

ତାର ସେ ତାପେ ସନ୍ତାପିତ ।

ହୋଇ ବହେ ଶୋଭା ଏମନ୍ତ ।

ତପ-ନିପୀତ-ସରେ ତପ୍ତ ତପନ-କରେ ସରୋଜ ରାଜଇ ଯେମନ୍ତ । ସାଧୁଜନେ ।

 

ମନସିଜ ସନ୍ତାପେ ବିଶୁଷ୍କ ହୋଇ ଆପେ ଆପଣେ ସେ ନବୀନା-ଉର ।

ଯାହା ନ ଯାଏ ଉଡ଼ି ତା ପୀନ ସ୍ତନ-ଯୋଡ଼ିକର ଥିବାରୁ ତହିଁ ଭାର । ଧାନ୍ୟ ଅଂଶୁ ।

ପୟରେ ପଶିଲେ କେମନ୍ତ ।

ବ୍ୟଥା ନ ଦିଏ ଘେନ ଚିତ୍ତ ।

ଯା ହୃଦରେ ଭୁଭୃତ ପଶିଅଛି ନିୟତ ତା ପ୍ରାସ ଏଥଁ ବିଚାରତ । ସାଧୁ ଜନେ ।

 

ଅନ୍ତରବର୍ତ୍ତୀ-ପ୍ରିୟ-ଲୋକନେ ଅତିଶୟ ରସିଥିବାରୁ ନେତ୍ର ଯୁଗ ।

ସେ ନବୀନାର ଆନ ବାହ୍ୟ ପଦାର୍ଥମାନ ଦର୍ଶନେ ନ ଥାଇ ସରାଗ । ଅଶ୍ରୁ-ଝର-।

ସିକ୍ତ ଉରେ ବିରହ-ନତ ।

ବଦନ ତା ପ୍ରତିବିମ୍ୱିତ ।

ହେବାର ହୃଦଗତ-କାନ୍ତ-ଚୁମ୍ବନେ ଚିତ୍ତ ଥିବାର ହୁଅଇ ପ୍ରତୀତ । ସାଧୁଜନେ । ୮ ।

 

ହୃଦୟେ ସ୍ମରାନଳ-ପ୍ରଜ୍ଜ୍ୱାଳନେ ଅନିଳ ମିତ୍ରପଣରୁ ଲୁଚିପଶି ।

ଆସିବା ବେଳେ ଫେରି ନାସାରେ ଏକା ଆଳିଜନେ ପଡ଼ଇ ଜଣା ବସି-। ଥିବାରୁ ସେ ।

ବିରହ ସମ୍ଭୁତ ପଣ୍ଡୁତା ।

ନବାନୁରାଗ କାଳୀ ଚିନ୍ତା ।

ସ୍ଵବର୍ଣ୍ଣ ହରିତାଳେ ହରିତେ ଲେଖି ନଳେ ନିରେଖୁଥାଇ ସେ ବନିତା । ସାଧୁଜନେ । ୯ ।

 

ସ୍ମର ହୃଦେ ଏ ଦଶା ଦେଲା ବୋଲିକି ନାଶାମରୁତ ବାର ବାର କହି ।

ବକ୍ଷବାସ କମ୍ପାଏ ଆଶ୍ରୟ ଥୟ ନୋହେ ଯହିଁ ଆଶ୍ରିତ କିସ ତହିଁ । ବୁଝି ବୁଧେ ।

କର-ପୟର-ମୁଖ-ନେତ୍ର ।

ନାମେ ସୁଗାତ୍ରୀ ଶତପତ୍ର ।

ଯା ବହିଥିଲା ଶାନ୍ତ ପାଇଁ ସେ ଦିନପତି-ତପତି କଲେ କି ବମିତ । ପୂର୍ବ ପୀତ । ୧୦ ।

 

ସେ ଭୂଭୃତଭୂବିରେ ବାସ୍ପସମ୍ଭବୁଁ ଖରେ ବାରନ୍ତି ଆଳି ଜନେ ଏତେ ।

ଏଥିରେ ଥିବା ନଳ ନୁହଁଇ ମାତ୍ର ତିଳ ସତ୍ୟଇତର କଦାଚିତେ । ନଳପାଇଁ ।

ଯେ ହୃଦ-ଆଶ୍ରିଛି ମଦନ ।

ତାକୁ ଯା କରେ ଏ କଦନ ।

ସେ ପ୍ରାସରେ ମୁର୍ଚ୍ଛିତ ଆପେ ହେଲା ନିୟତ ଫଳିଲା ତା ଅନୀତି ଘନ । ସାଧୁଜନେ । ୧୧ ।

 

ତେଡ଼େ ବିରହ ତାପେ ଫାଟି ନ ଯାଇ ଆପେ ରହିଲା ଯା ସୁଭୂରୁ-ଉର

ଏଥୁଁ ପାଷାଣପଣ ତାର ପ୍ରମାଣ ଆଣ ମନକୁ ଏହା ସାଧୁଗଣ । ସୁଧାକରେ ।

ଖରାଂଶୁଭ୍ରମ ତାର ଯାହା ।

ପ୍ରକୃତ ହୋଇଲେହେଁ ତାହା ।

ତା କିରଣେ ଯା ଏହି ନିରତ ଜଳୁଥାଇ ଆଶ୍ଚର୍ଯ୍ୟ ନୁହଁଇ କି ଏହା । ସାଧୁଜନେ । ୧୨ ।

 

କାମ ତାପେ କାତର ହୋଇ ହୃଦୟପର ପଙ୍କଜ ରଖି ପଦ୍ମମୁଖୀ ।

ପହୁଡ଼ିବା ସମୟେ ଶୋଭାକୁ ପୁରତ୍ରୟେ ଉପମା ନ ଥାଏତ ରଖି ।

ସାଧୁଜନେ । ସମ ହୁଅନ୍ତା ଅବା ରତି ।

ହରାଇଲେହେଁ ସେ ତେ ପତି ।

ପତି-ପଙ୍କଜଚାପେ ଆଲିଙ୍ଗି ଚିତାତଳ୍ପେ ବଳାଇ ନ ଥିଲା ତ ମତି । ସାଧୁଜନେ । ୧୩ ।

 

ନିଜ ଅନ୍ତର ବର୍ତ୍ତି ବିରହର ସୁଦତି ଅନଳଭାବ ନ ସମଜି ।

ସେ ଜଳନ୍ତା ଅନଳେ ସ୍ୱପ୍ରାଣ-ତୃଣ-କୁଳେ କଲା ତେଜିବାକୁ ମରଜି ।

ଶାନ୍ତି ପାଇଁ । କୋମଳ ନାରୀ-ହୃଦ ଅତି ।

ଏ କଥା ତାରେ କି ନ ବର୍ତ୍ତି ।

ତା ପ୍ରମାଣ ମଦନ କଲାତ ପୁଷ୍ପବାଣ-ପ୍ରାସେ ସେ ହୃଦ ଦଳି ଅତି । ସାଧୁଜନେ । ୧୪ ।

 

ପୁରୁତ କୃଶୋଦରୀ ନ ବାହାରେ କିପରି ତାକୁ ତାପିବି ବୋଲି ପାଞ୍ଚି ।

ସଙ୍ଗିନିଏ ଜାଣିଲେ ନିଷେଧିବେତ ଭଲେ ଏମନ୍ତେ ଭାବି ଲୁଚି ଲୁଚି । କଉମୁଦୀ ।

ଜଳାକବାଟି-ଜଳା-ବାଟେ ।

ଗଳି ମିଳି ପୁର-ପ୍ରକୋଷ୍ଠେ ।

କପଟେ ହୋଇ ବିଷ ସେ ଶୋଭା ନିଧି କୃଶ-କଟିକି ଘାରିଲା ନିରାଟେ । ସାଧୁଜନେ ।୧୫।

 

ନୟନ ନୀରପାତ-ପ୍ଲୂତହୃଦେ ଯୋଷିତ-ରତନର ବିରହ-ତାପେ ।

ବିନତ ବଦନର ପ୍ରତିବିମ୍ୱ ରୁଚିର ପାତୁ ଏତର୍କ ଜାତ ଆପେ । ସାଧୁଜନେ ।

କାମର ପଞ୍ଚପୁଷ୍ପଶର ।

ପଦ୍ମବଧୁଲି ନିଳୋତ୍ପଳ ।

ମୁଖ ଓଷ୍ଠ ଯୁଗଳ ନୟନ ବେନି ଛଳ ବହି ରହିଛି ଭେଦିଉର । ସାଧୁଜନେ । ୧୬ ।

 

ବିରହରେ ପାଣ୍ଡୁର ସେ ସୁଗାତ୍ରୀ-କପୋଳ-ଯୁଗେ ଶଶି ପ୍ରତିବିମ୍ୱିତ ।

ହୋଇ ସୁଭ୍ରତା ଗୁଣେ ନରଖଇ ବଦନେ ନିଜର ପାର୍ଥକ୍ୟ କିଞ୍ଚିତ । ସାଧୁଜନେ ।

କୋଳର ଶଶ କଥା ଚିନ୍ତି ।

ତାକୁ ତୁରିତେ ସେ ସୁନେତ୍ରୀ ।

ମୁଖ ଗହ୍ୱରେ ନେଇ ଯତନେ ଦେଉ ଥୋଇ ହେଲା ଦୁହିଁଙ୍କ ଦିବ୍ୟ ମୈତ୍ରୀ । ସାଧୁଜନେ । ୧୭।

 

ବିରହତାପଯୋଗେ ଚନ୍ଦନ-ଲେପ ଅଙ୍ଗେ ଶୁଖିଣ ଯାଏ ହୋଇ ଧୂଳି ।

ସେ ଧୂଳିଧୂସରିତ ଅଙ୍ଗନାର ଅଙ୍ଗତ ଦିଶେ ବିଭୂତିବୋଳା ଭଳି । ସାଧୁଜନେ ।

ବିଷନିର୍ମିତ ଆଭରଣ ।

ଗଣ-ବିଷଧର ସମାନ ।

ସେ ତ୍ରିପୁର-ସୁନ୍ଦରୀ ଏଣୁ ତ୍ରିପୁର-ଅରି ପରାଏ କରେ କାମ ଛନ୍ନ । ସାଧୁଜନେ । ୧୮ ।

 

ଅତି ତପତ ଉରେ ଚନ୍ଦନ ଲେପୁ ଖରେ ସେ ଲେପ-ଚନ୍ଦନେ ସ୍ଫୋଟକ ।

ପ୍ରକଟି ଝଟତିରେ ମତିରେ ଏ ଭ୍ରାନ୍ତିରେ ଦିଅଇ ଉପୁଜାଇ ଠିକ । ସାଧୁଜନେ ।

ସେ ହୃଦେ ରହିଛିତ ସ୍ମର

ତାରାପତିତ ମିତ୍ର ତାର ।

ତେଣୁ ମିତ୍ର-ସଙ୍ଖୋଳା ଆଶେ କି ଘେନି ତାରା ଆସିଛି ଶଶି ସେଠାବର । ସାଧୁଜନେ । ୧୯ ।

 

ହୃଦେ ତ ସ୍ମରାନଳ ଜଳୁଥାଇ ପ୍ରବଳ ତା ତେଜ ଶ୍ୱାସ-ପଥେ ଆସେ ।

ତାପ-ଶାନ୍ତିକି ବରିବାଳୀ ସରସ-ସରସଜ ଘେନନ୍ତେ କରଦେଶେ । ସାଧୁଜନେ ।

ସେ ତପ୍ତ-ନିଶ୍ଵାସ-ମରୁତେ ।

ଅର୍ଦ୍ଧ-ପଥରୁ ଶତପତ୍ରେ ।

ମର୍ମ୍ମର ହୋଇ ଶୁଖି ଯାଆନ୍ତେ ନୋହି ସୁଖୀ ସୁମୁଖୀ ତେଜଇ ତୁରିତେ ସାଧୁଜନେ । ୨୦ ।

 

ତାପ ଶାନ୍ତି ବିଚାରି ସ୍ତନ ଯୁଗଳେ ବାରିରୁହ-ଯୁଗକୁ ମେଳ କରି ।

ରଖନ୍ତେ କୃଶୋଦରୀତନୁତାପେ ଝାଉଁଳି ମିଳନ୍ତେ ତହିଁ ଦଳପାଳି । ତାହାଚାହିଁ ।

ଏ ତର୍କ ଉପୁଜଇ ମନେ ।

ନଳିନେ କି ବାଳୀରତନେ ।

ବୋଧନ୍ତି ଗୋ ସୁଦତି ଏମନ୍ତେ ତୋର ପତି ଗ୍ରହିବେ କୁଚେ କି ଶୋଚନେ ? ଚାରୁଶୀଳେ । ୨୧ ।

 

ତୁମ୍ଭ ବିହୀନେ ଆନ ଏ ମୋର ହୃଦେସ୍ଥାନ ଲଭିଟି ନାହିଁ ବୋଲି ତିଳେ ।

ନିବେଦି କିବା ବାଳୀତିଳକ ସୁକୁମାରୀ ଏ ଘୋର ମଦନ-ଅନଳେ । ସାଧୁଜନେ ।

ପରୀକ୍ଷା ପତିପ୍ରତିତୀକି ।

ଦେଉଛି ଆସେ ଏ ମତିକି ।

ବିଶୁଦ୍ଧପଣୁଁ ତାର ବର୍ଣ୍ଣ ଦିଶେ ପାଣ୍ଡୁର ପୂର୍ବେ ଯେ ଜିଣାଇଁ କେତକୀ । ସାଧୁଜନେ । ୨୨ ।

 

ଅଙ୍ଗତାପ ପ୍ରଶମ ପାଇଁ ସାରସ ନାମନେତ୍ରୀ ଅଙ୍ଗେ ସଙ୍ଗିନୀବ୍ରଜ ।

ଥିଲେ ଯା ରଖି ଦେଇ ଝାଉଁଳି ମୁଷ୍ଟି ହୋଇ ଗଲା ସେ ଲଭି ତନୁତେଜ । ସାଧୁଜନେ ।

ସଖି ସ୍ନେହି ସେ କମଳିନୀ ।

ମୁଷ୍ଟିରେ ତନୁତାପ ଘେନି ।

ଯାଏ କି ଅବା ତାପେ ମୁଷ୍ଟି ବିରଚି ଆପେ ମାରି ତଡ଼ିବା ଇଚ୍ଛେ ପୁଣି । ସାଧୁଜନେ । ୨୩ ।

କୁସୁମଶର-ଶର-ଆଶୀବିଷ-ନିକର-ମୁନ-ଦଶନ-ଘାତ-କ୍ଷତେ ।

ଘୋର ବିରହ-ଗର ଚଳନ୍ତେ ଅଙ୍ଗେ ତାର ଘାରିଲା ରାମାକୁ ତୁରିତେ । ସାଧୁଜନେ ।

ଦିବସେ ତପନ-ତେଜରେ ।

ନିଷ୍ପ୍ରଭ ପୀୟୁଷକରରେ ।

ତୁଲ ହେଲା ନାରୀଶ କେଉଁ ଦର୍ଶକ-ଦୃଶ ତା ଦେଖି ରଖିପାରେ ନୀରେ । ସାଧୁଜନେ । ୨୪ ।

 

 

ମନମଥ-ବେଦନା-ନାଶ ପାଇଁ ନବୀନା-ହୃଦେ ଆର୍ଦ୍ରମୃଣାଳ-ମାଳ ।

ରଖୁ ଅଙ୍ଗ-ତପତି ନ ସହି ସେ ଝଟତି ମଉଳ ଯାନ୍ତି ହୋଇ ଲୋଳ । ସାଧୁଜନେ ।

ପାଶରେ ନିବେଶିତ କର-।

ଯୁଗେ ବିଲୋକି କି ମୃଣାଳ ।

ନିଜ ଉନତା ହେଜି ଆପଣେ ଲାଜ ଭଳି ମଳିନ ହେଲା ତତକାଳ । ସାଧୁଜନେ । ୨୫ ।

 

ତାପ ଶାନ୍ତି ବିଚାରି ଶଇବାଳକୁ ଆଳି ବାଳୀବକ୍ଷରେ ରଖିଥାନ୍ତି ।

ସେ କମ୍ପେ ଘନ ଘନ ଶୁଣି ପିକନିସ୍ୱନ ଯେଣୁ ଚମକୁଥାଏ ଛାତି । ନବୀନାରେ ।

ତା ଚାହିଁ ହୁଏ ଏ ବିଚାର ।

ଉରେ ତ ଛପିଅଛି ମାର ।

ତାର କେତନ ମୀନ ତଳେ ଚଳୁ କମ୍ପନ ବହେ କି ଶୈବାଳ ଏସନ । ସାଧୁଜନେ । ୨୬ ।

 

ଅବନୀପତି ନଳ ସେ ବରବନିତାର ବଦନେ ଶଶିକାନ୍ତ ବୋଲି ।

ବିଚାରିବାର ଚିତ୍ତେ ନୁହଁଇ କଦାଚିତେ ଅନୁଚିତ ବିଲୋକି କରି । ଯେଣୁ ମୁଖ ।

ଉଦୀୟମାନ ନିଶାକରେ ।

ଧମ୍ଭଧରି ରହି ନ ପାରେ ।

ତେଜଇ ନିରନ୍ତର ଅଶ୍ରୁ-ପତନ ଛଳକରି ଲୋଚନୁଁ ବିରପୂରେ । ସାଧୁଜନେ । ୨୭ ।

 

ତ୍ରିପୁର ଜୟକର ନିଜର ପଞ୍ଚଶର ଯେମନ୍ତ ଅଟେ ସର୍ବସାର ।

ତେମନ୍ତ ପୁରତ୍ରୟ ବିଜୟେ-କମନୀୟ ଅସ୍ତ୍ରଏ ରୂପସୀ ସୁରର । ସାଧୁଜନେ ।

ତେଣୁ କି ସ୍ୱଶର ତୁଲକୁ ।

ବାମାକୁ ସମ କରିବାକୁ ।

ତାର ପଞ୍ଚତ୍ୱପ୍ରାପ୍ତି ପାଇଁକି ରତିପତି ଆଚରେ ନାନା ଯତନକୁ । ସାଧୁଜନେ । ୨୮।

 

ଶଶୀହୁତାଶଶର ସନ୍ଧନ୍ତେ ଫୁଲଶର ତା ଚାହିଁ ବିରହିଣୀ ବାଳୀ ।

ବିଚାରି ପେଷେ ନେତ୍ରଜାତ ନୀରପୃଷତବ୍ୟାଜରେ ବାରୁଣବାଟୁଳି । ସାଧୁଜନେ ।

ନବମୁଦିର ମେଘ-ଶର- ।

ବିନାଶକୁ ସେ ବାଳୀବର ।

ଉଷ୍ମଦୀର୍ଘ-ସ୍ୱଶନ-ଛଳେ କରେ ଗ୍ରହଣ ମରୁତ-ମାର୍ଗଣ ସତ୍ୱର । ସାଧୁଜନେ । ୨୯ ।

 

ରତି-ପତି-ପ୍ରହିତ ମନ୍ଦ-ମଳୟ-ବାତ-ଅସ୍ତ୍ରଭୀତିକି ପ୍ରତିକାର ।

ପାଇକି ଚିନ୍ତି ଚିତ୍ତେ ସେ ସୂଦତୀ ତୁରିତେ ସ୍ୱଦେହା-ଭରଣ-ମୃଣାଳ । ମାଳମାନ ।

ଗ୍ରହଣ କରୁଥାଇ କରେ ।

ଏତ ଉରଗ ସ୍ୱରୂପରେ ।

ସର୍ପେତ ପବନାଶି ତାଙ୍କ ପଶେ ଭରସି ବାତ ନ ରହିବା ବିଚାରେ । ସାଧୁଜନେ । ୩୦।

 

ସେ ବର-ବନିତାର ହୃଦୟେ ଫୁଲଶର ଜୀବନ ବିରହ ଏ ଦୁଇ ।

କଣ୍ଟକରଖି ବେନି କୁଚ-ମୁଦ୍ଗରଘେନି ପ୍ରହାରି ଦେଲାକି ପୁରାଇ । ଅବା ଶର ।

ନିରତ ମାରୁ ସରୁ ଫୁଲ ।

ଶେଷେ କରି ସମ୍ବଳ ଫଳ ।

ତାକୁ ମାରୁ ତା ଉରେ ଅଛି ସ୍ତନ ବ୍ୟାଜରେ ତାଳ ବା ଶ୍ରୀଫଳ ଯୁଗଳ । ସାଧୁଜନେ । ୩୧ ।

 

ମାର ଜ୍ୱର-ବିକାର-ବଶୁଁ ସେ ନାୟିକାର ସନ୍ତାପ ବଢ଼ଇ ଅମାପ ।

ନିରତ ଅବାନ୍ତର କଥା-କରେ ଉଚ୍ଚାର ନେତ୍ରରୁ ଝରୁଥାଇ ଆପ । ସାଧୁଜନେ ।

ରଜନୀପତି ତାପଦାୟୀ ।

ବୋଲି ତାହାକୁ ନିନ୍ଦୁଥାଇ ।

ସେ ଶଶିର ଅରାତି ସିଂହିକାର ସନ୍ତତି କୀର୍ତ୍ତି ନିରତ ରଟୁଥାଇ । ସାଧୁଜନେ । ୩୨ ।

 

କେବେ ସଖୀଙ୍କି ଚାହିଁ ଭାଷଇ ଚାନ୍ଦ ମୁହିଁ ଜ୍ୟୋତିଷେ ନରଙ୍କ ବରଷ ।

ଅମରଙ୍କୁ ନିମିଷେ ଅମରଙ୍କ ବରଷେ ହେଲେ ଧାତାକୁ ସେ ନିମିଷ । ସହଚରୀ ।

ଅଛିତ ଗଣନ ଏମନ୍ତ ।

ସଂଯୋଗକି ଯେ ଲେଶ ମାତ୍ର ।

ବିଯୋଗୀ ପାଇଁକି ତା ବରଷେ ହେବା କଥା ନୋହିଛି ତହିଁ କିଁପା କ୍ଷାତରେ । ସହଚରୀ । ୩୩ ।

 

ଉଚ୍ଚ ଦେଖି କି ସତୀ ଧରିତ୍ରୀ-ଭୃତ-ପତି ହିମବନ୍ତର ପୁତ୍ରୀ ହେଲା ।

ଏ ପାପୀ କାମଦକା ତାହାକୁ ସିନା ଏକା ଜନ୍ମଲାଭେ ପ୍ରବର୍ତ୍ତାଇଲା । ସହଚରୀ ।

ଶିବ-ଲଲାଟ ପଟ ଚିହ୍ନ ।

ଲୋଚନ ନୁହେଁ କଦାଚନ ।

ଯାହା ଲିହିଛି ବିହି ଜ୍ୱଳୁଛି ତାହା ତହିଁ ସତୀର ବିରହ-ଦହନ । ସହଚରୀ । ୩୪ ।

 

ଦହନ-ଦାହ-ଜାତ ବ୍ୟଥା ନୋହେ ଏମନ୍ତ ବିରହ-ବାଧା ଯଥା ବାଧେ ।

ପ୍ରିୟତମ-ମରଣେ ନୋହିଲେ ନାରୀ-ଜନେ କିପାଁ ପଡ଼ନ୍ତେ ବହିମଧ୍ୟେ । ସହଚରୀ ।

ଏ କଳାନିଧି ଯେ କଳାରେ ।

କୁମୁଦେ ତୋଷେ ତା ବାହାରେ ।

ପ୍ରସରଇ ଯହିଁରେ ବିରହି-ଜନ ମାରେ ତା ଲାଗିଥାଇ ତା ଶରୀରେ । ସହଚରୀ । ୩୫ ।

 

ମୋର ବଚନ ବୋଲି ପୁଚ୍ଛ ଶଶିକି ଆଳି ଏ ଦାହ-ଗୁଣ ଶିକ୍ଷାପାଇଁ ।

ଶୁଳ-ଧରାର ଗଳା ପକାଇବାରେ କଳା କୁଶଳ ଗରଳକୁ କେହି । କଲା ଗୁରୁ ।

ଅଥବା ବାଡ଼ବ-ଅନଳ ।

ଯେ ଥାଏ ତା ପିତା ଉଦର ।

ତାର ତହୁଁ କି ଏହା ଶଖି ହୋଇ ଉତ୍ସାହୀ ବିରହିନାଶେ ଆଗୁଁ ସାର । ହୋଇଅଛି । ୩୬ ।

 

ବିଯୋଗିନୀ-ଅଙ୍ଗନା-ନାଶ-ପାତକୁଁ ସିନା ହେଲା ଭ୍ରମରୋଗ ଏହାର ।

ତେଣୁ ଭ୍ରମି ଭ୍ରମିଣ ଲଭେ ଆପେ ପତନ ଅସିତ-ନିଶା-ନିଳାପର । ତା ଶରୀର ।

ସହି ନପାରି ସେ ବିଘାତ ।

ଛିଟିକି ହୋଇ ଚୂର୍ଣ୍ଣୀଭୂତ ।

ନଭସ୍ଥଳ ବ୍ୟାପଇ ତାକୁ ତାରକା କହିଥାନ୍ତିଟି ସକଳେ ନିୟତ । ସହଚରୀ । ୩୭ ।

 

ମୁଁ କହିଅଛି ବୋଲି ବୋଲ ଶଶିକି ଆଳି କିପାଁ ସେ କରେ ଏ ଅନୀତି ।

ଲକ୍ଷ୍ମୀ ଆଦି ଯାହାର ଉଦରୁ ଅବତାର ଏ ପରା ସେ ସିନ୍ଧୂ-ସନ୍ତତି । ତେଡ଼େ କୁଳେ ।

ଜନମି କରେ କେହି ଏହା ।

ନଘେନୂ ପଛେ ମନେ ତାହା ।

ମହାଦେବର ଶର ପରେ ବିହରିବାର ଲୋକକୁ ସାଜେ ନିକି ଏହା । ସହଚରୀ । ୩୮ ।

 

ସିନ୍ଧୁମନ୍ଥନ-କାଳେ ସାଗରେ ସୁରାସୁରେ ମନ୍ଦର ଆଣି ପକାଇଲେ ।

ସେ ଗୁରୁଭାର ପାତ ଘାତେ ତନୁ ଚୂର୍ଣ୍ଣିତ ନୋହି ରହିଲା କେହି ଭଲେ । ଏ ଶଶିର ।

ଅଗସ୍ତି ପରା ସିନ୍ଧୁଜଳେ ।

ଚଳୁକେ ପାନ କରିଥିଲେ ।

ଏ ତାଙ୍କ ଗର୍ଭେ ପଶି ଜଠରାନଳେ ଧ୍ୱଂସି ନୋହିଲା କେଉଁ ପୁଣ୍ୟବଳେ । ସହଚରୀ । ୩୯ ।

 

ଜୀବିତ କାଳରେ ତ ମୋହରେ ଏହାଚିତ୍ତ କିଞ୍ଚିତ ନୋହିଲେ ପ୍ରସନ୍ନ ।

ବିନାଶେ ତ ଅବଶ୍ୟ ହୋଇବ ଏ ମୋ ବଶ ଏଣୁକି ପାଞ୍ଚୁ ମୋ ମରଣ । ଦୋଷାକର ।

ନାହୁଁ କି ଶୁଣି ମୂଢ଼ମତି ।

ବିବୁଧ-ସ୍ମର-ମୁଖୁଁ ଶ୍ରୁତି ।

ନଳ-ନୃପ ବଦନ-ଇନ୍ଦୁ-ବିହୀନେ ଆନ ଦମୟନ୍ତୀର ନାହିଁ ଗତି । ଦୋଷାକର । ୪୦ ।

 

ଏ ନିଜ-ନବ-ଯଶ-ରାଶି କର ପ୍ରକାଶ ସଂସାରେ ଡିଣ୍ଡିମ ବଜାଇ ।

ସଲିଳ-ନିଧି-କୁଳ କରତୁ ସମୁଜ୍ଜ୍ୱଳ ସ୍ୱକୀର୍ତ୍ତିକେତନ ଉଡ଼ାଇ । ଦୋଷାକର ।

ବଧୂ-ନିଧନ-ସମୁଦ୍ଭବ ।

ପୌରୁଷ ରାଶି କରଲାଭ ।

ମୋତେ ଏତେ କଦନ ଦେବାର କ୍ରୁରପଣ ବରଜ ଆଜୁଁ ନିଶାଧବ । ଦୋଷାକର । ୪୧ ।

 

ନ ଥିଲାକୁ ନଭରେ ସୂର ସିନା ନିଶାରେ ତାହାର ରୂପ ତୁହି ବହି ।

ନୀଚ-ସ୍ୱଭାବ-ବଶେ ଦୟା ନବହି ଲେଶେ ପକାଉ ଅଛୁ ମୋତେ ଦହି । ଦୋଷାକର ।

ଦିବସେ କରିବୁ ତୁ କିସ ।

ଯେବେ ଉଇଁବ ଦିବସେଶ ।

ସେ କାଳେ ତେଜେ ତା’ର ଦୁର୍ଦ୍ଦଶା ଦେଖି ତୋର ମୁଖୁଁ ମୋ ପ୍ରସରିବ ହାସ । ଦୋଷାକର । ୪୨ ।

 

ଭୂତ-ପତିର ଶିରେ ରହି ଜଳୁ ନିଶରେ ଅମୃତ ହୋଇ କେହି ତୁହି ।

ପୁଣି ଆନ ଜନର ମସ୍ତକ-କମ୍ପକର ଗୁଣ ସ୍ୱଭାବେ ଥାଉ ବହି । ଦୋଷାକର ।

ଏ ତୋ ପିଶାଚ-ପଣେ ଧନ୍ୟ ।

ନୋହିଲେ କି ଅବଳା-ଜନ ।

ମାଦୃଶ ଅନାଥିନୀ ହୃଦ-ଦଳନେ ପୁଣି ପ୍ରକାଶୁଥାନ୍ତୁ ବୀରଟାଣ । ଦୋଷାକର । ୪୩ ।

 

ଆମ୍ଭଶ୍ରବଣ ପୂର-ତମାଳ-ଦଳାଙ୍କୁର-ସକଳ ଏକ-ଠୁଳ କରି ।

ଶଶି-କୋଳ କୁରଙ୍ଗ-ବଦନେ ଦିଅ ବେଗ ଭକ୍ଷୁ ସେ କୁକ୍ଷି ଯାଉ ପୁରି । ସହଚରୀ ।

ପୂର୍ଣ୍ଣ-ଭୋଜନ-ବଶୁଁ ତା’ର ।

ଶରୀର ହେଉ ପୃଥୁତର ।

ତା ତନୁରେ ଏ ଶୀତ-ଭାନୁ ହେଉ ଆବୃତ ଲଭେ ମୁଁ ଶାନ୍ତି କ୍ଷଣକାଳ । ସହଚରୀ । ୪୪ ।

 

ଅସମୟେ ବିବେକ ପ୍ରସରଇ ଏ ଠିକ ପାଶକୁ ଆସି ଅମାଗଲା ।

ତେତେବେଳେ ତାହାକୁ ଅକଟି ରଖିବାକୁ କାହାର ବିଚାର ନୋହିଲା । ସହଚରୀ ।

ଏବେ ସେ ଆସିବଟି ଯେବେ ।

ଶୁଣିଥାଅ ସକଳେ ତୁମ୍ଭେ ।

ରଖିବା ତାକୁ ବାନ୍ଧି ତେବେ ଏ କଳା-ନିଧି-ମୁଖ-ଦେଖି ନୋହିବ କେବେ । ସହଚରୀ । ୪୫ ।

 

ସାଗର-ଶୋଷା ଋଷି ପାଶେ କି ପାଠ ଘୋଷି ନପାରେ ମୋ ଶିଶୁ ଚକୋର ।

ସେ ବିଦ୍ୟା ହେଲେ ତାର ତା ପାନକୁ ଶିକର ପ୍ରାୟ ହୁଅନ୍ତା ଶଶିକର । ସହଚରୀ ।

ନୋହିଲେ ଆଣି ମୋ ମୁକୁର ।

ପ୍ରାଙ୍ଗଣେ ରଖି ମୁଦୁଗର ।

ଧର ଗୋ କରେ କଷି ପଶିଲେ ତହିଁ ଶଶି ପ୍ରହାରି କର ତାକୁ ଚୁର । ସହଚରୀ । ୪୬ ।

 

ତେଡ଼େ ବଡ଼ ବାଡ଼ବଅନଳେ ଦେଲା ଠାବ ଉଦରେ ଏ ସରିତ-ପତି ।

କେନ୍ଦୁବତ ଇନ୍ଦୁକୁ ନୋହିକି ରଖିବାକୁ କ୍ଷମ ପକାଏ କରି ବାନ୍ତି । ସହଚରୀ ।

ସାଗର-ସମ୍ଭବ ଗରଳେ ।

ଗିଳିଲେ ଶୂଳୀ କୁତୂହଳେ ।

ଏ ପିୟୁଷ-କିରଣେ କିସ ବିଚାରି ମନେ ସଂସାରେ ନ ଗିଳି ରଖିଲେ । ସହଚରୀ । ୪୭ ।

 

ସେ ସିନ୍ଧୁ-ସମୁଦ୍ଭବ ଅସିତ ବିଷ ଶିବ ଏକମାତ୍ରକେ କଲେ ପାନ ।

ଲୋକଲୋଚନେ ତାର ନୁହଁଇତ ଗୋଚର କାହିଁ କେବେହେଁ ଚିହ୍ନବର୍ଣ୍ଣ । ସହଚରୀ ।

ସୈନ୍ଧବ ସିତ-ବିଷ ଶଶି ।

ସକଳ ଦେବେ ଯାନ୍ତି ଗ୍ରାସି ।

ଥରକୁଥର ଶେଷ ହେଲେହେଁ ନୋହି ନାଶ ପୁଣି ଏ ଆସଇ ବିକଶି । ସହଚରୀ । ୪୮ ।

 

ସୁଧାନିଧି ସିନାଏ ସୁଧାତ ଦେବତାଏ ଶୋଷିଥିବାରୁ ସୁଧା ନାହିଁ ।

ବିରହି-ନାଶ-ଜାତ-ପାତକ ଅଙ୍କବତ ଅଙ୍କେ ମାତ୍ର ତା ଅଛି ରହି । ସହଚରୀ ।

ଏମନ୍ତ ଶଶିକି କେମନ୍ତେ ।

ଦୈବଜ୍ଞ ସୁବୁଦ୍ଧି ପଣ୍ଡିତେ ।

ଅପାପ ଗ୍ରହ ବୋଲି ବଖାଣୁ ଥାନ୍ତି ଖାଲି ଏହା ବିଚାରୁ ଥାନ୍ତି ଚିତ୍ତେ । ସହଚରୀ । ୪୯ ।

 

ବହୁଳ ମାନ ଲାଭ କରି ବିରହଭବ-ବ୍ୟାଧି-ପୀଡ଼ିତ ଜନୁଁ ସହି ।

କୃଷ୍ଣପକ୍ଷ ସଂସାରେ ବିରାଜି ପ୍ରଶଂସାର ବହୁଳ ନାମ ଅଛି ବହି । ଯେଉଁ ତିଥି । ।

ବିରହି-ଜନଙ୍କ ବଦନେ ।

ଅମାପ ମାନ ଦିନୁଁ ଦିନେ ।

ଅରଜୁଛି ତାହାର ଅମା ବୋଲାଇବାର ବୃଥା ନୁହଁଇ ଘେନ ମନେ । ସହଚରୀ । ୫୦ ।

 

ନିଜ-ଅରି-ଶ୍ରୀହରି-କରର ତୀକ୍ଷ-ଅରି-ଭ୍ରମରେ ସ୍ୱର୍ଭାନୁ ଶଶିକି ।

ବଳିକରମ୍ଭ ସରି ଗରଭ-ଗତ କରି ପୁଣି ପଛକୁ ବିଚାରି କି ? ଇନ୍ଦୁବୋଲି ।

ଉଦ୍‌ଗାରି ପକାଏ ରଭସେ ।

କିବା ନ ଉଦ୍‌ଗାରି-ଲେହେଁ ସେ ।

ଦେବା ମାତ୍ରକେ ଗଳି ତା ଛିନ୍ନ ଗଳୁ ଗଳି ପକାଏ ନ ମରି ଆକାଶେ । ସହଚରୀ । ୫୧ ।

 

ଅତି ସାରଲ୍ୟ ପଣେ ଏ ପୁରାବିଦଗଣେ ବୋଲନ୍ତି ଶ୍ରୀମଧୁସୂଦନ ।

ଚକ୍ରେ ରାହୁର ଶିର ଛେଦିଲେ ଭ୍ରମେ ହେଲେ ନ ବୋଲନ୍ତିତ କଦାଚନ । ସହଚରୀ ।

ବିରହି-ମୂଦ୍ଧ୍ୱ-ଭେଦ-କାରୀ ।

ନିଶ୍ଚୟ ଏ ଶ୍ରୀପତି ବୋଲି ।

ନ ଛିଡ଼ିଥିଲେ ରାହୁ ତାର ଜଠରେ ଆଉ ଥାନ୍ତାକି ଶଶାଙ୍କ ନ ମରି ? । ସହଚରୀ । ୫୨ ।

 

ମୃଗରୂପ ମଖର ଶର ଦର୍ପକପର ହର ଛେଦିବା-ମାତ୍ରକରେ ।

କୁସୁମ-କୋଦଣ୍ଡର ସୈାନ୍ଦର୍ଯ୍ୟ-ସଖା ସୁର-ବୈଦ୍ୟ ଯୁଗଳ ତତପରେ । ସେ ମୃଗର ।

ଶିର ଶରୀର ଯୋଡ଼ିଥିଲେ ।

ଏବେ କି କେହି ନାହିଁ ଭଲେ ।

ଯେ ଶଶାଙ୍କ-ରିପୁର ଶରୀରେ ଛିନ୍ନଶିର ପାରନ୍ତା ଯୋଡ଼ି ଅବହେଳେ । ସହଚରୀ । ୫୩ ।

 

ସମରେ ନଳଶର-ଛିନ୍ନ-ଶିର ରିପୁର କବନ୍ଧ ଊର୍ଦ୍ଧ୍ୱେ ଉତପିଛେ ।

ତା ଗଳାରେ ଉତ୍ପଳ-ବନ୍ଧୁ-ବଇରି-ଶିର ମିଳି ନ ଯାଏ କେହି ସ୍ୱଚ୍ଛେ । ସହଚରୀ ।

ସଦ୍ୟ-ଶୋଣିତ-ଲେପ-ବୋଳେ ।

ଦୁହେଁତ ମିଳନ୍ତେ ଚପଳେ ।

ଉଦର ହେଲେ ତାର ତହିଁ ଏ ଶଶଧର ହୁଅନ୍ତା ଜୀର୍ଣ୍ଣ ତତକାଳେ । ସହଚରୀ । ୫୪ ।

 

ଜରା ନିଶାଚରୀକି ପଚାର ଭଲା ଦେଖି ମଗଧେଶ୍ୱର ଜରାସନ୍ଧେ ।

ଜନ୍ମୁତ ବେନି ଫାଳ ହୋଇଥିଲା ଶରୀର ସେ ସିନା ଯୋଡ଼ିଲା ନିର୍ବନ୍ଧେ । ସହଚରୀ ।

ଅଛିତ କବନ୍ଧ କେତୁର ।

ତହିଁ ଏ ବିଧୁନ୍ତୁଦଶିର ।

ନ ପାରେ କିସେ ଯୋଡ଼ି ଏଥିକି ବୁଦ୍ଧି ଲୋଡ଼ିବାକୁ ତ ତାକୁ ନୁହେଁ ଦୂର । ସହଚରୀ । ୫୫ ।

 

ଏ ମୋର ଗିର ବୋଲି ରାହୁକୁ କହ ଆଳି ଶଶିକି ଦ୍ୱିଜରାଜ ଭାଳି ।

ଗିଳି ପୁଣି ବମନ କରଇ କି ବହନ ନ ଜାଣେ କିଏ ହୀନ ବୋଲି । ସଦାକାଳେ ।

ଲୋକେ ଦ୍ୱିଜରାଜ ବୋଲାଇ ।

ବାରୁଣୀ ସହିତ ରସଇ ।

ତେଣୁ ଲଭେ ପତନ ପୁଣ ଦିବେ ଗମନ ତାର ଉଚିତ କେହି ହୋଇ । ସହଚରୀ । ୫୬ ।

 

ଦ୍ୱିଜେ ଗରୁଡ଼ ଗିଳି ଗଳା ଉଠନ୍ତେ ଜଳି ଯଥା ଉଦ୍‌ଗାରି ଦେଇ ଥିଲା ।

ଗଳ-ପ୍ରଦାହ ଲଭି ଗିଳିବାବେଳେ ଦବି ରାହୁ ଆଉକି ବାନ୍ତିକଲା । ଏ ଶଶିକି ।

ଦ୍ୱିଜରାଜ ବୋଲି ବିଚାରି ।

ନ ଜାଣେ ସେତ ତଥ୍ୟକରି ।

ଦାହକ ଏ ସ୍ୱଭାବେ ଦ୍ୱିଜ ହେଲେ କି ଲବେ ନ ଥାନ୍ତା ମୋରେ ଦୟାକରି । ସହଚରୀ । ୫୭ ।

 

ବିରହିଣୀଙ୍କ ଜୀବ ଚର୍ବଣେ ତାରାଧବ ଶମନର ବିଚିତ୍ର ଯନ୍ତ୍ର ।

ବୋଲାଏ ଦ୍ୱିଜରାଜ, ଷୋଡ଼ଶ-କଳାବ୍ୟାଜ-ଦଶନ-ଦାମେ ଯେଣୁ ଦୀପ୍ତ । ସ୍ମର ମୁଖ ।

ଏ ସଦା, ହରନେତ୍ରାନଳେ ।

ଦହନ ହେଉ ସେ ଚପଳେ ।

ଓଟାରି ନେଇ ବିହି ଏହାକୁ ପାପ ପାଇଁ ଦେଇଛି ଲାଛି ଚାହାଁ କୋଳେ । ସହଚରୀ । ୫୮ ।

 

ଶଶିକି ନାନାମତେ ନିନ୍ଦାକରି ଏମନ୍ତେ ନିଷ୍ଫଳ ବୋଲି ବାଳୀ ଭାଳି ।

ନିନ୍ଦା କରଇ ମାରେ ଯେ ନିଜ ହୃଦୟରେ ରହି ନିରତ ଦିଏ ଜାଳି । ବୋଲେ ବାଳୀ ।

ଏ କି ତୋ ବିବେକରେ ମାର ।

ଅନଳ ପ୍ରାଏ ତୋ ବେଭାର ।

ମୋ ହୃଦେ ରହି ମୋତେ ଜାଳୁଛୁ ଯା ମୋ ଅନ୍ତେ କାହିଁ ରହିବୁ ତୁ ପାମର । ମନସିଜ । ୫୯ ।

 

ଯା’ରେ ତୁ ଦେଖାଦେଉ ଶୁଭ ତା ତେଣେଥାଉ ଅନ୍ଧ ସେ ହୁଏ ଏକାବେଳେ ।

ନିଜ-ବେନି-ନୟନ ତୁଲେ ତା ଶାସ୍ତ୍ର-ଜ୍ଞାନ-ନେତ୍ରର ଅୟନ ନ ଚଳେ । ମନସିଜ ।

ଏଣୁ ନୟନ-ତ୍ରିତୟର ।

ନାଶ-ଆଶଙ୍କା କରି ଦୂର ।

ସଂସାର ଶୁଭ ଚିନ୍ତି ତୋତେ ଅଦେହଭୂତି ଦେଖିଲା ମାତ୍ରେ ଦେଲେ ହର । ମନସିଜ । ୬୦ ।

 

ତୁ ରତି-ସହଚର ବୋଲନ୍ତିତ ସକଳ ରହିଛୁ ତୁ ତ ଦେହେ ମୋର ।

ତୋ ତୁଳେ ରତି ନାହିଁ ଥିଲେ ନ ଥାନ୍ତା କେହି ମୋ ଦେହେ ସହିତ ସେ ତୋର । ମନସିଜ ।

କେମନ୍ତେ ଅବା ତୋ ସଙ୍ଗତେ ।

ରହି ସେ ପାରିବ ଯୁଗତେ ।

ଦାହିତ ନାହିଁ ଦେହ ହେଲାବେଳେ ଅଦେହ ତୁ ହରନେତ୍ର-ବିତି-ହୋତ୍ରେ । ମନସିଜ । ୬୧ ।

 

ରତି-ବିରହ-ଦୁଃଖେ ସୁଖତ ନାହିଁ ରେଖେ ମାନସେ ତୋର ଫୁଲ-ଶର

ତାର ବିରହାନଳେ ଆତ୍ମପରଜ୍ଞାନରେ ଆହୁତି ଦେଇଛୁ ପାମର । ସେ ତପତି-।

ସଙ୍ଗତି ବଶୁଁ ତନୁ ତୋର ।

ନିରତ ତାପିତ ପାମର ।

ତେଣୁ ତୁ ହୃଦେ ମୋର ନିବାସ କରୁଁ ଘୋର-ତାପେ ଜଳୁଛି ମୋ ଶରୀର । ନିରନ୍ତର । ୬୨ ।

 

ଅତି-ପ୍ରଥ୍ଵତା-ପତିବ୍ରତା ତ ତୋର ରତି ସେତ ନ ମଲା ତୋର ତୁଲେ ।

ତା ପରା ଗୁଣବତୀ ତୋ ପରା ପାପ-ମତି-ପତି-ମେଳେ କି ଥାନ୍ତା ତିଳେ । ମନସିଜ ।

ନାଶୁଛୁ ଅସଂଖ୍ୟ ବିରହୀ ।

ସେ ପାପେ ତନୁ ତୋର ଦହି ।

ହୋଇଗଲାରେ ଖଳ ଅଦୋଷୀ ସେ ଯୋଷାର ଦହନ ହୁଅନ୍ତା କିପାଇଁ । ମନସିଜ । ୬୩ ।

 

ଜିତେନ୍ଦ୍ରିୟ ସୁଗତ ତୋତେ କରି ପରାସ୍ତ ତୋ କୀର୍ତ୍ତି-କାନ୍ତି ନାଶିଛନ୍ତି ।

ଅବଶିଷ୍ଟ ଶରୀର ହେବାରୁ ତୁ ବଇର ଗିରିଶ ଜାଳି ଦେଇଛନ୍ତି । ମନସିଜ ।

ପୁଷ୍ପେ ମହେଶେ ହଂସି ତୋର ।

ଦୁର୍ଦ୍ଦଶା ଦେଖି ନିରନ୍ତର ।

ବାରେ କି ନୀତିଶାସ୍ତ୍ର ‘ନୁହଁ ବିବାଦେ ରତ କୌତୁକେ ହେଲେ ମାରିଫୁଲ’ । ବୋଲିଜନେ । ୬୪ ।

 

ଆନ ଦେବଙ୍କ ପରି ତୁ ତ ରେ ସମ୍ବରାରି ଅମୃତ ପିଇ ମୃତ ନୋହୁ ।

ତଥାପି ହରନେତ୍ର-ବିତିହୋତ୍ରେ କେମନ୍ତ ଜଳିଣ ଗଲୁ ଚାହୁଁ ଚାହୁଁ । କହିବୁକି ।

ଏବେ ଅମୃତପାନ କାଳେ ।

ନ ଥିଲି ବୋଲି ଦେବ ମେଳେ ।

ଯେଣୁ ସେ ସୁଧା ରତି-ବଦନାମୃତ-ପ୍ରତି ନୁହଁଇ ସ୍ୱାଦେ ସମ ତିଳେ । ଖଳବୁଦ୍ଧି । ୬୫ ।

 

ଭୁବନ-ତ୍ରୟେ ଯେତେ ଜନଛନ୍ତି ସମସ୍ତେ ତୋ ତାପେ ଦହି ହେଉଥାନ୍ତି ।

ସେ ପାପ ଯୋଗେ ହର-ନେତ୍ର-ଅନଳେ ଖଳ ଜଳି ଲଭିଛୁ ପ୍ରେତଗତି । ମନସିଜ ।

ମାଦୃଶ ବିରହିଣୀ-ଜନେ ।

ଲାଗିଥାଉ ତୁ ଅନୁକ୍ଷଣେ ।

ନ ରହୁ ଥୟ ହୋଇ ଠାବତ ନାହିଁ କାହିଁ ତୋହର ଏ ତିନି ଭୁବନେ । ମନସିଜ । ୬୬ ।

 

ନ ଘେନୁ କିପାଁ ପ୍ରାଣ କରୁ କେହି କଦନ ମୋତେ ଏମନ୍ତେ ଅବିରତ ।

ଦେଖି ମୋ ଦୁଃଖ ଘୋର ନୁହେଁ କି ଚାପ ତୋର କରରୁ କୃପାରେ ସ୍ଖଳିତ । ମନସିଜ ।

ଜୀବ ତ ନାହିଁ ତୋ ଶରୀରେ ।

ଜୀବନ ଯିବା ସମୟରେ ।

ପଡ଼ିଛି ଯେଉଁ ମୁଷ୍ଟୀ ସେ କାହିଁ ଫିଟିବଟି ଖସିବ ଚାପ କି ପ୍ରକାରେ । କରୁ ତୋର । ୬୭ ।

 

ଅନ୍ୟ ଦେବ ସେବିଲେ ଅପମରଣ ତୁଲେ ଅନ୍ଧତା ବିରୂପତା ଯାଏ ।

ଭଲା ଦେବତା ତୁହି ତୋତେ ଯେ ସେବୁଥାଇ ତା ଲାଭ କହି ସାରି ନୁହେଁ । ମନସିଜ ।

ପ୍ରଥମେ ସମ୍ଭବେ ଅନ୍ଧତା ।

ମଧ୍ୟମେ ବପୁ ବିରୂପତା ।

ଅନ୍ତିମ ସମୟକୁ ଆସେ ଶାନ୍ତି ଦେବାକୁ ପାଶେ ତା ମରଣ ଦେବତା । ମନସିଜ । ୬୮ ।

 

ଅତି ନୃଶଂସ ବୋଲି ବିଧାତା ତୋତେ ବାରି ଫୁଲେ ତୋ ଶରାସନ ଶର ।

ଦେଇଛି ଆଗୁଁ କରି ତହିଁ ହେଲେହେଁ ସାରି ଦେଉ ମହତ ସକଳର । ମନସିଜ ।

ଯେବେ ତୋ ଶର ଲୌହମୟ ।

କାର୍ମୁକ ଦୃଢ଼ ଅତିଶୟ ।

ଥାଆନ୍ତା ହୋଇ ତେବେ ଏ ସଂସାର କି ଏବଯାଏ ରହନ୍ତା ନୋହି କ୍ଷୟ । ମନସିଜ । ୬୯ ।

 

ତୋର ବଇରୀ ହର ଯେମନ୍ତ ପେଷି ଶର ତ୍ରିପୁର ତିଳେ ଦେଲେ ଦହି ।

ତେମନ୍ତ ପୁର ତ୍ରୟ କରିବୁ ତୁହି କ୍ଷୟ ଏମନ୍ତ ଆଶଙ୍କାରେ ବିହି । ମନସିଜ ।

ପୁଷ୍ପେ ତୋ ଶର ଶରାସନ ।

ବିରଚି ନୋହି ଥୟ ମନ ।

ସେ ପୁଷ୍ପେ ମଧୁ ଦେଇ ଅଛି ନୋହିବ ଦହି ବୋଲି ବିରହୀ-ଜନ-ପ୍ରାଣ । ମନସିଜ । ୭୦ ।

 

ସୂକ୍ଷ୍ମତ ଜନ-ମନ ନ ପଡ଼ଇ ନୟନ-ପଥେ ସେ ନିରେଖି ଚାହିଁଲେ ।

ନୁହେଁ ତ କେବେ ଥୟ ଏଣୁ କି ପିତାମହ ତାକୁ ତୋ ଲାଖ ସମ୍ପାଦିଲେ । ମନସିଜ ।

ସେ ମଧ୍ୟ ଯାଏ ଦଳି ହୋଇ ।

ତୋ ଶର-ମୁନ ଗଳୁଁ ତହିଁ ।

ହେଲେହେଁ ଅଶନି ସେ ଏ ଫୁଲଶର-ପ୍ରାସେ ରହନ୍ତା କେହି ଚୁରି ନୋହି । ମନସିଜ । ୭୧ ।

 

ଶର ତୋର ସୁମନେ ବିରଚିଲେହେଁ ମନେ ଶାନ୍ତି ନ ଭଜି ବିହି ତୋତେ ।

ଦେଲା ପଞ୍ଚମାତ୍ରକ ତହିଁ ହେଲେ ତୁ ଦକ ଜନ୍ମାଉଁ ଏ ବିଶ୍ୱଜଗତେ । ମନସିଜ ।

ଏ ଯେଉଁ ପଞ୍ଚସ୍ମର-ତରୁ ।

ଦେବଙ୍କୁ କେତେ ବା ବିତରୁ-।

ନାହାନ୍ତି ପୁଷ୍ପ ? ତୋତେ ହୀନ ବିଚାରି ଚିତ୍ତେ ଦିଅନ୍ତି କି ବେଶି ପଞ୍ଚରୁ । ଧିକ ତୋତେ । ୭୨ ।

 

ଦିବ୍ୟ ସୁମନ-ଶରାସନ ବିଧାତା ପରା ବିତରି ଥିଲା ଆପେ ତୋତେ ।

ତାହାର ଦୁରାଚାର-ପଣ ଦେଖି ସତ୍ୱର ନେଲା କି ତା ତୋ କରୁ ସତେ । ମନସିଜ ।

ତହିଁ ବା ଲାଭ ହେଲା କିସ ।

ଏକସ୍ଥାନେ ବେନି ପ୍ରକାଶ ।

ପାଇଲା ଏତେ ମାତ୍ର ଯାହା ନଳ-ଭୁଭୃତ-ବଦନେ ଭ୍ରୂଲତା ବିଳାସ । ମନସିଜ । ୭୩ ।

 

ନନ୍ଦନ-ବନଚାରୀ ଷଡ଼ ଋତୁଏ ମିଳି ଷଡ଼ସୁମନ ତୋତେ ଦେଲେ ।

ତହୁଁ ଏକରେ ଚାପ ଆନ ପଞ୍ଚରେ ରୋପ ପଞ୍ଚଭିଆଉ ତୁହି ଭଲେ । ମନସିଜ ।

ଅନଙ୍ଗ ହେଲୁ ଯାହା ତୁହି ।

ତାହା ଜଗତ ହିତପାଇଁ ।

ଦୃଢ଼େ ଶ୍ରୁତି-ମୂଳକୁ କର୍ଷିତ ତୋ ଶରକୁ ନୋହିଲେ ସହନ୍ତା କି କେହି । ଏ ଜଗତେ । ୭୪ ।

 

ଶର ମାରୁ ଶଙ୍କରେ ତାଙ୍କ ନେତ୍ର ଅନଳେ ସେ ଶରସଙ୍ଗେ ଗଲୁ ଜଳି ।

ତଥାପି ଗଲୁ ରହି ତୁହି ଅନଙ୍ଗ ହୋଇ ତୋ ଶର ହେଲା ତୋହ ଭଳି । ମନସିଜ ।

ଏ ଯେ ପଞ୍ଚମ ପିକ-ସ୍ୱର ।

ନିଶ୍ଚୟ ସେ ତୋ ପଞ୍ଚଶର ।

ଅନଙ୍ଗ-ଦଶା ତୋର ବିଲୋକି ସେ ଶରୀର ଲୁଚାଇ ହେଲେ ଅଗୋଚର । ମନସିଜ । ୭୫ ।

 

ତୋତେ ନୟନାନଳେ ଜାଳି ଦେବାର କାଳେ ଶୂଳ-ଧରଙ୍କ ଶ୍ରମ ଯେତେ ।

ସେ ଏ ଅଭାଗିନୀର କପାଳକୁ ବିଫଳ ଗଲା ହୋଇ କିଞ୍ଚିତ ମାତ୍ରେ । ମନସିଜ ।

ଜଳିଯିବାର ସଙ୍ଗେ ସଙ୍ଗେ ।

ଦେବଙ୍କ ଶୁଭ ପାଇଁ ସ୍ୱର୍ଗେ ।

ତେଜେ ଦହି ଯାହାର ହେଲୁ ତନୁ ତାହାର ଆଶ୍ର ହୋଇଲୁ ଜାତ ବେଗେ । ମନସିଜ । ୭୬ ।

 

ସୁଧାକର ଉଦିତ ହେଲେ ବିରହୀ ବ୍ରାତ ରହନ୍ତି ପରାଙ୍ମୁଖ ହୋଇ ।

ଦକ୍ଷିଣ-ଦିଶାଗତ ମନ୍ଦ ମଳୟ-ବାତ ଦକ୍ଷିଣ ତାହାକୁ ନୁହଁଇ । ମନସିଜ ।

ଏକା ଯେବେ ତୁ ତେତେବେଳେ ।

ଲକ୍ଷି ତାହାଙ୍କ ହୃଦ-ସ୍ଥଳେ ।

ଶର-ସନ୍ଧାନେ ଗୁଣ-କରଷଣୁଁ ସୁମନ-ଚାପ ଆମଞ୍ଚୁ ଭୁଜବଳେ । ମନସିଜ । ୭୭ ।

 

ଅନ୍ଧ ତୁ ମଦ-ମୋହେ ଯମ ବିରହି ଚୟେ ତେଣୁ ତୋତେ କି ଏକା ନାଶି ।

ଅନ୍ଧକାରି ସ୍ମରାରି ମୃତ୍ୟବିଜୟକାରୀ ନାମ ବହିଲେ କାଶିବାସୀ । ମନସିଜ ।

ତୋ ସମ ପର-ଅପକାରେ ।

କୁଶଳ ନାହିଁ ତିନିପୁରେ ।

ଜାଳିଛୁ ନିଜ ଦେହ ଆଲିଙ୍ଗି ତହିଁ ଦାହ କରିବା ପାଇଁ ସକଳରେ । ମନସିଜ । ୭୮ ।

 

ଭୁବନ-ତ୍ରୟ-ଶାନ୍ତି ବିଚାରି ପଶୁପତି ତୃତୀୟ-ନେତ୍ର-ବୀତିହୋତ୍ରେ ।

ଯାହାଟି ତୋତେ ଘୃତ କଲେ ଏଥି ଉଚିତ-ଇତର ନାହିଁଟି କିଞ୍ଚିତେ । ମନସିଜ ।

ଥିଲା ତୋ ସଖା ମଧୁ ଏକା ।

ପଡ଼ିଲା ନାହି ସେ ତ ଦେଖା ।

ତା ଭ୍ରମେ ମଧୁନାମ ଦୈତ୍ୟ ପୁରୁଷୋତ୍ତମ ନାଶିଲେ କି ହେଲା ଅଧିକା । ମନସିଜ । ୭୯ ।

 

ନଳ-ଅଧରାମୃତେ ଆଶାୟୀ ଅବିରତେ ସେ ବରବର୍ଣ୍ଣିନୀ-ବଦନ ।

ଏହିମତି କେତେକ ବଚନ କହି ଠକ ବିଶୁଷ୍କ ହୋଇଲା ବହନ । ସାଧୁଚନେ ।

ତା ଚାହିଁ ବିବେକ ଏମନ୍ତ ।

ପ୍ରସରଇ କି ରତିକାନ୍ତ ।

ଶୁଣି ପରୁଷଗିର ରୋଷେ ଶୋଷଣ-ଶର ପେଷନ୍ତେ ହୋଇଲା ଏମନ୍ତ । ସାଧୁଜନେ । ୮୦ ।

 

ସ୍ମର-ଶର-ପତନେ ମରମ ଅବିଚ୍ଛନ୍ନେ କ୍ଷତ ବିକ୍ଷତ ହେଲା ଯେଣୁ ।

ଆଉ ବହୁ-ବଚନ ରଚନେ ଗୋରୋଚନ-ଗୋରୀ ନୋହିଲା କ୍ଷମ ତେଣୁ । ସାଧୁଜନେ ।

ପ୍ରିୟ-ସଜନୀ-ଜନମାନେ ।

ପ୍ରବୋଧ କରନ୍ତି ବଚନେ ।

ବଳାଉଥିଲା ଥରେ ଥରେ ତାଙ୍କର ଗିରେ ମନ ଏକା ଉତ୍ତର-ଦାନେ । ନିରୁପମା । ୮୧ ।

 

ଭାଷୁଁ ଅଳିଏ, ‘‘ସଖି କିପାଁ ତୁ ଏତେ ଦୁଃଖୀ ସ୍ୱଭାବ ସୁଲଭ ଧୈର୍ଯ୍ୟରେ ।

ଏ ନିଦାରୁଣ-ଫୁଲବାଣ-ବଦନୁଁ ତୋର ପ୍ରାଣକୁ ରକ୍ଷାକର ବାରେ । ସୁକୁମାରୀ ।’’

ତା ଶୁଣି ଭାଷେ ବହି କୋହ ।

‘‘ଯାର ରକ୍ଷଣ ମୋତେ କହ ।

ସେତ ମୋର ବଇରି ସଙ୍ଗିନୀ ହୋଇ କରି କେହି ଏ ଉପଦେଶ ଦିଅ । ସହଚରୀ’’ । ୮୨ ।

 

‘‘ଆମ୍ଭଗିରତ କେବେ ନ ଅବହେଳୁ ଲବେ ତୋ ହିତ କହୁଁ ଘେନ ଏବେ ।

ଉନ୍ମାଦିନୀ ନହୁଅ ଜୀବ ନତେଜି ଦିଅ’’ ଏମନ୍ତେ ସଖି ଗିରେ ଯେବେ । ଚାରୁଶୀଳା ।

ଭାଷଇ ‘‘ଆଗୋ ସହଚରୀ ।

ଯେବେ ତୁମ୍ଭେ ମୋ ହିତକାରୀ ।

ଜାଣୁ ଜାଣୁ ଯେ ମୋର ରିପୁ ରକ୍ଷଣେ ତାର ବଳାଅ ମୋତେ ଏତେକରି ? କେହିସତେ’’ । ୮୩ ।

 

‘‘ଏହି ପରା ଅମୃତ-କିରଣ ତାରାକାନ୍ତ ଏହାର କରେ ଗୋ ସଙ୍ଗାତ ।

ହେଉ ଆତୁର କେହି ଏକି ତୋ ଯୋଗ୍ୟହୋଇ ସୁଧୀରା-ହୀରା ପରା ତୁ ତ । ରସାଳସା’’ ।

ଏମନ୍ତ ସଖିବାଣୀ ଶୁଣି ।

ସେ ଭୁରୁଶୋଭୀ ଭାଷେ ବାଣୀ ।

‘‘ଏ ଅମୃତ-କରର ମୃତ ହୋଇଲେ କର ମୋତେ ତାପନ୍ତା କେବା ପୁଣି । ସହଚରୀ’’ । ୮୪ ।

 

‘‘ଅହେତୁ ଭୀତି ତେଜ ଧର ହୃଦୟେ ଧୈର୍ଯ୍ୟ ରେ ସଖି ଏ ଶୀତ-ମୟୁଖ’’ ।

ଏମନ୍ତ ବୋଲୁ ଅଳୀ କିଞ୍ଚିତ ବରବାଳୀ ଚଳି ଭାଷଇ ମୋଡ଼ି ମୁଖ । ସହଚରୀ ।

‘‘କହୁଛତ ଶୀତାଶୁ ବୋଲି ।

ତୁଷାଗ୍ନ ସମ କରେ ଜାଳି ।

ଦେଉଛି ଏତ ମୋତେ; ଅନୁଭବେ କେମନ୍ତେ ତୁମ୍ଭ ବଚନେ ଯିବି ଭୁଲି । ସହଚରୀ’’ । ୮୫ ।

 

‘‘ଆମ୍ଭ ଶର ଶପଥ ପକାଇ ପ୍ରାଣମ ତ କହୁଛୁଁ ନିୟତ ବଚନ ।

ତୁ ଅଛୁ ଶଶିକରେ ଏ ମିଥ୍ୟା ନୁହେଁ ତିଳେ’’ ଏମନ୍ତ କରିଣ ଶ୍ରବଣ । ସଖିମୁଖୁଁ ।

ଭାଷଇ ନୃପତି ଦୁଲାଳୀ ।

‘‘ତା ଗୁଣ ଜାଣିଲିଣି ବୋଲି ।

ଅଙ୍ଗେ ଲାଗି ବାହାରେ ଦହୁଛି ନିରନ୍ତରେ ଭିତର ଦେଉଅଛି ଜାଳି । ସହଚରୀ’’ । ୮୬ ।

 

‘‘ବିଧୁ ବିରୋଧି-ତିଥି ଯାମୁଖେ ସଦାସ୍ଥିତି କରାଇ ସେହି ବନପ୍ରିୟ ।

ରାବୁଛି ଏବେ ସଖି ତା ବାଣୀ ଶୁଣି ଦୁଃଖୀ ନୁହ ତୁ ସେ ପରା ତୋ ପ୍ରିୟ । ମନୋରମା’’ ।

ଏମନ୍ତ ସଖି ମୁଖୁଁ ଶୁଣି ।

ଭାଷଇ ନୃପତି-ନନ୍ଦିନୀ ।

‘‘ଅର୍ଥ ବୈଚିତ୍ର୍ୟେ ମୋର କି ପ୍ରୟୋଜନ ତାର ବାଣୀ ଦେଉଛି ମୋତେ ହାଣି । ସହଚରୀ’’ । ୮୭ ।

 

‘‘ତୋର ପ୍ରିୟ ବଲ୍ଲଭ ହୃଦୟରୁ ତ ଲବମାତ୍ରକ ଅନ୍ତର ନୁହଁନ୍ତି ।

ତେବେ କାହିଁକି ସହି ଏମନ୍ତ ହେଉ ଦହି ତୁ ପରା ଧୀରା-ଶିର ମୋତି । ମନୋରମା’’ ।

ଏମନ୍ତ ଶୁଣି ସେ ଭାଷଇ ।

‘‘ଅନ୍ତରେ ସିନା ଛନ୍ତି ସେହି ।

ନଦେଖେଁ ତ ବାହାରେ ତେଣୁ ହୃଦ କୋହରେ ମୋହର ନିରତ ଜଳଇ । ସହଚରୀ’’ । ୮୮ ।

 

‘‘ଅଙ୍ଗ ତାତିରେ ତୋର ଛାତି-ମୁକୁତା ହାର ଯାଉଛି ଫାଟି ଗୋଟି ଗୋଟି ।

ଅନଳଙ୍କୃତ ହୋଇ ରହିଛୁ ପ୍ରିୟସହି ଯାଉଛି ଆମ୍ଭ ନେତ୍ର ଫୁଟି । ହେମଗାତ୍ରୀ’’ ।

ଅନଳଙ୍କୃତ କଥା ଶୁଣି ।

ସଖିଙ୍କ ମୁଖୁଁ ବାଳାମଣି ।

ବୋଲଇ ‘‘ତାଙ୍କୁ ବିହି ଯେବେ ନେବ ଛଡ଼ାଇ ବଞ୍ଚିବି ଆଉ କେହି ପୁଣି । ସହଚରୀ’’ । ୮୯ ।

 

ବାଧାତ ଅତିଶୟ ବଳିଥିଲା ହୃଦୟ-ଦେଶରେ ମଦନ-ଅନଳ ।

ଜଳୁଥିଲା ପ୍ରବଳେ ଜୀବିତ ଆଶା ତିଳେ ପତିଲାଭେ ଥିଲା କେବଳ । ସାଧୁଜନେ ।

ତାଙ୍କୁ ନ ଲଭିବାର ଚିନ୍ତା ।

ଅଳିକ ହେଲେହେଁ ସର୍ବଥା ।

ତାହା କଥା-ପ୍ରସଙ୍ଗେ ଚିତ୍ତେ ପଡ଼ନ୍ତେ ବେଗେ ବରାଙ୍ଗୀ ହୋଇଲା ମୁର୍ଚ୍ଛିତା । ସାଧୁଜନେ । ୯୦ ।

 

ଦେଖି ମୋହ ସହିର ସଙ୍ଗିନୀଏ କାତର ହୋଇ ସେବାରେ ତରତରେ ।

ଲାଗିଲେ, କେହି ଧାଇଁ ମୁଖେ ସଲିଳ ଦେଇ କେ ବିଞ୍ଚୁଥାଏ ଧୀରେ ଧୀରେ । ହୃଦୟକୁ ।

କେ ଅବା ସରସଜଦଳେ ।

ଆବରେ ଉରଜ-ଯୁଗଳେ ।

ଆଣି ତୁଷାର ବରବାଳୀର ଶ୍ରୀଅଙ୍ଗର କେଅବା ଲେପଇ ସଧୀରେ । ସାଧୁଜନେ । ୯୧ ।

 

ଶୀତଳ ଜଳ ସୁକୋମଳ କମଳ ନାଳ ଏ ଆଦି ଉପଚାର ଘେନି ।

ତୁଳା-କୋମଳାଙ୍ଗିର ଶୁଶ୍ରୁଷା ନିରନ୍ତର କରନ୍ତେ ସହଚରୀ ଶ୍ରେଣୀ । ସାଧୁଜନେ ।

ସେ ମହୀପତି-ପୁତ୍ରୀ-ଗାତ୍ରେ ।

ଚେତା ସଞ୍ଚରିଲା ତୁରିତେ ।

ତା ଚାହିଁ କେ ବୋଲଇ ‘ଦେଖ ଗୋ ‘କଳା’ ସହୀ ଶ୍ୱାସ ବହଇ ନାସାପ୍ରାନ୍ତେ । ଧୀରେ ଧୀରେ’ ।

 

କେ ବୋଲେ ‘‘ଆଗୋ ‘ଚଳା’ ଏଣେ ଇକ୍ଷଣ ଚଳା ଇକ୍ଷଣ-ପକ୍ଷ୍ମଚଳିଲାଣି’’ ।

କେ ବୋଲେ ‘‘ଗୋ ‘ମେନକା’ ଓଷ୍ଠ କମ୍ପୁଛି ଏକା ପରଖ ଧୀରେ ଦେଇ ପାଣି’’ । କେ ବୋଲଇ ।

‘‘କଳ୍ପଲତା ତୁ ଏଣେ ଶୁଣ ।

କି କି କହୁଛି ଜୀବଧନ’’ ।

କେ ବୋଲେ ‘‘ ‘ଚାରୁମତି’ ଆବର ଲୋ ଝଟତି ଚେଳଅଞ୍ଚଳ ଚାଳି ସ୍ତନ । ସଯତନେ’’ । ୯୩ ।

 

‘‘ଦିଅ କେଶ କୁଣ୍ଡାଇ ‘କେଶିନୀ’ କେ ଭାଷଇ କେ ଭାଷେ ‘‘ଆଲୋ ତରଙ୍ଗିଣି ।

ସହିର ଗଣ୍ଡବାହୀ ଲୋତକ-ଧାରା-ଦୁଇ ପୋଛ ସୃଝୀନ ବାସ ଘେନି’’ । ଏହିମତି ।

ବିପୁଳ କଳକଳ ଧ୍ୱନି ।

ଶ୍ରବଣେ ପଡ଼ନ୍ତେ ସେକ୍ଷଣି ।

ଅନ୍ତଃପୁରକୁ ଦର ବିଦର୍ଭ-ପୁରନ୍ଦର ବହି ବିଜୟ କଲେ ପୁଣି । ସାଧୁଜନେ । ୯୪ ।

 

ଯାହାଙ୍କ ବୁଦ୍ଧିବଳେ ଦୋଷ ନ ପଶେ ତିଳେ କନ୍ୟାନ୍ତଃପୁରେ କଦାଚନ ।

ସେ ମନ୍ତ୍ରୀ ବୈଦ୍ୟ ବେନି ବିଜୟ ବେଳ ଜାଣି ନୃପେ କରନ୍ତି ନିବେଦନ । ଏକବାକ୍ୟେ ।

‘‘ଅବଧାନ ହେଉ ଶ୍ରବଣେ ।

ସୁଶ୍ରୁତ ଚରକ-ବଚନେ ।

ବୁଝିଅଛୁଁ ନିଶ୍ଚିତ ନୋହିବ କଦାଚିତ ହିତ ନଳଦ ବିନା ଆନେ । ମହାରାଜ’’ । ୯୫ ।

 

ବେନିଜନ-ବଚନ ହୋଇଲେହେଁ ସମାନ ଅର୍ଥେ ପାର୍ଥକ୍ୟ ରହିଥିଲା ।

ସୁତା-ଆଶଙ୍କା ଚିନ୍ତି ଅତି ବିକଳମତି ଭୂଭୃତେ ତା ବୁଝି ନୋହିଲା । ଅନ୍ତଃପୁରେ ।

ପ୍ରବେଶୁଁ ଭୂପ ଦମୟନ୍ତୀ ।

ପିତା-ପୟରେ କଲା ନତି ।

ଜାଣି ନୃପ-ବିଜୟ ବିରହ-ଚିହ୍ନ-ଚୟ ଲୁଚାଇ ଦେଇଥିଲେ ଧାତି । ସଖୀଜନେ । ୯୬ ।

 

ବିରହ-ଚିହ୍ନ-ତତି ନ ଦେଖିଲେହେଁ ପୁତ୍ରୀ-ଗାତ୍ରରେ ନୃପତି କିଞ୍ଚିତ ।

ତା ତନୁ ଲୋକନରେ ଏତ ବିରହ ଜ୍ୱରେ ଜୀର୍ଣ୍ଣା ବୋଲି ଭାବିଲେ ଚିତ୍ତ । ସାଧୁଜନେ ।

ବିଚକ୍ଷଣର ରୀତି ଏହି ।

ନ କହିଲେହେଁ ମଧ୍ୟ କେହି ।

ଆକାର-ଇଙ୍ଗିତରୁ ତାଙ୍କ ନେତ୍ର-ପଥରୁ କିଛି ନ ପାରେ ଲୁଚି ରହି । ସାଧୁଜନେ । ୯୭ ।

 

ଅବନତ-ବଦନେ ଜନକ-ସନ୍ନିଧାନେ ଉଭାତ ହୋଇଥିଲା ସୁତା ।

ମସ୍ତକ ଟେକି ତାର ମୃଦୁ ମଧୁର ଗିର ଭାଷିଲେ ଧୀରେ ଧୀରେ ପିତା । ‘‘ଆୟୁଷ୍ମତି ।

ଅଳପଦିନେ ଆଗୋ ମାତ ।

ସୁଗୁଣବନ୍ତ ମନୋମତ ।

ବରକୁ ସ୍ୱୟମ୍ୱରେ ବରିବୁ କିଞ୍ଚିତରେ ଦୁଃଖିତ ନକର ତୁ ଚିତ୍ତ । ଆୟୁଷ୍ମତି’’ । ୯୮ ।

 

ଆଳିଙ୍କି ତଦନ୍ତରେ ଭାଷନ୍ତ ନୃପ ଧୀରେ ‘‘ଦେଖ ଏ ଶୀତ ହେଲା ଗତ ।

ଏହାପରେ ବସନ୍ତ ହେଉଛି ଉପଗତ ଏଥି କୁସୁମ ଶରବତ । ଏହିମତି ।

କନ୍ୟାଙ୍କ ପାଇଁ ସବୁଦିନେ ।

ରହିଥିବଟି ସାବଧାନେ ।

ସେବା ଶୁଶ୍ରୁଷା ଉପଚାରର ଅଙ୍ଗ ଲେପ ନ କରିବଟି କେବେ କ୍ଷଣେ । ବାଳୀକାଏ । ୯୯ ।

 

ଅଳ୍ପଦିନ ମଧ୍ୟରେ ସଂକଳ୍ପ ଅନୁସାରେ ଅନଳ୍ପ-ସୁନ୍ଦର-ବରର ।

ଗଳାରେ ମାଳା ଦୋଳାଇବାରେ ହେବ ଲୋଳା ସ୍ଵୟମ୍ଵରେ ସଖି ତୁମ୍ଭର । ବାଳୀକାଏ ।

ଏଥକୁ ଉପାୟ ବିଚାର ।

ଅତିଶୀର୍ଣ୍ଣ ତ କାୟ ତାର ।

ଯେମନ୍ତ ସୁଭୋଜନ ପାନେ ରସିବ ମନ ତେମନ୍ତ ଉପଚାର କର । ବାଳୀକାଏ । ୧୦୦ ।

 

ନ ପୁଚ୍ଛିଲେହେଁ ଲଜ୍ଜା କଥା କିଞ୍ଚିତ ରାଜା ଗାତ୍ର ପାଣ୍ତୁତା ଅଙ୍ଗ-ଦାହ ।

ବାରି ବିରହ ଜ୍ୱର-ବିକାର ଏ ସକଳ ବୋଲି ବିଚାରି ସ୍ନେହମୟ । ଆଶୀର୍ବାଦ ।

ଛଳେ ସେ ରୋଗଉପଚାର ।

ଆଶ୍ୱାସ-ଗିର ପରଚାର ।

କରିବା ଆଳିବୃନ୍ଦ ଜାଣି ଲଜ୍ଜା-ଆନନ୍ଦ-ସିନ୍ଧୁରେ ମଜ୍ଜିଲେ ତତ୍କାଳ । ସାଧୁଜନେ । ୧୦୧ ।

 

ସୁକବି-ଶିର-ହୀର ହୀର-କୁମର ଧୀରେ-ବର ଶ୍ରୀହର୍ଷ ବିରଚିତ ।

ଦମୟନ୍ତୀ-ବିରହ-ବର୍ଣ୍ଣନ ଧୀର-ଚୟ-ହୃଦ-କୁମୁଦ-ତାରାକାନ୍ତ । ସାଧୁଜନେ ।

ଅଧମ ହୀନ ଗୋପୀନାଥ

ଅନୁସରିଛି ପଦମାତ୍ର ।

ଦୋଷଥିଲେ ବିଦୁଷେ ନ ଘେନିବ ମାନସେ ସେବକ ସେ ତୁମ୍ଭ ନିୟତ । ସାଧୁଜନେ । ୧୦୨ ।

-------

 

 

ପଞ୍ଚମ ଛାନ୍ଦ

ରାଗ-ଆଷାଢ଼ଶୁକ୍ଳ

ଶୁଣ ସୁମତି ଭୀମ ମହୀପତି ।

ସନ୍ତତି-ସ୍ୱୟମ୍ୱରେ ଦେଇ ମତି ।

ଆମନ୍ତ୍ରିବା ପାଇଁ ଭୂପମଣ୍ତଳେ ।

ପେଷିଲେ ଚାରେ ଦିଶ ବିଦିଶରେ ।

ନାରଦ ସେକାଳେ ।

ଇନ୍ଦ୍ରଦର୍ଶନେ ସ୍ୱର୍ଗେ ଯାଉଥିଲେ ।

 

ପର୍ବତ-ତପୋବନ୍ତ ଥିଲେ ତୁଲେ ।

ସପକ୍ଷ ତାଙ୍କ ସେ ତ ସଦାକାଳେ ।

ତେଣୁ ତାଙ୍କ ନଭଗମନ ସିଦ୍ଧ ।

ଏ ନାରଦ ଗୁରୁପଣେ ପ୍ରସିଦ୍ଧ ।

ହୋଇ ତ୍ରିଭୂବନେ ।

କେମନ୍ତ ଗମନ କଲେ ଗଗନେ ।

 

ବିମାନ ବିନା ବ୍ୟୋମେ ବେନି ଯତି ।

ଊର୍ଦ୍ଧୁଁ ଊର୍ଦ୍ଧ୍ୱଦେଶେ କରନ୍ତି ଗତି ।

କାର୍ଯ୍ୟ ସାଧନେସିନା ଆନଜନ ।

ଲୋଡ଼େ ଭିନ୍ନ ଭିନ୍ନ ଉପାୟମାନ ।

ଏକା ତପୋବଳେ ।

ତପିଙ୍କ କେଉଁ କାମନା ନ ପୁରେ ।

 

ପୁରନ୍ଦର-ପୁରକୁ ପଟାନ୍ତର ।

ପଥେ ଭେଟନ୍ତି ସେ ବିମାନ-ବାର ।

ସେ ଯାନପତିଏ ଭଗତି-ଭରେ ।

ପ୍ରଣତି କରି ଅତି ନତି ଗିରେ ।

ଲୋଡ଼ୁ ସେବା କରି ।

ନିଷେଧି ତାହାଙ୍କୁ ଯାନ୍ତି ସେ ଚଳି ।

 

ଲାଗି ଖର କର ଋଷି-ଶରୀରେ ।

ସନ୍ତାପ ସମ୍ଭବି-ବାର ଶଙ୍କାରେ ।

କିରଣ ସଙ୍କୋଚି ଦିବସପତି ।

ପରିଗ୍ରହିଲେ ଅତି ଶାନ୍ତ-ମୂର୍ତ୍ତି ।

ଦିଶିଲେ ତେମନ୍ତ ।

ସ୍ୱକରେ ପ୍ରାତେ ଯଥା ନିଶାକାନ୍ତ ।

 

କର-ବଇଭବ ଦ୍ୱିଜରାଜର ।

ଦିବସେ ପ୍ରସାରି ପ୍ରଖର କର ।

ସାରି-ଦେବାର-ପାପେ ଦିନପତି ।

ଭଜିଲେ କିଏ ତେଜହୀନ ମୂର୍ତ୍ତି ।

ଦ୍ୱିଜରାଜ ତେଜେ ।

ନିଜ କଲାକର୍ମ କେବା ନ ଭୁଞ୍ଜେ ।

 

ତଟକୁଶରେ ବିଷ୍ଟର ବିତରି ।

ଦୁର୍ବାରେ ଅର୍ଘ୍ୟ ପାଦ୍ୟପାଇଁ ବାରି ।

ପଦ୍ମମଧୁକୁ ମଧୁପର୍କ କରି ।

ସୁରସରିତ ଗଗନ-ବିହାରୀ ।

ଋଷିଙ୍କି ସାଦରେ ।

କଲା ଅତିଥିସତ୍କାର ମୋଦରେ ।

 

ଅଗାଧ ଭବ-ସିନ୍ଧୁ ହୋଇପାରି ।

ବ୍ରହ୍ମେ ଯେମନ୍ତ ଲଭେ ଯୋଗଚାରୀ ।

ତେମନ୍ତ ଅସୀମ ବ୍ୟୋମ-ସରଣୀ ।

ପାରହୋଇ ସେ ଯତିବର ବେନି ।

ହୋଇଲେ ପ୍ରବେଶ ।

ନାକ-ନାୟକ-ନିକେତନ ପାଶ । ୮ ।

 

ଯଥା ବିଧିରୁ ଅଧିକ ସମ୍ଭାରେ ।

ସେବିଲେ ବାସବ ରୁଷି ପୟରେ ।

ସାଧୁ ଅତିଥିଙ୍କ ଉଚିତୁଁ ବେଶି ।

ପୂଜନେ ହୁଏ ପାପରାଶି ଧ୍ୱଂସି ।

ଏତ ନିତ୍ୟ କାର୍ଯ୍ୟ ।

ପୁଣ୍ୟପାଇଁ ଏହା କେ କରେ ହେଜ । ୯ ।

 

ନାମ-ସମତା ଥିଲେ କି ହୋଇବ ।

ପର୍ବତେ ବିଲୋକି ବାସବ ଯବ ।

ବରଜି ନିଜ-ଗୋତ୍ରଭିଦ-ପଣ ।

ବିବିଧ ପ୍ରକାରେ କଲେ ପୂଜନ ।

ସେ ଯେଣୁ ବ୍ରାହ୍ମଣ ।

ଏତ ବିବୁଧ-ବୃନ୍ଦରେ ପ୍ରଧାନ । ୧୦ ।

 

ଅକୁଣ୍ଠିତ-ଅନଳପ-ଭାବରେ ।

ବିତରୁ ବାସବ ପୂଜା ସମ୍ଭାରେ ।

ତା ଚାହିଁ ଯତି ଏମନ୍ତ ଚିନ୍ତନ୍ତି ।

ନିରତ ଏ ଶଚୀପତି-ସଙ୍ଗତି ।

ଲଭି ସିନା ସୁର-।

ଦ୍ରୁମେ ପୂରାନ୍ତି ବାଞ୍ଛା ନିରନ୍ତର । ୧୧ ।

 

ନାରଦେ ଚାହିଁ ସୁନାଶିର ଆନ ।

-ଜନ-କଥନେ ନ ନିବେଶ ମନ ।

ମୁନୀଶ ସଙ୍ଗେ କଥା ଆରମ୍ଭିଲେ ।

ବେନି ସୁହୃଦ ଏକତ୍ରିତ ହେଲେ ।

ଏମନ୍ତ ହୁଅଇ ।

ନିଜ ପରକଥା କେତେ ପଡ଼ଇ । ୧୨ ।

 

ଏମନ୍ତେ କଥା ପ୍ରସଙ୍ଗ-ରଙ୍ଗରେ ।

‘କିଁପା ନରବରେ ଅମରପୁରେ ।

ଆଉ ନ ଆସନ୍ତି’ ଏହା କାରଣ ।

ବାରିବାକୁ କରି ବାସବ ମନ ।

ପୁଚ୍ଛନ୍ତି ‘କାହିଁକି ।

ନୃପେ ନ ଆସନ୍ତି ସ୍ୱର୍ଗ ମହୀକି । ୧୩ ।

 

ଏବେ କିବା ଆଉ ପୂର୍ବ-ପରାୟେ ।

ମର୍ତ୍ତ୍ୟମଣ୍ଡଳେ ନୃପ-ବଂଶ-ଚୟେ ।

ବୀର-କରୀରେ ନୁହଁନ୍ତି ଜନମ ।

ଭୁଜ-ବୀର୍ଯ୍ୟବଳେ ଯେ ଅଭିରାମ ।

ହୋଇ ଶତ୍ରୁ-ତତି-।

ହେତି-ବିଘାତେ କ୍ଷିତିକି ଚୁମ୍ବନ୍ତି । ୧୪ ।

 

ମର୍ତ୍ତ୍ୟରେ ସମରେ ବୀରେ ଗୌରବ-।

ଯୋଗେ ଉର୍ଦ୍ଧ୍ୱଗତି-ରୋଧି ପାର୍ଥିବ-।

ଶରୀର ବରଜି ଅରାତି-ହେତି-।

ବିଘାତ-ଛଳେ ଆସନ୍ତି ଝଟତି ।

ଏଥି ମୋ ପ୍ରଦତ୍ତ ।

ଅତିଥି-ସତ୍କାରେ ହୁଅନ୍ତି ତୃପ୍ତ । ୧୫ ।

 

ଏବେ ସେ ବୀରେ ଅତିଥି ବେଭାରେ ।

ନ ଆସନ୍ତି ତ ଆଉ ଏ ମୋ ପୁରେ ।

ଶାପ-ଗ୍ରସ୍ତବତ ତେଜିଲେ ମୋତେ ।

ତେଣୁ ନ ରୁଚେ ଏ ଶିରୀ କିଞ୍ଚିତେ ।

ମୋତେ ଋଷିବର ।

ଯେଣୁ ଏ ଆସେ ଏକାଭୋଗେ ମୋର । ୧୬ ।

 

ପୂର୍ବ-ପୁଣ୍ୟବିଭବ-ବ୍ୟୟ-ଲବ୍ଧ ।

ସମ୍ପଦେ ଭାବଇ ମୁହିଁ ବିପଦ ।

ପାର ହୋଇବା ପାଇଁ ଏ ବିପଦ ।

ସତ୍‌ପାତ୍ର-ପାଣି-ପଦ୍ମେ ସେ ସମ୍ପଦ ।

ନିବେଦିବା ଏକା ।

ଶାନ୍ତି-ବିଧାନ ଅଛି ଶାସ୍ତ୍ରେ ଲେଖା । ୧୭ ।

 

ଭୋ ମୁନିବର ବେଦବାକ୍ୟବତ ।

ପ୍ରବଳ ତବ ସୁବଚନ-ଯାତ ।

ଅଘମର୍ଷଣ ମନ୍ତ୍ରପରି ହେଉ ।

ଏ ବିଷୟେ ମୋର ସଂଶୟ ଆଉ ।

ନରହୁ କିଞ୍ଚିତ ।

ପାପପରାଏ ପଳାଉ ତୁରିତ’’ । ୧୮ ।

 

ଏମନ୍ତ ଭାଷି ବାସବ ସାଦରେ ।

ମୁନି-ବଚନ-ଶ୍ରବଣ ଆଶାରେ ।

ଉତ୍ସୁକରେ ଦଶଶତ ନୟନେ ।

ମୁନି-ମୁଖପଦ୍ମେ ଅଳି-ସମାନେ ।

ନିଶ୍ଚଳ କରାଇ ।

ହେଲେ ମଉନ ବିନୟ ବଢ଼ାଇ । ୧୯ ।

 

ଅମର-ପତିଙ୍କର ଏ ବିନତି ।

ଦେଖି ନାରଦ ଯତି ତୋଷ ଅତି ।

ହେଲେ ଆଶ୍ଚର୍ଯ୍ୟ; ଏତେ ବଡ଼ ପଦେ ।

ଲଭି ଯା ଦମ୍ଭନାହିଁ ଲେଶେ ହୃଦେ ।

ଏମନ୍ତ ବିଚାରି ।

ହସି ଭାଷନ୍ତି ହୃଦେ ମୋଦ ଧରି । ୨୦ ।

 

‘‘ଶତାଶ୍ୱମେଧ ଯାଗ ସାଧିବାର ।

ଅଜ୍ଞାତ ନୁହେଁତ ଶ୍ରମ ତୁମ୍ଭର ।

ତା ଫଳେ ଲଭିଛ ଏଡ଼େ ବିଭବ ।

ଏଥି ତୁମ୍ଭର ଅନାଦର ଭାବ ।

ନୁହଁଇ ସୁନ୍ଦର ।

ଯେଣୁ ଦୁର୍ଲ୍ଲଭ ଲଭଇ ଆଦର । ୨୧ ।

 

ବଚନେ ବଖାଣି ନୁହେଁ ଯେ ଶୀରୀ ।

ହୋଇ ତାହାର ଏକ ଅଧିକାରୀ ।

ବିନୟ ବରଜି ନାହିଁଟି ଯାହା ।

ବିନା ନିଜର ଅନୁଭବେ ଏହା ।

ସତ ପରଗିରେ ।

କରିପାରିବ କେବା ଏ ସଂସାରେ । ୨୨ ।

 

ଅତିଥେ ଶିରୀକି ସମର୍ପିବାର ।

ହିତ, ଅହିତ ନିଜେ ଭୁଞ୍ଜିବାର ।

ଏ ବିଚାର ଦେଖି ତୁମ୍ଭ ଭାବଇ ।

ବାହ୍ୟେ ଯେ ସହସ୍ର ନେତ୍ର ଶୋଭଇ ।

ତେମନ୍ତ ଅନ୍ତରେ ।

ଶୋଭେ ଦୃଷ୍ଟି-ଗୋଷ୍ଠି ଅନାରତରେ । ୨୩ ।

 

ଏ ତୁମ୍ଭ ସ୍ୱଭାବ-ସୁନ୍ଦର ଭାବ ।

ଚିତ୍ରକୁ ଆମ୍ଭ ଦ୍ରବାଇଲା ଯବ ।

ନିରବଧି ଏ ଅମର-ଭୁବନ ।

କରୁଥାଅ ମନ-ସୁଖେ ଶାସନ ।

ଜୟ ଶିରୀ ଲଭ ।

ସାଧୁ ସାଧୁ ଆହେ ଦେବଙ୍କ ଦେବ । ୨୪ ।

 

ସଂଖ୍ୟେ ବିକ୍ଷତ-ତନୁରୁ ଶୋଣିତ ।

ସ୍ରାବ ସଙ୍ଗେ ପାପ ହେଉ ଧଉତ ।

ଅତିହିଁ ଲଘୁ ହେଲେହେଁ ଭୁପାଳେ ।

ଯେ ହେତୁ ନ ଆସନ୍ତି ସ୍ୱର୍ଗଆଳେ ।

ସେ ଯୁବକ-ମନ ।

ଉନ୍ମାଦ କଆ କରୁଛି କଥନ । ୨୫ ।

 

ବସୁମତିରେ ଅମୂଲ୍ୟ-ରତନ ।

ବିଭୂଷାବତ ବିଦର୍ଭ-ରାଜନ ।

ଭୀମଙ୍କ ଦମୟନ୍ତୀ ନାମ ସୁତା ।

କି କହିବି ଆଉ ତା ଛବି କଥା ।

ଏତିକିରେ ବୁଝ ।

ମନୋଜର ସେ ଅମୋଘ ନାରାଜ । ୨୬ ।

 

ଯଉବନ ଯୋଗେ ଏବେ ସେ ବାଳୀ ।

ପ୍ରତିକ୍ଷଣେ ପୂର୍ବ ଶୋଭାକୁ ବଳି ।

ଯାଉଛି ସେ ପୁଣି ଆମୂଳଚୂଳ-।

ସୁକୃତ-ଭୂଷିତ କେଉଁ ଯୁବାର ।

ପ୍ରେମେ ବଶହୋଇ ।

ନାମକୁ ତାର ନିରତ ଜପଇ । ୨୮

 

କମ୍ପୁଛିତ ଓଷ୍ଠ ଯୁଗ ତୁମ୍ଭର ।

କେ ସେ କିପାଁ ନକହ ମୋ ଛାମୁର ।

ଏମନ୍ତେ ବୋଲି କି ପଚାରି ଇଚ୍ଛ ।

ଏ ଇଚ୍ଛାଥିଲେ କହୁଛି ମୁଁ ସ୍ୱଚ୍ଛ ।

ସେ ବାଞ୍ଛା ବରଜ ।

କି କାର୍ଯ୍ୟ ବୃଥା ଶ୍ରମେ ଦେବରାଜ । ୨୮ ।

 

ମୁଁ ସିନା ଯୋଗୀ ପରମାଣୁ ଯାଏ ।

ଯାଇପାରେ ମୋ ବୁଦ୍ଧି ନିସଂଶୟେ ।

ପରମାଣୁବତ ଅଟେତ ମନ ।

ତହିଁ ଲକ୍କାଦରୀ ମଧ୍ୟେ ଗୋପନ ।

କରିଛି ସତତ ।

ସେ ନରସିଂହକୁ ପରା ଯୋଷିତ । ୨୯ ।

 

ବିରହ-ଲକ୍ଷଣ-ଲକ୍ଷିତ ଗାତ୍ରେ ।

ଲକ୍ଷ ହେଲିଣି କାମ-କଙ୍କପତ୍ରେ ।

ବୋଲି ସେ ନିବେଦି ପିତା-ପୁରତ ।

ତାଙ୍କୁ ତୁରିତ କଲାଣି ସଙ୍ଗତ ।

ବିଧାତା ସଙ୍ଗରେ ।

ନିଜ-ସ୍ୱୟମ୍ବର-ସଭାରମ୍ଭରେ । ୩୦ ।

 

ସ୍ୱୟମ୍ବରେ ନରବର ନିକରେ ।

ହକାରିବାକୁ ପୁଷ୍ପ-ଶାୟକରେ ।

ବିହି ଯେଣୁ ଆଜ୍ଞା ଅଛଇ ଦେଇ ।

ତେଣୁ ତା ବଶ ହୋଇ ନରସାଈଁ-।

ନିବହ ସମରେ ।

ଗର-ପରାୟ ମଣ୍ଡନ୍ତି ଚିତ୍ତରେ । ୩୧ ।

 

ଯେଉଁ ଯେଉଁ ଗୁଣେ ଭୂଷଣେ ବଶ ।

ହୁଅଇ ସେ ବାଳୀଶର ମାନସ ।

ସେହି ସେହି ଗୁଣ-ଭୂଷଣ-ଗଣେ ।

ବିଶେଷ ବିଶେଷ ବିଧିବିଧାନେ ।

ନୃପେ ମାତିଛନ୍ତି ।

ତାକୁ ପରମ ପୁରୁଷାର୍ଥ ଚିନ୍ତି । ୩୨ ।

 

ଶଇଶବ ଶେଷକୁ ତା ଭଜନ୍ତେ ।

ଯଉବନ-ବନ୍ତ ନୃପତି-ବ୍ରାତେ ।

ବାତପ୍ରମୀଭ୍ରମ ମଦନ ବହି ।

କୁସୁମ କାର୍ମୁକକୁ ଆମଞ୍ଚଇ ।

ସୁମନ-ମାର୍ଗଣ ।

ଖଞ୍ଜି ମୃଗୟାରେ ବଳାଇ ମନ । ୩୩ ।

 

ଏଣୁ ନୃପେ ମହୀବାସ ବରଜି ।

ତୁମ୍ଭ ଆତିଥ୍ୟ-ଗ୍ରହଣେ ମରଜି ।

କରୁନାହାନ୍ତି ଶୁଣ ପୁରନ୍ଦର ।

ତାଙ୍କ ବିଚାରକୁ ଏ ସୁର-ପୁର ।

ବିଦର୍ଭ ନଗର ।

-ତୁଲକୁ ଏବେ ତିଳ ପରକାର । ୩୪ ।

 

ନୃପେ ବଶ ହେଉ ସେ ବାଳୀକାର ।

ହେଲା ସମର-ଦୁର୍ଭିକ୍ଷ ମର୍ତ୍ତ୍ୟର ।

କଳି ନ ଦେଖି ହୋଇଲା ବିକଳ ।

ମନ ମୋ ତେଣୁ ଆହେ ଆଖଣ୍ଡଳ ।

ଏ ପୁରେ ଅଇଲି ।

ଏଥିବା ଆଶା ମୋ ପୂରିବ ବୋଲି । ୩୫ ।

 

ତୁମ୍ଭେତ ସକଳ ଶତ୍ରୁଙ୍କ ଶଲ ।

ହୋଇବ କେବା ତୁମ୍ଭ ପ୍ରତିକୂଳ ।

ଜାଣିଲେହେଁ ମୁହିଁ ଏକଥା ଭଲେ ।

ତଥାପି ପଚାରଇ ଯା ତୁମ୍ଭରେ ।

ଯୁଦ୍ଧ-ସମାଚାର ।

ଆଗ୍ରହ ନାଶିଛି ବିବେକ ମୋର’’ । ୩୬ ।

 

ଏମନ୍ତ ଭାଷନ୍ତେ ନାରଦ ମୁନି ।

ତେଜିଲା ମୌନତା ଇନ୍ଦ୍ରାସ୍ୟ ଶୁଣି ।

ସାଧୁ ମହାତ୍ମାଙ୍କ ରୀତି ଏମନ୍ତ ।

କଥୋପକଥନ ତାଙ୍କ ସନ୍ତତ ।

ଅନିର୍ବଚନୀୟ ।

-ଚାରୁତାକୁ କରେ କ୍ରମେ ଆଶ୍ରୟ । ୩୭ ।

 

ବୋଲନ୍ତି ଇନ୍ଦ୍ର ‘‘ଶରଣରକ୍ଷକ ।

ଭ୍ରାତା ମୋ ଉପେନ୍ଦ୍ର ପୁଣ୍ଡରୀକାକ୍ଷ ।

ଥାଉ ମୋ ଯୁଦ୍ଧଚିନ୍ତା ଚିନ୍ତି କିସ ।

ତାଙ୍କ ବିଜୟ-ଶୀଳ ଭୂଜପାଶ ।

ଆଶ୍ରାରେ ନିର୍ଭୟେ ।

ସ୍ୱପର-ଶଙ୍କା ମୋ କାରେ ନ ଥାଏ । ୩୮ ।

 

ସେତ ବିଶ୍ୱମ୍ଭର ବିଶ୍ୱମୂରତି ।

ଜୈମିନି-ଅଂଶ ସହଜେ ବହନ୍ତି ।

ତେଣୁ ଦେବତାଙ୍କ ବିଗ୍ରହ-କଥା ।

ଶୁଣିବାମାତ୍ରେ ଲାଗେ ତାଙ୍କୁ ଚିନ୍ତା ।

ତାଙ୍କ ଯୋଗେ ମୋର ।

ହୋଇଛି ମଧ୍ୟ ବଜ୍ରେ ହତାଦର’’ । ୩୯ ।

 

ବିନୟ-ସାଗର ସେ ପୁରନ୍ଦର ।

ଏମନ୍ତ ଭାରତୀ-ମୁକୁତାହାର ।

ଉପହାର ଦେଉ ମୁନି ନିରାଶେ ।

ପୁରତେ ଚଲାଇ ଦୀର୍ଘ ନିଶ୍ୱାସେ ।

ତା ପଛେ ଏକାକୀ ।

ପରକାଶିଲେ ଦୀନ ଭାରତୀକି । ୪୦ ।

 

‘‘ଶୁଣ ଦେବ ମର୍ତ୍ତ୍ୟେ ଥିବା କାଳରେ ।

ଭାଳେ ଯୁଝୁଥିବେ ବା ନାଗପୁରେ ।

ସ୍ୱର୍ଗେ ଆସିବାକ୍ଷଣି ହୁଏ ମନେ ।

ନାଗ ନରେ ବା ମାତିଥିବେ ରଣେ ।

ଏମନ୍ତ ଭ୍ରମଇଁ ।

ହୋଇ ସମର ଦଶଁନେ ଆଶାୟୀ । ୪୧ ।

 

ଦେଖାତ ହୋଇଲା ତୁମ୍ଭ ଆମ୍ଭର ।

ଏବେ ମର୍ତ୍ତ୍ୟେ ଯିବି ବିଦାୟ କର

ତହିଁ ସେ ଭୀମ-ସୁତା-ସ୍ୱୟମ୍ୱରେ ।

ଆସିତଥିବେ ବହୁ ନରବରେ ।

ବିବାହ ବେଳକୁ ।

ନ କରିବେ କି ସେ କଳି ଗୋଳକୁ’’ । ୪୨ ।

 

ଏତେ କହି ଇନ୍ଦ୍ରେ ବଳାଇ ରୋଧି ।

ମର୍ତ୍ତ୍ୟ-ଗମନେ କରୁ ମୁନିବୁଦ୍ଧି ।

ଅତି ଆଦର ଭରେ ପୁରୁହୁତ ।

ଅନୁଗମିଲେ ଦ୍ୱିତ୍ରିପଦମାତ୍ର ।

ସାଧୁଙ୍କ ବେଭାର ।

ସେତ ସଦନ ସଦା ଆଦରର । ୪୩ ।

 

ନାରଦ-ସ୍ୱନେ ପର୍ବତ ଧ୍ୱନିତ ।

-ବତ ନାରଦ-ସ୍ୱନକୁ ପର୍ବତ ।

ଅନୁକରିଲେ ମାତ୍ର ନ ଦେଖାଇ ।

ସ୍ୱପକ୍ଷ ଯେଣୁଥିଲେ ଶଚୀସାଇଁ ।

ସେତ ଶୈଳ-ପକ୍ଷ ।

-ଛେଦି ତାହାଙ୍କୁ କି ଦେଖାନ୍ତେ ପକ୍ଷ । ୪୪ ।

 

ଏଣେ ମଦନ ସଦାଇନ୍ଦ୍ରକରେ ।

ବଜ୍ର ବହନ-ଜାତ-ସନ୍ତାପରେ ।

ବିଲୋକି ତା ଶାନ୍ତି ପାଇଁ ଔଷଧ ।

ବ୍ୟବସ୍ଥା କଲା ବିଦର୍ଭ-ନରେନ୍ଦ୍ର ।

-ସୁଚାର ଶୀତଳ-।

-କୋମଳ-କରଗ୍ରହକୁ କେବଳ ।୪୫।

 

ଅମର-ବୈଦ ଅଶ୍ୱିନୀ-କୁମାର ।

ସୌନ୍ଦର୍ଯ୍ୟେ କାମ ତାକୁ ପଟାନ୍ତର ।

ତାଙ୍କ ବୈଦ୍ୟା ବିଦ୍ୟା ଚାରୁତା ତୁଳେ ।

ସଂକ୍ରମି ଥିଲା କି କାମ ଶରୀରେ ।

ନୋହିଲେ ଯେ ଅନ୍ଧ ।

ସେ କାହୁଁ ଜାଣନ୍ତା ଏଡ଼େ ଔଷଧ । ୪୬ ।

 

ମାନୁଷୀ ପାଶେ ସୁରପତି ଯିବେ ।

ଏ କଥା ଜାଣି ଦୁଃଖେ ଶଚୀ ଜବେ ।

ମାନଗଲା ବୋଲି ମୁଖ ତଳକୁ ।

ପୋତିଲେ ଯା ତାହା ଆଖଣ୍ଡଳଙ୍କୁ ।

ଦେଖିବାର ହେଲା ।

ଯେଣୁଁ ସ୍ୱର୍ଗୁଁ ମର୍ତ୍ତ୍ୟେ ଯାନ ଚଳିଲା । ୪୭ ।

 

ଓହ୍ଲାଇଯାନ୍ତେ ଇନ୍ଦ୍ର ସୁରପୁରୁ ।

ଦୁଃଖେ ଲୁଳିଗଲା ରମ୍ଭା ରମ୍ଭୋରୁ ।

ତାର ସେ ମଳିନ ବର୍ଣ୍ଣ ସେ କାଳେ ।

କଲା ପ୍ରକାଶ ବିଶେଷ-ଭଙ୍ଗିରେ ।

ଗଲା ବୋଲି ଜବ ।

ଇନ୍ଦ୍ରେ ଥିଲା ତା ଯା ଉଜ୍ଜ୍ୱଳଭାବ । ୪୯ ।

 

‘‘ଆଉ ଅପ୍ସରାଏ ବଞ୍ଚିକି ଲାଭ ।

ମରଣ ଏଣିକି ତାଙ୍କୁ ଦୁର୍ଲ୍ଲଭ’’ ।

ଏକଥା ଘୃତାରୀ ନ କହି ମୁଖେ ।

ଏକା ନାସିକା-ପୁଟୁଁ ମହାଦୁଃଖେ ।

ତେଜେ ଦୀର୍ଘଶ୍ୱାସ ।

ତହିଁ ନୁହଁଇ କି ଏହା ପ୍ରକାଶ । ୪୯ ।

 

ସୁରବର ନରପୁରେ ଗମନ୍ତି ।

ଶୁଣିବାମାତ୍ରେ ମନ୍ଥି ହେଉମତି ।

କମ୍ପିତ-କର-ପଙ୍କଜୁଁ କେଶର ।

-ପରାଏ ଚାମର ପକାଇ ତଳ ।

ତିଳୋତ୍ତମା କହେ ।

‘ପତନ ଏଣିକି ଆମ୍ଭଙ୍କୁ ଶୋହେ’ । ୫୦।

 

ଚିତ୍ତସନ୍ତାପ ମେନକା ଅପ୍ସରା ।

ଲୁଚାଇବାକୁ ନାନା ଭଙ୍ଗି କଲା ।

ସେ ହାସ-ରସାଦି ତାର ହୃଦୟ ।

-ପୁଟ ପାକକୁ ପଙ୍କ ଲେପ ପ୍ରାୟ ।

ହୋଇଲା ନୋହିଲା ।

ଶାନ୍ତି ଗୁଣକ ଦ୍ୱିଗୁଣ ଦହିଲା । ୫୧ ।

 

ସୁଗୁଣେ ଯାର ବିଶ୍ୱ ବଶୀଭୂତ ।

ସେ ଉର୍ବଶୀ ଶୁଣି ଇନ୍ଦ୍ର ଚରିତ ।

ସ୍ତମ୍ଭୀଭୂତ ହୋଇ ଯାହା ରହିଲା ।

ସୁର-ଈଶ୍ୱରେ ତା ପ୍ରଣୟ ଲୀଳା ।

-ଶେଷ ସୀମାସ୍ତମ୍ଭ ।

-ବତ ଦିଶିଲା ତା ଦେହ ଆରମ୍ଭ । ୫୨ ।

 

ତହିଁ କେ ଅପସରା ସୁରବରେ ।

ଶୁଣାଇଁ ଏମନ୍ତ ଭାଷେ ସଖିରେ ।

‘‘ସଖିରେ ସେ ପରା କଶ୍ୟପ-ସୁତା ।

ଏତ କଶ୍ୟପ-ପୁତ୍ର ଏଣୁ ଚନ୍ତା ।

ହେଉଛି ମୋହର ।

ସଙ୍ଗମ ହେବ କେହି ଦୁହିଙ୍କର’’ । ୫୩ ।

 

କେ ପୁଣି ଶୁଣାଇ କହେ ‘‘ଲୋ ସହି ।

ସୁରେଶ-ଗହଣେ ନ ଯାଉ କେହି ।

ତାଙ୍କୁ ତୁହି ଆଉ ବଡ଼ ହେଲୁ କି ।

ସେ ତ ଯାଉଛନ୍ତି ନାରୀ ତହିଁକି ।

ତୋ ନେତ୍ର କିପାଇଁ ।

ନାରୀ ଦରଶନେ ଘୃଣା ବହଇ’’ । ୫୪ ।

 

ଦେଖି ମର୍ତ୍ତ୍ୟପୁରେ ଇନ୍ଦ୍ର-ଗମନ ।

ଅନଳ ଜଳ-ଈଶ୍ୱର ଶମନ ।

ଏ ତିନି ଦିଗ-ପତିଏ ସାଦରେ ।

ଅମର ଈଶ୍ୱର-ଗହଣେ ଗଲେ ।

ପଥପ୍ରଦର୍ଶକ ।

ଥିଲେ କି ଦୁର୍ଲ୍ଲଭ ହେବେ ପଥିକ । ୫୫ ।

 

ଏ ସର୍ବ ଦେବେଁ ଏକ ଏକ ଦୂତୀ ।

ଚିତ୍ତ-ଚଉର୍ଯ୍ୟରେ ନିପୁଣା ଅତି ।

ଭୈମୀପାଶେ ପେଷିଥିଲେ ଗୁପତେ ।

ପୁଣି ପ୍ରକାଶ୍ୟେ ତା ପିତା ନିମନ୍ତେ ।

ନାନା ଉପହାରେ ।

ଥିଲେ ପଠାଇ ସନ୍ତୋଷ ଛଳରେ । ୫୬ ।

 

ଅତି ଆଶ୍ଚର୍ଯ୍ୟ କଥା ହେଲା ଏହା ।

ସୁରପୁର ତେଜି ଅମରେ ଯାହା ।

ମର୍ତ୍ତ୍ୟଭୂବନକୁ କରନ୍ତି ଗତି ।

ଏଣୁ ଚିତ୍ତେ ଜାତ ଏମନ୍ତ ଭ୍ରାନ୍ତି ।

ସ୍ୱର୍ଗ ବୋଲି ନାହିଁ ।

ଯହିଁ ମନଯାଏ ସେ ଏକା ସେହି । ୫୭ ।

 

କ୍ଷିତିକି ଅତି ତୁରିତେ ବିମାନେ ।

ଆସୁତ ଥିଲେ ପଥେ ଦେବଗଣେ ।

ଏକାଳେ ପୃଷ୍ଠେ ଦୂରେ ଶବ୍ଦ ଶୁଣି ।

ଏ କିସ ଶୁଭେ ବୋଲି ମନେ ଗୁଣି ।

ମୁଖ ଟେକି ଗ୍ରୀବ ।

ବକ୍ରକରି ପୃଷ୍ଠେ ଚାହାଁନ୍ତେ ଜବ । ୫୮ ।

 

ଏ କିବା ନିରଦ-ମନ୍ଦ୍ର-ଗର୍ଜ୍ଜନ ।

ଅବା ନିରନିଧି-ଗଭୀର-ସ୍ୱନ ।

ନୋହୁ ଉଦୟ ଏତେ ତାଙ୍କ ଚିତ୍ତେ ।

ନିର୍ଘୋଷ ସଙ୍ଗେ ସଙ୍ଗେ ଦୃଷ୍ଟିପଥେ ।

ହୋଇଲା ପତିତ ।

ଅତି ନିକଟେ ଏକ ଦିବ୍ୟ ରଥ । ୫୯ ।

 

ସୁତେ କୌତୁକେ ବିଶ୍ରାମ ବିତରି ।

ବରକରେ ହୟ-ପ୍ରଗ୍ରହ ଧରି ।

ଅଶ୍ୱ-ମାନସ-ବିଚାରେ ଚତୁର ।

ବାହି ଆସୁଛନ୍ତି ସେ ରଥେ ନଳ ।

ତାଙ୍କୁ ଦେଖି ଦେବେ ।

ଭାବିଲେ ସାର୍ଥ ହେଲା ନେତ୍ର ଏବେ । ୬୦ ।

 

ଦେଖି ସେ ଭୂପଙ୍କ ନବତାରୁଣ୍ୟ ।

ସଲିଳନିଧି-ଅଧିପ ବରୁଣ ।

ଗଲେ ଦ୍ରବି ମହାବିସ୍ମୟ-ରସେ ।

ଏଣୁ ତୋୟାତ୍ମା ବୋଲି ଶ୍ରୁତିରେ ସେ ।

ସର୍ବଦା କୀର୍ତ୍ତିତ ।

କି ଅନୁଚିତ ଏଥି ଘେନ ଚିତ୍ତ । ୬୧ ।

 

ସୂର୍ଯ୍ୟବଂଶେ ଶ୍ରେଷ୍ଠ ସୂର୍ଯ୍ୟକୁମର ।

ଶମନ ଦେଖି ସେ ରୂପ ଭାସ୍ୱର ।

ମତିରେ ଅତି ମ୍ଳାନତା ଭଜିଲେ ।

ମ୍ଳାନ ହେତୁରୁ କି ତାଙ୍କୁ ସଂସାରେ ।

କାଳ-ଦେବ ବୋଲି ।

ବୋଲନ୍ତି ସକଳେ ଭାବି ବିଚାରି । ୬୨ ।

 

ରୁପାତିଶୟ ସେ ନୃପର ଚାହିଁ ।

ଦହନ ଯେ ତାପ ଅଛନ୍ତି ବହି ।

ତହିଁଙ୍କି ତାଙ୍କ ଅନଳତା ହେତୁ ।

ନୋହିଲେହେଁ ସେ ଅନଳ ଯେହେତୁ ।

ଏଣୁ ଏ ସନ୍ତାପ ।

ବହିବାର ତାହାଙ୍କର ସ୍ୱରୂପ । ୬୩ ।

 

କାମ-କମନୀୟ-ନୃପତି-ଗାତ୍ରେ ।

ଚାଳି ପୁରୁହୁତ ସହସ୍ର ନେତ୍ରେ ।

ନିଜକୁ ନୃପ ତୁଲେ ତୁଳିବାକୁ ।

ପୁଣି ପକାନ୍ତେ ସ୍ୱଦେହେ ଚକ୍ଷୁକୁ ।

ଭାବନ୍ତି କୌଶିକ ।

ନାମୁଁ କି ମୁଁ ଗଲି ହୋଇ କୌଶିକ । ୬୪ ।

 

ଅବିସମ୍ବାଦି ସକଳ-ସୁଷମା ।

ସୀମା-ସ୍ୱରୂପ ମୂର୍ତ୍ତି ମନୋରମା ।

ନରେଶଙ୍କୁ ଚାହିଁ ଦିଶପତିଏ ।

ଦେଲେ ବିତରି ହୃଦୟେ ବିସ୍ମୟେ ।

ତେଣୁ ତେତେବେଳେ ।

ହୃଦେ ତାଙ୍କ ବଳ ନ ଥିଲା ତିଳେ । ୬୫ ।

 

ପୂର୍ବେ ଯଥାନଳ-ରୂପ-ବର୍ଣ୍ଣନ ।

ଶୁଣିଥିଲେ ତଥା ନୟନ ମନ- ।

ମୋହନ ସର୍ବ-ସୌନ୍ଦର୍ଯ୍ୟ-ଆଶ୍ରୟ ।

କରି ଦରଶନ ସେ ନୃପକାୟ ।

ନଳ ବୋଲି ଏହି ।

ଦେବେ ଗୁପତେ ହେଲେ କୁହା କୁହି । ୬୬ ।

 

ବଧୁ-ବରଣ-ଉଚିତ-ଭୂଷଣ- ।

ଗଣେତ ଶୋହୁଥିଲେ ନରରାଣ ।

ପୁଣି ସେ ସମୟ ବିଦର୍ଭ ପ୍ରତି ।

ରହୁବରର ମନୋଜବ ଗତି ।

ମଶି ଏ ସମସ୍ତ ।

ଦେଲେ ଜଣାଇଁଦେବେ ନୃପଚିତ୍ତ । ୬୭ ।

 

ଜଗତ-ପ୍ରାଣତ ନଳ ଭୂପାଳ ।

ତାଙ୍କୁ ଭେଟ ଯମ ବରୁଣାନଳ ।

ଆନନ୍ଦ ଚଞ୍ଚଳ ପ୍ରତପ୍ତ ହେଲେ ।

କି କରିବା ଏବେ ବୋଲି ଭାବିଲେ ।

ମନେ ମନେ ଏକା ।

ଥିଲା ଯେଣୁ ଆନ-ଜାଣିବା ଦକା । ୬୮ ।

 

ତ୍ରଦଶ ତ୍ରତୟ ଚିତ୍ତେ ଭାବନ୍ତି ।

ବରୁ ବା ନ ବରୁ ନଳେ ସୁଦତୀ ।

କେବେ ନୋହିବ ସିଦ୍ଧି ଆମ୍ଭରତ ।

ନଳେ ବରିଲେ କଥା ସରିଲାତ ।

ନ ବରିଲେ ହେଲେ ।

କେହି ଗ୍ରହିବା ସେ ଅଗୁଣଜ୍ଞାରେ । ୬୯ ।

 

ଆମ୍ଭ ତହୁଁ ଏ ନଳର ଆଧିକ୍ୟ ।

ନ ଜାଣିଥିଲେ ସନା ମାଣବକ- ।

ମୃଗାକ୍ଷୀ ତାଙ୍କୁ ତେଜି ଆମ୍ଭ ଗଳେ ।

ଦିଅନ୍ତା ଦୋଳାଇ ବରଣମାଳେ ।

ସେ ତ ସୁଚତୁରୀ ।

ନଳ-ପ୍ରାଧାନ୍ୟ କି ଯିବ ପାସୋରି । ୭୦ ।

 

ଦମୟନ୍ତୀ ଯେବେ ଏ ସ୍ୱୟମ୍ବରେ ।

ଦେବ ବରଣ-ମାଳ ନଳଗଳେ ।

କରିବା କେହି ସଦନେ ଗମନ ।

ଲାଜେ ତ ମଉଳି ଯିବ ବଦନ ।

ଗଲେହେଁ ସଦନେ ।

ଚାହିଁବା କେହି ବିନତା-ବଦନେ । ୭୧ ।

 

ଏମନ୍ତ ଚିନ୍ତି ତ୍ରିଦଶ-ତ୍ରିତୟ ।

କରି ନ ପାରନ୍ତି କିଛି ନିଶ୍ଚୟ ।

ଏକା ସୁରପୁର-ପତିଙ୍କି ତେଜି ।

କର୍ତ୍ତବ୍ୟ-ବିମୁଢ଼ ସେ ଦେବରାଜି ।

ପରସ୍ପର ମୁଖ ।

ହୋଇଲେ ଅନାଅନି ଲଭି ଦୁଃଖ ।୭୨।

 

ଅନୁଗ-ଅମର-ତ୍ରିତୟଙ୍କର ।

କର୍ତ୍ତବ୍ୟବିମୂଢ଼ତା ପୁରନ୍ଦର ।

ବଲୋକି ସେ ନୃପଙ୍କ ପ୍ରତାରଣା ।

ପାଇଁ କି କଲେ ବଚନ ରଚନା ।

କପଟ-କରଣେ ।

ନାହିଁତ କେହି ସମ ତାଙ୍କୁ ଜଣେ ।୭୩ ।

 

ଭାଷନ୍ତି ବାସବ, ‘‘ସେ ବୀରସେନ ।

ଆମ୍ଭ ଆସନ ଅର୍ଦ୍ଧେ ଯାର ସ୍ଥାନ ।

ତାଙ୍କ ଆକୃତି ତୁମ୍ଭ ତହିଁ ଦେଖି ।

ତୁମ୍ଭଙ୍କୁ ତାଙ୍କ ସୁତ ଭାବି ସୁଖୀ ।

ହୋଇଲୁ ଅପାର ।

ତୁମ୍ଭେଟିକି ନଳ ସର୍ବତ ଭଲ ? । ୭୪ ।

 

ପୁଚ୍ଛିବା ବୃଥା ଗମନ-କାରଣ ।

ପୃଥବୀ ପ୍ରତି ଆମ୍ଭ ଆଗମନ ।

ହେବାରୁ ଶୁଭଯୋଗେ ବେଗେ ଫଳ ।

ଫଳାଇବାକୁ ସେ ଯାତ୍ରା କେବଳ ।

ତୁମ୍ଭଙ୍କୁ ଆମ୍ଭରେ ।

ଦେଲା ଭେଟାଇ ଏ ଅର୍ଦ୍ଧପଥରେ । ୭୫ ।

 

ଦେଖ ହେ ନଳ ଏ ଜ୍ୱାଳା-ଜଟିଳ ।

ବିଶ୍ୱ-ବିଶ୍ରୁତ ସେ ଦେବ ଅନଳ ।

ଏ ଦଣ୍ଡଧର ଜୀବେଶ ଶମନ ।

ଏ ସେ ସଲିଳାଧିପତି ବରୁଣ ।

ଅମର-ପୁରର ।

ପତି ବୋଲି ମୋତେ ଚିତ୍ତେ ବିଚାର । ୭୬ ।

 

ଯାଚକ-ଭାବେ ଆମ୍ଭେ ଦେବଗଣ ।

ତୁମ୍ଭ ପାଶକୁ ଆସିଛୁଁ ରାଜନ ।

ଆମ୍ଭ କଥାର ଏତେ ମାତ୍ର ମର୍ମ୍ମ ।

କ୍ଷଣେ ମାତ୍ର ରହି ସରଣୀ-ଶ୍ରମ ।

ହରି ତୁମ୍ଭ ପାଶ ।

ଜଣାଇବୁଁ ଯା ଆମ୍ଭ ଅଭିଳାଷ’’ । ୭୭ ।

 

ଫିଟାଇ ନ କହି ଚୁମ୍ୱକେ ଭାଷି ।

ଏତେ ତୁନୀ ହେଲେ ଶଚୀ-ବିଳାସୀ ।

ତାହାଙ୍କୁ ଏ ବାକ୍ୟ-ବିଦଗ୍‌ଧ ପଣ ।

ନୁହଁଇ କିଞ୍ଚିତ ବିଚିତ୍ର ଘେନ ।

ଶୈଶବ କାଳରୁ ।

ଲଭିଥିଲେ ସେ ଗୁରୁପରା ଗୁରୁ । ୭୮ ।

 

ଅର୍ଥୀ ନାମେ ନୃପ-ଅଙ୍ଗ ପୁଲକି ।

ହର୍ଷେ ଦିଶଇ କଦମ୍ୱ ଫୁଲକି ?

ଦେବଙ୍କୁ ପ୍ରଣମି ଅର୍ଚ୍ଚିବା କାଳେ ।

ଅଙ୍ଗ-ସୁମନେ ସୁରଙ୍କ ପୟରେ ।

ଉପହାର ଛଳେ ।

ସେ ନଳ ମହୀପାଳ ନିବେଦିଲେ । ୭୯ ।

 

ଜାତ ହେଲା ଚିତ୍ତେ ଅତି ସଂଶୟ ।

ଏତ ହରିତ-ଅଧିପତି- ଚୟ ।

ଏହାଙ୍କୁ ଦୁଷ୍ପ୍ରାପ୍ୟ ଅଛି ବା କିସ ।

ସେ ପୁଣି ରହିଅଛି ମୋର ପାଶ ।

ତାହାଙ୍କୁ ମୁଁ ଦେବି ।

ଏମନ୍ତେ ନୃପତି ହୁଅନ୍ତି ଭାବି । ୮୦ ।

 

ସାମାନ୍ୟ ହେଉ ପଛେ ଅର୍ଥୀଜନ ।

ସେ ଯେବେ କରେ ମୋରେ ନିବେଦନ ।

ଜୀବନ ଆଦି ସମସ୍ତ ପଦାର୍ଥ ।

ନୁହେଁ କୁଣ୍ଠିତ ତାକୁ ଦେବାକୁ ତ ।

ଏ ତ ସୁରରାଜ ।

ଏହାଙ୍କୁ କି ଦେଇ ତୋଷିବି ଆଜ । ୮୧ ।

 

ଷୋଡ଼ଶ-କଳାରୁ କଳାକୁ ଯାର ।

ଗୌରବେ ଉର୍ବ । ନୁହେଁ ସମତୁଲ ।

ସେ ବିଦର୍ଭେଶ-ସୁତା ଦମୟନ୍ତୀ ।

ମୋ ଧନ ଜୀବନୁଁ ଅଧିକ ଅତି ।

ଏକା ହୃଦେ ସେହି ।

ଅଛି ସେ ଏବେତ ମୋର ନୁହଁଇ । ୮୨ ।

 

ଏହାଙ୍କ ବାଞ୍ଛା ମୁଁ ପାରିଲେ ପାଞ୍ଚି ।

ମାଗିବା ପୂର୍ବୁ ଦେଇଥାନ୍ତି ଯାଚି ।

ଯାଚକ-ଜନର ତର୍କି ପ୍ରାର୍ଥିତ ।

ଯେ ଦାତା ତାର ପ୍ରାର୍ଥନା ବ୍ୟକତ ।

କଲାଯାଏ କାଳ ।

ସହଇ ଧିକ ତାକୁ ଶତବାର । ୮୩ ।

 

ଚାଟୁକାକୁ ଭାଷୁଥିବ ଯାଚକ ।

ମାଗ ଲଜ୍ଜିତ ହେବ ଅତିରେକ ।

ତାକୁ ଏ କଦର୍ଥନାରେ ପକାଇ ।

ଯେ ଦାତା ବିଳମ୍ୱେ ଦାନ ଦିଅଇ ।

ଦାନ-ଜନ୍ୟ ପୁଣ୍ୟ ।

କରି ନ ପାରେ ତା ପାପେ ଖଣ୍ଡନ । ୮୪ ।

 

ଦାତାଏ ଦାନ ସଙ୍ଗତରେ ବାରି ।

ଯାହା ଦେଉଥାନ୍ତି ଉତ୍ସର୍ଗ କରି ।

ଦେବା ନ ଦେବା-ଶଙ୍କା ଜାତଭୀତି- ।

ସମ୍ଭୁତ ମୂର୍ଚ୍ଛା-ଅପମୃତ୍ୟୁ-ପ୍ରତି ।

ଯାଚକ-ଜନର ।

ହୁଏ ଚିକିତ୍ସା ସେ ସଲିଳ ଧାର । ୮୫ ।

 

ଯାଚକ-ଲୋକକୁ କେବଳ ଧନ ।

ନ ବିତରୁଥିବ ତୃଣ ସମାନ ।

ଜୀବନ ମଧ୍ୟ ତା ସହିତ ଦେବ ।

ପ୍ରକାରାନ୍ତରେ ରଖି ଏତେ ଭାବ ।

ଦାନକାଳେ କୁଶ ।

ଜୀବନ ଦାନ ଭାଷନ୍ତି ବିଦୁଷ । ୮୬ ।

 

ପଙ୍କଜ ସିନା ପଙ୍କୁ ଜାତ ହୁଏ ।

ତା କୋଳେ କମଳା ଶୋଭା ନ ପାଏ ।

ତେଣୁ ବିବେକୀ ଲୋକ ଯାଚକର ।

ବିମଳ-ପାଣି-କମଳେ କେବଳ ।

କମଳାଳୟାକୁ ।

ପାଞ୍ଚୁଥାନ୍ତି ନିତି ନିବେଶିବାକୁ । ୮୭ ।

 

ଯାଚକ-ଜନ-ପ୍ରାର୍ଥନା-ପୂରଣ ।

କରିବାକୁ ଯାର ନୋହିଛି ଜନ୍ମ ।

ତା ପରାଏ ଲୋକ ସଂସାରେ ରହି ।

ମହୀକି ଭାରେ ଦହି ଦେଉଥାଇ ।

ସିନ୍ଧୁ ଗିରି ତରୁ ।

ତା ତୁଲେ ଧରାକୁ ନୁହଁନ୍ତି ଗୁରୁ । ୮୮ ।

 

ଜୀବେ ଥିବାଯାଏ କୃପଣ ଜନ ।

କରେ ନ ଦେଉ ପଛେ କିଛି ଧନ ।

ଆଶ୍ଚର୍ଯ୍ୟ ନ ଲାଗଇ ମୋତେ ତାହା ।

ଜୀବନ ଯିବା ସମୟରେ ଯାହା ।

ତା ନ ବିତରଇ ।

ଏ ମୋତେ ଏକା ଆଶ୍ଚର୍ଯ୍ୟ ଲାଗଇ । ୮୯ ।

 

ଜଗତେ ଯେତେ ଦାତା ଜନ ଛନ୍ତି ।

ତାଙ୍କୁ ବରଜି ଏ ହରିତ-ପତି ।

ମୋରେ ପ୍ରାର୍ଥୀହୋଇ ଯେ ଯଶ ଦାନ ।

କରିଛନ୍ତି ତାହା ପରିଶୋଧନ ।

କରିବି କେମନ୍ତ ।

ଦାନେ ଅଛି କି ମୋ ବିତ୍ତ ତେମନ୍ତ । ୯୦ ।

 

ନିଧନ-କାଳେ କଷ୍ଟାର୍ଜିତ ଧନ ।

ସଙ୍ଗେ ତେ ନେଇ ନ ପାରିବ ଜନ ।

ଏମନ୍ତ ଚିନ୍ତି ସିନା ଦୟାବହି ।

ତାକୁ ତା ପରଲୋକେ ଦେବାପାଇଁ ।

ଯାଚକ ମାଗଇ ।

ଏଣୁ ସେ ଦାତାର କି ବନ୍ଧୁ ନୋହି ? । ୯୧ ।

 

ଦାତା ତ ସାହୁ ଗ୍ରହୀତା ଖାତକ ।

ଏ ଲୋକ ଗ୍ରହି ମାତ୍ର ଧନ ଏକ ।

ପରଲୋକେ କୋଟି ଗୁଣେ ସୁଝଇ ।

ଭାଗ୍ୟକୁ ଏମନ୍ତେ ଯାଚକେ ପାଇ ।

ଥାନ୍ତି ସାଧୁ ଆର- ।

ପୁରେ ଚଳାଇବାକୁ କାରବାର । ୯୨ ।

 

କଲେହେଁ ଏମନ୍ତ କିଞ୍ଚିତ ଚିନ୍ତା ।

ନରପତିଙ୍କ ମୁଖୁଁ ପ୍ରସନ୍ନତା ।

ତିଳେହେଁ ତିଳେ ନ ଘୁଞ୍ଚିବା ଦେଖି ।

ହୋଇଲେ ବାସବାଦି ସୁରେ ସୁଖୀ ।

ସୁଭାଗ୍ୟେ ଯାଚକ ।

ଦେଖଇ ଦାତାର ପ୍ରସନ୍ନ ମୁଖ । ୯୩ ।

 

ଭାଷନ୍ତି ଭୂପତି ‘‘ଜନ ଜନକ ।

ମଧ୍ୟରେ ତ ନାହିଁ ଲେଶେ ପାର୍ଥକ୍ୟ ।

ଜନ ଦେହ ତ ଅନ୍ନେ ବିନିର୍ମିତ ।

ଅମୃତାନ୍ଧା ନାମେ ଦେବେ ତ କ୍ଷ୍ୟାତ ।

ତବ ଦରଶନେ ।

ଲଭିଲେ ସୁଧା-ତୃପ୍ତି ମୋ ନୟନେ । ୯୪ ।

 

କେତେ ମାତର ବା ମୋ କ୍ଷୀଣତପ ।

ତାକୁ ଚାହିଁ ତା ଫଳ ଅନୂରୁପ ।

ତହିଁକି ଭବା-ଦୃଶ ଦେବଙ୍କର ।

ଦର୍ଶନ-ଲାଭ ସମ୍ଭବନ୍ତା ମୋର ?

ମୋ ପୂର୍ବ ପୁରୁଷ ।

ତପସ୍ୟା ଫଳ ଏ ହେଲା ପ୍ରକାଶ । ୯୫ ।

 

ମହୀ ସର୍ବଂସହା ନାମକୁ ବହି ।

ନିରତେ ଥାଏ ମହାତାପ ସହି

ସଦା ବର୍ଦ୍ଧିତ ମୋ ପୁଣ୍ୟ ପ୍ରଭାବେ ।

ଉର୍ବି ହେଇଲା ନିଶ୍ଚେଁ ଦେବୀ ଏବେ ।

ନୋହିଲେ କି ସୁରେ ।

ପୁଜନ୍ତେ ତାଙ୍କୁ ପାଦ-ପଙ୍କଜରେ ? । ୯୬ ।

 

ଜୀବ ବା ତା ତହୁଁ ଅଧିକ କିଛି ।

ଏମନ୍ତ ମୋ ଦ୍ରବ୍ୟେ ଯେବେ ବଳିଛି ।

ଇଚ୍ଛା ତେବେ ତହିଁ ଏ କ୍ଷୁଦ୍ର ନର ।

ପୁଜିବ ତବ ପଙ୍କଜ-ପୟର ।

ସେ ପଦାର୍ଥ କିସ ।

ଦୀନେ ଦୟା ବହି କର ପ୍ରକାଶ’’ । ୯୭ ।

 

ବୀରସେନ-ସୁତଙ୍କ ନିସଂଶୟ ।

ଶୁଣି ଏମନ୍ତ ବଚନ ବିନୟ ।

ବିବିଧ-କୂଟ-କପଟ-ରଚନ ।

ବିଷୟେ ଯେ ନିଜଗୁରୁ ସମାନ ।

ସେ ବାସବ ନଳେ ।

ଭାଷନ୍ତି ଏ କଟୁ-କୁଟିଳ ଗିରେ । ୯୮ ।

 

‘‘ହେ ମହୀ-ହିମକର ମହୀପତି ।

ଭୀମ-ଭୂପତି-ସୁତା-ଦମୟନ୍ତୀ ।

ପ୍ରେମ-କାମନାରେ ଆମ୍ଭେ ଅମରେ ।

ଆସିଛୁଁ ଏଥି; ଆମ୍ଭର ଦୌତ୍ୟରେ ।

ପରିଗ୍ରହ କର ।

ମାର-ସନ୍ତାପକୁ ଆମ୍ଭର ସାର । ୯୯ ।

 

ଏ ମହୀମଣ୍ଡଳେ କେତେ ଭୂଭୃତ ।

ନାହାନ୍ତି; ସେ ସର୍ବେ କୂପନିୟତ ।

ତୁମ୍ଭ ତୁଲକୁ, ତୁମ୍ଭେ ତାଙ୍କ ତୁଲେ ।

ସିନ୍ଧୁ ଏ କଥା ଜାଣୁ ଆମ୍ଭେ ଭଲେ ।

ଗ୍ରହେ କି ଆକାଶେ ।

ନାହାନ୍ତି ? ଥିଲେ କି ସୂର୍ଯ୍ୟେ ସମ ସେ ? । ୧୦୦ ।

 

ବିଶ୍ୱେ ନ ପଡ଼େ କାହିଁ ଆମ୍ଭ ନେତ୍ର ।

ଅଛି ବା ଆମ୍ଭଙ୍କୁ କିସ ଅଜ୍ଞାତ ।

ଏମନ୍ତ ଗୋପନୀୟ ବିଷୟରେ ।

ତୁମ୍ଭ ଭଳି କାର୍ଯ୍ୟ-କୁଶଳ ନରେ ।

ନିର୍ଭର ନ କରି ।

ନ ଲଭୁଁ ଶାନ୍ତି ଆମ୍ଭେ ଦଣ୍ଡଧାରୀ’ । ୧୦୧ ।

 

ସରଳ-ସପକ୍ଷ-ନଳ-ଶାୟକ ।

ବିକ୍ଷେପ ପାଇଁ କି ଶଚୀ ନାୟକ ।

ଏମନ୍ତ ବକ୍ରତା-ରୀତି ଆଦରି ।

ଲଭିଲେ ଯବେ ଶରାସନ-ଶିରୀ ।

ଶୁଦ୍ଧବଂଶେ ଜାତ ।

ଅଟନ୍ତି ପୁଣ ଗୁଣବନ୍ତ ସେତ । ୧୦୨ ।

 

କପଟ-ପଟୁ-ସୁରନାଥ-ବାଣୀ ।

କରି ଶ୍ରବଣ ନଳ ନୃପମଣି ।

ବାରି ତହିଁରୁ ତାଙ୍କ କୁଟରୀତି ।

ଭାଷିଲେ ଯଥୋପଯୁକ୍ତ ଭାରତୀ ।

ଯେଣୁ କହେ ନୀତି ।

କୁଟିଳେ ସରଳତା ନୁହେଁ ଯୁକ୍ତି ।୧୦୩।

 

ଭାଷନ୍ତି ନଳ ‘‘ମୋ ପୂର୍ବ ଅର୍ଜ୍ଜିତ- ।

ଦୁଷ୍ଟୃତ-ଯାତ ହୋଇ ପୁଞ୍ଜିଭୂତ ।

ଭୋ ଦେବ ତୁମ୍ଭ ଅସୀମ ମହିମା ।

-ସୀମା ଲଘଂନେ କରୁଛି ଗାରିମା ।

ପାପର ତ ରୀତି ।

ଅସତ ପଥେ କରେ ସଦା ଗତି । ୧୦୪ ।

 

ହେଲେହେଁ ଅନ୍ତର୍ଯ୍ୟାମୀ ତୁମ୍ଭେ ଦେବ ।

ଏ କାର୍ଯ୍ୟେ ମୂକତା ମୋ ନ ଶୋଭିବ ।

ତୁମ୍ଭ ବାଞ୍ଚ୍ଥା-ପରିପନ୍ଥୀ ଭାରତୀ ।

ଭାଷି ହୁଏ ପଛେ ଲଜ୍ଜିତ ଅତି ।

ନ ପାଳିବି କେବେ ।

ପରବଚନ ଅଖଣ୍ଡିତ-ଭାବେ । ୧୦୫ ।

 

ଯା ମନ-ଦର୍ପଣେ ବିଶ୍ୱ ଜଗତ ।

ହୁଅଇ ନିରବଚ୍ଛିନ୍ନେ ବିଦିତ ।

ତାଙ୍କୁ କି ଅଗୋଚର ମୋର ଚିତ୍ତ ।

ସେ ଯେବେ ଯେ ଯହିଁକି ଅସମର୍ଥ ।

ତହିଁରେ ତାହାକୁ ।

ଯୋଜିବେ ତେବେ କି କହିବ କା’କୁ ? । ୧୦୬ ।

 

ଯା’ର ବରଣେ ଯାଉଅଛି ମୁହିଁ ।

ତା ପାଶକୁ ଦୂତ ହୋଇବି କେହି ?

ଭୋ ଦେବ ତୁମ୍ଭେତ ଅମରବର ।

ମୁଁ ସର୍ବଂ-ସହାବାସୀ ନର ଛାର ।

ଛଳିବାକୁ ମୋତେ ।

ବଳିଲା ଚିତ୍ତ କେହି ତବ ସତେ ? । ୧୦୭ ।

 

କ୍ଷଣ କ୍ଷଣକେ ବିରହେ ଯାହାର ।

ଭ୍ରମ ଭ୍ରମାଇ ଦିଏ ତନୁ ମୋର ।

ଦଣ୍ଡକୁ ଦଣ୍ଡ ଯାଏ ମୋହ ହୋଇ ।

ଏମନ୍ତ ମୁଁ ସେ ବାଳୀ ପାଶେ କେହି ।

ଯିବି ହୋଇ ଦୂତ ।

କରିବି କାହୁଁ ଏ ରହସ୍ୟ ଗୁପ୍ତ ? । ୧୦୮ ।

 

କଳ୍ପନାମୟୀ ମୂରତି ଯାହାର ।

ହୃଦେ ବହି ମୁଁ ବଞ୍ଚଇ ତାହାର ।

ପାଶେ ଦୂତ-ପଣେ ପ୍ରବେଶ ହୋଇ ।

ବିକାର ପାରିବି କେହି ଲୁଚାଇ ।

ବାସନା ଦୁର୍ଜୟ ।

କରି ନ ଦିଏତ ବୁଧେ ସେ ଥୟ । ୧୦୯ ।

 

ଗଲାବେଳେ ପୁରେ ଦ୍ୱାରୀ ଦେଖିବେ ।

ସେ କି ସହଜେ ମୋତେ ଛାଡ଼ିଦେବେ ।

ପଶିବି ବା ପୁରେ ତାଙ୍କୁ ନିପାତି ।

ଅବଳା କୋମଳା ସେ ଦମୟନ୍ତୀ ।

ଏ ନରଘାତୀରେ ।

କରିବ ବିଶ୍ୱାସ କିସ ଯୁକ୍ତିରେ ? । ୧୧୦ ।

 

ଦଧିଚୀ-ଆଦି ଯେତେ ଦାତା ଛନ୍ତି ।

ଜୀବେ ସେ ଯଶ-ସୀମା କରିଛନ୍ତି ।

ଜୀବୁଁ ଶତଗୁଣେ ଅଧିକ ଯେହି ।

ତା ବିନିମୟେ ମୁଁ ଲଭିବି କେହି ? ।

ସେ ଯଶକୁ; ଦେବେ

ଏଥିକି ବୁଦ୍ଧି ମୋ ନ ପାଏ ଲବେ । ୧୧୧ ।

 

ଦମୟନ୍ତୀ-ଲାଭ ପାଇଁକି ମୋତେ ।

କର ଭୋ ଦେବ ପ୍ରାର୍ଥନା ଯେମନ୍ତେ ।

ତୁମ୍ଭ ଶ୍ରୀ ପୟରେ ତା ଲାଭ ପାଇଁ ।

ତେମନ୍ତ ପ୍ରାର୍ଥୀ ନୋହୁଛି କି ମୁହିଁ ।

ତା ଚାଟୁକୁ ମୋରେ ।

ଗୁରୁ ଯୋଗ୍ୟ ତୁମ୍ଭେ ଶିଖାଇବାରେ । ୧୧୨ ।

 

ତା ଲାଭ ପାଇ କରେ ନିତି ନତି ।

ତୁମ୍ଭ ପୟରେ; ସେ କଥା ନ ଚିନ୍ତି ।

ଏ କଥା ଉତ୍ଥାପନ କରି ଲବେ ।

ଲଜ୍ଜିତ ନୋହିଲ ଭୋଦେବ ଯେବେ ।

ତେବେ ତୁମ୍ଭ ଗିର ।

ନ ପାଳି ଲଜ୍ଜା କିପାଁ ହେବ ମୋର । ୧୧୩ ।

 

ମୋତେ ଚିତ୍ତେ ନୃପ-ସୁତା ବରିଛି ।

ବୋଲି ଏ କଥା ପୂର୍ବୁଁ ମୁଁ ଶୁଣିଛି ।

ମୁଁ ପୁଣି ଦୂତ-ପଣେ ତା ପାଶରେ ।

ଯିବି ସେ କେହି ବରଜିବ ମୋରେ ।

ଲଜ୍ଜିତ ହୋଇବ ।

ଆନେ ନବୀନା କେବେ ନ ବରିବ । ୧୧୪ ।

 

ଏଣୁ ନୁହ ଦୁଃଖୀ ହୁଅ ପ୍ରସନ୍ନ ।

ଏ ଦୌତ୍ୟ ମୋତେ ନୁହଁଇ ଶୋଭନ ।

ଅନ୍ୟାୟ-ଭାବେ ମୋତେ କରି ଦୂତ ।

ଉଦ୍ଦେଶ୍ୟ ସିଦ୍ଧ ତୁମ୍ଭ ନୋହିବତ ।

ଶେଷକୁ କେବଳ ।

ହୋଇବ ଦେବେ ଉପହାସ ସ୍ଥଳ’’ ।୧୧୫।

 

ନଳ ନୃପଙ୍କ ଏମନ୍ତ ଭାରତୀ ।

କରି ଶ୍ରବଣ ଦେବ ବଳାରାତି ।

ବହୁ ପ୍ରଭାବରେ କିଞ୍ଚିତ ସ୍ମିତ ।

କରି ଉଦିତ ଅନୁଗ-ଦୈବତ- ।

ବଦନେ ଅନାଇଁ ।

ଭାଷନ୍ତି ମଧୁରେ ମନ ରସାଇ । ୧୧୬ ।

 

‘‘ହେ ନରବର ଶଶାଙ୍କ-ବଂଶରେ ।

ଜନମି ତୁମ୍ଭେ ଯାଚକ ବାକ୍ୟରେ ।

କରି ସ୍ୱୀକାର ପରେ ଅପହାର ।

କରୁଛ ଯାହା ଏ ନିକି ତୁମ୍ଭର ।

ହେଲା ଉପଯୁକ୍ତ ।

ନୋହିଲା କେହି ରସନା ଲଜ୍ଜିତ ? । ୧୧୭ ।

 

ସୁଧୀର-ବରଙ୍କ ଅଗ୍ରଣୀ ହୋଇ ।

ଭବସଂସାର ମିଥ୍ୟା କ୍ଷଣସ୍ଥାୟୀ ।

ବୋଲି କି ଚିତ୍ତେ ନୋହୁଛି ବିଚାର ।

ଧର୍ମ୍ମ ଯଶେ ତେଜି ବାଞ୍ଚ୍ଥୁଛ ବୀର ।

ଦେଖି ଏ ରୀତିକି ।

ଆସୁଛି ବିସ୍ମୟ ଆମ୍ଭ ମତିକି ।୧୧୮।

 

ଏ ବିଶ୍ୱାବିଶ୍ରୁତ-ଶଶାଙ୍କ-ବଂଶେ ।

ନ ପୁରାଇଛି କେ ଯାଚକ-ଆଶେ ।

ଏକା ଏ ବଂଶର ଆଦି ପୁରୁଷ ।

କଳଙ୍କୀ ହୋଇଛି ରଜନୀ-ଈଶ ।

ତୁମ୍ଭେ ତାହାଭଳି ।

ହେବାକୁ ଚିତ୍ତେ କି ବସିଛ ଭାଳି ? । ୧୧୯ ।

 

ଯାଚକଜନେ ଯେଉଁ ଅପଦୃଷ୍ଟି ।

ଅବା ତା ଦର୍ଶନେ ମୌନତା ସୃଷ୍ଟି ।

କିବା ଅସନ୍ତୁଷ୍ଟ-ହେବା ତା ଗିରେ ।

ଏ ସର୍ବ-କଳଙ୍କ ନୃପ ତୁମ୍ଭରେ ।

ଶଶଚିହ୍ନ ମାତ୍ର ।

ବିରାଜେ ସିନା ଶଶଧର-ଗାତ୍ର । ୧୨୦ ।

 

ପାଠ ସମୟେ ‘ନ’ ପଢ଼ା ନ ହୋଇ ।

ଥିବ ଥିଲେ ଅବା ପାଶୋର ହୋଇ- ।

ଯାଇଥିବ ତୁମ୍ଭ ଏମନ୍ତ ବୋଲି ।

ଯାଚକ ଜନେ ହେଉଥାନ୍ତି ଭାଳି ।

ତାଙ୍କ ଚିତ୍ତ ଦୋଳା-।

ଖେଳେ ‘ନ’ କାର ହୋଇଥାଏ ଲୋଳା’’ । ୧୨୧ ।

 

ଭାଷନ୍ତି ଅନଳ ‘‘ହେ ବୀରନଳ ।

କଳ୍ପପାଦପ-ପତି ସୁନାଶିର ।

କେବେ କି ତୁମ୍ଭ ବିନା ଆନ ନରେ ।

ପ୍ରାର୍ଥୀ ହୋଇଛନ୍ତି ଚିନ୍ତ ଚିତ୍ତରେ ।

ଶଶାଙ୍କ-ବିମଳ ।

ଏ ଲବ୍ଧ ଯଶ ନ ତେଜ ଭୂପାଳ । ୧୨୨ ।

 

ଯା’ର ଇଚ୍ଛାମତେ ସର୍ବ ଘଟଇ ।

ସେ ଇଚ୍ଛାର କେହି ବାଧକ ନୋହି ।

ସେ ଦେବେ ଏବେ ସେ ଇଚ୍ଛା-ସ୍ଥଳରେ ।

ଅଭିଷିକ୍ତ କରୁଛନ୍ତି ତୁମ୍ଭରେ ।

ତାଙ୍କ ସେ ଇଚ୍ଛାର ।

ଅପ୍ରତିଦ୍ୱନ୍ଦିପଣ ତୁମ୍ଭେ ସାର’’ । ୧୨୩ ।

 

ତହୁଁ ସବିତା-ସୁତ ଦଣ୍ଡଧର ।

ଭୂଭୃତେ ଭାଷନ୍ତି ଏମନ୍ତ ଗିର ।

‘‘ଶଶିବଂଶେ ବୀର-ସେନ-କୁମର ।

ତୁମ୍ଭେ ପରାହେ ନଳ ନରବର ।

ତମ-ଅଭିଭୂତ ।

ହୋଇବାର ତୁମ୍ଭେ ନୋହେ ଉଚିତ । ୧୨୪ ।

 

ପର୍ବତ ହେଲେହେଁ ରୋହଣ ଗିରି ।

ତହୁଁ ତ ଯାଚକ ନ ଯାଏ ଫେରି ।

ଗାଭୀ କାମଧେନୁ ପଶୁ ମାତ୍ରକ ।

ତା’ରେ ତ ଯାଚକ ନୁହେଁ ବିମୁଖ ।

ପ୍ରାର୍ଥକ ନିରାଶ ।

ହେବ ତୁମ୍ଭଠାରେ, କର ଏ କିସ ? । ୧୨୫ ।

 

କେ ଧୀର କରେ ଯାଚକେ ବିଳମ୍ୱ ।

ଜୀବ ବଞ୍ଚିବ କେତେ କେ କହିବ ? ।

ନିମେଷ ଛଳେ ଘୂର୍ଣ୍ଣନ-ପୂରିତ ।

ନୟନ- ଯୁଗଳ ପ୍ରତି-ନିୟତ ।

ସୁଚାଇ ମରଣ ।

ଠାରଇ ସ୍ଥିର ନୁହେଁ ଏ ଜୀବନ । ୧୨୬ ।

 

ଦେଖ ଚାତକ-ପ୍ରାର୍ଥନା-ମାତ୍ରକେ ।

ଦିଅଇ ଢାଳି ନିରଦ ଉଦକେ ।

ଜଳ ଢାଳନ୍ତେ ବା ବିଳମ୍ୱ କେତେ ।

ତେତେକେ ଚାତକ ଦୁଃଖୀ ହୁଅନ୍ତେ ।

ସେ ପାପେ ମେଘର ।

କଳା ପଡ଼ିଯାଏ ଦରା ଶରୀର’’ । ୧୨୭ ।

 

ତଦନ୍ତରେ ଭୁଜ ଟେକି ବରୁଣ ।

ନୃପେ ଭାଷନ୍ତି ଏମନ୍ତ ବଚନ ।

‘‘ଆହେ ମହୀପତି କୀରତି ପରା ।

ଅଟଇ ତୁମ୍ଭ ପ୍ରିୟତମା ଦାରା ।

ଦାନ- ନିରଧାର ।

ତା ଗଳାର ପରା ମୁକୁତାହାର । ୧୨୮ ।

 

ଯାର ଚର୍ମବର୍ମ ବଜ୍ର ଯା ଅସ୍ଥି ।

ସେ କର୍ଣ୍ଣ ଦିଧିଚି ଏବେ କି ଛନ୍ତି ।

ତୁମ୍ଭେତ ବିଚକ୍ଷଣ-ଗଣ-ମଣି ।

ଏ କଥା ବୁଝ ଚିତ୍ତେ ପରିମାଣି ।

କଦାପି ନ କର ।

ଧର୍ମ୍ମକୁ ଅବଜ୍ଞା ହେ ନରବର ।୧୨୯।

 

ବଳୀ ବିନ୍ଧ୍ୟ ଏ ଦୁହେଁ ସତ୍ୟ-ପାଶି ।

ପାରି ନାହାନ୍ତି ଆଜ ଯାଏ ନାଶି ।

ମହତ ଲୋକଙ୍କ ଏମନ୍ତ ରୀତି ।

ନିଜ ପ୍ରତିଜ୍ଞା ନିଜେ ନ ନାଶନ୍ତି ।

ତୁମ୍ଭେ ବା କିପରି ।

ସ୍ୱସତ୍ୟ-ବିନାଶ ଅଛ ବିଚାରି । ୧୩୦ ।

 

ଦିଗନ୍ତେ ଗଲେହେଁ ଯେ ନତେଜଇ ।

ଶିତଦିଧିତି-ବତ ଶୁଭ୍ର-ଦେହୀ ।

ଅତି ପ୍ରିୟବତୀ ଏମନ୍ତ କୀର୍ତ୍ତି ।

ଭଙ୍ଗି-ସଙ୍ଗମ-କୁରଙ୍ଗମ ନେତ୍ରୀ ।

-ପାଇଁକି କେ ଧୀର ।

ଦେବ ବରଜି କହ ନରବର । ୧୩୧ ।

 

ବାଞ୍ଚ୍ଥା ସିଦ୍ଧି ପାଇଁ ଯାହାକୁ ଜୀବେ ।

ସେବନ୍ତି ଅବିରତ ଭକ୍ତିଭାବେ ।

ସେ ସୁରେ ଏବେ ପ୍ରାର୍ଥୀ ତୁମ୍ଭଠାରେ ।

ତାଙ୍କ ବାସନା ପୂରାଇବା ଛଳେ ।

ସକଳ-ହରିତ ।

ଯାନ୍ତୁ ହୋଇ ତୁମ୍ଭ ଯଶେ ପୁରିତ । ୧୩୨ ।

 

ତୁମ୍ଭରେ ଅମରେ ଯାଚକ ଦେଖି ।

ଦାତୃ-ଯଶ-ଶ୍ରୀ ତେଜୁ ସୁରଶାଖୀ ।

କେବଳ ସୁମନ-ସମ୍ଭାରେ ତାର ।

ଯାଉ ଅନ୍ତରୀକ୍ଷ ହୋଇ ପାଣ୍ଡୁର ।

ଫଳ ଆଶା ଆଉ ।

ଏଣିକି ତହିଁରେ କା’ର ନଥାଉ । ୧୩୩ ।

 

କାର୍ଯ୍ୟ ସିଦ୍ଧିପାଇଁ ଭରତାର୍ଜୁନ ।

ବୈଣ୍ୟ ନାମ ଯଥା ହୁଏ କୀର୍ତ୍ତନ ।

ତୁମ୍ଭନାମ ହୁଏ କୀର୍ତ୍ତିତ ତଥା ।

ଗଲେ କାର୍ଯ୍ୟ-ସିଦ୍ଧି-ନୋହିବା-କଥା ।

ଯେବେ ତୁମ୍ଭେ ଭାବ ।

ଗମନେ ଶୁଭାଚରଣେ କି ଲାଭ । ୧୩୪ ।

 

ଆମ୍ଭପାଇଁ ଯେଉଁ ଧର୍ମାର୍ଥ ପ୍ରତି ।

-ଶ୍ରୁତି କରିଛି ନିଜେ ନରପତି ।

ତହିଁ ପୁଲକିଛି ହୃଦ ଆମ୍ଭର ।

ସେ ପ୍ରତି ଶ୍ରୁତିକି ଶ୍ରୁତି ସଙ୍ଗର ।

ଅବିତଥ-ପଣେ ।

ସମକରି କର ସାର୍ଥତା ନାମେ । ୧୩୫ ।

 

ବିଶ୍ୱେ ହରିତ ପୀତ ଶ୍ୱେତ ରକ୍ତ ।

ନାନାବର୍ଣ୍ଣ ଛନ୍ତି ବହୁ ପଦାର୍ଥ ।

ଅବିସମ୍ୱାଦି ଅଦ୍ୱିତୀୟ ଶ୍ୱେତ- ।

ବର୍ଣ୍ଣ - ବିଭବେ ତୁମ୍ଭ କୀର୍ତ୍ତି ବ୍ରାତ ।

ସେ ସର୍ବ ଦ୍ରବ୍ୟରେ ।

ଧଉଳି ଶୁକ୍ଳ କରି ଦେଉ ଖରେ । ୧୩୬ ।

 

ପିତା ସଦୃଶ ଯେବେ ହୁଏ ପୁତ୍ର ।

ସହସ୍ର- ପାଦ- ଛାୟା- କାନ୍ତ- ସୁତ ।

ଶନି ପଙ୍ଗୁ ହୋଇ ରହିଲେ କେହି ।

ଏ ଭ୍ରାନ୍ତି ଆମ୍ଭ ଚିତ୍ତୁଁ ଏବେ ଯାଇ ।

ସହସ୍ର ପାଦରେ ।

ରବି ଯା ପଙ୍ଗୁ ତୁମ୍ଭ ଲଙ୍ଘନରେ’’ । ୧୩୭ ।

 

ଦେବଙ୍କ ଏମନ୍ତ ଚାଟୁ- ଗର୍ଭିତ- ।

ବଚନ ଶୁଣି ନଳ ନରନାଥ ।

ଭୀମ-ଭୃପତି-ଦୁହିତାରେ ଚିତ୍ତ ।

ହେଲେହେଁ ଆଶକ୍ତ ତା ପାଶେ ଦୌତ୍ୟ ।

ଅଙ୍ଗୀକାର କଲେ ।

ଇଚ୍ଛା ବିରୁଦ୍ଧେ ସୁରଗିରେ ବଳେ । ୧୩୮ ।

 

ଦୌତ୍ୟ ଅଙ୍ଗୀକାର କରନ୍ତେ ନଳ

ହେଲେ ସନ୍ତୋଷ ଅତି ଆଖଣ୍ଡଳ ।

ଭାଷନ୍ତି ‘‘ଆହେ ଭୂପତି-ପ୍ରଧାନ ।

ଯେବେ ବା ଯହିଁରେ ଚିନ୍ତିବ ମନ ।

ହେବ ଅନ୍ତର୍ଦ୍ଧାନ ।

ତୋଷେ ଯାଚି ଦେଲୁଁ ଏ ବର ଘେନ’’ । ୧୩୯ ।

 

ବିଜୟ-ପ୍ରଶସ୍ତି-କାବ୍ୟ-ରଚକ ।

ହୀର-ନୟନାନନ୍ଦ- ବିବର୍ଦ୍ଧକ ।

ହର୍ଷକୁ ଅନୁସରି ପଦେ ପଦେ ।

ହୀନ ଗୋପୀନାଥ ଛାନ୍ଦ- ପ୍ରବନ୍ଧେ ।

ଯାଉଅଛି ଗାଇ ।

ବିଧିରେ ସୁଧୀରେ ଗଣା ନୁହଁଇ । ୧୪୦ ।

-------

 

 

Unknown

ଷଷ୍ଠ ଛାନ୍ଦ

ରାଗ - କନଡ଼ା

ଶୁଣ ସୁପଣ୍ଡିତ ଅରାତି - କୃତାନ୍ତ ନିଷଧ - ପ୍ରଧାନ ସେ ନଳ ।

କରି ପୁରୁହୂତ - ଦୌତ୍ୟ ସ୍ୱୀକାର ।

ଭୀମ ନରେଶ-ଦେଶକୁ ଳକ୍ଷ୍ୟ ନିଜ-ଶତାଙ୍ଗ - ଗତିର । ଚପଳେ ।

ଦୌତ୍ୟେ ଦୃଢ଼-ନିଶ୍ଚୟ ଯେଣୁ ହେଲେ ।

ତେଣୁ ଭୈମୀ-ବିରହେ ନ ଗଣିଲେ ।

ଅମ୍ବୋଧି-ପାନ କି କୁମ୍ଭ-ସମ୍ଭବର ରହିଲା ବଡ଼ବାନଳେ । (ଏ) ତେମନ୍ତ ।

 

ନଳ-ପ୍ରଣାଳେ ସେ କମଳ-ମୁଖୀର ସନ୍ଦେଶ-ପୀୟୁଷ-ଆଶାୟୀ ।

ନୃପ-ପ୍ରତ୍ୟାବର୍ତ୍ତନ-ପଥ ଚାହିଁ ।

ନିର୍ନିମେଷେ ରହି ଥିଲେ କି ତ୍ରିଦଶେ ସେ-ଦେଶ-ଭୂଷଣ ହୋଇ । ସୁଧୀରେ ।

ଏଣେ କୁଣ୍ଡିନ ନାମେ ସ୍ୱର୍ଗୁଁଭିନ୍ନ ।

ଭୂ-ସ୍ୱର୍ଗ ସେ ଭୀମ-ନୃପ-ପତ୍ତନ ।

ହୋଇଲା ପ୍ରାପତ କ୍ଷଣେ ନଳ-ରଥେ ମନୋରଥେ ସିଦ୍ଧି ସମ । ସୁଧୀରେ ।

 

ଦମୟନ୍ତୀ-ପଦ-ପତନ-ପବିତ୍ର ଏ ପୁର-ପଥ ଏତେ ଭାଳି

ଗଲା ପୁଲକି ନୃପ-ରୋମ-ପାଳି

ରସିଲା ପୁରେ ନେତ୍ର ଶ୍ୱାସେ ନାସିକା ଦେବ-କୂଟ-କଥା ସୁରି । ସୁଧୀରେ ।

ବାମ ପ୍ରମୋଦ ଅଶ୍ରୁ-ଲବେ ପୂର୍ଣ୍ଣ ।

ରୋମାଞ୍ଚିତ ପକ୍ଷ୍ମରେ ସୁଶୋଭନ ।

ଇତର ନର୍ତ୍ତନ-ନିରତ ନୟନ ସେ ନୃପର କଲେ ପାନ । କୁଣ୍ଡନେ ।

 

ସାରଥି-ସନାଥ ରଥୁଁ ନରନାଥ ପୁରପଥେ ଦେଉଁ ପୟର ।

ଚିତ୍ତେ ଏମନ୍ତ ହୁଅଇ ବିଚାର ।

ଦିବସ-ନାଥ-କର-ଯୂଥ ଗଲେ କି ନିଶାନାଥ-ମଣ୍ଡଳର । ସୁଧୀରେ ।

ପୁରବାସିଙ୍କି ନୃପତି ଅଦୃଶ୍ୟ ।

-ହେବା କଥାତ ବିଚିତ୍ର ବିଷେଶ ।

ତହିୁଁ ଏ ଅତି ଚିତ୍ର ଯେଣୁ ତାହାଙ୍କ ମୁରତି ବିଶ୍ୱୈକଦୃଶ୍ୟ । ସୁଧୀରେ ।

 

ପଦେ ପଦେ ମୁଗ୍ଧ-ଭବନ ବିଦଗ୍ଧଜନେ ଭୂଷି ହୋଇ ସେ ପୁରୀ ।

ହୋଇଛିତ ବିସ୍ମୟ-କଳ୍ପ-ବଲ୍ଲୀ ।

ତହିଁ ଭ୍ରମି ଶ୍ରମୀ ନଳନେତ୍ର ହେଲା ଅତିଥି ନୃପତି-ପୁରି । ସୁଧୀରେ ।

ଅସ୍ତ୍ରରକ୍ଷକେ ଦେଖି ତହିଁ ହେଳା ।

ନଳ-ମାନସେ ଲଗାଇଲା ଲୀଳା ।

ଗୁପ୍ତ-ଦୂତ-ଯୋଗେ ଲଜ୍ଜା-ଶୋକ ଭୌମୀ-ଦର୍ଶ-ନାଶେ ତୋଷ-ଖେଳା । ସୁଧୀରେ ।

 

ରକ୍ଷୀ-ଆଖିରେ ନ ପଡ଼ି ସହସ୍ରାକ୍ଷ-କାର୍ଯ୍ୟେ ପ୍ରତିକକ୍ଷେ କ୍ଷିତୀଶ ।

ଅନ୍ତଃପୁରେ ପଶି ଭୀମ-ନରେଶ ।

-ସ୍ମତା-ଦରଶନ-ଆଶେ ନିବେଶନ୍ତି ଦିଶବିଦିଶରେ ଦୃଶ । ନିଃଶଙ୍କେ ।

କେ ଯାଏ ରେ ବୋଲି ଆନେ ଉଚ୍ଚରେ ।

ଯେବେ ଡାକେ କେ ରକ୍ଷକ ପଛରେ ।

ଗ୍ରୀବା ବକ୍ରକରି ହୋଇଲେହେଁ ପାରି ସେ ଦ୍ୱାର ଚାହାଁନ୍ତି ଖରେ । ବିସ୍ମୟେ ।

 

ଭ୍ରମୁଁ ଅନ୍ତପୁରେ ବିବୃତ ଉରୁରେ କେଉଁ ରମ୍ଭୋରୁର ବିଲୋକି ।

ଦେଉଁ ମୁଦି ମହୀଶ ବେନି ଆକ୍ଷି

ଏକାଳେ ଆନ ନବୀନା ଆସି ବାଜୁଁ ଅଙ୍ଗେ ପଡ଼ନ୍ତି ଚମକି । ଆଶ୍ଚର୍ଯ୍ୟେ ।

ପୂର୍ବେ ଅବା ଏ ବିଶ୍ୱେ ସେ ଭୈମିକି ।

କିବା ଚିତ୍ରେ ନୃପତି ଥିବେ ଦେଖି ।

ନୋହିଲେ କେହି ମଦନ-ମାୟାବତ ସେ ଦିଶେ ତହିଁ ଯହିଁକି । ନୃପାକ୍ଷି ।

 

ଭ୍ରମେ ଶତ ଶତ ଭୈମୀ ନୃପନେତ୍ର-ପଥେ ପଡ଼ୁଁ ଅପ୍‌ସରୋପମା ।

ନାରୀ ନୋହିଲେ ତାଙ୍କ ମନୋରମା ।

ନିଜ ଭ୍ରାନ୍ତି ଭାଳି ଅନେ ଭୈମୀ ବୋଲି ନ କଲେ ବିଚାର ସୀମା । ସେ ଯୋଗେ ।

ଦୌତ୍ୟୁଁଭୈମୀ-ଆଶାତ ଥିଲା ଯାଇ ।

କାମ ତଥାପି ତାଙ୍କ ହୃଦେ ରହି ।

ଭ୍ରମେ ଦମୟନ୍ତୀ ଦେଖାଇ କ୍ଷଣକେ ଭ୍ରାନ୍ତି ବିନାଶି ତ୍ରାସଇ । ତାହାଙ୍କୁ । ୮ ।

 

ଭ୍ରମେ ଭୈମୀ ଚିନ୍ତି ଆନେ-ଦିଗପତି-ଉଦନ୍ତ କିଞ୍ଚିତ କହୁଁ ସେ ।

ଶୂନ୍ୟୁଁ କେମନ୍ତେ ବଚନ ବିକେଶ ।

ଏମନ୍ତ ଭାବି ଭୀରୁଏ ଭୟେ କରୁଁ ଚିତ୍କାର ସେ ଭ୍ରାନ୍ତି ନାଶେ । ନୃପର ।

ଅଙ୍ଗ-ସଙ୍ଗ-ଲୋଭ-ଆଶେ ଅନିଳ ।

ହରୁଁ କେ ଅବଳା-ତନୁ-ଦୁକୂଳ ।

ତା ଚାହିଁ ବିଲକ୍ଷେ ଅକ୍ଷତ-ପକ୍ଷାନ୍ତ-କ୍ଷପେଶ-ଆସ୍ୟେ ଭୂପାଳ । ମୋଡ଼ନ୍ତି । ୯ ।

 

ବାଳୀ-ଗୁଣାବଳୀ-ବୁଣା ବାଗୁରାରେ ମନୋଭବର ସେ ନବରେ ।

ନଳ-ନୟନ-ଯୁଗ-କୃଷ୍ଣସାରେ ।

ପଡ଼ିଲେ ହେଲେ ବନ୍ଧନେ ଯାହା ରୁଦ୍ଧ ନୋହିଲେ କି ଭାଗ୍ୟବଳେ । ସୁଧୀରେ ।

କେଶ-ସାମଳିବା କେଉଁ ବାଳୀର ।

ଏକ-ଦିଗେ ବିଲୋକି ବାହୁମୂଳ ।

ଆନେ ଆନ-ଲିପ୍ତ କୁଚ ଅନ୍ୟେ ଅନ୍ୟ-ନାଭି ଦେଖି ନେତ୍ର ନଳ । ମୁଦନ୍ତି । ୧୦ ।

 

ରହୁ ମୁଦିନେତ୍ର ଅଭିମୁଖାଗତ-ଯୋଷିତ-ଯୁଗ-ସ୍ତନାନ୍ତରେ ।

ଦଳି ହୋଇ ନୋହି ଧରା ସତ୍ୱରେ ।

ପଳାନ୍ତି ନିନ୍ଦି ସ୍ୱଦେହେ, ପୁଂସସଙ୍ଗୁ ପୁଲକ ବାମା-ଶରୀରେ । ବିଲୋକି ।

ଏହିମତି ନୟନ ନିମିଳନ-।

ଉନ୍ମିଳନେ ବ୍ୟସ୍ତ ହୋଇ ରାଜନ ।

କାମୀପ୍ରାୟ ଚାହିଁ କଟାକ୍ଷେ ବାଳାକୁ ଲଭନ୍ତି ଲାଜ ଆପଣ । ସୁଧୀରେ । ୧୧ ।

 

ସ୍ୱଶରୀର-ସ୍ପର୍ଶ-ବଶୁଁ କେ ବାଳୀଶ ଶରୀର ରୋମାଞ୍ଚିବା ଚାହିଁ ।

ତାରେ କଟାକ୍ଷ କରୁ ନରସାଇଁ ।

ତା ଚାହିଁ ଏ ନାରୀ ନୃପ-ମନୋହାରୀ ବୋଲି ଭ୍ରମେ ରତି-ସାଇଁ । ବିନ୍ଧଇ ।

ସୁମନସ-ଶର ନୃପ-ଶରୀରେ ।

ତାଙ୍କ ଧୈର୍ଯ୍ୟ ନ ଟଳୁ ତହିଁ ତିଳେ ।

ନୋହିଲେ ତଥାପି ବ୍ୟର୍ଥ ସେ ଲାଗିଲେ ଯେଣୁ ସେ ଧୈର୍ଯ୍ୟ -ପୂଜାରେ । ନୃପର । ୧୨ ।

 

ଏମନ୍ତ କଲେ ବା ଏ ମତ୍ତ-କାଶିନୀ-ସଂଘର୍ଷ ନୋହିବ ବିଚାରି ।

ଏକପଦୀ ପଥକୁ ପରିହରି ।

ଚତୁଷ୍ପଥର ମଥାମଣି ହେଲେ ସେ ସାଧୁ-ଶ୍ରେଷ୍ଠ ଦଣ୍ଡଧାରୀ । ସୁଧୀରେ ।

ଘେନୁଥିଲା କୁଙ୍କୁମ କେ ସୁମୁହିଁ ।

କୁଚେ ନଖକ୍ଷତ ତାର ବିରହୀ-।

ବିଦ୍ରୋହୀ ଗୁଣୁ ଅର୍ଦ୍ଧେନ୍ଦୁପଣୁ ନୃପନେତ୍ରେ ଗଳ-ହସ୍ତ ଦେଇ । ତଡ଼ିଲା । ୧୩ ।

 

ଚକିତେ କେଉଁ ବନିତାର ବଦନେ ନେତ୍ର ପଡ଼ନ୍ତେ ନୃପତିର ।

ତହିଁ ଚନ୍ଦ୍ର-ଭ୍ରମ ହେଉ ସତ୍ୱର ।

ବିରହୀ ଏ କେହି ସହିବେ ତାହାକୁ ତେଣୁ ମୁଦନ୍ତି ଚପଳ । ନୟନେ ।

ଏଣୁ ଏ ତର୍କ ଜାତହୁଏ ମନେ ।

ବାଳୀବଦନ-ଚନ୍ଦ୍ର-ଦରଶନେ ।

ନଳ ନେତ୍ର ମୁଦି ହୋଇ କି ଉଦିତ କଲା ନିଜ ପଦ୍ମଗୁଣେ । ସୁଧୀରେ । ୧୪ ।

 

ଚତୁଷ୍ପଥେସ୍ଥିତ ସେ ମହୀ-ମହିତ ଭୂଭୃତେ ଚତୁର-ଦିଶରୁ ।

ଗତାଗତି କରୁଥିବା ରମ୍ଭୋରୁ ।

ଅଳପେ । ଥାନ୍ତେ ଧରି ହାରି ରହିଲେ ଏକା ଏକ ଅଭାବରୁ । ସୁଧୀରେ ।

ଦେବବରେ ଅଦୃଶ୍ୟତ ନୃପତି ।

ଶୂନ୍ୟେ ଅଙ୍ଗଘାତ ପାଇ ଯୁବତୀ ।

ଭୟେ ଏ କି କି ବୋଲି ଘୁଞ୍ଚୁ ସତ୍ୱରେ ସରଣୀ ପାଇ ପଳାନ୍ତି । ନୃପତି । ୧୫ ।

 

ଏମନ୍ତ ଅକଳୁଁ ତେମନ୍ତ ସୁଭାଗ୍ୟବଳୁଁ ପଳାନ୍ତେ ହୋଇପାର ।

ପଥେ ବାଜି କେଉଁ ବାଳୀ ସଙ୍ଗର ।

ନିଜ ଅଳଙ୍କାର-ଖଚିତ-ଦନ୍ତୁର-ହୀରକେ ବସନ ତା’ର । ଲାଗଇ ।

ତା ନମାନି ବେଗେ ଗମୁଁ ଭୂପାଳ ।

କ୍ରମେ ଆକରଷି ହୋଇ ଦୁକୂଳ ।

ବିମ୍ୱଓଷ୍ଠୀ ଦିଗମ୍ୱରୀ ଯାଉ ହୋଇ ଦେଖି ହୁଅନ୍ତି ବିକଳ । ସୁଧୀରେ । ୧୬ ।

 

କନ୍ଦୁକ-କ୍ରୀଡ଼ନ-ଲୋଳା ବାଳାଙ୍କର କା କନ୍ଦୁକ ନୃପେ ବାଜଇ ।

କାର ନଖରେ ଶରୀର ଚିରଇ ।

କା କୁଚୁଁ କୁଙ୍କୁମ ଲାଗି ଗଲେ ନଳ ସଂଭୁକ୍ତ-କଳପ ହୋଇ । ସୁଧୀରେ ।

ଗମୁଁ ବିମ୍ୱ କେ ବାଳୀହାରମଣି ।

ମଧ୍ୟେ ପଡ଼ୁଁ ସେ ‘ଏକେ’ ବୋଲି ଗୁଣି ।

ହେଉ କ୍ଷଣକେ ନ ଦେଖି ପୁଣି ଚିନ୍ତେ ଏ ମୋ ହୃଦେ ପଶିଲାଣି । ଗୋପନେ’ । ୧୭ ।

 

ସେ ନରନାଥର ଅତିହିଁ ସୁନ୍ଦର ପତିତ-ପ୍ରତିବିମ୍ବେ ଦେଖି ।

ଯାଏ ଯୁବତୀ-ହୃଦୁଁ ଧୈର୍ଯ୍ୟ ଶୁଖି ।

ତହିଁ ତେଣୁ ପ୍ରତି ଯୁବତୀଙ୍କି ରତି ଚିନ୍ତି କାମ ହୋଇ ସୁଖୀ । ଆଲିଙ୍ଗେ ।

ରତି ଇତର ବୋଲି ତାକୁ ମାର ।

ସ୍ମରିବାକୁ କାହିଁବା ଅବସର ।

ରତି ତୁଲେ ତ ତୁଳିଲେ ସେ ବାଳୀକି ନୋହିବେ ରତି ମାତର । ନିଉନ । ୧୮ ।

 

ଛାୟାରୁ ନିରୂପମ ରୂପେ ବିଚାରି ଘାରି ହୋଇଣ ମନମଥେ ।

ନୃପ ନ ପଡ଼ିଲେହେଁ ଦୃଷ୍ଟିପଥେ ।

ତାଙ୍କଠାରେ ଅତି ଭୀତିକି ମତିରେ ନ ରଖିଲେ ବାଳୀବ୍ରାତେ । ସୁଧୀରେ ।

ଏକି ବଡ଼ କଥା ହେଲା ବିଚାର ।

ମାର-ଆଦେଶେ ଯେ ଜୀବ ନିଜର ।

ତେଜିପାରେ ତାକୁ ଅଦୃଶ୍ୟ ଦ୍ରବ୍ୟର ଛାୟା ବା କେତେ ମାତର । ଭୟକୁ । ୧୯ ।

 

ଯାର ଅନୁପମ-ଛାୟା ଦରଶନେ ଚମୁରୁ ନେତ୍ରୀଙ୍କ ଚିତ୍ତରେ ।

କମ୍ପ ସମ୍ପାଦିଥିଲା ନିକେତରେ ।

ତାଙ୍କ ଅଙ୍ଗ-ସଙ୍ଗୁ ସେ କମ୍ପ ବ୍ୟାପିଲା ବଢ଼ି ବାଳୀ ସର୍ବାଙ୍ଗରେ । ସୁଧୀରେ ।

ବିବର୍ଦ୍ଧିତ ସେ କମ୍ପ-ନିପାତର ।

ହେଲା ହେତୁ ନୃପତିଙ୍କ ସତ୍ୱର ।

ଗମନ-ଜନିତ-ପୟର-ବିଘାତ-ସମ୍ଭୁତ ଗମ୍ଭୀର ସ୍ୱର । ସୁଧୀର । ୨୦।

 

ଅଦୃଷ୍ଟ-ନୃପତି-ଅଙ୍ଗ-ସଙ୍ଗ ପ୍ରାପ୍ତି-ବଶୁଁ ଯୁବତୀ ଅଙ୍ଗଦେଶ ।

ପୁଲକିବା ଚିତ୍ର ନୁହେଁ ବିଶେଷ ।

ତାଙ୍କ ଛାୟା ନିରୀକ୍ଷଣେ ବା ପ୍ରସାରିବାରେ ନେତ୍ର କି ପୌରୁଷ । ବାଳୀଙ୍କ ।

ପାଶେ ଥାଉ ସେ ସିନା ହେଲା ଏତେ ।

ଦୂରେ ଯାଉ ସେ ଯା ରୋମାଞ୍ଚି ଗାତ୍ରେ ।

ବହିଲେ ବାଳୀଏ ଉପଳ-ନର୍ତ୍ତନ କାମ କରାଇଲା ସତେ । (କି) ସୁଧୀରେ । ୨୧ ।

 

ଯହିଁ ନଳାଙ୍ଗ ସଙ୍ଗ ଲଭି ଯେ ବାଳୀ ଅତୁଳ ସୁଖ ଥିଲା ପାଇ ।

ପୂର୍ବ-ସୁଖ ବା ଯିବ ଲାଭ ହୋଇ ।

ବିଚାରି ଏମନ୍ତ ତହିଁ ସେ ଯୋଷିତ ତୁରିତ ଗତି କରଇ । ସୁଧୀରେ ।

ଲଭି ସେ ସ୍ଥଳ ଧରା-ପୃଷ୍ଠେ ରଜେ ।

ଚିହ୍ନେ ନୃପତି-ପୟର ପଙ୍କଜେ ।

ଦେଖି କହେ ଧୀର ମୋତେ ଦୟା କର ମଲିଣି ମୁଁ ମନସିଜେ । ପୁରୁଷ । ୨୨ ।

 

ଭ୍ରମୁଁ ଭ୍ରମୁଁ ପୁରେ ସରଣୀ-ଶ୍ରମରେ ବିରହେ ବ୍ୟସ୍ତ ସେ ଭୂପତି ।

ହୋଇ ଶାନ୍ତ ବିଶ୍ରାମେ କରି ମତି ।

ଅଭ୍ରଭେଦୀ ସୌଧ-ମହୀଧର-ଉପତ୍ୟକା-ଦେଶେ କଲେ ସ୍ଥତି । ସୁଧୀରେ ।

ବସି ତହିଁ ମରାଳେ ପଦ୍ମଦଳେ ।

ଚିତ୍ରତ ଭୈମିକି ଚିନ୍ତି ନିରୋଳେ ।

ଲେଖି ତା ଚିତ୍ର ଭୂତଳେ ଗଳେ ତାର ନିଜ ହାର ଲମ୍ବାଇଲେ । ସୁଧୀରେ । ୨୩ ।

 

ଚିତ୍ରେ-କଳ୍ପିତ ସେ ନବୀନା ବିକାଶେ ଏମନ୍ତ ରୁଚିର ଚାତୁରୀ ।

ସେ କି ସତେ ଯୌବନ ପୁର ଦ୍ୱାରୀ ।

ବାଲ୍ୟ-ଚାପଲ୍ୟୁ ଲେଶେ ମାତ୍ର ତା ଅଙ୍ଗେ ପାରିନାହିଁ ଠାବ କରି । ସୁଧୀରେ ।

ପ୍ରତିହାରୀ ପଣରେ ଲୋମ ଶ୍ରେଣୀ ।

ବ୍ୟାଜରେ ବେତ୍ର ବହି ଅଛି ପୁଣି ।

ସେ ଛବି-ଶୋଭା ଲୋକନେ ଲୋଭା ନୃପ ନେତ୍ର ବୁଲେ ପୁଣି ପୁଣି । ସେ ଚିତ୍ରେ । ୨୪ ।

 

କାହିଁ କୁମାରେ କର୍ପୂର-ରଜ ପୁରେ ପଥେ ନାନାରଙ୍ଗେ କ୍ରୀଡ଼ନ୍ତି ।

କରୁଁ ସେ ପଥେ ନରପତି ଗତି ।

ସେ ରଜେ ପୟର-ଚିହ୍ନେ ତାଙ୍କ ରାଜେ ଚକ୍ରବର୍ତ୍ତୀ-ଚିହ୍ନତତି । ସୁଧୀରେ ।

ପୁର-ପୁରୁଖା-ନାରୀଏ ନିରେଖି ।

ଦେଖି ହୁଅନ୍ତି ବୋଲାବୋଲି ‘‘ସଖି ।

ଏଥି ଏ ଚିହ୍ନମାନ କାହୁଁ ଅଇଲା ଲାଗେ ବିସ୍ମୟ ମତିକି । ସଙ୍ଗାତ’’ । ୨୫ ।

 

ପରସ୍ପରର-ନବୀନ-ଯଉବନ-ସମ୍ଭୂତ-ଚାରୁତା-ଲୋକନେ ।

ବେନିବାମା ନିର୍ନିମେଷ ନୟନେ ।

ଅନାଅନି ହୋଇ ରହିଥିବା ସମୟରେ ଭିନ୍ନ ଭିନ୍ନ ସ୍ଥାନେ । ସୁଧୀରେ ।

ତାଙ୍କ ମଧ୍ୟେ ନୃପତି କରୁ ଗତି ।

କେ କାହାକୁ ସେ ଦେଖି ନ ପାରନ୍ତି ।

ନ ଥାଉ କାରଣ କେହି ଅଦର୍ଶନ ହେଲା ସେ ମୋତେ ଭାବନ୍ତି । ପ୍ରତ୍ୟେକ । ୨୬ ।

 

କେବେ ବା କାର ପୁରତେ ନରପତି କରୁ ଅଦୃଶ୍ୟ ଭାବେ ଗତି ।

ତାଙ୍କ ଅଙ୍ଗର ଅଳଙ୍କାର-ତତି ।

ନୁହଁଇ ଦୃଶ୍ୟ ଏକା ତାଙ୍କ ରତନେ ପଡ଼େ ତାର ପ୍ରତିମୂର୍ତ୍ତି । ସୁଧୀରେ ।

ତାହା ଚାହିଁ ସେ ମୋ ପ୍ରତିମୂର୍ତ୍ତି ।

କେହି ଶୂନ୍ୟେ ପଡ଼ଇ ଏହା ଚିନ୍ତି ।

ଗମନେ ଅନେକ ଅନାଇଁ ଅନାଇଁ ହୁଅଇ ବିସ୍ମୟ ଅତି । ସୁଧୀରେ । ୨୭ ।

 

କେ ଇନ୍ଦୁ-ବଦନା ନବୀନା-ଯୁଗଳ କନ୍ଦୁକ-ଖେଳେ ହୋଇ ଲୋଳ ।

ପରସ୍ପରେ ତା ଫିଙ୍ଗିବା ବେଳର ।

ମଧ୍ୟେ ନଳ ଯାନ୍ତେ ବାଜି ଅଙ୍ଗରାଗେ ରଞ୍ଜି ହୋଇ ପଡ଼େ ତଳ । କନ୍ଦୁକ ।

ତାହା ଚାହିଁ ଭାଳନ୍ତି ବାଳୀ ଦୁଇ ।

ଯା’ରେ ମାଇଁଲୁ ଏ ତାରେ ନ ଯାଇ ।

ମଧ୍ୟେ ରଞ୍ଜି ହୋଇ ପଡ଼ିଲା କେମନ୍ତେ ଏତ ଆଶ୍ଚର୍ଯ୍ୟ ଲାଗଇ । ଏମନ୍ତେ । ୨୮ ।

 

ଭୀମ-ମହୀପତି-ବନିତା-ନିବହ ଅତିହିଁ ପବିତ୍ରତା ପଣେ ।

ନ ଚାହାଁନ୍ତି ସେ ପତି ବିନା ଆନେ ।

ଅମରବରେ ଅଦୃଶ୍ୟ ନଳ ନରବର ଗମନ୍ତେ ପ୍ରାଙ୍ଗଣେ । ସୁଧୀରେ ।

ସେ ତ ନାନା ମଣିରେ ବିନିର୍ମିତ ।

ତହିଁ ତାଙ୍କ ରୂପ ହେଉ ବିମ୍ବିତ ।

ସେ ବିମ୍ୱୁ ରୂପଚାତୁରୀ ବାରି ନେତ୍ର ଲାଭକୁ ମଣିଲେ ସାର୍ଥ । ରାଣିଏ । ୨୯ ।

 

ପୁଣି ପରସ୍ପର ମଧ୍ୟରେ ଏମନ୍ତେ ବୋଲାବୋଲି ସେ ହେଉଥାନ୍ତି ।

ଆଗୋ ସଜନି ଆମ୍ଭେ ଯେଉଁ ମତି ।

ବହୁଁ ପତି ପ୍ରତି କାମ ବୁଝଚିନ୍ତି ଏ ବିମ୍ୱିତ ସେହିମତି । ଧରାର ।

କ୍ଷିତି ନିଶ୍ଚୟ ତା ପତି ପାଇଁକି ।

ବହିଛି ଏ କାମ ରତିସାଇଁକି ।

ତ୍ରିନେତ୍ର-ନେତ୍ର-ବିତିହୋତ୍ର-ତେଜରେ ଯାଇଛି କଳା ହୋଇକି । ସଙ୍ଗାତ । ୩୦ ।

 

ପ୍ରତିବିମ୍ୱ ମାତ୍ରେ ବସୁମତି ଗାତ୍ରେ ପତିତ ତାଙ୍କ ଛାୟା ଏକା ।

ଦେଖି ବିସ୍ମୟେ ମହିଷୀଏ ଥକା ।

ହେଲେ ନ ଥିଲେହେଁ ପଡ଼ି ନୃପ-ପ୍ରକୃତ-ରୂପେ ନେତ୍ର-ତାରକା । ତାଙ୍କର ।

ଛିନ୍ନ ହରିଦ୍ରା-ବର୍ଣ୍ଣ ବିମର୍ଦ୍ଦନ ।

-ନଳ କାନ୍ତି କରିଥିଲେ ଲୋକନ ।

କି ନ ହୋଇଥାନ୍ତା । ସେ କାଳେ ତାଙ୍କର ଦୁର୍ଦ୍ଦଶା ମାନସେ ଘେନ । ସୁଧୀରେ । ୩୧ ।

 

ଅଦୃଶ୍ୟ ହୋଇ ପରପୁରେ ପ୍ରବେଶି ମଣି-କୁଟ୍ଟିମେ ପ୍ରତିଛାୟ-।

ଛଳେ ବିରଚି ଅନଳପ କାୟ ।

ବିଯୋଗୀ ସେ ମହୀପାଳ ନଳ ହୋଇଗଲେ ଯୋଗୀଜନ ପ୍ରାୟ । ସୁଧୀରେ ।

ଶୁଣନ୍ତି ସେ ଭାଷେ ତହିଁ କେ ବାଳୀ ।

‘‘ପୁଂସ ସ୍ମର୍ଶିଲା ପରାୟେ ମଣିଲି’’ ।

କେ ବୋଲି ‘‘ତା ଛାୟା ଦେଖିଲାବତ ‘‘କେ ଭାଷେ ‘‘ତା ବଚନ ଭଳି । ବାରିଲି’’ । ୩୨ ।

 

ଏକାଳେ ନମି ମାତାଙ୍କୁ ଦମୟନ୍ତୀ ନିଜ ନିକେତେ କରୁ ଗତି ।

ପଥେ ଭେଟିଲେ ନିଷଧ-ନୃପତି ।

ଅଦୃଶ୍ୟ ବଶୁଁ ସେ ଭୂପତି-ସୁତାର ନୋହିଲେ ନୟନବର୍ତ୍ତୀ । ସୁଧୀରେ ।

ଏଣେ ଭ୍ରାନ୍ତି-ବଶେ ପ୍ରତି-ଯୋଷିତେ ।

ଦମୟନ୍ତିୀ ଭାବନ୍ତି ନୃପ ଚିତ୍ତେ ।

ଦମୟନ୍ତିୀ ଦେଖି ଏ ମୋ ଭ୍ରମ ଅବା ଭାବି ତେଜିଲେ ତୁରିତେ । ତାହାକୁ । ୩୩ ।

 

ନିରତ ଚିନ୍ତା ବଶୁଁ ନଳ-ପରାୟ ଛବି ଦିଶିଯାଉ ବାଳାକୁ ।

ମାତା ପ୍ରଦତ୍ତ କୁସୁମ-ମାଳାକୁ ।

ନିଜ ଗଳୁଁ କାଢ଼ି ପକାଇ ଦେଲା ସେ ଅସତ୍ୟ-ନଳ-ଗଳାକୁ । ସୁଧୀରେ ।

ପାଶେ ଥିଲେତ ରହି ନଳ ତହିଁ ।

ବାଳା କରୁ ସେ ମାଳ ହେଳେ ଯାଇ ।

ସତ୍ୟରେ କରି ଭୂପାଳ-ନଳଗଳା-ଆଲିଙ୍ଗନ ଗଲା ରହି । ସୁଧୀରେ । ୩୪

 

ନୁହଁଇ ପ୍ରକୃତ ଏ ମୋ ଭ୍ରାନ୍ତି ଜାତ ଦମୟନ୍ତୀ ବୋଲି ଯାହାରେ ।

ଥିଲି ବରଜି ସେ ଏବେ ସ୍ନେହରେ ।

ମୋରେ ପ୍ରକୃତ ମାଳ ହେଲା ଏମନ୍ତ ଚିନ୍ତି ନୃପତି ଚିତ୍ତରେ । ବିସ୍ମିତ ।

ମାଳା ଦେଲି ତ ମୁଁ ନିଜେ ପକାଇ ।

ଗଲା ତା କେମନ୍ତେ କେହି ଉଭାଇ ।

ଏତେ ବିଚାରି ମତିରେ ଦମୟନ୍ତୀ ରହିଲେ ଆଶ୍ଚର୍ଯ୍ୟ ହୋଇ । ସୁଧୀରେ । ୩୫ ।

 

ଏକସ୍ଥାନେ ଥାଇ ଦମୟନ୍ତୀ ମହୀପତି ଭ୍ରାନ୍ତିରେ ହୋଇ ଘାରି ।

କେହି କାହାକୁ ନ ପାରନ୍ତି ବାରି ।

ଏକ ଆନକୁ ବିଚାରୁଥାଇ ଚିତ୍ତେ ଭିନ୍ନସ୍ଥାନେ ଥିଲାପରି । ସୁଧୀରେ ।

ତେଣୁ ଉଭୟେ ଉଭୟ-ରୂପକୁ ।

ଭ୍ରାନ୍ତି ଭାବି କଲେ ଆଲିଙ୍ଗନକୁ ।

ସି ଉପଗୂହନ ଗଲା ସତ୍ୟ ହୋଇ ପରସ୍ପରର ଭାଗ୍ୟକୁ । ସୁଧୀରେ । ୩୬।

 

ନଳ-ମହୀପାଳ-ଶ୍ରୀଅଙ୍ଗ-ସଙ୍ଗମ ଲଭିଲେହେଁ ଭୀମସନ୍ତତି ।

ନେତ୍ରେ ନ ଦେଖିବା ହେତୁ ସେ ମୂର୍ତ୍ତି ।

ଭାବଇ ନିଶ୍ଚୟ ଚିତ୍ତଭ୍ରମ ଏ ମୋ ସେ କିପାଁ ଆସନ୍ତେ ଏଥି । ସୁଧୀରେ ।

ନବ ସଙ୍ଗମ-ଜନ୍ୟ-ଜଡ଼ଭାବ ।

ଯେଣୁ ଅଙ୍ଗେ କରିଥିଲା ପ୍ରଭାବ ।

ଦେଖିଲେହେଁ ତେଣୁ ନଳ ସେ ବାଳୀକି ଧରି ନ ପାରିଲେ ଜବ । ସୁଧୀରେ । ୩୭।

 

ହେଲା ମୁଗ୍‌ଧମନ ପୂର୍ବଆଲିଙ୍ଗନ ବଶୁଁ ପରସ୍ପରେ ପ୍ରକୃତ ।

ଜାଣି ପୁଣିହିଁ ଆଲିଙ୍ଗନେ ଚିତ୍ତେ ।

ବଳାଇ ଉଭୟେ ଉଭୟର ହେଲେ ଗାଢ଼ ଆଲିଙ୍ଗନେ ମତ୍ତ । ସୁଧୀରେ ।

ଏକ ଅଦୃଶ୍ୟ ନିରବ ଅପର ।

ଏଣୁ ଏ ଭ୍ରାନ୍ତି ବୋଲି ଉଭୟର ।

ଜନିମିଲା ଜ୍ଞାନ ସତ୍ୟ-ଆଲିଙ୍ଗନ ମଧ୍ୟ ହେଲା ମିଥ୍ୟାତୁଲ । ତାହାଙ୍କୁ । ୩୮ ।

 

ପୂର୍ବେ ଚିତ୍ରେ ଅବା ଲୋକମୁଖେ କିବା ଯେମନ୍ତେ ଦେଖି ଶୁଣିଥିଲେ ।

ଏବେ ତଥା ପରସ୍ପରେ ଦେଖିଲେ ।

ବେନିଏ ବେନି ଜନଙ୍କର ଶ୍ରୀଅଙ୍ଗ-ଶୋଭା-ଲୋଭରେ ଲାଖିଲେ । ସୁଧୀରେ ।

ଯେଣୁ ଭ୍ରମବୋଲି ଏକ ଆରକେ ।

ଥିଲେ ଚିତ୍ତେ ଚିନ୍ତି ତେଣୁ ନିଦକେ ।

କେଳିବିଳାସରେ କେ କାହାର ଅବହେଳା ନକଲେ ପଲକେ । ସୁଧୀରେ । ୩୯ ।

 

ପରସ୍ପରର ପରଶରୁ ସଞ୍ଜାତ-ରସ-ତରଙ୍ଗ ତରଙ୍ଗିତ ।

ହୋଇ ଦେଲା ବୁଡ଼ାଇ ବେନି ଚିତ୍ତ ।

କ୍ଷଣେ ପ୍ରେମ ତହିଁ ବିପ୍ରଲମ୍ଭ ହୋଇ ଦ୍ୱିଗୁଣେ ହେଲା ଦୀପତି । ସୁଧୀରେ ।

ସ୍ନେହପୂରିତ ପ୍ରଦୀପ ଯେମନ୍ତ ।

ଜଳି ବଳିତା ସ୍ତିମିତେ କିଞ୍ଚିତ ।

ଅତି ଦୀପ୍ତିକି କ୍ଷଣକେ ବିକାଶଇ ଏ ପ୍ରେମ ହେଲା ତେମନ୍ତ । ସୁଧୀରେ । ୪୦ ।

 

କ୍ଷଣକେ ଏ ସର୍ବ ମିଥ୍ୟାବୋଲି ଭାବି କ୍ଷଣକେ ସର୍ବ ସତ୍ୟ ଚିନ୍ତି ।

କ୍ଷଣେ ଧୀରା ଅଧୀରା କ୍ଷଣେ ଅତି ।

ହୋଇ ନିଜବସତିରେ ପରବେଶ ଦମୟନ୍ତୀ ଚାରୁଗାତ୍ରୀ । ସୁଧୀରେ ।

ନବ ପ୍ରେମାସବ-ପାନେ ଉନ୍ମତ୍ତ ।

ହୋଇ ନିଷଧ-ଈଶ ଅବରିତ ।

ତହିଁ ଭ୍ରମନ୍ତି ଭ୍ରମରେ ଦମୟନ୍ତୀ-ମୁର୍ତ୍ତି କରି ନେତ୍ରଗତ । ସୁଧୀରେ । ୪୧ ।

 

ସେ ବିଶାଳ ମହୀପାଳପୁରେ ନଳ ନରବର ଭ୍ରମି ପୟରେ ।

ପରିଶ୍ରମ ଲଭି ଅତିଶୟରେ ।

ନୃପତି-ପୁତ୍ରୀ ନିବାସେ ରମ୍ୟ ଅତି-ତୁଙ୍ଗ ପ୍ରାସାଦ ପାଶରେ । ପ୍ରବେଶ ।

ତହିଁ ପ୍ରତୋଳିମଣି-ବେଦିକାରେ ।

ଦେଖିଲେ ସେ ଭୈମୀ-ସଖୀ-ସଭାରେ ।

ସରସ-ବିଳାସେ ତୋରା ସେ ନବର ଜିଣେ ମାର-ଅନ୍ତଃପୁରେ । ସୁଧୀରେ । ୪୨ ।

 

କଳ-ଆଳାପ-କଲା-କାଳେ କେ ବାଳୀ ଶୁଣି ତା ନଳମହୀପାଳ ।

ଚିତ୍ତେ ତାକୁ ପ୍ରଶଂସନ୍ତି ଅପାର ।

ବୋଲନ୍ତି ଧନ୍ୟଏ ରମଣୀ ରତନ ସମାନ କେବା ଏହାର । ମହୀରେ ।

ପୁଣି ଭାବନ୍ତି ପିକ ବେଣୁବୀଣା ।

ଏ ତ୍ରିତୟେତ ସ୍ୱରେ ତାକୁ ଉଣା ।

ଏଣୁ ଗଳେ ରଖା ତ୍ରୟଛଳେ ଜୟଚିହ୍ନକୁ ହୋଇ ପୁରୁଣା । ବହିଛି । ୪୩ ।

 

ଚିତ୍ର ଦେଖାଇ ପ୍ରବୋଧୁଥାନ୍ତି ସହି ରେ ଚାନ୍ଦମୁହିଁ ଏ ସେ ନଳ ।

ଦେଖ ଖେଦ ତୁ ବରଜ ଚପଳ ।

ଏ ବାଣୀ ଶୁଣି ଶୁଣି କେଉଁ ରମଣୀ କର-ଧାର ସାରୀ ଖର । ଭାଷଇ ।

‘ସେହି ଦେଖ ଦେଖ ଏ ସେହିନଳ ।

ଦୁଃଖ ନ ରଖ ମାନସେ ତୁ ତିଳ’ ।

ତା ଶୁଣି ଧରାପଡ଼ିଲି କି ବିଚାରି ନୃପ ହୁଅନ୍ତି ଚଞ୍ଚଳ । ସୁଧୀରେ । ୪୪ ।

 

ଦମୟନ୍ତୀ-ଚିତ୍ତ-ବିନୋଦନପାଇଁ କେଉଁ ଚତୁରୀନାରୀ ତହିଁ ।

ବେଶେ ସେ ଦମୟନ୍ତୀବତ ହୋଇ ।

ନାନା କଉଶଳେ-ନଳ ରୂପ-ଅନୁକାରୀ ସଖି ପାଶେ ଯାଇ । ସୁଧୀରେ ।

କରି ଅଭିନୟ ଲଜ୍ଜାକିଞ୍ଚିତ ।

ମାଳାକାର ନୈପୁଣ୍ୟେ ଅତିଅନ୍ତ ।

ସୁଷମ ମଧୁକମାଳାକୁ କୁତ୍ରିମ-ନଳଗଳେ କରେ-ଦତ୍ତ । ସୁଧୀରେ । ୪୫ ।

 

କେ ଚନ୍ଦ୍ରମୁଖୀ ସଖିର ଚନ୍ଦ୍ରମୁଖେ ଚନ୍ଦ୍ରସୁନ୍ଦର ଅଭ୍ରବିନ୍ଦୁ ।

ଦେଉ ତହିଁରେ ନିଜମୁଖ-ଇନ୍ଦୁ ।

ପ୍ରତିବିମ୍ବିତ ହୁଏ ପୁଣି ସ୍ୱମୁଖେ ଉଜ୍ଜ୍ୱଳପଣୁଁ ତା ବିନ୍ଦୁ । ସୁଧୀରେ ।

ଏହା ଆନନରେ ପ୍ରତିଫଳଇ ।

ତାହା ଅତିହିଁ ଆଶ୍ଚର୍ଯ୍ୟ ହୁଅଇ ।

ଅବନିତଳେ ଅବଳାମେଳେ କଳାନିଧି-ମାଳା ଯା ଶୋଭଇ । ସୁଧୀରେ । ୪୬ ।

 

ବର୍ଣ୍ଣବିଭବେ ପ୍ରତପ୍ତକାର୍ତ୍ତସ୍ୱରେ ଆର୍ତ୍ତ-ଦାନକାରୀ କେତକୀ-।

ଦଳ-ଉଦରେ ନଖ-ଲେଖନୀକି ।

ଚାଳି ତହିଁ ବିଦର୍ଭେଶ-ଦର୍ଭହାସୀ-ସୁତା ନିଷଧପତିକି । ଲେଖଇ ।

ପ୍ରେମ-ପତ୍ରିକା ଅତିହିଁ ଯତନେ

ନଳ ତା ଦେଖୁଥାନ୍ତି ଏକମନେ ।

ଲେଖିବା ମାତ୍ରେ ଅକ୍ଷରରେ କୃଷ୍ଣ ହେଉଁ ନଥାଏ ବାଧା ପଠନେ ସୁଧୀରେ । ୪୭।

 

ସୁଚିତ୍ର ଲେଖନେ ବିଚିତ୍ରଚାତୁରୀବତୀ କେ ସଖିଜନ ତହିଁ

ରାଜପୁତ୍ରୀ-ପ୍ରତିମୂର୍ତ୍ତି ଲେଖଇ

ଅବିକଳରେ କର୍ଣ୍ଣୋତ୍ପଳ କରର ଲୀଳାକମଳ ଚିତ୍ରଇ । ତରୁଣୀ ।

ଏକା ତା କରପଦ୍ମ ନେତ୍ରୋତ୍ପଳେ ।

ଚିତ୍ରିବାରେ ଯେତେହେଁ ଯତ୍ନକଲେ ।

ଠାଣି ଉଚ୍ଚରାଇ ନ ପାରଇ ରହିଯାନ୍ତି ସେ ଯୁଗଳ ସ୍ଥୂଳେ ସୁଧୀରେ । ୪୮ ।

 

କଳହପ୍ରିୟ-ଋଷିଙ୍କ ପ୍ରିୟଶିଷ୍ୟ ଗନ୍ଧର୍ବବଧୂ ଅପସରା

ବହି ବୀଣା ଆସନ୍ତି ହୋଇ ତୋରା ।

ନୃପସୁତା-ତାପ ନାଶେ ଢାଳିବାକୁ ସଙ୍ଗୀତ ସୁସ୍ୱର ଧାରା । ସୁଧୀରେ ।

ଦମୟନ୍ତୀ-ସ୍ୱର ସଙ୍ଗେ ମିଶାଇ ।

କେବଳ ସେ ବୀଣାଥାନ୍ତି ବଜାଇ ।

ବୋଲିବେ କିପାଁ ସେ ସୁସ୍ୱର-ପିୟୁଷେ ଏ ବେନିଙ୍କି ସେ ବଳଇ । ସୁଧୀରେ । ୪୯ ।

 

ତହିଁ କା’ର ପୟୋଧରେ ଅର୍ଦ୍ଧଶଶି-ସମ ନଖରକ୍ଷତ ଚାହିଁ

ପରିହାସେ କେ ତାହାକୁ ଭାଷଇ ।

ଏ ତୋ ପୟୋଧର କୁମ୍ଭେ ହରତ୍ରାସେ କାମ କି ନାବେ ଖେଳଇ । ଚତୁରୀ ।

କିବା ସମ୍ଭବିବାରୁ ହର ଚୋର ଭୟ ।

ପୟୋଧରର ଭାବି ଅପଚୟ ।

ଲୁଚାଇ ରଖିଛୁ ଚାରୁ ଚେଳାଞ୍ଚଳେ ଗୋପନରେ ଅତିଶୟ । ସଙ୍ଗାତ । ୫୦ ।

 

ନୃପ ଦେଖୁଛନ୍ତି ତହିଁ କେ ଯୁବତୀ ସୁତ୍ରେ ସୁଚୀରେ ସୂତ୍ର ଦେଇ ।

ଗୋଟି ଗୋଟି କରି ପୁଷ୍ପେ ଗୁନ୍ଥଇ

ତା ଚାହିଁ ମହୀଶ ଭାବନ୍ତି ଏ ବିସ ସୁମନେ ଦଣ୍ତ ଦିଅଇ । ସୁଧୀରେ ।

ହୋଇ ସ୍ମରର ଶର ଏ ସୁମନ ।

ତା’ ର ସହିକି ଦିଅନ୍ତି କଦନ ।

ତେଣୁକି ପ୍ରତିହିଂସାରେ କରୁଅଛି ତାଙ୍କ ହୃଦୟଭେଦନ । ଯୁବତୀ । ୫୧ ।

 

ସେ ସୁମନ-ସରେ ବିରଚିତ ହାରେ ଚାହିଁ ଭୟେ ଯେମା ଭାଷଇ ।

‘‘ସହି କରୁତୁ ଏ ସାହସ କେହି ।

ବିବେଚନାରୁ କି ଚିନାଏଁ ତୋହର ମରମ-ମଧ୍ୟରେ ନାହିଁ । ସଜନି ।

କାମ ଗୋଟି ଗୋଟି ଯାହା ସାଉଣ୍ଟି ।

ଦେଖୁଛୁତ ମୋ ପିଣ୍ତଦିଏ କାଟି ।

ତୁ ପୁଣି ଏଣୁ ଗୁଣ ତହିଁ ଖଞ୍ଜୁଛୁ ଆଉ କିସ ବୋଲିବିଟି । ତୋତେ ମୁଁ’’ । ୫୨ ।

 

ପୟୋଧର-ଚିତ୍ର-ପତ୍ର-ପାଳି ମଧ୍ୟଦେଶରେ କେଉଁ ସୁମଧ୍ୟାର ।

ଲେଖି କେ ସଖି ଚିତ୍ର ମକରିର ।

ବୋଲଇ ବାହନ ହୋଇଲା ଏ ଘେନ ତୋ ଏକବଳୀଗଙ୍ଗାର । ସଙ୍ଗାତ ।

ଭାଷେ ଅପରା ଏ ପୟରଚତ ।

ପୃଥୁ ପୟୋଧରେ ଚାହିଁ ଉଷତ ।

ହୋଇ ହୃଦେ ଥିବା କାମ କେତୁ-ପତି-ସଙ୍ଗ ମନାସି ଆଗତ । ସଙ୍ଗାତ । ୫୩ ।

 

ଚତୁରୀ-ଚତୁର ତହିଁ ପଶାସାର ଖେଳେ କାହିଁବା ମାତିଛନ୍ତି ।

ପଟ ପକାଇ ଝଟତି ଡାକନ୍ତି ।

ମାର ଏ ଶାରିକି କିଛି ନ ବିଚାରି ଯାଉ ସେ ଘରେ ବୋଲନ୍ତି । ଚତୁରୀ ।

ତାହା ଶୁଣି ପଞ୍ଜରସ୍ଥିତ ଶାରୀ ।

ଅତି ବିକଳେ ପକାଏ ବୋବାଳୀ

ଦେଖି ତା ‘ଏତ ଚମତ୍କାର’ ବିଚାରି ହସନ୍ତି ସେ ଦଣ୍ତଧାରୀ । ସୁଧୀରେ । ୫୪ ।

 

ବିଦର୍ଭ-ଭୂପତି-ସନ୍ତତି-କତିରେ କାର୍ତ୍ତସ୍ୱରରେ ବିନିର୍ମିତ ।

ହଁସାକୃତି ନାଗବଲ୍ଲୀଗର୍ଭିତ ।

ଏକପାତ୍ରେ ନେତ୍ର ନିପତିତ ହେଉ ନୃପ ବିଚାରନ୍ତି ଚିତ୍ତ । ସୁଧୀରେ ।

ହେମମରାଳ ଏ ବୋଲେ ମୋହର ।

କଲା କେଡ଼େ ମହତ ଉପକାର ।

ଦୂତପଣେ ଆସି ପାଶେ ବସି ରସାଉଛି ଏ ପ୍ରୟାକୁ ମୋର । କେମନ୍ତେ । ୫୫ ।

 

ପୁଣି ବିଲୋକି ସେ ସଖିସମାଜକୁ ପ୍ରତ୍ୟେକେ ଦମୟନ୍ତୀ ବୋଲି ।

ଚିତ୍ତେ ଚିନ୍ତୁଚିନ୍ତୁ ସେ ଦଣ୍ଡଧାରୀ ।

ଏକର ଅପରୂପ-ରୂପ ଲାବଣ୍ୟ ନେଲା ମାନସକୁ ହରି । ନୃପଙ୍କ ।

ନ ପୁଚ୍ଛିଲେହେଁ ସେ ରୂପ ଆପଣେ ।

ନିଜ ଅନନ୍ୟ ସାଧାରଣ-ପଣେ ।

ଥିଲା ସେ ଯାହାର ତାକୁ ନରବର-ନନ୍ଦନା ବୋଲି ରାଜନେ । ଚିହ୍ନାଏଁ । ୫୬ ।

 

ସେ ପୁର ପ୍ରାଙ୍ଗଣ ବିବିଧ-ରତନ ମଣିଗଣେ ତ ବିନିର୍ମିତ ।

ନୃପ ହୁଅନ୍ତେ ତହିଁ ଉପଗତ ।

ତଳେ ନିର୍ମଳେ ଅତୁଳ ତାଙ୍କ ରୂପ ହୋଇଲା ପ୍ରତିବିମ୍ବିତ । ସୁଧୀରେ ।

ଦମୟନ୍ତୀ-ଚିତ୍ତ-ବିନୋଦ ପାଇଁ ।

ବହୁ ନଳରୂପତ ପ୍ରିୟସହି ।

ଲିହିଥିଲେ ତହିଁ ସେ ମଧ୍ୟେ ଏ ଛାଇ ଗଲା ରହି ଜଣାନୋହି । ସୁଧୀରେ । ୫୭ ।

 

ବହ୍ନି-ପ୍ରେତପତି ସଲିଳେଶ ଦୂତୀ ଭାଷି ନାନା ଚାଟୁ ଭାରତୀ ।

ନିଜ ପ୍ରଭୁଙ୍କ ପ୍ରତି ଦମୟନ୍ତୀ ।

-ମତି ଆକର୍ଷନ୍ତେ ସେ ତାଙ୍କୁ ବାରନ୍ତେ ଭାଷି ଉଚିତ ଭାରତୀ । ସୁଧୀରେ ।

ତାହା ଶୁଣିଣ ହୋଇ ଦେବଦୂତ ।

ଯା’ର ପ୍ରାପ୍ତ୍ୟାଶା କରିଥିଲେ ତ୍ୟକ୍ତ ।

ସେ ଆଶା ଆସି ଏବେ ନଳ ମହୀଶ-ମାନସେ କଲା ନିକେତ । ସୁଧୀରେ । ୫୮ ।

 

ଏମନ୍ତ ସମୟେ ସେ ସଭାମଧ୍ୟରେ ବାସବର ଦୂତୀ ରଭସେ ।

ଭାଷା ପ୍ରକାଶେ ଦମୟନ୍ତୀ ପାଶେ ।

ଶୁଣି ପକ୍ଷଧରି ସଖିଏ ଦୂତିକି ପ୍ରସଂଶୁଥାନ୍ତି ହରଷେ । ସୁଧୀରେ ।

ଏଣେ ଦୂତୀ-ଚାତୁରୀ ଶୁଣି ନଳ ।

ଭୟ ଉଦ୍‌ବେଗରେ ହୋଇ ବ୍ୟାକୁଳ ।

ଚିର-ପୋଷିତ ଆଶାର କ୍ରମନାଶ କଳୁଥାନ୍ତି ବେଳୁଁ ବେଳ । ସୁଧୀରେ । ୫୯ ।

 

ଭାଷେ ବାସବ ଦୂତୀ ‘‘ଗୋ ରାଜପୁତ୍ରି କରି ଅନୁଗ୍ରହ କିଞ୍ଚିତ ।

ଜଣାଣକୁ ମୋ ଦତ୍ତ କର ଚିତ୍ତ ।

ସୁରେଶ-ଆଦେଶ ଘେନି ମୁଁ ହୋଇଛି ତୋ ଛାମୁକୁ ଉପଗତ । ସୁଶୀଳେ ।

ସୁରଅକ୍ଷର ନରେ ପାଠହୋଇ ।

ନ ପାରିବି ବିଚାରି ଶଚୀସାଇଁ ।

ମୋରେ ପେଷିଲେ ତୁ ଏମନ୍ତ ଏମନ୍ତ କହିବୁ ଯେମାକୁ ଯାଇ । ଆଦେଶି । ୬୦ ।

 

କରି ଆଲିଙ୍ଗନ ସଲୀଳେ ସୁରେଶ କୁଶଳ ତୋର ପୁଚ୍ଛିଛନ୍ତି ।

ଶୁଣି ତୋ କଥା ତାଙ୍କ ରୋମପନ୍ତି ।

ଯେତେ ଉଲ୍ଲସଇ ତେତିକି ତୋ ପାଇଁ ମୋହରେ କହିଅଛନ୍ତି । ସୁଗାତ୍ରି ।

ତୋର ପ୍ରାଥନେ ତାଙ୍କ ଯେଉଁ କଣ୍ଠ ।

ଭୀମ-ସମୀପେ ହେଲା ଲଜ୍ଜାକୁଣ୍ଠ ।

ସ୍ୱୟମ୍ବରେ ତାଙ୍କ ସେ ଗଳେ ତୁ ଦଣ୍ଡ ମାଳେ ବାନ୍ଧିକରି ଆଣ୍ଟ । ସୁନେତ୍ରି । ୬୧ ।

 

ଶୁଣିଛୁତ ଚନ୍ଦ୍ରବଦନି ସେ ଇନ୍ଦ୍ର ଅନୁଜ ଉପେନ୍ଦ୍ର ନିମିତ୍ତ ।

ମନ୍ଥ କ୍ଷୀରଧି ବୃନ୍ଦାରକ ବ୍ରାତ ।

ଇନ୍ଦିରାକୁ ଉପୁଜାଇଥିଲେ ଏଣୁ ନ ନାଶ ତୁ ଇନ୍ଦ୍ର-ଚିତ୍ତ । ସୁନ୍ଦରୀ ।

ଯେବେ କରିବୁ ଇନ୍ଦ୍ରେ ପ୍ରତ୍ୟାଖ୍ୟାନ ।

ତାଙ୍କ ପାଇଁକି ଇକ୍ଷୁ-ସରସ୍ୱାନ ।

ମନ୍ଥି ଅପର-ଇନ୍ଦିରା-ଉତ୍ଥାପନେ ଦେବେ ବଳାଇବେ ମନ । ସୁଦତି । ୬୨ ।

 

ଲୋକ ତ୍ରିତୟର ମଧ୍ୟେ ସ୍ୱର୍ଗ ସାର ସେ ସ୍ୱର୍ଗେ ପୁଣି ସୁରେ ସାର ।

ବାସବ ତ ବୋଲାନ୍ତି ସୁରେଶ୍ୱର ।

ଏଣୁ ତ୍ରିଭୂବନେ ଇନ୍ଦ୍ରୁଁ ବଡ଼ ଜଣେ ନାହିଁ କେ ଚିତ୍ତେ ବିଚାର । ଚତୁରୀ ।

ଯେବେ ଅନୁରାଗ ବଶେ ସେ ସୁର ।

-ପତି ପୟରେ ତୋହର କିଙ୍କର ।

ବଳେ ହେଉଛନ୍ତି ଏଥୁ ବଳି କ୍ଷାତି ଆଉ କି ରୂପର ତୋର । ସୁନ୍ଦରୀ । ୬୩ ।

 

ସାଧି ଶତଅଶ୍ୱମେଧ ଯେଉଁ ପଦ ଲଭିଛନ୍ତି ସେ ସେହି ପଦେ ।

ପଦେ ତୋର ଅର୍ପୁଛନ୍ତି ପ୍ରମୋଦେ ।

ବହୁବିଧଚାଟୁ ଗର୍ଭିତ-ଭାରତୀ-ସହିତରେ ନିର୍ବିବାଦେ । ସୁନ୍ଦରୀ ।

ନୋହୁ ନିସ୍ଫଳ ତାଙ୍କୁ ସେ ପ୍ରାର୍ଥନା ।

କର ସାର୍ଥ ସେ ଇନ୍ଦ୍ରତ୍ୱେ ବହନ ।

ସ୍ୱୀକାର ସୂଚାଇ ଭୃଲତା ନଚାଇବାରେ ଚତୁରୀ-ରତନ । ନବୀନା । ୬୪ ।

 

ନନ୍ଦନ-ମନ୍ଦାକିନି ବେନି-ବନରେ ବିହରୁଥିବୁ ନାରୀଈଶ ।

ହେବେ ଜୀବେଶ ତୋର ଅମରେଶ ।

ତାଙ୍କ ସୋଦର ଦାମୋଦର ଦେବର ବୋଲାଇବେ ତୋ ବାଳୀଶ । ସୁନ୍ଦରୀ ।

ଯେଉଁ ରମା ମା ସର୍ବଜୀବଙ୍କର ।

ଯାଆ ସ୍ୱରୂପେ ସେହି ସହି ତୋର ।

ହେବେ ଏଥୁବଳି ଆଉ କିସ ଶ୍ରେୟ ଅଛି ବିଚାର ଚିତ୍ତର । ଚତୁରୀ । ୬୫ ।

 

‘ଏ ତ୍ରୟଭୁବନ-ପ୍ରଭୁପଣ ଘେନ ମୋ ଗଳେ ମାତ୍ର ମାଳ ଦେଇ’ ।

ଏମନ୍ତ କି କାହାକୁ ଶଚୀସାଈଁ ।

କହିଛନ୍ତି କେବେ ? ତହିଁକି ତୁ ଏବେ ଭାଜନ ହେଲୁ ସୁମୁହିଁ । କିଶୋରି ।

ଏହି ରାଜ୍ୟକୁ ପରା ବଳୀଠାରେ ।

ମାଗି ଉପେନ୍ଦ୍ର ଆପେ ଉଣା ହେଲେ ।

ତେଣୁ ଆଜଯାଏ ତାହାଙ୍କୁ ବାମନ ବୋଲୁ ଅଛନ୍ତି ସକଳେ । ସୁନ୍ଦରୀ । ୬୬ ।

 

ଯେଉଁ ସୁରଙ୍କ ପୟରେ ନିରନ୍ତରେ ଏବେ ତୁ କରୁଛୁ ପ୍ରଣତି ।

ତହିଁ ଋଣୀ ସେ ହୋଇଲେଣି ଅତି ।

ଇନ୍ଦ୍ରେ ବରି ତାଙ୍କୁ କରି ରୁଣୁଁ ପାରି ଲଭ ଅମାପ-କୀରତି । କିଶୋରି ।

ପ୍ରତି ଦିବସରେ ସନ୍ଧ୍ୟାତ୍ରୟରେ ।

ସୁରେ-ଶ୍ୱର-ମହିଷୀ ତୋ ପୟରେ ।

ବନ୍ଦି-ବୃନ୍ଦାରକେ ତୋ ଦାନ ଶୁଝନ୍ତୁ ପୁରୁ ତୋ ଯଶ ଚୟରେ । ତ୍ରିଦିବ’’ । ୬୭ ।

 

ଭାଷି ଏମନ୍ତ ସୁରପତିପ୍ରଦତ୍ତ ପାରିଜାତକମାଳା ଦୂତୀ ।

ସମର୍ପିବା ପାଇଁ ଆଦରେ ଅତି ।

ମତି କରନ୍ତେ ସାଦରେ କରେ ତାହା ଗ୍ରହିଲା ନୃପତି ପୁତ୍ରୀ । ସୁଧୀରେ ।

ସେହି ସ୍ୱର୍ଗର ସୁମନସ-ବାସେ ।

ସର୍ବ ଆଶା ଗଲା ପୁରି ନିମିଷେ ।

ଏକା ନଳଆଶା ଭରସାବିନାଶୁ ନ ରସିଲା ତହିଁ ଲେଶେ । ସୁଧୀରେ । ୬୮ ।

 

ଚାତୁରୀଗର୍ଭିତ ଏ ନତି ଭାରତୀ ‘‘ଦୂତୀର ଶୁଣି କେ ଯୋଷିତ ।

ଦମୟନ୍ତିକି ଭାଷେ, ରେ ଭୁଭୃତ ।

- ଆତ୍ମଜା ନ ମଜା ମଜ୍ଜା ଏ ବିଷୟେ ଆନଚିନ୍ତନେ କିଞ୍ଚିତ । ସୁଧୀରା ।

କେ ଭାଷଇ ‘ବାସବେ ବରିବାରେ ।

ଉଚିତ ତୋ ବିଚାରେ ମୁଁ ମନରେ’ ।

କେ କହେ ଓଁକାର ହେଉ-ତୋ ସ୍ୱୀକାର-ଗିର ଏ ଶୁଭ କର୍ମରେ । ସୁଶୀଳା । ୬୯ ।

 

ବୟସୀ ବଚନ ଏମନ୍ତ ଶ୍ରବଣ କରିଣ ନରେନ୍ଦ୍ରନନ୍ଦିନୀ ।

ବୋଲେ ‘ସଖିଗୋ କେବେ ତୁମ୍ଭବାଣୀ ।

ଅନାଦରେ ଦୂର ଦେଇଛି କି କରି ବିଚାର ତ ମନେ ଗୁଣି । ସଖିଏ ।

ଏ ବିଷୟେ ତଥାପି ମୋର କିଛି ।

ପ୍ରକାଶିବାକୁ ଅବଶିଷ୍ଟ ଅଛି’ ।

ଶୁଣି ଏ ଭାରତୀ ଦୂତୀ-ମତି ତୃପ୍ତି-ସୀମା ପକାଇଲା ଆଞ୍ଚି । ସୁଧୀରେ । ୭୦ ।

 

ଏ ସର୍ବ ବିଲୋକି ହୋଇ ମହାଦୁଃଖୀ ବିଚାରୁଥାନ୍ତି ଧୀର ନଳ ।

‘ଏ ମୋ କପାଳକୁ ସର୍ବ ବିଫଳ ।

ହେଲା ନୋହିଲା ପ୍ରିୟାଲାଭ ଅଥବା ଦୌତ୍ୟ କରିବାର ଫଳ । କିଛିହିଁ’ ।

ଦମୟନ୍ତୀ ବଦନଶଶଧର ।

ତହିଁ ବିରାଜିଥିବାର ରୁଚିର ।

ନୋହି ବିଦାରି ନୃପତି ହୃଦପଦ୍ମ ଗଲା ସଙ୍କୋଚି କେବଳ । ଏ ଦୁଃଖେ । ୭୧ ।

 

ଏକାଳେ କିଞ୍ଚିତ ସ୍ମିତ ବିକଶାଇ ଓଷ୍ଠଯୁଗଳ କ୍ଷାଳି ବାଳୀ ।

ବାରି ନୟନ ଚାଳି ଆଳି-ପାଳି ।

ସେ ସ୍ୱର୍ଗ-ସୁମନ-ମାଳି ଘେନି ଅଖଣ୍ଡଳେ ଲୁଆଇଁ ମଉଳି । ନୃପଜା ।

ଗିର-ଚାତୁର୍ଯ୍ୟେ ଗିରା ଅଙ୍ଗିରାର ।

ଗୁରୁ ଗାମ୍ଭୀର୍ଯ୍ୟେ ନ ପକାଇ ଗାର ।

ବୃତ୍ତଅନ୍ତକ-ଦୂତିର ଚାହିଁ ମୁଖ କଲା ବଚନ ପ୍ରଚାର । ଏମନ୍ତ । ୭୨ ।

 

‘‘ଆଗୋ ଦୂତୀ ଶ୍ରୁତି ଯେଉଁ ଦିବସ୍ପତି-କୀର୍ତ୍ତି-କୀର୍ତ୍ତନେ ନୁହେଁ କ୍ଷମ ।

ତା ବର୍ଣ୍ଣନେ କରୁଛ କିପାଁ ଶ୍ରମ ।

ସେ ତ ଅନ୍ତର୍ଯ୍ୟାମୀ ତାଙ୍କୁ କି ଗୁପତ ହୋଇବ ମୋ ମନସ୍କାମ । ଚପଳେ ।

ତେବେ ତାଙ୍କ ଛାମୁକୁ ମୋ ଉତ୍ତର ।

ପଠାଇବା ନୁହେଁ କି ବୃଥା ? ବାର ।

ଯେ ଯାହା ନ ଯାଣେ ତାକୁ ସିନା ତାହା ଜଣାଇଥାଏ ଉତ୍ତର । ଚତୁରୀ । ୭୩ ।

 

ସେ ଅମରଈଶ ଆଦେଶେ ବାଳୀଶ କେ ବା ‘ନ’ କାରକୁ ବସାଇ ।

ରସନାରେ ହୋଇବ ମହା ଦ୍ରୋହୀ ।

ପରିଗ୍ରହୁ ଅଛି ମଉଳିରେ ମାଳି ଭଳି ସେ ଆଜ୍ଞାକୁ ମୁହିଁ । ଚତୁରୀ ।

ତାଙ୍କ ବିଚାରେ ମୁହିଁତ ବାଳୀଶ ।

ଏଣୁ ନ ଘେନିମେଟି ମୋର ଦୋଷ ।

ଜଣାଇଁବାର ଯା ଅଛି ଜଣାଉଛି ମୋ ମନୋଗତ ବିଶେଷ । ଚତୁରୀ । ୭୪ ।

 

ଯେଉଁ ପୂର୍ବତପ ଫଳେ ଏହିରୂପ କଲି ବାସବ-କୃପା ଲାଭ ।

ଏଥୁଁ ବଳି ଅଧିକ ବଇଭବ ।

-ପ୍ରାପ୍ତିଆଶା ହୃଦେ ସମ୍ପାଦି ମୁଁ ତେଜି ନ ପାରେ ସେ ତପେ ଲୋଭ । ଚତୁରୀ ।

ଏତ ସ୍ୱଭାଭସିଦ୍ଧ ଜୀବଙ୍କର ।

ଯା’ ର ଫଳ ଯେମନ୍ତ ତୃପ୍ତିକର ।

ତା ଲାଭ ପାଇଁକି କରନ୍ତି ତେତିକି ସାଧନ କଠୋରତର । ଚତୁରୀ । ୭୫ ।

 

ମୋ ଚିତ୍ତ ତୋଷଣେ ଧର୍ମ ସଞ୍ଚୟନେ ଇନ୍ଦ୍ରେ ମୁଁ ସେବିବି ନିୟତ ।

ଏକା ସେ ଇନ୍ଦ୍ର ନୋହି ସୁରନାଥ ।

ହୋଇବେ କେବଳ ଏ ଭୂମଣ୍ଡଳର ମାତ୍ର ନରଙ୍କର ନାଥ । ଚତୁରୀ ।

ଇନ୍ଦ୍ର-ଅଂଶାବତାର ତ ନୃପତି ।

ଏଣେ ନ ହୋଇବେକି ସେ ତୃପତି ।

ମର-ଅମର-ଶରୀର-ଭେଦମାତ୍ରେ ହେବ କିସ ତାଙ୍କ କ୍ଷତି । ଚତୁରୀ । ୭୬ ।

 

ସତୀ ପତିବ୍ରତ-ତରୁ-ବିନିପାତ ପାଇଁ କି ଶତକୋଟି-ବତ ।

ପୁରୁହୂତ-କୀର୍ତ୍ତି-ତତି ଗୁମ୍ଫତ ।

ଯେଉଁ ଭାରତୀ ପ୍ରଚାର କଲ ଦୂତି ଶୁଣିଲି ତାହା ସମସ୍ତ । ଚତୁରୀ ।

ଆଉ ଏବେ ତ ନାହିଁ ମୋ ସାମର୍ଥ୍ୟ ।

ପୂର୍ବ ନରେ ସମର୍ପିଅଛି ଚିତ୍ତ ।

ଅମର-ପକ୍ଷପାତ କେବେ ସମ୍ଭର୍ବ ନ ଥିଲା ମୋର କିଞ୍ଚିତ । ଚତୁରୀ । ୭୭ ।

 

ଭାବିଚିନ୍ତି ନରେ ବରିଛି ଅମରେ ବରଜି ଏଣୁ ଶଚିପତି –।

ଉପଦାଚକ-କୃପା ଏ ମୋ ପ୍ରତି ।

କରି ନ ପାରିବ ଜାତମାତ୍ର ଲବ ଖେଦ ମୋ ଚିତ୍ତରେ ଦୂତୀ । ନିଶ୍ଚୟ ।

କର ବିଚାର ସଂସାରସୁଖକୁ ।

ଦୂରେ ତେଜି ଯେ ମୁମୁକ୍ଷୁ ମୋକ୍ଷକୁ ।

ଆକାଙ୍‌ଖା-ରଖେ ଏ ସଂସାରଜ-ସୁଖ ଲୋଭାଇପାରେ କି ତାକୁ ? ଚତୁରୀ । ୭୮ ।

 

ଆଶ୍ରମ ଚତୁର-ମଧ୍ୟେ ଗାର୍ହସ୍ଥ୍ୟର ପ୍ରାଧାନ୍ୟ ଯେମନ୍ତେ ପ୍ରକ୍ଷାତ ।

ବର୍ଷ ସମୂହେ ଭାରତ ତେମନ୍ତ

ବୋଲନ୍ତି ବିଦୁଷେ ସେ ଭାରତବର୍ଷେ ହୋଇଅଛି ମୁହିଁ ଜାତ । ଚତୁରୀ ।

ଏଥି ରହିବି ଗାର୍ହସ୍ଥ୍ୟ ଆଶ୍ରମେ ।

ପତିମତି ତୋଷିବି ଶୁଦ୍ଧପ୍ରେମେ ।

ବିମଳ ଶାସ୍ୱତଧର୍ମର ସହିତ ଅରଜିବି ଦିବ୍ୟ ଶର୍ମେ । ଚତୁରୀ । ୭୯ ।

 

ସ୍ୱର୍ଗେ ଥିଲେ ଏକମାତ୍ର ସିନା ସୁଖ ଭୋଗୁଥିବି ଅନୁବରତ ।

ଧର୍ମାର୍ଜ୍ଜନେ ଉପାୟ ନ ଥିବତ ।

ଏଥି ଧର୍ମଶର୍ମ ବେନି ଯଥାକାମ ସାଧି ପାରିବି ନିୟତ । ଚତୁରୀ ।

ଯାଗେ ଏଥି ପାରିବି ତୋଷି ଦେବେ ।

ଏଣୁ ଏହାକୁ ତେଜି ସ୍ୱର୍ଗେ ଲବେ ।

ଯିବାକୁ ନୁହେଁ ମୋ ଚିତ୍ତ; ଦୁଇ ତେଜି ଏକ ଭଜଇ କେ କେବେ । ଚତୁରୀ । ୮୦ ।

 

ସ୍ୱର୍ଗୁଁ ଯେବେ କେହି ପ୍ରୟାଣ କରଇ ମର୍ତ୍ତ୍ୟେତ ସେ ନିଶ୍ଚେ ଆସିବ ।

ମର୍ତ୍ତ୍ୟୁଁ ଯେବେ କେ ଧାର୍ମ୍ମିକ ଗମିବ ।

ସ୍ୱର୍ଗ ବିନା ଦୂତି ଭାଷ ଚିତ୍ତେ ଚିନ୍ତି ତାର ଆଉ କାହିଁ ଠାବ । ଚତୁରୀ ।

ମର୍ତ୍ତ୍ୟାମର୍ତ୍ତ୍ୟ ଏ ବେନିପୁର-ସ୍ଥିତି- ।

ପରିଣତି କି ବିଚାରିଲେ ମତି ।

ଆଦ୍ୟ ତୁଲକୁ ପ୍ରାନ୍ତ ଦିଶେ ଶର୍କରା ସଙ୍ଗକୁ କଙ୍କର ମତି । ଚତୁରୀ । ୮୧ ।

 

ଥିବ ଯା ସୁକୃତ ହେଲେ ଆୟୁଗତ ତାକୁ ସ୍ୱର୍ଗ ହୁଏ ପ୍ରାପତ ।

ଜୀଇ କେ ସ୍ୱର୍ଗେ ଯାଉଛି କହତ ।

ଏଥୁ ସ୍ୱର୍ଗପ୍ରାପ୍ତି ହିତ ବା ଅହିତକାରୀ ବିଚାରି ବୁଝତ । ଚତୁରୀ ।

ଏଣୁଁ ଆପାତ-ସୁଖପ୍ରଦାୟକ, ।

ସ୍ୱର୍ଗ - କାମନା କରେ କେଉଁ ଲୋକ ।

କରିବେ ଅବା ପ୍ରତ୍ୟାଶା ସେମାନେ ତା ଯାହାଙ୍କ ନାହିଁ ବିବେକ । ଚତୁରୀ ’’ । ୮୨ ।

 

ଏମନ୍ତେ ଦୂତୀକି ଉତ୍ତର-ପ୍ରଦାନ ଅର୍ଦ୍ଧେ ରୋଧି ରାମାରତନ ।

ସହସ୍ରାକ୍ଷ-ପକ୍ଷରେ ସାବଧାନ ।

ବିବକ୍ଷା ବାତକମ୍ପିତ-ଓଷ୍ଠ-ଦଳ - ଶୋଭି ସଖି-ପଦ୍ମାନନ । ବିଲୋକି ।

ବୁଝି ଆକାରୁ ତାହାଙ୍କ ଇହିତ ।

ମୁଖ-ସୁଧାକରୁଁ ଗିର ଅମୃତ ।

ବିତରି ବୋଧୁଁ ସଖୀମୁଖପଙ୍କଜ ଗଲେ ହୋଇ ସଙ୍କୁଚିତ । ଚପଳେ । ୮୩ ।

 

ଭାଷେ ରାଜପୁତ୍ରୀ, ‘‘ଶୁଣ ସଖିତତି ଅନାଦିକାଳୁଁ ଜୀବଗଣ ।

ମାନି ଈଶ୍ୱର-ଅଦୃଷ୍ଟ-ଶାସନ ।

ନ ରଖି ଅପେକ୍ଷା ଆନେ ଯାଉଛନ୍ତି ସାଧି ନିଜ କର୍ମମାନ । ସଂସାରେ ।

ତୁମ୍ଭଙ୍କୁତ ନୂଆ ନୁହେଁ ଏକଥା ।

ତେବେ ପୁଚ୍ଛିବ ମୋତେ କିପାଁ ବୃଥା ।

ଅବଳା ମୁଁ ତ ଉଦ୍ଦେଶ୍ୟସାଧନକୁ ତୁମ୍ଭ ହେବି କି ଶକତା । ସଙ୍ଗିନୀ । ୮୪ ।

 

ଜାଣୁଛତ ଏ ଜଗତେ ସର୍ବ ଜୀବଜନ୍ତୁ ନିୟତିବଶ ସହି ।

ତାହା ବିନା କେ ଶକ୍ୟ ନୁହେଁ କାହିଁ ।

ଏଣୁ ବିଦୁଷ ହେଲେହେଁ ଲୋକ ନିନ୍ଦ୍ୟ ଅବସ୍ଥା- ବିଶେଷେ ନୋହି । କଦାପି ।

ପୁଣି ଅଚେତନ ଅଟେ ନିୟତି ।

ଶୁଣିବ କି କେବେ ସେ କାର ଯୁକ୍ତି ।

ତେଣୁ ଏ ସ୍ଥଳେ ବାଣୀ-ବ୍ୟୟେ ଲଭଇ ବକ୍ତା ଏକା ମୁଖ-ଶ୍ରାନ୍ତି । ସଙ୍ଗିନୀ । ୮୫ ।

 

କୋମଳପଲ୍ଲବ-ଭୋଜନାଭିଳାଷୀ ମୃଗ ଉଷ୍ଟ୍ରକୁ ନିନ୍ଦାକରେ ।

ତୀକ୍ଷ୍ଣକଣ୍ଟକେ ଯା ଉଦର ପୂରେ ।

ସେ ଦାସେରକ ପୁଣି ହୀନ ବିଚାରି ହରିଣକୁ ଛି ଛି କରେ । ସଙ୍ଗିନୀ ।

ହେଉ କଣ୍ଟକ ବା ପତ୍ର କୋମଳ ।

ତହିଁ ଦୁହେଁତ ତୃପ୍ତି ସୁବିପୁଳ ।

ଲଭନ୍ତି ଏଥି ମଧ୍ୟସ୍ଥ ଏକେ ଟେକି ଆନେ ନିନ୍ଦିବା ଅସାର । ସଙ୍ଗିନୀ । ୮୬

 

ଅତି ରୁଚିର ହୋଇଲେହେଁ ଇନ୍ଦ୍ରର ସୁଗୁଣଗଣ ମୋ ବାଞ୍ଛିତ-।

ନରେ କରି ନ ପାରେ ଅଧକୃତ ।

ଏଣୁ ସେ ନରକୁ ବରଜି ଅମର-ବରଣେ ନବଳେ ଚିତ୍ତ । ମୋହର ।

କର ବିଚାର ଧର୍ମ ଅର୍ଥ କାମ ।

ମୁକ୍ତି ସହିତକୁ ନିକି ଏ ସମ ।

ତଥାପି ଏତ୍ରୟେ ବରଜି ରହିଛି କହ କେ ଏ ଧରାଧାମ । ସଙ୍ଗିନୀ । ୮୭ ।

 

କଇଟଭରିପୁଠାରୁ କୀଟଯାଏ ସର୍ବେ ନିଜ ନିଜ ଇହିତ ।

ଲାଭକରି ହୁଅନ୍ତି କୃତକୃତ୍ୟ ।

କାମସିଦ୍ଧିରେ ସମସ୍ତଙ୍କ ସନ୍ତୋଷ ଘେନ ସମପରିମିତ । ସଙ୍ଗିନୀ ।

ଯାହା ତୁମ୍ଭଙ୍କୁ ରୁଚୁଛି ସଙ୍ଗାତ ।

ତହିଁ ମାନୁତ ନାହିଁ ମୋର ଚିତ୍ତ ।

ଭିନ୍ନରୁଚି ଲୋକ ତେଣୁ ଯହିଁ ଏକ ତୁଷ୍ଟ ତା ଆନେ ଅହିତ । ସଜନୀ । ୮୮ ।

 

ବନ୍ଧୁର ପଥ - ସମ୍ମୁଖରେ ବିପଦ କୂପ ଥିବାର ଜାଣିଥିଲେ ।

ତା’ର ବନ୍ଧୁ ରୋଧିବ ତାକୁ ଭଲେ ।

କିନ୍ତୁ ଏମନ୍ତ ବିଷୟେ ସୁବୁଦ୍ଧିର ଭାଷଣ ନ ଶୋଭେ ତିଳେ । ସଙ୍ଗିନୀ ।

କା’ର ଆନନ୍ଦ କାହିଁରେ ହୋଇବ ।

ତା’ର ହେତୁ ଆନ କାହୁଁ କହିବ ।

ସେ ସୁଖକାରଣ ତା’କୁ ସିନା ମନ ତା’ର ବୁଝାଇ ପାରିବ । ସଙ୍ଗିନୀ’’ । ୮୯ ।

 

ଏମନ୍ତେ ପାଣ୍ଡିତ୍ୟବଳେ ପ୍ରତିପକ୍ଷଉକ୍ତିକି ମୁକ୍ତି ନ କରାଇ ।

ସଖି-ମୁଖ- ବନ୍ଦିଶାଳେ ରଖାଇ ।

ସ୍ୱର୍ପତି-ଦୂତିକି ଚାହିଁ ପୁଣ ମହୀମହେନ୍ଦ୍ର-ସୁତା ଭାଷଇ । ସୁଧୀରେ ।

ଜେମାଗିର-ଚାତୁରୀରେ ଅମର ।

- ଦୂତିକାର ବିସ୍ମୟେ ଥରେ ଶିର ।

ଏବାଣୀ-ଶୁଣା ଶ୍ରବଣ ତା ମଣିଲା ଉଣା ବୋଲି ଗୁରୁରିର । ସୁଧୀରେ । ୯୦ ।

 

ଭାଷେ ଜେମା, ‘‘ଜନ୍ତୁପତି-ଦୂତୀ ଅତିଜବେ ଚଢ଼ି ଚିତ୍ତ ବାହନେ ।

ସ୍ୱାହା-ପତିଙ୍କ ଦୂତୀ ପବମାନେ ।

ସରିତପତି-ଅଧିପ-ଦୂତୀ ଭାଗୀରଥୀ ଆରୋହି ବହନେ । ଚତୁରୀ ।

ଆସିଥିଲେ ଏ ସର୍ବେ ମୋର ପାଶେ ।

ପୂର୍ବୁଁନରେ ବରିବାରୁ ମାନସେ ।

ଯଥାର୍ଥ କଥା ବୁଝାଇ ଠିକେ ଏକେ ଏକେ ପେଷଲି ସ୍ୱବାସେ । ଦୂତିକା । ୯୧ ।

 

ଇନ୍ଦ୍ରେ ପ୍ରସନ୍ନ କରାଇବାକୁ ମନ ମୋର ଯେବେ ଦୂତୀ ଭରସି ।

ପରକାଶ କରିବ ବାକ୍ୟରାଶି ।

ତେବେ ଯା ପାଇଁ ଏତେ କହ ତା’ ପଦେ ହେବ ମୋ ଶପଥେ ଦୋଷୀ । ଏଣିକି ।

ଇନ୍ଦ୍ର - ସୁଗୁଣ କହି ଯାହା ମୋର ।

ସତୀପଣକୁ ହିଂସଛି ଅପାର

ସେ ପାପ-ପ୍ରକ୍ଷାଳନକୁ ପାତିବ୍ରତ୍ୟ-ଧର୍ମ ସାହା ହେବ ମୋର । ଦୂତୀକା’’ । ୯୨ ।

 

ଏମନ୍ତ ଶପଥ ପ୍ରଦାନେ ବିରତ କରନ୍ତେ ଭାଷଣୁଁ ଦୂତୀକି ।

ତୁରିତ ସେ ବହି ଯତି-ଭୂତିକି ।

ନୃପତି ପୁତ୍ରୀ - କତିରୁ ବସତିକି ସୁରଙ୍କ କଲା ଗତିକି । ସୁଧୀରେ ।

ଏହା ଚାହିଁ ନଳହୃଦେ ଜୀବନ ।

ପୁଣି ପାଲଟି କଲା ନିକେତନ ।

ମତ୍ତତା - ନାଶେ ପ୍ରମତ୍ତ-ହୃଦଦେଶେ ଯଥା ପ୍ରବେଶେ ଚେତନ । ସୁଧୀରେ । ୯୩ ।

 

ପୁରନ୍ଦରାଦି-ହରିତପତିଙ୍କର କୃପା-ପ୍ରଭାବେ ଅନ୍ତର୍ହିତ ।

ହୋଇ ନୃପ ଶ୍ରବଣ-ପୁଟେ ଦୂତ ।

ଭୂପତି-ପୁତ୍ରୀ-ଅନୁରାଗ-ଭାରତୀ-ଜାତ-ଭାବମଧୁ ପ୍ରାପ୍ତ । ହୋଇଲେ ।

ଗଲେ ନିମଜ୍ଜି ପ୍ରମୋଦନଦରେ ।

ପାରିବ କେ ବର୍ଣ୍ଣି ସେ ଆନନ୍ଦରେ ।

ବାଞ୍ଛିତଲାଭେ ଏମନ୍ତ କୃତକୃତ୍ୟ ହୁଅନ୍ତି ସଂସାରେ ନରେ । ସୁଧୀରେ । ୯୪ ।

 

କବିରାଜ-ରାଜି-ମୁକୁଟ-ହୀରକ ହୀରତ ଭୁବନବିଖ୍ୟାତ ।

ତାଙ୍କ ସାରସମ୍ପଦ ହର୍ଷସୁତ ।

ଯାହାର ରଚନାରୀତି କରେ ଚୂନା ଭାରତିର ଭାବବ୍ରାତ । ସୁଧୀରେ ।

ତାର ପଦେ କରି ଅନୁସରଣ ।

ଗୀତ ରଚଇ ଗୋପୀନାଥ ହୀନ ।

କୋକିଳ-କଳସ୍ୱନକୁ ଅନୁକରି ବଳେ କୂଜନ୍ତି ଯେସନ । ସୁଧୀରେ । ୯୫ ।

-------

 

 

ସପ୍ତମ ଛାନ୍ଦ

ରାଗ-କଲ୍ୟାଣଆହାରି

ଶୁଣ ଧୀରବ୍ରାତ ପ୍ରେୟସୀ-ସାକ୍ଷାତ-ଆଳାପ-ଆଲିଙ୍ଗନ ଆଦି ।

ଲାଭ-ବିଷୟେ ମାନସେ ନିଷଧେଶ ଯେଉଁ ଆଶା ଥିଲେ ସମ୍ପାଦି

କ୍ରମେ କ୍ରମେ ତ । ସେ ବଢ଼ୁଥିଲା ତିଳେ ତିଳେ ।

ଏବେ ପ୍ରିୟା-ଦରଶନେ ସେ ଆଶାକୁ ପୂର୍ଣ୍ଣପ୍ରାୟ ନୃପ ମଣିଲେ । ୧।

ପ୍ରଥମେ ପ୍ରେୟସୀ-ପ୍ରତି-ଅବୟବେ ଗଲା ରସି ନୃପନୟନ

ସେଦର୍ଶନ-ଜନ୍ୟ-ସୁଖସରସ୍ୱାନ-ମଧ୍ୟେ ନିମଜ୍ଜିଲା ବହନ

ତହୁଁ ଆନନ୍ଦ । -ସମ୍ଭବ ଲୋତକ-ସ୍ରୋତରେ ।

ଗଲା ଭାସି ବଳେ ଇଷତ ବିଚାରି ନିଷଧପତି-ବାରିତରେ ।୨।

ପ୍ରଥମେ ସେ ନିରୂପମାର ରୋମାଗ୍ର ଦରଶନ କରି ଭୂପତି ।

ଲଭି ଥିଲେତ ଅନନ୍ୟସାଧାରଣ ବ୍ରହ୍ମଲାଭ-ଭବ-ତୃପତି ।

ପରେ ସମଗ୍ର ।-ଅଙ୍ଗେ ନୟନ ଯାଉ ପଡ଼ି

ଅବିସମ୍ବାଦି ଅଦ୍ୱିତୀୟ ମଦନାନନ୍ଦେ ମାନସ ଗଲା ବୁଡ଼ି ।

ପ୍ରେୟସୀ-ପୀୟୁଷ ଦିଧିତି-ବଦନ-ପ୍ରଭା-ପରଶେ ଭୂପତିର

ସ୍ନେହ-ସାଗର ଉଛୁଳି ଦୌତ୍ୟବିଧି-ବେଳା ବଳିବାକୁ ଚଞ୍ଚଳ ।

ହେଉଁ, ତା ଦେଖି । ଉଚ୍ଚ-କୁଚଯୁଗେ ବାଳୀର ।

ଆଶ୍ରିଲେ ନୃପ ନୟନେ ବିଚାରିକି ଏଥିକି ଆସିବ କି ଜଳ ।

 

ପ୍ରିୟାମୁଖ-ସୁଧାକରେ ପଡ଼ି କିବା ନୃପନୟନେ ଗଲେ ବୁଡ଼ି ।

ଅବା କୁଚଯୁଗ ମଧ୍ୟେ ଲାଖି କିବା ତାହା ନ ପାରୁଥିଲେ ଛାଡ଼ି ।

ପଡ଼ି ଯିବାର । ଭୟେ ଅଥବା ଧୀରେ ଧୀରେ ।

ଆକଟେ କୃଶ-କଟିକି ଯାକି ଯାକି ଓହ୍ଲାଉଥିଲେ ସେ ପୟରେ ।

 

ନୃପନୟନ ଅବଳାଅବୟବ ଅୟନେ ଥିଲେ ପାନ୍ଥ ହୋଇ ।

ଭ୍ରମି ଭ୍ରମି ଦଳାମୃଗମଦବୋଳା କଳା କୁଚଯୁଗଳ ପାଇ ।

କଳାବଶରୁ । କଳି ନ ପାରି କି ପଦବୀ ।

ପାଉଥିଲେ ଶୋଭା ତା ଚଉପାଶରେ କରୁ ଭ୍ରମଣ ଦବି ଦବି ।

 

ଚକ୍ର-ପ୍ରତିମ ବର୍ତ୍ତୁଳ ମନୋରମ ସେ ନିତମ୍ବିନିର ନିତମ୍ବେ ।

ରଙ୍ଗେ ବିହରୁ ବିହରୁ ଉର୍ବିଧବ-ନୟନବେନି ଅବିଳମ୍ବେ ।

ହେଉ ପତିତ । ତେଜବ୍ୟାଜେ କର ବଢ଼ାଇ ।

ପକାଇ ଧରି ଉରୁରମ୍ଭାତରୁକୁ ହୋଇଲେ ଥୟ ଯାଇ ତହିଁ ।

 

ଆରେ ବରାଙ୍ଗୀ ! ବସନ ଏକାନେତ୍ର ନେତ୍ର ନୁହଁଇ ନିକି ମୁହିଁ ? ।

କର କୃପା ବକ୍ଷନିତମ୍ବ ଉରୁ ତୋ ମୋରେ ଆବରି ଚାନ୍ଦମୁହିଁ ।

ଚାଟୁ ଭାରତୀ । ଏମନ୍ତ ଭାଷି କି ଭୂଭୃତ ।

-ନେତ୍ର ଯତିଚିତ୍ତ-ମୋହିନୀ-ନବୀନା-ପୟରେ କଲେ ପ୍ରଣିପାତ । ୮ ।

 

ତଦନ୍ତରେ ଧରାବର-ପୁରନ୍ଦର ନିଷଧେଶ୍ୱର ସେ ସ୍ଥଳରେ ।

ସଙ୍ଗିନୀସଙ୍ଗେ ହେମାଙ୍ଗୀ ବରାଙ୍ଗୀକି ବିତରି ଉପହାର-ଛଳେ ।

ନିଜ ନୟନେ । ଆନନ୍ଦ-ବିସ୍ମୟରେ ଚିତ୍ତ ।

ନିମଜ୍ଜାଇ ଅତିଶୟରେ ଜଳପୁଥାନ୍ତି ମନେ ମନେ ଏମନ୍ତ । ୯ ।

 

ମାର ଅବା ମୋରବାଞ୍ଛା ଯେବେ ସୁରଜ୍ୟେଷ୍ଠ-ପଦ ପାଇଥାଆନ୍ତା ।

ତେବେ ଏ ଆଶ୍ଚର୍ଯ୍ୟ ଅନିର୍ବଚନୀୟ ରୂପ ବା ସମ୍ଭବ ହୁଅନ୍ତା ।

ଅବା ଏ ଛବି । କଲାବେଳକୁ କଳପଣା ।

ଅମର ହେଲେହେଁ ମାର ମରିଥାନ୍ତା ମୁଁ ନର ମୋର କି ଠିକଣା । ୧୦ ।

 

ପୁଣି ବିଚାରନ୍ତି ଭୂଭୃତସୁତାତ ଏ ଯୋଷିତବର ନିୟତ ।

ତୁଙ୍ଗ-ନିବିଡ଼-ପୟୋଧର-ପ୍ରସାଦେ ଲାବଣ୍ୟ ରସେ ପ୍ରପୂରିତ ।

ହୋଇଅଛି ଏ । ଏ ଯୋଗୁଁ ସୁର-ତରଙ୍ଗିଣୀ ।

ବୋଇଲେ ଏହାକୁ କି ହାନି ? ସ୍ୱର୍ଗେ କି ନାହାନ୍ତି ପରବତେ ପୁଣି ? । ୧୧ ।

 

ଅଙ୍ଗନା-ଅଙ୍ଗ ନିର୍ମ୍ମାଣ-ଆନ-ନବବିଦ୍ୟା କାହୁଁ କାମ ଶିଖିଛି ।

ପ୍ରତ୍ୟେକ ଅଙ୍ଗ-ପ୍ରତ୍ୟଙ୍ଗରେ ଏହାର ତେଣୁ ଉଛୁଳି ପଡ଼ୁଅଛି ।

ଶୋଭା-ସମ୍ପଦ । ସୀମାକୁ ନ ମାନି କିଞ୍ଚିତ ।

ଧନ୍ୟ ମୋତେ ଯା’ ଏ ଅଞ୍ଚିତ-ନେତ୍ରାର ଦର୍ଶନେ ନ ହେଲି ବଞ୍ଚିତ । ୧୨ ।

 

 

ଏ ମୂର୍ତ୍ତିରଚନେ ବିଚାରୁଛି ମନେ ଚତୁରାନନ ଭଲା କଲା ।

ଜମ୍ବୁସରିତର ଜମ୍ବାଳ-ଜାଳରୁ କୋମଳ ସାର ଘେନିଗଲା ।

ତହିଁ ଗଢ଼ିଲା । ଅଷ୍ଟ ନୟନକୁ ନିବେଶି ।

କୋମଳେ କୋମଳ ମିଳୁଁ ଅଙ୍ଗେ-ଅଙ୍ଗ-ମେଳଚିହ୍ନ ଆଉ ନ ଦିଶି । ୧୩ ।

 

ଏ ବରାଙ୍ଗୀ ଅଙ୍ଗ ପ୍ରତ୍ୟଙ୍ଗକୁ ସଙ୍ଗ-ଭଳି ବହୁଦ୍ରବ୍ୟ ଅଛନ୍ତି ।

କେତେ ଗୁଣରେ ସେ ସମ ହୋଇଲେହେଁ କେତେକ ଗୁଣେ ହାରିଥାନ୍ତି ।

ଏଣୁ ଏ ଦ୍ରବ୍ୟ । ପରାଏ ଏ ଅଙ୍ଗ ଏହାର ।

ବୋଲୁଁ ବୃଥାରେ ଦ୍ରବ୍ୟେ ଟେକି ହୁଅନ୍ତି ହୁଏ ଅପମାନ ଅଙ୍ଗର । ୧୪ ।

 

ରମ୍ଭା ଉର୍ବଶୀ ମେନକା ଆଦି ଶୋଭାସମ୍ଭାର-ସୀମା ବାମା ଗଢ଼ି ।

ହସ୍ତ ଥୟ କରି ଧାତା ଏ ମୂରତି ରଚନେ ଯାଇଥିଲା ଜଡ଼ି ।

ତହୁଁ ଏଣିକି । ରଚିବ ଯେତେ ବରବାଳୀ ।

ତାଙ୍କ ଉନତା ଯୋଗୁଁ ଏହା ପ୍ରଶଂସା ସଂସାରେ ପ୍ରସରିବା ଭାଳି । ୧୫ ।

 

ଉପମା-ଯୋଗ୍ୟ ପଦାର୍ଥେ ହାରିଲେହେଁ ଏହା ଅଙ୍ଗକୁ ନାନାଭାବେ ।

ପରାଜୟ-ଜାତ ବିମର୍ଷ ଭାବତ ନ ଥିବ ତାଙ୍କତହିଁ ଲବେ ।

ଯେଣୁ ସେ ଅଙ୍ଗା ତୁଲେ ଏହାକୁ ସମ କରି ।

ଅବିବେକ କବି ଦେଇଥାଏ ବହୁ ଗୌରବ ନିଜେ ଯାଚି କରି । ୧୬ ।

 

 

ଏହାକୁ ଦେଖିଲେ ମୋହ ନୋହି କେହି ରହି ନ ପାରନ୍ତି ଏମନ୍ତେ ।

ବିଚାରି କି ଦୋଷେ ଏ ଯୋଷାବରକୁ ଛାଡ଼ି ପଳାଇଲେ ଦିଗନ୍ତେ ? ।

ଆନ ଯୋଷିତେ । ଗୁଣ ଥାଏ ମିଶି ଦୋଷରେ ।

ଦୋଷ ତ ଯାଇଛି ଗୁଣ ମାତ୍ର ବାଛି ହୋଇ ଅଛି ଏହା ପାଶରେ । ୧୭ ।

 

ପଙ୍କଜ-କୋଷକୁ ଘୃଣାରେ ବରଜି ଯାହା ବାଳାଅଙ୍ଗ ଦେଇଛି ।

ତହିଁକି ତା’ କର୍କଶପଣ କାରଣ ନିରନିବାସ ନୁହେଁ କିଛି ।

ଧୂଳି-ଧୂସର-। ଯୋଗୁଁ ଏକା ସ୍ୱର୍ଣ୍ଣଚମ୍ପକେ ।

ଛି ଛି ଯା’ କରେ ଅଙ୍ଗ ତା’ କିଛି ନୁହେଁ ଆବୃତ ହେବାର କଣ୍ଟକେ । ୧୮ ।

 

ଲଭିବାକୁ ଏ ବାଳୀକା ବଳାରାତି ବଳାଇଛନ୍ତି ତ ମାନସ ।

ଆନ ଘେନିଯିବା ଭୟରେ ମଘବା ତେଣୁ ନିଜକର-କୁଳିଶ ।

ପେଷି ଅଛନ୍ତି । ସେ ବଜ୍ର ଅଳଙ୍କାରେ ଶୋହେ ।

ରତ୍ନଭୂଷିତ-ଭୂଷାର ପ୍ରଭାପୁର ତାଙ୍କର ଶରାସନ କିଏ ? । ୧୯ ।

 

ପକ୍ଷରେ ଅସଂଖ୍ୟ-ନକ୍ଷତ୍ର-ନାୟକ ବହିଛି ଯେ ବରହୀପୁଚ୍ଛ ।

ଏ ବାଳୀର କେଶକଳାପ-ତୁଳକୁ ଅଟେ ତ ସେ କଳାପ ତୁଚ୍ଛ ।

ତେଣୁ ଏ କେଶ । ଏକ ଶଶାଙ୍କର ସମାନ ।

ବଦନ ଉପରେ ସଦନକରିବା ନୁହେଁ ଅଶୋଭା କଦାଚନ । ୨୦ ।

 

 

ହାରି ସମରେ ମୁଖଶଶି ସଙ୍ଗତେ ପୁରତେ ଅବା ପାରୁଶରେ ।

ରହି ନ ପାରି ଭଙ୍ଗ ବହି ତାମସ କେଶପାଶ-ଛଳେ ପଛରେ ।

ବନ୍ଧ ହୋଇଣ । ରହିଛି ଏବା ଏତ ବାଳ ।

ଚପଳପଣୁଁ କୃଷ୍ଣବର୍ଣ୍ଣୁଁ ଯଶୋଦା-ସିଂହାରୀ ବାନ୍ଧିଛି ତତ୍କାଳ । ୨୧ ।

 

ଏ ବାଳୀର ବାଳ-କଳାପ କଳାପୀ-କଳାପ ବେନି ବାଦକରି ।

ଉଚ୍ଚନୀଚ ନିଶ୍ଚୟକୁ ଚତୁରାସ୍ୟ ପାଶେ ଯାଇ କରୁ ଗୁହାରି ।

ଦେଲା ଘଉଡ଼ି । ବର୍ହେ ସେ ଅର୍ଦ୍ଧଚନ୍ଦ୍ର ଦେଇ ।

ଏହାକୁ ପୂଜୁଁ ସୁମନେ ସୁମନସେ ସେ ଏବେ ଏଥି ଅଛି ରହି । ୨୨ ।

 

କେଶ-ନୈଶ-ଆକାଶର ଅଙ୍କଦେଶେ ଲଲାଟ-ପଟ ଅର୍ଦ୍ଧଶଶୀ ।

ବିକଶାଇ ଯୋଷା ରତନ ଯାଉଛି ଅଷ୍ଟମୀନିଶୀ ସମ ଦିଶି ।

ପାଇ ଏହାକୁ । ସହାୟ କୁସୁମଶାୟକ ।

ଲୋକତ୍ରୟ-ଜୟ-ସିଦ୍ଧିକି ନିଶ୍ଚୟ ମଣିବ କିଞ୍ଚିତ ମାତ୍ରକ । ୨୩ ।

 

କାମଦହନ-ସମୟରେ କୁସୁମ-କାର୍ମୁକ-କେଶର-ନିକର ।

କୃଷ୍ଣବର୍ତ୍ମା-କର-ପରଶରେ କୃଷ୍ଣପ୍ରାପ୍ତି ଲଭିଥିଲା ମାତର ।

ତାକୁ ମହେଶ । ଚାହିଁ କ୍ରୋଧେ କରୁ ଦ୍ୱିଖଣ୍ଡ ।

ତହିଁ ବିରଞ୍ଚି ନିଶ୍ଚୟ ବିରଚିଛି ଏ ରମ୍ଭୋରୁର ଭୂରୁଦଣ୍ଡ । ୨୪ ।

 

 

ଏକେ ପୁଷ୍ପ ପୁଣି ଦ୍ୱିତୀୟେ ଦହନ ହୋଇ ଏ କାମର କାର୍ମୁକ ।

ହରବରେ ତରି ଏ ଜନ୍ମେ ମଣ୍ଡିଛି ଏ ବାଳୀ-ଲଲାଟ-ଫଳକ ।

ଗତୁଁ ବହୁତ । ଗୁଣେ ହୋଇଛି ସାରବନ୍ତ ।

ଯା’ର କିଞ୍ଚିତ କୁଞ୍ଚିତ ହେବା ଚାହିଁ ଚମକିଯାଏ ଲୋକଚିତ୍ତ । ୨୫ ।

 

ବାମଦେବ-କୋପେ ଦଗ୍‌ଧ କାମଚାପ ବାଳୀମୁଖଚନ୍ଦ୍ରେ ବର୍ଜିତ ।

କଳଙ୍କରେଖା ଏ ଦୁହେଁ ସଖାହୋଇ ପୁନର୍ଜନ୍ମେ ହେଲେ ବ୍ୟକତ ।

ଭୁରୁଭାବରେ । ଅବଳା-ଲଲାଟ-ପଟରେ ।

ବାଳ-ଭାବ-ବଶେ ଚାପଲ୍ୟ ମାନିଛି ଅତି ଚମତ୍କାର ବେନିରେ । ୨୬ ।

 

ଶରତ୍ରିତୟରେ ଜଗତତ୍ରୟକୁ ଜୟ ତ କଲି କିଞ୍ଚିତରେ ।

ଏ ବଳକା ବାଣଯୁଗେ ପ୍ରୟୋଜନ କିସ ବୋଲି ଚିନ୍ତି ଚିତ୍ତରେ ।

ରତିନାୟକ । ପଦ୍ମୋତ୍ପଳ ବେନି ମାର୍ଗଣେ ।

ଏ ନବନବୀନା-ନୟନେ ଯତନେ ଥୋଇଲାପ୍ରାୟ ମନେ ମଣେ । ୨୭ ।

 

ଯେଉଁ ଚାପଯଷ୍ଟି-ମଧ୍ୟେ କାମ-ମୁଷ୍ଟି ପଡ଼ିଥାଇ ଅବିରତରେ ।

ସେ ଏବେ ଏ ମୂର୍ତ୍ତି ବହି ଶୋହିଲାଣି ସୁନ୍ଦରୀ-ସୃଷ୍ଟି-ସୀମନ୍ତରେ ।

ପୂର୍ବ ସ୍ୱଭାବ । ତେବେ ହେଲେହେଁ ନ ତେଜଇ ।

କଟାକ୍ଷ-ବିଶିଖବୃଷ୍ଟି ସୃଷ୍ଟି କରୁଅଛି ଏ ମୋର ମୋହପାଇଁ । ୨୮ ।

 

 

ଈଷତ-ଚଞ୍ଚଳ ଅତ୍ୟନ୍ତ ଉଜ୍ଜ୍ୱଳ କଳାକରବତ ଧବଳ ।

ନୟନ-ଯୁଗଳ କୋଳେ ଲଗାଇଛି ଇନ୍ଦ୍ର-ନୀଳଗୁଳିଯୁଗଳ ।

ଖେଳ କିରଙ୍ଗେ । ପକ୍ଷ୍ମ ତା’କୁ ପୁଣି ଜଗିଛି ।

ଦେବାକୁ ଉପମା ତାହାକୁ ତା ବିନା ଆନ ତ ସମ ନ ଦିଶୁଛି । ୨୯ ।

 

ନୟନ ଶୋଭାକୁ ହାରି କର୍ଣ୍ଣପାଶେ ଉତ୍ପଳ ହୋଇଛି ବନ୍ଧନ ।

ଏମନ୍ତ-ନୟନ କଥା ଥାଉ ପଛେ ଏ ଉତ୍ପଳବନ୍ତ ବଦନ ।

ଯେବେ କୁରଙ୍ଗୀ । ଲଭନ୍ତା ପୂର୍ବଭାଗ୍ୟବଳେ ।

ତେବେ କି ବରଜି ନଦେଇ ରଖନ୍ତା ତା ନିଜନୟନ ଯୁଗଳେ । ୩୦ ।

 

ମୋଚାର ତ୍ୱଚକୁ ଉତ୍ତାରି ଉତ୍ତାରି ମଞ୍ଜକୁ ଘେନି କଞ୍ଜସନ ।

ଏ ନବଲଳନା-ନୟନ-ଯୁଗଳ ଯତ୍ନେ କରିଛି ନିରିମାଣ ।

ନୀଳୋତ୍ପଳର । ବାହାରଦଳ ଦେଇ ଫେଇ ।

ଗାଢ଼ ନୀଳଅଂଶେ ଗୁଳିକା-ଯୁଗଳ କରି ଏଥିରେ ଅଛି ଥୋଇ । ୩୧ ।

 

ଏ ନେତ୍ରଯୁଗ-ବିରଚନେ ବିରଞ୍ଚି ନିଶ୍ଚୟ ବହୁଶ୍ରମ କଲା ।

ଉତ୍ପଳ-ଚକୋର-କୁରଙ୍ଗ-ନୟନେ ପରୁବୁଁ ନିମେଷ ଖଞ୍ଜିଲା ।

ତା’ର ନିପାତ-। ବଶୁଁ ପେଷଣୁଁ ତହୁଁ ସ୍ରୂତ-।

ସାରଭାଗେ ନିଜଚାତୁରୀ ମିଶାଇ କଲା ଏ ନେତ୍ରକୁ ନିର୍ମିତ । ୩୨ ।

 

 

ଶୋଭାରେ ନିଜ-ନୟନର ଉନତା ଜାଣି ହରିଣୀ ଏ ରମଣୀ-।

ନେତ୍ରର ଚାତୁରୀ ଥିଲା ଋଣକରି ତେଣୁ ଅଥୟ ଭୟେ ପୁଣି ।

ସଦାହୁଏ ଏ । ଏହା ତହୁଁ ଏ ନାରୀବର ।

ମୂଳ କଳନ୍ତର କରିଛି ଆଦାୟ ବଳେ ବା ହୁଏ ଏ ବିଚାର । ୩୩ ।

 

ସ୍ୱଭାବ-ଚପଳ ଖେଳନବିଲୋଳ ଅବଳା-ନୟନଯୁଗଳ ।

ନୋହି ମିଳିତ ପରସ୍ପରେ ବିଚ୍ୟୁତ ହୋଇଥାନ୍ତେ କି ଏତେକାଳ ।

ଏକା ଏତିକି । ଭୀତି ଚିତ୍ତେ ଅଛି ତାଙ୍କର ।

କଲାବେଳେ ଗତି ସୁଗଭୀର-ଶ୍ରୁତି-କୂପେ ପତନ ଲଭିବାର । ୩୪ ।

 

ପୁଣ୍ୟପ୍ରଭାବେ ଉତ୍ତମ-ପଦଲାଭେ କମଳିନୀ ଲୋଭ ବଳାଇ ।

କେଦାରକୁ ଅନୁସରିଣ ଶିଶିର ଆଗମେ ଥିଲା ତନୁ ଦାହି ।

ସେହି ସୁକୃତ-। ପ୍ରଭାବେ ତା ଫୁଲ୍ଲ ପ୍ରସୂନ ।

ଏ ନୃପସୁତା-ନେତ୍ର ହେଲା ରହିଲା କଳିକା ଚକୋରନୟନ । ୩୫ ।

 

ଜଗତ ତ୍ରୟଜୟକୁ ଶରତ୍ରୟ ସରିଛିତ ମନୋଭବର ।

ବାକି ବେନିଶର ଅଛି ନାଶା-ତିଳ-ଫୁଲ-ଶରଧାନୀ-ମଧ୍ୟର ।

ତେଣୁ ବାଳୀର । ନିଶ୍ୱାସ-ପବନ ସୁମନ-।

ବାସେ ବାସିତ ହୋଇ ଆସି ତୋଷଇ ପାରୁଶେ ଥିବା ଜନମନ । ୩୬ ।

 

 

ଅସ୍ୟ-ପୀୟୁଷକରର ସଙ୍ଗେ ସଙ୍ଗେ ଏ ବନ୍ଧୁକବନ୍ଧୁ ଅଧର ।

ଲଭି ପ୍ରକାଶ ପରକାଶି ନିଜର ଳୋହିତ-ବରନ ରୁଚିର ।

ଚିହ୍ନାଉଛିକି । ନିଜକୁ ଦରଶକ ଲୋକେ ।

ଶଇଶବ ଯଉବନ ଏ ବେନିର ମୁଁ ସନ୍ଧ୍ୟାକାଳ ବୋଲିଠିକେ । ୩୭ ।

 

ମୁଖଇନ୍ଦୁ ତଳ ଏ ଓଷ୍ଠଯୁଗଳ ସୁଧାସିକ୍ତ-ଧରା-ସମ୍ଭୂତ ।

ବେନି-ବିମ୍ବବତ ଦିଶଇ ନିୟତ ଦ୍ରୁମଗହଳେ ଶୋଭେ ସେତ ।

ଏତ ସର୍ବଦା । ବିଦ୍ରୁମସ୍ଥଳେ ବିରାଜଇ ।

ଏଣୁ ଓଷ୍ଠତୁଲେ ବିମ୍ବକୁ ତୁଳିଲେ ଓଷ୍ଠର ଅପମାନ ହୋଇ । ୩୮ ।

 

ଅତିରକ୍ତ-ବଶୁଁ ହେଉଛି ପ୍ରତୀତି ଏ ଓଷ୍ଠ ଏକା ବିମ୍ବହେବ ।

ଫଳକୁ ବିମ୍ବ ଏ ଓଷ୍ଠକୁ ଅଧର ବୋଇଲେ ଅବା କିସଲାଭ ।

ଓଷ୍ଠ-ତୁଲାକୁ । ଏ ବିମ୍ବତ ସଦାଅଧର ।

ତାକୁ ଏହାର ଏହାକୁ ନାମେ ତାର ଡାକନ୍ତି ନ-ଜାଣିବ । ନର । ୩୯ ।

 

କିପାଇଁ ଅଧର-ଓଷ୍ଠର ମଧ୍ୟର ବେନିପାଶ ଅଳ୍ପ ଫୁଲିଛି ।

ସ୍ୱପନରେ ତ ମୁଁ ଏ ନବନବୀନା-ଶ୍ରୀଅଙ୍ଗ-ସଙ୍ଗମ ଲଭିଛି ।

ତେତେବେଳେ ବା । ଭୋଳହୋଇ କାମ ମଦରେ ।

ଭିଆଇ ନାହିଁତ ନିର୍ଦ୍ଦୟଦଶନ-ଘାତେ ଏ ମହା ଅପ୍ରାଧରେ ? । ୪୦ ।

 

 

ବିଦ୍ୟାତ ବିଦର୍ଭେଶ-ସୁତା-ବଦନେ ନିରତ କରୁଛି ନର୍ତ୍ତନ ।

ତା ସଂଖ୍ୟା ପ୍ରକ୍ଷାତ କରିବାକୁ ଚିତ୍ତ-ବଳାଇ ଚତୁର-ବଦନ ।

ଗାର ରଦନ-। ଛଳେ ପକାଇ ଦେଇଛି କି ? ।

ନ ଥିବାରୁ ଆନ କାର୍ଯ୍ୟ ସିନା ତା’ ର ହୋଇଲା ଏଥି କଉତୁକୀ । ୪୧ ।

 

କ୍ଷଣଦାର ଶେଷ-କ୍ଷଣେ ସ୍ୱପ୍ନାବେଶେ ଆଜି ଏ ପଙ୍କଜମୁଖିର ।

ଅଧରସୁଧା ତ ଚାଖିଥିଲି ଲାଗୁଥିଲା ଅମୃତରୁ ମଧୁର ।

ଏତେବେଳକୁ । ସେହି ଅଧରୁ କେହି ପୁଣ ।

ଝରି ପଡ଼ୁଛି ଲାବଣ୍ୟରସ ଏତେ ବାରି ନ ପାରୁଛି କାରଣ । ୪୨ ।

 

ଏ ମନ୍ଦହାସରୁ ସହସ୍ର-ଅଂଶରୁ ଅଂଶେ କୃପାକରି ବିତରି-।

ଥିଲେ ବିମ୍ବାଧରି ତାକୁ ଶଶଧାରୀ ବହନ୍ତା ନିରିମାଲ୍ୟ ସରି ।

ସେହି ଟୀକାକ । ଟୋପା ଟୋପା କରି ନିଜର ।

କୌମୁଦିମାନଙ୍କ ମସ୍ତକେ ଲଗାଇ ଦିଅନ୍ତା ଟୀକା ପରକାର ।୪୨ ।

 

ମୁଖତ ସୁଧାମୟୁଖକୁ ବଳିଛି ଏଣୁ ତା କାନ୍ତିକି ଏହାର ।

ଜ୍ୟୋତି ଅତିଘନ ସ୍ରବୁଛି ସେ ପୁଣ ଏକର ପଛକୁ ଅପର ।

ବିନ୍ଦୁକ୍ରମରେ । ସେହି ବିନ୍ଦୁବୃନ୍ଦ ଅଧରେ ।

ପଡ଼ି ଅଧଊର୍ଦ୍ଧ୍ୱ-ଭାବେ ରହି କେହି ଦଶନନାମକୁ ବହିଲେ । ୪୪ ।

 

 

ବିଚ୍ଛେଦ-ତାପ-ଜାତ-ମୂର୍ଚ୍ଛା-ଶର୍ବରୀ ଆସିଲାକୁ ଏବେ ମୋ ପାହି ।

ପ୍ରାତସନ୍ଧ୍ୟାବତ ଏ ବରଯୋଷିତ-ଦର୍ଶନ ଗଲା ଲାଭ ହୋଇ ।

ଇନ୍ଦ୍ରଦିଗୁଁ ତ । ରାଗ ହୋଇଅଛି ପ୍ରକାଶ ।

ରଦ-ବ୍ୟାଜ-ଦ୍ୱିଜସମାଜ ତ ଲାଗିଅଛନ୍ତି ସେବାରେ ବିଶେଷ । ୪୫ ।

 

ଦ୍ୱିଜ-ସମାଜର ମଧ୍ୟେ ସମ୍ମୁଖର ଏ ଚତୁର ଦ୍ୱିଜ ପ୍ରଧାନ ।

ରାଗାଦି ବରଜି ଦୀପ୍ତିକି ସରଜି ଥିବାରୁ ଦ୍ୱିଜରାଜ ନାମ ।

ସାଜେ ଏହାକୁ । ଏଣୁ ବିଚାରଇ ଏ କଥା ।

ଅଶୁଚିକି ତେଜି ସୁକୃତ ଅରଜି ବୋଲାଇ ଛନ୍ତି ଏ ମୁକୁତା । ୪୬ ।

 

କମଳ-କୋଷରୁ କୋମଳ ନିଖିଳ-କଳେବର ଏ ଅବଳାର ।

ବିରଚି ମାର୍ଦବ-ରଚନ-ପାଟବ କରି କରଗତ ନିଜର ।

ପରେ ଏହାର । ବଦନେ ବଚନ-ରଚନ ।

କରିଛି ନୋହିଲେ ନାହିଁ କାହିଁପାଇଁ କୋମଳେ ଏହାକୁ ସମାନ । ୪୭ ।

 

ପିକେ ତରୁଫଳେ ତୋଷନ୍ତି ଉଦର ଏହା ମର୍ମ ଏବେ ହେଜିଲି ।

ସେତ ସହଜେ ଦ୍ୱିଜ ବାଳାମୁଖତ ଦ୍ୱିଜରାଜ ନିଶ୍ଚେ ବୁଝିଲି

ଏହା ମୁଖରୁ । ପ୍ରସରିବା ଗିର କାମର ।

ଉପନିଷଦ ତ ଅଟେ ତା ଶିକ୍ଷିବା ପାଇଁ ଏ ବତ୍ର ଏହାଙ୍କର । ୪୮।

 

 

ପଦ୍ମଅଙ୍କେ ସଦ୍ମ କରିବାରୁ ପଦ୍ମାଳୟା ସପତ୍ନୀ ବୋଲାଇଲା

ଏ କଥା ଚିନ୍ତି ଚିତ୍ତରେ ସରସ୍ୱତୀ ଅତି ଅଭିମାନ ବହିଲା

ସରସିଜରୁ ଚାରୁତାରେ ଅତି ଅଧିକ

ଏ ରମ୍ଭୋରୁର ଆସ୍ୟରେ ବାସ କରି ପରକାଶୁଛି ନିଜ ଟେକ ।୪୯।

 

କଣ୍ଠଦେଶେ ବାଣୀ ବୀଣାଗୁଣ ଟାଣି ବସି ବଜାଉଅଛି ରଙ୍ଗେ

ସେ ମଧୁନିକ୍ୱଣ ବାହାରି ବଦନ-ପଥେ ତୋଷୁଛି ଶ୍ରୋତାବର୍ଗେ ।

ସେହି ସ୍ୱନକୁ । ବାଳା ଭାଷେ ବୋଲି ବୋଲନ୍ତି ।

କଣ୍ଠ-ମଧ୍ୟ-କଥା ଦିଶିବ କି ନେତ୍ରେ ? ଯେଣୁ ମରମ ନ ଜାଣନ୍ତି । ୫୦।

 

ଚତୁର୍ଭୁଜ ଅଷ୍ଟନେତ୍ର ପଞ୍ଚମନ ସମ୍ପୂର୍ଣ୍ଣେ ଲଗାଇ ବିରଞ୍ଚି ।

ବସି ବସି ଅନଳସୀ ହୋଇ ମଦାଳସୀବଦନ ଅଛି ରଚି ।

ସାରି ନିର୍ମାଣ । ଭୁଜେ ଟେକି ଧରି ଚାହାନ୍ତେ ।

ଅଙ୍ଗୁଷ୍ଠ-ଟିପ-ଚାପ ବସି ଲସିଲା ଚିବୁକ ମଧ୍ୟ କି କିଂଚିତେ । ୫୧।

 

ସଂହିକାସୁତ-ଭୀତିରେ ବ୍ୟତିବ୍ୟସ୍ତ ହୋଇଣ ଅତି ତାରାପତି ।

ଏ ଯୁବତୀ-ମୁଖେ ସ୍ଥିତି କରିଛି କି ସଙ୍ଗେ ଘେନାଇଁ କଳାତତି ।

ତାରାଯୋଷିତ । ଥୋଳେ ଦନ୍ତ ହୋଇ ଦିଶନ୍ତି ।

ବିମ୍ବଓଷ୍ଠ ବୋଲି ବୋଲୁଥାଇଁ ଯାକୁ ସେ ନବୋଦିତ-ଦ୍ୟୁତିପନ୍ତି । ୫୨ ।

 

 

ମୁଖର ଭୁରୁଯୁତ ଏକତୃତୀୟ ଅଂଶ ଯ ଲଲାଟ ବୋଲାଏ ।

ସେ କଳଙ୍କୀ-ଅର୍ଦ୍ଧଶଶିର ସମ୍ପଦ କିଂଚିତ ମାତ୍ରକେ ବୁଡ଼ାଏ ।

ରାକାତିଥିର । ବଦନ ଯେଉଁ ପୂର୍ଣ୍ଣଶଶୀ ।

ତାକୁ ଖର୍ବ କରି ଗର୍ବ ପ୍ରକାଶିବା ଏ ମୁଖପକ୍ଷେ କିସ ବେଶି । ୫୩ ।

 

ସରୋଜଯୋନି ସରସିଜସମାଜେ ସମ୍ରାଟ କଲା ଏହା ମୁଖେ ।

ସେବା ପାଇଁ ନେତ୍ର-ସେବକ-ଯୁଗଳ ରଖାଇ ଦେଇଅଛି ପାଖେ ।

ମଣ୍ଡଳେଶର । ସେବକ ସିନା ନରପତି ।

ଏ ସେବକେ ତେଣୁ ପଙ୍କଜପନ୍ତିରେ ଟେକାଇଛନ୍ତି ରାଜଛତି । ୫୪ ।

 

ସୂର୍ଯ୍ୟଭୟେ ଦିନେ ଉତ୍ପଳୁଁ କମଳେ ଶଶିଭୟେ ରାତ୍ରେ କମଳୁଁ ।

ଉତ୍ପଳେ ପଳାଇ ଶୀରି ଥୟ ନୋହି ନ ସରେ ଦିନ ଭାଳୁ ଭାଳୁ ।

ଏବେ ଏ ବାଳୀ-। ମୁଖ ପାଇ ସୁଖେ ସନ୍ତତ ।

ରହିଛି ତେଣୁ ସିନା ଏ ଦିଶୁଅଛି ସନ୍ତତ ଅତିଅନ୍ତ କାନ୍ତ । ୫୫ ।

 

ଏହା ମୁଖ-ଶୋଭାପାଇଁ ହୋଇ ଲୋଭା କମଳ ତା’ ତାତ ସଲିଳେ ।

କଳାକର ମତ୍ର-ମୁକୁରେ ନିୟତ ବୋଲଇ ଆଣିଦିଅ ମୋରେ ।

ତାତ-ମଇତ୍ରେ । ସୁତ-ମିତ୍ର-କଥା ରଖନ୍ତେ ।

ଲଗାଇଥାନ୍ତି ସେ ମଗା-ଅଳଙ୍କାରବତ ଏ ଶୋଭା କଦାଚିତେ । ୫୬ ।

 

 

କଲାବେଳେ ଏ ଅବଳା ଜଳକେଳି କମଳିନୀ ଏ ମୁଖ ଚାହିଁ ।

ପତି-ସବିତା ଆଡ଼କୁ ମୁଖପଦ୍ମ ଟେକି ଅଳି-ଡୋଳା ଖେଳାଇ ।

ହୋଇ ଗେଲାଇ । ସରସିଜ-କର ପ୍ରସାରି ।

ବୋଲୁ ନ ଥିବକି ‘ଜୀବଧବ ନ ଦେବ କି ଏ ଶୋଭା ମୋତେ’ ବୋଲି । ୫୭ ।

 

ସୌନ୍ଦର୍ଯ୍ୟ-ଗର୍ବିତ ପର୍ବଶର୍ବରୀଶ ଏ ବାଳୀ-ରତନ-ବଦନ-।

ତୁଲେ ସ୍ପର୍ଦ୍ଧାକରୁ କ୍ରୋଧ ଜନ୍ମିବାରୁ ହୋଇ କୁଙ୍କୁମ-ରାଗାରୁଣ ।

ବାମା-ବଦନ । ଶଶିକି ବାନ୍ଧିଅଛି ପାଶେ ।

ବୋଲୁଥାନ୍ତି ସିନା ତାକୁ ପରିବେଶ ଦୁରୁ ନୋହିବାରୁ ବାରି ସେ । ୫୮ ।

 

ଘୂଣାକ୍ଷର-ମାର୍ଗେ ପଡ଼ିଗଲା ବାଗେ ଏ ମୁଖ ବିଧାତାରଚନେ ।

ଚାହିଁ ଏହାକୁ ଏହା ତୁଲେ ଚନ୍ଦ୍ରକୁ ବିଚାରି ବିରଚିବା ମନେ ।

ଧାତା ନିରତ । ପ୍ରତିମାସ ଶ୍ରମ କରଇ ।

ରଚି ଦେଖି ନ ହୋଇଲା ବୋଲି ଭାଙ୍ଗି ଅମାରେ ପୁଣି ଆରମ୍ଭଇ । ୫୯ ।

 

ଜଗତ ତ୍ରୟର ଯୁବକ-ମଣ୍ଡଳେ ଦଣ୍ଡ ବିହିବାକୁ ମଦନ ।

କପୋଳ-ପତ୍ର ମକରେ କେତୁବନ୍ତ ହୋଇ ଧରି ଭୁରୁ-କମାଣ ।

ଦର୍ପେ ରହିଛି । ରତି ସହିତରେ ଏ ମୁଖେ ।

ଅନୁଚର ମଧୁ ଅନୁସରି ଅଛି ଅଧରେ ତା’ର ପାଖେ ପାଖେ । ୬୦ ।

 

 

କାମଦମ୍ପତି-ପୂଜାକୁ ଅଷ୍ଟଶ୍ରୁତି ଏ ଶ୍ରବଣ-ପୂପଯୁଗଳ ।

ବାଳୀ-ବଦନ ଥାଳୀରେ ଥୋଇଅଛି ଦିଶୁଅଛି କେଡ଼େ ମଞ୍ଜୁଳ ।

ନଇବେଦ୍ୟର । ତୁଲକୁ ଫୁଲଜଳ ଲୋଡ଼ା ।

ନୟନ-ସରୋଜ ସଙ୍ଗେ ବିରହଜ ଅଶ୍ରୁକି ହୋଇନାହିଁ ବଢ଼ା । ୬୧ ।

 

ନାନାବିଧ-ଶାସ୍ତ୍ରସମୂହ-ନିର୍ଗତ ଅତିବକ୍ର ରସ ପ୍ରବାହ ।

ପ୍ରବେଶିବାପାଇଁ ଶ୍ରବଣ-ଗର୍ଭକୁ ଏ ଭର୍ଚମୋହିନୀ ନିଶ୍ଚୟ ।

କାଟି ଦେଇଛି । ପତ୍ର-ଯୁଗ-ଛଳେ ପ୍ରଣାଳୀ ।

ନ ଅଟକି କାହିଁ ଛଟକ ମାତ୍ରକେ ଯଥା ସ୍ଥାନକୁ ଯିବ ବୋଲି । ୬୨ ।

 

ଅଠର ବିଦ୍ୟାକୁ ଶ୍ରବଣ-ଯୁଗଳ-ଜଠରେ ସମଭାଗ କରି ।

ଏ ବରାରୋହାର ସମ୍ପାଦି ଦେଇଛି ଅତି ଯତନେ କୁଶଧାରୀ ।

କାହିଁ ରଖିଛି । କେତେ ବୋଲି ବଣା-ହୋଇବା-।

ଭୟରେ ନ ଅଙ୍କ ଯୁଗ ତାଙ୍କ ଅଙ୍କଯୁଗେ ଦେଇ ଅଛି ଲିହି ବା । ୬୩ ।

 

ଏକମାତ୍ର ପାଶ ବହି ଜଳାଧୀଶ ପାଶୀ ବୋଲାଏ ଜଗତରେ ।

ବିଜୟ ତାହାର ବିଚାରି ମକର-କେତନ ନିଶ୍ଚେ ଯତନରେ ।

କଲା ଭିଆଣ । ଏ ଯୁବତୀ-ଶ୍ରୁତି-ପାଶକୁ ।

ଏକ ସିନା ତା’ର ବେନି ତ ଏହାର ସେ କାହିଁ ଲଭିବ ଯଶକୁ । ୬୪ ।

 

 

ଚତୁର୍ଭୁଜ-ହରି-ସୁତ ସମ୍ବରାରି ଚତୁର୍ଭୁଜ ହେବା ଉଚିତ ।

ତା’ର ବେନ ଧନୁ ରମ୍ଭୋରୁର ଭୁରୁଯୁଗଳ ହୋଇଛି ବିଦିତ ।

ବଂଶ ନର୍ମିତ । ସିଞ୍ଜିନୀ ବେନି ସେ ଚାପଙ୍କ ।

ଚେକା ହୋଇ ପାଶେ ରଖା ହୋଇଅଛି ତାକୁ ବୋଲନ୍ତି ଶ୍ରୁତି ଲୋକ । ୬୫ ।

 

ମେରୁଦଣ୍ଡ ଅଗ୍ରେ ଗ୍ରୀବା ବିରାଜିଛି ଗ୍ରୈବେୟବର୍ଗେ ହୋଇ ଦୀପ୍ତ ।

ସର୍ବ-ଅବୟବମାନଙ୍କ ସୁଷମାମୂଳ ସକଳ ଏକତ୍ରିତ ।

ହେଲା ପରାୟେ । ଦିଶଇ ଅତି ମନୋହର ।

ଉତ୍ତମ-ଅଙ୍ଗର ସର୍ବାଙ୍ଗକୁ କରି ଦେଉଛି ସୁନ୍ଦରୁଁ ସୁନ୍ଦର । ୬୬ ।

 

କବିତ୍ୱ-ପ୍ରିୟବାଦନ-ସତ୍ୟଭାଷା-ଗାୟନ ଏ ଚାରି ରାମାର ।

ଗଳାରେ ତ ସଦା କରି ରହିଛନ୍ତି ନିଳୟ ଏଣୁ ବେଦବର ।

ତର୍କି ସମୟେ । ତାଙ୍କ ବିବାଦ ଆଗୁଁ କ୍ରୟ ।

ଗାର ପକାଇ ଚତୁର ଭାଗକରି ବାଣ୍ଟିଛି ତାହାଙ୍କୁ ନିଶ୍ଚୟ । ୬୭ ।

 

ଯୁଦ୍ଧେ ଏକପକ୍ଷ ବିଜୟ ଲଭିବ ସ୍ୱତଃସିଦ୍ଧ ଏହି କଥାତ ।

ବାଳୀ-ବାହୁ-ଲତା ମୃଣାଳ ଜିଣିଲା ଏଥି ବା କିସ ଅଦଭୁତ ।

ଏକା ଏ କଥା । ଆଶ୍ଚର୍ଯ୍ୟ ଲାଗୁଛି ମନକୁ ।

ଭଙ୍ଗ ହୋଇ ଯା ସେ ଲଜ୍ଜିତ ନ ହୋଇ ପ୍ରକାଶୁଛି ନିର୍ବ୍ୟଥନକୁ । ୬୮ ।

 

 

ଶୁଭସଂଶୀ-ନାଭିଶୋଭୀ-ଭାମିନୀର ଭୁଜ ଯା ସରୋଜଷଣ୍ଡର ।

ସର୍ବ ଗର୍ବକୁ ପକାଇଅଛି ଗଞ୍ଜି ସେ ଅପମାନରୁ ଉଦ୍ଧାର ।

ହେବା ନିମିତ୍ତ । ପଥ ନ ପାଇ ସେ ନିସୁତ୍ର ।

ହୋଇ ମୂର୍ତ୍ତିମନ୍ତ ନିବିଡ଼ ଜମ୍ବାଳ-ଅକୀର୍ତ୍ତି ମଧ୍ୟେ ହେଲା ଗୁପ୍ତ । ୬୯ ।

 

କର ଅଙ୍ଗୁଳି ବାଳୀର ଦେଖି ଚିତ୍ତେ ଜନ୍ମଇ ଏମନ୍ତ ବିଚାର ।

ଲୋହିତ ତାମରସ-ତୂଣେ ରହିଛି କିଏ ପଞ୍ଚଶର ସ୍ମରର ।

ସର୍ବେ ସୁପର୍ବ । ରଞ୍ଜିତ ନଖେ ଫଳବନ୍ତ ।

ମୂଳଦେଶେ ହୋଇଅଛନ୍ତି ମୁଦ୍ରିକାବ୍ୟାଜେ କାର୍ତ୍ତସ୍ୱରେ ପୁଙ୍ଖିତ । ୭୦ ।

 

ଏ ବାଳାମଣିର ଶ୍ରୀକର-ତଳକୁ ତୁଲ ହେଲେ ମୁହିଁ ହୋଇବି ।

ଏ ଅଯଥା ଗର୍ବ କରନ୍ତେ ପଲ୍ଲବ ଗଲା ବାଳତ୍ୱ ଅବା ଲଭି ।

ଆଞ୍ଚି ହୁଅଇ । ବିଦ୍ରୁମ ତ ଓଷ୍ଠ ତୁଲକୁ ।

ଅତି ଚପଳତା-ପଣୁଁ ବା ସୁଧୀରେ ପ୍ରବାଳ ନାମ ଦେଲେ ତାକୁ । ୭୧ ।

 

କରତଳେ ପଦ୍ମରେଖା ଲେଖି ପଦ୍ମଯୋନି ଏ ଯୁବତୀ ରତନେ ।

ନିଶ୍ଚୟ ଠାରି ଦେଉଛି ଆରେ ଗୋରି ଏ ତୋର ଶ୍ରୀକର-ରଚନେ ।

କେତେ ଭାଗିଛି । କରି କରି ପଦ୍ମ ନିର୍ମାଣ ।

ଶେଷକୁ ହସ୍ତ ଥୟ ହେଉ ସିନା ମୁଁ କଲି ଏ ପଲ୍ଲିକି ରଚନ । ୭୨ ।

 

 

ଏ ପ୍ରମଦାବର ନିଶ୍ଚୟ ନର୍ମଦା ଭାଭ୍ୟକୁ ମୋର ପ୍ରସରିଛି ।

କର-ଯୁଗଳ-ଛଳେ ବେନି-ମୃଣାଳ ଉଭୟ ପାରୁଶେ ଶୋହିଛି ।

ହେଇ ବିଶୁଷ୍କ । ଶୈଶବନିର କାମ-ତାପେ ।

ଉଚ୍ଚକୁଚ-ଦ୍ୱୀପ-ଦ୍ୱିତୟ ମଧ୍ୟରେ ବିରାଜି ଦିଶୁଛନ୍ତି ଆପେ । ୭୩ ।

 

ସ୍ୱଭାବେ ଉଚ୍ଛିଖ ସୁସଞ୍ଜ ସୁରେଖ ଏ ପୟୋଧରେ ତାଳ ଫଳ ।

ତୁଳ ହେବ କାହୁଁ ଝଡ଼ି ପରା ପଡ଼ିଥାଏ ସେ ସ୍ୱସ୍ଥାନୁଁ ଭୂତଳ ।

ବୃକ୍ଷେ ଥିଲେହେଁ । ଆନଯୋଗୁଁ ସିନା ସେ ଉଚ୍ଚ ।

ସ୍ୱତଃସିଦ୍ଧ ଯାର ତୁଙ୍ଗତା ତାହାର ସଙ୍ଗତୁ ଏହା ନିକି କଛ । ୭୪ ।

 

ଏ କୁଚଚାତୁରୀ କିଞ୍ଚିତ ଆଦରି ଥାଇ ବୋଲି ସିନା ଘଟର ।

ନାମ ପଡ଼ୁଥାଇ ନ୍ୟାୟାଦି ଶାସ୍ତ୍ରରେ ଦୃଷ୍ଟାନ୍ତଛଳେ ବାରମ୍ବାର ।

ଚକ୍ରୀ କେତେବା । ପାତ୍ର ନିର୍ମାଣ ନ କରଇ ।

ଏକା କୁମ୍ଭ ଯୋଗେ କୁମ୍ଭକାର ନାମ ସଂସାର ତାହାର ଘୋଷଇ । ୭୫ ।

 

ବିଶଦ-ଉଦକ-ବିନ୍ଦୁ-ବୃନ୍ଦ-ନିନ୍ଦି ମୁକ୍ତାଫଳ-ମାଳ-ଯାଳକ ।

ଏ ପୟୋଧର-ମଧ୍ୟେ ଶୋଭି ହେଉଛି-ଫେନ-ବିଭ୍ରମ-ଉତ୍ପାଦକ ।

ସ୍ତନ ଶିଖରେ । ଶୋଭେ ମାଣିକ୍ୟମାଳ ପୁଣି ।

ଉଚ୍ଚସ୍ଥଳେ ରହି ନିଜର ଆରକ୍ତ-କିରଣ ପକାଉଛି ବୁଣି । ୭୬ ।

 

 

ନିଃସଙ୍କୋଚେ ପଙ୍କେରୁହ-ପଙ୍କତିକି ସଙ୍କୋଚ ଯେ କରି ପାରଇ ।

ସେ ସୁଧାମୟୂଖ ମୁଖଛଳେ ଶିଖ-ଦେଶେ ବାଳାର ଅଛି ଉଇଁ ।

ତାକୁ ଦେଖିକି । ନପାରନ୍ତି ସ୍ତନ ଚକୋରେ ।

ନୁହଁଇତ ତିଳ ମାତ୍ରକ ଅନ୍ତର ଲକ୍ଷିତ ସେ ବେନି ମଧ୍ୟରେ । ୭୭ ।

 

ଏ କୁଚ-କୁମ୍ଭେ କୁମ୍ଭୀ-କୁମ୍ଭ-ଶୋଭାକୁ କରିଅଛନ୍ତି ଗର୍ଭସାତ ।

ନୋହିଛି ଏହାଙ୍କ ଶୋଭାଲବ ଗ୍ରହିବାକୁ ତା’ର କୁମ୍ଭ ସମର୍ଥ ।

ସେତ ଭୟରେ । ସଦା ସ୍ୱ-ମୁକୁତା ଲୁଚାଏ ।

ମୁକୁତା ଏହାଙ୍କ ଦର୍ଶକଲୋକଙ୍କ ନେତ୍ରୁ ଅନ୍ତର କେବେ ନୁହେଁ । ୭୮ ।

 

ଶତକୋଟି ଯା’ର କରେ ପରକଟି ଥାଇ ସଦା ସେ ଯେଉଁ କୁଚ-।

ପ୍ରାପ୍ତକି ଆଶାୟୀ ତା ତୁଲକୁ କାହିଁ ଶ୍ରୀଫଳ ହେବ ସମକଛ ।

ନିଜ ମଦିଷ୍ଣୁ ।-ପଣେ ଯେବେ ତୁଳି ହୋଇବ ।

ସମ ହେବା ଥାଉ ତା ସୁଷମା-ଲବ ଲାଭ ଏହା ଭାଗ୍ୟେ ନୋହିବ । ୭୯ ।

 

ଗୋଳାଚନ୍ଦନ-ବୋଳା-ସ୍ତନ-ମଣ୍ଡଳେ ବାଳାବରର ରତ୍ନହାର ।

କିରଣ ସ୍ଫୁରଣ ହୋଇ ଧାର ଧାର ଦିଶୁଅଛି କେଡ଼େ ରୁଚିର ।

ଅତି ପିଚ୍ଛିଳ । ଏ କୁଚ ଗିରିରେ ଯୁବାଙ୍କ ।

ଚିତ୍ତ ପଡ଼ି ଖସଡ଼ିବା ଚିହ୍ନବତ ଯାଏ ଜଣା ସେ ଧାର ଠିକ । ୮୦।

 

 

ଶରୀର ମଧ୍ୟରେ ରହି ଏ ଉଦର ସର୍ବ- ଅବୟବ-ଚାପରେ ।

ସଙ୍କୋଚି କୃଶ ହୋଇ ଯାହା ନୋହିଛି ବଳି ଏ ତ ଲାଗେ ଚିତ୍ତରେ ।

ବଡ଼ ଅଦ୍ଭୁତ । ବାଳା-କଳେବର-ବିଳାସୀ ।

ଯୌବନର ଏକା ଏ ଆଶ୍ଚର୍ଯ୍ୟ କାର୍ଯ୍ୟ ବୋଲି ଚିତ୍ତେ ଯାଏ ଆଭାସି । ୮୧ ।

 

କାଟି କେତେକ ସୁଷମା ଏ କଟିରୁ ଜମା ନ କରିଥିଲେ ବିହି ।

ପୟୋଧର-ଭାର ଏ ନିରୁପମାର କରନ୍ତା ବିରଚନ କେହି ।

ବହୁ-ଦର୍ଶୀ ସେ । ଏ ଭ୍ରମ ହୁଅନ୍ତା କି ତାର ।

ତେଣୁ ଆଗରୁ ଅଲଗ ରଖିଥିଲା କୂଚପାଇଁ ଶୋଭା କଟିର । ୮୨ ।

 

ଏ ସୌଭାଗ୍ୟବତୀ ଯୁବତୀ- ରତନ ପାର୍ବତୀବତ କେବେ ହେଲେ ।

ପତି ସଙ୍ଗତରେ ଅର୍ଦ୍ଧାଙ୍ଗେ ମିଶିବ ଏମନ୍ତ ଚିନ୍ତିକି ଚିତ୍ତରେ ।

ଧାତା ବଳାଇ । ଅଙ୍ଗ କରିଛି ବେନି ଭାଗ ।

ବସାଇ ଦେଇଅଛି ରୋମ-ଆବଳି ଛଳରେ କଳାସୁତା-ଦାଗ । ୮୩ ।

 

ରୋମାବଳୀ ରଜ୍ଜୁ ଉରୋଜ କଲଶ ଗଭୀର ନାଭିକୁପ ଅଛି ।

ଏକା ବସନ ଏ ସର୍ବ ମୋ ନୟନ-ପଥରୁ ଆବୋରି ରଖିଛି ।

ଯେବେ ଏ ବାସ । ଏଥି ଅନ୍ତରାୟ ନୁହଁନ୍ତା

ଏ ମୋ ଆଶାୟୀ ପିପାସୁ ନୟନର ତୃଷା କି ନିମିଷେ ରହନ୍ତା । ୮୪।

 

 

ଉନ୍ମୁଳିତ-ସ୍ତମ୍ଭ-ଗର୍ତ୍ତବତ ନାଭି ଶୋଭଇ ଏ ଭୂରୁ-ଶୋଭିର

ରୋମା-ବଳି ଛିନ୍ନ-ପତିତ-ଶୃଙ୍ଖଳ-ଚାରୁତା କରୁଅଛି ଯୂର

କୁଚ ଯୁଗଳ । ମୃତ୍ତିକାସ୍ତୁପ ଶୟନର ।

ଏଣୁ ବାମା ଅଙ୍ଗେ ଥିବା ପ୍ରତେ ହୁଏ ଉନ୍ମତ୍ତ କାମକରୀବର । ୮୫।

 

ଉଦର-ମଧ୍ୟରେ ରୋମାଳି-ସିଞ୍ଜିନୀ ଭୂରୁଧନୁ ଭାଲପଟରେ

କୁସୁମ-ଶର ଶିରେ ଏ ବାଳୀଶର ରହିଛି ଆନ ଆନ ସ୍ଥାନେ

ବୀର ମଦନ ଏ ସକଳ ଠୁଳ ନ କରି

ଅତି ଅଦଭୁତ ଏ କଥା ତଥାପି ଲଭଇ ଜଗଜ୍ଜୟ ଶିରୀ । ୮୬।

 

ଖୋଷା ହୋଇଥିବା ଖୋଷାରେ ଯୋଷାର ମଲ୍ଲିଫୁଲ ଖୋଷା ହୋଇଛି

ସେ ସୁମନସର ପ୍ରତିବିମ୍ୱ ଝଳି ପୃଷ୍ଠପଟେ ପ୍ରତି-ଫଳିଛି ।

ଆହା ଦିଶୁଛି । ଏ ଛବି କେମନ୍ତ ସୁନ୍ଦର ।

ରଜତାକ୍ଷରେ କି ଲେଖାହୋଇଅଛି କାମକୀର୍ତ୍ତି ହେମପଟର । ୮୭।

 

ଏତେ ବର୍ତ୍ତୃଳତା ସମ୍ଭବି ପାରେ କି ନିତମ୍ୱବିମ୍ୱରେ କାହାର

ଏ ନିତମ୍ୱ ନୁହେଁ ରଥାଙ୍ଗ ନିଶ୍ଚୟେ ଜୀଗିସୁ କୁସୁମଶରର ।

ଦେଖି ପିତାଙ୍କ । ସୁଦର୍ଶନେ ବିଶ୍ୱ-ବିଜୟେ ।

ଦୁର୍ଲ୍ଲଭ-ଦର୍ଶନ ଏ ଚକ୍ର ବହିଛି ପୁତ୍ର କି ସର୍ବଜୟାଶୟେ । ୮୮।

 

 

କୁମ୍ଭକାର-ବୃତ୍ତି କଲା କି ସୁଗାତ୍ରୀ ନିର୍ମାଣିବାକୁ ସ୍ତନଘଟ ।

ନିତମ୍ୱ-ଚକ୍ରେ ରୋମାଳି-ଦଣ୍ଡ ଅଛି ଗୁଣତ ହୋଇଛି ପ୍ରକଟ

ଆଉ କେବଳ । ଅଭାବ ଜଳମାତ୍ର ଅଛି ।

ନବୀନ-ଲାବଣ୍ୟ-ରସପ୍ରବାହେକି ସେ କ୍ଷତି ପୂରଣ ନୋହିଛି । ୮୯।

 

ଇତର ପତ୍ରେ ତ ଏତେ ନ ଥରନ୍ତି ଏ ଚଳ-ଦଳ କିମ୍ପା ଏତେ

ତୁରିତେ କମ୍ପଇ ନିଶ୍ଚେଁ ଭୟପାଇ ଥିବ ନିରତିଶୟ ଚିତ୍ତେ

କିବା ଏହାକୁ ବାଳାର କେଉଁ ଅବୟବ

ଜୟ କରିବାକୁ ଖୋଜୁଛି ଏହାର ତେଣୁ ଏମନ୍ତ ତ୍ରସ୍ତଭାବ । ୯୦।

 

ଅପ୍ସରା-ଲୋକନ-ଲାଳସ ଭୋକ ନ ଯାଇ ପାରିବ ଯେବେ ସ୍ୱର୍ଗେ

ପୁଣ୍ୟବଳ ଥିଲେ ଏ ମର୍ତ୍ତ୍ୟ ମଣ୍ତଳେ ଦେଖିବ ସେ ଅପ୍ସରାବର୍ଗେ

ଏକା ଏ ବାଳୀ- । ଶଅଙ୍ଗ ଦେଶରେ ସମସ୍ତ ।

ନାଶା-ତିଳୋତ୍ତମା ଉରୁରମ୍ଭା ଭୂରୁ-ଚିତ୍ରଲେଖାଦି ବାମାବ୍ରାତ । ୯୧।

 

ବାମାର ଉରୁ କେ ନିଜର ତରୁ କେ ବାରି ନ ପାରଇ କଦଳୀ ।

ତୁଳିଲା ବେଳେତ ନ ହାରି କେ କାରେ ବେନି ଦିଶନ୍ତି ଏକା ଭଳି ।

ତେଣୁ କଦଳୀ ଉରୁଭ୍ରମେ ନିଜତରୁରେ

ଆତପତ୍ରପତ୍ର-ଛତ୍ର ଟେକିଛି କି ରସି ଯୋଷା-ସେବା-ନିର୍ଭାରେ । ୯୨।

 

 

କି କଲି କାହାକୁ କା ତୁଳେ ତୁଳିଲି ଏ ନିକି ସମ ସେ ଉରୁକୁ

ମସ୍ତକ ନୁଆଇଁ ନିତି ତପଦାହି ତେଜି ନିଜ ଅସାରତାକୁ

ଯେବେ କଦଳୀ । ନ ଭଜିବ ଅତି ଜଡ଼ତା

ତେବେ ବା ହୋଇବ ଏ ନିରୁପମାର ଉରୁଶୋଭାକୁ ଉପମିତା । ୯୩ ।

 

ଶୋଭା-ଆରମ୍ଭରେ ଏ ଭୁରୁଶୋଭିର ଉରୁ-ସଙ୍ଗକୁ ନୋହି ସରି

ତେଣୁ ବାରମ୍ୱାର ଶୁଣ୍ଢକୁ ନିଜର ଦିଅଇ ଦଣ୍ତ ମୋଡ଼ି କରି ।

ପଶୁ ହୋଇଲେ । କି ହେବ ସେ ସର୍ବ ଜାଣଇଁ

ବିଷୟ-ଗୋଚରେ ଜ୍ଞାନବନ୍ତ ଜନ୍ତୁ ବୋଲିତ ଶାସ୍ତ୍ର ବଖାଣଇଁ । ୯୪।

 

ମୁନିଏ ଏ ବିଶ୍ୱ ମୋହିନୀ ଧନୀର ଲୋଭ ତେଜିପାରି ନାହାନ୍ତି ।

ଉତ୍ତୁଙ୍ଗ କୁଚଗିରିକି ଆଶ୍ରାକରି ଭୃଗୃ ସର୍ବଦା ରହିଛନ୍ତି ।

ପୁଣି ବଦନ । ନା ନାରଦାହ୍ଲାଦି ଏହାର ।

ମହାଭା-ରତର ବିରଚନକୁ ତ ଯୋଗ୍ୟ ବ୍ୟାସ ଭୁରୁଯୁଗଳ । ୯୫।

 

ବୃକ୍ଷରୋହ-କ୍ରମ ସୁକ୍ଷ୍ମତା ଶିଖିଛି ବିପରୀତରେ କି ଜଘନ

ନୋହିଲେ କେହି ମୂଳରୁ ସ୍ଥୂଳ ହୋଇ ପ୍ରାନ୍ତକୁ ଦିଶନ୍ତା ବିଶୀର୍ଣ୍ଣ ।

ବାସ ତାହାକୁ । ଚିତ୍ରଗତିରେ ଚାରିପାଶେ ।

କରି ବେଷ୍ଟନ କି ଲତାବେଷ୍ଟିତକ ବନ୍ଧକୁ କ୍ରମଶ ଅଭ୍ୟାସେ । ୯୬ ।

 

 

ନବ-ବ୍ରହ୍ମାଣୀ ସଙ୍ଗେ ଇନ୍ଦ୍ର-ଉପେନ୍ଦ୍ର–କନ୍ଦର୍ପ ବଶିଷ୍ଠ-କାମିନୀ

ହୁଅନ୍ତି ଯୋଷିତେ ଏ ତେର ରମଣୀ ସୌଭାଗ୍ୟବତୀ ପଣେ ଗଣି

ତାଙ୍କ ତୁଳକୁ । ଚତୁର୍ଦ୍ଦଶ ସଂଖ୍ୟା ପୂରଣେ ।

ଚତୁର୍ଦ୍ଦଶ-ଲୋକ-ମୋହୀ ଏ ଏଣୁକି ଗୁଳ୍‌ଫ ନ ଦିଶଇ ଚରଣେ । ୯୭।

 

ସୁନ୍ଦର-ପଣକୁ ଏହା ଚରଣର ନାହିଁ କାହିଁତ ପଟାନ୍ତର ।

ଦ୍ରୁମର ନବକିଶଳୟେ ଏ ଶୋଭା ଥିବାରୁ କିଞ୍ଚିତମାତର ।

ନାମ ପଲ୍ଲବ । ହୋଇବାର ତାର ସମ୍ଭବ

ଏ ପଦ ଲବର ଅପଭ୍ରଂଶ ହେବ ଯେଣୁ । ତା ଭାଷଣ ବିଳମ୍ଵ । ୯୮ ।

 

ପୁରତ୍ରୟର ସୁନ୍ଦରୀବୃନ୍ଦଶିରେ ରୂପଗର୍ବେ ଏ ବରାଙ୍ଗନା ।

ପକାଉ ପଦାରବିନ୍ଦକୁ ସିନ୍ଦୁରବିନ୍ଦୁ-ସନ୍ଦୋହ ଲାଗି ସିନା

କଲା ଏହାର । ପଦ-ତଳକୁ ଏଡ଼େ ରଙ୍ଗ ।

ବର୍ଣ୍ଣେ ହାରି ନୀରେ ବୁଡ଼ାଇ ଲୁଚିଛି ପ୍ରବାଳ ଏଣୁ ଉତ୍ତମାଙ୍ଗ । ୯୯।

 

କେଉଁଗୁଣେ ନୋହି ସମାନ ଏ ମହୀ-ଶୋଭିକି ଶୀରି ରୋଷବଶେ ।

ହୋଇ ଆରକ୍ତ ‘‘ତା’ ପଦ ମୋରେ ଦତ୍ତ କରି’’ ବେଲି ବିଧାତାପାଶେ ।

ଅଳି କରନ୍ତେ । ଛଳି ସେ ବଳୀ-ରତନ -।

ପଦେ ତାକୁ ସ୍ଥାନ ଦେଉ ସେ ଏଥିରେ ଥାଇ ଦିଶେ ନିଶ୍ଚେ ଶୋଭନ । ୧୦୦।

 

 

ଶୁଦ୍ଧପାର୍ଶ୍ଵ-ଶାଳୀ ଏ ନବୀନବାଳୀ-ପୟର-ସଜସରସିଜ

ଅଭିଗମନ-ମାତ୍ରକେ ଅରି କବିବରର ଭାଙ୍ଗୁଅଛି ଓଜ ।

ଜଣା ନୋହୁଛି । କେଉଁ ନୃପର ନତିଶିରେ ।

ବିତରିବାକୁ ନିଜ ସେବା ସୌଭାଗ୍ୟ ବିଚାରିଛି ଏ ମାନସରେ । ୧୦୧।

 

କର୍ଣ୍ଣନୟନ ବାହୁ-କର-ଚରଣ ଓଷ୍ଠଆଦି ଏ ନବୀନାର

ସ୍ୱସମ-ସର୍ବଦ୍ରବ୍ୟ କରି ବିଜୟ ଅଦ୍ୱିତୀୟତାର ନିଜର

ଗର୍ବ ବହନ୍ତେ । ତା ଚାହିଁ କୋପେ ଅଷ୍ଟଆକ୍ଷି ।

ତାଙ୍କ ତୁଲେ ସମ କରି ଏକ ଏକ ପ୍ରତ୍ୟଙ୍ଗ ପୁଣି ଦେଲା ଯୋଖି । ୧୦୨।

 

ଶିଶିର-ସମ୍ପାତ-ବଶେ ଶତପତ୍ର-ଗୋତ୍ର ନିର୍ବଂଶ ହେବା ଚାହିଁ

ସରୋଜ-ସମାଜ-ନୂତନ-ସର୍ଜନ ପୁଣି ମାନସେ ଧ୍ୟାୟି ବିହି ।

ବରାରୋହାର । ବରମୁଖ କରଚରଣ ।

ଏ ପଞ୍ଚସ୍ଥାନୁ ଅଭିକ୍ଷା ଭିକ୍ଷା କରେ ମାଧୁକରୀ-ବୃତ୍ତି ବହିଣ । ୧୦୩ ।

 

କୋଳତିପତିର ହେତିପାତେ ଅତିବ୍ୟସ୍ତ ହୋଇ ଯେତେ ରାଜନ ।

ଶରଣପାଇଁ ଏ ରମଣୀ-ରତନ-ପଦେ କରିବେ ଆଗମନ ।

ତେତେଦିଗର । ସଂଖ୍ୟା-କରଣପାଇଁ ବିହି ।

ଅଙ୍ଗୁଳିଛଳେ ପୟରେ ଏହାର ଗାର ଦେଇ ପକାଇ । ୧୦୪ ।

 

 

ଏ ବରାରୋହାର ପୟର-ନଖର ହେବାକୁ ଶଶାଙ୍କ ଆଶାୟୀ ।

ହେବାର ତାହାର ସୁବୁଦ୍ଧି ବିଲୋକି ଶୁଭଦଶତ୍ୱ ତାକୁ କହି ।

ଦେଇ ଥୋଇଛି । ତହିଁ ଯହିଁକି ଇଚ୍ଛା ତା’ର ।

ବିଧିବରେ ବିଧୁ ଅପୂର୍ବ ସଙ୍ଗମ ଲଭିଲା ପଦପଙ୍କଜର । ୧୦୫ ।

 

ଯଶ-ଚରଣାଙ୍ଗୁଷ୍ଠ-ନଖ-ମୁଖର ଛଳେ ଏ ବାଳୀଶ ଚତୁର ।

ଶଶିଙ୍କ ସମ୍ପୂର୍ଣ୍ଣେ ଆୟତ୍ତ କରିଛି ଏଣୁ ଚତୁଃଷଷ୍ଠୀ କଳାର ।

ଅଧୀଈଶ୍ୱରୀ । ହେବା ବୃଥା ନୁହେଁ ଏହାର ।

ଏକ ଶଶାଙ୍କର ଷୋଡ଼ଶ କଳାତ ପ୍ରଖ୍ୟାତ ହୋଇଛି ସଂସାର । ୧୦୬ ।

 

ଏକେ ବିରଞ୍ଚି ରଚିଛି ଏ ରାମାକୁ କରି ସୁନ୍ଦରୀ-ପୁରନ୍ଦରୀ ।

ଦ୍ୱିତୀୟେ ଯୌବନ ଅପୂର୍ବ-ଭୂଷଣ-ଗଣେ ଦେଇଛି ବେଶ କରି ।

ଶେଷେ ରତୀଶ । ବିବିଧ ଚାତୁରୀ ଶିଖାଇ ।

ଦେଇଛି ଯତନେ ନବ-ଭାରତୀର ଅପର-ପାରୁଶେ ରଖାଇ । ୧୦୭ ।

 

ଏମନ୍ତେ ସେ ଏଣୀନୟନାର ନଖ-ମୁଖ-ନାସିକାଦି ଭୂଭୃତ ।

କଳ୍ପି ମାନସରେ ବିସ୍ମୟ-ସାଗରେ ସନ୍ତରି ଦର୍ଶନ-ଜନିତ ।

-ଅତି ଆନନ୍ଦେ । ଉଦ୍‌ବେଳ ହେବାରୁ ହୃଦୟ ।

ଆଳୀ ପରିବୃତା ବାଳୀଶକୁ ନିଜଦର୍ଶନ-ଦାନ କଲେ ଥୟ । ୧୦୮ ।

 

 

ଗୌଡ଼-ନୃପତି ପ୍ରଶସ୍ତି ଚିତ୍ରିବାରେ ଯା ଯଶ ବ୍ୟାପିଛି ଜଗତ ।

ହୀରମଲ୍ଲଦେବୀ-ପ୍ରମୋଦ-ସମୁଦ୍ର-ବର୍ଦ୍ଧନକୁ ଯେ ତାରାକାନ୍ତ ।

ସେହି ଶ୍ରୀହର୍ଷ-ପଦକୁ ଧ୍ୟାୟି ନିରନ୍ତରେ ।

ହୀନ ଗୋପୀନାଥ ବିରଚୁଛି ଗୀତ ଗୋପୀନାଥ ଚିନ୍ତି ଅନ୍ତରେ । ୧୦୯ ।

-------

 

ଅଷ୍ଟମ ଛାନ୍ଦ

ରାଗ-ଅକ୍ରୁର କୋଇଲି ବାଣୀ

ଶୁଣ ଧୀରେ ଦେଇ ଚିତ୍ତ            ଶୋଭାଲୋଭେ ପୁଲକପୂରିତ

ଅଭୁତେ ଦିବ୍ୟ ସୁନ୍ଦର,

ପୁରୁଷେ ଦେଖି ତହିଁ ପୁରତର,

ଭୀମଜା, ତୁଲେ ସର୍ବଯୁବତୀ ।

ସେ ଶୋଭା ନୟନେ ପାନ କରନ୍ତି । ୧।

 

କା’ ରେ ଦୃଶ୍ୟ ନୋହିବାର ।       ବରଦେଇଥିବାର ଅମର ।

ସେ ବା କେତେ-କାଳ ପାଇଁ ।

ପାରନ୍ତା ନଳଙ୍କୁ ଆବରି ରହି ।

ପଲାଳ- । ଜାଳେ ହେଲେହେ ବୃତ ।

ନୁହଁଇ କି ଇକ୍ଷୁ ଆପେ ବିବୃତ ।

 

ଭୀମସୁତା-ଦରଶନେ             ନରବର ପ୍ରାନ୍ତକୁ ନୟନେ ।

ନଚାଳୁଁ ଚଣ୍ଡାଳ ସୁର ।

ବିନ୍ଧିଲା ଆକର୍ଣ୍ଣଓଟାରି ଶର ।

ସେ ଶର । ବାଳୀ କୋମଳ ଅଙ୍ଗେ ।

ଗଲା ଗଳି ପୁଙ୍ଗ-ପର୍ଯ୍ୟନ୍ତ ରଙ୍ଗେ ।

 

ତା ପଞ୍ଚଶରତ ସିଦ୍ଧ ।             ନୁହଁଇତ ସେ ଅର୍ଦ୍ଧାର୍ଦ୍ଧ-ଭେଦ ।

ତଥାପି ଅବଧି କରି ।

ଉଭୟକୁ ଲକ୍ଷି ସମ୍ୱରଅରି

ବିନ୍ଧନ୍ତେ । ଏକାବେଳକେ ବାଣ ।

ସେ ବ୍ୟର୍ଥନୋହି ରଖିଲା ତା ଟାଣ ।

 

ପୁଂସେ ଦୃଷ୍ଟିମାତ୍ରେ ବାଳା ।             ନଳ ବିଚାରି ହୋଇଲା ଭୋଳା ।

ପୁଣି ଏଥି ସେ କେମନ୍ତେ ।

ଆସିବେ ଭାବି ରହିଲା ସ୍ଥକିତେ ।

ଦର୍ଶନ- । ମାତ୍ରେ ନଳ ଚଞ୍ଚଳ ।

ହେଲେହେଁ ହେଲେ ଦୌତ୍ୟ ଭାବି ସ୍ଥିର

 

କେଉଁ ବାଳା ଚାହିଁ ନଳେ ।             ଗଲା ନିମଜ୍ଜି ଲଜ୍ଜା-ସଲିଳେ

କେ ତାଙ୍କ ତେଜେ ମଜ୍ଜିଲା ।

କେ ବା ତାଙ୍କୁ କାମ ବୋଲି ହେଜିଲା ।

ବିଲୋକି । ତାଙ୍କୁ କେ ବାଳାବର ।

ହେଲା ଅନାୟତ୍ତେ ବଶ କାମର ।

 

ଚିନ୍ତି ଏମନ୍ତ କେ କିସ ।             ପ୍ରତ୍ତିପତ୍ତିକା ନ ଥିଲା ଲେଶ ।

କେ ତୁମ୍ଭେ କାହୁଁ ଆସିଛ’ ।

ଏ କଥା ପଚାରି ଦେବାକୁ ସ୍ୱଚ୍ଛ ।

ଆସନୁଁ । ଏକା ଦର୍ଶନ ମାତ୍ରେ ।

ଉଠିବାବିନା ନ ଅଇଲା ଚିତ୍ତେ ।

 

ଚତୁରକ୍ଷ ହେବାକ୍ଷଣି ।             ନୃପନନ୍ଦନା ଏଣୀଇକ୍ଷଣୀ

ଆନନ୍ଦ ଗଲା ଉଛୁଳି ।

ହେଲେ ପ୍ରବେଶ ଧାରାଧର-କେଳି ।

ଯେମନ୍ତ । ଜଳେ କଲ୍ଲୋଳେ ନଦୀ ।

ତଥା ତା ଆନନ୍ଦ ଲଭିଲା ବୃଦ୍ଧି । ୮ ।

 

ଯେ ନୃପାଙ୍ଗ ଅଦ୍ୟେ ଭଜି ।             ଥିଲା ବାଳା- । ନେତ୍ର ତା ବରଜି ।

ଅପର-ଅଙ୍ଗ-ନିଚୟେ ।

ଯାଇ ନ ପାରିଥାନ୍ତାଟି କେବେହେଁ ।

ନିମେଷ । ଏକା କୌଶଳ କଲା ।

ଆପେ ପଡ଼ି ବୁଦ୍ଧି ଯୋଗାଉଥିଲା । ୯ ।

 

ଯହିଁପଡ଼େ ଯେ ଅଙ୍ଗରେ ।             ନେତ୍ର ପୂର୍ଣ୍ଣେ ତା ଗ୍ରହି ନ ପାରେ ।

ପୂର୍ବ-ଦୃଷ୍ଟାଙ୍ଗ-ସଞ୍ଜାତ ।

ସୁଖ ଯୋଗୁଁ ଚିତ୍ତ ଥିଲା ଉନ୍ମତ୍ତ ।

ଅନ୍ୟାଙ୍ଗେ । ତହୁଁ ଯାଇ ତହିଁରେ ।

ମଜ୍ଜି ପୂର୍ବାଙ୍ଗକୁ ନସ୍ମରେ ଥରେ । ୧୦ ।

 

ନୃପଏକାଙ୍ଗୁ ଅନ୍ୟାଙ୍ଗେ ।             କରୁ ଭୀମଜାନୟନରଙ୍ଗେ ।

ଗତି; ସ୍ୱଭାବ-ଚଞ୍ଚଳ-।

ଗୁଣେ ସେ ନେତ୍ର ଅଙ୍ଗସନ୍ଧିସ୍ଥଳ ।

ଲଭିଣ । ଉଭୟ-ଲାଭବଶେ ।

ଗତାଗତ ହେଉଥାଏ ବିଶେଷେ । ୧୧ ।

 

ପୂର୍ବେ ଯା ହୋଇଲା ଦୃଶ୍ୟ ।             ରହିଥିଲା ଯା ହୋଇ ଅଦୃଶ୍ୟ ।

ଏ ଉଭୟ-ନୃପ-ଅଙ୍ଗେ ।

ଦମୟନ୍ତୀନେତ୍ର ବିଳସି ରଙ୍ଗେ ।

ଉଭୟେ । ସମସୁଖ ଲଭିଲା ।

ଦୃଶ୍ୟ ଅଦୃଶ୍ୟେ ପ୍ରଭେଦ ନୋହିଲା । ୧୨ ।

 

ନୃପଜାନେତ୍ର-ଖଞ୍ଜନ ।             ନଳନରବରସୁକ୍ଷ୍ମଘନ-।

କେଶପାଶେ ଯାଉ ପଡ଼ି ।

ନ ଯାଇ ପାରିଲା ତହିଁରୁ ଉଡ଼ି ।

ବରଜି । ନୃତ୍ୟ ନିଶ୍ଚଳ ହୋଇ ।

ଗଲା ତହିଁରେ ଥକା ହୋଇ ରହି । ୧୩ ।

 

ବାମାନେତ୍ର-ପଦ୍ମଯୁଗ ।             ନଳମୁଖ-ପାଣି-ପାଦେ ଯୋଗ ।

ହୋଇ ସୁଖେ ଗଲା ରହି ।

ଏ ସରୋଜକୁ ସେ ପଦ୍ମ କି ନୋହି ।

ଭେଟିଲେ । ବହୁକାଳୁ ସ୍ୱଜନ ।

ତାକୁ ତେଜିବାକୁ ବଳେ କା ମନ । ୧୪ ।

 

ଚତୁରକ୍ଷ ହୁଅନ୍ତେ ଚକିତେ ।             କି କି ସୁଖ ଗଲା ଜନ୍ମିଚିତ୍ତେ ।

ସଂସାରେ ରହି ସଂସାରୀ-।

ସୁଖଲଭୁଥିଲା ନୃପକୁମାରୀ ।

ମୁକତି-। ସୁଖ ବୈରାଗୀ ନୋହି ।

ଯା ଲଭିଲା ଜେମା ଆଶ୍ଚର୍ଯ୍ୟ ଏହି । ୧୫ ।

 

ଦୂତେ ନଳଶୋଭା କଳି ।             ବାଳୀ କାଳେ ପାପୀ ହେବ ଭାଳି ।

ସେ ଦୋଷୁଁ ତା’ ର ତାରଣ ।

ପାଇଁକି ବିହି ଉପାୟ ପାଞ୍ଚିଣ ।

ବାସବ । -ହୃଦୁଁ କପଟ-ନୃପ ।

-ରୂପ-ବହିବା ବୁଦ୍ଧି କଲା ଲୋପ । ୧୬ ।

 

ଏମନ୍ତ କେ ମହା ଯତି ।             ପାପଚିନ୍ତା ନ ଛୁଁଏ ଯା ମତି ।

ଭକ୍ତଅଧୀନ ଈଶ୍ୱର ।

ଯେ ତାକୁ ନିରତ ଚିନ୍ତେ ଚିତ୍ତର ।

ସେ ତା’ ର । ପାପପଥେ ଗମନ ।

ନ ହେବାଭଳି କରିଥାନ୍ତି ମନ । ୧

 

ଭ୍ରାନ୍ତିନଳ ଦେଖି ବାଳା ।             ହୋଇ ମଦନେ ଯେମନ୍ତ ଭୋଳା ।

ଲାଜେ ମଉନ ନୁହଁଇ ।

ସତ୍ୟ-ନୃପତିକି ପୁରତେ ପାଇ ।

ତେମନ୍ତ । ନ ହୋଇଲା ମଉନୀ ।

ମୁଗ୍ଧ ସତ୍ୟ ମିଥ୍ୟା ପାରେ କି ଜାଣି । ୧୮ ।

 

ଭାବ ଲୁଚାଉ ରମଣୀ ।             ଶ୍ଳଥ ଗଦ୍ଗଦ ସ୍ୱର ସେକ୍ଷଣି ।

ଅବସ୍ଥା ଦେଲା ଚିହ୍ନାଇ ।

ସଖିଙ୍କ ସାଧ୍ୱସବିକ୍ଳବ ଚାହିଁ ।

ସେ ବାଳା । ମୁଖ-ତାରକାନ୍ତ ।

ଲୁଆଇଁ ଭୂଭୃତେ ଭାଷେ ଏମନ୍ତ । ୧୯ ।

 

‘‘ହେ ମହାଶୟ ବିଧିଜ୍ଞ ।             ଲୋକ ଅତିଥି ଦେଖିଲେ ବେଗ ।

ନମି ଶିରୋରତ୍ନ-କରେ ।

ପାଦ୍ୟ ସମ୍ପାଦିବ ତାର ସାଦରେ ।

ମଧୁର ।-ଗିର ରସଧାରାକୁ ।

ମଧୁପର୍କ କରି ତୋଷିବ ତାଙ୍କୁ । ୨୦ ।

 

ନିଜେ ତୃଣବତ ହୋଇ ।             ନିଜ ଆସନ ତାହାଙ୍କୁ ଦେଇ ।

ଆନନ୍ଦ ବାସ୍ପକୁ ଜଳ ।

କଳ୍ପିବ ଧୋଇଦେବାକୁ ପୟର ।

ମଧୁର । ମୃଦୁ ବିନୟ ଗିରେ ।

ପୁଚ୍ଛିବ ତାଙ୍କ ସ୍ୱାଗତ କୁଶଳେ । ୨୧ ।

 

ଅତିଥି ପଦ-କ୍ଷାଳନେ ।             ଯେବେ ଘଟେ ଜଳଆନୟନେ ।

ବିଳମ୍ବ ତେବେ ମୁଜନ ।

ତାକୁ ଅପରାଧ ବୋଲି ଭାବିଣ ।

ସଂଗ୍ରହେ । ତୃଟି ପାଇଁ ଅଞ୍ଜଳି ।

ବାନ୍ଧି ନିଜଦୋଷ ମାଗଇ ବଳି । ୨୨ ।

 

ତୁମ୍ଭ ଦର୍ଶନେ ଆସନ ।             ତେଜି ପଦେ କରୁଛି ଅର୍ପଣ ।

ନୋହିଲେ ଏ ତୁମ୍ଭ ଯୋଗ୍ୟ ।

ଆନେ ଯିବାକୁ ହେଲେହେଁ ସରାଗ ।

ମୁହୂର୍ତ୍ତେ । ଏଥି ଉପବେଶନ ।

କଲେ କି ହୋଇବ କିଛି ଦୂଷଣ । ୨୩ ।

 

କୋମଳତାରେ ଶିରୀଷ-।             କୁସୁମ-ରିଷା କରେ ଯେ ନାଶ ।

ସେ ସୁକୋମଳ ଚରଣ ।

ବ୍ୟଥାଲଭେ କାହିଁ କେତେ ଭ୍ରମିଣ ।

କେବେହେଁ । ଦୟା ନୋହୁଛି ତିଳେ ।

ତାକୁ; ତୁମ୍ଭଚିତ୍ତ ଉପଳୁଁ ବଳେ । ୨୪ ।

 

ମଧୁହୀନ ବନ ଭଳି ।             କରି କେଉଁସ୍ଥାନ ଆସ ଚଳି ।

ତୁମ୍ଭଙ୍କୁ ଚିହ୍ନାଇଦେବା ।

-ଯୋଗେ କେଉଁ ନାମ ପବିତ୍ର ଅବା ।

ତାହାକି । ଏ ମୋ ଶ୍ରୁତିବିବରେ ।

ପ୍ରବେଶି ସଦନ ରଚି ନ ପାରେ । ୨୫ ।

 

ସଦା ରକ୍ଷୀପରିବୃତ ।             ରାଜପୁର ଏ ଅଟେ ନିୟତ ।

ଏଥି ଯାହା ପ୍ରବେଶିଲ ।

ପାରାବାର କି ପଦେ ନ ତରିଲ ।

କାରଣ । କିସ ଏଡ଼େ ସାହସେ ।

ତାହାତ ବାରି ମୁଁ ନ ପାରେ ଲେଶେ । ୨୬ ।

 

ଏ ମୋ ନେତ୍ର-ଭାଗ୍ୟଫଳେ ।             କଲ ବିଜୟ ତୁମ୍ଭେ ଏ ସ୍ଥଳେ ।

ନ ଦେଖିଲେ କେହି ରକ୍ଷୀ ।

ଦେଖିଥିଲେ ଆଉ ଥାନ୍ତେକି ରଖି ।

ଯୋଗତ । ଅଛି ମୋ ନୟନକୁ ।

ଏ କାମକମ୍ରରୂପ ପିଇବାକୁ । ୨

 

ଅଭୂତ-ପୂର୍ବ ଆକୃତି ।             ରକ୍ଷୀଦୃଷ୍ଟି ନିରୋଧି ଶକତି ।

କାଞ୍ଚନେ କିଞ୍ଚିତ କରି-।

ପକାଇଥିବା ଏ କାନ୍ତି-ଚାତୁରୀ ।

ବିଲୋକି । ହେଉଅଛି ବିବେକ ।

ହେବ ବା ତୁମ୍ଭେ ସୁରପୁର ଲୋକ । ୨୮ ।

 

ବୋଲିଥାନ୍ତି ବା କନ୍ଦର୍ପ ।             ଅନଙ୍ଗତ ନାହି ତାର ରୂପ ।

ଅଶ୍ୱିନୀକୁମାର ଦୁଇ ।

ଏତେ ବା ବିଚାରୁଅଛି କିପାଇଁ ।

ରୂପତ । ତୁମ୍ଭ ତାଙ୍କୁ ବଳଇ ।

ଏଥୁ ବଳି ଆଉ ପାର୍ଥକ୍ୟ କାହିଁ । ୨୯ ।

 

ଏ ତୁମ୍ଭ ପୀୟୁଷକାନ୍ତି ।            -ଦୃଷ୍ଟି-ମାତ୍ରେ ନୁହେଁ କେ ତୃପତି ।

କେଉଁ ବଂଶ ତୁମ୍ଭ ଯୋଗେ ।

ସ୍ପର୍ଦ୍ଧିଷ୍ଣୁ ହୋଇଛି ସାଗର ସଙ୍ଗେ ।

ବର୍ଦ୍ଧିଷ୍ଣୁ ।-ଗୁଣ ଅଛଇ ବହି ।

ତା ଜାଣିବାକୁ ମୋ ଚିତ୍ତ ବଳଇ’’ । ୩୦ ।

 

ରକ୍ଷୀରେ ନୋହି ଲକ୍ଷିତ ।             ପୁରେ ନଳ ହେଉ ଉପଗତ ।

ତେଣୁ ତାଙ୍କୁ ଦେବ ଚିନ୍ତି ।

ଆତିଥ୍ୟ-ଚାଟୁଛଳେ ଦମୟନ୍ତୀ ।

ସୁଷମା । ତାଙ୍କ ବର୍ଣ୍ଣି ବସନ୍ତେ ।

ସ୍ୱ-ପ୍ରିୟ-ଶୋଭାବର୍ଣ୍ଣନ ସେ ସତ୍ୟେ । ୩୧ ।

 

ଭୀମଜା ଭାଷଇ ପୁଣ ।             ‘‘ଯେ ବସ୍ତୁର ଯେ ଅଦ୍ଭୁତ ଗୁଣ ।

ତା ନ କହି ହେଲେ ତୁନି ।

ସେ ଅସିପ୍ରାୟ ଚିତ୍ତ ଦିଏ ହାଣି ।

କହିଲେ । ଅଳ୍ପେ, ଖଳତା ହୁଏ ।

ତେଣୁ ମୋ ବନ୍ଦିପଣେ ଏଥି ଶୋହେ । ୩୨ ।

 

ଚଣ୍ଡୀଶ-ଚଣ୍ଡାକ୍ଷ-ଜାତ ।            -ବେଦ-କୁଣ୍ଡେ ପଣ୍ଡ ରତିକାନ୍ତ ।

ପକାଇ ଥିବାରୁ ଝାସି ।

ଭାଗ୍ୟ ତା ଏ ଜନ୍ମେ ଆସୁ ପ୍ରକାଶି ।

ଏ ତୁମ୍ଭ । କଳେବର ପାଇଛି ।

ନୋହିଲେ କି କାହିଁ ଏ ରୂପ ଅଛି । ୩୩ ।

 

ଶୋଭାରେ କୈଳାଶ-ଜିତି ।             ଯେ ସେ ପୁରରବା ତୁମ୍ଭ କାନ୍ତି ।

ଦେଖି ମଉନେ ଲାଜରେ ।

ଶୋଭାହରଣୁଁ ଅଶ୍ୱିନୀକୁମାରେ ।

ନୟନୁଁ । ନୀର ଗଡ଼ାଉଥିବେ ।

କାମ ରୂପଗର୍ବ ନ ଥିବ ଲବେ । ୩୪ ।

 

ଏ ତୁମ୍ଭ କାନ୍ତି-କୀର୍ତ୍ତିର ।             ଅଂଶୁସମ ଏ ଶୁଭ୍ରମରାଳ ।

ମାଳ ମାଳ ହୋଇ ଉଡ଼ି ।

ସରସୀ ସରିତେ ଥାନ୍ତି ଯା ପଡ଼ି ।

ଅଂଶୁତ । ଲଘୁସ୍ୱଭାବୁଁ ବୁଡ଼ି ।

ନ ଯାଇ ଭାସୁଥାନ୍ତି ଧାଡ଼ି ଧାଡ଼ି । ୩୫ ।

 

ତୁମ୍ଭ ପଦ-ଅଙ୍ଗୁଷ୍ଠର             ଶିରୀ ଲଭି ପାରିନାହିଁ ସ୍ମର ।

ସେ କାହୁଁ ତା ଲଭିବ

ତା’କୁ ଦହି ଦେଇଛନ୍ତି ଯେ ଶିବ ।

ତାଙ୍କର ଶିର-ଅର୍ଦ୍ଧେନ୍ଦୁ ଏବେ ।

ନଖର ହୋଇ ଏ ଅଙ୍ଗୁଷ୍ଠେ ଶୋଭେ । ୩୬ ।

 

ନବଜନ୍ମ ପ୍ରତିମାସେ ।             ଲଭି ପୂର୍ଣ୍ଣତନୁ ତପପ୍ରାସେ ।

କ୍ଷୀଣୁଁ କ୍ଷୀଣତର କରି ।

ଅମାବାସ୍ୟରେ ତନୁତ୍ୟାଗ କରି ।

ତପସ୍ୟା ।-ବଳେ ତୁମ୍ଭ ବଦନ ।

ସଙ୍ଗେ କି ସାଯୁଜ୍ୟ ଲଭିଲା ଜହ୍ନ । ୩

 

ଚିତ୍ରି ନାନାବର୍ଣ୍ଣେ ନେତ୍ର ।             ବିଧି ଉଲା କରିଛି ନିର୍ମିତ ।

ଏହା ତୁଲେ କୃଷ୍ଣସାର ।

-ନେତ୍ର ନୋହୁ ତୁଲ ତା ତଳେ ଖାଇ ।

ରଚିକି । ତାକୁ ତୁ ହୀନ ବୋଲି ।

ଅର୍ଦ୍ଧଚନ୍ଦ୍ରଦାନେ ଦେଇଛି ପେଲି । ୩୮ ।

 

କାମ ସିନା ମୋହବଶେ ।             ମୁଗ୍‌ଧରୂପେ ତୁମ୍ଭଙ୍କୁ ସେ ଲେଶେ ।

ଏ ଭୂରୁନିର୍ମାଣପାଇଁ

ଚାପ ଯା ଧାତକୁ ଦେଲା ସେ ଦେଇ

ତେଣୁ ଏ ଭୂରୁଭଙ୍ଗି ଦେଖନ୍ତେ

ହାରେ ନ ଥିବାରୁ ଅସ୍ତ୍ର ତା ହାତେ । ୩୯ ।

 

ମୁଖମୃଗାଙ୍କ ନିର୍ମ୍ମାଣି             ବିଧି ମନେ ପୁଣି କି କି ଗୁଣି

ମୃଗେ ତହିଁ ରଖିଅଛି

ତା ନୟନ ତୁମ୍ଭ ନେତ୍ର ହୋଇଛି

ପଛକୁ ପୁଚ୍ଛଭାଗ ରହିଛି

ଚାମର ସେ ଏ କେଶ ନୁହେଁ କିଛି । ୪୦ ।

 

ହରେ ଅନଙ୍ଗୀକରଣ             -ବଶେ କାମ ନୁହଁଇ ଦର୍ଶନ ।

ଥାଉ ସେ ପୂରା-ପ୍ରବାଦ ।

ଲେଶେ ନ ଲଭି ଏରୂପ-ସମ୍ପଦ ।

ଅଙ୍ଗନ । ହୋଇ ରହିଲା ସେହୁ ।

ଅଜୁଁ ଏ କିମ୍ୱଦନ୍ତୀ ବ୍ୟାପିଯାଉ । ୪୧ ।

 

ସାରା-ସୁଷମା ବିଶ୍ୱର ।             ହେଲା ଯେଣୁ ତୁମ୍ଭ ଅଙ୍ଗେ ଠୁଳ ।

ବାକି ଶୋଭା ଲଭିବାକୁ ।

ଆଶ୍ରିଲା ଶଶାଙ୍କ ଉଞ୍ଚବୃତ୍ତିକୁ ।

ହେଲେହେଁ । କ୍ଷୁଦ୍ର ସ୍ୱଧର୍ମବଳେ ।

ଦ୍ୱଜରାଜ ରହେ ଶଙ୍କର ଚୂଳେ । ୪୨ ।

 

କ୍ରୋଧେ କାମ ଭସ୍ମୀଭୂତ ।             ହୋଇ ଶୋଭା-ଦରିଦ୍ର-ଜଗତ ।

-ଦୂରବସ୍ଥା ଦେଖି ହର ।

କୃପାଳୁପଣେ ତା’ ର ପ୍ରତିକାର- ।

ବିଚାରି । ଚିରକାଳ ଚିତ୍ତରେ ।

ଏରୂପ ରଚି ଜଗତେ ତୋଷିଲେ । ୪୩ ।

 

ଯେବେ ତୁମ୍ଭେ ନର ହେବ ।             ମହୀ କେହି କୃତାର୍ଥ ନୋହିବ

ହୋଇଥିବ ଯେବେ ଦେବ ।

ଦିବତୁଲେ ମହୀ କାହିଁ ହୋଇବ ।

ଜନମି । -ଥିବ ଯେବେ ପାତାଳେ ।

ତଳେ ଥାଇ ସେ ନୁହେଁ କା’ ଉପରେ ? । ୪୪ ।

 

ସାଗର-ଶୋଷା ମୁନିର ।             କଥା ଶୁଣି ବିସ୍ମୟ ଚିତ୍ତର ।

ଆଉ ବସା ନ କରଇ ।

ତୁମ୍ଭ ଗାମ୍ଭୀର୍ଯ୍ୟେ ସିନ୍ଧୁ ଲଘୁ ନୋହି

ଥିବକି । ତେଣୁ ଋଷି ଚଳୁକେ ।

ପିଇ ଦେଲେ ସିନା ତାହାକୁ ସୁଖେ । ୪୫ ।

 

ସଂସାର-ସିନ୍ଧୁ-ମଧ୍ୟର ।             ତୁମ୍ଭ ପ୍ରତିବିମ୍ୱ ଏକା ନଳ ।

ବିଧାତା-ସୃଷ୍ଟିରେ କେହି ।

କାହା ସମ ହୋଇ ଗୋଟିଏ ନାହିଁ ।

ଦ୍ରବ୍ୟର । ପ୍ରତିବିମ୍ୱ କେବଳ ।

ସର୍ବାଂଶେ ତା ତୁଲେ ହୁଅଇ ତୁଳ । ୪୬ ।

 

ଏ ମହୀରେ କେଉଁ ଜନ ।             ଏତେ ସୁକୃତ କଲା ଅର୍ଜ୍ଜନ ।

ଯା ପାଶେ ଗମନ ପାଇଁ ।

ତୁମ୍ଭପରା ଲୋକ ହୋଇ ଉତ୍ସାହୀ ।

ପୟର । -ଚିହ୍ନେ ମହାଉତ୍ପଳ ।

ଜାଳେ ଧରାରଜ କରେ ରୁଚିର । ୪

 

ସନ୍ଦେହ ଦୋଳାରେ ଦୋଳି ।             କି କହଇ ମୁଁ ନ ପାରେ ଜଳି ।

କେଉଁ ଭାଗ୍ୟବନ୍ତ-ବାସେ ।

କରୁଛ ଗମନ ଅତିଥି-ବେଶେ ।

ତହିଁ ବା । ମୋର କି ପ୍ରୟୋଜନ ? ।

ବୃଥା ଆଶା ସଦା ଦୁଃଖ କାରଣ । ୪୮ ।

 

ଏ ତବ ରୂପ-ସମ୍ଭାର ।             ଦେଖି ସାର୍ଥକ ନେତ୍ର ମୋହର

ଶ୍ରୀମୁଖୁଁ ପଦେ ବଚନ

ଶୁଣିବାକୁ ଯେବେ ମୋ ବେନିକର୍ଣ୍ଣ ।

ଭାଜନ । ହୋଇ ପାରନ୍ତେ ଲବେ

ଅମୃତକୁ ମୃତ ଭାବନ୍ତେ ତେବେ’’ । ୪୯ ।

 

ନବୀନା-ଓଷ୍ଠ ବନ୍ଧୁକ             ସେ ତ ଅବ୍ୟାଜ-କାମକାର୍ମୁକ ।

ତା କୁମୁମ-ମଧୁରସେ

ସୁରଞ୍ଜିତ ବାଣୀବାଣ ବିଶେଷେ ।

ତହିଁରୁ ଫିଟି ଶ୍ରବଣ-ପୁଟ

ଭେଦି ନୃପହୃଦ କଲା ଉଚ୍ଚା। ୫୦ ।

 

ପ୍ରିୟାମୁଖୁଁ ପ୍ରିୟବାଣୀ             ଶୁଣି ସୁଧାରସେ ନୃପମଣି ।

ମଜ୍ଜିଲେ ମଜ୍ଜାସରିକି ।

ଅରିମୁଖୁଁ ଶୁଣିଲେହେଁ ସ୍ତୁତିକି ।

ମାନସ । ସେ ତ ନିଅଇ ମୋହି ।

ପ୍ରିୟାମୁଖୁଁ ହେଲେ କଥା କି ଥାଇ । ୫୧ ।

 

ସୂର୍ଯ୍ୟପ୍ରାତେ ଅର୍ଘ୍ୟପାଇ ।             ଯଥା ଉଦୟାଚଳେ ଶୋଭଇ ।

ତଥା ଭୂପତିସୁତାର ।

ଅତିଥି-ସେବନ ଘେନି ମନର

ନୃପତି । ଅତି ହରଷ-ମନେ ।

ବିଜେ କଲେ ଏକ ସଖି-ଆସନେ । ୫୨ ।

 

ଦେଖି ଜେମାକୁ ନିରୋଳେ ।             ଧୈର୍ଯ୍ୟ କାମ ଏ ବେନି ଏକାଳେ ।

ଦେଲେ ଆରମ୍ଭି ବିଗ୍ରହ

ହାରି ପଳାଇଲା ଛର ଅଦେହ ।

ମଧ୍ୟରୁ । ଚାପ ଭାଜି ପଡ଼ିଛି ।

ସେ ସିନା ନଳଭୂରୁ ବୋଲାଇଛି । ୫୩ ।

 

ଦମୟନ୍ତୀ-ବୀଣାଜିଣା ।             ବୀଣା ଶୁଣିଲେହେଁ ନୋହି ବଣା ।

ଧୈର୍ଯ୍ୟେ କାମ ନାଶି ବୀର ।

ଜେମାକୁ ଭାଷନ୍ତି ମଧୁର ଗିର ।

ବିବେକ । -ଧାରେ ଶତଧଉତ

ସାଧୁଚିତ୍ତେ କି କରିବ ମନ୍ମଥ । ୫୪ ।

 

‘‘ଶୁଣ ଗୋ ଭୂପତିପୁତ୍ରି ।             ଦେବେ ପେଷିଲେ ମୋତେ ତୋ କତି ।

ଦୂତପଣେ ମୁଁ ଆସିଛି ।

ଅତି ଆଦରେ ହୃଦରେ ବହିଛି ।

ପରାଣ ।-ପରି ସେ ଅମରଙ୍କ ।

ତୋତେ ଦେଇଥିବା ଉଦନ୍ତତକ । ୫୫ ।

 

ହେଉ ସପର୍ଯ୍ୟା ଏତିକି ।             ଆସନୁଁ ଉଠିବା ଉଚିତ କି ?

ନ ବସୁଁ ଆସନେ କେହି ।

ଦୂତପଣ ମୋ ଗଲେ ସିଦ୍ଧହୋଇ ।

ଅତିଥି ।-ପରିଚର୍ଯ୍ୟା ତୋହର ।

ଅଧିକୁଁ ଅଧିକେ ହେବ ସୁନ୍ଦର । ୫୬ ।

 

ଆଗୋ ବିଶାଳାକ୍ଷବର ।             ଆଙ୍ଗିକ ତ ସର୍ବଶୁଭ ତୋର ।

ଚିତ୍ତ ତ ଅଛି ପ୍ରସନ୍ନ ।

ବୃଥା-ବାକ୍ୟ-ବ୍ୟୟେ କି ପ୍ରୟୋଜନ ।

କିଞ୍ଚିତ । ଦତ୍ତକର ଏଣିକି ।

ଅବଧାନ ବାଳେ ମୋର ବାଣୀକି । ୫

 

ଶଇଶବକାଳୁଁ ତୋର ।             ସୁଗୁଣଗଣ ଅମରପୁର ।

ବର ବୈଶ୍ୱାନର ନୀର ।

-ନିଧି-ଅଧିପ ଆଦିତ୍ୟକୁମର ।

ଏ ଚାରି ।-ଙ୍କର ଚିତ୍ତକୁ ବନ୍ଦୀ

ଦେଇଅଛି କରି ସୁଦୃଢ଼େ ବାନ୍ଧି । ୫୮ ।

 

ଶୈଶବ ଯୌବନ ଦୁଇ ।             ସନ୍ଧି-କାଳେ ଥିବା ଡୋର ଚାହିଁ

ତୋତେ ସୁମରି ସୁମରି ।

ହେଲେଣି ଅମରେ ବିରହେ ଘାରି ।

ସୁଷମା । ଅଙ୍ଗୁ ଚିତ୍ତରୁ ଧୈର୍ଯ୍ୟ ।

ନେଲାଣି ହରି ତାଙ୍କ ମନସିଜ । ୫୯ ।

 

ଏବେ ସେ ଦେବଙ୍କ ଆଶା ।             ସଦା କଲାଣି ତୋ ତହିଁ ବସା ।

ହେଲେହେିଁ ଅତି ରୁଚିର

ପ୍ରାଚୀ-ପ୍ରତୀଚ୍ୟାଦି ଦିଶ ଚତୁର

ପାରନ୍ତି । ନାହିଁ ପୁରୁବପରି ।

ନିଜନିଜ-ପତି-ମତିକି ହରି । ୬୦।

 

ଏତେ । ନବଯଉବନ ।             ସଙ୍ଗେ ସଙ୍ଗେ କ୍ରମେ କ୍ରମେ ଘେନ ।

ବାସବ-ଉତ୍କଣ୍ଠା ବଢ଼ି ।

ଗଲାଣି କୋଟି ପରିଯନ୍ତ ଚଢ଼ି ।

ସେ ଉତ ।-କଣ୍ଠା-ବତ ଅଖିନ୍ନ ।

କାମଚାପ-କୋଟି ଚୁମ୍ବିଲା ଗୁଣ । ୬୧ ।

 

ପୂର୍ବେ ଉଦୁଁ ଅଂଶୁମାଳି ।             ତାପ ଆକାରୁଁ ଏ ଶଶୀ କଳି ।

ତାକୁ ଇନ୍ଦୁଅପରାଧେ ।

ସହସ୍ରନୟନ ଆରକ୍ତ କ୍ରୋଧେ ।

କରିଣ । ଦମ୍ଭଭେଦୀ ବାସବ ।

ଚାହାଁନ୍ତି ଏଥୁଁ ତାଙ୍କ ଚିତ୍ତ ଭାବ । ୬୨ ।

 

ମାତ୍ର ନେତ୍ର-ତ୍ରିତୟରେ ।             ହର ଯାହା ଦେଲେ କରି ସ୍ମରେ ।

ସେ କଷ୍ଟ ଆଜ ପର୍ଯ୍ୟନ୍ତ ।

ପାରିନାହିଁ ମୁଞ୍ଚି କେଳତି-କାନ୍ତ ।

ସହସ୍ର ।- ନେତ୍ର ବାସବ ଯେବେ ।

ରୋଷିବେ କାମେ କି ଆଉ ରଖିବେ ? । ୬୩ ।

 

ଭ୍ରମୁଁ ନନ୍ଦନକାନନେ ।             ବାଜୁଁ ପିକ-କୁହୁତାନ କାନେ ।

ଆନନ୍ଦ ନୁହଁନ୍ତି ଲେଶ ।

ଚୂଡ଼ାମଣି-ଶିଶୁ-ଶଶିର ତ୍ରାସ ।

-ବଶରୁ । ଶବପୂଜା ବାସବ ।

ମାନସେ ନ ପକାନ୍ତି ଆଉ ଲବ । ୬୪ ।

 

ହେଲେହେଁ ରାକା-ରଜନୀ ।             ଶୁଣି ବନପ୍ରିୟ-କୁହୁବାଣୀ ।

ଭାବନ୍ତି ତାହାକୁ କୁହୁ ।

ଯେଣୁ ମାରଶରପରାଗେ ଆଉ।

ନ ଦିଶେ । କିଛି ପଡ଼ୁ ବହଳେ ।

ସମତାମସ ଦିଶେ ସର୍ବସ୍ଥଳେ । ୬୫ ।

 

କୁସୁମଶରେ ମଦନ ।             ପୀଡ଼ିବାର ଚିତୋଇଲେ ମନ ।

ବଜ୍ରମାରି ବଜ୍ରଧାରୀ ।

ନ ଥାନ୍ତେ କି ତା’ ର ସମ୍ପତ୍ତି ସାରି ।

ଶଙ୍କର । ରୋଷୁଁ ହେଲା ତା ଶର୍ମ ।

ଅନଙ୍ଗତା ହେଲା ଏବେ ତା ବର୍ମ୍ମ । ୬୬ ।

 

ତୋ ବିରହେ ବରବାଳୀ ।             ହେଲା ସୁରପତିଧୃତି ଧୂଳି ।

ଶୀତଳ ଶେଯକୁ ତାଙ୍କ ।

କଳପପାଦପ-ପତରଯାକ ।

ଲାଗନ୍ତେ । କଳ୍ପବୃକ୍ଷେ ଦାରିଦ୍ର୍ୟ ।

-ନାଶି ହୋଇ ହେଲେ ପତ୍ରେ ଦରିଦ୍ର । ୬

 

ସ୍ମରକାର୍ମୁକ ଟଙ୍କାର ।            -ଭବ ସ୍ୱରେ ଶ୍ରୁତି ବାସବର ।

ଗଲାଣି ହୋଇ ବଧିର ।

କାମ-ମୋହନାଶୀ ଗିର ଗୁରୁର ।

ନପଶେ । ଆଉ ଲେଶେ ତହିଁରେ ।

ବିନା ସେବନେ କି ଔଷଧ ଧରେ ? । ୬୮ ।

 

ତାଙ୍କ କାମତାପଶାନ୍ତି ।             ପାଇଁ ସମୃଣାଳ ପଦ୍ମନିତି ।

ମଧୁକାଳଯାକ ବୁହା ।

ହେଉଛି କେତେ କେ କହିବ ତାହା !

ଏଣିକି । ମଧୁକାଳେ ବରଜି ।

ଶିଶିରେ ଯିବେ ପଦ୍ମେ ହୋଇ ରାଜି । ୬୯ ।

 

ରେ ବାଳୀ ତୋ ଲାଭପାଇଁ ।             ଇନ୍ଦ୍ର-ଉତ୍କଣ୍ଠା ନୁହଁଇ କହି ।

ସହସ୍ରନୟନ ବହି ।

ସେ ତୋ ଏକନେତ୍ର କଣାଇ ଚାହିଁ ।

-ଦେବାର ।-ବେଳ ଖୋଜନ୍ତି ଭାବ ।

ଏଣୁ ସେ ଉତ୍କଣ୍ଠାସମ କେ ଭାବ । ୦ ।

 

ଗିରିଶ-ଅଷ୍ଟମ-ମୂର୍ତ୍ତି ।             ବୋଲି ଜଗତେ ଯାହାର ଖ୍ୟାତି ।

ଯା ତେଜେ ସର୍ବ ଜଳଇ ।

ଅଗ୍ନି-ହୋତ୍ରିଏ ଥାନ୍ତି ଯାକୁ ଧ୍ୟାୟି ।

ସେ ବହ୍ନି । ଏବେ କାମ-ଭୟରେ ।

ଦାସ୍ୟ ଇଚ୍ଛୁଛନ୍ତି ତୋର ପୟରେ । ୧ ।

 

ତୋତେ ବଳ ପାଇ କାମ ।             ତାପୁଅଛି ଅନଳେ ବିଷମ ।

ଶିଖାଇଲାଣି ଏମନ୍ତ ।

ତାପ ସହିବାର ସୁଖ କେମନ୍ତ ।

ଏବେ ସେ । ନିଜ ଦଶା ସୁମରି ।

ଆନେ ଆଉ ନ ପକାଇବେ ଘାରି । ୨ ।

 

ପୂର୍ବେ ବହ୍ନି ହରନେତ୍ରେ ।             ରହି ଦହିଥିଲେ କାମଗାତ୍ରେ ।

ଏବେ କାମ ତୋର ନେତ୍ରେ ।

ରହି ଦହିଦିଏ ଅନଳଗୋତ୍ରେ ।

ପୂରୁବ-। ଋଣ ସୁଧ ସହିତେ ।

ଦେଉଛି ଶୋଧି ନ ରଖି କିଞ୍ଚିତେ । ୩ ।

 

ତୋର ବିରହବଶରେ ।             ଶଶଧରେ ଜନ୍ମିବା ରୋଷରେ ।

ନାମ ସାମ୍ୟତା ଯୋଗରେ ।

ଯେ ସୋମ ଆହୁତି ହୁଏ ହୋମରେ ।

ଅନଳ । ତାକୁ ପକାନ୍ତି ଦହି ।

ତେଜସ୍ୱୀ ଶତ୍ରୁ ନାମ କି ସହଇ ? । ୪ ।

 

ବିଷମ-କୁସୁମ ଶର-।             ଘାତେ ନିରତେ ହୋଇ ଜର୍ଜର ।

ବୈଶ୍ୱାନର ତୋହପାଇଁ ।

ପୁଷ୍ପେ ତାଙ୍କ ଭୟ ଯାଇଛି ହୋଇ ।

ପୂଜକ । ଯେବେ ପୂଜେ ସୁମନେ ।

ତା ଦେଖି ଭୀତି ଜନ୍ମେ ତାଙ୍କ ମନେ । ୫ ।

 

ଏବେ ଦହନଙ୍କ ବକ୍ଷ ।             ହେଲା କାମଇନ୍ଧନ ପ୍ରତ୍ୟକ୍ଷ ।

ତହିଁ ଶୈବାଳ ସଂଯୁକ୍ତ ।

କମଳଦଳ ଶୀତଳ ନିମିତ୍ତ ।

ରଖୁଁ ସେ । କାମ-ଅନଳ-ଜାତ ।

ସଧୂମ ଶଖାବତ ଦିଶେ ସତ । ୬ ।

 

ଚନ୍ଦନଚର୍ଚ୍ଚିତା ଦିଶ ।            -ଯୋଷିତର ଯେ ଅଟନ୍ତି ଈଶ ।

ଯା ତାତ କମଳବନ୍ଧୁ ।

ସେ ଶମନ ସୁରି ତୋ ମୁଖଇନ୍ଦୁ ।

କଲେଣି । ଧୀରତାକୁ ଆହୁତି ।

ସ୍ମର-ପ୍ରତାପ-ଜ୍ୱଳନେ ଯୁବତି । ୭୭

 

କାମାନଳେ ଦହ୍ୟମାନ ।             ତାଙ୍କ ଅଙ୍ଗେ ମଳୟ ପବନ ।

ସଧୀରେ ପଲ୍ଲବକର ।

ଚାଳଇ ସ୍ୱକଷ୍ଟେ ନ କରି ଗାର ।

ଯେ ଯା’ ର । ଆଶା ଭରସା କରେ ।

ସେ ତାକୁ ହାଦେ ବରଜି ନ ପାରେ । ୮ ।

 

ମାର-କୀର୍ତ୍ତିରେ ଶୁକଳ ।             ପ୍ରଚଣ୍ଡ-ତାପେ ତାପିତ ତାର ।

ଜ୍ୱର-ଜର୍ଜରିତ ଅଙ୍ଗ ।

ହେଲାଣି ତୋ ବିରହେ ବହି ଖଙ୍ଗ ।

‘ଯମକ’ । ଆଉ ଅମଙ୍ଗ ହୋ ନା ।

ମଣ୍ଡ ତାଙ୍କ ଅଙ୍କ ବରଅଙ୍ଗନା । ୯ ।

 

ସନ୍ଧ୍ୟାରେ କୁଙ୍କୁମ ବୋଳା ।            -ଅଙ୍ଗୀ ଯେ ପ୍ରତୀଚି-ଦିଶ ବାଳା ।

-ମେଳେ ଯାପୁଥାନ୍ତି କାଳ ।

ସେ ବରୁଣ ଏବେ ତୋ ଆଶେ ଭୋଳ ।

ସେକାଳେ । ପୁରୁ ବାହାରିଛନ୍ତି ।

ଯେକାଳେ ପାନ୍ଥେ ଗଲେ ନ ଫେରନ୍ତି । ୮୦ ।

 

ବଡ଼ବାବଦନ-ଜାତ ।             କ୍ଷୁବ୍ଧ ପ୍ରଜ୍ୱଳିତ ଶିଖାବନ୍ତ ।

ଅନଳେ କୋଳରେ ବହି ।

ତଥା ନିରନିଧି ନୁହଁଇ ଦହି ।

ଚିତୋଇ । ରତିପତି-ତାପିତ-।

ସ୍ୱପତି-ଦୁର୍ଗତି ଯା ସେ ଦୁଃଖିତ । ୮୧ ।

 

ହେବାପାଇଁ ତାପ ଶାନ୍ତି ।             ସଜ-ମୃଣାଳ-ମାଳିକା-ତତି ।

ଅଙ୍ଗେ ହୋଇଥାନ୍ତି ଲାଗି ।

ସେ ଦୁର୍ବିନିତାଏ ଭିଆଇ ଭଙ୍ଗି ।

ତୋ ବାହୁ ।-ବନ୍ଧ ଚିତୋଇ ଦେଇ ।

ଅଧିକେ ତାହାକୁ ପକାନ୍ତି ଦହି । ୮୨ ।

 

ପ୍ରତପ୍ତ ବକ୍ଷେ ତାଙ୍କର ।             ଖଣ୍ଡ ଖଣ୍ଡ ରାଜଇ ମୃଣାଳ ।

ତା ଦେଖି ଚିତ୍ତେ ଏମନ୍ତ ।

ଆସଇ ଶାୟକ କେଳତି-କାନ୍ତ ।

ପେଷନ୍ତେ । ଭେଦି ଗଲେ ସେ ଚିତ୍ତ ।

ଦିଶୁଛି ତାଙ୍କ ଯିବା ରନ୍ଧ୍ର ମାତ୍ର । ୮୩ ।

 

ତୋତେ ଅମୋଘ-ଶାୟକ ।             ଲଭି ପ୍ରପଞ୍ଚ ରତି ନାୟକ ।

ମଦାନ୍ଧପଣେ ଉଦ୍ଦଣ୍ଡ ।

ହୋଇ ନ ମାନି କରେ ଲଣ୍ଡଭଣ୍ଡ ।

ତ୍ରିଲୋକ ।-ପୂଜିତ ଏ ଚତୁର ।

ବରବୃନ୍ଦାରକଙ୍କୁ ନିରନ୍ତର । ୮୪ ।

 

କାଲି ତୋର ସ୍ୱୟମ୍ବର ।            -ହେବା ଗିରଛଣା ସୁଧାଧାର ।

ପରି ସେ ଅମରଚାରି ।

ଶ୍ରବଣ-ବଦନରେ ପାନ କରି ।

ଉତୁରି । ଆସିଛନ୍ତି ସ୍ୱର୍ଗରୁ ।

ନ ଭାଙ୍ଗ ତୁ ତାଙ୍କ ଆଶା ରମ୍ଭୋରୁ । ୮୫ ।

 

ସପତ୍ନୀ-ଭାବ-ସମ୍ଭୂତ ।             ପ୍ରତପତ ଦୀର୍ଘଶ୍ୱାସ-ବ୍ରାତ ।

ସ୍ୱପତ୍ନୀଙ୍କ ସମ୍ଭବାଇ ।

ଶମ୍ଭୂ-ପରଶରେ ଜର୍ଜର ହୋଇ ।

ଓହ୍ଲାଇ ।-ଛନ୍ତି ଏ କ୍ଷିତି-ବକ୍ଷେ ।

ଚତୁର ହରିତ-ପତି ପ୍ରତ୍ୟକ୍ଷେ । ୮୬ ।

 

ତୋତେ ଚୁମ୍ୱିବାରୁ ଚିତ୍ତ ।             ହେଲା ତାଙ୍କ ଅତି ରସବନ୍ତ ।

ନ ବାଧିଲା କ୍ଷୁଧା ତୃଷା ।

ପାଥେୟ ଅମୃତେ ନ ରଖି ଆଶା ।

ଉଦ୍‌ବେଗେ । ବେଗେ ଅଇଲେ ଚଳି ।

ଅକ୍ଲେଶେ ଏତେ ପଥ ନବବାଳୀ । ୮୬ ।

 

ତୋପାଇଁ ରେ ରାମାବର ।             ହର-ପରଶର-ବୈଶ୍ୱାନର ।

- ଉଦରେ ସ୍ୱଦାରାବ୍ରାତେ ।

ଦେଇ ଏ ସୁପର୍ବବରେ ତୁରିତେ ।

ପୟର । - ସ୍ପର୍ଶୁକ୍ଷିତିକ ଅତି ।

ଅନୁଗ୍ରହ ଏବେ ଦେଖାଇଛନ୍ତି । ୮୮ ।

 

ଧରାଶିର ଚମ୍ପାଝରା ।             - ପରାୟେ ସେ ଦିଶୁଥାନ୍ତି ତୋରା ।

ଭେଟିଲେ ମୋତେ ପଥରେ ।

ବୋଇଲେ ଜେମାପାଶେ ଦୂତ ଥରେ ।

ହୋଇବ । ଘେନି ଆମ୍ଭ ଉଦନ୍ତ ।

ହେଲି ତାଙ୍କ ଜଙ୍ଗମ-ପତ୍ରବତ । ୮୯ ।

 

ଦେଇ ନିବିଡ଼ ଆଶ୍ଳେଷ ।             ଏ ଦ୍ୱି-ଦ୍ୱଗୁଣ-ଦିଶ-ଅଧୀଶ ।

ଜଣାଇଛନ୍ତି ଏତେକ ।

ଦାରୁଣ-ମାର-ଶବର-ଶାୟକ ।

-ନିର୍ଘାତ ।-ବିଘାତେ ସେ ଅଥୟ ।

ତୁ ତାଙ୍କ ବିଶଲ୍ୟକରଣୀ ହୁଅ । ୯୦ ।

 

ତୋର ଅପରୂପ-କାନ୍ତି ।            -ଦରଶନ ପାଇ ଲୋଭୀ ଅତି ।

ହୋଇଛି ତାଙ୍କ ନୟନ ।

କହ କିଶୋରି ଆଉ କେତେଦିନ ।

ସେମାନେ । ନିଜ ନିଜ ନେତ୍ରକୁ ।

ଭଣ୍ଡୁ ଥିବେ ଦେଇ ଆଶା-ପଥକୁ । ୯୧ ।

 

ଦେବେ ଆଦିତ୍ୟ ସ୍ୱଭାବେ ।             ତୋର ଭୁଜ-ପରିବେଶ ଏବେ ।

ହେଉ ତାହାଙ୍କ ଭୂଷଣ ।

ନ ଭାଷ ‘ନାହିଁ’ ତୁ ହୁଅ ପ୍ରସନ୍ନ ।

ଅନଙ୍ଗ ।-ଲୀଳାଲହରୀ-ଶୀତ ।

-ଅଙ୍ଗେ ତାଙ୍କ ତାପ ହର ତୁରିତ । ୯୨ ।

 

କର କୃପା କୃଶୋଦରୀ ।             ଅନଙ୍ଗ ଅଦୃଶ୍ୟଶରେ ଘାରି ।

ନ ପକାଅ ତାଙ୍କୁ ଆଉ ।

ଜୀବ ଯିବାରୁ ଲଭି କାମଦାଉ ।

ତୋ ପ୍ରେମ ।-ରସସିକ୍ତ କଟାକ୍ଷ ।

-ବିଶିଖ-କ୍ଷତ ସେ ମଣନ୍ତି ସୁଖ । ୯୩ ।

 

ତୋତେ ଲଭିବାକୁ ଗୋରି ।             ଶତ ଶତ ମରୁଛନ୍ତି ଝୁରି ।

ହେଲେ ସେ ଦେବଙ୍କ ପ୍ରାଣ ।

ଅଟଇ ସଦା ତୋ ଚରଣାଧୀନ ।

ଏ ମିଥ୍ୟା । ଯେବେ ଭାବୁ ମୃଗାକ୍ଷି ।

ମନୋଭୂମନ୍ମଥ ତହିଁକି ସାକ୍ଷୀ । ୯୪ ।

 

ତାଙ୍କ ହୃଦୟ-ଅନ୍ତର ।            -ଗତେ ଅଛୁତ ତୁ ନିରନ୍ତର ।

କର ଅନୁଗ୍ରହ ଲବ ।

କମଳା ଯେମନ୍ତ କମଳନାଭ ।

-କୋଳରେ । କେଳି କରେ ନିରତ ।

ତୁ ତାଙ୍କର ଅଙ୍କେ ହୁଅ ତେମନ୍ତ । ୯୫ ।

 

ଦୟା ଥିଲେ ରେ ବାଳୀଶ ।             ଲେଶେ ଆସ ସୁରପୁର ଭୂଷ ।

ଯେବେ ବା ସ୍ୱଜନ୍ମଭୂମି ।

ବୋଲି ମର୍ତ୍ତ୍ୟେ ଅଛି ମମତା ଜନ୍ମି ।

ତେବେ ତୁ । କର ସ୍ୱୀକାର ଏତେ ।

ଆସି କରନ୍ତୁ ସେ ସ୍ୱର୍ଗ ଏମର୍ତ୍ତ୍ୟେ । ୯୬ ।

 

ନିତି ପୂଜୁ ଯାହା ପଦ୍ମେ ।             ତହିଁ ତାଙ୍କ ତୋଷ ନୁହେଁ ଛଦ୍ମେ ।

ତୋ ପ୍ରସାଦ ଲାଭପାଇଁ ।

ଥିବା କାଳରେ ସେ ଶିର ନୁଆଇଁ ।

ତା’ପରେ । ତୋ ପୟର-ସାରସ ।

ଶୋଭିଲେ ଲଭିବେ ସେ ମହାତୋଷ । ୯

 

ପୂଜାରେ ତୁ ଯେଉଁ ଭର୍ମ୍ମ ।             ଦେଉ ତହିଁ ତାଙ୍କ କିସ ଶର୍ମ୍ମ ।

ତପତ-କନକ-କାନ୍ତି ।

-ଜୟୀ ଏ ତୋ ଅଙ୍ଗ-ପ୍ରତ୍ୟଙ୍ଗତତି ।

ଲଭିବା ।-ପାଇଁ କର ତାଙ୍କର ।

କୋରକ କରୁଅଛି ନିରନ୍ତର । ୯୮ ।

 

କାମଶରାସନ ବଂଶେ ।             ଜାତ ଭୁରୁ ତୋର ମଣନ୍ତି ସେ ।

ପଠାଇ ଅଛନ୍ତି କହି ।

ରେ ସୁଭ୍ରୁ ବଣିକ ପରାୟ ହୋଇ ।

କନକ । ନିତି ଦହୁଅଛନ୍ତି ।

ଯେଣୁ ସେ ବିବାଦୀ ତୋ କାନ୍ତି ପ୍ରତି । ୯୯ ।

 

ତୋର ବିରହ ବିଜନ୍ୟ ।             ତାଙ୍କ ତାପ ସୁଧାରସେ ସ୍ନାନ ।

କଲେହେଁ ନ ଯାଏ କିଛି ।

ଅପସରାଙ୍କୁ କେବା ପଚାରୁଛି ।

କୁସୁମ ।-ଶର ସମ୍ଭବମଧୁ ।

ତୋ ମୃଦୂଭାଷା ତା ବିନାଶେ ସାଧୁ । ୧୦୦ ।

 

ଯାହା କହୁ ପଦେ ପଦେ ।             ଖଣ୍ଡ ମଣନ୍ତି ସେ ତାକୁ ହୃଦେ ।

କହୁ କହୁ ରହିବାର ।

ରୀତିକି ଭାବନ୍ତି ସେ ତୋ ଶର୍କର ।

ରସଗ ।-ର୍ଭିତ-ଉକ୍ତି-ରୀତିକି ।

ଇକ୍ଷୁବୋଲି ଆଣୁଛନ୍ତି ମତିକି । ୧୦୧ ।

 

କି ଅବା ତୋଷିବେ ଦେଇ ।             ଓଷ୍ଠ ସୁଧାତ ତୋ ମୁଖେ ଥାଇ ।

ସେ ମୁଖତ ଏବେ ବଳେ ।

ସୁଧାକରକୁ ଜିତିଲାଣି ହେଳେ ।

ଯାଗର ।-ଭାଗ ମୃଗଧରର ।

ଆଗହୋଇ ସେ କରିବ ନିଜର । ୧୦୨ ।

 

ଦେବାକୁ ଅମର ବର ।             ଲାଜେ ଜିହ୍ୱା ନଚଳେ ତାଙ୍କର ।

ଯେ ତୋର ପଦ୍ମଚରଣେ ।

ଶରଣ ଇଚ୍ଛୁଛନ୍ତି ପ୍ରତିକ୍ଷଣେ ।

କାମକ ।-ଦନୁଁ ପ୍ରାଣରକ୍ଷଣେ ।

ସେ କି ଶକ୍ୟ ତୋତେ ବର-ପ୍ରଦାନେ । ୧୦୩ ।

 

ଚଣ୍ଡାଳ ମଦନ କାଣ୍ଡ ।             ବିନ୍ଧି ତନୁ କଲା ଖଣ୍ଡ ଖଣ୍ଡ ।

ପ୍ରାଣ-ରକ୍ଷଣ ତାଙ୍କର ।

ସୁଧା ସୁଧା ହୋଇଲାଣି ବିଧୁର ।

ସୁଧାଧି ।-କ୍କାରି ଅଧରା-ମୃତ ।

ଦେଇ ବାରେ ରଖ ତାଙ୍କ ଜୀବିତ । ୧୦୪ ।

 

ଚାପରୋପ-କେତୁ ତୁଲେ ।       ହେଲା ରତୀଶ ଧ୍ୱଂସି ଶଙ୍କରେ ।

ତୋ କୃପାରୁ ସୁରମନ ।

-ନନ୍ଦନ ହୋଇ ମନୋଜ ନୟନ ।

- ମୀନେ ତୋ । କେତୁବନ୍ତ ଭୁରୁରେ ।

ଧନ୍ୱୀ ଶଲ୍ୟଶାଳୀ ହେଉ ହାସରେ । ୧୦୫ ।

 

ସ୍ୱପ୍ନେ ଦେଖି ତୋତେ ନେତ୍ର ।             ଶ୍ରୁତି ତ୍ୱକ ନାଶା ହ୍ଵଜା ଚିତ୍ତ ।

ତାଙ୍କ ତୋ ସୁଷମାଗାନ ।

ମୃଦୁତା ଶ୍ୱାସ ଓଷ୍ଠାଧର ପାନ ।

-ଚରିତ୍ରେ । ମଜ୍ଜିଅଛି ବିଶେଷ ।

ଦେବେନ୍ଦ୍ରିୟମୃଗେ ହେଲୁ ତୁ ପାଶ । ୧୦୬ ।

 

ଚତୁର ସୁର-ଉଦନ୍ତ ।             କରି ଯତନେ ରସନାଗତ ।

ଗତିବନ୍ତ ପତ୍ରପରି ।

ତୋ ପାଶେ ଆସିଛି ଦୌତ୍ୟରେ ଗୋରି ।

ନ କର । ନାହିଁ ଏ ଚାରି ସୁରୁ ।

ଯାହାକୁ ଇଚ୍ଛା ତୋ ବର ରମ୍ଭୋରୁ । ୧୦

 

ସୁରେଶ୍ୱରେ ବର ବାଳୀ ।             ଅବା ଶମନେ ରଚ ତୁ କେଳି ।

କିବା ବହ୍ନି କାମ-ଦାଉ ।

ତୋ ଅନୁଗ୍ରହରୁ ଏତେକେ ଯାଉ ।

ଅଥବା । ତରଙ୍ଗିଣୀ-ଦୟିତ ।

-ପତି-ଗଳେ ମାଳ ହେଉ ଲମ୍ୱିତ । ୧୦୮ ।

 

ହର୍ଷ କବିକୁଜଚନ୍ଦ୍ର ।             ହୀରମଲ୍ଲଦେବୀ ନେତ୍ରାନନ୍ଦ ।

କବିଙ୍କ ଅଦୃଷ୍ଟ ରୀତି ।

ସରଜି ଏ ରସ ଭିଆଇଛନ୍ତି ।

ଅଧମ । ଗୋପୀନାଥ ଗରଜି ।

ମରେ ନ ପାରି ସେ ରସ ଅରଜି । ୧୦୯ ।

-------

 

 

Unknown

ନବମ ଛାନ୍ଦ

ରାଗ-ପଞ୍ଚମବରାଡ଼ି ।

ଏଥୁ ଅନ୍ତେ ଦିବ୍ୟରସ ଶୁଣ ସୁଧୀରେ ବିଦୁଷ ଅମର୍ତ୍ତ୍ୟ-ଉଦନ୍ତ ଶ୍ରବଣରେ ।

ନଥିଲେ ହେଲେହେଁ ଭଙ୍ଗି ଇଙ୍ଗିତ ଠାରେ କୃଶାଙ୍ଗୀ ଅଙ୍ଗୀକାର କରି ବିରତିରେ । ଭୂପ ସୂତା । ଏକା ଦୂତ-ବର-ଗିରେ ରସି ।

-ଥିବାରୁ ସିନା କେବଳ ସୁର-ଉଦନ୍ତ ସକଳ ଶୁଣୁଥିଲା ଅନାଦରେ ବସି । ସାଧୁ ଜନେ ।

ଚାତୁରୀ-ଚର୍ଚ୍ଚିତ ଚାରି-ଅସୁରାରି-ଗିର ଗୋରୀ ବସୁନ୍ଧରୀ-ଧବମୁଖୁଁ ଶୁଣି ।

ଆଦର ନ ହେଉ ତହିଁ ଆଦରିଲା ଚାନ୍ଦମୁହିଁ ଶୁଣି ପୁଣି ନ ଶୁଣିବା ଠାଣି । ସାଧୁଜନେ ।

ଭୀମ-ନରପାଳ-କୋଳକଳା ।

-ନିଧି ସେ ମନୁଷ୍ୟାଧିପ ଇଳା-ତଳ କଳାଧିପ ଦୂତ ନଳେ ଏମନ୍ତ ଭାଷିଲା । ସାଧୁଜନେ ।

‘‘ଭୋ ଦୂତ ଏତ ବିଚିତ୍ର କୁଳ ନାମ ତୁମ୍ଭ ମୁଁ ତ ପଚାରିଲି ନ କହିଲ ତାହା ।

କହିଲ ଏମନ୍ତ କଥା ଯା ଶୁଣି ବଥାଏ ମଥା ଯହିଁ ମୋ ନ ଥାଇ ଲେଶେ ସ୍ପୃହା । ଦୂତବର ।

ମୋ ଉତ୍ତର ନିର୍ମଳେ ନ ଦେଇ ।

ଆନ ପ୍ରସଙ୍ଗ ପ୍ରକାଶ ନୁହଁଇ କି ଲାଜ ଲେଶ ରହ ଯା ମୋ ଅଧମର୍ଣ୍ଣ ହୋଇ । ଦୂତବର ।

ମୋ ପଚାରିବା କଥାର ଉତ୍ତର ଦାନେ ତୁମ୍ଭର ଏକ ଅଦଭୁତ ରୀତି ଦିଶେ ।

ସ୍ଥଳେ ସ୍ଥଳେ ଯଥାଯଥ ଉତ୍ତର ମିଳଇ ଅର୍ଥ ସ୍ଥଳେ ସ୍ଥଳେ ଲେଶେ ନ ଆଭାସେ । ଦୂତବର ।

ଏ ତୁମ୍ଭ ଉତ୍ତର-ଦାନ-ଭଙ୍ଗି ।

ଦିଏ କାହିଁ ବା ପ୍ରକଟ କାହିଁ ବା ନିପଟ କୁଟ ସରସ୍ୱତୀ ନଦୀ ଆଙ୍ଗ ଭାଙ୍ଗି । ଦୂତବର ।

 

ଶ୍ରବଣ-ପୁଟ-ପୀୟୁଷ ଏ ତବ ମଧୁର-ଭାଷ କଲେହେଁ ଶ୍ରବଣ ଯେତେଯେତେ ।

ତୁମ୍ଭ ନାମାକ୍ଷରପନ୍ତି ମୋତିକି ଶ୍ରୁତି-ସମ୍ପତ୍ତି-କରଣେ ବଳଇ ବାଞ୍ଛା ଚିତ୍ତେ । ଦୂତବର ।

ସଧୀର ବିଚାର କର ହୃଦେ ।

ଜଳଭବଶୋଷ ନାଶେ ତହୁଁ ସରସ ବିଶେଷେ ଦୁଗ୍ଧମଧୁ ସମର୍ଥ କି ହାଦେ । ଦୂତବର ।

 

ତମନାଶୀ ଭବାଦୃଶ ନାୟକରତ୍ନ ଈଦୃଶ ଭାଷ କେଉଁ କୁଳ-କୋଳ ଭୂଷ ।

ବହି ତୁମ୍ଭଙ୍କୁ କେ ବଂଶ ଅଧିକୁଁ ଅଧିକ ଯଶ ପରକାଶ କରିଛି ଏ ବିଶ୍ୱ । ଦୂତବର ।

ସେ ବଂଶକୁ ବଂଶ-ସାଧାରଣ- ।

ତୁଲେ ଗଣିବାରୁ ଅର୍ଜି ହେବାର ପାତକ ବର୍ଜି ଦେବି କରି ତାକୁ ସନମାନ । ଦୂତବର’’ ।

 

ଏମନ୍ତ ମତ୍ତକାଶିନୀ-ଶ୍ରେଣୀ-ଶିରଭୂଷାମଣି ଭାଷି ହେଉ ତୁନି ଜେମାମଣି ।

ନିଷଧପ୍ରଧାନ ନରବର-କୁଳ-କଳାକର ନଳ ମଧୁରେ ଭାଷନ୍ତି ବାଣୀ । ସାଧୁଜନେ ।

ଗିରୀଷମ ଶେଷେ ତୃଷାତୁର- ।

ଚାତକତତି ଚିତ୍କାର କରି ମୂକ ହେଉ ନୀର ବରଷିଲା କି ସଲିଳଧର । ସାଧୁଜନେ ।

 

‘‘ଆଗୋ ବାଳେ ! ଏ ମୋ ନାମ ବଂଶ ଅତି ପ୍ରୟୋଜନ ନୁହେଁ ବୋଲି ବିଚାରି ରସନା ।

ରସଜ୍ଞା ତୋର ଛାମୁରେ ଏ ବେନି ନିବେଦିବାରେ ଆଦରିଛି ନିର୍ବେଦ ନବୀନା । ରାଜଜେମା ।

ବହୁ ଅର୍ଥବନ୍ତ ଅଳ୍ପଗିର ।

ସିନା ପ୍ରଶଂସିତ ଅତି ନିରର୍ଥକ ସୁବିସ୍ତୃତି ଦୋଷ ଦୁଇ ତ ଗିରର ଗର । ରାଜଜେମା । ୮ ।

 

ପୂରୁବେ ମୋ ଗୁରୁଜନେ କେ ଜାଣେ କି ଚିନ୍ତି ମନେ କି କି ବର୍ଣ୍ଣେ କରିଛନ୍ତି ନାମ ।

ପ୍ରୟୋଜନ ଥିବାର ତ ତହିଁ ନ ବାରଇ ଚିତ୍ତ ଏଥିରେ ଆଗ୍ରହ ବୃଥା ଶ୍ରମ । ରାଜଜେମା ।

ତୁମ୍ଭ ଆମ୍ଭ ବେନିଙ୍କ ସମକ୍ଷ- ।

ବ୍ୟବହାର ପାଇ ଚିତ୍ତେ ବିଚାର କର ସୁଚିତ୍ତେ ‘‘ତୁମ୍ଭ ଆମ୍ଭ’’ ପଦ ଅତି ଦକ୍ଷ । ରାଜଜେମା । ୯ ।

 

ଯେବେ ସ୍ୱଭାବେ ମୋ କୁଳ ନୋହିଥିବ ସୁନିର୍ମଳ ତେବେ ତା ବା କହିବି କାହିଁକି ?

ହୋଇଥିଲେ ଉଚ୍ଚ ତାହା ଦୂତ ମୁଁ ହୋଇଛି ଯାହା ମୋ ମୁଖେ ଶୋଭେ ତା ପ୍ରକାଶ କି? ଏତେ ଭାଳି

ନ କହେ ମୁଁ, ତୋ ଆଗ୍ରହ ଏଥି ।

ନ ଶୋଭଇ, ଦିଶପତି - ପ୍ରତି-ଉତ୍ତରକୁ ମତି ବଳାଇବ ଯୁକତ ସୁଦତି । ରାଜଜେମା । ୧୦ ।

 

ତଥାପି ଯଦି ତୋ ମତି ନୋହୁଛି ଏଥି ତୃପତି ସଂକ୍ଷେପେ ଦେଉଛି ତେବେ କହି ।

ହିମାଂଶୁ-ବଂଶ-କରୀର ବୋଲି ମୁଁ ବିଚାର କର ନାମ କହିବା ତ ନ ଯୋଗାଇ । ସାଧୁଜନେ ।

ଯେଣୁ ନିଜନାମ ନ ଧରନ୍ତି ।

ଏ ବୁଧଜନ-ରୀତିରୁ ଯେ ଯେବେ ଟଳେ ରମ୍ଭୋରୁ ତାଙ୍କୁ ଅତ୍ୟାଚାରୀ ବୋଲିଥାନ୍ତି । ସର୍ବଜନେ’’ ।

 

ମିତଭାଷୀ ଅହିତାପକାରକ ନର ଅଧିପ ବରଷା ପରାୟେ ଏତେ ଭାଷ ।

ନୀରବନ୍ତେ ପଦେ ପଦେ ବଦନେ ରାଗସମ୍ପଦେ ପ୍ରକାଶି ନୃପଜା ଗୁରୁହଁସୀ । ଭାଷେ; ‘‘ଶଶ ।

-ବଂଶ ବୋଲୁଁ ଗଲା କି ସନ୍ଦେହ

ପଦେ ଅଧେ କହି ରହି ନିର୍ମଳେ କିଛି ନ କହ ଏ ବଞ୍ଚନା ରୀତି କିପାଁ ବହ । ଦୂତବର । ୧୨ ।

 

 

ଜାଣିଛତ କୁଳବାଳୀ-ଆଚରଣ କେଉଁ ଭଳି ମୁହିଁତ ଗୋଟିଏ ସେ ମଧ୍ୟରୁ

ତୁମ୍ଭେ ତ ପରପୁରୁଷ ତୁମ୍ଭ ସହିତ ସମ୍ଭାଷ ମୋର ଚିନ୍ତ ହୋଇବକି ଚାରୁ । ଦୂତବର ।

ମୁଁ ବା କିପାଁ କହିବି ଉତ୍ତର ।

ତୃଷିତ ମୋର ଶ୍ରବଣ-ମୁଖେ ଯେବେ ତୁମ୍ଭ ନାମ-ପୀୟୁଷ-ନିଷେକ ଅବେଭାର । ଦୂତବର । ୧୩ ।

 

ବାଳୀର ଏ ଭଳି ଶ୍ରୁତି-ସୁଧା-ଅଲଙ୍ଘ୍ୟ-ଭାରତୀ-ଉତ୍ତରେ ଅଶକ୍ଷ ନୃପବର ।

ହୋଇ ଇଷତ ସ୍ମିତକୁ ପରକାଶି ବଚନକୁ ଭାଷନ୍ତି; ‘‘ବାମାକ୍ଷି ଅବେଭାର । ନ କର ତୁ ।

ନ ବିଚାର ଚିତ୍ତେ ମୋତେ ପର ।

ପରେ କି ଏ ମକ୍ଷିମୁଖ-ସମ୍ଭବରସୁଁ ଅଧିକ ଗରଧାର-ପ୍ରଦାନ ସୁନ୍ଦର । ଶୁଚିସ୍ମିତା । ୧୪ ।

 

ଏତେ ପରିଶ୍ରମେ ଯାହା କଲିଟି ମୁଁ ହେମଦେହା ଏହା କି ମୋ ନୋହିବ ସଫଳ ?

ହରତିପତି-ମଧ୍ୟରୁ ଏକଗଳେ କି ରମ୍ଭୋରୁ ନ ଲମ୍ବିବ ତୋ ବରଣମାଳ ? କୃଶୋଦରି ।

ଏ ଭଳି ରସପୀୟୁଷ-ସ୍ମାତ ।

ଗିରଧାର-ବରଷାରେ ସେ ଚତୁର ଦିଗୀଶରେ ସେବିବା ତୋ ଚତୁରୀ ଉଚିତ । ତନୁମଧ୍ୟା । ୧୫ ।ୟ

 

ମୋ କରେ କି ରେ କିଶୋରି ରସଗର୍ଭିତ ଚାତୁରା-ଚର୍ଚ୍ଚିତ ଏମନ୍ତ ବାଣୀତତି ।

ଅମରପୁର-ନାଗର-ବରଙ୍କ ମୁକୁଟହୀର ପାଶେ ପେଷଣେ ନ ଦେବୁ ମତି । ରାଜଜେମା ।

ମଦନ-ଦହନେ ସେ ତାପିତ ।

ଏ ତୋ ସରସଭାରତୀ ତାଙ୍କ ତାପ-ନାଶ-ପ୍ରତି ଦାବ-ଦାହେ ହେବ ବୃଷ୍ଟିପାତ । ରାଜଜେମା ।୧୬।

 

 

ଉତ୍ତରପାଇଁକି ଏ ତୋ ପାଶେ ରେ ବରଯୋଷିତ ବିଳମ୍ୱ ଯା ହୁଏ ଦଣ୍ଡେ ଦଣ୍ଡେ ।

ଏ ମୋ ବିଳମ୍ୱକୁ ଚାହିଁ ରତିପତି ତରଜଇ ତାଙ୍କୁ ଶର ପୂରାଇ କୋଦଣ୍ଡେ । ନତଦେହା ।

ସ୍ୱଭାବେତ ମଦନ ମନ୍ମଥ ।

ହେଲେହେଁ ଦେବେ ଅମର ତାଙ୍କ ଛିଦ୍ର କି ଗୋଚର ନୁହଁଇ ତାକୁ ତୁ ଘେନ ଚିତ୍ତ । ନତଦେହା ।

 

ମୋହର ପ୍ରତ୍ୟାବର୍ତ୍ତନ-ସରଣିରେ ସଂକ୍ରନ୍ଦନ ସହସ୍ରନୟନ ସୁନିଶ୍ଚଳେ ।

ଥିବେ ଥୋଇ ସେ ଧୀରତ୍ୱ ଚିନ୍ତି ବିଚାରଇ ଚିତ୍ତ ନିର୍ମିତ ସେ ନିଶ୍ଚୟ ଭିଦୁରେ । ଚଳାପାଙ୍ଗି ।

ସତ୍ୱର-କାର୍ଯ୍ୟରେ ମନ୍ଥରତା ।

-ହେତୁ ମୋତେ ଧିକ ଧିକ ପ୍ରଣିଧିଗୁଣରୁ ଏକ ନାହିଁଟି ମୋହରେ ଯାହା ଲିତା । ଚଳାପାଙ୍ଗି’’ ।୧୮।

 

ଏମନ୍ତ ଭାଷି ନିଷଧ-ଈଶ ହୁଅନ୍ତେ ସ୍ତବଧ ଶୁଣି ସର୍ବ ଗୁଣବତୀ-ମଣି ।

ବିଦର୍ଭଦୁଲଣୀ ସୁରଶ୍ରେଣୀ-ମଣିମାନଙ୍କର ନିତିନିପୁଣତା ଚିତ୍ତେ ଗୁଣି । ସ୍ୱଗତରେ ।

ଭାଷେ ‘‘ସୁରେ କେହି ନାରୀପ୍ରତି ।

ମହୀମଦନ ମାନବେ ପେଷିଛନ୍ତି ଦୂତଭାବେ ସ୍ମରଶାସ୍ତ୍ର ପଢ଼ିକି ନାହାନ୍ତି ? । ସ୍ୱଗତରେ । ୧୯ ।

 

‘ଡ’ ‘ର’ ‘ଳ’ ପ୍ରଭେଦାଭାବେ ଜଳପତି ତ ସ୍ୱଭାବେ ସେ କିପାଁ ଏହାକୁ ନ ପେଷିବେ ।

ଯମ ତ ପରେତପତି ତାଙ୍କୁ ଚାହିଁ ତାଙ୍କ ମତି ଏଥି ତାଙ୍କ ଦୋଷ ନାହିଁ ଲବେ । ମରୁତ୍ଥାନ ।

ନାମ ଇନ୍ଦ୍ର-ବିବେକ ଜଣାଏଁ ।

ବୋଲନ୍ତି ଯା’କୁ ଅନଳ ଉର୍ଦ୍ଧ୍ୱଗ ତେଜ କେବଳ ପିଶାଚୁଁ ସେ ଭିନ୍ନ ନିକି ହୁଏ । ସର୍ବଭକ୍ଷ’’ । ୨୦ ।

 

 

ତହୁଁ ଏମନ୍ତ ଚିତ୍ତରେ ବିଚାରକର ସ୍ମିତରେ ନିରୋଧି ପ୍ରଣିଧି-ମୁଖଚାହିଁ ।

ସତୀଯୁବତୀକୁଳର ଅନିର୍ବଚନୀୟ-ଅଳଙ୍କାର ରାଜଜେମା ହେମଦେହୀ । ସାଧୁଜନେ ।

ପୁଣକଲା ବଦନେ ତେମନ୍ତ ।

ଯେ ଚାତୁରୀକି ମୁଖର ଦେଖିଲେ ଚିତ୍ତେ ଲୋକର ତର୍କ ଜନ୍ମେ ଦେବାର ଉଦନ୍ତ । ସାଧୁଜନେ ।

 

ଭାଷେ ଜେମା, ‘‘ଆହେ ଦୁତ ଯା କହିଲ ତାହା ମୁଁ ତ ପରିହାସ ଭାବିଲେ ପ୍ରଗଳ୍‌ଭ- ।

ପଣ ପ୍ରକାଶ ହୋଇବ ନା’ ନା’ କହୁଥିଲେ ତୁମ୍ଭଭଳି ଲୋକେ ଗର୍ହା କି ନୋହିବ । ଅନୁତ୍ତରେ ।

ରହିଲେତ ଅବଜ୍ଞା ନିଶ୍ଚୟ ।

ଏଣୁ ତୁମ୍ଭର ଉତ୍ତର ପ୍ରଦାନକୁ ଚିତ୍ତ ମୋର ଅନାୟତ୍ତେ କରୁଅଛି ଥୟ । ଦୂତବର । ୨୨ ।

 

ମୁଁ ତ ନରକୁଳେ ଜାତ ଏହା କା ନୁହେଁ ବିଦିତ ସ୍ୱଭାବେତ ସେ ଅମରବର ।

କୃପାରେ ହେଲେ କିପରି ଏପରି ଗିର ଉଚ୍ଚାରି ଦେଲେ ହେଲା ଏହା କି ସୁନ୍ଦର । ଦୂତବର ।

ଅଥବା ସ୍ୱଭାବେ ଭକ୍ତିନତ ।

-ଜନେ ପ୍ରଭୁଲୋକମାନେ ଆନନ୍ଦ କି କି ବଚନେ ନିଜର ନ କରିଥାନ୍ତି ବ୍ୟକ୍ତ । ଦୂତବର । ୨୩ ।

 

ଅମରାଙ୍ଗନା-ସଙ୍ଗମ-ବଶେ ଯା ଅଙ୍ଗ ଅସମ ସୁଷମା ନିରତ ପ୍ରକାଶଇ ।

ସେ ଶଚୀପତି-କତିରେ ଜାତ ଯାହାର କ୍ଷିତିରେ ସେ ନରଜାତି କି ଶୋଭା ପାଇ । ଦୂତବର ।

ମରାଳ-ମାଳିକା-ବଳୟିତ ।

ସରୋବରର କି ଲବେ ବଳାକା-ବଳିରେ କେବେ ସୁଷମା ବଢ଼ଇ ଘେନ ଚିତ୍ତ । ଦୂତବର । ୨୪ ।

 

 

କହତ ତୁମ୍ଭେ ବିଚାରି ଅମର-ପୁରନାଗରୀ-ପାଶେ ନିକି ନାରୀ ଗଣା ହୁଏ ।

ଯହିଁ ନ ଥାନ୍ତି ଅମରୀ ତହିଁ ସିନା ଧରାଚାରୀ-ନାରୀ-ଶୋଭା ଜନମନ ମୋହେ । ଦୂତବର ।

ଦରିଦ୍ର ରମଣୀ ଥିବା ଦେଶେ ।

ନଥିବା ଯୋଗରୁ ସୁନା ଚିନାଏ ମାତ୍ରକ ସିନା ପିତ୍ତଳ ଭୂଷଣ ଶୋଭା ଦିଶେ । ଦୂତବର । ୨୫ ।

 

ଯା ଇଚ୍ଛା କହନ୍ତୁ ଦେବେ ତହିଁକି ମୋ ଶ୍ରୁତି ଲବେ ନାହିଁ କାହିଁ କୁରଙ୍ଗ-ଯୁବତୀ ।

ପ୍ରମତ୍ତ ଯୂଥ-ନାଥରେ ଅଙ୍ଗ-ସଙ୍ଗ ଇଚ୍ଛା କରେ ବରିବାକୁ ବିଚାର ତ ମତି’’ । ଏତେ ଭାଷି ।

ପୋତି ମୁଖ ଦେଉଁ ସଖୀ କର୍ଣ୍ଣେ ।

ସେ ଭାଷେ ‘‘ଏ ଲାଜେ ମୋର ହୃଦୟେ ପଶି ଯେ ଗିର କୁହାଏ ତା ଶୁଣ ସାବଧାନେ । ଦୂତବର ।

 

ଚିରକାଳୁଁ ନଇଷଧ-ଅଧିପ-ପଦେ ଏ ହୃଦ ବିକି ଦେଇଥିବାରୁ ଏଣିକି ।

ଏମନ୍ତ ସୁରବରଣ-କଥାକୁ ଚିତ୍ତରେ ସ୍ଥାନ ଦେଉ ମନ ପଡ଼ଇ ଚମକି । ଦୂତବର ।

ମୃଣାଳ-ତନ୍ତୁରୁ ସୁକୋମଳ ।

ଅଟଇ ସତୀବୃତ୍ତି ତ ହୋଇଲେ ତୃଟି କଞ୍ଚିତ ତୁଟିବାକୁ ନ ସହଇ କାଳ । ଦୂତବର । ୨

 

ସର୍ବ ଜୀବଙ୍କ ଅନ୍ତର କଥା ହେବାରୁ ଗୋଚର ଦେବେ ପରା ବୋଲାନ୍ତି ବିବୁଧ ।

ସ୍ୱପନେ ହେଲେ ନିମିଷ-ମାତ୍ରକ-ପାଇଁ ମାନସ କରେ କି ମୋ ଆନଜନେ ସଧ । ଦୂତବର ।

ଦୂତ ପେଷି କିସ ପ୍ରୟୋଜନ

ମୋ ଅନ୍ତରଗତ-ଭାବ-ଜ୍ଞାନେ ଯେବେ ଚିତ୍ତଥିବ ପୁଚ୍ଛନ୍ତୁ ସେ ନିଜ ନିଜମନ । ଦୂତବର । ୨୮ ।

 

 

ମୁଁ ତ ପରର ଯୋଷିତ ମୋ ସଙ୍ଗତି-ଲାଭେ ଚିତ୍ତ କେମନ୍ତ ତାଙ୍କର ଅଛି ବଳି ।

ଅସ୍ୱପ୍ନ ନାମ ବହନ୍ତି ଏବେ କି ସେ ଶୋଇଛନ୍ତି ମୋ ବୃତ୍ତାନ୍ତ ନ ଜାଣିବା ଭଳି । ଦୂତବର ।

ଦୁର୍ମାର୍ଗ-ସାଗର-କର୍ଣ୍ଣଧାର ।

ହୋଇ ନିଜେ ମୋତେ କେହି ପରର ରମଣୀ ଏହି ବୋଲି ଜାଣି ଛୁଇବେ ଶରୀର । ଦୂତବର ।

 

ମନୁଷ୍ୟଯୋନିରେ ଜାତି ହୋଇଛି ମୁଁ ସ୍ୱଭାବେତ ମୋର ଯା ଅମରବରଙ୍କର ।

ଚିତ୍ତ ପ୍ରଦାନ ଭାଷିଲ ତା ଏକା ସେମାନଙ୍କର ଅନୁଗ୍ରହ ଅନୁଗେ କେବଳ । ଦୂତବର ।

ଏତେ ଯେବେ ଦୟା ତାଙ୍କ ଚିତ୍ତେ ।

ମାଗୁଛି ଧରି ପୟର-ଶତପତର ତାଙ୍କର ନଳେ ଭିକ୍ଷା ଦିଅନ୍ତୁ ସେ ମୋତେ । ଦୂତବର । ୩୦ ।

 

ଶୁଣ କହୁଅଛି ପୁଣି ସତ୍ୟ ସତ୍ୟ ଏ ମୋ ବାଣୀ ଯେବେ ବା ମୋ ପାଣି-ପ୍ରତିଗ୍ରହ ।

ନ କରିବେ ନରପତି-ମଉଳି-ମଣ୍ଡନ-ମୋତି ମହୀପତି ନଳ ଅନୁଗ୍ରହ । ଦୂତବର ।

ନିଶ୍ଚୟ ହୁତାଶେ ଝାସ ଦେବି ।

ଅବା ଉଦ୍‌ବନ୍ଧନେ କିବା ବାରିମଜ୍ଜନେ ଅଥବା ଆନପଥେ ଆୟୁଷ ସାରିବି । ଦୂତବର । ୩୧ ।

 

ଆପଦ କାଳରେ ଯେବେ ସତମାର୍ଗ ଧରି ଲବେ ନ ଥାଇଟି ବର୍ତ୍ତିବା-ଉପାୟ ।

ସେସମୟରେ ସଜ୍ଜନ-ନିନ୍ଦିତ ପଥେ ଗମନ କରିବ ନୁହଁଇ ନିନ୍ଦନୀୟ । ଦୂତବର ।

ବରଷାକାଳରେ ରାଜପଥ ।

ହେଲେ ପଙ୍କିଳ ବିଚାର କରତ ପଣ୍ଡିତନର ନ ଗମଇଁ ଆଶ୍ରିକି ଅପଥ । ଦୂତବର । ୩୨ ।

 

 

ସେ ଚତୁର ସୁରବର ଗୀର-ଚାତୁରୀ-ବିସ୍ତାର-କରଣେ ତ ବିଶ୍ୱରେ ଅସମ ।

ମୁଁ ନାରୀମାତର ଛାର ତାଙ୍କୁ ବିହିତ-ଉତ୍ତର-ପ୍ରଦାନେ ହୋଇବି କେହି କ୍ଷମ । ଦୂତବର ।

ଧରି ଏଣୁ ମୋ ଭାଷାର ଭାବ ।

କହିବ ତାଙ୍କୁ ବୁଝାଇ କଥା ପ୍ରସଙ୍ଗ ଦେଖାଇ ପକ୍ଷେଥିବ ବିପକ୍ଷ ନୋହିବ । । ଦୂତବର । ୩୩ ।

 

ବାଳକ କୌତୁକ-ଛଳେ କୁହୁକୁହୁ କରିବାରେ ମଧୁଭାଷୀ କୋକିଳ ଯେମନ୍ତ ।

କୋପେ କରକଶେ ଉଚ୍ଚେ ଭାଷେ ପ୍ରତ୍ୟାଖ୍ୟାତ ସ୍ୱଚ୍ଛେ ହୋଇ ବାଳାବରେ ସେ ଭୂଭୃତ । ସାଧୁଜନେ ।

ହେଲେ ସେ ସ୍ୱଭାବେ ସୁଧା-ଭାଷୀ ।

ପରୁଷାକ୍ଷରେ ରୁଚିରା ଚିତ୍ତ-ସନ୍ତାପେ ଚତୁରା ଭାରତୀ-ତତିକି । ପରକାଶି । ୩୪ ।

 

ଭାଷନ୍ତି ମନୁଜନାଥ ‘‘ଏତେ ଅତି ଅଦଭୂତ ଅମର ହେଇ ସେ ନାରୀପାଶେ ।

ଅଛନ୍ତି ପେଷି ମାନସ ତୁ ତାହାଙ୍କୁ ରେ ବାଳୀଶ ନିରାଶ କରୁଛୁ କି ସାହସେ । ରାମାବର ।

ନିଧି ଆସୁ ନିର୍ଦ୍ଧନ ପାଶକୁ ।

ସେ ତାକୁ କପାଟ କିଳି ଯା ଯା ବୋଲି ଦେବା ପାଳିଠାରୁ ଏତେ ବଳେ ମୋ ମତକୁ । ରାମାବର ।

 

ଅଖିଳ-ଅମର-ପତି ତୋଠାରେ ବଳାନ୍ତେ ମତି ସକଳ-ବାଳୀଙ୍କି ଅବହେଳି ।

ତୋରେ ମହତ ଆଦର ଉପୁଜିଥିଲା ମୋହର ତୁ ତା ଏବେ ନିଜେ ଦେଉ ଟାଳି । ଚନ୍ଦ୍ରମୁଖି ।

ଏ ତୋ ମହାଭାଗ୍ୟ ପରକାଶି ।

ଆସିବାବେଳେ କିଶୋର କିସ ମାନସେ ବିଚାରି ଦେଉଛୁ ସୁରେଶ-ଆଶା ନାଶି । ଚନ୍ଦ୍ରମୁଖି । ୩୬ ।

 

 

ହେଇ ଧରାଚାରୀ ନାରୀ ଅମରବରଙ୍କୁ କରିବାର ନ କରିବାର ବାସନା ।

ଏ ନବୀନ କଥା ଏତେ କାଳକେ ମୋ ଶ୍ରୁତିପଥେ ପଡ଼ିଲା ତୋ ବଦନୁଁ ନବୀନା । ନତଦେହା ।

ହିତକାମୀ ଗୁରୁ ତୋ ଛନ୍ତି ତ ।

ଏ ଦୁର୍ଗ୍ରହ-ଦୋଷ ତୋର ଦେଖି କେହି ପ୍ରତିକାର ନ ଲୋଡ଼ନ୍ତି ହୁଏ ମୁଁ ସ୍ତମ୍ଭିତ । ନତଦେହା । ୩

 

ଅମରଙ୍କ ପରସାଦେ ଲୋକ ନରଜନ୍ମ ହାଦେ ବରଜି ଅରଜେ ଦେବପଦ ।

ତଦନ୍ତେ ତାହାକୁ କେହି ନର ବୋଲନ୍ତି କି ମହୀମଣ୍ଡନା ତୁ ବାରେ ବାର ହୃଦ । ବରବାଳୀ ।

ପାରଦପରଶେ ଯେବେ ଲୋହ ।

ଲଭଇ କନକ-କାନ୍ତି ଲୋହି ବୋଲି ତୁହିଁ ଭ୍ରାନ୍ତି କରନ୍ତିକି କେହି କାହିଁ କହ । ବରବାଳୀ । ୩୮ ।

 

ସୁରେଶ୍ୱର ଆଖଣ୍ଡଳେ ତୋ ମନ ନ ବଳେ ତିଳେ ବୃଥା ଧୀର ବୋଲି ଗର୍ବ ବହୁ ।

କ୍ଷିତିମଣ୍ଡଳେ କେ କାହିଁ ନ ଲାଖି ଅଛି ରହି ତା’କୁ ବାଞ୍ଛୁ ଲଜ୍ଜାକି ନ ପାଉ । ଶୁଚିସ୍ମିତେ ।

ଏ ତୋ ରୀତି ଦେଖି ମୁଁ ଭାବଇ ।

ଇକ୍ଷକୁ ଉପେକ୍ଷି ପିଚୁମର୍ଦପତ୍ର ଭକ୍ଷଣେଚ୍ଛୁ କନୁଭୁଁ ମୁର୍ଖକି ହେଲୁ ତୁହି । ଶୁଚିସ୍ମିତେ । ୩୯ ।

 

ସର୍ବ-ସୂପର୍ବ ବର୍ଗର ନିର୍ବିବାଦୀ ଅଧୀଶ୍ୱର ସୁନାସୀରେ ବରଜି ବାଳୀଶ ।

କି ବିବେକ-ପଣେ ନର-ମାତରେ ପ୍ରଧାନତର ବୋଲି ବିଚାରୁଛୁ ହୃଦ-ଦେଶ । ବରାରୋହା ।

ଅଥବା କହିବା ବୃଥା ମୋର ।

ପ୍ରଶସ୍ତ ବଦନ-ପଥ ବରଜି ନିଶ୍ୱାସ ବାତ ଆଶ୍ରେ କ୍ଷୁଦ୍ର ରନ୍ଧ୍ରକୁ ନାଶାର । ବରାରୋହା । ୪୦ ।

 

 

ଆନଜନ୍ମେ ଯେଉଁ ସୁର-ପୁର-ଲାଭଆଶା ଧୀର-ପ୍ରଧାନେ ପୋଷି ଅନ୍ତରଗତେ ।

ଘୋର ତପ-ହୁତବାହେ ସମିଧ କରନ୍ତି ଦେହେ ସେ ଅମରପୁର ଏବେ ତୋତେ । ଚାରୁଶୀଳେ ।

ବିହ୍ୱଳେ ବଳାଇ ଆସ ଆସ ।

ବୋଲୁଅଛି କେଉଁବଳେ ବାଳୀଶ ତୁ ଅବହେଳେ ଦେଉଅଛୁ ମୋଡ଼ି ତା’କୁ ଆସ୍ୟ । ଚାରୁଶୀଳେ ।

 

ଆକାଶସ୍ଥ ଦ୍ରବ୍ୟଙ୍କର ଅପ୍ରତିଦ୍ୱନ୍ଦୀ ଈଶ୍ୱର ଇନ୍ଦ୍ର ଏହା ନୁହେଁ କା’ ଗୋଚର ।

ଉଦ୍‌ବନ୍ଧେ ଯେବେ ଜୀବନ ବରଜିବୁ ରେ ନବୀନ-ବୟସି ତୁ ହେବୁ ତାହାଙ୍କର । ନିରୁପମା ।

ନ୍ୟାୟରେ ଯେ ଯହିଁ ଅଧିକାରୀ ।

ସେ ତାହା ଯେବେ ଘେନଇଁ କେବା ପରିପନ୍ଥି ତହିଁ ପାରେ ହୋଇ ଘେନ ତୁ ଚତୁରୀ । ନିରୁପମା ।

 

ବହୁକାଳୁ ପୋଷି ଆଶ ଅନଳ ଏବେ ତୋ ପାଶ ଦୂତକରି ପେଷୁଛନ୍ତି ମୋତେ ।

ଗଳେ ତାଙ୍କର ବରଣ ମାଳା ଦେବାରୁ ମରଣ ମଣୁଛୁ ମଙ୍ଗଳ ଗୁଣଶତେ । ବିମ୍ୱଓଷ୍ଠି ।

ଏବେ ନାହିଁକରି ପଛେ ଯେବେ ।

ଜୀବ ବରଜିବା ପାଇଁ ହେବୁ ତାଙ୍କ ଅଙ୍କଶାୟୀ ସେ କି ତୋତେ ତେବେ ନ ଲଭିବେ । ବିମ୍ୱଓଷ୍ଠି ।

 

କହୁଛୁତ ମାଣବକ-ମୃଗାକ୍ଷି ଅବା ଉଦକ ନିମଜ୍ଜନେ ହାରିବୁ ଜୀବିତ ।

ତେବେ ତୁ ବିଚାର ଚିତ୍ତ ନୋହିଲା କି କରଗତ ତାହାଙ୍କର ଜୟ ତୋ ସହିତ । ଅନୁପମା ।

ହୃଦରେ ସେ ଥିଲେ ତୋତେ ବହି ।

ଏବେ ଜଳେ ଦେଇ ଝାସ ମଣ୍ଡିବୁ ନାଗରୀଈଶ ସେ ଜଳେଶ-ଉରପରେ ଶୋହି । ଅନୁପମା ।୪୪।

 

 

ଉଦ୍‌ବନ୍ଧନ ହୁତାଶନ-ଘନରସ ନିମଜ୍ଜନ ଦୂଷଣ ବିଚାରି ଆନପଥେ ।

ଯେବେ ତେଜିବୁ ଜୀବନ ଘେନ ବାଳାବର ମନ ପଡ଼ିବୁ ତୁ ପ୍ରେତପତି ହାତେ । ସୁଲକ୍ଷଣା ।

ଏବେ ନାହିଁକରୁ ତେତେବେଳେ ।

ଅତିଥି-ଭାବେ ଆପଣେ ଗମିବୁ ତାଙ୍କ ସଦନେ ସେ ଘେନିବେ ତୋତେ ସୁଖେ ଭୋଳେ । ସୁଲକ୍ଷଣା

 

ଅବା ଏମନ୍ତ ଭାବଇ ଚତୁରୀ ତୁ ଚାନ୍ଦମୁହିଁ ମନକଥା ନ କହି ନର୍ମ୍ମଳ ।

ପ୍ରକାରାନ୍ତରେ ସେ ସୁର-ପ୍ରବର-ମାନଙ୍କୁ ବର ବରିବାର କରୁଛୁ ବିଚାର । ସୁପଣ୍ଡିତେ ।

ଚତୁରୀମାନଙ୍କ ରୀତି ଏହା ।

ସାଧାରଣ ଅର୍ଥ ତେଜି ବିପରୀତ ଭାବ ଭଜି ଥାଏ ପ୍ରସରେ ସେ ମୁଖୁଁ ଯାହା । ସୁପଣ୍ଡିତେ । ୪୬ ।

 

ଆଗୋ ବସୁମତୀ-ପତି-ସୁତା ଏ ତୋ ରସବତୀ-ଭାରତୀ-ସ୍ରୋତ-ଭ୍ରମିରେ କେତେ ।

ଆଉ ଭ୍ରମୁଥିବି ମୁହିଁ ବିଳମ୍ୱତ ନ ସହଇ ପରକାଶ କରୁଣା କଞ୍ଚିତେ । ବନଜାକ୍ଷି ।

ହେଉ ଲଜ୍ଜା ବରଜା ଈଷତ ।

ଅମରବରୁଁ କେ ତୋର ବରଣମାଳାକୁ ବର ବୋଲାଇ ବହିବ କହ ସତ । ବନଜାକ୍ଷି । ୪

 

ଅଭ୍ରମୁ-ବିଳାସ-କୁମ୍ଭ-ଛଳେ ପୀନସ୍ତନ-କୁମ୍ଭ ବହଇ ଯେ ପ୍ରାଚୀ ଦିଗଙ୍ଗନା ।

ତା’ର ଅଧୀଶ୍ୱର ତୋର ବରଣହାରକୁ ଉର-ଦେଶରେ ବହିବେ କି ନବୀନା । ମତେ ମୋର ।

ଶକ୍ର-ସହସ୍ର ନେତ୍ର-ସହସ୍ର-।

ପତ୍ରେ ହୋଇ ବିଭୂଷିତ ତୋ ତନୁ-ଲକ୍ଷ୍ମୀ ଯୋଷିତ-ବର ବିରାଜୁଥାଉଁ ଅଜସ୍ର । ମତେ ମୋର ।୪୮।

 

 

ଅନୁଗ୍ରହ ପରକାଶ ସେ ପୁରତ୍ରୟ ଅଧୀଶ-ସଂକ୍ରନ୍ଦନ-ଅଙ୍କଶାୟୀ ହୁଅ ।

ତୋ ଅପଘନ-ସଙ୍ଗମ-ସଞ୍ଜାତ ବିପୁଳ ପ୍ରେମ ପୁଲକାଇ ଦେଉ ତାଙ୍କ ଦେହ । ବିଚକ୍ଷଣା ।

ହେଉ କଣ୍ଟକିତ ରୋମାବଳି ।

ପୁଲୋମ-ସନ୍ତତି-ନେତ୍ର-ଗତିପଥ ପ୍ରତିହତ ହେଉ ସେ କଣ୍ଟକଅଗ୍ର ଗଳି । ବିଚକ୍ଷଣା । ୪୯ ।

 

ଜାଣିଲି ନିଶ୍ଚୟ ବୀତି-ହୋତ୍ରେ ଦେଉଅଛି ମତି ଯେଣୁ ତୋ କ୍ଷତ୍ରିୟ-କୁଳେ ଜାତ ।

ସେତ ଅତି ତେଜୋବନ୍ତ ତାଙ୍କବିନା କି ତୋ ଚିତ୍ତ ଅପରେ ହୁଅନ୍ତା ଆଶକତ । ମହାସତୀ ।

ତନୁତାପଶଙ୍କା ତୁ ନକର ।

ଦେଖିଛ ବହୁତ ସତୀ ଗାତ୍ରକୁ ତାଙ୍କ ତପତି ହୁଏ ଅତି ଶଶିରୁଁ ଶୀତଳ । ମହାସତୀ । ୫୦ ।

 

ତୁ ତ ଧର୍ମ-ପରାୟଣା ତେଣୁ ଯାଉଅଛି ଜଣା ଧର୍ମ୍ମରାଜେ ଥିଲାପ୍ରାୟ ମତି ।

ମୋ ମତକୁ ମଧ୍ୟ ଏହା ପାଉଅଛି ରେ ସୂଦେହା ଲଭୁ ମଣି କାଞ୍ଚନ-ସଙ୍ଗତି । ନିରବଧି ।

ମୃତ୍ୟୁ-ଭୀତି ତେଜି ଅବିଚ୍ଛେଦେ ।

ଅଗସ୍ତ୍ୟ-ଦୀପିତ ଦିଗେ ତାଙ୍କ ତୁଲେ କାମଭୋଗେ ଲିତାବତ କାଟ କାଳ ମୁଦେ । ନିରବଧି ।୫୧।

 

ଶିରୀଷ-କୋମଳଅଙ୍ଗୀ ବରୁଣେ ଅଛୁ କି ମଙ୍ଗି କୋମଳତମ ସ୍ୱଭାବେ ସେତ ।

ଯୋଗ୍ୟେ ଯୋଗ୍ୟ ଲାଭ ହେବ ଭାବି ସିନା ନିଶା ସର୍ବ ବରଜି ବରିଲା କଳାନାଥ । କୃଶୋଦରୀ ।

ଶରୀପତି ଯା ଶୋଭାରେ ଦିବ ।

ତେଜି ତହିଁ ବହରନ୍ତି ସେ କ୍ଷୀରସାଗରେ ପତି ତୁଲେ ମାତି ସୁଖେ ରଚ ଭାବ । କୃଶୋଦରୀ’’ ।୫୨।

 

 

ଏମନ୍ତ ସ୍ପୁଟବଚନ ଦୂତବଦନୁ ଶ୍ରବଣ କରି ନୃପସୂତା ସୁକୁମାରୀ ।

ସେ ଗିରେ ଶରଧାବଶେ ଶୁଣୁଥିଲା ମନତୋଷେ କରାଙ୍କେ କର୍ଣ୍ଣକପୋଳ ଭରି । ସାଧୁଜନେ ।

ସୁରେ ତା’ର ଅଭିଳାଷ-କଥା ।

ପଡ଼ନ୍ତେ ପ୍ରସଙ୍ଗ-ବଶେ ତହିଁ ନେହୁ ଶ୍ରଦ୍ଧାଲେଶେ ଶୁଣି ନ ଶୁଣିଲା ଲଭି ବ୍ୟଥା । ସାଧୁଜନେ ।୫୩।

 

ଦୂତର ଏମନ୍ତ ବାଣୀ ଶୁଣିବାରେ ବଣା-ଏଣୀ କ୍ଷଣୀ ବିଚକ୍ଷଣା ନୃପବାଳା ।

କିଛି ନକହି ମଉନ ହୋଇ ରହି ବହୁକ୍ଷଣ ସୁଦୀର୍ଘ ନିଶ୍ୱାସ ପକାଇଲା । ସାଧୁଜନେ ।

ତହୁଁ ଦୂତବଦନେ ଅନାଇଁ ।

କ୍ଷଣକପରେ ବଦନ-ସଦନୁ ମମତା-ଶୂନ୍ୟ ବଚନ-ବୃନ୍ଦକୁ ବରଜଇ । ସାଧୁଜନେ । ୫୪ ।

 

ଭାଷେ ଜେମା ‘‘ଦୂତବର ଦିଗୀଶ-ଦୁର୍ବଚ-ଘୋର-ସୃଚୀଚୟେ ଏ ମୋ କଳଙ୍କିତ ।

ଶ୍ରୁତିପୁଟେ ଯା ଭେଦିଲ ପଳାଇବାକୁ ଚଞ୍ଚଳ ଜୀବକୁ ମୋ ସାହା ହେଲ ସତ । ଅନାଥିନୀ ।

ଅବଳା ମୁଁ ଉପାୟ-ରହିତ ।

ମୋ ଜୀବଅନ୍ତ ନିମିତ୍ତ ଅନ୍ତକ-ଦେବ ପ୍ରେରିତ-ଦୂତତ୍ୱ ହୋଇବ ତୁମ୍ଭ ସାର୍ଥ । ଦୂତବର । ୫୫ ।

 

ତୁମ୍ଭମୁଖୁଁ ମୋ ଅଳିକ-ଅପଯଶ-କାଳି ଠିକ୍ ଝରି ଲେଖି ହୋଇଲା ଅକ୍ଷର ।

ସେ ଅକ୍ଷର-ବିନିର୍ମିତ ନିର୍ମମ ଭାରତୀବ୍ରାତ କୋଟି-କଟୁ-କୀଟ-ସମତୁଲ । ପରବେଶି ।

କର୍ଣ୍ଣକ୍ରୋଡ଼-ପ୍ରଦେଶକୁ ମୋର ।

ଅତି କଠୋର ଦଂଶନ କରୁଛନ୍ତି ଅବିଚ୍ଛନ୍ନ ଜନମାଇଁ ଯାତନା ପ୍ରଖର । ଦୂତବର’’ । ୫୬ ।

 

 

ନୃପଜା-ଇଙ୍ଗିତ ଜ୍ଞାତ ହୋଇ କେ ଆଳି ଏମନ୍ତ ଦୂତ-ମୁଖ ଅନାଇଁ ଭାଷଇ ।

‘‘ଅପତ୍ରପା-ଆରାଧନ-ନିମିତ୍ତ ବ୍ରତ ମଉନ ଏବେ ଆଦରନ୍ତେ ପ୍ରାଣସହି । ଦୂତବର ।

ଅପର ରସନା ମୁଁ ତା’ ଏବେ ।

ମୋ ମୁଖରୁ ତା ବଚନ ଶ୍ରବଣ-କାରଣେ କର୍ଣ୍ଣ-ପଥ ବିତରଣ କର ଲବେ । ଦୂତବର । ୫

 

ହେବ କାଲି ସ୍ୱୟମ୍ୱର ମୋ ବରଣହାରେ ନରବର ନଳ ହେବେ ପ୍ରପୂଜିତ ।

ହେବା ଆଗରୁ ସେ ସ୍ୱୟମ୍ୱର ମୋ ପରାଣଚୟ ସଙ୍ଗେ ପଳାଇବା ପାଇଁ ଚିତ୍ତ । କରୁଥିବା ।

ଏ ବାସର ଏକା ଅନ୍ତରାୟ ।

ନୋହିଲେ କିପାଁ ଏମନ୍ତ ଦେବଦୂତାଦି ଆଗତ ହୋଇ ଉପୁଜାନ୍ତେ ବିଘ୍ନ କହ । ଦୂତବର । ୫୮ ।

 

ଏଣୁ ମୋରେ ଅନୁଗ୍ରହ ପ୍ରକାଶି ଆଜକ ରହ ଏ ମୋ ପୁରେ ଆହେ ଦୂତବର ।

ତୁମ୍ଭ ମୁଖକୁ ଅନାଇଁ ଅନାଇଁ ଦେବି କଟାଇ ଯେହ୍ନେ କେହ୍ନେ ଏ ଦୀର୍ଘବାସର । କହୁଅଛି ।

କାରଣ ଏମନ୍ତ କରିବାର ।

ହଁସେକ ଚିତ୍ରି ନଖରେ ମୂର୍ତ୍ତିଏ ତୁମ୍ଭ ସମରେ କହିଛି ଏ ଜୀବଧନ ତୋର । ଦୂତବର । ୫୯ ।

 

ଏ ତୁମ୍ଭ ନୟନ ଦୁଇ ବୃଥା ଜନ୍ମ ଛନ୍ତି ପାଇ ପାଶେ ରହି ଯା ତୁମ୍ଭ ବଦନ-।

-ଶୋଭାରୁ ଲବେ ଦର୍ଶନ କରି ନ ପାରନ୍ତି ପୁଣ କାଲି କଲେ ବିଜେ ନଳରାଣ । ଦୂତବର ।

ତାଙ୍କ ମୁଖେ ତୁମ୍ଭର ବଦନ-।

ଶୋଭାକୁ ଦେଖି ସେ ଦୁଇ ଜନମ ସାର୍ଥକ ହୋଇଗଲା ବୋଲି ପାଞ୍ଚୁଥିବେ ମନ । ଦୂତବର । ୬୦ ।

 

 

ଅଗ୍ନି ସାକ୍ଷୀକରି ମୋତେ ରହିଲା ବେଳେ ସେ ହସ୍ତେ ରହିତ ଥିବ ତୁମ୍ଭେ ସେଠାରେ ।

ଏକେ ମୋର ପୂର୍ବ-ପରିଚୟ ଦ୍ୱୟେ ସମଶିରୀ-ଧାରିତାରୁ ତୁମ୍ଭେ ତାଙ୍କ ତୁଲେ । ଦୂତବର ।

ଅବିନାଶୀ ମୈତ୍ରୀ ଅରଜିବ ।

ଆଜକ ଏଥି ନ ରହି ଏ ସଉଭାଗ୍ୟକୁ କେହି ଜାଣୁ ଜାଣୁ ଆପେ ବରଜିବ । ଦୂତବର । ୬୧ ।

 

କରି କର କୋରକିତ ଜଣାଉଁ ଅଛି ହେ ଦୂତ ବାସବାଦି-ଦିଗପାଳଙ୍କର ।

ଭାରତୀ ଆଉ ତୁମ୍ଭର ବଦନୁଁ ହୋଇ ବାହାର ନ ବିଦାରୁ ମୋ କର୍ଣ୍ଣକୁହର । ଅନୁଗ୍ରହ ।

କର ମାତ୍ର ଆଜକ ଏମନ୍ତ ।

ନ କହ କହିଲେ କୋହେ ନେତ୍ର ମୋ ପୂରିବ ଲୋହେ ଅବଳାର ବଳ ତେତିକି ତ । ଦୂତବର ।

 

ହରିତ-ଅଧିପତିଙ୍କି ବରିବା କଥା ତେଣିକି ଥାଉ ଏ ତୁମ୍ଭର ବଦନରେ ।

ଥିଲେହେଁ ନଳବଦନ-ପ୍ରତିବିମ୍ୱ ତହିଁ ମନ ନ ବଳାଏ ଦର୍ଶନ ମାତ୍ରରେ । ଦୂତବର ।

ସତୀବ୍ରତ-ବହ୍ନିରେ ଜୀବନ-।

-ତୃଣ କରିବି ସମିଧ; ସ୍ମର ? ସେ ଶଙ୍କର-କ୍ରୋଧ-ପାବକ-ଫାଶୁରୁ ନୁହେଁ ଭିନ୍ନ । ଦୂତବର । ୬୩ ।

 

ବୈଦିକ-ମତମର୍ଦକ ବୁଦ୍ଧ ମଧ୍ୟ ଯାହା ଟେକ ମାନି ଧର୍ମ କ୍ରୟ ଘେନିଛନ୍ତି ।

ସେ ପାତିବ୍ରତ୍ୟ କୁ ସମ ନୋହିବାରୁ କେହି ଧର୍ମ-ଚିନ୍ତାମଣି ବୋଲି ତା’ର ଖ୍ୟାତି । ଦୂତବର ।

ଈଶରୋଷାନଳଭସ୍ମ-ସ୍ମର-।

ପାଇଁ ଯେ ମହିଳା ଏହି ଧର୍ମରତ୍ନେ ବରଜଇ ଭସ୍ମ ସ୍ଥାପେ ସେ ସୁବଂଶ-ପର । ଦୂତବର’’ । ୬୪ ।

 

 

ପୀୟୁଷରସ-ଔରସ-ସନ୍ତତି-ସଦୃଶ ଭାଷ ଯୋଷାବରର ସେ କାଳେ ପୁଣ ।

ହୋଇଲା ଆହୁତିବତ ଭୂଭୃତଚିତ୍ତଜ-ହୂତ-ଅଶନ ଜଳିଲା ଅତି ଘନ । ସାଧୁଜନେ ।

ଅତି ଦାରୁଣପଣୁଁ ନିଜର ।

ତା’ପରି ଶମନ-ଦୂତ ବୋଲି ନ ବିଚାରି ଚିତ୍ତ ମଣିଲେ ନିଜକୁ ଦଣ୍ଡଧର । ସାଧୁଜନେ । ୬୫ ।

 

ମହୀପାଳହୁଲାଳୀର ବିକଳ-କରୁଣ ଗିର କାଟିଲା କରତ ପରି ଉର ।

ସେ ବ୍ୟଥାକୁ ଯଥା-ତଥ ସମ୍ଭାଳି ଅବନୀନାଥ ଦୂତପଥୁଁ ନୋହିଲେ ଅନ୍ତର । ସାଧୁଜନେ ।

ଦୁଃଖେ ଦୀର୍ଘେ ଶ୍ୱସି ଗୋପନରେ ।

ଗୁରୁଗଉରବ-ସାରିଦେବା-ବିଚିତ୍ର ଚାତୁରୀ-ଯୁତ ଭାରତୀ ଭଷିଲେ ଧୀରେ । ସାଧୁଜନେ । ୬୬ ।

 

“ଜାଣୁ ତ ଅଳପଭାଷି କଳପନା କଲେ ବସି କଳପପାଦପମୂଳେ କେହି ।

ତା ବାଞ୍ଛା ହୁଏ ପୂରଣ ସେ ପାଦପ ତ ପ୍ରାଙ୍ଗଣ-ମଧ୍ୟେ ବାସବର ଅଛି ରହି । ରାଜସୁତା ।

ସେ ଯେବେ ମୂଳରେ ବସି ତା’ର ।

ମନାସିବେ ତୋ ପ୍ରାପତି ତୁ ତାଙ୍କ କୋଳ-ସମ୍ପତ୍ତି ନୋହି ବା ରହିବୁ କି ପ୍ରକାର । ରାଜସୁତା ।

 

ସକଳେ ଅନଳେ ହୋମ କରି ହୋନ୍ତି ପୂର୍ଣ୍ଣକାମ ସେ ହୋମାହୁତିରୁ ନିଜଭାଗ ।

ଆପଣା-ମୂର୍ତ୍ତିରେ ଯେବେ ଦେଇ ସେ ଯାଗକରିବେ ନ ଲଭିବେ କି ସେ ତୋର ସଙ୍ଗ । ଚାରୁଶୀଳେ

ବୃଥା ନୁହେଁତ ବେଦୋକ୍ତ ବିଧି ।

ଉବୁରିବାକୁ ଏଥିରୁ କହ ତ ମୋତେ ରମ୍ଭୋରୁ ହୃଦେ ସମ୍ପାଦିଛୁ କିସ ବୁଦ୍ଧି । ଚାରୁଶୀଳେ । ୬୮ ।

 

 

ଅବାଚୀ-ଦିଶ-ନିବାସବଶୁଁ ଅଗସ୍ତ୍ୟ ତାପସ ଶମନର ବଶ କି ନୁହଁନ୍ତି ।

ସେ ଯମ ଯେବେ ରାଜସ୍ୱଛଳେ ବଳେ କରି ବଶ ତାପସଙ୍କୁ ତୋହର ପ୍ରାପତି । ବରକରି ।

ମାଗବେ ଦେଲେତ ସରିଗଲା ।

ତପୋଧନଙ୍କ ବଚନ ମିଥ୍ୟା ନୁହେଁ କଦାଚନ କହ ଏଥି କି ଉପାୟ ଭଲା । ଭୁରୁଶୋଭି । ୬୯ ।

 

ଜଳାଧିପତି-ବରୁଣ-ପରେ ଯାଗ-ସମ୍ପାଦନ ପାଇଁ କାମଧେନୁ କୋଟି କୋଟି ।

ଅଛନ୍ତି ଗୋଟିକେ କୋଟିକାମନା ସେ ପୂରାନ୍ତିଟି ଏ କଥାତ ଜାଣୁ ବିମ୍ବଓଷ୍ଠି । ନବବାଳୀ ।

ତହିଁରୁ ଗୋଟିକୁ ଯେବେ ତୋର ।

ପ୍ରାପତି ପାଇଁ ବରୁଣ ପୂଜି କରିବେ ପ୍ରାର୍ଥନ ନୋହି ତାଙ୍କ ହେବୁ ତୁ କାହାର । ନବବାଳୀ । ୦।

 

ସ୍ୱୟମ୍ବରେ ପତି-ପ୍ରତିକୁଳ-ଭାବ ଚିନ୍ତି ପତିବ୍ରତା ଶଚୀ ଯେବେ ନ ଆସବେ ।

ସେ ନ ଆସୁଁ ଅମଙ୍ଗଳ ଯାକ ହୋଇବ ପ୍ରବଳ କେ ଅବା ବାରିବ ତାହା ତେବେ । ବିଧୁମୁଖି ।

ଆମନ୍ତ୍ରିତ-ଭୂପତି-ସମାଜ ।

ହିଂସା ହୃଦୟରେ ପୋଷି ପରସ୍ପରେ ରୋଷାରୋଷ ହୋଇ ହେବେ କଳହକୁ ସଜ । ବିଧୁମୁଖି ।

 

ପ୍ରଖର ରୋଷେ ପରୁଷ ଗର କରିବେ ପ୍ରକାଶ ହିତାହିତ ବାରି ନ ପାରିବେ ।

ମୁଖେ ଯାହା କହୁଥିବେ ତା ବାରି ପାରୁ ନ ଥିବେ ଛତ୍ରୁ ଦଣ୍ଡ ଉପାଡ଼ି ଯୁଝିବେ । ଝସନେତ୍ର ।

ଅଛି କି ବଳି ତୋହର ମତି ।

ଦେଖିବାକୁ ନରପତିମାନଙ୍କ ମର୍ଯ୍ୟାଦା-ଘାତୀ ଏ ନୃସଂଶ ଲାଘୁରୀତି ଅତି । ଝସନେତ୍ରି । ୨ ।

 

 

ପୁରୋଧା-ମୁଖ-ପୁତ୍ତକୃତି-ଶ୍ରମକୁ ଇତର ଚିନ୍ତି ବୀତିହୋତ୍ର ସେ ସମୟେ ଯେବେ ।

ନ ଜଳି ଜଳିବେ କୋପେ ବିବାହ ବିଧି କିରୂପେ ହେବ ଅନଳ-ସାକ୍ଷୀ ଅଭାବେ । ବନଜାକ୍ଷି ।

ବର ବା କନ୍ୟା କୁଟୁମ୍ବ କା’ରେ ।

ଯେବେ ହରିବେ କୃତାନ୍ତ ତେବେ ଏ ସମୃଦ୍ଧିମନ୍ତ ସ୍ୱୟମ୍ବର ହେବ ଶୂନ୍ୟ ଫଳେ । ବନଜାକ୍ଷି । ୩ ।

 

ବରୁଣ ତ ଜଳେଶ୍ୱର ନଳେ କୋପେ ଯେବେ ଜଳ ନିରୋଧିବେ ତେବେ ତୋ ଜନକ ।

ତୋ ଲାଭ ପାଇଁ ପାତିତ ନଳର କରେ କେମନ୍ତ ତୋତେ ଦେବେ ବିଚାର ତୁ ଠିକ । ଠଣଶୋଭି ।

ହିତ ଶୁଣ ମୋହ ତେଜି ବୁଝ ।

ବିଘ୍ନକାରୀ ହେଲେ ସୁର କରସ୍ଥ ପଦାର୍ଥେ କା’ର ଥାଇ ନିକି ଲାଭ ଆଶା ହେଜ । ଠଣଶୋଭି’’ ।

 

ଅମର-ବର-ଦୂତର ଶ୍ରବଣ କରି ଏ ଗିର ଯୁକ୍ତିଯୁକ୍ତ ବିଚାରି ଚିତ୍ତରେ ।

ବାଳାବରର ନିଗ୍ରହ-ଦରିଦ୍ର ନୀର-ପ୍ରବାହ ନୟନୁଁ ବହିଲା ଝରଝରେ । ସାଧୁଜନେ ।

ଅଦିନରେ ଦୁର୍ଦ୍ଦିନ ହୋଇଲା ।

ସେ ଦୁର୍ଦ୍ଦିନର ଉନତା ପୂର୍ଣ୍ଣ କରଣେ ବନିତା-ନେତ୍ର ଭାଦ୍ର ଶ୍ରାବଣ ହୋଇଲା । ସାଧୁଜନେ । ୫ ।

 

ବିକଶିତ-ନୀଳୋତ୍ପଳ-ଯୁଗଳ କୋଳୁଁ ଭ୍ରସଳ-ଯୁଗଳ କୋମଳ-କଳିକାରେ ।

ଚଳିଲା ପ୍ରାୟେ ବାଳୀର ନେତ୍ରୁଁ କାଳିମିଶା ନୀର-ବିନ୍ଦୁ ବେନି ନୀରବେ ସଧୀରେ । ଝରିପଡ଼ି ।

ଉରେ ଲାଗି ଏମନ୍ତ ଦିଶଇ ।

ନୃପସୂତା-ଉରସ୍ଥଳ-ଶୋଭି ସୁନୀଳ ତରଳ ସେ କି ଇନ୍ଦ୍ର ନୀଳମଣି ଦୁଇ । ଝରିପଡ଼ି । ୬ ।

 

 

ଅତିବେଗେ ନୀରଧାର ଯୁଗ ଝରୁ ନେତ୍ର ନୀଳ-ଉତ୍ପଳର ହୋଇଲା ସେ ନାଳ ।

ପଷ୍ପଶିଳୀମୁଖାଶୁଗପାତୁଁ ସେ ବାଳୀଶ ବେଗ କାରୁଣ୍ୟ-ସରସୀ ସମତୁଲ । ଆଶ୍ରେ ମହୀ ।

ଭ୍ରମ ଶୋକ ବିରକ୍ତ ଉଦ୍‌ବେଗ ।

ମତି-ଧୃତି-ଭ୍ରଂଶ-ବଶେ ପତି ପ୍ରାପ୍ତିରେ ମାନସେ ନିରାଶ ହୋଇ ବିଳପେ ବେଗ । ସାଧୁଜନେ ।

 

ବୋଲେ ବାଳୀ, “ରେ ମଦନ ପ୍ରପଞ୍ଚ ପଞ୍ଚସୁମନ-ଶରାନଳେ ଜାଳି ମୋର ଦେହ ।

ସେ ଭସ୍ମ-ନିକର ତୋର ଯଶ ଯୋଷିତ-ହତ୍ୟାର ହୋଇ ବ୍ୟାପୁ ଦିଗଦିଗନ୍ତର । ମନସିଜ ।

ରେ ବିହି, ତୁ ପରେଚ୍ଛା ବିନାଶି ।

ଘେନ ମୋ ନିଷ୍ଫଳ ଜୀବ; ପାପୁ ତୋ ପତନ ହେବ ତୋତେ କିସ ଲାଭ କହି ବେଶି । ହତବିଧି ।

 

ରେ ହୃଦ ଯେବେ ତୁ ଲୋହମୟ ତେବେ ଏ ବିରହ-ବହ୍ନ-ତାପେ ନ ତରଳୁ କେହି ।

କୁସୁମ-ଶର-ସାୟକ ଭେଦୁଛି ତୋତେ ପ୍ରତ୍ୟକ୍ଷ ଏଣୁତ କୁଳିଶ ନୋହୁ ତୁହି । ତେବେ କିପାଁ ।

ବିଦାରି ନ ହୋଇ ରହୁ କହ ।

ଏ ତୋ ବିପରୀତ ରୀତି-ଦରଶନେ ମୋତେ ଅତି ନିରବଧି ଲାଗୁଛି ସନ୍ଦେହ । ଦଗ୍‌ଧ ହୃଦ ।୯।

 

ବିଳମ୍ବ କିପା କରୁଛୁ ରେ ଜୀବ କି ନ ଦେଖୁଛୁ ତୋ ସଦନ ହୃଦ ଯାଏ ଜଳି ।

ପଳାଅ ପଳାଅ ବେଗ ଏଥି ଥିଲେ ଶୁଭଯୋଗ ନାହିଁ ନିଶ୍ଚେଁ ଯିବୁ ହୋଇ ଧୂଳି । ମିଛେ କିପାଁ ।

ସୁଖ ଆଶା ପୋଷି ଅଛୁ ବସି ।

ଏ ତୋର ଅଳସରୀତି ଦେଖି ମୁଁ ଆଶ୍ଚର୍ଯ୍ୟ ଅତି ଏ ଗୁଣତ ନ ଥିଲୁପ୍ରକାଶି । ହତଜୀବ । ୮୦ ।

 

 

ପ୍ରତ୍ୟକ୍ଷ-ପ୍ରମାଣ ବ୍ୟତିରେକେ ତ ତୁମ୍ଭର ତୃପ୍ତି ନୁହେଁ ଏହି କାରଣୁ ହେ ନେତ୍ରେ ।

ବୋଲାଅ ତୁମ୍ଭେ ପ୍ରଶସ୍ତ ଏ ପାପିଷ୍ଠ ମନୋରଥ ବଞ୍ଚାଇଲା ତୁମ୍ଭଙ୍କୁ କେମନ୍ତେ । ଆଜଠାରୁ ।

ପ୍ରିୟ-ଶ୍ରୀ-ଘାତ ପାପେ ।

ହେଲେ ଦୁହେଁ କଳଙ୍କିତ ବର୍ଷଶତ ପରିଯନ୍ତ ହେଉଥାଅ ଧୋଇ ନିଜ ଆପେ । ଆଜଠାରୁ । ୮୧ ।

 

ରେ ଚିତ୍ତ ଏକି ଅଦ୍ଭୁତ ବାଞ୍ଛୁଛୁ ମୃତ୍ୟୁ ନିୟତ ତଥାପି ସେ ତୋପାଶେ ନ ଆସେ ।

ଅଭିଳଷ ତୁ ଯାହାକୁ ସେ ଏମନ୍ତେ ମୋ ଭାଗ୍ୟକୁ ହୋଏ ନାଶ ନୋହେ ଲାଭ ଲେଶେ।ଏଣୁ କହେଁ।

ପତିବିଚ୍ଛେଦ ତୁ ବାଞ୍ଛାକର ।

ତେମନ୍ତ ତୁ ଅବା କଲେ ତା ନୋହି ହୋଇବ ଭଲେ ପ୍ରୟୁତୁଲେ ମିଳନ ମୋହର । ଏଣୁକହେ ।

 

ମୋହର ଅରାତିତତି..ମଥା-ମୋତେ-ରତିପତି-କତିରେ ମୁ ନ ମାଗେ କିଞ୍ଚତ ।

ତଥାପି ମୃଦୂତା-ବଶେ ଦକ୍ଷିଣ-ମରୁତପାଶେ ଅଛି ମୋର ଈଷତ ପ୍ରାର୍ଥିତ । ଆହେ ବାତ ।

ମୋ ମରଣ ଅନ୍ତେ ଭସ୍ମମୋର ।

ପତି-ଥିବା ଦିଶେ ନେବ ଏତେକ କୃପା କରିବ ଥାଏକି ଶତ୍ରୁତା ମୃତ୍ୟୁପର । ଆହେ ବାତ । ୮୩ ।

 

ଯୁଗେ ଯାଉଛନ୍ତି ବହି ଲିତାଏ ମାତ୍ର ମୋ ପାଇଁ ହେଉଅଛି ପରବତବତ ।

ଆଉ ବା ସହିବି କେତେ ମରଣତ ନାହିଁ ମୋତେ ସତେ କି ଅବା ତେଜିବେ କାନ୍ତ । ସେ ତ ମୋର

ଅନ୍ତରେ ନିରତ ଅବସ୍ଥିତ ।

ମନ ପାଶୋରି ତାଙ୍କୁତ ନ ପାରିବ ପ୍ରାଣବାତ ପାରିବେ କି ମନେକରି ତ୍ୟକ୍ତ । ୮୪ ।

 

 

ମୋ ଉଗ୍ରତାପ ଶୀତଳ-କରଣେ ଶିଶିର ତୁଳ ହେ ସୁରେ ତୁମ୍ଭ କରୁଣାର୍ଣ୍ଣବ ।

କେ କି ଦେଇଅଛି ପିଇ ବିନ୍ଦୁଏ ମାତ୍ର ନଥୋଇ ତେଣୁ ତା ବା ମୋ ପକ୍ଷେ ଦୁର୍ଲ୍ଲଭ । ହୋଇଲାକି ।

ଇଚ୍ଛାମୟ ବୋଲାଅ ହେ ପରା ।

କଲେ କି କିଞ୍ଚତ ଚିତ୍ତ ମୋ ତହୁଁ ଶତ ଗୁଣିତ ସୁନ୍ଦରୀ ନୁହନ୍ତା କରଧରା । ଦେବେ ତୁମ୍ଭ । ୮୫ ।

 

ଏ ମୋ ନିରତ ନୟନ-ଧାରାପତନ-ଦୁର୍ଦ୍ଦିନ ଅଦିନେ ଭିଆଇବାରୁ ବଳେ ।

ଅସ୍ୱପ୍ନ ନାମକୁ ପୋଛି ଶୟନ ସୁଖ ମୂରୁଛି-ବାକୁ ମନ ବଳିଲା ତିଳେ । ବୃନ୍ଦାରକେ ।

ହେଲ କି ଶୟନେ ଆଶକତ ।

ତେଣୁ ମୋ ଦୁଃଖ ନଶୁଣ ତୁମ୍ଭର ସ୍ତବନମାନ ମୋର ଯାଉଅଛି ହୋଇ ବ୍ୟର୍ଥ । ବୃନ୍ଦାରକେ । ୮୬ ।

 

ନିଶି ଦିବସ ନିମିଷେ ମାତ୍ର ନଛାଡ଼ି ମାନସେ ଧ୍ୟାଉଥାଏ ତୁମ୍ଭଙ୍କୁ ନିରତ ।

ଏମୋ ଯାତନା କି ତବ ନେତ୍ରପ୍ରାନ୍ତ-ପଥେ ଲବ ମାତ୍ର ପତନେ ନୁହେଁ ଶକତ । ପ୍ରାଣନାଥ ।

ହୃଦେ ହୃଦେ କେତେ ନ ଲୋଡ଼ିଛି ।

ନ ଦେଖେଁ ସେ ହଁସେ କାହିଁ ଯେ ତୁମ୍ଭ ଉଦନ୍ତ କହି-ଥାନ୍ତା ତାକୁ ବିହିକି ହରିଛି । ପ୍ରାଣନାଥ । ୮

 

ହେ ଦୟାଳୁବର ମୋର ଚିତ୍ତ ତ ତୁମ୍ଭ ପୟର-ତଳେ ଥୟ ହୋଇଅଛି ରହି ।

ତୁମ୍ଭେ କି ନ ଜାଣ ଏହା ତଥାପି ବିନ୍ଦୁଏ ଦୟା କର୍ମ୍ମେ କିପାଁ ମୋର ନ ପଡ଼ଇ । ଜୀବେଶ୍ୱର ।

ଏଥି ବା ତୁମ୍ଭର କିସ ଦୋଷ ।

ଧିକ ଧିକ ସେ ବିଧିକି ଯେ ଆଚରି ଅବିଧିକି ମୋହେ ମଜ୍ଜାଏ ଜନମାନସ । ପ୍ରାଣେଶ୍ୱର । ୮୮ ।

 

 

ତୁମ୍ଭ ସେବା-ପ୍ରାପ୍ତି-ପାଇ ଦମୟନ୍ତୀ ଅଛି ରହି କଥାମାତ୍ରେ ବରଜି ଶରୀର ।

ଏ କଥାତ କେବେହେଲେ ବାଜିବ ଶ୍ରୁତିରେ ଥରେ ତେତେବେଳେ ନ କରିବ ପର । ପ୍ରାଣନାଥ ।

ଏବେ ଦୟା ନୋହିଲାତ ନାହିଁ ।

ମୋ ମରଣ ପରେ ଥରେ ଆହା ମାତ୍ରକ ବୋଇଲେ ନୋହିବି କି କୃତକୃତ୍ୟ ମୁହିଁ । ପ୍ରାଣନାଥ ।

 

ହେ ଯାଚକ-କଳ୍ପବୃକ୍ଷ ମାଗୁଛି ମାତ୍ର ଏତେକ ହୃଦ ମୋ ବିଦାରି ହେବାପାଇଁ ।

ହେଲାଣି ସଜ ସେ ଯେବେ ବିଦୀର୍ଣ୍ଣ ହୋଇବ ତେବେ ଜୀବନ ମୋର ସେ ପଥ ପାଇଁ । ଜୀବେଶ୍ୱର

ଯିବଚାଲି ନ ରହିବ କ୍ଷଣେ ।

ତା ତୁଲେ ଏ ହୃଦ ମୋର ନ ତେଜିବ ଜୀବଶ୍ୱର ଏତେମାତ୍ର ଭିକ୍ଷା ଶ୍ରୀଚରଣେ । ଏ ଦାସୀର’’ ।

 

ଏମନ୍ତ କାକୁ-ବଚନ କରି ପ୍ରିୟାର ଶ୍ରବଣ ସେ ପ୍ରିୟା-ବିରହ-ସମୁଦ୍ଭୁତ ।

ଯେଉୁଁ ମଦନବିକାରେ ବିଚାରି ନିଜ ଦୌତ୍ୟରେ ବଳେ ରୋଧିଥିଲେ ନରନାଥ । ସାଧୁଜନେ ।

ଏବେ ସେ ପ୍ରିୟା-ପାରୁଶେ ଆସି ।

ପରବେଶୁଁ ନରବର ସେ ମାର-ବିକାର ଘୋର ତାଙ୍କର ବିବେକ ଦେଲା ଧ୍ୱଂସି । ସାଧୁଜନେ ।୯୧।

 

‘ଦିବ ଅଧିପତିଙ୍କର ଦୁତ ମୁଁ’ ଏକଥା ତିଳ ମାତ୍ର ମନେ ସ୍ଥାନ ନ ପାଇଲା ।

କଳପନା-ବିଜୃମ୍ଭିତ ପ୍ରିୟତମାର ଲଳିତଲିଳାବଳି ଚିତ୍ତେ ଚମକିଲା । ନରେଶଙ୍କ ।

ଦେଖି ଶୁଣି ଦଶା ପ୍ରେୟସିର ।

ସେ ଭ୍ରାନ୍ତିରେ ସତ୍ୟଜ୍ଞାନ ହେଉ ପ୍ରଳାପ-ବଚନ ବିରଚନ କଲେ ତତପର । ସାଧୁଜନେ । ୯୨ ।

 

 

ବୋଲନ୍ତି ବିକଳେ ନଳ ଭୂପାଳ ହୋଇ ବିହ୍ୱଳ ‘‘ରେ ମୋହୃଦସର୍ବସ୍ୱ ପ୍ରେୟସୀ ।

କିପାଁ କରୁଛୁ ରୋଦନ ନୟନ ବରଜାବନ ଳାଗି ମ୍ଳାନ କିପାଁ ମୁଖ ଦିଶି । ଜୀବଧନ ।

କୁଟିଳ ଚଞ୍ଚଳ ନେତ୍ର ତୋର ।

ତୋ ପୁରତେ ଅବନତ ନଳ ନାମଧାରୀ ଭୃତ୍ୟ ଗାତ୍ରେ ନପଡ଼େ ବା ମାତ୍ରତିଳ । ଜୀବଧନ । ୯୩ ।

 

ନେତ୍ରୁ ନୀରବିନ୍ଦୁ-ବ୍ରାତ ଝରି ନିଘଞ୍ଚେ ନିରତ ବିନ୍ଦୁଚ୍ୟୁତକ ନାମ ଭୂଷଣ- ।

ଚାତୁରୀ କରିଛି ଚୋରୀ ତେଣୁଟିରେ ବିମ୍ବାଧରି ମସାରତାରାକ୍ଷି ମନେ ଘେନ । ସ୍ମିତଶୋଭି ।

ଏତ ସାର ସଂସାର ସସାର ।

ହେଉଛି ତୋ ଯୋଗେ ବର-ବର୍ଣ୍ଣିନୀ ରମଣୀ-ବର ପୁରନ୍ଦରି କି କହିବି ଆର । ସ୍ମିତଶୋଭି । ୯୪ ।

 

ବିନା ଅପରାଧେ ହୃଦେ ରହିବା ଭୂଷଣ-ବୃନ୍ଦେ ଦେଲୁ ଦଣ୍ଡ କରି ନିର୍ବାସିତ ।

ନେତ୍ର-ନିରବିନ୍ଦୁ-ବୃନ୍ଦ-ମାଳାକୁ କେତେରେ କନ୍ଦ-ପସନ୍ଦ-ବଚନା ଉରଗତ । କରୁଛୁ ତ ।

କମଳା-ନିଳୟ-ଦର୍ପଦଳା ।

କରପଲ୍ଲବ-କୋଳରେ ମୁଖ-ଲୀଳାକମଳରେ ମଳାଇବା ଭାଳ କି ଶୋଭିଲା । ନିତମ୍ବିନି । ୯୫ ।

 

ଆରେ କରକ-ରଦନା ଏତେ ଦୟା ହେଉ କିନା ନୟନର ଅମଙ୍ଗଳକର ।

ଏ ତୋ ନେତ୍ର-ନୀରଧା-ରଦୂଷିତ ହୀରକହାର ହରୁ ଚୋରପରି କରମୋର । ଧୀରେ ଧୀରେ ।

ଅବା ତୋ ପୟର-ସରୋରୁହ-ରଜସଙ୍ଗେ

ମୋର ଦୋଷ-ସମୂହରେ ନାରୀଈଶ ଶିରେ ପୋଛି ନେବି ଆଜ୍ଞାଦିଅ । ଧୀରେ ଧୀରେ । ୯୬ ।

 

 

ଏ ତୋ ବିଶଦ-ପୟର ନଖର-ଶିଶିର-କର-ସେବାକୁ ଯେବେ ବା କରୁ ମନ ।

ମୋ କିରୀଟ-ସ୍ଥିତ-ମଣି-ମୟୁଖ-କଳି ରୋହିଣୀ ହୋଇ ତହିଁ ହେଉ ସାବଧାନ । ନିରୁପମା ।

କାରଣତ କେଣେ ନ ଦିଶଇ ।

ସେବକ ଜନ ଯେ ତା’ରେ ରୋଷ ବିନା କାରଣରେ ଶୋଭଇ କି ଚିତ୍ତେ ଚିନ୍ତ ତୁହି । ନିରୁପମା ।

 

ଯେବେ ତୁ ମୋରେ କିଞ୍ଚିତ ମାନକରୁ ପ୍ରାଣମିତ ତେବେ ମୁଁ ବିନତ ଅତି ହୋଇ ।

କରିବି ତୋର ସମ୍ମାନ ଯେବେ ଇଷତ ବଦନ ରହିବୁ ପୋତି ତୁ ପ୍ରାଣସହି । ଶିରୀଷାଙ୍ଗି ।

କ୍ଷଣକୋପୀ ତୋ କୋପ ହରଣ ।

କରିବା କାରଣ ଅଣୁମଧ୍ୟା ତୋ ଚରଣରେଣୁ ସ୍ପର୍ଶିବ ମୋ ଶିର ନମି ଘେନ । ଶିରୀଷାଙ୍ଗୀ । ୯୮ ।

 

ସ୍ୱପ୍ରଭୂ-ପଣ ସୁମରି କର ବା ନ କର ଗୋରି ଅନୁଗ୍ରହ, ତୋ ଦାସଜନେ ।

ମୋର ପ୍ରଣାମ ସ୍ୱୀକାର-କରଣେ କି ଶ୍ରମ ତୋର ହେବ ବା ବିଚାର କର ମନେ । ଚାରୁକେଶି ।

ର୍ପ୍ରାର୍ଥୀ-କଳ୍ପଲତା ତୁ ବା କାହିଁ ।

ମୋ ପ୍ରାୟ ଯାଚକ-ଜନେ ଦର୍ଶନେ-ମାତ୍ର-ପ୍ରଦାନେ କୃପଣତା କାହିଁ ବା ତୋ ସହି । ଚାରୁକେଶି ।

 

ଶିରୀଷ-କୋମଳ-ଅପଘନେ ଏ ଦର୍ପକ-ରୋପନିପାତ ତୁ ସହୁଛୁ କେମନ୍ତେ ।

ଏ କଥା ଚିତ୍ତେ ଚିତୋଇ ଚକିତ ମୁଁ ହେଉ ଥାଇ ଏବେ ବୁଦ୍ଧି ସ୍ଫୁରଇ ଏମନ୍ତେ । ନତଗାତ୍ରି ।

ଶୂଳୀ-ଉପଳ ପରାଏ ଟାଣ ।

ସ୍ତନ-ଯୁଗ ଆଗେ ଥାଉ ତହିଁ ବାଜି ଆଉ ଦାଉ ନ ସାଧି ଭାଜଇ ବାଣ-ମୁନ । ନତଗାତ୍ରି । ୧୦୦ ।

 

 

ଏତିକି ମାଗୁଣି ଭୂ’ର-ଭୂଷାରେ ଛାମୁରେ ତୋର ସ୍ମିତ-ସଙ୍ଗୀ ହେଉ ଓଷ୍ଠପୁଟ ।

ଲୀଳାବିଳାସ-ରସିକ ଭୂରୁଯୁଗଳରୁ ଏକ ବିରଚୁ ଭାବ-ବ୍ୟଞ୍ଜକ ନାଟ । ଜୀବଧନ ।

ହାବ-ଭାବାଦିକି ଘେନି ସଙ୍ଗେ ।

ଅପାଙ୍ଗ-ପଥ-ପଥିକ ହୋଇ ତୋ ନୟନ ଏକ ଯାଉ ପଡ଼ି ମୋ ଉପରେ ରଙ୍ଗେ । ଜୀବଧନ ।

 

ନୟନ-ନୀର-କପୃଷପାତ ବରଷା ନିରସ ଯାଉ ହୋଇ ଏତେକେ କିଶୋରି ।

ସ୍ମିତ-ସୁଧାକର-କର ପରକାଶୁ ନିରନ୍ତର ହେଉ ସାର୍ଥକ ମୋ ନେତ୍ର ହେରି । କୃଶୋଦରି ।

ଖଞ୍ଜନ ନୟନ-ଯୁଗ ହେଉ ।

ତାଙ୍କର ନର୍ତ୍ତନ ପାଇଁ ଆନନ ତୋ ମହୀଶୋହି ବିକଚ-କମଳ ହୋଇ ଯାଉ । କୃଶୋଦରି ।୧୦୨।

 

ମଦକଳମଦିରାକ୍ଷି ରେ ମୋର ପରାଣପକ୍ଷି ଆଶାୟୀ ମୋ ଏ ଶ୍ରବଣ ଯୁଗ ।

-ଗହ୍ଵର ତୋର ଅମୃତ-ନିସ୍ୟନ୍ଦି-ବଚନବ୍ରାତ-ନିପାତେ ପବିତ୍ର ହେଉ ବେଗ । ଗଜଗତି ।

ପିପାସିତ ଏ ଦୃଶ ଦୁହିଙ୍କି ।

ତୋ ସ୍ମିତ-ଶୋଭ-ପାୟସ-ରସକୁ ରେ ରମଣୀଶ ଇଷିତେ ପରସିବୁ ନାହିଁ କି । ଗଜଗତି । ୧୦୩ ।

 

ଆସନ-ଅର୍ଦ୍ଧକୁ ମୋର ଭୂଷ ତୁ ରମଣୀବର; ନା, ନା, ହୁଅ ମୋ ଅଙ୍କ ମଣ୍ଡନ ।

ହରେ ରାମ କୃଷ୍ଣ ହରେ; ଯାଏ କି କହି ଭ୍ରାନ୍ତିରେ ଏ ମୋ ଦୋଷ ମାନସେ ନ ଘେନ । ଘନକେଶି ।

ବେହରଣ କରିବାକୁ ତୁହି ।

ମୋର ଉରସିଂହାସନ ବିନା ତ ଆନ ନୟନପଥେ ଯୋଗ୍ୟ କିଛି ନ ଦିଶଇ । ଘନକେଶି । ୧୦୪ ।

 

 

ରେ ପଞ୍ଚଶାୟକ-ଶର-ପ୍ରହାର-ଜାତ ବ୍ୟଥାର ପ୍ରାସହାରୀ ଦିବ୍ୟୌଷଧି ଲତା ।

ମୋର ଚିତ୍ତ ଅନ୍ତର୍ଗତେ ରହିତ ଅଛୁ ନିରତେ ହେବୁ ଯେବେ ଏବେ ଉରସ୍ଥିତା । ବରାରୋହା ।

ହୋଇ ତୋରେ ସମ୍ପୁଟିତ ମୁହିଁ ।

ଜଗତତ୍ରୟ-ବିଜୟଶୀଳ-ସ୍ମରଶରଚୟ-ପାତେ ଭୀତି ରହିବ ମୋ କାହିଁ । ବରାରୋହା । ୧୦୫ ।

 

ମିଶାଇ ଉରକୁ ଉର ଗାଢ଼େ ଆଲିଙ୍ଗନ କର ସୂତ୍ର ପ୍ରବେଶେ ନଥାଉ ପଥ ।

ପ୍ରପଞ୍ଚ-ପଞ୍ଚମାର୍ଗଣ ବାଣଗଣ ରଣଭଣ ନ-ଭେଦିପାରି ହୁଅନ୍ତୁ ବ୍ୟର୍ଥ । ଜୀବେଶ୍ୱରୀ ।

ତୋ କଠିନ-କୁଚର ସେବିକା ।

-ପଣକୁ ଏ ମୋ କଠୋର ଉରତଟୀ ରାମାବର ବିଚାର ଚିତ୍ତରେ ଯୋଗ୍ୟ ଏକା । ଜୀବେଶ୍ୱରୀ ।

 

ଯେଉଁ ଅଧରପରଶବଶୁ-ତୋ ବାଣୀ ପୀୟୁଷରସ-ସମ ମଧୁର ଲାଗଇ ।

ସେ ଅଧରପାନ ପାଇଁ ଆଶା ମୋ ବର୍ଦ୍ଧିତ ହୋଇ ବହୁତ ଦିବସୁ ଅଛି ରହି । ଅନୁପମା ।

ତୋ ପୀନ-କଠିନ-କୁଚ-ଗିରି ।

-ଅଧିତ୍ୟକାରେ ମୋହର କରଜକ୍ଷତ-ନିକର ଲଭୁ ନବନକ୍ଷତ୍ରେଶ-ଶୀରି । ଅନୁପମା । ୧୦

 

ରୋମଳି-ସୂତ୍ରଧାରିଣି ରେ ତରୁଣୀବରମଣି ଅଙ୍ଗହାରେ ତୋ ନାୟକ ଶୋଭେ ।

ଶିଖାମଣି ଦ୍ୱିଜବର ବିଦୂଷକ ତ ନିକର ଏଣୁ ସ୍ମରନାଟିକା ତୁ ଭାବେ । ଭାବବତୀ ।

ଗତି କେ ତୋ ବିନା ମୋ ଜଗତି ।

ଅତୀତ-କଥା ଜୀବିତ-ମିତ ତୁ ନ ଘେନ ଚିତ୍ତ ଇତର ନ ଚିନ୍ତ ମୋତେ ମତି । ଭାବବତୀ । ୧୦୮ ।

 

 

ଗିରେ ଅନୁକମ୍ପା କର ଚୁମ୍ବନେ କୃପା ବିତର କୁଚଶମ୍ଭୁ-ସେବାକୁ ନବୀନା ।

ଆନେ ନ କରି ଆଦେଶ ଏଦାସ-ମାନସ ତୋଷ ରହୁ ଯଶ ନୁହ ତୁ ବିମନା । ନାଗରୀଶ ।

ଏ ନଳର ତୁ ଜୀବଜୀବନ ।

ରଜନୀ-କରକରର ରଜନୀ ବିନା ଅପର-ଆଶ୍ରୟ ଥାଇ କି ଚିତ୍ତେ ଘେନ । ନାଗରୀଶ’’ । ୧୦୯ ।

 

ଏତେ କହୁ ଅକସ୍ମାତେ ଚେତା ଉପୁଜନ୍ତେ ଚିତ୍ତେ ଆତ୍ମାକୁ ମୁନିଏ ତତ୍ତ୍ୱଜ୍ଞାନ ।

-ବଶେ ତାରିଲା ପରାଏ ତର୍କିଲେ ସେ ନରରାଏ ନିଜଗିରେ ଆତ୍ମପ୍ରକାଶନ । ସାଧୁଜନେ ।

ପରେ ପୂର୍ବ ସ୍ୱପ୍ରକୃତି ବାରି ।

ପ୍ରକୃତିସ୍ଥ ହେବା କାଳୀ ବିଲୋକି ସେ ଦଣ୍ଡଧାରୀ ଭାଷନ୍ତି ଏତେ ଖେଦୋକ୍ତି କରି । ସାଧୁଁ ଜନେ ।

 

‘‘ଆହା କି କଲି କି କଲି ନିଜେତ ଚିହ୍ନା ପଡ଼ିଲି ଏ କଥା ଜାଣିଲେ ପୁରୁହୂତ ।

କି ବିଚାରିବେ ସେ ମୋତେ ମୁଁ ଯେବେ ତାଙ୍କ ପୁରତେ ପ୍ରବେଶି କରିବି ପ୍ରଣିପାତ । ଭକ୍ତି ବଶେ ।

ପ୍ରଥମେ ନଇଁବ ମୋର ଶିର ।

ପରେ ଲଜ୍ଜାରେ ତା ତୋଳି ନୋହିବ ଇଙ୍ଗିତାବଳି ବାରିବି ବା କାହୁଁ ତାହାଙ୍କର । ଅଧୋମୁଖେ ।

 

ବୃଥାରେ ଯା ନାମ ମୋର କଲି ମୁଁ ନିଜେ ପ୍ରଚାର ଘୋଟିଲା କି ପରମାଦ ମୋତେ ।

ସୁରରାଜର ବିଶ୍ୱାସ ସଙ୍ଗେ କଲି କାର୍ଯ୍ୟ ନାଶ ଏଥି ତ୍ରାଣ ନାହିଁ ମୋ କିଞ୍ଚିତେ । ବାତସୁତ ।

-ଆଦି ଯଶେ ଯେଉଁ ଦୂତପଥ ।

ଥିଲେ ସିତୀକୃତ କରି ସେ ପଥ ଏବେ ମୋହରି ରିପୁହାସେ ହେଲା ଧବଳିତ । ବାତସୁତ । ୧୧୨।

 

 

ଥିବାରେ ଦୌତ୍ୟେ ନିଯୁକ୍ତ ଚିତ୍ତରେ ହେଲେ ଅହିତ ଚିନ୍ତିତ ମୁଁ ନାହିଁ ଦେବଙ୍କର ।

ଲୋକେ କି ବୁଝିବେ ଏହା କହିବେ ଚିତ୍ତକୁ ଯାହା ଯେମନ୍ତେ ଆସିବ ତାହାଙ୍କର । ଏ ସଂସାରେ ।

ଲୋକେ କାକୁ କିସ ନ କହନ୍ତି ।

ଲୋକପାଳକ ହରିଙ୍କି ଜନାର୍ଦ୍ଦନ ବୋଳି ଡାକି ଶିବ ଧ୍ୱଂସକାରିଙ୍କି ବୋଲନ୍ତି । ଏ ସଂସାରେ ।୧୧୩।

 

ଲଜ୍ଜାଭୟେ କିପାଁ ହୃଦ ଯାଉଛି ଫାଟି ? ଏ ଶୁଦ୍ଧ ବୋଲିକି ଅମରେ ନ ବାରିବେ ।

ତାଙ୍କୁତ ଏ ତ୍ରିଭୂବନ-ମଧ୍ୟରେ କିଛି ଗୋପନ ହୋଇ ରହି ନ ପାରଇ ଲବେ । ତେବେ ହେଲେ ।

ଏ କଥାତ ବିଷମ ଅତିହିଁ ।

ଅପବାଦ ହେଲେ ତା’ର ପ୍ରତିକାର ନାହିଁ; କା’ର ମୁଖେ କେ ପାରଇ କର ଦେଇ । ତେବେ ହେଲେ

 

ଜ୍ଞାନ ଯୋଗେ ସିନା ପରିଶ୍ରମ ମୋହର ଆଦରି ଥାନ୍ତା ସଫଳତା ଏ କଥାରେ ।

ସାଧିଲା ବିଧାତା ବାଦ ନାଶିମୋ ଜ୍ଞାନ ସମ୍ପଦ ହୃଦ ମନ୍ଥି ହେଉଛି ବ୍ୟଥାରେ । ଯେଉଁ ଦ୍ରବ୍ୟ ।

-ବିନାଶେ ବୁଦ୍ଧି ବିଧି ପାଞ୍ଚଇ ।

ତା ପ୍ରତିକାର-ନିମିତ୍ତ ପଞ୍ଚମୁଖ ତ୍ରୟନେତ୍ର ମହେଶ ହେଲେହେଁ ହାରି ଯାଇ । ଅଳପକେ’’ ।୧୧୫।

 

ନିଜ-ରଚିତ-ମହତ-ମୋହଉର୍ମିରେ ଭୂଭୃତଉପୁଚି ଏମନ୍ତ ପଡ଼ୁଜଣା ।

ଦେବଦୌତ୍ୟର ବିନାଶ ବିଚାର ଚିତ୍ତେ ନିରାଶ ହେଉ ବୁଦ୍ଧି ଗଲା ହୋଇ ବଣା । ସାଧୁଜନେ ।

ଦୁଃଖ ନୀରେ ମଜ୍ଜିତ ଭୂପାଳେ ।

ତୋଳିବାପାଇଁ ଚଞ୍ଚଳ ଦୟାଳୁ ହେମ ମରାଳ ଆସିଗଲା ମିଳି ତତକାଳେ । ସାଧୁଜନେ । ୧୧୬ ।

 

 

ପକ୍ଷପୁଟେ ବାଜି ବାତ ଶବଦ ଶୁଭୁ ଭୂଭୃତ ଊର୍ଦ୍ଧ୍ୱଦେଶେ ନିବେଶୁଁ ନୟନ ।

ଶୂନ୍ୟେ ପକ୍ଷୀ ହେଉ ଦୃଶ୍ୟ ଏତ ସେ କନକହଂସ-ବର ବୋଲି ବୋଇଲେ ବଚନ । ଆଶ୍ଚର୍ଯରେ ।

ଏକାଳେ ମରାଳ ଆସି ତଳେ ।

ବୋଲେ ‘‘ହେ ନିର୍ଦ୍ଦୟ ବାଳାମଣିକି ନକର ହେଳା କଲେ ଜୀବ ବରଜିବ ଢାଳେ । ମହୀପାଳ ।

 

ଅମରଙ୍କର ଉଦ୍ଦେଶ୍ୟ-ସିଦ୍ଧି ପାଇଁକି ନରେଶ ଶ୍ରମ ବା ନ କରିଅଛ କିସ ।

କାର୍ଯ୍ୟନାଶ ବଶୁଁ ସୁରପୟରେ ଦୋଷୀରେ ଗାର ହେବ ବୋଲି ନ ଭାଳ ମାନସ । ନରବର ।

ସାଧୁଙ୍କ ଚିତ୍ତଶୁଦ୍ଧିକି ତାଙ୍କ ।

ଆତ୍ମା ପରା ସାକ୍ଷୀ; ଛଳସାକ୍ଷୀ ପ୍ରାୟ ବ୍ୟବହାର ଏଥି ତୁମ୍ଭର ଅଟେ କି ଠିକ । ନରବର’’ । ୧୧୮ ।

 

ଏମନ୍ତ ଶାନ୍ତି-ବଚନ କରି ମରାଳ ରଚନ ନିଷଧପତି-ଭୀମ-ସନ୍ତତି ।

-ଛାମୁରେ ମେଲାଣି ହୋଇ ଗଲା ଗଗନେ ଉଭାଇ ନାଶି ତା’ର ଅନ୍ତରୀକ୍ଷ ଖ୍ୟାତି । ସାଧୁଜନେ ।

ଏଥୁ-ଅନନ୍ତରେ ନରପତି ।

ମନେ ମନେ ଦିଗପତିମାନଙ୍କ ପୟରେ ନତି କରି ଯେମାକୁ ଏତେ ଭାଷନ୍ତି । ସାଧୁଜନେ । ୧୧୯ ।

 

‘‘ଶୁଣ ଗୋ ନୃପତି-ସୁତା ଅମରେ ତ ରାଗ ଲିତା-ମାତ୍ର ତୋର ସଞ୍ଚରିବ ନାହିଁ ।

ଆଉ ଏ କଠୋର ରୀତି ଆଦରି ଦୌତ୍ୟ-ପଦ୍ଧତି ତୋତେ କେତେ ଦୁଃଖ ଦେବି ମୁହଁ । ସ୍ମିତ ଶୋଭି

ଦୌତ୍ୟେ ନାହିଁତ ମୋ ଛଳ ଲେଶ ।

ଏହା ବିଚାରି ଅମରେ କରନ୍ତୁ ବା କୃପା ମୋରେ ଅଥବା ରୋଷନ୍ତୁ ଘେନି ଦୋଷ । ସ୍ମିତଶୋଭି ।

 

 

ଉନ୍ନାଦ ଅବସ୍ଥା ଘୋର ହୋଇଛି ମଙ୍ଗଳକର ଏ ଯେବେ ନ ଥାନ୍ତା ମୋର ହୋଇ ।

ଏ ଦୁର୍ବିସହ ବିରହ-ବେଦନା ନିଶ୍ଚୟ ଦେହ ଧ୍ୱଂସିଥାନ୍ତା ଚିତ୍ତକୁ ମୋ ଦହି । ପ୍ରାଣସହି ।

ଏକ ଦୋଷ ଆନ ଦୋଷେ ନାଶେ ।

ଯଥା ଅଜ୍ଞାନରେ କୃତ ମହତ-ପାପ ଇଷତ ବୋଲି ବିବେଚିତ ହୁଏ ଦଶେ । ପ୍ରାଣସହି । ୧୨୧ ।

 

ତୋ ବିରହ-ସ୍ମରାନଳ କରି କଦର୍ଥନା ଘୋର ଶେଷେ ମୋ କଲା ଏମନ୍ତ ହିତ ।

ଯାହା ।ସେ ଉନ୍ନତ୍ତ ମୋତେ କରାଇ ମୋ ମୁଖ-ପଥେ ମୋର ପରିଚୟ କଲା ଦତ୍ତ।ତୋ ଛାମୁରେ।

ଏଣୁ ଏ ତୋ ସାଧିଲା ମଙ୍ଗଳ ।

ତା ଦୁଃଖ-ଦାତୃତ୍ୱ-ପଣେ ନିନ୍ଦା ନ ଯୋଗାଏ କ୍ଷଣେ ଧନ୍ୟଧନ୍ୟ ସେ ବିରହାନଳ । ଏ କାଳକୁ ।

 

ଏ ଚତୁର-ହରିତର ଈଶ୍ୱରେ ତୋର କିଙ୍କର ହେବାକୁ ଅଛନ୍ତି ଆଶା କରି ।

ତୁ ପୁଣି ତାଙ୍କୁ ବରଜି ବଳାଇ ଅଛୁ ମରଜି ମୋ ସେବା-ଗ୍ରହଣେ ସୁକୁମାରି । କରୀଗତି ।

କର କାର୍ଯ୍ୟ ବୁଝି ସୁଝି ଚିତ୍ତେ ।

ଏମନ୍ତ କିପାଇଁ କଲି ବୋଲି ହୋଇବାର ଘାଲି ନଥାଉ ତୋ ପଛକୁ କିଞ୍ଚିତେ । କରୀଗତି ।୧୨୩।

 

ନାହିଁ ମୋ ଦେବଙ୍କୁ ଭୟ ନୁହେଁ ମୁଁ କାମେ ଅଥୟ ଏଣୁ ଏ ବେନିରୁ କାହା ଯୋଗେ ।

ନୁହେଁ ତୋ ଛାମୁରେ ଯାହା କହିଲି ରେ କୃଶଦେହା କହିଲି ଏକା ଉଦାସବାଗେ । ରାଜସୁତା ।

ସୁଝିବାପାଇଁ ତୋ ସ୍ନେହରୁଣ ।

ଲୋଡ଼ା-ତୋ ହିତକୁ ଯେବେ ହେବ ଦେଇପାରେ ତେବେ ହସି ହସି ବରଜି ପରାଣ । ରାଜସୁତା’’ ।

 

 

ପିକର ପଞ୍ଚମସ୍ୱର ଶେଷେ ଶିଶିରକାଳର ଧରାଧାମେ ପ୍ରସରି ଯେମନ୍ତେ ।

ବସନ୍ତଋତୁର ଶିରୀ-ମାଧୁରିକି ଥାଏ କରି ଉଲ୍ଲାସ ଶେଷରେ ଉପଗତ । ସାଧୁଜନେ ।

ସେହିମତି ନଇଷଧ-ପତି ।

ପ୍ରିୟ ସତ୍ୟ ଗିର ଶୁଣି ବିଦର୍ଭରାଜଦୁଲଣୀ-ଚିତ୍ତ ହେଲା ଉଲ୍ଲସିତ ଅତି । ସାଧୁଜନେ । ୧୨୫ ।

 

ପୂର୍ବେ ନଳେ ଦେବଦୂତ ଜାଣିଲେ ତହିଁ କି ଚିତ୍ତ ଯାଉଥିବା ସକାଶରୁ କରି ।

ସତୀତ୍ୱ-ପଣେ ତା ରୋଧି ନିନ୍ଦା ଘୃଣାକୁ ସମ୍ପାଦି ଥିଲା ତହିଁ ପ୍ରତି କୃଶୋଦରୀ । ସାଧୁଜନେ ।

ଏବେ ସେ ଦୂତକୁ ନଳ ବୋଲି ।

ବାରିପାରନ୍ତେ ହରିଣୀ-ନେତ୍ରାର ଚିତ୍ତୁଁସେ ବେନି ଗଲେ ତତକାଳେ ଅପସରି । ସାଧୁଜନେ ।୧୨୬।

 

ତହୁଁ ପତିବ୍ରତା ସତୀ ବଇଦର୍ଭୀ ଦମୟନ୍ତୀ ରତୀଶକୁ ଉଦ୍ଦେଶି ଚିତ୍ତର ।

ବୋଇଲେ ‘‘ରେ ମନୋଭାବ ପ୍ରାଣିଙ୍କମନ ଉଦ୍ଭବ-ସ୍ଥଳ ତୋ ଏଣୁ ସେ ପିତା ତୋର । ଫୁଲଶର ।

ମନମଥ ନାମ ସାର୍ଥକରି ।

ମନକୁ ପାପେ ପକାଇ ନାନା ଅପଥ ଦେଖାଇ ସତ୍ପୂତ୍ରଶବଦ ଦେଉ ଚୂରି । ଫୁଲଶର’’ । ୧୨

 

ସେ ନବ-ବାଳୀର ଅବୟବ ସୁମନସନିଭ ବୋଲି ବୋଲାହୋଇଥିଲା ପୂର୍ବେ ।

ଏ ମୋଦ-ଅଶ୍ରୁବରଷା-ରସ ପ୍ରସରନ୍ତେ ଯୋଷାବରତନୁ ରୋମାଞ୍ଚନ୍ତେ ଏବେ । ସାଧୁଜନେ ।

ଦେଖି ମନେ ଏମନ୍ତ ଆସଇ ।

କେଉଁ କୁସୁମ ବୋଲିତ ବିଶେଷଭାବେ ବର୍ଣ୍ଣିତ ନୋହିଥିଲା ନିଶ୍ଚେଁ ନୀପ ଏହି । ସାଧୁଜନେ ।

 

 

ସମ୍ବୋଧି ନଳେ ବିଳାପ କଲି ମୁଁ ଯା ଅନଳପ ତାହା ଶୁଣି ‘‘ପଡ଼ିଲିଣି ଚିହ୍ନା ।

ଲୁଚାଇବାରେ କି ପ୍ରୟୋଜନ ବୋଲି କରି ଥୟ ଶେଷେ ପରିଚୟ ଦେଲେ ସିନା’’ । ବାଳୀଶର ।

ଏ ଭ୍ରାନ୍ତି ଲବକେ ହେଲା ଦୂର ।

କରନ୍ତେ ଶ୍ରବଣ କ୍ଷିତିପତିଙ୍କ ଆତ୍ମବିସ୍ମୃତି ଉନ୍ନାଦରୀତି ମୁଖୁଁ ତାଙ୍କର । ସେହିକାଳେ । ୧୨୯।

 

ପୂରୁବେ ପ୍ରଗଳ୍‌ଭପଣେ ନରପତି-ସନ୍ନିଧାନେ ଲଜ୍ଜାକୁ ବରଜି କହିଥିବା ।

-କଥାକୁ ହେଜି ମଜ୍ଜାରେ ଏବେ ଆଲିଙ୍ଗି ଲଜ୍ଜାରେ ନବିହିଲା ଗିର ଠାର କିବା । ସାଧୁଜନେ ।

ଉଦ୍‌ବେଳିତ-ଲଜ୍ଜା ଜଳଧିରେ ।

ଆଶା ବିଶ୍ରାମ ନ ପାଇ ନରେଶ-ରୂପକୁ ଧ୍ୟାୟି ଗଲା ନିମଜ୍ଜିତ ହୋଇ ଧୀରେ । ସାଧୁଜନେ ।

 

ସଖିର ଶ୍ରୁତିରେ ତୁନିକରି କହିବାକୁ ଗୁଣି ତହିଁ ମୁଖ ଯୋଖିଲେହେଁ ଯେମା ।

ବଶେ ନ ଆସି ରସନା ହୃଦକୁ ହେଲା ଉନ୍ନନା ଯେଣୁ ହୋଇଥିଲା ଲାଜ ଜମା । ସେ ମଧ୍ୟରେ ।

ବାଳୀର ଏ ଭଳି ଦେଖି ଆଳୀ ।

ନଳଙ୍କୁ ଚାହିଁ ଭାଷଇ ଲାଜେ ଆମ୍ଭ ଜେମାଦେଇ ମୂକତାକୁ କଲାଣି ସଙ୍ଖାଳି । ମହାରାଜ । ୧୩୧ ।

 

ଆପଣେ ଲେଖି ତୁମ୍ଭର-ମୂରତି ପୟରେ ତା’ର ଅର୍ଘରୂପେ ନେତ୍ରନୀର ଢାଳି ।

ଯାହା ଯାହା ଅଛି କହି ଆମ୍ଭ ଏ ପରାଣ ସହ କହୁଛି ମୁଁ ସେ ବଚନାବଳି । ମହାରାଜ ।

ଏଥି କ୍ଷଣେ ଦତ୍ତକର ଚିତ୍ତ ।

ନୁହଁଇ ଏ ଆନକଥା ଉପନିଷଦ ସର୍ବଥା ଆଚାର୍ଯ୍ୟ-ମଦନ-ବିରଚିତ । ନରନାଥ । ୧୩୨ ।

 

 

ବୋଲଇ ନିଶ୍ଚୟ ହଂସ କରି ନାହିଁଟି ପ୍ରକାଶ ତୁମ୍ଭର-ବିରହେ ମୋ ଜୀବିତ ।

ଯିବାକୁ ସଜ ହେବାର ବୃତ୍ତାନ୍ତ ଅବନୀଶ୍ୱର ପୁରତେ ତୁମ୍ଭର କଦାଚିତ । ନରବର ।

ଶଶିବଂଶ-ଭୂଷଣ ତୁମ୍ଭେତ ।

ମୋ ଛାର-ନାରୀ-ଜୀବନ-ବିନାଶବଶୁଁ ବିଜନ୍ୟ-ବୃଜିନେ ବଳନ୍ତା କେହି ଚିତ୍ତ । ନରବର । ୧୩୩ ।

 

ମୁଖଶୋଭାକୁ ହରିଣ-ଧର ରହିଛି ହାରିଣ ଅଙ୍ଗକାନ୍ତିରେ ତ ଜିତ ସ୍ମର ।

ସେ ବେନିଏ ଏବେ କିସ ପାଇଁକି ମୋର ବିନାଶ ସାଧିବାକୁ ଏତେ ଆଗଭର । ମହାରାଜ ।

ମୁଁ ତୁମ୍ଭ ବୋଲିକି ତାଙ୍କ ରୋଷ ।

ତା ଯେବେ ଥୟ ମୋ ଜୟ, ଦେବଙ୍କ ବାଞ୍ଛା ନିଶ୍ଚୟ ନୁହଁଇତ ବିଫଳ ପ୍ରୟାସ । ମହାରାଜ ।୧୩୪।

 

ତୁମ୍ଭ ବଦନ ସମାନ ହେବାକୁ ବିଚାରି ମନ ଭଲା ବୁଦ୍ଧି କରୁଛି ଶଶାଙ୍କ ।

ନିଜତେଜେ ମୋତେ ଦହି ମୋ ଭସ୍ମ କୁଢ଼କୁ ନେଇ ବୋଳି ପରା ଲୁଚାଇବ ଅଙ୍କ । ମହାରାଜ ।

ତେବେ କି ସେ ତା ସମାନ ହେବ ।

ବଧୂବଧ-ବିଜନିତ ପାତକ ଯୋଗୁଁ ଜଗତ ଅଧିକେ ତା କଳଙ୍କ ଘୋଷିବ । ମହାରାଜ । ୧୩୫ ।

 

କର ଏତେ ଅନୁଗ୍ରହ ଲୋହମୟ ଶରଚୟ କୁସୁମଶରକୁ ଦିଅ ବାରେ ।

ସେ ଶର ଲଭି ସେ ବୀରପଣ କରି ପରିଚାର ଧାତିକାରେ ହରୁ ମୋ ଜୀବରେ । ମହାରାଜ ।

ତବରୂପ ଧ୍ୟାୟୀ ଅବିରତ ।

ମୃତ୍ୟୁପରେ ନଳ ହୋଇ ତୃଣମତେ ମର୍ଦ୍ଦିଦେଇ କାମେ ଜୟୀ ହୋଇଚି ନିଶ୍ଚିତ । ମହାରାଜ ।

 

 

‘ଶ୍ରୁତି ଅମର-ନିକର-ଗୁଣଗାୟନେ ମୁଖର, ଏହା କେବା ନ ଜାଣଇଁ ବିଶ୍ୱେ ।

ତୁମ୍ଭ ଚରଣେ ଅର୍ପଣ କରିଛି ଯେ ମନପ୍ରାଣ ତା’ର ତହିଁ କିସ ଯାଏ ଆସେ । ନରବର ।

ସ୍ନାତକମଣ୍ଡଳି ସ୍ନାନକରି ।

ନ ସ୍ତୁବନ୍ତି କି ତପନେ ତହିଁ ବା କୁମୁଦ-ମନେ ଯାଏ କେତେ ପ୍ରମୋଦ ସଞ୍ଚରି । ନରବର । ୧୩

 

ନିଶ୍ଚୟ ଆଜ ମରିବି ପିଣ୍ଡେ ନ ରଖିବି ଏହା ନ କଲେହେଁ ଜୀବଧବ ।

ତୁମ୍ଭ ଚରଣେ ମୋ ମନ-ଅନୁରାଗ ପରିମାଣ କଦାଚନ ଗୋଚର ନୋହିବ । ପ୍ରାଣାଧିକ ।

ଚରଣେ ତୁମ୍ଭ ନ ପାଇ ସ୍ଥାନ ।

ଶୀଘ୍ର ତେଜୁଛି ଜୀବନ ଏହା ଶୁଣି ‘ନାହିଁ ଆନ ତୁମ୍ଭ ବିନା ମୋ’ ଭାବିବ ମନ । ପ୍ରାଣାଧିକ ।୧୩୮।

 

ଯେ କ୍ଷତ୍ରିବୃତ୍ତ ଆଚରେ ନୀଚୋଚ୍ଚ-ନିର୍ବିଶେଷରେ ପ୍ରପୀଡ଼ିତ ଜୀବେ ସେ ତାରଇ ।

ତା ଜିଘାଂସୁ ପୁରନ୍ଦର-କର-ନିକ୍ଷିପ୍ତ ଭିଦୁର ହେଲେହେଁ ସେ ତାକୁ ନ ଡରଇ । ମହାରାଜ ।

କ୍ଷତ୍ରିୟ-ମଣ୍ଡଳ-ମଥାମଣି ।

ନ ରଖି ପାରିବ ଯେବେ ପୁଷ୍ପଶରୁଁ ମୋତେ ତେବେ ବ୍ରତେ କି ନୋହିବ ତବ ହାନି । ମହାରାଜ ।

 

ମୁଁ ତ ତୁମ୍ଭ ସେବକିନୀ ମୋତେ ମାର ମାରେ ପୁଣି ଏହା ତୁମ୍ଭେ ସହୁଛ କେମନ୍ତ ।

ଦେବଗଉରବେ ଅବା ଦର୍ପକେ ଦଣ୍ଡ-ବିହିବା-କଥା ଚିତ୍ତେ ନୋହୁଛି ସଙ୍ଗତ । ପ୍ରାଣକାନ୍ତ ।

ଏତ ଦେବ ନୁହେଁ, ଏ ଚଣ୍ଡାଳ ।

ତା ନୋହିଲେ ଏ କେମନ୍ତ ସ୍ୱ-କାଣ୍ଡକାର-ବସନ୍ତ-ତୁଲେ ନିରନ୍ତର କାଟେ କାଳ । ମହାରାଜ ।

 

 

କହନ୍ତି ଜ୍ଞାନୀ ପଣ୍ଡିତେ କ୍ଷୁଦ୍ର କ୍ଷୁଦ୍ର ରିପୁବ୍ରାତେ ପ୍ରଥମେ ବିକ୍ରମ ବିକାଶିବ ।

ଅନଳ ପରାୟେ ତୃଣ-ନିବହ କରି ଦହନ ଶେଷେ ମହା-ପାଦପ ଧ୍ୱଂସିବ । ପ୍ରାଣନାଥ ।

ଏ ନୀତିକି ନଚିନ୍ତ ଚିତ୍ତରେ ।

ଯାର ଶର ଫୁଳ ହର-ନୟନେ ଯେ ଭସ୍ମସାର ସେ କି ଗଣା ନୁହଁଇ ନୀଚରେ । ପ୍ରାଣନାଥ ।୧୪୧।

 

ସ୍ୱୟମ୍ୱରେ ନିଜେ ମୁଁ ତ ବରବରଣକୁ ଚିତ୍ତ ବଳାଇଛି ଏ କଥା ନିଶ୍ଚୟ ।

ଏଥି ମୋ-ପାଇଁକି ଯେବେ ମମତା ପ୍ରକାଶ ଲବେ ରୋଷିବେ କିପାଇଁ ଦେବଚୟ । ମହାରାଜ ।

ରୋଷିଲେ ହେଲେହେଁ କିଛି ଗର ।

କହି ନ ପାରିବ ତବ ଯାଗଭାଗରେ ତ ଠାବ ନ ଥିବ ଉଦରେ ତାଙ୍କ ତିଳ । ମହାରାଜ । ୧୪୨ ।

 

ଅଥବା ଯେବେ ତାଙ୍କର ଚିତ୍ତ ଅଛି ସ୍ୱୟମ୍ୱର-ସଭାକୁ ଆସନ୍ତୁ ସେ ସକଳେ ।

କରାଇ ତାଙ୍କୁ ପ୍ରସନ୍ନ ନ ପକାଇବି ବରଣମାଳ ତୁମ୍ଭ ବିନା ଆନଗଳେ । ମହାରାଜ ।

ନୁହଁନ୍ତିତ ସେ ନଳ ମଦନ ।

ତେଣୁ ବିଚାରୁଛି ଚିତ୍ତ ହୃଦୟେ ତାଙ୍କ କିଞ୍ଚିତ ନ ଥିବକି ଦୟା ପାଇଁ ସ୍ଥାନ । ମହାରାଜ’ । ୧୪୩ ।

 

ଆହେ ମହାରାଜ ! ଏହିମତି ଆମ୍ଭ ପ୍ରାଣ ସହି ଚିତ୍ରଫଳକେ ତୁମ୍ଭଙ୍କୁ ଚାହିଁ ।

ବେଳେ ବେଳେ କାମବଶେ କି କି ବଚନ ପ୍ରକାଶେ ବେଳେ ବେଳେ ଯାଏ ତୁନି ହୋଇ।ଲାଜଭରେ।

ତା ସେ ସରସଗିରସରିତେ ।

ସ୍ଥଳେ ସ୍ଥଳେ ମଉନତା-ଦ୍ୱୀପଖଣ୍ଡର ଚାରୁତା ଚୋରିକଲାବତ ହୁଏ ପ୍ରତେ । ମହାରାଜ । ୧୪୪ ।

 

 

ତୁମ୍ଭରେ ବିଦିତ ହୋଇ ବୃଦ୍ଧାଙ୍ଗୁଷ୍ଠକୁ କଟାଇ ଦୃଶ୍ୟ ସ୍ପୃଶ୍ୟ ନୋହି କିଛି ସ୍ମର ।

ଚଣ୍ଡାଳତ୍ୱ ଲଭିଛି କି ନୋହିଲେ ଅବା କାହିଁକି ବନବାସୀ-ମଧୁ-ସହିତର । ମିତ୍ରହୋଇ ।

ଭିତରେ ପଶି ତୁମ୍ଭ ଦାସିର ।

ବିଦାରେ ମରମଦେଶ ଏ ତବ ବିପୁଳ-ଯଶ-ସମୂହେ ଶୋଭନ୍ତୁ ଦିଗନ୍ତର । ମହାରାଜ’’ । ୧୪୫ ।

 

ଏମନ୍ତେ ଅବନୀପତି-ସନ୍ତତି-ଭାରତୀ-ପ୍ରତିଉତ୍ତର ପ୍ରଦାନେ ହୋଇ ବଣା ।

ତ୍ରପାରେ ତଳକୁ ଶିର କଲେ ନଳ ନରବର; ଇନ୍ଦ୍ରାଦିଙ୍କ ତୁଲେ ନୋହି ଜଣା । ସ୍ୱୟମ୍ୱର ।

ଆସିବାକୁ କେ ସନମତି ।

ତଦନ୍ତେ ହରିତ-ପତି-ମାନଙ୍କ କତିକି ଗତି ଅନ୍ତକପୂରୁ ରଚିଲେ ଝଟତି । ସାଧୁଜନେ । ୧୪୬ ।

 

କାଲି ଲଭିବି ବଲ୍ଲଭ ଉପୁଜୁଁ ଚିତ୍ତେ ଏ ଭାବ ମହୀଧବ-ସୁତାର ଏ କାଳେ ।

ହୋଇଲା ମନ ଉଚ୍ଛନ୍ନ ପ୍ରେମାଶ୍ରୁଧାର ବହନ ବହି ଶୋହିଲା ଚଣ୍ଡମଣ୍ଡଳେ । ବାଳୀଶର ।

ରୋମାଞ୍ଚିତ ଉଚ୍ଚାବଚ ମୁଖେ ।

ପ୍ରେମାଶ୍ରୁ-ଧାର ବେତସବତୀ-ସରିତ-ସଦୃଶ ପ୍ରକାଶିଲା ଶୋଭା ଅତିରେକେ । ବାଳୀଶର ।୧୪

 

ପୂର୍ବେ ଫୁଲଶର-ହ୍ରାସ ନିରତ ଲଭି ବାଳୀଶ ଚତୁର-ପ୍ରହର-ବତୀ ନିଶା ।

ମଧ୍ୟେ ନିମିଷକ ପାଇଁ ସ୍ୱପ୍ନସୁଖ ନ ଲଭଇ ପ୍ରାତେ ନେତ୍ର ନୋହିଥାଏ କଷା । ସାଧୁଜନେ ।

ଜେମା ଦୁଃଖେ ବହି କି କୃପାରେ ।

ସେ ଦିନୁ ରଜନୀଚୟ-ଆୟୁ କରିଦେଇ କ୍ଷୟ ଦେଲେ ରଖି ଯାମତ୍ରିତୟରେ । ସାଧୁଜନେ ।୧୪୮।

 

 

ଏଣେ ନଳ ମହୀପତି ଆଦରି ତୁରିତ ଗତି ଦିଗପତିଙ୍କ ଛାମୁରେ ମିଳି ।

ଯେତେଯେତେ ପରକାରେ ଦୌତ୍ୟ-ରୀତି କରିଥିଲେ ଯଥାଯଥ କହିଲେ ତା ଭାଳି । ସାଧୁଜନେ ।

ଶୁଣି ଦେବେ ନୋହିଲେ ହରଷ ।

ତାଙ୍କୁ ତ ପ୍ରତ୍ୟକ୍ଷ ସର୍ବ ନୃପ-କୃତ-ତୁଟି ଲବ ନାହିଁ କି କ୍ଷମିବେ ତାଙ୍କ ଦୋଷ । ସାଧୁଜନେ ।୧୪୯।

 

ହୀରମଲ୍ଲଦେବୀ ସୁତ ଶ୍ରୀହର୍ଷ ନାମେ ବିଖ୍ୟାତ ଅର୍ଣ୍ଣବବର୍ଣ୍ଣନ ଯା’ ରଚିତ ।

ତା ପଦକୁ ହୃଦେ ଧ୍ୟାୟି ପଦ ଯାଉଅଛି କହି ତା ତୁଲକୁ ଏ ବାଳ-ଭାଷିତ । ସାଧୁଜନେ ।

ତୁମ୍ଭ ଦୟା ଭରସା ଥିବାରୁ ।

ଭାଷା ବନ୍ଧେ ଗୋପୀନାଥ ବିରଚି ଯାଉଛି ଗୀତ ହୋଇଲେ ହେଉ ବା ନୋହୁ ଚାରୁ । ସାଧୁଜନେ ।

-------

 

ଦଶମ ଛାନ୍ଦ

ରାଗ ଚୋଖି

ଏଥୁଅନ୍ତେ ଶୁଣ ଧୀରେ,                   ବିଦର୍ଭେଶ-ସ୍ୱୟମ୍ୱରେ,

ହରିତ-ତତିରୁ ନରବରକୁମାର ।

ଅଇଲେ ଆରୋହି ରଥ,                   ଶାସ୍ତ୍ରଶସ୍ତ୍ରେ ସୁପଣ୍ଡିତ,

ଆଭିଜାତ୍ୟପଣେ କେବା ତାଙ୍କ ସଙ୍ଗରେ ।

ଧନେ ଧନଦକୁ ସମାନ,

ଅପଘନ ଶୋଭାରେ ହରାଇ ମଦନ । ୧।

 

ସେକାଳେ ଦମୟନ୍ତୀର             ବିଷୟ ଶୁଣି ରତିର

ପତି-ଶରେ କେହୁ ନୋହିଥିଲା ବିଦାରି ।

ଅଗଣିତ-ମହୀପାଳ-            ମଣ୍ଡଳ ଚଳୁଁ ସଙ୍କୁଳ

ଅତିହିଁ ହୋଇଲା, ଗଲା ଅବନୀ ପୂରି ।

ଧରାରଜ କଣିକାମାତ୍ର ।

ନ ବହି କା’ ପାଦ ନୋହିଥିଲା ଅପଥ ।

 

ଯୋଗ୍ୟେ କନ୍ୟା-ଲାଭ ପାଇଁ:             ଅଯୋଗ୍ୟ ବୀରେ ବଳାଇ

ଗ୍ରହିବାକୁ ଅଇଲେ ଆଗ୍ରହେ ସେଥିରେ ।

ସଭା-ଦର୍ଶନ-ଲାଳସେ             ଅନ୍ୟେ ଅଇଲେ ରଭସେ

ସେବକ ତ ଥିଲେ ସମସ୍ତଙ୍କ ସାଥିରେ ।

ଏମନ୍ତେ ଆସନ୍ତେ ସକଳେ ।

ବାକି ଏକାକୀ ରହିଲେ କକୁଭକୁଳେ ।

 

ସେ ଅବନି-ବନିତାର             ଲଲାଟପଟସିନ୍ଦୂର

-ଶିରୀ ନୃପତି-କୁମାରୀ ଦମୟନ୍ତୀକି ।

ଦେଖିବାକୁ ସର୍ବ ଦେଶ            -ବାସୀ ମନୁଷ୍ୟେ ମାନସ

ବଳାଇ ଅବଲମ୍ୱନ୍ତେ ତ୍ୱରା-ଗତିକି ।

ଗଲା ହୋଇ ଦିଶଙ୍କ ଊଣା ।

ଜନସଂଘର୍ଷନିପ୍ପେଷ-ଜାତ ଯତ୍ରଣା ।

 

ସେନାୟୂଥେ ରାଜପଥ             ହେଲା ସଙ୍କୁଳ ଏମନ୍ତ

ପକାଇଦେଲେ ନ ପଡ଼େ ଭୂତଳେ ତିଳ ।

ସେ ଗହଳ ଠେଲି ପେଲି             ଯିବାଥାଉ ତହିଁ ଗଳି

ପଳାଇ ପାରିବାକୁ କା ନ ଅଣ୍ଟେ ବଳ ।

ଯେବେ କେ ଭୂପତି ପୁରତ ।

ପାରେ ଯାଇ ମଣେ କନ୍ୟା ପ୍ରାପତିବତ ।

 

ପୁରତେ କେ ଭୂଭୃତର             ଅଛନ୍ତି ନିଘଞ୍ଚେ ନର

ପଛୁଁ ଅଗ୍ରଗାମୀ ନରେ ପକାନ୍ତେ ପେଲି ।

ଯତ୍ରସ୍ଥ-ସିଦ୍ଧାର୍ଥପଦ             ଲଭି ସେ ନୃପତି ହୃଦ

-ପ୍ରଦେଶେ ପକାଏ ଡକା ସରିଲି ବୋଲି ।

ଲଭିଲେହିଁ ପଦ ତାଦୃଶ ।

ସିଦ୍ଧାର୍ଥ ହେଲି ବୋଲି ସେ ନ ଭାବେ ଲେଶ ।

 

ନିତାନ୍ତ ନିଘଞ୍ଚବଶେ             କ୍ରମପଦ୍ଧତିକି ଲେଶେ

ବଳି ଚଳିବାକୁ ବଳ ନୋହୁ ନୃପଙ୍କ ।

ବିଳମ୍ୱକୁ ବିଲୋକନ             କରି କୁଣ୍ଡିନପତ୍ତନ

-ପ୍ରାସାଦ-ଚୂଳ-ବିଳାସୀ କେତନ-ଯାକ ।

ପ୍ରାନ୍ତକୁ କମ୍ପାଇ ସାହସ ।

ଦେଇ କି ତାଙ୍କୁ ଠାରନ୍ତି ‘ଆସ ହେ ଆସ’ ।

 

ଧରଣୀ-ଧରଣୀତଳ            -ଅଧିପତିଙ୍କ କମ୍ୱଳବନ୍ତ

ନାଗବଳ ମହୋଲ୍ଲାସେ ଆସନ୍ତି ।

ଅଗ୍ରେ ତାଙ୍କ ମହାଗର୍ବେ             *କର୍କଅଟକ ସମ୍ଭର୍ବେ

ଅଗ୍ରଗାମୀ ବୋଲି ଆପେ ଚିହ୍ନାଉଛନ୍ତି ।

ଚରମପ୍ରଦେଶ ତାଙ୍କର ।

ଅଶ୍ୱତର-କରମ୍ୱିତ ଦିଶେ ରୁଚିର । ୮ ।

 

ଆଗତ ବସୁଧାଧୀଶ            -ସେନାପୟର-ପରଶବଶୁଁ

ସମୁତ୍ଥିତ ଘନଧୂଳିପଟଳ ।

ବୋଳି ହୋଇ ଦିଶ ବାଳୀ             ଝଳି ବଦନକୁ ମଳି

-ମନ୍ତ କରିପକାଉଁ ସେ ହେଲେ ବିକଳ ।

ସେ ତ ଏବେ ପତି ତ୍ୟକତ ।

ତେଣୁ ତାଙ୍କ ଏ ଦଶାତ ନୁହେଁ ଅଯୁକ୍ତ । ୯ ।

 

ଚାରି-ହରିତର ଚାରି            -ଅଧୀଶ କୁଳିଶଧାରୀ

ପିତୃପତି ବୀତିହୋତ୍ର ସଲିଳପତି ।

ଭୂପତିସୁତା-ସୁଗୁଣ            -ନିବହେ ଲଭି ବନ୍ଧନ

ତା ପାଣି-ଗ୍ରହଣ-ଲୋଭେ ବଳାଇ ମତି ।

ନ ପାରିଲେ ରହି ନ ଯାଇ ।

ନ ଗଲେ ମାତ୍ରକ ବାକି-ହରିତସାଇଁ । ୧୦ ।

 

ସ୍ୱୟମ୍ୱର-ଅନୁଷ୍ଠାନ            -ଅରମ୍ଭେ ଭୀମରାଜନ

-ପୁରୋହିତ ଅନିଷ୍ଟ-ବିନାଶ ବିଚାରି ।

ବିଘ୍ନ ଉତ୍ସାରଣ କରିଥିଲେ ତ       ତହିଁ କିପରି ପାରନ୍ତେ

ରାକ୍ଷସେ ଅବା ପ୍ରବେଶ କରି ।

ନୈରୁତ ରାକ୍ଷସ ସହଜେ ।

କେମନ୍ତେ ବା ସଭାକୁ ସେ କରନ୍ତେ ବିଜେ । ୧୧।

 

ନୃପଜା-କଟାକ୍ଷଛଟା            -ଚଞ୍ଚଳ-ଚାବୁକ-ପିଟା

ହରିଣଟା ଗଲା ପଡ଼ି ହଟହଟାରେ ।

ଆଉ ବିଦର୍ଭ-ମୁଖରେ             ନ କଲା କେବେ ମୁଖରେ

ଦୁଃଖେ ବାତ ବୋଲନ୍ତି ମୋ କର୍ମ୍ମ ଫଟାରେ ।

ଜଗତ୍‌ପାଣ ଯେହୁ ଯୁଗତେ ।

ବାହନ ବିନା ସେ ତହିଁ କେହି ଆସନ୍ତେ । ୧୨ ।

 

ଜାତି-ବିତ୍ତଗୁଣ ଯା’ର             ଯେମନ୍ତ ହେଉ ବିଶାଳ

ତାକୁ ତିଳ-ପ୍ରମାଣେ ନ ଗଣେ ମଦନ ।

ସୌନ୍ଦର୍ଯ୍ୟେ ଏକା ସେ ବଶ             ତା ଜାଣି ସ୍ୱଚ୍ଛ-କୈଳାସ

-ଶୈଳ-ଦରପଣେ ଚାହିଁ ସ୍ୱଅପଘନ ।

ନାମ-ଯୋଗ୍ୟ ଶରୀର ହେଜି ।

କୁବେର ସେ ସ୍ୱୟଂବର ଥିଲେ ବରଜି । ୧୩ ।

 

ପାର୍ବତୀ ଲଭି ତ ମୋର             ନାମ ଅର୍ଦ୍ଧନାରୀଶ୍ୱର

ଏ ନାରୀ ଲଭିଲେ ନିଜ ସର୍ବସ୍ୱ ଯିବ ।

ଏହା ଭାବିଲେ କି ଶୂଳୀ             ଅବା ଶଇଳ-ଦୁଲାଳୀ

ବିଲୋକି ପତିଙ୍କ ସଭାଗମନ-ଭାବ ।

ରୁଷି ନ ଅଇଲେ ରହିଲେ ।

ଅର୍ଦ୍ଧାଙ୍ଗେ ହର କେମନ୍ତେ ଆସନ୍ତେ ଭଲେ । ୧୪ ।

 

ଶେଷ ନ ଆସିଲେ ହେଲେ             ଥିଲେ ପେଷି ନାଗକୁଳେ

ସେ କଥା ଯଥାସ୍ଥାନେ କି ନୋହିଛି କୁହା ।

ଆସିବାଥାନ୍ତେ ସେ କେହି             କେ ବା ନ ଜାଣଇଁ ମହୀ

ହୋଇଛି ବୋଲି ମସ୍ତକେ ତାଙ୍କର ବୁହା ।

ମହୀ-ବହିପାରିବା-ଭଳି ।

କେ ଅଛି ଯେ ତାକୁ ଦେଇ ଆସନ୍ତେ ଚଳି । ୧୫ ।

 

ଊର୍ଦ୍ଧ୍ୱ-ଦିଶେଶ୍ୱର ବିହି             ରହିଲେ ତହିଁ ନ ଯାଇ

ତାଙ୍କୁ କେଉଁ ଧର୍ମଶାସ୍ତ୍ର ଅଛି ଅଜଣା ।

ସେ ତ ଲୋକ ପିତାମହ             କରନ୍ତେ କେହି ବିବାହ

ତାହାକୁ ଯେ ତାଙ୍କ ନପ୍ତୀସମାଜେ ଗଣା ।

ନପ୍ତୀପିତାମହ ବିବାହ ।

ଅଛି କି ଶ୍ରୁତିରେ ? ଚଳେ ଲୋକେ କି କହ ? । ୨୬ ।

 

ଦୂତ ବଦନୁଁ ଭୂପତି            -ତନୟାର ନାହିଁ ମତି

ଅମର-ତତିରୁ କା’ରେ ବରକରଣେ ।

ବାରିଲେହେଁ ଏ ବୃତ୍ତାନ୍ତ                   ପୁରନ୍ଦରାଦି ନିତାନ୍ତ

ନିରାଶ ନୋହି ତହିଁକି ଗଲେ ସୁଜନେ ।

ମନମାନ୍ଦ୍ୟ ତାଙ୍କ ବଦନ ।

-ଜ୍ୟୋତି ଗତି-ପଦ୍ଧତିରେ ଲଭିଲା ସ୍ଥାନ । ୧

 

କଲେ ବିଚାର ସୁପର୍ବ             ଜେମା ଜମା ନ ବରିବ

ଦେବେ ବା ବରିବ ଭ୍ରମେ ବିଚାର ନଳ ।

କରିବା ତେବେ ଉପାୟ             ହେବା ସର୍ବେ ନଳ ପ୍ରାୟ

ଏମନ୍ତେ ବା ହେବ ଆମ୍ଭ ଆଶା ସଫଳ ।

ଏହିମତି ଆଶା-ଶେଷକୁ ।

ପୋଷି ଦେବେ ବହି ଛଳ-ନଳବେଶକୁ । ୧୮ ।

 

ଛଦ୍ମବେଶ ହେବାକାଳେ             ବୃନ୍ଦାରକେ ପରସ୍ପରେ

କୁହା-କୁହି ଚୁହାଁଚୁହିଁ ହେଉଥାନ୍ତି ସେ ।

ହେଲାକି ନୋହିଲା ବୋଲି,             ତଥାପି ସେ ନଳଭଳି

ହେଲା ରୂପ ବୋଲି କା’ମନକୁ ନ ଆସେ ।

ଏତ ରୀତି ଏ ସଂସାରର ।

ନୁହଁଇ କୃତ୍ରିମ ସମ ସ୍ୱାଭାବିକର । ୧୯ ।

 

ବିଚାରି ବିଚାରି ପୂର୍ଣ୍ଣ            ଚନ୍ଦ୍ରକୁ ବଦନ ତୂର୍ଣ୍ଣ

କଲେ ପୁଣି କିଚିନ୍ତି ବିକଚକମଳେ ।

ମୁଖ କଲେ; ଦରପଣେ             ଚାହୁଁ ସେ ଶୋଭାରୁ ପଣେ

ପୂରଣ ନୋହିଲା ଭାଳି ହୃଦୟସ୍ଥଳେ ।

ବିରକ୍ତିରେ ଆରକ୍ତ ହୋଇ ।

ଫିଙ୍ଗିଲେ ଶୂନ୍ୟେ ଶଶାଙ୍କେ ପଙ୍କଜେ ମହୀ । ୨୦ ।

 

ନଳବଦନ-ସୁଷମ            -ଲାଭପାଇଁକି ବିଷମ

ଯତ୍ନ କଲେହେଁ ନୁହନ୍ତେ ସେ ଠାଣି ଲେଶ ।

ବିକଶାଇ, ବର୍ହିର୍ମୁଖେ             ସୁଖ ନ ଲଭିଲେ ରେଖେ

ହେଲା ଅନଳାନନତ୍ୱ ଏକା ପ୍ରକାଶ ।

ପୁନରୁକ୍ତି ଦୋଷ ତାଙ୍କର ।

ନୋହିଲା ତହିଁ ପାର୍ଥକ୍ୟ-ବଶୁଁ ଅର୍ଥର । ୨୧ ।

 

ଶେଷେ କରି ବହୁଶ୍ରମ             ହେଲେ ଭୂପତିପ୍ରତିମ

ହରନେତ୍ର-ହୁତାଶରେ ଦଗ୍‌ଧ ମାରର ।

ଅବା ସିଂହିକାସୂତାର             କଠୋରଦଂଶେ ଶଶିର

ଶରୀରୁ ନିଷ୍ୟନ୍ଦ-ଶୁଦ୍ଧପୀୟୁଷଧାର ।

କିବା ପ୍ରିୟାବିରହକ୍ଳିଷ୍ଟ ।

-ପୁରୁରବାସାରେ କଲେ ଅଙ୍ଗ-ଶ୍ରୀ ସୃଷ୍ଟ । ୨୨ ।

 

ନୃପ-ସାଧାରଣଠାରୁ             ନଳ-ପ୍ରଭେଦ ରମ୍ଭୋରୁ

ବାରୁ ବୋଲି କି ବିଧାତା ପାଞ୍ଚିଲା ମନେ ।

ଏଣୁ ଏଥି ଏତେ ମହୀ            -ପତି କଲା ଏକଠାଇଁ

ତହିଁରେ ତୃପତ ନୋହି ପୁଣି ସୁମନେ ।

ତାଙ୍କ ସୁଷମାକୁ ଇର୍ଷାଇ ।

ସୁରୁଁ ଶ୍ରେଷ୍ଠ ବୋଲି ନୃପ ଦେଲା ଦର୍ଶାଇ । ୨୩ ।

 

ବିବିଧରତ୍ନରାଜିତ                   ଭୂପତିବତ-ପ୍ରତୀତ

ଜମାଦିଚାରି-ହରିତ-ପତି ସେକାଳେ ।

ମିଳିଲେହେଁ ସଭା ନଳ            -ବିନା ନଦିଶେ ମଞ୍ଜୁଳ

ସତ୍ୟା ପ୍ରାଙ୍ଗଣକୁ ପାରିଜାତ ଯିବାରେ ।

ଆନଚାରି ସୁରପାଦପେ ।

ସ୍ୱର୍ଗସମ ସଭା ଶୋଭା ଦିଶେ ଅଳପେ । ୨୪ ।

 

ଆଶୀବିଷ-ଅଧୀଶ୍ୱର             ବାସୁକି ସେ ସ୍ୱୟମ୍ୱର

-ସଭାସ୍ଥଳକୁ ସତ୍ୱର ବିଜେ କରନ୍ତି ।

ଶଙ୍କର-ଶରୀର-ରାଗ             ଭସ୍ମ ଲାଗି ଶୁଭ୍ରଅଙ୍ଗ

ଅଧିକେ ପ୍ରକାଶେ ତାଙ୍କ ବିଶଦକାନ୍ତି ।

ଅନୁଜୀବି ଫଣୀନ୍ଦ୍ର-ବୃନ୍ଦ ।

ବେଢ଼ି ବୋଲୁଥାନ୍ତି ‘ଦେବ’ ‘ଜୀବ’ ‘ପ୍ରସୀଦ’ । ୨୫ ।

 

ନାନା ଦ୍ୱୀପାନ୍ତରୁ ନିଶି            -ଥିନୀ-ଚାରୀଶ୍ୱରାଶି

ନିମିଷକେ ତହିଁ ଆସି ହେଲେ ପ୍ରବେଶ ।

ନ ଆସି ରହିବାପାଇଁ             ଶକ୍ୟ ବା କା ଥିଲା ରହି

କେ ଯୁବା ବା ଥିଲା ନୋହି ତୁଳା-ସଦୃଶ ।

ଉଡ଼ିଯିବା-ପାଇକି ତହିଁ ।

ସ୍ମରଶର-ପକ୍ଷବାତ-ଘାତକୁ ପାଇ । ୨୬ ।

 

ସେ କୁଣ୍ଡିନପୁରେଶ୍ୱର             ଚମତ୍କାର ହର୍ମ୍ୟବାର

ବସାକୁ ନରେଶଙ୍କର ଯତ୍ନେ ସଞ୍ଚିଲେ ।

ପ୍ରିୟବଚନ-ରଚନ            -ଦାନ ଆଦର-ସମ୍ମାନ

-ନମ୍ରତା ପ୍ରକାଶି ସର୍ବଚିତ୍ତ ତୋଷିଲେ ।

ମହୀପାଳ-ମଣ୍ଡଳୁ ଜଣେ ।

ନ ଦେଖିଲା ନୃପ-ତ୍ରୁଟି ତିଳ-ପ୍ରମାଣେ । ୨

 

ଭୀମ ହୋଇ ଚକ୍ରବର୍ତ୍ତୀ             କେମନ୍ତ ଲଘୁ-ନୃପତି

ପୂଜିଲେ ଏଥିକି ଏବେ କହିବା ଠିକେ ।

ଚତୁଃସାଗର-ପରୀଖା            -ପୁରେ ତ ପ୍ରିୟନାୟିକା

କୀର୍ତ୍ତି ନୃପତିଙ୍କ ଥାଏ ତା ନ ଜାଣେ କେ ।

ତା’ ରକ୍ଷଣେ ଦାକ୍ଷିଣ୍ୟ ଦମ ।

ଔଦାର୍ଯ୍ୟ ଦୟା ଏ ଚାରି କଞ୍ଚୁକୀ ସମ । ୨୮ ।

 

ଅଭ୍ୟାଗତ-ନରପତି            -ବୃନ୍ଦେ ସେବକେ ନୃପତି

ସମେ ଚର୍ଚ୍ଚିଲେ ପାର୍ଥକ୍ୟ ନ ଥିଲା କାହିଁ ।

ଚର୍ଚ୍ଚା-ପାର୍ଥକ୍ୟରୁ ସିନା             କନ୍ୟା-ପ୍ରାପତି କଳନା

କରିଥାନ୍ତେ ମହୀପାଳେ କା ଭାଗ୍ୟେ ହୋଇ ।

ଚର୍ଚ୍ଚଲେହେଁ ପରୋକ୍ଷ-ଭାବେ ।

କାହିଁ ଇତର-ବିଶେଷ ନ ଥିଲା ଲବେ । ୨୯ ।

 

ବିଦର୍ଭେଶ-ରାଜଧାନୀ             କୁଣ୍ଡିନେ ଏତେ ନୃମଣି

ଚତୁରଙ୍ଗ ସଙ୍ଗେ ସମ୍ଭାଇଲେ କେମନ୍ତେ ।

ଏ ଆଶଙ୍କ ଉପୁଜନ୍ତେ             ପୁରାଣେତିହାସ ଶାସ୍ତ୍ରେ

ଶୁଣାଥିବା କଥା ଆପେ ଆଭାସେ ଚିତ୍ତେ ।

ରୁଷିପୋଷ ହର-ଉଦର ।

ବହିଲା କେମନ୍ତେ ସିନ୍ଧୁ ବିଶ୍ୱ-ସଂସାର । ୩୦ ।

 

ସ୍ୱୟମ୍ୱରୋଚ୍ଛବପାଇଁ             ବିବିଧ ବର୍ଣ୍ଣେ ରଞ୍ଜାଇ

ସେ ନଗରୀ-ଦ୍ୱାର-ଘର-ସରଣୀ-ଶ୍ରେଣୀ ।

ନାନା-ବିଚିତ୍ର-ଚିତ୍ରରେ             ଚିତ୍ରିଥିଲେ ଶିଳ୍ପିବାରେ

ଏକା ଆକାଶେ ନ ଥିଲା ତାଙ୍କ କରଣି ।

ସମାଗତ ଭୂପତି-ବ୍ରାତ ।

- ଭୂଷାମଣି-କିରଣେ ସେ ହେଲା ଚିତ୍ରିତ । ୩୧ ।

 

ଆଗତ-ଭୂଭୃତଙ୍କର             ସେବାବଶୀଙ୍କ ଆଡ଼ମ୍ୱର

ଦେଖି ସ୍ଥକିତ ଲୋଚନ ନ ବଳେ ତିଳେ ।

ବିଳାସ-ବୈଦଗ୍‌ଧ୍ୟ             ଅଳଙ୍କାର ସୌନ୍ଦର୍ଯ୍ୟ

ଏକର ଏକୁଁ ଅଧିକ ତା କବି-ବଚନ ବଳେ ।

ତାଙ୍କୁ ଶିଶୁ ବାଳୀଶ ବାଳୀ ।

ଦେଖି ଏ ନୃପ କେ ବୋଲି ହୁଅନ୍ତି ଭାଳି । ୩୨ ।

 

ଚାମର-ଚାଳନୁଁ ସ୍ୱେଦ             ନ କରେ ଗାତ୍ରେ ଆସ୍ପଦ

ଚିତ୍ରେ ଚାହିଁ ନେତ୍ର ପକ୍ଷ୍ମପାତେ ତେଜଇ ।

ସୁବିସ୍ତୃତ ଆତପତ୍ର                  ରୋଧନ୍ତେ ସହସ୍ରପତ୍ର

-ବନ୍ଧୁ-କର ଫୁଲମାଳ ମଉଳେ ନାହିଁ ।

ଏଣୁ ସ୍ୱୟମ୍ୱରସଭାରେ ।

ନ ଥିଲା ପାର୍ଥକ୍ୟ ନର-ଅମରବରେ । ୩୩ ।

 

ନାନାବିଧ-ଭାଷା-ଭାଷୀ             ବିବିଧସ୍ଥାନ-ନିବାସୀ

ଜନେ ଆସି ରହିଛନ୍ତି ସେ ପୁରୀ ପୂରି ।

କାହାରେ କାହାର ଗିର             ବୁଝିବା ସମ୍ଭବପର

ନୋହିବ ବିଚାରି ସର୍ବେ ସଂସ୍କୃତ କରି ।

ଚିତ୍ତଭାବ ପରକାଶନ୍ତି ।

ତେଣୁ ନରମଧ୍ୟେ ସୁରେ ବାରି ନୁହଁନ୍ତି । ୩୪ ।

 

ଭିତ୍ତିଗାତ୍ରରେ ଚିତ୍ରିତ             ଭୀମଜା-ଚିତ୍ରିତ-

ଜିତ୍ରବ୍ରାତରେ ପକାଇ ନେତ୍ର ସ୍ଥକିତ ହୋଇ ।

ଇତର ବୃତ୍ତାନ୍ତେ ଚିତ୍ତ            -ଯୋଗ ନ କରୁ କିଞ୍ଚିତ

ଦିବା ଯିବାର ଭୂଭୃତେ ଗୋଚର ନୋହି ।

ଯାଏ ପାହି ନିଶା ନିମିଷେ ।

ସ୍ୱପ୍ନେ ସେ ନବୀନାଙ୍ଗନା-ସଙ୍ଗମ-ବଶେ । ୩୫ ।

 

ଶ୍ରୀଅଙ୍ଗ ଅର୍ପିବା ସମ             ଚିତ୍ତେ ଜନ୍ମାଇଁ ବିଭ୍ରମ

ନିଶାରେ ଭୂପତି-ସ୍ତୋମମନେ ସେ ଜେମା ।

ନ ବିନାଶି ସତୀପଣ             ଆପଣା ବଦାନ୍ୟଗୁଣ

କରି ଭ୍ରାନ୍ତି ବିତରଣ କରଇ ଜମା ।

ସ୍ୱଭାବେତ ସେ କଳ୍ପଲତା ।

ଅଳ୍ପକ ସଂକଳ୍ପ କି ନୃପଙ୍କ ନୁହନ୍ତା । ୩

 

ପରଦିନ ବିଦର୍ଭେଶ            -ଦୂତସମୂହ ନରେଶ

-ମାନଙ୍କ ପାଶରେ ଯାଇଁ ଦେଉ ଜଣାଇଁ ।

ଯା’ର ଚିତ୍ତକୁ ଯେପରି             ଆସଇ ସେ ସେହିପରି

ଅଙ୍ଗ ଶ୍ରୀ ସିଂହାରକରି ମନ ମନାଇଁ ।

ବିଜେକରି ଯେ ଯା ସମ୍ଭର୍ବେ ।

ସ୍ୱୟମ୍ୱର-ମଣ୍ଡପକୁ ଭୂଷିଲେ ସର୍ବେ । ୩

 

ଏ ସମୟେ ନଇଷଧ            -ଅଧିପ ନଳନରେନ୍ଦ୍ର

କଲେ ବିଜେ ସଭାମଧ୍ୟ-ମଣ୍ଡପେ ଯାଇଁ ।

ଯାହାର ଅନଳଙ୍କୃତ,             -ଗାତ୍ରରେ ସହସ୍ରନେତ୍ର

-ପାତ ମାତ୍ରକେ ବୃତ୍ରହା ନପାରି ନେଇ ।

ବିଭୂଷିତ ରୂପାସ୍ତ୍ର ରତି-।

ପତିରେ ଇତର ବୁଦ୍ଧି ରଖନ୍ତି ନିତି । ୩୮ ।

 

ପ୍ରକାଶି ସ୍ୱଅଙ୍ଗ-ରାଗ             ନିଖିଳ-ନୃପତି-ବର୍ଗ

-କଳାକର ନଳନରବର ବିଜୟ ।

କରି ସେହି ସ୍ୱୟମ୍ୱର            -ସଭାକୁ ନଭ-ଶୋଭାର

ଅଧିକାରୀ ବୋଲି ଦେଲେ କରାଇ ଥୟ ।

ତହୁଁ ନେତ୍ରପଥରେ ଥରେ ।

ହେଲେ ନ ପଡ଼ିଲେ କ୍ଷତ୍ର-ନକ୍ଷତ୍ରକୁଳେ । ୩୯ ।

 

ବିଜୟ କରନ୍ତେ ନଳ             ଆନ-ଭୂପାଳ-ସକଳ

ସେ ରୂପ ବିଲୋକି ହୋଇ ମହା ବିସ୍ମୟ ।

ଉତ୍କଣ୍ଠିତ ନେତ୍ର-ବ୍ରାତେ             ପକାଇଲେ ତାଙ୍କ ଗାତ୍ରେ

ପ୍ରଥମେ ପରେ ସଙ୍କୋଚି ଭ୍ରୂଲତା ଦ୍ୱୟ ।

ଇର୍ଷାକଳୁଷିତ ଦୃଷ୍ଟିକି ।

ନିକ୍ଷପିଲେ ବିଚାରି ଏ ବଜ୍ରମୂଷ୍ଟିକି ? । ୪୦ ।

 

ହିଁସୁକ-ନରେଶ-ପନ୍ତି             ନଳକୁ ଲକ୍ଷି ହୁଅନ୍ତି

କୁହାକୁହି ନିନ୍ଦାଗର୍ଭ ସ୍ତତି-ରୀତିରେ ।

କେ ବୋଲେ ‘‘ଏ ଦୋଷାକର             କିପାଁ ତେଜି ନଭସ୍ଥଳ

ବଡ଼ିଲା ଆସି ଏ ସ୍ଥଳେ ଖସି କ୍ଷିତିରେ’’ ।

‘ମାର ଭାଇ ଏ’ କେ ବୋଲଇ ।

‘ଅଶ୍ୱିନୀସୁତ-ସୋଦର’ ବୋଲି କେ କହି । ୪୧ ।

 

ପୂର୍ବର ମତ୍ସର ଉକ୍ତି             ଶୁଣି ଭାଷେ କେ ଭୂପତି

ଅତିଯତ୍ନେ ସାଇତି ମତିରେ ହିଁସାକୁ ।

କ୍ଷିତି-ଶଶି ଏ ନିଶ୍ଚୟ             ଅନଙ୍ଗ ମୂର୍ତ୍ତି ଦ୍ୱିତୀୟ

ଏକା ଏ ଅଶ୍ୱିନୀକୁମାରଙ୍କ ପରକୁ’ ।

ନିନ୍ଦୁ ନିନ୍ଦୁ ନୃପେ ଏମନ୍ତ ।

ନୃପେନ୍ଦୁ-ନଳଙ୍କ ହେଲା ସେ ସ୍ତୁତିବତ । ୪୨ ।

 

ପୁଣି ତହିଁ କେହି କେହି             ଛଳେ ନଳରୂପ-ବହି

ଥିବା ଦେବଙ୍କୁ ଚିହ୍ନାଇ ନଳଙ୍କୁ ଲକ୍ଷି ।

ଭାଷନ୍ତି ‘‘ଏମନ୍ତ ଲୋକ             ଏ ସଂସାରେ ଲକ୍ଷ ଲକ୍ଷ

ଛନ୍ତି କେ ବା ନେତ୍ରେ ତାଙ୍କୁ ନଥାଏ ଦେଖି ?’’।

ନିଜେ ହାରିଲେହେଁ ନିନ୍ଦୁକ ।

ଆନୁଁ ଉନ ଶତ୍ରୁ ବୋଲି ବିଖାଣେ ଟେକା । ୪୩ ।

 

କାହିଁ ଯା ନ ଥିଲେ କିଛି             ଦୁର୍ଗୁଣ ଦେବାକୁ ବାଛି

ତା’ର ବୃଥାଦୋଷ ଆରୋପଇ ଯେ ଜନ ।

ସେ ଲଭଇ ଖଳପଦ,             ଭୂଷିଲେହେଁ ସେ ସଂସଦ

ଶ୍ରୀଅଙ୍ଗ-ଶୋଭାରେ ନଳ; ନ ଘେନି ମନ ।

ସେ କଥାକୁ ଅମରବରେ ।

ମରତା ଥିବାରୁ ନଳ-ନୃପେ ଦୂଷିଲେ । ୪୪ ।

 

ପାଶେ-ବସିଥିବା ଛଳ            -ନଳସ୍ୱରୂପୀ ଚତୁର

ଅମରବରେ ନେତ୍ର-ନିପାତ-ମାତରେ ।

ସେରୂପେ ବିସ୍ମିତ       ହୋଇ             ପୂଚ୍ଛନ୍ତି ନିଷଧସାଇଁ

ବଦନେ ତାଙ୍କୁ ଅନାଇଁ ମଧୁରଗିରେ ।

‘ଆପଣ କିଏ ଚାରିଜଣ ।

ନାସତ୍ୟଯୁଗଳ ପୁରୁରବା ମଦନ’ । ୪୫ ।

 

ଶୁଣି ନରପତି-ଗିର             ଭାଷନ୍ତି ସେ ସୁରବାର

‘‘ଆମ୍ଭର କା’ର ଇଳାରୁ ନୁହେଁ ଉତ୍ପତ୍ତି ।

ରହିଛୁଁ ତୁମ୍ଭ ଅନ୍ତିକ             ଆମ୍ଭେ ସର୍ବେ ଅଦର୍ପକ

ନାସତ୍ୟତା ନାହିଁକା’ର ବିଚାର ମତି ।

ତୁମ୍ଭର ଏମନ୍ତ ପୂଚ୍ଛାକୁ ।

କି ଗୁଣେ ହେଲୁ ଭାଜନ ଆମ୍ଭେ ତୁଚ୍ଛାକୁ । ୪୬ ।

 

ସେ ସୁର-ଚତୁରୁଁ ପର             ଶିରୀ-ବିଦୂରିତ-ସ୍ମର

ଦେବ ଆମ୍ଭଙ୍କୁ ଚିତ୍ତରେ କର ବିଚାର ।

ଏ ସ୍ୱୟମ୍ୱର-ସଭାରେ             ପ୍ରତି-ନୃପତି-ପାଶରେ

କ୍ଷମା ତ ମଣ୍ଡିବ ଯେମା ଭୀମ-ଭୂପର ।

ତେତେବେଳେ କପାଳ-ଗୁଣେ ।

ତାକୁ ବା ଲଭିବ ଆମ୍ଭ ମଧ୍ୟୁଁ କେ ଜଣେ । ୪

 

ଆହେ ନରବର ତବ             ଏରୂପେ ଆମ୍ଭେ ସରବ

ମୁଗ୍‌ଧଭାବ ଆଶ୍ରି ଯା ରହିଛୁଁ ଏ ସ୍ଥଳେ ।

ଆଶା ପତିତ୍ୱେ ଆମ୍ଭର             ହେଉଧିକ ଶତବାର

ଧିକ ଧିକ ଏ ଆମ୍ଭ ବିବୁଧ-ପଣରେ ।

ଫଳିବ କି ଆମ୍ଭର ଆଶା ? ।

ହେବ କି ଯୋଷାରତନ ହୃଦୟଭୂଷା’’ । ୪୮ ।

 

ପୂରୁବୁଁ ଆଶାଙ୍କା କିଛି             ଭୂପତି-ମତିରେ ସଞ୍ଚି

ନୋହିଥିବାରୁ ଦେବଙ୍କ ଏମନ୍ତ ଅର୍ଥ-।

ଦ୍ୱିତୀୟାଶ୍ରିତ ଭାରତୀ             ପଶି ଶ୍ରୁତିରେ ଉତ୍ପତ୍ତି

ନ ପାରିଲା କରି ତାଙ୍କ ତର୍କ କିଞ୍ଚିତ ।

ରାମା-ରତ୍ନ-ଲାଭ ନିମିତ୍ତ-।

ଯତ୍ନେ ଯେଣୁ ସେ କାଳରେ ଥିଲେ ସେ ବ୍ୟସ୍ତ । ୪୯ ।

 

ଯେ ନିଜ ପ୍ରାଧାନ୍ୟ ପାଇଁ             ପରେ ସ୍ପର୍ଦ୍ଧା କରୁଥାଇ

ଊଣା ସେ ସ୍ପର୍ଦ୍ଧିଷ୍ଣୁ ନିଶ୍ଚେ ସେ ପରଠାରୁ ।

ଯେ ବା ନିଜ-ନୀଚତାରେ             ଏରୂପେ ପ୍ରକାଶ କରେ

ତାରେ ସାଧୁ ଅବହେଳା ଭିନ୍ନ କି କରୁ ?

ଏଣୁ ସରବରଙ୍କ ଗିରେ ।

ଅବହେଳନ ନଳଙ୍କ ଶୋଭେ ବିଧିରେ । ୫୦ ।

 

ସେ ସ୍ୱୟମ୍ୱର-ସଭାର             କି ବର୍ଣ୍ଣିବି ଆଡ଼ମ୍ୱର

ଯା ଦର୍ଶନପାଇଁ ପୀତାମ୍ୱର ଅମ୍ୱରେ ।

ବିଜେକରି ଥିଲେ ରଙ୍ଗେ             ଶିରୀ ସରସ୍ୱତୀ ସଙ୍ଗେ

ଏକେ ନିନ୍ଦୁଥିଲେ ବିଦ୍ୟୁତ୍‌ବନ୍ତ ମୁଦିରେ ।

ବନ୍ଦୁଥିଲେ ଅପର ଦେବୀ ।

ତାନମାନେ ବୋଲି ତାଙ୍କ କୀର୍ତ୍ତିପଦବୀ । ୫୧ ।

 

ନ ଦେଖିଲେହେଁ ଶଙ୍କର             ଶିରପର ପରଚାର

କରିଥିଲେ ଯେ କେତକୀ-ଥିବାର ତହିଁ ।

ସେହି ଦେବ ବେଦବର             ସମ୍ଭର୍ବ ଏହି ସଭାର

ନଦେଖି ସ୍ୱପୁରେ ରହି ପାରିଲେ ନାହିଁ ।

ଆସି ବେଗେ ମିଳି ଗଗନେ ।

ନିବେଶିଲେ ଅଷ୍ଟଦିଗେ ଅଷ୍ଟ ନୟନେ । ୫୨ ।

 

କଲେ ବଡ଼ ବୁଦ୍ଧି ଦିନ            -ଈଶ୍ୱର ତ୍ରିଚତୁର୍ଗୁଣ

-ଆତ୍ମାରୁ ମେରୁ-ଭ, ମଣେ ଏକ ରଖିଲେ ।

ଅପରେ ସରିତେଶ୍ୱର            -ସୁତା-ପତି-ବିଶ୍ୱମ୍ୱର

-ନେତ୍ର ହୋଇ ସ୍ୱୟମ୍ୱର-ସଭା ଦେଖିଲେ ।

ଆନ ଦଶ ଆତ୍ମାରେ ଦଶ ।

ଦଶ ଦେଖିଲେ ପୂରିଛି ଲୋକେ ବିଶେଷ । ୫୩ ।

 

ଅବିରତ ତ ତ୍ରିଦଶ            -ନିବାସ-ହର୍ମ୍ମ-ସଦୃଶ

ସୁମେରୁ ଗିରିର ଚାରି ପାରୁଶେ ଶଶୀ ।

ଭ୍ରମୁଥାନ୍ତି; ସ୍ୱୟମ୍ୱର             ଦେଖିବାକୁ କାହିଁ ତର

ତାଙ୍କୁ, ସେ କଲେ ବିଚାର ଏମନ୍ତ ବସି ।

ଗଲେ ହୋଇ ହରିନେତ୍ର ସେ ।

ସଭା ନ ଦେଖିବା କ୍ଷୋଭ ନୋହିଲା ଲେଶେ । ୫୪ ।

 

ସେ ସମୟେ ସ୍ୱୟମ୍ୱର            -ସଭାରେ ବରନିକର

-ଶୋଭା ବିଲୋକନେ ଲୋଳ ଅପ୍‌ସରୀକୁଳ ।

ନଭୁଁ ଭୂରେ ପରିବେଶି             ମନୁଷ୍ୟ-ସାଗରେ

ମିଶି ଗଲେ ରସ ନ ପ୍ରକାଶି ବିଳମ୍ୱତିଳ ।

ତହିଁ ତାଙ୍କ ବଦନମାନ ।

ନ ଲୁଚି ଦିଶିଲେ ପଦ୍ମବନ ସମାନ । ୫୫ ।

 

କେବା ସେ ସଭା-ଦର୍ଶନ            -ଆଶାରେ ନୋହି ଉନ୍ନନ

ସେ ସ୍ଥଳେ ସେକାଳେ ପଦ ଦେଇ ନ ଥିଲା ।

ଲକ୍ଷ ଲକ୍ଷ ଯକ୍ଷସିଦ୍ଧ             ଶତ ଶତ, ବୃନ୍ଦବୃନ୍ଦ

କିନ୍ନର ନିବହ ତହିଁ ରଚିଲେ ଲୀଳା ।

ସହସ୍ର ସହସ୍ର ମହର୍ଷି ।

ହର୍ଷଭରେ ଥିଲେ ସ୍ୱୟମ୍ୱରକୁ ଆସ । ୫୬ ।

 

ବହୁଶାଖା-ସମନ୍ୱିତ-            ବେଦତ୍ରୟ-ତରୁ-ବୃତ

କଣ୍ଠ-ପଥରେ ଯାହାର ଅମରପୁରୁଁ ।

ଅମର-ଭାରତୀ ଲେଶେ             କ୍ଳେଶ ନ ଲଭି ଭୂଦେଶେ

ଅବତରି ଭୂଷି ଥିଲେ, ସେ କବି ଗୁରୁ ।

ବାଲମୀକି ଋଷି-ପ୍ରାଧାନ ।

ସଭା-ପ୍ରଶଂସାରେ ହେଲେ ଶତବଦନ । ୫

 

ଚାର୍ବାକରୂପେ କ୍ଷତିକି             ଉତୁରି ବେଦତତିକି

ସୁରାରାତିଙ୍କ କ୍ଷତିକି ଯେ ଚିନ୍ତି ଚିତ୍ତେ ।

ଅପାର୍ଥ ପ୍ରକାଶି ଦୁଷି            -ଥିଲେ ଯା ଜିହ୍ୱାରେ ରସି

କାବ୍ୟଦେବୀ ଥାଏ ବସି ଅନୁବରତେ ।

ସୁରପୁରୁ ସେ ବୃହସ୍ପତି ।

ପରବେଶି ସ୍ୱୟମ୍ୱରେ ପରଶଂସନ୍ତି । ୫୮ ।

 

ସଂସ୍କୃତ ଭାରତୀ ଯହିଁ             ନିରତିଶୟେ ଶୋଭଇ

ସେ ତ୍ରିଦିବେ ବିଚିତ୍ର-ବଚନ-ରଚନେ ।

କବି ବୋଲି ଯା’ର             ଖ୍ୟାତି ଯେ ରାତ୍ରିଚରଙ୍କୁ

ନୀତି-ପ୍ରଦାନେ ନିପୁଣ ଅତି ସକଳ ଦିନେ ।

ମିଳି ସେ ଆଚାର୍ଯ୍ୟ ଭାର୍ଗବ ।

ବର୍ଣ୍ଣିଲେ ସଭା-ଶୋଭାକୁ କାବ୍ୟରେ ଯବ । ୫୯ ।

 

ବୋଲନ୍ତି ‘‘ସତେକି ଭୀମ             ମହୀପତି ପରିଶ୍ରମ

କରି ଏତେ ନୃପତିଙ୍କି ଛନ୍ତି ଠୁଳାଇ ।

କି ଅବା ଦମୟନ୍ତିର             ଗୁଣାବଳୀ ଦିଗନ୍ତର

-ବାସୀ ସେମାନଙ୍କୁ ଆଣିଅଛି ମେଳାଇ ।

ତା ନୁହେଁ ଏ ବିଚାରି ବହି ।

ସ୍ୱଶିଳ-କୌଶଳ ସର୍ବ ଦେଲା ଦେଖାଇ । ୬୦ ।

 

ପଞ୍ଚଶରକୁ ପଞ୍ଚତ୍ୱ             ଦେଇଥିଲେ ପଞ୍ଚବକ୍ତ୍ର

ଯେଣୁ କେ ନ ଥିଲେ ତୁଲେ ଥିଲା ସେ ଏକା ।

ଏବେ ସେ କ୍ଷତିପୂରଣ             କରି ବହୁତ ଆପଣ

ରୂପେ ନିର୍ମ୍ମାଣି ପ୍ରବୀଣ ବୀରଙ୍କ ଚୋଖା ।

ସ୍ୱୟମ୍ୱରେ ଦେଇଛି ଦେଖା ।

ଚିନ୍ତି ଏଘାନ୍ତି କେ ଜିତେ ଯାଉତ ଦେଖା । ୬୧ ।

 

ଏମନ୍ତ ମନକୁ ଆସେ             ପୂର୍ଣ୍ଣଶଶୀ ପ୍ରତିମାସେ

ରଚିଥିଲା ସୃଷ୍ଟିଠାରୁ ଯେତେକ ବିହି ।

ସେ ସକଳକୁ ଠୁଳାଇ             କାହିଁ ଥୋଇଥିଲା ନେଇ

କାର୍ଯ୍ୟ ପଡ଼ନ୍ତେ ଏବକୁ ତାଙ୍କୁ ଅଣାଇଁ ।

ବିରଚିଲା ଏ ମୁଖମ୍ମାନ ।

ନୋହିଲେ ହୁଅନ୍ତା କାହୁଁ ଏଡ଼େ ଲାବଣ୍ୟ । ୬୨ ।

 

ଏ ନରପତି ପ୍ରତ୍ୟେକ             ରତନ ତ ଏକ ଏକ

ଏ କିପାଁ ମଣି-ମାଣିକ୍ୟ ଏତେ ବହନ୍ତି ।

ସ୍ୱ-ପ୍ରକାଶ ବ୍ରହ୍ମଜ୍ଞାନ             ଜନ୍ମିଲେ ତା ପ୍ରକାଶନ

-ପାଇଁକି କି ଅନ୍ୟଜ୍ଞାନ ଲୋଡ଼ା ହୁଅନ୍ତି ?

ନିଜମୁଖ ନିଜେ ନ ଦିଶେ !

ନ ଚିହ୍ନନ୍ତି ତେଣୁ ଆପଣାକୁ ଆପେ ସେ । ୬୩ ।

 

ଏ ସୁନ୍ଦର ବୃନ୍ଦ-ଦରଶନେ             ଅଶ୍ୱନୀକୁମାର ଆସି ପଶିବେ

ଏ ନୃପ-ସାଗରେ ଯେବେ ।

ତାଙ୍କ ଏହାଙ୍କ ଶରୀର            -ଶୋଭା ତାରତମ୍ୟ ତିଳ

ନଥିବାରୁ ସେ ଯୁଗଳ-ଅମରେ କେବେ ।

ବରାବରି ନୋହି ପାରିବେ ।

ବର୍ଷଶତ-ପରିଯନ୍ତେ ଯେବେ ଲୋଡ଼ିବେ । ୬୪ ।

 

ଏତେ ବିଦଗଧ ଯୁବା             ଥାଉ ଥାଉ ପୁଷ୍ପଧନ୍ୱା ଯେବେ

ଦଗ୍‌ଧ ଗଲା ହୋଇ ହରରୋଷରେ ।

ତହିଁବା ଏମନ୍ତ କିସ             ସଂସାରର ହେଲା ନାଶ ?

ଆତୀର-ପରିପୂରିତ ଘନ-ରସରେ ।

ସାଗରର ବିନ୍ଦୁଏ ନୀର ।

ଶୁଖିଲେ କେ ଶୁଷ୍କଦୋଷ ବାଛଇ ତା’ର ?’’ । ୬୫ ।

 

ଏମନ୍ତେ ଅସୁର-ଗୁରୁ      -ମୁଖରୁ ସଭାର ଚାରୁ

ବର୍ଣ୍ଣନ ସରୁ ନ ସରୁ ଗନ୍ଧର୍ବବାର ।

ହୁଁ କାରି ଆରମ୍ଭୁ ଗାନ             କାବ୍ୟ-ବଚନକୁ ଘେନି

ହୋଇଲେ ସେ ‘ହଁ ହଁ ହଁ’ ଭାଷଣ ପ୍ରକାର ।

ବେଦପଢ଼ୁଁ ଓଁ କାରି ଋଷି ।

ତାକୁ ସେ ତଥାସ୍ତୁ-ବତ ଗଲା ଆଭାଷି । ୬୬ ।

 

ତହୁଁ ବିଦର୍ଭ-ନାୟକ             ସିଂହାସନରେ ପ୍ରତ୍ୟେକ

ରାଜସିଂହକୁ ସାଦରେ ବିଜେ କରାଇ ।

ସୁମେରୁକନକ-ଶୃଙ୍ଗେ             ବିଜେ କଲାପରି ରଙ୍ଗେ

ବୃନ୍ଦାରକବୃନ୍ଦ ସଭା ଶୋଭା ଦିଶଇ ।

ମର୍ତ୍ତ୍ୟାମର୍ତ୍ତ୍ୟ ପ୍ରଭେଦ ସିନା ।

ଦେବ ପଦେ ତ କେ କାରେ ନୁହଁଇ ଊଣା । ୬

 

ବିଲୋକି ମହୀଶ-ବୃନ୍ଦେ             ବିଷାଦ ଆଦରି ହୃଦେ

ଭାବନ୍ତି ବିଦର୍ଭେଶ୍ୱର ଏବେ କି ହେବ ।

ନାନା-ଦେଶାଧୀଶ             ଏତ ଏହାଙ୍କ ଗୋତ୍ର-ଚରିତ୍ର

ଦେବ ବ୍ୟତୀତ ମାନବ କାହୁଁ ଜାଣିବ ।

ଜେମା-ପାଶେ ମୋର କେ ରହି ।

ପ୍ରତି ନୃପତି ବୃତ୍ତାନ୍ତ ଦେବ ବୁଝାଇ । ୬୮ ।

 

ହୋଇ ବ୍ୟାକୁଳ ଏମନ୍ତ             ଏକତାନ କରି ଚିତ୍ତ

କୁଳ-ଦେବତା-ଶ୍ରୀକାନ୍ତ-ପଦ-କମଳେ ।

ଦେଲେ ଥୋଇ ଭକ୍ତଜନ            -ଚିନ୍ତା-ଚିନ୍ତାକୁ ଯା ଦାନ

ଚିନ୍ତାମଣି-କଳ୍ପଦ୍ରୁମ-ମାଳକୁ ବଳେ ।

ଅରିଦରକର ସେ ହରି ।

କେ ଭକ୍ତ-ଚିନ୍ତା-ପର୍ବତ ନ ଥାନ୍ତି ଚୂରି । ୬୯ ।

 

ଚିନ୍ତିବା-ମାତ୍ରକେ ନର            ବର ତା କମଳାବର

ବାରି ଠାରି ଭାରତୀକି ବୋଲନ୍ତି ହସି ।

“ଏ ସ୍ୱୟମ୍ୱରେ ଭୂପତି             ଅସଂଖ୍ୟ ତ ପୂରିଛନ୍ତି

ଏହାଙ୍କ କୂଳ-କୀରତି-ତତି ପ୍ରକାଶି ।

ପାରେ ତୋ ବାହାର ଆନ କେ ।

ପୂଜିତା ତୁ ତ ବାଗ୍ମୀପ୍ରବରମାନଙ୍କେ । ୦ ।

 

ନାନାଦି ଦିଶ-ବିଦିଶ            -ବଂଶୁ ଆଗତ ନରେଶ

-ସମୂହର କୁଳ ଶୀଳ-ବଳ-ବୃତ୍ତାନ୍ତ ।

ନାହିଁ ତ ଲିତାଏ ତୋତେ             ଅଜଣା କାହିଁ କିଞ୍ଚିତେ

ଏଣୁ କହୁଛି ରେ ଏଥି ପ୍ରାଣ ସଙ୍ଗାତ ।

ବକ୍ତ୍ରୀପଦ ଗ୍ରହଣ କର ।

ନୀରବେ ରହିବାବେଳେ ଏ ନୁହେଁ ତୋର । ୧ ।

 

ଜଗତତ୍ରୟ-ପଣ୍ଡିତ             ମଣ୍ଡଳିରେ ଏ ମଣ୍ଡିତ

ନ ଥିଲା ନାହିଁ ନୋହିବ ଏ ସଭା କାହିଁ ।

ଅବନୀ-ବନିତା-            ବରମାନଙ୍କର କୁଳଶୀଳ

-ବଳ-ବିଜ୍ଞାପନଛଳ ଆଦରି ସହି ।

ବିବୁଧଙ୍କୁ ଦିଅ ବତାଇ ।

ଚିତ୍ର-ଭାରତୀ-ଚାତୁରୀ-ତତିକି କହି ।’’ ୨ ।

 

ଭାଷନ୍ତେ ଏମନ୍ତ କାନ୍ତ             ସର୍ବ-ସୁପର୍ବାଣ-ନତ

-ମସ୍ତକ-ବାଜି ଝଡ଼ିବା ପରାଗୁଁ ଶେଷ ।

ରହିଥିଲା ଯା ତାଙ୍କର             ପୟର-ଶତପତର

-ଅଙ୍କରେ ଶିରେ ତା ବହି ପ୍ରସାଦ-ଦୃଶ ।

ଆଜ୍ଞା ତୁଲେ ଅତି ଆଦରେ ।

ଗମିଲେ ଭାରତୀ ସ୍ୱୟମ୍ୱରେ ମୋହରେ । ୩ ।

 

ସଭା ମଧ୍ୟେ ସରସ୍ୱତୀ             କଲେ ବିଜୟ ଝଟତି

ଗନ୍ଧର୍ବ-ବିଦ୍ୟା ଯାହାର କଣ୍ଠପ୍ରଦେଶ ।

ଉଦର-ଦେଶ ରୁଚିର            -ବଳିତ୍ରିତୟ-ବ୍ୟାଜର

କରିଛନ୍ତି ବେଦତ୍ରୟ ଆତ୍ମ-ପ୍ରକାଶ ।

ଅପାଙ୍ଗ-ବିକ୍ଷେପ-ନିକର ।

ପରିପୃଷ୍ଟ ହୋଇଛନ୍ତି ସାହିତ୍ୟେ ଯା’ର । ୪ ।

 

ବଳିତ୍ରୟ-ବେଦ-ବେଦୀ             ଊର୍ଦ୍ଧ୍ୱକୁ ଅଥର୍ବ ଭେଦି

ମେଚକକାନ୍ତି ପ୍ରକାଶି ଦିଶେ ଶୋଭିତ ।

ନାନାବିଧ-ବ୍ୟଭିଚାର            -ବିଧିରେତ ନିରନ୍ତର

ପୂରିତ ସେ ତେଣୁ ତା’ର ଜ୍ୟୋତି ଅସିତ ।

ଉଦରର ରୋମ-ଆବଳି- ।

ଛଳେ ଆଶ୍ର ପରିକାଶି ଅଛି ସେ ଝଳି । ୫ ।

 

ଚରିତ ଶିକ୍ଷା ସାକ୍ଷାତ             ଆକାଳ୍ପ ଯା କଳ୍ପବ୍ରାତ

ନିରୁକ୍ତି-ରୂପ ଯାହାର ଅଟେ ନିରୁକ୍ତ ।

ଦୀର୍ଘଗୁଣ-ଭାବାଶ୍ରୟୀ             ବିବିଧ-ଶବ୍ଦ-ବିଧାୟୀ

ବ୍ୟାକରଣ ହୋଇଛି ଯା କାଞ୍ଚି-ପ୍ରତୀତି ।

ଅଙ୍କେ ଭୃତ ଉଦିତ ତାର-।

ବୃତ୍ତା ଜ୍ୟୋତିର୍ମୟ-ବିଦ୍ୟା କଣ୍ଠ ଯାହାର । ୬ ।

 

ବାଦୀ ପ୍ରତିବାଦିଙ୍କର             ସ୍ୱପକ୍ଷରାଗେ ଭାସୁର

ପୂର୍ବୋତ୍ତର-ପକ୍ଷଶାସ୍ତ୍ରେ ଓଷ୍ଠଅଧର ।

ଦୁଇ, ଧର୍ମକମାତ୍ମକ             ମୀମାଂସା ପରାଚ୍ଛାଦକ

ମାଂସଳ-ଭୂରୁଯୁଗଳ-ବତ ଯାହାର ।

ଷୋଳ ଦ୍ରବ୍ୟେ ଲକ୍ଷଣୋଦ୍ଦେଶ୍ୟେ ।

ଦ୍ୱିଧା ଆନ୍ୱିକ୍ଷିକୀ ରଦଦ୍ୱିପାଳି-ଦୃଶେ । ୭୭

 

ରଦନତର୍କ ନିଶ୍ଚିତ             ନୋହିଲେ ବାଦେ କେମନ୍ତ

ବିକଶୁଥାନ୍ତା ସାମର୍ଥ୍ୟ ତାଙ୍କର ଏତେ ।

ପତ୍ରାଦାନେ ଗୁଣଶାଳୀ             ପୂଗ କରିବାର ଧୂଳି

ଶକତି କାହୁଁ ହୁଅନ୍ତା ଆଉ ଏମନ୍ତେ ।

ବ୍ୟାସ ପରାଶରେ ଉଦ୍‌ଗତ ।

ମତ୍ସାଦିରେ ଯା ପାଣି-ପଲ୍ଲବ ଶୋଭିତ । ୮ ।

 

ଯା ଆକଳ୍ପ ଛେଦବିର            ହିତ ଧର୍ମ ଶାସ୍ତ୍ରଶିର

ଶୃତିମୂଳଶାଳୀ ହୋଇ କଣ୍ଠରେ ରହି ।

କାମୋଦ ବୃଦ୍ଧି ନ କରେ             ପ୍ରଣବ-ଦୁଇ ଦଳରେ

ଭୂରୁ ଯା ତା ବିନ୍ଦୁଭାଲେ ତିଳକ ଶୋହି ।

ବାକି ଅର୍ଦ୍ଧଚନ୍ଦ୍ରେ ବଲ୍ଲକୀ ।

-ବଜାଇବା ଧନୁକୁ ବିରଞ୍ଚି କଲାକି ? । ୯ ।

 

ଲେଖା ଶେଷରେ ଠକାର             ଦେଖାଯାଏ ଯା ତା ସାର

ନେଇ ଯା କୃଣ୍ଡଳଯୁଗ ରଚା ହୋଇଛି ।

ସାଥି ହେମ-ଲେଖନିର             କର-ଅଙ୍ଗୁଳି-ନିକର

ମସି-ନିର୍ଯ୍ୟାସେ ଚିକୁର-ବାର ଶୋହିଛି ।

ଘେନି କଠିନୀର ସାରାଂଶ ।

ନିର୍ମିତ ହୋଇଛି ଯା’ର ମଧୁରହାସ । ୮୦ ।

 

ମୂଖ ଯା ସୋମ-ସିଦ୍ଧାନ୍ତ            ମୟ ଉଦର ସାକ୍ଷାତ

ଶୂନ୍ୟାତ୍ମତା-ବାଦମୟ ଅଟଇ ଘେନ ।

ବିଜ୍ଞାନ-ସାମସ୍ତ୍ୟମୟ             ହୃହୟ ଯାର ନିଶ୍ଚୟ

ସାକାର-ତା ସିଦ୍ଧିମୟ ଯା ଅପଘନ ।

ସେ ଶ୍ରୀହରି-ଚିତ୍ତହାରିଣୀ ।

ବାଣୀ ବିଜେ କଲେ ସଭାମଧ୍ୟେ ସେକ୍ଷଣି । ୮୧ ।

 

ଭୀମ ଭୂପତି ବଦନ             ଚାହିଁ ବଚନ-ରଚନ

କରନ୍ତି ଦେବୀ ‘‘ରାଜନ ନୁହେଁ ଏକାଳେ ।

କିପାଇଁ ବିରସ ହୁଅ             ଏତ ଆନନ୍ଦ ସମୟ

ଯେତେ ନୃପ ଛନ୍ତି ଏଥି ସଭାମଣ୍ଡଳେ ।

ସମସ୍ତଙ୍କ ଚରିତ୍ର ଗୋତ୍ର ।

ଯଥା-ଯଥ-ଭାବେ ମୁଁ କରିବି ବ୍ୟକତ । ୮୨ ।

 

ମନ୍ଦାକିନୀ ଯାର ପଦ            -ଅରବିନ୍ଦେ ମକରନ୍ଦ

ପରାଏ ବିରାଜେ ସେ ମୁକୁନ୍ଦ-ଆଦେଶ ।

ଶିରେ ବହି ଆଜ୍ଞାକାରୀ             ଆସିଛି ମୁଁ ଅବତରି

ଏ ସ୍ୱୟଂବରେ ତୁମ୍ଭର ହେ ଧରାଧୀଶ ।

ଅଛି ମୋତେ ଅନୁଜ୍ଞା ହୋଇ ।

ନୃପତି-ଗୋତ୍ର-ଚରିତ୍ର-ବର୍ଣ୍ଣନ ପାଇଁ’’ । ୮୩ ।

 

ଏମନ୍ତ ଭାଷୁଁ ଭାରତୀ             ସେକାଳେ ପକ୍ଷୀ-ପ୍ରଭୃତି

-ସ୍ୱନରୁ ଶକୁନ ବାରି ବିଦର୍ଭ-ପତି ।

ଏ ଯୁବତୀ ମୋର ହିତ             ବିନା ଅହିତକୁ ଚିତ୍ତ

-ମଧ୍ୟେ ନ କରିବ ଦତ୍ତ ସ୍ଥାନକୁ ଚିନ୍ତି ।

ସପର୍ଯ୍ୟା ପାଇଁକି ତାଙ୍କର ।

ଯଥା ଯୋଗ୍ୟ ଆଦେଶ ବହିଲେ ସତ୍ୱର । ୮୪ ।

 

ଏଥୁ ଅନ୍ତରେ ବିଦର୍ଭ            -ଈଶ୍ୱର ମହା-ସମ୍ଭର୍ବ

-ପୂରିତ ସେ ସ୍ୱୟମ୍ୱର-ସଭା ମଧ୍ୟକୁ ।

ବିହିଲେ ଆଦେଶ ପରିଚାରି             ବାରେ ସୁକୁମାରୀ

ନିଜ କୁମାରୀକି ବିଜେ କରାଇବାକୁ ।

ଆଣିବାରେ ନୃପେ ଓଟାରି ।

ଗୁଣ ଯାର କଉତୁକ-ବିଦ୍ୟାର ସରି । ୮୫ ।

 

ଲଭି ନୃପତି-ଆଦେଶ             କରେ ବିଜୟ ବାଳୀଶ

ପୁରତେ ପରିଚାରିକା ପାଶ୍ଚାତେ ଆଳୀ ।

ପୁରଶ୍ଚାରୀ ଦାସୀ-ଛବି             ଚାହିଁ ଲୋକ ହୃଦ ଦ୍ରବି

ହୋଇଲା ସେକାଳେ ଆଶ୍ଚର୍ଯ୍ୟ-ସିନ୍ଧୁ ଭଳି ।

ଆଳି ରୁପେ ହେଲା ସେ ସ୍ପୀତ ।

ବାଳୀ-ରୂପେ ଗଲା ଲଙ୍ଘି କୂଳ ତୁରିତ । ୮

 

ବାସଖଚିତ ରତନ            ସ୍ନିଗ୍‌ଧତେଜେ ଅପଘନ

ବିରାଜୁଥିଲା ସମ୍ମାନ ନ ରଖି ସ୍ନେହେ ।

ଅଳଙ୍କାର-ଅଙ୍କଗତ             ହୀରକବ୍ରାତ-ଚ୍ଛୁରିତ

-ଜ୍ୟୋତିସ୍ରୋତ ହସୁଥିଲା ଜଳ-ପ୍ରବାହେ ।

ତହିଁ ଜେମା-ଛାଇ-ପରାୟ ।

ଶୋଭୁଥିଲେ ଗହଣର ଆଳି-ନିଚୟ । ୮

 

ନାନାବିଧ ସୁବାସିତ            -ରସେ ତ ତନୁଚର୍ଚ୍ଚିତ

କର୍ଣ୍ଣେ ପୁଣି ବାଳୀ ବହିଅଛି ଉତ୍ପଳେ ।

ଗନ୍ଧାମୋଦେ ହୋଇ ଅନ୍ଧ             କନ୍ଦର୍ପଦୂତ ମିଳିନ୍ଦ

କର୍ଣ୍ଣାନ୍ତିକେ ମିଳି କିସ ଭାଷେ ନିରୋଳେ ।

ସଂସାରର ସର୍ବ ସୁଷମା ।

ଜଣାଯାଏ ହେଲାପରି ଏକତ୍ର ଜମା । ୮୮ ।

 

ଭୂଷାଖଚିତ-ବିବିଧ            -ରତନର ଜ୍ୟୋତିବୃନ୍ଦ

ପେଲାପେଲି ହେଉଥାନ୍ତି ମଲ୍ଲରୀତିରେ ।

ସେ କୃତ୍ରିମ-ରଣଠାଣି            -ଦର୍ଶନେ ରମଣୀମଣି

କଣିଆଇଁ ଚାହୁଁ ଥାଇ ଚଉକତିରେ ।

ନଚାଏ ଯା ଭୂରୁ ଲାଳନା ।

ଚାପଭ୍ରମେ କାମ କି ତା କରେ ଚାଳନା । ୮୯ ।

 

ବସନ୍ତ-ଲକ୍ଷ୍ମୀ-ସମାନ             ଶୋଭେ ସେ ନାରୀ-ରତନ

ସାମୋଦକୁସୁମାଶୁଗ ଅଙ୍ଗ ବାସିତ ।

କିଶୋରଶାଖା-ଗ୍ରଶୟାଳି             ବାଳୀକା ରମଣୀୟା ରମଣୀମଣି

ସଂସଦେ ହେଉ ଆଗତ ।

କଳ୍ପଦ୍ରୁମ-ସମ ନରେଶେ ।

ତା ପ୍ରାପତିପାଇଁ ପୁଣି ହେଲା ମାନସେ । ୯୦ ।

 

ଭୂଷାଖଚିତ-ବିବିଧ-            ବିଶୁଦ୍ଧ-ରତନ-ବ୍ରାତଚ୍ଛୁରିତ

-ଅସିତପୀତ-ଶ୍ୱେତ-ଲୋହିତ ।

-ତେଜେ ଚାରୁଅପଘନ             ଦିଶେ ତହିଁ ଗୋରୋଚନ

-ଚନ୍ଦନ-କୁଙ୍କୁମ-କସ୍ତୁରୀ-ବିଲେପିତ ।

ଏକବର୍ଣ୍ଣେ ବେନି ପଦାର୍ଥ ।

ଘେନିବାଳୀ ପୁନରୁକ୍ତି କରିଛି ଖ୍ୟାତ । ୯୧ ।

 

ବିଭୂଷଣର ଭୂଷଣ             ନାନାଦି       ରତନଗଣ

-ବିଜନ୍ୟ କିରଣମାନ ହୋଇ ଗୁମ୍ପିତ ।

ପୁରନ୍ଦର-ଶରାସନ             ପରି ଦିଶଇ ଶୋଭନ

ସେ ତେଜୋବନ୍ତ କାର୍ମୁକ ବରଯୋଷିତ ।

ସମର୍ପି ଅଛି କି ମାରକୁ ? ।

ପୃଷ୍ଠଚାପେ ନ ପାରିବ ବୋଲି ନଳକୁ । ୯୨ ।

 

ସ୍ୱୟମ୍ୱରକୁ ସୁଦୂର                   ଦେଶୁଁ ବହୁ ନରବର

ଆସିଛନ୍ତି ଶ୍ରମକରି ଏମନ୍ତ ଚିନ୍ତି ।

ଦୟା ପ୍ରକାଶିକି ବିହି             ବାଳାକୁ ଦେଲା ଦେଖାଇ

ପୁଣି ତାକୁ ଅଯୋଗ୍ୟ ଏ ବିଚାରି ମତି ।

ଆଦ୍ୟେ ବାସେ ପଛେ ରତନ-।

ତେଜରେ ରଖାଇ ଦେଲା ତାଙ୍କ ନୟନ । ୯୩ ।

 

ବିଜେ କରୁ ଶୋଭା-ସୃଷ୍ଟି            -ପୁରନ୍ଦରୀ ସେ ବିମ୍ୱୋଷ୍ଠୀ

ଆକାଶୁଁ କୁସୁମ ବୃଷ୍ଟି ବିଘଞ୍ଚେ ହୋଇ ।

କ୍ଷଣକପାଇଁ ତା ରୂପେ             ଦେଖାଇ ନ ଦେଲା ଭୂପେ

ପୁଷ୍ପ ସଙ୍ଗେ ଆସି ଅଳିକୁଳ ଗୋଡ଼ାଇ ।

ସେ ମଧ୍ୟ ରୁନ୍ଧିଲେ ନିମିଷେ ।

ତାଙ୍କ ଭୟେ ମୋଡ଼ା ମୁଖ କା’ରେ ନ ଦିଶେ । ୯୪ ।

 

ଗହଣେ ଚଳିବା ଆଳି            -ବଦନେ ସେ ବରବାଳୀ

ବେଳେ ବେଳେ ଚାହେଁ ଢାଳି ଅପାଙ୍ଗ ରଙ୍ଗେ ।

ନେତ୍ର-ପିଚିକାରୁ ତା’ର             କର୍ପୂର-କସ୍ତୁରୀ-ନୀର

ପିଚିକି-ଯିବାର ଭ୍ରାନ୍ତି ଜନ୍ମାଇଁ ବେଗେ ।

ଭୂପାଳେ ଭାଳନ୍ତି ତା ଚାହିଁ ।

ଆଳି-ପାଳି-ମୁଖ ଆମ୍ଭେ ଯାନ୍ତୁ କି ହୋଇ । ୯୫ ।

 

ବିକାଶୁଁ ଈଷତହାସ             ଅପସରେ ରଦବାସ

ଦଶନଅଂଶୁ ପ୍ରସରି-ଯାଏ ଚହଟି ।

ତା ଚାହିଁ ଅବନୀପତି            -ମୁଖ-ତାମରସତତି

ତାମସ-ନାଶ-ବଶରେ ଆସଇ ଫୁଟି ।

ଏଣୁ ବାଳୀଶର ସେ ସ୍ମିତ ।

କରେ କଉମୁଦିର ମୁଦକୁ ପରାସ୍ତ । ୯୬ ।

 

ରତନବସା ଭୂଷଣ             ଅଙ୍ଗେ ଦିଶଇ ଶୋଭନ

ବାଳୀର ତା ଚାହିଁ ଚିତ୍ତେ ଜାତି ଏ ତର୍କ ।

ଦର୍ଶକନେତ୍ର ସେ ଅଙ୍ଗେ             ଯେ ଯହିଁ ପଡ଼ିଲେ ବେଗେ

ଲାଖି ଜଡ଼ିଯାଇ ରହିଗଲେ କି ଠିକ ।

ହାର-ପଦକର ମର୍କତ ।

-କରେ ଅନ୍ଧକାର ନାଭି ଦିଶେ ଅତ୍ୟନ୍ତ । ୯

 

ମନ୍ଦହାସ-ଶୋଭା ଚାହିଁ             ବିସ୍ମୟେ ରଜନୀସାଇଁ

-କଉମୁଦିର ମସ୍ତକ କମ୍ପଇ ଘନେ ।

ସେ ଚାତୁରୀ ଅନୁକରିବାକୁ             କି ମରାଳମାଳି ଛଳରେ

ଚାମର ଭଳି ହୋଇ ଗହଣେ ।

ଯାଇଥିଲେ ଯୋଷାଭୂଷାର ।

ନାଚି ନାଚି ଆଞ୍ଚି ଲୋକ-ଲୋଚନ-ବାର । ୯୮ ।

 

ଉର୍ବଶୀ ଆଦି ଅପ୍ସରୀଗଣେ             ଚଉପାଶେ ମିଳି ନ ପାରି

ଶ୍ରୀଅଙ୍ଗବର୍ଣ୍ଣ ବର୍ଣ୍ଣି ତହିଁରେ ।

ବୋଳା ହୋଇଥିବା ଅଙ୍ଗ             ରାଗର ସ୍ତୁତିକି ବେଗ

ବସାଇ ଦିଅନ୍ତେ ନିଜ-ଜିହ୍ୱା-ମହୀରେ ।

ହୃଦମଣ୍ଡା ଲଜ୍ଜା-ଧଣ୍ଡାକୁ ।

ପୁରଷ୍କାର କରି ଦେଲା ବାଳୀଶ ତାଙ୍କୁ । ୯୯ ।

 

ଦଶନ ଜ୍ୟୋତିରେ ଯା’ର                   ନିସ୍ତେଜ ନକ୍ଷତ୍ରବାର

ବଦନେ ଚାହିଁ କଦନ ଲଭେ ଯା ଶଶୀ ।

ଥାଉ ଆଉ କଥା ତେଣେ             ଯା ବାଳେ ବାଳ-ପ୍ରମାଣେ

ତୁଳ ନୋହିବାରୁ ଶୂନ୍ୟ ଆକାଶ ଦିଶି ।

ତାକୁ ଚାହିଁ କେଉଁ ନୃପତି ।

ନେତ୍ରେ ଆକଣ୍ଠ ପୀୟୁଷ ପିଇ ନାହାନ୍ତି । ୧୦୦ ।

 

ଅଳଙ୍କୃତାଙ୍ଗୁ ଯାହାର             ଅନଳଙ୍କୃତ ଶରୀର

ଅନିର୍ବଚନୀୟ ଶୋଭା ବହେ ବହୁତ ।

ଆରୋହି ବିମାନ             ସ୍ୱୟମ୍ୱରେ ସେ ନାଗରୀଚୟ

-ଶିରଝରାହୀରା-କଲି ହେଉ ଆଗତ ।

ନରରାଜବ୍ରଜ ଅପାଙ୍ଗେ ।

ପିଇଲେ ସେହି ସୁଷମା-ପୀୟୁଷ ରଙ୍ଗେ । ୧୦୧ ।

 

ଅପରୂପ ଚାତୁରୀକି             ବାଳୀବରର ବିଲୋକି

ମଜ୍ଜିଯାଇ ନ ଥିଲା କେ ଅଦ୍ଭୁତ ରସେ ।

ନ ଥିଲା ସେ ସ୍ୱୟମ୍ୱର            -ସଭାରେ ଜଣେ ମାତର

ଯେ ସେ ଅଙ୍ଗନା ଶ୍ରୀଅଙ୍ଗେ ନିବେଶି ଦୃଶେ ।

ପୁଲକିତ-ରୋମ ଅଙ୍କୁର ।

- ଜାତୁଁ ନ ବହିଛି ଦନ୍ତୁରିତ ଶରୀର । ୧୦୨ ।

 

ରାଜସୁତା ରୂପେ ଚାହିଁ             ବିସ୍ମୟେ ବିପ୍ଳୁତ ନୋହି

ନ ଥିଲା କେ ଜଣେ ତହିଁ ଯାହାର କର ।

ଦକ୍ଷେତର-ନିର୍ବିଚାରେ             ବୃଦ୍ଧ-ମାଧ୍ୟମାଙ୍ଗୁଳିରେ

ଜନ୍ମାଇଁ ଶଦ୍ଦ ନ କରିଥିଲା ପ୍ରଚାର ।

ଅଙ୍ଗନାକ୍ଷି ହେବାକୁ ଥକା ।

ସ୍ୱାଙ୍ଗେ ମାରୁଥିଲେ କି ସେ ଫୁଟୁକି-ଟେକା ।୧୦୩ ।

 

ଖଞ୍ଜନ-ଗଞ୍ଜନ-ନୟନାକୁ             ଚାହିଁ ନରରାୟ କା ଭୂରୁ

ନୋହିଛି ଟେକି ନ କମ୍ପି ଶିର ।

ଆସୁଁ ସେ ସଭା-ମଣ୍ଡଳେ             ଅତି ଆନନ୍ଦ ବିହ୍ୱଳେ

ନଉଚ୍ଚରିଲା କାହାର ସମ୍ପୂର୍ଣ୍ଣ ଗିର ।

ବସିବାରୁ ଜଡ଼ତା ମାଡ଼ି ।

ଜିହ୍ୱା ନ ପାରିଲା କହି ହୋଇଲା ଭିଡ଼ି । ୧୦୪ ।

 

କେ ବୋଲେ ‘‘ରମ୍ଭାଦି            -ଅପସରୀ-ଲେଭେ

ଅନଳପ ସୁକୃତ ସମ୍ପାଦି ନରେ ଅମର ପୁରେ ।

ଯିବାରେ ଶୂନ୍ୟ ଧରିତ୍ରୀ             ନୋହୁ ଏମନ୍ତ କି ଚିନ୍ତି

ଏ ଅପ୍ସରୀ-ଶିରଝରା ଜାତ ମହୀରେ ।

ହୋଇ ମହୀଠାରୁ ଅଧିକ ।

-ବୁଦ୍ଧି କି ସ୍ୱର୍ଗରେ ଦେଲା ରୋଧି ଲୋକଙ୍କ’’ । ୧୦୫ ।

 

କେ ବୋଲେ ‘‘ଅନେକ-ଜନ      -ବଦନୁଁ ରୂପ-ବର୍ଣ୍ଣନ

ଶୁଣି ଏହାର ତାହାକୁ ଭାବି ଅତ୍ୟୁକ୍ତି ।

ସତ୍ୟ-ମିଥ୍ୟା-ବିଚାରଣା            -ପାଇଁକି ଏଥକୁ ସିନା

ଆସିଥିଲୁଁ ଏବେ ଯାଇଁ ତୁଟିଲା ଭ୍ରାନ୍ତି ।

ସେ ବର୍ଣ୍ଣନକୁ ତ ଏ ଛବି ।

ଅତ୍ୟନ୍ତ ଅତ୍ୟୁକ୍ତି ହୋଇଁ ଦେଉଛି ଦାବି । ୧୦୬ ।

 

ସାଗର-ସାମାନ୍ୟୂଁ ଶିରୀ             ଜନମ ଲଭି ସୁନ୍ଦରୀ

ଶୋଭା ଚାତୁରୀ ଦୁଇର ଏ ମହାନିଧି ।

ଏହାର ସମ୍ଭବ ପାଇଁ             କାହିଁ ନିଶ୍ଚେ ଥିବ ରହି

ଦେଖା ନ ଯାଇ ଶୃଙ୍ଗାର-ମହାରସଧି ।

ଯା ଥାଏ ତା ଦିଶେ କି ସର୍ବେ ? ।

କହ ପଡ଼ିଛି ପବନ କା ନେତ୍ରେ କେବେ ? । ୧୦

 

ବଦନ ବାଳୀବରର             ନିଶ୍ଚୟ ପୀୟୁଷକର

ଆକାଶ ଦେଶେ ଯେ ଦିଶେ ଶଶାଙ୍କ ସେହି ।

ଏକା ଏ ଭୂରୁ ଯୁଗଳ             କାର୍ମୁକ ମନମଥର

ଏ ତ ଏଥି ତେଣୁ ପୁଷ୍ପଚାପ ସେ କହି ।

ଲାକ୍ଷଣିକ ସେ ତ ନଭରେ ।

ହେବ ପୁଷ୍ପ ଅବା ଚାପ ଗୌଣ ଭାବରେ’’ । ୧୦୮ ।

 

କେ ବୋଲେ ‘‘ଶ୍ରୁତି ଯୁଗଳ             ତଳେ ବିଲୋଳ-କୁଣ୍ଡଳ

-ଛଳେ କି ଅବଳାବର ଥୋଇଛି ଲାଖ ।

ଧାନୁକି କୁସୁମ-ଶର             ସବ୍ୟେତରେ ନିରନ୍ତର

ଆମଞ୍ଚି ବିନ୍ଧୁଥିବାରୁ ପଞ୍ଚବିଶିଖ ।

ବାଜି ବାଜି ଯିବାରୁ ଗଳି ।

ମଝିରେ ଯାଇଛି ହୋଇ ଛିଦ୍ର ଏ ଭଳି’’ । ୧୦୯ ।

 

କେ ବୋଲଇ ‘‘କର୍ଣ୍ଣପୁର             କରିଛିତ ଇନ୍ଦିବର

ଏ ଚାନ୍ଦ-ସୁନ୍ଦରମୁଖି ଭାଳି କି ମନେ ।

ଧନ୍ୱୀପ୍ରଧାନ କେଳତି            -ପତିକି ଅପକୀରତି

ଶୁଣାଇବାକୁ ଅସାଧୁଜନ-ବଦନ ।

ତା ଏ ଶର ତେଜି କୁଣ୍ଡଳ ।

କର୍ଣ୍ଣ ରହିବା ଦେଖି କି ବିନ୍ଧିବେ ଖଳ ?’’ । ୧୧୦ ।

 

କେ ବୋଲେ, ‘‘କାମର             ଶରାସନ ପୁଷ୍ପମୟ ପରା

ରଜ ଷଟପଦ କୀଟେ ଥିବ ତ ପୁରି ।

ନୁହଁଇତ ସେ ନବୀନ             ଅତିଅନ୍ତ ପୁରାତନ,

ସେ ବୀର ଥାଏ କିପାଇଁ ଏ ଧନୁ ଧରି ।

ମୁଠାବନ୍ଧା ଭୂରୁ ଚାପେ କି ?

ଜେମାର ନ ପଡ଼େ ତାହାର ଆକ୍ଷି’’ । ୧୧୧ ।

 

କେ କାହାକୁ କହେ ତହିଁ             ‘‘ଭଲା ଭଆଇଛି ବିହି

ଏ ନେତ୍ର ଯୁଗଳ କରି ନିତ୍ୟ ନୂତନ ।

ସାର ସଂଗ୍ରହି ଖଞ୍ଜନେ             ବର୍ଷାରେ ଶୀତେ ନିଳିନେ

କାହିଁ ଫିଙ୍ଗିଦେଇ କରି ଅତି ଯତନ ।

ତହିଁ ପ୍ରତିବର୍ଷ ଏ ନେତ୍ର ।

ପୁଷ୍ଟ କରୁଅଛି ପରା ବିଚାରେ ଚିତ୍ତ’’ । ୧୧୨ ।

 

ପୁଣ କେ କହେ ଏମନ୍ତ,             ‘‘ଶତପତ୍ର ଏ ଯୋଷିତ

ବର-ନେତ୍ରେ କେ ଅଧିକ ଊଣା କେ ହୋଇ ।

ଅଳିଯୁଗୁଁ ଏ ବୃତ୍ତାନ୍ତ             ବୁଝି ଜନେ ହୋନ୍ତୁ ଜ୍ଞାତ

ଏତେ ଭାଳି ବିଧାତା କି ଦେଇଛି ଥୋଇ ।

ସେ ନୟନ-ଯୁଗଳ-କୋଳେ ।

କନୀନକା-ଛଳକରି ବେନି ଭ୍ରସଳେ’’ । ୧୧୩ ।

 

କେ ଭାଷେ ‘‘ଏମନ୍ତ             ନୋହି ରତିମନମଥ

ଦୁଇ କରିଛନ୍ତି ଏ ପ୍ରମଦା-ହୃଦେ ସଦନ ।

ସେ ବିକେତନ-ଯୁଗର             ଅଗ୍ରସ୍ଥାୟୀ କାର୍ତ୍ତସ୍ୱର

-କଲଶ ବେନି ଏ ଚାହାଁ କେଡ଼େ ଶୋଭନ ।

ପୟୋଧର ଭ୍ରମେ ବୋଲନ୍ତି ।

ପୟ ଧରିବାରୁ ପରା ଶ୍ୟାମ ତା କାନ୍ତି । ୧୧୪ ।

 

ଭୁଜଯୁଗେ ବନିତାର             ହାରି ତ ଅଛି ମୃଣାଳ

ତେଣୁ କର-ଭାବେ ଘେନିଛି ତ ସୁମନ ।

ଶିରୀପରା ସେ ସୁମନେ             ବିହରଇ ଅନୁକ୍ଷଣେ

ଏ ଭୁଜେ କି ନ କରିଛି ସେ ନିକେତନ ।

ଲୁଚାକଥା ଏତ ନୁହଁଇ ।

କର ବୋଲି ତାକୁ କେ ବା ନ ଥାଏ କହି ? । ୧୧୫ ।

 

ମୃଣାଳେ କଣ୍ଟକମାଳ             ଥାଏ ତ ନିରନ୍ତରାଳ

ତା ଫୁଲେ ତହୁଁ ଗୋଟିଏ ନ ଥାଏ କେହି ।

ବିଚାରେଁ ସେ ପଦ୍ମ ଛଦ୍ମ             ଏ ବାଳା-ଭୁଜାଗ୍ରାସଦ୍ମ

ପଦ୍ମ ଏକା ଅପଛଦ୍ମ, ଯେଣୁ ଏ ବହି ।

-ଥାଏ ନଖ-ତୀକ୍ଷ୍ଣକଣ୍ଟକେ

କଣ୍ଟକିତ ଭୁଜୁଁ ଜନ୍ମିଥିବାର ଠିକେ ‘‘ । ୧୧୬ ।

 

କେ ବୋଲେ ‘‘ଏ ମରପୁରେ             ଏ ବରବାଳୀ ତୁଳରେ

ଅବଳା ଥିବା ତ ଜଣା ଆମ୍ଭଙ୍କୁ ନାହିଁ ।

ଥିଲେ ବା ଥିବ ଅମରଭୁବନେ             ଅବା ପାତାଳ ଦେଶେ

କୋଟିକେ ଗୋଟିଏ ସମାନ ହୋଇ’’ ।

କେ ବୋଲଇ ‘‘ମିଳିଲେ ତହିଁ ।

ସେଠାରୁ ଏଠାକୁ କିପାଁ ଆସନ୍ତେ ଧାଇଁ ?’’ । ୧୧

 

କେ ବୋଲେ ‘‘ବହି ଚତୁର                   କର-ଚତୁରେ ଯୁହାର;

ହୋଇ ନ ଥିବ ପରା ଏ ନିର୍ମିତ ତହିଁ ।

ଏ ଶିଳ୍ପେ କାହୁଁ ତାହାର             ଗଳିବ କା ବୁଦ୍ଧି ? କର

ବାଜି ରହିଥାଆନ୍ତା କି ଭାଜି ନ ଯାଇ ।

ଅନଙ୍ଗ-ମଦନ-ବ୍ୟତୀତ ।

ହୋଇଥିବ କି ଏ ମୂର୍ତ୍ତି ଆନେ ନିର୍ମିତ ? । ୧୧୮ ।

 

ଭଜିଥିବାରୁ ତ ଶାନ୍ତି             ଅବିରତ ଧାତାମତି

ମରୁମହୀରୁହବତ ନିରସ ଅତି ।

କୁଶଧରି କରକର                  କଶ ତ ମାନସ କର

ଏମନ୍ତ ଯା’ର ସେ କାହୁଁ କରୁ ଏ ମୂର୍ତ୍ତି ।

ବିହି କି ଏଥିକି ବିନ୍ଧାଣି ? ।

ଶୃଙ୍ଗାରଧାରା ପରି ତ ରାଜଦୁଲଣୀ’’ । ୧୧୯ ।

 

କେ ବୋଲେ ‘‘ରଚି ବିରଞ୍ଚି             ଭାର କଷିବାକୁ ଆଞ୍ଚି

ଧରିଥିଲା ତନୁଲତା ମଧ୍ୟକୁ କରେ ।

ଏଣେ କୁଚକୁମ୍ଭଯୁଗ             ତେଣେ ତ ନିତମ୍ୱଭାଗ

ଲଘୁ ଗୁରୁ କେ ନୋହୁ ରହିଲା ସମରେ ।

ତ୍ରିବଳି ଯା ମଧ୍ୟେ ଦିଶଇ ।

କରାଙ୍ଗୁଳି-ଲାଗିଥିବା ଚିହ୍ନଟି ସେହି । ୧୨୦ ।

 

‘ନିଜଅଙ୍ଗୁ ସର୍ବସାର             ଆକରଷି ସୁଧାକର

କଲା ଏ ଶିରୀଷାଙ୍ଗିକି’ ବୋଲି କେ ଭାଷେ ।

ପୁଣ ବୋଲଇ ‘ଏ ଦେହେ             କମଳ ବଦନ ନୁହେଁ

ଏତ ଲୁଳିଯାଏ ତା’ର କର-ପରଶେ ।

ସାର ଯାଉଁ ଦିଶି ପୀତିମ ।

ହୋଇଛି ମୁଖ ଏହାର ନିଶ୍ଚୟ ସୋମ’ । ୧୨୧ ।

 

କହେ କେ ତହିଁ ‘‘ନିୟତ             ନିରିମାଣିଛି ବସନ୍ତ

ଏ ନବ ଲାବଣ୍ୟ-ପ୍ରତିମାକୁ ଯତନେ ।

ସଜସୁମନ ସେ ବାଛି ବାଛି                   ତନୁ ବିରଚିଛି ଖଞ୍ଜିଛି

ବଚନ ପିକ-ପଞ୍ଚମ-ସ୍ୱନେ ।

ମଳୟମରୁତେ ନିଶ୍ୱାସ ।

-ବାତକୁ ଭିଆଇଅଛି ହୋଇ ହରଷ’’ । ୧୨୨ ।

 

କେ ଭାଷଇ ‘‘ଏ ବାଳୀକି             ରଚିଛି ଯେ ତା ଭଳିକି

ଶିଳ୍ପୀପଣେ ଆଉଜଣେ ବିଶ୍ୱେ କି ଥିବ ? ।

ଏଣୁ ବିଚାରୁଛି ମନ             ଏହାର ଶିଳ୍ପୀ ମଦନ,

ବିହିକର କଦାଚନ ବାଜି ନ ଥିବ ।

କାମଦାସ-ଯୌବନ ତୁଳେ ।

ଶୋଭାନିର୍ମାଣେ ସମାନ ବହି କି ଭଲେ’’ ? । ୧୨୩ ।

 

‘‘ଗୀସ୍ପତି-ଓଷ୍ଠ-କଣ୍ଠରେ             ଅଭାବର୍ଣ୍ଣନ-ବିଧିରେ

ଅମାପ ଏ ପ୍ରତିମାକୁ ରଚି କି ସ୍ମର ।

ତାକୁ ରଚନା-ଚାତୁରୀ             ଶିଖାଇବାକୁ ବିଚାରି

ଅଛି ଅବା ନାରଦାଦି ଯେ ବା ସଂସାର ।

-ତ୍ୟାଗୀ ତାଙ୍କର ଅନୁତାପ-।

ପାଇଁ ଏହା ବିରଚିଛି’’ ଭାଷେ କେ ଭୂପ । ୧୨୪ ।

 

ପ୍ରତି ନରପତିଙ୍କର ନେତ୍ର             ତ ବେନି ମାତର

ପଡ଼ି ଜଡ଼ିଲା ଜେମାର ଅଙ୍ଗ ବିଶେଷେ ।

ସର୍ବାଙ୍ଗ ବୃତ କେବଳ             ଗଲା ହୋଇ ମରପର

-ପୁରଅଧୀଶ୍ୱରଙ୍କର ନେତ୍ର-ସହସ୍ରେ ।

ସେ ଶୋଭା-ବର୍ଣ୍ଣନ କଳାରେ ।

ମଣ୍ଡିଲେ ସେ ତହୁଁ ସ୍ୱମୁଖ-କଳା କରେ । ୧୨୫ ।

 

ଭାଷନ୍ତେ କୁଳିଶଧାରୀ             ‘‘ସ୍ମିତେ ଏ ଗୋରୀ ଗଉରୀ;

ନେତ୍ରେ ହରିଣୀ, ସ୍ମସ୍ୱରେ ବଲ୍ଲକୀବତି ।

ଅଙ୍ଗଶ୍ରୀରେ ହେମା, ତୁଲ             ହେବ କେ ତୁମ୍ୱୀ ଏହାର;’’

ଶୁଣି ଏହା ଶଙ୍କାକରୁ ନଳ ନୃପତି ।

ତା ବାରି ଇନ୍ଦ୍ର ସ୍ୱଗିରର ।

ନରୋଚିତ-ଅର୍ଥେ କଲେ ସନ୍ଦେହ ଦୂର । ୧୨୬ ।

 

ନିଜକାର୍ଯ୍ୟ ସିଦ୍ଧିପାଇଁ             ବହି ପୁଲୋମଜାସାଇଁ

ନଳ-ମହୀପତିରୂପ ହୋଇଲେ ନଳ ।

ତଥାପି ନଳସ୍ୱଭାବ            -ଭଳି ନିଜ ଚିତ୍ତଭାବ

ନ ପାଲଟିଲା ରହିଲା ନୋହି ସରଳ ।

ନୋହିଲେ କି ନିଜ ବଚନେ ।

ଦୁଷନ୍ତେ ଏମନ୍ତ ମିଥ୍ୟା-ଅର୍ଥ ରଚନେ । ୧୨

 

କେ ଭାଷଇ ‘‘ବିଭୂଷିତା             ଗମଇଁ ଏ ରାଜସୁତା’’

କେ ବୋଲେ, ‘‘ଗଲା ବେଦିକି ଉର୍ବୀ-ଉର୍ବଶୀ’’ ।

ଏହିମତି ଅଗଣିତ             ଲୋକଙ୍କ       ଆନନ୍ଦ-ଜାତ

କୋଳାହଳ ଯାଉଁ ଶ୍ରୁତିପୁଟରେ ପଶି ।

ନଳଙ୍କୁ ସେକାଳେ ଆନର ।

ଜେମାରୂପେ-ବର୍ଣ୍ଣନ ନୋହିଲା ଗୋଚର । ୧୨୮ ।

 

ହୀରମଲ୍ଲ ଦେବୀସୁତ             ଶୀହର୍ଷ ନାମେ ବିଖ୍ୟାତ

ତର୍କେ ଅତର୍କିତ ବିଦ୍ୟାବିଭବ ଯା’ର ।

ତା’ର ଅନଳ୍ପ-କଳ୍ପନା            -କଳା-ବିଳାସ ଏ ସିନା

ଯାଉଅଛି ହୋଇ ଚୁନା ଲେଖନ-ଗାର ।

ପଡ଼ି ମୁର୍ଖ ଗୋପୀନାଥର ।

ଏଥକୁ ବୁଧେ ଯା ଇଚ୍ଛା ଦଣ୍ଡ ବିତର ।୧୨୯ ।

 

* କର୍କଅଟକ-କର୍କ-ଶୁକ୍ଳ ଅଶ୍ୱ, ଅଟକ-ଶୀଘ୍ରଗତିଶୀଳ ।

କର୍କଅଟକ = କର୍କୋଟକ-ସର୍ପ ବିଶେଷ ।

 

-------

 

 

Unknown

ଏକାଦଶ ଛାନ୍ଦ

ରାଗ-ଲଳିତକାମୋଦୀ

ଏଥୁଅନ୍ତେ ମନଦେଇ ଧୀରେ ଶୁଣ ପ୍ରସନ୍ନ-ବଦନ ନୃପତତି ।

ଯୋଷାଭୂଷା-ଶୋଭା-ଦରଶନେ ଲୋଭା ନିଷ୍ପଲକନେତ୍ରେ ବସିଛନ୍ତି ।

ତହିଁ ଦେବଭଳି, । ଏକାଳେ ବର-ପ୍ରାପତି ଭାଳି ।

ବିଜେକଲା ମହୀମଣ୍ଡନା ସୁମୂହୀଁ ସଭାକୁ ବିଦର୍ଭେଶଦୁଲ୍ଲାଳୀ ।

ସେ ନବଯୋଷିତ ମଳି-ବିରହିତ-ଝଳିଗାତ୍ରେ ଅବା ତହିଁଥିବା ।

ଅଳଙ୍କାର-ଅଙ୍କ-ସ୍ଥାୟୀ ରତନଙ୍କ ତନୁରେ ନୃପଙ୍କ ତନୁ-ଆଭା ।

ପ୍ରତିବିମ୍ୱି ଯାନ୍ତେ । ପ୍ରତୀତ ହୁଅଇ ଚିତ୍ତେ ଏତେ ।

ନିମଜ୍ଜି ନୟନ-ମନେ ଏକା ସ୍ୱାଙ୍ଗେ ମଧ୍ୟଗଲେ ମଜ୍ଜି କି ତା ଗାତ୍ରେ ।

ମରାମରପୁର-ମଧ୍ୟରେ ନଗର ରଚିଥାନ୍ତେ ଯେବେ ଗାଧିସୂତ ।

ତେବେ ଶୋଭା ତା’ର ଭୀମ-ସ୍ୱୟମ୍ୱର-ଦରଶନାଶାରେ ସମାଗତ ।

ଅନ୍ତରୀକ୍ଷେ ସ୍ଥିତ । ଅମର-ନିକର-ଯାନବ୍ରାତ ।

ଥାନ୍ତା ଅନୁକରି ପାରି ଅପସରି ନ ରହି ପଛକୁ କଦାଚିତ ।

ଆମୋଦ ପ୍ରଦାନ ପାଇଁକି ରାଜନ୍ୟ-ମାନଙ୍କ ଧୂପ ସେ ସ୍ୱୟମ୍ୱରେ ।

ହେଉ ବିଧୂପିତ ନୃପଙ୍କ ପୁରତ ଚାଳିତ-ଚାମର-ବାତଭାରେ ।

ସଞ୍ଚରି ଆକାଶେ । ତହିଁ ସ୍ୱୟମ୍ୱର-ଦର୍ଶନାଶେ ।

ଏକତ୍ର ସୁମନମାନଙ୍କ ଅର୍ଚ୍ଚନ-ବିଧାନ-ସିଦ୍ଧିକି ପରକାଶେ ।

 

ନରବରଙ୍କର ଶରୀରୁଁ କର୍ପୂର-ଚନ୍ଦନ-ସୁଗନ୍ଧ ଅଙ୍ଗେ ବହି ।

ବହୁଁ ଗନ୍ଧବାହ ମିଳିଲେ ତହିଁ ସେ ବାସପାଇଁ ।

ରେଖାବାନ୍ଧି ଉଡ଼ି । କାମଶର ପ୍ରାୟେ ଧାଡ଼ି ଧାଡ଼ି ।

ପକ୍ଷେ ରୁନ୍ଧି ଗନ୍ଧବହକୁ ଆନନ୍ଦ ହୋଇ ଚଉପାଶୁଁ ଗଲେ ବେଢ଼ି ।

 

ସଉଧନିକର ମୃଦଙ୍ଗ-ମଙ୍ଗଳ-ଧ୍ୱନି-ପ୍ରତିଧ୍ୱନି ରେଖେ ରେଖେ ।

ଉଚ୍ଚାରି କି ଚିତ୍ତେ-ରଖିବା-ସାମର୍ଥ୍ୟେ ପ୍ରକାଶେ ଦେଖାଇ ତହିଁ ଲୋକେ ।

ଚୂଳବନ୍ଧା ଚେଳ । କରପରାୟେ ଚାଳି ଚଞ୍ଚଳ ।

ଲୟ ଦରଶାଇ କହୁଥିଲା ‘କେହି ତାଣ୍ଡବେ ହେବକି ଆମ୍ଭ ତୁଲ’ ? ।

 

ଯା ପୟରେ ଶିର ନଥୋଇ ଚତୁର ଦଶପୁରେ ଜଣେ ନାହିଁ କେହି ।

ସେ ଗିରଈଶ୍ୱରୀ ହରି-ମନୋହାରୀ ଭାରତୀ ବିନୟେ ନତଦେହୀ ।

ମହୀମଣ୍ଡନାର । ରହି ଦକ୍ଷିଣରେ ଧୀରଗିର ।

କରି ପରକାଶ ବୋଲାନ୍ତି ‘‘ନରେଶସୁତା ତୁ ଶୁଣ ଗୋ ବାଣୀ ମୋର ।

 

ଦେଖ ଗୋ ଗଣନା-ଗଣ କରି ବଣା ଏ ଅମୃତାନ୍ଧସେ ବସିଅଛନ୍ତି ।

କହିଲେତ ଗୋଟି ଗୋଟିକରି କୋଟି-ବରଷ ସରିବ ୟାଙ୍କ ଖ୍ୟାତି ।

ଏଣୁ ଆଗୋ ବାଳୀ । ବିଚାର ଏଥୁଁ କେ ତୋର ଭଳି ।

ତା ଗଳେ ପୁଷ୍ପିତା ତୋର ବାହୁଲତା ପକାଉ ବରଣ ପୁଷ୍ପମାଳି । ୮ ।

 

ସ୍ୱଭାବେତ ପକ୍ଷ୍ମପାତର ବିପକ୍ଷ ହୋଇଛି ଚକ୍ଷୁ ଅମରଙ୍କର ।

ଏବେ ତୋ ଶୋଭାଦର୍ଶନେ ହୋଇ ଲୋଭା ସେ ଭାବେ କରେ ଅତି ଆଦର ।

ସେହିମତି ଏବେ । ପୀୟୁଷପିଆ ବଦନେ ଦେବେ ।

ତୋ ଅଧର-ବାସ ନିବାସୀ ପୀୟୁଷ ପଇଯାନ୍ତୁ ଭୋଳହୋଇ ଭାବେ । ୯ ।

 

ଧେନୁରୂପୀ ମହୀକି ଯେ ଥିଲା ଦୁହିଁ ସେ ମେରୁ ଏହାଙ୍କ ଗ୍ରାମଗିରି ।

ସର୍ବରତ୍ନ ଯହିଁ ଫଳଇ ସେ ମହୀରୁହଟି ଏହାର କରପରି ।

ମୁକୁତା ଫଳାଇ । ଫଳନାମ ତା ସାର୍ଥ କରଇ ।

ଦୁଗ୍‌ଧବିନ୍ଦୁ-ବୃନ୍ଦ-ମଣ୍ଡନ-ପସନ୍ଦ ଏ ଫଳଯାଳେ ସେ ଥାଏ ବହି’’ । ୧୦ ।

 

ଅବହେଳନା-ଜନିତ ଦୋଷ ଜାତ ଭୟରେ ଯୋଷିତ-ବର ତହିଁ ।

ଶିରେ କରୁ କରସରୋଜ ସେ କୋରକିତ ମୁଖଶଶି ପାଖେ ହୋଇ ।

ରାଜସୁତା ମତି । ବାରିପାରି ବୃନ୍ଦା-ରକ-ତତି ।

ବହି ଦୟାଚିତ୍ତେ ଭାଷିଲେ ଇଙ୍ଗତେ କରବୋଲି ଆନସ୍ଥାନେ ଗତି । ୧୧ ।

 

ଅର୍ଯ୍ୟମାଙ୍କ ପ୍ରତି ଜମା ଜେମାମତି ନଥିବା ବୃତ୍ତାନ୍ତ ପ୍ରତ୍ୟକ୍ଷରେ ।

ନବିଲୋ-କିଲେହେଁ ବାହକ- ନବହେ ନଥିଲା ଛପା ତାଙ୍କୁ ଅକ୍ଷରେ ।

ଯେଣୁ ପାଶେ ବସି -। ଥିବା ବୃନ୍ଦାରକ-ମୁଖ-ଶଶୀ-।

ଅଙ୍କେଥିବା ଶଶ-ସମାନ ବିଶେଷ ବହିଲା ସେକାଳେ ମସିରାଶି । ୧୨ ।

 

 

ରକ୍ଷପାଶେ ଗଲେ ରକ୍ଷାନାହିଁ ଭଲେ ତନୁକାନ୍ତିରେ ତ ବିଦ୍ୟାଧରେ ।

ହେବାରୁ ଅଧର ଜେମାକୁ ‘ଅଧର’ ପଦ ଖଞ୍ଜିଛନ୍ତି ସ୍ୱନାମରେ ।

ବାଳୀଶର ସ୍ୱର-। ଲେଶତ ନାହିଁ ଗନ୍ଧର୍ବଙ୍କର ।

ଏ ତ୍ରୟମଣ୍ଡଳ-ପାଶେ ବାହୀକୁଳ ନଗଲେ ବିଚାରି ଏପ୍ରକାର । ୧୩ ।

 

ଦୁଃଖୀ-ଦରିଦ୍ର-ନିଜର ଏ ସଂସାର ପୂରିଥାଉ ଥାଉ ଯକ୍ଷମାନେ ।

ରେଖେ ବିତ୍ତ କା’ରେ ଦେଖାଇ ନଥାନ୍ତି ଆପଣାଗୁଣ ବିଚାରି ମନେ ।

ଲାଜେ ମୁଖ ଟେକି । ନ ପାରନ୍ତି ନ ଜାଣନ୍ତି ସେ କି ।

ଏ କଳ୍ପଲତା ନୃପସୂତା ବହିଛି ବୋଲି ଅମରତରୁ-ବୃତ୍ତିକି । ୧୪ ।

 

ମାଞ୍ଜିଷ୍ଠବାସେ ଉପହାସ ବିଶେଷେ କରଇ ପୟରାଧର ଯା’ର ।

ସେ ବାଳୀବରକୁ ବାହକେ ସୁରଙ୍କୁ ବରଜି ଉରଗ-ପତିଠାର ।

ଘେନିଯାଉ ଚିତ୍ତେ । ଉପୁଜେ ବିତର୍କ ଏହିମତେ ।

ତେଜି ଆନ ସର ମାନସେ ମରାଳମାଳେ ନେଲେ କିବା ଘନବ୍ରାତେ । ୧୫ ।

 

ଅଖିଳ-ବାଙ୍‌ମୟ-ବିସ୍ତାର ଯାହାର ରୂପାନ୍ତର ବୋଲି ଋଷ କହି ।

ମୁଖର-ମୁଖରେ ଯାହାର ସଭାରେ ମୂକତା ପିତାରୁ ବଳୁଥାଇ ।

ସେହି ବାକଦେବୀ । ଉଦିତାର୍ଦ୍ଧ-ଶଶଧର-ଛବି-।

ବହିବା ଲଲାଟ-ଶାଳିନୀ ବାଳୀକି ବୋଲନ୍ତି ଏମନ୍ତ ଚିତ୍ତେ ଭାବି । ୧୬ ।

 

 

‘‘ଦେଖ ମହୀପତି ସୁତା ଉରଗତିପତି ଏ ବିଶୁଦ୍ଧ-ଶୁଭ୍ରଦେହ ।

ଯଜ୍ଞୋପବୀତ-ବତ ହୋଇ ତ୍ରିନେତ୍ର-ସେବାରେ ବଳାଇ ଥାନ୍ତି ସ୍ନେହ ।

ଏହୁ ଅନୁଦିନ । ଲଭୁ ଶିବ ଶିବା-ଆଲିଙ୍ଗନ ।

ସେ କୁଚ କୁଙ୍କୁମ ଲାଗୁଁ ରକ୍ତାକ୍ଷୋମ-ବୃତବତ ଦିଶି ଏ ଶୋଭନ । ୧

 

ରେ ରମଣିମଣି ମନୋହର ମଣି ମସ୍ତକେ ବହି ଏ ରମଣୀୟ ।

ହର-କରେ ବଳୟତ, ହୋଇ ବଳୟବତ ଶୋଭନ୍ତି ଅହିରାୟ ।

ତାଙ୍କ ଜଟାଭାର-। ବନ୍ଧନ ସିଞ୍ଜନି କାର୍ମୁକର ।

ଅବା ଉତ୍ତରୀୟ ପରାୟ ନିରତ ସେବୁଥାନ୍ତି ଏ ତ୍ରିପୁରପର । ୧୮ ।

 

ଦ୍ୱିଜିହ୍ୱ ଏତ ଏକରେ ଶୂଳଦ୍ଭୂତ-ମସ୍ତକ-ସୁଧାଶୁଁ-ରସଭୋଗୀ ।

ଏବେ ତୁ ତାଙ୍କର ହେଲେ ତୋ ଅଧରଅମୃତେ ହୋଇବେ ସେ ସରାଗୀ ।

ଆନ ରସନାରେ । ପରକ୍ଷି ଉଭୟ ସୁଧାଧରେ ।

ଇତରବିଶେଷ କରି ବା ପ୍ରକାଶ ପାରିବେ ବାରି ସେ ଏ ସଂସାରେ । ୧୯ ।

 

‘ସେ ତ ଆଶୀବିଷ ତାଙ୍କ ଦନ୍ତଦଂଶ ବାଜି ବା ରହିବି କେହି ମୁହିଁକ୍ଷ’ ।

ଏମନ୍ତ ବିଚାର ଚିତ୍ତେ ତୁ ନ କର କିଞ୍ଚିତ ମାତର ଚାନ୍ଦମୁହିଁ ।

ଅଧରେ ତ ତୋର । ସୁଧା ଅଛି ପୂରି ନିରନ୍ତର ।

ଏଥି ତାଙ୍କ ଦନ୍ତ ବାଜୁଁ ସେ ଅମୃତ ନୋହି ଏ କେହି ହୋଇବ ଗର’’ । ୨୦ ।

 

 

ଫଣୀ-ଶଫଣ-ଚଳନ ଚାହିଁ ରହୁ ଯୁବତୀବର-ମତିରେ ଭୀତି ।

ରୋମାଞ୍ଚି ଶ୍ରୀଅଙ୍ଗ ଗଲା କନ୍ଧ ବେଗ ତା ଦେଖି ନାଗେଶ-ଭୃତ୍ୟପନ୍ତି ।

ସ୍ନେହ-ଚିହ୍ନ ଏତ । ବୋଲି ଆନନ୍ଦରେ କଲେ ନୃତ୍ୟ ।

ନାଗଙ୍କ ଏ ରୀତି ଚାହିଁ ନାଗପତି ନିଷେଧନ୍ତି ଲାଜ ବହି ଚିତ୍ତ । ୨୧ ।

 

ପତି-ଦଶା ଦେଖି ହୋଇ ମହାଦୁଃଖୀ ନାଗେ ବରଜିଲେ ଦୀର୍ଘଶ୍ୱାସ ।

ତାଙ୍କ ସେ ଶ୍ୱାସ ବରଣମାଳ ଗଳେ ବହିବା ଆଶାକୁ କଲା ନାଶ ।’’

ଯେଣୁ ସେ ଶ୍ଵାସନେ । ପ୍ରତିକୁଳ ବାତ ବୋଲି ମନେ ।

ଭାଳି ବାହକ-ପାଳି ଆଉ ନ ବଳି ପଦେ ଗଲେ ତାଙ୍କ ସନ୍ନିଧାନେ । ୨୨ ।

 

ଫଣୀପତି-ଫଣବ୍ରାତ ସଙ୍କୁଚିତ ଗଲା ହୋଇ ଲାଜେ ଅତି ଅନ୍ତ ।

ତହୁଁ ଶିବିକା-ବାହକେ ବହି ନେଲେ ଯହିଁ ଛନ୍ତି ମହୀପତି-ଗୋତ୍ର ।

ସେ ଶୋଭା ଏମନ୍ତ । ଦିଶଇ ଜାଣିକି ସୂର୍ଯ୍ୟ ଅସ୍ତ ।

କୌମୁଦୀ-ପ୍ରସନ୍ନତାକୁ-ପଦୁଁ ନେଇ କହ୍ନାରକୋଳରେ କଲା ଦତ୍ତ । ୨୩ ।

 

ଭାଷନ୍ତି ଭାରତୀ ‘‘ଆଗୋ ମହୀପତି-ପୁତ୍ରି ତୁ ମତିକି ଥୟକର’’ ।

ପୁଣି ଭୂପତିକି ଚାହିଁ ଭାରତୀକି ରଚନ୍ତି ‘‘ହେ ଧର-ପୁରନ୍ଦର ।

ନୃପଦୁଲାଳୀକି । ଅଛତ ପୂରୁବୁଁ ସର୍ବେ ଦେଖି ।

ନେତ୍ର ଏମନ୍ତ ପାନକଲେ କିଞ୍ଚିତ-ଆଶା ଶତବର୍ଷ ମେଣ୍ଟିବକି ? । ୨୪ ।

 

 

ଲୋକେଶ-କେଶବ-ଶିବାଦି ପ୍ରଭାବ ଯା’ର ଶରବ ନପାରି ସହି ।

ଶାନ୍ତ-ରସକୁ ମାନସୁଁ ନିର୍ବାସିତ ଥାନ୍ତିକରି ଯା’ର ତାପ ପାଇ ।

ତ୍ରଇଲୋକ୍ୟ ଲୋକେ । ସମ୍ଭାଳି ପାରନ୍ତି ନାହିଁ ରେଖେ ।

ସେ ଅସମଶର ହେ ନୃପେ ତୁମ୍ଭର ହେଉ ଶୁଭଙ୍କର ଅତିରେକେ’’ । ୨୫ ।

 

ପୁଣି ମହୀପତି-ସୂତାକୁ ବୋଲନ୍ତି ‘ଶୃଙ୍ଗାର-ସର୍ଜ୍ଜକ-ଅଣୁଯୁଗ୍ମ-।

ଉଦରି ଗୋ ନେତ୍ର ତୋର ବାରେ ମାତ୍ର ପକାଅ ଏ ନୃପତିଙ୍କ ଅଙ୍ଗ ।

ଆରେ କୁନ୍ଦଦନ୍ତି । ଶର-ବୃଷ୍ଟି କଲାବେଳେ ରତି-।

ପତିର ହୁଙ୍କାର ମନେ ଏହାଙ୍କର ସଂହାର ହୋଇଛି ଶାନ୍ତି ଶକ୍ତି । ୨୬ ।

 

ଆରେ ଅନଳସ-କମଳ-ବିଳାସ-ବିଜୟୀ-ନୟନା ଘେନ ଗିର ।

ପୁଷ୍କରନାମ ଦ୍ୱୀପର ଅଧୀଶ୍ୱର ଗଳାରେ ଦୋଳା ବରଣହାର ।

ତାଙ୍କତୁଲେ ତୁହି । ସ୍ୱାଦୂଦକ ପୂର୍ଣ୍ଣ ନଦୀସାଇଁ-।

ବକ୍ଷରେ ବାରି-ବିହାରଲୀଳା କର ରେ ଅକଳଙ୍କ-ଶଶାଙ୍କମୁହିଁ । ୨

 

ସବନ ରାଜାର ଏ ଦ୍ୱୀପ ପୁଷ୍କର ରାଜ୍ୟ ଅଟଇ ରେ ନାଭିଶୋଭି ।

ଭୁବିରେ ସୁମନ-ପୁରକୁ ସମାନ ଯୋଗେ ବହେ ଭୁସ୍ୱର୍ଗ ପଦବୀ ।

ଏହି ସ୍ୱର୍ଗବତ-। ସମ୍ପଦେ ବଳାଅ ବାଳା ଚିତ୍ତ ।

ଏ ନରେନ୍ଦ୍ରପୁରେ ଶଚା-ପରକାରେ କର ବିହାର ତୁ ଅବିରତ । ୨୮ ।

 

 

ଏ ଦେଶେ ନ୍ୟଗ୍ରୋଧ-ପାଦପର ଅଧ-ଦେଶରେ ହିମ-ଶୀତଳ ଶିଳେ ।

ବିଜୟ ସାବିତ୍ରୀ ପତି ରେ ସ୍ମଦତୀ-ବର କରିଛନ୍ତି ସଦାକାଳେ ।

ଦେଖି ତୋର ଛବି । ତୋ ସମନାହିଁ କେ ଆନଭାବି ।

ପ୍ରଶଂସି ଶିଳ୍ପନିପୁଣ ସୁକରେ ସେ ହୁଅନ୍ତୁ ଶିଳ୍ପୀସମାଜେ ଗର୍ବୀ । ୨୯ ।

 

ନଭୁଁ ନିପତିତ ବୃଷ୍ଟି ଆତପକୁ ଅଧ-ନିପତନୁଁ ରୋଧିବାରୁ ।

ବହିଛି ନ୍ୟଗ୍ରୋଧ ନାମକୁ ରେ ବୁଧ-ଜନକ-ବଦନା ଏହି ତରୁ ।

ପକ୍ୱଫଳ ପତ୍ରେ । ବର୍ହୀ-ବର୍ହରଚା ଆତପତ୍ରେ ।

ଧିକ୍ୱାରେ, ସେ ତୋର ଅତିଥି ଦୃଷ୍ଟିର ହେଲେ ନ ପାରିବୁ ଚାଳି ନେତ୍ରେ । ୩୦ ।

 

ଏ ରାଜହଂସର ନୋହିବ ଧବଳ କିପାଁ ଅତି ପ୍ରିୟବତୀ କୀର୍ତ୍ତି ।

ସକଳ ଭୂବନେ ପଦ ପ୍ରକ୍ଷେପଣେ ନ ତୋଷି ରହିବ କିପାଁ ମତି ।

ଆରେ ଚାନ୍ଦମୁହିଁ । ଏକଥା ଏକା ଆଶ୍ଚର୍ଯ୍ୟ ହୋଇ ।

ଶୁକ୍ଳ ଏ ସକଳେ କରି ନିରେକ୍ଷୀରେ ଆନବତ ଭିନ୍ନ ନ କରଇ । ୩୧ ।

 

ହୋଇଲେହେଁ ଶୂର ସୁରି-ମଣ୍ଡଳର ଅଗ୍ରବରଣ ସେ କ୍ଷିତିପତି ।

ନାନାଦି-କଳା-ବିଦ୍ୟାରେ ବିଶାରଦ ଶୃଙ୍ଗାର-ଭଙ୍ଗିରେ ପଟୁଅତି’ ।

ତାଙ୍କୁ ଦମୟନ୍ତୀ । ଚିତ୍ତକୁ ନନେଲା ମାତ୍ର ରିତି ।

‘ନଳଭଳି ସୁମଞ୍ଜୁଳ-ନାମ-ଶୀଳ ନୁହଁନ୍ତି ଏତ’ କି ଚିତ୍ତେ ଚିନ୍ତି ? । ୩୨ ।

 

 

ଭ୍ରୂଲତା ନଚାଇ ଅଙ୍ଗ ଅଳସାଇ ଅନାଦର କରୁ ସେ ଭୂଭୃତେ ।

ଏ ଲକ୍ଷଣରୁ ଲାଭଆଶା ନାଶକ ତରକି ସେ ନରପତି ଚିତ୍ତେ ।

ହେଲେ ସନ୍ତପତ । ବାଳା-ବିପ୍ରଲବ୍‌ଧତାପ ଜାତ-।

ଜାତ-ବେଦଧୂମ-ବଜା-ବତ ଶ୍ୟାମ ଗଲା ଦିଶି ତାଙ୍କ ତନୁ ଦ୍ରୁତ । ୩୩ ।

 

ବାରିପାରି ନିଜ ହୁଦୁଁ ମହାରାଜ-ସୁତା-ମତିକି ବାହକମାନେ ।

ତହୁଁ ଘେନିଗଲେ ହାନ୍ଦୋଳା ଚଞ୍ଚଳେ ଆନ ମହୀପତି ସନ୍ନିଧାନେ ।

ପ୍ରଭୁ ଆଦେଶରେ । ଅପେକ୍ଷା ନରଖି ଇଙ୍ଗିତରେ ।

ବୁଝି ତା ଚିତ୍ତ ଯେ କାର୍ଯ୍ୟକରେ ଥାଉ ସେ, ପ୍ରଭୁ ଲୋଡ଼ିବ କିପାଁ ଗିରେ । ୩୪ ।

 

ଶରୀର-ଶୋଭାରେ ଅଶ୍ୱିନୀ-କୁମାରେ ହରାଇବା-ନରପତି-ପାଶେ ।

ମିଳି ସରସ୍ୱତୀ ବୋଲାନ୍ତି ‘ଗୋ କ୍ଷତି-ପତି-ପୁତ୍ରି ଲାଜନତ ଆସ୍ୟେ ।

ଟେକି ମାତ୍ର ବାରେ । ଚାହାଁ ଭୂରୁଶୋଭି ଏ ଭୂପାଳେ ।

କୁଳଶୀଳ-ବଳାଦିର ମାତ୍ର ତି ବାଛିବାକୁ ନାହିଁ ୟାଙ୍କଠାରେ । ୩୫ ।

 

ନ ବିତରି ଅବସର ମାତ୍ର ଲବ ଅଳସକୁ ବନ୍ଦି ବୃନ୍ଦେ ଦେଖ ।

ନୃପତି ସ୍ତୁତିଗୀତିରେ ଅନ୍ତରୀକ୍ଷେ ନାହାନ୍ତି ରଖି କିଞ୍ଚିତଫାଙ୍କ ।

ତେଣୁ ଗିର ମୋର । ଆକାଶେ ରହିବ କେଉଁଠାରେ ।

ଯା ବର୍ଣ୍ଣିବ କୀର୍ତ୍ତି ହେବ ପୁନରୁକ୍ତି ତା’ତ ଏ ଭାଟଙ୍କ ଭାରତିର । ୩୬ ।

 

 

ଏ ହବ୍ୟ ନୃପତି ଶାକଦ୍ୱୀପପତି ୟାଙ୍କୁ କି ନବଳେ ତୋର ଚିତ୍ତ ।

ପ୍ରଚଣ୍ଡ-ଦୋର୍ଦ୍ଦଣ୍ଡ-ପ୍ରତାପ-ଗୀତିକି ମାଗଧଙ୍କ ମୁଖୁଁ ଶୁଣିଲତ ।

ବୁଧ-ସମାଜରେ । ଏ ସ୍ତୁତିତ ପୂଜା ଅବ୍ୟାଜରେ ।

ଅରଜେ ଶୁଣି ଏହାଙ୍କୁ କି ସୁଶ୍ରୋଣୀ ନ ମଜ୍ଜେ ତୋ ଏ ନୃବରେ । ୩

 

ଶୁକଚ୍ଛଦ-ସମ-ଛବି ପତ୍ରସ୍ତୋମ-ଶୋଭୀ ଶାକତରୁ ଏ ନୃପତି-।

ପୁରେ ଅଛି ରହି ତା ଦର୍ଶନପାଇ ନେତ୍ର ତୋ ଲଭିବ ଅତିତୃପ୍ତି ।

ଆରେ ବରାରୋହା । ଦିଶକୁ ହରିତ ବୋଲି ଯାହା ।

ତା’ ପତ୍ରବ୍ରାତ-ବୃତ ହୋଇ ହରିତ ଦିଶି ସେ ଅରଜିଛନ୍ତି ତାହା । ୩୮ ।

 

ତା’ର ପତ୍ରବ୍ରାତ-ପରଶେ ତୋ ଚିତ୍ତ ଆନନ୍ଦେ କି ନ ଯିବହୋଇ ।

ସେଆ ନନ୍ଦ ଉପଭୋଗ କର ନୃପନନ୍ଦିନି ! ବରି ଏ ନରସାଇଁ ।

ଆରେ ନାରୀବର । ଦେଖି ତହିଁ ଶାକ ତରୁବର ।

ପରାଶର-କୃତ-ନାନାଦି-ଚରିତ-ବ୍ରାତେ ମିଥ୍ୟାବୁଦ୍ଧି ପରିହର । ୩୯ ।

 

ସେ ରାଜ୍ୟଧାରେ ଶୋଭେ କ୍ଷୀରସାଗର, ତୀରବନ-ପ୍ରତିବିମ୍ୱ ବହି ।

ତରଙ୍ଗ-ନିଚୟ ନୃତ୍ୟ ଅତିଶୟ କରୁଥାନ୍ତି ତହିଁ ଚିତ୍ରହୋଇ ।

ଆରେ ଚଳାପାଙ୍ଗ । ଯାଅ ଏ ଭୂପତି-ବରେ ମଙ୍ଗି ।

ସେ କ୍ଷୀର-ସାଗର-ତରଙ୍ଗ-ନିଜର ହେଉ ତୋ ଅପାଙ୍ଗ-ଭଙ୍ଗି-ସଙ୍ଗୀ । ୪୦ ।

 

 

ବିରାଜନ୍ତି ତହିଁ ତଳ୍ପବତ ଅହି-ଅଧୀଶ୍ୱର ଶିରୀପତିଙ୍କର ।

ଅଖଣ୍ଡ-ପ୍ରକାଣ୍ଡ-କୁଣ୍ଡଳ-କଳପ ଦିଶଇ ତାଙ୍କର କଳେବର ।

ଆରେ ବରବାଳୀ । କ୍ଷୀର-ସାଗରର ଉର୍ମ୍ମି ଚଳି ।

ଆସି ମୁଖେ ପରବେଶୁଁ ପିଇ କ୍ଷୀର କେବଳ ଜୀବ ସେ ଥାନ୍ତି ଧରି । ୪୧ ।

 

ଏ ଦ୍ୱୀପେ ତୋ ଛବି ପ୍ରକଟିଲେ ଦେବୀ କମଳା ବିସ୍ମିତା ରୂପେ ତୋର ।

ହୋଇ କରାଙ୍ଗୁଳି ପତିପଦେ ଚାଳି ବିନାଶିବେ ନିଦ୍ରା ଶ୍ରୀହରିର ।

ଦରଶାଇବାକୁ । ଏ ତୋ ଅପରୂପ ଲାବଣ୍ୟକୁ ।

ଅଟୁତ ସୁଧୀ କେମନ୍ତେ ଚିତ୍ତ ରୋଧିଅଛୁ ଏ ସମ୍ପଦେ ତେଜିବାକୁ । ୪୨ ।

 

ଏଥି ଉଦୟ-ପର୍ବତ-ଶିଳବ୍ରାତ ଉଦିତାରୁଣ-କିରଣ ପାଇ ।

ଅପ୍ରାକୃତ-ଗଇରିକରଙ୍ଗ ବହି ହୋଇଥାନ୍ତି ଅତି ମନମୋହି ।

ଆରେ ଗଜଗତି । ଏଶିଳମାଳେ ତୁ କଲେ ଗତି ।

ଶ୍ରମ-ଜାତ-ସ୍ୱେଦମିଶ୍ରିତ ତୋ ପଦ-ଲାକ୍ଷାରେ ହେବ ସେ ସେହିମତି । ୪୩ ।

 

ରେ ରମ୍ଭୋରୁବର ଉଦୟାଦ୍ରିଶିର-ପ୍ରଦେଶେ ବିରାଜୁଥିବୁ ଯେବେ ।

କୁଙ୍କୁମରାଗ ରଞ୍ଜିତ ମୁଖେ ତୋର ଅବଲୋକି ଲୋକେ ଭାବି ହେବେ ।

ଆରେ ଶଶିମୁଖି । ବୋଲିବେ ‘‘ନ ଥିଲୁଁ ଏହା ଦେଖି ।

କାହୁଁ ଏ ଶଶି ଆସିଲା ପରକାଶି ଅଙ୍କକଳଙ୍କକୁ କାହିଁ ରଖି’’ । ୪୪ ।

 

 

ଏ ହବ୍ୟ ଭୂପାଳ ପୂରୁବେ ତୋହର ବିରହାନଳେ ତନୁକୁ ଦାହି ।

ଅଛନ୍ତି କରି ସାନ୍ୱୟ ନିଜନାମେ ଏହାକୁ ଯେବେ ତୁ ଚାନ୍ଦମୁହିଁ ।

ଅରପିବୁ କର । କୁମାର କୁମାରୀଙ୍କରେ ତୋର ।

ହୋଇ ସେ ଅନ୍ୱୟବନ୍ତ ନୋହି ଧନ୍ୟ ରହିବେ କି ସଂସାର ମଧ୍ୟର’’ । ୪୫ ।

 

ସେ ଭୂପତିକର-ତରୁକୁ ସାଗରସୁତା ଆଶ୍ରିଲେହେଁ ନିରନ୍ତର ।

ବଦନ କମଳେ ଭାରତୀ ନିଶ୍ଚଳେ ବିରଚିଥିଲେହେଁ ସଦା ପୁର ।

ତଥାପି ସୁଦତୀ । ନ ବଳାଇଲା ସେ ନୃପେ ମତି ।

ବିଚାରି ‘ମଘବା ପ୍ରାର୍ଥୀପଣେ ଅବା ଏହାଙ୍କୁ ନତି ନ କରିଛନ୍ତି’ । ୪୬ ।

 

ସୁଗୁଣଗଣେ ଭୁବନେ ଲବ୍ଧସିଦ୍ଧି ସୁମନ-ସମୂହେ ପରଧାନ ।

- କମଳାଳୟୀ-ନିକେତନ-ନଳିନୁଁ ସୁରଭିକି ଯଥା ପବମାନ ।

ନିଏ ଆନସ୍ଥାନେ । ତେମନ୍ତ ଶିବିକାବାହୀମାନେ ।

ସେ ନୃପତି ପାଶୁଁ ବିଦର୍ଭସୁଭୃକୁ ନେଲେ ଆନନୃପ ସନ୍ନିଧାନେ ।୧

 

ସେ ମହୀପତିର କତିରେ ଭାରତୀ ଯୁବତୀବରେ ଏମନ୍ତ ଭାଷି ।

‘‘ଆରେ କରୀକୁମ୍ଭସ୍ତନ ସାତକୁମ୍ଭବରନା କୁରୁବିନ୍ଦସୁଦତି ।

ଦେଖ ଏ ନୃପାଳ । ବାହୁବଳେ ଏହୁ ବହୁବାର ।

ଅଛନ୍ତି ଯୂରି ଅରାତିତତି-ଶିରୀ-ତୁଲେ ଭାଗ୍ୟ ତାଙ୍କ ନାରୀଙ୍କର । ୪୮ ।

 

 

ଯେ କ୍ରୋଞ୍ଚନାମରେ ବିଦିତ ସଂସାରେ ସେହି ଦ୍ୱୀପର ଏ ଅଧିପତି ।

ଚଞ୍ଚଳ ଦୃଗଞ୍ଚଳ ଚାଳି ବାଳୀ ତୁ କର ବିଲୋକନ ଏ ମୂରତି ।

ରାଜ୍ୟେ ଏହାଙ୍କର । ଦଧି-ସାଗରର ନୀର-ପୂର ।

ସରସି ପରାୟେ ଶୋଭା ପରକାଶି ଆକରଷେ ଚିତ୍ତ ଦର୍ଶକର । ୪୯ ।

 

ତୋ ପାଦପାତବହନାଶାୟୀ ଶୈଳ କ୍ରୌଞ୍ଚ ନାମେ ଅଛି ଏହି ଦ୍ୱୀପେ ।

ଶରଜନ୍ମା-ଶରବିଘାତ-ନିର୍ମିତ-ରନ୍ଧ୍ର-ବଦନେ ସେ ଅନଳପେ ।

ମରାଳଆବଳି- । କଳସ୍ୱନ-ଛଳେ ଗୁଣାବଳି ।

ଗାଉଥିବେ ବସି ଶୁଣୁଥିବୁ ରସି ଆରେ ଶୁଭ୍ରକେଶୀ ବରବାଳୀ । ୫୦ ।

 

ଏ ଦ୍ୱୀପେ ଶଙ୍କର ବିନା ଆନସୁର-ସେବାରେ ନ ରସେ ନରଚିତ୍ତ ।

ଦର୍ଭମାତ୍ରକେ ସେବି ଆଗୋ ବୈଦର୍ଭି ଯାକୁ ଲୋକ ଆଉ ନୁହେଁ ଜାତ ।

ଏହି ଭୂମଣ୍ଡଳେ । ତାଙ୍କୁ ତୁ ସେବିବୁ ଅବହେଳେ ।

ଯେବେ ଆନେ ତେଜି କରିବୁ ମରଜି ମାଳେ ଦେବାକୁ ଏହାଙ୍କ ଗଳେ । ୫୧ ।

 

ଚୂଳେ ଚୁମ୍ୱାଇ ମାର୍ତ୍ତଣ୍ଡ ମଣ୍ଡଳକୁ କରିବୁ ନିର୍ମାଣ ହର୍ମ୍ୟରାଜି ।

ନବୋଦିତ-ରବି-କରେ ଉଦୟାଦ୍ରିବତ ସେ ସ୍ୱର୍ଣ୍ଣେ ଦିଅନ୍ତୁ ତେଜି ।

ଶିର ପ୍ରଦେଶରେ । ରାଜନ୍ତୁ କନକକୁମ୍ଭବାରେ ।

ତହିଁ ବାଳକ-କଳାକରମଣ୍ଡଳ ବିଜେ କରାଇବୁ କୁତୂହଳେ । ୫୨ ।

 

 

ପତିତୁଲେ ସୁର ସଙ୍ଗେ ଯୁଝିବାରେ ଶ୍ରମ-ବାରି-ବିନ୍ଦୁମୁକ୍ତା-ପାଳି ।

ତୋ ଅଙ୍ଗୁ ଦଧି-ମହୋଦଧି-ତରଙ୍ଗ-ଭଙ୍ଗ-ଚାଳନ-ଭଳି ।

ହୋଇ ଚୋରପରି ଜଳାକବାଟୀ-ବାଟରେ ଗଳି ।

ଅତି ଅତରକିତରେ ନେବ ହରି ନ ପାରିବୁ ବାରି ସୁକୁମାରି । ୫୩ ।

 

ଏ ଅବନୀପତି-ସୁଯଶ-ସନ୍ତତି ବେନିଅର୍ଥେ ହଂସସମ ହୋଇ ।

ଲଙ୍ଘି ସାଗରେ ହରିତାନ୍ତରେ ଖରେ ସଞ୍ଚରିବାର ବିଚାର ବହି ।

କ୍ଷୁଦ୍ର ସରୋବରେ । ପକ୍ଷୀ-ରୂପରେ ଅଭ୍ୟାସ କରେ ।

ସନ୍ତରଣେ ପୁଣ ପଶୁରୂପେ ଘେନ ଦୀର୍ଘପଥ ଅତି କ୍ରମଣରେ’’ । ୫୪ ।

 

ଗଣନା-ବଣା-କରିବା-ଗୁଣଗଣେ ନିପୁଣ ହେଲେହେଁ ସେ ନୃପତି ।

ସେ ବିଦର୍ଭମହୀପତି-ସୁତା ତହିଁ ନ ବହିଲା ରତିମାତ୍ର ରତି ।

ଦୈବ ପ୍ରତିକୂଳ । ହେଲେ ତ ନ ଥାଏ କା’ର ବଳ ।

ପ୍ରୟାସ-ପୁରୁଷ ପୌରୁଷ ବିନାଶ ଲଭୁଥାଇ ତହିଁ ବେଳୁଁ ବେଳ । ୫୫ ।

 

ଅଂସ ବିଭୂଷଣ ଶିବିକାକୁ ପୁଣ ବାହକେ ବରଜି ସେ ଭୂପତି ।

ଘେନିଗଲେ ଆନ ଅବନୀଜୀବନ-ଧନ ନରପତି-ବର କତି ।

ଶୋଭା ସେକାଳର । ଦେଖି ଏ ତର୍କ ଜାତ ଚିତ୍ତର ।

ରତ୍ନାକରୁଁ ଅନୁଜୀବୀ ଦେବେ ବିଧୁ ନେଇ ଦେଲେ କି ଶଙ୍କର-ଶିର । ୫୬ ।

 

 

ବିଷ୍ଣୁ ବିନା ଆନେ ଅଥୟ କମଳାଭଳି ସେ ବିଦର୍ଭେଶ-ସନ୍ତତି ।

ଦୂଷଣ-ରହିତ ସୁଗୁଣ-ଶୋଭିତ ତେଜି ଏକ ଏକ କ୍ଷିତିପତି ।

ଯାଇ ଆନ ଆନ । ପାଶରେ ତାହାଙ୍କୁ ତେଜେ ପୁଣ ।

ବିଶ୍ୱବନ୍ଦିତ-ଚରଣା ବାଣୀ ପାଶେ ବାଣୀ କରୁଥାନ୍ତି ବିରଚନ । ୫

 

ଆନ-ନରପତି-କତିରେ ଭାରତୀ ମିଳି ବୋଲନ୍ତି ‘‘ରେ ପଦ୍ମପାଣି ।

କୁଶନାମ-ବହିଥିବ-ଦ୍ୱୀପ-ମହୀପତି ଏ ଅଟନ୍ତି ବାଳାମଣି ।

ନାମ ଜ୍ୟୋତିଷ୍ମାନ । ଦିଅ ମାଳ ଯେବେ ବଳେ ମନ ।

କ୍ଷୁଦ୍ରବନ-ପୂର୍ଣ୍ଣ ଘୃତଶରସ୍ୱାନ-ତୀରେ ବିହରିବୁ ନେବୁ ଦିନ । ୫୮ ।

 

ମରୁତ-ତରଙ୍ଗ-ଚଞ୍ଚଳ-ଉତ୍ତୁଙ୍ଗ-କୁଶସ୍ତମ୍ଭ-ପତ୍ର-ଶସ୍ତ୍ରଘାତେ ।

ବାରିଦବୃଦ ହୃଦୟ ବିଦାରିତ ହେଉ ସେ କ୍ଷତଜ-ଧାରାପାତେ ।

ଅଭିଷିକ୍ତ ହୋଇ । ଅଛନ୍ତି କୁଶେ ସୁଷମା ବହି ।

ତହିଁ ତୋ ନେତ୍ର ପଡ଼ିଲେ ଥରେ ମାତ୍ର ନ ପାରିବୁ ତାଙ୍କୁ ତହୁଁ ନେଇ । ୫୯ ।

 

ସେ ଦ୍ୱୀପ ମନ୍ଦର ପର୍ବତେ ସୁନ୍ଦର, ସାଗର-ମନ୍ଥନ-ସମୟରେ ।

ସମ୍ଭୂତ-ଇନ୍ଦିରା-ପଦ-ଚିହ୍ନେ ପରା ସୌନ୍ଦର୍ଯ୍ୟଶାଳୀ ତା ଶିଳମାଳେ ।

ସେ ପର୍ବତବର- । କନ୍ଦରେ ତୁ ପତି ସଙ୍ଗତର ।

ଆନନ୍ଦେ ନାନାବିଧ କେଳି ବିରଞ୍ଚି ନିମିଷ ସମ ବାସର ହର । ୬୦ ।

 

 

ସେ ସାଗରମନ୍ଥା-ମନ୍ଦର-ପର୍ବତ-ପାଷାଣେ ଅହୀନ୍ଦ୍ର ଦେହ ଭିଡ଼ି ।

- ହୋଇ ସୋପାନ-ଶ୍ରେଣୀ-ସମ ବିଷମ ସୁଷମ ଚିହ୍ନ ଯାଇଛି ଜଡ଼ି ।

ଆରେ କାର୍ତ୍ତସ୍ୱର- । କେତକଗାତ୍ରୀ ତୁ ତଥିପର ।

ଆରୋହଣ କର ସେ ସରଣୀ ତୋର ଚାହିଁ ରହିଅଛି ନିରନ୍ତର । ୬୧ ।

 

ସରସ୍ୱାନ-ମନ୍ଥ-ଦଣ୍ଡ ସେ ପର୍ବତ ଅଙ୍ଗେ ଶେଷ ରଜ୍ଜୁ-ଘଷାଗାରେ ।

ନିର୍ମଳ ନିର୍ଝର-ନିରଧାର ଖର ଆସେ ବହି ତା ଚାହିଁ ଚିତ୍ତରେ ।

ଭାବୁଥିବୁ ତୁହି । ଏ ଯାଏ ନାଗ କି ଅଛି ରହି ।

ଧରାଧରବର-ଆସନ ତଳର ଶିରକୁ ନିଜର ଗୋପ୍ୟେ ଥୋଇ । ୬୧ ।

 

ଅବଲୋକି ତୋତେ ପୂରୁବ-ବୃତ୍ତାନ୍ତେ ସ୍ମରୁଥାଉ ସେହି ଗିରିବର ।

କଳ୍ପଦ୍ରୁମ-ପତ୍ର-କଥା ତା’ର ଚିତ୍ତ ପଡ଼ୁ ଚାହିଁ କରପତ୍ର ତୋର ।

ଅବଲୋକି ମୁଖେ । ଶଶାଙ୍କେ ସୁମରୁଥାଉ ସୁଖେ ।

କୁଚକୁମ୍ଭଯୁଗ ଚାହିଁ ସୁରନାଗ-କୁମ୍ଭକଥା ଝରୁ ଅତିରେକେ’’ । ୬୩ ।

 

ବେଦେ ଯାର କୀର୍ତ୍ତି ନିରତ ରଟନ୍ତି ଯେ ବିନା କାରଣେ ପରପାଇଁ ।

କରନ୍ତି ସତତ ଯତ୍ନ ସେ ପର୍ବତ-ନିବାସୀ ପର୍ବତସୁତାସାଇଁ ।

ରୂପ-ବିଷୟରେ । ମୀମାଂସା-ପ୍ରାୟସେ ନରବରେ ।

ନ କଲା ଯୁବତି-ରତ୍ନ ଅନୁମତି ମତିରେ ଚିନ୍ତି କି କି ବିଚାରେ । ୬୪ ।

 

 

ତହୁଁ ଯାନବାହୀ-ଜନେ ଗଲେ ନେଇ ଶିବିକା ଆନ-ନୃପତି-ପାଶେ ।

ଯଥା ପ୍ରାର୍ଥିଜନ ବିଭବ-ବିହୀନଜନ-ପାଶୁଁ ଲେଉଟି ନିରାଶେ ।

ବଇଭବବନ୍ତ- । ଲୋକପାଶେ ହୋଇ ଉପଗତ ।

କରେ ପରକାଶ ପ୍ରାର୍ଥନା ମାନସଦେଶରେ ସମ୍ପାଦି ଅତି ଆଶ । ୬୫ ।

 

ଉପବେଶନେ ଯାହାର ବିଶ୍ୱମ୍ଭରଆସନ ହୁଏ ପବିତ୍ର ଅତି ।

ସେ ଭାରତୀ ଆନ-ନୃପ-ସନ୍ନିଧାନ ଲଭି ନାଭଶୋଭି କି-କହନ୍ତି ।

‘‘ଆରେ ସୁକୁମାରି । ଅରାତି-ନିର୍ଦ୍ଦୟ-ଶସ୍ତ୍ରଧାରି ।

ଏ ନୃପେ ନବରି ଗୁଣଗ୍ରାହୀ ପଣ ଊଣା ତୁ ନକର କୁଶୋଦରି । ୬୬ ।

 

ସୁରାସାଗର-ବଳୟିତ ଶାଳ୍ମଳିଦ୍ୱୀପ ଏ ଜଗତେ ଖ୍ୟାତ ଅଛି ।

ଗୁଣସାଗର ଏ ନୃପମହାବଳ ଅଟନ୍ତି ତହିଁର ଅଧିପତି ।

ଆରେ ହେମଗାତ୍ରି । ଚିନ୍ତିବାକୁ ନିକି ଅଛି ଏଥି ।

ରେ ତିଳସୁମନନାସିକେ ତୋ ମନ ନବଳେ କି ଏ ନୃପତି-ପ୍ରତି । ୬

 

ଏକସାଗର ଶୋଷଣେ ଋଷିଙ୍କର ଅପର ପଞ୍ଚ ଲଭିଲେ ରୀତି ।

ଏକା ଏ ସୁରାସାଗର ଅକାତର ହୋଇ ଦେଖୁଥିଲା ସେହି ରୀତି ।

ଆରେ ବରବାଳୀ । ସଙ୍ଗତରେ ଘେନି ନିଜ ଆଳୀ ।

ଏ ନୃପତି କୋଳେ ଲୋଳି ସେ ସାଗରେ ସୁଖେ ରଚ ମଧୁପାନକେଳି । ୬୮ ।

 

 

ବିବିଧ-ଔଷଧ-ଲତା-ବ୍ରାତେ ସାନ୍ଦ୍ର ଦ୍ରୋଣ-ଗିରିବର ସେ ଦ୍ୱୀପରେ ।

ତ୍ରଯାମାଯାକ ଯାମେ ଜମା ନ ତେଜି ଆଲୋକଇ ଦୀପ-ପରକାରେ ।

ଶିରଦେଶ ତା’ର । ନୀରଦେ ଦିଶଇ କି ସୁନ୍ଦର ।

ସୌଭାଗ୍ୟଭାଗ ତୋ ବଢ଼ାଇବା ପାଇଁ ଦେବ ସେ ଔଷଧ-ଉପହାର । ୬୯ ।

 

ଆରେ ଶତଦଳ-କୋଷ-କୋମଳାଙ୍ଗି ବିଶାଳ-ଶାଳ୍ମଳିତରୁ ତହିଁ ।

ବିରାଜେ ତା ତୁଳାବଳି ମନ୍ଦବାତେ ଉଡ଼ି ମହୀପରେ ପଡ଼ିଥାଇ ।

ତେଣୁ ସେ ଦେଶର । ମୃତ୍ତିକା ଅଟଇ ସୁକୋମଳ ।

ଯୋଗ୍ୟ ସେ ଲୀଳାବିହାରବେଳେ ତୋର କୋମଳ-ପୟର-ପରଶର’’ । ୦ ।

 

ଏ ଗୁଣବାର ବର୍ଣ୍ଣବାବେଳେ ସରସ୍ୱତୀ ସେ ହୀରକ-ବରଦନ୍ତୀ ।

ଜୃମ୍ୱା ବିକଶାଇ ବଦନେ ରଚନ କଲା ସଙ୍କୋଚନ ନେତ୍ରେ ଅତି ।

ଚିତ୍ତଭାବ ତା’ର । ବାରିଲାପ୍ରାୟ ବାହକବାର ।

ସେ ମହୀପତି-ପାରୁଶରୁ ଝଟତି ନେଲେ ବହି ଶିବିକାକୁ ଧୀର । ୧ ।

 

ଆନ ନୃପପାଶେ ପ୍ରବେଶି ବାଳୀଶେ ଭାଷନ୍ତି ଭାରତୀ ଏ ବଚନ ।

‘‘ନବୀନା ଅନା ରେ ଏ ନୃପ ଭୂଜରେ ଦଶଦିଶ-ଜୟଯଶ-ମାନ ।

ଚନ୍ଦ୍ର-ବିଲେପନ ।-ଛଳେ ହୋଇଛି ଉଦ୍ଦୀୟମାନ ।

କାଶ୍ମିର ଲେପବ୍ୟାଜେ ଜନାନୁରାଗ ଉର-ପ୍ରଦେଶରେ କି ଶୋଭନ । ୨ ।

 

 

ନାମ ମେଧାତିଥି ପ୍ଳକ୍ଷଦ୍ୱୀପପତି ଅଟନ୍ତି ଏ ଆରେ କରୀଗତି ।

ଯାମଳାର୍ଜୁନାରି-ହୃଦୟକମଳେ କମଳାଳୟା-ପରାୟେ ନିତି ।

ଏ ନୃପତି ଉର ।-ପ୍ରଦେଶରେ ତୁ ବିହାର କର ।

ବିବିଧ କେଳିବିଳାସେ ନବବାଳୀ ଭୂପ-ମତି ତୋଷ ନିରନ୍ତର । ୩ ।

 

ଧରିତ୍ରୀ-ଆତପତ୍ରବତ ବିସ୍ତୃତ ପ୍ଳକ୍ଷବୃକ୍ଷ ଅଛି ସେ ଦ୍ୱୀପରେ ।

ତା ଶାଖାଲମ୍ୱିତ-ଦୋଳିମାଳେ ଅଙ୍ଗ ଦୋହଲଇ ଖେଳୁଥାନ୍ତି ଗେଲେ ।

ସେ ପୁରର ଜନେ । ସେ ଶୋଭା ଦେଖିଲେ ତୁ ନୟନେ ।

ଖେଳିବାକୁ ବାଳମୃଗାକ୍ଷି କେବଳ ହୋଇବ ତୋ ମନ ଅବିଛନ୍ନେ । ୪ ।

 

ଚକିତ-ଚକୋର-ନେତ୍ରାରେ ତୋହର ଅଧର-ସୁଧାକୁ କରି ପାନ ।

ସ୍ୱରାଜ୍ୟ-ପରୀଖା ପରି ଚାରିପାଶେ ଘେରିଥିବା ଇକ୍ଷୁସରସ୍ୱାନ- ।

ନୀରସ୍ୱାଦକୁ ସେ । ମହୀହିମକର ଅହର୍ନିଶେ ।

ମଣନ୍ତୁ କଷା ରସନା ନୋହୁ ରସା ଆଉ ତାଙ୍କର ସେ ଇକ୍ଷୁରସେ । ୫ ।

 

ସୂରେ ନ ବିଲୋକି ସୌରଙ୍କ ପରାୟେ ନିଶାଇଶ-ଦରଶନ ବିନା ।

ଅନ୍ନ କେ ପଚାରେ ନ ସରଇ ନୀରେ ଏ ଦେଶ-ନିବାସୀଙ୍କ ରସନା ।

ଆରେ ଶଶିମୁଖି । ତୋ ମୁଖ-ଶଶାଙ୍କ ସଦା ଦେଖି ।

ଅମାରେ ଅନ୍ନଭୋଜନେ ବ୍ରତନାଶେ ନୁହଁନ୍ତୁ ସେ ଜନେ ଆଉ ଦୁଃଖୀ । ୬ ।

 

 

ସେ ଦେଶେ ବିପାଶା ସରିତ ନିରତ ବହୁଅଛି ଧୀରେ ଧୀରାବର ।

ତା ଅଙ୍କ-ମଣ୍ଡନ ନବୀନପଙ୍କଜରାଜି ନିରଜନ-ପରକାର ।

ହେଉ ତୋ ନେତ୍ରର । ଇତର-ଚିନ୍ତାକୁ ଦୂରକର ।

ଏ ନରବରଉରେ ହାର ଅରପି ବରି ନରବରେ ବର କର । ୭୭

 

ଏ ମହୀପତି-କୀରତିଚୟେ ଅତି ସିତୀକୃତ ହେଉ ସର୍ବନୀର ।

କ୍ଷୀର-ନୀର-ଭେଦ-ବିଚାର-କୋବିଦପଣ ଊଣା ହେଉ ହଂସଙ୍କର ।

ଆରେ ବରବାଳୀ । କ୍ଷୀର ନୀରକୁ ତ ପୟ ବୋଲି ।

ସେ ଦୁହେଁ ଖାଲି ପୟ ହୋଇଅଛନ୍ତି ପ୍ରଭେଦ ପରସ୍ପର ଭୁଲି । ୮ ।

 

ଏହାଙ୍କ କୀର୍ତ୍ତି କେ ବର୍ଣ୍ଣି କରୁ ଇତି ତହିଁ ଏ ସ୍ପର୍ଦ୍ଧୀନଳଙ୍କ ତୁଲେ ।

ଏ ବେନି ଭୂପତି ଆଦେଶି ଅଛନ୍ତି ଆପଣା ଆପଣା କୀର୍ତ୍ତିକୁଳେ ।

କରି ବଳାତ୍କାର । ପାରାବାରର ଅପରକୁଳ ।

ଅତିକ୍ରମି ଆନ ପ୍ରଦେଶସମୂହେ ଦର୍ଶାଇବାକୁ ସ୍ୱଭୂଜବଳ’’ । ୯ ।

 

ଶତଦଳକୋଷ-କୋମଳ-ଶୁଭାଙ୍ଗୀ ସେ ବିଦର୍ଭ-ମହୀପତି-ପୁତ୍ରୀ ।

ପୁରତ୍ରୟର ସୁନ୍ଦର ଯୁବାବୃନ୍ଦେ ସେ ଅପ୍ରତିଦ୍ୱନ୍ଦୀ-ଚକ୍ରବର୍ତ୍ତୀ ।

ପ୍ଳଷଦ୍ୱୀପନାଥେ । ବୈରାଗ୍ୟ-କର୍କଶ-ଦୃଷ୍ଟିପାତେ ।

ବିତରିଲା ଯଥା ତ୍ରିପୁରବଇରି-ନେତ୍ର-ନିପତନ ରତିକାନ୍ତେ । ୮୦ ।

 

 

ସୋତ୍କଣ୍ଠ କୈରବବନର ସୁକୃତି-ପ୍ରରୋହ ଯେମନ୍ତେ ଚଣ୍ଡଦ୍ୟୁତି ।

-ଠାରୁ ନବୋଦିତ ଶଶିକଳା ଦ୍ରୂତ ପ୍ରତିପଦାଦିରେ ଘେନଥାନ୍ତି ।

ସେହି ପରକାରେ । ବିମାନ-ବହନ-କାରୀ ନରେ ।

ବିଶ୍ୱେ ଏକେଶ୍ୱର ସେ ନୃପୁଁ ଚଞ୍ଚଳ ନୃପଦୁଲାଳୀକି ଘେନିଗଲେ । ୮୧ ।

 

ଏ ନୃପନିକରେ ଚିତ୍ତ ପ୍ରଦାନରେ ଅନାଦର ମୃଗାକ୍ଷିର ଦେଖି ।

କରକଳିତ-ବୀଣା-ଗୁଣଟଙ୍କାର-ସ୍ୱରପରେ ସ୍ୱସ୍ଵରକ ରଖି ।

ସେ ବଚନେଶ୍ୱରୀ ମାନସେ ବିସ୍ମୟଭାବ ଧରି ।

ଦର୍ଭହାସୀ ସେ ବିଦର୍ଭେଶସୁତାକୁ ଭାଷନ୍ତି ପୁଣିହିଁ ଧୀରକରି । ୮୨ ।

 

ବୋଲନ୍ତି ବାଣୀ ‘‘ଯେ ଦ୍ୱୀପଶିରୋମଣି ହୋଇଛୁ ରେ ବଣା-ଏଣୀଦୃଶି ।

ସେ ଜମ୍ୱୁର ଯୁବା-ନୃପ-ନିକୁରମ୍ୱ ତୋ ଲାଭ ଆଶାରେ ଛନ୍ତି ଆସି ।

ଦେଖ ଦିଶୁଛନ୍ତି । ହର କୋପେ କମ୍ପି କମ୍ପି ରତି- ।

ପତି-ଲୋକ ଅନ୍ତରୀକ୍ଷୁଁ ନିପତିତ ହୋଇଲା ପରାୟେ ଏହି କ୍ଷିତି । ୮୩ ।

 

ସେ ଜମ୍ୱୁଦ୍ୱୀପଶୋଭା ବା କି ବର୍ଣ୍ଣିବି ଅନ୍ତରୀପେ ପରିଜନ ପରି ।

ତାକୁ ଅଧୀଶ୍ୱର ବିଚାରି ତାହାର ରହିଛନ୍ତି ଚଉପାଶେ ଘେରି ।

ହେମ-ମହୀଧର । ହେମଦଣ୍ଡ-ଛତ୍ରବତ ଯା’ର ।

କଇଳାଶ-ରଶ୍ମି-ଚାରୁ-ଚାମର ଯା ପାଶରୁ ନୁହଁଇ କେବେ ଦୂର । ୮୪ ।

 

 

ଏ ଦ୍ୱୀପେ ରାଜେ ଜମ୍ୱୁନାମେ ପାଦପ ସ୍ଥୂଳଫଳେ ସଦା ବିରାଜଇ ।

ବିଶାଳଶିଳ-ଉପମାନ ସେ ଫଳମାଳକୁ ତିଳେ ଅଶୋଭା ନୋହି ।

ସେ ଫଳକୁ ଚାହିଁ । ସିଦ୍ଧ-ଯୋଷିତେ ବିସ୍ମିତ ହୋଇ ।

ପୁଚ୍ଛୁଥାନ୍ତି କାନ୍ତେ ‘‘କେମନ୍ତେ କେ ପଥେ ଦନ୍ତୀ ଏ ଦ୍ରୁମେ ଛନ୍ତି ଆରୋହି ?’’ । ୮୫ ।

 

ରେ କମ୍ୱୁକଣ୍ଠି ସେ ଜମ୍ୱୁ-ମହୀରୁହ-ଫଳ-ରସରୁ ଜାତ ସରିତ ।

ବହି ଜମ୍ୱୁନାମ ଅମୃତ-ଉପମଜଳେ ବହଇ ସେ ଦୀପପ୍ରାନ୍ତ ।

ମୃତ୍ତିକାଟି ଯା’ର । ଜଗତେ ବୋଲାଇ କାର୍ତ୍ତସ୍ୱର ।

ତୋ ତନୁତେଜେ ଗଞ୍ଜିହୋଇ ଅବ୍ୟାଜେ ରହିଛି ସରିତ-ଗରଭର । ୮୬ ।

 

ଅରି-ଅରିନାରୀ-ରକ୍ତ ନେତ୍ର ବାରି-ପ୍ରବାହେ ଯେ ମହୀପତିଙ୍କର

ହେଉଥାନ୍ତି ପ୍ରକ୍ଷାଳିତ ଅବିରତ ଏ ସେ ଜମ୍ୱଦ୍ୱୀପ ନୃପବାର ।

ମଧ୍ୟୁଁ ସେମାନଙ୍କ । ଦେବି ଚିହ୍ନାଇଁ କେତେକ ଠିକ ।

କର ନିରୁପଣ ସୁମନେ ନବୀନବାଳୀ ରେ ଯେ ହେବ ତୋ ନାୟକ । ୮

 

ଯା ଶୌର୍ଯ୍ୟ-ସୂର୍ଯ୍ୟପ୍ରତାପେ ମହାବୀର୍ଯ୍ୟ-ଅରାତି-ବନିତା କର୍ଣ୍ଣପୂର ।

-ତମାଳଦଳ-କଳପ ଅନ୍ଧକାର ପଳାଉ ଥାଏ ନ ସହି ତର ।

ଏ ସେ ଅବନ୍ତୀଶ । ଅଖିଳ-ସୁଗୁଣଙ୍କ ନିବାସ ।

ଏ ମହୀପତି ପ୍ରତି କି କ୍ଷିତିପତି-ପୁତ୍ରି ରେ ବଳଇ ତୋ ମାନସ ? ୮୮ ।

 

 

ସିପ୍ରାନାମ ତୁଲେ ତପୀ ବିପ୍ରବାରେ ତୀରବନେ ବହି ଏକ ନଦୀ ।

ଯାଉଅଛି ବହି ଆରେ ଚାନ୍ଦମୁହିଁ ସେ ଅବନ୍ତୀ-ଦେଶ-ମଧ୍ୟ ଭେଦି ।

ଉର୍ମ୍ମିକର ଚାଳି । ଆଲିଙ୍ଗି ସେ ତୋତେ ଜଳକେଳି- ।

କାଳେ ବିକାଶ-ହାସରେ ମନୋହର-ପଦ୍ମମୁଖେ ଚାହିଁଥିବ ବାଳୀ । ୮୯ ।

 

ସୌଭାଗ୍ୟବତୀ-ଯୁବତୀ-ମୌଳିମାଳା ଶଇଳଦୁଲାଳୀ ଭଗବତୀ ।

ଅବନ୍ତି ଦେଶରେ ଉଜ୍ଜୟିନୀପୁରେ ନିରତ ବିଜୟ କରିଛନ୍ତି ।

ପତି-ତନୁ-ତୁଲେ । ଶରୀରାର୍ଦ୍ଧ ଯୋଗ କରିବାରେ ।

ହେବୁ ତାଙ୍କ ଶିଷ୍ୟା ତୁ କୁରଙ୍ଗଦୃଶା ମନାଇଁ ତାହାଙ୍କୁ ଅର୍ଚ୍ଚନାରେ । ୯୦ ।

 

ଛନ୍ତି ତହିଁ ହର ଯା’ର ଶରପର-ସୁଧାକର-କରସୁଧା ପାଇ ।

କାମ ଦୀପିତ ହୋଇ ସେପୁରସ୍ଥାୟୀ-ବାଳା-କଳେବରେ ଖେଳୁଥାଇ ।

ଅବଲୋକି ତା’ରେ । କି ଲାଭ ମଦନ-ଦହନରେ ।

ହେଲା ବୋଲି ମହାକାଳ-ରୁଦ୍ର ଯାହା କହନ୍ତି ତା ଜଣା ନୁହେଁ ମୋର । ୯୧ ।

 

ସେ ପୁରବାସୀ-ଗିରିଶ-ଶିରମଣି ଶିଶୁଭାବ ତ ନବର-ଜଇ ।

ତେଣୁ ପ୍ରତିପଦ-ଭିନ୍ନ-ଆନତିଥି-ସ୍ଥାନ ସେ ପତ୍ତନେ ନ ହୁଅଇ ।

ତେଣୁ ଶତ ଦୋଷେ । ଦୋଷୀ ହୋଇଲେହେଁ ସେ ନରଶେ ।

କାମୁକୀ-ଯୋଷିତେ ନିଷ୍ଠୁର-ଭାଷିତେ ନିବର୍ତ୍ତନ୍ତି ଅନଧ୍ୟାୟବଶେ’’ । ୯୨ ।

 

 

ନିଜପ୍ରତି ଅତି-ଅନୁରକ୍ତ-ମତି ହେଲେହେଁ ସେ କ୍ଷିତିପତି-ପରେ ।

ସେ ବିଦର୍ଭ-ମହୀମହେନ୍ଦ୍ର-ନନ୍ଦିନୀ ନ ପକାଇଲା ନୟନ ବାରେ ।

ଏଣୁ ବିଚାରଇ । ଅନୁରାଗ ଲବେ ଯହିଁ ନାହିଁ ।

ତେମନ୍ତ ନେତ୍ର-ପତନୁଁ ବିଲୋକନ ନ କରିବା ଶତଗୁଣେ ଶୋହି । ୯୩ ।

 

ନୃପତି-ପୁତ୍ରୀ-ଆକାରେଙ୍ଗିତତତି ନ ଦେଖିଲେହେଁ ପ୍ରତ୍ୟକ୍ଷ ନେତ୍ରେ ।

ତଥାପି ତା ଚିତ୍ତ ବିଚାର କିଞ୍ଚିତ ଛପା ନ ଥିଲା ବାହକଗୋତ୍ରେ ।

ଯେଣୁ ପାଶସ୍ଥିତ- । ଭୂଭୃତ-ଭୂଷଣ-ରତ୍ନବ୍ରାତ ।

ଭୂପତିପୁତ୍ରିର ପ୍ରତିବିମ୍ୱ ବହି ଦେଉଥିଲେ କହି ତାଙ୍କୁ ସତ । ୯୪ ।

 

ହାରଚୂଡ଼ା-ସମାଗମବଶେ ଅତି ଶୋଭିତା ଗାଙ୍ଗେୟ-ପୀତସ୍ତନା ।

ଅମର-ତରଙ୍ଗିଣୀକି ଭଗୀରଥ-ପରାଏ ଗାଙ୍ଗେୟ-ପୀତସ୍ତନା

ହାରଚୂଡ଼ା-ସମା- । ଗମ ବଶେ ଅତି ମନୋରମା ।

ଜେମାକୁ ଆନ-ନୃପତି-ସନ୍ନିଧାନେ ନେଲେ ନକରି ବିଳମ୍ୱ ଜମା । ୯୫ ।

 

ଇଷତଓଝରା-ଝସକେତୁଚାପ-ଦର୍ପଦଜା-ଭୂରୁଶୋଭି-ବାଳୀ- ।

ମୁଖେ ଚାହିଁ ଆନ ନୃପପାଶେ ଯାଇ ବାଣୀ ବାକ୍ୟବିନ୍ୟାସ-ଚାତୁରୀ ।

କରି ପରକାଶ । ବୋଲନ୍ତି ‘‘ଏଥି ଲଜେ ନ ରସ ।

କର ଇଙ୍ଗିତ ଲୋଡ଼ୁଛି ଯେବେ ଚିତ୍ତ ଏ ଗୌଡ଼ବିଡ଼ୋଜା-ସହବାସ । ୯

 

 

ଏ ନୃପକୀର୍ତ୍ତିରେ ତୃଣପରକାରେ ହେଲେଣି ପୀୟୁଷ କର କର ।

ସେ ତୃଣ ଚର୍ବଣ-ଆଶାରେ ହରିଣ ବସିଛି ଯାଇ ସେ ଇନ୍ଦୁକୋଳ ।

ଆରେ ନାରୀବର । ଶଶି ତ ପୀୟୁଷ-ମହାସର ।

ତୃଣୀଭୂତ ତା କିରଣକୁ ଚର୍ବଣ ହରିଣେ ତ ନୁହେଁ ଅବେଭାର । ୯

 

ବର୍ଣ୍ଣେ ଶ୍ୟାମ କରେ କମଳ-କୁସୁମ-ସୁଷମା ଏ ନୃପ ଛନ୍ତି ବହି ।

ସୁମେରୁ-ଶିଖାରେ ନୀରଦ ପରାୟେ ବିରାଜୁଥାନ୍ତୁ ଏ ତୋତେ ପାଇ ।

ଆରେ ସୁକୁମାରି । ଚମ୍ପକ-ଚଉଁରୀ ଶିରେ ଧରି-।

ଥିବା ମାରର ସୁଷମାସାର ଯୁର କରନ୍ତୁ ଏ ତୋତେ ଲଭି ଗୋରି । ୯୮ ।

 

ସମର ଅଇରିକର ପୁରତରେ ପ୍ରବେଶିଲେ ଯା’ର ଚନ୍ଦ୍ରହାସ ।

ହସି ପଶି କୁମ୍ଭଭଣ୍ଡାରେ ତାହାର ବିମୁକ୍ତ କରଇ ମୁକ୍ତାବଂଶ ।

ସେହି ବହିଥାନ୍ତି । ଏ ନୃପ-ପ୍ରଚଣ୍ଡ ତେଜ ଅତି- ।

ତାପେ ଅରିରାଜ-ଶୀରିଅଙ୍ଗୁ ଝରିଥିବା ସ୍ୱେଦବାରି-ବିନ୍ଦୁ-ଦ୍ୟୁତି । ୯୯ ।

 

ନାହିଁ ନ ଥିବା କୀର୍ତ୍ତିକି ଏ ମଘବା ମହିରେ ଅର୍ଜିଅଛନ୍ତି ଗୋରି ।

ଜାନୁଚୁମ୍ୱୀକର-ମାତ୍ରେ ହରତର ପ୍ରାନ୍ତ ପର୍ଯ୍ୟନ୍ତ ଛନ୍ତି ଆବରି ।

ସପ୍ତତନ୍ତୁ ଜାତ-। ଯଶବସନେ ଏ ନରନାଥ ।

ସପତ-ଦ୍ୱିଗୁଣ-ଭୁବନକୁ ରୁନ୍ଧି ବାନ୍ଧିଛନ୍ତି କରି କରଗତ’’ । ୧୦୦ ।

 

 

ସେ ନୃପତି-ପ୍ରତି ମହୀପତି-ପୁତ୍ରୀ-ମତିରେ ରତିଏ ହେଲେ ପ୍ରୀତି ।

ନ ଥିବାର ଚିତ୍ତେ ବାରିବାହିବ୍ରାତେ ନେଲେ ହାନ୍ଦୋଳାକୁ ଆନ-କତି ।

ଯେଣୁ ବିଜ୍ଞବ୍ୟକ୍ତି । ଇଙ୍ଗିତୁଁ ବାରଇ ଚିତ୍ତଗତି ।

ବାଣୀ-ଶ୍ରବଣକରଣ-ଅପେକ୍ଷାକୁ ମଣୁଥାଏ ସେ ସମୟକ୍ଷତି । ୧୦୧ ।

 

ଆନପାଶେ ବାଣୀ ପୁଣି ବାଣୀ ଭଣି । ‘‘ରେ ସଜସରୋଜ-ସୁବଦନା ।

ଗୁଣାଗୁଣ-ବିଚାରଣାରେ ନିପୁଣପଣେ ବା ତୋ ସଙ୍ଗେ କେ ସୁମନା ? ।

ଏହି ନରବରେ । ବିକଚ-ନଳିନ-ନୟନରେ ।

ଆଲିଙ୍ଗନ-ଭଙ୍ଗି କରରେ କୃଶାଙ୍ଗୀବର ଅଙ୍ଗୀକାର ସୁମନରେ । ୧୦୨ ।

 

ପ୍ରତ୍ୟର୍ଥୀ-ପାର୍ଥବ-ପୟୋଧି-ମନ୍ଥନ-ମନ୍ଦର ଏ ପୃଥୂ ନରନାଥ ।

ଶ୍ମଶ୍ରୁ-ବିହୀନ ଏ ଯୁବକବଦନ-ପାଶରେ ମୃଗାଙ୍କ ତାରାକାନ୍ତ ।

ନ ପାରଇ ରହି । ଭୁଞ୍ଜୁଛନ୍ତି ଏ ମଥୁରା ମହୀ ।

ତୋ ବରଣମାଳ ଗଳାରେ ଦୋଳାଇବାକୁ ଭାଳ ଏ କି ଯୋଗ୍ୟ ନୋହି ? । ୧୦୩ ।

 

ପ୍ରବାଳ-ଯୁଗଜିତାଧରା ଦେଖ ଗୋ ମଣିବନ୍ଧରେ ଏ ନରମଣି ।

ପୁରତ୍ରୟ-ଜୈତ୍ରମଣି ଘେନିଛନ୍ତି ତେଜେ ଯେ ଜିତଇ ତାରାମଣି ।

ସେହି ମଣିପ୍ରାନ୍ତେ । ଦିଶେ ଜ୍ୟାଘାତ-ଚିହ୍ନ କେମନ୍ତେ ।

ସେ ମଣିମସ୍ତକ-ଚିହ୍ନ ଧୂମକେତୁ-ବତ ତାଙ୍କ ରିପୁ-ନୃପ-ଗୋତ୍ରେ । ୧୦୪ ।

 

 

ଏ ଯେ ସଞ୍ଜନୀବଜା ଚିହ୍ନ ଦିଶୁଛି ଭୂଜରେ ସେ ଭୂଜ-ଅରଣୀର ।

- ସମୁଦ୍ଭୂତ ବୀର୍ଯ୍ୟ-ଧୂମକେତନର ଧୂମଧାର ତୁ ବିଚାର କର ।

ଆରେ ନାରୀବର । ଗର ସେ ତ ରିପୁଗଣଙ୍କର ।

ତା ଯୋଗେ ଅରାତି-ଯୁବତୀ-ନେତ୍ରରୁ ନିତି ବହୁଥାଇ ନୀରଧାର । ୧୦୫ ।

 

ମଥୁରା-ନାଗରୀ-ଶରୀର-କସ୍ତୁରୀ-ଚିତ୍ର ସ୍ନାନକାଳେ ଧୋଇ ନେଇ ।

ଦିଶି କଳା ଅତି କାଳିୟବସତି-ହ୍ରଦକୁ ମଧ୍ୟଭାଗରେ ବହି ।

କାଳିନ୍ଦି ସରିତ । ନାଭି ଶୋଭି ରୋମଲତା ବତ ।

କ୍ଷିତିର ଶୋଭଇ, ନୟନ ତୋ ତହିଁ ପଡ଼ିଲେ ହୋଇବ ସ୍ତମ୍ଭୀଭୂତ । ୧୦୬ ।

 

ସେ ମଥୁରାରେ ଗୋବର୍ଦ୍ଧନ ନଗରେ ଅସଂଖ୍ୟ ମୟୁର ନିବସନ୍ତି ।

ପ୍ରତାପେ ତାଙ୍କ ସେ ବନେ ଚକ୍ଷୁଶ୍ରବା-ଭୀତିର ଯାଇଛି ହୋଇ ଇତି ।

ଆରେ ନବବାଳୀ । ବାସପୁଷ୍ପେ ଘନ ବନ ଝଳି ।

ତୁ ତହିଁ ଏ ମହୀପତି-ସହିତରେ ନିଃଶଙ୍କେ କର ବିହାର କେଳି । ୧୦

 

ଯା’ ସାରେ ଏ ତୋର ବଦନ ନିର୍ମିତ ସେ ଶଶି-ବର୍ଣ୍ଣ ଏ କରୀଦନ୍ତ-।

କଙ୍କଣତ ତୋ ଶ୍ରୀକରେ ନିରନ୍ତର ଅଛି ଏଣୁ ନଖ-କଳିବ୍ରାତ ।

-ଯୁତ ହେଲେହେଁ ସେ । ସେ ବନ ନବ-ପଲ୍ଲବବଂଶେ ।

ନୋହିବ ମିଶ୍ରିତ କହୁଛି ମୁଁ ସତ ହୋଇବ ବାରି ଆପେ ନିମିଷେ । ୧୦୮ ।

 

 

ସେ ନିବିଡ଼ବନେ ପଥିକ ପବନ ଖଞ୍ଜଜନବତ ଭ୍ରମି ଧୀରେ ।

ରତାନ୍ତେ ତୋ କଣ୍ଟକିତ-ପୀନସ୍ତନ-ଶିଖରେ ଆରୋହି ଶ୍ରମଭରେ ।

ହୋଇ ତୃଷାତୁର । କସ୍ତୁରୀ-ମିଶା ତୋ ଶ୍ରମଝାଳ ।

ଦେବ ପିଇ ଶୁଦ୍ଧାଶୁଦ୍ଧ ବିଚାରକୁ ଆର୍ତ୍ତିର ସହଇ କାହିଁ ବେଳ ? । ୧୦୯ ।

 

ଧୀରଙ୍କ କର ଉପଯୋଗୀ ପୂଜାର କମଳେ କମଳ-ଭଳି ଦିଶେ ।

ବିସପ୍ରସୂନ-ଗର୍ଭର ପୀତବର୍ଣ୍ଣ ଆଭାତ ନ ଥାଇ ତହିଁ ଲେଶେ ।

ଆରେ ଚାନ୍ଦମୁହୀଁ । ସେ ବର୍ଣ୍ଣକୁ ଯୋଜିବାରେ ତହିଁ ।

ଏ ନୃପତି-କରଦତ୍ତ କାର୍ତ୍ତସ୍ୱର-ନିକର ନିଯୁକ୍ତ ଥାଏ ହୋଇ । ୧୧୦ ।

 

ସଂସାରୈକ-ବୀର ଏ ମଥୁରେଶ୍ୱର ଅରାତିସମ୍ପତ୍ତି ଆକର୍ଷଣେ ।

ସମର ସଂଘର୍ଷ ନ ଲଭିଣ ଲେଶ ସନ୍ତୋଷ ନୁହଁନ୍ତି ପଞ୍ଚମନେ ।

ଆରେ ବରବାଳୀ । ତୋ ସହିତ ଏ ଭୂପତି ମିଳି ।

ପତିତ-କାମ-ସୁମଶର-ସୁମନ-ମଧୁରେ ରଚନ୍ତୁ ପାନକେଳି’’ । ୧୧୧ ।

 

ଭାଷୁଁ ଭାରତୀ ଏମନ୍ତ ସେ ଯୋଷିତବର ମଥୁରାଭୂଭୃତୁଁ ନେତ୍ର ।

ନେଇ ପଶ୍ଚାତେ କ୍ରମିକ-ଉପବିଷ୍ଟ-ଭୂପତି-ତତିରେ କଲା ପାତ ।

ତହୁଁ ବାହୀଚୟ । ନିଜ କାର୍ଯ୍ୟେ ଜେମା ଅଭିପ୍ରାୟ ।

- ବାରିପାରିବାର ସାମର୍ଥ୍ୟ ପ୍ରଚାର କଲେ ଆପଣାର ଅତିଶୟ । ୧୧୨ ।

 

 

ତଦନ୍ତେ ଆନ ମହୀପତି କତିରେ ପ୍ରବେଶି ଭାରତୀ ଏତେ ଭାଷି ।

‘‘ରେ ଭୀତି-ତ୍ରସ୍ତକୁରଙ୍ଗ-ପୋତନେତ୍ରା ରେ ଖଞ୍ଜନ ଗର୍ବଗଞ୍ଜା-ଦୃଶି ।

ଏ ସେ କାଶୀପତି । ପୁରତେ ତୋ ବିଜେ କରିଛନ୍ତି ।

ଅମାପ-ରୂପ-ସମ୍ପଦେ ଏହାଙ୍କର ହେଉ ତୋ ନେତ୍ର କୃତାର୍ଥ ଅତି । ୧୧୩ ।

 

ଭବାର୍ଣ୍ଣବ ପାରି ହେବାକୁ ଯେ ପୁରୀ ତରୀରୂପେ ହରେ ବିନିର୍ମିତ ।

ଦୂରିତ-ପୂରିତ-ଚିତ୍ତ ଜନବ୍ରାତ ଯହିଁ ଆସି ହୋଇ ଯାନ୍ତି ମୁକ୍ତ ।

ସେହି କାଶୀପୁରୀ । - ଅଧୀଶ୍ୱର ଏ ରେ ହେମଗୋରୀ ।

ଚିତ୍ତେ କିଞ୍ଚିତ ସ୍ଥାନ ପ୍ରଦାନକୁ ତୋ ନୁହଁନ୍ତି ନିକି ଏ ଅଧିକାରୀ ? । ୧୧୪ ।

 

‘ବିଧି ବିରଚିତ ସଂସାରେ ବହୁତ ଦୁଃଖତ ହୋଇବ ଭବିଷ୍ୟତେ’ ।

ଏତେ ଭାଳି ଚିତ୍ତେ ଶଙ୍କର ରୋଦନ୍ତେ ରୁଦ୍ର ନାମ ତାଙ୍କ ଏ ଜଗତେ ।

ନାମ ପାଇଁ ଶୋକ । କରିବା ତାଙ୍କର ନୁହେଁ ଠିକ ।

ଦୟା ନ ଥିଲେ କି ରଚନ୍ତେ ସଂସାର ସିନ୍ଧୁତରାତରୀ ପୁରୀ ଏକ । ୧୧୫ ।

 

ମହୀପରେ ଥାଇ ମହିର ନୁହଁଇ ସେ ଶଙ୍କରପୁରୀ ବାରାଣସୀ ।

ତହିଁ ଥିବା ନର ନୁହଁନ୍ତି ତ ମର ନିଶ୍ଚୟ ସେ ସୁରପୁରବାସୀ ।

ମୃତ୍ୟୁ ପରେ ତହିଁ । ପ୍ରାଣିଏ ମୁକତି ଯାନ୍ତି ପାଇ ।

ଅମରପୁରୁ ଅଧିକ ସୁଖକର ଲୋକ ଯେଣୁ ଆଉ କାହିଁ ନାହିଁ । ୧୧୬ ।

 

 

ସେ ପାର୍ବତୀପତି-ପୁରେ ଏ ସଂସାର-ସିନ୍ଧୁର ଯେ ପ୍ରାଣୀ ହୁଏ ମୃତ ।

ହର-ଶରୀରେ ସାଜୁଯ୍ୟ ମୁକ୍ତି ତା’ର ହୁଅଇ କରାମଳକ-ବତ ।

ହେମଗୋରି ଆରେ । ‘ଅସ’ ଧାତୁ ଯଥା ଅତୀତରେ ।

‘ଭୂ’ ଧାତୁ ବତ ହୁଏ ତଥା ସେ ମୃତଜୀବ ବହଇ ହର ଶରୀରେ । ୧୧

 

ସୁରତ-ପ୍ରସଙ୍ଗେ ରସି ନାନାରଙ୍ଗେ ସେ ପୁରର ନରନାରୀବାର ।

ମୃତ୍ୟୁପରେ ହର-ଗଉରୀ-ମେଳନୁଁ ବଳି ଶତଗୁଣେ ସୁଖକର ।

ସେହି ହରଗୌରୀ । - ସାଜୁଯ୍ୟକୁ ଥାନ୍ତି ଲାଭ କରି ।

ଏଣୁ ଆନ ଭୁବନରେ ନାହିଁ ସ୍ଥାନ ଆଉ ସେ ପୁରୀକି ସମସରି । ୧୧୮ ।

 

ସୁରବର-ଅଧିଷ୍ଠିତ ସୁରପୁର ନୁହଁଇ ସମାନ ସେ ପୁରୀକି ।

ଏ ମୋ ବାକ୍ୟେ ଯେବେ ସତ ନ ବିଚାରୁ ପୂଚ୍ଛ ତେବେ ତୋ ଅନୁଭୂତିକି ।

ଆରେ ନାରୀବର । ସେ ତ ଆଉ ତୋର ପୁରତର ।

କରି ପାରିବ ନାହିଁ ସତ୍ୟ-ଇତର ବୃତ୍ତାନ୍ତ କେବେହେଁ ପରଚାର । ୧୧୯ ।

 

ବହୁତ ବଚନେ ପ୍ରୟୋଜନ କିସ ତୁ ତ ଜ୍ଞାନବତୀ-ଚୂଡ଼ାମଣି ।

ବାରାଣସୀରେ ନିବାସ କରି ସୁଖେ କର ବିସ୍ତାର ସୁକୃତ-ଶ୍ରେଣୀ ।

ଆରେ ପୃଥୁଶ୍ରୋଣି । ଏଥି ପରାଣିଙ୍କ ଶୂଳପାଣି ।

ମୃତ୍ୟୁଭୀତ ହରି ଆଗତେ ନିବାରି ନିର୍ବାଣକୁ ଥାନ୍ତି ପରା ଦାନି । ୧୨୦ ।

 

 

ମୂର୍ତ୍ତିମତୀ-ରତି-ବତ ରେ ସୁଦତି ହୋଇ ତୁ ବର ଏ ନରପତି ।

ମୂର୍ତ୍ତିମନ୍ତ-ମାରପରି ନରବର ହୁଅନ୍ତୁ ଲଭି ତୋର ପ୍ରାପତି ।

ମାର-ରତିବତ । ତୁମ୍ଭେ ଦୁହେଁ ହୋଇ ଏକତ୍ରିତ ।

କ୍ରୋଧ ଘୁଞ୍ଚାଇ ପ୍ରସାଦ ଲାଭପାଇଁ ହରପଦେ କରେ ପ୍ରଣିପାତ । ୧୨୧ ।

 

ଏ କାନ୍ତେ ଏ କାମପଣ୍ଡିତ ନୃପର ନଖଚିହ୍ନ ବହ କୁଚପରେ ।

ପ୍ରଣୟକୁପିତା-ପାର୍ବତୀ-ପୟରେ ହର ପ୍ରଣିପାତ କରିବାରେ ।

ପୟର-ଅଳକ୍ତ । ଲାଗି ଶିବ-ଶିର ତାରାକାନ୍ତ ।

ରଞ୍ଜିତ ହେଲା ବଡ଼ ତୋ କୁଚରାଗେ ହେଉ ତାଙ୍କର କରଜ ରକ୍ତ । ୧୨୨ ।

 

ଏ ନରବର-କୀରତିବାର ଚାରୁଚାମର-ଚାତୁରୀ କରି ଚୋରି ।

ସମରେ ତାଙ୍କ ପ୍ରଚଣ୍ଡକୋଦଣ୍ଡର ଉଭୟ ପ୍ରାନ୍ତରେ ଥାନ୍ତି ଝୁଲି ।

ଯୁଦ୍ଧେ ଶତ୍ରୁ ଗଳ । -ଛେଦ-ଚତୁର କ୍ଷୁରପ୍ରଶର ।

-ପ୍ରତାପ ତାଙ୍କ ବଢ଼ାଏ; କାମ-ତାପ ହରନ୍ତୁ ଏ ମହୀପତି ତୋର । ୧୨୩ ।

 

ତୋର ଦାରୁଣ-ବିରହେ ଏ ନୃପତି ହୃଦୟ ବିଦୀର୍ଣ୍ଣ ହୋଇ ନାହିଁ ।

ସମରେ-ଅଇରି ଶରବାର ବାଜି ତହିଁ ଯାଏ ମୁନ ମୋଡ଼ି ହୋଇ ।

ଏଣୁ ସେ ହୃଦୟ । କୁଳିଶୁଁ କଠୋର ଅତିଶୟ ।

ତହୁଁ ଜାତ ଏ ଭୂଜବୀର୍ଯ୍ୟ-ବହ୍ନିକି ଶତ୍ରୁ-ଲୋତକ ନ କରେ କ୍ଷୟ । ୧୨୪ ।

 

 

କାକ କୋକିଳ ବେନିଙ୍କି ସମତୁଳ ଭାବେ ଫଳ ପରଦାନ କରି ।

ଲକ୍ଷ ଲକ୍ଷ ବୃକ୍ଷ ନାହାନ୍ତି କି ? ତାଙ୍କ ଗୁଣ କେବେ ଥାଏ କେ ସୁମରି ? ।

ଏକା କଳ୍ପତରୁ । ଫଳେ ସୁଧାଭୂକେ ତୋଷିବାରୁ ।

ମେରୁ-ପରାୟେ ପରଶଂସା କଲେହେଁ ନୁହଁଇ ତା ପକ୍ଷେ ଲେଶେ ଗରୁ । ୧୨୫ ।

 

ବିପକ୍ଷଭୂତି-ବ୍ରାତେ ଏ ଭୂଭୃତେ କର ବା ନ ଦେବେ କେଉଁପରି ।

ଯେଣୁ ସେ ବିଷୟେ ପ୍ରତିଭୂ-ପରାୟେ ରହିଥାଏ ୟାଙ୍କ ତରବାରି ।

ଦୋଷ ବଶେ ଯେବେ । କେ ନୃପ କର ନ ଦିଏ ତେବେ ।

ପ୍ରତିଭୂ-ସ୍ୱ-ତରବାରିକି ଏ ଭୂପ ଧରନ୍ତି ନ ବହି ଦୟା ଲବେ । ୧୨

 

ଏ ନୃପ-ସମରଅଶ୍ୱେ ନିରନ୍ତର ନଭପ୍ରଦେଶେ କରନ୍ତି ଗତି ।

ଅତରକିତେ କ୍ଷୁରାଗ୍ରମାତ୍ରେ ତାଙ୍କ ବାଜି ଯାଉଥାଏ କେବେ କ୍ଷିତି ।

ଆରେ ବିମ୍ୱାଧରି । ଦର୍ଶନୀୟ ଏକା ସେ ଚାତୁରୀ ।

ପୁରନ୍ଦରର ଉଚ୍ଚୈଃଶ୍ରବା-ପ୍ରଖର-ଗତି ଥାଏ ତାଙ୍କ କତି ହାରି’’ । ୧୧

 

ଏମନ୍ତ କୀର୍ତ୍ତି-ବର୍ଣ୍ଣନାକାଳେ ଆନ ମହୀପତିତତି ପ୍ରବେଶନ୍ତେ ।

ତାଙ୍କ ସୌନ୍ଦର୍ଯ୍ୟ-ଦର୍ଶନଛଳେ ବାଳୀ ନିବେଶିଲା ତହିଁ ବେନିନେତ୍ରେ ।

ବରାଙ୍ଗିର ମତି । ବାରି ଅଭିମାନୀ କାଶୀପତି ।

ଗୁଣଜ୍ଞାରେ ଅନାଦୃତ ହୋଇ ମଉଳିଲେ ଲଭି ଏକା ଅପକୀର୍ତ୍ତି । ୧୨୮ ।

 

 

ଅନିର୍ବଚନୀୟ-ରୂପଶାଳୀ ଜ୍ଞାନାନନ୍ଦ-ସରସ୍ୱାନ କେଉଁ ଜନେ ।

ସେ ଗୁପ୍ତାଶୟା ଅନିନ୍ଦ୍ୟାଙ୍ଗୀ ଅବନୀଶ-ଦୁହିତା ବରି ମନେ ମନେ ।

ତହିଁ ରଖି ଚିତ୍ତ । ତା ପ୍ରତି ଅତିହିଁ ଆଶକତ ।

ଭାଗ୍ୟଗୁଣ-ତେଜୋବନ୍ତ ନରାମରେ ତେଜି ଶୋଭେ ଉପନିଷତବତ । ୧୨୯ ।

 

ଶୃଙ୍ଗାରସିନ୍ଧୁ-ସଞ୍ଜାତ-ସୁଧାକର ପରି ଏ ଶ୍ରୀହର୍ଷଙ୍କରଚନ ।

ତହିଁକି ହୀନ-ଗୋପୀନାଥ-ବଚନ ସିଂହିକାନନ୍ଦନ-ସମ ଘେନ ।

ଆହେ ସୁଧୀବୃନ୍ଦ । ଏ ଉଭୟ-ସମାଗମୁଁ ଜାତି ।

ଉଚ୍ଛିଷ୍ଟ-ଦୋଷ ତ ପୀୟୁଷେ ନ ଥାଏ; ଏଣିକି ଯେ ଆସେ ତୁମ୍ଭ ଚିତ୍ତ । ୧୩୦ ।

-------

 

ଦ୍ୱାଦଶ ଛାନ୍ଦ

ରାଗ-ଖଣ୍ଡ କାମୋଦୀ

ଶୁଣ ଶ୍ରୁତି ନିବେଶି ସାଗରପାରବାସୀ ଉଦ୍ଭଟ ନୃପଗଣ ଯେ ।

ଚକ୍ଷୁଲଜ୍ୱାବଶରେ ପ୍ରିୟାପାଶରୁ ଧୀରେ ମେଲାଣି ଘେନୁ ପୁଣ ଯେ ।

ଆଗମନେ । ବିଳମ୍ୱ ହେଉ, କ୍ଷୁଣ୍ଣ ଯେ ।

ହୋଇ ପ୍ରବେଶ କିବା କୁଣ୍ଡିନମଣ୍ଡାସଭା-ଗଭା-ଭୂଷଣ ସମ ହେ । ସାଧୁଜନେ ।

ଆରମ୍ଭ ସ୍ୱୟଂବର ହେଲା ନୃପ ନିକର ମଣ୍ଡପେ ବସିଛନ୍ତି ଯେ ।

ଆଗୁଁ -ଆଗତ- କ୍ଷିତିପତି ଯୁବତୀ-ମତି ତର୍କି ଶ୍ୱାସ ପକାନ୍ତି ଯେ ।

ନବାଗତେ । ନାହାନ୍ତି ଯେଣୁ ବାରି ଯେ ।

ତେଣୁ ଚିତ୍ତେ ତାଙ୍କର ହେଉ ଆଶା ପ୍ରବଳ ସୁଖସିନ୍ଧୁ ଉଛୁଳି ହେ । ଧୀରେ ବାର ।

ଟିପ-ଟିପା-ସଙ୍କେତ ବିଚାରେ ବିପଶ୍ଚିତ ଯାନବାହକମାନେ ।

ରଖି ମର୍ଯ୍ୟାଦା ପରକାଶିଲେ ନୃପଜାର ବ୍ୟଥା ଭ୍ରମଣ-ଶ୍ରମେ ।

ଶିବିକାକୁ । ରଖିଲେ ଧୀର କରି ।

ଚାରିପାରୁଶେ ପୂରି ରହିଅଛନ୍ତି ଘେରି ଅସଂଖ୍ୟ ଦଣ୍ଡଧାରୀ । ବିଜ୍ଞଜନେ ।

ଯାନସଙ୍ଗଚାରିଣୀ କପଟନାରୀ ବାଣୀ-ଈଶ୍ୱରୀ ନରମଣି ।

- ଶ୍ରେଣିକି ଚାହିଁ ଏଣୀକ୍ଷଣୀ ନୃପଦୁଲଣୀମଣିକି ଧୀରେ ଭଣି ।

କେବା ବର୍ଣ୍ଣି । ପାରିବ ସେ ବାଣୀକି ।

ସୁଧାସିନ୍ଧୁ ଗାଧୁଆଓଦା ଅଙ୍ଗରେ-ଠିଆ-ପରାୟ ତାର ଠାଣି । ସୁପଣ୍ଡିତେ ।

 

ଭାଷନ୍ତି ବାଗୀଶ୍ୱରୀ ‘‘ରେ ଜନ୍ମ-ସୁକୁମାରି ଚାହଁ। ଏ ତୋ ପୁରତେ ।

କାର୍ତ୍ତସ୍ୱର-କେତକ-ପର୍ଣ୍ଣବର୍ଣ୍ଣକୁ ଧିକ-କାରକ-କାନ୍ତିମନ୍ତ ।

ଏ ନୃପତି । ନାମରେ ଋତୁପର୍ଣ୍ଣ ।

ତ୍ୱଦ୍‌ଗତ ହୋଇ ଜେମା ପକାନ୍ତି ନାହିଁ ଜମା ମନେ ଅଯୋଧ୍ୟାଧାମ । ମଧ୍ୟ-ଶୋଭି ।

 

ଏ ବଦନ ଚନ୍ଦ୍ରର କର ପାନ ଚକୋର ନ କରିଲେ ନ କରୁ ।

ଏ ନୟନ-ଚକୋର ଏ ତ ତୋର ନିଜର ଏହାଙ୍କ କି ଦୋଷରୁ ।

ଚାରୁହାସି । ଦେଉଛୁ ଭାଙ୍ଗି ଆଶା ସେ ବେନି

ଏ ସୁସମା-ସିନ୍ଧୁଜାତ-ଚନ୍ଦ୍ରମାମୁଖୁଁ ଚାଖନ୍ତୁ ରସ । ରସବତି ।

 

ସରଯୂଜଳେ ଜଳକେଳି-ଲଳାସୀ ବାଳମୃଗାକ୍ଷି ହେବୁ ଯେବେ ।

ତା’ ର ତରଙ୍ଗ ତୋର କଠିନ କୁଚପର ବାଜି ଭାଜିବ ଜବେ ।

ସଶବଦେ । ସେ ନୀରବିନ୍ଦୁ-ବୃନ୍ଦ ।

ତୋ ପୟୋଧର-ପର ପଡ଼ି ହାର-ପ୍ରକାର ପ୍ରକାଶିବ ପସନ୍ଦ । କୃନ୍ଦଦନ୍ତି ।

 

ପୂର୍ବେ ଏ ମହୀପତି ବଂଶେ ନୃପସନ୍ତତି ସାଗର ଥିଲେ ଖୋଳି ।

ଭଗୀରଥ ଏ କୁଳେ ସେ ସିନ୍ଧୁ ପୁରାଇଲେ ଗଙ୍ଗାସଲିଳ ଢାଳି ।

ଭବିଷ୍ୟତେ । ଏ ବଂଶେ ପୁଣ ଏହା । ହେବ ବନ୍ଧା ।

ଏ ଏବେ ଏ ନୃପଯଶେ ଜବେ ହେଲାଣି ଲଙ୍ଘା ଚାହାଁ । ଚାରୁହାସି । ୮ ।

 

ଏ ମହୀପତିଯଶ କ୍ଷୀରସିନ୍ଧୁ-ସଦୃଶ ବର୍ଣ୍ଣ ବସିଲେ କବି ।

ନ ପାଇ ସ୍ଥଳ କୁଳ ତାଙ୍କ ବଚନ-ଯାଳ ଯାଏ ଅତଳେ ଡୁବି ।

ଗୁଣମଣି । ବସିଲେ ଗାରଟାଣି ।

ନ ରହି ଯିବ ସରି ଏ ମହୀପତିପରିପନ୍ଥି-କୀର୍ତ୍ତି-କଠିନୀ, । ଠିକମଧ୍ୟା । ୯ ।

 

ଭାସ୍କର-ବଂଶାଙ୍କୁର ଏ ମହୀପତିଙ୍କର କେ ପାରେ ବର୍ଣ୍ଣି କୀର୍ତ୍ତି ।

କ୍ରୁର-କର୍କଶରଣରସେ ଯା ଅପଘନ-ରୋମାଳି ପୁଲକନ୍ତି ।

ଯା’ର ନାମ । ବନ୍ଦିଏ ଗାଉଁ ଶୁଣି ।

ରଣେ ଅରାତି-ଭୁଜ-ଭୁଜଙ୍ଗ ହତବୀର୍ଯ୍ୟ ଯାଏ ହୋଇ ସେକ୍ଷଣି । ଏଣୀକ୍ଷଣି । ୧୦ ।

 

ଏ ଧରାଧୀଶ-ପରତାପ ସୂର୍ଯ୍ୟେ ଧାତାର ଦିନକ ଦୀର୍ଘ ଏତେ ।

ସେ ସୂର୍ଯ୍ୟ-ପ୍ରତିବିମ୍ବ ସରସ୍ଵାନେ ବାଡ଼ବ ନାମ ବହେ କି ସତେ ।

ରିପୁରାଜ- । କୀର୍ତ୍ତି-ତାରକା-ବ୍ରାତ ।

ବିନାଶି ଏ ଭାସ୍କର-ଅବିଷୟତା କା’ର ଗିରର ନୁହେଁ ପ୍ରାପ୍ତ । ପ୍ରିୟଭାଷି । ୧୧ ।

 

ଏ ଭୂପ-ଭୂଜଯୁଗ-ଗଙ୍ଗା ଅରାତିବର୍ଗ-ଅକୀର୍ତ୍ତି-ଯମୁନାରେ ।

ଯାଉ ମିଶି ସମରେ ତହିଁ ପଶିବା ଶୂରେ ମିଶନ୍ତି ସୁମନାରେ ।

ସ୍ୱର୍ଗପୁରେ । ନନ୍ଦନ ଉପବନେ ।

ଆନନ୍ଦେ ରମ୍ଭାସଙ୍ଗେ ଆରମ୍ଭି ରତି ରଙ୍ଗେ ବଞ୍ଚନ୍ତି ଅନୁଦିନେ । ଦୀର୍ଦ୍ଦାପାଙ୍ଗି’ । ୧୨ ।

 

 

ଅଯୋଧ୍ୟା-ଅଧିପତି-ଋତୁପର୍ଣ୍ଣ-କୀରତି-ତତି ଭାତତୀ-ମୁଖୁଁ ।

ଆସ୍ୱାଦି ଶ୍ରୁତିଯୁଗେ ଅତିବିସ୍ମୟେ ବେଗେ ବାଳୀବର ଶିରକୁ ।

କମ୍ଫକରୁ । ଇଷତରେ ତେରଛେ ।

ବସ୍ତୁ ବଂଶମଣ୍ଡନ ସେ ନୃପେ ଜେମାମନ ନଥିବ ଦିଶେ ସ୍ୱଚ୍ଛେ । ଧୀରେ ଘେନ । ୧୩ ।

 

ଇଙ୍ଗିତୁ ଚିତ୍ତବାରି ତହୁଁ ସେ ବାଗୀଶ୍ୱରୀ ଆନନୃପେ ଦେଖାଇ ।

ପିକେ ନୁକ ବିଭୂତି ବିତରିବାରେ ଅତି-ନିପୁଣ ସ୍ୱରେ ତହିଁ ।

ସୁଧାସିନ୍ଧୁ- । ସମ୍ଭବ ଇନ୍ଦୁମୁଖୀ ।

କ୍ଷିତୀଶ-ସୁତାପାଶେ ସେ ନୃପ-କୀର୍ତ୍ତିବଂଶେ ବର୍ଣ୍ଣନ୍ତି ହୋଇ ସୁଖୀ । ବିଶାରଦେ । ୧୪ ।

 

ଧୀରେ ଭାଷନ୍ତି ବାଣୀ ‘‘ରେ ଗଣବଣାଏଣୀ-ଈକ୍ଷଣି ଚାହାଁ ଏଣେ ।

ଏହା ପାଣ୍ଡ୍ୟ ନରେନ୍ଦ୍ର ଯା ମୁଖପାଖେ ଚନ୍ଦ୍ର ରହିଛି ଦାସପଣେ ।

ବୀଣାଭାଷି । ନାତ୍ରଦୀପ୍ତିକି ତୋର ।

ଏକ ଅପାଙ୍ଗେ ସ୍ଥିତ କର ତୁ ବାରେମାତ୍ର ପଡ଼ୁ ସେ ନୃପପର । ନିରୂପମା । ୧୫ ।

 

କହିବି ବେଶି କିସ ଆଶ୍ରି ଏ ମହାବଂଶ କୀର୍ତ୍ତିନର୍ତ୍ତକୀ ଶୁଣ ।

କ୍ଷିତିତଳେ ନର୍ତ୍ତନ-ବିରଚନରୁ ମନ କରିଲାଣି କର୍ତ୍ତନ ।

କରୁଅଛି । ଏବେ ଅମ୍ୱରକୋଳେ ।

ହୋଇ ନିରବ-ଲମ୍ୱ ନୃତ୍ୟ-କଳା ସଂରଭ ଅଭ୍ୟାସ କୁତୂହଳେ । ଚାରୁଶୀଳା । ୧୬ ।

 

 

ଏ ମହାରାୟ-ଭୟେ ଅରାତି ନୃପଚୟେ ପଳାନ୍ତି ବନୁଁ ବନେ ।

ତାଙ୍କ ଭୁବନମାନ କ୍ରମେ ବିପିନ-ପୂର୍ଣ୍ଣ ହୁଅର ଅତିଘନେ ।

ବହୁକାଳ- । ପରେ ପୁଣି ସେମାନେ ।

ଲେଉଟି ନିଜ-ଦେଶେ ଚିହ୍ନି ସ୍ୱ ସ୍ୱ ଆବାସେ ବସନ୍ତି ଘେନ ମନ । ନତଗାତ୍ରି । ୧

 

ଏହାଙ୍କୁ ବଳି ବୀର ନାହିଁ, କୀର୍ତ୍ତି ୟାଙ୍କର ଧରା-ଚନ୍ଦନ ଲେପ ।

ଆସପ୍ତ-ସିନ୍ଧୁକ୍ଷିତି-ବାସୀ ଜନେ ଗାବନ୍ତି ୟାଙ୍କ ଚାପ-ପ୍ରତାପ ।

ଏକାବେଳେ । ପ୍ରଣତ-ରାଜ-ତତି- ।

ଶିରମୁକୁଟ-ମଣି-ତାରା ଏ ବୀରମଣି-ନଖଚନ୍ଦ୍ରେ ସେବନ୍ତି । ଦନ୍ତୀଗତି । ୧୮ ।

 

ହରା-ଅକୀର୍ତ୍ତି-କାଳି-ମଳିନ-ଶତ୍ରୁପାଳି ତିନ୍ଦୁକ ବନବତ ।

ତହିଁ ପ୍ରତାପାନଳ ଏହାଙ୍କ ଅବିରଳ ଜଳଇ, ତହୁଁ ଜାତ ।

ବିସ୍ଫୁଲିଙ୍ଗ । ବୋଲାନ୍ତି ଏ ସଂସାରେ ।

ହର-ତୃତୀୟ ନେତ୍ର କୃପୀଟ-ଯୋନି ବୃତ୍ତ-ବୈରି-ବଜ୍ର ବେଭାରେ । ଭୂରୁଶୋଭି । ୧୯ ।

 

ଏ ନୃପତି-ସମର-ଦର୍ଶ-ନାଶେ ଅମର ତୁଲରେ ପୃଥୁରାଣ ।

ଆସିଥାନ୍ତି; ରଣରେ ଅଗ୍ରଗାମୀ ପଣରେ ଉଗ୍ର-ବାରଣ ଗଣ ।

ଏହାଙ୍କର । ବିଲୋକି ଆଉବାରେ ।

ପର୍ବତପାତୁଁ ଧରା ଉଦ୍ଧରିବାକୁ ତ୍ଵରା ହେଉଥାନ୍ତି ଚିତ୍ତରେ । ଚିତ୍ତହାରି’ । ୨୦ ।

 

 

ଏକାଳେ କ୍ଷିତିପତି-ସ୍ମତା-ଇଙ୍ଗିତ ତତି-ବିଚାର-ବିଚକ୍ଷଣା ।

ଦାସୀଏ ଭାଷେ ଚିତ୍ତ ବାରି “ରେ ତପ୍ତକାର୍ତ୍ତ ସ୍ୱର-ବରନା ଅନା ।

ସୌଧଚୂଳେ-। ଚଞ୍ଚଳ ଚେଳାଞ୍ଚଳେ ।

ଏକା ଏ କାକ ପଦ ଦେବା କରଇ ସଧ ବିବିଧ କଉଶଳେ । ସ୍ମିତଶୋଭି” । ୨୧ ।

 

ଏମନ୍ତେ ଅସଙ୍ଗତ ଦାସୀ-ଭାଷଣେ ସ୍ଥିତ ସଭାରେ ସର୍ବେ ହସି ।

ହାସ-ଶୁକ୍ଳିମାବଶେ ଧବଳିତ ବିଶେଷେ ସଂସଦ ଗଲା ଦିଶି ।

ଜେମାଲୋଭେ । ନିରାଶ ପାଣ୍ଡ୍ୟ-ପତି-।

ମୁଖ ଦିଶେ ମଳିନ ସେ ଶୁଭ୍ରରେ ଏ କୃର୍ଷ୍ଣ-ବର୍ଣ୍ଣ ବିକଶେ ଅତି । ଘେନ ମତି । ୨୨ ।

 

ଜଗତ-ବନ୍ଦନୀୟା ସେ ଅନିର୍ବଚନୀୟା ଭାରତୀ ତଦନ୍ତରେ ।

ନୃପଜା-ସରଳତା-ଗୁଣରେ ବଶୀଭୂତା ହୋଇ ଅଙ୍ଗୁଳି ଧୀରେ ।

ଦେଖାଇଣ ମହେନ୍ଦ୍ର-ମହୀଧର-।

ପାଶଦେଶ-ରାଜନେ ଚାହିଁ ବାଳା-ବଦନେ ଭାଷନ୍ତି ସୁମଧୁର । ସାଧୁଜନେ । ୨୩ ।

 

“ ଏ ସ୍ୱୟଂ ବରୋତ୍ସବେ ତୋତେ ଲଭିବା ଲୋଭେ ବିଜେ ମହେନ୍ଦ୍ର-ପତି ।

ଏହାଙ୍କ ଗଳେ ବନମାଳ ଦିମ ତୁ ବାଳ-ମୃଗାକ୍ଷି ହୋଇ ସୁଖୀ ।

କଳିଙ୍ଗରେ । ତୋ କୁଚକୁମ୍ଭ ତୁଲେ ।

ସେ ଦେଶ କୁମ୍ଭୀ-କୁମ୍ଭ-କଜହକୁ ଆରମ୍ଭ କଲେ ହସିବୁ ଗେଲେ । ଲୀଳାବତୀ । ୨୪ ।

 

 

‘ବିଜେ ମହେନ୍ଦ୍ରରାୟ’ ନାଗରୀକ ସମୂହ ଏମନ୍ତ କହୁଁ ଡରି ।

ବୃଥା ଅରିଏ ବନେ ପଳାନ୍ତି, ନିଜେ ସ୍ଵପ୍ନେ ତାହା ଥାନ୍ତି ଉଚ୍ଚାରି ।

ସେ ସମୟେ । ଶାଖୀରେ ଥିବା କିରେ ।

ଶୁଣି ସେ କଥା ପ୍ରାତେ ଉଚ୍ଚାରନ୍ତେ ତୁରିତେ ପଳାନ୍ତି ତହୁଁ ଡରି । ଅରାତିଏ । ୨୫ ।

 

ଏ ନୃପଭୟେ ଭୀତ ବିତ୍ରସ୍ତ ଶତ୍ରୁ ଗୋତ୍ର ବିପିନେ ସ୍ୱଯୁବତୀ ।

ଛାଡ଼ି ପଳାନ୍ତି ଧାତି ବନଚର ଯୁବତୀ ଭେଟି ତାଙ୍କୁ ପୁଚ୍ଛନ୍ତି ।

‘ଆଗୋ ଶୁଣ । ଆଶ୍ଚର୍ଯ୍ୟ ତୁମ୍ଭଦେଶେ ।

କିସଅଛି’ ଉତ୍ତରେ ଏ ଭାଷନ୍ତି “ରାତ୍ରରେ ଶଶିକର ବିଶେଷେ । ସୁଶୀତଳ” । ୨୬ ।

 

ଉର୍ବୀ-ଉର୍ବଶୀ ! ଆରେ ଏ ନୃପୁଁ ବଳି କା’ରେ ବୀର ନଘେନ ହୃଦ ।

ଗୁଣଟଙ୍କାର ନାଦେ ଏହାଙ୍କ ଅରିବୃନ୍ଦେ ନିରତ ବଶମ୍ବଦ ।

ଶୁଦ୍ଧଗୁଣ । ବହୁତ ଅଛି ତୋର ।

ସେ ଗୁଣଗଣେ ଗଣବଣା-ମାଣବ-ଏଣ-ଈକ୍ଷଣା ବନ୍ଦିକର । ଏ ଭୂଭୃତେ । ୨

 

ଏ ନୃପତି-ଅରାତି ଘେନି ନାରୀ ସନ୍ତତି ଗିରିଗୁହାରେ ଥାନ୍ତି ।

ଯୋଷା ନିଶାରେ ସୁତେ ଘେନିଣ ବାହାରନ୍ତେ ବିଲୋକି ନିଶାପତି ।

ସନ୍ତତିଏ । ସ୍ୱକ୍ରୀଡ଼ା-ହଂସ ଭାଳି ।

ରୋଦନ୍ତି କରି ଅଳି ମାତା-ଲୋତକେ ହରି-ବିମ୍ୱରେ ଯାନ୍ତିଭୁଲି । ଅନୁପମା । ୨୮ ।

 

 

ଦିଗ୍‌ବିଜୟ ଏ ନୃପ କଲେ ଅରାତି-ଭୂପ-ସଂଭୋଗ୍ୟା ବସୁମତୀ ।

ସାତ୍ୱିକ କମ୍ଫ ବହି ଏକା ପ୍ରକାଶୁଥାଇ ଏ ହେଉ ବୋଲିପତି ।

ଅଭିମୁଖ ।-ସମରେ ରିପୁଭୂପେ ।

ପଡ଼ି ସୂର୍ଯ୍ୟମଣ୍ଡଳ ମଧ୍ୟଦେଇ ନିଜର ପଥ ଦେଖନ୍ତି ଆପେ । ଚଳାପାଙ୍ଗୀ । ୨୯ ।

 

ରଣେତ କେହି କେଣେ ନଥାଏ ରିପୁ ଜଣେ ପଳାନ୍ତି ସର୍ବେ ଡରେ ।

ଯେବେ କେ ଅତି-ଯୋଧୀ ଲେଉଟେ ହୋଇ କ୍ରୋଧୀ ଭୂପତି-ସମ୍ମୁଖରେ ।

ବିମୁଖତା । ତା’ର ହୁଏ ଡତ୍‌କ୍ଷଣେ ।

ଯେଣୁ ଭୂପତି-କାତି ତା ଶିରକାଟି ଧାତି ଲୋଟାଏ ରଣାଙ୍ଗନେ । ରଙ୍ଗାଧରି” । ୩୦ ।

 

ମହେନ୍ଦ୍ର-ଦେଶ-ରାଣ-ଅଗଣ୍ୟ-ଗୁଣ-ଗଣ ଶୁଣି ସୁଶ୍ରୋଣୀ-ବର ।

ହୋଇ ଆଶ୍ଚର୍ଯ୍ୟ ଅତି ମୁଖପଦ୍ମେ ଝଟତି ଖଞ୍ଜେ ଅଙ୍ଗୁଳି ନାଳ ।

ସେ ଚତୁରୀ । ଆଶୟେ ଭାଷେ ଏତେ ।

‘ନ କହ ହୁଅ ତୁନି ସବୁ ମୁଁ ବୁଝିଲିଣି ଶୁଣିବି ଆଉ କେତେ । ପ୍ରିୟସଖି’ । ୩୧ ।

 

ନୃପକୁମାରୀ-ଠାର ବାରି ବାଣୀ ଅପରନୃପେ ଅପାଙ୍ଗ ଦେଲେ ।

ସେ ମହୀପତି-ଦେହ-ସୁଷମାରେ ଅଦେହ ଅଦେହ କି ହୋଇଲେ ।

ବିଶାରଦେ । ମହୀମଣ୍ଡଳେ କେହି ।

ତେଜୋବନ୍ତ-ପଣକୁ ତାଙ୍କ ତୁଲେ ପଣକୁ ଗଣା ହୋଇବେ ନାହିଁ । ବିଶାରଦେ । ୩୨ ।

 

 

ଭାଷନ୍ତି ବାଣୀ, “ଦୂତମୁଖେ ଏ ନରନାଥ ଯା ତୋତେ ଛନ୍ତି ମାଗି ।

ତା ତୁ କଲେ ତୋ ତହିଁ କ୍ଷତି କିସ ବା ହୋଇ ? ଏଥି ତୁ ଯାଅ ମଙ୍ଗି ।

ଚଳାପାଙ୍ଗୀ । ପ୍ରସନ୍ନଭାବ ବହ ।

ସୁରତେ ମାତି କାଞ୍ଚି-ନରେନ୍ଦ୍ର ତୋର କାଞ୍ଚି କର୍ଷନ୍ତୁ ବହି ସ୍ନେହ । ସୁହାସିନି । ୩୩ ।

 

ଏ ନୃପ ଧରି ଚାପ ବିନ୍ଧିବା ବ୍ୟାଜେ ରୋପ ଅରିଙ୍କି କହୁଥାନ୍ତି ।

‘ନମ୍ର ହୋଇବ ଯେବେ ପାଶେ ରଖିବି ତେବେ ଏ ଚାପପରି ନିତି ।

ରହିଟାଣ । ନ ଲଇଁ ଶରବତ ।

ରହିଲେ ତା ପରାୟେ ନୋହିବ କାହିଁ ଥୟେ ପଳାଇବ ଦିଗନ୍ତ । ସତ୍ୟସତ୍ୟ’ । ୩୪ ।

 

ସମରସମାଗତ-ବଇରିନାରୀବ୍ରାତ- କରାଶଂଖାମୃଣାଳ-ମାଳ ଏ ଇଳାଧବ- ।

ଯଶମରାଳ ଜବ ବହନ୍ତି ହୋଇ ଲୋଳ ।

ଲୀଳାବତୀ । ନୋହି ତେତେକେ ତୃପ୍ତ ।

ସେ ଅରାତି-ଯୋଷିତ ନୟନ-ବିନିଃସୃତ ନୀରେ ହୁଅନ୍ତି ମତ୍ତ । ତନୁଶୋଭି । ୩୫ ।

 

ସିନ୍ଦୁରରାଗାରୁଣ-କପୋଳ ଶ୍ୟାମଘନ-ସନ୍ନିଭ ଦନ୍ତାବଳ ।

ଅତିକାୟ-ବଶରେ ବ୍ୟାପି ନଭଦେଶରେ ଋଣେ କରନ୍ତେ ଗୋଳ ।

ଏ ନୃପର । ଦେଖିକରି ସେ ଛବି ।

ସନ୍ଧ୍ୟାହେଲା ବିଚାରି ବୁଡ଼ନ୍ତି ସର୍ବବୈରି-ଭୁଜ-ପ୍ରତାପରବି । ବିମ୍ୱାଧରି । ୩୬।

 

 

ଆଶ୍ରି ଏ ନୃପକର ଶୀରି କଲା ଯେ ଦୂର ନିଜର ବେନିବାସ ।

ଏକ କେଶବଛାତି ସେତ ନିର୍ଜନ ଅତି ତହିଁ ଲୁତା ନିବାସ ।

ତାକୁ ଦେଖି । ବୋଲୁଥାନ୍ତି କୌସ୍ତୁଭ ।

ଆରକ ପଦ୍ମକୋଳ ତହିଁତ ଲୁତାଜାଲସୁତା କେ ତହିଁ ଥିବ ? ବରାରୋହା । ୩

 

ଏ ନୃପ କୀର୍ତ୍ତିସର ପବିତ୍ର-ବୃହତ୍ତର-ଗୁଣେ ସାଗରେ ଜିଣେ ।

ନ ଅବଗାହି ତହିଁ ତ୍ରିଲୋକେ କେହି ନାହିଁ କବି ମୁକ ବର୍ଣ୍ଣନେ ।

ତା’ର କୀର୍ତ୍ତି । ତା ନୀରବିନ୍ଦୁ ଇନ୍ଦୁ ।

ଜଳଦେବତାବତ କୈଳାସଗର୍ଭେ ଗୁପ୍ତ ଯା ତା କୀର୍ତ୍ତି କେ ବନ୍ଦୁ । ବିଧୁମୁଖି । ୩୮ ।

 

ଏ ନୃପକୀର୍ତ୍ତି-ତୃପ୍ତ ଅତ୍ୟନ୍ତ କେହି ବ୍ୟକ୍ତ କରିବ ନିଜଭାବ ।

ଶୁଣି ନୋହିବ ବୋଲି ନେତ୍ରେ ଆନନ୍ଦବାରି ନ ବହେ;

ଲୋମାଭାବ । ଯୋଗୁଁ ଅଙ୍ଗେ ପୁଲକ ଅସମ୍ଭବ ।

ଧରା ପଡ଼ି ଭାଙ୍ଗିବାଭୟେ ନସ୍ତକ ଅବା କାହୁଁ ସେ କମ୍ପାଇବ । ବିଧୁମୁଖି । ୩୯ ।

 

ତୋ କୁଚକୁମ୍ଭସ୍ପର୍ଦ୍ଧୀ ରଣେ ବିଚିତ୍ର-ଯୋଧୀ ଅଇରି-କରି-ତତି ।

-ମୁଣ୍ଡେ ଏ ନୃପ କାଣ୍ଡ ଆମୁଳ ପୋତି ଦଣ୍ଡ ପ୍ରଚଣ୍ଡେ ଦେଉଥାନ୍ତି ।

ଏଣୁ ଘେନ । ତେମନ୍ତ କରିବାରେ ।

ତୋତେ ଅଛନ୍ତି ସେବି ତୁ ତାଙ୍କ ତହିଁ ଦ୍ରବି ନ ଯାଉ କି ବିଚାରେ । ଚାରୁଶୀଳା" । ୪୦ ।

 

 

କାଞ୍ଚୀଶ-ଗୁଣ-ଗଣ କରି ଶ୍ରବଣ ଏଣନୟନା ଅଳ୍ପହସେ ।

ଓଷ୍ଠେ ତା ଗଲା ଛପି କଷ୍ଟେ ନୋହେ ନିରୋପି ନୃପହତାଶ ଶେଷେ ।

ବିଚାରିକି । ଜେମା ହସିଲା ଏତେ ।

କହି ହୁଏ ଏହାଙ୍କ କୀରତି ତ ତାହାଙ୍କ ଅବର୍ଣ୍ଣ୍ୟ ତ୍ରିଜଗତେ । ନିରନ୍ତର । ୪୧ ।

 

ତଦନ୍ତେ ସ୍ୱୟମ୍ୱର-ସଭାର ଅଳଙ୍କାର କେ ବୀରଚୂଡ଼ାମଣି ।

ନରବର ଉପରେ ନେତ୍ରଗତି ଭଙ୍ଗିରେ ଆଶୟ ପରିମାଣି ।

ବାଗୀଶ୍ୱରୀ । ଗଣାବଣା-ହରିଣ-।

ମାଣବକେ-କ୍ଷଣୀକି ବୋଲନ୍ତି “ଗୋ ଏଣିକିଈକ୍ଷଣ ବିକ୍ଷେପଣ ।” କର ବାରେ। ୪୨ ।

 

ରେ ବିଚକ୍ଷଣା ଦୁଃଖେ ଭୂପାଳେ ପୋତି ମୁଖେ ମହୀ ଅଛନ୍ତି ଚାହିଁ ।

ଏଥି କା ପରେ ହେଲେ କରୁଣା ତୋର ତିଳେ ନୋହୁଛି କାହିଁପାଇଁ ।

ଚାହାଁ ଏ ଯେ । ନେପାଳର ନୃପାଳ ।

ସଉନ୍ଦର୍ଯ୍ୟେ କନ୍ଦର୍ପ ଯା ପାଶେ ତେଜେ ଦର୍ପ ତାଙ୍କୁ ତୋ ନେତ୍ର କୋଳ । କରୁ ବାରେ । ୪୩ ।

 

ରୁଜୁ ନୀରବ ଶ୍ରୁତିପାର-ଗାମିତା-ଅତିବିଶ୍ୱାସମାତି ଗୁଣେ ।

ସୁପ୍ରସିଦ୍ଧ ଶାୟକ ଏହାଙ୍କ ଲକ୍ଷ ଲକ୍ଷ ଛନ୍ତି ତା ରିପୁ ଜାଣେ ।

ଏଣୀକ୍ଷଣୀ । ଶର କେଡ଼େ କପଟୀ ।

ଦେଖାଇ ଭବ୍ୟରୀତି ଅବଶେଷେ ଅରାତିପ୍ରାଣ କରଇ ଲୁଟି । ଠଣଶୋଭି । ୪୪ ।

 

 

ସର୍ବଲୋକ-ରଞ୍ଜକ-ବ୍ରତ ଏ ନରେଶଙ୍କ ନଷ୍ଟ ନୁହଁଇ କେବେ ।

ଅତିହିଁ ଅପରକ୍ତ ଶତ୍ରୁ ମଧ୍ୟ ରଞ୍ଜିତ ନୋହି ନ ରହେ ଲବେ ।

ୟାଙ୍କ ପାଶେ । ଯେଣୁ ଏ ଶରଧାରେ ।

ଚର୍ଚ୍ଚିଦେଉଁ ସମରେ ଅରିରକ୍ତ ବେଭାରେ ଯାନ୍ତି ହୋଇ ସେ ଖରେ । କ୍ଷୀଣୋଦରି । ୪୫ ।

 

ଏ ମହୀପତି-ତେଜ-ଅନଳେ ଯେବେ ସୂର୍ଯ୍ୟ ପଡ଼ିବ ପୋଡ଼ିଯିବ ।

ହବ୍ୟବାହେ ପତଙ୍ଗ-ଦଶା ତା ହେବ ବେଗ ଚିହ୍ନବର୍ଣ୍ଣ ନ ଥିବ ।

ବାଳାବର । ଏ ନୃପ-ଯଶତୁଲେ ।

ସମ ଦ୍ରବ୍ୟରଚନେ ବିରଞ୍ଚି ପାଞ୍ଚି ମନେ ରଚେ କ୍ଷୀର ସାଗରେ । କଷ୍ଟେ ସୃଷ୍ଟେ । ୪୬ ।

 

ପୌଲସ୍ତ୍ୟବାସ୍ତୁଦେଶ-ରୋମରେଖା-ସଦୃଶ ଦକ୍ଷିଣୋତ୍ତର ଗିରି ।

ପ୍ରାଚି ପ୍ରତିଚୀ-ଦେଶଶୁଭ-ସ୍ତମ୍ଭସଦୃଶ ସନ୍ଧ୍ୟାପତାକାଧାରୀ ।

ସୁକୁମାରି । ପୂର୍ବ-ପଶ୍ଚିମଗିରି ।

ଏ ଚାରି ମହୀଧର-ମଧ୍ୟେ ଏ ମହୀଶର ମହିମା ଭ୍ରମେ ପୁରି । ନିରନ୍ତରେ । ୪

 

ଯୁଦ୍ଧେ ବାଣ ବରଜି ଆସୁଥିବା ଗରଜି ବଇରିରାଜ ବ୍ରାତ ।

ଯୁଦ୍ଧେ ବାଣ ବରଜି ପରାଣେ ଭୟ ଭଜି ଅଇରିରାଜ ବ୍ରାତ ।

ବେନିପାନ୍ତି । ଏ ନୃପୁଁ ଏକଦଶା ।

ଶରେ ପ୍ରଥମ ଶିର ସ୍ୱଭାବେ ଦ୍ୱିତୀୟର ଲାଜରେ ଚୁମ୍ୱେରସା । ସାରସାକ୍ଷି । ୪୮ ।

 

 

ଦର୍ଶକେ ଏ ନୃପର ତୂଣୁଁ ଗ୍ରହଣ ଶର ଗୁଣରେ ଆରୋପଣ ।

ଶ୍ରୁତିସରି କର୍ଷଣ ଗତି ଲକ୍ଷଭେଦନ ଅବନ-ପ୍ରବେଶନ ।

ମାର୍ଗଣିର । ପାରନ୍ତି ନାହିଁ ବାରି ।

ଏକା ପତିତା-ରାତି-ହୃଦୟ-ଛିଦ୍ର-ତତି ତା ରୀତି ଦିଏଠାରି । ସୁକୁମାରି” । ୪୯ ।

 

ଭୂପତି-ସୁତା-ମତି ବାରି କେ ରସବତୀ ଦାସୀ କହଇ ହସ ।

“କେତେ ମା ଏ ଭୂଧବ-ବିଭବ ଗାଉଥିବ ଥରକେ ଦିଅ ଭାଷି ।

ଗୁଣଯାକ । ଏଡ଼େ ବଡ଼ ସଂସାରେ ।

ନ ପାଇ ଟିକେ ସ୍ଥାନ ଗୁଞ୍ଜାଗୁଞ୍ଜି ହୋଇଣ ସଢ଼ୁଛନ୍ତି ଦୁଃଖରେ । ଦିବାନିଶି” । ୫୦ ।

 

ନେପାଳ ନୃପାନୁଗେ ଦାସୀ-ଭାଷଣେ ରାଗେ ବେଗେ-କହନ୍ତି ଜଳି ।

“ଆଗ-ଗୋଟା, ଦାସୀ କି କିସ ଗଲା ଭାସି ଏ ପୁଣି ତହୁଁ ବଳି ।

କି କି କହେ । ଏ ସଭା ଧନ୍ୟ ଧନ୍ୟ’

ଏହା ଶୁଣି ଅପରେ ଆସିଣ ତତପରେ କରନ୍ତି ସମାଧାନ । ନିଜପକ୍ଷେ । ୫୧ ।

 

ତହୁଁ ଅପର-ଧରାଭୃତ-ପ୍ରତି ଶ୍ରୀକରାଙ୍ଗୁଳି-ସଙ୍କେତ କରି ।

ବିଲୋକି ଦମୟନ୍ତୀ-ବଦନକୁ ଭାଷନ୍ତି ଭାରତୀ ଧୀରକରି ।

ସେ ନୃପତି ।-ଶ୍ରୀଅଙ୍ଗ-ଶୋଭାଠାଣି ।

ସୁରୂପସୀମା ପୁରୁରବା ମଦନଠାରୁ ଯାଇଛି ଟେକେ ଜିଣି । କୋଟିଗୁଣେ । ୫୨ ।

 

 

ଭାଷନ୍ତି ବାଗୀଶ୍ୱରୀରେ ସୁକୁମାରି ବାରି ବ୍ରୀଡ଼ାକୁ ବ୍ୟାଜେ ହେଲେ ।

ତୋ ନେତ୍ର-ନୀଳୋତ୍ପଳ-ସଙ୍ଗ ସୁଗନ୍ଧଶୀଳ-ଅପାଙ୍ଗ-ନଭକୋଳେ ।

ଖେଳୁଥିବା । ଦୀପ୍ତି-କୌମୁଦୀ ତିଳେ ।

ମାତ୍ରକ ପଡ଼ୁ ଢଳି ତୋ ପ୍ରତ୍ୟାଶାୟୀ ବୋଲି ମାଳୟ ମହୀପାଳେ । ବଳିଶୋଭି । ୫୩ ।

 

ବୃଥା ଏ ନୃପୁଁ ଡରି ରଣୁ ପଳାଇ ଅରି ସ୍ୱପୁରେ ପ୍ରବେଶନ୍ତି ।

ଯେଣୁ ଜାଣନ୍ତି ନାହିଁ କୁପିଲେ ନରସାଇଁ ନାହିଁ ତାହାଙ୍କ ଗତି ।

ତ୍ରିଜଗତେ । ଶୈଳଭୁ ଦୁର୍ଗା ହେଲେ ।

ଏ ମହୀଶ ରୋଷୁଁ ସେ ତାଙ୍କ ଜୀବ ନିମିଷେ ରଖି ନ ପାରେ ତିଳେ । ଳୀଳାବତି । ୫୪ ।

 

ନବ-ନୀରଦମ୍ଭରେ ଭିନ୍ନ ବୈଦୂର୍ଯ୍ୟବାରେ ଯା ଶୋଭା ପରକାଶ ।

ସେ ଦାନୀଗିରି-ଗର୍ବ ଯାଚକ-ଚିତ୍ତୁଁ ସର୍ବ ଯା ଦାନେ ହେଲା ନାଶ ।

ଏ ସେ ନୃପ । ଧରି ଏହାଙ୍କ କର ।

ବିଦୂର ନାମ ତା’ର ହରି ଅଦୂରେ କର ତୋ କ୍ରୀଡ଼ା-ଧରା-ଧର । ଧୀରାବର । ୫୫ ।

 

ବିନତ-ନରବର-ମୁଖ-ସାରସ-ପର-ସଞ୍ଚାରୀ-ମଳିନିମା ।

-ଅଳିପାଳି । ବିମ୍ୱରେ ଯା ପୟର-ନଖରେ ଜାତ ଚନ୍ଦ୍ରଉପମା ।

ଯା’ର ଭୁଜ-। ଯୁଗ ଉରଗବତ ।

ଅରି-ନୃପ ଜୀବନ-ପବନା-ମୃତପାନସ୍ଫୀତ ଏ ସେ ଭୂଭୃତ । ଭୁରୁଶୋଭି । ୫୬ ।

 

 

ଏ ନୃପକୀର୍ତ୍ତିପୁର କେଉଁଲୋକେ ବିସ୍ତାର ନ ଭଜେ କୃଶୋଦରି ? ।

ସ୍ୱର୍ଗେ ଶିବଶିରର ଶଶିର ଅଧ୍ୟାହାର ପରି ବହଇ ଶୀରି ।

ପାତଳରେ । ଶେଷାଶେଷଫଣାର ।

ଦେହ-ନିବହବତ ମର୍ତ୍ତ୍ୟେ ତାପସଭୀତ-କ୍ଷୀରଧି-ଦେହାନ୍ତର । ସମସରି । ୫

 

ଶତଘ୍ନି ଥିଲେ ଧରି ଶତରାଜା କି କରି ପାରିବେ ଏହାଙ୍କର ।

ପରାର୍ଦ୍ଧ ପଦ୍ମଲକ୍ଷ ପରଭେଦନ ଦକ୍ଷ ସହଜେ ପଦ୍ମକର ।

ଲକ୍ଷଭେଦେ । ନିପୁଣ ଏହୁ ଯେଣୁ ।

ଯୁଦ୍ଧେ ନ ହେଉ ବିଜେ ଭାଜନ୍ତି ରିପୁରାଜେ ପ୍ରମାଦଗଣି ତେଣୁ । ଅଣୁମଧ୍ୟା” । ୫୮ ।

 

ଜେମା-ଠାର-ବିଚାର-ବିଚକ୍ଷଣା ଦାସୀର ଗିର ଏତେ ପ୍ରସରେ ।

“ଆଗୋ ମାତା ମୋ ଗିରେ ଅବଧାନକୁ ବାରେ ବିତର ସୁଚିତ୍ତରେ ।

ଥାଉ ଏବେ । ଏ ନୃପକୀର୍ତ୍ତି ବ୍ୟାଖ୍ୟା ।

ଆନ ନୃପତିମାନେ ସ୍ୱ ସ୍ୱ ଗୁଣ-କୀର୍ତ୍ତିନେ କରନ୍ତି ତୋ ପ୍ରତୀକ୍ଷା । ଉଦ୍‌ବେଗରେ” । ୫୯ ।

 

ସେ ନୃପ-ପାରିଷଦେ କହନ୍ତି ମହାକ୍ରୋଧେ । “କେ ତୁ ଗୋ ଖଣ୍ଡାଗିଳି ।

ଗୁଣ ବର୍ଣ୍ଣନେ ତ ସେ ନିଯୁକ୍ତା ଧରଣୀଶେ ତୁ କିପାଁ କହୁ ବଳି ।

କି ସାହସେ” । ଏତେ କହି ସ୍ୱପତି-।

ବଦନେ ଚାହୁଁ ରୋଷ-କଷାୟ-କଟୁଦୃଶ ଦେଖି ଲଭନ୍ତି କ୍ଷାନ୍ତି । ସଭାସ୍ଥଳେ । ୬୦।

 

 

କୁଳଶୀଳେ ବାହୁଚ୍ଚ-ବର୍ଯ୍ୟନିବହେ ଓଜବନ୍ତ କେ ମହୀପତି ।

-ପ୍ରତି ଅଙ୍ଗ କିଞ୍ଚିତ ଚାଳି କୁଣ୍ଡିନ-ନାଥ-ସୁତାରେ ନେତ୍ର ଢାଳି ।

ବାଗୀଶ୍ୱରୀ । ଅର୍ଥ-ଗୌରବ ଗୁରୁ ।

ବଚନ ବିରଚନ କରନ୍ତି ରସହୀନ ହେଲେହେଁ ରସେ ଚାରୁ । ସାଧୁଜନେ । ୬୧ ।

 

“ରେ ଗଣବଣା-ମାଣବକ-ମୃଗାକ୍ଷି ପଣ କରିଛୁ ଯେବେ ତୁହି ।

ସଭାମିଳିତ ଧରା-ମରାମତୀନ୍ଦ୍ର-ପରା ନୃପେ ଚାହିଁବୁ ନାହିଁ ।

ତେବେ ବାରେ । ଘେନାକର ମୋ ଗିର ।

ଏ ମିଥିଳା-ମଘବା ଥରେ ତୋ ନେତ୍ରେ ଅବା ପଡ଼ୁଁ ତୁ ଗୃହେ ଚଳ । ରସଲତା । ୬୨ ।

 

‘ରେ ଓଷ୍ଠ ତ୍ରାହି ତ୍ରାହି ନ ବୋଲିବାରୁ ତୁହି ଏ ଦଶା ସିନା ମୋର’ ।

ଏତେ ଭାଳି ଏ ଧରା-ମରା ବତୀନ୍ଦ୍ର-ପରା-ରାତିଙ୍କ ଛିନ୍ନ-ଶିର ।

-ନିକୁରମ୍ୱ । ସମରଭୂମେ ପଡ଼ି ।

ରୋଷେ ଓଷ୍ଠକୁ ଦଣ୍ଡ ଦେବାରେ ପରଚଣ୍ଡ ଦଶନେ ଥାନ୍ତି ଭିଡ଼ି । ଭୂରୁଶୋଭି । ୬୩ ।

 

ହୁଅନ୍ତେ ମହାରଣ ଗୁଣସହ ମାର୍ଗଣ ଘେନି ଦକ୍ଷିଣଭ୍ୱଜ ।

ଘୁଞ୍ଚଇ ଏକ ବାମ ହୋଇ ସମରକ୍ଷମ ଆପେ ବିସ୍ତାରେ ଓଜ ।

ତାହା ଚାହିଁ । କାର୍ମୁକ-କର୍ମଗ୍ରାହୀ ।

ବାମକୁ ଚିହ୍ନି ଗୁଣ ଆଲିଙ୍କିଲା ପ୍ରାୟେଣ ନୃପର ଦିଶୁଥାଇ । ଇଭଗତି । ୬୪ ।

 

 

ଏ ନରପତି-ଯଶ ପାର୍ବଣ ଶର୍ବରୀଶ-ପ୍ରତିଭୂପରି ଦିଶେ ।

ସର୍ବାଙ୍ଗ-ଧବଳିତ-କଇଳାସ-ପର୍ବତ-ଶୁଭ୍ରତା-ଗର୍ବ କଷେ ।

ଶଙ୍ଖଯାଳ । ୟା ତେଜେ ଶୁଭ୍ରସତ ।

ଶରଦ-ନୀରଦର କ୍ଷୀରୋଦଉଦକର ଏ ଅନୁବାଦ ବତ । ତନୁମଧ୍ୟା । ୬୫ ।

 

ଏ ମିଥିଳାଭୁପତି-ଅସିକ୍ଷତ-ଅରାତି-ଗଜ-ମସ୍ତକୁଁ ପାତ ।

-ମୁକ୍ତାତତି ତୁରଗ-କ୍ଷୁରକ୍ଷୁଣ-ଭୂଭାଗ-ଗର୍ଭେ ହେଉ ନିଖାତ ।

ଦରଶକେ । ମତିରେ ଚିନ୍ତୁଥାନ୍ତି ।

ସତେ କି ଏ ନୃପତି ନିଜଭୁଜେ ସ୍ୱକୀର୍ତ୍ତି-ବୀଜକୁ ବୁଣୁଛନ୍ତି । କୁନ୍ଦଦନ୍ତି । ୬୬ ।

 

ଏ ନୃପ-ଦାନୀପଣେ ନାହିଁ ଯାଚକ ଜଣେ ରେଣୁଟି ଫଳଭାରେ ।

ବିନତ କଳ୍ପ-ତରୁ ରହଇ କେହି ଗୁରୁଭାରେ ନୁଆଇଁ ଶିରେ ।

ପ୍ରାର୍ଥୀବର୍ଗେ ।-ତ୍ୟକତ ରତ୍ନଗିରି ।

ରତ୍ନବୃଦ୍ଧିରେ ନିତି ଉନ୍ନତ ହେଉ ଅତି ଲାଜେ ନ ପାରେ ଚଳି । ଚଳାପାଙ୍ଗି” । ୬

 

ଏ ନୃପତି ସ୍ତୁତିରେ ବାଧା କେଉଁ ପ୍ରକାରେ ବିହିବୁଁ ବୋଲି ସଖି ।

ଠାରନ୍ତେ ସେ ଭୂଭୃତ-ସୁତା ଇଙ୍ଗିତ ଜ୍ଞାତ ହୋଇଣ ସ୍ମିତମୁଖୀ ।

ତୀର୍ଯ୍ୟକରେ । କରୁ ବଦନଶଣି ।

ଦରଶକେ ସେ ନୃପେ ଜେମାଚିତ୍ତ ଅଳପେ ନାହିଁ ବୋଲି ପ୍ରକାଶି । ସାଧୁଜନେ । ୬୮ ।

 

 

ତଦନ୍ତରେ ଭାରତୀ ନେତ୍ରେ ଆନ ନୃପତି-ବରେ ଠାରି ମଧୁରେ ।

ଭାଷନ୍ତି ସେ ବଚନ-ରଚନ ସରସ୍ୱାନ-ସମ୍ଭବାମୃତଝରେ ।

ହରାଇଣ । ଭାରତୀମୁଖୁଁ ବହି ।

ବସୁନ୍ଧରା-ଈଶ୍ୱର-ସୁତା-ଶ୍ରୁତିଳାସାର ଯୁଗ ଦେଲା ପୁରାଇ । ସାଧୁଜନେ । ୬୯ ।

 

“ଏଟି ସେ-କାମରୂପ ଅଧୀଶ ଆରେ ଅପଶଶ-ଶଶୀ-ବଦନା ।

କାମୁଁ ଏରୂପେ ବେଶି । ଏହାଙ୍କୁ ଯା ନ ହସି ଅନାଉଛୁ ନବୀନା ।

ତୋ ସମାନ । ରୂପେ ଗୁଣେ କେ ଅଛି ।

ବିଚାରୁଛି ମୁଁ ତେଣୁ ଚିତ୍ତେ ରେ ପରମାଣୁଦରି ତୁ ତାଙ୍କ ଗଚ୍ଛି । ସର୍ବଭାବେ । ୦ ।

 

ସମରେ ଏ ନୃପର ଆକର୍ଣ୍ଣଧାର-ଶର-ସମ୍ଭୃତ-କଳେବର ।

ଅରିତ୍ରବିନା ପରି-ପନ୍ଥିଏ ଭବବାରି ହୁଅନ୍ତି ଆରପାର ।

ରୁରୁନେତ୍ରା । ନ ବସି ତରଣିରେ ।

ତରଣି ଫୋଡ଼ି ସୁରପୁରକୁ ନିରନ୍ତର ଯାନ୍ତି ଚଳି ସତ୍ତ୍ଵରେ । ତାର ହାସି । ୧ ।

 

ଏ ମହୀପତି-ଭୁଜ-ବୀର୍ଯ୍ୟ-ବିଭବ-ତେଜ-ପ୍ରଚଣ୍ଡ-ମାରତଣ୍ଡେ ।

ଅରାତି-ନରପତି-ପୁରେ ପ୍ରକାଶେ ନିତି ଗ୍ରୀଷମଋତୁ ଚାଣ୍ଡେ ।

ରିପୁନାରୀ-। ତାପସୀ-ନେତ୍ର-ନୀଳ-।

ଉତ୍ପଳ ଜଳଧାରେ ଜଳଛତ୍ର ବୋଭାରେ ଦିଅନ୍ତି ସଦାକାଳ । ବାଳାବର । ୨ ।

 

 

ଦିଗଜୟେ ଏ ନୃପ ଯାଇ ଯୁଝୁ ଅମାପ ସମ୍ମୁଖ-ବାଜିବ୍ରଜ- ।

କ୍ଷୁର-ନିପାତ-ଜନ୍ୟ ରଜ-ରାଜି ଗଗନ ବ୍ୟପେ କ୍ଷତଜଲିପ୍ତ ।

ରିପୁ-ଗାତ୍ର-। ବଂଶେ ଏ ନୃପଙ୍କର ।

ଭୁଜ-ପ୍ରତାପାଳନ-ଧୂମଶଙ୍କା କେବଳ ସେ ରଜ-ବ୍ରଜେ ଭାଳ । ସମ୍ଭବଇ । ୩ ।

 

ଦେବେ କ୍ଷୀରାବ୍‌ଧି ମନ୍ଥି ଦଧି କରନ୍ତେ ତଥି ଏ ନୃପ ଯଶକ୍ଷୀର ।

ପୂରିଲା ତହିଁ ତା’ର କୀର୍ତ୍ତିକାବ୍ୟ ରୁଚିର-ସୁଧାସ୍ରୋତ ପ୍ରକାର ।

ଲୋକର୍ଣ୍ଣ-। କୁପକୁ ପୂରାଇଲା ।

ଘେନି ସେ ଘଟଯୁଗ କେ ବା ଏ ଯଶେ ଆଗ ଅଭିଷେକି ନଥିଲା । ଲୀଳାବତି । ୪ ।

 

ରଣେ ପରାଣମଣି-ନିଧନ-ବାର୍ତ୍ତାଶୁଣି ଯେ ରିପୁରମଣିର ।

ନ ଫାଟି ଅଛି ଉର ନିଶ୍ଚୟ ସେହି ଶିଳ ତହି କର-ପ୍ରହାର ।

କଲାକାଳେ । ସେ ନାରୀଙ୍କ ନଖର- ।

ଟଙ୍କ-ବିଘାତେ ଏହି ମହୀଶ-କୀର୍ତ୍ତି ଲିହି ହୋଇ ରାଜେ ରୁଚିର । ରୁରୁନେତ୍ରା’ । ୫ ।

 

ଏ ସମୟେ ନୃପତି-ସୁତାର ବାରିମତି ବିଡ଼ିୟା-ଲାଗି ଦାସୀ ।

ଭାରତୀ ମୁଖ ଚାହିଁ ସବିନୟେ ଭାଷଇ ଭାବ ପ୍ରକାଶି ହସି ।

“ଆାଗୋ ମାୟେ । ହୁଅ ବିଡ଼ିୟାଲାଗି ।

ବହୁଭାଷଣ-ଜାତ-ମୁଖଶ୍ରମ-ସମ୍ଭୁତ ଯାତନା ଯାଉ ଭାଙ୍ଗି । ଅବହେଳେ” । ୭୬ ।

 

 

ତହୁଁ ପ୍ରଥମେ କାମ-ଦେବର ଅନୁପମ ରୂପେ ଅପର-ନୃପେ ।

କରେ ଠାରି ଭାରତୀ ସୁମଧୁରେ ଭାଷନ୍ତି ଦମୟନ୍ତି-ସମୀପ ।

ଯା’ର ଛବି । କବିବଚନ ଜିଣେ ।

ନେତ୍ରେ ଶିଶୁହରିଣ; ଆଶ୍ଚର୍ଯ୍ୟେ ସଭାଜନ ଅତୃପ୍ତ ବିଲୋକନେ । ସାଧୁଜନେ । ୭୭ ।

 

“ରେ ସୌନ୍ଦର୍ଯ୍ୟ-ପୀୟୁଷ-ସରସୀ ନାରୀଈଶ ଉତ୍କଳାଧୀଶ ଏହି ।

ତୋ ବଦନଦର୍ଶନ-କୌତୁକେ ଏ ରାଜନ ଦୃଷ୍ଟି ଉତ୍କଣ୍ଠ ହୋଇ ।

ଗୁଣଗଣେ । ସର୍ବ ଉତ୍କଳବାସୀ ।

ଏହାଙ୍କ ବଶୀଭୂତ; ତରଙ୍ଗାୟିତ ନେତ୍ର ଯାଉ ତୋ ତାଙ୍କୁ ସ୍ପର୍ଶି । ଶୁଭ୍ରକେଶି । ୭୮ ।

 

ଅର୍ଥୀ-ପ୍ରାର୍ଥିତ ଦାନେ ଏ ନୃପ ଅନୁକ୍ଷଣେ ଜାଗରୁକ ଥିବାରୁ ।

ତେଣୁ ଯାଚକ-ତତି ମାନସେ ନ ପକାନ୍ତି ସୁରଭି କଳ୍ପତରୁ ।

ଅଳ୍ପହାସ । ଏଣୁ କଳ୍ପଦ୍ରୁମୂଳେ ।

ସୁରଭି ଦିଏ କ୍ଷୀର ସେ ଏହା ବଦନର ପଲ୍ଲବ ଦେଇ ସାରେ । ଦାନୀପଣ । ୭୯ ।

 

ପୟର-ନିପତିତ ଭୂପାଳେ ଏ ଭୂଭୃତ କରେ ତୋଳିବା କାଳେ ।

ତାଙ୍କ ଶିରମୁକୁଟ-ପଦ୍ମରାଗ-ପ୍ରକଟ-ଲୋହିତ-ଜ୍ୟୋତିଜାଳେ ।

ବାଳାବର । କର-ପୟର ଚାରି ।

ଏ ନୃପଙ୍କର ନୀତି ଦେଖ କେମନ୍ତେ ଅତି ଲୌହିତ୍ୟ ଅଛି ଧରି । ଧୀରାବର । ୮୦ ।

 

 

ନିବିଡ଼ ବନେ ଦାବ ଦହନ କଲାଠାବ ସବିତା କେଉଁ ଦିଶେ ।

ନୁହେଁ ସ୍ଥିର ଏ ଦୃପ-ଙ୍କର ଚଣ୍ଡପ୍ରତାପ ଯେଣୁ ତାହାଙ୍କୁ ତ୍ରାସେ ।

ସୁମଧ୍ୟମା । ଏକା ବଡ଼ବାନଳେ ।

ଧିକ୍କାର ମୁଁ ଦେଉଛି ଯେଣୁ ସେ ଅଛି ଲୁଚି ସ୍ୱଶତ୍ରୁ-ଜଳକୋଳେ । ଚଳାପାଙ୍ଗି । ୮୧ ।

 

ଏ ନୃପ-ଜଗବଳ ଯେବେ ହୋଇ ପ୍ରବଳ ଧାମନ୍ତି ରଣସ୍ଥଳେ ।

ତାଙ୍କ ଶୁଣ୍ଢ-ଶିକର ହୁଏ କାଳ ଶିଶିର ଅରାତି ସେନାକୁଳେ ।

ଏ ଉତ୍ତାରୁ । ନ କମ୍ପିବେ ସେ କେହି ।

ତାଙ୍କ ବଧୁବଦନ-କମଳ ହୁଏ ମ୍ଳାନ ଦୁର୍ଦ୍ଦିନ ଯାଏ ହୋଇ । ସେମାନଙ୍କ । ୮୨ ।

 

ସର୍ବ-ସୁଗୁଣାଧାର ଅଟନ୍ତି ଏ ଭୁପାଳ ସମରେ ୟାଙ୍କ ଶର ।

ଅତି ସୁପଟୁ ଅଟେ ଯେଉଁ ଅରାତି ଆଣ୍ଟେ କରାଇ ଅହଙ୍କାର ।

ନ ଲୁଆଇଁ । ସ୍କନ୍ଧ ନ ପ୍ରଣମଇଁ ।

ତା’ର ଏକା ସେ ସ୍କନ୍ଧ-ହୃଦୟ-ଦେଶ ଭେଦ କରନ୍ତି ନରସାଇଁ । ସାରସାକ୍ଷି । ୮୩ ।

 

କୁମୁଦାଦି ଶୁକ୍ଳିମା-ଗୁଣେ ବଡ଼ ଗାରିମା ପ୍ରକାଶୁଥାନ୍ତି ଳୋକେ ।

ଏ ନୃପ-ଭୁଜବୀର୍ଯ୍ୟ-ବିଜନିତ-ଐଶ୍ୱର୍ଯ୍ୟ-ଶୁଭ୍ରତା ତାଙ୍କ ଟେକେ ।

ବିଧ୍ୱଂସିଲା । ଭୟେ କୁମୁଦ ରାତ୍ରେ ।

ଉନିଦ୍ର, ମଲ୍ଲିହାର ଲୁଚେ ଖୋଷାରେ ତୋର ଶଶି ପୀୟୁଷବର୍ଷେ । ଘନଛଳେ । ୮୪ ।

 

 

ଏହାଙ୍କ ଗନ୍ଧକରୀ ନିନଜ୍ଜମାନ କରି ଦେହକୁ ସ୍ନାନକାଳେ ।

ଜଳେ ଥାଏ; ଦିଗ୍ଗଜ-ଜୟଜାତ ଐଶ୍ୱର୍ଯ୍ୟ-ଯଶଛଳେ ଉର୍ମିରେ ।

କ୍ଷାଳିହୁଏ । ଜଳପ୍ରତିବିମ୍ବନେ ।

ଦ୍ୱିଦନ୍ତ ଚତୁର୍ଦ୍ଦନ୍ତ ଯାଏ ହୋଇ ସାକ୍ଷାତ ଐରାବତ-ସମାନେ । ଦିଶୁଥାଇ” । ୮୫ ।

 

ଧରି ମଧୁକମାଳ । ସେ ପୀୟୁଷ-ପିତୁଳା ଜପୁତଥିଲା ନଳେ ।

ଏକାଗ୍ରଧ୍ୟାନବଶେ ନଳରୂପ ବିଶେଷେ ଦିଶିଲା ତା’ର ଡୋଳେ ।

ସାଧୁଜନେ । ଏଣୁ ଉତ୍କଳନାଥ-।

କୀର୍ତ୍ତିସ୍ତୁତି-ଶ୍ରବଣ-ଅନ୍ତେ ତା ବିଭାବନ ପାଇ ମୁଦିଲା ନେତ୍ର- । ବତ ପ୍ରତେ । ୮୬ ।

 

ସନ୍ଧ୍ୟାଈଶ୍ୱରୀ ସରସ୍ୱତୀ ତହୁଁ ସଭାର ଗଭାମଣ୍ଡନକାରୀ ।

ସୌନ୍ଦର୍ଯ୍ୟେ ବୁଦ୍ଧଜୟୀ ମଗଧ ନରସାଇଁ-କୀର୍ତ୍ତିତତି-ଚାତୁରୀ ।

ବର୍ଣ୍ଣିବାକୁ । ବଳାଇଣ ମାନସ ।

ପୂର୍ବପରି ଅପୁର୍ବ-ଭାରତୀ-ରୀତି ସର୍ବ ପ୍ରକାଶନ୍ତି ରଭସ । ସାଧୁଜନେ । ୮୭ ।

 

“ତୋ ଅପାଙ୍ଗ-ଅଙ୍ଗନେ ପଟୁ ରଙ୍ଗ-ନିର୍ତ୍ତନେ ଯେଉଁ କଟାକ୍ଷ-ତତି ।

ତାକୁ ଚିନ୍ତି ମଗଧ-ଅଧିପତି ଉନ୍ନିଦ୍ର କାଟନ୍ତି ଦିବାରାତି ।

ସରୁମଧ୍ୟା । ରହୁ ତୋ ଦାତାପଣ ।

ସେ କଟାକ୍ଷରୁ କିଛି କର ବାରେ କହୁଛି ଏ ନୃପେ ବିତରଣ । ଅକାତରେ । ୮୮ ।

 

 

ଏ ନରଈଶ-ଯଶେ ନିରତ ଶଶିହିଂସେ ହିଂସନ୍ତୁ ଶତ୍ରୁମାନେ ।

ଦିଶ-ବିଦିଶ-ବ୍ୟାପି ଯଶ-ତେଜେ ଅଦ୍ୟାପି ତାନସ ଭୟମନେ ।

ନବବାଳୀ । କିଛି ଶଶାଙ୍କ-କୋଳେ ।

ରହିଛି ବାକିଯାକ ଏ ଭୂପତି-ଶତ୍ରୁଙ୍କ ଅଛି ମୁଖମଣ୍ଡଳେ । ଚାରୁଶୀଳା । ୮୯ ।

 

ଯାଚକଙ୍କ ଯାଚନ ଏ ନୃପ-ସନ୍ନିଧାନ ନୁହେଁ ନିଷ୍ଫଳ କେବେ ।

ତେଣୁ ଆଉ ଯାଚକେ କିପାଁ ସୁମେରୁ ପାଖେ ପଥଶ୍ରମରେ ଯିବେ ।

ଏଣୁକରି । ସେ ଗିରିରତ୍ନ-ଶିଖ ।

ବଢ଼ଇ ବେଳୁଁ ବେଳ ବିନ୍ଧ୍ୟବୃଦ୍ଧି ମୁନିର ରୋଧିବା ବୃଥା ଦେଖ । କ୍ଷୀଣକଟି । ୯୦ ।

 

ଏ ନୃପ ଭୁଜବୀର୍ଯ୍ୟେ ଅର୍ଜିତ ଯଶପୁଞ୍ଜେ ମହାଦନ୍ତିର ଦନ୍ତ ।

ନଗଚ୍ଛେ, ତା ବର୍ଣ୍ଣନେ ଅକ୍ଷର ମୋର ମନେ ନ ପ୍ରକଟେ ନିତାନ୍ତ ।

ଏବେଏତେ । କହୁଛି ରିପୁଯଶେ ।

ଯେ ମେରୁ ରୌପ୍ୟଭୁତ ଏହାଙ୍କ ଭୁଜଜାତ-ବୀର୍ଯ୍ୟ-ବହ୍ନିତରାସେ । ସ୍ୱର୍ଣ୍ଣୀଭୂତ । ୯୧ ।

 

ଯେଉଁ ଦେଶକୁ ଏହି ନୃପତି ସୈନ୍ୟ ବାହି-ଥାନ୍ତି ସେ ରିପୁକ୍ଷିତି ।

ଶିବର ଅଂଶବଶେ ରକ୍ତ-ବର୍ଷଣ-ଦୃଶ୍ୟେ ବହିଣ ସନ୍ଧ୍ୟାଭ୍ରାନ୍ତି ।

ସାନ୍ଧ୍ୟନୃତ୍ୟ । ଶିବର ନୋହିବାର ।

ଭାବି ଦିଗଦହନ-ଭସ୍ମେ ଅଙ୍ଗଲେପନ କରି ନାଚଇ ଖର । କମ୍ପିକମ୍ପି । ୯୨ ।

 

 

ଚରଣୁ ମୁଖଚନ୍ଦ୍ର-ଯାଏଁ ଏ ମଗଧେନ୍ଦ୍ର-ନିର୍ମାଣେ ବିଧାତାର ।

ସରିଲା ତେଜପାତ୍ର ସର୍ବପୃଥିବୀ-ଗାତ୍ର ନିର୍ମାଣେ ଯା ଅସର ।

ସାରସାକ୍ଷି । ଶେଷ କେଶ-ନିର୍ମାଣେ

ଆଉ ନ ମିଳିବାରୁ ପଦାର୍ଥରେ ରମ୍ଭୋରୁ ରଚେ କି ତମୋଗଣେ । କେଶପଣେ । ୯୩ ।

 

ଏ ରାଜା ଦିଗଜୟ ଆରମ୍ଭୁ ବାଜିଚୟ-ଚରଣୋତ୍ଥିତ ଧୁଳି ।

-ପଟଳେ ଶତ୍ରୁକୁଳ-ନିର୍ଧୁମ-ବୀର୍ଯ୍ୟାନଳ ଲିଭି ହୁଅଇ କାଳି ।

ସେ କାଳରେ । ଏ ନୃପ କୀର୍ତ୍ତି-ଶଶି ।

ରାହୁରେ ବାଦ ଉଇଁ କରୁ ସେ ଧରାଛାଇ ହୁଏ; ତାହା ଜ୍ୟୋତିଷୀ । ଜାଣେ ଏକା । ୯୪ ।

 

ଭୁବନତ୍ରୟ ନାରାୟଣ ଉଦରେ ଧରା, ଏହା କେ ନ ଜାଣଇଁ ।

ଏ ନୃପ-କୀର୍ତ୍ତି ଅତି ବିଶାଳ-ତୁଙ୍ଗ-ଦନ୍ତୀ-ଦନ୍ତ ଉପମା ବହି ।

ସେ ଉଦରେ । ରହି ନ ପରିବାରୁ ।

ନାଭି ଭେଦ ଶୁକଳ-ସରସିଜ-ମୃଣାଳ-ବ୍ୟାଜେ ବାହାରେ ଭୀରୁ । ଚିତ୍ତେ ଘନ । ୯୫ ।

 

ଅଙ୍ଗୁଳି-ଅଉଷଧ-ଲତାକୁ ବିଷବୈଦ୍ୟ-ବତ ଯେଉଁ ବଇରୀ ।

ଶିରେ ନ କରେ ତା’ର ଭୟ-କରଣେ ଘୋର କୋଷ-ବିଳୁଁ ବାହାରି ।

ଏ ନୃପର । ଶାଣିତ କୃଷ୍ଣ ଅସି ।

ସିତେତର କୁଣ୍ଡଳୀ ଭଳି କରି ମଣ୍ଡଳି ଖେଳେ ସମରେ ପଶି । ପୀନସ୍ତନା । ୯୬ ।

 

 

ଯୁଦ୍ଧେ ଯେ ଅରାତିରେ ପୁଷ୍ଠ ଦେଇ ସ୍ୱାମୀରେ ବହଇ କୁଟିଳତା ।

ପୁଣି ନିଜ ସ୍ୱାମିରେ ଗର୍ଜେ କରକଶରେ ଏମନ୍ତ ଧନୁଲତା ।

ଗୁଣଗ୍ରାହୀ ।-ପଣେ ଏ ନରମଣି ।

ତା’ର ଗୁଣ ଗ୍ରହଣ କରୁଁ ଗୁଣକଗଣ-ଶିର-ମୁକୁଟମଣି । ରାମାମଣି । ୯୭ ।

 

ଏ ନୃପ ଶତ୍ର ଶର ବେନିଏ ପୁରତର ଯାନ୍ତି ପଛେ ନ ଚାହିଁ ।

କମ୍ପ କିବା ସତ୍କାର ନଥାଏ ଲବେ କା’ର ବେନିଏ ମୁକ୍ତ ହୋଇ ।

ବେନିଭାବେ । ଆଶ୍ଚର୍ଯ୍ୟ ଏକା ଏତେ ।

ଶତ୍ରୁ ମିତ୍ରକୁ ଭେଦି ଶର ଶତ୍ରୁକୁ ଛେଦି ଯାଏ ନ ଦିଶେ ନେତ୍ରେ । ମୀନନେତ୍ରି । ୯୮ ।

 

ସୁଧାର୍ମିକ ନୃପତି ଧର୍ମେ ଲୋକଙ୍କ ମତି ରଖିଛନ୍ତି ନିଶ୍ଚଳେ ।

ତାଙ୍କ ତୁରଗ ରଜେ ରୁନ୍ଧି ଖେଚରବ୍ରଜେ ଯବେ ଜିତି ଅନିଳେ ।

କ୍ଷୁର ଶବ୍ଦେ । ଦିଗ୍‌ବାସୀଙ୍କି ବଧିର ।

ସ୍ତବେ ମୂକ କୋବିଦେ କରି ନ ଛୁଇଁ ପଦେ ଧରା-ଧେନୁକୁ ଖର । ଶୂନ୍ୟେ ଗମେ । ୯୯ ।

 

ଯୁଦ୍ଧ ଦରଶୀ ନରେ ଥିଲେହେଁ ବସୁଧାରେ ନ ଦେଖନ୍ତି ସେ କିଛି ।

ସମର-ମଦମତ୍ତ-ତୁରଗ-ପଦୋତ୍ଥିତ ଧୂଳିରେ ସର୍ବ ଲୁଚି ।

ଥାଏ ଯାଣୁ । ଏ ନୃପ ଶରଛଇନ୍ନ ।

- ଅରିକବନ୍ଧ ବୃନ୍ଦ-ନାଚିବାର ପସନ୍ଦ ଅନ୍ଧାରେ ହୁଏ ଲୀନ । ଲୀଳାବତୀ । ୧୦୦ ।

 

 

ବିକଶି-ନୀଳୋତ୍ପଳ-ଦଳ ସୌରଭ ମେଳ ଜଳ ମରାଳମେଳେ ।

ସୁଶୋଭିତ କାସାର-କୀରତି ଏନୃପର ପକ୍ଷୀ-ପକ୍ଷ-ଅନିଳେ ।

ତରଙ୍ଗିତ । ଅସଂଖ୍ୟ ଶାଖା ନବ ।

-ପଲ୍ଲବଭୂଷା ବୃକ୍ଷେ ତୀରଶୋଭେ ପ୍ରତ୍ୟକ୍ଷେ ପଥିକ ଚିତ୍ତ ଯବ । ହରିନିଏ । ୧୦୧ ।

 

ସିନ୍ଧୁ ପ୍ରାୟ ଏ ସର ବିସ୍ତାର; ବୃଦ୍ଧ-ନରବତ ସୁନ୍ଦର ଦିଶେ ।

ବୟୋ-ବାହୁଲ୍ୟବଶେ ତରଙ୍ଗବଳି-ବଂଶେ ବାର୍ଦ୍ଧକ୍ୟ-ଶୁଭ୍ରହଂସେ ।

ସୁରଚିର । ଜ୍ୟୋସ୍ନା ସମାନ ଜଳ ।

ସ୍ନାନକାଳେ ଧାର୍ମିକ ଲୋକ ନତମସ୍ତକ ହେବା କି ଚିତ୍ର ଭାଳ । ବାଳାବର । ୧୦୨ ।

 

ଏ ଯୁବା ନୃପ ସଙ୍ଗେ ସେ ସରୋବରେ ରଙ୍ଗେ ବିହର ଚଳାପାଙ୍ଗି ।

ତୋ ନେତ୍ର ବିମ୍ୱ ନୀଳୋତ୍ପଳ-ସାମ୍ୟ କେବଳ ଦେଉ ମୃଣାଳ ଭାଙ୍ଗି ।

ତୋ ଶ୍ରୀଅଙ୍ଗ ।-ଶୋଭା ଜଳଦେବୀଙ୍କ ।

ମଧ୍ୟରେ ଆଧିପତ୍ୟ କରୁ ତୋ ମୁଖ ଶତପତ୍ରଙ୍କ ନାଶୁ ଟେକ । ନିରୁପମା । ୧୦୩ ।

 

ଏ ନୃପକୀର୍ତ୍ତି-ବ୍ରାତ ତ୍ରିଲୋକ ବିପ୍ଳାବିତ କରି କୃଷ୍ଣ-ପଦାର୍ଥ- ।

ଚୟ ଅଛଇ ଭସାଇ କାହିଁ ଠାବ ନ ପାଇ ସେ ସର୍ବ ଅତି ଭୀତ ।

ହୋଇକରି । ପ୍ରାଚୀନ-ଜନ ଗିରେ ।

ଆଶ୍ରିଛନ୍ତି; ଏ ନୃପ-ବାକ୍ୟେ ହେଲେ ଅଳପ ତାଙ୍କର ନାହିଁ ସ୍ଥିତି । ସ୍ଥାଣୁମୋହି” । ୧୦୪ ।

 

 

କେ ଇଙ୍ଗିତଜ୍ଞ ଦାସୀ ତହିଁ ଏମନ୍ତ ଭାଷ “ଯଦ୍ୟପି ଜନଗଣ ।

ଏ ନରବରଙ୍କର ଅକୀର୍ତ୍ତି ବର୍ଣ୍ଣିବାର ବିଷୟେ ନାହିଁ ମନ ।

ତଥାପି ମୁଁ । ବର୍ଣ୍ଣିବି-କିଞ୍ଚିତରେ ।

ଏ ସଭାଲୋଭାନରବରଙ୍କ କର୍ଣ୍ଣପୁର-ତମାଳଦଳା-କାରେ । ଏ ସଂସଦେ ।୧୦୫ ।

 

ବନ୍ଧ୍ୟା-ମୂକ-କୁମରେ ଆଶ୍ରି ଅଷ୍ଟନସ୍ୱରେ କୁର୍ମ୍ମୀ କ୍ଷୀରାବ୍‌ଧି ତୀରେ ।

ପରାର୍ଦ୍ଧାଧିକଜନ୍ମଅନ୍ଧରେ ଦୃଶ୍ୟମାନ ଅନ୍ଧାର ପରକାରେ ।

ଅପକୀର୍ତ୍ତି । ଏ ମହୀପତିଙ୍କର ।

ନିରତେ ଶୋଭୁଛନ୍ତି ଅଙ୍ଗୁଳି ଦେଇ ଶ୍ରୁତି ଶୁଣନ୍ତୁ ସର୍ବନର । ଏ ସଭାରେ ।” ୧୦୬ ।

 

ଏମନ୍ତେ ଦାସୀବାକ୍ୟେ ସଭାରେ ସର୍ବଲୋକେ ବିସ୍ମୟେ ମନ୍ଦେ ହସି ।

ଭଙ୍ଗ-ବଶେ ନରେଶ-ନନ୍ଦିନୀ ଏ ସୁରସ-ସମ୍ଭୋଗେ ଅଳ୍ପ ରସ ।

ଏ ସୁଯୋଗେ । ମଗଧଈଶ-ଆସ୍ୟେ ।

ହାସ ଅଛଇ କି ନାହିଁ ବୋଲି ଚନ୍ଦ୍ରମାମୁହୀଁ ମାତ୍ର ଚାହିଁଲା ଲେଶେ । ସାଧୁ-ଜନେ । ୧୦୭ ।

 

ବାଳାବର-ନୟନ-କନୀନକାଏ ଆନନର-ଦର୍ଶନ-ପାପେ ।

ପଙ୍କିଳ ହୋଇ ଦଳ କଜ୍ଜ୍ୱଳ ଭଳି କଳାବର୍ଣ୍ଣ ବହନ୍ତି ଆପେ ।

ସାଧୁଜନେ । ଏକା ଅପାଙ୍ଗ-ଦ୍ୱୟୀ ।

ନଳେ ହୋଇ ମିଳିତା ଆପଣାର ସୁଚିତା ରକ୍ତତା ପ୍ରକାଶଇ । ସାଧୁଜନେ । ୧୦୮ ।

 

 

ତହୁଁ ଅନଙ୍ଗ ନଳ-ଅଙ୍ଗ କରି ସମ୍ବଳ ସେ-କରଚକ୍ର-ଚିହ୍ନ

-ଆକୃଷ୍ଟ-ଧନୁ ଧରି ଶ୍ରୁତି-ପ୍ରାନ୍ତ-ସଞ୍ଚାରି ତାଙ୍କ ନୟନ-ବାଣ ।

ଯତ୍ନେ ସନ୍ଧି । ହୋଇଲା ଧନୁର୍ଦ୍ଧର ।

ଲୋକ-ଲାକ୍ଷା ବାଳାକୁ ଲକ୍ଷ ରଖଇ ବକ୍ଷକୁ ଠୁକିଲା ବାରମ୍ବାର । ଗର୍ବଭରେ । ୧୦୯ ।

 

ତତ୍କାଳେ ବାଳୀ ଗାତ୍ର ରୋମାଞ୍ଚେ ପତ୍ର-ଚିତ୍ର ଶୋଭେ ସେ ମୁଗ୍‌ଧ ହୋଇ ।

ସୁନ୍ଦରପଣେ ସର୍ବ-ମୋହିନୀ-ଗର୍ବ ଖର୍ବ କଲା ଚନ୍ଦ୍ରମାମୁହୀଁ ।

କାର୍ତ୍ତସ୍ୱର ।- କେତକୀବତ ଦିଶେ ।

ତା-ପରି ହର-ବୈରି ଭାବି ନଳେ ଆଦରିବାର ଭାବ ପ୍ରକାଶେ । ୧୧୦ ।

 

ସେ ଜେମା ସତ୍ୟ-ନଳଠାରେ ମତି ନିଶ୍ଚଳ ହେଉ ସୁଖ ସାଗର ।

-ତଳେ ନିମଜ୍ଜି ଯାଇ ସେ ଦେଶ-ଭୂଷା ହୋଇ ରସାତଳ କନ୍ୟାର ।

-ଭ୍ରାନ୍ତି ନିଜ ।- ଠାରେ ସେ ଲୋକଙ୍କର ।

କରାଇ; ପୁରତର ବସିଥିବା ଚତୁର ନଳେ ଦୃଷ୍ଟ ସଞ୍ଚାର । ନ କରଇ । ୧୧୧।

 

ନେତ୍ର-ସମ୍ପତ୍ତି ନୂତନାକୁ ନିଜ ନେତ୍ରକୁ ନଳ ବଧାଇ ଦେଇ ।

ଦେବଦୁର୍ଲଭ ତା’ର ପ୍ରାନ୍ତ-ଦୃଷ୍ଟି ନିଜର ବରାତିଥି କରାଇ ।

ତଦନ୍ତରେ । ପୀୟୁଷଧାରା-ସରି ।

- ବାଳୀ-କଟାକ୍ଷ-କାମଶାୟକେ ଲଭି ଝାମ ଆଉ ନ ପାରି ବାରି । ଆନଦୃଷ୍ଟେ । ୧୧୨ ।

 

 

ହୀର-ମାମଲ୍ଲଦେବୀ କୁମର କରି ଲଭି ଯା’କୁ ଜଗତେ ଧନ୍ୟ ।

କବିରାଜ-ରାଜିର ମୁକୁଟ-ଅଳଙ୍କାର-ହୀରେ ଯେ ଅଗ୍ରଗଣ୍ୟ ।

ସାଧୁଜନେ । ସେ ମାତୃଭକ୍ତ ହର୍ଷ ।

- ପଦ ସ୍ମରି ଚିତ୍ତରେ ଗୋପୀନାଥ ଗୀତରେ ଭାଷଇ ହୋଇ ହର୍ଷ । ସାଧୁଜନେ । ୧୧୩ ।

 

Unknown

ତ୍ରୟୋଦଶ ଛାନ୍ଦ

ରାଗ-ମାଳଶ୍ରୀ

ଶୁଣ ବସ ଏଥୁଅନ୍ତେ ସୁଜନ,                   ଭୃଙ୍ଗାଳିକି ପରିମଳ ପବନ,

ଯଥା ନନ୍ଦନେ ତେଜି ବୃକ୍ଷାନ୍ତରେ             କଲଦ୍ରୁ -ପାଶେ ପ୍ରବେଶାଏ ଖରେ

ତେମନ୍ତେ ବାହକେ ସେ ମହାସଭାରେ ବରଜି ଆନ-ରାଜନେ ।

ନୋଲେ ଶିବିକା ପଞ୍ଚନଳ-ସନ୍ନିଧାନେ । ୧।

ନଖ-ଦର୍ପଣେ ତ୍ରିଭୁବନ ବାର୍ତ୍ତା ।                   ଯା’ର ସେ ସରସ୍ୱତୀ ବିଶ୍ୱମାତା ।

ନଳରୂପଧାରୀ ଇନ୍ଦ୍ରେ ପୁରତେ ।             ଦେଖି ବଖାଣନ୍ତି ବିଚିତ୍ର-ମତେ ।

ସେ ଭାଷରେ ଶଚୀପତି ଏହି ବୋଲି ପ୍ରକାଶ ନୋହି ନ ରହେ ।

ପୁଣି ବାସବ-କପଟ ଚିହ୍ନା ନ ଯାଏ ।

ଭାଷନ୍ତି ବାଣୀ, “ଗୋ ବରବର୍ଣ୍ଣିନି ।                   ଏହାଙ୍କ ଯଶ କେ ପାରେ ବଖାଣି ।

ଦ୍ୱିଷତ୍‌ବଳ-ବିଜିତ୍ଵର-ପୌରୁଷ ।            - ସମ୍ଭୂତଖ୍ୟାତି ଏହାଙ୍କ ବିଶେଷ ।

ପୁତନା ଏହାଙ୍କ ନାଗାନନଦାନବାରି-ବାସରେ ପୂଜିତ ।

ରଣେ ଅରାତି ଅସୁ(ଶୂ) ରେ ହୋନ୍ତି ନି ପାତ ।

ଶୁଭ୍ରଂଶୁହାର-ଗଣେ ଇନ୍ଦ୍ରଚାପେ ।                  -ମଣ୍ଡିତ ପୟୋଧରେ ଅନଳପେ ।

ସବିତାକୁ ବିତାନିତ କରାଇ ।              ଚାମର-ବାହିନୀ ସଙ୍ଗେ ଚଳଇ ।

ସଭା ବା ସମରେ ଏହାଙ୍କ ବିଚାର ବହୁଭୁଷା-ବିଭୁଷିତା ।

ସତେ ଅମରବାହିନୀ ଏ ସାରକଥା ।

 

ଆରେ ସୁଘଟପ୍ରତିଭଟସ୍ତନି ।                   ରଣେ ଏ ଭୁଭୃତେ ଅଛନ୍ତି ଜିଣି ।

ନାହିଁ ଅପାୟ କାହିଁ ଏହାଙ୍କର ।             ଅଘବନ୍ତ ଏ ଏମନ୍ତ ନ ଭାଳ ।

ବାହୁ-ନେତ୍ରତ୍ୱ ଏହାଙ୍କ ଅଦଭୁତ ତା ପାରିବୁ ଜାଣି ତୁହି ।

ଘେନ ମାନସେ ମହୀରେ ମଘବା ଏହି ।

 

ବଳାଦି ସମୃଦ୍ଧ ରାଜ୍ୟ ସମ୍ଭୋଗେ ।                   ପିଶୁନ ଲେଖା ନିବହ ସରାଗେ ।

ଆଶ୍ରନ୍ତି ଏହାଙ୍କ କର ପୟରେ ।             ରେ ନିତତ୍ମିନି ଘେନ ଗିର ବାରେ ।

କର ବରଣ, ଏ ବରେ ହରି ତୁଲେ ଶଚୀ ପରାୟେ ବିହର ।

କର ବିରହ ବ୍ୟଥାକୁ ପଦପ୍ରହାର’ ।

 

ଭାରତିର ଏ ବିଚିତ୍ର ବଚନ ।                   ନଳ ଆଖଣ୍ଡଳ ଦ୍ୱୟେ ସମାନ

ଲାଗୁଛି ଭାବିଣ ବିଭାବ୍ୟ-କାନ୍ତି ।             ଦମୟନ୍ତୀ କରେ ମାନସେ ଭ୍ରାନ୍ତି ।

ବେନିଏ ସମାନ ଅଟନ୍ତି ପ୍ରଭେଦ ନାହିଁ କାଠାରେ କିଞ୍ଚିତ ।

ତେଣୁ ଭ୍ରାନ୍ତି ନ ନାଶେ ତା ଶ୍ରୁତି ବା ନେତ୍ର ।

 

ନଳ ଏ ଅବା ଅବା ଆଖଣ୍ଡଳ ।                   ଏମନ୍ତ ସନ୍ଦେହ ଜାତ ଚିତ୍ତର ।

ହେବାର ମହୀପତି-ସନ୍ତତିର ।             ବିଲୋକି ଭାରତୀ ସଦାଗତିର ।

-ସଖାକୁ ଦେଖାଇ ଅଖଣ୍ଡିତସୁଧାମୟୁଖ-ମୁଖୀକି ଚାହିଁ ।

ପୁଣି ପୂର୍ବପରି ଗିର-ହାର ଭିଆଇ । ୮ ।

 

“ଦେଖ ଗୋ ଏ ସଦା ପ୍ରତାପାଶୟ ।             କି ନ ଅର୍ଜିଛନ୍ତି ଏ ଧନଞ୍ଜୟ ।

ଉଦ୍ଗତିମନ୍ତ-ପଣରେ ସମାନ ।             ନାହିଁ ଏହାଙ୍କୁ କେ ତିନିଭୁବନ ।

ଅତି ଶୁଚିମନ୍ତ ଏହାଙ୍କୁ ବଳି କା ନାହିଁଟି ଭାସ୍ୱରରୂପ ।

ବର ଏହାଙ୍କୁ; ଲଭ ଗୋ ହେମ ଅମାପ । ୯ ।

 

ଏ ମହାବୀରଙ୍କ ହେତି ପ୍ରଭବ ।                   - ପ୍ରଭାବେ କବଳୀକୃତ ପାର୍ଥିବ ।

- ନିବହଙ୍କର ବିଭୁତି-ସନ୍ତତି ।             ତା ଭାଗ୍ୟ କେ ବର୍ଣ୍ଣିପାରେ ସୁଦତି ।

ଋଷଏ ହରଷେ ଶରୀରେ ତାହା ହୋଇଥାନ୍ତି ବୋଳି ।

ପୁଣି ଅଙ୍ଗରାଗ ତାକୁ କରନ୍ତି ଶୂଳୀ । ୧୦ ।

 

ଆଗୋ ସୁଲକ୍ଷଣି ବାରେ ତୁ ଦେଖ ।                   ଏହିଟି ବିବୁଧ-ମଣ୍ଡଳିମୁଖ ।

ଯମୁଁ ମହେନ୍ଦ୍ରରୁ ମଧ୍ୟସ୍ଥ ଏହି ।       ସମଦର୍ଶୀପଶେ ସମ କେ ନାହିଁ ।

ବହନ୍ତି ଏ ଅବିରତରେ ନବୀନା ସଦାଋଣକର ଶିରା ।

ହୁଅ ସୁଖୀ ସୁକୁମାରି ଏହାଙ୍କୁ ବରି । ୧୧ ।

 

ସମିତ୍ ମଧ୍ୟରେ ଏ ବିଜୟ ଯେବେ ।                   ରିପୁ ହୋଇ-ଥାନ୍ତି ତୃଣ ସ୍ୱଭାବେ ।

ଅଲ୍ପମେଧାରେ ଏ ନୁହଁନ୍ତି ବଶ ।             କାଷ୍ଠାବଳି ବଳେ କରନ୍ତି ବଶ ।

ଉଠିବେ ଯେବେ ଏ ପ୍ରଜ୍ୱଳି ନିଜର ତରସ୍ୱୀପଣ ପ୍ରକାଶି ।

ତେଜେ ଏହାଙ୍କ କେ କି ହୁଅଇ ବିନାଶି” । ୧୨ ।

 

 

ଭାରତୀଦେବୀଙ୍କ ଉକ୍ତି ଚାତୁରୀ ।                   ନଳ ଅନଳେ ଦିଶେ ଏକାପରି ।

ଏମନ୍ତ ଶୁଣି ସେ ବରବର୍ଣ୍ଣିନୀ ।             କେ ନର ସୁର କେ ନ ପାରେ ଜାଣି ।

ଥରେ ବିଚାରଇ ହୃଦୟେ ସୁଦତୀ ହୋଇବେ ଏ ପରା ନଳ ।

ପୁଣି ତର୍କଇ ‘ନୁହଁନ୍ତି ଏତ ଅନଳ ?’ । ୧୩ ।

 

ଭୟ-ଆଶ୍ଚର୍ଯ୍ୟ-ସନ୍ଦେହ-ସନ୍ଦୋହ ।                   କରେ ନୃପ-ସୁତା-ଚିତ୍ତ ଅଥୟ ।

ଜଗତଜନନୀ ଦେଖି ଏ ରୀତି ।             ରକ୍ଷୀ-ଭକ୍ଷକେ ବରଜି ଝଟତି ।

ଯା’ର କରେ ସରେ ସାରସ ବିକଶେ ତା’ର କୁମରେ ଦେଖାଇ ।

ମୃଦୁ ମଧୁରେ ଭାଷନ୍ତି, “ଶୁଣ ସୁମୁହିଁ”। ୧୪ ।

 

“ଦେଖ ଗୋ ନିରୁପମା ତୋ । ପୁରତେ ।                   ଏ ଦଣ୍ଡଧର ବିଖ୍ୟାତ ଜଗତେ ।

ରହିବାରୁ ଦଣ୍ଡ ଏହାଙ୍କ କରେ ।             ଜଗତ ନ ଯାଏ ମଜ୍ଜି ପାପରେ ।

ସ୍ମରବୈଦ୍ୟ ମଦଗର୍ବ-ବିନାଶକ ଏହାଙ୍କର ରୁକ ପାଶେ ।

କେ ଅମର ରହଇ କି ବାର ମାନସେ । ୧୫ ।

 

ମିତ୍ର -ପ୍ରିୟୋପଜନନ ନିମିତ୍ତ ।                   ସଂଜ୍ଞା; ଏହାଙ୍କ ଛାୟା ନୁହେଁ ସତ ।

କେଉଁଠାରେ ଦେଖା; ବିଶ୍ୱ ସଂସାରେ ।             ଏ କାହା ସୁହୃତ୍‌ ନୁହଁନ୍ତି ବେଭାରେ ।

ଏ ଯମ-ନିୟମେ ନିଶ୍ଚଳ ହୋଇଣ ନିଶ୍ଚେ ଥିବେ ତପ ସାଧି ।

କାହୁଁ ନୋହିଲେ ଲଭନ୍ତେ ଏତେ ପ୍ରସିଦ୍ଧି । ୧୬ ।

 

 

ଅମ୍ୱରମଣି ରମଣୀୟ-ମୂର୍ତ୍ତି ।                   ଯା’ର ପ୍ରଭାବେ ସର୍ବରାଜ-ଦ୍ୟୁତି ।

ଲଭଇ ସ୍ତିମିତ ଦଶାକୁ ଯବ ।             ସେ ଦେବ ଏହାଙ୍କ ପିତା ତୁ ଭାବ ।

କାହା ପ୍ରତି ଶକ୍ତି ଏହାଙ୍କ ନୁହଁଇ ସର୍ବଦା ଉତ୍‌କ୍ରାନ୍ତିଦାୟୀ ।

ପରେ ଗଦା ଷେପୁଁଛନ୍ତି କୃଷ୍ଣତ୍ୱ ବହି । ୧୭ ।

 

ପରେତରାଜିରେ ଏହାଙ୍କ ଏକା ।                   ପ୍ରବଳ ପ୍ରତାପ ଦିଅଇ ଦେଖା ।

ଜିବୀତେଶ ବୁଦ୍ଧି ଏ ମହାଭାଗେ ।             କର କରଭୋରୁ ଅଗୋ ସରାଗେ ।

ଅଧିକାଂଶ ଭୂତ ବଶ୍ୟ ଏହାଙ୍କର ଏହା ବା କେ ନ ଜାଣଇଁ ।

ଦେଖ ଦସ୍ର-ସହୋଦର ସାକ୍ଷାତ ଏହି । ୧୮ ।

 

ବହୁତ-ନଳ-ଦରଶନି-ଯୋଗେ ।                   ସନ୍ଦେହ ନୃପଜା ହୃଦୟେ ଆଗେ ।

ଜନ୍ମିଥିଲା ତ ଏବେ ଏ ଭାରତୀ ।             ଶମନ-ନୈଷଧେ ସମାନ ରୀତି ।

ବହିବାର ଦେଖି ସେ ସନ୍ଦେହ ଏବେ ଦେଲା ମନ୍ଥି ତାର ମନ ।

କଲା କେବଳ ମାତ୍ର ସେ ପିଷ୍ଟ ପେଷଣ । ୧୯ ।

 

ଏତେ କହିଲେହେଁ ସେ ଛଦ୍ମନଳେ ।                         ନୃପଜା ସଂଶୟ ନ ଛାଡ଼େ ତିଳେ ।

ସରାଗ ଅବା ବିରାଗତାହାର ।             ଥିବା ନ ଥିବାର ନୁହେଁ ଗୋଚର ।

ଦେଖି ଏ ରୀତି ସରିତପତିପତି ପ୍ରତି ଭାରତୀ ଶ୍ରୀକର ।

ଠାରି ଜେମାକୁ ଭାଷନ୍ତି ମଧୁର ଗିର । ୨୦ ।

 

 

ଛନ୍ତି ପୁରତେ ଯେ ବରବର୍ଣ୍ଣିନୀ ।                   ଏହାଙ୍କ ସେନା କେ ପାରିବ ବର୍ଣ୍ଣି ।

ଯାଦୋ-ରଣ ଅତିହିଁ ଭୟଙ୍କର ।             ବହୁବିଦାରକ ଯା’ର ଶରୀର ।

ଭୂରିତରବାରିନିଧିପୂତନାର ପରରୋଧ ନ ଦିଶଇ ।

ବାର କେ ତାର କୀରତି ପାରିବ କହି । ୨୧ ।

 

ଉଦ୍ଗତପଦ୍ମ-କାନନେ ସୁଷମ ।                   ବିବିଧରନଯାତେ ମନୋରମ ।

ଦାନବାରି ଶୋଭିତ ସମକର ।             କୁମ୍ଭୀରବରେ ଅତି ଭୟଙ୍କର ।

ଘନଧ୍ୱନିରେ ନାସିରଦେଶ ଯା’ର ନିରତ ମୁଖର ଅତି ।

କେବା କହିବ ବିସ୍ତାରି ତା’ର ବିଭୁତି । ୨୨ ।

 

ଶତ ଶତ ଲକ୍ଷ ଲକ୍ଷ ସ୍ୟନ୍ଦନେ ।                   ଅସଂଖ୍ୟ ଅଗଣିତ ପ୍ରବହଣେ ।

ଏ ବାହୀନୀକି ପ୍ରତିକୂଳ-ପାତ ।            -ବିଧାନ ବିଷୟ ଅତି କିଞ୍ଚିତ ।

ଅତିକରକଶା ଅସୀମାସିକତା ଏହା ତହିଁ ଅଛି ପୂରି ।

କାହୁଁ କହିପାରିବି ମୁଁ ପ୍ରାଞ୍ଜଳ କରି । ୨୩ ।

 

ଏ ମହାଭାଗଙ୍କ ପଦପ୍ରଣୟୀ ।                   ଶୋଣତ ନିରନ୍ତର ଅଛି ହୋଇ ।

ସରସ୍ୱତୀ ବୋଲି ଯା ନାମ ଖ୍ୟାତ ।             ଏହାଙ୍କ ସେବାରେ ସେ ସଦା ରତ ।

କମଳାଶୟ-ମାତ୍ରକେ ୟାଙ୍କ-ସେବା-ବିହୀନେ ନାହିଁଟି ଗତି ।

ବର ଏ ଭୁବନାଧିନାଥଙ୍କୁ ସୁଦତି” । ୨୪ ।

 

 

ଏକାଧିକ ନଳଙ୍କୁ ଅବଲମ୍ୱି ।                   ବାଳା-ଶଙ୍କାଲତା ଥିଲା ପଲ୍ଲବି ।

ନଳସଲିଳେଶ୍ୱରେ ଅଭେଦିକା ।             ବାଣୀଙ୍କ ଏପରି ଚାତୁରୀ ଏକା ।

ସେ ଶଙ୍କାଲତାକୁ ନ ଛି‌ଣ୍ଡାଉ ପଛେ ଦେଲା ତାହାକୁ ବଢ଼ାଇ ।

ଏ କି ଅଳପ ବିଚିତ୍ର ହୋଇଲା ତହି । ୨୫ ।

 

ବହିଥିଲେହେଁ ଛଦ୍ମନଳ ବେଶ ।                   ଅତି ଚତୁର ଚତୁର ତ୍ରିଦଶ ।

ବାଳୀକି ଛଳି ନ ପାରିବା ଦେଖି ।             ହୋଇଣ ବାଗୀଶ୍ୱରୀ ଚିତ୍ତେ ସୁଖୀ ।

ଭୂପାଳକୁଳ-କଳାକର ନଳଙ୍କୁ ଭାଷନ୍ତି ଅଙ୍ଗୁଳିଠାରି ।

ଭୂପେ ଶୋହୁଥିଲେ ଯା ପରିବେଶପରି । ୨୬ ।

 

“ଅତ୍ୟାଜି ଲବଧ୍-ବିଜୟ-ପ୍ରସବ ।                   ମହୀ-ମହେନ୍ଦ୍ର ଯା ରୁଚି-ବିଭବ ।

ଅନଳପ,ତା’ର ତହିଁ ତୋହର ।             ଅଜଣା ଭାବତ ନୋହେ ଗୋଚର ।

ପ୍ରତ୍ୟର୍ଥୀ-ଦାନବ-ଶତାହିତ ଚେଷ୍ଟାଯୋଗେ ଜୀମୁତବାହନ ।

-ଭ୍ରମ ଏହାଙ୍କଠାରେ କା ନୁହଁଇ ଘେନ । ୨୭।

 

ପ୍ରାପ୍ତସୁରେଶାଧ୍ୱ-ରାଜ୍ୟାଭିଷେକ ।                   -ଯୋଗେ ଯେ ବିକଶେ ଟେକ ଅଧିକ ।

ନାମଧରି ସ୍ପଷ୍ଟ କହେ ବଚନ ।       ଏ ମହାତେଜାନଳ , ଆନମନ ।

ହେବାର ଏଥି ତୋ ଉଚିତ ହୋଇଲା ସୁଚିତ୍ତେ କର ବିଚାର ।

ବାଳା ହେଳାକରୁ କେତେ ଗିରେ ମୋହର । ୨୮ ।

 

 

ଚଣ୍ଡିମାରଣ-ବିଧି-ବ୍ୟସନା ଏ ।                    ଜଗତେ ଧର୍ମ୍ମରାଜଖ୍ୟାତି ଶୋହେ ।

ସ୍ୱଭାବେ ଦାକ୍ଷିଣ୍ୟ ସ୍ଥିତି ୟାଙ୍କର ।             ଏହି ମହାତେଜା ନଳ ବିଚାର ।

ରେ ଗଜଗମନା ସହଜ ସ୍ନେହରେ ବରିବୁ ତୁ କି ଏହାଙ୍କୁ ? ।

ତୁତ ଜାଣୁମଣି ଯା ତୋ ଆସେ ମନକୁ । ୨୯ ।

 

ତୋ ପାଣି ପୀଡ଼ନ ବିଧି ବିଷୟେ ।                   ଅନପାଶ ଏତ ଜଣା ଆଶୟେ ।

ତାଙ୍କ ଚିନ୍ତାକୁ ତୁ କଳପ-ଲତା ।             ହେବୁକିରେ ନରବର-ବନିତା ।

ଭୁବନ ସକଳ ସ୍ଥାନେ ବିଚରି ଏ କେଉଁଲୋକ ନ ରଖନ୍ତି ।

ୟାଙ୍କଠାରେ ତୋ ବିରାଗ ହେଲା ଯୁକତି” ? । ୩୦ ।

 

ଚାରିପଦରୁ ଆଦ୍ୟେ ଆଖଣ୍ଡଳ ।                   ଦ୍ୱତୀୟେ ଅନଳ ତୃତୀୟେ କାଳ ।

ଚତୁର୍ଥେ ଜଳାଧୀଶ ସହିତରେ ।             ନଳ ସମାନଭାବେ ଆଭାଷିଲେ ।

ଏ ଭାବ ବିଚାରି ଭାବନାନିରତା ଭାମିନୀ ହେବାର ଦେଖି ।

ପୁଣ ଭାରତୀ ଭାଷନ୍ତି, “ଶଉଣ ସୁମୁଖି” । ୩୧ ।

 

ଇନ୍ଦ୍ରାଗ୍ନି-ଯମପାଶୀ-ଅଂଶଶାଳୀ ।                   ନଳେ ମନ ବଳାଇଛୁ ତୁ ବାଳୀ ।

ଏ ସଂସଦେ ତାଙ୍କୁ ବରିଲେ ତୁହି ।             ଶୁଭ ସନ୍ତୋଷ ବେନି ଯିବ ହୋଇ ।

ସମ୍ପୂର୍ଣ୍ଣେ ବରଜି ଇଚ୍ଛୁ ଅଂଶେ ଭଜିବାକୁ ଏ ଯେବେ ଉଚିତ ।

କି କହିବି ଆଉ ବେଶି ? ଜାଣୁ ସବୁତ । ୩୨ ।

 

 

ଧନି ଏ ଦେବ ନଇଷଧପତି ।                   ନୁହଁଇ ଜଣା ଏ ତୋତେ ସୁଦତି ।

ନୁହେଁ ନଳ ଅତି ମହାନଳାଭ ।             ଚିତ୍ତ ସ୍ଥିରକରି ନିଶ୍ଚଳେ ଭାବ ।

ବରଜିବୁ ଯେବେ କରଜଶୋଭିନୀ ଏ ବରକୁ ଅନାଦରେ ।

ଆଉ କେ ହେବ ତୋ ବର ଏ ଜଗତରେ । ୩୩ ।

 

ଇନ୍ଦ୍ରାଗ୍ନି ବରୁଣ ଯମ ସହିତ ।                   ଏ ବଚନେ ନଳ ସମେ ବ୍ୟକତ ।

ଏମନ୍ତେ ଭାରତୀ-ଉକତି ଶୁଣି ।             ସେ ବର-ବରନା ତରୁଣୀ-ମଣି ।

ବାଡ଼ବ-ବୀତିହୋତ୍ରତାପେ-ତାପିତ ମକରାଳୟ-ବୀଚିର ।

ଶୋଭ ସମ୍ଭାରକୁ ଅଙ୍ଗେ ବହିଲା ଖର । ୩୪ ।

 

ସାଂଖ୍ୟ ନୈୟା-ୟିକ-ବୌଦ୍ଧ-ଆର୍ହତ- ।                   ମତ ଶୁଣି ଯଥା ବ୍ରହ୍ମେପ୍ସୁ ସ୍ତବ୍‌ଧ ।

ବ୍ରହ୍ମ-ନିର୍ଣ୍ଣାୟକ ପଞ୍ଚ-ମତରେ ।             ସନ୍ଦେହ ବଶେ ଭ୍ରମେ ନିରନ୍ତରେ ।

ତେମନ୍ତ ସେ ବାଳୀ ଦେବ ଚତୁଷ୍ଟୟେ ଭ୍ରାନ୍ତହୋଇ ପଞ୍ଚନଳ ।

ଦେଖି କେ ସତ୍ୟଭାଳି ହୁଅଇ ବିକଳ । ୩୫ ।

 

କଳି ସନା କେତେକାଳ-ଅନ୍ତରେ ।                   ଭବିଷ୍ୟତେ ସନ୍ତାପିବ ନଳରେ ।

ଦ୍ୱାପର ( ସନ୍ଦେହ ) ତର ସହି ନ ପାରିଲା ।             ଆଗହୁଁ ଦମୟନ୍ତୀକି ଦହିଲା ।

ନଳ-ଦମୟନ୍ତୀ ବିବାହ କାହୁଁ ବା ପାରିବେ ସେମାନେ ସହି ।

ତାଙ୍କ ପ୍ରକୃତିତ ସଦା କୁଟିଳ ହୋଇ । ୩୬ ।

 

 

ଦମୟନ୍ତୀକି ପଞ୍ଚନଳ ଯୋଗେ ।                   ଉତ୍କଣ୍ଠିତା କରି ବିଭିନ୍ନବାଗେ ।

ପଞ୍ଚନଳରୁ ଦମୟନ୍ତୀ-ପାଇଁ ।             ପ୍ରତ୍ୟେକକୁ ସମ୍ମୋହିତ କରାଇ ।

କଲା ଆରମ୍ଭ ଦର୍ପକ ଦର୍ପତହିଁ ସଫଳି ପଞ୍ଚଶାୟକ-।

ନାମ ନିଜର ଏମନ୍ତ ଜାତ ବିତର୍କ । ୩୭ ।

 

ନଳରୂପ-ଧାରୀ ପଞ୍ଚଅମର- ।                   ବରଙ୍କୁ ବରଜି ବସୁଧେଶ୍ୱର- ।

ସୁତା ସୁନ୍ଦରପଣେ ବଶହୋଇ ।             ନଳଙ୍କୁ ନଥିଲା ହୃଦୟ ଦେଇ ।

କାଠାରେ କାହାର ସ୍ନେହ ସମ୍ଭବଇ ତା’ର କାରଣ ବୁଝିଲେ ।

ପୂର୍ବଜନ୍ମ-କର୍ମ ଏକା ପ୍ରମାଣ ଭଲେ । ୩୮ ।

 

ବିଚାରେ ନୃପଜା କାହିଁ-ମରାଳ ।                   ତାକୁ ପୁଚ୍ଛିଲେ ହୁଅନ୍ତା ମଙ୍ଗଳ ।

ପୂର୍ବପରି ତାର ବଚନ ସ୍ମରି ।             ପାରନ୍ତି ନାଥକୁ ନିଶ୍ଚୟ କରି ।

ଏମନ୍ତେ ସୁରମରାଳ-କଥା ଚିନ୍ତାକରେ କୁଟିଳ-କୁନ୍ତଳା ।

ସେହିକଥା ତା ମାନସେ କରଇ ଖେଳା । ୩୯ ।

 

ପ୍ରତ୍ୟେକ ନଳକୁ ଅତି ଆଗ୍ରହେ ।                   ବାର ବାର କରି ଅବଳା ଚାହେଁ ।

ତଥାପି ଇତର-ବିଶେଷ କାହିଁ ।             କିଛି ତା ନୟନେ ପଡ଼ଇ ନାହିଁ ।

ନାନା ସଂଶୟ କ୍ଷଣକେ ଜନ୍ମେ ଚିତ୍ତେ କ୍ଷଣକେ ହୁଅଇ ହତ ।

ଭାଳି ଭାଳି ଚିତ୍ତ ହୋଇଗଲା ଉନ୍ମତ୍ତ ।୪୦ ।

 

 

ଭାବଇ ‘ବେନିଶଶି ହୁଏ ଦେଖି ।                   ଦିଶେ ତେମନ୍ତ ସଙ୍କୋଚିଲେ ଆକ୍ଷି ।

ମିଥ୍ୟାପ୍ରତି-ବିମ୍ୱଭ୍ରମ- ନିମିତ୍ତ ।             ହେତୁ ପୁରୋବର୍ତ୍ତୀ ସ୍ୱଚ୍ଛ ପଦାର୍ଥ ।

ଅତିଚିତ୍ର ଏ ଏକନଳେ ହୋଇଲା ପଞ୍ଚନଳ-ଭ୍ରାନ୍ତି ମୋର ।

ନ ମିଳଇ ତ କାରଣ କିଛି ଏହାର । ୪୧ ।

 

ସେ ତ ବିଳାସୀ ପରିହାସ-ପ୍ରିୟ ।                   ପରକାଶି ଅବା ଅନେକ-କାୟ ।

ପରିହାସ କରି ଇଚ୍ଛନ୍ତି ମୋରେ ।             ବିଜ୍ଞାନ ଧନେ ଧନୀ ସେ ବେଭାରେ ।

ତୁରଗ-ହୃଦୟ ବାରିବାର ବିଦ୍ୟା ପରି ବା ଏ ଇନ୍ଦ୍ରଜାଲ ।

-ବିଦ୍ୟା ହୋଇଥିବ ତାଙ୍କ ଆୟତ୍ତ ଭଲ । ୪୨ ।

 

ଏ ଏକା ନଳ ହୋଇଥିବେ ଅବା ।                   ନିଶ୍ଚୟ ଆନଜନ ପୁରୁରବା ।

ଫୁଲଶର ହୋଇବ ବା ଅପର ।             ଆନ ବେନିକି ଅଶ୍ଵିନୀକୁମାର ।

ଅସମ-ସୁଷମା-ଶେଷ-ସୀମା-ଯୋଗେ ସର୍ବେ ସମାନ ଦିଶନ୍ତି ।

ତେଶୁ ପ୍ରତ୍ୟେକେ ଜାତ କି ମୋ ନଳଭ୍ରାନ୍ତି । ୪୩ ।

 

ପୂରୁବେ ଯେବେ ବିରହ-ବେଦନା ।                         ନୋହୁଥିଲା ସହି ସେ କାଳେ ସିନା ।

ଯେଣିକି ଚାହିଁଲେ ତେଣେ ଜୀବନ ।                  -ଧନ ନଳ ଦେଉଥିଲେ ଦର୍ଶନ ।

ପୁଣି କି ସେ ଦଶା ଆସି ମୋ ହୋଇଲା ଏ ମହାସଭାମଧ୍ୟରେ ।

ଦିଶେ ପଞ୍ଚନଳ ଏବେ କାହୁଁ ନୋହିଲେ । ୪୪ ।

 

 

ଅତି ଭ୍ରାନ୍ତ ଏଥି ଗଲି ମୁଁ ହୋଇ ।                   ଆଲୀକ ଆଶଙ୍କା କରେ କିପାଇଁ ।

ସୁନାସୀର ବୈଶ୍ୱାନର ଭାସ୍କର ।             -କୁମର ବରୁଣ ସୁର ଚତୁର ।

କପଟେ ହୋଇଛନ୍ତି ନଳ ସେ କଥା ସଖି ବଚନେ ପ୍ରକାଶ ।

ତା’ର ଗିର ସେ ପ୍ରତ୍ୟେକେ କରିଛି ସ୍ପର୍ଶ । ୪୫ ।

 

ଏ ମୋ ମୋହକାରୀ ସୁର ଚତୁରେ ।             କଳିବି ନଳଙ୍କୁ କେଉଁ ପ୍ରକାରେ ।

ସୁରନରଙ୍କର ପାର୍ଥକ୍ୟ କିଛି ।       ମାତ୍ର ତ ମୋ ନୟନେ ନ ପଡ଼ୁଛି ।

ଭୂଇଁ ନ ଛୁଇଁବା ଆଦି ଚିହ୍ନମାନ ବୃନ୍ଦାରକମାନଙ୍କର ।

ହେଲାଣିକି ଲୋପ ପାପକର୍ମକୁ ମୋର । ୪୬ ।

 

ଦିଗପାଳଙ୍କୁ ବା ନଳ ମାଗିବି ।                   ତାଙ୍କ ପାଇଁ ତ ଥାଏ ତାଙ୍କୁ ସେବି ।

ସେ ସେବା ମୋର ହେଉଛି ବିଫଳ ।       ଅବା ହରପର -ଶୋଷଣ-ଶର ।

-ଘାତେ ସୁରହୃଦ-କରୁଣାନିରଧି-ରସ ସର୍ବ ଅଛି ଶୁଖି ।

ଖାଲି ଖାଲ-ଅଛି, ମାଗିବି ବା କାହିଁକି ? । ୪୭ ।

 

ନଳ ଛବିକି ଆହେ ଦିଗପାଳେ ।                   ଅଛବହି,ଗୁଣବନ୍ତ ସକଳେ ।

ଅନ୍ଧକୂପରୂପ ମୁରୁଖ-କର ।            -ଗତ ହେବା ସାର ପୋଥି ପ୍ରକାର ।

ତୁମ୍ଭର ସେ ପର-ଉପକାରବ୍ରତ କିପାଇଁ ବା ହେଲା ଲୋପ ।

ଏଥି ଫଳିଲା କି ମୋର କରମ ପାପ । ୪୮ ।

 

 

ବିଧାତା ଯା ଭାଲପଟେ ଯେପରି ।                         ଥାଏ ଲିହି ତାହା ଫଳେ ସେପରି ।

ତାକୁ ତା ଅଯୋଗ୍ୟ ହୋଇଲେ ତହିଁ ।             ରହଇ, ଯୋଗ୍ୟକୁ ବରଜି ଦେଇ ।

କି ଉପାୟ ଅବା ଏବେ କରିବି ମୁଁ ବୁଦ୍ଧିତ ଦିଶଇ ନାହିଁ ।

ହିମେ କମଳ ମରେ ଆତପେ ଫୁଟଇ । ୪୯ ।

 

ଏ ରୀତି ଦେଖି ଭାବୁଛି କେବଳ ।                         ଫଳୁଅଛି ମୋର ଅଭାଗ୍ୟ ଫଳ ।

କଳ୍ପଦ୍ରୁମକୁ ମାଗିଲେ ଏକାଳେ ।             କରି ସଙ୍କୋଚ ଦଳାଙ୍ଗୁଳିଯାଳେ ।

ଦେବ ନିଶ୍ଚେ ମୁଷ୍ଟିବଦ୍ଧ କରି ଶାଖାକରକୁ ସେ ଅବିଳମ୍ବେ ।

ଏହା ଥିଲା ଭୋଗିବାକୁ ଭାଗ୍ୟେ ମୋ ଏବେ । ୫୦ ।

 

ସଖୀ କରେ ଅବା ବରଣମାଳ ।                   ବୀରସେନ-ସୁତ ନଳ ଗଳାର ।

କେବଳ ଦେବୁଟି ବୋଲନ୍ତି ମୁହିଁ ।             ତେଣେ କି ରହିବ ଦୋଷ ନ ହୋଇ ।

ତୃଣ-ତୁଚ୍ଛ ସ୍ୱାର୍ଥ ପାଇଁକି ଅମର-ବରଙ୍କ ରୋଷ-ବହ୍ନିରେ ।

ଦେବି ସଖୀକି ପକାଇ କେଉଁ ବିଚାରେ । ୫୧ ।

 

ଏ ପଞ୍ଚ ମଧ୍ୟେ ଯେ ପ୍ରକୃତ ନଳ ।                         ହୋଇଥିବ ସେ ଏ ବରଣ ମାଳ ।

କରୁ ଗ୍ରହଣ ମୋ ବରଣ ପାଇଁ ।             ଏମନ୍ତ ବୋଲି ବା ଦିଅନ୍ତି କହି ।

ଅନାଇଁ ଥିବେ ଜଗତଜନ ତହିଁ ଲାଜ ବରଜି କେମନ୍ତେ ।

କହି ପାରିବି କି ଏତେ କଥା ଏମନ୍ତେ । ୫୨ ।

 

 

ଆନ ନଳତୁଲେ ତୁଳି ଦେଖିଲେ ।                   ଶେଷ ନଳେ କିପାଁ ମୋ ମନ ବଳେ ।

ଅନୁପ୍ରାସରେ ପ୍ରଥମ-ଚରମ            -ଅକ୍ଷରେ ଯଥା ଶେଷ ମନୋରମ ।

ତେମନ୍ତ ଏ ପଞ୍ଚ ନଳ ମଧ୍ୟେ ଶେଷ ମନୁଷ୍ୟେ ରସେ ମୋ ମନ ।

ହୋଇବେ କି ଏ ନିଷଧ ଦେଶ ରାଜନ । ୫୩ ।

 

ଏମନ୍ତେ ଚିତ୍ତେ ଯେତେ ଶଙ୍କା ଜାତ ।                   ବିଚାରି ବିଚାରି ତାହା ଭୂଭୃତ ।

- ସୁତା ବରଜଇ, କିଛି ନିଶ୍ଚୟ ।             କରି ନ ପାରଇ ହୁଏ ଅଥୟ ।

ପରିତାପେ ମୁଖୁଁ ଆନନ୍ଦ ଶୁଖିଲା ଦିଶିଗଲା ସେ ଏମନ୍ତ ।

କିଏ ଶଶାଙ୍କ ସବିତା-ସନ୍ତାପେ ବ୍ୟସ୍ତ । ୫୪ ।

 

ଶ୍ରୀ ହୀର ମାମଲ୍ଲ ଦେବୀ ନନ୍ଦନ ।                         କବିରାଜ-ରାଜି-ଶିରରତନ ।

ଶ୍ରୀ ହର୍ଷଙ୍କର ସ୍ୱାଦୁ ସଞ୍ଚନକ ।             ପଦ ସନ୍ଦୋହକୁ ବିଚାରି ଠିକ ।

ଅଧମ ଗୋପୀନାଥ କରେ ରଚନ ନ ଧର କୋବିଦେ ଦୋଷ ।

ଛାନ୍ଦ ତ୍ରୟୋଦଶ ଆସି ହୋଇଲା ଶେଷ । ୫୫ ।

 

 

୩ୟପଦ :

ଇନ୍ଦ୍ରପକ୍ଷ= ଦ୍ୱିଷତ୍‌ ଶତ୍ରୁ ; ବଳ=ଅସୁରବିଶେଷ; ବିଜିତ୍ୱର = ଜୟଶୀଳ ; ପୃତନା=ସେନା ; ନାଗାନନ=ଗଣେଶ ; ଦାନବାରି=ବିଷ୍ଣୁ ; ଅସୁର= ରାକ୍ଷସ ; ବାସେ=ଅବସ୍ଥାନ ।

ନଳପକ୍ଷେ :

ଦ୍ୱିଷତ୍‌ ଶତ୍ରୁ ; ବଳ ସାମର୍ଥ୍ୟ; ବିଜିତ୍ୱର ଜୟ; ପୃତନା ସେନା, ନାଗାନନ ଦାନବାରିବାସେ ହସ୍ତୀମୁଖର ମଦଜଳସୁବାସରେ

୪ର୍ଥ ପଦ :

ଇନ୍ଦ୍ରପକ୍ଷେ : ଶୁଭ୍ରାଂଶୁ ଚନ୍ଦ୍ର, ହାରଗଣ ହର (ଶିବ) ସମ୍ୱନ୍ଧୀୟଗୁଣ ,ପୟୋଧର ମେଘ, ଅମରବାହିନୀ ସୁରସେନା ।

ନଳପକ୍ଷେ :

ଶୁଭ୍ରବର୍ଣ୍ଣହାର ସମୂହରେ ମଣ୍ଡିତ ପୟୋଧର (ସ୍ତନ) ଇନ୍ଦ୍ରଧନୁଦ୍ୱାରା ଚିତ୍ରିତ ହେଲାପରି ଦିଶେ । ସ୍ତନର ଉନ୍ନତତା ଯୋଗେ ସୂର୍ଯ୍ୟ ଆଚ୍ଛାଦିତ ହୁଅନ୍ତି । ଏ ସତେ ଅମରବାହିନୀ ଏ ସତେ ସୁରସେନା କି ? ।

୫ମ ପଦ:

ଇନ୍ଦ୍ରପକ୍ଷେ: ଭୁଭୃତେ ପର୍ବତେ, ଅପାୟ କ୍ଷୟ, ଅଘବନ୍ତ ପାପୀ, ବାହୁନେତ୍ରତ୍ୱ ବହୁନେତ୍ରଶାଜିତା, ମହୀରେ ଏ ମଘବା (ଇନ୍ଦ୍ର) ବସିଛନ୍ତି ।

ନଳପକ୍ଷେ :

ଭୁଭୃତେ ରାଜାମାନଙ୍କୁ, ଅପାୟ ପରାଜୟ, ଅଘବନ୍ତ ପାପୀ, ବହୁନେତ୍ରତ୍ୱ ବହୁଲୋକର ନେତା (ନାୟକ) ପଣ କରିବାର, ମହିରେ ଏ ମଘବା (ଇନ୍ଦ୍ର) ପରି-

୬ଷ୍ଠ ପଦ :

ଇନ୍ଦ୍ରପକ୍ଷ: ବଳାଦିଦୈତ୍ୟଙ୍କର ସମୃଦ୍ଧରାଜ୍ୟ ସମ୍ଭୋଗଦ୍ୱାରା ପିଶୁନ (ଇର୍ଷାନ୍ୱିତ ଲେଖା (ଦେବତା) ଏହାଙ୍କ କର ପୟର ଧରି ଶରଣ ପଶନ୍ତି, ହରି (ଇନ୍ଦ୍ର) ସହିତ ଶଚୀ ପରି ବିହାର କର ।

ନଳପକ୍ଷେ :

ବଳାଦିପଞ୍ଚାଙ୍ଗ ଯୁକ୍ତ ସମୃଦ୍ଧ ରାଜ୍ୟ ସମ୍ଭୋଗପାଇଁ ପିଶୁନ (ଚିହ୍ନ) ଯେ ଲେଖା (ରେଖା) ତଦ୍ଦ୍ୱାରା ଏହାଙ୍କ ସରାଗେ କରପୟରେ (ସରକ୍ତିମ କରଚରଣରେ ଆଶ୍ରୟ ନେଇଛନ୍ତି, ହରି (ଇନ୍ଦ୍ର) ସହିତ ଶଚୀପରି ତୁ ବର ସହିତ ବିହାର କର ।

୯ମ ପଦ:

ଅଗ୍ନି ପକ୍ଷେ ପ୍ରତାପାଶୟ=ତେଜର ଆଧାର । ଧନଞ୍ଜୟ=ଅଗ୍ନି । ଉଦ୍ଗତିମନ୍ତ=ଉର୍ଦ୍ଧ୍ୱଗତିଶୀଳ । ଶୁଚିମନ୍ତ=ଶିଖାଶାଳୀ । ଅଗ୍ନି ସ୍ୱର୍ଣ୍ଣାଧି ଷ୍ଠାତ୍ରୀ ଦେବତା ।

ନଳପକ୍ଷେ :

ପ୍ରତାପାଶୟ=ପ୍ରତାପଶାଳୀ । ଧନଞ୍ଜୟ= ଯେ ବହୁଧନ ଜୟ କରିଅଛି । ଉଦ୍ଗତିମନ୍ତ=ଉଦ୍‌ଯୋଗୀ । ଶୁଚିମନ୍ତ=ଶୁଦ୍ଧାଚାରୀ ।

୧୦ମ ପଦ :

ଅଗ୍ନି ପକ୍ଷ: ହେତିପ୍ରଭବ ପ୍ରଭାବେ କବଳୀକୃତ ପାର୍ଥିବ ନିବହଙ୍କର ବିଭୂତିସନ୍ତତି ତେଜସମ୍ଭୂତ ପ୍ରଭାବରେ ଦଗ୍‌ଧୀଭୂତ ପୃଥିବୀ ସମ୍ୱନ୍ଧୀୟ ଦ୍ରବ୍ୟ ମାନଙ୍କର ପାଂଶୁସମୁହ ।

ନଳପକ୍ଷ:

ହେତି ପ୍ରଭବ ପ୍ରଭାବେ କବଳୀକୃତ ପାର୍ଥିବ ନିବହଙ୍କର ବିଭୂତି ସନ୍ତତି=ଶସ୍ତ୍ର ସମ୍ଭୂତ ପ୍ରଭାବରେ ଆୟତ୍ତୀକୃତ ନୃପମାନଙ୍କର ସମ୍ପତ୍ତିସମୂହ । ଶିବ ସେବା ଓ ଋଷିଙ୍କୁ ଦାନରେ ବ୍ୟୟ ହୁଏ ।

୧୧ଶ ପଦ :

ଅଗ୍ନି ପକ୍ଷ ବିବୁଧମଣ୍ଡଳି ମୁଖ=ଅଗ୍ନି ଦେବତାମାନଙ୍କ ମୁଖ । ଯମ ଓ ଇନ୍ଦ୍ରଙ୍କ ଦିଗଦ୍ୱୟର ମଧ୍ୟ ଦିଗସ୍ଥାୟୀ । ସଦାରୁଣ କର ଶୀରି=ଅତି କଠୋର ତେଜର ଶୋଭା ।

ନଳପକ୍ଷ:

ବିବୁଧମୁଖମଣ୍ଡଳି=ପଣ୍ଡିତମଣ୍ଡଳି ଶ୍ରେଷ୍ଠ । ମଧ୍ୟସ୍ଥପଣେ ଯମ ଓ ଇନ୍ଦ୍ରଙ୍କ ଠାରୁ ନିରପେକ୍ଷ । ସଦାରୁଣକରଶୀରି=ସଦା ରକ୍ତବର୍ଣ୍ଣ କରତଳ ଶୋଭା ।

୧୨ଶ ପଦ:

ଅଗ୍ନି ପକ୍ଷ: ସମିତ୍ ମଧ୍ୟରେ=କାଷ୍ଠ ମଧ୍ୟରେ । ତୃଣଗୁଡ଼ିକ ସ୍ୱଭାବରେ ଶତ୍ରୁ ହୋଇଥାନ୍ତି । ଅଳ୍ପମେଧାରେ=ଅଜ୍ଞାନୀଜନରେ । କାଷ୍ଠା ବଳି=କାଷ୍ଠସମୁହ । କେ=ଜଳରେ ।

ନଳପକ୍ଷ:

ସମିତ୍ ମଧ୍ୟରେ=ଯୁଦ୍ଧରେ । ଶତ୍ରୁମାନେ ସ୍ୱଭାବରେ ତୃଣପରି ହୋଇଥାନ୍ତି । ଅଳ୍ପମେଧାରେ=ନିର୍ବୋଧରେ । କାଷ୍ଠାବଳି=ଦିଗ ସମୁହ । କେ=କେଉଁଲୋକେ ।

୧୫ଶ ପଦ:

ଦଣ୍ଡଧର ରାଜା ଓ ଯମ । ସୁରବୈଦ୍ୟ ମଦଗର୍ବ ବିନାଶକ ଏହାଙ୍କର ରୁକପାଶେ=ଅଶ୍ୱିନୀକୁମାରଙ୍କର ଗର୍ବବିନାଶକ ଏହାଙ୍କ କାନ୍ତି ପାଶରେ; ଅଶ୍ୱିନୀକୁମାରଙ୍କର ବୈଦିକ ବିଦ୍ୟା ଜନିତ ଗର୍ବ ବିନାଶକ ଏହାଙ୍କ ପ୍ରେରିତ ରୋଗ ପାଶରେ । ଅମର ଦେବତା, ନ ମରି ରହିବା ।

୧୬ଶ ପଦ:-

ଯମ-ମିତ୍ର (ସୂର୍ଯ୍ୟ) ପ୍ରିୟା ସଂଜ୍ଞା ଏହାଙ୍କ ଉପଜନନର (ଜନ୍ମର) ନିମିତ୍ତ (କାରଣ), ଛାୟା ଏହାଙ୍କ ଜନନର କାରଣ ବୋଲି କୌଣସି ଶାସ୍ତ୍ରରେ ଦେଖାଯାଏ ନାହିଁ । ବିଶ୍ୱ ସଂସାରେ ଏ କାହା ଅସ୍ମହୃତ୍‌ (ପ୍ରାଣହାରକ) ନୁହଁନ୍ତି ? ଏ ଯମ ନିୟମରେ ନିଶ୍ଚଳ ହୋଇ ତପ କରିବାରୁ ଏତେବଡ଼ ପଦ ପାଇଥିବେ ।

ନଳ:-

ଏହାଙ୍କ ସଂଜ୍ଞା (ନାମ ଧଇଲେ) ମିତ୍ର ଓ ପ୍ରିୟଲାଭ ନିମିତ୍ତ (ହେତୁ) ଏହାଙ୍କ ଛାୟା ଶୋଭାର ଅଂଶ କେଉଁଠାରେ ଦେଖାଯାଏ ନାହିଁ, ଏ ଅତି ସୁନ୍ଦର, ଏ କାହା ସୁହୃତ (ମିତ୍ର) ନୁହଁନ୍ତି; ସାଧୁତାରେ ସମସ୍ତଙ୍କ ମିତ୍ର । ଯମ ନିୟମ (ଇନ୍ଦ୍ରିୟ ନିଗ୍ରହ ଓ ନିୟମ ଧରି ) ତପ କରି ଥିବାରୁ ଏପରି ପଦ ପାଇଛନ୍ତି ।

୧୭ଶ ପଦ:-

ରମଣୀୟ ମୂର୍ତ୍ତି (ସୁନ୍ଦର) ଅମ୍ୱରମଣି (ସୂର୍ଯ୍ୟ) ଯା ପ୍ରଭାବରେ ସର୍ବ-ଯମ-ରାଜଦ୍ୟୁତି (ସମସ୍ତ ଚନ୍ଦ୍ର କିରଣ) ସ୍ତିମିତ ହୁ । ସେ ସୂର୍ଯ୍ୟ ଏହାଙ୍କ ପିତା । ଉତ୍‌କ୍ରାନ୍ତିଦାୟୀ -ପ୍ରାଣ ସଂହାରୀ । ଗଦା କ୍ଷେପୁଁ-ରୋଗ ପ୍ରେରଣରୁ । ପାପବଶରୁ କୃଷ୍ଣତ୍ଵ-କଳାବର୍ଣ୍ଣ ବହିଛନ୍ତି ।

ନଳ:-

ରେ ଅମ୍ବ (ମାତ) ରମଣୀ ରମଣୀୟ ମୂର୍ତ୍ତି (କାମିନୀ ମୋହନ ରୂପ) ଯା ପ୍ରଭାବରେ ସର୍ବରାଜ ଶକ୍ତି ସ୍ତିମିତ । ସେ ଦେବ (ରାଜା ବୀରସେନ) ଏହାଙ୍କ ପିତା,ଉତ୍‌କ୍ରାନ୍ତିଦାୟୀ ମୂଳୋଚ୍ଛେଦିକା, ଗଦା ନିକ୍ଷେପ ପଟୁତାରୁ କୃଷ୍ଣଙ୍କ ପରି ପ୍ରସିଦ୍ଧ ।

୧୮ଶ ପଦ:-

ଯମ, ପରେତରାଜିରେ-ପ୍ରେତ ସମୁହରେ । ଜୀବିତେଶ-ଯମ । ମୁକ୍ତ-ଛଡ଼ା ବାକି ଜୀବ ଏହାଙ୍କ ବଶ । ଏ ଦସ୍ରସହୋଦର (ଅଶ୍ୱିନୀକୁମାରଙ୍କ ଭାଇ)

ନଳ :-

ପରେତରାଜିରେ-ଆପଣାପକ୍ଷ ଲୋକଙ୍କ ପାଇଁ ଯୁଦ୍ଧରେ । ଜୀବିତେଶ-ପତି । ସାର୍ବଭୌମତ୍ୱ ଯୋଗୁଁ ଅଧିକାଂଶ ଲୋକ ଏହାଙ୍କ ଅଧୀନ । ସୌନ୍ଦର୍ଯ୍ୟରେ ଏ ଅଶ୍ୱିନୀକୁମାରଙ୍କ ସହୋଦର ପରି ।

୨୧ଶ ପଦ:-

ବରୁଣପକ୍ଷ - ଯାଦୋରଣ-ଜଳ ଜନ୍ତୁମାନଙ୍କ ଯୁଦ୍ଧ, ବହୁ ବିଦାରକ ଯାର ଶରୀର-ଯା ଦେହରେ ବହୁତ କୂପ ଅଛି । ଭୂରିତର ବାରିନିଧି-ଅତି ବିଶାଳ ସମୁଦ୍ର । ପୃତନା-ସେନା । ପରରୋଧ-ପରପାର ।

ନଳପକ୍ଷ :-

ଯାଦୋରଣ-ଯା’ର ବାହୁଯୁଦ୍ଧ । ବହୁ ବିଦାରକ ଯାର ଶରୀର-ଯାର ଶରୀର ବହୁଲୋକଙ୍କୁ ବିଦାରଣ କରେ । ଭୂରିତରବାରିନିଧି -ବହୁତ ଖଡ଼୍‌ଗର ଆଧାରସ୍ଥଳ । ପରରୋଧ-ଶତ୍ରୁଦ୍ୱାରା ଅବରୋଧ ।

୨୨ଶ ପଦ:-

ବରୁଣପକ୍ଷ-ଦାନବାରିଶୋଭିତ-ଅନନ୍ତଶାୟୀ ଶ୍ରୀହରିଙ୍କଦ୍ୱାରା ଶୋଭିତ । ସମକର-ମକର ସହିତ । ନାସୀରଦେଶ-ତୀରାଭାଗ ।

ନଳପକ୍ଷ :-

ଉଦ୍ୱତପଦ୍ମକାନନେ-ଫୁଟିଦିଶୁଥିବା ଶୁକ୍ଳ ଚିହ୍ନଦ୍ୱାରା ସୁନ୍ଦର ମୁଖରେ । ବିବିଧରତ୍ନଯାତେ ମନୋରମ ଆଭରଣରେ ବହୁରତ୍ନ ଥିବାରୁ ସୁନ୍ଦର । ଦାନବାରି ଶୋଭିତ-ମଦଜଳ ଶୋଭିତ । ସମକର-ଦେହ ଅନୁପାତରେ ସମଦୀର୍ଘଶୁଣ୍ଡଶାଳୀ । କୁମ୍ଭୀ-ରବରେ-ହସ୍ତୀ ଗର୍ଜ୍ଜନରେ । ନାସୀର ଦେଶ-ସେନା ପ୍ରାନ୍ତଭାଗ ।

୨୩ଶ ପଦ :-

ବରୁଣପକ୍ଷ:- ସ୍ୟନ୍ଦନ-ପ୍ରସ୍ରବଣ । ପ୍ରବହଣ-ନଦୀ । ପ୍ରତି କୁଳ-ପାତ-ପ୍ରତି ତୀରପାତ । ଅତିକରକଶା-ଅତିକଠିନା । ଅସୀମାସିକତା-ଅସୀମ ବାଲୁକା ।

ନଳପକ୍ଷ :-

ସ୍ୟନ୍ଦନ-ରଥ । ପ୍ରବହଣ-କ୍ଷୁଦ୍ରରଥ । ପ୍ରତିକୁଳପାତ-ଶତ୍ରୁ ନିପାତ । ଅତିକରକଶ-ଅତି ନିଷ୍ଠୁର । ଅସୀମାସିକତା-ଅକଳିତ ଅସିଯୁଦ୍ଧ ପଟୁତା ।

୨୪ଶ ପଦ:-

ବରୁଣପକ୍ଷ:- ଶୋଣ-ନଦ ବିଶେଷ । ସରସ୍ୱତୀ-ନଦୀ ବିଶେଷ । କମଳାଶୟ-ଜଳାଶୟ । ଭୂବନାଧିନାଥ-ଜଳାଧି ନାଥ ।

ନଳପକ୍ଷ :-

ଶୋଣ-ରକ୍ତବର୍ଣ୍ଣ । ସରସ୍ୱତୀ-ବିଦ୍ୟାଦେବୀ । କମଳାଶୟ-ସମ୍ପତି (ଲକ୍ଷ୍ମୀ) ଲାଭକାମୀ, ଭୂବନାଧିନାଥ-ଭୂବନଅଧିପତି ରାଜା ନଳ ।

୨୭ଶ ପଦ:-

ଇନ୍ଦ୍ରପକ୍ଷ :-ଅତ୍ୟାଜି-ଅତିଶୟ ଯୁଦ୍ଧ ଯାହାର, ଇନ୍ଦ୍ର । ଲବ୍‌ଧ-ବିଜୟ ପ୍ରସବ-ଯେ ଅର୍ଜନଙ୍କୁ ପୁତ୍ରକରି ପାଇଛନ୍ତି ଇନ୍ଦ୍ର । ମହୀ-ମହୋ-ତ୍ସବଯୁକ୍ତ । ମହେନ୍ଦ୍ର-ଇନ୍ଦ୍ର । ରୁଚି-ଶୋଭା । ତାର ତହିଁ ତୋର ଅଜଣାଭାବତ ନୁହେଁ ଗୋଚର-ସେ ଇନ୍ଦ୍ରଠାରେ ତୁ ନ ଜାଣିଲା ପରି ରୀତି କାହିଁକି କରୁଛୁ ମୁଁ ଜାଣି ପାରୁନାହିଁ । ପ୍ରତ୍ୟର୍ଥୀ (ଶତ୍ରୁ) ଦାନବଶତର (ଅସଂଖ୍ୟ ଅସୁରଙ୍କର) ଅହିତ ଚେଷ୍ଟାଯୋଗେ (ଅହିତ କାର୍ଯ୍ୟ କରିବା ଯୋଗେ) ଜୀମୂତବାହନ-ଇନ୍ଦ୍ର ।

ନଳପକ୍ଷ :-

ଅତ୍ୟାଜିଲବ୍‌ଧ-ବିଜୟ-ପ୍ରସବ-ଅତି ଯୁଦ୍ଧରେ ଯେ ବିଜୟପ୍ରସବ (କୀର୍ତ୍ତି) ଲଭିଅଛି, ନଳ । ମହୀମହେନ୍ଦ୍ର- ପୃଥିବୀରେ ଇନ୍ଦ୍ରପରି । ରୁଚି-ଶୋଭା । ତାର ତହିଁ ତୋର ଅଜଣା ଭାବ ନୋହେ ଗୋଚର-ସେ ନଳ-ଠାରେ ପୁଣି ତୋହର ଅଚିହ୍ନା ରୀତି ? ତୁ କଣ ଚିହ୍ନି ପାରୁନାହୁଁ ? । ପ୍ରତ୍ୟର୍ଥୀ (ଯାଚକ) ମାନଙ୍କଠାରେ, ଦାନବଶତା (ଦାନକାରିତା) ବିଷୟରେ ଆହିତ ଚେଷ୍ଟା (କୃତଯତ୍ନ) ଯୋଗେ । ଜୀମୂତବାହନ-ଅତି ଦାତା ଗନ୍ଧର୍ବରାଜ ।

୨୮ ଶ ପଦ:-

ଅଗ୍ନିପକ୍ଷ-ପ୍ରାପ୍ତସୁରେଶାଧ୍ୱ-ରାଜ୍ୟାଭିଷେକ ଯୋଗେ-ଯେଉଁ ଅଧ୍ୱରକୁ (ଯାଗକୁ) ସୁରେଶ (ଇନ୍ଦ୍ରାଦି) ପ୍ରାପ୍ତ (ଆଗତ) ସେହି ଜାଗରେ ରାଜ୍ୟାଭିଷେକ ଯୋଗେ (ଘୃତ ନିଷେକ ଯୋଗେ) । ମହାତେଜାନଳ-ମହାତେଜା ଅନଳ (ସନ୍ଧି) ଆନ ମନ (ଅନ୍ୟମନସ୍କ) ।

ନଳପକ୍ଷ:-

ପ୍ରାପ୍ତସୁରେଶାଧ୍ୱ-ରାଜ୍ୟାଭିଷେକ ଯୋଗେ-ପ୍ରାପ୍ତ ହୋଇଅଛି ଇନ୍ଦ୍ରର ଶାସନ ପନ୍ଥାକୁ ଯେ ରାଜ୍ୟ ତହିଁରେ ଅଭିଷେକ ଯୋଗେ । ମହା ତେଜାନଳ-ମହାବଳ ନଳରାଜା । ଆନମନ-ଅବନତ ।

୨୯ଶ ପଦ:-

ଯମପକ୍ଷ-ଚଣ୍ଡି-ହେ କୋପନେ ! ମାରଣବିଧି-ବ୍ୟସନୀ-ଜୀବନାଶ ବିଳାସୀ । ର୍ଧମରାଜ-ଯମ । ଦାକ୍ଷିଣ୍ୟସ୍ଥିତି-ଦକ୍ଷିଣଦିଗେ ସ୍ଥାନ । ମହାତେଜା ନଳ-ମହାତେଜା ଅନଳ (ନଳାତିରିକ୍ତ ଅନ୍ୟପୁରୁଷ)। ସହଜ ସ୍ନେହରେ ବରିବୁ କି ତୁ ଏହାକୁ ? ବାଧ୍ୟହୋଇ ସ୍ନେହରେ ବରିବୁ କି ? ନା, ବରଣ ନ କର।

ନଳପକ୍ଷ:-

ଚଣ୍ଡିମାରଣ-ବିଧିବ୍ୟସନୀ-ଭୀଷଣ ଯୁଦ୍ଧକାର୍ଯ୍ୟ କୌତୁକୀ । ଧର୍ମରାଜ-ଧର୍ମରେ ଏକନିଷ୍ଠ । (ଏହାଙ୍କ ସ୍ୱଭାବରେ ବ୍ୟବହାର ପ୍ରଣାଳିରେ) ଦାକ୍ଷିଣ୍ୟ (ଉଦାରତା) ସ୍ଥିତି (ଅଛି) । ସହଜ ସ୍ନେହରେ-ସ୍ୱଭାବ ସିଦ୍ଧ-ଅକପଟ ସ୍ନେହରେ । ଜାଣୁମଣି-ଜାଣିବା ଲୋକମାନଙ୍କରେ ଶ୍ରେଷ୍ଠ । ବିରାଗ-ବିରକ୍ତି ।

୩୦ଶ ପଦ:-

ବରୁଣପକ୍ଷ-ତୋ ପାଣିଗ୍ରହଣ କରିବାକୁ ଏ ବରୁଣ ନିଜ ଶସ୍ତ୍ରପାଶ ପରିତ୍ୟାଗ କରିଅଛନ୍ତି । ଏହା ଆଶୟରେ (ଅନ୍ଦାଜରେ) ଜଣାଯାଏ । ଏ ଭୂବନ (ଜଳ) ସକଳ ସ୍ଥାନରେ ବିଚରି ଜଳମଗ୍ନ ବ୍ୟକ୍ତିଙ୍କ ରଖନ୍ତି ।

ନଳପକ୍ଷ:-

ଅନପାଶ-ନ-ଅପାଶ (ନିରାଶ)-ଆଶାନ୍ଵିତ । ଭୂବନ-ପୃଥିବୀ । ବିରାଗ–ବିଶେଷ ରାଗ-ବିଶେଷ ସ୍ନେହ ।

୩୨ଶ ପଦ :-

ଏ ନଳ ରାଜାହେତୁରୁ ଇନ୍ଦ୍ରାଗ୍ନି-ଯମ ବରୁଣାଦି ଦିକ୍‌ପାଳଙ୍କର ଅଂଶ ଏହାଙ୍କଠାରେ ଅଛି । ଏ ସଭାରେ ନଳଙ୍କଠାରେ ଦିକ୍‌ପାଳଙ୍କ ଅଂଶ ଅଛି ସତ୍ୟମାତ୍ର ଦିକ୍‌ପାଳମାନେ ସ୍ୱଶରୀରେ ବର୍ତ୍ତମାନ । ସମ୍ପୂର୍ଣ୍ଣ ଦେବତାଙ୍କୁ ବରଜି ତାଙ୍କ ଅଂଶ ନଳକୁ ବରିବା ଉଚିତ କି ? ଦେବତାମାନେ ତୋ ଆଶାୟୀ । ତାଙ୍କ ଅଂଶ ନଳଠାରେ ଥିବାରୁ ନଳ ବରଣରେ ସେମାନେ ସନ୍ତୋଷ ହେବେ । କିନ୍ତୁ ସମ୍ପୂର୍ଣ୍ଣ ଦେବତାଙ୍କୁ ତେଜି ତାଙ୍କ ଅଂଶମାତ୍ର ନଳକୁ ବରିଲେ ସେ କ’ଣ ଭାବିବେ-?

୩୩ଶ ପଦ:-

ଧନି ! ଏ ଦେବ ନଇଷଧ-ପତି ନୁହଁଇ । ରେ ସୁଦତି ! ତୋତେ ଏକଥା ଜଣା (ବୁଝା) ।

ଦେବପକ୍ଷ:-

ଏ ନଳନୁହେଁ । ଅତି ମହା (ଅତି ତେଜୀୟାନ୍) ନଳାଭ (ନଳପରି ଆକାର ବିଶିଷ୍ଟ)

ନଳପକ୍ଷ-

ଧନି-ଏ ଦେବ (ରାଜା) ନଇଷଧ-ପତି ଅଟନ୍ତି । ରେ ସୁଦତି ! ଏ ତୋତେ ଜଣା ନୁହଁଇ ? ତୁ କି ଏହା ଜାଣିପାରୁ ନାହୁଁ ? । ନୂହେ ନଳ ଅତି ମହାନଲାଭ ଏ ନଳେ ଯେବେ ତୁ ପ୍ରକୃତ ନଳବୋଲି ନ ଭାବୁ ତେବେ ଅତି ମହାନ୍ ଅଲାଭ (କ୍ଷତି) ହେବ ।

-------

 

ଚତୁର୍ଦ୍ଦଶ ଛାନ୍ଦ

ରାଗ ଶଙ୍କରାଭରଣ

ଏଥୁଅନ୍ତେ ନଳପ୍ରାପ୍ତି ପାଇଁ ଦମୟନ୍ତୀ        କଲା ଅମର ଚତୁରେ ଆରାଧନା ସ୍ତୁତି ।

କାମଧେନୁ ଯଥା ସୁରେ ।

ତଥା ଦେବପୂଜା ବାଞ୍ଛା ପୂରାଏ ମର୍ତ୍ତ୍ୟରେ ।

ପ୍ରଦକ୍ଷିଣ-ଆଳବାଳ ବିଲେପନ-ଧୂପ ।       ଆବରଣ-ଅମ୍ବୁଷେକେ କଳପପାଦପ- ।

ପରି ଅମରେ ମୋଦରେ ।

ଇଷ୍ଟ ଫଳ ଦେଇଥାନ୍ତି ଭକତରେ । ୨।

ନମୋ ନମ କହି ନାମ ଉଚ୍ଚାରି ଅମରେ ।             ପ୍ରତ୍ୟେକେ ବନ୍ଦିଲା ଅତି ଭକତିରେ ।

ଦେବେ ବିଶ୍ୱାସୀ ଲୋକର ।

ହୁଏ ଦେବ-ନମସ୍କାର ସର୍ବସିଦ୍ଧି-ମୂଳ ।

ସର୍ବ-ବ୍ୟାପୀ ଦେବଗଣେ ଧ୍ୟାନବଳେ ଚିତ୍ତେ ।       ଦେଖିଲା ଯା ବାଳା ସେ ଦର୍ଶନ ବାଞ୍ଛା-ପ୍ରାପ୍ତେ ।

ହେଲା ପ୍ରତିଭୂ ପରାୟେ ।

ପ୍ରତ୍ୟକ୍ଷୀଭୂତ ଦେବତା ବର କି ନ ଦିଏ ? ।

ବିସ୍ମୟରେ ସଭାଜନେ ଦେଖୁଛନ୍ତି ବସି ।             ବୃନ୍ଦାରକେ ଅଭ୍ୟର୍ଚ୍ଚନା କଲା ଶୁଭ୍ରକେଶୀ ।

ହେଲେ ଏମନ୍ତେ ପୂଜିତ ।

ସୁମନାଏ ସୁମନେ କରନ୍ତି ବାଞ୍ଛା ସାର୍ଥ ।

 

ବିଶଦ ସୁଖଦ ମୃଦୁ ସୁଯତି ସୁନ୍ଦର ।             ଷଟପଦ-ସମନ୍ୱିତ ନବରସଭର ।

ଗୀତି-ସୁମନ ସ୍ତବକେ ।

ଭକ୍ତିଭରେ ଆରାଧିଲା ବାଳା ବୃନ୍ଦାରକେ ।

 

ସ୍ୱୟଂତୁଷ୍ଟ ଦେବଗଣ ଏ ଅଭ୍ୟର୍ଚ୍ଚନାରେ ।             ଦେଖି ଅବଳା ଭକତି ହରଷ ହୋଇଲେ ।

ଜଳି ଆସିବା ପାବକ ।

ରଖେ ବା ଅପେକ୍ଷା ମୁଖ-ମରୁତେ କେତେକ ।

 

ଲଭି ରାମା ଏମନ୍ତେ ଅମର-ପ୍ରସାଦନ ।             କଲା ସରସ୍ୱତୀ ଉକ୍ତି-ତତିକି ସ୍ମରଣ ।

ହସ୍ତେ ନ ଦିଅନ୍ତି ଦେବେ ।

ତାଙ୍କ ପ୍ରସାଦେ ସୁବୁଦ୍ଧି ପ୍ରସରଇ ପବେ । ୮ ।

 

ନଳେ ଲକ୍ଷି ପ୍ରତିସୁରେ ଦେବୀ ଯେଉଁମାନ ।             ଭାଷିଲେ ତା ପ୍ରତିସୁରେ ନୁହଁଇ ସମାନ ।

ବାଳା ଏ ତର୍କ ସେ କାଳେ ।

ନ ପାରିଥିଲା ବିଚାରି ବାରିଲା ଏକାଳେ । ୯ ।

 

ଚତୁର-କକୁଭ ପରି ପଞ୍ଚ ପଞ୍ଚ ପଦ ।             ଆଶ୍ରିଛନ୍ତି ଇନ୍ଦ୍ରଆଦି ଚତୁର ବିବୁଧ ।

ନଳେ ଯଥା ଚାରିଦିଶ ।

ବଶ ତଥା ସର୍ବପଦ ବୁଝିଲା ବାଳୀଶ । ୧୦ ।

 

 

 

ଚିହ୍ନି ନଳଙ୍କୁ ପ୍ରମଦା ପ୍ରମୁଦିତ ଅତି ।             ହେଜିଲା ଭାରତୀ ଭାଷିବାର ଚିତ୍ର-ରୀତି ।

ଚିନ୍ତାସାଗର-ସଞ୍ଚାରୀ ।

-ମାନସମୀନେ ଏମନ୍ତ ଭାଷିଲା କିଶୋରୀ । ୧୧ ।

 

ନିଶ୍ଚୟ ଏ ବାଗୀଶ୍ୱରୀ, ନୋହିଲେ କି କେହି ।       ପାରନ୍ତା ଗିରେ ଏ ଚିତ୍ର-ରୀତି ବିକଶାଇ ।

ଶ୍ଳେଷଗିରେ ଦଇବତେ ।

ତୋଷି ବିଶେଷି କହିଲେ ନିଷଧେଶେ ମୋତେ । ୧୨ ।

 

ମୋରେ ଅନୁଗ୍ରହି ବିଶେଷିବା ପାଇଁ ନଳେ ।       ଚାରି ଚାରି ପଦେ ଦେବୀ ଗିରହାର କଲେ ।

ଆଗଯୁଗେ ସ୍ପଷ୍ଟନଳ ।

କି ମୋହେ ହୋଇଲି ମୋହି, ନୋହିଲା ଗୋଚର । ୧୩ ।

 

ଏ ଯେ ପଦେ କରୁଛନ୍ତି ଭିନ୍ନାର୍ଥ ପ୍ରକାଶ ।             ଏ ଏକା ଭାରତୀଦେବୀ-କବିତ୍ୱବିଳାସ ।

ହୋଇଲେହେଁ ଭିନ୍ନ ରୂପ ।

ନଳାକୃତି ବହିଛନ୍ତି ଏ ଦେବକଳାପ । ୧୪ ।

 

କ୍ରମସୁଚିତ-ଇନ୍ଦ୍ରଦି-ବର୍ଜ୍ଜନେ ଏ ମୋତେ ।            ଅନୁମୋଦିଲେ, ପେଷିଲେ ପ୍ରଣେଶ-ପୁରତେ ।

କି ସୁନ୍ଦର ୟାଙ୍କ ଗିର ।

ହୋଇଲା କେଡ଼େ ପ୍ରମୋହ ସେ ସମୟେ ମୋର । ୧୫ ।

 

 

 

ପରଦାରା ବିଚାରି ଧରାକୁ ସୁରବରେ ।             ନ ଛୁଇଁବାର ଦେଖିଲା ବାଳା ସେ କାଳରେ ।

ଏକା ଏକାଳେ ଦେଖିଲା ।

ନିଜପତି-ନଳପଦ କ୍ଷିତି ଛୁଇଁଥିଲା । ୧୬ ।

 

ଅମରେ ନିମେଷପାତ ନ ଦେଖି ନୃନାଥ ।       -ନୃନାଥେ ଦେଖିଲା ବାଳା ସତେ ସେ ଯେମନ୍ତ ।

ବାରମ୍ବାର ପଡ଼ି ପଡ଼ି ।

ଠାରି ଡାକୁଥିଲା ଆସ ଯାଅ ଏଥି ଜଡ଼ି । ୧୭ ।

 

ସୁର-ଶରୀରେ ବସୁଧା-ରଜ ସୁଧା ନାହିଁ ।             ନରେଶ-ଶରୀରେ ତାହା ବାଜୀଶ ଦେଖଇ ।

କ୍ଷିତିପତି-ଅପଘନେ ।

କ୍ଷିତିଅଙ୍ଗରାଗ ଲାଗିଛିକି ଆଲିଙ୍ଗନେ । ୧୮ ।

 

ସ୍ୱଦେହ-ବିରହତାପ-ବିକାଶକ ଘର୍ମ ।             ରାଜେ ନଳ-ହେମଗାତ୍ରେ ହୀରାଙ୍କୁର ସମ ।

ବୃନ୍ଦାରକଙ୍କ ଶରୀରେ ।

ନ ଦେଖିଲା ରାମାବର ସେ ସ୍ୱେଦସଲିଳେ । ୧୯ ।

 

ସରୁଗଳେ ଅମ୍ଳାନମାଳିକି ଦେଖେ ବାଳୀ ।             ନଳଗଳେ ମ୍ଳାନ ତାହା, ସେ କି ଭାଳି ଭାଜି ।

ଯାଇ ଅଛଇ ମଉଳି ।

ଏ ମୃଦ୍ୱୀଲାଭେ ଏ ମୋତେ ଘେନିବ କି ବୋଲି । ୨୦ ।

 

 

 

ନଳରୂପ ବହିଲେହେଁ ତାହାଙ୍କ ଶରୀର ।            -ଛାୟା ଲବମାତ୍ର ନାହିଁ ଅମରଙ୍କଠାର ।

ଏତେ ଦେଖାଇ କି ଛାଇ ।

ପଡ଼ିଥିଲା ନଳଙ୍କର ଦେବେ ଯାହା ନାହିଁ । ୨୧ ।

 

ପୂର୍ବୁଁ ଜାତ ନଳଜ୍ଞାନ ଏ ଦେବସମୁହେ ।             ହୋଇଲା ବାଳାର ଦୃଢ଼ତର ଅତିଶୟେ ।

ହେଉ ଏ ଚିହ୍ନ ବ୍ୟକତ ।

ବୁଝିଲା ବାଳା ଏ ଦେବ ପ୍ରସାଦ ନିୟତ । ୨୨।

 

ନଳେ ମାଳା ଦେବାକୁ ବାଳାକୁ ସମ୍ବରାରି ।       କଲା ତ୍ୱରା, ଲଜ୍ଜା ଏକା ଦେଲା ତାକୁ ବାରି ।

ଏ ବେନିଙ୍କ ଅନୁରୋଧ ।

ଏଡ଼ି ନ ପାରିଣ ବାଳା ହୋଇଲା ସ୍ତବଧ । ୨୩ ।

 

ପ୍ରିୟତମ ନଳ-ଗଳେ ଦେବାପାଇଁ ମାଳି ।             ଅତିସ୍ନେହେ ବହୁଯତ୍ନ କଲା ବରବାଳୀ ।

ସ୍ତମ୍ଭତ୍ରପା-ବେନି ବଶେ ।

ନ ଥିଲା କମ୍ପ ତା କରେ ସେ ସମୟେ ଲେଶେ । ୨୪ ।

 

ଅବଲମ୍ବି ଚନ୍ଦ୍ରବଂଶ-ଛତ୍ର ଭୂପନଳେ ।             ଥିଲା ଯେମା ମନ ତାକୁ କାମଲାଜ ଗେଲେ ।

ଖେଳାଉଣ ଥିଲେ ଦୋଳି ।

ସେ ଚିତ୍ତସ୍ଥିତ ଶୃଙ୍ଗାରେ ଗଲା ବୃଦ୍ଧିମଳି । ୨୫ ।

 

 

 

ମାଳାଧାରୀ ଜେମାକର ନଳପାଶେ ଯାଇ ।             ଅର୍ଦ୍ଧପଥୁଁ କି ବିଚାରି ପୁଣି ବାହୁଡ଼ଇ ।

ଅତି ଚଞ୍ଚଳ କଟାକ୍ଷ ।

ପ୍ରିୟମୁଖେ ଅଧେ ଯାଇ ଫେରଇ ପ୍ରତ୍ୟକ୍ଷ । ୨୬ ।

 

ଆଗୁଁ ବାଳାଚିତ୍ତ ଯାଇଥିଲା ନଳେ ମିଳି ।             ନ ପାରୁଥିଲା ନୟନ ଏକା ତହିଁ ଢଳି ।

ନେତ୍ରେ ମନ୍ଦାକ୍ଷ ଥିବାର ।

ପ୍ରବାଦକୁ କଲା ବାଳା ସେକାଳେ ସଫଳ । ୨୭ ।

 

କଷ୍ଟେ ସୃଷ୍ଟେ ପ୍ରିୟମୁଖେ ଅନାଇଁ କିଞ୍ଚିତ ।       ହେଲା ଲାଜେ ବ୍ୟତିବ୍ୟସ୍ତ ସେ ବର-ଯୋଷିତ ।

ବାଣୀବଦନ-ଶଶାଙ୍କେ ।

ଲାଜେ ଅଳପ କଣାଇଁ ଅନାଇଁଣ ଶଙ୍କେ । ୨୮ ।

 

ବାଳୀମନ କଳିଲେହେଁ ନ ଜାଣିଲାପରି ।             ଭାଷନ୍ତି ଭାରତୀ, “ଆଗୋ ଶୁଣ ସୁକୁମାରି ।

ଏ ଯେ ଅତି ଲାଜ ତୋର ।

ତୋ ହୃଦବାଞ୍ଚା-ବିଜ୍ଞାନେ ସାଧେ ବାଦ ମୋର” । ୨୯ ।

 

ଲାଜେ ବାଳା ‘ନଳ’ କହୁଁ ‘ନ’ ମାତ୍ର କେବଳ ।             ଶୁଭ ଦେବୀ ଶ୍ରବଣେ ନ ଶୁଭିଲା ଅପର ।

ଅଙ୍ଗୁଳିକି ଅଙ୍ଗଳିରେ ।

ଛନ୍ଦି ଶିର ଲୁଆଇଁଳା ବାଳା ଲାଜଭରେ । ୩୦ ।

 

 

 

ଏତେ ଶୁଣି ହସି ବାଣୀ ଧରି ବାମାକର ।             ଇନ୍ଦ୍ରଥିବା ସ୍ଥାନେ କରୁଁ ପୟର-ସଂଚାର ।

ତେତେବେଳେ ‘ବାମା’ ନାମେ ।

କଲା ସାର୍ଥେ ଜେମା ପ୍ରତିକୂଳ-ଆଚରଣେ । ୩୧ ।

 

ସ୍ୱର୍ଗଲକ୍ଷ୍ମୀ ଇନ୍ଦ୍ରପାଶେ ଚଳିବାର ବାଳୀ ।             ବିଲୋକି ଇରିଷାବଶେ ଯାଉଥିଲେ ଜଳି ।

ଇନ୍ଦ୍ରୁଁ ଫେରନ୍ତେ ଅବଳା ।

ଲାଜେ ସୁରଲକ୍ଷ୍ମୀ ମୁଖ ଗଲା ପଡ଼ି କଳା । ୩୨ ।

 

ଭାଷନ୍ତି ଭାରତୀ “ରେ ନବୀନା ‘ନ’ ମାତର ।             ଶୁଣିଛିତ ଆଉ କହୁନାହୁଁ କିପାଁ ଗିର” ।

କାମଲାଜେ ହୋଇ ଦଳି ।

ନେତ୍ରେ ମାତ୍ର ଦେଲାଠାରି ନଳେ ନବବାଳୀ । ୩୩ ।

 

ଅପସରି କରେ କର ମାରିଣ ଅମରେ ।             ନୃପଜାକୁ ଉପହାସ କରିବା କାଳରେ ।

ନେଇ ବାଳୀକି ଭାରତୀ ।

ସୁର-ନର-ମଧ୍ୟେ ପଥେ କଲେ ଦୁର୍ଗାମୁର୍ତ୍ତି । ୩୪ ।

 

ବାରିଲେହେଁ ବାଣୀ ବାଳା ନଳପାଶେ ଚଳେ ।       ଧୀରେ ଧୀରେ ତା ବିଲୋକି ଭାରତୀ ସତ୍ଵରେ

ସୁରସମୀପେ ନେବାକୁ ।

ଅର୍ଦ୍ଧପଥରୁ ଆଗ୍ରହେ ବଳାନ୍ତି ବାଳାକୁ । ୩୫ ।

 

 

 

ବାରୁଥିଲେହେଁ ଆଳିଏ ହୁଁ ହୁଁ ରବ କରି ।             ମୁଖ-କମଳକୁ ଆବର୍ତ୍ତିତ କରି ବାଳୀ ।

ଭୁଜବନ୍ଧ ଭାରତିର ।

ତେଜେ ବର-କରପାଶେ ନବୋଢ଼ା ପ୍ରକାର । ୩୬ ।

 

ଦେବେ ଅଭିମୁଖୀ ନ ହୋଇବାର ବାଳୀର ।             ଦେଖି ଭାରତୀ ଭାଷନ୍ତି ସ୍ମିତ-ପୁର୍ବ ଗୀର ।

“ଆରେ ଶଶିଜିତ ମୁଖି ।

ମୋଠାରେ ମଧ୍ୟ କି ଶଙ୍କା ଲେଶ ଅଛୁ ରଖି ? । ୩୭ ।

 

ଦେବେ ନ ପ୍ରଣମି ତାଙ୍କ ନ ଘେନି ଆଦେଶ ।      ସୁରରୋଷେ ପଡ଼ି ନଳେ ବରିବାକୁ ଆଶ ।

ବଳାଇଛୁ ତୁ ବାଳୀଶ ।

ଏହାକି ହେଲା ଉଚିତ ଚିତ୍ତେ ଚିନ୍ତ ଲେଶ” । ୩୮ ।

 

ଏତେ ଶୁଣି ବାଳାମଣି ହୋଇଲା ହରଷ ।             ପାଣି ଧରି ବାଣୀ ତାକୁ ନେଲେ ଦେବପାଶ ।

ତହିଁ ପ୍ରଣମାଇଁ ଜବ ।

ଭାଷନ୍ତି “କେବେ ଏ ଭକ୍ତା ଦୟାପାତ୍ରୀ ତବ । ୩୯ ।

 

ହେ ଦେବେ ତୁମ୍ଭେ ଅନେକ ଏତ ମହସତୀ ।             ଆନ-ଅପମାନୁ ଏକେ ନବରେ ସୁଦତୀ ।

ତୁମ୍ଭ ସର୍ବ ଅଂଶଶାଳୀ ।

-ନଳେ ବରଣେ ସରାଗ ବହିଅଛି ବାଳୀ । ୪୦ ।

 

 

 

ପୂର୍ବେ ପଥେ ନଳଗଳେ ଦେଇ ମାଳ ବାଳୀ ।             ଅଛି ବରି ଆଲିଙ୍ଗନେ ସମ୍ଭୋଗ ତ ସରି ।

ଆଉ କେଉଁ ବିଷୟରେ ।

ବାଧା ଦେବାକୁ ଯତନ ଏତେ ହେ ଅମରେ ? । ୪୧ ।

 

ବର୍ଣ୍ଣଆଶ୍ରମ ଆଚାର ପଥୁଁ ପ୍ରଜା ତୁଲେ ।             ଅସ୍ଖଳିତ ନଳେ ତୁଷ୍ଟ ହୋଇଛ ତ ସୁରେ ।

ତାଙ୍କୁ-ଅନୁଗ୍ରହୀବାକୁ ।

ଏରୂପେ ହୋଇଅଛି ନା ଆଗମ ଏଥକୁ” । ୪୨ ।

 

ଦେବୀର ଏ ଗିର ଶୁଣି ହାସ୍ୟେ ପ୍ରପ୍ଫୁଟିତ ।             ହେଲା ଅଧର ସୁରଙ୍କ; ନେତ୍ରାନ୍ତେ ଇଙ୍ଗିତ ।

କରି ଦେଲେ ଅନୁମତି ।

ତହୁଁ ନେଲେ ନଳପାଶେ ବାଳୀକି ଭାରତୀ । ୪୩ ।

 

ଲଜ୍ଜା-ଜଡ଼ଗାତ୍ରୀ ନୃପପୁତ୍ରିର ସେ-କାଳେ ।             ମଧୁକମାଳା-ଶୋଭିତ କରକୁ ସଲୀଳେ ।

ବାଣୀ ନଳଗଳ-ପାଶ ।

ନେଲେ; ଯା ଚାଳକେ ଶକ୍ୟ ନୋହିଲା ରତୀଶ । ୪୪ ।

 

ନିଜ-ଲିଖିତ ସ୍ୱୀକାର-ପତ୍ର-ସମସରି ।             ଦୁର୍ବାଙ୍କୁର-ମିଶ୍ରିତ ମଧୁକ-ପୁଷ୍ପମାଳି ।

ବାଳୀ ନଳ-ଗଳେ ନେଇ ।

ଦେଲା ଲମ୍ୱାଇଣ ଲାଜେ ନିମୀଳିତା ହୋଇ । ୪୫ ।

 

 

 

ଶୃଙ୍ଗାର-ଶ୍ୟାମ ଶ୍ୟାମଳ-ଦୁର୍ବାରେ ମଞ୍ଜୁଳ ।             କୁସୁମଶର କାମର ପାଶ-ସମତୁଳ ।

ସେ ମାଳକୁ ମହୀପତି ।

ଲମ୍ବାଇଲେ ଗଳେ ଅତି ହରଷିତ ମତି । ୪୬ ।

 

ଦୁର୍ବାର ପରାଶେ ନୃପ ଗାତ୍ର ପୁଲକିଲା ।             ସେ ପୁଲକେ । ସୁମନସ ମାଳା ଉଲ୍ଲସିଲା ।

ଦେଖି ଏହା ନବବାଳୀ ।

-ମାନେ ମୁ‌ଖ ପୋତି ମାଳେ ଚାହେଁ ନେତ୍ର ଢାଳି । ୪୭ ।

 

ନଳ-ନିର୍ମଳ-ହୃଦୟେ ଦୁର୍ବାମି ଶ୍ରମାଳା ।             ଲମ୍ବି ନିଜ ପ୍ରତିବିମ୍ୱ ତହିଁ ଖେଳାଇଲା ।

ଦେଖି ଆସଇ ମତିକି ।

କାମଶର ଅଧେ ଗଳି ଅଧେ ବଳିଛି କି । ୪୮ ।

 

ପୁରନାରୀଏ ‘ମଙ୍ଗଳ’ ଗାଉଥିଲେ ତହିଁ ।             ଆନନ୍ଦ ଗଦ୍ଗଦେ ବର୍ଣ୍ଣ ଅଧେ ନୁହେଁ ଗାଇ ।

ଗୀତ ମଧ୍ୟେ ହୁଳୁହଳି ।

ଦେଉଥିଲେ ଜିହ୍ଵାଜାଡ଼୍ୟ ଛାଡ଼ିବ କି ବୋଲି । ୪୯ ।

 

ବାଳ-ଭାବଶେ ସର୍ବରୋମ ଅବଳାର ।             ବର-ଶ୍ରୀ-ଲୋକନେ ହେଲେ ଉନ୍ମୁଖ ସତ୍ୱର ।

କଲେ ଗ୍ରୀବା ଉତ୍ତୋଳନ ।

ଅଜଣା ଲୋକେ ବୋଲନ୍ତି ତାକୁ ରୋମାଞ୍ଚନ । ୫୦ ।

 

 

 

ରୋମାଞ୍ଚିଲା ରମ୍ୟାଧାରା-ରାମା-ସର୍ବ-ଅଙ୍ଗ ।             ହେଲା ଦନ୍ତୁରିତ ଗାତ୍ର ସତେ କି; ଅନଙ୍ଗ ।

-ଶର-ସାଧନ-ବେଦିକା ।

ଲକ୍ଷଦଣ୍ଡ-ଶୋଭୀ ବିଭୂଷିତା ସେ ବାଳୀକା । ୫୧ ।

 

ପୂର୍ବଭାବ ସକଳ ବାଳାର ହେଲା ଲୋପ ।             ହେଲା କି ଏମନ୍ତ ବାଜିବାରୁ କାମରୋପ ।

ଅବା କଳି ବାଳୀ-ଚିତ୍ତ ।

-ଲାଭେ ତାଠାରୁ ମାଗିଥିଲା କ୍ଷଣେ ମାତ୍ର । ୫୨ ।

 

ମାଳାସ୍ପର୍ଶେ ନଳ କରେ ଯେଉଁ ସ୍ୱେଦୋଦକ ।       ଜାତ; ଭବିଷ୍ୟ ବିବାହୋତ୍ସବେ ହସ୍ତୋଦକ ।

- ବତନୃପ-କରେ ତାହା ।

କରାଇଲା ଆଗୁଁ ତା ଚତୁର ରତିନାହା । ୫୩ ।

 

ତୁଳାପରି ତ କୋମଳା ସେ ନବବନିତା ।             ମଦନ-ଶର-ଘାତେ କି ନ କମ୍ପି ରହନ୍ତା ।

ହେଲା ଆଶ୍ଚର୍ଯ୍ୟ ଏ ମାତ୍ର ।

ଗଲେ କମ୍ପି ଯାହା ନଳ ହୋଇଣ ଭୂଭୃତ । ୫୪ ।

 

ନଳେ ହିଂସାବଶେ ପୁରୋବର୍ତ୍ତୀ ରାଜଗଣ ।            -ନୟନେ ସଲିଳ କରିଥିଲା ଅଧିଷ୍ଠାନ ।

ତହିଁ ମାଳା-ଛାୟାପାତ ।

-ଯୋଗେ ଦିଶୁଥିଲେ ସେ ବରିତ ହେଲା ବତ । ୫୫ ।

 

 

 

ଅତିଶୟ ପ୍ରେମବଶେ ନଳ-ନୟନରେ ।             ସଲୀଳେ ସଲିଳ ଲୀଳା କରୁଥିଲା ଗେଲେ ।

ତହିଁ ପ୍ରତିବିମ୍ୱୁଁ ମାଳି ।

ଦିଶିଲା ନୟନ ତାହା ପାନକଲା ଭଳି । ୫୬ ।

 

ଜେମା-କରସ୍ପର୍ଶ-ଜାତ-ପ୍ରମୋଦ-ପ୍ରଭାବ ।             ବଳେ ନଳେ ବିତରଣ କଲା ସ୍ତମ୍ଭ-ଭାବ ।

ଶମ୍ବରାରିର ଶରବ୍ୟ ।

-ସ୍ତମ୍ଭ ଦଶାକୁ ଆଶ୍ରିଲେ ତେଣୁ ଧରାଧବ । ୫୭ ।

 

ତାରୁଣ୍ୟ ତେଜି ଜରାକୁ ଗ୍ରହିଲା ସଦୃଶ ।             ରାଜ୍ୟ ତେଜି ଭିକ୍ଷାପାତ୍ରେ କଲାପରି ଆଶ ।

ଦେବେ ତଥା ନଳଙ୍କର ।

ଦିବ୍ୟରୂପ ତେଜି ମୂର୍ତ୍ତି ଗ୍ରାହିଲେ ନିଜର । ୫୮ ।

 

ମାୟା ନଳରୂପ ଇନ୍ଦ୍ର ବରଜିବାକାଳେ ।             ମୁଁ ଆଗ ମୁଁ ଆଗ ବୋଲି ନେତ୍ରେ କି ଦିଶିଲେ ।

ବାମା-ସାତ୍ୱିକ-ସୌନ୍ଦର୍ଯ୍ୟ ।

-ଲୋକନେ କି ହୋଇଥିଲେ ସେ ନେତ୍ରେ ଅଧୈର୍ଯ୍ୟ । ୫୯ ।

 

ଅନୁକୁଳ-ଗୋତ୍ର ବିବାହେତ ନାହିଁ ଦୋଷ ।             ତାହା ବାରି ପ୍ରବରକୁ ବିବାହ-ବିନାଶ ।

- ପାଇଁ ଗୋତ୍ର ଶତ୍ରୁ ଆଣି ।

-ଥିଲେ ସେ ସ୍ୱମୂର୍ତ୍ତି ଗ୍ରହୁଁ ଦିଶିଲା ସେକ୍ଷିଣି । ୬୦ ।

 

 

 

ସ୍ୱକାମ-ସମ୍ଭବ ତମ ବିନାଶିବା ପାଇଁ ।             ଜ୍ୱଳନ ଉଦ୍ଗତ-ଶିଖାବଳି ବିକଶାଇ ।

ମୂରତିକି ଆପଣାର ।

କଲେ ପରିଗ୍ରହ ଦେଖୁଥିଲେ ସର୍ବନର ।

 

ନଳେ ବରି ବରଜିଲା ଅନଳେ ଯା ବଳୀ ।             ପତି-ସଙ୍ଗୀ-ଦୀପ୍ତି ଗଲା ତା ଦେଖି ମଉଳି ।

ପୂର୍ବେ ଥିଲା ସିନା ଲୁଚି ।

ବିକଶି ଏବେ ସେ ଲାଜେ ରହିଲା ସଙ୍କୋଚି । ୬୨ ।

 

ସେକାଳେ ନୃପଙ୍କ ଚିତ୍ତେ ସମ୍ଭବିବା କୋପ ।            -ବତ ମୂର୍ତ୍ତି ପ୍ରକାଶିଲେ ସଞ୍ଜୀବନୀ-ଭୂପ ।

ବର୍ଣ୍ଣ ଦିଶେ ଅତି ଶ୍ୟାମ ।

କରେ ଦଣ୍ଡ ନେତ୍ର ଅତିଶୟ ଆରକ୍ତିମ । ୬୩ ।

 

ସେକାଳେ କାୟସ୍ଥ ମହାଗୁଣ ଚିତ୍ରଗୁପ୍ତ ।       ଯମ ତୁଲେ ହେଲେ ଲୋକ-ନେତ୍ର-ପାତ୍ରୀଭୂତ ।

ଏ ଦିଅନ୍ତି ପତ୍ରେ କାଳୀ ।

ସେ ଦିଶନ୍ତି କାଳୀପରେ ପତ୍ର ଦେଲାଭଳି । ୬୪ ।

 

ଯୋଷିତୁଁ ଚିତ୍ତ-ପାଶକୁ ଫେଇଲା ପରାୟେ ।             ପାଶଧରି ସଲିଳେଶ ସେ ସ୍ଥଳେ ବିଜୟେ ।

ତାଙ୍କ ତନୁ ଜଳମୟ ।

ନୋହେ ବର୍ଣ୍ଣି, କଳପିବ କଲେ ଅବା ଲୟ । ୬୫ ।

 

 

 

ଯିବ ଆଣିବାକୁ କନ୍ୟା ସଦ୍ୱିତୀୟ ହୋଇ ।             ଏ ନୀତିକି ଭ୍ରାନ୍ତି ଚିତ୍ତେ ଚିନ୍ତି ଜଳସାଇଁ ।

ଏକା ଆସିଥିଲେ ଚଳି ।

ଭର୍ଯ୍ୟା-ଘେନି କନ୍ୟା ନେବା ଅନୁଚିତ ଭାଳି । ୬୬ ।

 

ମଧୁହନ୍ତା-ମୋଦଦାତ୍ରୀ-ମୁରତି ଭାରତୀ ।             ପ୍ରକାଶୁଁ ଚିହ୍ନେ ଚିହ୍ନିଲା ତାହାଙ୍କୁ ସୁଦତୀ ।

ତେଣୁ ତାହାଙ୍କ ବଚନ-।

ଚାତୁର୍ଯ୍ୟେ ବିହିଲା ବାଳା ବିସ୍ମୟ-ବର୍ଜନ । ୬୭ ।

 

ଦେଖୁଥିଲେ ସର୍ବନୃପେ ବସ ସେ ସଭାରେ ।             ପ୍ରକାଶିଲେ ରୁପାନ୍ତର ସକଳ ଅମରେ ।

ଇନ୍ଦ୍ରଜାଲିକାଦିଙ୍କର ।

ବୃତ୍ତି ବିନାଶନରୁ ବଇରି ହେଲେ ସୁର । ୬୮ ।

 

ପରସ୍ପର ପ୍ରେମେ ନିମଜ୍ଜିତ ଅତିଶୟ ।       ଜଳନୃପ-ଭୀମ-ଭୂପ-ସୁତା-ପରିଣୟ ।

ଦେଖି ହୋଇ ଅତିତୋଷ ।

ହେମ-ଉର୍ବିଧର-ସାର୍ବ-ଭୌମ ଭାଷି ଭାଷ । ୬୯ ।

 

“ବୈଦର୍ଭି ! ଦୁର୍ଲ୍ଲଭ ରାଜବର ତୋତେ ଦେଲି ।       ଅକପଟେ ଦୌତ୍ୟ ମୋର ସମ୍ପାଦିଛ ବୋଲି ।

ନଳ ! ତୁମ୍ଭଙ୍କୁ ଏ ବର ।

ଦେଉଛି ସନ୍ତୋଷେ ତୋଷେ ପରିଗ୍ରହ କର । ୭୦ ।

 

 

 

ତୁମ୍ଭ ଯାଗେ ସ୍ୱ-ରୂପରେ ଭକ୍ଷିବି ମୁଁ ହବି ।             ଆମ୍ଭ ସ୍ୱରୂପ ନ ଦେଖି ମୀମାଂସକେ ଭାବି ।

ଥାନ୍ତି ମତ୍ରୁ ଅତିରିକ୍ତ-।

ଦେବତା ଥିବାର କଥା ନୁହେଁ ଯୁକ୍ତି-ଯୁକ୍ତ । ୭୧ ।

 

ଅନ୍ତିମ-ସମୟେ ତୁମ୍ଭେ ଦୁହେଁ ଶିବା-ଶିବା ।             ସହିତରେ ଏକାକାରା-କାରୀତ ହୋଇବ ।

ଯେଣୁ ମୃତ୍ୟୁପରେ କିସ ।

ହେବ ଭାବି ପ୍ରାଣୀ ଚିନ୍ତା କରଇ ବିଶେଷ । ୭୨ ।

 

ବାଳୀ ତୁଲେ ନଳ କେଳି ଅବଶ୍ୟ କରିବ ।             ତେଣେ ବାରାଣସୀର ହୀନତା ସମ୍ଭବିବ ।

ତେଣୁ ସେପୁର ଅନ୍ତିକେ ।

ତୁମ୍ଭନାମେ ଚିହ୍ନିତ ନଗର ହେବ-ଠିକେ”। ୭୩ ।

 

ସୁର-ମୁଖ ଧୂମ-ଶ୍ମଶ୍ରୁ ଅନଳ ଭାଷନ୍ତି ।             ‘ମୋ ଶୁଭଦୃଷ୍ଟି-ସୁରଭୀ-କ୍ଷୀରଧାରା-ତତି- ।

ବଡ଼ ସମ୍ପତ୍ତି ତୁମ୍ଭର ।

ଦିନୁଁଦିନ ଲଭୁ ବୃଦ୍ଧି ଆହେ ନରେଶ୍ୱର । ୭୪ ।

 

ଦାହପାକ ବିଧାୟିକା ଯେ ତନୁ ମୋହର ।       ମୋ ବରେ ସେ ଇଚ୍ଛାଧୀନ ହେଉ ତବ ନଳ ।

ଦହିଛି ସେ ମନୋଭବେ ।

ତା ପ୍ରଭୁ ହୋଇ ତାହାକୁ ଯାଅ ବଳି ତୁମ୍ଭେ । ୭୫ ।

 

 

 

ତୁମ୍ଭ ରନ୍ଧା ଅନ୍ନମୀନ-ଆଦି ସବୁଦ୍ରବ୍ୟ ।       ଅମୃତୁଁ ବଳି ଅଧିକ ସୁସ୍ୱାଦୁ ହୋଇବ ।

ସୁପକରଣ-ବିଷୟେ ।

ଶ୍ରଦ୍ଧା ତୁମ୍ଭ ଥିବାରୁ ଏ ବରଦେଲି ରାଏ’ । ୭୬ ।

 

ତୋଷହୋଇ ଜୀବେଶ ଭାଷନ୍ତି ନରଈଶେ ।       ‘ତୁମ୍ଭ ଅବଦାନେ ପ୍ରୀତ ପୂର୍ବୁ ମୁଁ ବିଶେଷେ ।

ବରଦେବାକୁ ରସନା ।

ମୋର ତୁମ୍ଭଙ୍କୁ ସତତ ହୋଇଛି ଉନ୍ନନା । ୭୭ ।

 

ଆହେ ପରନ୍ତପ ନୃପ ସର୍ବଅସ୍ତ୍ର-ଯାତ ।             ଅଙ୍ଗ ସହିତ ତୁମ୍ଭଙ୍କୁ ହେଉ ଉପଗତ ।

ବୀର-ବ୍ରତେ ଦୀକ୍ଷିତର ।

ଏଥୁଁ ବଳି ଆହ ଲଭ୍ୟ ନାହିଁଟି ବିଚାର । ୭୮ ।

 

ମହାକଷ୍ଟେ ପଡ଼ିଲେହେଁ ନୁହ ଧର୍ମ୍ମଚ୍ୟୁତ ।             ଏ ବର ମୋର ତୁମ୍ଭଙ୍କୁ ହେଉ ପରାସତ ।

ଧର୍ମେ ଯା-ମତି ନିଶ୍ଚଳ ।

କର ବିଚାର ତ୍ରିବର୍ଗ ହସ୍ତରେ ତାହାର” । ୭୯ ।

 

କିଞ୍ଚିତ ସ୍ମିତ ପ୍ରକାଶି ଭାଷନ୍ତି ବରୁଣ ।             “ଭୈମୀକ ଦେଲି ଦେଉଛି ବରଦ୍ୱୟ ପୁଣ ।

ଯଉତୁକ ପରକାରେ ।

କର ପରିଗ୍ରହ ନଳ ସନ୍ତୋଷ ଚିତ୍ତରେ । ୮୦ ।

 

 

 

ହେଉ ମରୁପଛେ ତୁମ୍ଭ ଇଚ୍ଛାମାତ୍ର ହେଲେ ।             କ୍ଷଣକ ମାତ୍ରକେ ଯିବ କଲ୍ଲୋଳି ସଲିଳେ ।

ଯେଣୁ ଲୋକ ଯାତ୍ରାପାଇଁ ।

ଜଳତୁଲେ ଆନ ଭୁତେ ସମାନ ନ ହୋଇ । ୮୧ ।

 

ହୋଇଥାଉ ପଛେ ମରୁ ଶୁଚିଭାନୁ ବଶେ ।             ହୋଇବ ପ୍ରସାରି-ତାପ ସମୁଦ୍ର ବିଶେଷେ ।

ଇଚ୍ଛାମାତ୍ରେଣ ତ୍ରମେଳ ।

ହେବ ହେବ ପୂର୍ବବତ ଇଚ୍ଛାରେ ତୁମ୍ଭର । ୮୨ ।

 

କର ସ୍ପର୍ଶମାତ୍ରେ ତବ କୁସୁମ ପ୍ରଫୁଲ୍ଲ ।             ସୌରଭ-ଭର ହୋଇବ ଯେଣୁ ତାହାତୁଲ ।

ଧର୍ମ ଶର୍ମ ସାଧିବାରେ ।

ନ ଦେଖେ ଅପର ଦ୍ରବ୍ୟ ଭୁବନ ତ୍ରୟରେ’ । ୮୩ ।

 

କିଞ୍ଚିତ ସ୍ମତି ପ୍ରକାଶି ଭାରତୀ ଭାଷନ୍ତି ।             ‘ହେ ଭୂପତି ? ତୁମ୍ଭ ରସବତୀ-ପ୍ରିୟବତୀ ।

ହୋଇଛିତ ମୁଁ ମୋ ପାଶୁଁ ।

ଗ୍ରହଣୀୟ ନାହିଁ କିଛି କି ନୃପସୁଧାଂଶୁଁ ? ୮୪ ।

 

ବିନା ପ୍ରାର୍ଥନେ ଯେ ଅର୍ଥ ଆପଣେ ମିଳଇ ।             ଅବଧିରଣା ତହିଁରେ ଧୀର ନ କରଇ ।

ତାକୁ ଧାତାଦାନ ଚିତ୍ତେ ।

ଭାଳି ଶିରେ ଘେନିବା ଉଚିତ ମୋର ମତେ । ୮୫ ।

 

 

 

ଅର୍ଦ୍ଧାର୍ଦ୍ଧେ ବାମା ଅବାମା ହୋଇ ଏକରୂପ ।             ବୋଲାନ୍ତି ଯେ ଭଗବାନ ତ୍ରିଲୋକ-ଅଧିପ ।

ହରମୟ ଇନ୍ଦୁଧର ।

ନିରାକାର ସେ ମୋ ମନ୍ତ୍ର ଜପ ସିଦ୍ଧକର । ୮୬ ।

 

ଯେ ସୁକୃତବନ୍ତ ଏ ମୋ ମନ୍ତ୍ର-ଚିନ୍ତାମଣି ।             ବହିବ ସଯତନେ ହୃଦୟେ ତା’ର ବାଣୀ ।

ସୁଧାରସରେ ପୂରିବ ।

ବାକ୍ୟେ ବାଚସ୍ପତି-ବତ ପୂଜ୍ୟ ସେ ହୋଇବ । ୮୭ ।

 

ସ୍ୱର୍ଗର ମୃଗୀଦୃଶାଙ୍କ ସମ୍ମୋହନ ପାଇଁ ।             ହୋଇବ ନିଶ୍ଚୟ ସେ ଅପର-ରତିସାଇଁ ।

ବେଶି ଭାଷି ବା କି ହେବ ।

ଯାହା ଭାବିବ ସେ ତାହା ତତ୍କାଳେ ଲଭିବ । ୮୮ ।

 

ଚାରୁ-ମରାଳେ ଆରୋହି ଗମୁଁ ଥିବା ମୋର ।       ମନ୍ତ୍ରମୂର୍ତ୍ତିକି ଯେ ପୂଜେ ଦେଇ ଗନ୍ଧମାଲ୍ୟ ।

ତା’ର ମହିମା ଅପାର ।

କହିଲେ ଅସର ହେବ ରଜନୀ ବାସର । ୮୯ ।

 

ଥାଉ ତା ନିଜ ପ୍ରଭାବ ପୂଜି ବର୍ଷମାତ୍ର ।             ସେ ଯେବେ ଅପର-ଶିରେ ଥରେ ଦେବ ହସ୍ତ ।

ହେଉ ମୂର୍ଖ ପଛେ ସେହି ।

ଅକସ୍ମାତେ ଦିବ୍ୟପଦ-ବୃନ୍ଦ ଯିବ କହି । ୯୦ ।

 

 

 

ଗୁଣନିଧି ଅନ୍ତ ରସସ୍ଫୀତା ବଇଦର୍ଭୀ ।             ବେନିଏ ଛନ୍ତି କରତେ ନାରୀ-ସିଦ୍ଧି-ଲଭି ।

ଏକେ ଦେଲି ତୁମ୍ଭ କୋଳେ ।

ଆନେ ରଖାଇବି ତୁମ୍ଭ କୀର୍ତ୍ତି କବିଗଳେ । ୯୧ ।

 

ଯେ ତବ-ଯଶ ଘୋଷିବ ମୁଁ ଥିବି ତା ଗଳେ ।       ତା ମୁର୍ଖୁ ସ୍ଫୁରିବ ପୁଣ୍ୟ ଶ୍ଳୋକ ଅନର୍ଗଳେ ।

ହେବ ତୁମ୍ଭେ ପୁଣ୍ୟଶ୍ଳୋକ ।

ହରିପରି କଳିରେ କଳୁଷ ବିନାଶକ" । ୯୨ ।

 

ଦେବୀ-ଦେବ ଭାଷନ୍ତି ଉଭୟେ, “ରେ ସୁଦତି ।             ତୁ ପତି-ବରତା-ଜଗତର ମଥାମୋତି ।

ତୋତେ କି ଅବା ଦୁର୍ଲ୍ଲଭ ।

ଭାଙ୍ଗିବ ଯେ ବ୍ରତ ତୋ ସେ ଭସ୍ମହୋଇ ଯିବ । ୯୩ ।

 

ହେଲୁ ତୁ ଆଶ୍ଚର୍ଯ୍ୟ ଦେଖି ଆମ୍ଭ ଛଦ୍ମବେଶ ।       ଦେଉଅଛୁ ବର ହେଇ ସେ ବିଦ୍ୟା ତୋ ବଶ ।

ଯା’ର ବଳେ ଇଚ୍ଛାମତ ।

ଆକାର ପାରିବୁ ଗ୍ରହି ତୁ ବର-ଯୋଷିତ’ । ୯୪ ।

 

ବର ବିତରି ଅମରେ ଚଳନ୍ତେ ଆକାଶେ ।             ପରିଜନ ତୁଲେ ମହୀପତିଙ୍କ ସମ୍ଭାଷେ ।

ଜାତ ମହା-କୋଳାହଳ ।

ସ୍ୱର୍ଗ-ଦୁନ୍ଦୁଭି-ବାଦ୍ୟେ ତା ହୋଇଲା ତୁମୂଳ । ୯୫ ।

 

 

 

ପୁଣ୍ୟଶ୍ଳୋକ ନଳଙ୍କ ତ ନାହିଁ କିଛି ଦୋଷ ।       ବିଦ୍ୱେଷୀ ଭୁପାଳେ ତାଙ୍କ ବାଛିବେ ବା କିସ ।

ଶୁଣି-ବାରୁ ଯମବର ।

ନ କଲେ ତହିଁ କେ ଆଉ ସମର ବିଚାର । ୯୬ ।

 

କଲେ କେବଳମାତ୍ରକ ବୈଦର୍ଭୀ-ଅଲାଭ- ।             ବିଜନିତ-ଦୁଃଖଜାତ ଦୀର୍ଘଶ୍ୱାସ ଜବ ।

ରାଜସୁତା ହୃଦୟରେ ।

ଉଦୟ ଦୟାସରିତ ଭୂପାଳେ ସତ୍ୱରେ ।୯୭ ।

 

କାରୁଣ୍ୟ ନଦୀଦେବୀତ୍ଵ ଲଭି ନୃପେ ବାଳା ।             ପିତା ଭୀମମହୀପତି ପାଶେ ଜଣାଇଲା ।

ତହୁଁ ତା ସଖୀ-ସମୂହେ ।

ଭୂପେ ବିତରିଲେ ଭୀମ ଭୂପତି ବିବାହେ । ୯୮ ।

 

ଲଭି ମନ୍ତ୍ର ଦମୟନ୍ତୀ-ଠାରୁ ସଖୀମାନେ ।             ଦିଶିଲେ ସକଳେ ଦମୟନ୍ତୀର ସମାନେ ।

ତାଙ୍କୁ ଲଭି ମହୀପାଳେ ।

ବାଳା ଅଲାଭୁଁ ଜୀବନତ୍ୟାଗ ଉପେକ୍ଷିଲେ । ୯୯ ।

 

ମହେନ୍ଦ୍ର ସଙ୍ଗେ ନରେନ୍ଦ୍ର ନଳ ଶ୍ରୀରେ ତୁଳି ।             ହୋଇ ନିଜ-ନିଳୟକୁ ଗଲାବେଳେ ଚଳି ।

ଶକ୍ର-କୀର୍ତ୍ତିବତ ଅଳି -।

ମିଶ୍ର ମଧୁବାସ୍ପ ପୁଷ୍ପବୃଷ୍ଟି ସ୍ୱର୍ଗୁ ଝରି । ୧୦୦ ।

 

 

 

ନିଜ-ନିଜ-ଅଂଶଜାତ ନଳେ ତେଜି ସୁରେ ।             ସ୍ୱର୍ଗେ ଚଳୁ ଅଂଶଧ୍ୱଂସ-ଯନ୍ତ୍ରଣା ଲଭିଲେ ।

ଯାଉଁ ସ୍ୱପୁରେ ଭାରତୀ ।

ଲେଉଟି ଲେଉଟି ନୃପଜାକୁ ଚାହୁଁଥାନ୍ତି । ୧୦୧ ।

 

ସୁତାବିବାହ ସମୟେ ଭୀମ ମହୀପତି ।             ନିଷଧ ନଗରେଶ୍ଵର-ସତୀ ଦମୟନ୍ତୀ ।

କଲେ ମଙ୍ଗଳ ବିଧାନ ।

ନୃପଜନାନିଷ୍ଟଉକ୍ତି-ବାରଣ କାରଣ । ୧୦୨ ।

 

ନିଜ ନିଜ ଶିବିରକୁ ନରେଶ-ନିଚୟ ।             ଯାଉଁ ବିପକ୍ଷପକ୍ଷର କଟୁକ୍ତି-ନିବହ ।

ନ ଶୁଣିବାପାଇଁ ହେଜି ।

ଥିଲେ ବିବିଧ ମଙ୍ଗଳ-ବିଧାନ ସରଜି । ୧୦୩ ।

 

କବିରାଜ ରାଜି-ଶିର-ହୀରକ ଶ୍ରୀହୀର-।             ମାମଲ୍ଳଦେବୀ ବେନିଙ୍କ ସୁଖ-ସୁଧାକର ।

ହର୍ଷ ଶରଦ ଚନ୍ଦ୍ରିକା-।

ବତ ରଚିଛନ୍ତି ଏହା ସୌରଭେ ଅଧିକା । ୧୦୪ ।

 

ସେ ପଦାଙ୍କ ଅନୁ-ସରି ରଙ୍କ ଗୋପୀନାଥ ।             ଧୂଳି କରିଛି ସଙ୍ଖାଳି ଘେନ ବୁଧ ଚିତ୍ତ ।

ବାଳକର ଧୂଳି ଖେଳେ ।

ଘେନ ଧୀରେ ସୁଧୀଚିତ୍ତ ତିଳେ କି ନ ଢଳେ । ୧୦୫ ।

-------

 

ପଞ୍ଚଦଶ ଛାନ୍ଦ

ରାଗ-ରାଜବିଜେ

ତଦନ୍ତେ ବରଣମାଳକୁ ଭରିଣ ଗଳେ ନିଷଧ-ନୃପତି ।

ଶିବିର-ଗମନ-କାଳେ ବନ୍ଦିକୁଳେ ବହୁବିତ୍ତ ବିତରନ୍ତି ।

ହେ ଧୀର ।

ବନ୍ଦିକୁଳେ ଯେ ଦମୟନ୍ତିର ।

କୀର୍ତ୍ତି-କୀର୍ତ୍ତନେ ମୁଖର-ତର ।

ନୃପ-ପ୍ରଦାନ ତା’ରେ ଅପାର ।

 

ଅତି-ଧନଦାନ-ବଶେ ବନ୍ଦିଜନ ଧନେ ଅନାଦର କଲେ ।

ଅଣ୍ଟିକଟି କର ନିଅଣ୍ଟ ହୋଇଲା ସେ ଧନ ସମ୍ପାଦିବାରେ ।

ହେ ଘେନ ।

ପଥେ ପଡ଼ିଥିବାର ଏମାନ ।

ବହୁଦିନ ଯାଏ ପୁରଜନ ।

କରୁଥିଲେ ଗୋଟାଇ ଯତନ । ୨।

 

ଅପର ନୃପଙ୍କ ସେବକେ ସ୍ୱାମିଙ୍କ ଚିତ୍ତ ଜଗି କହୁଥିଲେ ।

“ତାକୁ ବଳି କେବା ଅଲାଜୁକ ଅଛି ସଭାରେ ଯୋଷା ଯା ତୁଲେ” ।

କେ କହି ।

“ଅତି ସୌନ୍ଦର୍ଯ୍ୟ ଶୁଭ ନୁହଁଇ” ।

ଏ ସମୟେ ନଳ-କୀର୍ତ୍ତି ଗାଇ ।

ଭାଟେ ଦେଲେ ସେ ସର୍ବ ଛପାଇ ।

 

ଅରାତିଏ ବୃଥା ଦୁଷୁଥିଲେ ବଢ଼ୁଥାଏ ସାଧୁତା ସାଧୁର ।

ଥାଆନ୍ତା ଯେବେ ପ୍ରକୃତରେ ଦୂଷଣ କିଞ୍ଚିତ ସାଧୁଲୋକରେ ।

ହେ ଧୀରେ ।

ତା’ର ପ୍ରକୃତ ଦୋଷ ଗାନରେ ।

କିପାଁ ନ ରସି ତା ରିପୁବାରେ ।

ମାତନ୍ତେ ମିଥ୍ୟା ଦୋଷାରୋପରେ ।

 

ତେଣେ ଅନ୍ତଃପୁରେ ମହାରାଣୀ ହୋଇଥିଲେ ଅତ୍ୟନ୍ତ ଆତୁର ।

ଏକାଳେ ଭୀମ ନୃପ ତହିଁ ବିଜୟ ଧରି ଜେମାମଣି-କର ।

ହେ ଧୀରେ ।

ତୋଷେ ରାଣୀଙ୍କି ଭାଷନ୍ତି ଧୀରେ ।

“ଘେନ ଯାମାତା ବୋଲି ନଳରେ ।

ଉତକଣ୍ଠା ନ ଥାଉ ଚିତ୍ତରେ । ୫।

 

ଯା ତନୁ-କାନ୍ତିରେ ଅତନୁ ଅତୁନ ସେ ତାରିବ ଆମ୍ଭକୁଳ ।

ସେ ନଳ ‘ଯେବେ ଯାମାତା ଆମ୍ଭ ହେବେ ଏଥୁଁ ବଳି କି ସୁଫଳ ।

ଗୋ ଦେବୀ ! ।

ତ୍ରିଭୁବନ ନୃପମଧ୍ୟୁଁ ଭାବି ।

ଏହି ବର-ବରଣ-ପଦବୀ ।

ଏକା ଆମ୍ଭ ସୁତାରେ ସମ୍ଭବି ।

 

ସ୍ତ୍ରୀଜନ-ଉଚିତ ଆଚାର ଯାବତ ପାଣି-ଗ୍ରହଣ-ବିଷୟେ ।

କରନ୍ତୁ ସମ୍ପନ୍ନ ଯେ ବିଧି ବିଧାନ ଆମ୍ଭର ପୁର-ଯୋଷାଏ ।

ଗୋ ପୁଣ ।

ଶ୍ରୁତି-ସ୍ମୃତି-ଯୁକତ-ବିଧାନ- ।

ମାନ କରିବୁଁ ଆମ୍ଭେ ନିଷ୍ପନ୍ନ” ।

ଭାଷି ଏମନ୍ତ କଲେ ପ୍ରୟାଣ ।

 

ପୁରୁଁ ବାହାରି ସଭାରେ ବିଜେ ନୃପ ଜଣାନ୍ତି ଲଗ୍ନ ଜ୍ୟୋତିଷେ ।

ଶୁଭଗ୍ରହୋଦୟେ ରିଷ୍ଟ-ଗ୍ରହକ୍ଷୟେ ନାହିଁ ତହିଁ ଦୋଷ ଲେଶେ ।

ହେ ଜନେ ।

ସେହି ଲଗ୍ନେ ସୁତା ସମ୍ପ୍ରଦାନେ ।

ନର-ମଘବା ନଳ-ରାଜନେ ।

କଲେ ସ୍ଥିର ଭୀମ ଭୁପ ମନେ । ୮ ।

 

ଏଥୁଅନ୍ତେ ଦୁତମୁଖେ ଭୀମଭୁପ ଜଣାଇ ପଠାନ୍ତି ନଳେ ।

‘ନକର କରୁଣା-କଣା-ଦାନେ ଊଣା ଏ ମୋର ତନୟା-କୁଳେ ।

ହେ ବୀର ।

ଚୀର-ଜାତ ମୋ ବାଞ୍ଛା-ଅଙ୍କୁର ।

ଲଭି ତୁମ୍ଭ ପଦଧୌତ ଜଳ ।

ହେଉ ନବପଲ୍ଲବେ ରୁଚିର’ । ୯।

 

ଦୂତ-ବଦନ-ଗହ୍ୱରୁ ଭୀମଭୁପବାଣୀ-ପ୍ରତିଧ୍ୱନି ଏତେ ।

କରି ଶ୍ରବଣ ନିଷଧ-ଦେଶାଧୀଶ ଭାଷନ୍ତି ସନ୍ତୋଷ ଚିତ୍ତେ ।

“ମୁଁ ଯିବି ।

ଗୁରୁ ଚରଣଯୁଗ ବନ୍ଦିବି’ ।

କହି ଦୁତେ ଧନଦାନେ ଦେବୀ- ।

ଲକ୍ଷ୍ମୀ-ଭଣ୍ଡାରକୁ ଦେଲେ ଦାବି । ୧୦ ।

 

ଦୂତ ମୁଖୁଁ ସର୍ବ ସନ୍ଦେଶ ଶ୍ରବଣକରି ବିଦର୍ଭ-ରାଜନ ।

ନିଷଧ-ନୃପତି-ଆଗମନ ପ୍ରତି ରହିଲେ ପଥ ଚାହିଁଣ ।

ହେ ଧୀରେ ।

ଯଥା ନିଶା-ଶେଷ ସମୟରେ ।

ଶୁଣି ଚରଣାୟୁଧ-ରାବରେ ।

କୋକ କରଇ ପ୍ରତୀକ୍ଷା ସୂରେ । ୧୧ ।

 

ଆଲେପନ-ଦାନେ ଚତୁରୀ କେ ନାରୀ ବିଦର୍ଭେଶ-ଅନ୍ତଃପୁରେ ।

ହୋଇ ପୁରସ୍କୃତ ଅହଂକାରେ ଚିତ୍ତ ପୁଲକି ଉଠଇ ଖରେ ।

ହେ କେବା ।

ପୂପ-ନିର୍ମାଣେ ଦକ୍ଷତା ଥିବା- ।

ଯୋଗୁଁ ଉଚ୍ଚ ଆସନେ ବସିବା ।

- ହେତୁ ଭାବେ ମୋ ସମାନ କେବା । ୧୨ ।

 

ସେ କୁଣ୍ଡିନ-ପୁର ପ୍ରତ୍ୟେକ ଅଗାଇ-ପୁରତ-ତୋରଣ-ତତି ।

ବିବିଧ-ମଣିରତ୍ନ-ମୁକ୍ତା-ନିଚୟେ ବିକାଶନ୍ତି ଦିବ୍ୟ ଜ୍ୟୋତି ।

ହେ ଧୀରେ ।

ପାନ୍ଥପରି ଦୂରଗାମିତାରେ ।

ରାଜେ ସେ ଜ୍ୟୋତି ଚତୁର୍ଦ୍ଦିଗରେ ।

ପୁର ହସଇ କି ଜ୍ୟୋତି-ଛଳେ । ୧୩ ।

 

ବିନ୍ଧାଣି ଏ ବାସ-ପୁଷ୍ପହାରେ ପ୍ରତିପଥେ ଚନ୍ଦ୍ରାତପ କଲେ ।

ସେ ପୁଷ୍ପ ପୁଣି ଅକାଳିକ କୁସୁମ,-ତହିଁ ବାସ ଦେଇଥିଲେ ।

ହେ ଧୀରେ ।

ପଟୁ କୁସୁମ-ବିଶେଷତ୍ୱରେ ।

ମଧୁକର-ନିକର ଭ୍ରମରେ ।

ହେଲେ ପତିତ ସେ ବିତାନରେ । ୧୪ ।

 

ସେ ପୁରେ ନାନା-ରତନେ କଞ୍ଚୁକିତ ପ୍ରଜାଏ ବିରାଜୁଛନ୍ତି ।

ବିବିଧ-ବିଚିତ୍ର ଚିତ୍ରେ-ଗୃହାବଳି ବଳି ଝଳି ବିକାଶନ୍ତି ।

ହେ ଧୀର ।

ମଣିକଟ୍ଟିମନିକର ପୁର ।

ଦିଶେ ଅତିଶୟ ମନୋହର ।

ସେ କି ସ୍ୱରଗ ମର୍ତ୍ତ୍ୟଲୋକର । ୧୫ ।

 

ଘନ ଘନ ଘନବାଦ୍ୟ ବାଜୁଅଛି ତତ ବାଜେ ସତତରେ ।

ଶୁଶିରସ୍ୱର-ଶିରୀ କେ ବର୍ଣ୍ଣିପାରେ ଆନଦ୍ଧ-ଧ୍ୱବି ଗମ୍ଭୀରେ ।

ହେ ଧୀରେ ।

ସ୍ଫୁରେ ସେ ପୁରେ ଅନାରତରେ ।

ତର ସହିବାକୁ ନାହିଁ ତିଳେ ।

ଝରେ ଅମୃତ ଶ୍ରୁତିପୁଟରେ । ୧୬ ।

 

ବାଜଇ ମୁରଲୀ ବଲ୍ଲକିରେ ମିଳି ସେ ମିଳେ ସଙ୍ଗୀତ ସଙ୍ଗେ ।

ହେ ଧୀରେ ।

ଢକ୍କା ମିଳି ମର୍ଦ୍ଦଳ ସଙ୍ଗରେ ।

ଅନୁଗମଇଁ ସେ ବାଦ୍ୟସୁରେ ।

କେହି ନ ବଳନ୍ତି କା’ରେ ତିଳେ । ୧୭ ।

 

ଏକେ ଜନରବ ନିମିଷ-ମାତ୍ରକେ ବ୍ୟାପଇ ସହସ୍ରକୋଶ ।

ସେ ପୁଣି ହୋଇଛି ବିବିଧ-ବାଦିତ୍ର-ନାଦେ ତୁମୂଳ ବିଶେଷ ।

ହେ ଜନେ ।

ସିନ୍ଧୁ-ଧୀର-ଗମ୍ଭୀର-ଗର୍ଜ୍ଜନେ ।

 

ମିଶିଯାଇ ସେ ନିନାଦ କ୍ଷଣେ ।

ନ ସମ୍ଭାଇଲା ଦିଗ୍‌ଦନ୍ତୀ-କର୍ଣ୍ଣେ । ୧୮ ।

 

ବେଦିରେ ରୁଚିର ଚତୁସ୍କଉପରେ ରତନ ପୀଢ଼ା ପକାଇ ।

ଭୀମମହୀପତି-ସୁତାକୁ ବିଜୟ କରାଇଲେ ତହିଁ ନେଇ ।

ସେ ବାଳୀ ।

ତୋଳି ହେମ-ପୂର୍ଣ୍ଣ-କୁମ୍ଭାବଳି ।

କୁଳବିହିତ ଆଚାର ପାଳି ।

ସ୍ନାନ ବଢ଼ାଇଲେ ଜଳ ଢାଳି । ୧୯ ।

 

ଭୂପତିସୁତା-ସୁବର୍ଣ୍ଣ-ପୟୋଧର-ଯୁଗଳେ ବିବାଦ କରି ।

ହାରିଥିବାରୁ ବାରି ବୋହୁଛନ୍ତିକି ସାତକୁମ୍ଭ-କୁମ୍ଭାବଳି ।

ହେ ଧୀରେ ।

ତାଙ୍କ ମୁଖେ ତ ଚ୍ୟୂତ-ମୁକୁଳେ ।

ବହିଅଛନ୍ତି ବାଳା-ବର୍ଣ୍ଣରେ ।

ତେଣୁ ଏ ଶଙ୍କା ଜାତ ଚିତ୍ତରେ । ୨୦ ।

 

ସେ ନୃପକୁମାରୀ ସ୍ନାନବିଧି ସାରି ପିନ୍ଧୁ ଶୀତାଂଶୁ ଦୁକୁଳ ।

ଦିଶଇ ରୁଚିର ବର୍ଷା-ଶରତର ସନ୍ଧି-ସମୟ ପ୍ରକାର ।

ହେ ଧୀରେ ।

ରୂପ କେ ବା ତା’ର ବର୍ଣ୍ଣିପାରେ ।

ନବୁଁ ନବୀନତର ବିଧିରେ ।

ପ୍ରଫୁଲ୍ଳିତା ତ ବାଞ୍ଛାସିଦ୍ଧିରେ । ୨୧ ।

 

ସଲିଳ-ବରଷି--ଦଳିତ-କଜ୍ଜ୍ଵଳ-କୁନ୍ତଳ-ଜାଳେ ମଞ୍ଜୁଳା ।

ଶୀତାଂଶୁ ବସନ ଲାଗିହୋଇ ତଥାବିଧ ଶୋଭିଲା ସେ ବାଳା ।

ହେ ଧୀରେ ।

ଯଥା ନିବିଡ଼-ନୀରଦଜାଳେ ।

ବଳୟିତ ଶଶୀ-ଶୋଭି ଭାଲେ ।

ଦିଶେ ଦିବ ସୁନ୍ଦର ବିଧିରେ । ୨୨ ।

 

ସେ କରଭୋରୁର ଚିକୁର-ନିକର-ପ୍ରାନ୍ତରୁ ନିର୍ମ୍ମଳ-ଜଳ ।

-ବିନ୍ଦୁ-ବୃନ୍ଦ ଝରି ସୁନ୍ଦର ଦିଶଇ ଚିତ୍ତେ ଜାତ ଏ ବିଚାର ।

ହେ ଧୀରେ ।

ସେ ତ ଜିଣିଛି କୃଷ୍ଣ ଚାମରେ ।

ତେଣୁ ସିତକୀର୍ତ୍ତି-ମୁକ୍ତାବାରେ ।

ରତ ନିରନ୍ତର ବିଞ୍ଚିବାରେ । ୨୩ ।

 

ସ୍ନାନସଲିଳ ଆଳି-ପାଳି କୋମଳ-ଦୁକୁଳେ ଅଙ୍ଗୁ ବାଳୀର ।

ଦିଅନ୍ତି ପୋଛି ତା କଳେବର ରୁଚି ଦିଶିଲା ରୁଚିରତର ।

ହେ ଧୀରେ ।

ଦେଖିଛି ଯେ ସେ କାଳେ ବାଳୀରେ ।

ଚିନ୍ତିଛି ସେ ତପ୍ରକାର୍ତ୍ତସ୍ୱରେ ।

ନିର୍ମିତ ଏ ରସାଣିତ ପରେ । ୨୪ ।

 

ସୁଗନ୍ଧ ବିଲେପନୁଁ ବାସେ ଶ୍ରୀଅଙ୍ଗ ମାର୍ଜ୍ଜନୁଁ ଦିଶେ ଉଜ୍ଜ୍ଵଳ ।

ତା ଚାହିଁ ଏମନ୍ତ ବିଚାର ପ୍ରସରେ ଦର୍ଶକ-ଚିତ୍ତେ ତତ୍କାଳ ।

ହେ ଧୀର ।

ଯେବେ ଦରସ୍ଫୁଟ କେତକିର ।

ସଉରଭ ନେବ କାର୍ତ୍ତସ୍ୱର ।

ତେବେ ହେବ ବା ତୁଳ ଏହାର । ୨୫ ।

 

ସକଳ କଳାରେ କୁଶଳା ଆଳିଏ ନିର୍ମ୍ମଳ ବେଦିକାପରେ ।

ବାଳାମଣିକି ବିଜୟ କରାଇଲେ ସଲୀଳେ ହରଷଭରେ ।

ହେ ଧୀରେ ।

ଚିରଶିକ୍ଷିତ କଳା-କୌଶଳେ ।

ପ୍ରତିଅଙ୍ଗେ ପ୍ରତିକର୍ମ୍ମ କଲେ ।

ହସ୍ତଲାଘବୁଁ ଅତି ଚଞ୍ଚଳେ । ୨୬ ।

 

ସ୍ୱଭାବେ ସୁଷମା-ସୀମା ସେ ନବୀନା ଅଳଙ୍କାରେ କିସ ତା’ର ।

ତଥାପି ଆଳିଏ ବିଭୁଷି ବାଳୀକି ଦେଖନ୍ତି ରୁଚିରତର ।

ହେ ଧୀରେ ।

ବାଳୀଶୋଭା ନ ବଢ଼େ ଭୁଷାରେ ।

ଭୂଷେ ଅଙ୍ଗନା-ଅଙ୍ଗ ଭୂଷାରେ ।

କେବା ଏ କଥା ବୁଝେ ସେକାଳେ । ୨୭ ।

 

ବିଧୁମଣ୍ଡଳେ ବନ୍ଧୁକ ସରସିଜ ଯୁଗଳ କ୍ରମରେ ଦେଇ ।

ତା’ପରେ ଚମ୍ପକକଳିକା ସମର୍ପି ଯେବେ ବା ପୂଜନ ହୋଇ ।

ହେ ତେବେ ।

ବାଳୀ ମୁଖତୁଲ ହେବ ଲବେ ।

ସେ ତ ଅଧର ନେତ୍ରେ ସ୍ୱଭାବେ ।

ମନଃଶିଳ-ତିଳକରେ ଶୋଭେ । ୨୮ ।

 

ମହୀ-ମହେନ୍ଦ୍ରଙ୍କର କାମସମ୍ଭବ ନିବିଡ଼-ତାମସୀ ପାଇଁ ।

ତାମସ-ବସନ-ନିର୍ମାଣକାରଣ ଅସିତ-ସୁତାର ଛାଇ ।

ସେ କେଶ ।

ବାଳୀଶର କୋମଳ ବିଶେଷ ।

ଲଭି ସୁବାସଧୂପ-ପରାଶ ।

ତାକୁ ବାନ୍ଧିଲେ ଆଳି ରଭସ । ୨୯ ।

 

କେ ଆଳି ବାଳୀକେଶ ଭାଳି ଧୂପଜ ଧୂମାବଳି ବାନ୍ଧି ଇଚ୍ଛେ ।

ତା ଭ୍ରାନ୍ତି ଦେଖି ପାଶର ସଖି ଆକ୍ଷିଠାରି ହସୁଁ ; ଭ୍ରମେ ସ୍ୱଚ୍ଛେ ।

ସେ ବାରି ।

ଭ୍ରମ ନିଜର ଲାଜରେ ଲୁଳି ।

ଦନ୍ତୀଦନ୍ତ-କଙ୍କତିକା ଚାଳି ।

ବାନ୍ଧେ ବାଳୀ-କେଶକୁ ସାମଳି । ୩୦ ।

 

କରୁଣାକୁଦ୍ମଳ ଖଞ୍ଜନେ ମଞ୍ଜୁଳ ବାଳୀ-କୁଟିଳ-କୁନ୍ତଳ ।

ବଳ-କର୍ଷିତ-କଳିନ୍ଦତନୟାର ତରଙ୍ଗ-ଭଙ୍ଗ-ଭଙ୍ଗୁର ।

ହେ ଧୀର ।

ଶରୀରକୁ ଶତ ଶତ ବାର ।

ହସୁଥାଏ ଳାଗି-କୁସୁମର ।

-ଛଳେ ଅବହେଳେ ନିରନ୍ତର । ୩୧ ।

 

ଏଥୁଅନ୍ତେ ଆଳି ବାଳୀ-ଭାଲପଟେ ଭାଳି ସୁନା ଚିତା ଦେଲେ ।

ଅଚିରପ୍ରଭା କି ସୁଚୀର ବିରାଜେ କୁନ୍ତଳ-ଜଳଦକୋଳେ ।

ହେ ଧୀରେ ।

ମୁଖଶଶୀ-ସୁଧା ଚାଖିବାରେ ।

ନାଶ ନ ଭଜି କ୍ଷଣମାତରେ ।

ଚିରପ୍ରଭା ବିକାଶୁଛି ଭଲେ । ୩୨ ।

 

ମନଃଶୀଳ ତିଳକ-ଦୀପାବଳୀର ସଞ୍ଜାତ ଧୂମସନ୍ତତି ।

ଦଳିତକଜ୍ଜ୍ୱଳ-କାଳିମା ଗିଳିବାଭଳି ଝଳି ଦିଶୁଛନ୍ତି ।

ହେ ଧୀରେ ।

ସେ ତ ଊର୍ଦ୍ଧ୍ୱେ ବିସର୍ପି ସଧୀରେ ।

ଭାଲପଟ-ସୀମା-ସମୀପରେ ।

ଖେଳି ଚୁର୍ଣ୍ଣକୁନ୍ତଳ ହୋଇଲେ । ୩୩ ।

 

ସୁଗାତ୍ରୀ-ନେତ୍ରପ୍ରାନ୍ତକୁ ସ୍ପର୍ଶି ରାଜେ ଅଞ୍ଜନଜନିତ ଗାର ।

ସେ ଗାର-ଶେଷଯାଏ ନେତ୍ରଯୁଗଳ ପ୍ରସରାଇବାର ମୂଳ ।

କି କରି ।

ସୂତା ମାରିଛି ବୟସ-ଶିରୀ ।

ଭ୍ରାନ୍ତି ଜାତ ତାହା ଦେଖିକରି ।

କଲା ଶିରୀ ସେ କେତେ ଚାତୁରୀ । ୩୪ ।

 

ବରାରୋହାର ନୟନ-ତାରାଯୁଗ ନୀଳମଣି ଦୁଇଗୋଟି ।

ଥାଏ ଅନଙ୍ଗ-ଲୀଳାଭୂମ ଅପାଙ୍ଗେ ଥରକୁଥର ଚହଟି ।

ହେ ଧୀରେ ।

ତା’ର ନିରତ ଗତି ବଶରେ ।

କଳାଗାର ପଡ଼ିଛି ପଥରେ ।

ତାକୁ ଅଞ୍ଜନ ବୋଲନ୍ତି ନରେ । ୩୫ ।

 

ବାଳାନୟନ-କଳାଗାର ଯୁଗଳ ଦିଶେ ଏମନ୍ତ ମଞ୍ଜୁଳ ।

ଗୁଣ-ଘର୍ଷଣ-ଜାତ କିଶେ ଶ୍ୟାମିତ କି ମାର-କରଯୁଗଳ ।

ହେ ଧୀର ।

ପରଶରେ ନୀଳୋତ୍ପଳ-ଶର ।

-ଦଣ୍ଡ ବରଜି ବର୍ଣ୍ଣ ନିଜର ।

କାଳକ୍ରମେ ପଡ଼ିଗଲା କାଳ । ୩୬ ।

 

ସେ ନେତ୍ରତୁଲେ ତୁଳ ହୋଇ ପାଞ୍ଚିଲେ ଯେଣୁ କୃଷ୍ଣସାର-ନେତ୍ର ।

ସେ ଦୋଷୁଁ ତାଙ୍କୁ ଉପାଡ଼ି ଦେବାପାଇଁ କରି ବିଚାର ବିଧାତ ।

ହେ ଧୀର ।

ତା’ର ବେନିପ୍ରାନ୍ତରେ ନଖର ।

ରୋଷେ ଦେଉଁ ବସାଇ ସତ୍ୱର ।

ଏବେ ସେ କ୍ଷତ ଦିଶେ ତହିଁର । ୩୭ ।

 

ସୁଷମା-ସୀମା ରାମାର ଆରକ୍ତିମା ନୟନଯୁଗେ ନିତାନ୍ତ ।

ନିପୀଡ଼ିତ ହୋଇ ଉପାୟ ନ ପାଇ ଶେଷେ ଶ୍ରୁତିଯୁଗ ସତ ।

ହେ ଧୀରେ ।

ତାଙ୍କ ପ୍ରତିନିଧି-ବିଚାରରେ ।

ନୀଳୋତ୍ପଳ-କୁମୁଦଯୁଗଳେ ।

ବହିଛନ୍ତି ନିଜ ନିଜ ଶିରେ । ୩୮ ।

 

ସୁଦତୀ-ଶ୍ରୁତି-ଉପରେ ନୀଳୋତ୍ପଳଲୀଳା ଦେଖି ଏ ବିଚାର ।

ତହିଁ ପଡ଼ି ଅବା ଗଲା ଜଡ଼ି କେଉଁ କାମିର ନେତ୍ର ଯୁଗଳ ।

ହେ ଧୀରେ ।

ରତିପତିର ହେତି-ତାପରେ ।

ନେତ୍ର-କ୍ଷତି ତ ତା’ର ବିଧିରେ ।

କ୍ଷତିପୂର୍ଣ୍ଣ ତା’ ସେହି ଶ୍ରୁତିରେ । ୩୯ ।

 

କେଉଁ ଆଳୀ ବାଳା-ଶ୍ରୁତିରେ ସେକାଳେ ଖଞ୍ଜିଲା ଯୁଗଳ ମଣି ।

ତା’ର କିରଣ ପଲାଶ-ସୁମନସ-ଚାପ ହେଲା ସେହିକ୍ଷଣି ।

ହେ ଧୀରେ ।

ତହିଁ ନୟନ-ନୀଳଉତ୍ପଳେ ।

ଶରଯୁଗଳ ପାଲଟି ଗଲେ ।

ଲଭି ତା କାମ ଛକିଲା ନଳେ । ୪୦ ।

 

ଏ ଶଶାଙ୍କ ଦ୍ୱୟ ତୋ ମୁଖ-ଅମୀୟ-କରେ ହେଲାଣି ବିବାଦୀ ।

ଭ୍ରମଜ୍ଞାନ ଏତେ ବତାଉଁ ସେ କଥା ତଥ୍ୟାତଥ୍ୟ ନ ସମ୍ପାଦି ।

ହେ ଧୀରେ ।

ବାଳୀଶ ତ ସେ ସଦା ବିଧିରେ ।

ଶଶିଯୁଗଳ କୁଣ୍ଡଳ-ଛଳେ ।

ବାନ୍ଧି ରଖିଲା ଶ୍ରୁତି ପାଶରେ । ୪୧ ।

 

କୁଣ୍ଡଳ ବେନି କର୍ଣ୍ଣରେ ଖଞ୍ଜି ପୁଣି କେ ବାଳୀ ଭାଷଇ ହସି ।

“ତୋ ମୁଖ-ସୁଧାକର ପାଶେ ଏ ବେନି ଗୁରୁ ଶୁକ୍ରବତ ଦିଶି ।

ଗୋ ସହି ।

ଗଲା ଦୁରୁଧୁରା ଯୋଗ ହୋଇ ।

ହେବୁ ପତି-ସୁହାଗିନୀ ତୁହି ।

ଏଥୁଁ ବଳି କି ଶୁଭ ଅଛଇ” । ୪୨ ।

 

ଅଳତା-ବୋଳ ଦିଶିବାପାଇଁ ଝଳିବାଳୀ ଅଧରେ କେ ଆଳୀ ।

ଛଣା-ଚିକ୍କଣ ମୃଦୁଳ ମହଣକୁ ଅଳ୍ପେ ଦେଇଥିଲେ ବୋଳି ।

ହେ ଧୀରେ ।

ମଧୁ ପୀୟୁଷ-ସମ ବିଧିରେ ।

ସେ ମଧୁରୁ ଅଧିକ ଅଧରେ ।

ଆଶ୍ରିଲା କି ମହଣ ସୁ-ଧୀରେ । ୪୩ ।

 

ଶୈଶବ-ସମୟେ ସରସ-ହୃଦୟା ସେ ଦୟାବତିର ଗଳା ।

ସୁସ୍ଵର-ସମ୍ପଦ-ବଶେ ବଲ୍ଲକୀର ଖ୍ୟାତି ଲୋକେ ଲଭିଥିଲା ।

ହେ ଧୀରେ ।

ଏବେ ସପତ-ସରି ହାରରେ ।

ରାଜିବାରୁ ସେ ଗଳା ବେଭାରେ ।

ଲଭେ ‘ପରିବାଦିନୀ’ ନାମରେ । ୪୪ ।

 

ଶୁଭବିଧି ଯୋଗେ ବରଭୁଜ-ଯୁଗେ ସେ ଶଙ୍ଖାଲାଗି ହୁଅନ୍ତେ ।

ତା ଦେଖି ଦରଶକଲୋକ-ଚିତ୍ତରେ ଜାତ ବିତର୍କ ଏମନ୍ତେ ।

ହେ ଧୀରେ ।

ଏ କି ମୃଣାଲ-ବଳୟମାଳେ ।

ମୃଦୁଳତା ଶିକ୍ଷା ବିଷୟରେ ।

ଆଶ୍ରି ଅଛନ୍ତି ବାଳା-ଶ୍ରୀକରେ । ୪୫ ।

 

ଆଜିଏ ବାଳୀର ପଦେ ଲାକ୍ଷା-ରେଖା ଲେଖି ରେଖି ଦେଇଥିଲେ ।

ଯା ଆକ୍ଷ ଥିବ ସେ ଦିବ୍ୟଛବି ଚାଖି ବିଚାରୁ-ଥିବ ଚିତ୍ତରେ ।

ହେ ଧୀରେ ।

ଲଭି ବିଚ୍ଛେଦ ନିଶା-ଯୋଗରେ ।

ପ୍ରାତେ ଲଭି ଦିବାକର-କରେ ।

ରାଜେ ସରୋଜ କି ସରାଗରେ । ୪୬ ।

 

ଏଣିକି ଭୂଭୃତ-ସଙ୍ଗତ ନିୟତ ଲଭିବ ନାଗରୀଈଶ ।

ଟେକତ ମୋ ନିଶ୍ଚେ ନାଶ ହେବ ଭାବି ଏତେ ପୂର୍ବକୃତ ଦୋଷ ।

ହେ ଧୀରେ ।

କାମାନଳ ବାଳୀଶ-ପୟରେ ।

ପଶେ ଶରଣ ତା ଦେଖି ନରେ ।

ବୋଲନ୍ତି ଏ ରଞ୍ଜିତ ଲାକ୍ଷାରେ । ୪୭ ।

 

ଏକେତ ବାଳୀର ଶ୍ରୀଅଙ୍ଗ ଅତୁଳ-ଶୋଭାର ଆଧାର-ସ୍ଥଳ ।

ପୁଣି ଯଥା-ବିକଶିତ ଅବୟବେ ଦିଶଇ ରୁଚିରତର ।

ହେ ଧୀରେ ।

ତହିଁ ଖଞ୍ଜା ହୋଇ ଅଳଙ୍କାରେ ।

ଆଳପନ୍ତିକି ପରସ୍ପରରେ ।

ଏଥି ଆମ୍ଭସ୍ଥିତି ନିଷ୍ଫଳ ରେ । ୪୮ ।

 

ଅଳଙ୍କାର ଲାଗି ହେଉ ସେ ବରାଙ୍ଗୀ କ୍ରମେ ଅଧିକୁଁ ଅଧିକ ।

ଦିଶିଲା ଶୋଭିତା ଶୋଭାସମ୍ଭାରକୁ କରି ଶତ ଶତ ଧିକ ।

ହେ ଜନେ ।

ସଉନ୍ଦର୍ଯ୍ୟ-ସୋପାନ-ବିଧାନେ ।

ଯାଇ ଅତିକ୍ରମି ଅତି ଘନେ ।

ବୁଡ଼ାଇଲା ଶୋଭାସୀମା-ଜ୍ଞାନେ । ୪୯ ।

 

ମଣି-ସମାନ ନିର୍ମଳ ଦରପଣ-ମଣ୍ଡଳେ ସେ ଶଶୀମୁଖୀ ।

ମୁଖ ଦେଖିଲା କି ‘ବୋଲନ୍ତି କାହିଁକି ଲୋକେ ମୋତେ ଚନ୍ଦ୍ରମୁଖୀ’ ।

ହେ ଧୀରେ ।

ନିଜ ଆସ୍ୟ-ବିମ୍ୱ-ସୁଧାକରେ ।

କଷୁ ଥିଲା ନିଜ ବଦନରେ ।

ତାରତମ୍ୟ ବାରିବା ଆଶାରେ । ୫୦ ।

 

ବାଳୀମୁଖେ ହାରି ଶଶାଙ୍କ ବିଚାରି ପ୍ରକାଶେ ଯୁଗଳକାୟ ।

ତା ସାକ୍ଷୀ ନୟନ-ସଙ୍କୋଚିବା-ଜନ ଏ ସମୟେ ସଖିଦ୍ୱୟ ।

ହେ ଧୀରେ ।

ଦୁଇ ଦର୍ପଣ ଦୁଇ ପାଶରେ ।

ଦେଖାଇଲେ ବାଳୀଶ-ଛାମୁରେ ।

ମୁଖକ୍ରୟେ ପୁଣି ଶଶି ହାରେ । ୫୧ ।

 

ଆଳି-ଯୁଗକର-ମୁକୁରେ ବାଳୀର ମୁଖ-ପ୍ରତିବିମ୍ୱଚୟ ।

ତା ଦେଖି ମନକୁ ଆସଇ ସଂଶୟ ସତେକି ପଦ୍ମ-ନିଚୟ ।

ହେ ଧୀରେ ।

କରି ସମାଧି ନିଶୀଥିନିରେ ।

ଲଭି ନିର୍ବାଣ-ପଦ ଶଶିରେ ।

ତା’ର ଆସ୍ୟସାଲୋକ୍ୟ ଲଭିଲେ । ୫୨ ।

 

ବିଭୁଷା-ବସା ଅସଂଖ୍ୟ-ମାଣିକ୍ୟର ମଣ୍ଡଳେ ପଳାଶ-ମାଳ ।

ବିଚାରି ତହିଁ ମିଳିତ ହେଲେ ଅନଳପ-ଶିଳାମୁଖ-ଜାଳ ।

ହେ ଧୀର ।

ସେ ବାଳା ତ ସର୍ବସ୍ୱ କାମର ।

ତା ରକ୍ଷଣ କି ବିଚାରି ସ୍ମର ।

ରଖାଇଛି ଶରାସନ ଶର । ୫୩ ।

 

ଯମୁନାଦି-ନଦୀ-ମିଳନେ ପ୍ରସିଦ୍ଧି ଲଭେ ଯଥା ମନ୍ଦାକିନୀ ।

ସ୍ୱଭାବ-ସିଦ୍ଧ ସ୍ନେହ ଯଥା ବିକଶେ ସୁଗୁଣ-ସଂଯୋଗ ଘେନି ।

ହେ ଧୀରେ ।

ନିତି ଯଥା ସୌଭାଗ୍ୟ-ବଶରେ ।

ଶୋଭେ ତଥା ବିଭୁଷଣ-ବାରେ ।

ବାଳୀ ବିଳସେ ଅତି ଶୋଭାରେ । ୫୪ ।

 

ବିବାହ-ମହୋତ୍ସବପାଇଁ ବିଦର୍ଭପତି-ପୁରେ ସମାଗତ ।

ସାମନ୍ତ-ନୃପତି-ଯୋଷିତେ ସ୍ୱପତି-ଦୀର୍ଘାୟୁ ବାଞ୍ଛି ତ୍ୱରିତ ।

ସେ ଚିତ୍ତେ ।

ନଳରୋଷୁଁ ତରିବା ଇହିତେ ।

ଶିର-ସିନ୍ଦୁର-ସୁବିନ୍ଦୁବ୍ରାତେ ।

ଜେମା-ପଦେ ଲାକ୍ଷା ଦେଲେ ସତେ । ୫୫ ।

 

ତହୁଁ ଦମୟନ୍ତୀ ଦେବ-ଗୁରୁ-ପତିବ୍ରତାଙ୍କ ବନ୍ଦିଲେ ପଦ ।

ତାଙ୍କର ପ୍ରଦତ୍ତ ଅବ୍ୟର୍ଥ ଆଶୀଷ ଲଭି ବଢ଼ିଲା ପ୍ରମୋଦ ।

ହେ ଧୀରେ ।

ସରୁ-ପ୍ରଦତ୍ତ ଅବ୍ୟର୍ଥ ବରେ ।

ଏହି କଲ୍ୟାଣ ଅବ୍ୟର୍ଥତାରେ ।

ସମ, ଊଣା ନୋହିଣ ଗୁଣରେ । ୫୬ ।

 

ଏକାଳେ ପ୍ରସାଧନ-କର୍ମ-ନିପୁଣ ଅନୁଚର ଜନମାନେ ।

ବିବାହ-ମଙ୍ଗଳ-ବିଧି-ଅନୁକୁଳ ବେଶକୁ ବିଚାରି ମନେ ।

ହେ ଜନେ ।

ନିଜ-ପ୍ରଭୁ ନିଷଧ-ରାଜନେ ।

କଲେ ସୁବେଶ ଅତି ଯତନେ ।

ଯହିଁ ଲାଗିବ ନେତ୍ର ପତନେ । ୫୭ ।

 

ବେଶ-ବିନ୍ୟାସ-କାରକେ ଭାବିଚିନ୍ତି ବାନ୍ଧିଲେ ନୃପତି କେଶ ।

ତହିଁ ତ ପୂର୍ବେ ପୁଚ୍ଛ-ଶୋଭା ସମ୍ପାଦ ଥୋଇଥିଲେ ବର୍ହୀବଂଶ ।

ହେ ଧୀରେ ।

ଏବେ ସେ କେଶ ବର୍ହୀ-ବର୍ହରେ ।

ଉପହସନ୍ତେ ବନ୍ଧା ଲଭିଲେ ।

ନ ଲଭେ କି କୃତଘ୍ନ ସ୍ୱଫଳେ । ୫୮ ।

 

ମାର୍ଜ୍ଜିତ ପ୍ରଲମ୍ୱକେଶ ମହୀଶର ତ୍ରିପୁର-ପରବଇରି ।

କେଳତିପତିର ମାର୍ଜ୍ଜିତ ପ୍ରଳମ୍ୱ ଶରାସନ-ଗୁଣ ଭଳି ।

ହେ ଦିଶେ ।

ପୁଷ୍ପକଳି ତା’ପରେ ବିକଶେ ।

ଦେଖି ମନକୁ ଏମନ୍ତ ଆସେ ।

ଶମ୍ୱରାରିଶର ଫଳ କି ସେ । ୫୯।

 

ଯାଚକଚୟ-କଳ୍ପବୃକ୍ଷ ପ୍ରତ୍ୟକ୍ଷ ଅଟନ୍ତି ନିଷଧପତି ।

ତାଙ୍କ ମସ୍ତକେ ମଣିମୟ-ମୁକୁଟ ବିକାଶେ ବିକଚ ଦ୍ୱିତି ।

ହେ ଧୀରେ ।

ଦେଖି ଏମନ୍ତ ଆସେ ମନରେ ।

ସେ ତ କଳ୍ପପାଦପ ବିଧିରେ ।

ମଞ୍ଜୁରିତ ମଣିମଞ୍ଜରୀରେ । ୬୦ ।

 

ଭୂପାଳ-ଲଲାଟେ ମଣି-ବୀରପଟ୍ଟ କଳାନିଧିର ପରିଧି-।

ପରି ଦିଶେ ଶୋଭା ସେ ମୁଖର ବିଭାବରୀ-ନାଥୁ ବଳି ସଦ୍ଧି ।

ହେ ଧୀରେ ।

ତାକୁ ଏ କାହୁଁ ଆବରି ପାରେ ।

ତେଣୁ ତା’ର ଅର୍ଦ୍ଧାଂଶ ଆବରେ ।

ବୃତ୍ତ ନିବର୍ତ୍ତିଲା ବୃତ୍ତାର୍ଦ୍ଧରେ । ୬୧ ।

 

ମହୀପ-କୁମାରୀ-ମାନସ-ସଂଚାରୀ ଧୈର୍ଯ୍ୟ-ମରାଳେ ଦର୍ପକ ।

ମାରିବା ବିଚାରି ଅଛି ଯତ୍ନକରି ରଖି ବାଟୁଳି କାର୍ମୁକ ।

ହେ ଧୀରେ ।

ଦେଖି ତା ଲୋକ ଭ୍ରାନ୍ତ-ବୁଦ୍ଧିରେ ।

ବୋଲନ୍ତି ଏ ଟୋପି ଭୃମଧ୍ୟରେ ।

ଲେଖା ହୋଇଛି ନୃପ-ମୁଖରେ । ୬୨ ।

 

ନିନ୍ଦିତ-ନଳିନ-ମୁଖେ କେ ଚନ୍ଦନବିନ୍ଦୁ ଯତନେ ଲିହିଲା ।

ତା ଦେଖି ଦର୍ଶକ-ମାନସେ ଏତେକ ବିବେକ ପ୍ରସରି ଗଲା ।

ହେ ସାଧୁ ।

କାମୀ ସମ୍ପୂର୍ଣ୍ଣ-ଶର୍ବରୀବନ୍ଧୁ ।

ଉରେ ଫୁଲଶରଶର ଭେଦୁଁ ।

କୋଳେ କଲା କି ତାରକାବଧୁ । ୬୩ ।

 

ହେବ ବା ଏମନ୍ତ ହୁତାଶନକୁ ତ ନ କରିଲେ ପ୍ରଦକ୍ଷିଣ ।

ନଳ ଭୀମପୁତ୍ରୀ ନ ପାଇ ପାରନ୍ତି’ ତା ପୂର୍ବରୁ ସୁରରାଣ ।

ସେ ଚିନ୍ତି ।

ବିନ୍ଦୁ-ଇନ୍ଦୁକୁ ପଠାଇଛନ୍ତି ।

ଭୂପଭାଲେ ବିହି-ଲିପପନ୍ତି ।

ପଠନେ ‘ସେ ହେବେ କି ତା ପତି’ । ୬୪ ।

 

ଝଳି-କପୋଳେ-ପାଳିରେ କର୍ଣ୍ଣଲୋଳ କୁଣ୍ଡଳେ ପ୍ରତିଫଳନ୍ତି ।

ସେ ଯୁଗଳେ ବିମ୍ୱଯୁଗ ଯୋଗ ଲଭି ଚତୁରସଂଖ୍ୟା ବହନ୍ତି ।

ହେ ଘେନ ।

ସେ ବଦନ-ମଦନ-ସ୍ୟନ୍ଦନ ।

ଚଳିବାକୁ କି ଚତୁରାନନ ।

ଚକ୍ର ଚତୁର କଲା ଯୋଜନ । ୬୫ ।

 

ଗୁରୁବିପ୍ରେ ବନ୍ଦିବାକୁ ମହୀପତି ମସ୍ତକ ହୁଅନ୍ତେ ନତ ।

ଗଳବିଲୋଳ ମୁକୁତାବଳି-ମାଳ ଚୁମ୍ବୁଥାଇ ମୁଖପ୍ରାନ୍ତ ।

ହେ ଚିନ୍ତ ।

ସେ ବଦନ ପୂର୍ଣ୍ଣ-ତାରାକାନ୍ତ ।

ତହୁଁ ସ୍ରୁତ ସୁଧାବିନ୍ଦୁ ବ୍ରାତ-।

ବତ ମୁକୁତାମାଳ ପ୍ରତୀତ । ୬୬ ।

 

ଶିରୀ ଯହୁଁ ଜାତ ଯା ବାରଣେ ରଣେ ଅରାତିବଳ ନିପାତ ।

ଯା-ଠାରୁ ସତତ କମଳାର୍ଥୀବ୍ରାତ ଯାଆନ୍ତି ହୋଇ କୃତାର୍ଥ ।

ହେ ଧୀରେ ।

ସେହି ସମୁଦ୍ର-ଭାବ ବିଧିରେ ।

ନଳ-ଚନ୍ଦ୍ର ନୃପ-ପରିଧିରେ ।

ସମାଦରେ ଗ୍ରହିଲେ ସ୍ୱକରେ । ୬୭ ।

 

ଅନବରତ ଅର୍ଥୀସାର୍ଥ-ପ୍ରାର୍ଥନ-ପୂରଣେ ଯେ କଳ୍ପବୃକ୍ଷ ।

ବସୁନ୍ଧରା-ବରବର ସେ ଭୂପାଳ ଭୁଜ-ମୂଳରେ ପ୍ରତ୍ୟକ୍ଷ ।

ହେ ଧୀର ।

ବିରାଜଇ କଙ୍କଣ ଯୁଗଳ ।

ଆସେ ଚିତ୍ତେ ଏମନ୍ତ ବିଚାର ।

ସେ କି ସେ ବୃକ୍ଷର ଆଳବାଳ । ୬୮ ।

 

ସେ ଭୁଜମଣ୍ଡକ ଭୂଷଣେ ଅନେକ ହୀରକ ମାଣିକ୍ୟ ଛନ୍ତି ।

ତାଙ୍କର ଅରୁଣ ଶୁକଳ କୀରଣ ଦିଶ-ବିଦିଶେ ବ୍ୟାପନ୍ତି ।

ହେ ଘେନ ।

ଦିଶ-ବିଦିଶ-ଜୟ-ବିଜନ୍ୟ ।

ପରତାପ-କୀର୍ତ୍ତିକି ରାଜନ ।

କରେ କରୁଛନ୍ତି ବରଷଣ । ୬୯ ।

 

ସମସ୍ତ-ଶରୀରେ ରତନ-ନିକରେ-ନିଘଞ୍ଚେ ତ କଞ୍ଚୁକିତ ।

ସେ ମଣିମଣ୍ଡଳେ ସ୍ୱବିମ୍ୱ ସୁଢ଼ଳେ ହୁଅଇ ପ୍ରତିବିମ୍ୱିତ ।

ହେ ଧୀରେ ।

ଏଣୁ ସେବକ-ଧରା ମୁକୁରେ ।

ନାହିଁ ଆଦର ନୃପ-ପାଶରେ ।

ବେଶି ପ୍ରୟୋଜନ କିସ ତାରେ । ୭୦ ।

 

ନାନାବିଧ-ବିଭୂଷଣେ ବିଭୂଷିତ ନଇଷଧପତି-କାନ୍ତି ।

ଦେଖୁ ନ ଥିଲେ କେବଳ ଦରଶକେ ହୋଇ ଅତି ତୋଷ ମତି ।

ହେ ଜନେ ।

ଅଙ୍ଗ-ଲାଗି ଅଳଙ୍କାରମାନେ ।

ଦେଖାଦେଖି ଆପଣା ଆପଣେ ।

ହେଉଥିଲେ ରତନନୟନେ । ୭୧ ।

 

ବେଶସାରି ରଣ-କ୍ଷତାରି କ୍ଷିତୀଶ ଜୟଦ୍ରଥ ରଥେ ବିଜେ ।

ଚଳାଇବାକୁ ସେ ସ୍ୟନ୍ଦନ ସାରଥି-ବର ବାର୍ଷ୍ଣେୟ ବିରାଜେ ।

ହେ ଧୀରେ ।

ରାଜେ କିରୀଟ ସମ୍ରାଟ ଶିରେ ।

ସେ କି ପୃଥାତନୟ ସେ କାଳେ ।

ଜନ୍ୟ ( ବିଧୁତଯୁଦ୍ଧ ) ପାଇଁ ଯାତ୍ର ଆରମ୍ଭଲେ । ୭୨ ।

 

ସେ ଉଜ୍ଜ୍ଵଳରୂପ ନୃପର ଲୋକନେ ବିଦର୍ଭ-ନାମ ଅମର- ।

ପୁରର ବାନାରୀଏ ଅପସରି ବାସୁଁ ଅପସରୀ-ତୁଳ ।

ହେ ଧୀରେ ।

ବେଶ ସମ୍ପାଦି ବହୁ ବିଧିରେ ।

ଥିଲେ ବିଭୂଷି ସର୍ବବିଧିରେ ।

ଅପେକ୍ଷାରେ ରହିଥିଲେ ସ୍ଥରେ । ୭୩ ।

 

ନୃପ-ଦରଶନେ ଉତ୍ସୁକୀ କେ ବାଳୀ ନିଶ୍ଚଳେ ଅନାଇଁଥିଲା ।

ଏକାଳେ ଅନିଳ ଅନୁକୂଳେ ବହି ତା ସ୍ତନାଂଶୁକ ହରିଲା ।

ହେ ଧୀରେ ।

ନୃପ-ବିଜୟ-ହେବା-ବିଧିରେ ।

ବାଳୀ ମଙ୍ଗଳାରୋପ କି କରେ ।

ବାଢ଼ି ମଙ୍ଗଳକୁମ୍ଭ-ସମ୍ଭାରେ । ୭୪ ।

 

ତହିଁ କେ କାହାକୁ ସଖି ଦେଖ ବୋଲି ଭୁଭୃତେ ଦେଇ ଦେଖାଇ ।

ଖରେ କର ଟେକୁଁ ରତନଦନ୍ତୁର କଙ୍କଣେ ଲାଗି ଛିଡ଼ଇ ।

ସେ ହାର ।

ତହୁଁ ପଡ଼େ ମୁକୁତା-ପ୍ରକର ।

ସେ ତ ଲାଜାବର୍ଷଣ ପ୍ରକାର ।

ନରପତି ବିଜୟ ବେକର । ୭୫।

 

ନଖ-ଆଦରଶ ମୁଖ-ତାମରସ ସ୍ମତ ବିକଚ-ପ୍ରସୂନ ।

ବାଣୀ ମଧୁ ପାଣି ପଲ୍ଲବ ଏ ଆଦି ଶୁଭ ଅନୂକୁଳମାନ ।

ହେ ଧୀର ।

ଚିନ୍ତି ନୃପତି-ବିଜୟ ବେଳ ।

ଥିଲେ ବାଢ଼ ପଥ ପାରୁଶର ।

ସୁଚତୁରୀ ନାରୀ ସେପୁରର । ୭୬ ।

 

କେ ନାୟିକା ଏକା ହୋଇ ଉଭା ଦେଖାପାଇବାକୁ ନୃପଙ୍କର ।

ଏକାଗ୍ରେ ଅନାଇଁଥିଲା ଚାନ୍ଦମୁହୀଁ ଏକାଳେ କର ତାମ୍ୱୁଳ ।

ହେ ଧୀର ।

ମୁଖେ ଦେଉଁ ଭ୍ରମ ବଶେ କର- ।

ଲୀଳାପଦ୍ମ ପଶେ ମୁଖେ ତା’ର ।

ସେ ଫଳ ତା ମୁଖେ ଶତ୍ରୁତା-ର । ୭୭।

 

ଗହଳେ ପଶି କେ ବାଳୀ ଏକମନେ ନୃପବିଜେ ଦେଖୁଥିଲା ।

ଏକାଳେ ବଦନ ତା’ର ବଳେ ଆସି ଯାରପୁରୁଷ ଚୁମ୍ୱିଲା ।

ହେ ଘେନ ।

କେହି ନକଲେ ତାହା ଲୋକନ ।

ଯେଣୁଥିଲେ ସର୍ବେ ଆନମନ ।

ହେଲା ସେ ବାଳା-ଦୃଷ୍ଟିବାରଣ । ୭୮ ।

 

ଆଲୋକସାମାନ୍ୟା ରୂପସୀ କେ ଧନ୍ୟା ପଳକପତନ-ହୀନ ।

-ନୟନେ ନରପତିବର-ବିଜୟ କରୁଥିଲା ବିଲୋକନ ।

ହେ ଘେନ ।

ପଦାଙ୍ଗୁଷ୍ଠେ ମହୀ-ପରଶନ-।

ମାତ୍ରେ ବହିଥିଲା ନାରୀନାମ ।

ନୋହିଲେ ସେ ଅପ୍‌ସରୀ ନିଦାନ । ୭୯ ।

 

ଭୂଷା ଖସିବାର ଜଣାଇବା ପାଇଁ କେ କା’ର ଗାତ୍ର ଟିପଇ ।

ତହିଁରୁ ତା ସେ ନ ପାରିବାରୁ ବାରି କରେ ଦିଏ ଦୋହଲାଇ ।

ହେ ଧୀର ।

ନୃପ-ଦର୍ଶନ-ପ୍ରମୋଦପୂର ।

ଅଙ୍ଗେ ନ ସମ୍ଭାଇବାରୁ ତା’ର ।

ସହି ହଳାଏ କି ତା ଶରୀର । ୮୦ ।

 

ଅନନ୍ୟମନେ ତ ବନିତାଏ ନୃପବିଜୟ ବିଲୋକୁ ଥିଲେ ।

ଅବତଂସୀ-କୃତ ନୀଳୋତ୍ପଳ-ନେତ୍ର-ଜାଳେ ତାଙ୍କ ଶ୍ରୁତିମାଳେ ।

ହେ ଘେନ ।

କରୁଥିଲେ କି ଏକାଗ୍ରବନ ।

ହୋଇ ସେକାଳ ଶୋଭା ଦର୍ଶନ ।

ଘେନା ନ କରି ଆନ ବଚନ । ୮୧ ।

 

ବିବିଧ ମଣିରତନେ ପଦୁଁ ଶିର ପରିଯନ୍ତେ କଞ୍ଚକିତ ।

ଭୂଭୃତେ ଅନାଇଁ କେ ଯୋଷିତ-ବର ଭାଳଇ ଏମନ୍ତ ଚିତ୍ତ ।

ହେ ଧୀରେ ।

ଏ ତ ବହୁପୁଣ୍ୟେ ଜଗତରେ ।

ସାର୍ବଭୌମ, ତେଣୁ ରତ୍ନଛଳେ ।

ରାଜନ୍ତି ଅପକ୍ଷ୍ମ-ନେତ୍ରବାରେ । ୮୨ ।

 

‘ନାରୀତାପ୍ରାପ୍ତ ସୁଦ୍ୟୁମ୍ନସୁତ ପୁରୁରବା ଯେ ଉର୍ବଶୀଷତି ।

ଏ ବର-ଶୋଭାର ଅଂଶ ତ ତାଙ୍କର ତନୁରେ ନ ଥିବ ରତି’ ।

କେ କହି ।

ହରକୋପେ ମାର ଭସ୍ମ ହୋଇ ।

ତାର ଶୂନ୍ୟ ସିଂହାସନ ପାଇଁ ।

ନିର୍ମାଣିଲା କେ ଏହାକୁ କହି । ୮୩ ।

 

କେ କହେ “ଏହାଙ୍କ ପାଇଁ ସୁରନାଥେ ଜେମା ତେଜିବା ଉଚିତ ।

ଏ ବରେ ବରୁଁ ସୁମନା ହୋଇ କେବେ ଦୁର୍ମନା ହେବା କି ମିତ ।

ଗୋ ହେଲା ।

ଆମ୍ଭେ ସହିବା ଏହାକି ଭଲା ।

ଜେମା ଆମ୍ଭତ ଗୁଣୀଚିହ୍ନରା ।

ଠିକ ତା ନେତ୍ରେ ପଡ଼ିଛି ଧରା । ୮୪ ।

 

ଏ ବର-ଗଳେ ବରମାଳା ଦେଖି କି ଦେବଙ୍କ ଛାତି ସହିଲା ? ।

ବିଦାରିଦେବାକୁ ଛୁରିକା କି ତାଙ୍କ କଟିତଟରେ ନ ଥିଲା ।

ଗୋ ସହି ।

ଏଣୁ ବ୍ୟର୍ଥେ ଫେରି ସୁରସାଇଁ ।

ଶଚୀ-ବଦନେ ଚାହିଁବେ କେହି ।

ସେ ତ କ୍ଷୋଭେ ଥିବ ବକ୍ର ହୋଇ । ୮୫ ।

 

ପ୍ରମୋଦୁଁ କୀର୍ତ୍ତି ବଡ଼ ବୋଲି ଶଚିର ସପତ୍ନୀ ନୋହିଲା ଜେମା ।

ଉଚିତ ସେ କଲା ବିଚକ୍ଷଣା-ପଣେ ପରଶେ କେ ତା’ର ସୀମା ।

ଗୋ ସଖି ।

ଶଚୀଚରିତେ କେ କାବ୍ୟ ଲେଖି ।

ଏହା ଚରିତ ଶ୍ରୁତିରେ ରଖି ।

ଏଥି କାବ୍ୟ କେ ନ କରିବେ କି ? । ୮୬ ।

 

ପୂର୍ବଜନ୍ମ-ଜମା ଜେମାର ସୁକୃତେ ଏ ମଦନ ମର୍ତ୍ତ୍ୟେ ଜାତ ।

ଦିଶେ କି ସୁନ୍ଦର ଯା’କୁ ପୁରନ୍ଦର ନ ପାଇ ସନ୍ତପ୍ତ ଚିତ୍ତ ।

ଗୋ ସହି ।

ସେହି ଭୀମରାଜା-ଜେମାଦେଇ ।

ଏକା ଏହା ସଙ୍ଗକୁ ଶୋଭଇ ।

ମିଶି ଦୁହେଁ ଯିବେ ଏକ ହୋଇ । ୮୭ ।

 

ଏ ବେନିଙ୍କ ଯୋଗେ ସ୍ତ୍ରୀ-ପୁଂସ-ସଂଯୋଗ-ଅଭ୍ୟାସ ଧାତାର ସିଦ୍ଧ ।

ଦମ୍ପତି-ପ୍ରେମବିଧାନେ ରତିପତି ଯାହା କରୁଥାଇ ସଧ ।

ଗୋ ସହି ।

ତା’ର ସେ ଶ୍ରମ ସାର୍ଥକ ହୋଇ ।

ଏ ଦୁହିଁଙ୍କି ଦେବାରୁ ମିଳାଇ ।

କେହି ଅଯୋଗ୍ୟ କାହାର ନୋହି । ୮୮।

 

ଜ୍ୟେଷ୍ଠ-ପୂର୍ଣ୍ଣିମାରେ ସ୍ନାନ-ବେଦିକାରେ ଯେ ଦେଖିଥିବ କେଶବେ ।

ଅଘଘାତି ମାଘେ ତ୍ରିବେଣୀ-ସଙ୍ଗମେ ଯେବା ସ୍ନାନ କରିଥିବେ ।

ଗୋ ସଖି ।

ପୂର୍ବେ ପାରିବେ ଏ ବରେ ଦେଖି ।

ଆନ ନାରୀଏ ଏ ବର-ଆକ୍ଷି- ।

ପକ୍ଷ୍ମ-ଚାମରେ ହୋଇବେ ସୁଖୀ । ୮୯ ।

 

ଭୂପତିସୁତାର ଅତୀତ ଚରିତ୍ର ତା ସଉଭାଗ୍ୟକୁ ସାକ୍ଷୀ ।

ଇନ୍ଦ୍ରତ୍ୟାଗୁଁ-ସୁଖୀ-ଶଚୀ-ବରଦାନ ଯାଇଛି ମିଶି ତହିଁ କି ।

ଗୋ ସହି ।

ଏତ ମହୀମହେନ୍ଦ୍ର ବୋଲାଇ ।

ୟାଙ୍କ ତୁଲକୁ ସେ ଭଲ ଶୋହି ।

କେ ଅଧିକ ଊଣା ନୁହେଁ କେହି । ୯୦ ।

 

ବାରଣଗମନୀ ବରଣପାଇଁକି ସଭାରେ ଦେବଙ୍କୁ ତୋଷି ।

ବରିଲା ଏ ବର ଦେଲା ନୃପଙ୍କର ଅପତ୍ରପା-ଭୟ ନାଶି ।

ଗୋ ସହି ।

ଦେବେ ଥିଲେ ତ ପ୍ରସନ୍ନ ହୋଇ ।

ତେଣୁ ତାଙ୍କୁ ଲାଜ ରୋଷ ଦୁଇ ।

କେଉଁ ବାଗେ ନ ପାରିଲେ ଛୁଇଁ” । ୯୧ ।

 

ଉଦୟ ପର୍ବତ ଆଶ୍ରି ତାରାକାନ୍ତ-ବତ ରକ୍ତ ହସ୍ତ ନଳ ।

ସୁଖଦାୟୀ ରଥେ ଆରୋହି ଚଳନ୍ତେ ତାଙ୍କ ଅଙ୍ଗ-ଅଳଙ୍କାର ।

ହେ ଧୀରେ ।

ଦେଖି ପୁରନାରୀ ଏ ପ୍ରକାରେ ।

ହେଉଥିଲେ କଥା ପରସ୍ପରେ ।

ଆସୁଥିଲା ଯାହା ଯା ମନରେ । ୯୨ ।

 

ହୀର-ମଲ୍ଲଦେବୀ-ସନ୍ତାନ ଶ୍ରୀହର୍ଷ ସରସ-ସାଗର-ସାର ।

-ସୁଧାକୁ ସମ୍ପାଦି ରଖିଛନ୍ତି ବାନ୍ଧି ନାମ ନଇଷଧ ଯା’ର ।

ହେ ଧୀରେ ।

ଗୋପୀନାଥ ତାହା ଗୀତ କରେ ।

ଚିନ୍ତି ହରଷେ ହର୍ଷପଦରେ ।

ଧର୍ଷେ କାଳି ଯେ ପ୍ରଣମି ତାରେ । ୯୩ ।

-------

 

Unknown

ଷୋଡ଼ଶ ଛାନ୍ଦ

ରାଗ-ବଙ୍ଗଳାଶ୍ରୀ ।

ଶୁଣ ଜନେ ପୁରୋ-            ହିତେ ପୁରସ୍କାର

ଉଭୟ ମତରେ କରି ।

ସଖା ସଙ୍ଗେ ରଥ                   ରୋହି ଚଳିଲେ

ନଳ ବିଦର୍ଭେଶ ପୁରୀ ।

ସୁନ୍ଦରୀଏ ଇନ୍ଦୁପ୍ରଭ             ସୁନିର୍ମଳ ଚାମର

ଚାଳନ୍ତି ଧୀରେ ।

ସେ ଚାମର-ଗୁଣ                   ଅଙ୍ଗ-ଆଭରଣ-

ରତ୍ନେ ପ୍ରତିଫଳୁ ଥିଲେ । ୨।

ତା ଦେଖି ଏମନ୍ତ             ବିଚାରକୁ ଚିତ୍ତ

ଆଦରେ ଦରଶକର ।

ସେ ନୃପେ କି ନିଜ            -ସୁଗୁଣ-ସମାଜ

ସେବୁଥିଲେ ନିରନ୍ତର ।

ଉତ୍କୃଷ୍ଟ-ବେଶ-            ଭୂଷିତ ବରଯାତ୍ରି

ଯାଉଥିଲେ ନୃପ-ଆଗେ ।

ତେଣୁ ସେ ସୁନାସୀର             ସୁନାଶିରତା ରୁଢ଼ି

ଏକା ଇନ୍ଦ୍ରଭାଗେ ।

 

ଏକେ ତମୀ ବିଭାବରୀ             ତା ଶ୍ୟାମାଭା

ସୈନ୍ୟପଦରଜେ ବଢ଼େ ।

ସାମନ୍ତନୃପତି-            ଶିର ରତ୍ନଜ୍ୟୋତି

ତହିଁ ବିରାଜନ୍ତି ଗାଢ଼େ । ୫।

 

ଦୀପ ଦିହୁଡ଼ି ହୁଳା             ଆଦି ଯେତେକ ସେ

ବରଯାତ୍ରାରେ ଥିଲା ।

ଏ ରତନ-ଆଭା             ଲଭି ତାଙ୍କ ପ୍ରଭା

ଶତଗୁଣେ ବିକଶିଲା ।

 

ଶୁଭବେଳ ବଳିଯିବା             ଭାଳି ଭୀମନୃପ ଯେ

ଭୂପତି-ବାରେ ।

ଏକପରେ ଆନ             ପେଷୁଥିଲେ ମିଶୁଥିଲେ

ସେ ନଳସେନାରେ ।

 

ଏହିମତି ବର-କନ୍ୟା            -ସପକ୍ଷର ଉଭୟ

ଜନତା ମିଳି ।

ହୋଇଗଲା ଦେଶ                   ନିଘଞ୍ଚ ବିଶେଷ

ଧୂଳି ନ ଗଳିବା ଭଳି । ୮ ।

 

ସେ ବରଯାତ୍ରାର                   ଉପର ଅମ୍ବର

ଦିଶଇ ବନସ୍ତ-ବତ ।

ବହୁବିଧ-ବର୍ଣ୍ଣ-ରଞ୍ଜିତ            -ପତାକା-ବ୍ରତତି

-ବ୍ରାତେ ପୂରିତ । ୯ ।

 

ସେ ନେତେ ବହୁ                   ବାରଣ-ବ୍ୟାଘ୍ର-ସିଂହ

ମୂର୍ତ୍ତିମନ୍ତ ହୋଇଛନ୍ତି ।

ଚଳନ୍ତି ବାତ-କମ୍ପନେ             ସ୍ଫୀତ ହୋଇ ସାଦୀ

-ଧ୍ୱଜ--ବୃକ୍ଷପନ୍ତି । ୧୦ ।

 

ଏକାଳେ ବାରଣ                  -ଶ୍ରବଣ-ବ୍ୟଜନ-

ଜନିତ-ବାତ-ଚାଳିତ ।

-ତୋରଣମାଳ-                  ଭୁରୁଲତା ନଚାଇ

ବିଦର୍ଭ-ଅବନୀଭୃତ । ୧୧ ।

 

-ପୁର ପ୍ରତି-ହାର                  -ଭୂମି ନୃପଜାର

ହୋଇ ଦୂତୀ ପରକାର ।

ଠାରି ଡାକିବାର                   ଚାତୁରି ନୃପର

ହେଲା ନୟନ ଗୋଚର । ୧୨ ।

 

 

ଲୁକିତ ପଲ୍ଲବେ ଗୁରୁ             ରମ୍ଭାତରୁ-ଯୁଗ

ପ୍ରତିହାର-ମହୀ ।

ନୀଳ ବସନା ସଖିବତ             ଜେମାର ଅତି

ରୁଚିର ଦିଶଇ । ୧୩ ।

 

ନଳ-ଆଗମ ବାରି             ତୁରୀ ବାଜିଲା ତା ଶୁଣି

ବିଚାର ହେଲା ।

ପ୍ରତିହାର-ମହୀ-                  ସହି କି ନୃପଙ୍କୁ

ସ୍ୱାଗତ ସମ୍ଭାଷୁ ଥିଲା । ୧୪ ।

 

ବେନି ପକ୍ଷୁଁ ବେନି             ମହାରାଜ ଯେଣୁ

ଆପେ ଥିଲେ ଉପସ୍ଥିତ ।

ତେଣୁ ବେନି ସୈନ୍ୟ             ହିଂସା ଦ୍ୱେଷମାନ

ମନୁ କରିଥିଲେ ତ୍ୟକ୍ତ । ୧୫ ।

 

କେବଳ ବେନିଙ୍କ ସୁଖ            -ସମ୍ଭାଷଣେ ହେଲା

ମହା କୋଳାହଳ ।

ତା ତୁଳକୁ ସିନ୍ଧୁ                  -ଗଭୀର ଗର୍ଜନ

ଶଇଳ ତୁଲେ ଉପଳ । ୧୬ ।

 

 

ବନ୍ଧୁଙ୍କୁ ବସାଇ                   ଅର୍ଦ୍ଧପଥ ଯାଇ

ଦମ ଦମୟନ୍ତୀ ଭ୍ରାତ ।

ପହଣ୍ଡ ମଣାନ୍ତି                   ନଳଙ୍କୁ ନୃପତି

ଭୀମ ଦେଖି ତୋଷ ଚିତ୍ତ । ୧୭ ।

 

ତହୁଁ ନଳେ ଦେଖି                   ହୋଇ ମହାମୁଖୀ

ଉଠି ଭୀମ ମହୀପତି ।

କର ପ୍ରସାରି ପାଛୋଟି            -ବାର-ପାଇଁ ଅତି

ଆଦରେ ଗମନ୍ତି । ୧୮ ।

 

ସେକାଳେ-ଶୋଭା             ଏମନ୍ତ ଦିଶେ ଅବା

ସୁରନଦୀ-ନୀରପୂର ।

ଗ୍ରହିବାକୁ କି ସାଦରେ             ସରସ୍ୱାନ ପ୍ରସାରେ

ତରଙ୍ଗ କର । ୧୯ ।

 

ବହୁ-ବାହିନୀ-ଇଶ୍ୱର             ସେ ଭୂଭୃତପତି

ଅତି ମୋଦମନେ ।

ଲକ୍ଷ୍ମୀ କନ୍ୟାକୁ ଶିବ             ପୁରୁଷୋତ୍ତମ ନଳେ

ଦେଲେ ସୁବିଧାନେ । ୨୦ ।

 

 

ବିଦର୍ଭରାଜ ପ୍ରଦତ୍ତ             ମଧୁପର୍କ ନଳ

ଯା କରନ୍ତି ପାନ ।

ତା ଦେଖି ଭବିଷ୍ୟଦର୍ଶୀ             ଦରଶକମାନେ

ବିଚାରନ୍ତି ମନ । ୨୧ ।

 

ପରେ ନରପତି                   କୁମାରୀ-ଅଧର-

ମଧୁ ପାନ କରିବାର ।

-ପୁଣ୍ୟାହ ବାଚନ             ପୂର୍ବରୁ କଲେକି ନଳ

ମହୀପାଳ-ବର । ୨୨ ।

 

ପର-ବିଘାତ-ବିଧାନ            -କଉତୁକୀ ସର୍ବଦା

ତ ବରକର ।

ବଧୂପାଣି ପଙ୍କଜର             ଚାରୁକାନ୍ତି-ସମ୍ପତ୍ତିର

ତ ତସ୍କର । ୨୩ ।

 

ସେ ବିଦର୍ଭପତି                         ନ୍ୟାୟ       ପରାୟଣ

ତାଙ୍କ ରାଜ୍ୟେ ଖଣ୍ଟଚୋରେ ।

ରହନ୍ତେ କେହି                   କର୍କଶ କୁଶେ ତେଣୁ

ଏକତ୍ରେ ବନ୍ଧା ହୋଇଲେ । ୨୪ ।

 

 

ନଳକର-ପରେ                   ନୃପଜାରକର

ରହିବାର ଦେଖି ଆଳୀ ।

ହସିଲେ ଜାୟାପତିର             ଭବିଷ୍ୟତ-ପୁଂସାୟିତ

-ଭାବ ଭାଳି । ୨୫ ।

 

ଯକ୍ଷସଖ୍ୟ ବଶୁଁ                   ଲବ୍‌ଧ ସର୍ବପ୍ରଦ

ଚିନ୍ତାମଣି ହାର ହର ।

‘ଭୀମ’ ନାମ ସାମ୍ୟୁ             ସଖାଭାଳି ଭୀମେ

ଦେଇଥିଲେ ପୁରସ୍କାର । ୨୬ ।

 

ସେ ହାର ତ ନରେ             ଦୁର୍ଲ୍ଲଭ ସର୍ବଦା

ବହନ୍ତି ତାକୁ ଅମରେ ।

ତାହାକୁ ବିଦର୍ଭପତି             ଜାମାତାର ଦେଲେ

ଲମ୍ୱାଇ ଗଳାରେ । ୨୭ ।

 

ବରେ ବିତରିବା                  ପାଇଁ ସଂଗୃହୀତ

ବହୁତ ମହାର୍ହଦ୍ରବ୍ୟ ।

-ପ୍ରତିବିମ୍ୱ ସେ ମାଳରେ             ପଡ଼ି ବହିଥିଲା

ଏମନ୍ତ ସମ୍ଭର୍ବ । ୨୮ ।

 

 

ଯାଚକଯାଳେ                   ବିତରିବାରପାଇଁ

କି ଅବା ସେ ହାରବର ।

ସଂସାର ଲୋଡ଼ି                   ସାରଯାଳ ସଂଗ୍ରହ

ରଖିଛି ନିଜ ଗର୍ଭର । ୨୯ ।

 

ଶମ୍ଭୁ -ସଂଭୋଗେ                   ତର ନୋହୁଁ ସ୍ୱାମିର

ନାମ ସାମ୍ୟୁ ବିଦର୍ଭେଶେ ।

ମହିଷବିନାଶୀ                   ଭାସ୍ୱର ଅସିକି ଶିବା

ଦେଇଥିଲେ ତୋଷେ । ୩୦ ।

 

ଇଷତ ସ୍ମିତ                   ସହିତରେ ସେ

ଚନ୍ଦ୍ରହାସକୁ ଭୀମ ଭୂପତି ।

ଜାମାତା ନିଷଧ                  -ଈଶ୍ୱର ନଳର

କରେ ଅର୍ପିଲେ ଝଟତି । ୩୧ ।

 

ମହିଷେ ନାଶିବା                   ପାଇଁ କି ପରାଣବିଦାରୀ

ଯେଉଁ କୃପାଣ ।

ବାମେତର-କଟି                  -ଦେଶେ ଭବାନୀର

ହୋଇଥିଲା ଲମ୍ୱମାନ । ୩୨ ।

 

 

ହରବାମଅଙ୍ଗେ                   ସ୍ୱ ଦକ୍ଷିଣ ଭାଗେ

ମିଶନ୍ତେ ସେ ମହାଦେବୀ ।

ଦକ୍ଷକଟି-ତଟ                  -ବିଲମ୍ୱି କୃପାଣ

ଅସଜ ହୋଇବା ଭାବି । ୩୩ ।

 

ତାକୁ ବିଦର୍ଭ ଭୂପଙ୍କୁ             ଦେଇଥିଲେ ସେ ଏବେ

ତା କନ୍ୟାତୁଲେ ।

ନିଷଧ-ଅଧୀଶ-କରେ             ସମର୍ପିଲେ ଅତି

ଉଲ୍ଲାସେ ସତ୍ୱରେ । ୩୪ ।

 

ଉଦୟ-ପର୍ବତ-ଶୋଭା             ସେ ବହଇ ଶୋଭି

ଲତା-ପତ୍ର-ଚିତ୍ରେ ।

ଶାଣିତ ତୀକ୍ଷ୍ଣ                   ଉଜ୍ଜ୍ୱଳ ଧାର ଦିଶେ

ମଣ୍ଡିତବତ ପ୍ରପାତେ । ୩୫ ।

 

ହତଶତ୍ରୁ ରକ୍ତେ                   ରଞ୍ଜିତ ହୋଇଣ

ବହିଥାଏ ସନ୍ଧ୍ୟାରାଗ ।

ସ୍ୱଶୌର୍ଯ୍ୟ-ସୂର୍ଯ୍ୟ                  -ଉଦୟପାଇଁକି ସେ

ଯଥାର୍ଥ ଉଦୟ-ନଗ । ୩୬ ।

 

 

କନ୍ୟା-ପ୍ରାର୍ଥନା                  ପାଇଁକି ନିଜ ଜିହ୍ୱା

ଯମ ପଠାଇଲା ପରି ।

ଯା’ର ଅନନ୍ୟ                   -ସାଧାରଣ ଆକୃତି

କରେ ପ୍ରକାଶ ଚାତୁରୀ । ୩୭ ।

 

କର ଗ୍ରହଯୋଗ୍ୟା             ପରିବାରବତୀ ସେ

ଅସିପୁତ୍ରୀକି ନୃପ ।

ଜାମାତା-ନଳ-ଭୂପାଳ            -କରେ ଦେଇ ଲଭିଲେ

ତୋଷ ଅମାପ । ୩୮ ।

 

ସମର-ସ୍ଥଳ-                  ସ୍ଥଣ୍ଡିଳ-ଶାୟୀବ୍ରତେ

ଅରାତିବ୍ରାତେ ସେ ଛୁରୀ ।

କରାଇ ଦୀକ୍ଷିତ             ଦକ୍ଷିଣା-ସ୍ୱରୂପ ତାଙ୍କ

ନାରୀ-କୃଚପାଳି- । ୩୯ ।

 

ପତ୍ରାବଳି ପୁଣି             ନୟନ-କଜ୍ଜ୍ୱଳ ଲଭି

ନିଜ ବେନିପାଶେ ।

ବହିଲା-ପରି ତା                   ଧାରର ମଧୁତ୍ଥବୋଳ

ଶୋଭା ପରକାଶେ । ୪୦ ।

 

 

କନ୍ୟା-କାମୁକ                   ପାବକ ସୁହୃଦତା

ଦେଖାଇବାର ପାଇଁକି ।

ଦେଇଥିଲେ ଯେଉଁ             ରଥ ଉପହାର

ବିଦର୍ଭ-ନରସାଇଁକି । ୪୧ ।

 

ଅଦ୍ରି-ସମୁଦ୍ରାଦି                   ଦୁର୍ଗମ ପଥରେ

ନୁହଁଇ ରୁଦ୍ଧ ଯା ଗତି ।

ସେ ରଥ ଜାମାତା             କରେ ସମର୍ପିଲେ

ଭୀମ-ନୃପ ମହାମତି । ୪୨ ।

 

ପୁଷ୍ପକବତ ସେ                   ମହାରଥ ଶୋଭା

ନଳକୁବର-ସଂଯୋଗ ।

ବର ସାରଥିର                   ଅଧିଷ୍ଠାନେ ଚାରୁତର

ଦିଶେ ପୁରୋଭାଗେ । ୪୩ ।

 

ମନ୍ଥନକାଳେ                   ସାଗର ପୁରନ୍ଦରେ

ଉଚ୍ଚୈଃଶ୍ରବାରେ ପ୍ରତାରି ।

ବର-ତୁରଗକୁ                   ସ୍ୱପ୍ରଭୁ ବରୁଣେ

ଥିଲେ ଉପହାର କରି । ୪୪ ।

 

 

ବନ୍ଧୁତାପାଇଁ ବରୁଣ             ତାକୁ ଭେଟିଥିଲେ

ଭୀମ ନୃପପାଶେ ।

ସେ ଏବେ ତାକୁ ନଳ             କରେ ଯୌତୁକରୂପେ

ସମର୍ପିଲେ ତୋଷେ । ୪୫ ।

 

 

ଦ୍ରୁତଗତିରେ ସେ ଦୂରେ             ଦୂରକରି ନ ପଡ଼େ

କା ନୟନରେ ।

ଫେରନ୍ତେ ପୂର୍ବଧପଟ            -ଧୂଳିଜାଳେ କେ ତାକୁ

ଦେଖି ନ ପାରେ । ୪୬ ।

 

ଭୀମେ ଇନ୍ଦ୍ରର ଆଦର             ଦେଖି ବିଶ୍ୱକର୍ମା

ଏକ-ମରକତ- ।

ବିନିର୍ମିତ ପିକ                  -ଦାନୀଏ ସେ ନୃପେ

କରିଥିଲେ ଉପହୃତ । ୪୭ ।

 

ତାକୁ ବିଦର୍ଭ-ନର                  -ଈଶ ଜାମାତା-କରେ

କଲେ ସମର୍ପଣ ।

ଦରଶକ-ଲୋକ-            ଲୋଚନ-ତର୍ପକ ଯା’ର

ଅରୁଣ କିରଣ । ୪୮ ।

 

 

ତାମ୍ୱୂଳବିଳାସୀ-ନଳ            -ମୂଖୋଦ୍ଗୀର୍ଣ୍ଣ ଲୋହିତ

-ପୂଗ-ଶକଳେ ।

ପୂର୍ଣ୍ଣପରି ଦିଶୁଥିଲା,             ଶୂନ୍ୟଗର୍ଭ ବୋଲି

ସେ ପରେ ବାରିଲେ । ୪୯ ।

 

ଶିବ-ଭକତ ମୟଦୈତ୍ୟ                   ସ୍ୱପ୍ରଭୂ-ନାମ-

ସମତା-ବଶରେ ।

ଭୀମେ ଯେ ବାସବ            -ନୀଳମଣି ଥାଳୀ

ଉପହାର ଦେଇଥିଲେ । ୫୦ ।

 

ସେ ଥାଳିକି ଏବେ             ଯଉତୁକ-ରୂପେ

ବିଦର୍ଭ-ଅବନୀପତି ।

ସ୍ୱସୁତା-ଦୟିତ-            କରେ ସମର୍ପିଲେ

ଅତି ହରଷିତ ମତି । ୫୧ ।

 

ବହନ୍ତେ ମୟୁର                   ପୁଚ୍ଛେ ଏ ଥାଳିର ବର୍ଣ୍ଣ

ସେ ବିଷେ ନମରେ ।

ହୋଇଥାନ୍ତେ କି                   ଶଙ୍କର ନୀଳକଣ୍ଠ

ଏ ଥାଳିରେ ଭୁଞ୍ଜିଥିଲେ । ୫୨ ।

 

 

ଦେଲେ ଗଜବର                   ମଦବାରି ତା’ର

ନିରତ ବରଷୁଥାଏ ।

ମେଘ-ସମାନ-                  ବର୍ଣ୍ଣରୁ ଦିଶୁଥାଏ

ଅଭ୍ରମାତଙ୍ଗ ପରାୟେ । ୫୩ ।

 

ଦୁର୍ବାସ-ଦତ୍ତମାଳକୁ             ଅନାଦରେ ଫିଙ୍ଗିବାରୁ

ଇନ୍ଦ୍ରକରୀ ।

ସେ ଅପରାଧେ                   କି ଏ ମର୍ତ୍ତ୍ୟମଣ୍ଡଳେ

ଜନ୍ମିଛି ସେ ଦେହ ଧରି । ୫୪ ।

 

ଆଗପଛ-କର୍ଣ୍ଣାଞ୍ଚଳ            -ଚାଳନେ କି

ଠାରୁଥାଏ ଗଜବର ।

ବଳ ଥିଲେ ଯୁଝ                   ନ ଥିଲେ ପଳାଅ

ଦିଗନ୍ତର ଆରପାର । ୫୫ ।

 

କୁମ୍ଭ-କୁଚବତୀ             ଶିରଶୀର ସ୍ୱେଦତତି

ବିନାଶିବାପାଇଁ ।

ଶ୍ରବଣ-ବ୍ୟଜନ ଚାଳି             କି ସେ ସ୍ତମ୍ଭେରମ

ତାକୁ ସେବୁଥାଇ । ୫୬ ।

 

 

ନିଜ-କୀରତି-ବ୍ରତତି             ବୀଜାଙ୍କୁର-ବତ

ତା ଦନ୍ତଯୁଗଳ ।

ଅରାତି-ଅକୀର୍ତ୍ତି-                  ଭଳି ଝଳି ଦିଶେ

ତାର ନୀଳ-ମଦଜଳ । ୫୭ ।

 

ଯଉତୁକେ ଦତ୍ତ                   ଗଜ-ବାଜି-ସାତକୁମ୍ଭ

-ଆଦି ଦ୍ରବ୍ୟମାନ ।

ସଂଖ୍ୟା କରିବାକୁ                   ନୋହିଲେ କ୍ଷମ କେ

ତହିଁ ଦରଶକଜନ । ୫୮ ।

 

ସେ ବିବାହେ ବାମ             ହୋଇଥିଲେ ଯେଉଁ

ହବ୍ୟବାହ ଜେମାଗୁଣେ ।

ଦକ୍ଷିଣ ସେ ହେଉଁ             ତାଙ୍କୁ ଅଗ୍ରେ ରଖି

କଲେ ନଳ ପ୍ରଦକ୍ଷିଣେ । ୫୯ ।

 

‘‘ଶିଳାପରି ସ୍ଥିରହୁଅ’’             ମତ୍ରଗିର କରି

ଏତେକ ଆଶୀଷ ।

ନିଜ-କଲ୍ୟାଣର                   ଲଘୁତା ଚିନ୍ତି କି

ନିଜେ ହୋଇଗଲା ଶେଷ । ୬୦ ।

 

 

ନରେ କରେ ପେଲି             ଦିଅନ୍ତେ ପଥରେ

ପଥୁ ସେ ଅପସରଇ ।

ମର୍ଯ୍ୟାଦାରୁ ତିଜେ             ବାଳୀକି ତ ଟାଳି

ନ ପାରିଲେ ସୁରସାଈଁ । ୬୧ ।

 

ଏକାଳେ ପୁରୋଧା             ଭୀମ-ମହୀପତି-ଦୁଲାଳୀ

-ଦୂକୂଳେ ନଳ ।

-ବାସ ଗଣ୍ଠି ପକାଇଲେ             ସେ ଜାଣନ୍ତି ଯେଣୁ

ସର୍ବ ସମାଚାର । ୬୨ ।

 

ସର୍ବଜ୍ଞତା-ପଣେ                   ଜାଣି ତ ଥିଲେ ସେ

ନଳନୃପ-ଭବିଷ୍ୟତ ।

ବସନ କାଟି                   ପ୍ରିୟାକୁ       ଏକା କରି

ପଳାଇଯିବେ ବନସ୍ତ । ୬୩ ।

 

ଧୃବ-ଦରଶନ             ପାଇଁକି ନୟନ

ଉର୍ଦ୍ଧ୍ୱେକରି ନିଷଧେଶ ।

ଭାଷନ୍ତି ‘‘ସୁମୁଖି ଦେଖ             ଗୋ ଏ ଧୃବ ବିରାଜେ

ଆକାଶ-ଦେଶ । ୬୪ ।

 

 

ଅତି ଉର୍ଦ୍ଧ୍ୱେବାସ                   ବଶେ ହୁଏ ଦୃଶ୍ୟ

ପରମାଣୁ ପରି ଏହି ।

ତଥାପି ଶାସ୍ତ୍ରରେ                   ମହିମା ଏହାର

କହୁଥିଲେ ନ ସରଇ । ୬୫ ।

 

ଏ ସତୀ ଅରୁନ୍ଧତୀ             ଆଗୋ ସୁଦତି ଦେଖ

ଦିଶେ କେଡ଼େ କ୍ଷୀଣ ।

ସତୀପଣେ ଏ ତୋ             ତୁଳ ନୋହିବାରୁ

ହେଲା କି ଏଡ଼େ ନିଉନ । ୬୬ ।

 

ଚିତ୍ତେ ମୋତେ ବରି                   ମୋପାଇଁ ବଳାରି-

ଆଶା ଯା ଦେଲୁ ବିନାଶି ।

ସେ ତେ ମହତ୍ୱ ଦେଖି                   ଲାଜେ ଏ ଏବେ ଶୂନ୍ୟୁ

ଶୂନ୍ୟେ ଯାଏ ମିଶି’’ । ୬୭ ।

 

ଲାଜା-ବନ୍ଦାପନା-                  ବେଳେ ବାଳୀକର

-ପଲ୍ଲବେ ସେ ସୁମମରି ।

ଶୂନ୍ୟେ ଉଡ଼ୁଁ ତାରା;             ଅଗ୍ନିରେ ପଡ଼ନ୍ତେ

ଦିଶେ ଦେବଦନ୍ତ ଭଳି । ୬୮ ।

 

 

ହୋମ-ଧୂମାବଳି             ବାଳୀଶର ଝଳି-

କପୋଳେ କସ୍ତୁରୀ-ଲେପ ।

ନେତ୍ରେ କଳା, କର୍ଣ୍ଣେ             ତମାଳ-କଳିକା

ଭାଲେ ଅଳକ-କଳପ । ୬୯ ।

 

ବର କନ୍ୟାଙ୍କର                   ସାତ୍ୱିକ-ବିକାର

ଜାତ-କର ଘର୍ମଜଳ ।

ଉତ୍ସର୍ଗ-ଜଳ             ସହିତ ମିଶିଯାଇ

ହେଲା ଗୁପତ ତତ୍କାଳ । ୭୦ ।

 

ସେ ସତ୍ୱ-ସମ୍ଭବ                   ନୟନା ଶ୍ରୁଲବ

ଭଲା ଉପାୟ ପାଞ୍ଚିଲା ।

- ହୋମଧୂମ-ବ୍ୟସ୍ତ-            ନେତ୍ର-ବାରି ମୁଁ ତ’

ବୋଲି ପରିଚୟ ଦେଲା । ୭୧ ।

 

ଅପରିମିତ ଦାତାପଣ             ଭୂଭୃତ-ଭୀମଙ୍କ

ଦେଖି ଦର୍ଶକ-।

ଲୋକଙ୍କ କଳେବରକୁ             ଆଶ୍ରାକଲା ନିବିଡ଼

ଲୋଯପୁଲକ । ୭୨ ।

 

 

ସେ ଦମ୍ପତିଙ୍କର                   ସାତ୍ୱିକ-ବିକାର

-ଜନିତ-ପୁଲକ-ପାଳି ।

ଲୋକ ଲୋଚନରୁ             ଲୁଚି କି ଦର୍ଶକ-

ପୁଲକରେ ଗଲା ମିଳି । ୭୩ ।

 

ବେଦବିହିତ             ବିଧାନମାନ ଅନୁଷ୍ଠିତ

ହେଲେହେଁ ସେକାଳେ ।

ସାତ୍ୱିକ-ସମ୍ଭବ             ଦମ୍ପତିଙ୍କ ସ୍ତମ୍ଭଭାବ

ନ ଟଳଇ ତିଳେ । ୭୪ ।

 

ସମିଧ-ଦୀପିତ             ଜ୍ୱଳେ ବୀତିହୋତ୍ର

ଜାୟାପତିଙ୍କ ପୂରତେ ।

ତଥାପି ତାଙ୍କ ଜଡ଼ତା             ଆଡ଼ କରି ନ ପାରେ

ତାପ କିଞ୍ଚିତେ । ୭୫ ।

 

ଶଚୀ-ସୁରପତି-            ବିବାହ ସମୟେ

ଗୁରୁ ପରି ପୁରୋହିତ ।

ନବଦମ୍ପତି-ବିବାହ                  -ବିଧି କଲେ

ନ ରଖି ତ୍ରୁଟି କିଞ୍ଚିତ । ୭୬ ।

 

 

ସରିଲା ବିବାହ                   ପୁରନାରୀଚୟ

ନଳେ କଉତୁକ ବାସେ ।

ବିଜେ କରାଇଲେ             କୌତୁକ-ରଚନ

-ପାଇଁକି ମହାହରଷେ । ୭୭ ।

 

ସେ ଯୁବା ଦମ୍ପତି                  -ନବ-ପ୍ରେମରୀତି

ବିଲୋକିବାପାଇଁ ଆଳୀ ।

ପୂରୁବୁଁ ସେ ପୁରେ             ସହସ୍ର ସଂଖ୍ୟାରେ

ରଚିଥିଲେ ଛିଦ୍ରାବଳି । ୭୮ ।

 

ସ୍ୱଭାବେତ ଜିଷ୍ଣୁ                   ନଳ ସେ ନିଳୟେ

କରନ୍ତେ ଯାଇଁ ବିଜୟ ।

ଦିଶିଲା ସେ ପୁର                   ସହସ୍ର-ନେତ୍ରର

ସଛିଦ୍ର ତନୁତ୍ର ପ୍ରାୟ । ୭୯ ।

 

ଲଜ୍ଜା ପ୍ରବଳତାବଶେ             ସେ ବନିତା ବର

ବେନି ପୂର୍ବପରି ।

ଜଠରାନଳେ ନ                   ପାରୁଥିଲେ ତୋଷି

ସନ୍ତୋଷ ଭୋଜନ କରି । ୮୦ ।

 

 

କେ କା’ର କାର୍ଯ୍ୟକୁ             ନିରୋଳେ ନିରୂପି

ନ ପାରୁଥିଲେ ଅନାଇଁ ।

ତ୍ରିରାତ୍ର ଯାପିଲେ                   ସଙ୍ଗତ ନ ହୋଇ

ସଙ୍ଗମ ସୁଖକୁ ଧ୍ୟାୟି । ୮୧ ।

 

ଏଣେ ଭୀମସୂତ                   କାହିଁବା ନେତ୍ରାନ୍ତ-

ଇଙ୍ଗିତେ ଠାରି ସ୍ୱଜନେ ।

ବରପକ୍ଷକୁ             ପରିହାସ କରାଇ

ଲଭନ୍ତି ହରଷ ମନେ । ୮୨ ।

 

ସୁର-ପୁରଚାରି-                  ନାରୀ ପରି ଗୋରୀ

ବାଳୀକୁଳେ ପରସାଇ ।

ଭୋଜନ ନିରତ                   ବରଯାତ୍ରୀ ଚିତ୍ତ

ଦେଲେ ଉଲ୍ଲାସ କରାଇ । ୮୩ ।

 

କାହାକୁ କହନ୍ତି,                   ‘‘ଆହେ ବରଯାତ୍ରୀ

ତୁମ୍ଭ ମନ ଅନୁସରି ।

ପରସନ୍ତୁ ଦିବ୍ୟ              ବ୍ୟଞ୍ଜନ ଅଞ୍ଜନ-

ବ୍ୟଞ୍ଜିତନେତ୍ରା ମୁନାରୀ’’ । ୮୪ ।

 

 

କହନ୍ତି କାହାରେ                   ‘‘ଆଗୋ ଆସ ଥରେ

ଏ ଅତି ତୃଷା ଆତୁର ।

କାମ ପୂର୍ଣ୍ଣ କରି                   ସର୍ବତୋ-ମୁଖରେ

ରଚ ତୋଷ ଏହାଙ୍କର’’ । ୮୫ ।

 

କେ ପ୍ରଗଳ୍ଭା ତହିଁ                   ବୋଲେ ବସୁ ଏହି

ହେ ଯାତ୍ରି ତୁମ୍ଭ ସମ୍ମୁଖେ’ ।

କରୁ ସେ ସମ୍ମତି,                   ବୋଲେ ହସି ଅତି

ତା ଗୁଦ କି ତୁମ୍ଭ ମୁଖେ’ । ୮୬ ।

 

କେ ପୁଂସ ବାଳୀ                  ଯୁଗଳେ ଚାହିଁ କହେ,

‘‘ତୁମ୍ଭେ ଏଣୀକ୍ଷଣୀ ବେନି ।

ଏ ମହା-ବିବାହ-                  ଉତ୍ସବେ ହେଲଣି

ଆସି ମୋହର ଭାମିନୀ’’ । ୮୭ ।

 

‘ମେ’ ଏ ଶଦ୍ଦ ଶୁଣି             ଏକ ବିଳାସିନୀ

ଭାଷେ, ‘ଆଜି ତୁ ଛାଗଳ’ ।

ଏତେ ବୋଲି ପୁଂସ             ଗଳାରେ ପକାଇ

ଦେଲା କାଢ଼ି ନିଜ ମାଳ । ୮୮ ।

 

 

ଅପର ଚତୁରୀ                   ଚାତୁରୀ ବିସ୍ତାରି

ଧରି ସେ ମାଳକୁ କରେ ।

କରେ ଆକର୍ଷଣ                   ବୋଲେ, ‘‘କି କାରଣ

ନ ଆସୁ ମୋର ପଛରେ’’ । ୮୯ ।

 

ଚାମର ଚାଳି                   କେ ନବବାଳୀ

ତହିଁ ସେବୁଥିଲା ନୃପନଳେ ।

ଏକାଳେ କନ୍ୟା                  -ପକ୍ଷର କେ ରସିକା

ମିଳି ତହିଁ କୁତୂହଳେ । ୯୦ ।

 

ଦେଲା ଛାଡ଼ି ଏକ                   ସରଟ ଗୁପତେ

ଚାମରଧାରଣୀ-ପାଦେ ।

ପଦେ ଆରୋହି                   ସେ ଜଙ୍ଘାଯାଏ

ତା’ର ଗଲା ଚଢ଼ି ନିର୍ବିବାଦେ । ୯୧ ।

 

ଭୟେ ସେ ଭୀରୁ                   ରମ୍ଭୋରୁ ବେଶ ବାସ

ଫିଙ୍ଗିଦେଲା ଅସମ୍ଭାଳେ ।

ହୋଇଲା ଦିଗବାସିନୀ             ସର୍ବ ଲୋକ ଦେଲେ

ହସି ସଭାସ୍ଥଳେ । ୯୨ ।

 

 

ଏକ ସରଳ             ବରଯାତ୍ରୀ ବ୍ରାହ୍ମଣେ

କେ ପ୍ରଗଳ୍ଭା ପୁଣି ତହିଁ ।

ପୁଚ୍ଛକୁ ପୁରତେ                   ରଖି ମୃଗଚର୍ମ୍ମ-

ଆସନ ଦେଲା ପକାଇ । ୯୩ ।

 

ବୋଲେ ‘ବସ’ ବସୁଁ             ହସି ସେ ବୋଲଇ

‘ହୋଇଛି ଭୁଲ ମୋହର’ ।

ଉଠୁ ସେ ପୁଚ୍ଛକୁ                   ପଛପଟେ ରଖି ଦେଲା

ଆସନ ସତ୍ୱର । ୯୪ ।

 

ତହିଁ ପୁଣି ବସୁଁ                   ହସି ବାଳୀ ଭାଷେ

‘‘ଧନ୍ୟ ହେ ବିପ୍ର-ପୁଙ୍ଗବ ।

ତେମନ୍ତ ନୋହିଲେ             ପଛେ ପୁଚ୍ଛ ଥିବା

କାହୁଁ ବା ସମ୍ଭବ ହେବ’’ । ୯୫ ।

 

କନ୍ୟା ପକ୍ଷର କେ             ଚତୁର ପୁରୁଷ କେ

ବରଯାତ୍ରୀ ନାରୀକି ।

ନାନାବିଧ କଥା-            ପ୍ରସଙ୍ଗ ପକାଇ

ହରିନେଇ ତା ମତିକି । ୯୬ ।

 

 

ଉଭା କରାଇ ସଙ୍ଗୀ            -କରେ ଅଣାଇଁ

ଦର୍ପଣ ଏ ଗୁପତେ ।

ଥୁଆଇ ତା ପଦଯୁଗ            -ତଳେ ଖଳ ହସଇ

ଚାହିଁ ତୁରିତେ । ୯୭ ।

 

ବିଦର୍ଭରାଜ-ନିଯୋଜିତ             ଚରଚାକାରିଣୀ

ରୁରୁଲୋଚନା- ।

ନାରୀଙ୍କ ବିଳାସ                   ବରପକ୍ଷ-ପୁଂସ-

ଧୈର୍ଯ୍ୟ କରିଦେଲା ଚୂନା । ୯୮ ।

 

ମଦନମଦେ ଅନ୍ଧ                   ହୋଇ ସେମାନେ

କରନ୍ତି କି କି ବେଭାର ।

ତା ଦେଖି ହାସ                   କରଇ ବେଗେ ବାସ

ଆସ୍ୟେ ଦରଶକଙ୍କର । ୯୯ ।

 

କେ ଯୁବା ଇଙ୍ଗିତେ             ସ୍ମିତ ପରକାଶୁଁ

ମୋଡ଼ି ବଦନ-କମଳେ ।

କରଇ କେ ବାଳୀ             ବ୍ୟକତ ଇଷତସ୍ମିତକୁ

ସମ୍ମତି ଛଳେ । ୧୦୦ ।

 

 

ସେ ଠାଣି ତାର                   ଭେଦଇ ଯୁବକର

ମରମକୁ ଅବହେଳେ ।

ନ ଦେଖି ଲାଖ-ବିନ୍ଧିବା                  -ବିଦ୍ୟା କାମୁଁ ଶିଖିଛି

କି ବାଳୀ ହେଳେ । ୧୦୧ ।

 

କେ ବାଳୀ ଦିଦୃକ୍ଷୁ                   ଚକ୍ଷୁକୁ ନିବାରି

ଏକ କାମୁଁ ଦେଉଁ କର ।

ଛନ୍ନ ମନ ଯୋଗେ             ସେ କାର୍ଯ୍ୟ ପାଶୋରି

କରଇ କର୍ମ୍ମ ଅପର । ୧୦୨ ।

 

ଏ ରୀତି ତା’ର ଫିଟାଇ             ଦିଏ ଦ୍ୱାର ହୃଦର

କାମୁକ-ପାଶେ ।

ରସିକା-ଆଶୟ                   ବାରି ଅତିଶୟ

ସୁଖୀ ହୁଏ ସେ ମାନସେ । ୧୦୩ ।

 

କେ କାମୁକ ବସି ପଦ             ଧୋଉଅଛି ଧଉତ

ପାଇଁକି ଜଳ ।

ଦେଉଅଛି ଢାଳି             ଏକ ବରବାଳୀ

ନୂଆଇଁ ମୁଖ-କମଳ । ୧୦୪ ।

 

 

ଚୁମ୍ୱିବାପାଇଁ ତା                   ମୁଖକୁ ସେ ଅତି-

ସାହସୀ କାମୁକ-ଜନ ।

ଧୋଉଥାଏ ଧୀରେ             ଆନ-ଜନ-ଦୃଷ୍ଟି-

ବଞ୍ଚନେ ନିବେଶି ମନ । ୧୦୫ ।

 

କେ ଯୁବାକୁ ଦେଖି                   ତହିଁ କେ ମୃଗାକ୍ଷୀ

ରସିକା-ପଣ ଦେଖାଇ ।

କର-ମୃଣାଳ-            ପରିଧିରେ ସ୍ୱସଖି-

କଳାକରକୁ ବାନ୍ଧଇ । ୧୦୬ ।

 

ସାତ୍ୱିକବଶେ ଶିଥିଳ             ହୋଇଲେହେଁ ବାହୁ

ବନ୍ଧନ ବାଳାର ।

ସେ ଯୁବାପକ୍ଷେ ତା             ହେଉଥାଏ ଗତୁଁ

ଶତଗୁଣେ ଦୃଢ଼ତର । ୧୦୭ ।

 

କାମଶରେ ଜର୍ଜ୍ଜରିତ             କେ କାମିର ହେଉଛି

କମ୍ପି ପୁଲକ ।

ଜଳ ଢାଳିଦେବା                  -ବାଳୀ-ସ୍ୱଚ୍ଛନଖେ

ପଡ଼ିଛି ତା ବିମ୍ୱ ଠିକ । ୧୦୮ ।

 

 

ମାରଶରେ ମରିଯିବା             ଭୟେ ଭୀତ ହୋଇ

କି ସେ କାମୀଜନ ।

ରମା-ରମଣୀୟ-                  ପୟରେ ପଶିଲା-

ପରି ଦିଶୁଛି ଶରଣ । ୧୦୯ ।

 

କେ ସୁନ୍ଦରୀ ମୁଖ                   ବକ୍ର କରି ମନ୍ଦେ

ହସି ଲାଜେ ପୋତି ମଥା ।

ଗଦ ଗଦ ହୋଇ                   ଧୀରେ ଧୀରେ ପଦେ

ପଦେ କହୁଥାଇ କଥା । ୧୧୦ ।

 

ତାର ଏ ରୀତିକି                   ବିଲୋକି ମତିକି

ଆଣଇଁ ରସିକ ଲୋକ ।

ନୋହି ଏ ମୋ             ହୋଇବାରୁ ବଳିଲାଣି

ଆଉ ଏଥି କିସ ଦକ । ୧୧୧ ।

 

ପଖା-ପକାଉଥିବା             କେଉଁ ବାଳାର

ମାଧୁରୀ ଦର୍ଶନ ପାଇ ।

କେ ପୁଂସ ମିଥ୍ୟାରେ                   ଗ୍ରୀଷ୍ମ ଛଳ କରି

ମୁଖ ଟେକି ଥାଏ ଚାହିଁ । ୧୧୨ ।

 

 

ପଖା-ପକାବେଳେ             କୁଚ ବାହୁମୂଳେ

ଯାଉଥାଏ ହୋଇ ଘଷି ।

ସେ ବାହୁଲତାର             ପଲ୍ଲବ ପରାୟେ

ପଖା ଯାଉଥାଏ ଦିଶି । ୧୧୩ ।

 

ତା ଚାଳନ ଜାତବାତେ                   ବ୍ୟତିବ୍ୟସ୍ତ ହୋଇ

ସେ ରସିକବର ।

ଦିଶଇ ପଞ୍ଜର                  -ନିବଦ୍ଧ ତରସ୍ତ

ବିହଙ୍ଗମ ପରକାର । ୧୧୪ ।

 

ସେ କାଳର ଅବର୍ଣ୍ଣନୀୟ             କଟାକ୍ଷ-ଛଟା

କାର୍ମା କାମିନୀର ।

ଅତି ଚମତ୍କାର                   ଚାତୁରୀ ଇଙ୍ଗତ-

ଭାରତୀ-ସମ୍ଭାଷିବାର । ୧୧୫ ।

 

ବେନିଙ୍କ ମନୋରଥକୁ             ସ୍ୱାର୍ଥ କରି ଦେଇଥିଲା

ଅତିରେକେ ।

ଦୂତିର ଆଦର ଦୂର             ହୋଇଥିଲା ଲୋଡ଼େ

ବା ତାକୁ ତହିଁ କେ । ୧୧୬ ।

 

 

ପୁରତରେ ଉଭା                   କେଉଁ କାମକଳାନିଧି

-ମୁଖ-ପୂର୍ଣ୍ଣଶଶୀ ।

କରସ୍ଥ ନୀର-ଗଣ୍ଡୁଷେ             କାମୁକର ଯାଆନ୍ତେ

ଦିଶି ସେ ହସି । ୧୧୭ ।

 

ପିଇବା ଅବା             ଆଚମନ କରିବା

ଉଭୟ ଭୁଲି ସେ ଜନ ।

ନୀରଗଣ୍ଡୁଷେ             ବିମ୍ୱିତ ସେ ଛବିକୁ

ଚୁମ୍ୱୁଥାଏ ଘନଘନ । ୧୧୮ ।

 

ହରିତମଣି-ଭାଜନରେ             ଭୋଜନ ପାଇଁ

ରହିଥିବା ଅନ୍ନ ।

ହରିତ ତେଜେ ଆଚ୍ଛନ୍ନ             ହୋଇ ଦିଶୁଥାଇ

ସେ ଶାକ ସମାନ । ୧୧୯ ।

 

ତା ଚାହିଁ ବରଯାତ୍ରି             କେ କୋପେ କହି

‘ନୋହୁଁ ପଶୁ ଆମ୍ଭେମାନେ’ ।

ପ୍ରବୋଧନ୍ତି                   କନ୍ୟାପକ୍ଷୀୟେ

‘‘ଅନ୍ନ ସେ ହରିତ ମଣି-କିରଣେ’’ । ୧୨୦ ।

 

 

ସ୍ଫଟିକ-କୁଟ୍ଟିମେ                   ଉଭା କେ ଯୁବତୀ

ତା ପଦ-ମଧ୍ୟର ମହୀ ।

ଅନାଇଁ ଅଳ୍ପ ହସି                   କେ ଯୁବା ଅତି

ବିନୟେ କଥା ହୁଅଇ । ୧୨୧ ।

 

ଦିବ୍ୟ ଉଷ୍ମ ସବୁ                   ଅଭଗ୍ନ ସୂଚାରୁ

ଅସଂଲଗ୍ନ ପରସ୍ପରେ ।

ସୁଗନ୍ଧ ସୁସ୍ୱାଦୁ                   ସୂଶୁଭ୍ର ଅନ୍ନକୁ

ଲୋକେ ଭୂଞ୍ଜନ୍ତି ସାଦରେ । ୧୨୨ ।

 

ବୟସ-ବଶେ                   ଈଶତ ମୁକୁଳିତ

କୁଚକଳିକା କାହାର ।

ସେ ବାଳୀକାକୁ କେ             ଯୁବା ବକ୍ର ନେତ୍ରେ

ଚାହୁଁ ଥାଏ ବାରବାର । ୧୨୩ ।

 

ତା ଚାହିଁ କେଉଁ                   ଗୁରୁସ୍ତନୀ ଯୁବତୀ

ନ ଜାଣିଲାପରି ହୋଇ ।

ଖସାଇ ଆପେ                   ସ୍ତନରୁ ବସନକୁ

ଲାଜେ ପୁଣି ଢାଙ୍କୁଥାଇ । ୧୨୪ ।

 

 

ସୁବାସ-ଗୋରସୁଁ                   ସମ୍ଭୁତ ସର୍ପି କି

ସୁଗନ୍ଧେ ହୁଅନ୍ତା ହୀନ ।

ସେ ଘୃତେ ପରସା-            ପାୟସସରିତେ

ଦ୍ୱୀପ କଲେ ନାରୀଜନ । ୧୨୫ ।

 

ନ ପଇଲେହେଁ                   ଅମୃତ ମର୍ତ୍ତ୍ୟବାସୀ

ତା ତହୁଁ ଘୃତ ଅଧିକ ।

ସୁସ୍ୱାଦୁ ବୋଲି                   ବାରିବାର ବିଚାର

ନୁହେଁ ତାଙ୍କର ଅଠିକ । ୧୨୬ ।

 

ତାହାର ପ୍ରମାଣ                   ଯାଗାଦିରେ ଦିଶେ

ସେ ଅଗ୍ନି-ଦଗଧ ଘୃତେ ।

ଅଶନ-ଆଶାକୁ                   ପୋଷି ଆସିଥାନ୍ତି

ସୁରେ ବରଜି ଅମୃତେ । ୧୨୭ ।

 

କେ ଯୁବକ ଚିନ୍ତେ             ‘‘ଲାଜେ ଯା ଗୁପତେ

ସଙ୍କେତ କଲି ବାଳୀକି ।

ସେ ତା ନ ବାରିଲା;             ବାରି ଅବା ହେଳା

କରିଣ ଗଲା ଚାଲି କି’’ ? । ୧୨୮ ।

 

 

ତା’ର ଏ ଭାବନା                   ସେ ଗଜଗମନା

ଯାଇ କିଞ୍ଚିତ ଦୂରକୁ ।

ପୁଣିହିଁ ଲେଉଟି                   ପକାଇଲା କାଟି

ପେଷି କଟାକ୍ଷଶରକୁ । ୧୨୯ ।

 

ସରସ ସୋରିଷେ             ମରିଚେ ବିଶେଷେ

କଟ ‘ଦହିକଡ଼ି’ ତହିଁ ।

ଖାଇଲାବେଳକୁ                   ଶୁ’କାର ଶବ୍ଦ ବା

କା’ମୁଖୁଁ ବାହାରି ନାହିଁ । ୧୩୦ ।

 

ଅକାଣ୍ଡେ କୁଣ୍ଡାଇ                   ନ ପକାଇଛି କେ

ମୁଣ୍ଡତାଳୁକୁ ବିକଳେ ।

ମସ୍ତକ କା’ର ବା             ନ କମ୍ପିଛି ନେତ୍ର ନାଶା

ନ ତିନ୍ତିଛି ଜଳେ ? । ୧୩୧ ।

 

ବିରାହୀ-ଦାହିକା                   କଉମୁଦୀ ଯଥା

ଆଦ୍ୟେ ମୃଦୁଳ ଶୀତଳ ।

ଆଦ୍ୟେ ଚାଟ କରି             ପ୍ରାନ୍ତେ କାଟୁଥାଇ

ଯେମନ୍ତ ଗଳାକୁ ଖଳ । ୧୩୨ ।

 

 

ହୋଇ ଥିଲେହେଁ                   ମୃଦୁ ଶୁଭ୍ର ଶୀତଳ

ସେ ଦହିକଡ଼ି ତେମନ୍ତ ।

ଭୋଜନବେଳେ                   ଭୋକ୍ତାରେ କରେ

କଟୁତାରେ ଅଥୟ ନିତାନ୍ତ । ୧୩୩ ।

 

ନବମିଳିତ କେ                   ଯୁବକ-ଯୁବତୀ

ନିଜ-ଆଶୟ-ଗୋପନ ।

- ପାଇଁ ଯତ୍ନକରି                   ଅକାଣ୍ଡେ ପ୍ରାନ୍ତକୁ

ଚଳାଇଦେଇ ନୟନ । ୧୩୪ ।

 

ଅଜଣାରେ ପଡ଼ିବାର             ଛଳକରି

ପରସ୍ପର-ବଦନରେ ।

ପକାଉଥାନ୍ତି ଦୃଷ୍ଟି                   କେ ବାରମ୍ୱାର

ଅତି ସତର୍କଭାବରେ । ୧୩୫ ।

 

କୋମଳ-କୁରଙ୍ଗ-                  ମାଂସ-ବ୍ୟଞ୍ଜନକୁ ଭାବେ

କେ ଭୁଞ୍ଜି ସନ୍ତୋଷେ ।

ଶଶିକୋଳ-ମୃଗ-                  ପଳ କିବା ସିଦ୍ଧ

ହୋଇଛି-ପୀୟୁଷରସେ । ୧୩୬ ।

 

 

ନୟନ-ସଙ୍କେତେ                   ଦୂତକାର୍ଯ୍ୟ ସାଧି

କେଉଁ ଯୁବକ ଯୁବତୀ ।

ରମଣସମୟ-                  ସଙ୍କେତ ପାଇଁକି

ନେତ୍ରମୁଦି ଠାରୁଥାନ୍ତି । ୧୩୭ ।

 

ଭାବ ତା ଏମନ୍ତ                   ନୟନ ମୁଦିଲେ

ସକଳ ଜନ ନିଶାରେ ।

ପୂଜିବେ ଅନଙ୍ଗ                  ଦେବକୁ ସେ ଦୁହେଁ

ନିଜଅଙ୍ଗ ଉପହାରେ । ୧୩୮ ।

 

ଦିବା କି ନିଶାରେ             ସଙ୍ଗମ ହୋଇବ

ବୋଲି ଶୀତ ଉଷ୍ମ ଅନ୍ନ ।

ଛୁଇଁ କେ କାମୀ                   କାମନୀକି ସଙ୍କେତେ

ପୁଚ୍ଛୂଥାଏ ଘନ ଘନ । ୧୩୯ ।

 

ତା ଦେଖି ଲଜ୍ଜାରେ             ପାଟଳ-ଅଧରେ

ଛୁଇଁ ଠାରଇ ସେ ବାଳୀ ।

ତେଜି ଦିବା ନିଶା                   ସନ୍ଧ୍ୟାକାଳେ ଆଶା

ଆମ୍ଭେ ପୂରାଇବା ବୋଲି । ୧୪୦ ।

 

 

ଅନ୍ନେ ଆଗ ପଛ                   କରି କେ କାମୁକ

‘ତୁ ଆସିବୁ କି ମୁଁ ଯିବି’ ।

ବୋଲି ଇଙ୍ଗିତେ                   ପୁଚ୍ଛୁଁ ତା ବାରି କେଉଁ

ନାରୀ ଯାଏ ଲାଜେ ଦବି । ୧୪୧ ।

 

ପଟୁ ସୂପକାରେ                   ପାକ ସବିଧିରେ

ବ୍ୟଞ୍ଜନ ବଢ଼ା ହୋଇଛି ।

ଆମିଷେ ନିରାମିଷ                   ନିରାମିଷରେ

ଆମିଷ-ଭ୍ରାନ୍ତି ହେଉଛି । ୧୪୨ ।

 

ବରଯାତ୍ରିକେ କିଏ                   କିସ ପଚାରି ପଚାରି

ଭୁଞ୍ଜନ୍ତେ ବସି ।

କନ୍ୟାପକ୍ଷଲୋକେ             ବଳାଇ ଭୁଞ୍ଜାନ୍ତି ତାଙ୍କ

ଭ୍ରମ ଦେଖି ହସି । ୧୪୩ ।

 

କେ ଯୁବା ନଖେ                   କାଟି କାଟି ମାଂସକୁ

ଅଧର ପରାୟେ କରି ।

ଦଂଶି ତା ରସ                   ଶୋଷି ପରଶଂସଇ

ପରଶୁଣୀ-ଓଷ୍ଠେ ହେରି । ୧୪୪ ।

 

 

କାଟି କାଟି ବାଛି                   ବନାଇଁ ବହୁତ

ପଦାର୍ଥ କରି ମିଶ୍ରିତ ।

ନାନା ଖାଦ୍ୟଦ୍ରବ୍ୟ             ଥିଲେ କରି ବଇଦର୍ଭ-

ସୂପକାର-ବ୍ରାତ । ୧୪୫ ।

 

ଆକାରେ ସେ ଖାଦ୍ୟ-            ଦ୍ରବ୍ୟେ ଅକାଳିକ-

ପଦାର୍ଥ ପରି ଦିଶନ୍ତି ।

ଚିତ୍ତ ସନ୍ତୋଷେ                   ବସି ବରଯାତ୍ରିକେ

କଣ୍ଠସରି ଭୁଞ୍ଜୁଥାନ୍ତି । ୧୪୬ ।

 

ବାରିପାନେ ତୃପ୍ତ                   କେ ତହିଁ ଲମ୍ପଟ

ଜଳ ଢାଳିବା ବାଳୀର ।

ବଦନକୁ ଚାହିଁ                   ଆଗ୍ରହେ ବୋଲଇ

‘ନ ଯାଏ ତୃଷା ମୋହର’ । ୧୪୭ ।

 

ତା ଶୁଣି ସେ ନାରୀ             କରେ ଗଡ଼ୁ ଧରିବାକୁ

ବଳାନ୍ତେ ମାନସ ।

ବାଳୀର ଅଜ୍ଞତା                   ବିଲୋକି ଆଳିଏ

ହେଉଥାନ୍ତି ହସ ହସ । ୧୪୮ ।

 

 

ପାତ୍ରସ୍ଥିତ-ଘୃତେ                   ପ୍ରତିଫଳିଯାନ୍ତେ

ମୂର୍ତ୍ତି ପୁରତ-ଯୋଷାର ।

ସେ ପ୍ରତିବିମ୍ୱ-ନିବିରେ                   କେଉଁ ବିଟ ଦିଏ

ପ୍ରବେଶାଇ କର । ୧୪୯ ।

 

ତା ଚାହିଁ ବାଳୀର                   ପୁଲକେ ଶରୀର,

ପ୍ରତିବିମ୍ୱ ତା ପରାୟେ ।

ପୁଲକି ଯାଉଁ ସେ                   ରସିକହୃଦୟ ଆନନ୍ଦେ

ଉତ୍‌ଫୁଲ୍ଲ ହୁଏ । ୧୫୦ ।

 

ପାତ୍ରସ୍ଥ ଲେହ୍ୟ-                  ପଦାର୍ଥପରେ ଘୃତ

ତହିଁ ପୁରତ-ବାଳୀର ।

ପ୍ରତିବିମ୍ୱ ପଡ଼ୁଁ କେ             ବରବସିକ ଆଚରି

-ଭୋଜନ-ଛଳ । ୧୫୧ ।

 

କରି ପରଶ ସେ                   ବିମ୍ୱେ ବାରମ୍ବାର

କର ଅଙ୍ଗୁଳି-ଅଗ୍ରରେ ।

ଚୁମ୍ୱୁଥାଇ ଘନ ଘନ             ବତ୍ରେ ଚାହିଁ ସେ

ବାମାକୁ ସରାଗରେ । ୧୫୨ ।

 

 

ମୀନ-ମୃଗ-ଛାଗ-                  ବିହଙ୍ଗ-ମାଂସରେ

ପକ୍ୱ ରୋଚକ ବ୍ୟଞ୍ଜନ ।

ଭୂଞ୍ଜିବେ କେ କେତେ             ତେ ସଂଖ୍ୟାକରଣେ

ନୋହିଲେ କେହିତ କ୍ଷମ । ୧୫୩ ।

 

ପୂରୁବେ ଇଙ୍ଗିତ-ବିନୟ            -ନୟନ-ସଙ୍କେତେ

ଯେ ବରବାଳୀ ।

ଭୂରୁ ନଚାଇ                   ତରଜି ଯୁବକକୁ

ରୋଷେ ଯାଇଥିଲା ଚଳି । ୧୫୪ ।

 

ଭୋଜନ-ଛଳେ                   ସେ ଯୁବକ ବଦନେ

ଭରନ୍ତେ ନେଇ ଅଙ୍ଗୁଳି ।

ତା ବାରି ରୋଷ ତେଜି                  ସେ କରେ ହସି

ସ୍ୱୀକାର-ଇଙ୍ଗିତାବଳି । ୧୫୫ ।

 

ବ୍ୟଜନେ ଶିଶିର-                  ସମାନ ଶୀତଳ

ଚନ୍ଦନରେ ସୁବାସିତ ।

ବାରି ଭୃଙ୍ଗାରୁ                   ଦିଅନ୍ତ ବଇଦର୍ଭେ

ବରଯାତ୍ରୀ-ପାନପାତ୍ର । ୧୫୬ ।

 

 

ପାନକରି ସେ                   ନୀରକୁ ବରଯାତ୍ରେ

ପ୍ରଶଂସନ୍ତି ବାରମ୍ୱାର ।

କେ ବୋଲେ, ‘ଅମୃତ’             ‘ଜୀବନ’ ଜଳକୁ କଲା

ଯା ବିହି ତା ସାର’’ । ୧୭୫ ।

 

କେ ବୋଲଇ ତହିଁ             ‘‘ଜଳକୁ ଯା ବିହି

କରିଛି ସର୍ବତୋମୁଖ ।

ପାନକାରିକି ଏକମୁଖ             କଲାରୁ ଭାବେଁ

ତାକୁ ଅବିବେକ’’ । ୧୫୮ ।

 

ଥିଲେହେଁ ଥାଳିରେ ଅନ୍ନ             କେ ରସିକଜନ

ପଦ୍ମକଳିଭଳି ।

କରି କରକୁ କୋରକ             ବୋଲୁଥାଏ ‘‘ଦିଅ

ଆଉ କିଛି’’ ବୋଲି । ୧୫୯ ।

 

ଦେଖି ତା ଚାତୁରୀ             ‘ତୁ ଦେ’ ‘ତୁ ଦେ’ ବୋଲି

ବେନି ସଖୀ କରି କଳି ।

ପଳାଇଯାନ୍ତି ପାଶରୁ             ତା’ର ଆଉ ଥାଳିରେ

ନ ପଡ଼େ ଧୂଳି । ୧୬୦ ।

 

 

କେ ରସିକ ଜଳଢ଼ାଳିବା-            ବାଳୀର କୁଚେ ଚାହିଁ

ବକ୍ରେ ହସି ।

ପଚାରଇ, ‘‘ଏହା                   କେତେବଡ଼ ହୋଇଲାଣି

କହ ଶୁଭ୍ରକେଶି’’ । ୧୬୧ ।

 

ନଉଚାରି ଗିର                   ଭୃଙ୍ଗାରରେ କର

ଯୁଗ ନିବେଶିବା- ଛଳେ ।

ଉତ୍ତର ତାହାକୁ                   ସେ ନବରସିକା

ବିତରୁଥାଇ କି ଗେଲେ । ୧୬୨ ।

 

ତୁଷାର-ଧାର ସମ             ସ୍ନିଗଧ ଶୀତଳ ପିଏ

କେ ଶାକର-ପଣା ।

ସୁଧା-ସର-ପଙ୍କ-                  ସମାନ ମାହିଷ-ଦଧି-

ପାନେ କେ ଫୁରୁଣା । ୧୬୩ ।

 

ସେ ଦଧିରେ କ୍ଷୁଦ୍ର             କ୍ଷୁଦ୍ରଛିଦ୍ର ଥାଏ ତା

ଦେଖି ହୁଏ ବିଚାର ।

ଜିହ୍ୱା-ଲୌଲ୍ୟବଶେ             ଧାତା କି ତହିଁରୁ

ନେଇଛି ଚୋରାଇ ସାର । ୧୬୪ ।

 

 

କେ ବୋଲେ, ‘ଯା             ମୋତେ ନ ରୁଚେ ତୁ ତାକୁ

ଏତେ ଦେଉଛୁ କାହିଁକି ।

ଅରୁଚି ଯା ଯା’ର                   ହେଲେ ସେ ଶାକର

ତା ମନ ରସେ ତହିଁକି’ ? । ୧୬୫ ।

 

ଏତେ ଶୁଣି ବାଳୀ             ବିମ୍ବ ପ୍ରାୟେ କରି

ଆଣି ପରସିଲା ମାଂସ ।

ତାକୁ ଭୋଜନ କରି             ସେ ବରଯାତ୍ରି

ଲଭିଲା ବହୁତ ତୋଷ । ୧୬୬ ।

 

କେ ରସିକ ଏକେବେଳରେ             ରସିକାଯୁଗଳେ

ସଙ୍କେତ କରେ ।

ଉତ୍ତରଦାନିକି ଉନ                   ଚିନ୍ତି ବରଜଇ

ବିଦଗ୍‌ଧପଣରେ । ୧୬୭ ।

 

ନିଜେ ନ କହି ଉତ୍ତର            -ଦେବା-ସହୀ କଥାରେ

ଥିଲା ଯେ ଚଳି ।

ସେ ବରରସିକା-                  ପୟରେ ନିଜର ଚିତ୍ତ

-ବିତ୍ତ ଦେଲା ଢାଳି । ୧୬୮ ।

 

 

ବୋଲଇ କେ ବାଳୀ,             ‘ଲୋ ନବଛଇଳି

ଗୋଟିଏ ଗୋଟିକ ପରେ ।

ପରସଯାଉଛୁ ଯାହା                   ତୁ ତାହାତ ନ ରୁଚେ

ଏ ବର ନରେ । ୧୬୯ ।

 

ବିଲୋମେ ବରବ୍ୟଞ୍ଜନେ*                   କି ପରସିନାହୁଁ

ଏହାଙ୍କ ପାଶରେ ।

ତେଣୁ ବା ତୋ ଆଗ            ପରସାରେ ରସୁନାହାନ୍ତି

ଏ ସନ୍ତୋଷରେ’’ । ୧୭୦ ।

 

ଗୋରସ-ପକ୍ୱ-                  ବଟକବୃନ୍ଦେ ଚାରୁ

ବ୍ୟଞ୍ଜନ ସେକାଳେ ତହିଁ ।

ଭୋକ୍ତାଙ୍କ ଭୋଜନ-            କ୍ରିୟାଶେଷ-ଗୋଲାକୃତି-

ଚିହ୍ନ ଗଲା ହୋଇ । ୧୭୧ ।

 

ଲେଖାଶେଷେ ଶୂନ୍ୟ             ଦେଖା ଦେଇ ପରା

ଜଣାଏଁ ଲେଖାର ଶେଷ ।

ଭୋଜନ ଶେଷକୁ                   ଏ ଗୋଲାବଟକ

ସୂଚାଇବା କି ବିଶେଷ । ୧୭୨ ।

 

 

ପୁରତେ ଉଭା କେ             ଉର୍ବୀ-ଉର୍ବଶୀର

ପ୍ରତିବିମ୍ବ ପାନପାତ୍ର-।

ଜଳେ ଯାନ୍ତେ ପଡ଼ି             ତହିଁ ଯାଏ ଜଡ଼ି

କେଉଁ କାମୁକର ନେତ୍ର ।୧୭୩ ।

 

ନ ଚୁମ୍ୱି ବାଳାକୁ                   ତା ପ୍ରତିବିମ୍ୱକୁ

ସଲିଳପାନର ଛଳେ ।

ଚୁଁଚୁଁକାର କରି             ବାରମ୍ୱାର ଚୁମ୍ୱୁଥାଇ

ସେ କାମୁକ ଗେଲେ । ୧୭୪ ।

 

ହୋଇଥିଲେ ଘନ                   ପରସୁଣୀଜନ

ତାଙ୍କ କର-ଆଭରଣ ।

-ରତନ-କିରଣଗଣ             ଦିଶୁଥିଲେ

ଇନ୍ଦ୍ରଶରାସନସମ । ୧୭୫ ।

 

କରକା ପରାୟେ                   କରୁ ତାଙ୍କ ରସଗୋଲା

ପଡ଼ୁଥିଲା ଗଳି ।

କର୍ପୂରେ ବାସିତ                   ଦିଶୁଥିଲା ସେ ତ

ଚନ୍ଦ୍ର ସୂର୍ଯ୍ୟ ଭଳି ଝଳି । ୧୭୬ ।

 

 

‘ହେଲାଣି ଯଥେଷ୍ଟ             କିପାଁ କର ନଷ୍ଟ,

ଆଉ ନ ଦିଅ ମୋଠାରେ’ ।

ଏତେ କହୁଁ କେଉଁ                   ବରଯାତ୍ରୀ, ତା’ର

ପତ୍ରେ କନ୍ୟାପକ୍ଷ ନରେ । ୧୭୭ ।

 

ଦିଅନ୍ତି ଗଡ଼ାଇ ଗଣ୍ଡା             ଗଣ୍ଡା କରି ଲଡ଼ୁ

ମଣ୍ଡା ଖଜାମାନ ।

ପୂର୍ବ-ପରସା-ଦ୍ରବ୍ୟ            -ସଂଖ୍ୟା-ପାଇଁକି

ଦିଶଇ ସେ ଖଡ଼ି ସମ । ୧୭୮ ।

 

କେଉଁ ରସିକାର                   ସଙ୍କେତ-ଗୋପନ-

କୌଶଳ-ପ୍ରହେଳିକାର ।

ଅର୍ଥବୋଧେ କରେ             କେ କାନୀ ଆପଣା

-ଇଙ୍ଗିତେ ଟିକା ହୃଦର । ୧୭୯ ।

 

ପୁରତ-ଘୃତଲିପ୍ତ-                  ପାତ୍ରେ ପଡ଼ନ୍ତେ

ପ୍ରତିବିମ୍ବ କେ ବାଳୀର ।

କାମୁକ ସେ ପ୍ରତିବିମ୍ବ-            ବକ୍ଷେ ରଖେ

ନେଇଣ ଲଡ଼ୁ-ଯୁଗଳ । ୧୮୦ ।

 

 

ନଖର ପ୍ରହାରି                   ତାକୁ କ୍ଷତକରି

ଅବଶେଷେ କରତଳ ।

କୋଳରେ ପୂରାଇ             ନିର୍ଦେୟେ ମର୍ଦ୍ଦନ

କରୁଥାଇ ବାରବାର । ୧୮୧ ।

 

କେ ଅନୁରାଗୀ             କେଉଁ ସଉଭାଗୀର

ମୁଖେ ବିଲୋଳ କଟାକ୍ଷ ।

ହାସ ମିଶାଇ             ନିକ୍ଷେପୁଁ ସେ ହୁଅଇ

ଲାଜବଶେ ପରାଙ୍ମୁଖ ।୧୮୨।

 

ତା ଦେଖି ତା ଆଳି             ବେଗେ ଯାଇ ଚଳି

ଆଶି ଖଣ୍ଡ-ପୁତ୍ତଳିକା ।

କାମୁକ-କରେ ତା             ଅରପି ଆଦରେ

ହସଇ ନକରି ଦକା । ୧୮୩ ।

 

ଗୁରୁ-ଭୋଜନ-            ବଶେ ବରଯାତ୍ରୀଏ

ଆଉ ନ ପାରନ୍ତି ଖାଇ ।

ବିବିଧ ଉପକରଣ             ରାଶି-ଭୂତ ହୋଇ

ପତ୍ରେ ପଡ଼ିଥାଇ । ୧୮୪ ।

 

 

ଦେଖି ମାନସକୁ                   ଆସଇ ଏମନ୍ତ

ପରିବେଶନ-କାରିଣୀ ।

-ରୂପରସେ ତ ସେ             ପୁରୁବୁଁ ସନ୍ତୁଷ୍ଟ ଆଉ

କି ଭୁଞ୍ଜିବେ ପୁଣି । ୧୮୫ ।

 

ବିବିଧ ଇଙ୍ଗିତ                   କରି ଚିତ୍ତ ବ୍ୟକ୍ତ

କଲେହେଁ କେଉଁ କାମୁକ ।

ଉଦାସୀନ ତହିଁ                   ରହି କେ ସୁମୁହୀଁ

ତାପଇ ତାକୁ ଅଧିକ । ୧୮୬ ।

 

ନିରାଶ ହୋଇ                   ସେ ଯୁବକ ଅପର

ନାରୀକି କରୁ ସଙ୍କେତ ।

ତା ଦେଖି ରୁଷ୍ଟ                   ହେଲେହେଁ ସେ ନାଗରୀ

ତୋଷେ ସେ ରସିକ-ଚିତ୍ତ । ୧୮୭ ।

 

ଭୋକ୍ତାମାନଙ୍କର                   ପ୍ରିୟବତୀ ଅତି

ହୋଇଥିଲା ସେହି ଭୋଜି ।

ରୁଚିରେ ତାକୁ                   ବଳିବା ପାଇଁ ଆନେ

ନ ଥିଲେ କେହି ସବଜି । ୧୮୮ ।

 

 

ହାସ-ଗୋରସ                   ମଣ୍ଡପ-ବାସ ଆସ୍ୟ-

ପୀୟୁଷକରେ ପିଷ୍ଟକ ।

ଲଡ଼ୁ-ପୟୋଧର                   ଅନ୍ନ-ବରାହରେ

ତା’ର ପ୍ରକାଶନ୍ତି ଟେକ । ୧୮୯ ।

 

ଯେତେ କଲେହେଁ             ବିନୟରେ ସଙ୍କେତ

ପରକାଶୀ କୋପ ତେତେ ।

କେଉଁ ନବୀନା                   କେ କାମୁକକୁ

ବାରୁଥାଇ ନିଷେଧ-ଇଙ୍ଗିତେ । ୧୯୦ ।

 

ହସ୍ତ-ପ୍ରକ୍ଷାଳନ-                  ଛଳରେ ବନ୍ଧନ

କରୁ ଅଞ୍ଜଳି ସେ ନର ।

ଚଳି ବାଳୀ                   ଜଳଧାରକୁ କମ୍ପାଇ

ତିନ୍ତାଇଲା ତେ ଶରୀର । ୧୯୧ ।

 

ଭୋଜ୍ୟ-ଦ୍ରବ୍ୟାଶ୍ରିତ             ଷଡ଼ରସେ ତୃପ୍ତ

ନୋହିଥିଲେ ଜନେ ତଥା ।

ବାଳୀ-ହାବଭାବ-                  ଶୃଙ୍ଗାର ରସରେ

ହୋଇଥିଲେ ତୋଷ ଯଥା । ୧୯୨ ।

 

 

ଭୋଜନ ଶେଷରେ             ବରଯାତ୍ରୀ ନରେ

ଦେଇ ପୂଗ ବଦନରେ ।

ଦମ-ଦତ୍ତ ନାଗବଲ୍ଳୀ                   ଖିଲଖୋଲି

ବିଛା ବିଲୋକି ଡରିଲେ । ୧୯୩ ।

 

ମଶଲାଚୂର୍ଣ୍ଣେ                   ସେ ବୃଶ୍ଚିକ ନିର୍ମିତ

ତାକୁ ତେଜୁ ସତ୍ୟଭ୍ରମେ ।

ସମ୍ଭାଳ ନୋହି                   ହସିଲେ କନ୍ୟାପକ୍ଷ-

ସକଳଲୋକେ ଉଦ୍ଦାମେ । ୧୯୪ ।

 

ସୁନ୍ଦର ସତ୍ୟ,                   କୃତ୍ରିମ ଅତିଅନ୍ତ

ସୁନ୍ଦର ରତନରାଶି ।

ବେନିଭାଗ ରଖି                   ବରଯାତ୍ରେ ଭୀମ

ନରେଶ ବୋଲନ୍ତି ହସି । ୧୯୫ ।

 

‘‘ଇଚ୍ଛା ଅନୁସାରେ             ଏଥୁଁ ଏକ ନିଅ’’

ବରଯାତ୍ରୀ କେ ତା ଶୁଣି ।

ଅତି-ସୁନ୍ଦର                   କୃତ୍ରିମ ରତ୍ନକୁଢ଼େ

ଆବରିଲେ ସେହିକ୍ଷଣି । ୧୯୬ ।

 

 

ତା ଦେଖି ‘ହୋଇଲା             ହୋଇଲା’ ବୋଲିଣ

ହସି ବିଦର୍ଭରାଜନ ।

ସତ୍ୟ କୃତ୍ରିମ             ବେନି ରତ୍ନରାଶିକୁ

କଲେ ତାହାଙ୍କୁ ପ୍ରଦାନ । ୧୯୭ ।

 

ନିଶା ଦିବସ ଇଷ୍ଟ                  ମିଷ୍ଟ ଭୋଜନେ

ବରଯାତ୍ରୀ ଲଭି ତୋଷ ।

ନିଶାରେ ଷୋଳ-                  ବୟସୀ-ବେଶ୍ୟା-

ସେବା ଉପଭୁଞ୍ଜନ୍ତି ବିଶେଷ । ୧୯୮ ।

 

ଏମନ୍ତେ କେତେକ             ଦିନ ବିଦର୍ଭେଶ-

ପୁରେ ସୁଖେ କଟାଇଲେ ।

ଚିନ୍ତାକୁ ତାଙ୍କ ସେ                  ପୁର-ପରିଚର୍ଯ୍ୟା

ଚିନ୍ତାମଣି ହେଲା ଭଲେ । ୧୯୯ ।

 

ବିବାହପରେ                   ପାଞ୍ଚ ସାତ ଦିବସ

ଶ୍ୱଶୁରପୁରେ ଦମ୍ପତି ।

ଯାପିଣ ସ୍ୱଦେଶ                   ନିଷଧକୁ ଯିବାପାଇଁ

ବଳାଇଲେ ମତି । ୨୦୦ ।

 

 

ହେଲା ଯାନ ସଜ                   ତହିଁ ନଳରାଜ

ମହିଷୀତୁଲେ ବିଜୟ ।

ଯାନ-ଚାଳନେ                   ତୁରଗବଲ୍ଗାଗ୍ରହେ

ବର ସାରଥି ବାର୍ଷ୍ଣେୟ । ୨୦୧ ।

 

ଆରୋହିବା କାଳେ                   ମହିଷୀ ଅଙ୍ଗରେ

ନ ଲାଗିବ କା’ର କର ।

ଏତ ସ୍ୱଭାବେ                   ବାଳୀକା ସ୍ୟନ୍ଦନ

ତ ଉଚ୍ଚୁଁ ଅତି ଉଚ୍ଚତର । ୨୦୨ ।

 

ଏତେ କହି କହି                   ମହିଷିଙ୍କି ଗ୍ରହି

କରେ ଧୀରେ ନୃପନଳ ।

ଆରୋହାଇବା କାଳେ                   ଲୋକ-ଲଜ୍ଜାରେ

ନ ଆଲିଙ୍ଗିଲେ କେବଳ । ୨୦୩ ।

 

ସୁଗନ୍ଧ-ତଇଳ-                  ବୋଳେ ତ ବାଳୀର

କଳେବର ସୁପିଚ୍ଛିଳ ।

ବଧିବ ବୋଲି                   ନ ପିଡ଼େ ଦୃଢ଼େ

ତାକୁ ନୃପତି-ଭୂଜ-ଯୁଗଳ । ୨୦୪ ।

 

 

ରଥେ ବାଜି ବାଳୀ             ନୃପକରୁ ଗଳି

ପଡ଼ିବ ଭାଳିକି ସ୍ମର ।

ପୁଲକେ ବେନିଙ୍କ                   ଗାତ୍ରକୁ ସେକାଳେ

କଲା ଜନ୍ତୁର କଠୋର । ୨୦୫ ।

 

ବିନୟ-ବ୍ୟବହାରେ                   ଯାର ଗୁଣକ

ଲକ୍ଷଗୁଣ ପରି ଦିଶେ ।

ସେ ଜାମାତାକୁ                   ବିଦାୟ ଦେଇ ବିଦର୍ଭେଶ

ଦୁଃଖିତ ମାନସେ । ୨୦୬ ।

 

ଅଜନ୍ମୁ କୋଳ                  ପାଳିତ କୁମାରୀକି

ବରଯିବାର ସନ୍ତାପ- ।

ତୁଲକୁ ଜାମାତା-                  ବିଦାୟ ସେ ନୃପେ

ନୋହିଥିଲା ଅନଳପ । ୨୦୭ ।

 

ସରୋବରର                   ତରଙ୍ଗ ମରୁତକୁ

ଅନୁଗମି ତୀର ଯାଏ ।

ଶେଷକୁ ଯଥା                   ଚଞ୍ଚଳ-ଜଳଯୁକ୍ତ

ନତ ହୋଇ ଫେରିଥାଏ । ୨୦୮ ।

 

 

ତଥା ଭୀମ-ନୃପ                   ସ୍ୱସୀମା-ସମୀପ

ଯାଏ ଅନୁଗମି ନଳେ ।

ଗ୍ରହି ନମସ୍କାରେ                   ତୋଷି ପ୍ରିୟଗିରେ

ବାହୁଡ଼ିଲେ ନିଜପୁରେ । ୨୦୯ ।

 

ବାହୁଡ଼ିବାରେ                   ସମୟେ       ବିଦର୍ଭେଶ

ବୋଲନ୍ତି ‘‘ଆଗୋ ଦୁଲାଳି ।

ନଳ ଆଜୁଁ ତୋ                   ପିତା ଧର୍ମ ସମ୍ପଦ

କ୍ଷମା ମନସୁଖ ଭଳି । ୨୧୦ ।

 

ମୁଁ ଆଉ ଏଣିକି             ତୋ କେହି ନୁହେଁ ମାଁ

କହୁଁ ନେତ୍ରୁ ବହେ ପୟ ।

ଅମ୍ୱରେ ସମ୍ୱରି                   ତାହାକୁ ତତ୍କାଳେ

ସୁତାକୁ କଲେ ବିଦାୟ । ୨୧୧ ।

 

ଜନକ-ବୃତ୍ତାନ୍ତ                   ପକାଇଣ ଚିତ୍ତ

ମହିଷୀ ଦୁଃଖୀତ ଅତି ।

ପ୍ରିୟ-ଉପଚାରେ                   ବହୁକାଳ ପରେ

ସେ ଦୁଃଖ ବାରନ୍ତି ପତି । ୨୧୨ ।

 

 

ମାତ-ବିଚ୍ଛେଦ-            ଜନିତ ଯା ବଡ଼ବାନଳ

ଉଠିଲା ପ୍ରଜ୍ଜ୍ୱଳି ।

ପ୍ରିୟତମ-ପ୍ରେମ-                  ମହାସାଗରେ ତା

ଅଂଶେ ନ ଗଲା ମଉଳି । ୨୧୩ ।

 

ବିବିଧ-ରତ୍ନ-                  ବିଭୂଷିତ ଭୂଭୃତ

ମୃଗନେତ୍ର କରୀଗତି ।

ପାଦ-ଦେଶାଶ୍ରିତ-                  ଉପତ୍ୟକା-ଯୋଗେ

ଯେମନ୍ତ ଶୋଭଇ ଅତି । ୨୧୪ ।

 

ତଥା ସେ ଭୂଭୃତ                   ରତନ-ଭୂଷିତ

ହୋଇ ଗଜବର-ଗତି ।

ହରିଣନୟନା                   ପଦାଶ୍ରିତ

ଦମୟନ୍ତୀ ଯୋଗେ ବିରାଜନ୍ତି । ୨୧୫ ।

 

ଭୀମଜାରେ ଏକା                   କେବଳ ଆଶକ୍ତ

ରାଜଲଷ୍ମୀ ଦେଖି ନଳେ ।

ତାଙ୍କ ହୃଦେ ନିଜ                   ଆସନକୁ ଚିରସ୍ଥିର

କରିବା ବିଚାରେ । ୨୧୬ ।

 

 

ସପତ୍ନୀ-ହଂସା             ବରଜି ଅବିରତେ

ଦମୟନ୍ତି-ଚିତ୍ତେ-ବାରି ।

ନ କହୁଁ ଆଗହୁଁ                   ପଦେ ଅର୍ପୁଥାଇ

ପୀରତି-ଉପଦାବଳି । ୧୧୭ ।

 

ତଦନ୍ତେ ନୃମଣି                   ନିଜ ରାଜଧାନୀ

ପାଶେ ଆସି ପରବେଶ ।

ଇନ୍ଦ୍ର-ନୀଳମଣୀ-                  ମାଳେ ଯା ତୋରଣ-

ଦେଶ ରୁଚିର ବିଶେଷ । ୨୧୮ ।

 

ପତିବିରହେ ସେ                   ସତୀ-ନଗରୀର

ଲୁଳିତ ଚୂର୍ଣ୍ଣକୁନ୍ତଳ ।

- ପରାୟ ସେ ଇନ୍ଦ୍ର-            ନୀଳମଣୀମାଳ-

ଜାଳ ଦିଶେ ସୁମଞ୍ଜୁଳ । ୨୧୯ ।

 

ଉନ୍ନତ-ସଦନେ                   ଉଦ୍‌ଗ୍ରୀବ-ବଦନେ

ସେ ପୁରନାୟିକା କିବା ।

ପତି-ଆଗମ-                  ପଥକୁ ନିରେଖିଲା

ପ୍ରାୟ ଦିଶୁଥିଲା ଶୋଭା । ୨୨୦ ।

 

 

ଦେଖି କିଞ୍ଚିତ                   ପୁରୀକି ନରନାଥ

ଅନ୍ୟ-ମନସ୍କ ହୁଅନ୍ତେ ।

ପତି-ମତି-ବିଚାରଣେ                   ଦମୟନ୍ତୀ ଅନାନ୍ତେ

ଅପାଙ୍ଗ ପ୍ରାନ୍ତେ । ୨୨୧ ।

 

ନଳ-ନୟନରେ                   ଏ ଦୃଷ୍ଟି ତତ୍କାଳେ

ଅର୍ଦ୍ଧପଥେ ହେଉ ମେଳ ।

ବେନିଏ ବେନିଙ୍କ                   ତ୍ରୁଟି ବାରି

ନିଜସ୍ଥାନେ ପଳାନ୍ତି ଚଞ୍ଚଳ । ୨୨୨ ।

 

ପୁଷ୍ପ-ଶୋଭାନ୍ୱିତ                   ବସନ୍ତେ ଯେମନ୍ତ

କୁତୂହଳେ ଉତ୍କଣ୍ଠିତ ।

କ୍ରମେ କ୍ରମେ                   ମଧୁକର ନିକୁରମ୍ଭ

ଆସି ହୁଅନ୍ତି ମିଳିତ । ୨୨୩ ।

 

ତେମନ୍ତେ ସଭାର୍ଯ୍ୟ-            ନୃପ ବିଲୋକନେ

କୁତୂହଳେ ଉତ୍କଣ୍ଠିତ ।

ଅମ୍ୟାତ-ଆଦି                   ପ୍ରଧାନ-ନାଗରିକେ

ପଥେ ଭେଟନ୍ତି ତୁରିତ । ୨୨୪ ।

 

 

ଶ୍ରବଣ-କୌତୁକ                   ଆକୁଳ ଅମାତ୍ୟବର୍ଗେ

ସେ ନିଷଧନାଥ ।

କଲେ ସଂକ୍ଷେପରେ                   ବ୍ୟକତ ପଥରେ

ନିଜ-ବିବାହ-ବୃତ୍ତାନ୍ତ । ୨୨୫ ।

 

ତାଙ୍କଠାରୁ ଶୁଣି                   ନିଜ-ରାଜଧାନୀ-

କିଛି-କିଛି ସମାଚାର ।

ଆନନ୍ଦେ ସ୍ୱପୁରେ                   ସମ୍ଭର୍ବେ ବିଜୟ

କଲେ ନଳ ନରପାଳ । ୨୨୬ ।

 

ଅମୃତ ବତ                   ଜଳଜାତ-ମୃଣାଳ

ଭଳି ଅତ୍ୟନ୍ତ କୋମଳ- ।

ଗାତ୍ରୀ ପୁରକନ୍ୟା                   ନଗର-ପ୍ରତ୍ୟେକ-

ପଥରେ ହୋଇଣ ମେଳ । ୨୨୭ ।

 

ସ୍ୱ-ପାଣିଲତା-କଳିକା            -ବଳି-ପ୍ରାୟ ଲଜା

ନିକ୍ଷେପଣ କରି ।

ଅଭିନନ୍ଦନ କଲେ                   ନଳ ନୃପାଳେ ଜୟ

ଜୟ ଜୟ ବୋଲି । ୨୨୮ ।

 

 

ରାଜାଦି ପାତ୍ର                   ମନ୍ତ୍ରୀଙ୍କ ପରିଚୟ

ଶିଖର-ଗୃହ-ଆବଳି ।

-କୋଳେ ବାଳୀଏ                   ଭୀମଜା ସଉନ୍ଦର୍ଯ୍ୟ

ଦର୍ଶନ-ଆଶାରେ ମିଳି । ୨୨୯ ।

 

ଜଳାକବାଟି ଯାଳରେ                   ରଖି କାଳନିଧି

-କଳପ ବଦନ ।

ଦେଲେ ସାର୍ଥ କରି                   ସେକାଳେ ସେ ଗୃହଙ୍କର

‘ଚନ୍ଦ୍ରଶାଳା, ନାମ । ୨୩୦ ।

 

ସୁଷମା-ପିପାସା-                  ବଶରେ ବିଶୁଷ୍କ-

ଦୋଷରେ ଦୂଷିତ ଅତି ।

ସେ ନଗର                   ନିବାସୀନୀ ପ୍ରମଦାଙ୍କ

ନେତ୍ର-ନୀଳୋତ୍ପଳ-ତତି । ୨୩୧ ।

 

ନିଜ-ତେଜରୂପ-                  ମୃଣାଳ ମାଳାକୁ

ଯାଳମାର୍ଗେ ଚାଳି ଦେଇ ।

ନଳ-ପୀୟୁଷକର-            ମୁଖ ସୁଧାକୁ ଶୋଷିଲେ

କି ତୋଷ ହୋଇ । ୨୩୨ ।

 

 

ପ୍ରାସାଦ-ଉପରଚାରି             ନାରୀଙ୍କର କର-

ପଲ୍ଲବ-ବର୍ଷିତ- ।

ସୁଗନ୍ଧ-ଲାଜା-ପତନ-            ଛଳେ ଦେବ-ପୁଷ୍ପ-

ବୃଷ୍ଟିରେ ବର୍ଦ୍ଧିତ । ୨୩୩ ।

 

ହୋଇ ନିଷଧେଶ                   ବିଜୟ ହରଷେ

ନବନିର୍ମିତ ସଉଧେ ।

ନବ-ମହିଷୀପାଇଁକି                   ଯା ବିରଚି ଥିଲେ

ଶ୍ରେଷ୍ଠ ଶିଳ୍ପୀବଂଶେ । ୨୩୪ ।

 

ନଳ-ଦମୟନ୍ତୀ-                  ଉପଯମ, ଏକରଥେ

ଦମ୍ପତି ପ୍ରୟାଣ, ।

ନୟନ-ଲଜ୍ଜାରେ                   ସଭୟେ ଅନ୍ୟୋନ୍ୟେ

କଟାକ୍ଷପାତେ ଦର୍ଶନ । ୨୩୫ ।

 

ଏ ଆଦି ସକଳ                   କଉତୁକେ ଇନ୍ଦ୍ରଆଦି

ଚତୁର-ଅମରେ ।

ଶୂନ୍ୟରେ ରହି                   ବିଲୋକି ସନ୍ତୋଷରେ

ଚଳିଲେ ଆପଣା ପୁରେ । ୨୩୬ ।

 

 

ହୀରମଲ୍ଲଦେବୀ-                  ହୃଦୟ-ଚନ୍ଦନ

ହର୍ଷ କବିରାଜ-ବର ।

ବିଦ୍ୟା-ବିନୋଦରେ             ବିଦିତ ଯା କୀର୍ତ୍ତି

କାଶ୍ମିର-ସୁଧୀ-ବୃନ୍ଦର । ୨୩୭ ।

 

ତା’ର ପଦକୁ                   ପଦକପ୍ରାୟ ବହି ହୃଦେ

ଗୋପୀନାଥ ସିଂହ ।

ପ୍ରାକୃତ ଭାବେ             ଏ ଗୀତ ବିରଚୁଛି

ସୁଧୀରେ ବଧିର ନୁହ । ୨୩୮ ।

 

* ବିଲୋମେ ବରବ୍ୟଞ୍ଜନେ-ଲୋମଶୂନ୍ୟ ଶ୍ରେଷ୍ଠଅଙ୍ଗେ ।

 

------

 

ସପ୍ତଦଶ ଛାନ୍ଦ

ରାଗ-ପାହାଡ଼ିଆ କେଦାର

ଏ ଅନ୍ତେ ରସ ଶୁଣ ସୁଧୀରେ             ବାସବଆଦି ସୁର-ଚତୁରେ

ବିଲୋକି ଧରାଗମ-ଶ୍ରମରେ

ଫଳ-ବିହୀନ ଯେ ।

ମହା-ଉଦଧି-କୂଳ-ଆଗତ-            ବିଶାଳ-ବୀଚି ଘୁଞ୍ଚିବା ବତ

ହେଲେ ସ୍ୱପୁରେ ପ୍ରତ୍ୟାବର୍ତ୍ତିତ

ହୃଦୟ ଶୂନ୍ୟ ଯେ ।

ଦମୟନ୍ତିର ଭାବ ହୃଦୟେ ବହି ଯେ ।

ଥିଲେହେଁ ବହୁଦିନୁଁ; ବିମନା କେହି ।

ନୋହି ମହୀପେ ସେ ନାରୀବର             ଦେଲେ ଦିଆଇ ଚତୁର ସୁର

ବିନୀତ-ଛାତ୍ରେ ବିଦ୍ୟା ପ୍ରକାର

ଗୁରୁ ପୁସ୍ନେହୀ ଯେ । । (-)

 

ଝଟକବନ୍ତ ବିମାନ-ବାରେ                   କଲେ ବିଜୟ ଭାସୁର ସୁରେ

ସ୍ପଟିକାଦ୍ରିରେ

ସବିତା-ବିମ୍ୱ ବତ ଦିଶନ୍ତି ଯେ ।

ଦ୍ରୁତଗମନ-ଜନିତବାତ-            ବେଗେ ଆକୃଷ୍ଟ ନୀରଦବ୍ରାତ

ବିମାନ ପଛେ ସ୍ୱଛେ

ସଞ୍ଚରି ଅତି ଶୋଭନ୍ତି ଯେ ।

ରଥ ପଛକୁ ବାତ ରହିବା ଭାବେ ।

ତା ତହୁଁ ଦ୍ରୁତତର ଦିଶନ୍ତି ଦେବେ ।

ଯାଉଁ ଦୂରକୁ ଦିଶନ୍ତି ଛୋଟ             ଅଣିମା ତାଙ୍କ ହୁଏ ପ୍ରକଟ

ଅଷ୍ଟଐଶ୍ୱର୍ଯ୍ୟ ମଧ୍ୟରୁ ସ୍ପଷ୍ଟ-

ଭାବରେ ଯବେ ଯେ । । (-)

 

ଗମନ୍ତି ଶୂନ୍ୟେ ଦେବଙ୍କ ଯାନ             କେତୁ-ଶିଖରେ କାହିଁ ବିଦୀର୍ଣ୍ଣ-

ଘନ-ସଞ୍ଜାତ ବିଦ୍ୟୁତ

ତହିଁ ପତାକା ହୋଇ ଯେ ।

କାହିଁ ବା ଯାଉ ଥରକୁ ଥର                   ନୀରଦେ ପଡ଼ୁଥାନ୍ତି ପଥର

ତାଙ୍କ ବକ୍ଷରେ ବାସବ-

ଧନୁ ଦିବ୍ୟ ଶୋଭଇ ଯେ ।

ଜଳଧରେ ବା ଜଳ ନ ଥିବ କାହିଁ ।

ବାସବ-କର-ବଜ୍ର ବିମ୍ୱିତ ତହିଁ ।

ହୁଅନ୍ତେ ନୀରଦଙ୍କ ଅଶନି-                  ଗର୍ଭତା ସାର୍ଥ ହେଲା ସେକ୍ଷଣି

ସ୍ୱନକୁ ଚକ୍ର-ଘର୍ଘର-

ଧ୍ୱନି ଅଛିତ ରହି ଯେ । । (-୮)

 

ଦଣ୍ଡଧରଙ୍କ ଦଣ୍ଡ ଚଣ୍ଡାଂଶୁ-                  ମଣ୍ଡଳେ କେବେ ପରଶବଶୁ

ସାବର୍ଣ୍ଣିବଂଶ-ନୃପଙ୍କ

କୁଳଛତ୍ରସଂକାଶ ।

ନଳଭୀମଜା-ପ୍ରେମେ ବିସ୍ମିତ                   ଦିବ ମସ୍ତକ କରୁ କମ୍ପିତ

ତହୁଁ ପତିତ କର୍ଣ୍ଣ-ଭୂଷିତ

କି ପାଶୀ-ପାଶ ଯେ ।

ବାତସ୍କନ୍ଧେ ଆରୋହି କର କମ୍ପାଇ ।

‘ଦିମୟନ୍ତୀ ଲଭିଲା ନିଷଧ-ସାଈ’ ।

ବୋଲି କି ବହ୍ନି କରେ ପ୍ରଚାର                   ଦେଖଣାହାରୀ ଗଗନଚର-

ନିକର ବିଚାରନ୍ତି ଚିତ୍ତର

ବିସ୍ମୟ ବହି ଯେ । । (୯-୧୧)

 

ନଭପଥରେ ଦମୟନ୍ତିର                   ସ୍ୱର-ଶ୍ରବଣ-ବିରହାତୁର

ଦେବ ଚତୁର ଶ୍ରୁତି-ଅଷ୍ଟର

କଷ୍ଟନାଶନେ ଯେ ।

ବୈଦର୍ଭୀ-ସ୍ୱର-ଅନୁକରଣ-                  ନିପୁଣ-ବୀଣାଯନ୍ତ୍ରର ଗୁଣ

ଟଙ୍କାରି ବାଣୀ ଅନୁରଣନ

ଆରମ୍ଭି ଘନେ ଯେ ।

ଏମନ୍ତେ ଯାଉ ଯାଉ ରଥେ ଅମରେ ।

ଅସି-ଲତା ଶୂନ୍ୟକୁ ବଳି ଶ୍ୟାମରେ ।

ଜନ-ନିବହ କଲେ ଲୋକନ                   ସେମାନେ ତାଙ୍କ ଅଭିନନ୍ଦନ

ପାଇଁକି ଆସୁଥିଲେ ବହନ

ଅଭିରାମରେ ଯେ । (୧୨-୧୩) ।

 

ଜନତା-ଅଗ୍ରେ ଆସେ ରତୀଶ                   ଅକ୍ଷା-ବିନୟ-ଶିକ୍ଷା-ସକାଶ

ଶିକ୍ଷକ-ପଣେ କଳି ଯା

ଶିରେ ବାନ୍ଧିଛି ତାଜ ଯେ ।

ଗହଣ-ଲୋକ ଛନ୍ତି ତାହାଙ୍କ                   ଅଗମ୍ୟାସଙ୍ଗ ପାଇଁ ଯାହାଙ୍କ

ପ୍ରାଣ ଭୃଣରୁ ହୀନ ନ ଥାଇ

ଭୟ ବା ଲାଜ ଯେ ।

ଅଟନ୍ତି ସେ ସକଳେ ବେଶ୍ୟା-ସର୍ବସ୍ୱ ।

ବେଶ୍ୟା-ବିନା ନ ଥାଇ ତାଙ୍କ ନିଜସ୍ୱ ।

ବୁଦ୍ଧେ ଈଶ୍ୱରେ ବାଦ ଭିଆଇ                   ଯେ କାମ ଲୋକଜିତ ବୋଲାଇ

ଅଙ୍ଗ ନ ବହି ବିଶ୍ୱ ଶାସଇ

କେ ତାକୁ କିସ ? ଯେ । (୧୪-୧୫) ।

 

ହର-ବୈରତା ସ୍ମରି ଯେ ସୁର                   ଈଶ୍ୱର-ସୃଷ୍ଟିନାଶେ ତତ୍ପର

ହୋଇ ନାରୀକି କରିଣ ଶର

ଆଗ ବାହାର ଯେ ।

ନାହିଁ ସୌନ୍ଦର୍ଯ୍ୟ ସମାନ ଯା’ର                   ସେ ମାର ପୁଣି ସୁର-ଚତୁର

ରୋଚକ ନ ହୋଇଲା ନେତ୍ରର

ସେକାଳେ ବାର ଯେ ।

ନଳ ରୂପକୁ ତୁଳ ନୁହେଁତ ସ୍ମର ।

ସେ ରୂପ ଦେଖିଥିଲେ ଯେଉଁ ଅମର ।

ତାଙ୍କ ନେତ୍ରର ରୁଚି ପାଇଁକି                   ଗଣନ୍ତେ ସେ କି ରତିସାଇଁକି

ସେ ଅରୋଚକ ତାଙ୍କ ସ୍ୱର୍ବୈଦ୍ୟେ

ନୋହିଲା ଦୂର ଯେ । । (୧୬-୧୮) ।

 

ପଛରେ କ୍ରୋଧ ଗର୍ଜି ଆସଇ                   କୋଶ ପର୍ଯ୍ୟନ୍ତ ଘୋଷ ଶୁଭଇ

ଯେଣିକି ଇଚ୍ଛା ତେଣେ ଫିଙ୍ଗଇ

ଯା କିଛି ପାଇ ଯେ ।

କମ୍ପେ ନିରତ ଅଙ୍ଗ ତାହାର                         ଉଠି ପଡ଼ଇ ଥରକୁ ଥର

ଶରୀର ଅତି ଲୋହିତ ତା’ର

ଉଗ୍ର ଦିଶଇ ଯେ ।

ଅଛନ୍ତି ତା’ର ଅନୁଜୀବୀ-ନିକର ।

ଦନ୍ତ-ଦଂଶେ କା ଓଷ୍ଠ ରକ୍ତ-ଜର୍ଜର ।

ରକତ-ନେତ୍ର କେ ପୁଣି                   ତହିଁ ଦୀର୍ଘକୁଟିଳ ଭୃକୁଟି

ଅହିଶ୍ୱାସ ପରାଏ କା’ର ବହଇ

ନିଶ୍ୱାସ ଖର ଯେ । ୮। (୧୯-୨୦) ।

 

ନୁହେଁ ସେ କ୍ରୋଧ ଇତର ପରି                   ପଞ୍ଚଶାୟକ ଯାହାକୁ ହାରି

ସେହି ଦୁର୍ବାସା-ୠଷି-ହୃଦୟ

ଦୁର୍ଗ ଯାହାର ଯେ ।

ତେମନ୍ତ ଦୁର୍ଗେ ବାସ ବିରଚି                         ଇନ୍ଦ୍ରାଦି ସୁରେ କରଇ ଛି ଛି

କ୍ଷଣକେ ବିଶ୍ୱଦହନ ପାଞ୍ଚି

କରେ ପୁତ୍କାର ଯେ ।

ରଞ୍ଜାଇଲେହେଁ ନୟନାଦିଙ୍କି ଅତି ।

ବଇରାଗ ଜନ୍ମାଏ ଯେହୁ ଝଟତି ।

ଜଳୁଥିଲେହେଁ ପ୍ରଖର ହୋଇ                   ଆଲୋକ ଲେଶେ ନ ପାରେ ଦେଇ

କେବଳ ମାତ୍ର ପ୍ରସବୁଥାଇ

ତମସନ୍ତତି ଯେ ।୯ । (୨୧-୨୨) ।

 

କ୍ରୋଧ ନ ଥିଲେ କୁସୁମ-ଶର            -ବିଜୟ ଅସମ୍ଭବ ବ୍ୟାପାର

ଏଣୁ ଯେ ହୃଦେ କ୍ରୋଧ ସଞ୍ଚାର

କଲେ ଶଙ୍କର ଯେ ।

ଶୁଣି ଏ ରୀତି ବିଚାରେ ଚିତ୍ତ                   ଦେଖି ଅରିକି ପରପୀଡ଼ିତ

ସାଧିବ ତାକୁ ଯତ୍ନେ ତୁରିତ

ଏ ନୀତି ସାର ଯେ ।

ଏ ନୀତି ଅବଲମ୍ବି କ୍ରୋଧ କି ସତେ ।

ଜିଣେ ଈଷିତେ ଶୈଳ-ସନ୍ତତି-ନାଥେ ।

ଯେ ମହେଶ୍ୱର ପଶୁଙ୍କ ପତି                   ସେ ଯା କବଳୁ ନ ପାରେ ବର୍ତ୍ତି

ଆନ ବା କାର ଅଛି ଶକତି

କ୍ରୋଧ-ପୁରତେ ଯେ । ୧୦ । (୨୩) ।

 

ତା ପଛେ ଲୋଭ ଆସଇ ଚାଲି                   ଧନୀ ପାଶେ ସେ କର ପ୍ରସାରି

-ଥାଏ ନିରତ ନତି ଉଚ୍ଚାରି

ଭୟାଳୁ ଅତି ଯେ ।

ନିର୍ମଳେ କଥା ନ ପାରେ କହି                   ଠାରି ମାଗଇ ବିକଳ ହୋଇ

ତା ପରେ ତା’ର ଛନ୍ତି ଗୋଡ଼ାଇ

ସେବକତତି ଯେ ।

ସର୍ବେ ଚୋର କୃପଣ ପଟୁ ଭୋଜନେ ।

ଭୁଞ୍ଜକେ ଚାହୁଁ ଥାନ୍ତି ଲୁବ୍ଧ ନୟନେ ।

ଦୁଃଖୀ କୁଟୁମ୍ବେ ଧନ ପାଇଁକି                   ପରପାଶେ ସେ ଥାଆନ୍ତି ବିକି

ଅବଗ୍ରହ ସେ ଗ୍ରହୀତା-କରେ

ଦାତାର ଦାନେ ଯେ । ୧୧ । (୨୪-୨୬) ।

 

ଏକ ପାତକ କରାଏ କୋପ                   କାମେ ଜନ୍ମଇ ଯୁଗଳ ପାପ

ଲୋଭ-ହେତୁ ପଞ୍ଚମହାପାପ

ଯେଣୁ ସମ୍ଭବେ ଯେ ।

କାମ କୋପକୁ ସେ ଲୋଭ ତେଣୁ                         ବିଚାରୁଥାଏ ‘‘ଏମାନେ ଏଣୁ

ଏ ଅବା କିସ କରିବେ’’ ତେଣୁ

ନ ଗଣେ ଲବେ ଯେ ।

ଥିଲେହେଁ ରହି ପୂରି ଜୀବ-ସର୍ବାଙ୍ଗେ ।

ରସନାରେ ତାହାର ବିଦାର ରଙ୍ଗେ ।

ଇତର କଥା ଥାଉ ତେଣିକି                         ଶିଖାଉଥାଏ ବ୍ରହ୍ମଚାରୀକି

ଭିକ୍ଷାରେ ଶିକ୍ଷା-ଗୁରୁ-ଗିରିକି

ବିବିଧବାଗେ ଯେ ।୧୨। (୨୭-୨୮)

 

ଆସଇ ମୋହ ଲୋଭ ପଛକୁ                   ଅନ୍ଧ ସେ ହିତ ସତ୍ୟ ଗିରକୁ

ବନ୍ଧୁଙ୍କ ନ ଘେନଇ; ତୁଚ୍ଛକୁ

ନିର୍ବିନ୍ଧେ ଧରେ ଯେ ।

ତା’ର ସେବକେ କାଲି ମରଣ                   ନିଶ୍ଚେ ଜାଣିଲେ ଈଶେ ଶରଣ

ନ ଯାଇ ଜ୍ଞାତିଜଞ୍ଜାଳେ

ମାତି ଥାନ୍ତି ନର୍ଭରେ ଯେ ।

ବାକି କେବଳ ଯାର ଆତ୍ମ-ଦର୍ଶନ ।

ସେଭଳି ମନୁଷ୍ୟର ନିର୍ମ୍ମଳ-ମନ ।

ଅନାୟାସରେ କଜ୍ଜ୍ୱଳ-କାଳି                         କରି ପାରଇ; ସେ ମୋହୁଁ ବଳି

ଆଉ କେ ଶତ୍ରୁ ଅଛଇ ବଳି

ବିଚାର ମନ ଯେ । ୧୩ । (୨୯-୩୧) ।

 

ସନ୍ୟାସୀ ବ୍ରହ୍ମଚାରୀ ବିପିନବାସୀଏ                   ଯଥା ଗୃହସ୍ଥ-ଜନ-ଆଶ୍ରୟେ

ଥାନ୍ତି ତଥା ମଦନ

ଲୋଭ-ରୋଷଣ ଯେ ।

ସେ ମୋହ-ଆଶ୍ରା ପାଇ ସଂସାରେ                   ପ୍ରବର୍ତ୍ତି ଥାନ୍ତି ଅତି ନିର୍ଭରେ

କରନ୍ତି ବଶ ବିନା ବିଚାରେ

ସକଳ ଜନ ଯେ ।

ଅତିଅନ୍ତ ଶତ୍ରୁ ସେ ମୋହ ଲୋକର ।

ଜାଗ୍ରତ-ଜନକୁ ସେ ନିଦ୍ରା ପ୍ରକାର

ଦରଶକର ସେହି ଅନ୍ଧତା                   ଜ୍ଞାନୀ ପଣ୍ଡିତଙ୍କର ଜଡ଼ତା

ଘୋର ତିମିର ପରାୟ ଅଟେ

ସେ ଆଲୋକର ଯେ । ୧୪ । (୩୨-୩୩) ।

 

ତହୁଁ କେତେକ ଚିହ୍ନିଲେ ଦେବେ                   ଯାହାଙ୍କୁ ଦେଖିଥିଲେ ସେ ପୂର୍ବେ

ଆନକୁ ଚିହିଁ ନୋହିଲା ଲବେ

ଯେଣୁ ସେମାନେ ଯେ ।

କଜ୍ୱଳକଳା ପାପ-କଞ୍ଚୁକ                   ଥିଲେ ଆବରି ସର୍ବାଙ୍ଗଯାକ

ଶିରୁଁ ପୟରଯାଏ ଲୋମେକ

ନ ଥିଲା ଶୂନ୍ୟେ ଯେ ।

ଉବ୍ଦେଳ-ଜଳନିଧି ପ୍ରାୟ ପ୍ରବଳ ।

ସେ ସୈନ୍ୟ-ସିନ୍ଧୁ ମାଡ଼ିଆସୁଁ ଚଞ୍ଚଳ ।

ଶ୍ରୁତିକର୍କଶ ପରୁଷ ଗିର                   ତହୁଁ ପ୍ରସରି ଅମରଙ୍କର

ଶ୍ରୁତିପୁଟକୁ କଲା ଜର୍ଜ୍ଜର

ଅବିରତର ଯେ । ୧୫ । (୩୪-୩୫) ।

 

ସେ ସୈନ୍ୟୁଁ ବାଣୀ ଶୁଭେ ଏମନ୍ତ                   ‘‘ସଲିଳେ ଶିଳ ଭାସିଲା-ବତ

ଯାଗଫଳତ ଏଥିରୁ ସତ୍ୟ

ବେଦେ କେ କହୁ ଯେ ।

ଆହେ ପଣ୍ଡିତେ କି ଶ୍ରଦ୍ଧା ତହିଁ                  ଯେ କାମାଚାର-ପଥ ରୁନ୍ଧଇ

ସେ ଶ୍ରୁତି ଏକା ସେ ସେବୁଥାଇ

ଅଧମ ଯେହୁ ଯେ ।

କ୍ଷଣସ୍ଥାୟୀ ପଦାର୍ଥ ସବୁ ଅସ୍ଥିର ।

ଏ ନ୍ୟାୟେ ସ୍ଥିର ନୁହେଁ ବୋଲି ସଂସାର ।

କରି ପ୍ରଚାର ବୁଦ୍ଧ ଗୌତମ                   କଲେ ଭଗନ ବେଦର ମର୍ମ୍ମ

ଭୋଗେ କି ଜୀବ ବିନାଶ

ପରେ ସ୍ୱକର୍ମଫଳ ଜେ । ୧୬ । (୩୬-୩୭) ।

 

ଭସ୍ମ ପୁଣ୍ଡ,କ ତ୍ରୟୀ ତ୍ରିଦଣ୍ଡ                   ଅଗ୍ନି ହୋତ୍ରାଦି ଯେ ତନ୍ତ୍ରକାଣ୍ଡ

ପ୍ରଜ୍ଞା-ପୌରୁଷ-ବିହୀନ ଭଣ୍ଡଙ୍କ

ସେ ଜୀବିକା ଯେ ।

ବୋଲିବ ଅବା ‘ମୁଁ ଶୁଦ୍ଧଜାତି’                   କେ ଜାଣେ ମାତା ପିତାଙ୍କ ଗତି ?

ତାଙ୍କ ଜନକ-ଜନନୀ-ରୀତି

ଅଛି କି ଲେଖା ଯେ ?

ଏମନ୍ତେ ଅଗଣିତ କୁଳ ନିର୍ଦୋଷ ।

ହେଲେ ଏକ ଜାତିରେ ନ ଥିବ ଦୋଷ ।

ଏହା କି କେବେ ହେବ ସମ୍ଭବ                   ଜାତିକି ଯେ ବା ଶୁଦ୍ଧ ବୋଲିବ

ତାହାର କଦାଚିତ ନ ଥିବ

ପ୍ରତିଭାଲେଶ ଯେ ।୧୭। (୩୮-୩୯) ।

 

 

‘କାମିନୀ’ ନାମ ପ୍ରସିଦ୍ଧ ଯା’ର                   ତା ତୁଲେ ରସି ପାତକ କା’ର

ନୁହେଁ ଅର୍ଜ୍ଜିତ ସଂସାରେ ବାର

ଆହେ ସୁଧୀର ଯେ ।

କାମ-ସେବନେ ବ୍ରତ ବିନାଶ                   ଜାଣୁଥିଲେହେଁ ବ୍ରତୋପବାସ-

ତୀର୍ଥ-ସ୍ନାନାଦି ପୁଣ୍ୟ ବିଶେଷ

କରନ୍ତି ନର ଯେ ।

ସମେ ବାଧଇ ସ୍ମର ନାରୀ ପୁରୁଷେ ।

ଜାଣୁଥିଲେହେଁ ତାହା ଇରିଷାବଶେ ।

ନାରୀଙ୍କି ସଦା ଆକଟି ରଖି                   ନରଙ୍କ ଦୋଷେ ମୁଦନ୍ତି ଆକ୍ଷି

ଏମନ୍ତ ଲୋକେ କି ବୋଲିବା କି ?

ବୁଝ ମାନସ ଯେ । ୧୮ । (୪୦-୪୧) ।

 

‘ନ ହରପର-ଯୋଷିତ, ବୋଲି                   ଯେ ଶାସ୍ତ୍ରମାର୍ଗେ ଅଛଇ ବୋଲି

ଦେଲେ ତା ଚିରି ଅହଲ୍ୟା ହରି

କୁଳିଶଧାରୀ ଯେ ।

ହେ ଦ୍ୱିଜେ-ଗୁରୁତଳ୍ପ ! ଗମନେ                   ପାପ-କଳ୍ପନା ନ ରଖ ମନେ

ହରିଲେ ଦ୍ୱିଜ-ରାଜନ କେହ୍ନେ

ଗୁରୁଙ୍କ ନାରୀ ଯେ ।

ପାପୁଁ ତାପ ସୁକୃତୁଁ ସମ୍ପଦ ପାଇ ।

ମରଣ-ପରେ ବୋଲି ବେଦ ବୋଲଇ ।

ଦେଖୁ ତ ଥାଇଁ ପାପୀର ସୁଖ                   ଧାର୍ମିକ ଦୁଃଖୀ ବିଶ୍ୱେ, ପ୍ରତ୍ୟକ୍ଷ

ଆଗମ ବେନି ପ୍ରମାଣେ ଦେଖ

କେ ସିଦ୍ଧ ହୋଇ ଯେ ।୧୯ । (୪୨-୪୪) ।

 

ପୂର୍ବ ଜନ୍ମକୁ ମାନେ ବା କେହି                   କା’ର ବା ତହିଁ ଆସ୍ଥା ନଥାଇ

ଏଣୁ ପାତକ ନ କଲେ ନାହିଁ

କେ ବା ଲୋଡ଼ଇ ଯେ ।

ଏ ଯେତେ ଛନ୍ତି ଯାଗ ଯଜନ                   ଅଛି ତହିଁତ ଜୀବହିଂସନ

ଏଣୁ ଏ ସର୍ବ ତେଜ, ବ୍ରାହ୍ମଣ

ବାଳୀଶ ନୋହି ଯେ ।

କାମାର୍ତ୍ତା-ନାରୀକର ଗ୍ରହଣ କର ।

ବୋଲି ବେଦଜ୍ଞବନ୍ଦ୍ୟ ବ୍ୟାସଙ୍କ ଗର ।

ସୁକୃତେ ରତି ସୁରତେ କ୍ଷାନ୍ତି                   କିପାଁ ତୁମ୍ଭର ? ଯା ସମାପତି

ବେଳକୁ ସୁଖ ସେ କର୍ମ

କର୍ତ୍ତବ୍ୟ ତ ନରର ଯେ । ୨୦ । (୪୫-୪୭) ।

 

କହି ଅଛନ୍ତି ମନୁ ମହର୍ଷି                   ‘‘ବଳକୃତ ଯେ ପାତକରାଶି

ନୁହେଁ ସେ ପାପ’’ କର ହେ

ଏଣୁ ବଳେ ପାତକ ଯେ ।

ନ ହୁଅ ଭାଗୀ ତୁମ୍ଭେ ସେ ପାପେ                   ଦେଖ ଆପଣା ଶାସ୍ତ୍ରକୁ ଆପେ

ଯା’ର ଯା’ ଇଚ୍ଛା ଭୁଞ୍ଜ ସ୍ୱଚ୍ଛନ୍ଦେ

ନ ରଖ ଦକ ଯେ ।

ଶ୍ରୁତି ସ୍ମୃତିର ଅର୍ଥ ସର୍ବ ପଣ୍ଡିତ ।

ଏକ କରିଛନ୍ତି କି ? ବିଚାର ଚିତ୍ତ ।

ବୁଦ୍ଧିକି ବ୍ୟାଖ୍ୟା ରଖେ ଅପେକ୍ଷା                   ଦେଖାଏ ସୁଖପଥ ଯେ ବ୍ୟାଖ୍ୟା

ତାକୁ ଉପେକ୍ଷା କଲେଟି

ଭିକ୍ଷା ନୋହିବ ପ୍ରାପ୍ତ ଯେ । ୨୧ । (୪୮-୫୦) ।

 

ଯେଉଁ ଦେହକୁ ‘ମୁଁ’ ବୋଲି ଭାବ                   ସେ ଦେହ ଯେବେ ଦହନ ହେବ

ତଦନ୍ତେ ଆଉ ଚିନ୍ତା କି ଥିବ

ପାପ-ଭୋଗକୁ ଯେ ।

ବୋଲିବ ଯେବେ ‘ଆତ୍ମଜେ ତାହା                   ବର୍ତ୍ତିବ’ ସତ କେ କରୁ ଏହା

ଏକ ଦୋଷରେ ଅପର ଆହା

ଲଭୁ ଦଣ୍ଡକୁ ଯେ ।

‘ସୁରେ ଜୀବ ସ୍ୱକୃତ ପାପ ମୃତାନ୍ତେ ।

ସେକାଳେ କର୍ମଫଳ ତା’ର ପ୍ରବର୍ତ୍ତେ ।

ଆନ ଭୋଜନେ ମୃତର ତୃପ୍ତି’                   ଏ ସର୍ବ ପରା ଭାଷଇ ଶ୍ରୁତି

ଏଥୁଁ ବଳିକି ବଞ୍ଚକ-ଉକ୍ତି

ଅଛି ଜଗତେ ଯେ ? । ୨୨ । (୫୧-୫୨) ।

 

ପ୍ରାଣୀ ଯେ ଦେହେ ବୋଲାଇ ମୁହିଁ                         ବେଦ ତାହାକୁ ମାନଇ ନାହିଁ

ବୁଝାଏ ତା’କୁ ‘ଏ ନୋହୁ ତୁହି

ତୁ ଆତ୍ମାରାମ ଯେ’ ।

ଜଣା କଥାକୁ କରି ଅଜଣା                         କରେ ଅଜଣା ବୁଝାଇ ବଣା

ଏମନ୍ତ-ବେଦ-ବଚନ ଗଣା

କରେ ଅଧମ ଯେ ।

ସ୍ୱସ୍ତ୍ୟୟନେ ସିଦ୍ଧି-ସମ୍ୱନ୍ଧେ ସଂଶୟ ।-

ହୋଇବା-ନୋହିବାରେ ନାହିଁ ଟି ଥୟ ।

ସଫଳେ ବରଣିୟାଁ ବୋଲଇ                   ମୋ ମନ୍ତ୍ରଶକ୍ତି ନିଷ୍ଫଳ ନୋହି’

ବିଫଳେ ବୋଲେ ‘କାର୍ଯ୍ୟେ ଅଛଇ

ତ୍ରୁଟି ନିଶ୍ଚୟ’ ଯେ ।୨୩। (୫୩-୫୪) ।

 

ଯେବେଟି ଆତ୍ମା ଏକ ଏମନ୍ତ                   ବେଦତ୍ରିତୟେ ଅଛି ଉକତ

ତେବେ ପ୍ରତ୍ୟେକ ମନୁଷ୍ୟର ତ

ସକଳ ପାପ ଯେ ।

ଏତେ ପାତକ ଲଦା ଯା ଶିରେ                   ଏକ ପାପେ ତା କି ହୋଇ ପାରେ ?

ନ ଜାଣି ନରେ ପାପ-ମାତରେ

ଲଭନ୍ତି ତାପ ଯେ ।

ଆହେ ପୂଜକେ ଫୁଲୁଁ ଫଳଇ ଫଳ ।

ପିତୁଳାପାଇଁ କିପାଁ ସେ ଫୁଲ ତୋଳ ।

ଦେବାଠାରୁ ତା ଉପନପରେ                   ବ୍ରହ୍ମୁଁ-ଅଭିନ୍ନ-ଆପଣା-ଶିରେ

ଦେଲେ ତ ପୁଣ୍ୟ ବଢ଼ିବ ଖରେ

କିପାଁ ନ ଭାଳ ଯେ ।୨୪ । (୫୫-୫୬)

 

ବୈରାଗ୍ୟ-ଉପଦେଶକେ ! ଶୁଣ,                   ନାରୀଙ୍କ ନିନ୍ଦା କିପାଁ ବଖାଣ

ତୁମ୍ଭେ ତ ତାଙ୍କ ପରି ପ୍ରମାଣ

ଏଣୁ ନ ନିନ୍ଦ ଯେ ।

ଯେ କାମଆଜ୍ଞା ବ୍ରହ୍ମାଦି-ସୁରେ                   ଅଲଙ୍ଘ୍ୟ ତାହା ବହ ହେ ଶିରେ

ବେଦ ତ ଦେବାଦେଶ ତହିଁରେ

କିସ ପସନ୍ଦ ଯେ ? ।

ବୋଲ ତ ମହାପ୍ରାଜ୍ଞେ ? ସ୍ଥଳ ସ୍ଥଳରେ ।

ବେଦକୁ ନିରର୍ଥକ ପ୍ରଜ୍ଞା ବଳରେ ।

ଦୁଃଖଦାୟକ ଯେ ବେଦବିଧି                   ତାକୁ ଯତନେ ଥାଅ ଆରାଧି

ସେ ସ୍ଥଳ-ଅର୍ଥ ତୁମ୍ଭର ବୁଦ୍ଧି

ଘେନେ କୁଶଳେ ଯେ ।୨୫। (୫୭-୫୯)

 

ସମ୍ଭନିବଦ୍ଧ-ମାତଙ୍ଗଦାନ-                  ବିଧି ବେଦରେ ଅଛି ଲିଖନ

ତାହା ପ୍ରକ୍ଷିପ୍ତ ବୋଲି ବଖାଣ

ନିଜ-ମୁଖରେ ଯେ ।

ପ୍ରକ୍ଷିପ୍ତ-ଦୋଷେ ଯେ ଶାସ୍ତ୍ର                  ଦୁଷ୍ଟ ତା’ ସ୍ତବପାଠେ ସ୍ଫୁରାଅ

ଓଷ୍ଠ କେହି ମୀମାଂସା-ଶାସ୍ତ୍ର

-ବରିଷ୍ଠ ପଣ୍ଡିତବରେ ଯେ ? ।

ପରଲୋକେ ସୁଖଦୁଃଖର ବୃତ୍ତାନ୍ତ ।

କେ ଜାଣେ’ ବୋଲି ପରା ବେଦରେ ଉକ୍ତ ।

ତେବେ କେମନ୍ତେ ସେହି ବେଦର                   ପ୍ରମାଣବଳେ ଲୋକନିକର

ସେ ପରଲୋକ ଥିବାରେ କର

ନିଶ୍ଚୟ ମତ ଯେ । ୨୬ । (୬୦-୬୧)

 

ଧର୍ମ୍ମ ଅଧର୍ମ୍ମ ଅର୍ଜ୍ଜି କି ବର୍ଜ୍ଜି                   ନୁହେଁ ନିଶ୍ଚୟ ତୁଚ୍ଛାକୁ ଗର୍ଜ୍ଜି-

ହୋଇଛି ମନୁ ସମ୍ପତ୍ତି ଅର୍ଜ୍ଜିବାକୁ

ସଂହିତା ଯେ ।

କହିବ ଅବା ବ୍ୟାସଙ୍କ କଥା            ସାରସଂଗ୍ରହ ‘ମନୁସଂହିତା’

କୈବର୍ତ୍ତୀସୁତ ବ୍ୟାସେ ଭୁକତା

ଭ୍ରାତୃ-ବନିତା ଯେ ।

ମନୁ ତ ମତ୍ସ୍ୟଠାରୁ ଧରମ ଶୁଣି ।

ନାନା-ସଂହିତାଶାସ୍ତ୍ର ଅଛି ବଖାଣି ।

ମତ୍ସ୍ୟମୁଖରୁ ଧରମକଥା-                  ଶୁଣିବା ଶୁଣି ବଥାଏ ମଥା

ଯଥା ଶ୍ରୀଗୁରୁ ଶିଷ୍ୟତ ତଥା

ସ୍ୱବୁଦ୍ଧିମଣି ଯେ । ୨୭ । (୬୨-୬୩)

 

ପାଣ୍ଡବଙ୍କର ସଭାପଣ୍ଡିତ                   ଚାଟୁରେ ପଟୁ ବ୍ୟାସୠଷି ତ;

ତାଙ୍କ ସଙ୍ଗତେ ନିନ୍ଦା ବା ସ୍ତୁତି

ସମେ ଗାଆନ୍ତି ଯେ ।

ଶୁଣ କହିବା କଥା ବ୍ୟାସର             ଭ୍ରାତୃ-ଯାୟାରେ କଲା ଶୃଙ୍ଗାର

ଦାସୀ-ସୁରତେ କିସ ମାତାର

ଥିଲା ସମ୍ମତି ଯେ ?

ଗ୍ରନ୍ଥ-ତ ରଚିଛନ୍ତି ଦେବ ବ୍ରାହ୍ମଣେ ।                   

ସେ ଗ୍ରନ୍ଥ ପୁଣି ତାଙ୍କ ପୂଜା ବଖାଣେ ।

ସେ ଶାସ୍ତ୍ରମତେ ଗୋରୁକୁ ପୂଜି                   ତାଠାରୁ ଥାଏ ଉନ୍ନତା ଭଜି

ପୂଜକ ନିଜେ ଏକଥା ହେଜି

ଘେନ ସୁଜନେ ଯେ । ୨୮ । (୬୫-୬୬)

 

ସୁନାରୀ-ସ୍ଥାନ-ସ୍ୱରଗ-ପ୍ରାପ୍ତି                   ପାଇଁ ଯତିଏ ନିରୋଧି ମତି

ଯାଗରେ ମାତି ଭଲା ତେଜନ୍ତି

କାମବାସନା ଯେ ।

‘ତୃତୀୟା ଅପବର୍ଗେ’ ପାଣିନି                   ବୋଲନ୍ତେ ନାରୀପୁରୁଷ ବେନି

ରସିବେ ତାଙ୍କ ମତ ଏ ପୁଣି

ପଡ଼ଇ ଜଣା ଯେ ।

ଉର୍ଦ୍ଧ୍ୱଗତି ପାଇଁକି ନର ସକଳ ।

ଆନନ୍ଦେ ନିମଜ୍ମନ୍ତି ସଲିଳତଳ ।

ସମ୍ମୁଖ-ଯୁଦ୍ଧ ରଚିବା ପାଞ୍ଚି                   ମେଷ ଯେମନ୍ତ ପଛକୁ ଘୁଞ୍ଚି

ମହାଆଟୋପେ ହୁଅଇ ଆଞ୍ଚି

ତଥା ବେଭାର ଯେ । ୨୯ । (୬୭-୬୯)

 

 

ଆସେ କି ଦେହ ଆଉ ପୋଡ଼ିଲେ                   କର ହେ ଶ୍ରମ ପ୍ରିୟାପ୍ରାପ୍ତିରେ

ବୈରାଗ୍ୟେ ଶାନ୍ତି ନାହିଁଟି ତିଳେ

ବୁଝ ସୁଧୀରେ ଯେ ।

‘କଲେ ପାତକ ତିର୍ଯ୍ୟକଗତି                   ପ୍ରାପତି’ ଏହା ଶୁଖିଲା-ଭୀତି

ସର୍ପ କି ସୁଖୀ ନୁହେଁ ସ୍ୱ-ମତି-

ମତ ଦ୍ରବ୍ୟରେ’ ଯେ ।

‘ମଲେ ସମରେ ଯିବ ଅମରପୁରେ’ ।

ଏକଥା ଯେବେ ସତ୍ୟ ବେଦଶାସ୍ତ୍ରରେ ।

ତେବେ ଦୈତାରି-ସଙ୍ଗେ ସମରେ                   ମରି ଅସ୍ତରେ ଅମରପୁରେ

ପୁଣି ରଚନ୍ତୁ ଦୈତ୍ୟାରି-ତୁଲେ

ରଣ ନିର୍ଭରେ ଯେ । ୩୦(୭୦-୭୨)

 

ସଂସାରେ ଜୀବ ବ୍ରହ୍ମ ଏ ଦୁଇ                   ଅମରପୁରେ ବ୍ରହ୍ମା ଏକଇ

ଜୀବଉଚ୍ଛେଦେ ବ୍ରହ୍ମ ରହଇ

ମୁକତି ସେହି ଯେ ।

ଏମନ୍ତ କହିବାରେ ବୈଦିକେ                   ପ୍ରକାରାନ୍ତରେ ଆତ୍ମଘାତକେ

ଥାନ୍ତି ପ୍ରଶ୍ରୟ ଦେଇ ଏ ଲୋକେ

ପୂଜିତ ହୋଇ ଯେ ।

ଶୀଳତ୍ୱ ବିନା ମୁକ୍ତି ଜୀବର ନାହିଁ ।

ଏ ଶୁଦ୍ଧ ଉପଦେଶ ନ୍ୟାୟ କହଇ ।

ଗୌତମ ରଚିଛନ୍ତି ଶାସ୍ତ୍ରକୁ                         ସେହି ଗୌତମ ଆମ୍ଭ ମତକୁ

ଅବା ସେ ତଥା ଯଥା ଚିତ୍ତକୁ

ତୁମ୍ଭ ଆସଇ ଯେ ।୩୧। (୭୩-୭୪)

 

କାମିର ମୁକ୍ତି ନାହିଁ ବୋଇଲେ                   ରମା ଉମା କି ଅମୁକ୍ତା ହେଲେ ?

ହେଲେହେଁ ମୁକ୍ତା ସେ ହରି ହରେ

ନ ରସନ୍ତି କି ଯେ ।

ଯେବେ ସର୍ବଜ୍ଞ କରୁଣାମୟ                         ସିଦ୍ଧବାକ୍‌ ଦେବ ଛନ୍ତି ନିଶ୍ଚୟ

ତେବେ ଲୋକଙ୍କ ଯାଚ୍‌ଜ୍ଞା-ନିଚୟ

ନ ଫଳନ୍ତା କି ଯେ ? ।

ଆପଣା କର୍ମ୍ମେ ଜୀବ ଭୁଞ୍ଜଇ ଦୁଃଖ ।

ନିମିତ୍ତରୂପେ ଈଶ ତା ସମ୍ପାଦକ ।

ଏଣୁ ଲୋକର ଅକାରଣରେ                   ଈଶ୍ୱର ଶତ୍ରୁ ହେଲେ; ଅପରେ

କାରଣ ପାଇଁ ସିନା ଶତ୍ରୁରେ

ଗଣିତ ଠିକ ଯେ । ୩୨ । (୭୫-୭୭)

 

ତର୍କ-ବିଦ୍ୟାର ନାହିଁତ ଅନ୍ତ                  ଏଣୁ ସକଳ-ଦର୍ଶନ- ମତ

ଅଟେ ସମାନ ଏକ

ଅପରେ ସଦା ଖଣ୍ଡିତ ଯେ ।

ଦରଶନର ମୂଳ ସେ ନ୍ୟାୟ             ଏଣୁ ଦର୍ଶନ ତ-ନିଚୟ ଥୟ

ବୋଲି ବା କେମନ୍ତେ କହ

କି କି ପଣ୍ଡିତ ଯେ ।

ଧାତୁସୃଜନ-ବିଦ୍ୟା ନିର୍ଦ୍ଧନଜନ ।

ଯଥା ଶିଖାଏ ଅରଜିବାକୁ ଧନ ।

ତଥା ପ୍ରଚଣ୍ଡ-କ୍ରୋଧୀ ତାପସେ             ଶିଖାନ୍ତି ଶାନ୍ତି ଲୋକେ ବିଶେଷେ

ତାଙ୍କୁ ବଳି କେ ଧୂର୍ତ୍ତ ମାନସେ

କର ଭାବନ ଯେ ।୩୩। (୭୮-୭୯)

 

ହେ ଦାତା କିପାଁ କରୁଛ ଦାନ                   ଦାନରେ ଲକ୍ଷ୍ମୀ ନୁହେଁ ପ୍ରସନ୍ନ

ଦେଖ ସର୍ବସ୍ୱ କରି ପ୍ରଦାନ

ବଳୀ ନିବଦ୍ଧ ଯେ ।

ସର୍ବ ଯାଚକେ ଧନୀର ଧନଗ୍ରହଣେ                   ତା’ର ଦ୍ରୋହାଚରଣକାର୍ଯ୍ୟେ

କୁଶଳ; ଅଛି କେ ଜନ

ନ ହୋଇ ଲୁବ୍ଧ ଯେ ?

ଚୌର୍ଯ୍ୟ ବିନା ଦାରିଦ୍ର୍ୟ ବଞ୍ଚେ ବିଶେଷ ।

ଉଦର-ପ୍ରବଞ୍ଚନ ଏ ଉପବାସ ।

ଏଣୁ ହେ ଜନେ ଶାସ୍ତ୍ରେ ନ ଭ୍ରମ                   ସକଳ ସୁଖ ଯହୁଁ ଜନମ

ସେ ସ୍ୱେଚ୍ଛାଚାରେ ତେଜ ଅଧର୍ମ୍ମ

-ଆଶଙ୍କା-ଲେଶ ଯେ । ୩୪ । (୮୦-୮୨)

 

ଏମନ୍ତ ଶ୍ରୁତିକଟୂ ଭାରତୀ                   ଶୁଣି ସକ୍ରୋଧେ ଅମରପତି

ବୋଲନ୍ତି ‘‘କେ ରେ ଧର୍ମ୍ମେ କରତି

ଏମନ୍ତ ଭାଷେ ଯେ ।

ବେଦନୟନ ତ୍ରିଭୁବନର ଥାଉଁ                   ଶାସକ ମୁଁ ବଜ୍ରଧର କେଉଁ

ସାହସେ ଏମନ୍ତ ଗିର କେ

ପରକାଶେ ଯେ ।

ବର୍ଣ୍ଣବିଶୁଦ୍ଧି ଜାତି-ଶୁଦ୍ଧି ଆଦିରେ ।

କରୁଛୁ ସନ୍ଦେହ ତୁ ନାସ୍ତିକ କେ ରେ ।

ଏ ସମ୍ୱନ୍ଧରେ ତୋର ସଂଶୟ                   ପାପୀଙ୍କ ପରୀକ୍ଷାରେ ଅଜୟ

ବିଲୋକି କିପାଁ ନ ପାଏ କ୍ଷୟ ?

ନୀଚ ଇତର ରେ । ୩୫ । (୮୩-୮୫)

 

ବ୍ରାହ୍ମଣ ଆଦି ଉଚ୍ଚବର୍ଣ୍ଣର                   ଯୋଷିତେ ଯେହୁ କରେ ବିହାର

ନ ହୁଏ କେବେ ବିଜୟ ତା’ର

ଏ ତଥ୍ୟ ଗିର ଯେ ।

ଏଣୁ ସକଳବର୍ଣ୍ଣ-ବଂଶର                   ନାହିଁ କଳଙ୍କ ତିଳେ ମାତର

ଏ କଥା ନ କରଛୁ ବିଚାର

ଚିତ୍ତରେ ତୋର ଯେ ।

ବେଦୋକ୍ତ-ଜଳାନଳ-ପରୀକ୍ଷା-ଦିରେ ।

ନାସ୍ତିକ୍ୟ-ବୁଦ୍ଧି ତୋର ନ ଯାଏ କିରେ ? ।

ପତି-ସଙ୍ଗତି ଥିଲେହେଁ ନାରୀ                   ନୁହେଁ ଗର୍ଭିଣୀ ଏଥୁଁ କି ବାରି

ନ ପାରୁ ପୂର୍ବାଦୃଷ୍ଟକୁ ? ଘାରି

ହେଉ ମିଥ୍ୟାରେ ଯେ । (୮୭-୮୮) ।

 

କା’ କା’ରଠାରେ ଆବେଶି ଭୂତ                   ସ୍ୱଗୟାଶ୍ରାଦ୍ଧ ମାଗେ ନିୟତ

ଏକଥା ସର୍ବ-ଦେଶବାସି ତ

ଥାଆନ୍ତି କହି ଯେ ।

ନାମ-ସାମ୍ୟରୁ ତେଜି ଏକରେ                   ନିଅନ୍ତି ଯମ-ଦୂତେ ଅପରେ

ବାରି ସ୍ୱଭ୍ରମ ତା’କୁ ମର୍ତ୍ତ୍ୟରେ

ଥାନ୍ତି ପଠାଇ ଯେ ।

ସେ ପୁଣି ନର-ଲୋକେ ଯମ ଭୁବନ-।

କଥା ଯା କହେ ତାହା ବେଦେ ଲିଖନ ।

ଏଣୁ ବେଦର ସତ୍ୟତା ପରଲୋକ-                  ଅସ୍ତିତ୍ୱେ ସନ୍ଦେହ ତୋ’ର

ନୁହେଁ ବିନାଶ କିପାଇଁ ବୋଲ

ରେ ଦୁରାଚାର’’ ରେ ।୩୭। (୮୯-୯୦) ।

 

ଶୁଣି ବହ୍ନି ସେ କଟୂ ଭାରତୀ                   କୋପେ ପ୍ରଜ୍ଜ୍ୱଳି ଉଠିଣ ଅତି

ବୋଲନ୍ତି, ‘‘କି କହୁ ରେ ଦୁର୍ମ୍ମତି

ନିରଗଳରେ ଯେ ।

ନ ଖାଇ ଦଣ୍ଡେ ହେଉ ମୂର୍ଚ୍ଛିତ                   ମହାପରାକୀବ୍ରତୀ-ଚରିତ

ଶୁଣି କି ତୋର ନ ହୁଏ ଚିତ୍ତ

ବେଦପଥରେ ରେ ।

ଶ୍ୟେନ-କାରିରୀ-ପୁତ୍ରେଷ୍ଟ୍ୟାଦି ଅଧ୍ୱର ।

ଫଳ ତାଙ୍କ ପ୍ରତ୍ୟହ ନେତ୍ର-ଗୋଚର ।

ଦେଖୁଣଥିଲେ ଏତେହେଁ ଧର୍ମ୍ମ                   ସନ୍ଦେହ ତୋ’ର ନ ତେଜେ ମର୍ମ୍ମ

ନାହିଁ ତୋ-ତିନି-ଭୁବନେ ଶର୍ମ୍ମ

ଏ ତଥ୍ୟ ଗିର ଯେ’’ ।୩୮। (୯୧-୯୩) ।

 

ସେ କଟୁଗରେ ମର୍ମ୍ମ କରତି                   ହେଲା ପରାୟ ପରେତ-ପତି

ଦଣ୍ଡ ଘୂର୍ଣ୍ଣନେ ସ୍ଫୁଲିଙ୍ଗତତି

ନଭେ ସରଜି ଯେ ।

କହନ୍ତି ଗର୍ଜ୍ଜି, ‘‘ରହ ରେ ଦୁଷ୍ଟ !                   ଦେଉଛି ରୁନ୍ଧି ତୋ କଣ୍ଠ ଓଷ୍ଠ

ଦେବଙ୍କ ଅଗ୍ରେ ନିନ୍ଦୁ ପାପିଷ୍ଠ

ଧର୍ମ୍ମେ କି ହେଜି ଯେ ।

ଆରେ ନାସ୍ତିକ ! ବେଦ-ଦେବ-ଦୂଷକ ।

ଉଭୟମତେ ଠିକ ଯେ ପରଲୋକ ।

ସେ ପରଲୋକ-ବିଶ୍ୱାସ ତୋର                   ଅସାର ଯୁକ୍ତି ଶୁଣି କେ ଧୀର

ଦେବ ବରଜି କର ବିଚାର

ରେ ଅବିବେକ ଯେ । ୩୯। (୯୪-୯୬) ।

 

ରେ ମୂଢ଼ ଦୃଷ୍ଟ-ବୁଦ୍ଧି ନାସ୍ତିକ !                   ଯହିଁ ଚଳନ୍ତି ବହୁତ ଲୋକ

ତା ପରିହରି ଚଳୁ ଯେମନ୍ତ

ଇହ-ସଂସାର ଯେ ।

ତେମନ୍ତ ଗତି ତୋ ପରଲୋକେ                   ନୋହି ନ ଯିବ ଜାଣ ତୁ ଠିକେ

ନ ଭୁଞ୍ଜଇ ବା କଲାକର୍ମ୍ମ କେ

ମନେ ବିଚାର ଯେ ।

ସକଳେ ପର-କରେ ନିଜ କନ୍ୟାରେ ।

ଦିଅନ୍ତି ପରଲୋକେ ସ୍ୱର୍ଗ-ଆଶାରେ ।

ଏଥି ସଂଶୟ ଥିଲେ କି କେହି                   ସ୍ୱକନ୍ୟା ପରେ ପାରନ୍ତେ ଦେଇ

ଏଥୁଁ ସଂଶୟ ତୋର ନ ଯାଇ

ଧିକ ତୋହରେ ଯେ । ୪୦। (୯୭-୯୮) ।

ଏକ ବୈଦିକ-ମତ ବିଚାର-                  ସହ ନୋହିଲେ, ଆରେ ବର୍ବର ।

ନିନ୍ଦୁ ତୁ ଆନ ମତ ସକଳ

ସେ ନିଦର୍ଶନେ ଯେ ।

ଯେବେ ବା କେଉଁ ବୈଦିକ-ମତ                   ଯୁକ୍ତି-ବାଦରେ ନୁହେଁ ପ୍ରକୃତ

ତଥାପି ପାପ ହୁଏ କି ଜାତ

ତା’ର ସେବନେ ? ରେ ।

ବେଦେ ଯାହା ବା ତ୍ୟକ୍ତ ଯାହା ବିହିତ ।

ତା ବହୁସ୍ଥଳେ ସର୍ବବାଦୀ-ସମ୍ମତ ।

ଏଣୁ ବେଦୋକ୍ତ-ଧର୍ମ୍ମ-ବର୍ଜ୍ଜନ                   ସେ ସର୍ବ ସ୍ଥଳେ ନୁହେଁ ଶୋଭନ

ବିଚାର ମନ ତା’ର ସେବନ

ସର୍ବଥା ହିତ ଯେ’’ । ୪୧ । (୯୯-୧୦୦) ।

 

 

 

କ୍ରୋଧେ ଅରୁଣବର୍ଣ୍ଣ ବରୁଣ                   ହୋଇ କହନ୍ତି ବାଣୀ ଦାରୁଣ

‘‘ଏ ମୋ ପ୍ରଚଣ୍ଡ ପାଶେ କି ହୀନ !

ତୋ ଭୟ ନାହିଁ ଯେ ?

ଯେ ଶାଳଗ୍ରାମ-ଉପଳ-ବିଳେ                   କୂର୍ମ୍ମାଦି-ଚିହ୍ନ ଥାଏ ସୁଢ଼ଳେ

ତା କି କେ ଲୋକ ନିର୍ମାଣି ପାରେ ?

ବିଚାର ତୁହି ଯେ ।

ଶାସ୍ତ୍ର-ପୁରାଣ-ଉକ୍ତ-ଲକ୍ଷଣ-ମତେ ।

ଶାଳଗ୍ରାମେ ସେ ଚିହ୍ନ ଥାଏ ଯୁକତେ ।

ଦେଖି ଏମନ୍ତ ନିଜ ନୟନେ             ପରତେ କେହି ନୁହେଁ ତୋ ମନେ

ନ ଥିବେ ନଷ୍ଟ ତିନି-ଭୁବନେ

କେହି ତୋ ମତେ ଯେ । ୪୨ । (୧୦୧-୧୦୨) ।

 

ସ୍ୱର୍ଗେ ଉର୍ବଶୀ ଇନ୍ଦ୍ର ପ୍ରଭୃତି                         ଯେ ସର୍ବେ ଛନ୍ତି ସେ ନାମ ଶ୍ରୁତି-

ତ୍ରିତୟେ ଅଛି ତେଣୁଟି ଶ୍ରୁତି

ପ୍ରଳାପ ନୋହି ଯେ ।

ନାମଭ୍ରମରୁ ଯମକିଂକରେ                         ଘେନି ଯାଇଣ ଅପର ନରେ

ପ୍ରଭୁ-ଆଦେଶେ ପୁଣି ମର୍ତ୍ତ୍ୟରେ

ତାଙ୍କୁ ପଠାଇ ଯେ ।

ଯାହା ଯାହା ସେମାନେ ଶମନ-ପୁରେ ।

କହନ୍ତି ଦେଖି ଆସିଥାନ୍ତି ସ୍ୱପୁରେ ।

ବେଦବର୍ଣ୍ଣିତ ଯମଭୁବନ-                        ସଙ୍ଗେ ତ ସେମାନଙ୍କ ବର୍ଣ୍ଣନ

ଘଟେ ସମାନ ଏଣୁଟି ମାନ

ବେଦତଥ୍ୟରେ’’ ଯେ । ୪୩ ।(୧୦୩-୧୦୫) ।

 

ଦେବଙ୍କ ଏଡ଼େ କୋପବଚନ                   ଶୁଣି ନୀରବ ହେଉ ସେ ସୈନ୍ୟ

ସେ ମଧ୍ୟୁଁ ବାହାରି ଏକ ଜନ

ମସ୍ତକେ କର ଯେ ।

ଯୋଡ଼ି ଜଣାଏଁ ‘‘ହେ ଦେବେ ମୁହିଁ                         କଳିଯୁଗଙ୍କ ବନ୍ଦି ଅଟଇ

ତେଣୁ ତାଙ୍କର ସ୍ତୁତି ରଟଇ

ଦୋଷ ନ ଧର ଯେ ।

ମୁଁ ପରାଧୀନ ଜନ ନାହିଁ ମୋ ଦୋଷ’’ ।

କହୁ କହୁ ଏତେ ସେ ଚାରି-ଦିଗୀଶ ।

ଦେଖିଲେ ଆଗେ ଆସଇ ଚଳି                   ସଙ୍ଗତେ ଅଛି ଦ୍ୱାପର ମିଳି

ଆରୋହି ରହୁବରରେ କଳି

ମହାହରଷ ଯେ ।୪୪। (୧୦୬-୧୦୮) ।

 

ମହାପାତକ-ଜାଳେ ମଣ୍ଡିତ                         ସେ କଳିଯୁଗ ନାରକୀବତ

ଊର୍ଦ୍ଧ୍ୱ-ନୟନେ ମହା-ଶ୍ରୀମନ୍ତ

ଦେବଙ୍କୁ ଚାହିଁ ଯେ ।

ମଘବା-ତେଜେ ହୋଇ ଆକ୍ରାନ୍ତ                   ତ୍ରିଶଙ୍କୁବତ ଲଜ୍ଜାବନତ-

ମସ୍ତକେ ରହି କଳି କିଞ୍ଚିତ

ପରେ ଭାଷଇ ଯେ ।

ତାହାକୁ ଚାହିଁ ଦେବେ ମୋଡ଼ୁ ବଦନ ।

ହେଳି ସେ ଉପେକ୍ଷାକୁ ମହାପିଶୁନ- ।

ପଣରେ କଳି ଦ୍ୱିଜେ ସ୍ୱପଚ-                  ସମ୍ଭାଷବତ ଆରମ୍ଭେ ବାଚ;

ନିଜକୁ ଯେଣୁ ଭାବଇ ଉଚ୍ଚ

ସୁ-ନୀଚ ଜନ ଯେ ।୪୫। (୧୦୯-୧୧୧) ।’’

 

ହେ ସୁରପତି ! ସର୍ବ ତ ଶୁଭ ?                   ଭୋ ବହ୍ନି ନାହିଁଟିକି ଅଶିବ ?

ଯମ ହେ, ସମ ସର୍ବ କି ?

ଶୁଭେ ଅଛ ? ବରୁଣ ଯେ ! ।

ଭୈମୀର ସ୍ୱୟମ୍ବର-ଉତ୍ସବେ                   ତା’ର ବରଣେ ଯାଉଛୁଁ ସର୍ବେ

ସତ୍ୱରେ ଏ ସରଣୀରେ ଦେବେ

ମନ ଉଛନ୍ନ’’ ଯେ ।

କଳିର ବୃଥା ଅହଙ୍କାର ଏମନ୍ତ ।

ଦେଖି ଦେବେ ପ୍ରକାଶି କିଞ୍ଚିତ ସ୍ମିତ ।

ପରସ୍ପରକୁ ଚାହିଁଣ ଅତି                         ବିଳମ୍ୱେ ବହି ଅବଜ୍ଞା ମତି

କଲେ ରଚନ ବଚନତତି

ଯଥା-ଉଚିତ ଯେ ।୪୬। (୧୧୨-୧୧୩) ।

 

‘‘ହେ କଳି ! ଆଉ ଏହା ନ କହ,                   କରିବ ତୁମ୍ଭେ କାହୁଁ ବିବାହ ?

ଜନ୍ମୁ ତୁମ୍ଭଙ୍କୁ କରିଛି ବ୍ରହ୍ମଚାରୀ

ବିଧାତା ଯେ ।

ଯେ ବିଧି-ଆଜ୍ଞା ତୁମ୍ଭ ଦାସରେ                   ନୁହଁଇ ଲଙ୍ଘି ତାହା ତୁମ୍ଭରେ

ହୋଇବ କେହି ମେଣ୍ଟି ମନରେ

କର ତ ଚିନ୍ତା ଯେ ।

ଧାତାର ଦ୍ରୋହୀ ହେଲେ କି ଭଲ ଅବା ? ।

ତ୍ରୈଲୋକ୍ୟ-ଯୁବଗର୍ବ-ଧ୍ୱଂସୀ ସେ ସଭା ।

ଗଲାଣି ସରି ଆସୁଛୁଁ ଫେରି             ଅମରୋରଗେ ଥିଲେହେଁ ମିଳି

ନଳଭୂପାଳବରଣେ ବାଳୀ

ହୋଇଲା ଲୋଭା ଯେ । ୪୭ । (୧୧୫-୧୧୮) ।

 

ସୁରେ ପାମର ନରେ ବାନର             ଉରଗେ ହୀନ ସେ ନାରୀବର

କରି ବିଚାର ଗୁଣ-ଉଜ୍ଜ୍ୱଳ

ନଳେ ବରିଲା ଯେ’’ ।

ଏତେ କହନ୍ତେ ଦେବେ ସେ କଳି                   ପ୍ରଚଣ୍ଡ କୋପେ ଉଠିଲା ଜ୍ୱଳି

ଯୁଗାନ୍ତରାତ୍ର-ରୁଦ୍ରଙ୍କ ଭଳି

ତେଜ ବହିଲା ଯେ ।

ବୋଇଲା ଦେବେ ଚାହିଁ ‘‘ତୁମ୍ଭେ ସମସ୍ତେ ।

ବ୍ରହ୍ମା ଆଦି ବିହାର କର ଯୋଷିତେ ।

ତୁମ୍ଭର ମହା-ତୋଷ-ସାଧନ-                  ପାଇଁକି ଏକା କଳି-ଜୀବନ

ଯାଉ ଆଦରି ବ୍ରହ୍ମଚିନ୍ତନ

ଅନୁବରତେ ଯେ । ୪୮ (୧୧୯-୧୨୧ ) ।

 

ଶୁଣିବାକୁ ଯା ଲାଗଇ ଡର                   ସେ ସର୍ବ ତୁମ୍ଭେ ସକଳେ କର

ବଖାଣ ଧର୍ମ୍ମ ପର-ଆଗର

ଏକି ବେଭାର ? ଯେ ।

ମର୍ତ୍ତ୍ୟଶ୍ରୀ ସ୍ୱୟମ୍ବରେ ସେ ନଳ                   ଲଭିଲା ତୁମ୍ଭପାଇଁ କେବଳ

ରହିଲା ଲଜ୍ଜା; ଲାଭରେ ତୁଳ

ନର ଅମର ଯେ ।

ଦୂରୁ ଆମ୍ଭଙ୍କୁ ଦେଖି ମୋଡ଼ ବଦନ ।

ତେମନ୍ତ-କରିବା ତୁମ୍ଭଙ୍କୁ ଶୋଭନ ।

ସ୍ୱର୍ଗୁଁ ମର୍ତ୍ତ୍ୟକୁ ନାରୀଲାଭରେ                   ଯାଇତଥିଲ ଫେରି ବୃଥାରେ

ତେଣୁ ଚାହିଁବ କାହିଁ ଲଜ୍ଜାରେ

ଆମ୍ଭ ଆନନ ଯେ । ୪୯ । (୧୨୨-୧୨୪) ।

 

ଥିଲ ପରାହେ ଅମରେ ଦୂରି                   କେମନ୍ତେ ସେହି ପାମରୀ ନାରୀ

ନରେ ବରିଲା ନ ଦେଲ ଜାଳି

ନୟନାନଳେ ଯେ ? ।

କି ଗୁଣେ ବଂଶେ ସମ ଯା ନାହିଁ                   ତାଙ୍କୁ ବରଜି କେମନ୍ତେ ଯାଇ

ବରିଲା ମରନଳେ ସେ ବାଇ

ଏହା ମୁଁ ଭାଳେ ଯେ ।

ଦିଗପତି-ପ୍ରାର୍ଥିତ୍ୱ-ବାଳୀକି ନଳ ।

ନେଲା ବୋଳି ବଦନେ କାଳି ତୁମ୍ଭର ।

ଅନଳ ପରା ଥିଲ ହେ ରହି                   କୂଟ ଆଦରିନାହିଁ କି ହୋଇ

ମିଥ୍ୟାରେ ସାକ୍ଷ ? ସହିଲ କେହି

ଏ ଅତ୍ୟାଚାର ? ଯେ । ୫୦(୧୨୫-୧୨୮)

 

ମହାତେଜସ୍ୱୀ ଅମରଙ୍କର                   କ୍ଷମା କେବଳ କଳଙ୍କ ଘୋର

ପାଇଁକି ହେଲା ଯଥା ଶଶିର

କ୍ଷମାର ଛାଇ ଯେ ।

ବରିଲା ବାଳୀ ଯାକୁ ସେ ନଳେ             ବରଜି କିପାଁ ଚଳ ମୋପରେ

ସେ ଦୋଷୀଠାରୁ ଘେନିବି ଛଳେ

ବାଳୀକି ମୁହିଁ ଯେ ।

ଆସ ମୋ ସଙ୍ଗେ ସମେ ଗ୍ରହିବା ବାଳୀ ।

ଗ୍ରହିଥିଲେ ପାଣ୍ଡବେ ଯଥା ପାଞ୍ଚାଳୀ’’ ।

ଏମନ୍ତେ କଳି-ଖଳ-ଭାରତୀ                   ସହି ନ ପାରି ସେ ସରସ୍ୱତୀ

କଲେ ପ୍ରଚାର କଟୁଭାରତୀ-

ମାର୍ଗଣାବଳି ଯେ । ୫୧ (୧୨୯-୧୩୨) ।

 

ଭାଷନ୍ତି ବାଣୀ, ‘‘ବର-କୀରତି                   ତୁଲେ ବିଦର୍ଭପତି-ସନ୍ତତି

ନଳେ ପ୍ରଦାନିବାକୁ କ୍ଷତିକି

ଦେବଙ୍କ ଗତି ଯେ ।

ପଣ୍ଡିତ-ଜନଙ୍କର ପାଣ୍ଡିତ୍ୟ                   ବିଚାର କରିବାକୁ-ସାମର୍ଥ୍ୟ

ହେବ କି ସ୍ଥୂଳ-ବୁଦ୍ଧିର ? ତଥ୍ୟ

ଘେନ ତୁ ମତି ଯେ’’ ।

ବାଗୀଶ୍ୱରୀ ଭାରତୀ ଗରଉତ୍ତର ।-

ପ୍ରଦାନେ ବାକ୍‌ଚୁମ୍ୱକ କଳିକାଳର ।

ନୋହିଲା ଯହୁଁ ଲୀଳାରେ ଅବ-            ହେଳି ବାଣୀକି ଅନାଇଁ ଦେବ-

ବର ଚତୁରେ ବହି ସଂରମ୍ଭ

ଭାଷଇ ଗିର ଯେ । ୫୨ (୧୩୩-୧୩୪) ।

 

ବୋଲେ, ‘‘ଭୋ ଦେବେ ଦମୟନ୍ତୀରେ             ନାହିଁ ମୋ ଆଉ କୋପ ମତିରେ

ଏକା ସେ ଦୋଷୀ ନଳେ କରୁଣା

ମୋ ଲେଶେ ନାହିଁ ଯେ ।

ହେଲତ କର୍ମ; ସେଠାରେ କେହି             ନ ଥିଲୁଁ ଆମ୍ଭେ, ଗଲା ଯା ହୋଇ,

କରିବି ଏବେ ଯା ଶୁଣ ମୁହିଁ

ହରିତସାଈଁ ଯେ ।

ଏ ମୋ ପ୍ରତିଜ୍ଞା ଛଳେ ଭୂମି ଭୌମୀକି ।

ହରି କରିବି ଜୟ ସେ ନୃପତିକି ।

ପ୍ରଚଣ୍ଡ-ତେଜା କଳିମାର୍ତ୍ତଣ୍ଡ-                  ତୁଲେ କୈରବ-ନିଷଧ-ଦଣ୍ଡ-

ଧର-ବିବାଦ ଜନଙ୍କ ତୁଣ୍ଡ

ମଣ୍ଡୁ ଏଣିକି’’ ଯେ । ୫୩ (୧୩୫-୧୩୮) ।

 

 

କଳି-କ୍ରୋଧକୁ ଜାଳିବା ପାଇଁ             ଦ୍ୱାପର ‘ସାଧୁ ସାଧୁ’ ଭାଷଇ

ତା ଶୁଣି କର କର୍ଣ୍ଣରେ ଦେଇ

ଇନ୍ଦ୍ର ଭାଷନ୍ତି ଯେ ।

‘ଧନ୍ୟ ବୁଦ୍ଧି ହେ କଳି ! ତୁମ୍ଭର                   ବାରିଲ ଯାହା ଲଜ୍ଜା ଆମ୍ଭର,

ଲଜ୍ଜିତ ଆମ୍ଭେ ମହତ ଜନେ

ଅଳପ ଦେଇ ଯେ ।

ଯେଉଁ ଭକ୍ତିର ଶତଅଂଶରୁ ଅଂଶ ।

ପାରଇ ଚତୁର୍ବର୍ଗ ଦେଇ ବିଶେଷ ।

ତେମନ୍ତ ଭକ୍ତି ନଳ-ଜଗତି-                        ପତିର ଆମ୍ଭଠାରେ ପ୍ରସୂତି

ହେଲା ଅଳପଫଳର; ମତି

ଏଣୁ ବିରସ ଯେ । ୫୪ (୧୩୯-୧୪୧) ।

 

ନୈଷଧ-ସୁଧାକର ସେ ନଳ                   ଦିକ୍ସତିତୁଲେ ଯାହାର ତୁଳ

ତା ସଙ୍ଗେ ତୁମ୍ଭ ବିବାଦ ଭଲ

ନୁହଁଇ ଘେନ ଯେ ।

ସକଳ-ଧମ୍ମ-ମର୍ମ୍ମ-ପଣ୍ଡିତ                   କ୍ଷମାଅଧିପ ନଳେ କିଞ୍ଚିତ

କଳି ଦ୍ୱୀପର ପାଇଁ ରହି ତ

ନାହିଁ ହେ ସ୍ଥାନ ଯେ ।

ମହା-ବିଦୁଷୀ ବିଦର୍ଭେଶ-କୁମାରୀ ।

ତା ତୁଲେ ବୃଥା କଳି ନ କର କଳି ।

ବିଭ୍ରମଜ୍ଞାନେ ପ୍ରମାଣଜ୍ଞାନ କ୍ଷୀନ୍ନ                   ନୋହିଲା ପରାୟ ଘେନ

ତୁମ୍ଭ କୂଟରେ ବୈଦର୍ଭୀ-ମନ

ନ ଯିବ ଟଳି ଯେ । ୫୫ (୧୪୨-୧୪୪) ।

 

ଭୀମ-ସନ୍ତତି-ନିଷଧେଶର                   ସେ ବେନି ମତି ଧର୍ମ୍ମେ ନିଶ୍ଚଳ

ସତ୍ୟ ବିହୀନେ ନୁହଁଇ ତୁଳ

ତାହାଙ୍କୁ କ୍ରେତା ଯେ ।

ହେ କଳି ଆହେ ଦ୍ୱାପର ଶୁଣ                   ତୁମ୍ଭେ ତାହାଙ୍କୁ ନୁହ ଭାଜନ

ବୃଥାରେ ହିଂସା ନବହ ମନ

ଏ ତଥ୍ୟ କଥା ଯେ ।

ନ କରୁଁ ‘ଏହା ମୁହିଁ କରିବି’ ବୋଲି ।

ବୋଲୁଁ ନିଜକୁ ନିଜେ ଦୁଷୁଛ ଖାଲି ।

କାର୍ଯ୍ୟର ଦୃଷ୍ଟାଦୃଷ୍ଟ-କାରଣ                         ନୁହେଁତ କିଛି ତୁମ୍ଭ ଅଧୀନ

ଏ କଥା କିପାଁ ନ ଘେନ ମନ

କହୁଛ ପେଲି ଯେ । ୫୬ (୧୪୫-୧୪୬) ।

 

ମୋହେ ଆଚରି ଦ୍ରୋହ ସେ ନୃପେ                   ନଷ୍ଟତା-ଦୋଷୁଁ ସରୁ ତ ପାପେ

ଜଳଇ ଅନବରତ ଆପେ

ଲୋକ ଅଚିରେ ଯେ ।

ହେ କଳି ! ନଳେ ତୁମ୍ଭର ଦ୍ୱେଷ             ନୁହେଁ ଉଚିତ ଏଥିରୁ ଲେଶ

ନୋହିବ ଶୁଭ ହେବ ବିଶେଷ

ଅଶୁଭ ଖରେ ଯେ ।

ସ୍ୱୟମ୍ୱରେ ଯିବାର ଦୁର୍ବୁଦ୍ଧି ତେଜ ।

ତହିଁ ଯାଇ ରାଜକେ ନ ପାଅ ଲଜ୍ଜା’’ ।

ଏମନ୍ତେ ଇନ୍ଦ୍ର-ବଚନେ ଆନ-            ଦିଶଈଶ୍ୱରେ ଅନୁମୋଦନ

କଲେହେଁ ଯୁଗ-ଯୁଗ-କର୍ଣ୍ଣେ

ତା ନୋହିଲା ସଜ୍ଜା ଯେ । ୫୭ (୧୪୭-୧୫୦) ।

 

ତହିଁ ସେ ଚାରି ଅମରବରେ                   କଳିକି ଚାହିଁ ଉପହାସରେ

ଯାହା ଭାଷିଲେ ତହିଁ ସେ ତାଙ୍କୁ

ଦେଲା ଉତ୍ତର ଯେ ।

ଭାଷନ୍ତି ଇନ୍ଦ୍ର, ‘‘ହେ କଳି ! ଶୁଣ                   ସରିବାପରେ ନଳବରଣ

ଉଦ୍‌ବେଗେ କିପାଁ କର ଧାବନ

ବିମାନେ ଖର ଯେ’’ ।

ଭାଷଇ ଇନ୍ଦ୍ରମୁଖ ଅନାଇଁ କଳି ।

‘‘ନଳନୃପେ ବରନ୍ତେ ସେ ବରବାଳୀ ।

ଉଦ୍‌ବେଗେ କିପାଁ କର ଧାବନ             ବିମାନେ ଆହେ ସୁରରାଜନ

ହେବ କି ଆଉ କଥା ଗୋପନ ?

ଗଲାଣି ବଳି ଯେ’’ । ୫୮ (୧୫୧-୧୫୨)

 

ଭାଷନ୍ତି ବହ୍ନି, ‘‘ଯା’ର ବରଣେ                   ଯାଉଛ ସେ ତ ବରିଲା ଆନେ

ତା ପରେ ତହିଁ ହସିବେ ଜନେ

ତୁମ୍ଭ ପ୍ରବେଶେ’ ଯେ ।

ବୋଲଇ କଳି, ‘ହେ ବୈଶ୍ୱାନର !                   ଯା ପାଇଁ ଗଲ ସେ ପରା ବର

ବରିଲା ଆନେ ତୁମ୍ଭେ ଫେରିଲ

ଅରଜି ଯଶେ’ ଯେ ।

ଯମ ବୋଲନ୍ତି, ‘ନଳେ ବରିଲା ବାଳୀ ।

କି ଲାଭ ବୃଥା କୋପେ ? ଅକ୍ଷମ କଳି’ ।

କଳି ବୋଲଇ ‘‘ଶୁଣ ଶମନ                   ନୋହିଲ-ପ୍ରାପ୍ତ ଯେଣୁ ଅକ୍ଷମ

ବୃଥାକୁ କିପାଁ କହୁଛ ତମ

ମୋ ପରେ ଚଳି’’ ? ଯେ । ୫୯ (୧୫୩-୧୫୪) ।

 

ଭାଷି ବରୁଣ, ‘ସରୁ ବରଣ                   କୂଟ ଶୋଭାରେ ଜିଣି ମଦନ

ମହାଯାନେ ଯା କର ଗମନ

ନିର୍ଲ୍ଲଜ୍ଜ କଳି’ ଯେ ।

କହଇ କଳି, ‘ଆହେ ନିର୍ଲଜ୍ଜ !                   କାନ୍ତିରେ ରଞ୍ଜି ଲୋକସମାଜ

ଆରୋହି ମହାଯାନ ଯା ଓଜ

ପ୍ରକାଶି ଚଳି ଯେ ।

ଗଲ ସେ ସ୍ୱୟମ୍ୱରେ ବନିତା ପାଇଁ ।

ତୁମ୍ଭେ ଦେଖନ୍ତେ ଆନ ଗଲା ତା ନେଇ ।

ଏଣୁ ତୁମ୍ଭର ସଜ୍ଜନପଣ                   ଗତୁଁ ବିକାଶେ ସହସ୍ରଗୁଣ

ନାହିଁ ଯା ଲଜ୍ଜା ଏମନ୍ତ ଭଣ

ଆମ୍ଭଙ୍କୁ ଚାହିଁ ଯେ ‘‘ । ୬୦ (୧୫୫) ।

 

କଳି-ଦ୍ୱାପର-ରୋଷ ଭୂପାଳେ                   ନ ଟଳୁଁ ଦେବେ ସ୍ୱର୍ଗକୁ ଗଲେ

ଦ୍ୱାପରେ ଘେନି ହୋଇ ମତ୍ସରେ

ମୂର୍ଚ୍ଛିତ କଳି ଯେ ।

ମହାନିଗ୍ରହେ ନଳପୀଡ଼ନ-                  ଉପାୟ ପାଞ୍ଚି କଲା ଗମନ

ନଳକୀରତି-ପୂରିତ ସ୍ଥାନମାନଙ୍କେ

ଗଳି ଯେ-।

ନପାରଇ,-ତା ଦେଖି ଆସେ ଏମନ୍ତ ।

ମନକୁ ନୃପ-ଶୁଭ୍ରକୀର୍ତ୍ତି-ପୂରିତ ।

ନିଷଧଦେଶ କଳିକି ଚାହିଁ                   କରେ ନିଷେଧ ପ୍ରବେଶ ପାଇଁ

ତେଣୁ କି ଚଳି ସେ ନ ପାରଇ

ବଳି ତୁରିତ ଯେ । ୬୧ (୧୫୬-୧୫୮) ।

 

ଚନ୍ଦ୍ରମଣ୍ଡଳ-ବତ ବିମଳ                         ନଳଶାସିତ ମହୀମଣ୍ଡଳ-

ଗ୍ରାସକୁ କଳି ସିଂହିକା-

ବାଳବତ ପ୍ରବେଶ ଯେ ।

ସେ ଅହଂକାରୀ କଳି କେତେକକାଳ-                  ଶ୍ରମରେ ମହୀନାୟକ-ନଳ-

ମଣ୍ଡଳେ ଦେଲା ପଦେକ

କରି ସାହସ ଯେ ।

ଏକାଳରେ ଜନଙ୍କ ବେଦାଧ୍ୟୟନ ।

ଶ୍ରବଣେ ବାଜିଯାନ୍ତେ ହୋଇ ଉଛନ୍ନ ।

ମହା-ପାତକ-ନିବହେ କଳା                   ସେ କଳି ଶକ୍ତି ନୋହିଲା

ଚଳାଇବାକୁ ପାଦ କେଣିକି ଗଲା

ତା ପୂର୍ବଟାଣ ଯେ । ୬୨ (୧୫୯-୧୬୧) ।

 

ଶ୍ରୁତି-ପାଠକ-ବଦନୁଁ କ୍ରମ-                  ଶ୍ରବଣେ ହେଲା ଗତିବିଭ୍ରମ

ଗଲା ସଙ୍କୋଚି ଚରଣ

କ୍ରମଶରେ ତାହାର ଯେ ।

ବୈଦିକ ମୁଖୁଁ ସଂହିତା-ପାଠ                   ଶୁଣା ନୋହିବା ଯାଏଁ କର୍ମ୍ମଠ

ଥିଲା ତା ପଦ ପ୍ରକାଶି ଆଣ୍ଟ

ଘେନ ସୁଧୀର ଯେ ।

ହୋମ-ଧୂମ-ଘୃତର ଗନ୍ଧେ ନୟନ ।

ନାଶା ଲସିଲା କି ? ସେ ଭାବେ ପିଶୁନ ।

ଅତିଥି-ପଦଜଳେ ପିଚ୍ଛିଳ                         ଗୃହୀ-ପ୍ରାଙ୍ଗଣେ ପୟର

ତା’ର ହେଲା ସ୍ଖଳିତ ପ୍ରତି-ପଦର

ମହାକଷଣ ଯେ । ୬୩ (୧୬୨-୧୬୫) ।

 

ଯାଗ-ଅନଳ-ତେଜରେ ପୁଟ-                  ଯାକ-ଯାତନା ଲଭିଲା ନଷ୍ଟ

ଜଳାଶୟୋର୍ମ୍ମିବ୍ୟଜନ-ବାତ

କର୍ତ୍ତେ ତା ଗାତ୍ର ଯେ ।

ପିତୃ-ତର୍ପଣ ପାଇଁକି କ୍ରୟ-                  ବର୍ଣ୍ଣର କୃଷ୍ଣତିଳ-ନିବହ

ଯମ ପରାୟ ତା ପକ୍ଷେ ଭୟଙ୍କର

ସର୍ବତ୍ର ଯେ ।

ସ୍ନାତକଙ୍କ ତିଳକ କୃପାଣ ପରି ।

ତା’ର ମରମେ ପଶି ଦିଅଇ ଘାରି ।

କେ ମିଥ୍ୟାବାଦୀ ଦେଖି ହରଷ             ହୋଇ ପଛକୁ ହେଲା ବିରଷ

ନିଜସ୍ତ୍ରୀକି ସେ ମିଥ୍ୟା ସମ୍ଭାଷ

କରଇ ବାରି ଯେ । ୬୪ (୧୬୬-୧୬୯) ।

 

ଯାଗ-ଯୂପରେ ପୂରିତ ପୁରୀ                   ମଣେ ସେ ଶଙ୍କୁ-ସଙ୍କୁଳ ସରି

ଧାର୍ମିକ-ପୂର୍ଣ୍ଣ ପୁରେ ବିଚାରେ

ହିଂସ୍ର-ସଙ୍କୁଳ ଯେ ।

ମାସୋପବାସୀ ପରାକିଙ୍କର                   ଛାୟାଲଙ୍ଘନେ ନ ଚଳେ ତାର

ଚରଣ କେବା ପୁଚ୍ଛେ ତାଙ୍କର

ପାଶେ ଯିବାର ଯେ ।

ଅବାହିତା ସାବିତ୍ରୀ ଦ୍ୱିଜ ସମୀପେ ।

ବିଲୋକି କଳି ଭୟେ ପଳାଏ ଆପେ ।

ଗୃହରେ ଗୃହୀ, ତପୀ ବନରେ             ଉଟଜେ ଯତି ଦେବ ଦେଉଳେ

କାହିଁ ସେ ଖଳେ ସ୍ଥାନ ନ ମିଳେ

ଭ୍ରମେ ସନ୍ତାପେ ଯେ । ୬୫(୧୭୦-୧୭୩)

 

 

ମଖରେ ବଳି-ଗାଭୀକି ଦେଖି                   ମାନସେ ଭାଳି ହୋଇଣ ସୁଖୀ

ବିରଚେ ଦ୍ରୁତଗତି ତହିଁକି

ନିବାସ ପାଇଁ ଯେ ।

ସୌମ୍ୟ ବୃଷରେ ରତା ସେ ଧେନୁ             କଳିକି ଦେଖି ବହିଲା ମନ୍ୟୁ

ଖର ବିଚାରେ ତାକୁ ସେ ସ୍ଥାନୁଁ

ଶୀଘ୍ର ତଡ଼ଇ ଯେ ।

ନିଜ ପ୍ରିୟା ‘ହିଁସା’ କୁ ନ ଦେଖେ କାହିଁ ।

ସ୍ୱମିତ୍ର ‘କଳି’ ମଧ୍ୟ ମୂର୍ଖେ ନ ଥାଇ ।

ବ୍ରତିଙ୍କ ମୌନେ ଶାପ-ଆଶଙ୍କା                   ପୂଜ୍ୟଙ୍କ ପୂଜା-ବାରିର ଦେଖା

ହୋଇଲେ ଭାବେ ‘କେ ମୋ ମସ୍ତକେ

ପାଦ ମାରଇ’ ଯେ । ୬୬ (୧୭୫-୧୭୬) ।

 

ବୃଷିକି ଧରି ୠଷିଏ ଜଳେ                         କୁଳି କରିବା କଳି ଦେଖିଲେ

ଭାବେ ‘ମୁଦ୍ଗରେ ମାରି ଏ ନୀରେ

ଶପିବ ମୋତେ’ ଯେ ।

ମେଖଳା-ଯଷ୍ଟିଧର ସନ୍ୟାସୀ                   ଦେଖି ସେ ଚିନ୍ତେ ‘ଏ ରଜ୍ଜୁପାଶୀ

ଦେଇ ମୋ ଗଳେ ବଳେ ଆକର୍ଷି

ପିଟିବ ସତେ’ ଯେ ।

ପୁରୋଡ଼ାଶ ଦେଖିଲେ ଭୟେ କମ୍ପଇ ।

ଶ୍ରୁଚକୁ ସର୍ପ ଭାଳି ଅଶ୍ରୁ ମୁଞ୍ଚଇ ।

ସୁକ୍ରାମ-ଯାଜୀ ବିପ୍ରଙ୍କ ମଦ୍ୟ-                  ପାନ-ଲୋକନେ ହୋଇ ଆନନ୍ଦ

ପଛକୁ ହେତୁ ବାରି ସେ ମନ୍ଦ

ତାପ ଲଭଇ ଯେ । ୬୭ (୧୭୭-୧୮୦) ।

 

ବେଦାଧ୍ୟାୟିଙ୍କ ବ୍ରହ୍ମ-ଅଞ୍ଜଳି                   ଦରଶନରେ ତା ହୃଦୁଁ ଚଳି-

ଗଲା ପରାୟେ ରକ୍ତ-ଅଞ୍ଜଳି

ବିଚାରେ ଚିତ୍ତେ ଯେ ।

ସ୍ନାତକ ଦେଖି ଘାତକ ଚିନ୍ତେ                   କୃତାନ୍ତ-ବତ ଡରଇ ଦାନ୍ତେ

ବାଚଂଯମୀଙ୍କୁ ଭାଳଇ ‘ଯମ ଆସେ

କି ସତେ’ ଯେ ।

ପାଷଣ୍ଡ ଖୋଜୁଁ ଖୋଜୁଁ ପାଏ ପଣ୍ଡିତ ।

ଆଶା-ବିନାଶେ ଖଳ ହୁଅଇ ବ୍ୟସ୍ତ ।

ସଲିଳାର୍ଥିର ଅନଳଲାଭ                         ବତ ଏକଥା କଳିକି ଭାବ

ନୋହିଲା ସେ ନଗରେ ସଦ୍ଭାବ

ତା’ର କିଞ୍ଚିତ ଯେ । ୬୮(୧୮୧-୧୮୩)

 

ତହିଁ କେ ବ୍ରହ୍ମଘାତୀକି ଦେଖି                   ଲଭନ୍ତେ ସୁଖ ପରେ ତରକି

ଏ ସର୍ବମେଧ-ଯାଜୀ ବୋଲିକି ?

ଜଳଇ କଳି ଯେ ।

ଯତିଙ୍କ ‘ରାମ୍ଭ’ ଗୃହୀଙ୍କ ‘ଯଷ୍ଟି’             ଦେଖି ମନରେ ନଲଭେ ତୁଷ୍ଟି

ଭାବଇ ନ ଦିଅନ୍ତିଟି ପିଟି

ଏ ମୋତେ ଚଳି ଯେ ।

ସ୍ଥଣ୍ଡିଳଶାୟୀ ଦେଖି ଛାଡ଼ି ମଣ୍ଡଳ ।

ପଳାଇବାକୁ ପାଞ୍ଚୁଥାଇ ଚଣ୍ଡାଳ ।

ପବିତ୍ର ଦେଖି ପବି-ତ୍ରାସକୁ                   ଚିନ୍ତାତାହାର ଚମକେ ବୁକୁ

ନ ପଡ଼େ ତହିଁ ତା ନୟନକୁ

ଲେଶ ସୁଖର ଯେ । ୬୯(୧୮୪-୧୮୬)

 

କ୍ଷପଣେ ଖୋଜି ଦୀକ୍ଷିତଙ୍କର                   ଅକ୍ଷେ କ୍ରୀଡ଼ନ ଦେଖେ ପାମର

ଜିନକୁ ଖୋଜି ସନ୍ନ୍ୟାସୀଙ୍କର

ଅଜିନ ପାଏ ।

ମାଳି ଗଡ଼ାଇ ଜପିବା-ନର             ଦେଖି ସ୍ୱଜୀବାକର୍ଷଣ ପରକାର

ଲଭଇ ବିପଦଘୋର

ସୁଖ ନ ଥାଏ ଯେ ।

ସନ୍ଧ୍ୟାତ୍ରୟେ ବିପ୍ରଙ୍କ ଅଘମର୍ଷଣ ।

ଦେଖି ଭାବେ ସ୍ୱନେତ୍ର-ଅପକର୍ଷଣ ।

ରାଜଦମ୍ପତି-ତ୍ରୁଟି-ସନ୍ଧାନ-                  ପାଇଁ ସେ ଦେଶେ କରି ଭ୍ରମଣ

ଦେଖିଲା ନାହିଁ ଚିହ୍ନିତ ଜନ

ତା’ର ନୟନ ଯେ । ୭୦ । (୧୮୭-୧୯୦)

 

ସାଧୁବିଦ୍ୱେଷୀ କଳି ସ୍ୱାଧ୍ୟାୟ-                  ତପ-ଯାଗାଦି ସ୍ୱଶତ୍ରୁଚୟଙ୍କର

ସେ ପୁରେ ସମ୍ପଦୋଦୟ

ଦେଖି କାତର ଯେ ।

ସକଳ-ନାରୀ-କାମୁକ କା’ରେ                   ଦେଖି ହୁଅନ୍ତେ ତୋଷ ମନରେ

ପଛକୁ ତାକୁ ଶୈବ ବିଚାରେ

ହେଲା ଜର୍ଜର ଯେ ।

ସୁଚିତା-ତେଜେ ତଳେ ନ ପାରେ ରହି ।

ନ ଦେଲା ବେଦଶବ୍ଦ ଶୂନ୍ୟେ ରଖାଇ ।

ଅମା-ପୂର୍ଣ୍ଣିମାସୋମାଗ୍ନିଷ୍ଟୋମ-            ଯାଗ-ଦର୍ଶନେ ଜ୍ୱଳେ ତା ମର୍ମ୍ମ

ନ ପାରି ଲଭି କାହିଁରେ ଶର୍ମ୍ମ

ଘାରି ହୁଅଇ ଯେ । ୭୧ (୧୯୧-୧୯୪)

 

ଦେଖଇ ବହୁ ବୀରଘ୍ନ ଲୋକ                   ନ ପଡ଼େ ନେତ୍ରେ ବୀରହଣେକ

ନ ଦିଶେ ଅଭିନିର୍ମୂକ୍ତ ଏକ

ମୁକ୍ତ ବହୁତ ଯେ ।

ପରସ୍ପରକୁ କରି ପରଶ                   ଦ୍ୱିଜ-ଭୋଜନ ଦେଖି ହରଷ

ହେଉ ତା ତୋଷ କାଳ ବିଶେଷ

ନୋହିଲା ସ୍ଥିତ ଯେ ।

ଜାଣନ୍ତେ ହୋମ-ଶେଷ ସୋମ ବ୍ରହ୍ମଣେ ।

ଭଞ୍ଜୁ ଅଛନ୍ତି ବସି ସନ୍ତୋଷ ମନେ ।

ହୃଦୟ ତାର ହୋଇଲା ଘାରି                   ତହିଁ ବସତି ପାଇ ନ ପାରି

ଅପର ସ୍ଥଳେ ଗଲା ସେ ଚଳି

ମହା ବିମନେ ଯେ । ୭୨ । (୧୯୫-୧୯୬) ।

 

ଧୂଳି ଧୂସର ଦେଖି କାହାକୁ             ହେଉ ସନ୍ତୋଷ ଅନ୍ତେ ତାହାକୁ

ପାବନସ୍ନାତା ବାରି ଦେହକୁ

ବିଦାରି ହୁଏ ଯେ ।

ଗୋବଧ ଦେଖି କାହିଁ ଧାମଇଁ                   ତାହା ହେଉଛି ଅତିଥି ପାଇଁ

ଜାଣି ନିରାଶେ ଫେରି ଆସଇ

ନ ରହେ ଥୟେ ଯେ ।

ନିତ୍ୟ ନୈମିତ୍ୟ-ତ୍ୟାଗୀ-ବିପ୍ର-ଦର୍ଶନେ ।

ଜାତ ତୋଷ ତା ଚିତ୍ତେ ନ ରହେ କ୍ଷଣେ ।

ସେ ତ୍ୟାଗ ତା’ର ଯାଗେ ଦୀକ୍ଷିତ                         ହେବାରୁ ଜାତ ହେଉ ବିଦିତ

ଶୁଖଇ ମୁଖ ପଳାଏ ବ୍ୟସ୍ତ

ହୋଇ ତତ୍‌କ୍ଷଣେ ଯେ । ୭୩ । (୧୯୬-୧୯୯)

 

ଆତ୍ମଘାତୀକି ଦେଖି ସନ୍ତୁଷ୍ଟ                   ହେଉ ସର୍ବସ୍ୱାର-ଯାଗନିଷ୍ଠ

ବାରି ତାହାକୁ ଲଭଇ କଷ୍ଟ

ଅତ୍ୟନ୍ତ କଳି ଯେ ।

ମହାଯାଗରେ ବ୍ରହ୍ମଚାରୀର                         ବେଶ୍ୟା-ସଙ୍ଗମ ଦେଖି ପ୍ରଫୁଲ୍ଲ

ହୁଅଇ ଭାବେ ଏ ଯାଗଜାଳ

ଅସଭ୍ୟ ଖାଲି ଯେ ।

କାହିଁ ବା ଅଶ୍ୱମେଧ ଅଶ୍ୱ-ମୋହନ ।

ଯଯ୍ୱା-ଭାର୍ଯ୍ୟା ଯୋନିରେ କରେ ଯୋଜନ ।

ତା ଦେଖି ଲଭି ସନ୍ତୋଷ ମନେ                   ଭାଳଇ ଶ୍ରୁତି ରଚକମାନେ

ନାହାନ୍ତି ରଖି ନିର୍ଲ୍ଲଜ୍ଜ-ପଣେ

ଜଣେ ସମାନ ଯେ । ୭୪ । (୨୦୦-୨୦୨)

 

ଏମନ୍ତେ ଭ୍ରମି ଭ୍ରମି ବହୁତ                         ଦେଖିଲା କଳି ଭୀମଜା-ଯୁତ

ଦୁଷ୍ଟ-ନୟନେ ଅବିଲୋକିତ

ପ୍ରଭା-ମଣ୍ଡିତ ଯେ ।

ନଳ-ନୃପାଳେ ସବିତା-ସରି                   ପ୍ରଭା ଯା ସେବାକାରିଣୀ ନାରୀ

ଦୁଷ୍ଟନୟନ ଯା ରୂପ ବରିବାକୁ

ଅଶକ୍ତ ଯେ ।

ସେ ରାଜଦମ୍ପତିର ସାନ୍ଦ୍ର ସୌହାର୍ଦ୍ର୍ୟ ।

ଶଲ୍ୟ ସମ ଭେଦିଲା କଳିର ହୃଦ ।

ତାଙ୍କର ହାସ୍ୟ ନର୍ମ୍ମଉକତି                         କରତବତ ଦେଲା କରତି

ଛାତିକି ଶେଷ ଯୁଗର ଅତି

ଭାବ କୋବିଦ ଯେ । ୭୫ । (୨୦୩-୨୦୪)

 

ନିଜର ଦୋଷ-ଅମର୍ଷବଶେ                   ତାଙ୍କ ତେଜସ୍ୱୀପଣୁଁ ବିଶେଷେ

ଦର୍ଶନେ ହେଲେ ତାଙ୍କ ପରଶେ

ନୋହି ଶକତ ଯେ ।

ତହୁଁ ପକାଇ ଦୀର୍ଘ ନିଶ୍ୱାସ                         ପଳାଇ ଆସି ହୋଇ ନିରାଶ

ନୃପ-ଆରାମୋଦ୍ୟାନେ ପ୍ରବେଶ

କଲା ତ୍ୱରିତ ଯେ ।

ଲକ୍ଷ-ରକ୍ଷକ ଜଗିଛନ୍ତି ସେ ବନେ ।

ତହିଁ ଯିବେ କିପାଇଁ ବା ତପୀଜନେ ।

ନୋହିବ ସେ ତ ଦେଖା ରକ୍ଷକେ                   ତପୀ ତ ନାହିଁ ରୋଧିବ ବା କେ ?

ରହିଲା ମାନୀ କଳି ନିଃଶଙ୍କେ

ତହୁଁ ସେ ସ୍ଥାନେ ଯେ । ୭୬ । (୨୦୫-୨୦୭)

 

ଦଳ-କୁସୁମ-ଫଳେ ଦୈବତ-                  ପୂଜାପାଇଁ ଯେ ଦ୍ରୁମେ ଭୂଭୃତ

ଥିଲେ ଲଗାଇ ତହିଁ ମୂହୁର୍ତ୍ତ-ମାତ୍ର

ନ ରହି ଯେ ।

ସକଳବିଧ ବୃକ୍ଷ ବନରେ                   ରଖିବାପାଇଁ ଭାବି ମନରେ

ନୃପ ବିଭୀତପାଦପେ ଥିଲେ

ରଖାଇ ତହିଁ ଯେ ।

ସେ ବିଭୀତକ ଧର୍ମ୍ମ-କାର୍ଯ୍ୟେ ଅଯୁକ୍ତ ।

ତା’ର ଦର୍ଶନେ କଳି ସନ୍ତୁଷ୍ଟ ଚିତ୍ତ ।

ନୃପ-ସଉଧ ନକଟେ ସେହି                   ବୃକ୍ଷ-ଶିଖକୁ ଆଶ୍ରୟ ପାଇ

ନୃପତ୍ରୁଟି କି ରହିଲା ତହିଁ

            ନିବେଶି ଚିତ୍ତ ଯେ ।୭୮। (୨୦୮-୨୧୦)

 

 

ଆଶ୍ରୟ-ଶୂନ୍ୟ କଳିକି ସ୍ଥାନ                   ଦେବାରୁ, ତାର ‘କଳିଦ୍ରୁ’ ନାମ

ହେଲା ସାର୍ଥକ ସେ କଳ୍ପଦ୍ରୁମ

ହେଲା କଳିକି ଯେ ।

ନିଜ-ଯୁଗରେ ଧର୍ମ୍ମକୁ ପଦେ                   ରଖି ଥିବାରୁ କଳିକି ପଦେ

ମାତ୍ର ପାଇଲା ଆସ୍ପଦ ହୃଦେ

ଭାବ ବିବେକୀ ଯେ ।

ବୃକ୍ଷବାସୀ ସେ ନାମ-ସାମ୍ୟରୁ କାକ ।

ସାଗ୍ନିକ ନଳ-ନରଇନ୍ଦ୍ର କୌଶିକ ।

ସ୍ୱଭାବ-ଶତ୍ରୁ-ନୃପତି-ନଳ-                        ଦର୍ଶନେ ତେଣୁ କଳି ଚଞ୍ଚଳ

ହୁଅଇ କାହିଁ ନ ପାଏ ସ୍ଥଳ

ନ ତେଜେ ଦକ ଯେ ।୭୯। (୨୧୧-୨୧୩)

 

ଏମନ୍ତେ ରହି ବିଭୀତକରେ                   କଳି ନଳଙ୍କୁ ସାଧି ନ ପାରେ

ନୃପତି-ଛିଦ୍ର ପାଞ୍ଚି ଚିତ୍ତରେ

କାଳ କାଟଇ ଯେ ।

ବିନିଦ୍ର-କଳିକା-ଲତା କୁଳ                   ଯଥା ସେ ବନେ ମହା-ମଞ୍ଜୁଳ

ବିନିଦ୍ରକଳିକାଳ ତା ଭାଳି

ତେମନ୍ତ ତହିଁ ଯେ ।

ଲୋକମୁଖେ ସଂସାରେ ନିର୍ଦୋଷ ହୋଇ ।

ନାହାନ୍ତି କେହି ଏହା ମାନସେ ଧ୍ୟାୟି ।

ଦ୍ୱାପର ନଳ ଛିଦ୍ରାନ୍ୱେଷଣେ             ଭ୍ରମିଲା ଧରା ନ ରହି କ୍ଷଣେ

ତା ମନୋବାଞ୍ଛା ନୋହିଲା କେଣେ

ପୂରଣ କାହିଁ ଯେ । ୮୦ । (୨୧୪-୨୧୭)

 

ଦୋହଦପାଇଁ ସେ ବନେ ସାର                   ନିତି ପଡ଼ଇ ତହୁଁ ପ୍ରଫୁଲ୍ଲ-

ପାଦପେ ବହି ପୁଷ୍ପ-ପ୍ରକାର

ଥାନ୍ତି ନିରତ ଯେ ।

ସେ ଶୁଭ୍ର-ସୁମନସ-ନିକର-                        ପୂରିତା-ରାମ ସୁଧା-ଆକର-

ଶଶଧରର ଶୋଭା-ସମ୍ଭାର-

ହର ନିୟତ ଯେ ।

ଅଛି ଶଶାଙ୍କେ ଅଙ୍କ ଏଥି ତା ନାହିଁ ।

ଏ ଊନତା କଥା କି ମାନସେ ଧ୍ୟାୟି ।

ହୀନ-ପୂରଣ ପାଇଁକି କାଳ-                  ମରାଳକାନ୍ତି ସେ କଳିକାଳ

କଲା ବସତି ଲୋଡ଼ି ସେ ସ୍ଥଳ

ଏତେ ଭାବଇ ଯେ । ୮୧ । (୨୧୮)

 

ଏମନ୍ତେ ମହାବିସ୍ତୃତ-ନଳ-                  ନଗରେ ପ୍ରଜା-ସୁକୃତ-ଜାଳ-

ଯୋଗରେ ବହୁବିଘ୍ନେ ଆକୁଳ

ହୋଇ ସତତ ଯେ ।

ନୃପତି-ତ୍ରୁଟି ଅନୁସନ୍ଧାନ-                  କରଣେ ସଦା ନିବେଶି ମନ

କାଟିଲା କଳି ବହୁ ହାୟନ

ଘେନ ପଣ୍ଡିତ ଯେ ।

ସେ ନୃପତି-ଦମ୍ପତି ସେବା ନିମିତ୍ତ ।

ପୁଷ୍ପଚାପ-ସିଞ୍ଜିନୀ ଶ୍ରୁତି ପର୍ଯ୍ୟନ୍ତ ।

ଆକର୍ଷି ଦେବ କେଳତିସାଇଁ                   କଲେ ବିଜୟ ସେକାଳେ ତହିଁ

ମହାମହିତ ହୋଇଲା ମହୀ

ବିଚାର ଚିତ୍ତ ଯେ ।୮୨। (୨୧୯) ।

 

 

ମାମଲ୍ଲଦେବୀ-ହୀର-କୁମର                   ଶ୍ରୀହର୍ଷ କବିପଣ ଯାହାର

‘ଛିନ୍ଦପ୍ରଶସ୍ତି’ କାବ୍ୟେ ଭାସ୍କର-

ଭାବେ ବିକଶି ଯେ ।

ସେ ମହାକବି-ରଚିତ ନଳ-            ଚରିତ ଜନେ ମହାମଞ୍ଜୁଳ

ଘେନ ମାନସୁଁ ବରଜି ମଳ-

କଳୁଷ-ରାଶି ଯେ ।

ସେ କବିରାଜ-ପଦ-ଆଶ୍ରୟ ପାଇ ।

ଭାଷାରେ ଗୋପୀନାଥ ଯାଉଛି କହି ।

ଗୁଣ ଥିଲେଟି ହର୍ଷଙ୍କ ତାହା                   ତା ମୋର ତ୍ରୁଟି ଦୂଷଣ ଯାହା

ସାହା ମୋ ଏକମାତ୍ର ଚୌବାହା

କମଳାସାଇଁ ଯେ । ୮୩ । (୨୨୦) ।

------

 

Unknown

ଅଷ୍ଟାଦଶ ଛାନ୍ଦ

ରାଗ-କାମୋଦୀ । ଝମ୍ପତାଳ

ଭୀମ ଭୂପ-ନନ୍ଦିନୀ -                  ଦମୟନ୍ତିର ପାଣି

ଗ୍ରହିଣ ନଳ ମହୀପାଳ ।

କାମ ସାଗର ତରି -                  ବାର ପାଇଁକି ତରୀ

ବିଚାରି ତାରେ ହେଲେ ଭୋଳ ।

ହେ ସାଧୁଜନେ ।

ରସିଲେ ହେଲେ ଅହର୍ନିଶ ।

ନୋହିଲା ତାଙ୍କ ପାପ-ଲେଶ ।

କର୍ତ୍ତବ୍ୟ ବୋଧେ ବୁଧ             ଯେବେ ବିଷୟ-ବନ୍ଧ

ଗ୍ରହେ ହୁଏ କି ତା କଳ୍ମଷ ? ।

ସାଧୁଜନେ । । (-)।

 

ସଚିବେ କାର୍ଯ୍ୟଭାର             ଦେଇ ପ୍ରିୟାସଙ୍ଗର

ଅନଙ୍ଗେ କଲେ ଆରାଧନ ।

ନାନାରତ୍ନ-ରାଜିତ                   ହେମଭୂମିଶୋଭିତ

ସୌଧଭୂଧରେ ବିହରଣ ।

କଲେ ରଙ୍ଗେ ।

କାମଦ ଦେବଦତ୍ତ ମାଳ ।

ଆଶ୍ରୟ ଯା’ର ନଳ-ଗଳ ।

ସେ ହାର-ପରସାଦେ             ସୁରଗିରିକି ବାଦେ

ମଣେ ଏ ସୌଧଶୈଳ ତିଳ ।

ସାଧୁଜନେ । (-) ।

 

କାଳାଗୁରୁ-ଧୂପିତ                   ସେ ପୁର ସୁରଭିତ

ପ୍ରତ୍ୟେକ-ଜାଳମାଗେ ତହିଁ ।

ଚନ୍ଦ୍ର-ଚନ୍ଦନ-ଲିପ୍ତ                   ତେଣୁ ଆସେ ମରୁତ

ସେ ପଥେ ସୁଗନ୍ଧକୁ ବହି ।

ପୁରୋଦରେ ।

କାହିଁ ସୁବାସ-ଦୀପ ଜଳେ ।

ଯାଶିଖା ତୁଳ କାମଶରେ ।

ସ୍ମର-ନୃପତି-କର–                  ପ୍ରତାପାଙ୍କୁର-ପରକାର

ସେ ତଡ଼ଇ ତିମିରେ ।

ପୁରୋଦରେ । (-) ।

 

ତହିଁ ମଣିକୁଟ୍ଟିମ                   ମୃଗମଦ-କୁଙ୍କୁମ-

ଲେପିତ କର୍ପୂର-ବାସିତ ।

ନୀରେ ଧଉତ ଶୈଳ-                  ସମ୍ଭବ-ପୁଷ୍ପମାଳ-

ମଣ୍ଡିତ ହରେ ନେତ୍ର ଚିତ୍ତ ।

ତହିଁ କାହିଁ ।

ନୃପତି-ଅଙ୍ଗ-ସଙ୍ଗ ଲଭି ।

ପୁଷ୍ପତଳପ ଅଛି ଶୋଭି ।

ଆମୋଦେ ମୃଦୁବର୍ଣ୍ଣେ                   ଗତୁଁ ରାଜେ ଦ୍ୱିଗୁଣେ

ବହି ସେସ୍ଥଳ-ଶୀରି-ଛବି ।

ତହିଁ କାହିଁ । (-୮) ।

 

କାହିଁ ପୁରନିକଟ                   ଉଦ୍ୟାନରେ ପ୍ରସ୍ଫୁଟ-

କଳିକା-କୋଟି-ଗନ୍ଧ ବହି ।

କରି ସାର୍ଥକ ଗନ୍ଧବହ             ନାମକୁ ମନ୍ଦସମୀର

ରାଜ୍ଞୀକି ସେବଇ ।

ସାଧୁଜନେ ।

ସର୍ବର୍ତ୍ତୁ-ବନସ୍ପତି-ବ୍ରାତ ।

-ପୂରିତ ସେ ଉଦ୍ୟାନେ ବାତ ।

ଶୁକକର୍ତ୍ତିତ-ଚୂତ-                  ମଧୁଗନ୍ଧେ ତୃପତ

କରେ ସେ ପୁରବାସୀବ୍ରାତ ।

ସାଧୁଜନେ । (୯-୧୦) ।

 

କେଉଁ ଅଂଶ ସେ ପୁରେ                   ବିନିର୍ମିତ ସ୍ୱର୍ଣ୍ଣରେ

କେ ଭାଗ ରତନେ ମଞ୍ଜୁଳ ।

ଚିତ୍ରଶାଳିକା କାହିଁ,                   ତମସାଲୋକ ଦୁଇ

କାହିଁ ରଚନ୍ତି ଇନ୍ଦ୍ରଜାଲ ।

ପ୍ରତିମୂର୍ତ୍ତି ।

ଉର୍ବଶୀ ନାରଦାଦିଙ୍କର ।

ଦେଖି ଦର୍ଶକ ସେ ପୁରର ।

ବରଶିଳ୍ପିକି ବାତଗ୍ରସ୍ତ                   ଅନୁବରତ-କମ୍ପିତ-

ଶିରା ବେଦବର ।

ବୋଲୁଥାନ୍ତି । (୧୧-୧୨) ।

 

ଭିତ୍ତି-ମଧ୍ୟ-ନିକେତ-                  ଚାରିଙ୍କ ନୃତ୍ୟଗୀତ

ଅତି ଆଶ୍ଚର୍ଯ୍ୟ ଲାଗୁଥାଏ ।

କଳଚାଳିତ-ପୁତ୍ତଳିକାଙ୍କ                   ହସ୍ତ-ପଦ-ଚାଳନ

ବିସ୍ମୟ ଜନ୍ମାଏ ।

ତାମସୀରେ ।

ଭିତ୍ତି-ନିଚିତ-ରତ୍ନ କରେ ।

କରନ୍ତି ଦୂର ଅନ୍ଧକାରେ ।

ନୀର-ଯନ୍ତ୍ର-ଛୁରିତ                   ନୀରଧାର ନିପାତ

କରେ ଉତ୍ତାପେ ଆତପରେ ।

ନିରନ୍ତର । (୧୩-୧୪) ।

 

ପୁର-ନାଗଦନ୍ତିକା                         ପରେ ବସି ଶାରିକା

କାମ-କାରିକା ପଢ଼ୁଥାନ୍ତି

ରାଜାରାଜ୍ଞୀ-ସୁରତ-                  ବ୍ୟାପାରେ କୃତାକୃତ-

ବିଷୟମାନ ଆଲୋଚନ୍ତି ।

ସାଧୁଜନେ ।

ମତ୍ତ-କଳବିଙ୍କ-ସୁରତ ।

-ବତ ବହୁତବାର ରତ ।

ବାପୀଭୂଷଣୀଭୂତ                         ମରାଳଙ୍କ ଭୂଭୃତ

ଦେଖୁଥାନ୍ତି ପ୍ରିୟା ସହିତ ।

କାହିଁ ଅବା । ୮ (୧୫-୧୬) ।

 

ବୀଣା-ବେଣୁ-କୋକିଳ-                  ଅଳି ନର୍ତ୍ତକିଙ୍କର

କେୟୂର-ନୂପୁର-ନିଃସ୍ୱନ ।

ନୃପଦମ୍ପତି-ରତକାଳୀନ-                  ରବ-ବ୍ରାତ ଯତନେ

କରନ୍ତି ଗୋପନ ।

ସେ ପୁରର ।

ଦ୍ୱାର ଉପରେ କୃଷ୍ଣସାର - ।

ବିଷାଣବତ ବିଭଙ୍ଗୁର ।

ଶୃଙ୍ଗାର-ନଦୀସମ                   ମଧୁର ମନୋରମ

ସଦା ଶୁଭେ

କିନ୍ନରୀ-ସ୍ୱର । ୯ (୧୭-୧୮) ।

 

ଧାତାକୁ ସ୍ୱସୁତାରେ                   ମତାଇବା-କଥାରେ

କାମ ସାହସ ଥିଲା ବଢ଼ି

ସେ କଥା ପୂର୍ବାପର-                  କ୍ରମରେ ସେ ଭର୍ତ୍ତିର

ଗାତ୍ରେ ଲିଖିତ ଧାଡ଼ି ଧାଡ଼ି ।

କାହିଁ ଅବା ।

ପରଯୋଷିତେ ପୁରନ୍ଦରେ ।

ରସାଇ କାମ ସଂସାରରେ ।

ବିଶ୍ୱଜୟୀ ହେବାର                   ସକଳ ସମାଚାର

ଚିତ୍ରିତ ଭାସ୍ୱର ଭାବରେ ।

କାହିଁ ଅବା । ୧୦ (୧୯-୨୦) ।

 

କାର୍ତ୍ତିକ-ପୌର୍ଣ୍ଣମାସୀ-                  ସମ ସେ ସୌଧ ଦିଶି

ସୁରେଶ-ପୁରୀର ସୁଷମା- ।

ଜିଣା ଯଶକୁ ତା’ର                   ଶୁଭ୍ରକପୋତବାର-

ଛଳେ ଉଡ଼ାଏ ବ୍ୟୋମସୀମା ।

ଶଶାଙ୍କର ।

ଗୁରୁ-ପ୍ରମଦାଭିଗମନ ।

କଥା ଯା ଭରତରଚନ ।

ସେ ନାଟକ ସେ ପୁରେ                   ଅଭିନୟ-ଯୋଗରେ

ପୂର୍ଣ୍ଣାଙ୍ଗେ ହୁଏ ପ୍ରତିଦିନ ।

ସାଧୁଜନେ । ୧୧ (୨୧-୨୨) ।

 

ବୃନ୍ଦାବିପିନ-ଦାରୁ-            ବନେ ଘେନିଣ ଭୀରୁ

ହରି ହର ଯା ରସିଥିଲେ ।

ଯହିଁ ସେ ଶୁକ୍ର କବି             ସେ ଘଟଣାର ଛବି

ଅଙ୍କିତ ବିଟକଙ୍କ ଭାଲେ ।

ସେ ପୁରରେ ।

ବିଚରି ବୋଲେ ଏକକୀର ।

‘‘ଜ୍ଞାନ ନାଶ ବଳିଲେ ସ୍ମର’’ ।

ପରାଶର ଦିବସେ                         ଯମୁନା-ତୀରଦେଶେ

କୈବର୍ତ୍ତସୁତା ହରିବାର ।

କଥା ଭାଷେ । ୧୨ (୨୩-୨୪) ।

 

ତପସାଗର-ତୀର-                  ପରପାରୁଶେ ବର-

ରୁଷଏ ଅପସରାସ୍ତନ ।

-ଘଟ ଆଶ୍ରୟ କରି                   ଅଛନ୍ତି ନୋହି ପାରି

ଏ ଚିତ୍ର କାହିଁ ବା ଚିତ୍ରଣ ।

ସେ ପୁରରେ ।

ରାଜା ରାଣୀଙ୍କି ସ୍ମରରତି ।

ବିଲୋକି ହୋଇ ମୁଗ୍‌ଧ ଅତି ।

ରୂପେ ଜିତୁଁ ତାହାଙ୍କୁ                   ସେ ଜିଣିବାକୁ ୟାଙ୍କୁ

ବଢ଼ାଇଲେ କି ଶୋଭା ଅତି ? ।

ସ୍ୱଦେହରେ । ୧୩ (୨୫-୨୬) ।

 

 

ମହାକବି-କଳ୍ପନା                         ହୁଏ ଯହିଁରେ ବଣା

ଯେ ରୀତି ବେଶ୍ୟାଙ୍କୁ ଅଜଣା ।

ସେ କାମକଳାମାନ                   ପ୍ରିୟାତୁଲେ ରାଜନ

ରଚନ୍ତି ହୋଇ ହୃଷ୍ଟମନା ।

ସେ ପୁରରେ ।

ସହଜେ ନଳ ଯୁବା-ପତି ।

ପତ୍ନୀ କିଶୋରୀ ଦମୟନ୍ତୀ ।

ଏଣୁ ପତିସଙ୍ଗତି-                        କାଳେ କିଞ୍ଚିତ ଭୀତି

ଲଭୁ ନ ଥିବକି ସୃଦତୀ ।

ଘେନ ଧୀରେ । ୧୪ (୨୭-୨୮) ।

 

ପୂର୍ବେ ବାସବ-ଦୂତ-                  ଭାବେ ପୁରେ ଆଗତ

ନଳେ ଯା ଭାଷିଥିଲା ବାଳା ।

ସ୍ମରି ସେ କଥା ପତି-                  ପାଶେ ମସ୍ତକ ପୋତି

ଲାଜେ କିଛି କହି ନୋହିଲା ।

ସ୍ୱୟମ୍ବରେ ।

ଲଜ୍ଜା ବରଜି ନିଜେ ନଳେ ।

ବରିବା ସ୍ମରି ଲଜ୍ଜା-କୁଳେ ।

ପତି ଥାନ୍ତୁ; ସେ ଥିବା                   ଦିଗେ ନେତ୍ର ପଡ଼ିବା

ତାହାର ନ ହୋଇଲା ତିଳେ ।

ସାଧୁଜନେ । ୧୫ (୨୯-୩୦) ।

 

ଯେଉଁ ଦିଶେ ରତନେ                   ବିରାଜିତ ଆସନେ

ନୃପତି ଥାନ୍ତି ବିଜେକରି ।

ସେହି ଦିଶେ ଇରିଷା                   ବହିଲା ବତ ଯୋଷାଭୂଷା

ନ ଚାହେଁ ନେତ୍ର ଢାଳି ।

ସାଧୁଜନେ ।

ଲଜ୍ଜାନଦେ ମଜ୍ଜିବାଭଳି ।

ମସ୍ତକ ନତକରି ବାଳୀ ।

ସ୍ୱାମୀ-ଆଦର ଡାକେ                   ପୁତ୍ତଳିଭଳି ଠିକେ

ରହଇ ଦେହଳି ନ ବଳି ।

ସାଧୁଜନେ । ୧୬ (୩୧-୩୨) ।

 

ଭ୍ରମେ ସ୍ୱାମୀ ଆଗରେ                   ନ ଯାଏ ନେଲେ ବଳେ

ତଳପ ନ ଭଜଇ ବାଳୀ ।

ପହୁଡ଼ାଇଲେ ପାଶେ                   ନ ପହୁଡ଼ଇ, ପାଶେ

ଆଣିଲେ ରହେ ପୃଷ୍ଠକରି ।

ସାଧୁଜନେ ।

ଗୌରୀ-ଗୋରୀ ସେ ଯେବେ ଯାହା ।

କରି ଇଚ୍ଛଇ ନରନାହା ।

ତା ଜାଣି ତାହା କରିବାକୁ                   କହନ୍ତେ ବାଳୀ ତହୁଁ

ତେଜଇ ଶୀଘ୍ର ଇହା ।

ସାଧୁଜନେ । ୧୭ (୩୩-୩୪) ।

 

ଲଜ୍ଜାବିମୁଖୀ ବିଧୁମୁଖୀ                   ପ୍ରିୟାକୁ ଦେଖି

‘‘ମୋରେ କି ଅନୁରାଗ ନାହିଁ’’ ।

ଏ ଭୟକୁ ଭୂପତି                         ତେଜନ୍ତି ଦୂତଗତି-

ବେଳେ ତା ବଚନ ଚିତୋଇ ।

ଆଗେ ଆଗେ ।

ସଖୀଙ୍କ ସଙ୍ଗେ ପ୍ରେୟସୀକି ।

ଅଣାନ୍ତି ନୃପତି କତିକି ।

ପରେ ସଖୀଏ ସଙ୍ଗେ                   ଅଣାଇଁ ନାନାବାଗେ

ତାକୁ ପେଷିଥାନ୍ତି ଏକାକୀ ।

ସୁଚତୁର । ୧୮ (୩୫-୩୬) ।

 

ଆଳି ବାଳୀକି ଆଣି                   ଭୂପାଳ ପାଶେ ପୁଣି

ବିଜେ କରାନ୍ତି ଯେତେବେଳେ ।

କାମ-ଶାସ୍ତ୍ର-ଚତୁର                        ନଳ ତାହାକୁ କୋଳ-

ଦେଶେ ଆଣନ୍ତି କଉଶଳେ ।

ଆଗେ ଚୁମ୍ୱି ।

ନତମୁଖୀ ପ୍ରିୟାକୁ ଭାଲେ ।

ମୁଖ ଟେକୁଁ ଗଣ୍ଡ ଯୁଗଳେ ।

ତହୁଁ ହେଲେ ବିଶ୍ୱସ୍ତ                   ମୁଖେ ଚୁମ୍ବ ମୁଦ୍ରିତ

କରି ହସନ୍ତି ମନ୍ଦେ ଗେଲେ ।

ସାଧୁଜନେ । ୧୯ । (୩୭-୩୮) ।

 

ବାଳୀ-ହୃଦୟେ ସ୍ମର-                  କ୍ଷୁଦ୍ରାଙ୍କୁର ଲଜ୍ଜାର

ହୁଙ୍କାରେ ନିବର୍ତ୍ତି ରହିଲା ।

ତହୁଁ ପ୍ରବଳ ଭୟ                         ଭର୍ତ୍ସନା ଅତିଶୟ

କରି ତାହାକୁ ଲୋପ କଲା ।

ସ୍ମରୋତ୍ସବେ ।

ନଳ-ବାହୁ-ଯୁଗଳ ବଳେ ।

ଆଲିଙ୍ଗୁ ପୃଷ୍ଠ ତଳପରେ ।

ଦୃଢ଼େ ରଖି ବାଳୀକା                   ସ୍ୱଭୁଜ-ଯୁଗେ ଏକା

ବାରିଲା ଦୟିତ-ଭୁଜରେ ।

ବହୁବେଳ । ୨୦। (୩୯-୪୦) ।

 

ହାର-ସୌନ୍ଦର୍ଯ୍ୟ-ଅବ-            ଲୋକନ-ଛଳେ ଧବ

ପାଣିକି ବାଳୀ-କୁଚମୂଳେ ।

ନେଇଣ କଉଶଳେ                   ପରଶି କଣ୍ଠମୂଳେ

ଭାଷନ୍ତି ‘‘ପ୍ରିୟେ ! ବର-ମାଳେ ।

ସ୍ୱୟମ୍ୱରେ ।

ମୋତେ ତ ଥିଲୁ ପୂଜା-କରି ।

ଏବେ ପଡ଼ିଛି ମୋର ପାଳି’ ।

ଏତେ ବୋଲି ସ୍ୱହାର                   ଦେଇ ବାଳୀ ଗଳାର

ରଙ୍ଗେ ସ୍ପର୍ଶନ୍ତି କୁଚଚୂଳୀ ।

ବାଳୀକାର । ୨୧ । (୪୧-୪୨) ।

 

ରାତ୍ରେ ନିଦ୍ରା-ଅଚେତ-                  ବାଳୀ-ନୀବିରେ ହସ୍ତ

ଦେଉଁ ନୃପତି ଫେଇବାକୁ ।

ବାରି ପରଶ ନାଶ                   ହେଉ ନିଦ୍ରା ବାଳୀଶ

ଦିଏ ପେଲି ପତି-କରକୁ ।

କେବେ ଅବା ।

ପ୍ରେୟସୀ-କୂଚ-ଝୀନବାସ ।

ଲକ୍ଷି ନୃପତି କରୁ ହାସ ।

ବିବସ୍ତ୍ରାବତ ଅତି                   ଲାଜେ ବର-ଯୁବତୀ

ଆବରୁଥାଇ ଉରେ ବାସ ।

ପୁନଃପୁନ । ୨୨ । (୪୩-୪୪ ) ।

 

ଏମନ୍ତେ ସୁଚତୁର                   ପତି କ୍ରମେ ପ୍ରିୟାର

ଭୟକୁ ଦେଉ କରି ଦୂର ।

ତା ଜାଣି ମନସିଜ                   ସେ ଲାଜତୁଲେ ନିଜ-

ଚାପ-ଗୁଣ ଟାଣିଲା ଧୀର ।

ପରିହାସେ ।

ପତିର ତୁଷ୍ଟ ହୋଇ ବାଳୀ ।

ନ ହସେ ବେଶି ଅଳ୍ପୁଁ ବଳି ।

ପରେ ବିଷ-ପ୍ରସୂନ-                  ରାଗ-ସଙ୍ଗୀ ଦଶନ

ଦେଖାଇ ଇଛଇ କେ ନାରୀ ।

ବୁଧେ ବାର । ୨୩ (୪୫-୪୬) ।

 

ହାର-ମଣିର ଚିହ୍ନ                   କୁଚେ ଥିବା ଚାହିଁଣ

ଆଳି ଭାଳନ୍ତି ମାନସରେ ।

ନିବିଡ଼ ଆଲିଙ୍ଗନ                         ପ୍ରିୟର କାଲି ମାନ-

ବତୀ ସହିଛି ନିଶୀଥରେ ।

ପିନ୍ଧାଲାଗି ।

-ବେଳେ ସଖୀଙ୍କି ଦୃଢ଼େ ନୀବି ।

ଭିଡ଼ିବାକୁ କହୁ ବାନ୍ଧବୀ ।

ତହୁଁ ସେ ତହିଁ ପତି-                  କରଚାଞ୍ଚଲ୍ୟ ଅତି

ହେବାର ଥାନ୍ତି ଚିତ୍ତେ ଭାବି ।

ସାଧୁଜନେ । ୨୪ । (୪୭-୪୮) ।

 

ଲାଜେ କେଉଁ ବିଷୟ                   ଲୁଚାଇ କେ ବିଷୟ

ପ୍ରସଂଶା କରି ବରବାଳୀ ।

କଳି-କୁସୁମ-ମେଳ                   ପଦ୍ମିନୀକି ଚଞ୍ଚଳ

ଶୋଭାରେ ଯାଉଥାଇ ବଳି ।

ଏଣେ କାମ ।

ନ ଦିଏ ରଖାଇ ପତିଙ୍କି ।

ନ ଦେଖାଇ ସେ ସୁଦତୀକି ।

ତେଣୁ ପତି-ଦିଗରେ                   ଯାନ୍ତେ ଲୋଚନ ଖରେ

ଲାଜ ବାରଇ ତା’ ଗତିକି ।

ଅର୍ଦ୍ଧପଥେ । ୨୫ । (୪୯-୫୦) ।

 

ପତିକି ନେତ୍ରଯୁଗ-                  ଲକ୍ଷ ନ କରେ ମୃଗ-

ଲୋଚନ-ଅଲକ୍ଷ ନ କରେ ।

ଦର୍ପଣାଦିରେ ପତି-                  ମୂର୍ତ୍ତିକୁ ନେତ୍ର ଧାତି-

କାରେ ସଂଯୋଗୁଥାଇ ଧୀରେ ।

ଦିବସରେ ।

ବିରହ ତାପେ ବିଭାବରୀ ।

ବାଞ୍ଛଇ ପତିସଙ୍ଗଝୁରି ।

ନିଶାରେ ସ୍ୱାମୀ-ସଙ୍ଗ                   ଲଭି ଲାଜେ ବିଭଙ୍ଗ

ହୋଇ ସ୍ମରଇ ବରବାଳୀ ।

ଦିବସକୁ । ୨୬ । (୫୧-୫୨) ।

 

‘ଯା ତୁ ସ୍ୱୀକାର କରୁ                   ତା ବିନା କରଭୋରୁ

ଆନ ମୁଁ ନ କରିବି କେବେ ।

ଲାଜ ଭୟ ବରଜ                   ମୋତେ ତୋ ସଖୀ ହେଜ’

ବୋଲି ବୋଧନ୍ତି ପ୍ରିୟଭାବେ ।

ମହୀପତି ।

ଲଜ୍ଜା-ଔଷଧେ ରୁଦ୍ଧ-ତେଜ ।

ବାଳୀର କାମାଗ୍ନି ସହଜ ।

ମତାଇବାରେ ପଟୁ-                  ମନ୍ତ୍ର ପରାଏ ଚାଟୁ-

ଗିର ନୃପର ଧୀରେ ହେଜ ।

ହେଉଥାଏ । ୨୭ । (୫୩-୫୪) ।

 

ଘୁଞ୍ଚାଇ ପ୍ରିୟକର                   ସ୍ୱକରେ ପୟୋଧର

ଆବରୁଁ ରାମା ଯାଏ ଜଣା ।

ଲାଜେ ପତିଙ୍କି ତେଜି                   ତାଙ୍କୁ ହୃଦରେ ଭଜି

ଆଲିଙ୍ଗଇ କି ସୁଲୋଚନା ।

କେବେ ଅବା ।

‘ହେ ପ୍ରିୟେ ! ନ ମାଗଇ ଆନ ।

ଥରେ ତୋ ଓଷ୍ଠ ମଧୁ-ପାନ’ ।

ଏହା ଭାଷି ରାଜନ                   ନିର୍ଜ୍ଜନେ ମର୍ଦ୍ଦିସ୍ତନ

ବଳେ କରନ୍ତି ଓଷ୍ଠପାନ ।

ସାଧୁଜନେ ।୨୮। (୫୫-୫୬) ।

 

‘ଚୁମ୍ୱିତ ଅଛି ଧନି !                   ତହିଁ ତୋ କିସ ହାନି

ଏଣୁ ଏଥିରେ ବୃଥାଭୀତି ।

ନକର’ କହୁ କହୁ                   ପ୍ରିୟା-ନୀବିକି ଚାହୁଁ

ଚାହୁଁ ଫେଇଲେ ପତି ଧାତି ।

ପ୍ରଥମରେ ।

ଲଭିଲା ଯେ ରମଣ ବାଳୀ ।

ତହୁଁ ବାମତା ଥିଲା ମିଳି ।

କମ୍ପ ଘର୍ମ କୌତୁକ                   ଭୟ ଅଭୀଷ୍ଟ ସୁଖ

ପୀଡ଼ାଦି ଯାଇଥିଲା ଝଳି ।

ସେ ସଙ୍ଗରେ । ୨୯ । (୫୭-୫୮) ।

 

ଭାଷନ୍ତି ପତି ‘ଯେଣୁ                   ଏ ସଙ୍ଗମ ତୋ ଅଣୁ-

ଦରି ପ୍ରଥମ ତେଣୁ ଲାଜ ।

ତୋତେ ସାଜେ, ତୋ                   ଚିନ୍ତା ବଶୁଁ ତୋ’ର

ଏକତା ଲଭିଛି ଅବିରତ ହେଜ ।

ମନେ ମନେ ।

ଏଣୁ ଏ ବାହ୍ୟ-ଆଲିଙ୍ଗନ ।

ଜନ୍ମାଏଁ ଲାଜ ମନେ ଘେନ ।

ହୃଦେ ହୃଦୟ-ମେଳ-                  ଠାରୁ ବାର ଶରୀର

ଶରୀରେ ମେଳ କି ପ୍ରଧାନ ।

ପ୍ରାଣପ୍ରୀତି । ୩୦ । (୫୯) ।

 

ରତାରମ୍ଭେ ପ୍ରଧାନ-            ବାଧା-ଲଜ୍ଜା-ନାଶନ

ପାଇଁ କି ସେ ନିରୁପମାର ।

ବର-ରସକ-ସାର                   ଅବନି-ପୁରନ୍ଦର

ଭାଷନ୍ତି ସେପ୍ରକାର ଗିର ।

ସାଧୁଜନେ ।

ଯେମନ୍ତେ ବାଳା ଲାଜ ତେଜି ।

ହୋଇବ ବିପରୀତେ ରାଜି ।

ପାଇବାପାଇଁ ଲାଜ                   ଲଜ୍ଜିତ ହେବ ରାଜ-

ହଂସ-ଗାମିନୀ ଯାହା ହେଜି ।

ସାଧୁଜନେ । ୩୧। (୬୦) ।

 

ସେ ଧରା-ସୁରରାଜ                   ପ୍ରାତେ ବରଜି ଶେଯ

ଯିବାବେଳେ ରସା-ଶଚୀକୁ ।

ବଳେ ଚୁମ୍ୱାନ୍ତି ମୁଖ                   ଆନବେଳେ ଯେ ସୁଖ

ଅସାଧ୍ୟ ଲାଭ କରିବାକୁ ।

ରାଜଶେଯୁଁ ।

ପ୍ରଭାତେ ଚଳି ବାଳୀ ଆଳି- ।

ପାଳିଙ୍କ ହାସ ମନେ କଳି ।

ମଉଳିକିତ୍ରପାରେ                   ପୋତି ଚଳି ନ ପାରେ

ଗତ-ସୁରତ-କଥା ଭାଳି ।

ସାଧୁଜନେ । ୩୨ (୬୧-୬୨) ।

 

କେ ସଖିପାଶେ ଗତ-                  ରାତ୍ରି-ରତି-ବୃତ୍ତାନ୍ତ

ଏକାନ୍ତେ କାନ୍ତା ଜଳପନ୍ତେ ।

ବରେ ଅଦୃଶ୍ୟ ବର                   ହୋଇ ଶୁଣି ସକଳ

ହସି ଦିଶନ୍ତି ପୁଣ ନେତ୍ରେ ।

କେବେ ଅବା ।

ବିରହୀ-କେକିରେ ବ୍ୟାକୁଳ ।

ବାଳୀକି ହସନ୍ତି ଭୂପାଳ ।

ହେତୁହୀନ ମନର                         ବିକାର ଯେଣୁ ନିରନ୍ତର

ପ୍ରକାଶେ ଭାବି-ଫଳ ।

ସାଧୁଜନେ । ୩୩ । (୬୩-୬୪) ।

 

 

କ୍ରମେ ପତି-ଚୁମ୍ୱନ-                  କାଳେ ବାଳା ଆନନ

ନ ପୋତି କି ସୁଖ ନ କରେ ।

କୁଚେ ପତିର କର                   ନରୋଧି ରାମାବର

ନ ଜନମାଏ କି ସୁଖରେ ।

ସାଧୁଜନେ ।

ପୂର୍ବେ ସ୍ତନ-ରୋଧକ କରେ ।

ସରାଇ ହୃଦୟ ଅମ୍ୱରେ ।

ଆକର୍ଷି ପୟୋଧରେ                   ବରକର ସଞ୍ଚରେ

ଏବେ ସେ ବାଧାକ୍ରମେ ସରେ ।

ସାଧୁଜନେ । ୩୪ (୬୫-୬୬) ।

 

ମାଗିଲେ ନଖଘାତ                   ନ ଦେଉ କାନ୍ତା, କାନ୍ତ

କଥା-ପ୍ରସଙ୍ଗେ ବାଳୀକର ।

ହୃଦୟେ ରଖି ଅତ-                  ର୍କିତରେ ନଖକ୍ଷତ

କରନ୍ତି ନିଜ-ଉରସ୍ଥଳ ।

ସୁଖପାଇଁ ।

ବଳେ ବାଳାର ଉରବାସ ।

ହରିଲେ ହେଲେ ପ୍ରାଣଈଶ ।

ଅନ୍ତର-ଲଜ୍ଜାମ୍ୱର-ହରଣ-                  ବେଳେ ପରକାଶ

ନୁହେଁ ସାମର୍ଥ୍ୟ ଲେଶ ।

ଧୀରେ ଘେନ । ୩୫ (୬୭-୬୮) ।

 

ଲଜ୍ଜା ଧୈର୍ଯ୍ୟେ ନବୀନା                   ଦିଶେ ଅତି ଶୋଭନା

କାମେ ତା ନୋହିଥିଲା ହରି ।

ଏ ବେନି ବିନା ଜନ                   ଦିଶଇ ଯେଡ଼େ ହୀନ

ବିବାସେ ନୁହଁଇ ସେପରି ।

ସାଧୁଜନେ ।

ରତି ମାଗିଲେ ‘ନା’ ନ କରି ।

ସମ୍ମତି ପ୍ରକଟାଇ ଗୋରୀ ।

ଏତେ ପତି-ଚାତୁରୀ                   ବାରି କନକ-ଗୋରୀ

ଶିରକମ୍ପନେ ମନାକରି ।

ସାଧୁଜନେ । ୩୬ (୬୯-୭୦) ।

 

କେବେ ଭାଷନ୍ତି ନଳ                   ‘‘ସଖି ! କମ୍ପାଇ ଶିର

‘ନା’ ‘ନା’ ବୋଲି ତୁ ଭାଷୁ ଯାହା ।

ବେନି ‘ନା’ ରୁ ସମ୍ମତି                   ଲକ୍ଷଣ କୁନ୍ଦଦନ୍ତି

ବୋଲି ମୁଁ ବାରୁଥାଇ ତାହା ।

ଆଳାପନ ।

ନ କରୁ ନ କଲେ ନ କର ।

ନ ଶୁଣିବି କି ମୁଁ ତୋ ଗିର’’ ।

ଏତେ କହିଣ ଦୌତ୍ୟେ-                  ଶ୍ରୁତ ପ୍ରିୟାଉକତେ

ଉଚ୍ଚାରୁଥାନ୍ତି ଧୀର ଧୀର ।

ଗେଲେ ଗେଲେ । ୩୭ (୭୧-୭୨) ।

 

ନୀବି-ମୋଚକ ପତି-                  କରେ ପୂର୍ବେ ସୁଦତୀ

ସ୍ୱଭୁଜେ ଦୃଢ଼େ ରୋଧୁଥିଲା ।

କ୍ରମେ ଶିଥିଳେ ରୋଧି                         ଶେଷେ ଭାଷେ* ନିଷେଧି

‘ନା ନା ନା’ ଭାଷ ପ୍ରକାଶିଲା ।

ବେଶ-ଭୂଷା –।

ବାସାଙ୍ଗରଗ-ସୁଷମାରେ ।

ନିତ୍ୟ ନୂତନ-ଭାବ ଧରେ ।

ନାକ-ନାରୀବିଭ୍ରମ                   ଜନ୍ମାଇ ସ୍ୱାମୀକାମ

ପୂରାଇ ବାଞ୍ଛା ସିଦ୍ଧକରେ ।

ବିଚକ୍ଷଣା । ୩୮ (୭୩-୭୪) ।

 

ଗୁଣଜ୍ଞତା ସୁଗିରେ                   ରାଗସାଗର ଠାରେ

ପ୍ରକାଶି ନିଜର କିଶୋରୀ ।

ପରିଚର୍ଯ୍ୟାରେ ଭକ୍ତି                   ଜନ୍ମାଇଁ ପତିମତି

ନେଲା ଅଧିକ ବଶକରି ।

ଅଙ୍ଗାର୍ପଣେ ।

ସମ୍ମତ ନୋହୁଁ କୋପୁଁ ପତି ।

ସାଧଇ ତାହାଙ୍କୁ ସୁଦତୀ ।

ପୁଣି ମାଗୁଁ ରମଣ                         ବଳାତ୍କାରାଲିଙ୍ଗନ-

ବିନା ନ କରଇ ସମ୍ମତି ।

ବରାରୋହା । ୩୯ (୭୫-୭୬) ।

 

ମାନ-ପ୍ରତିକୂଳତା                         ଲଜ୍ଜାଯୋଗେ ବନିତା-

ଅଙ୍ଗଲାଭ ଦୁର୍ଲ୍ଲଭ ନଳେ ।

ତଥାପି କେହି ବାଳୀ                   ବର-ଶ୍ରୀଅଙ୍ଗେ ଢାଳି

ଲଭେ ଆଦ୍ୟସଙ୍ଗମାଦରେ ।

ତପବଳେ ।

ସ୍ୱାମୀଙ୍କି ହରୁଁ ତରୁସରି ।

ବିବିଧ ରୂପାନ୍ତର କରି ।

ପାର୍ବତୀରୁ ବ୍ରତତୀ                   ଯାଏ ଧରି ମୂରତି

ନାନାଭୋଗେ ରସଇ ବାଳୀ ।

ମନସୁଖେ । ୪୦ (୭୭-୭୮) ।

 

ନାହିଁ ଏମନ୍ତ ଜଳ                         ସ୍ଥଳ ବିପିନ ଶୈଳ

ଦେଶ ଭୁବନ ରତି-ଲୀଳା ।

ଯହିଁରେ ଯେ ଲୀଳାରେ                   ପ୍ରାଣପତି-ମେଳାରେ

ରସି ନ ଥିଲା ବରବାଳା ।

ବଳେ ବାସ ।

ଆକର୍ଷୁଁ ପତି, ବାଳୀ ଲଇଁ ।

ଫୂତ୍କାରେ ପ୍ରଦୀପ ଲିଭାଇ ।

ସ୍ୱାମୀ-ମୁକୁଟ-ମଣି-                  କରେ ଲୋକିତ ପୁଣି

ରହେ ବିସ୍ମୟେ ଦିଶେ ଚାହିଁ ।

ସାଧୁଜନେ । ୪୧ (୭୯-୮୦) ।

 

ମୁକୁଟ-ମଣି- କର-                  ପିଧାନେ କର୍ଣ୍ଣପୂର-

ଉତ୍ପଳ ଯୋଜୁଁ ବାଳା ଦିଶେ ।

କାମ-କାନ୍ତ-ପୂଜନ                         ପାଇଁ ବର-ସୁମନ

ସେବିକା ଦେଲା କି ହରଷେ ।

ହେଉ ସୁଖୀ ।

ରତ୍ନ-ପିଧାନେ ପୁଣି ବାଳୀ ।

ଦେଖେ ବେନି ପ୍ରଦୀପ ଜଳି ।

କୌତୁକାଶ୍ଚର୍ଯ୍ୟ-ଲାଜ-                  ମଧ୍ୟେ ତା ମନସିକ

ତେଣୁଟି ହେଉଥାଇ ଦଳି ।

ସାଧୁଜନେ । ୪୨ (୮୧-୮୨) ।

 

ଲିଭାଉଁ ଏକ ଦୀପେ                   ଅପର ଜଳୁଁ ଆପେ

ଅନଳବର ‘ବରେ’ ବାରି ।

ସ୍ମରି ଶିରକମ୍ପାଇ                         ଲାଜେ ଚନ୍ଦ୍ରମା-ମୁହୀଁ

ରହଇ ନେତ୍ର ମୁଦିକରି ।

ତାହା ଦେଖି ।

ପତି ଭାଷନ୍ତି, ‘ମୁଦୁ ନେତ୍ର ।

ମୁଁ ନ ଦେଖିବି ତୋର ଗାତ୍ର’ ।

କୌତୁକେ କହି ଏତେ                   ଲଜ୍ଜାନତା ଯୋଷିତେ

ରମନ୍ତି ତମକରି ଜାତ ।

ମନସୁଖେ । ୪୩ (୮୩-୮୪) ।

 

‘‘ଛାଡ଼ ହେ ପ୍ରାଣନାଥ,                   ଚୁମ୍ବନ ନଖକ୍ଷତ

ଦେଉଛି ଆଲିଙ୍ଗନ ଆଦି ।

କରୁଛି ଉରପର                   ନ ରଖିବି ତୁମ୍ଭର

ଗିର ଏହା ନ କର ବୁଦ୍ଧି ।

ଛାଡ଼ ଛାଡ଼ ।

ମୁଁ ପରା ତବ ପଦଦାସୀ ।

ଜାଣି ଦାସୀ କି ହୁଏ ଦୋଷୀ” ?

କେବେ ଏମନ୍ତ                   ଭାଷି ଗଞ୍ଜଖଞ୍ଜନ

ଦୃଶୀ ପତିମତି ନିଏ କରଷି ।

ସାଧୁଜନେ । ୪୪ (୮୫) ।

 

ରତେ ମିଥ୍ୟା କାତର                   ପ୍ରକାଶିବାରେ ଛଳ-

ନିପୁଣା ବଣା-ଏଣୀକ୍ଷଣୀ ।

ପ୍ରକୃତ ସୁରତରେ                  ନଳ-ଲଜ୍ଜା ଯୁଗଳେ

ପ୍ରତାରଇ ସେ ପୁଣ ପୁଣି ।

ଏକା ଚୁମ୍ୱ ।

ଦିଅଇ ନ ଦିଅଇ ଆନ ।

ଯେଣୁ ଧବ-ଅଧୀନ ଅନ୍ୟ ।

-ସମୟୋଚିତ ବ୍ୟବ-                              ହାରେ      ଯେ ବିଜ୍ଞଭାବ

ତାକୁ କି ଅଗୋଚର ପୁଣ ।

ସାଧୁଜନେ । ୪୫ (୮୬) ।

 

ଅନ୍ଧକାର-ମୁଦିରେ                   ଦୀପ-ବିଦ୍ୟୁ ଇଚ୍ଛାରେ

ଜାଳି ଲିଭାଇ ପ୍ରାଣପତି ।

ନିଃଶଙ୍କ-ରତି-ଜନ୍ୟ                   ପ୍ରିୟତମା-ଆନନ-

ଭଙ୍ଗି ଦେଖି ତୋଷ ହୁଅନ୍ତି ।

ରତିକାଳେ ।

ବାଳୀ-ବକ୍ରଭୃ କାମ-ଟଣା ।

-କମାଣ ପରି ପଡ଼େ ଜଣା ।

ସେ-କାଳର ହୁଁ କୃତ                   ଚାପୁଁ ରୋପ-ନିର୍ଗତ-

ବେଳ-ହୁଁକୃତିକି ଠିକଣା ।

ବୁଧେ ଘେନ । ୪୬ (୮୭-୮୮) ।

 

ପତି-ଦନ୍ତ-ଦଂଶିତ                   ଗାଢ଼େ ହୁଅନ୍ତେ ଓଷ୍ଠ

କରପଲ୍ଲବ ଚାଳୁଁ ବାଳୀ ।

ଦିଶେ ନନ୍ଦିତ ସ୍ମରେ                   ନର୍ତ୍ତନ ବିଷୟରେ

ଉପଦେଶ ଦେବାର ଭଳି ।

ଆଲିଙ୍ଗନେ ।

ପତି-ବିଶାଳବକ୍ଷସ୍ଥଳ ।

ଆଲିଙ୍ଗି ନ ପାରଇ ବାଳ ।

-ମୃଗାକ୍ଷୀ, ଉଚ୍ଚକୁଚ                   ବଶୁଁ ଉରେ ସୁସଞ୍ଚ

ନୁହେଁ ପତିର ଉର ମେଳ ।

ସାଧୁଜନେ । ୪୭ (୮୯-୯୦) ।

 

ପତି-ପତ୍ନୀ-ଚତୁର                   କର ଆଲିଙ୍ଗନର

କାଳେ ଯା ପରସ୍ପରେ ଘେରେ ।

ହେମ-ପଦ୍ମିନୀ-ଜାତ-                  ମୃଣାଳ-ବିନିର୍ମ୍ମିତ

ପାଶ ସେ କାମର ବିଚାରେ ।

ଆଲିଙ୍ଗନେ ।

ପତିଉରେ ପୀଡ଼ିତ ସ୍ତନ ।

ହେଉ ଗୋଲକ ଉଚ୍ଚ-ହୀନ ।

ଦିଶେ ରତିସ୍ମରର                   ପାଇଁକି ପରସ୍ପର-

ଲଗା ଯୁଗଳ-ଉପାଧାନ ।

ସମତୁଲ । ୪୮ (୯୧-୯୨) ।

 

ପତିମୃଦୁନଖର-                  ଚିହ୍ନ ବହି ପତ୍ନୀର

ଉରୁ ତେମନ୍ତ ଶୋଭା ଦିଶେ ।

ସ୍ୱର୍ଣ୍ଣସ୍ତମ୍ଭ-ଯୁଗଳ                   ରତିକାମ-ଦେବର

ପ୍ରଶସ୍ତି ବହିଅଛି କି ସେ

କେବେ ପତି ।

ଭାଷନ୍ତି ‘ରେ ସହି , ସେ ବିହି ।

ଅଧିକ ବର୍ଣ୍ଣ ସ୍ୱର୍ଣ୍ଣ ନେଇ ।

ଉରୁନାଭି ମଧ୍ୟରେ                   ଦେଶ ରଚିଛି ତୋର

ଯେଣୁ ତା ମହାବୁଦ୍ଧି ତହିଁ ” ।

ଚାରୁକେଶୀ । ୪୯ (୯୩-୯୪) ।

 

 

ପଦ୍ମକୋଷ-କୋମଳ                   ନରେଶ-କରତଳ

ସେ କୁମ୍ଭ-ସୁକଠିନ ସ୍ଥୂଳ ।

ପ୍ରମଦା-ସ୍ତନ ପୀଡ଼ି-                  ବାକୁ ଇଚ୍ଛୁ ଆଲୋଡ଼ି

ହାରେ ହସି ସେ ତିରସ୍କାର ।

କରେ କରେ ।

କୁଙ୍କୁମ-କସ୍ତୁରୀ-ଚିତ୍ରଣେ ।

ଖ୍ୟାତ ନୀଳ-ଲୋହିତବର୍ଣ୍ଣେ ।

ବକ୍ଷୋଜ-ସ୍ୱୟଂଭୂବ-                  ଶିରେ ପଲାଶ-ନିଭ-

ନଖ-କ୍ଷତରେ ପୂଜାକରେ ।

ପତିତୋଷେ । ୫୦ (୯୫-୯୬) ।

 

ପଦ୍ମମୁଖୀ-ସଖିର                   ମୁଖଚୁମ୍ବନେ ନଳ-

ମୁଖଚନ୍ଦ୍ର ଦିଶେ ଏମନ୍ତ ।

ସିନ୍ଧୁଁ ଅଳ୍ପାନୁତ୍ଥିତ                   କିବା ତାରକାକାନ୍ତ

ସ୍ୱ-ପ୍ରତିବିମ୍ୱରେ ମିଳିତ ।

ରତିକାଳେ ।

ପୂଗାଧିକ-ବିଟିକା-ରସ ।

କର୍ପୂର-ବାସରେ ସୁବାସ ।

ଏମନ୍ତ ମୁଖମଧୁ-                  ପାନରେ ବଧୁ

ବନ୍ଧୁ ବେନିଙ୍କ ହୁଅଇ ଉଲ୍ଲାସ ।

ଧୀରେ ଘେନ । ୫୧ (୯୭-୯୮) ।

 

ରତିକାଳେ ସୁଦତୀ             ଦମୟନ୍ତୀ ସିକୃତି

ପ୍ରକାଶି ସତ୍ୱ-ଗୁଣବଶେ ।

କମ୍ପି ଚୁମ୍ବକ-କାନ୍ତ-                  ମୁଖ-ଶଶିର

ଶୀତକରତା ପ୍ରମାଣେ ବିଶେଷେ ।

ବିନାବାକ୍ୟେ ।

ଚୁମ୍ବିବାପାଇଁ ରାମାସ୍ତନ ।

ସ୍ପର୍ଶୂଁ ଦିଶଇ ସେ ଆନନ

ଭରିବାକୁ ପୀୟୁଷ             ସାତକୁମ୍ଭ-କଳଶ

ଶଶି ବହିଲା ପ୍ରାୟେ ଘେନ ।

ସାଧୁଜନେ । ୫୨ (୯୯-୧୦୧) ।

 

ଆଦରେ ଦେଖି ଦେଖି                   ସଖୀମୁଖକୁ ଦେଖି-

ବାକୁ ଇଚ୍ଛନ୍ତି ପୁଣି ପତି ।

ଆଲିଙ୍ଗନ ଚୁମ୍ବନ                   ଯେତେ କଲେହେଁ ମନ

ନ ଲଭଇ ଲେଶେ ତୃପତିଁ ।

ରତିକାଳେ ।

ସେ ମୁଗ୍‌ଧାର ହୃଦୟ-ସ୍ଥଳ ।

ଲୁଳଇ ସ୍ୱେଦବିନ୍ଦୁ ଯାଳ ।

ତେଣୁ ସୁରତ-ନୃତ୍ୟେ                   ଛିନ୍ନହାର-ବୃତ୍ତାନ୍ତେ

ନ ପାରେ ବାରି ବହୁବେଳ ।

ରତିଶ୍ରାନ୍ତ । ୫୩ (୧୦୧-୧୦୨) ।

 

ଛିନ୍ନହାରର ସୁକ୍ତି-                        ସୁତାତତି ଯୁବତୀ-

ଛାତିରେ ଯା ଲାଗି ରହିଲା ।

ଗୁଣବତ୍ତାରୁ ତାହା                   ହେଲା ନିର୍ଗୁଣ ଯାହା

ତା ତହିଁ ରହି ନ ପାରିଲା ।
ବାଳୀହାର ।

ଛିଡ଼ିଛି ଘର୍ମ୍ମେ ସିକ୍ତ ଉର ।

ତହିଁ ନୃପତି-ଗଳାହାର ।

ଥାଇ ନୃପତି-ଗଳେ                   ସ୍ୱପ୍ରତିବିମ୍ବ-ଛଳେ

ବାଳୀର ହେଲା ଗଳାମାଳ ।

ସାଧୁଜନେ । ୫୪ । (୧୦୩-୧୦୪) ।

 

ବାମଚରଣ-ତଳେ                   ଯେ କାମଦମ୍ଭ ଦଳେ

ସେ ନଳ ବାଳୀମୁଖେ ବଶ ।

ହୋଇ ଭୋଗୁଁ ଯୌବନ                   ପ୍ରମୋଦ-ସରସ୍ୱାନ-

ପାରେ ବିହରେ ନାରୀଈଶ ।

ବାଳୀସ୍ପର୍ଶେ

ଅନ୍ତର-ଅବୟବ ପୂତ- ।

ବତ ବିଚାରନ୍ତି ଭୂଭୃତ ।

ଦର୍ଶନକୁ ଅମୃତ                  ସାରାଂଶ ବତ

ନେତ୍ର-ପାରଣାକୁ ଦ୍ୟନ୍ତି ନିୟତ ।

ସାଧୁଜନେ । ୫୫ (୧୦୫-୧୦୬) ।

 

ନେତ୍ରେ ଏକା ବାଳୀର             ଭୂଷା ଆଦର ନର-

ବର ନ କରନ୍ତି ମାନସେ ।

ଯେଣୁ କେତେ ଅଙ୍ଗର                   ଦର୍ଶନେ ଭୂଷାବାର

ସାଧନ୍ତି ଶତ୍ରୁତା ବିଶେଷେ ।

ଆଲିଙ୍ଗନେ ।

ରୋମାଞ୍ଚ-ବ୍ୟବଧାନ ଚିତ୍ତେ ।

ଚିନ୍ତି ଯୋଜନାନ୍ତର-ମତେ ।

ନିମିଷ-ଅଦର୍ଶନ                   ବର୍ଷକ ବ୍ୟବଧାନ

ପରି ଆଭାଷେ ହୃଦଗତେ ।

ବେନିଙ୍କର । ୫୬ (୧୦୭-୧୦୮) ।

 

ରତେ ଆଗରୁ ଭାବ-                  ଭଜିବା ଜାଣି ଧବ

ବାମାକୁ ଆନମନା କରି ।

ସ୍ୱଚ୍ଛମଣି-ଭିତ୍ତିରେ                   ନିଜପ୍ରତି-ମୂର୍ତ୍ତିରେ

ଦେଖାଇ କହି ‘ଏକେ’ ବୋଲି ।

କେବେ ଅବା ।

ଶଶିସୂର୍ଯ୍ୟେ ନିବେଶି ଚିତ୍ତ ।

ଅନଭିମତେ ରେତପାତ ।

ନିବାରି ବରନାରୀ-                  ତୁଲେ ବିହାର କରି

ସାର୍ଥ କରନ୍ତି ମନୋରଥ ।

ସାଧୁଜନେ । ୫୭ (୧୦୯-୧୧୦) ।

 

ବାହୁର ମୂଳ ନାଭି             କୁଚ-ଆଦିକି ଚୁମ୍ବି

ଭାବ-ଭଜନ ବିଷୟରେ ।

ସମଭାଗେ ନୃପତି             ପ୍ରିୟାକୁ ସୁଖପ୍ରାପ୍ତି

କରାନ୍ତି ସୁରତ-ସମରେ ।

ବିଶ୍ଳଥାଙ୍ଗ ।

ନେତ୍ର-ମୁଦ୍ରଣ ଦ୍ରୂତଶ୍ୱାସ ।

ରୋମାଞ୍ଚେ ଉଭୟ ମାନସ ।

ବେନି ପାରନ୍ତି ଜାଣି             ଘେନନ୍ତି ପରିମାଣି

ଉଭୟ ରତିଭାବରସ ।

ସେ କାଳରେ । ୫୮ (୧୧୧-୧୧୨ ) ।

 

ସେ ମହା-ଭାବକାଳେ                   କରଜ-କ୍ଷତ-ଜାଳେ

ମହା-ପ୍ରମୋଦ ଜନମାନ୍ତି ।

କଟୁ-ମରିଚ-ଚୂର୍ଣ୍ଣ-                  ଯୁତ ଫେଣୀରେ ଜନ-

ମାନେ କି ବଦନ ମୋଡ଼ନ୍ତି ? ।

ସୁରତାନ୍ତେ ।

ଶାନ୍ତ-ବନିତା-ବେନିନେତ୍ର ।

ହୁଅଇ ଅର୍ଦ୍ଧ-ନିମୀଳିତ ।

ତହିଁ ଘୂରଇ ତାରା                   ତା ଦେଖି ମନତୋରା

ମହୀପତିକି ଅତିଅନ୍ତ ।

ବିଜ୍ଞନରେ । ୫୯ (୧୧୩-୧୧୪) ।

 

ସେ ଶ୍ରମ ବନିତାର                   ପତିକରେ ଚଞ୍ଚଳ

ଖଞ୍ଜାଏ ବରତାଳ-ବୃନ୍ତ ।

ଯେଣୁ ସେକାଳେ                         ପଖା-କରିବା ହେଲେ

ଦେଖା ହୁଏ ତରଳ ଧାତାଚିତ୍ତ ।

ନାସିକାଗ୍ରେ ।

ଘର୍ମ, ଓଷ୍ଠୁଁ ଅଳତାବୋଳ ।

ଲପ୍ତ ଗଣ୍ଡୁ ଚିତ୍ରଯୁଗଳ ।

ଏମନ୍ତେ ଦମୟନ୍ତୀ-                  ମୁଖ ଦେଖି ନୃପତି

ହୁଅନ୍ତି ମହାସୁଖେ ଭୋଳ ।

ସାଧୁଜନେ । ୬୦ (୧୧୫-୧୧୬) ।

 

ଅତି-ଲଜ୍ଜିତ କ୍ଳାନ୍ତ                         ଅଳ୍ପ-ଚକିତ ସୁସ୍ଥ

ବଦନ କାନ୍ତାର ଦୟିତ ।

ଦେଖୁ ଦେଖୁ ସାଦରେ                   ପୁଣିହିଁ ଆନବାରେ

ସୁରତ ଇଚ୍ଛା ହେଲା ଜାତ ।

କାନ୍ତଦୃଷ୍ଟି ।

ବନିତା-ଲୋମକୂପୁଁ ସ୍ୱେଦ- ।

ଜଳପାନେ ହେଲେହେଁ ମୋଦ ।

ପିପାସା ନ ତୁଟିଲା                   ଅତି ଆଶ୍ଚର୍ଯ୍ୟ ହେଲା

ଏକଥା ବିଚାର କୋବିଦ ।

ଧୀରଚିତ୍ତେ । ୬୧ (୧୧୭-୧୧୮) ।

 

ମାଳ-ବିହୀନ ବାଳ-                  ପାଳି ବନ୍ଧନେ ଖେଳ

ଖଞ୍ଜନ-ଦୃଶା ଟେକୁ କର ।

ତା’ର ଉଜ୍ଜ୍ୱଳ ମୂଳ                   ଚାହିଁ ସୁଖସାଗର-ତଳ

ମଜ୍ଜିଲେ ନୃପନଳ ।

ନେତ୍ର-କଳା-।

ରଞ୍ଜନେ ଚାରୁ କାନ୍ତାଧର- ।

ବଧୁଲିରେ କି ଅଳିମେଳ ।

ତା ଚାହିଁ କୃଶୋଦରୀ                   ହାସ ବାରି ନପାରି

ବାସରେ ଆବରେ ଅଧର ।

ସାଧୁଜନେ । ୬୨ (୧୧୯-୧୨୦) ।

 

ମନ୍ଦେ ହସୁଁ ଆନନ                   ଫେରାଇ ଜୀବଧନ

ହାସର କାରଣ ପୁଚ୍ଛନ୍ତି ।

କାନ୍ତକରେ ମୁକୁର                   ନିହିବାରେ ଉତ୍ତର

ଦେଲା ସୃଦତୀ ଲଜ୍ଜାବତୀ ।

ପଦେ ଶିର ।

ଦେଇ ରତି ମାଗିବାବେଳେ ।

ପଦଅଳତା ଲାଗୁଁଭାଲେ ।

କାନ୍ତର ଆଲୋହିତ                   ମୁଖ ଦେଖି ଉଦିତ-

ଆରକ୍ତ ଚନ୍ଦ୍ର ବାଳା ଭାଳେ ।

ନତମୁଖେ । ୬୩ (୧୨୧-୧୨୨ ) ।

 

ଘର୍ମ୍ମପ୍ଳୁତ ଯୁବତୀ-                  ଉରେ କାନ୍ତମୂରତି

ବିମ୍ବିତ ହେଉଁ ହୁଏ ପ୍ରତେ ।

କିବା ହୃଦସ୍ଥ-ପତି                   ପରିଗ୍ରହି ମୂରତି

ବିଜୟେ କାନ୍ତାଉର-ଗତେ ।

ତା ବିଲୋକି ।

ଲଜ୍ଜିତା ନତସୁଖୀ ବାଳୀ ।

ମୃଦୁ ନାଶା-ସମୀର ଚାଳି-।

ବାର ନୁହଁଇ ଛଳ                   ତହିଁ ଏକା କେବଳ

ବାରଇ ପତି-ଶ୍ରମବାରି ।

ସାଧୁଜନେ । ୬୪ (୧୨୩) ।

 

ଯା ପୀଡ଼ା ଜଣାଆଗେ                   ନଥିଲା କାମବେଗେ

ସେ ଦନ୍ତକ୍ଷତ ଏବେ ଜଣା- ।

ପଡ଼ୁହୋଇ ଚକିତ                   ଧୀରେ କରେ ଯୋଷିତ-

ରାଜ କରଇ ସମ୍ମାର୍ଜନା ।

ଚାହିଁକୁଚେ ।

କାନ୍ତ-ଦତ୍ତ ନଖରକ୍ଷତ ।

କୋପେ କୁଞ୍ଚି ନୟନ-ପ୍ରାନ୍ତ ।

ହାସ-ନିରତ-ଜୀବ                  ଧବ-ବଦନ-ଅମ୍ଭ

ସମ୍ଭବେ କରେ ଦୃଷ୍ଟିପାତ ।

ବାର ବାର । ୬୫ (୧୨୪-୧୨୫) ।

 

ଦେଖି ମୁଖ ରକ୍ତିମା                   ବାରି ବାମତା ବାମା-

ମଣିର ସ୍ଖଳିତ-ବଚନେ ।

ଭୟେ ଭାଷନ୍ତି ଭୂପ,             ‘ରେ ସଖି ! କା’ ରେ କୋପ

କହ, ମୁଁ ଦଣ୍ଡଇ ସେ ଜନେ ।

କୃଶୋଦରୀ ।

ନୁହେଁ ଏ ରୋଷକାଳ ଦେଖ ।

ଇନ୍ଦୁ-ନିନ୍ଦି ନିଖୁଣମୁଖ ।

ରୋଷ-କୁଙ୍କୁମାରକ୍ତ                   ବଚନ-ହୀନ ନତ

ହୋଇ ବଢ଼ାଏ ମୋର ଦୁଃଖ ।

ନିରୂପମା । ୬୬। (୧୨୬-୧୨୭) ।

 

 

ଏ ମୋ କଣ୍ଠ-ଲମ୍ୱିତ                   ମଣିମାଳ ବାଞ୍ଛିତ

ପୂରାଏ, ବର୍ଷି ଏ ଅମୃତ ।

ନଖ-ଦଶନକ୍ଷତ-                  ପୀଡ଼ା ତୋ ହରୁ ମିତ

ଏଣୁ ଏ ମୋରେ ସଂଗୃହୀତ ।

କୁଚେ ତୋର ।

ଶତ୍ରଚାପ-ସମ ନଖର ।

କ୍ଷତି କରି ଦୋଷୀ ଏ କର ।

ବିଞ୍ଚି ଦୋଷାର୍ଦ୍ଧ ନାଶ                   କଲାଣି ଆନ-ଅଂଶ-

ପାଇଁକି ମଞ୍ଚାଳୁ ପୟର ।

ବରାରୋହା । ୬୭ । (୧୨୮-୧୨୯) ।

 

ନିର୍ଦ୍ଦୟ-ଦନ୍ତଦଂଶ             ଦେଇ ମୋ ମୁଖ ଦୋଷ

କଲାଣି ଯେବେ ରେ ସୁଦତୀ ।

ତା ପ୍ରତିଶୋଧପାଇଁ             ଏ ମୁଖେ ନିଶାସାଇଁ-

ମୁଖି ତୁ ଦନ୍ତେ କର କ୍ଷତି ।

ବିବସନେ ।

ନିଷ୍ଫଳ ତୋ ଦୀପ-ନିର୍ବାଣ ।

କରି ମୋ ଶିଖାମଣି ଘେନ ।

ଦୋଷ କଲା ଯା ତା’ର                   ନାହିଁ କ୍ଷମା ପୟର-

ତଳେ ତୋ ପଡ଼ୁ ତାହା ପୁଣ ।

ଗୁଣନିଧି’ । ୬୮। (୧୩୦-୧୩୧) ।

 

ଏମନ୍ତେ ସୁମଧୁର             ଗିର ଭାଷି ଚିକୁର-

ନିକର ତଳପେ ଲୋଟାଇ ।

ସ୍ୱଶିଖାମଣି-କରବାର-            ସରିତ ବରବରନା-

ପାଦପଦ୍ମେ ନେଇ ।

ଲଗାଇଲେ ।

ପଦେ ପ୍ରଣତ ହେଉ କାନ୍ତ ।

ଦଶନଖେ ମୂର୍ତ୍ତି ବିମ୍ୱିତ ।

ହୋଇ ହେଲା ଏଗାର             ସେ ସଂଖ୍ୟହରେ ସ୍ମର

ବାଦେ କି କଲା ତେତେ ଗାତ୍ର ।

ତଥା ଦିଶେ । ୬୯ । (୧୩୨-୧୩୩) ।

 

ଭାଷନ୍ତି କାନ୍ତ, ‘କାନ୍ତେ                   ଦୋଷ ନ ଧର ଚିତ୍ତେ

ଏ ମଧୁ-କ୍ଷୁଦ୍ର-ନିଶୀ-ଆସି ।

ଦେଖ ହୋଇବ ଶେଷ                   ଆନରାତ୍ରେ ଏ ରୋଷ

କର ପ୍ରକାଶ ଶୁଭ୍ରକେଶ’ ।

ଏତେ ଭାଷି ।

ନତ ହୁଅନ୍ତେ କାନ୍ତ, ବାଳା ।

ଭୂଜେ ପୟର ଅଗୁଳିଲା ।

ତହୁଁ ଘୁଞ୍ଚିଲା ରୋଷ                   ମୁଖେ ବିକଶି ହାସ

ପତି-ମତି ତୃପତି କଲା ।

ସାଧୁଜନେ । ୭୦ । (୧୩୪-୧୩୫) ।

 

ପରସ୍ପରାନୁରାଗ-                  ସମ୍ଭୋଗରୁ ସମ୍ଭୋଗ-

ବାଞ୍ଛା ଜନ୍ମିଲା ପୁନର୍ବାର ।

ଅଳ୍ପାବଶିଷ୍ଟ ଖଳ-                  ପ୍ରକୃତି ରଜନୀର

ସହ୍ୟ ନୋହିଲା ତା, ବିଚାର ।

ସୁଧୀବାର ।

ତହୁଁ ଭଜିଲେ ତଳ୍ପ ବେନି ।

ହୋଇଣ ନାନା କଥା ପୁଣି ।

ଓଷ୍ଠାର୍ପଣେ ଚୁମ୍ବନ-                  ଯୋଗେ ସେ କଥାମାନ

ନିର୍ମ୍ମଳେ ନୋହୁଥିଲା ଶୁଣି ।

ବୁଧେ ଘେନ । ୭୧ । (୧୩୬-୧୩୭) ।

 

ଭାଷନ୍ତି ପ୍ରିୟ ‘‘ପ୍ରିୟେ                   ଦେବଦୌତ୍ୟ-ସମୟେ

ସ୍ୱଧର୍ମ-ଲୋପ ଭୟ-ବଶେ ।

ନିର୍ଦ୍ଦୟ ଭାଷି ଦୋଷ                   କଲି ଯା ନାଗରୀଶ

ଆଜୀବ ଥିବି ତୋର ବଶେ ।

ତୋ ଦର୍ଶନ ।

ହେଉ ମହୋତ୍ସବ ନଳର ।

ତୁ ଯହିଁ ତୁଷ୍ଟ ସେ ତାହାର ।

ସାମ୍ରାଜ୍ୟ ତୋ ଶ୍ରୀଅଙ୍ଗ            -ଆଲିଙ୍ଗନ-ସୌଭାଗ୍ୟ

ପୀୟୁଷା-ଭିଷେକ-ନିକର ।

ଏ ମୋ ପକ୍ଷେ । ୭୨। (୧୩୮-୧୩୯) ।

 

ହରି ଶରୀକି ଉରେ             ଧରନ୍ତି କି ବିଚାରେ

ଅର୍ଦ୍ଧାଙ୍ଗ ହର ଗିରିସୂତା ।

ବିଚାରକୁ ଏ ମୋର             ନ ଆସେ ନାରୀବର

ଦେଖଇଁ ଏଥି ମୁଁ ଊନତା ।

ନତଗାତ୍ରି ।

ଏ ସଂସାରରେ ତୋର ମୋର ।

ସିନ୍ଧୁ-ସରିତ ପରକାର ।

ଏକଆତ୍ମ-ମିଳନ                   ପାଞ୍ଚୁଥାଇ ମୁଁ ମନରେ

ଧନ ରଜନୀ-ବାସର ।

ସାରସାକ୍ଷି । ୭୩ । (୧୪୦) ।

 

ଦୃଢ଼ ମମତା ମୋରେ             ରଖ ତୁ ବୋଲିବାରେ

ଲେଶେତ ନାହିଁ ଅବକାଶ ।

ସ୍ୱୟମ୍ବରେ ଦୟାରେ             କିଣିଛୁ ଯେଣୁ ମୋରେ

ତୃଣେ ନ ଗଣି ତ୍ରିଦିବେଶ ।

ହାସ-ଶୋଭି ।

ସଖିଙ୍କ ସଙ୍ଗେ କଥା ତୋର ।

ଲୁଚି ଶୁଣିଛି ବହୁବାର ।

ରାମ କାରଣ ବିନା             ସୀତା ତେଜିବେ ଶୁଣା

ହେଲେ ତୁ ଭୟେ ଥରହର ।

କମ୍ପୁଥାଉ । ୭୪ । (୧୪୧-୧୪୨) ।

 

ବସି ସଖିଙ୍କ ମେଳେ             କେ କା’ରେ ଭୟ କରେ

ବୋଲି ତୁ କଥା ହେବାକାଳେ ।

ଦ୍ରୁତଗଳ କମଠେ             କମ୍ପ-ଶରା ଶରଟେ

ସ୍ପର୍ଶ-ସଙ୍କୁ-ଚିତା ଲତାରେ ।

କା କା ଭୟ ।

ବୋଲି କେ କେ ବା ଭାଷୁଥିଲେ ।

ତୁ ଭାଷିଥିଲୁ ମୋର ତୁଲେ ।

ବିରହୁଁ ଭୟ ତୋର             ତେଣୁ ତୋତେ ମୁଁ ଦୂର

ନ କରି ରଖିଥିବି ଉରେ ।

‘‘ଉରୁଶୋଭି’’ । ୭୫ । (୧୪୩-୧୪୪) ।

 

କଥା-ଛଳେ ଏମନ୍ତ             ବର ବିତରି ସତ୍ୟବନ୍ତ

କାନ୍ତ ଭାଷନ୍ତି, ‘ସଖି ।

ବିରହ ଅବସ୍ଥାରେ             ସ୍ୱପ୍ନେ ତୁମ୍ଭ ଯୁଗଳେ

ଭେଟାଇ ଥିଲି ଜୀବ ରଖି ।

ଏବେ ମୋର ।

ଭାଗ ନିଶାକୁ ଦିଅ ରତେ ।

ଏତେ ଭାଳି କି କୋପଚିତ୍ତେ ।

ହେଲେହେଁ ନିଶା-ଶେଷ                   ନ ଆସୁଅଛି ଲେଶ-

ମାତର ନିଦ୍ରା ଆମ୍ଭ ନେତ୍ରେ ।

ନତଗାତ୍ରି’ । ୭୬ । (୧୪୫) ।

 

ଅତି ଆନନ୍ଦେ କାନ୍ତ             କହୁ କହୁ ଏମନ୍ତ

ହୁଅନ୍ତେ ଆସି ନିଶି ଶେଷ ।

ପ୍ରାତଃସଂଶୀ ମଧୁର             ଅସ୍ପଷ୍ଟ ପିକ-ଗିର

ଶ୍ରବଣେ ଢାଳିଲା ପୀୟୁଷ ।

ସଂସାରର ।

ରଜନୀ ଉଜାଗର ବଶେ ।

କୁମୁଦବତ ନିଦ୍ରାଳସେ ।

ବିଦର୍ଭ-ମହୀଭୂତ-            ସୂତା-ନେତ୍ର କିଞ୍ଚିତ

ହେଲା ମୁଦ୍ରିତ ଅବଶେଷେ ।

ସୁଧୀବାର । ୭୭ । (୧୪୬) ।

 

ଆଲିଙ୍ଗନ-ପୁଟରେ             ପୀଡ଼ିଣ ପରସ୍ପରେ

ସେ ଦୁଇ ହେଲେହେଁ ନିଦ୍ରିତ ।

ସ୍ୱପ୍ନେ ଏକ ଆନର             ଦେଖୁଥିଲେ ସକଳ

କାର୍ଯ୍ୟ ନ ତେଜି ଲେଶମାତ୍ର ।

ସାଧୁଜନେ ।

ଉରୁ ଚତୁର ଓଷ୍ଠ ଚାରି- ।

ମଧ୍ୟେ ସୂତ୍ର ଗଳିବାଭଳି ।

ଅବକାଶ ନ ଥିଲା             ଏକାନ୍ତ କାନ୍ତା ଲୀଳା

ବିଚାର ଚିତ୍ତେ ହେତୁ କରି ।

ସାଧୁଜନେ । ୭୮ । (୧୪୭) ।

 

ଶୟନେ ବେନି ଜନଙ୍କର                   ଶ୍ୱାସ-ପବନ

ଗତାଗତ-ଛଳରେ ଘେନ ।

ଜଣାଇଁ ରତିଶ୍ରମ                   ଏ ଦୁହେଁ ଏକପ୍ରାଣ

ବୋଲି କି ସ୍ପଷ୍ଟେ ପ୍ରକାଶନ ।

କରୁଥାଇ ।

ବାଳୀ-କୁଚର ଚିତ୍ରପନ୍ତି ।

ବର ହୃଦୟେ ହୋଇ ଚିତ୍ରି ।

ବେନି ହୃଦୟ ଏକ                   ବୋଲି କି ଚିତ୍ର ଠିକ

ପ୍ରକଟାଏ ଦମ୍ପତି-ଖ୍ୟାତି ।

ସାଧୁଜନେ । ୭୯। (୧୪୮) ।

 

‘‘ଶଙ୍କର ଶକ୍ତି ସିଦ୍ଧି’’             ଗ୍ରନ୍ଥ ରଚନେ ବୁଦ୍ଧି

କୁଣ୍ଠିତ କିଞ୍ଚିତ ଯା ନୋହି ।

ମାମଲ୍ଲଦେବୀ-ହୀର-            ପୁତ ସେ ଶ୍ରୀହର୍ଷର

ପଦପଙ୍କତି ହୃଦେ ଧ୍ୟାୟି ।

ଧୀରବର୍ଗେ ।

ବିରଚେ ଗୋପୀନାଥ ଗୀତ ।

ଯେ ମା’ର ପତି ବାସ ପୀତ ।

ଯା’ର, ଯାହାକୁ ସ୍ମରି             କରି ତରିଲା କରୀ

ଅରିଧାରି ତା ସାହା ମାତ୍ର ।

ଧୀରବାର । ୮୦ । (୧୪୯ ) ।

 

*ଭାଷେ = ବାକ୍ୟରେ

--------

 

 

ଊନବିଂଶ ଛାନ୍ଦ

ରାଗ-କଲ୍ୟାଣ

ନିଶା ଶେଷ ଦଶା ଲଭୁ ରସାଳସା-କୋଳ-ବିଳାସୀ ନଇଷଧ-।

ଦେଶର କୁସୁମା-ୟୁଧ-ବତ ନଳ-ନୃପେ କରିବାକୁ ପ୍ରବୋଧ ।
ମାଗଧେ । ଶ୍ରୁତି-ମଧୁ-ପଦ-ରଚନ ।
ଚାତୁରୀ-ଚର୍ଚ୍ଚିତ-ସୁରସ-ଗର୍ଭିତ-ସଙ୍ଗୀତ-ଗାନେ ଦେଲେ ମନ ।

‘‘ଜୟ ହେ ନରେଶ ଇଷତଆଳସପକ୍ଷ୍ମ-ଚକ୍ଷୁଦାନେ ବିଶ୍ୱର ।

କର ସାର୍ଥ ପ୍ରାତ-ସୁଷମା-ସମାଜେ ମୁଖ ପ୍ରେୟସୀ-ବାଳୀଶର ।

ହେଉ ହେ । ତୁମ୍ଭର ପ୍ରାତଅନୁକୂଳ ।

ପ୍ରିୟ-ବଦନ-କମଳୁଁ ବଳି ମାଙ୍ଗଳିକ ନାହିଁ ଯେଣୁ ଭୂତଳ ।

ଅଂଶୁ-ଅଂଶୁକ କ୍ରମଶେ ପରିହରି ରଜନୀକାନ୍ତ ଏକାନ୍ତରେ ।

ବରୁଣ-ପ୍ରେୟସୀ ଅବାଚିରେ ବଶୀଭୂତ ହେବା ଚାହିଁ ଅନ୍ତରେ ।

ମନ୍ଦାକ୍ଷ । ବହି କରୁଁ ସ୍ମିତ ଈଷତ ।

ପ୍ରାଚୀ-ବଦନ ଦିଶେ ଏବେ ସେ ହାସେ ବିଶଦ ଲାଜେ ଆଲୋହିତ ।

ନ ଦିଶନ୍ତି ଆଉ ପୂର୍ବ-ଦୃଷ୍ଟ ତାରାବାର, ସୂରକର ପ୍ରସରି ।

କ୍ରମେ ଅମ୍ବରକୁ ଆବରି ଆସୁଛି ଯୁଝି ଯୁଝି ନିଶା-ତିମିରି ।

ସହିତ । ହତତେଜା ଏ ଦ୍ୱିଜରାଜ ।

କିରଣ ଊଣାରୁ ଜଣାଉଛି କି ‘ମୁଁ ହେଲିଣି ବୋଲି ହୀନତେଜ’ ।

 

ଅଳତାବୋଳୁଁ ବଳିଣ ରମଣୀୟ ନବସବିତା-କରବାର ।

-ସଞ୍ଚାରେ ଅନ୍ଧାର ଦିଶଇ ମରାଳ-ଚଞ୍ଚୁ-ବିସର୍ପିତ-ଜମ୍ୱାଳ ।

-ସଦୃଶ । ନବ-ଉଦିତ-ଦିବାପତି ।

ରକତ-କର-ପରଶୁଁ ଝଳି ନୀଳ ଅଳିଏ ଧୂମଳ ଦିଶନ୍ତି ।୫।

 

ତିମିରି-କରିଣୀ-ଫୁତ୍କାର-ତୁଷାର-ଶିକର କୁଶାଙ୍କୂର-ଶିରେ ।

ଲାଗି ପୃଥୁଳ ହେଉ ତା ଦରଶକ-ମାନସେ ଭାବ ଜାତ କରେ ।

କିବା ଏ । କୁଶଳ-ଶିଳ୍ପୀ-ସୂଚିମୁନେ ।

ଅର୍ଦ୍ଧବିଦ୍ଧା ମୁକ୍ତା ରହି ବିରାଜୁଛି ନବରବି-କର-ପତନେ ।

 

ରବିକର-ରୂପ ମନ୍ତ୍ରଙ୍କ ପ୍ରଣବେ ବିନ୍ଦୁ ସଂଯୋଜିବା-ପାଇଁକି ।

ଗୋଟି ଗୋଟି କରି ଆକାଶୁଁ ନକ୍ଷତ୍ର କେ ନେଉଅଛି ଗୋଟାଇ କି ।

ସେ ମନ୍ତ୍ରେ । ଉଦାତ୍ତ ସ୍ୱର ଦେବାପାଇଁ ।

ଅଂଶୁକୁ ସମୂଳେ ହରିଲାଣି ଶଶି-ମଣ୍ଡଳୁ ଅଂଶେକ ନ ଥୋଇ ।

 

ନିଶାନାଶ ଦେଖି କୁମୁଦ ସଙ୍କୋଚୁଁ ଆଚ୍ଛାଦନ୍ତେ ନଳନୟନେ ।

ତାରାପତିଦ୍ୱିତି ବିନାଶ ଲଭନ୍ତେ ଯଥା ଦଶାନନ-ନନ୍ଦନେ ।

ସମରେ । କେଶଧୃତା ମାୟା ଜାନକୀ ।

ହତା ତଥା ତମକେଶେ ଧରି ସୂର ନେଲେ ରଜନୀ-ଜୀବନ କି ? । ୮।

 

ଦେବ-ଦମ୍ପତି-କେଳିତଳ୍ପ ଅମ୍ବରେ ରମଣ-ସଂଘର୍ଷ-ବିଚ୍ଛିନ୍ନ ।

ହାର-ଗଳିତ-କୁସୁମବତ ଦିଶୁ ଅଛନ୍ତି ନକ୍ଷତ୍ରେ ଶୋଭନ ।

କୋମଳ । -କର-ନିକର-ତୂଳାପୂର୍ଣ୍ଣ ।

ବର୍ତ୍ତୁଳ କପୋଳ-ଉପାଧାନବତ ଦିଶେ ପୂର୍ଣ୍ଣଚନ୍ଦ୍ର ଯତନ । ୯ ।

 

ବେଦ ଚତୁରର ଶାଖା ପରକାର ସୂରର ଅସଂଖ୍ୟ କିରଣ ।

ନିରନ୍ତରାଳେ ଆସିଣ ହୋଇଲାଣି ଏ ସକଳ ସ୍ଥଳ ଭୂଷଣ ।

ଯେଣୁଟି । ବେଦ ସ୍ୱର କିରଣାତ୍ମାକ ।

ତେଣୁ ତା ପ୍ରକାଶେ ବେଦପାଠୀ-ଆସ୍ୟେ ହେଲା ବେଦଧ୍ୱନି ପ୍ରକାଶ । ୧୦ ।

 

ଅକାରଣ-ବନ୍ଧୁ ପଙ୍କଜର ସୂର କି କାରଣେ ସୁରପତିର ।

ବଡ଼ଭିଜଗତି ପରେ କରି ସ୍ଥିତି ପ୍ରସାରି କରକୁ ତିମିର ।

ଅରାତି । ତାଡ଼ନେ ଅବାଚୀ ଦିଶରେ ।

କଲେଣି ସାର୍ଥ ନିଜର କାର୍ତ୍ତସ୍ୱର-ପର୍ବତ-ଭ୍ରମଣ ଚପଳେ । ୧୧ ।

 

ଅନ୍ଧକାର-କାକ-ବିନାଶନେ ଅକପଟ-କର-ଶର ବରଷି ।

ଗଗନ-ବିପିନ-ପ୍ରାନ୍ତରୁ ଅନ୍ତକ-ଜନକ ଆସନ୍ତେ ପ୍ରକାଶି ।

ଆଖେଟ । ଜାଣି ଅଙ୍କ-ମୃଗ-ଶଙ୍କାରେ ।

ଶଶି ପଶ୍ଚିମ ଆଶ୍ରିଲାଣି ଗଲେଣି ଉଡ଼ି କପୋତ-ତାରାବାରେ । ୧୨।

 

 

ଦେବ-ଦମ୍ପତି-ରତିମର୍ଦ-ବିଚ୍ୟୁତ-ହାରସ୍ରୁତ-ମୁକ୍ତାପଙ୍କତି- ।

ବତ ନକ୍ଷତ୍ରତତିରେ ବ୍ୟୋମାଙ୍ଗଣ ବିକାଶୁଥିଲା ନକ୍ତେ ଜ୍ୟୋତି ।

ଦିବାରେ । ଦେଉଁ ଓଳାଇ ରବି କରେ ।

ସ୍ୱଭାବ ସିଦ୍ଧ-ନୀଳିମା-ବଶେ ନଭ ବହିଲା ଅପର ଶୋଭାରେ । ୧୩ ।

 

ତାରକା-ଅକ୍ଷତ-ତଣ୍ଡୁଳ ତାମସ-ଦୁର୍ବାରେ ଅର୍ଘ ନିର୍ଭା କରି ।

ଅଭିନନ୍ଦି ନବରବିକରେ ନଭ ତାର ପ୍ରାତରାଶ ବିଚାରି ।

ବାଢ଼ିଛି । କିବା ଆପଣାର ସଞ୍ଚିତ ।

ନିଶିଥସଂଜାତ-ହିମ-କଣା-ବ୍ରାତ-ବ୍ୟାଜେ ଶକ୍ତୁ ନୀର ସିଞ୍ଚିତ । ୧୪।

 

ନିର୍ଜୀବ ହେଲେହେଁ ଅନ୍ଧାର କି ହେଲା ତାକୁ ତ ନାଶିଛି ଭାସ୍କର ।

କଣ୍ଠଲୋଳ ମୃତ-ସଞ୍ଜୀବନୀ-ମନ୍ତ୍ର ଉଚ୍ଚାରି ଜୀବଦାନେ ତା’ର ।

ଅସୁର- । ଗୁରୁ କି ମତି ନ କରନ୍ତେ ।

ପ୍ରାତଃ-ସନ୍ଧ୍ୟା-ମୌନଭଙ୍ଗଭୟ ଯେବେ ନ ଛୁଇଁଥାନ୍ତା ତାଙ୍କ ଚିତ୍ତେ ।୧୫ ।

 

ନିଶା-ଦିବସ-ସମର-ଦରଶନେ ପୂର୍ବାଦ୍ରିସାନୁରେ ସବିତା ।

କର-ପରଶ-ଗଳିତ-ଶିଳାଜତୁ-ସ୍ରୋତେ ସାନୁ ଦିଶେ ଚିତ୍ରିତା ।

ତା ଦେଖି । ଚିତ୍ତକୁ ଆସଇ ଏମନ୍ତ ।

ଅଗ୍ରଜ-ବନ୍ଦନେ ଆଗତ-ସୂପର୍ଣ୍ଣ-ବର୍ଣ୍ଣେ ଦିଶେ କି ସେ ତେମନ୍ତ । ୧୬ ।

 

 

ପରାଚୀ-ଚାରୀ ନମୁଚି-ବଇରିର ଚମୁ-ବିହାରିଣୀ ତୁରଗୀ- ।

ଚୟ ଚତୁର-ବଦନ-ଜନନୀର ଜୀବନଧବ-ଯାନେ ସଙ୍ଗୀ ।

ତୁରଗେ । ଚାହୁଁ ବଳାଉଛନ୍ତି ମତି ।

ସଙ୍ଗ ଇଚ୍ଛି ଅନଙ୍ଗାୟତ-ହୃଦୟା ରଥାଙ୍ଗୀ ବାଞ୍ଛୁଛି ପତିକି । ୧୭ ।

 

ନିଶା-ଅନଶନ-କ୍ଷୁଧା-ବାଧା-ନାଶେ ଦୁଗ୍‌ଧପାନ ବାଞ୍ଛି କିଶୋରେ ।

ପୁଚ୍ଛ ଚାଳି ହ୍ରେସୁଛନ୍ତି-ଖ୍ୟାତିମନ୍ତ ତୁରଗ; ନିକର ଏକାଳେ ।

କିଙ୍କିଣି । ବଜାଇ ଶୟନୁଁ ଉଠିଣ ।

ମନ୍ଥଜ-ପାଷାଣ-ଲେହନ ଆଶାରେ ଜିହ୍ୱା ଚାଳନ୍ତି ପୁଣ ପୁଣ । ୧୮ ।

 

ପତି-ଅଧୋଗତି ଦେଖିବା ଆଗରୁ ନିଶା ନକ୍ଷତ୍ର ବେନି ଗଲେ ।

ସେ ତ ତାଙ୍କର ଉଚିତ କିନ୍ତୁ ଚନ୍ଦ୍ର ସେ ବିଚ୍ଛେଦ କେହି ସହିଲେ ।

ଯାହାଟି । ଛାତି ତାଙ୍କ ଫାଟି ନ ଗଲା ।

ଶିଳା ପରି ତ ସେ ମଳିନ ଦିଶଇ ହୋଇବା ଥିବ ସେହି ଶଳା । ୧୯ ।

 

ପୂଷାନଳେ ତାର-ଲାଜା ଦେଇ ପ୍ରାତଃ-ସନ୍ଧ୍ୟା-ଭାସ୍କରେ ପରିଣୀତା ।

ଆଚରିବେ ଏବେ କନ୍ୟାପରି ଆପେ ଅଗ୍ନିଭ୍ରାନ୍ତି ବର ସବିତା ।

କେ ଅବା । କଉତୁକରେ ତାଙ୍କ କର-।

ଶୋଭା-ଦରଶନେ ଲୋଭା ନୋହି ରହିଅଛି ଏ ସଂସାର ଭିତର । ୨୦ ।

 

 

ବନ୍ଦି-ପ୍ରଧାନପଣୁଁ ପ୍ରିୟବାଦିତା-ଭାର ବହିଛୁଁ ଆମ୍ଭେ ଯେଣୁ ।

ତୁମ୍ଭ ବେନିମଧ୍ୟୁଁ କା’ର କୋପପାତ୍ର ହେଲେ ହୋଇବୁଁ ପଛେ ତେଣୁ ।

ଧରମ ।-ଧ୍ୱଂସୀ-କେଳିଲୀଳା-ବିରୋଧି ।

ବିଧି କହିବୁଁ ଯା ପଛେ ସ୍ୱଚ୍ଛଚିତ୍ତେ ଭାଳିବ ବୋଲି ମହାସିଦ୍ଧି । ୨୧ ।

 

ହେ ଧାର୍ମ୍ମିକବର ରାଜରାଜେଶ୍ୱର ପରିହର ପ୍ରିୟାସଙ୍ଗତି ।

ପ୍ରାତବନ୍ଦନେ କି ସନ୍ଧ୍ୟାଉପାସନେ ଶ୍ରଦ୍ଧା ଜନମୁଁ ନାହିଁ ମତି ।

ଜନମି । ପ୍ରାଚୀଗର୍ଭରୁ ରବି ଦିନ ।

କରିବେ ଏକ୍ଷଣି ପରା ବିଜ୍ଞାଗ୍ରଣି ଥିବେ ଆଉ ସେ କେତେକ୍ଷଣ ? । ୨୨ ।

 

ହେ ବୌଦର୍ଭୀ ! କାମକଳାର ବସତି ! ହରିଲ ପତିମତି ତଥା ।

ବୌଧକାର୍ଯ୍ୟରେ ନିତାନ୍ତ ଶିଥିଳତା ଜଣା ନୋହୁଛି ତାଙ୍କୁ ଯଥା ।

ପ୍ରଭାତ ।-ସନ୍ଧ୍ୟା-ନିଷ୍ଫଳତା ମାନସେ ।

ନ ଘେନନ୍ତି, ଘସ୍ରପତିଙ୍କ ବନ୍ଦନା ପାଇଁ ଆଗ୍ରହ ନାହିଁ ଲେଶେ । ୨୩ ।

 

ଗୁଣେ ବଳି ଭୂମଣ୍ଡଳରେ ତ ବାଳୀ ନାହାନ୍ତି ତୁମ୍ଭକୁ ହେ ସତୀ ।

ପତି-ନିତ୍ୟକ୍ରିୟା-ନିପାତ-ପାତକେ ହେତୁ ନୋହିଲେ ହେ ଜଗତି ।

-ବାସିଏ । ସେ ତ ପରନିନ୍ଦା-ନିପୁଣ ।

ଅତିବଶତାରୁ ବାଛିବେ ନରେଶେ କାମୁକୀ-ପ୍ରିୟ ବୋଲି ଖୁଣ । ୨୪ ।

 

 

ଅଳ୍ପପ୍ରକଟ-ରଶ୍ମିରେ ନଭପଟ ବିରାଜିଲାଣି ଶୋଭାଦେବୀ ।

ସରସ୍ୱାନୁଁ ଭାନୁ-ପୁର୍ଣ୍ଣ-ସ୍ୱର୍ଣ୍ଣକୁମ୍ଭ ବିଲୋକି ଯିବା ଛନ୍ତି ଭାବି ।

କୈରବୁଁ । କମଳେ ଏକାଳେ ହେ ବୀର ।

ବରବରନା-ବନିତାର ଦୁର୍ଲ୍ଲଭ-ସଙ୍ଗ ନିମିଷେ ପରିହର । ୨୫ ।

 

ପୂର୍ବାଗତ ରବି-କରବ୍ରାତ ବିପଧରେ ପୂର୍ବୁଁ ତୁମ୍ଭଙ୍କୁ ପରେ ।

ଦେଖି ଉଭୟର ସମୃଦ୍ଧି-ସୌନ୍ଦର୍ଯ୍ୟ ବାରିବେ ଉଚ୍ଚନୀଚତାରେ ।

ଯେଣୁ ସେ । ସେ ବିଷୟେ ଅତି କୁଶଳ ।

ଏଣୁ ମହାରାଜ ! ତଳପ ବରଜ ବିଳମ୍ୱ ନ ବିରଚ ତିଳ । ୨୬ ।

 

ବଳବନ୍ତପଣୁଁ ଭ୍ରମରେ ଇଷତ-ବିକଶିତ ତାମରସରେ ।

ବଳେ ଠେଲି ପେଲି ପଶିଣ ସୁସ୍ୱାଦୁ ମଧୁକୁ ଆଣି ରଭସରେ ।

ନିଜର । ପ୍ରେୟସୀମାନଙ୍କୁ ସାଦରେ ।

ପ୍ରଭାତେ ନବାନ୍ନ-ଭୋଜନ କରାଇ ଭୁଞ୍ଜନ୍ତି ଆପଣେ ମୋଦରେ । ୨୭ ।

 

ପ୍ରାତେ ଏକଦଳେ ବିକଶୁଁ କମଳ ଦେଖି ଚିତ୍ତେ ଏତେ ଆସଇ

ନବରବିକର ଭୁଞ୍ଜିବା ପାଇଁକି କମଳିନୀ ହୋଇ ଆଶାୟୀ ।

ତଳକୁ । କରି କନିଷ୍ଠ ଅଙ୍ଗୁଳିକି ।

କର କୋରକିତ କରିଛି ସଲିଳେ ବିରଚିବାପାଇଁ କୁଜିକି । ୨୮ ।

 

 

ତୀର-ତରୂବାସୀ-ବିହଙ୍ଗ-ବିରୁତେ ତେଜନ୍ତେ ନିଦ୍ରା ସରୋଜିନୀ ।

ମଧୁକର-ନିକୁରମ୍ୱ ଅବିଳମ୍ୱେ ମିଳି ସେ ସମୟକୁ ଜାଣି ।

ପ୍ରେୟସୀ ।-ଅଧରୁ ଲବ୍‌ଧ ମଧୁରସେ ।

ରସାଇ ଅରବିନ୍ଦର ମକରନ୍ଦ ଆନନ୍ଦେ ପିବନ୍ତି ସନ୍ତୋଷେ । ୨୯।

 

ଗତଦିବସ ହୁଅନ୍ତେ ଗତାୟୁଷ ତା ବିଲୋକି ଦୟା-ଉଦୟ ।

- ବଶୁଁ ତାମରସ ମୁଦ୍ରିତ ହେବାରୁ ତା ଅନ୍ତରେ ଅଳି-ନିଚୟ ।

ଆବଦ୍ଧ । ହୋଇ ଯାପିଥିଲେ ରଜନୀ ।

ପ୍ରାତେ ବିକଶୁଁ ପଦ୍ମ ସେ ତହୁଁ ଆସି ସଦଳେ ମଧୁ ଭକ୍ଷିଲେଣି । ୩୦ ।

 

ତାମସନାଶେ ତେଜହୀନ ବାସରେ ସର୍ବତାରା କ୍ଷୀଣ ଦିଶିଲେ ।

ଦିଶେ ପାଣ୍ଡର କେ ସରସୀ ବା ଶ୍ୱେତ ନ ଦିଶେ ଶୁଭ୍ର-ପଦ୍ମଜାଳେ ।

ଆକାଶ । ସ୍ୱଶରଣ୍ୟ-ତମ-ବିନାଶି ।

ରଶ୍ମିକି ଆଦରେ ହୃଦେ ଧରି ନିଜ ନିନ୍ଦାରେ ଗଲା ନୀଳ ଦିଶି ।୩୧।

 

ନିଜବନ୍ଧୁର ଅଭ୍ୟୁଦୟ ଦର୍ଶନେ ନ ହସିବ କିପାଁ କମଳ ।

କୁମୁଦିନୀର ତ ଲୁଚିବା ସୁନ୍ଦର ଦେଖି ସ୍ୱପତି-କ୍ଷୟକାଳ ।

କମଳ । ନିଜ ନିଦ୍ରା କିବା ପ୍ରଦାନି ।

ହିମାଳୟତୁଳ କୁମୁଦବନର ବିଶଦହାସ ଅଛି ଘେନି । ୩୨ ।

 

 

କୁମୁଦ-ମଧୁରେ ଉଦର ପୂରାଇ ଛନ୍ତି ତ ରାତ୍ରରେ ଭ୍ରମରେ ।

ପିଇଲେ ପିଅନ୍ତୁ ଅବା ନ ପିଅନ୍ତୁ ଏବେ ସେ ମଧୁ କମଳରେ ।

କେବଳ । ଯାପିଛି ନିଶା କୋକ ଶୋଷେ ।

ସେ ଏବେ ପ୍ରେୟସୀ-ମୁଖ-ତାମରସ-ମଧୁ ପିଉଛି ମନତୋଷେ । ୩୩ ।

 

ବିଚାରେ କୋକଦମ୍ପତି ବିଶ୍ୱ-ନାରୀ-ପୁଂସେ କାମଶାସ୍ତ୍ରେ ପଣ୍ଡିତ ।

ରାତ୍ରେ ବିରହ ଲଭି ପ୍ରାତେ ନୂତନବତ ସେ ଭୋଗୁଥାନ୍ତି ରତ ।

ବିଚାର । ସାଧୁପାୟୀ-ଶ୍ରେଷ୍ଠ ଇଶ୍ୱର ।

ସଦା ସୁଧାପାନୁଁ ଅରୁଚି ହୁଅନ୍ତେ ବିଷ କରିଛନ୍ତି ଆହାର । ୩୪ ।

 

ପ୍ରାତେ ବିଯୋଗଦଶା ନିଶା-ବିହୀନ ଶଶିକି ଆଶ୍ରୟ କଲାଣି ।

ଚକୋରଚିତ୍ତ-ସନ୍ତାପ ସୂର୍ଯ୍ୟକାନ୍ତ-ଶିଳେ ଶରଣ ପଶିଲାଣି ।

ରଥାଙ୍ଗ । ବିରହେ ନିତାନ୍ତ କାତରା ।

ପ୍ରେୟସୀକି ନାମଧରି ବାରମ୍ବାର ଆଗ୍ରହେ ଡାକିଲାଣି ପରା । ୩୫ ।

 

ନିମୀଳିତ ହେଉ କଳିକାନୟନ ସୂର୍ଯ୍ୟେ କୁମୁଦିନୀ ନ ଦେଖେ ।

ଏଣୁ ଲୋକେ ତାକୁ ଦୁଷ୍ଟା ଯା ବୋଲନ୍ତି ତା ଚିତ୍ତେ ନ ଆସଇ ରେଖେ ।

କବିଏ । ଯା’କୁ ରାଜପତ୍ନୀ ବୋଲନ୍ତି ।

ସେ ଅସୂର୍ଯ୍ୟମ୍ପଶ୍ୟା ହେବାର ଉଚିତ କଥାତ ବିଚାରଇ ମତି । ୩୬ ।

 

 

ପାନ ପାଇଁ କରାଞ୍ଜଳିରେ କରନ୍ତେ ତାମସ-ସାଗରେ ଭାସ୍କର ।

ଅଙ୍ଗୁଳି-ଜଳାଗଳିତ-ଜଳବିନ୍ଦୁ ଭଳି ଅଳିପାଳି ସୁନ୍ଦର ।

କମଳ ।-ମଧୁଲାଗନ୍ତେ ବେନିପାଶେ ।

ସେ ଜଳଧିର ପଙ୍କଭଳି ଏ ଅଳି ବୋଲି ଭାଳେ ପୁଣି ମାନସେ । ୩୭ ।

 

କୁଙ୍କୁମ-ସୁମ-ମାଳବତ ରକ୍ତିମ ସୁଷମ ରବିକର ସର ।

-ତୀରେ ପଡ଼ିଛି ତା’ ପରେ ମକରନ୍ଦ-ଗନ୍ଧାନନ୍ଦୀ ମିଳିନ୍ଦ ମେଳ ।

ସବିତା ।-କରେ ମିଳିନ୍ଦ-ମାଳ ମିଳି ।

ଯାଉଛି-ଅସିତ-ମସ୍ତକ ଲୋହିତ-ଗାତ୍ର ଗୁଞ୍ଜମାଳିକି ବଳି । ୩୮ ।

 

ନବରବିକର-ସମ୍ପାତେ ସରସୀ ରକତବର୍ଣ୍ଣ ଦିଶୁଅଛି ।

ଉପରିପତିତ-ମଧୁକରବ୍ରାତ-ସଂଯୋଗେ ନୀଳିମା ବହିଛି ।

ବିକାଶ ।-ଉନ୍ମୁଖ ପଦ୍ମେ ମଧ୍ୟଦେଶ ।

ଶୁଭ୍ର ଦିଶିବରୁ ତ୍ରିବର୍ଣ୍ଣ-ରଞ୍ଜିତ ସରସୀ ଶୋଭିତ ବିଶେଷ । ୩୯ ।

 

ପଦ୍ମ ମାତ୍ରକର ଶୁଭ-ସମ୍ପାଦନେ ସୂର୍ଯ୍ୟର ଆଶ୍ଚର୍ଯ୍ୟ ଆଗ୍ରହ ।

ଯେ ନେତ୍ର-ଶୋଭା-ପ୍ରକାଶ-ପାଇଁ ପଦ୍ମେ ତୁଳୁଥାନ୍ତି କବି-ନିଚୟ ।

ଜନ୍ମାଏ । ସେ ନେତ୍ରମାନଙ୍କ ସେ ମୋଦ ।

ପଦ୍ମେ ଅତୁଳିତ ପେଚକାଦି ନେତ୍ରମାନଙ୍କୁ ହୁଏ ସେ ପ୍ରମାଦ । ୪୦ ।

 

 

ଆହେ ସଦା-ଯାଜୀ ଯେଣୁ ଅଛ ଅର୍ଜି ଅର୍ଯମାରେ ଅତି ଭକତି ।

ତେଣୁ ତାଙ୍କର ଉଦୟ ସମୟକୁ ଉପାସନାରେ ଦିଅ ମତି ।

ପ୍ରଭାତେ । ସୂର୍ଯ୍ୟେ ଦତ୍ତ ଜଳ ଅଞ୍ଜଳି ।

ମନ୍ଦେହଦୈତ୍ୟମାନଙ୍କ ପାଇଁ ହୁଏ ସଲିଳମୟ-ବଜ୍ରଭଳି । ୪୧ ।

 

ଉଦୟଗିରି-ସମଭୂମେ ଆଦିତ୍ୟମଣ୍ଡଳ ଅପୁରନ୍ତ ଖଣି ।

ନୂତନ ଲୋହିତ କିରଣନିକର ତହିଁ ମାଣିକ୍ୟ ମଣି ପୁଣି ।

ସେ ଖଣି ।-ମୁଖରୁ ତାମସ-ପାଷାଣ ।

କେ ଆସି ଅତରକିତେ ଖସାଇଲା ଜଣା ନ ପଡ଼ଇ ପ୍ରମାଣ । ୪୨ ।

 

କର୍ଣ୍ଣ-କର୍ଣ୍ଣୁ ନେଇ ବାସବ କୁଣ୍ଡଳ ପ୍ରିୟା ପ୍ରାଚୀକି ଦେଇଥିଲେ ।

ସନ୍ଧ୍ୟାରେ ଉଦିତ ପୂର୍ବୂଁ ପୂର୍ଣ୍ଣଚନ୍ଦ୍ରେ ତହିଁରୁ ଏକ ବୋଲି ଭାଳେ ।

ନୂତନ ।-କିରଣ-କନକବରଷି ।

ଉଦିତ-ସିବିତା-ମଣ୍ଡଳ କି ଆନ ବୋଲି ମନେ ଯାଏ ଆଭାଷି । ୪୩ ।

 

ଗତଦିବସ-ଅବସାନ ସମୟେ ପତି ସୂର୍ଯ୍ୟର ରକ୍ତଦୀପ୍ତି ।

ଅନଳେ ଝାସି ଅଧୋପୁରୁ ପତିକି ଉଦ୍ଧାରି ଲଭି ମହାତୃପ୍ତି ।

ଆଜକୁ । ପୂର୍ବଦିଗେ ଇନ୍ଦ୍ରଭୁବନ ।

ଲଭି ପତିତୁଲେ ଗତୁଁ ଅଧିକରେ କାନ୍ତି ବହି ଦିଶେ ଶୋଭନ । ୪୪ ।

 

 

ହରିତକୃଷ୍ଣାଦି-ବର୍ଣ୍ଣ ଆହାରରୁ ସନ୍ତାନେ ହୁଅନ୍ତି ଅସିତ ।

ସତ ଏ କଥା ଯାଣୁ ଶୁଭ୍ର ସବିତା ଗ୍ରାସି ତିମର-ତମବ୍ରାତ ।

ଲଭିଛି । ଯେଉଁ ସୁତା-ସୁତ ଯୁଗଳ ।

ସେ ଯମ ଯମୁନା ଶନିକି ସନ୍ତତ ହାରେ ପରା ଦଳା-କଜ୍ଜ୍ୱଳ । ୪୫ ।

 

ପ୍ରତି ନିଶିଶେଷ ଦିବାରୂପକାଳ ଭାସ୍କର ନିତି ନିତି କରି ।

ଚିରଦିନୁଁ ରହି ରହି ସେ ଅଭ୍ୟାସ ସ୍ୱଭାବେ ଗଲାଣି ବଦଳି ।

ତେଣୁଟି । ଯମୁନାଦିଙ୍କ ଜନ୍ମବେଳେ ।

କାଳ କରିବାର ଅଭ୍ୟାସ ଥିବାରୁ ସେମାନେ କାଳ ହୋଇଗଲେ । ୪୬ ।

 

ସ୍ୱଭାବସୁଲଭ-ସୌନ୍ଦର୍ଯ୍ୟେ ଯା’ ଯାନ ଯାନ ଶୋଭିତ ଯା ଚରିତ ସାଧୁ ।

କୋକପାଇଁକି ଯେ ଦୟାର ସାଗର ଯେ ଲୋକ-ଲୋଚନର ବନ୍ଧୁ ।

ସେ ସୂର୍ଯ୍ୟ । ଲୋକରକ୍ଷା ପାଇଁ ଅନ୍ତକ ।

ଶନି ଜାତକଲେ ବୋଲି ତାଙ୍କୁ ହସୁଥିବା ଦୁର୍ଜ୍ଜନୁ ଆମ୍ଭ ଦକ । ୪୭।

 

ଶୀତାର୍ତ୍ତେ ତାପ ସନ୍ତାପେ ତପ୍ତ ପାଇଁ ଆପ ଆପଣା କରେ ସର୍ଜି ।

ଜଳେ ବିକଳ ପ୍ରାଣୀଙ୍କ ପାଇଁ ପୁଣି ତାପ ବିତରି ଦୁଃଖ ମାର୍ଜ୍ଜି ।

ତାପିଙ୍କ । ପାଇଁ ଯେ ଶିଶିର ଭିଆନ୍ତି ।

ଲୋକହିତକର କର୍ତ୍ତବ୍ୟ ଯାହାଙ୍କ ଉଦିଲେଣି ସେ ଦିନପତି । ୪୮ ।

 

 

ଚାରିହରିତର ଅଙ୍କରେ କିଞ୍ଚିତ ହେଲେହେଁ ନ ରଖି ତାମସ ।

ଯେ ସମୂଳେ ନାଶ କରିଛି ସେ ରବିକର ହୋଇଲେହେଁ ପ୍ରକାଶ ।

ପାଦପ ।-ଆଶ୍ରୟେ ଥିବା ଛାୟାତଳେ ।

ତମେ ସେ ନାଶି ନ ପାରିବାର ଦେଖି ବିସ୍ମୟ ନୁହେଁ କେ ମନରେ । ୪୯ ।

 

ଜଗତର ତମ ତାମରସ-ମୂର୍ଚ୍ଛା-ଚିକିତ୍ସାକାରୀ ପିତା ସୂର ।

-ଠାରୁ ଅଶ୍ୱିନୀକୁମାରେ ଶିଖି ବୈଦ୍ୟବିଦ୍ୟା ବୋଲାନ୍ତି ବୈଦ୍ୟବର ।

ସ୍ୱର୍ଗରେ । ଅନ୍ତକ ତ ପ୍ରାଣୀଅନ୍ତକ ।

ତା ପିତା କଇରବର ଅପମୃତ୍ୟୁ-କାରଣ ହେବା କି ଅଠିକ । ୫୦।

 

ପତିବିରହିଣୀ ପଦ୍ମିନୀକି ପୀଡ଼ା ଦେଇଥିଲେ ତୁହୀନ-କର ।

ସେକାଳେ ସ୍ୱାମୀ-ସୁହାଗୀ କୁମୁଦିନୀ ହସିଥିଲା ତାକୁ ଅପାର ।

ତେଣୁଟି । ପକ୍ୱ ବଦରି ପରକାର ।

ସୂର୍ଯ୍ୟେ ଚାହିଁ କି ସେ ସଙ୍କୋଚିଲେ ଦୁହେଁ ହୋଇ ମହାଭୟେ କାତର । ୫୧ ।

 

ବେଦାତ୍ମ ସହସ୍ରାଂଶୁ ସୂର ନକ୍ତରେ ଭୂଲୋକତଳେ ସଞ୍ଚରନ୍ତେ ।

ଉଦାତ୍ତାଦିସ୍ୱର-ଦୀପ୍ତି ଯୁତ ତା’ର କରକୁ ଦ୍ୱିସହସ୍ର ନେତ୍ରେ ।

ବିଭିନ୍ନ ।-ଭାବରେ ପ୍ରତି ରଜନୀରେ ।

ଦେଖୁଥାନ୍ତି ଶୁଣୁଥାନ୍ତି ନାଗପତି ନିଜ-ଚକ୍ଷୁ ଶ୍ରବା-ବିଧିରେ । ୫୨।

 

 

ପଙ୍କଜବନ୍ଧୁ ପଲ୍ଲବକାନ୍ତି ବହି କର ପରସାରି ଦେଲାଣି ।

ପାତଯୋଗେ କୋମଳତା ଗୁଣେ କର ନବନୀତକୁ ହସିଲାଣି ।

କରର । ଦୀର୍ଘାଂଶ-ସମୂହ ଗବାକ୍ଷ ।

-ରନ୍ଧ୍ରଚୟେ ପଶି କରଜାଙ୍ଗୁଳିର ଶୋଭା ବହିଲାଣି ପ୍ରତ୍ୟକ୍ଷ । ୫୩ ।

 

ହେ ଭୂପ ! ସୂରର କରାଙ୍ଗୁଳି ଭଳି କିରଣ ବଡ଼ଭୀ-ଗବାକ୍ଷେ ।

ପଶି ପଦ୍ମନାଳ-କଳପ ଦିଶୁଛି ସାଦରେ ଅବଲୋକ ଅକ୍ଷେ ।

ତାକୁ କି । ବିଶ୍ୱକର୍ମ୍ମା କୁନ୍ଦେ ବସାଇ ।

କୁନ୍ଦୁକୁନ୍ଦକୃତ୍ତ-ତେଜ-ବିନ୍ଦୁବୃତ ହୋଇ କିସେ ମନ୍ଦେ ଘୂରଇ । ୫୪ ।

 

ଦିବସନାପିତ ସୂରକର-କ୍ଷୂରେ ବ୍ୟଭିଚାରୀ ବିଭାବରୀର ।

କବରିଭାର କାଟି ଦୂର କରନ୍ତେ କର୍ତ୍ତିତ-ଚିକୁର-ନିକର ।

ଭୂତଳେ । ପଡ଼ି କଳାକଳା ଦିଶଇ ।

ବୃକ୍ଷଲତାଛାଇ ବୋଲି ତାକୁ କହିଥାଏ ସେ ଯେ ତା ନ ଜାଣଇଁ । ୫୫ ।

 

ମଙ୍ଗଳ-ସୂଚକ-ଶବ୍ଦକାରୀ ଶଙ୍ଖେ ହେ ନୃପ ! ଭାବେ ତୁମ୍ଭଯଶ ।

ସେ ଦର-ସହୋଦର ଚନ୍ଦ୍ର ବିଚିତ୍ରବତ ବିରାଜେ ନଭଦେଶ ।

କିରଣ ।-ହାନି ତା ହୋଇଲାଣି ଏବେ ।

କୋଳର ହରିଣଅଙ୍କ ତା କେମନ୍ତ ଦିଶଇ ଦେଖ ମ୍ଳାନଭାବେ । ୫୬ ।

 

 

ତାରା-ଶଙ୍ଖ-ଛେଦୀ ପଦ୍ମଶଙ୍ଖ ଭେଦୀ-ସୂର-ଶଙ୍ଖାରି ଦୃଢ଼େ କରେ ।

ଅର୍ଦ୍ଧାସ୍ତମିତ-ତରାକାନ୍ତକରତ ଧରି କର୍ତ୍ତୂରଜ-ନିକରେ ।

କର୍ତ୍ତିବା । ପାଇଁ ଅଣା ଜଳେ ପଡ଼ିଣ ।

ହୋଇ ପଙ୍କ ଲାଗିଯାଇ କି କଲେଣି ସେ କରତକୁ ଶୁଭ୍ରବର୍ଣ୍ଣ ।୫୭।

 

ପଦ୍ମେ ବିକଶାଇବାର-ବେଳେ ସୂର ବିକଶାଏ ଲୋକଲୋଚନେ ।

ବିଷ୍ଣୁହିଁ ପୂରାଇଥିଲେ ସାରସର ସହସ୍ର-ସଂଖ୍ୟା ସ୍ୱନୟନେ ।

ଏଣୁଟି । ପଦ୍ମ ନେତ୍ର ଏକଜାତୀୟ ।

ତେଣୁ ନୟନ ଉପମାକୁ ନକିନ ଲୋଡ଼ୁଥାନ୍ତି କବି ନିଚୟ । ୫୮ ।

 

ନିମିଷେ ନମୁଦି ଦଳ-ନୟନକୁ ରାତ୍ରେ ଯାମିକ-କଇରବ ।

ସର-ସମ୍ପତ୍ତିକି ଜଗି ରଖିଥିଲା ଆସନ୍ତେ ସରୋଜବାନ୍ଧବ ।

ନିଶ୍ଚିନ୍ତ । ହୋଇ ନିଦ୍ରାସୁଖ ଭୋଗୁଛି ।

ଘୁଙ୍ଗୁଡ଼ି-ଘର୍ଘର ପରି ତା ଗର୍ଭର ଭ୍ରମର-ଝଙ୍କାର ଶୁଭୁଛି । ୫୯ ।

 

‘କେ’ ବୋଲି ପଚାରିଲା ଭଳି ଯା ବାଣୀ ସେ କାକ କୋକିଳେ ପୁଚ୍ଛଇ ।

କହ ତ ଦେଖି ପାଣିନି ଶବ୍ଦଶାସ୍ତ୍ରେ ‘ତାତଙ୍‌’ କାର ସ୍ଥାନେ ରହି ।

ତା ଶୁଣି । ‘ତୁହି ତୁହି’ କହି କୋକିଳ ।

ଚିହ୍ନାଉଛି କି ‘ତାତଙ୍‌’ । ବସିବାର ଏ ‘ତୁହି’ ‘ତୁହି’ ଏକା ସ୍ଥଳ ।୬୦।

 

 

ପାଣିନି ପଡ଼ିବାବେଳେ ଏ କପୋତ ଶବ୍ଦ ସାଧି ଲେଖା ଲିଭାଇ ।

କଣ୍ଠେ ବୋଳନ୍ତେ ଖଡ଼ି-ଧୂଳି ଲାଗି କି ତା ଏବେ ଶୁକଳ ଦିଶଇ ।

ଭୁଲିତ । ଗଲା ସବୁ; ଏକା ଅଭ୍ୟାସ-।

ବଶେ ଏବେ ‘ଘୂ’ ସଂଜ୍ଞାଟା ଘୋଷି ସ୍ମରୁଅଛି କମ୍ପାଇ ଶିରଦେଶ । ୬୧ ।

 

ବାସବ-ବଡ଼ଭି-ହେମକୁମ୍ଭଭଳି ସ୍ୱର୍ଣ୍ଣବର୍ଣ୍ଣ ଏ ଦିବାକର ।

କୁଙ୍କୁମାରୁଣ-ମୃଦୁକର-କେତନବ୍ରାତେ ଦିଶେ କେଡ଼େ ସୁନ୍ଦର ।

ଏହାର । ପ୍ରଭାତିମିରସାଗରର ।

ଅନ୍ଧକାର-ନୀର ପାନ କରିବାର କଥାତ ସ୍ୱଭାବେ ସୁନ୍ଦର ।୬୨।

 

ତମ-ତମାଳବନା-ନଳ କରର ଦ୍ୱିତ୍ରିଧାର ମାତ୍ର କେବଳ ।

ସହସ୍ରପତ୍ରେ ବିକଶାଇ ନଭ-ଭୂ-ଦିଶ ତମ-ପାପ ନିର୍ମୂଳ ।

କରଇ । ସବିତା କିପାଁ ସେ କିରଣ- ।

ନିକରକୁ ପିଷ୍ଟ-ପେଷଣ-ନ୍ୟାୟରେ ବିସ୍ତାରୁଛନ୍ତି ପୁଣ ପୁଣ ।୬୩।

 

ତମ-ସମୁଦ୍ରର ବାଡ଼ବ-ଅନଳ ବିରହୀ-ପଦ୍ମିନୀ-ବଦନୁଁ ।

ବିରସ ଅପସରାଇବାରେ ଦକ୍ଷ ଆକାଶେ ଉଠିଲେଣି ଭାନୁ ।

ତଥାପି । ଲୋହିତ ଦିଶୁଛି କିରଣ ।

ଦିଶୁଥୁବ କି ଏ ସର୍ବଦା ଏମନ୍ତ ? ନ ବହି ସ୍ୱଶୁଭ୍ର ବରନ’’ । ୬୪।

 

 

ଏକାଳେ ଶୁଦ୍ଧାନ୍ତଃ-ପୁରଚାରିଣୀଏ ଆସି କେତେକ ଆଭରଣ ।

ବଇତାଳିକଙ୍କ ପୁରତରେ ଥୋଇ ଭାଷଇ ଏମନ୍ତ ବଚନ ।

‘‘ଶୁଣ ହେ । ଶୁଣି ତୁମ୍ଭ ପ୍ରାତଃ ବର୍ଣ୍ଣନ ।

ମହିଷୀ ତୋଷେ ତୁମ୍ଭଙ୍କୁ ପୁରସ୍କାର ଦେଲେ ସ୍ୱ-ଶ୍ରୀଅଙ୍ଗ ଭୂଷଣ’’ । ୬୫ ।

 

ଅଗଣିତ-ପଦ୍ମରାଗ-ମଣିଗଣେ ଗୁମ୍ପିତ ସେ ଭୂଷା-ନିବହ ।

ଦିଶେ ଦାରିଦ୍ର୍ୟେ ରକ୍ତନେତ୍ରେ ଚାହିଁଲାପ୍ରାୟ ବହି ରୋଷ ଦୁର୍ବହ ।

ସେ ସର୍ବ । ଯଥାଯୋଗ୍ୟସ୍ଥାନେ ଶରୀରେ ।

ବହିଲେ ସେ ବଇତାଳିକ-ନିବହ ମାନସେ ମହାମୋଦ ତୁଲେ । ୬୬।

 

ଏକାଳେ ମନ୍ଦାକିନୀରେ ସ୍ନାନ ସାରି ସୁମନସ-ଯାନ-ସମାନ ।

ବିବାହଲବ୍ଧ ଯାନ-ବର ଆରୋହି କଲେ ନରେଶ ଆଗମନ ।

ବନ୍ଦିଙ୍କ । ଈକ୍ଷଣେ କ୍ଷଣମାତ୍ର ଦିଶି ।

ଗଲେ, ସେ ପୁରୁ ଯିବା ଦେଖି ନ ଥିଲେ ବନ୍ଦିଏ ଥିଲେ ପଛେ ଆସି । ୬୭।

 

ଶ୍ରୀ ହୀରମାମଲ୍ଲଦେବୀର କୁମାର ଶ୍ରୀହର୍ଷ ଯେ କବି-ଭୂଷଣ ।

ନିତ୍ୟ ନୂତନ ଅପୂର୍ବ ପଦ ସୃଷ୍ଟି-କରଣେ ଯା ବୁଦ୍ଧି ନିପୁଣ ।

ତା ପଦେ । ମନ ରଖି ଧ୍ୟାନ-ଧନକୁ ।

ଦେଇ ଭାଷଇ ଅଧମ ଗୋପୀନାଥ ଗୋବିନ୍ଦ-ପଦାରବିନ୍ଦକୁ। ୬୮ ।

-------

 

Unknown

ବିଂଶ ଛାନ୍ଦ

ରାଗ-ପଟ୍ଟହ ମଞ୍ଜରୀ

ମରୁତ-ଚାଳିତ ଜୀମୁତ ଯେମନ୍ତ ପର୍ବତେ ଅବତରଇ ।

ଗମନ-ବେଗେ ପବନ-ଜୟକାରୀ ଗଗନୁଁ ବେଗେ ଓହ୍ଲାଇ ।

ନୃପ-ବିମାନ ଯେ ।

ସେ ସୌଧ-ଗିରି-ଶିଖର- ।

ବିବିଧମଣି-ରତନ-ବିନିର୍ମିତ କୁଟ୍ଟିମେ ମଣ୍ଡିଲା ଖର ।

 

ଆଗତ-କାନ୍ତେ ପାଛୋଟିବା ପାଇଁକି ବିଜେ ରାଣୀ ଦମୟନ୍ତୀ ।

ସେକାଳ-ଶୋଭା ତେସନ ମନଲୋଭା ଯେସନ ଦିନ-ଆଗତି-।

ବେଳେ ବିଲୋକି ଯେ ।

ଶଶିଙ୍କି ପାଶେ ଆଗତ ।

ସିନ୍ଧୁ-ପଶ୍ଚିମପଟ-ବୀଚି ନିଚୟ ଯାନ୍ତି ହୋଇ ଉଲ୍ଲସିତ ।୨ ।

 

ପ୍ରିୟା-ବଦନେ ମଦନେ ଅନାୟତ୍ତ ହୋଇ ଚାହିଁ ଏକଲୟେ ।

ସୁରସରିତେ ପ୍ରାତଃସ୍ନାନ-ସମୟେ ଲୋକିତ କମଳଚୟେ ।

ଚିତ୍ତେ ନୃପତି ଯେ ।

କରୁଥିଲେ ହେୟଜ୍ଞାନ ।

ଜଣାତ ଥିଲା ବିଜେତା ତୁଲେ ଜେୟ ନିଊନହେବା ବିଜ୍ଞାନ ।

 

ନିଜ-ପ୍ରାର୍ଥିତ ସୁପର୍ବପଙ୍କେରୁହ ପତି ପ୍ରଦାନିବା ବେଳେ ।

ମୋଦେ ଆଦରେ ପ୍ରମଦା-ପଦ୍ମନେତ୍ର ବିକଶିଲା କୁତୁହଳେ ।

କରେ କମଳ ଯେ ।

ବହି ଦିଶେ ତଥା ବାଳୀ ।

ବନମାଳୀ-କୋଳ ତେଜି କି କମଳା ଏ ପୁରେ ଅଇଲା ଚଳି ।

 

ପତିପ୍ରଦତ୍ତ ଅଳପକୁ ବହୁତ କଳପୁଥାଇ ସେ ବାଳୀ ।

ସେ ଭୂଜେ ଦତ୍ତ କଉଡ଼ିକଡ଼ା ତା’ର ଅୟୁତ ବିତ୍ତରୁ ବଳି ।

ପ୍ରିୟ ଭାଷନ୍ତି ଯେ ।

‘‘ଆଲିଙ୍ଗନ-ବିଘ୍ନକାରୀ ।

ଦିନ-କୃତ୍ୟତତି ପାରନ୍ତି ମୁଁ ଅନୁମତି ତୋର ହେଲେ ଗୋରି’’ ।୫। (-) ।

 

ଲୀଳା-ବିଳାସ-ବିରୋଧି କୃତ୍ୟବିଧି ଆହୁରି ନୋହିଛି ଶେଷ ।

ଏତେ ଭାଳି ବାଳୀ ଚିତ୍ତେ ଚଳିଲେହେଁ ଗିରେ ନ କରେ ପ୍ରକାଶ ।

ବାରି ଏମାନ ଯେ ।

ଏଣେ କଳି ଭାବୁଥାଇ ।

ଯା’କ୍ଷଣ ବିରହେ ଡରୁ ଭୀରୁ ତାକୁ ତୋ ପାଶୁଁ ଦେବି ତଡ଼ାଇ ।୬। (-୮)

 

ବର-ଗିରେ ରୁଷିଲାର ପରି ରାମା ସଖିପାଶେ ଯିବାବେଳେ ।

କୁମୁଦୁଁ କମଳେ ଯିବାର କମଳା-ଶୋଭାରୁ ତା ଶୋଭା ବଳେ ।

ଏଣେ ନୃପତି ଯେ, ।

କଳି ଦ୍ୱାପର ସଦୃଶ ।

ତ୍ରେତା ରିପୁ ମୋ ନୋହୁ ଭାଳି କଲେକି ତାକୁ ନିତ୍ୟ-ସତ୍ରେ ତୋଷ । ।(୯-୧୦) ।

 

ପ୍ରାତଃ କୃତ୍ୟ ସାରି ହସ୍ତଠାରି ବାରି ସଖୀକି ପ୍ରକାଶ-ପାଇଁ ।

ଧୀରଗତିରେ ନୃପତି ପତ୍ନୀପଛୁଁ ମୁଦିଲେ ତା ନେତ୍ର ଦୁଇ ।

ତାହା ବିଲୋକି ଯେ ।

ହସୁଛନ୍ତି ସଖିଚୟ ।

କୋରକିତ କର ନୃପର ଦିଶଇ ନେତ୍ରଦୈର୍ଘ୍ୟ-ମପାପ୍ରାୟ । ୮ । (୧୧-୧୨) ।

 

କର ଫେଉଁ ‘ଜାଣିଲିଣି’ ଏତେମାତ୍ର କହି ସ୍ପର୍ଶାନ୍ତର ବାରି ।

ଦଂଶି ରସନା ମଉନେ ମାନ ବହି ରହିଲା ବରଗଉରୀ ।

ବାରି ସେ କଥା ଯେ ।

ଭାଷନ୍ତି କାନ୍ତ,’’ନ ରୁଷ ।

ଯା ପ୍ରସାଦେ ତୋତେ ପାଇଛି ସେ ତପେ ନ ସେବନ୍ତି କି ବାକୀଶ’’। ୯ । (୧୩-୧୪) ।

 

‘ନିଶିରେ ଦାସ୍ୟ ଗ୍ରହିସାରି ସ୍ନାହାନ ପ୍ରଭାତେ ଯା ନବନ୍ଦିଲି ।

ତେଣୁ କି ରୁଷିଲୁ ରୁଷିମୋହି ? କହ, ପଦେ ତୋ ଦେବି ମଉଳି’ ।

ଭାଷି ଏମନ୍ତ ଯେ ।

କର ଦେବାକୁ ପୟରେ ।

ଇଛୁଁ କାନ୍ତ, କାନ୍ତା କୋପଭୟେ ଘୁଞ୍ଚି କଟାକ୍ଷେ କିଣିଲା ବରେ । ୧୦ ।(୧୫-୧୬) ।

 

ଅପାଙ୍ଗେ ଚଳିତ-ତାରକା-ଚ୍ଛୁରିତ-ତେଜେ ହୋଇ ବଶୀଭୂତ ।

ଭାଷନ୍ତି କାନ୍ତ, ‘‘ଶ୍ରବଣ-କୂପପାତ-ଭୀତି ନ ଥିଲେ ତୋ ନେତ୍ର ।

ରହି ନ ଥାନ୍ତା ଯେ ।

ଦୂରେ ନ ଯାଇ ନାରୀଶ ।

ତୋ ରୋଷେ ମୋ ତୋଷ ଯଥା ରବିତେଜେ ବିକଶେ ପଦ୍ମ-ସୁବାସ । ୧୧ ।(୧୭-୧୯) ।

 

ଭିନ୍ନ ଭିନ୍ନ ନିର୍ମ୍ମାଣିବା ବିଧିସିଦ୍ଧି, ତେଣୁ ସେ ତୋ ମୁଖ ଶଶୀ ।

ଏକପରି ଦେଖି ଶେଷର ଅଙ୍କରେ ଶଶକ ଅଛି ନିବେଶି ।

ତୋର ବଦନ ଯେ ।

ସଦା ନିର୍ମ୍ମଳ ପ୍ରସନ୍ନ ।

ତାମ୍ରପର୍ଣ୍ଣୀ-ତୀର-ଶଶାଙ୍କ-ଶୁକ୍ତିର ସମ୍ଭବ ମୁକ୍ତା ସମାନ । ୧୨ ।(୨୦-୨୧) ।

 

କ୍ଷୀର-ସାଗରୁ ତୋ ଗିର ସୁଧାସଙ୍ଗେ ଅବତରିଛି କିଶୋରି ।

ତେଣୁ ସେ ଗିରେ ମଧୁର-ହାସ ଦିଶେ ତୋର କ୍ଷୀରସରଭଳି’’ ।

ଭାଷି ଏମନ୍ତ ଯେ ।

ନୃପ କୋଳେ ଘେନି ବାଳୀ ।

ପଲଙ୍କେ ବିଜେ ଜ୍ୟୋତ୍ସ୍ନାତୁଲେ ଶଶିକି ଉଦୟ-ଶୈଳେ ବିହରି । ୧୩ ।(୨୨-୨୩) ।

 

ବର୍ଷାରମ୍ଭେ ମେଘ ନଭେ ଆଲିଙ୍ଗିଲା ଭଳି ସ୍ନେହଶାଳୀ ପତି ।

ଗାଢ଼େ ଆଲିଙ୍ଗି ବହୁବେଳ ମୁଞ୍ଚିଲେ ବିରହ-ବାଧା ଝଟତି ।

ପଦ୍ମ-ମଧୁରେ ଯେ ।

ବିମ୍ୱିତ ହୋଇ ଭାସ୍କର ।

ତାକୁ ଚୁମ୍ୱିଲା ପରି ସ୍ମିତ ପ୍ରକାଶି ପ୍ରିୟାକୁ ଚୂମ୍ୱିଲେ ନଳ । ୧୪ । (୨୪-୨୫) ।

 

ତଦନ୍ତରେ ହାସପରିହାସେ ସାକ୍ଷୀ ରଖିବାକୁ କର ଠାରି ।

କଳା ନାମ ମହିଷୀର ବୟସ୍ୟାକୁ ବସାଇ ଅଗ୍ରେ ହକାରି ।

ଭୂପ ଭାଷନ୍ତି ଯେ ।

‘‘ଦେଖ, ଏ ତୁମ୍ଭର ସଖୀ ।

ତୁମ୍ଭମାନଙ୍କେ ହୋଇ ଅତି ଆଶକ୍ତ ଆନେ ନ ପାରନ୍ତି ଦେଖି । ୧୫ ।(୨୬-୨୭) ।

 

ନିଶାରେ ସ୍ୱଅଙ୍ଗ ସମର୍ପି ସ୍ୱାମୀକି ଅନୁଗ୍ରହ କଲି ବୋଲି ।

ଏମନ୍ତ ବୋଲି କି ବଞ୍ଚାଉ ନଥାଏ ତୁମ୍ଭଙ୍କୁ ଏ ତୁମ୍ଭ ଆଳି ।

ପରା କହଇ ଯେ ।

ନଳ-ବିନା ମନେ ହେଲେ ।

ନ ସେବେ ଆନ ଯା ଯୌବନ ଚିହ୍ନାଏ ମନେ ସେବେ ବୋଲି ସ୍ମରେ । ୧୬ ।(୨୮-୨୯) ।

 

ଲାଜେ ନତମୁଖ-ଶୋଭା ଅଜିଯାଏ ଏହାର ମୁଁ ଦେଖି ନାହିଁ ।

ବର୍ଣ୍ଣିବୁ ଯେବେ ତୁ ସେ ଶୋଭା-ବିଭବ ଶୁଣିବି ମୁଁ ମନ ଦେଇ ।

ବେନି ନୟନେ ଯେ ।

ଚାହିଁ ଏ ସଖୀଙ୍କି ତୋଷେ ।

ଦୋଷୀ କି ମୁଁ ? ଏକନେତ୍ର-ପ୍ରାନ୍ତ-ଅଂଶ ପଡ଼େ ଯା ମୋରେ ନିମିଷେ । ୧୭ ।(୩୦-୩୧) ।

 

ପୂର୍ବେ ମୋତେ ଦୌତ୍ୟେ ବେନି ନୟନରେ ଦେଖି ପାରୁଥିଲା ବାଳୀ ।

ଏବେ ଏ ନଚାହୁଁ ମୋତେ ମୁଁ ଭାଳଇ ଗଲାକି ସେ କଥା ଭୁଲି ।

ସତ୍ୟ ମଧୁର ଯେ ।

ଗିରେ ତୁମ୍ଭଙ୍କୁ ତୋଷଇ ।

‘ତୁମ୍ଭେ ମୋ’ ଏତିକି ମୋତେ କହିବାକୁ ମଉନେ ମାନେ ବସଇ । ୧୮ ।(୩୨-୩୩) ।

 

ନାମ ଧରି ଅବା କେଉଁ ବୟସୀକି ନ ଡାକଇ ତୁମ୍ଭ ଆଳୀ ।

ମୋ ବେଳକୁ ‘ନଳ’ ନାମେ ତା ରସନା ନ ରସି ରହଇ ସରି ।

ସ୍ତନ-ଯୁଗଳେ ଯେ ।

ନିର୍ଦ୍ଦୟ-ହୃଦୟ ପୂର୍ଣ୍ଣ ।

ଅବକାଶ ନାହିଁ ତହିଁ ମୋତେ କାହିଁ ବହିବ ବାଳୀ-ରତନ । ୧୯ । (୩୪-୩୫ ) ।

 

ଭାବି ଉରକଥା ଉରଜ ମୃଦୂତା ତେଜିଛି ଯା ତାହା ଯୁକ୍ତ ।

ମୋରେ ବିମୁଖ ହେବାର ତା’ର କେହି ହୋଇବ ଅବା ଅଯୁକ୍ତ’’ ।

କାନ୍ତ ଏମନ୍ତ ଯେ ।

ପରିହାସେ ପ୍ରେୟସୀକି ।

ଭାଷି ନିରବନ୍ତେ ସଖୀସ୍ମିତ ଦେଖି କଳା ଭାଷେ ଭୂପତିଙ୍କି । ୨୦ । (୩୬-୩୭) ।

 

‘‘ନବାନୁରାଗାନୂରୂପ ବ୍ୟବହାର ଆଚରେ ତୁମ୍ଭରେ ଯେଣୁ ।

ତବ ଏ ଅନୁମାନ ଆମ୍ଭ ସଖିରେ ଅଯୁକ୍ତ ନୁହଁଇ ତେଣୁ ।

ଆମ୍ଭମାନଙ୍କୁ ଯେ ।

ଚିରାନୁରାଗ-ବେଭାରେ ।

ବ୍ୟବହାର କରୁ ଅନ୍ତର ଦିଶଇ ତା ରୀତି ତୁମ୍ଭ ଆମ୍ଭରେ । ୨୧ । (୩୮) ।

 

ପୁଷ୍ପାସ୍ତ୍ରଶାସ୍ତ୍ରେ ଅପ୍ରତି-ଦ୍ୱନ୍ଦୀ ମହାମହୋପାଧ୍ୟାୟ ଆପଣ ।

ଏ ଆମ୍ଭ ନବ-ମୃଗାକ୍ଷୀ ସଖି ପରା ନବପରିଣୀତା ଘେନ ।

ତେଣୁ ସମ୍ପୂର୍ଣ୍ଣେ ଯେ ।

ଭୋଗିବ ଏହାକୁ କେହି ।

ସମ୍ଭୋଗ-ରହସ୍ୟ-କଥା ବା ଏ ବାଳୀ କହିବ ଆମ୍ଭଙ୍କୁ କାହିଁ ? । ୨୨ । (୩୯) ।

 

ହେ ଦେବ ! ଭୁବନତ୍ରୟେ ତବ ସତ୍ୟବାଦିତା ଲୋକେ ଘୋଷନ୍ତି ।

ଏ ତବ ପ୍ରିୟା ତୁମ୍ଭ ସମ; କେହି ବା କହିବ-ମିଥ୍ୟା-ଭାରତୀ ।

ମନେ ମନୋଭୂ ଯେ ।

ରହିଛି ସତ ଏହାର ।

ସେ କାମ ଏକା ଆପଣ ଛନ୍ତି ସଦା ତା ହୃଦେ ବିରଚି ଘର । ୨୩ । (୪୦-୪୧)।

 

ଅଥବା ସଖିର ଚିତ୍ତେ ସଦାସ୍ଥାୟୀ ତୁମ୍ଭର ବିମ୍ୱ ମଦନ ।

ବିମ୍ୱ ନୋହିଲେ ଅନଙ୍ଗ ସେତ କେହି ହୁଅନ୍ତା ତୁମ୍ଭସମାନ ।

ଅବା ବେନି ଏ ଯେ ।

ଏକାପରି ଦିଶିବାରୁ ।

କେ ପତି ବିଚାରି ନ ପାରି ବେନିଙ୍କି ବହିଛି ସଦା ରମ୍ଭୋରୁ । ୨୪ । (୪୨-୪୩) ।

 

ତୁମ୍ଭରେ ଦତ୍ତ ମନକୁ କଷ୍ଟେ ହେଲେ ଫେରାଇ ନୁହଁଇ ବୋଲି ।

ଶଙ୍କି ସଖୀ ତେଣୁ ଏକନୟନାଂଶେ ପରଶେ ତୁମ୍ଭଙ୍କୁ ଖାଲି ।

ଆଦ୍ୟ-ଦର୍ଶନୁଁ ଯେ ।

ଲାଗିଛ ତୁମ୍ଭେ ତା ନେତ୍ରେ ।

ଆନ କଥାରେ କି ଅଛି ଆପେ ଦେଖ ପ୍ରତେ ନୋହେ ଯେବେ ଚିତ୍ତେ । ୨୫ । (୪୪-୪୫) ।

 

ଗାଢ଼-ଆଲିଙ୍ଗନେ ତବ ଉରେ କୁଚ-କୁଙ୍କୁମ ଲଗାଇ ବାଳୀ ।

ନ କହେ କି ଅଛି ତୁମ୍ଭରେ ମୋ ଅନୁରାଗ ଏହିଭଳି ବୋଲି ?

କଣ୍ଠ ଆଳିର ଯେ ।

ତୁମ୍ଭ ନାମ କାମସୂକ୍ତ ।

ମନେ ମନେ ମୁକ୍ତା-ମାଳାରେ ଜପଇ ବ୍ରତୀ ହୋଇ ଅବିରତ । ୨୬ । (୪୬-୪୭) ।

 

ତୁମ୍ଭେ ତ ମହତ ସଖୀଉରେ ଆମ୍ଭ ରହିବାରୁ ସଦା ପୂରି ।

ଭାବୁଁ ଆମ୍ଭେ ତହିଁ ନ ସମ୍ଭାଇ କୁଚ ତେଣୁ ବାହାରିଛି ପେଲି ।

ଶୁଦ୍ଧ-ବିଶାଳ ଯେ ।

କୁଚେ ପୀଡ଼ି କଲ କ୍ଷତ ।

ତେଣୁ ସେ କୁଚ ଲୁଚିଲେ ଲାଜେ ସଦା ବସନେ ହୋଇ ଆବୃତ’’ । ୨୭ । (୪୮-୪୯) ।

 

କଳାର ଏପରି ସୁଧାସ୍ରାବି ଭାଷେ-ତୋଷ ହୋଇ ମହୀ-ପତି ।

ଭୁଜେ ଟେକି ପ୍ରିୟାମୁଖ ‘କି ଏକଥା ସତ’ ବୋଲି ପଚାରନ୍ତି ।

କର ଭୂପର ଯେ ।

ବାଳୀମୁଖ ଧରୁ ଟେକି ।

ଆଳି ଭାଳଇ ‘ଏତେକାଳେ କମଳ କଳାକରେ ମିଳିଲା କି ? । ୨୮ । (୫୦-୫୧) ।

 

କରି ଦରହାସ ପୁଣି ବାଳୀଈଶ ଲାଜେ ଲୁଆଇଁଣ ମୁଖ ।

ବଳାଇ ଭୂପାଳେ ଯାଚି ଦେଉଥିଲା ବଳାରାତି-ପଦ-ସୁଖ ।

ପୁଣି ପ୍ରିୟାର ଯେ ।

ତୁଲେ ଇଚ୍ଛି ପରିହାସ ।

ଅଳପ ହସି ସଖି-ମୁଖେ ନିବେଶି ଦୃଶ ଭାଷନ୍ତି ନରେଶ । ୨୯ । (୫୨-୫୩) ।

 

‘‘କହ ଗୋ ସଖି ତୋ ବୟସିକି କ୍ଷମା କରୁ ଦିବସର ଦୋଷ ।

ଏଥିତ ସେ ନିଶାପରି ନିଶ-ଧାତୁ-ଅର୍ଥ-ପ୍ରଦାନେ ସନ୍ତୋଷ ।

ମୋରେ ନ କରେ ଯେ ।

ମୁଖ-ସଖା ପଦ୍ମ-ଶଶୀ ।

ପରକୁ ଦିବସ ବିନାଶୁ ଥିଲେହେଁ ପୂର୍ବକୁ ଥାଏ ପ୍ରକାଶି । ୩୦ । (୫୪-୫୫) ।

 

ନିଶାରେ ମୋରେ ପୁରୁଷାୟିତେ ରସି ତୋ ସଖି ଲାଜେ ଜିଣିଛି ।

ଏବେ ସେ ଲାଜ କାହାକୁ ଜିଣିବାର ପାଇଁକି ପୁଣି ଆସୁଛି ।

ସଖି ପଚାର ଗୋ ।

ବୟସୀକି ତୋର ବାରେ ।

ଓଷ୍ଠଦଂଶ-ଦୋଷେ ମୋରେ ରୁଷିଛି କି ? ବିମ୍ୱ କି ରୁଷଇ କୀରେ । ୩୧ । (୫୬-୫୭) ।

 

ଶୃଣୀ-କ୍ଷତକୁମ୍ଭୀ-କୁମ୍ଭ-ଶୋଭାରମ୍ଭ-ତସ୍କର ପୟୋଧରରେ ।

ଦଣ୍ଡଧର ହୋଇ କରେ ତାକୁ ପାଇ ନ ପୀଡ଼ନ୍ତି କି ବିଚାରେ ।

ମଧୁ ଅଧରୁ ଯେ ।

ପିଇ ସିନା ମୁଖ ଦୋଷୀ ।

ଶିରର ମୋ କିସ ଦୋଷ ନ ପାରୁଛି ସେ ତା’ ପୟର ପରଶି । ୩୨ । (୫୮-୫୯) ।

 

ବୀଣା ରୁକ୍ଷଭାଷୀ କୋକିଳ ନିଷ୍ଠୁର ବୋଲି କହିବାରୁ ମୋତେ ।

ଏହାଗିର କର୍ଣ୍ଣଡେରି ଶୁଣେ ଏଥି ଅଛି କି ମୋ ଦୋଷ ସତେ ? ।

ପୁଚ୍ଛ ସଖି କି ଗୋ ।

ତୁ ପରା ତା ପ୍ରିୟସହି ।

ତୋତେ ଦେଖି ସତ କହୁ କିପାଁ ମୋରେ ପୂର୍ବ-ସ୍ନେହ ପାଶୋରଇ’’ । ୩୩ । (୬୦-୬୧) ।

 

ତହୁଁ କଳା ସଖୀ-ମୁଖ-ପାଖେ କଲା ଛଳେ ନିଜ-ଶ୍ରୁତି ପୁଣି ।

ନିଜମୁଖ ସଖୀ-ଶ୍ରୁତିପାଶେ କରି ଶୁଣାଇଁ ଭାଷଇ ବାଣୀ ।

‘ରହ ଚତୁରୀ ଗୋ ।

ନ କହୁ କିଛିତ ଲବେ ।

ତୋ ଗୁପ୍ତ-ବୃତ୍ତାନ୍ତ ସମସ୍ତ ଭୂଭୃତ-ମୁଖେ କୁହାଉଛି ଏବେ । ୩୪ । (୬୨-୬୩) ।

 

ଥିଲୁ ପରା ଶିକ୍ଷି ମୋଠାରୁ ସକଳ କାମ-ଶାସ୍ତ୍ର-ପଢ଼ା ବେଳେ ।

ମାତି ବିପରୀତେ କାନ୍ତତୁଲେ ମୋତେ କହିଲୁ ନାହିଁ ତ ତିଳେ’’ ।

ଏତେ କହନ୍ତେ ଯେ ।

ହେଲେହେଁ ରାଣୀ ମଉନ ।

ମଧ୍ୟେ ହୁଁ ହୁଁ କରୁଥାଇ କଳା ତାଙ୍କ ଶୁଣିଲା ପ୍ରାୟ ବଚନ । ୩୫ । (୬୪-୬୫) ।

 

ରମଣେ ବାଳାର ପ୍ରଗଳ୍‌ଭତା ସତ କଲାବତ ତା’ର ପାଶେ ।

ଯାଇ ଲୀଳାପଦ୍ମେ ତାଡ଼ିତା ହୋଇଣ କଳା ନୃପେ ଚାହିଁ ଭାଷେ ।

‘‘ଦେଖ ଭୂପତି ହେ ।

ପ୍ରାର୍ଥୀ ହେଉ ତୁମ୍ଭପାଇଁ ।

କୋପେ ସଖୀ ମୋତେ ପଙ୍କଜେ ପ୍ରହାରି ଏବେ ଭୃଭଙ୍ଗେ ତର୍କ୍କଇ । ୩୬ । (୬୬-୬୭) ।

 

ବୋଲୁଛି ସଖୀ ‘ଗୋ କଳା ! ତୁ କି ଚିହ୍ନେ ଚିହ୍ନିଲୁ ଏ ନଳବୋଲି ।

ମୁଁ ତ ବିଚାରୁଛି ଏ ନିଶ୍ଚୟ ଇନ୍ଦ୍ର ମାୟାରୂପ-ଧାରୀ ବୋଲି ।

ଇନ୍ଦ୍ରଶଙ୍କାରେ ଗୋ ।

ଅଛି ଯୁଗଳ-କାରଣ ।

ସୁର-ସରିତୁଁ ସରୋଜ-ଘେନି ସୁର-ନଗରରୁ ଆଗମନ’ । ୩୭ । (୬୮-୬୯) ।

 

କହୁଛି ସଖୀ ପୁଣି ‘ସେ ସୁରମଣି ମାୟାନଳ ହୋଇଥିଲେ ।

ଗଉତମ-ନାରୀ ଅହଲ୍ୟା ହରିବା ଶୁଣିଛି ମୁଁ ତାଙ୍କ ଭଲେ’ ।

ଅତି ଚତୁରୀ ସେ ।

ବଜ୍ର ଦେଖି ତୁମ୍ଭକରେ ।

ବଜ୍ରଧାରୀ ବୋଲି ଭାବୁଛି ତୁମ୍ଭଙ୍କୁ କିସ ଆଶ୍ଚର୍ଯ୍ୟ ଏଥିରେ ? । ୩୮ । (୭୦-୭୧) ।

 

ଯଦି ପ୍ରକୃତ ନଳ ତୁମ୍ଭେ ଭୂପାଳ ତେବେ ତୁମ୍ଭ ବେନିଙ୍କର ।

ଅନ୍ୟ-ଅଜ୍ଞାତ ଗୁପ୍ତ-ବୃତ୍ତାନ୍ତ-ବ୍ରାତ କହି ଶଙ୍କା ଦୂରକର’’ ।

ଯୁକ୍ତି-ଯୁକତ ଯେ ।

ସଖୀବାଣୀ ନୃପ ଶୁଣି ।

ଛଳ ନବାରି ପ୍ରେୟସୀ-ଅଭିପ୍ରାୟେ ଶଙ୍କି କହୁଛନ୍ତି ପୁଣି । ୩୯। (୭୨-୭୩) ।

 

‘ହେ ପ୍ରିୟେ ! କପଟେ ନିଦ୍ରା ଯାଇଥିଲୁ ନାଭିରେ ମୁଁ ଦେଉଁକର ।

ସ୍ପର୍ଶୁଁ ରୋମାଞ୍ଚ-ବଶେ ତୁ ପଦ୍ମନାଭି ହେବାର ବିଚାର କର ।

ଆଦ୍ୟ-ସମ୍ଭୋଗେ ଯେ ।

ଲାଜଭୟେ ଗଲୁ ଲୁକି ।

ପ୍ରୀଡ଼ାଭୟେ ଅର୍ଦ୍ଧ ଭୋଗଥିଲି ଛାଡ଼ି ତା ଏବେ ଗଲୁ କି ଭୁଲି ? । ୪୦ । (୭୪-୭୫) ।

 

ଯୁଦ୍ଧେ ଜିଣି ଆସୁଁ ପୟରେ ମୋ କରେ ଧୋଇଲା ବେଳେ କିଶୋରୀ ।

ଥିବାରୁ ବହୁତ ଲୋକ ପଦାଙ୍ଗୁଳେ ତୋତେ ମୁଁ ଆଲିଙ୍ଗି-ଥିଲି ।

ପ୍ରୀତି-କୋପରେ ଯେ ।

ମୋତେ ତେଜି ଦୁଃଖୀହୋଇ ।

ଗାର ଦେଲୁ ଆମ୍ଭ ଯୁଗ-ଚିତ୍ର-ମଧ୍ୟେ ଏକାନ୍ତେ ଅଦେଖା ପାଇଁ । ୪୧। (୭୬-୭୭) ।

 

ସୁରତେ ମୋହିତ ହୋଇ ନୋହି ତୃପ୍ତ ଓଷ୍ଠଚୁମ୍ୱନରେ ଧନ ।

ଜିହ୍ୱା ଚମ୍ୱୁଥାଇ ମୁଁ ତୋର ସେ କଥା-ମାନ ଅଛିଟିକି ମନ ।

କୁଚୁଁନଖର ଯେ ।

କ୍ଷତ ଘାତ ଆଲିଙ୍ଗନେ ।

ମୋ ଉରେ ଆଙ୍କିହେଉ ତୋ କୃତବୋଲି ସସ୍ମିତେ ସଖୀଙ୍କି ଭଣେ । ୪୨। (୭୮-୭୯) ।

 

ପାନଗୋଷ୍ଠେ ଆନନାରୀଙ୍କି ରସାଉଁ ତୋ ରୋଷବାରି ତତ୍‌କ୍ଷଣେ ।

ଈକ୍ଷଣୁଁ ମୃଗାକ୍ଷୀମାନେ ଥାଉ ଥାଉ ପଡ଼ିଥିଲି ତୋ ଚରଣେ ।

ଆସି ବିଦେଶୁଁ ଯେ ।

ଦେଖିଲାବେଳେ ମୁଁ ତୋତେ ।

ପରିହାସ-ସୁଖେ ସଖୀ-ମୁଖେ ଚୁମ୍ୱିବାର ତୋ ଅଛି କି ଚିତ୍ତେ ? । ୪୩ । (୪୦-୪୧) ।

 

ଥରେ ତୋ ବଦନେ ଆନନୁଁ ମୁଁ ପାନ ଥୋଇଥିଲି ତାହା ମାଗି ।

ମନେ ପଡ଼େ କି ତା ? ଆଗଭାବ-ଲାଭ ଜାଣି ମୋର ଶିରୀଷାଙ୍ଗୀ ।

କରୁ ନଖରେ ଯେ ।

କ୍ଷତ ଉରେ ବାର ବାର ।

ବିଳମ୍ବାଇ-ଦେବାପାଇଁ ଭାବଲାଭ-ସୁଖେ ମୋ ପୂର୍ବରୁ ତୋର । ୪୪ । (୮୨-୮୩) ।

 

ଦିଗସଙ୍ଗେ କର-ଲେଉଟାଇ ରାତ୍ରେ ମୋ ତୁଲେ ପହୁଡ଼ିଥାଉ ।

ନଥାଏ ତହିଁରେ କେ କା’ର ବଦନ ନ ଚାହିଁବା ଦୁଃଖ-ଦାଉ ।

ସଭାମଧ୍ୟରେ ଯେ ।

ଆନ-ମନା ବେଳେ ଲୋକେ ।

ନିଜ-ଓଷ୍ଠ-କ୍ଷତ ଦେଖାଇ ତର୍ଜୁତୁ ଦୋଷି ବିଚାରି ମୁଁ ଶଙ୍କେ । ୪୫ । (୮୪-୮୫) ।

 

ତା ଦେଖି ଲୀଳାକମଳ-ଘୂରାଇବା-ଛଳେ ମୁଁ ଯୋଡ଼ିଣ କର ।

ତୋତେ ଦୋଷମାଗି ନାହିଁକି ଚିତ୍ତରେ ? ପ୍ରସନ୍ନ କରାଇବାର ।

କରେ ନଖରେ ଯେ ।

ଚିରି ଦେଇଛି ମୁଁ ପାନ ।

ତୁ ମଧ୍ୟ ତେମନ୍ତେ ମୋତେ ଦେବାକଥା ନ ବିଚାରୁଛି କି ମନ ? ୪୬ । (୮୬-୮୭) ।

 

ମିଥ୍ୟାବାଦୀ ବୋଲି ମୋତେ ତେଜି ଚଳିଗଲୁ ଦିନେ ସଖିପାଶେ ।

ଯାଉଁ ମୁଁ ତହିଁକି ମୋ ସମ୍ମୁଖେ ତୃଣଛିଣ୍ଡା କି ନାହିଁ ମାନସେ ? ।

ରତଦ୍ୱିତୀୟେ ଯେ ।

ନପାରୁ ତୁ ପିକଭାଷି ।

ତେଣୁ ତୋତେ ମୁଁ ନିଦାଘ-ନିଶାତୁଲେ ତୁଳି ଦେଇଥାଏ ହସି । ୪୭ । (୮୮-୮୯) ।

 

ଭକ୍ଷିଲାବେଳେ ନବ-ନିମ୍ୱ ବସନ୍ତେ ମୁଁ ତୁ ପରିବେଶୁଥାଉ ।

କାଳେ ସପତ୍ନୀ-ସୁହାଗି ହୋଇଥିବି ବୋଲି ମୋରେ ରୋଷ ବହୁ ।

ଗୁଡ଼-ଆମ୍ୱିଳ ଯେ ।

ଭୁଞ୍ଜି ପ୍ରଶଂସିଲେ ତୋତେ ।

ତହିଁ ସ୍ୱନିନ୍ଦା ବାରି ଓଷ୍ଠ ରୋଷେ କି ଯାଚେ ଭାଳି ଡରେ ଚିତ୍ତେ ।୪୮। (୯୦-୯୧) ।

 

କାମଶ୍ରମେ ମୃଗ-ମଦ-ମିଶ୍ର ଘର୍ମ୍ମେ ତୋ ମୁଖ ଦିଶିଲା ନୀଳ ।

ତା ବିମ୍ବ ମୋ ଉର-ହାର-ନାୟକରେ ଦିଶିବା ସ୍ମରଣ କର ।

ବନ-ବିହାରେ ଯେ ।

ତଳେ ପଡ଼ିଥିବା ଚଳ-।

ଦଳ-ଦଳ ତୋଳି ଭୂଜେ ଦିଅ ବୋଲୁଁ ଲାଜେ ଲସୁ ରାମା-ବର । ୪୯ । (୯୨-୯୩) ।

 

ମୁଖୁଁ ନାଭିଯାଏ ଚୁମ୍ବି ତୃପ୍ତ ନୋହି ନପାରେ ଚୁମ୍ବି ଯେ ସ୍ଥାନ ।

ସେ ସ୍ଥାନକୁ ଚୁମ୍ବି ‘ରେ ଜୀବଧନ ! ତୋ ସ୍ମୃତି ନୋହୁଛି କି ଧନ୍ୟ ।

ହେଜ ଚିତ୍ତରେ ଗୋ ।

ସେ ମହାମୋଦ ବିହାର ।

ଯହିଁ ତୋତେ ପୁଂସଭାବେ ମୁଁ ଭାଷନ୍ତେ ଲାଜେ ମୁଖ କଲୁ ତଳ’ । ୫୦ । (୯୪-୯୫) ।

 

ଏମନ୍ତେ ଗୁପ୍ତ-ବୃତ୍ତାନ୍ତ ବୋଲୁଁ କାନ୍ତ କାନ୍ତା ଯାଇ ଲାଜେ ଲୁଳି ।

ଆପଣା-ପାଣି-ଯୁଗଳରେ ଆଳିର-ଶ୍ରୁତିକି ଦେଲା ଆବରି ।

ନେତ୍ର-ଉତ୍ପଳ ଯେ ।

କର୍ଣ୍ଣେ ପୀଡ଼ୁଛି ଆଳିର ।

ତା ଚାହିଁ କି ବାଳୀ-କର-କୋକନଦ ସେ କର୍ଣ୍ଣେ କଲା ପ୍ରହାର । ୫୧ । (୯୬-୯୭) ।

 

‘ପତିକଥା ସଖୀ-କର୍ଣ୍ଣେ ପଶିଛିତ ପୁଣି କି ଯିବ ବାହାରି’ ।

ବିଚାରି ପତ୍ନୀ ବା କରଯୁଗେ ସଖୀ.କର୍ଣ୍ଣେ ପକାଏ ଆବରି ।

ଦେଖି ପ୍ରିୟାର ଯେ ।

ଏ ଲୀଳା ହସନ୍ତି ପ୍ରିୟ ।

ନବୁଝି ତତ୍ତ୍ୱ ହସ ଦେଖି ହସିଲେ ଦୂରୁ ଆନ-ସଖୀଚୟ । ୫୨ । (୯୮-୯୯) ।

 

ଧରା-ଅପସରା ସେ ଆଳି-ନିକର ନୃପତି-ଦମ୍ପତି-ଶିରେ ।

ସୁରଭି-ମୁଖ-ମାରୁତେ ମୃଦୂହାସ-ସୁମନ କି ବରଷିଲେ ।

ଚନ୍ଦ୍ର-ଆଲୋକୁଁ ଯେ ।

ଜାତ କୁମୁଦ-ବିକାଶ- ।

ବତ ନୃପମୁଖ-ଜାତ-ହାସ୍ୟେ ସଖୀ-ହାସ୍ୟ ଶୋଭିଲା ବିଶେଷ । ୫୩ । (୧୦୦-୧୦୧) ।

 

ସ୍ୱପକ୍ଷ-ସଖୀ-ସ୍ୱରକୁ ହାସ୍ୟେ ପାଶେ ବାରି ସୁଚତୁରୀ କଳା ।

ମନେ ମନେ ଦମ୍ଭହୋଇ ଉଚ୍ଚେ ଡାକି ପକ୍ଷ-ସଖୀଙ୍କି ଭାଷିଲା ।

‘‘ହେଲୁ ବଞ୍ଚିତା ଲୋ ।

ସଙ୍ଗାତ ସ୍ୱରଗ-ସୁଖେ ।

ନୃପଚନ୍ଦ୍ର-ଗିର-ପୀୟୁଷ-ପ୍ରବାହ ନ ଚାଖିଲୁ ଯାହା ରେଖେ’ । ୫୪ । (୧୦୨-୧୦୩) ।

 

ଏକ-ଗ୍ରାମ-ଜନ ଆନ-ଗ୍ରାମସ୍ୱନ କିଞ୍ଚିତ ଶୁଣିଲାପରି ।

ଭୂପାଳ-ବାଣୀ ଅଳପ ଥିଲା ଶୁଣି କଳାର ସେ ସଙ୍ଗୀଆଳି ।

କଳା ପଶ୍ଚାତେ ଯେ ।

ରହି ପତ୍ନୀ-ପତିବାଣୀ ।

ଶୁଣି ମୁଖଭଙ୍ଗି କରୁ ପତିଶିର-ରତ୍ନେ ତା ହୋଇଲା ଜାଣି । ୫୫ । (୧୦୪-୧୦୫) ।

 

ସେ ଭଙ୍ଗିରୁ ନୃପବଚନ-ଭବାର୍ଥ ବାରି କଳା ମହିଷିର ।

ଲଜ୍ଜାଦି ଅନୁକରୁଁ ପତି ଯୁବତୀ ହେଲେ ଆଶ୍ଚର୍ଯ୍ୟ ଅପାର ।

ଚିତ୍ତେ ଭାଳନ୍ତି ଯେ ।

‘ହେଲେହେଁ ଶ୍ରୁତି-ପିହିତ ।

ଆମ୍ଭ ଉକତି-ତତିର ଅର୍ଥ କଳା ବାରିପାରିଲା କେମନ୍ତେ ? ।୫୬ । (୧୦୬) ।

 

ଅନୁକରି କରି କହେ କଳା ପୁଣି ‘ଶୁଣିଲିଣି ମୁଁ ସମସ୍ତ ।

ମୋ ଶୁଣିବା କଥା ଯେବେ ମିଛଭାବ ତେବେ ମୋ ଦେବତା ବ୍ୟର୍ଥ ।

ଦେବ ! ନିବାର ହେ ।

ମୋ କର୍ଣ୍ଣଭୂଷା ପୀଡ଼ନେ ।

ତବ-ପ୍ରିୟାକର-ବେଦନା-ସଞ୍ଜାତ ଉଚିତ କି ଘେନ ମନେ’ । ୫୭ । (୧୦୭-୧୦୮) ।

 

‘ବୃଥା ଶ୍ରମ ପ୍ରିୟେ ନକର’ ଦୟିତ ବୋଲୁଁ ଯୋଷିତ ତା ପାଳି ।

ବାଳୀକର-ପୀଡ଼ା-ପେଡ଼ାରୁ ଆଳିର ଶ୍ରବଣ ଗଲା ମୁକୁଳି ।

ଦ୍ରୁତ ମୁକତି ଯେ- ।

ବଶେ କର୍ଣ୍ଣମଧ୍ୟେ ତା’ର ।

ଜାତ ଗୁମୁ-ଗୁମୁ-ଧ୍ୱନି ମଧ୍ୟେ ବାହ୍ୟ-ଶବ୍ଦ ହେଲା ତାଳ ତୁଲ । ୫୮ । (୧୦୯-୧୧୦) ।

 

କିଛି ଦୂରଯାଇ ଆନନ୍ଦିତ ହୋଇ ଅଳପ ହସି ସେ କଳା ।

ସ୍ୱପକ୍ଷ-ସଖୀ-ପାଖେ ଯାଇ ବିନୟେ ତାକୁ ଏମନ୍ତ କହିଲା ।

‘ଆସ ସଙ୍ଗାତ ଗୋ ।

ଏ ମାନଙ୍କ କଥାଯେତେ ।

ଶୁଣିଛି ମୁଁ ତୋତେ କହିବି କହିବୁ ଯାହା ଶୁଣିଛୁ ତୁ ମୋତେ’ । ୫୯। (୧୧୧-୧୧୨) ।

 

ଶୁଣି ଏକଥା କଳାର, ତା’ର ପୂର୍ବ-ମିଥ୍ୟା-ଶ୍ରବଣାଭିନୟ-।

ବିଷୟ ବିଚାରି ମହୀଶ-ମହିଷୀ ହୋଇଲେ ଅତି ବିସ୍ମୟ ।

ନୃପ କହନ୍ତି ଯେ ।

ତହୁଁ କଳାକୁ ଅନାଇଁ ।

‘ଯେବେ ଆମ୍ଭଙ୍କୁ ବଞ୍ଚାଇଲୁ ମିଥ୍ୟାରେ ରହ ତେବେ ଯିବୁ କାହିଁ । ୬୦ । (୧୧୩-୧୧୪) ।

 

କଳା ବୋଲେ ‘‘ଦେବ ! ପ୍ରେୟସୀର ପ୍ରିୟ-ପରିଚାରିରେ ଅନୃତ- ।

ଭାଷଣ ଆଜିକି କେତେକାଳ ହେଲା କଲେଣି ଆଶଙ୍କା ଚିତ୍ତ ।

ଦେବ ! ସେକାଳେ ଯେ ।

ଥିଲି ‘ଗୁମୁ ଗୁମୁ’ ଶୁଣି ।

କହିଲି ସିନା ତା’; ତୁମ୍ଭକଥା ଶୁଣି-ଥିବାର ଅଛି କି ଭଣି? । ୬୧ । (୧୧୫-୧୧୬) ।

 

ବିନୟେ ଜଣାଉଁଛି ହେ ଭୂପ ! ପୂର୍ବ ଶପଥ ନୁହେଁ ମୋ ସତ ।

ସତ୍ୟ ଶପଥ ହେଲେହେଁ ଦେବ-ସମ୍ୱନ୍ଧରେ ଜନ୍ମଇଁ ଅନର୍ଥ ।

‘ନାହୁଁ ସମ୍ଭୋଗି’ ଯେ ।

ବୋଲି ପ୍ରତାରିଲ ମୋତେ ।

ଅଯୋଗ୍ୟ ସେବକୀ ପ୍ରଭୁକୁ ତାହାର ପ୍ରତାରିବ ବା କେମନ୍ତେ’’ ।୬୨।

 

ତଦନ୍ତେ ସେ ସଖୀ ବେନି ହସି ହସି ଅଳ୍ପ ଅଳ୍ପ ବିସ୍ମୟରେ ।

ତୁନି ତୁନି କର୍ଣ୍ଣେ କୁହା-କୁହି ହେଉଥାନ୍ତି ଶ୍ରୁତ ବିଷୟରେ ।

ସଖୀ କଳାର ଯେ ।

ଭାଷେ ମହିଷୀଙ୍କି ଚାହିଁ ।

‘ନରୁଷ ରହସ୍ୟ ତୋ ଏ ସଖୀ ଏକ କର୍ଣ୍ଣେ ମାତ୍ର ଅଛି କହି’ । ୬୩ । (୧୧୯-୧୨୦) ।

 

ଶୁଣି ସଖୀ-ଉକ୍ତି ଭାଷନ୍ତି ଭୂପତି ପ୍ରିୟବତୀ-ମୁଖ ଚାହିଁ ।

‘‘ଦେଖିଲୁତ କୁଟ-ପଟୁତା ସଖିଙ୍କ ? ତାଙ୍କୁ କି ବିଶ୍ୱାସଯାଇ’’।

କଳା ବୋଲାଇ ଯେ ।

‘ପତି ଗୁପ୍ତକଥା ତୋର ।

କା’ରେ ନ କହନ୍ତି; ଏଣୁ ତାଙ୍କୁ ଏଥି ବିଷୟେ ବିଶ୍ୱାସ-କର’ । ୬୪ । (୧୨୧-୧୨୨) ।

 

କଳା ଏମନ୍ତେ ସମାନ ବିପକ୍ଷତା କରୁ ନୃପତି କହନ୍ତି ।

‘ଏ ବେନିଙ୍କୁ ବାସୁଁ ବାହାର କରନ୍ତି ଦେବୁ ଯେବେ ଅନୁମତି’ ।

ଶିର କମ୍ପାଇ ଯେ ।

ଠାରୁଁ ବାଳୀ ନୃପ କର ।

କୋରକିତ କରି ଟେକି ସଖୀଯୁଗ ଉପରେ ସିଞ୍ଚିଲେ ନୀର । ୬୫ । (୧୨୩-୧୨୪) ।

 

ଇଚ୍ଛାମାତ୍ରେ ନୃପ-କରୁ ପଡ଼ି ଆପ ତିନ୍ତାଇଲା ସଖୀବାସ ।

ଶୂନ୍ୟୁ ନୀରଜାତ ବିଲୋକି ବିସ୍ମିତ ହେଲେ ସେ ସଖୀ ବିଶେଷ ।

ବର-ପ୍ରଭାବେ ଯେ ।

ନଳକୁ ସୁଲଭ ଜଳ ।

ତେଣୁ ବିସ୍ମୟେ ନୀରେ ନୃପ ସଖିଙ୍କ ଆର୍ଦ୍ରକଲେ ହୃଦସ୍ଥଳ । ୬୬ । (୧୨୫-୧୨୬) ।

 

‘‘ପ୍ରିୟେ ! ପୟେ ସଖୀ-ଦ୍ୱୟ-ବାସ ଆର୍ଦ୍ରହେଉ ଫୁଟି ଦିଶେ ସ୍ତନ ।

ଦିଶୁଅଛନ୍ତି ସେ ଦୁହେଁ ଦେଖ ଏବେ ବୌଦ୍ଧ ସନ୍ନ୍ୟାସୀ ସମାନ ।

ଯାଉନାହାନ୍ତି ଯେ ।

ତଥାପି ତେଜି ଏ ପୁର ।

ଦେଖ ମୋ ଆଗେ’’ ବୋଲି ନୃପ ସରାଗେ ପ୍ରିୟାକୁ ଭାଷନ୍ତି ଗିର । ୬୭ । (୧୨୭-୧୨୮) ।

 

ଶମ୍ୱର ନାମତ ଜଳର ତା ମାୟା ପଟୁତା କି ପ୍ରକାଶିଲା ।

ନୋହିଲେ ସେ ଲାଗୁଁ ବାସଥାଉ ସଖୀଅଙ୍ଗ କେମନ୍ତ ଦିଶିଲା ।

ଅବା ଅମ୍ବର ଯେ ।

ବାସକୁ ଲୋକେ ବୋଲନ୍ତି ।

ତେଣୁ ଆବୃତ ପଦାର୍ଥ ଫୁଟି ଦିଶେ ହାରତାର ଝଟକନ୍ତି । ୬୮ । (୧୨୯-୧୩୦) ।

 

ନିଜ-ଅବସ୍ଥା ବିଲୋକି ଲାଜେ ସଖୀ ସଦନୁଁ ଗଲେ ବାହାରି ।

ତହୁଁ ଆନସଖୀମାନେ ତାଙ୍କୁ ଦେଖିବାକୁ ଆସିଗଲେ ମିଳି ।

ଚାହିଁ ରାଣୀଙ୍କି ଯେ ।

ଭାଷନ୍ତି ସଖୀ ନିକର ।

‘ରେ ଧୀରା ! ରହସ୍ୟ ତୋ ଯାଙ୍କୁ ବିଦିତ ତାଙ୍କୁ ଉପେକ୍ଷା ନକର’ । ୬୯ । (୧୩୧-୧୩୨) ।

 

ସଖୀବାଣୀ ଶୁଣି ନୃପ ଉଚ୍ଚେ ଭଣି ‘ହେ ସଖି ! ସଖୀ ତୁମ୍ଭର ।

କହେ ତା ଗୁପ୍ତ ବୃତ୍ତାନ୍ତ ସେ, ଜାଣନ୍ତି ଗୁପତ ଅଙ୍ଗ ତାଙ୍କର ।

ମୁହିଁ ଦେଖିଛି ଯେ ।

ସେ ଆମ୍ଭ ବିରୋଧି ତେଣୁ ।

ସତ ନକର ତାଙ୍କ କଥା ମିଥ୍ୟାରେ ରାଣୀ ସେ ବିଧିରେ ଯେଣୁ । ୭୦ । (୧୩୩-୧୩୪) ।

 

କୀର୍ତ୍ତି-ଧାରେ ପୂତ ମନୋଜ୍ଞ ଚରିତ ହୋଇଥିଲେହେଁ ଅରିର ।

ମିଥ୍ୟାଦୋଷ-କାଳି ବୋଲିବାରେ ତହିଁ ଶିଳ୍ପୀ ନୁହଁଇ କେ ନର’ ।

ଏହା ଶୁଣିଣ ଯେ ।

ସଖିସଙ୍ଗେ କଳା କହେ ।

‘କହିବୁଁ ତାହା ଯାହାପାଇଁ ହୋଇଛୁ ତଡ଼ା ବାସୁଁ ଆମ୍ଭେ ଦୁହେଁ । ୭୧ । (୧୩୫-୧୩୬) ।

 

ଏପରି ଅଶ୍ଳୀଳ-ଗିରେ କରଠାରି ବୃଦ୍ଧ କଞ୍ଚୁକୀ ବାରନ୍ତେ ।

ବାର୍ଦ୍ଧକ୍ୟେ ତା’କର ସଦାଥରିବାରୁ ତର୍କି ନ ପାରିଲେ ଚିତ୍ତେ ।

ସଖିଯୁଗଳ ଯେ ।

ତହୁଁ କଞ୍ଚୁକୀ ତର୍ଜ୍ଜିଲା ।

‘ଲାଜ ନାହିଁକି ? ଅଶ୍ଳୀଳ କଥା କହ ବେଗେ ଏଥୁଁ ପଳା ପଳା । ୭୨। (୧୩୭-୧୩୮) ।

 

କଞ୍ଚୁକୀ-ଭୟରେ ସେ ସଖୀଯୁଗଳ କଞ୍ଚୁକୀ ନୃପ-ଭୟରେ ।

ପଳାଇଲେ ସଖୀ-ଭାଷଜାତ ଲଜ୍ଜା ଆକ୍ରମି ଦମୟନ୍ତୀରେ ।

ଦେଲା ଲୁଆଇଁ ଯେ ।

ତା ମୁଖ-ସରସୀ-ରୁହ ।

ଭାଷନ୍ତି ନୃପ ‘ସଖୀ ଯା’ର ନିର୍ଲ୍ଲଜ୍ଜା ସେ ଏମନ୍ତ କିପାଁ କହ ? । ୭୩ । (୧୩୯ ) ।

 

ମୁଖ ତୋର ସଉନ୍ଦର୍ଯ୍ୟର ଆକର ନାହିଁ ନିର୍ଲ୍ଲଜ୍ଜତା ଲେଶ ।

ଅତିକୋପ-ତାପେ କଟୁକ୍ତି ରତିଏ ତହୁଁ ନୋହେ ଯା ପ୍ରକାଶ ।

ଏତ ଆଶ୍ଚର୍ଯ୍ୟ ଯେ ।

ଏତେ କହି ଉରେ ଧରି ।

ପ୍ରିୟାକୁ ସ୍ପର୍ଶ ସୁଖେ ମୁଦି ନୟନ ପହୁଡ଼ିଲେ ଦଣ୍ଡଧାରୀ । ୭୪ । (୧୪୦-୧୪୧) ।

 

ସ୍ତନେ କର ଦେଇ ନିତମ୍ୱ-ବସନ ମଧ୍ୟେ ପ୍ରସରାଇ କର ।

କଲେ ସାର୍ଥକ ପାଣିଗ୍ରହେ ଗ୍ରହଣ-କରଣ ଶ୍ରମ କରର ।

ନରବାସବ ଯେ ।

ବହି ଉରେ ପ୍ରେୟସୀକି ।

ପ୍ରକାଶିଲେ କି ସେ ବିବାହେ ନିଜର ଉଦ୍ଗାହ-କର୍ତ୍ତା-ଖ୍ୟାତିକି ? ।୭୫। (୧୪୨-୧୪୩) ।

 

ନିର୍ଭର-ପରିରମ୍ଭ ଗାଢ଼-ମର୍ଦ୍ଦନେ ଅଙ୍ଗୁଳି-ସ୍ୱେଦ-ପରଶେ ।

କୁଚ-ଯୁଗଳୁ ଚମରିମଦ-ଚିତ୍ର ଲିଭିଣ ଗଲା ନିମିଷେ ।

ତହିଁ ପାଇଲା ଯେ ।

ପୟୋଧର ମହାପୀଡ଼ା ।

ତା ପରଦିବସ ବୟସୀର ଆସ୍ୟ ସମୀର ସେ କଲା ଲୋଡ଼ା ।୭୬। (୧୪୪) ।

 

ସ୍ତନେ ନଖ-କ୍ଷତ କରି ଚମତ୍କୃତ ହେଉ କାନ୍ତ କାନ୍ତା ହସି ।

ବକ୍ରେ ଚାହାଁନ୍ତେ ଭାଷନ୍ତି କାନ୍ତ, ‘ଆରେ ଗଣବଣା-ଏଣୀଦୃଶି ।

ଉରେ କରଜରେ ।

କ୍ଷତ କରି କି କିଶୋରି ।

ନୋହିଲି ଚିରି ବୋଲୁଥାଉ ପରା ମୁଁ ଥାଏ ତହିଁ ସଦା ପୂରି ।୭୭। (୧୪୫) ।

 

ଖଳ ଦୁର୍ମ୍ମଖେ ଦୋଷୀବତ ନିର୍ଦୋଷ ଲୋକକୁ ଅପବଦନ୍ତି ।

ଅଶୁଦ୍ଧବତ ତୋ ବିଶୁଦ୍ଧ-ଉରେ-ଯା କରଜ କଲା ମୋ କ୍ଷତି ।

ଏ ତ ଅଯୁକ୍ତ ଯେ ।

ଦୋଷୀକୁ ଦଣ୍ଡ ଉଚିତ ।

ତେଣୁ ମୋତେ ଯାହା ଉଚିତ ତୋ ଚିତ୍ତେ ଦିଅ ଦଣ୍ଡ ପ୍ରାଣମିତ ।୭୮। (୧୪୬) ।

 

ସୂକ୍ଷ୍ମ-ସୂତ୍ର-ବିନିର୍ମିତ ବସ୍ତ୍ର ତୋର ସୁଦଶା ତାହାର ସତ ।

ତୋ ଊରୁ-ନିତମ୍ୱ-ସ୍ତନଯୁଗ-ଯାକ ନୋହିଲେ କି ତହିଁ ବୃତ ? ।

ଦିଶୁଁ ନିତମ୍ୱ ଯେ ।

ଫିଟି ଘର୍ମ୍ମସିକ୍ତ ବାସେ ।

ଦୀର୍ଘ ଶ୍ୱାସ ମାରି ନିନ୍ଦୁଥାନ୍ତି ନୃପ ସେ ଦିବା-ଦୀର୍ଘ-ଆୟୁଷେ । ୭୯। (୧୪୭-୧୪୮) ।

 

ଓଷ୍ଠ ନିକଟେ ଦଂଶି ନୃପ ଅନୃତଚୁମ୍ୱନାଭିନୟ କରି ।

ଭାଷନ୍ତି, ‘ପ୍ରସନ୍ନ ହୁଅ କାମଦାଉ ନୁହଁଇ ସହି କିଶୋରି’ ।

ଶୁଣି ଏମନ୍ତ ଯେ ।

କାନ୍ତ-କଉତୁକ-ବାଣୀ ।

ପୂର୍ବ-ଲବ୍ଧ-ତୋଷ-ସ୍ଥଳେ ବଳେ ରୋଷ ବସାଇଲା ବାଳାମଣି ।୮୦। (୧୪୯-୧୫୦) ।

 

ମୂଖୁଁ ସ୍ତନେ ସ୍ତନୁଁ ସୁନିବିଡ଼-ଜାନୁଯୁଗେ ପତି-ନେତ୍ର ପାତ ।

ଦେଖି ଅଧୀରତା କାନ୍ତର ବିଚାରି ବଳାତ୍କାର ଭାଳି ଚିତ୍ତ ।

ରୁରୁନୟନା ଯେ ।

ହୋଇ ଉତ୍କଣ୍ଠିତା ଅତି ।

କଲା ବିଜେ କରୀ ଗତି ରହିଛନ୍ତି ଯହିଁ ସଙ୍ଗ-ସଖୀତତି ।୮୧। (୧୫୧-୧୫୨) ।

 

ନଳ-ସମ୍ଭୋଗ-ଲୋଭୀ ସ୍ତନ-ନିଡ଼ମ୍ୱଯୁଗ ବାଳା-ଗତିକାଳେ ।

ପାରିବା ପର୍ଯ୍ୟନ୍ତ ନିଜର ଗମନେ ବାଧା ଜନମାଉଁ ଥିଲେ ।

ବାହୁ ବିଶାଳ ଯେ ।

ଗଜବନ୍ଧା-ସ୍ତମ୍ଭ-ପରି ।

ହେଲେହେଁ ସ୍ପର୍ଶସୁଖୁଁ ଜଡ଼ କରରେ କାନ୍ତ ନ ପାରିଲେ ବାରି ।୮୨। (୧୫୩-୧୫୪) ।

 

‘‘ଆଲିଙ୍ଗ ଆଲିଙ୍ଗ ମୋତେ ଆସ ଆସ’’ ତୁନି ତୁନି କହୁ ପତି ।

ହସି ଅଳପ ଦେହଳି ବଳି ବାଳୀ ଆଳି-ପାଶେ କଲା ଗତି ।

କରି ଏପରି ଯେ ।

ଅପ୍ରିୟ-କଥା ପ୍ରିୟର ।

ହେଲା ସନ୍ତାପି ନ ଫେରିଲା ନ ଗଲା ଲାଜେ ଆଳିଙ୍କ ପାଶର । ୮୩। (୧୫୫-୧୫୬) ।

 

ଏକାଳେ ଆସ ବୈତାଳିକ-ରମଣୀ ଜଣାଏଁ ନୃପ-ଛାମୁରେ ।

‘ଜୟ ଜୟ ଦେବ ! ମଧ୍ୟାହ୍ନ ହୋଇଲା; ମହୀ ତପତ ତାପରେ,

ହୋଇ ଆଶାୟୀ ଯେ ।

ଏବେ ଅଛି ଟାକି ରହି ।

ତବ ଅଭିଷେକ-ସୁବାସ-ସଲିଳ-ପୋଷେ ଶୋଷବାର ପାଇଁ । ୮୪। (୧୫୭)।

 

ଗଙ୍ଗାରୁ ଆନୀତ ଶଙ୍ଖ-ଶ୍ୱେତ ଜଳ ତବ କୁଟିଳ-କୁନ୍ତଳେ ।

ଲଭି ସମ୍ମିଳନ ଉଚ୍ଚାବଚ-ବୀଚି-ଚାତୁରୀ-ରଚନେ ହେଲେ ।

ମନ କଲାଣି ଯେ ।

ଯମୁନା ସଙ୍ଗେ ତା ମେଳ ।

ହେଲାପରି ତୁମ୍ଭ କୁଟିଳ-କୁନ୍ତଳେ ଦିଶିବ ମହାମଞ୍ଜୁଳ ।୮୫। (୧୫୮) ।

 

ଏବେ ତବ-ବତ ଅଦ୍ଭୁତ-ପ୍ରତାପବନ୍ତ ଅନ୍ତକ-ଜନକ ।

ସଂସାର-ପରେ ବିହରୁଛନ୍ତି ଦେଖ ନାଶି ନିଶାତମ-ପଙ୍କ ।

ସ୍ନାନ ବଢ଼ାଇ ଯେ ।

ଶଙ୍କର-ପୂଜନ-ପୁଣ୍ୟେ ।

ଅଧିକୁଁ ଅଧିକ ହୁଅ ଅଧକୃତ ହେଉ ସବିତା ଆପଣେ ।୮୬। (୧୫୯) ।

 

ଶିବ-ପୂଜାବେଳ ହେଲେହେଁ ନିକଟ ପ୍ରିୟା-ବିଛେଦ-ଦୁଃଖରେ ।

ଗତ ପ୍ରେୟସୀ ଆଗତ ହେବ ଅବା ବିଚାରି ଦ୍ୱାର ପାଶରେ ।

ଦେଇ ଦୃଷ୍ଟିକି ଯେ ।

ବାର ବାର ନରପତି ।

ବଳେ ସେ ସୁଖ ଲଭିଲା-ବତ ଅଳସରେ ଦଳପ ତେଜନ୍ତି ।୮୭। (୧୬୦) ।

 

ଆନେ ଅନବଗତ ରସ ପ୍ରବାହ ପ୍ରସରାଇବାରେ ସାଧୁ ।

ଶ୍ରୀ ହୀର-ମାମଲ୍ଲଦେବୀ-ସୁଖଜଳ-ନିଧିର କୁମୁଦବନ୍ଧୁ-।

ହର୍ଷଭାବକୁ ଯେ ।

ହର୍ଷେ ହୃଦୟରେ ସ୍ଥାପି ।

ଭାଷେ ଗୋପୀନାଥ ହରା-ରାତି-ତାତ-ମୁର-ପରପଦ ଜପି । ୮୮ ।

-------

 

ଏକବିଂଶ ଛାନ୍ଦ

ରାଗ ବରାଡ଼ି-ଗୁଣ୍ଡିଚାବସନ୍ତ ବାଣୀ

ଦମୟନ୍ତି ପୁରୁଁ ନିଷଧ-ଈଶ                  ବିଜେ ହେବାବେଳେ ନୃପତିବଂଶ

ରହି ତ ଥିଲେ ଟାକି ସେବାପାଇଁ            କର-ପଇଠକୁ କର ବଢ଼ାଇ

ପ୍ରକାଶ କି କଲେ ?

ନିଜ-କରଦ-ପଣକୁ ସେକାଳେ ।

ସୁଝୀନ-ବସନାବୃତ ସରଣୀ ।             ନଳ-ପାଦତଳୁଁ କଠିନ ଜାଣି ।

ନିଜ-ଶିରର ସୁମନସ-ହାର ।             ପ୍ରଣାମ-ସମୟେ ନୃପ-ନିକର ।

ଉଭୟ-ପାଶରୁ ।

କଲେ ପଥକୁ ମୃଦୁତର ଚାରୁ ।

ହେବାକୁ ଦୃଷ୍ଟିଲାଭେ କୃତ-କୃତ୍ୟ ।             ଭୂପାଳେ ଦେଶ ବିଦେଶୁଁ ଆଗତ ।

ରସାଣି ଉଜ୍ଜଳ କରି ଯତନେ ।             ନିଜ-ଦେଶ-ଜାତ ନାନାରତନେ ।

ଦେଲେ ଉପହାର ।

ରାଜଧିରାଜ-ରାଜେନ୍ଦ୍ର-ପୟର ।୩।

ଭ୍ୱରୁଭଙ୍ଗୀ ନେତ୍ର ଇଙ୍ଗିତାଙ୍ଗୁଳି- ।             ସଙ୍କେତେ ଉପହୃତ-ରତ୍ନାପାଳି ।

ଏକ ନୃପତିର ଆନ ଭୂପାଳେ ।             ନିଷଧ-ଈଶ୍ୱର ବିତରି ଦେଲେ ।

ନୃପେ ନୃପେଶ୍ୱର- ।

ପ୍ରସାଦ ଲଭି ସନ୍ତୋଷ ଅପାର ।୪।

 

ମଙ୍ଗଳ ପୁଚ୍ଛି କୁଶଳ ବଚନେ ।             ତୋଷି ବିଦାଦେଇ କେତେ ରାଜନେ ।

ଶିଷ୍ୟଭାବେ ଶିକ୍ଷା ଲଭିବାପାଇଁ ।             ଥିଲେ ଯେତେକ ବାକି ନରସାଇଁ ।

ଅସ୍ତ୍ରାସ୍ତ୍ର ପ୍ରୟୋଗେ ।

ଶିଖାଇଲେ ତାଙ୍କୁ ନଳ ସରାଗେ । ୫।

 

ମର୍ତ୍ତ୍ୟେ ଯେ ଶସ୍ତ୍ରର ଅଳ୍ପ ପ୍ରଚାର ।             ଶିଖାଇ ତା’ର ପ୍ରୟୋଗ ସଂହାର ।

ଶିଷ୍ୟ-ସମୂହେ ପରିଶ୍ରମ-ବଶେ ।             ମଣ୍ଡୁ କପୋଳ ସ୍ୱେଦବିନ୍ଦୁ-ବଂଶେ ।

ବହେ ଶ୍ୱାସ ଖର ।

ଅବଗାହେ ନୃପତି-ମନ ଲୋଳ ।୬।

 

ଉଚ୍ଚକୁଚାଚାରୁ-ଲୋଚନା-ଚୟ ।             ସୁଗନ୍ଧଦ୍ରବ୍ୟେ ମର୍ଦି ନୃପକାୟ ।

ପରେ ମୃଗମଦ ଲେପନ କରି ।             ଢାଳିଲେ ସୁବାସେ ବାସିତ ବାରି ।

ସେ ବାରିର ଅଳି- ।

ପାଳିଥିଲେ ଅନୁସରଣେ ମିଳି ।

 

ଆପ୍ତ ଶୁଚି ପୁରୋହିତ ସେ କାଳେ ।                   ଜଳଧରୁ ଢାଳି ତୀର୍ଥସଲିଳେ ।

ପୃଥୁ-ତପଫଳେ ଦୃଢ଼ ଭୂଭୃତେ ।             କଲେ ଅଭିଷେକ ବିଧାନ ମତେ ।

ନୃପ ସ୍ନାନ-ଶେଷେ ।

ବହିଲେ ବେନି-କରୋଦରେ କୁଶେ । ୮।

 

ଅବଳାକୁଚ-ଯୁଗ ସଙ୍ଗୁ ଦୂର ।             ହେଉ ଜନ୍ମିଲା ବିରହ ଅନଳ ।

ନାମ ତା’ର ଧୂମକେତନ ସତ ।             ଏଣୁ କି ତା’ର ଧୂମ-ଶିଖା-ବତ ।

ଦିଶିଲା ସୁନ୍ଦର ।

ହେଲା କି ଦଶା ବିଚ୍ଛେଦୀ କରର । ୯ ।

 

ଆଚମନ କରିବାକୁ ଭୂପାଳ ।             କର-ଚୁଳୁକେ କରୁ ଗଙ୍ଗାଜଳ ।

ଭୂତଳେ ସେ ତ ନିର୍ମ୍ମଳେ ଅତୁଳ ।             ପଡ଼ିଲା ତହିଁ ବିମ୍ୱ ତ୍ରିଦିବର ।

ଦାନ ପାଇଁ ନୀର ।

ଦେଲା କି କରେ ତାଙ୍କ ସୁର-ପୁର । ୧୦ ।

 

ଦମୟନ୍ତୀ ପାଶୁଁ ଅବନୀପାଳ ।             ହୋଇଥିଲେ ସ୍ନାନ-ସମୟେ ଦୂର ।

ସେ ସୁଯୋଗ ଜଗିଥିଲା କ୍ଷିତି କି ? ।             ରକ୍ତା ହୋଇ ଆଲିଙ୍ଗିଲା ପତିକି ।

ପ୍ରତି ଅବୟବେ ।

ସଲିଳେ ସେତ କୋମଳ ସ୍ୱଭାବେ । ୧୧ ।

 

ଯା ଅଗ୍ରମଧ୍ୟ ମୂଳେ ହର ହରି ।             ବିରଞ୍ଚି କ୍ରମରେ ନିବାସ କରି ।

ତାଙ୍କ କମଣ୍ଡଳୁ ପୟର ଶିରେ ।             ଗଙ୍ଗାତ ଯଥାକ୍ରମରେ ବିହରେ ।

ସେ କୁଶ-ଶିଖରେ ।

ସ୍ରବି ଗଙ୍ଗୋଦ ପଡ଼େ ନୃପଶିରେ । ୧୨ ।

 

 

ଜଳେ ଅବତରି ନୃପଶେଖର ।             ପ୍ରାଣାୟାମେ ମତି କରନ୍ତେ ସ୍ଥିର ।

ଅପୂର୍ବ ସୁଷମା ଦିଶଇ ତହିଁ ।                   ମନ୍ଥନ ପୂର୍ବରୁ ସରିତସାଇଁ ।

--ଗରଭ-ସଲିଳେ ।

ପୂର୍ଣ୍ଣ-ସୁଧାଂଶୁ ଅଛିକି ସଲୀଳେ । ୧୩ ।

 

ଭୁବି-ମନୋଭୁବ ସେ ଦଣ୍ଡଧାରୀ ।             ଦିଗମ୍ୱର ହରେ ବାଦ କି କରି ।

ପହୁରିଲେ ଦଶାନ୍ୱିତ ଅମ୍ୱର ।             ମହୀବିସ୍ତୃତ ସେ ଅତି ରୁଚିର ।

ଶୁଭ୍ରଅଭ୍ରବତ ।

ନୁହେଁ ବିବିଧଚିହ୍ନେ ତାରକିତ । ୧୪ ।

 

ସନ୍ତତ ବିଦର୍ଭପତି-ସନ୍ତତି ।             --କତିକି ଗତି କରୁଥିବା ମତି ।

ରୋଧିବାପାଇଁକି କରି ବିଚାର ।             ସେ ରାଜୠଷି-ଶ୍ରେଷ୍ଠ ନରବର ।

ଉତ୍ତରୀୟ ବାସ ।

-ବେଢ଼ାଛଳେ ବାନ୍ଧିଲେ ହୃଦଦେଶ । ୧୫।

 

କେଶ-ଶେଷ-ଜଳବିନ୍ଦୁ-ଦଶନା ।             ସ୍ନାନବାରି-ଘଟ-ପୀବର-ସ୍ତନା ।

ଗଉରମୃତ୍ତିକା-ଚିତା-ବଦନା ।             ସ୍ନାନଦା ସୁଭଗା ଶିରୀ ନବୀନା ।

ନରପତିବରେ ।

କଲା ଆଲିଙ୍ଗନ ସେ ସମୟରେ । ୧୬ ।

 

 

ବର୍ଣ୍ଣ-ଶୁଭ୍ରତାରେ ନେତ୍ର ଆକୃଷ୍ଟ ।             ଶୀତଳତାରେ ଚର୍ମ୍ମ ପରିତୁଷ୍ଟ ।

ଜଳମନ୍ତ୍ର-ଶ୍ରବଣରେ ଶ୍ରବଣ ।             ରସନା ରସଆସ୍ୱାଦରେ ପୁଣ ।

ହେଉ ନୃପତିର ।

ନାସା ସୁବାସେ ରସିଲା ନିକର । ୧୭ ।

 

ନିର୍ମ୍ମଳବର୍ଣ୍ଣ ସୁବିଶୁଦ୍ଧ ବୀଜ ।             ବେଦମନ୍ତ୍ର ଜପୁଁ ନିଷଧରାଜ ।

ସ୍ଫଟିକ-ଅକ୍ଷମାଳ-ଛଳେ କି ସେ ।             ଆସି ଆଶ୍ରିଲେ ନୃପକରଦେଶେ ।

ଆଶଙ୍କା ଏମନ୍ତେ ।

ଦରଶକ ଚିତ୍ତେ ଜାତ ତୁରିତେ ।୧୮।

 

ଅଙ୍ଗୁଳିପର୍ବେ ଥିବା ଯବ ଚିହ୍ନ ।             ଦେବତର୍ପଣ-ସମୟେ ପ୍ରଦାନ ।

ଯବକୁ କଲା କି ସେ ବେନିଗୁଣ ।             ତା ଦେଖି କର-କୃଷ୍ଣତିଳ ଘେନ ।

ପିତୃ-ତର୍ପଣରେ ।

ଜଳମିଶ୍ର ତିଳ ଦ୍ୱିଗୁଣ କରେ । ୧୯ ।

 

ପ୍ରକ୍ଷାଳି କର ପୟର ପୟରେ ।             ହୋଇ ପୂତ ନୃପ ଅନ୍ୟପୟରେ ।

-ଅପରିଦଳିତ ପଥରେ ଦେବ ।             -ପୂଜା ମନ୍ଦିରେ ପ୍ରବେଶିଲେ ଜବ ।

ନ ଥିଲେ ସେବକ ।

ବ୍ରହ୍ମଚାରୀ ବିନା ଇତରଲୋକ । ୨୦ ।

 

 

ଦେବ ଶିରପରେ ଅନ୍ତରସ୍ଥଳ ।             ବିକଶିତ-ମାଳତୀମାଳ-ଜାଳ ।

ବେଷ୍ଟନ ହୋଇଥିଲା ଚନ୍ଦ୍ରାତପି ।             -ଭଳି ତା’ର ପ୍ରାନ୍ତେ ଅଳି-କଳାପ ।

-ପରି ଅଗୁରୁର ।

ଧୂମନିବହ ଦିଶଇ ସୁନ୍ଦର । ୨୧ ।

 

ତାମସବିନାଶୀ ଯେ ଦୀପଶିଖା ।             -ଯୋଗେ ରଜନୀ ଯାଉଥାଇ ଦେଖା ।

ତେଜେ ଅଙ୍କୁରିଲା ପ୍ରାୟ ଅଥବା ।             ରଜନୀକନ୍ଦ ଅଙ୍କୁରିଲା ଅବା ।

ହେମଲତା-ଦୃଶେ ।

ଥିଲେ ଦୀପେ ତହିଁ ଦେବଉଦ୍ଦେଶେ । ୨୨ ।

 

ଚନ୍ଦନଗର୍ଭିତ ମର୍କତ ପାତ୍ର ।             ଶଶାଙ୍କଗ୍ରାସୀ ରାହୁମୁଖବତ ।

ମୃଗମଦପୂର୍ଣ୍ଣ ରଜତପାତ୍ର ।             କୋଳେ ଶଶଧାରୀ ରଜନୀକାନ୍ତ ।

-ବତ ଦିଶୁଥାନ୍ତି ।

ନୁହେଁ ତା’ର ଏତେ ବୋଲି ଗଣନ୍ତି । ୨୩।

 

ଦଧି-ଶର୍କର-ମିଶ୍ରିତ ନୈବେଦ୍ୟ ।             ବଉଧମଠ-ବତ ଅନବଦ୍ୟ ।

ପୂରି ରହିବାରୁ ଧୂମପୂରିତ ।             ସେ ଦେବଗୃହ ଦିଶଇ ଏମନ୍ତ ।

ସତେ କି ଧର୍ମ୍ମର ।

ଅଙ୍କୁରି ଅଇଲା ଅନ୍ୟ ଅଙ୍କୁର ।୨୪।

 

 

କାହିଁବା ସୁବର୍ଣ୍ଣ-ଚମ୍ପକ-ରାଶି ।             ତୁଙ୍ଗେ ସୁମେରୁକୁ ପକାଇହସି ।

କାହିଁ ବା ମଲ୍ଲିକା-ପୁଷ୍ପ-ପ୍ରକର ।             ସ୍ଫଟିକସାନୁକୁ ହସେ ନିକର ।

ଏଣୁ ସେ ସଦନ ।

ନୋହିବ କିପାଁ ସର୍ବ-ଦେବସ୍ଥାନ । ୨୫ ।

 

ଅନବଦ୍ୟ ଦିବ୍ୟ ନୈବେଦ୍ୟବାରେ ।             ଥିଲା ପୂରି ସେ ପୁର ନିଘଞ୍ଚରେ ।

ନ ଥିଲା ତହିଁ ତିଳେମାତ୍ର ସ୍ଥାନ !             ତା ଦେଖି ଆସଇ ମନେ ଏସନ ।

ଭୂମି ଭୂପତିକି ।

କୁଳବଧୂ ଭଳି ଅଛି ଲୁଚି କି । ୨୬ ।

 

ଚନ୍ଦ୍ରକାନ୍ତ-ମଣି ନୀଳରତନ ।             -ଗଣେ ସେ ପୁରର ଭୂମି ନିର୍ମ୍ମାଣ ।

ଶଶାଙ୍କକାନ୍ତ-ରତ୍ନ-କରେ ନୀଳ- ।             ମଣି-କର-ବାଳ ପଡ଼ୁ ବିକଳ ।

ହୁଏ କି ସେ ମହୀ ।

ବହି ଗାୟକ-ଶିର କମ୍ପଛାଇ ।୨୭।

 

ବିବିଧବର୍ଣ୍ଣ-ରତନେ ନିର୍ମିତ ।             ବିଭୂଷଣେ ସେ ସଦନ ଭୂଷିତ ।

ନାନାବର୍ଣ୍ଣର ଚୀନ ଝୀନାମ୍ୱର ।             ଦିବ୍ୟ ନୈବେଦ୍ୟବୃନ୍ଦେ ମନୋହର ।

ତହିଁ ରତ୍ନାସନ ।

ମଣ୍ଡିଲେ ରସାଶଶାଙ୍କ ରାଜନ । ୨୮ ।

 

 

ଧୀରବର ଧୀରେ ସମ୍ପୂର୍ଣ୍ଣାଙ୍ଗରେ ।             ପୂଜିଲେ ଭାସ୍କରେ ଭକତିଭରେ ।

ଦେଖି ସବିତା ସେ ଭକ୍ତି ନୃପର ।             ଭାବିଲେ ଅଳ୍ପ ଭକ୍ତିକି କର୍ଣ୍ଣର ।

ସେବାକୁ ଶାମ୍ବର ।

ନାମମାତ୍ର ବୋଲି କଲେ ବିଚାର । ୨୯ ।

 

ସରସୀ-ରୁହ-ଜୀବନବାନ୍ଧବ ।             -ମନ୍ତ୍ର ଜପିଲାବେଳେ ନରଧବ ।

କରେଥିବା ରକ୍ତଚନ୍ଦନ କଣ୍ଠି ।             ମସୃଣ ସୁନ୍ଦର ମାଳିକା ଗୋଟି ।

ବଢ଼ାଇବା ପାଇଁ ।

ସ୍ୱବର୍ଣ୍ଣ ଥିଲା କି ସେ କରେ ରହି ।୩୦।

 

ଶଶାଙ୍କଶେଖର-ପୂଜାକାଳରେ ।             ପ୍ରସ୍ପୁଟ-ନାଗକେଶର-ସୁମରେ ।

କରେ ତାଙ୍କର ଦେଉଁ ଥୋଇ ନୃପ ।             ବ୍ରହ୍ମା-ପାଣ୍ଡର ମସ୍ତକ-କଳପ ।

ଦିଶିଲା ସେ ତହିଁ ।

ଯା ତହିଁ ପୂର୍ବୁଁ ଥିଲା ଲାଗିଯାଇ । ୩୧ ।

 

ସ୍ଫଟିକବର୍ଣ୍ଣ ଶଙ୍କରଶରୀର ।             ଗଳେ ଲମ୍ୱାଉଁ ନୀଳପଦ୍ମମାଳ ।

ନୀଳକଣ୍ଠ ନାମ କଣ୍ଠମାତରେ ।             ନୀଳ ହେବା ପ୍ରକଟିଲା ଏଥିରେ ।

ଗଉରୀପତିର ।

ତେଣୁ କିବା ସେ ପତି ଗଉରୀର । ୩୨ ।

 

 

ପୁରଅରି ମାରବଇରି ହର ।             ହେବେ ଏମନ୍ତ କାର୍ଯ୍ୟେ ତୁଷ୍ଟ ମୋର ।

ଏତେ ଭାଳିକି ସେ ନୃପ ଶଙ୍କର ।            -ପୁରତେ ଦେଲେ ଜାଳି ଧୂପପୂର ।

କନ୍ଦର୍ପର ଶର ।

କର୍ପୂର ତହୁଁ ନୋହିଥିଲା ଦୂର । ୩୩ ।

 

ସେ ସମୟରେ ହରଶିରସ୍ଥାୟୀ ।             -ରଜନୀପତି-କରୁ ଭୟପାଇ ।

ବାଳା-ବିରହ ନୋହିବାରୁ ସହି ।             ଥିଲେ କି ମୂର୍ଛା ନରସାଇଁ ଯାଇ ।

ମୁଦି ନେତ୍ର ଦୁଇ ।

ଧ୍ୟାନଛଳେ ଏତେ ଚିତ୍ତେ ଆସଇ । ୩୪ ।

 

ତଦନ୍ତେ ହର-ପୟରତଳରେ ।             ଲୁଟିଲେ ନୃପତି ଭକ୍ତିଭୋଳରେ ।

ଏତେ ବିତର୍କ ଜାତ ସେ କାଳରେ ।             ସ୍ମରି କି ସ୍ମର ସ୍ୱଅପରାଧରେ ।

ନିର୍ମ୍ମିତ ସୁମରେ ।

ଶର ଚାପି ରଖି ବନ୍ଦେ ଶଙ୍କରେ । ୩୫ ।

 

କୁସୁମାସ୍ତ୍ର କାମ କୁସୁମଶର ।             ସମର୍ପି ଦେଇ କି ହରପୟର ।

ତାହାଙ୍କୁ ରକ୍ଷକଶ୍ରେଷ୍ଟ ବିଚାରି ।             ନିଜର ଅପରାଧ ପରିହରି ।

-ବାର ହେତୁରେ କି ।

ତାଙ୍କ ପଦେ ଆଲିଙ୍ଗିଛି ମହୀକି । ୩୬ ।

 

 

ହରପରର ସମାନ ସୁନ୍ଦର ।                   ହର-ପରଶେ ନଳ ନରବର ।

ଶତରୁଦ୍ରଜପ ପାଇଁକି କରେ ।             ରୁଦ୍ରାକ୍ଷମାଳିକା ବହନ୍ତେ କରେ ।

ପଲ୍ଲବ ପାଶରେ ।

ଦିଶେ ଉଡ଼ିବା ଭଳି ଅଳିବାରେ । ୩୭ ।

 

ହରେ ପୂଜିସାରି ହରିପୂଜନ ।             ପାଇଁ ଚିତ୍ତ ବଳାଇଲେ ରାଜନ ।

ପୁରୁଷସୂକ୍ତେ ପୁରୁଷୋତ୍ତମଙ୍କୁ ।             ପୂଜି ତାଙ୍କର ଦ୍ୱାଦଶ ମୂର୍ତ୍ତିଙ୍କୁ ।

ଦ୍ୱାଦଶ-ଅକ୍ଷର ।

ମନ୍ତ୍ରେ ଯଥାବିଧି ପୂଜିଲେ ନଳ । ୩୮ ।

 

ବଳାବିଚକିଳ ମାଳିକା ସ୍ଥୂଳ ।             କି ସେ ଡୁଣ୍ଡୁଭ ଉରଗ ବିଶାଳ ।

ତା’ପରେ ଧ୍ୟାନେ କେଶୀ-ନିସୂଦନେ ।             ସ୍ଥାପି ରାଜନ ଅନନ୍ତ-ଶୟନେ ।

ଶାୟିତ ମୁକୁନ୍ଦେ ।

ଅବଲୋକି-ଲେକି ମହାଆନନ୍ଦେ । ୩୯।

 

କଉସ୍ତୁଭ-ରୂପ-ମଣିକୁଟ୍ଟିମ-।             ବାସିନୀ-କମଳା କୁଟିମ-ସମ ।

ସୁବିଶାଳ-ନୀଳ-କମଳ-ମାଳ ।             ମହୀପାଳକରୁ ଚଳି ଚଞ୍ଚଳ ।

ବଳିଦଳା-ଗଳା ।

ଆଶ୍ରି ଉରସ୍ଥଳେ ରଚିଲା ଖେଳା । ୪୦ ।

 

 

ହେମ-କେତକୀ ଚାରୁ ହରଶିରେ ।             ସମର୍ପୂ ସ୍ୱର୍ଣ୍ଣ-ସୁମନସ ହାରେ ।

ରୌପ୍ୟ-ପୁଷ୍ପହାରେ ଶ୍ୱେତକମଳ-।             ମାଳା କମଳରାଗ-ରତ୍ନହାର- ।

ଯୋଗେ କରବୀର-।

ମାଳା ଦ୍ୱିଗୁଣିତ ହେଲେ ସକଳ । ୪୧ ।

 

ଶଙ୍ଖ-ଚକ୍ର-ଜଳଜାତ-ପୂଜାରେ ।             ଶଙ୍ଖ-ଚକ୍ର-ଜଳଧର ହେଲେ ।

ପ୍ରଦତ୍ତ-ହରିଣମଦ-ବରନ- ।             ଯୋଗୁଁ କୃଷ୍ଣହେଲେ ମଧୁସୂଦନ ।

ଅନ୍ନ ଉପହାରେ ।

ଅଧିକ-ଭକ୍ତ-ବଳି ବୋଲାଇଲେ । ୪୨ ।

 

ଗରୁଡ଼-ଧ୍ୱଜ-ପୂଜନ-ସମୟେ ।             ତାର୍କ୍ଷ୍ୟଭୟ ନିନ୍ଦାରେ ସର୍ପଚୟେ ।

ମଳିନ ହୋଇ କି କାଳ-ଅଗୁରୁ-।             ଧୂପଛଳେ ଯାଉଥିଲେ ସେ ପୁରୁ ।

ଜାଳପଥେ ହର ।

ଅଙ୍ଗୁ, ଭୀତିସ୍ଥାନେ ରହେ କେ ଧୀର । ୪୩ ।

 

ଯୁକ୍ତ ଅମୂଲ୍ୟ-ରତନ-ମାଳାରେ ।             ବିକଚ-ଜାତି-ସମ-ହାରବାରେ ।

ନାରାୟଣଙ୍କୁ ନଳ-ନରବର ।             ବିଭୂଷୂଁ ନାନା ରତନେ ଭାସ୍ୱର ।

କ୍ଷୀର-ସାଗରର ।

ଦିଶନ୍ତି ସେ ମଧ୍ୟେ ଥିଲା ପ୍ରକାର । ୪୪ ।

 

 

ପୁରୁଷ-ସୂକ୍ତ ଜପିବା କାଳରେ ।             ମାଳିକାସ୍ଥିତ ପୁଷ୍କର ନିକରେ ।

ନରବର-କର-କମଳ-କୋଳ ।             ଲଭି ବିଚାରିଲେ ଥିବାର ଚିର-।

କାଳ ପଦ୍ମକୋଷେ ।

ନିଜର ଯେଣୁ ସେ ତେମନ୍ତ ଦିଶେ । ୪୫ ।

 

ପୂଜି ମହୀପତି ବିରଚି ସ୍ତୁତି ।             କରି ଶିରୀପତି-ପୟରେ ନତି ।

ତହିଁ ସୁଗନ୍ଧ ରୁଚିର ଶୁକଳ ।             ବିଚ-କିଳମାଳ ଅର୍ପୁ ସେ ହାର ।

ସୁରଧୁନୀ-ସମ ।

ଦିଶିଲା ଅତିଶୟ ମନୋରମ । ୪୬ ।

 

ଅଘାରି ହରି ଶିରୀକି ଉରରେ ।             ରଖି ଦେଖାଇଲେହେଁ ସ୍ନେହ ତା’ରେ ।

ତାର ଉପରସ୍ଥଳ କଣ୍ଠଦେଶେ ।             ବାଣୀକି ସ୍ଥାନ ବିତରିବାରୁ ସେ ।

ନୋହି ରତ ବିତ୍ତେ ।

ଗୁଣବଶ ବୋଲି ଜଣା ଜଗତେ । ୪୭ ।

 

ହରି-ଅଭିପ୍ରାୟ ବାରି ଏଥିରୁ ।             ପ୍ରଚୁର ସମ୍ପଦେ ପୂଜନ ଚାରୁ ।

ହୋଇଲେହେଁ ତହିଁ ନୋହି ତୃପତ ।             ସୂକ୍ତି-ମୁକୁତା-ହାର ଉପହୃତ ।

କରି ଦେବ-ପଦେ ।

ଭକ୍ତି ଲଭିବାକୁ ଭାବିଲେ ହୃଦେ । ୪୮ ।

 

 

ଆହେ ଦେବ-ଦେବ ରୂପ ତୁମ୍ଭର ।             ଅଟଇ ଅବାଙ୍‌-ମନସ ଗୋଚର ।

ସ୍ତୁତିରେ ହେବ ତା କାହିଁ କଳନା ।             ତାହାର ନିନ୍ଦା ଆମ୍ଭ ସ୍ତୁତି ସିନା ।

ତେଣୁ ମୋ ପ୍ରଳାପ ।

କର କ୍ଷମା ଦେବ ବିଶ୍ୱଅଧିପ । ୪୯ ।

 

ହେ ଦେବ ଅଟ ତୁମ୍ଭେ ସ୍ୱପ୍ରକାଶ ।             ତୁମ୍ଭ ରୂପ ବର୍ଣ୍ଣନାରେ ମାନସ ।

ଦତ୍ତ ମନୁଷ୍ୟ କରି ଯା ଇଛଇ ।             ଅସମ୍ଭବ ତା ସର୍ବଥା ହୁଅଇ ।

ଅନ୍ଧକାର କାହିଁ ।

ଭାସ୍କର-କରେ ପାରେ ବିକଶାଇ । ୫୦ ।

 

ନୋହିଲେ ନୁହ ମନ-ବଚନର ।             ଗୋଚର ପଛେ ହେ ପରମେଶ୍ୱର ।

ତୁମ୍ଭ ପ୍ରତି ସେ ବେନିର ପ୍ରବୃତ୍ତି ।             ନୋହିବ କିପାଁ ? ଚାତକ ଦମ୍ପତି ।

ନପାନ୍ତି ଦୀରଦେ ।

ବୋଲିକି ସେ ତାଙ୍କ ନୁହଁଇ ମୋଦେ । ୫୧ ।

 

ହେଲ ମତ୍ସ୍ୟ ବେଦ ଉଦ୍ଧାର ବେଳେ ।             ପୁଚ୍ଛଘାତେ ସନ୍ଧୁଜଳ ଉଛୁଳେ ।

ଆକାଶ-ସଂସର୍ଗ ଲଭି ସେ ଅର୍ଣ୍ଣ ।             ଦିଶିଲା ଅତିଅନ୍ତ ଶୁଭ୍ରବର୍ଣ୍ଣ ।

ବହିବାରୁ ସେହି ।

ତାକୁ ସ୍ୱର୍ଗଙ୍ଗା ବୋଲିଥାନ୍ତି କହି । ୫୨ ।

 

 

ଧରା-ରକ୍ଷଣେ ଥିବାରୁ ନିପୁଣ ।             ପ୍ରତି-ମନ୍ୱନ୍ତରେ କୂର୍ମ-ହୋଇଣ ।

ଧରା-ଧାରଣ କରୁଁ ପୃଷ୍ଠଦେଶେ ।             ଚକ୍ର-ଚକ୍ର ଚକ୍ରଚିହ୍ନ ବିଳସେ ।

ସେ କୂର୍ମମୂରତି ।

ଜଗତ-ଜନଙ୍କୁ ଦେଉ ସୁଗତି । ୫୩ ।

 

ବରାହ-ମୂରତି ଧରିବାବେଳେ ।             ଚତୁର-ପଦନ୍ୟାସ-ଜାତ ବିଳେ ।

ଚାରି ସାଗର ବୋଲାଉ-ଅଛନ୍ତି ।             ବୋଲି ବିଚାରୁଥାଇ ମୁହିଁ ମତି ।

ଧରାଧାରୀ ରଦ ।

ବଢ଼ାଉ ମୋର ଆନନ୍ଦ-ସମ୍ପଦ । ୫୪ ।

 

ବ୍ରହ୍ମାଣ୍ଡେ ଅଙ୍ଗ ସମ୍ଭାଉ ନଥିଲା ।             ସେ ମୂରତି ଧରି ପାତାଳୁଁ ଧରା-।

ତୋଳାବେଳେ ସେ ଖସିଆସୁଁ କରେ ।             ଧରିବାରୁ ଫୁଲି ରୋମ-ନିକରେ । ବ୍ରହ୍ମାଣ୍ଡେ ଭେଦିଲେ ।

ଦିଶେ ସେ ପୂଜା-କଦମ୍ୱ-ପ୍ରକାରେ । ୫୫ ।

 

ହିରଣ୍ୟ କଶିପୁ-ସଭାବନରେ ।             ହେଲ ଆବିର୍ଭୂତ ସିଂହ-ଅଂଶରେ ।

ଅରିଦାରୀ ସୁର-ସୁକୃତ-ଅସ୍ତ୍ର ।             ଗ୍ରାମେ ଅନ୍ୟାଂଶ ନରରୂପେ ଜାତ ।

ଆହେ ନରସିଂହ ।

ଘନଗର୍ଜନେ ମୋ ଦୂରିତ ଦହ । ୫୬ ।

 

 

ହିରଣ୍ୟକଶିପୁ-ଉଦର-କୂପେ ।             ଥିଲା ପଡ଼ି-ଇନ୍ଦ୍ର-ସମ୍ପତ୍ତି ଆପେ ।

ଉଦ୍ଧାରିଲ ଯେବେ ଅଙ୍ଗୁଳାଙ୍କୁଶ-।             ପଞ୍ଚକେ ଅନ୍ତ୍ର ଛିନ୍ନରଜ୍ଜୁ ଦୃଶ ।

ଲାଗିଥିଲା ତବ ।

ମୋତେ ରଖୁ ସେହି ଅଙ୍ଗୁଳି ଦେବ । ୫୭ ।

 

‘ହେ ବଳି ! ସକଳ ଆଶା ତୁମ୍ଭର ।             ଧନେ ଯାଉଛି ପୂରି ନିରନ୍ତର ।

ନ ପୂରିବ କି ମୋର ଆଶାଏକ- ।             ଏମନ୍ତ ନିପଟ’ କପଟ-ବାକ ।

-ଭାଷଣେ ଚତୁର ।

ବାମନ ହେ ମୋତେ ଉଦ୍ଧାର କର । ୫୮ ।

 

‘ହେ ବଟୁ ! ପ୍ରାର୍ଥୁଛ ଦାନ ସଲିଳ ।             ତେଣୁ ତୁମ୍ଭଙ୍କୁ ପୂର୍ଣ୍ଣ-ଧନ ମୋର ।

ଦେବାକୁ ଇଛା ବଳୁଛି’ ବଳୀର ।             ଏ ପ୍ରକାର ଗିର ଶୁଣି ଯାହାର ।

ପୁଲକେ ରୋମାଳି ।

ସେ ଦେବ-ପଦେ ମୋର ନିଉଛାଳି ।୫୯।

 

‘ଭୂଞ୍ଜ ଅମର-ଶ୍ରୀ ରହି ଭୂତଳେ ।             ହୁଅନ୍ତୁ ସଦା ସଖା-ଭୋଗିକୁଳେ ।

ଏହିକରେ ମୋ ବିତର ଭୂବନ’ ।             ଭାସି ଏମନ୍ତ କପଟବଚନ ।

ଛଳିଲ ବଳିକି ।

ଛଳିବ ମୋତେ ହେ ବନମାଳୀ କି’ ? । ୬୦ ।

 

 

‘କରୁଛ କିପାଁ କର-ପ୍ରସାରଣ ।             ଆଶୟ-ପ୍ରକାଶେ କି ଲାଭ ପୁଣ ।

ତବ ଶ୍ରୀଚରଣେ ବିଶ୍ୱସମ୍ପଦ ।             ଦେବାକୁ ପାଞ୍ଚି ସାରିଛି ମୁଁ ହୃଦ’ ।

ବଳି ଯା’ରେ ଏହା ।

ଭାଷି, ସେ ତାରୁ ମୋରେ ଚଉବାହା । ୬୧ ।

 

ହେ ଆଦି-ପୁରୁଷ ! ବିଶ୍ୱସର୍ଜନ- ।             ବେଳେ ବାହୁରୁ ହେଲେ ତବ ଜନ୍ମ ।

ଯେଉଁ କ୍ଷତ୍ରିୟ ଜାତି ତାଙ୍କ ମୃତ୍ୟୁ ।             -ପାଇଁ ଏକା ତବ ସେ କର ହେତୁ ।

ଏଣୁ ପର୍ଶୁଧର ।

-ରୂପୀ ତୁମ୍ଭ ସେ ବାହୁକୁ ଯୁହାର । ୬୨ ।

 

ପାଁଶୁଳା ବହୁତପତିକା ଧରା ।             ବିଧାତା କୋପେ ନବଖଣ୍ଡ କଲା ।

ପର୍ଶୁଧର-ମୂର୍ତ୍ତି ଆହେ ଶ୍ରୀଧର ।             ତାକୁ ପୁଣି ଯା ଦ୍ୱିଜଭୋଗ୍ୟା କଲ ।

ତବ ଅତିନ୍ୟାୟ ।

-କାରୀପଣ ହରୁ ଦୁରିତଚୟ । ୬୩ ।

 

କାର୍ତ୍ତବୀର୍ଯ୍ୟାର୍ଜୁନ ଯା କରେ ମୃତ ।             ଦଶାସ୍ୟନାଶ ତାକୁ କେତେ ମାତ୍ର ।

ତଥାପି ଏକ ତ୍ରେତୟା ଯୁଗରେ ।             ପର୍ଶୁରାମ ରାମ ବେନି ରୂପରେ ।

ହେଲ ନିସ୍କାରଣେ ।

ବନ୍ଦୁଛି ସଦା ମୁଁ ତୁମ୍ଭ ଚରଣେ । ୬୪ ।

 

 

ସକଳ ଲେଖକେ ସାର ବିଧାତା ।             ହେ ରାମ ! ତୁମ୍ଭ ନିରିମାଣେ ଚିନ୍ତା ।

କରି ପ୍ରଥମେ ରେଣୁକା-କୁମର ।             ରାମ ନିର୍ମାଣେ ବଳାଇଲା କର ।

ତା’ ପରେ ତୁମ୍ଭର ।

ମୂରତି ରଚିଲା ରୁଚିରତର । ୬୫ ।

 

ଅଜ ହୋଇଲେହେଁ ଅଜକୁମର ।            -କୋଳେ ସ୍ୱେଚ୍ଛାରେ ହେଲ ଅବତାର

ହେ ବିଶ୍ୱଭୂଷଣ ଅନାଦି ଦେବ ।             ନାହିଁ ତହିଁରେ ଦୋଷମାତ୍ର ଲବ ।

ସର୍ବ ଦୋଷାଦୋଷ ।

ପ୍ରଭାବେ ତବ ଯେଣୁ ହୁଏ ନାଶ । ୬୬ ।

 

ଏ ହୀନଜନେ ବ୍ରହ୍ମଜ୍ଞାନ ଦାନ ।            -ପାଇଁ ନୋହିଲେ ନୋହୁ ଅବଧାନ ।

ହେଉ ପଛେ ସେ ବ୍ରହ୍ମଜ୍ଞାନ ଦାନ ।             ଯେ ଭ୍ରମେ ପଡ଼ି ଦଶାନନ-ସୈନ୍ୟ ।

ସମସ୍ତ ଜଗତେ ।

ରାମମୟ ଦେଖିଥିଲେ ପୁରତେ । ୬୭ ।

 

ପିତା ଆଦେଶେ ମୂର୍ଖ-ନିନ୍ଦାଡ଼ରେ ।             ଭୂସମ୍ଭୂତା ରାଜଲକ୍ଷ୍ମୀ ସୀତାରେ ।

ଥିଲ ବରଜି; ଜଳମଧ୍ୟେ ଯା’ର ।             ଥିଲା ଲଙ୍କା ସେ ରାବଣ ସାଗର ।

ବେନିଙ୍କି ହେ ବୀର ।

ତିଳମାତରେ କି ଲଘିଂ ନ ଥିଲ । ୬୮ ।

 

 

‘ବ୍ରହ୍ମାବରେ ତ ମୁଁ ଅମର ସୁରେ ।             ସୀତା ଅର୍ପିଲେ କାମଦେବ-ଶରେ ।

ମରି ପାରିବି ନାହିଁ ତ ବିଚାରି ।             ଲଭିବି ମୋକ୍ଷ ତବ କରେ ମରି’ ।

ଭାଳି କି ଏମନ୍ତ ।

ନ ସମର୍ପିଲା ସୀତା ଲଙ୍କାନାଥ । ୬୯ ।

 

ଭୂବନଜୟୀ ସମର-କର୍କଶ ।             ସସୈନ୍ୟ ଦଶାସ୍ୟ ଯହିଁ ବିନାଶ ।

ତୁମ୍ଭର ସେ କରେ ଶୂଦ୍ର ସମ୍ୱୁକ ।             ତେଜି ଜୀବନ ସ୍ୱଦୋଷେ ଉଦକ ।

-ପତି-ଦେଶେ ଥିବା ।

ଶଙ୍ଖେ ଉପହସାଉନାହିଁ କିବା । ୭୦ ।

 

ହେ ଦେବ ତବ ହୃଦୟ-ସାଗର ।             ପ୍ରିୟା-ବିରହ-ବାଡ଼ବର ଘର ।

ଭ୍ରାତାଲକ୍ଷ୍ମଣର କ୍ଷଣ-ବିରହ ।             -ବହ୍ନିରେ ନିଜ ଜୀବ କଲ ଦାହ

ଦହ ମୋ ପାତକ ।

ହେ ଦେବ-ଦେବ ଶରଣପାଳକ । ୭୧ ।

 

ଏକ-ବକ-ଦୁଃଖ-ଦରଶନରେ ।             ଶ୍ଳୋକେକ ଯେ ଆଦି କବି ରଚିଲେ ।

ତବ ଶୋକ ଦେଖି ସେ ୠଷିବର ।             କଲେ ରାମାୟଣ ଶ୍ଳୋକସାଗର ।

କଲେ ସେ ଉଚିତ ।

ତୁମ୍ଭ ଦୁଃଖେ କା’ର ଦୁଃଖ ତୁଳିତ । ୭୨ ।

 

 

ବିଶ୍ରବାପିତାର ସସ୍ରବା ସୁତା ।             ହେବାର ଅତି ଅନୁଚିତ କଥା ।

ଏ ଯୋଗେ ଔଚିତ୍ୟାଭିଜ୍ଞ ଆପଣ ।             କାଟିଲ ସୂର୍ପଣଖାର ଶ୍ରବଣ ।

ଲକ୍ଷ୍ମଣରୂପରେ ।

ନମୋନମ ଦେବ ତୁମ୍ଭ ପୟରେ । ୭୩ ।

 

ଦାନମଦେ କଳ୍ପ-ବୃକ୍ଷ ସ୍ୱର୍ଗରେ ।             କରନ୍ତେ ସ୍ପର୍ଦ୍ଧା ତବ କରତୁଲେ ।

ଛଳେ ଜନମି ତେଣୁ ଯଦୁକୁଳେ ।             ଉପାଡ଼ିଲ ସେ କଳ୍ପବୃକ୍ଷେ କରେ ।

ସେ କର-ଚତୁର ।

ଉପାଡ଼ୁ ପାତକଲତାକୁ ମୋର । ୭୪ ।

 

ବାଳକକାଳେ କ୍ରୀଡ଼ାରଙ୍ଗେ ମାତି ।             ଫିଙ୍ଗି କ୍ଷୁଦ୍ର କ୍ଷୁଦ୍ର ଖର୍ପର ତତି ।

ଛେଦି ସବିତାସୁତା-ବୀଚିବ୍ରାତ ।             ବାଣ-ମହୀପତି-କର ସଘାଂତ ।

--ଶାତନେ ଯେ କର ।

ସୂତ୍ର ପାତିଛି ତାକୁ ନମସ୍କାର । ୭୫ ।

 

ଦଶାସ୍ୟ-ଶକତି ପଡ଼ୁଁ ଲକ୍ଷ୍ମଣ ।             କଲା ବିଶଲ୍ୟ ଯେଉଁ ହନୂମାନ ।

ରାଧେୟ-ଶକ୍ତି-ନିଷ୍ଫଳ ପାଇଁକି ।             ପାର୍ଥରଥଧ୍ୱଜେ ସେ ମାରୁତିକି ।

ଯେ ରଖାଇଥିଲା ।

ତା ପଦେ ଏ ମୋର ପ୍ରଣତିମାଳା । ୭୬ ।

 

 

ପରମ ଭକତ ଭୀଷ୍ମ ତୁମ୍ଭର ।             ତାଙ୍କୁ ସ୍ୱଦେହେ ନେବା ସୁରପୁର ।

ନୁହେଁ ବିଚିତ୍ର ତୁମ୍ଭଙ୍କୁ, କେବଳ ।             ତହିଁ ଅପ୍‌ସରା ତୁଲେ ହେଲେ ମେଳ ।

ଭାବି ବ୍ରତ-ନାଶ ।

କଲ କି ରଣେ ତାଙ୍କୁ ଗତାୟୁଷ । ୭୭ ।

 

ନେତ୍ର ବେନି ତବ ଶଶାଙ୍କ ସୂର ।             ରଣେ ସଂହାରୁ କର୍ଣ୍ଣେ ପାର୍ଥବୀର ।

ଏକ ସୁତ-ନାଶେ ହୁଅଇ ଦୁଃଖୀ ।             ଆନ ବଂଶଜ-ସୁଖେ ହୁଏ ସୁଖୀ ।

ଏଣୁ ନେତ୍ର ଯୁଗେ ।

ଭୋଗିଲେ ସୁଖ ଦୁଃଖ ଏକସଙ୍ଗେ । ୭୮ ।

 

ରାଧା ତୁମ୍ଭ ପ୍ରାଣ-ପ୍ରତିମା ପରା ।             ରାଧେୟରିପୁରେ କଲ ଯା ମେଳା ।

ସୁନ୍ଦର ହେଲା କି ଦେବ ତୁମ୍ଭଙ୍କୁ ।             ଶ୍ରୀପତି-ପଣେ ଶ୍ରୀବତ୍ସ-ଚିହ୍ନକୁ ।

ଉରେ ଯା ବହିଲ ।

ସନ୍ତାନ-ବାତ୍ସଲ୍ୟ ପ୍ରକାଶ କଲ । ୭୯ ।

 

ନାନାଙ୍ଗ-ରାଗ ବିବିଧ-ଭୂଷଣେ ।             ଦିବ୍ୟ ସୁନ୍ଦର ଯେ ମଦିରାପାନେ ।

ଶଶି-ସମ ଯା ଧବଳ ଶରୀର ।             ଶେଷ ହୋଇ ଶେଷ ନ ମିଳେ ଯାର ।

ସେ ରେବତୀ-ପତି ।

ରାମ ତୁମ୍ଭବିନା ଆନ ନୁହଁନ୍ତି । ୮୦ ।

 

 

ହେ କାମପାଳ ହେ ରେବତୀପତି ।                   ଅନନ୍ତ-ନାଗ ତୁମ୍ଭ ଆନମୂର୍ତ୍ତି ।

ଏଣୁ କୁମୁଦଉରଗ-ସଙ୍ଗରେ ।             ସଙ୍ଗତି ତୁମ୍ଭ ଉଚିତ ବେଭାରେ ।

ତବାଙ୍ଗ ଶୁକ୍ଳିମା ।

ବଢ଼ାଏ ନୀଳାମ୍ୱରର ସୁଷମା । ୮୧ ।

 

ଧରି ପରଶୁ ଅର୍ଦ୍ଧଚନ୍ଦ୍ରାକାର ।             ଛେଦିଛ କାର୍ତ୍ତବୀର୍ଯ୍ୟ-ସସ୍ରକର ।

ପୁଣି କୃଷ୍ଣରୁପେ ସୁଦରଶନ ।             ଚକ୍ର ପେଷି ବୀର ବାଣରାଜନ ।

କରଦଶ-ଶତ ।

ଛେଦିଲ ଯା ତହିଁ କି ଅଦଭୁତ । ୮୨ ।

 

କମ୍ୱୁ ଅମ୍ୱୁଜ ଧରି ବେନିକରେ ।             ଡାକି କହୁଛ କି ହରି ଅସୁରେ ।

ଚେତନ ତୁମ୍ଭେ ତ ଏ ଅଚେତନ ।             ସ୍ୱଭାବ-ବିରୁଦ୍ଧ ମୃଦୁ କଠିନ ।

ଏ ବେନି ମୋହର ।

ବିଷୟେ ଭେଦ କରିଛନ୍ତି ଦୂର । ୮୩ ।

 

ତବ ଅଙ୍ଗସ୍ପର୍ଶ-ସୁଖ-ବଶରେ ।             କଣ୍ଟକି ଥାଏ ଯେ ସର୍ବ ଶରୀରେ ।

ସେ ଘନକୁଚା ରମା ବନମାଳ-।             ମଣ୍ଡିତ ଉରେ ବିରାଜି ତୁମ୍ଭର ।

ବେନି-ଫଳ-ଲୋଳ ।

ଶ୍ରୀଫଳ-ତାଳଶ୍ରୀ କରନ୍ତି ଦୂର । ୮୪ ।

 

 

ଭାବୁଛି ଶଶି ସରସିଜ ବେନି ।             ନୀରଜ ଯୋଗେ ସମବୁଦ୍ଧି ଘେନି ।

ନିଜ ସୁଷମା ବଢ଼ାଇବା ଆଶେ ।             ଆଶ୍ରଛି ଏକ ତବ କରଦେଶେ ।

ଅପର ନୟନ-।

ଭାବେ ସଦା ସେବେ ତବ ବଦନ ।୮୫।

 

ହିରଣ୍ୟ ରାବଣ କୌରବଈଶ ।             ପାଇଁ ନରହରିର ସମାବେଶ ।

ଥିଲା ହୋଇ ସତ୍ୟ ତ୍ରେତା ଦ୍ୱାପରେ ।             ଲୋକ-ଉପକାର-ଅର୍ଥେ ସଂସାରେ ।

ସେ ସମାବେଶର ।

ପୟରେ ମୋର ନିତି ନମସ୍କାର । ୮୬ ।

 

ନାମେ ଶେଷ ହୋଇଲେହେଁ ଅଶେଷ ।             ବୋଲି ତ୍ରିଲୋକେ ଜାତ ତବ ଯଶ । ହୋଇ ପୂର୍ଣ୍ଣଭବ ଅର୍ଦ୍ଧଭବତା ।             କର ଧାରଣ ଯା ବିଶ୍ୱବିଧାତା ।

ଏଣୁ ମାୟାଧର-।

ପଣେ ତୁମ୍ଭଙ୍କୁ ନାହି ପଟାନ୍ତର । ୮୭ ।

 

ପୂର୍ବ-ପୂର୍ବଜନ୍ମର କର୍ମଫଳ ।             ହୁଅଇ ପରା ପରଜନ୍ମ ମୂଳ ।

ଏଣୁ ସହଜ-ସାଧ୍ୟ ନୁହେଁ ମୁକ୍ତି ।             ତା ଲାଭ ପାଇଁ ତବ ପଦେ ଭକ୍ତି ।

ବ୍ୟତୀତ ଅପର ।

ଉପାୟ ନସ୍ଫୁରେ ବୁଦ୍ଧିରେ କା’ର । ୮୮ ।

 

 

ସବ୍ୟାପସବ୍ୟେ ହରିହର ମୂର୍ତ୍ତି ।             କିପାଇଁ ହୋଇଲ ଜଗତପତି ।

କାହିଁକି ଅଧଊର୍ଦ୍ଧ୍ୱେ ନରହରି ।             ହେଲ ବୋଲିବା ବାତୁଳତା ସରି ।

ଇଛାମୟ ଦେବେ ।

ଏମନ୍ତ ପ୍ରଶ୍ନ କି ସମ୍ଭବେ କେବେ । ୮୯ ।

 

ହେ ଇଚ୍ଛାମୟ ! ତ୍ରିଭୁବନ ସୃଷ୍ଟି ।             କରି ତାକୁ ନାଶି ଲଭ କି ତୃଷ୍ଟି ।

କାହିଁକି ନାନାରୂପେ ଅବତରି ।             ପାଳୁଥାଅ ସେ ସୃଷ୍ଟିକି ଶ୍ରୀହରି ।

ତାକୁ ତ ଶେଷରେ ।

ନାଶିବ, ନାହିଁ ସଂଶୟ ଏଥିରେ । ୯୦ ।

 

ବାମନେତ୍ରେ ଶଶି କୌସ୍ତୁଭ ଉରେ ।             କରେ ପାଞ୍ଚଜନ୍ୟ ଗଙ୍ଗା ପୟରେ ।

ଏ ସର୍ବେ ସଗୋତ୍ର ସୁପରିଚିତ ।             ଏହାଙ୍କୁ ଦେଖି କି ଲକ୍ଷ୍ମୀ ନିୟତ ।

ହେଲେହେଁ ଚଞ୍ଚଳା ।

ନଚଳି ତୁମ୍ଭପାଶେ ସ୍ଥିର ହେଲା । ୯୧ ।

 

ଯୁକ୍ତିସିଦ୍ଧ-ନାନାବାଧା-ବିରୋଧ-।             ଯୋଗୁଁ ବିଶ୍ୱେ ସର୍ବଦ୍ରବ୍ୟେ ପ୍ରଭେଦ ।

ନୋହିପାରନ୍ତି ପରସ୍ପରୁଁ କେବେ ।             ତବଇଚ୍ଛା ବଶେ ଅବିଦ୍ୟା ସର୍ବେ ।

ବ୍ୟାପିଅଛି ଯେଣୁ ।

ଏ ପରମତତ୍ତ୍ୱ ନିରୋପ ଏଣୁ ।୯୨।

 

 

ତବ ଉଦରେ ମାର୍କଣ୍ଡେୟ ଯତି ।             ଦେଖିଲେ ଜଗତ ପଦାର୍ଥ ତତି ।

ବାହ୍ୟେ ଅନ୍ତରେ ତବ ଭେଦ ବାରି ।             ନପାରି ଅଇଲେ ଉଦରୁ ଚଳି ।

ତୁମ୍ଭେ ଏକା ବାର ।

କେ ଅନ୍ତରର ରୁଷି କେ ବାହ୍ୟର । ୯୩ ।

 

ବ୍ରହ୍ମାଣ୍ଡେ ଅନନ୍ତରୂପେ ବା ଶିରେ ।             ବହ ବା ରଖ ଉଦର-ମଧ୍ୟରେ ।

ବାଳକରୂପେ ବା ତବ ଶକତି-।             ଲତା-ଆଶ୍ରୟେ ହେଉ ତା’ର ସ୍ଥିତି ।

ସକଳ ପ୍ରକାରେ ।

ଅଛି ବହ୍ମାଣ୍ଡ ତବ ଆଶ୍ରୟରେ । ୯୪ ।

 

ଯାହାର ଜଳ ଧର୍ମ୍ମର କାରଣ ।             ସେ ଗଙ୍ଗା ଲୋଟଇ ତବ ଚରଣ ।

ଧନଦାତ୍ରୀ ଦେବୀ କମଳା ଉରେ ।             କାମ ତ କୁମର ତବ ବେଭାରେ ।

ମୁକ୍ତିଦାତା ନିଜେ ।

ଏଣୁ ଚତୁର୍ବର୍ଗ ତୁମ୍ଭରେ ସାଜେ । ୯୫ ।

 

ନରକନାଶନ ହେ ଦେବ ତୁମ୍ଭେ ।             ଏଣୁ ହେଳାରେ ତୁମ୍ଭ ନାମ ଲବେ ।

ଧରେ ଯେ ତା’ର ନରକେ କି ଡର ।             ନରକ ତା’ର ଭୟରେ କାତର ।

ହେବାର ଉଚିତ ।

ନରକରୁ ସେ କିପାଁ ହେବ ଭୀତ । ୯୬ ।

 

 

ଭକ୍ତିଅଛି ଯା’ର ତୁମ୍ଭରେ ହରି ।             ମୃତ୍ୟୁକାରଣ ବଜ୍ରପାତେ ଡରି- ।

ବାର ହେତୁ ତା’ର କିଛି ନାହିଁତ ।             ବିନା-ଚେଷ୍ଟାରେ ଅଭ୍ୟାସବଶେ ତ ।

କଣ୍ଠରୁ ତାହାର ।

ହେବ ଉଚ୍ଚାରିତ ନାମ ତୁମ୍ଭର । ୯୭ ।

 

ଓଳାଉଥିଲେ ଯେତେ ବାର ବାର ।             ବାସୁଁକି ଧୂଳି ହୁଏ କେବେ ଦୂର ।

କାମାଦି ତେଜି ନର ହେଲେ ଶୁଚି ।             ନ ପାରେ ରଜୋଜାତ ପାପ ମୁଞ୍ଚି ।

ସେ ପାପଶୋଧନ ।

ପାଇଁକି ତୁମ୍ଭନାମ ସମ୍ମାର୍ଜ୍ଜନ । ୯୮ ।

 

ତବ ଅସଂଖ୍ୟନାମ-ତାରତମ୍ୟ ।             ନ ହୋଇଲେହେଁ ନର-ଜ୍ଞାନଗମ୍ୟ ।

ରାମ ନାମ ଶ୍ରେଷ୍ଠ ବୋଲି ବିଚାରେଁ ।             ନୋହିଲେ କି ହେ ତିନି ଅବତାରେ । ସେହି ରାମ ନାମ ।

ବହିଥାନ୍ତ କି ପୁରୁଷ ଉତ୍ତମ । ୯୯ ।

 

ହେ ନାଥ ମୋହର ତୁମ୍ଭ ବାହାରେ ।             ନାହିଁଟି ଭରସା ତିନିଲୋକରେ । କୃପାକରି ସୂରନେତ୍ରେ ମୋ ତମ ।             ନ ନାଶ କିମ୍ପା ପୁରୁଷ-ଉତ୍ତମ ।

ଶଶି-ନୟନରେ ।

ନ ହରି କିପାଁ ମୋ ତାପ-ତ୍ରୟରେ । ୧୦୦ ।

 

 

ତବ ଆଦେଶ ଶାସ୍ତ୍ରୀୟ-ବିଧାନ-।             କରୁଛି ଅଜ୍ଞାନେ ସଦା ଲଘଂନ ।

କଠୋର ତପେ ତ ଦେଖା ନ ଦିଅ ।             ତୁମ୍ଭ କୃପାପାଇ ସ୍ତବ-ନିଚୟ ।

ଯାହା ମୁଁ କରୁଛି

ମୋଠାରୁ ବଳି କେ ନିର୍ଲ୍ଲଜ୍ଜ ଅଛି । ୧୦୧ ।

 

ଆହେ ଜଗତକର୍ତ୍ତା ହେ ବିଶ୍ୱାତ୍ମ ।             ମୋ କ୍ଷୁଦ୍ର-ହୃଦୟେ ତୁମ୍ଭ ମାହାତ୍ମ୍ୟ ।

ସମ୍ଭାଇବ ଅବା କେତେ, ଗରିବ ।             ଯେବେ-ସୁମେରୁ-ଗିରିପାଶେ ଯିବ ।

ତେବେ କଉପୀନେ ।

ଆଣିବ ବାନ୍ଧି ବା କେତେ ରତନେ । ୧୦୨ ।

 

ଏତେ କହି ସମ୍ପ୍ରଜ୍ଞାତ-ସମାଧି ।             -ଯୋଗେ ଧ୍ୟାନେ ଲଭି ବିଷ୍ଣୁ-ସନ୍ନିଧି ।

ଅରପି ପ୍ରେମ ଭକତି, ତାହାର ।             ଉଚିତ ନୃତ୍ୟଗୀତେ ନରବର ।

ପରିତୋଷ କଲେ ।

ଇନ୍ଦିରାବଲ୍ଲଭ ବିଶ୍ୱଈଶ୍ୱରେ । ୧୦୩ ।

 

ପାତ୍ରସ୍ଥ କରି ଶ୍ରାଦ୍ଧଦ୍ରବ୍ୟଯାତ ।             ଦେଇ ଦାନ ଦ୍ୱିଜକରେ ବହୁତ ।

ଉତ୍ତମୋତ୍ତମ ଦ୍ରବ୍ୟରେ ଶଙ୍କର ।             ହରିଙ୍କି ପୂଜି ନମ ନରବର ।

ଆଜହୁଁ ଦେବର ।

କଲେ ବିଜୟ ନୃପ ନିଜପୁର । ୧୦୪ ।

 

 

ଭୂବିସବିତା ସେ ମଧ୍ୟାହ୍ନକୃତ୍ୟ ।             ସାରି ସୁଧାମୟ ଭୋଜନେ ତୃପ୍ତ ।

ହୋଇ ସାନନ୍ଦେ ଆଶ୍ଚର୍ଯ୍ୟ ପ୍ରାଚୀନ ।             ସୌନ୍ଦର୍ଯ୍ୟେ ଇନ୍ଦ୍ରଭୁବନ-ସମାନ ।

ସ୍ୱସୌଧ-ଶଇଳେ ।

ନିଜ ସୌନ୍ଦର୍ଯ୍ୟ-ସମ୍ଭାରେ ମଣ୍ଡିଲେ । ୧୦୫ ।

 

ପୂଜି ଭକ୍ତିଭରେ ଦେବ-ନିକରେ ।             କିଞ୍ଚିତ-ନତ ବିଭୂଷଣ-ଭାରେ ।

ପତି-ଭୋଜନ-ଅନ୍ତେ ଭୁଞ୍ଜିସାରି ।             ବିଦର୍ଭନର-ବାସବ-କୁମାରୀ ।

ବିଜେ ସ୍ୱାମୀ କୋଳେ ।

ସେ ଯୋଗ ସେ ବାଞ୍ଛୁଥିଲା ସେ କାଳେ ।୧୦୬।

 

ପକ୍ୱା-ପକ୍ୱବିମ୍ବବତ ବରନ ।            -ଚଞ୍ଚୁ ପକ୍ଷତି ଯାର ସୁଶୋଭନ ।

ସେ କୀରେ ଶୋଭାସଦନ ପିଞ୍ଜରେ ।             ଧରି କେ ସଖୀ ମହିଷୀ-ପଛରେ ।

ଚାଲେ ଧୀର ଧୀର ।

ବିଭୂଷା କି ସେ ମହୀଶପୁରର । ୧୦୭ ।

 

ପ୍ରସରୁ ଥାଇ ମୁଖୁଁ ଯାର କୁହୁ ।             ଶରୀର-ଶୋଭାରେ ଜିଣେ ଯେ କୁହୁ ।

ମଦମତ୍ତ ସେ ପିକବରେ କେହି ।             ସଖୀ ସ୍ଫଟିକଦଣ୍ଡରେ ବସାଇ ।

ବକ୍ରକରି ଧରି ।

ଥିଲା ମହିଷୀପଦ ଅନୁସରି । ୧୦୮ ।

 

 

ମୃଦୁ ଉପଦେଶେ ବୀଣାବାଦନ ।            --ବିଦ୍ୟାରେ ନିପୁଣା ନୃତ୍ୟାଗାୟନ- ।

ବିଷୟେ ପୂର୍ବେ ଶିଷ୍ୟା ପରେ ସହି ।             ହୋଇଥିଲେ ସେ ମହିଷୀଙ୍କ ସେହି । ଗନ୍ଧର୍ବ-ଅବଳା ।

କଲେ ନୃପପାଶେ ବିପଞ୍ଚିଲୀଳା । ୧୦୯ ।

 

ହରିଣନୟନା ଗନ୍ଧର୍ବବାଳା ।             -ମାନଙ୍କ କରଧୃତ ବୀଣାମାଳା ।

ସାଧାରଣଭାବେ ଅଳ୍ପେ ମଧୁରେ ।             ଝଙ୍କାରିଲେ କି ସେ ମହିଷୀସ୍ୱରେ ।

ହାରି ତା ପାଶରେ ।

ଗାଇବାପାଇଁକି ସଙ୍କୋଚି ଥିଲେ । ୧୧୦ ।

 

ସକଳ କଳା ସୁଗୁଣର ନିଧି ।             ଦମୟନ୍ତୀ ତୁଲେ କିବାଦ-ବୁଦ୍ଧି ।

ଧରି ବିପଞ୍ଚି ହେଲା ଗୁଣଯୁତ             ତେଣୁ ପରିବାଦ ଦେଲେ ବହୁତ ।

ଲୋକେ ଜଗତର ।

ଏଣୁ ପରିବାଦିନୀ ନାମ ତା’ର । ୧୧୧ ।

 

ଗନ୍ଧର୍ବବାଳାଙ୍କ ବିଚିତ୍ରାଙ୍ଗୁଳି- ।             ତାଡ଼ନେ ବଲ୍ଲକୀ କରିଣୀଭଳି ।

ଶ୍ରୋତା-ମସ୍ତକ କମ୍ପାଇ ନିଷାଦ ।            -ସ୍ୱରେ ମଧୁରେ କଲା ଉଚ୍ଚନାଦ ।

ନୃପ-ଯୂଥପତି- ।

ସାନ୍ନିଧ୍ୟ ଲଭି ହୋଇ ହୃଷ୍ଟମତି । ୧୧୨ ।

 

 

ବୀଣାସ୍ୱରସାରେ ମହିଷୀସ୍ୱର ।             ଥିବାରୁ ନରିମାଣି ବେଦବର ।

ତେଣୁ ସେ ରାଜଦମ୍ପତି-ପାଶରେ ।             ବହଇ ଚାଞ୍ଚଲ୍ୟ-ଭାବ ଅନ୍ତରେ ।

ଲଭି ଲଜ୍ଜା ଭୟେ ।

କୋଣକୁ ନ ବରଜଇ କେବେହେଁ । ୧୧୩ ।

 

ଗନ୍ଧର୍ବ-କନ୍ୟା-ବୀଣାରେ ସଙ୍ଗୀତ ।             ହୋଇଲା ଅତି ସ୍ପଷ୍ଟେ ଉଚ୍ଚାରିତ ।

ଧରିତ୍ରୀରତି ମହିଷୀର କୀର ।             ଶୁଣି ଅନୁକରି ସେ ଗୀତବାର ।

ନିର୍ମ୍ମଳେ ଗାଇଣ ।

ନେଲା ହରି ଶ୍ରୋତା-ଜନଙ୍କ ମନ । ୧୧୪ ।

 

ଭାଷଇ ଶୁକ ‘ହେ ରାଜଦମ୍ପତି ।             ଭାଷଁତ କଷୁଥିବ ଆମ୍ଭମତି ।

ତବ ସ୍ତୁତିବେଳେ ମଉନ ହୋଇ ।             ରହିବା କେବେ ଉଚିତ ନୁହଁଇ ।

ଏ କାରଣୁଁ କହେ ।

ଜ୍ଞାନ ବା ଥାଏ କେଉ ପକ୍ଷୀଦେହେ । ୧୧୫ ।

 

ଗୌରୀ ଦେବୀ ଦୁହେଁ ଭୂଭୃତସୁତା ।             ମହା ଭୋଗବନ୍ତ ବେନିଙ୍କ ଭର୍ତ୍ତା ।

ରାଜ-ଚୂଡ଼ାମଣି ସେ ଦୁହେଁ ସତ ।             ଦୁହେଁ ତୁମ୍ଭେ ତ ପତି-କୋଳଗତ ।

ପାର୍ଥକ୍ୟ କଥାଏ ।

ଏ ଜନ୍ମେ ଗୌରୀ ସତୀ ନ ବୋଲାଏ ।୧୧୬।

 

 

ଏ ଯେ ଦେବୀ ଯା’ର କାନ୍ତିରେ ରତି ।             ଜନ୍ମେ ସେ କା’ର ଚିତ୍ତେ ରତିଭ୍ରାନ୍ତି । ଯେଉଁ କାମଦେବର ଅମରତା ।             ହର-ନୟନବହ୍ନିରେ ଦୂରତା ।

ଲଭିଛି ସେ ମାର- ।

ଭ୍ରମ ହେବ କା’ର ନୃପତିଠାର । ୧୧୭ ।

 

ମୁକ୍ତାହାର-ସରିତେ ଯେ ସୁନ୍ଦର ।             ଦେବପର୍ବତ-କୁଚେ ମନୋହର ।

ଯା’ର ମଧ୍ୟଦେଶ ହରଇ ମନ ।             ସେ ଦମୟନ୍ତୀକି ଧରା ସମାନ ।

ଧରି ସିନ୍ଧୁବତ ।

ହେଉଛ ମୁଖେ-ଚନ୍ଦ୍ରେ ଉଲ୍ଲସିତ । ୧୧୮ ।

 

ଯେ ଦେବୀ ଦେଇଛନ୍ତି କାମେ ଜୟ ।             ଅଛି ତାଙ୍କର ପତ୍ର-ଲେଖାଚୟ ।

ସନେତ୍ର ମୁଖେନ୍ଦୁ ସାକ୍ଷୀ ତହିଁକି ।             ଦେବ ହେ ଜିଣି ଯା ରତିସାଇଁକି ।

ଦେବୀଙ୍କି ଭୋଗୁଛ ।

ମଧ୍ୟସ୍ଥ-ଦୁର୍ବଳତା ଏଣୁ ସ୍ୱଚ୍ଛ । ୧୧୯ ।

 

ଏ ଦେବୀ ରାଜଧାନୀ ମନୋଜର ।             ମକରଧ୍ୱଜ କୁଚଚିତ୍ରବାର ।

ଅଭିଷେକ-ମହୋତ୍ସବେ ସ୍ମରର ।             ଟଣା ହୋଇଥିବା ତୋରଣମାଳ ।

ଭୂରୁଯୁଗ ସତ ।

ନ ହରଇ ଦୂରୁ କାହାର ଚିତ୍ତ । ୧୨୦ ।

 

 

ଦେବୀରୁ ଦେବେ ଦେବୁଁ ଦେବୀ ପାଶେ ।             ସଦା ଗତିକରି କାମ ବିଶେଷେ ।

ପାଉତ ନ ଥାଏ ବିଶ୍ରାମ ଲେଶ ।             ତୁମ୍ଭ ଯୁଗଳଛାୟା ତା’ର କ୍ଳେଶ ।

ଗମନ-ସମ୍ଭୂତ ।

ହରି ନେଉଥାଏ ଅନୁବରତ । ୧୨୧ ।

 

ସ୍ୱେଦେ ସ୍ନାନ ସାରି ଉନ୍ନିଦ୍ର ହୋଇ ।             ତବ ରୋମେ ଯା ଛନ୍ତି ରତିପାଇଁ ।

ଆମୂଳବିଦ୍ଧ କୁସୁମ-ଶରର ।             ପୁଙ୍ଖତତି ସେ ମରନ୍ଦେ ସୁନ୍ଦର ।

ସିକ୍ତ ହୋଇଛନ୍ତି ।

ବିଚାରେ ଦେଖି ଏ ତବ ମୂରତି । ୧୨୨।

 

ଏ ତବ ପ୍ରାଣପ୍ରିୟା ପଦ୍ମନେତ୍ରୀ ।             ହେଲେଣି ସ୍ୱେଦଜଳେ ପ୍ଳୁତଗାତ୍ରୀ ।

ରତିପତିର ତ କୁସୁମ ଶର ।             ତା ପ୍ରହାରରୁ ଝରିବା ରୁଧିର ।

ଏ ସ୍ୱେଦ ନିୟତ ।

ଏମନ୍ତ ବୋଲି ବିଚାରୁଛି ଚିତ୍ତ । ୧୨୩ ।

 

ତୁମ୍ଭ ବେନି ଅନୁରାଗ ବିଲୋକି ।             ଅବାଚୀ ଭାସ୍କର ରତ ହେଲେକି ।

ଏ ତବ ଚତୁରେ ଦେଖି କମଳ ।             ପାଞ୍ଚି ହେବାକୁ କାମଶର ଫଳ ।

ମୁନାଏଁ କି ମୁଖ ।

ସତ କି ମିଛ କେଳିସରେ ଦେଖ । ୧୨୪ ।

 

 

ହେ ରାଜଦମ୍ପତି ସୁରତି ପାଇଁ ।             ଅଧୀର ହୋଇଲଣି ତୁମ୍ଭେ ଦୁଇ ।

ଯାଉଛି ଜଣା ଇଙ୍ଗିତ ଆକାରେ ।             ଏ ସଖୀ-ନିକର ସ୍ୱେଚ୍ଛାବିହାରେ ।

ନ ବାଧନ୍ତୁ ଆଉ ।

ଯାନ୍ତୁ ସେମାନେ ଏବେ ଆଜ୍ଞା ହେଉ ।୧୨୫।

 

ଯୁବା ଯୁବତିର ବାସ ନ ଫେଇ ।             ରଦ ନଖରେ ରଣେ ନ ବୁଝାଇ ।

ମତ୍ତତା ନ ଜନମାଇଁ କି କାମ ।             ବୃଥାରେ ବହିବ ମଦନ ନାମ ।

ସାର୍ଥକରୁ ନାମ ।

ପୂରୁ ତୁମ୍ଭଯୁଗର ମନସ୍କାମ’ । ୧୨୬ ।

 

ଶୁକ ଏତେ କହୁ ଗନ୍ଧର୍ବବାଳା ।             ସଖି-ଆଦିଏ ଲାଜେ ହୋଇ ଲୋଳା ।

ପଦ୍ମିନୀପଣୁ ସଙ୍କୋଚ ଲଭିଲେ ।             ଦେବୀ-ବ୍ୟାଜ-କୋପଦୃଷ୍ଟିପାତରେ । ‘ସାନ୍ଧ୍ୟରାଜକାର୍ଯ୍ୟ ।

ବହୁତ’ ବୋଲି ଗଲେ ସଖି-ବ୍ରଜ । ୧୨୭ ।

 

ଶ୍ରୁତଗିରାନୁବାଦନେ କୁଶଳ ।             ରାଜସ୍ତୁତି ଅନ୍ତେ ନୀରବୁଁ କୀର ।

ନୃପ-ସୁଷମାରେ ମୁଗ୍‌ଧ କୋକିଳ ।                   ଭାଷି କି ସ୍ତୁହି ସ୍ତୁହି ବାରମ୍ବାର ।

କହୁଥୁଲା କୀରେ ।

‘ଗଲୁ ନୀରବ ହୋଇ କାହିଁକି ରେ’ ।୧୨୮।

 

 

ସେ ଅତି ଉଚ୍ଚ ସଉଧୁଁ ଏ ଅନ୍ତେ ।             ପଡ଼େ ଦେବୀଦୃଷ୍ଟି କେଳି-ସରିତେ ।

ଦୂରତାବଶୁଁ ସେ ଦିଶଇ ସରୁ ।             ତା ମଧ୍ୟେ ସୂର୍ଯ୍ୟବିମ୍ବ ପଡ଼ିବାରୁ ।

ଦିଶେ ସ୍ୱଛ ଅତି ।

ହରଇ ଦୂରରୁ ଦର୍ଶକ-ମତି । ୧୨୯ ।

 

ଯାଉଥିବାରୁ ନଦୀ ବକ୍ରେ ବହି ।             କୋକଯୁଗ ତାକୁ ଭାବି କି ଅହି ।

ଭୟ ପାଇ ପରସ୍ପରକୁ ଛାଡ଼ି ।             ପଳାଇଣ ଉଡ଼ି ଭୟରେ ରଡ଼ି ।

ସେ ସ୍ଥଳେ ସରିତ ।

ଥିବାର କରୁଥିଲେ ସେ ସୂଚିତ । ୧୩୦ ।

 

ଦୀର୍ଘ ବିରହ ହେବାରୁ ଅସହ୍ୟ ।             କାମ ଶର ମାରି କାଟେ କି କାୟ ।

କ୍ଷତଜ ରକ୍ତେ ହୋଇ ଜର୍ଜ୍ଜରିତ ।             କୋକଦମ୍ପତି ଦିଶି କି ଲୋହିତ ।

ପଦ୍ମମୁଦ୍ରା କାଳ ।

ହେଲା ମହିଷୀ ଶ୍ୱାସେ ପରିମଳ । ୧୩୧ ।

 

ନୃପେ ବିଲୋକି ଭାଷନ୍ତି ମହିଷୀ ।             ‘‘ଦେଖ କୋକ-ଦଶା ପଡ଼ିଲା ଆସି ।

ଦୁର୍ଦ୍ଦଶା ଦେଖି ଚକ୍ରବାକଙ୍କର ।             ଦୁଃଖେ ବିଦାରି ହେଉଛି ମୋ ଉର ।

ଦେଖି ଏହା କା’ର ।

ନୟନରୁ ବା ନ ବହିବ ନୀର । ୧୩୨ ।

 

 

କୁମୁଦ ହସିବ ଏବେ ତା ଚାହିଁ ।             ସହି ନୋହିବ ବୋଲି ଦିନସାଇଁ ।

ପଳାନ୍ତି ଚଞ୍ଚଳେ କୋକଙ୍କ ଶୋକ ।            -କୁନ୍ତେ ବିଧାତା ଫୋଡ଼ିଛି ପକ୍ଷିଙ୍କୁ ।

ହୃଦୟ-ଦେଶରେ ।

ତେଣୁ ରାବନ୍ତି କି ସେ ବୃକ୍ଷଡ଼ାଳେ ।୧୩୩।

 

ଜାଣନ୍ତି ଦୁଃଖ ପୂର୍ବୂ କୋକଯୁଗ ।             ତଥାପି ବିରହ ଭିଆନ୍ତି ଆଗ ।

ଏକଥା ଦେଖିଲେ ଆସଇ ମନେ ।             ପ୍ରାଣୀ ଚଳଇ ଦଇବ-ଅଧୀନେ ।

ଯେଣିକି ସେ ନିଏ ।

ତାହା ବିନା ଆନ ପଥ ନ ପାଏ । ୧୩୪ ।

 

ହେ ପ୍ରିୟ ! କୋକଯୁଗ ଚୀରିବାକୁ ।             ସୂରଶାଣେ ଶାଣି ସନ୍ଧ୍ୟା-ଅସୀକୁ ।

ବସିଛି ବିହି ଗରୁଡ଼-ସୋଦର ।             ରଶ୍ମିଧାରୀ ହୋଇଛି ଘୁରିବାର ।

ଦଣ୍ଡ ଦଣ୍ଡ ସତ ।

ଇଷ୍ଟକରଜେ ଦିଶେ ଶାଣ ରକ୍ତ’’ । ୧୩୫ ।

 

ପ୍ରେୟସୀ ମୁଖୁଁ ଏ ଗିର ମଧୁର-।             ମଦିରା ପାନକରି ନରବର ।

ବିଲୋଳ କଟାକ୍ଷରେ ମନ୍ଦେ ହସି ।             ଅନାଇ ଭାଷନ୍ତି ‘ରେ ଶଶିହାସି ।

ଭାଷିଲୁ ତୁ ଯାହା ।

ସତ ସତ ସଖି ତେମନ୍ତ ତାହା । ୧୩୬ ।

 

 

ଯୁବାଯୁବତୀ-ଜୟେ ରତିମାର ।             ବହିଛନ୍ତି ତୋ ଭୂରୁଚାପବର ।

ଲାଛିବାକୁ ନଳୀ ତୋ ନାଶା ତହିଁ ।             ନିଶ୍ୱାସ ତୋର ବାୟବ୍ୟାସ୍ତ୍ର ସହି ।

ଏତେ ସଜେ ଯେବେ ।

ନ ଜିଣିବେ ତାଙ୍କୁ ଲୋକେ ହସିବେ । ୧୩୭ ।

 

ବର୍ଣ୍ଣେ ରାଜା ଶୁଭ୍ର, ସେ ବର୍ଣ୍ଣ ବହି ।                   ରଜତ ଦୁର୍ବର୍ଣ୍ଣ ଲୋକେ ବୋଲାଇ ।

ସୁବର୍ଣ୍ଣୁ ସୁବର୍ଣ୍ଣ ଲଭେ ଆଦର ।             ସେ ବର୍ଣ୍ଣେ ବିରାଜେ ଶରୀର ତୋର ।

ଏଣୁ ହେମ ତୁଲେ ।

ଆନମାନଙ୍କୁ ମୁଁ ଗଣା ନ କରେ । ୧୩୮ ।

 

ସିଞ୍ଚି ମଧୁ ଗୁଡ଼ ଭୂମି ଚଷିଣ ।             କ୍ଷୀର ସାର ଦେଇ ଇକ୍ଷୁ ରୋପିଣ ।

ଦ୍ରାକ୍ଷା-ରସ ଦେଇ ଦୋହଦ ପାଇଁ ।                   ଯେବେ ସେ ଇକ୍ଷୁରେ ଫଳ ଧରଇ । ତେବେ ସେ ଫଳର ।

ରସରୁ ତୋ ଗିର ମଧୁରତର । ୧୩୯ ।

 

ସୁଧାପାୟୀ କାମ ଗୁଡ଼-ତନ୍ତୁରେ ।             ଶର୍କରାଚଳରେ ଇକ୍ଷୁସିନ୍ଧୁରେ ।

ମନ୍ଥି ଯେବେ ନବାମୃତ କାଢ଼ିବ ।             ତେବେ ଅବା ତା ସମାନ ହୋଇବ ।

ତୋ ଭାଷା ସହିତ ।

ଯହିଁ ମୋ ଶ୍ରୁତିଯୁଗ ଅତିତୃପ୍ତ । ୧୪୦ ।

 

 

କୋକବିରହ-ଦୁଃଖ ଦେଖି ଶୋକ ।             ଯେବେ ହେଲା ତୋର ଏତୋ ସେବକ ।

ଯାଇ କେଳି-ସରିତରେ ବିମ୍ବିତ ।             ସୂରକୁ ଜଳଅଞ୍ଚଳିର ତୃପ୍ତ ।

କରି ମାଗୁ ବର ।

ନ ଯାନ୍ତୁ ସେ ଶୀଘ୍ର ଅସ୍ତ-ଅଚଳ । ୧୪୧ ।

 

ନୋହିବେ ଯେବେ ସେ ଏଥି ତୃପତ ।             ବଳାଇବେ ମତି ହେବାକୁ ଅସ୍ତ ।

ତେବେ ଚକ୍ରବାକେ ସେ ଜଳାଞ୍ଜଳି ।             ଦେଇ ଏ ସେବକ ଆସିବ ଚଳି ।

ଏତେ ଆଜ୍ଞାହେଉ ।

ବିଳମ୍ୱ କଲେ ଦାସ ଦଣ୍ଡପାଉ । ୧୪୨ ।

 

ପରିହାସ-ସୁଖ-ଲଭିବା-ପାଇଁ ।             ଅଟ୍ଟାଳିକାରେ ଲୁଚିଥୁବା ସହୀ-।

ମାନଙ୍କୁ ଚାଲଯିବା ଖୋଜି ଏବେ’ ।             ଏତେ ଭାଷି ଭୂପ ଆଳିଙ୍କ ଭାବେ ।

ରସାଇ ପ୍ରିୟାକୁ ।

ବିଜେ ସାୟଂ ସନ୍ଧ୍ୟା ଆଚରିବାକୁ । ୧୪୩ ।

 

ହୀର-ମାମଲ୍ଲ ଦେବୀ-ସୂତ ହର୍ଷ ।             ଯା-ପଦ ସ୍ମରଣେ ସମ୍ଭବେ ହର୍ଷ ।

ତାଙ୍କ ପଦକୁ ମୋଦେ ହୃଦେ ବହି ।             ସାଦରେ ଦାମୋଦର-ପଦ ଧ୍ୟାୟୀ ।

ହୀନ ଗୋପୀନାଥ ।

ବିରଚୁଛି ନଳ-ଚରିତ ଗୀତ । ୧୪୪ ।

------

 

ଦ୍ୱାବିଂଶ ଛାନ୍ଦ

ରାଗ-କନଡ଼ା । ତାଳ ତ୍ରିପୁଟା

ଏଥୁଅନ୍ତେ ରସ ଶୁଣ ସୁବିଦୁଷ            ସାନ୍ଧ୍ୟ-ବିଧି ସାରି ନରେଶ ।

ରାଗେ ରଞ୍ଜିତ ପଶ୍ଚିମାଶା-ଆସ୍ୟ ।

ବିଲୋକି ବାଳାଧର-ରସାସ୍ୱାଦନ-ସୁଖେ ରଖାଇ ମାନସ ହେ ।

ସାୟଂରେ ।

କଲେ ବିଜୟ ବିଦର୍ଭସୁତାର ।

କେଳି-ପର୍ବତ-ବତ ନିକେତରେ ।

ସପତମ ତଳେ ଯାତଳୁଁ ଭୂତଳେ            ଜାତଶଙ୍କା ବିତଳର ହେ ।

ସୁଧୀରେ ।

 

ପର୍ଯ୍ୟଙ୍କ-ଅଙ୍କ-ତଳପୁଁ ଉଠି-                  ଆସି ନେଉଁ ପାଛୋଟି ବମ୍ୱଓଷ୍ଠୀ ।

ନୃପ ଲଭି ପରମ ମନତୁଷ୍ଟି ।

ବସି ତଳପେ କରଧରି ବାଳାକୁ କୋଳେ-କରି କରି ସୃଷ୍ଟି ।

ହାସକୁ ।

ଭାଷନ୍ତି ‘ରେ ସହି ! ଦେଇ ଦୃଷ୍ଟିକି ।

କର ଅବାଚୀ-ବନିତା-ତୁଷ୍ଟିକି ।

ଅଳକ୍ତ-ଜଳେ ଅବଗାହି             ବହିଛି କୁଙ୍କୁମ ରସେ ପୁଷ୍ଟିକି ।

ଏ ଅବାଚୀ । (- ) ।

 

ଆକାଶ-ଶୈଳ-ଶିଖରୁ ସୂର-            ଗେରୁ ନିପାତେ ଚୂର୍ଣ୍ଣିତ ହୋଇଛି ।

ଚୂର୍ଣ୍ଣ ନିଚୟ ଚମକି ଯାଇଛି ।

ଶୂନ୍ୟକୁ, ତାକୁ ସନ୍ଧ୍ୟାରାଗ କହନ୍ତି ସେ ଯେ ନ ଜାଣନ୍ତି କିଛି ।

ରେ ମୃଗାକ୍ଷି ।

ଅବା ଅସ୍ତଗିରି-ଶିର-ଶବର- ।

ଘର-ପୋଷା ଯାମା-ଘୋଷ ନିକର ।

ସୂଚି ପ୍ରହର ରାବିବାପାଇଁ             ଶିର ଟେକୁଁ ତହିଁଦିଶେ ଲାଲ ।

ଏ ଅବାଚୀ । (- ) ।

 

ସନ୍ଧ୍ୟାଶିରେ ବିହି ବାନ୍ଧିଛି କି             ସହି ନିଶାର ଦ୍ୱାରୀପଣେ ଶାଢ଼ୀ ।

ତେଣୁ ସେ ଦିନେ ଦେଉଛି ଘେଉଡ଼ି ।

ନ ଆ’ ଏଣେ ବୋଲି ଧରି             ସୁରଞ୍ଜିତ ସୂର-କର-ବେତବାଡ଼ି ।

ରେ କିଶୋରି ।

ରକ୍ତା ସନ୍ଧ୍ୟା ରଞ୍ଜାଇବାରୁ ସୂରେ ।

ଦେଖି ନଟବର ହର ତୋଷରେ ।

ତାର-ହାରଧାରୀ-ନଭ-ଶରୀରେ             କି ନୃତ୍ୟ ଆରମ୍ଭ ବିହିଲେ ।

ରେ କିଶୋରି । । (- ) ।

 

ସନ୍ଧ୍ୟାରେ ଉନ୍ମତ୍ତେ ତାଣ୍ଡବ                   ଆରମ୍ଭୁ ହର ଉରହାର ଛିଡ଼ିଲା ।

ଅସ୍ଥି-ନିକର ତହିଁରୁ ପଡ଼ିଲା ।

ନିପାତ-ଚୂର୍ଣ୍ଣିତ-ଅଂଶେ ତାରକିତ             ହେବାର ନଭ ଦିଶିଲା ।

ରେ କିଶୋରି ।

ପଦ୍ମେ ସୁନ୍ଦର ଦିନ-ଦନ୍ତାବଳେ ।

ନିଶା-ଶବର ନାଶିବାରୁ ହେଳେ ।

ଏ ରଙ୍ଗ-ମୁଦିର ରୁଧିର ତାହାର             ତାରା କୁମ୍ଭମୁକ୍ତା-ଛଳେ ।

ରେ ପଡ଼ିଛି । (୮-୯) ।

 

ପୂର୍ବେ ପାର୍ବତୀ-ବିବାହରେ             ପର୍ବତ-ବିହାରୀ ସର୍ବ ସର୍ବେଶ୍ୱର ।

ପୁଷ୍ପ ସନ୍ଦୁରିକୋତ୍ସବ-ଦିନର ।

ପରିଧାନି ଥିଲେ ଏ ପ୍ରଦୋଷ            -ରାଗ-ରଞ୍ଜିତ ପଶ୍ଚିମାମ୍ୱର ।

କି ? ବିଚାରେଁ ।

ସୁତାଦ୍ୱୟ ଦକ୍ଷ ହିମବନ୍ତର ।

କଲାବେଳେ ବିବାହ ମହେଶ୍ୱର ।

ଥିଲେ କି କରି ସନ୍ଧ୍ୟା-ରାଗ-            ରଞ୍ଜିତ ପୂର୍ବ-ପଶ୍ଚିମ-ଅମ୍ବର ।

ମୁଁ ବିଚାରେଁ । (୧୦-୧୧) ।

 

ଏ ପରିବ୍ରାଜକ ଅର୍ଯ୍ୟମା             ସର୍ବତ୍ର ବିଚରୁଥାଇ ଦଣ୍ଡଘେନି ।

ସନ୍ଧ୍ୟା ହୋଇବା ସମୟକୁ ଜାଣି ।

ସ୍ନାନି ସାଗରେ କି ସାନ୍ଧ୍ୟ-ମେଘ            -ରଙ୍ଗ-ବାସ ଅଛି ପରିଧାନି ।

ରେ ନବୀନା ।

କଷି ନିକଷ-ଅସ୍ତଶୈଳେ ସୂର- ।

ସ୍ୱର୍ଣ୍ଣପିଣ୍ଡ କିଣିଛି କି ଅମ୍ୱର ।

ତାର-କପର୍ଦେ ଏ ସନ୍ଧ୍ୟାରାଗ             ଅବା କଷ-ଘଷା-ହେମଗାର ।

ଗୋ, ହୋଇବ । (୧୨-୧୩) ।

 

ଆକାଶ-ବୃକ୍ଷରୁ ମାର୍ତ୍ତଣ୍ଡ-ମଣ୍ଡଳ            -ପକ୍ୱଦାଡ଼ିମ ତୋଳି କାଳ ।

ପକାଇଛି ସନ୍ଧ୍ୟାରାଗ-ବକଳ ।

ଭୂଞ୍ଜି ମଞ୍ଜି ଥୁଥୁ କରି ଯା             ଫିଙ୍ଗିଛି ଏ ସେହି ନକ୍ଷତ୍ରମାଳ ।

ମୁଁ ବିଚାରେଁ ।

ଭୁଞ୍ଜି ତାରା-ମଞ୍ଜି ପୁଞ୍ଜ ଥୁମ୍ପିଛି ।

ସୂରମଣ୍ଡଳ-ଦାଡ଼ିମୁଁ ଫେଇଛି ।

ଯେଉଁ ଲୋହିତ-ବକଳ ତାହା             ଏବେ ସନ୍ଧ୍ୟାରାଗ ବୋଲାଇଛି ।

ରେ ନବୀନା । ୮ (୧୪-୧୫) ।

 

ବନ୍ଦି ସନ୍ଧ୍ୟା ମଜ୍ଜୁ-ତାଣ୍ଡବେ             ମହେଶ ପୟର-ପ୍ରହାର ଅରଜି ।

ଶିବଗିରି-ପାଷାଣ ଗଲେ ଭାଜି ।

ସେ ସ୍ଫଟିକ ଖଣ୍ଡ ବିଞ୍ଚିଡ଼ି ପଡ଼ି             କି ହୋଇଛନ୍ତି ତାରାରାଜି ।

ରେ କିଶୋରି’ ।

ଶୁଣି ବର୍ଣ୍ଣନା ଲାଜେ ସନ୍ଧ୍ୟାବାଳୀ ।

ପଳାଇଲା କି ? ତମ ତାରାବଳି ।

ମିଶି ଆକାଶେ ବନ୍ଧୁର କରୁଁ             ଚାହିଁ ପୁଣି ଭାଷି ଦଣ୍ଡଧାରି ।

‘ରେ କିଶୋରି । ୯ (୧୬-୧୭) ।

 

ରେ କାମକାର୍ମ୍ମୁକ-ଭୂରୁ ! ରାମଶର             ମର୍ମ୍ମଭେଦୁଁ କଷ୍ଟେ କାତର

ଶୂନ୍ୟେ ଯାଇଛି ଚମକି ସାଗର ।

ଗ୍ରହ-ଗ୍ରାହ ମୀନ-ମୀନ ଏ             ବିଶାଖା-ତାରା-ପୁଞ୍ଜ ଏଥି ଦର ।

ରେ କିଶୋରି ।

ଦେବାସ୍ପର ସମ୍ମୋହନେ ମଦନ ।

ବିନ୍ଧିଛି କି ପୁଷ୍ପମାର୍ଗଣ-ଗଣ ।

ସେ ତାରା, କାମର ପଞ୍ଚଶର             ନାମେ, ପଞ୍ଚ ପ୍ରପଞ୍ଚରେ ଘେନ ।

ରେ କିଶୋରି । ୧୦ (୧୮-୧୯) ।

 

ସ୍ୱର୍ଧୂନୀତୀରେ ତରୁନୀଡ଼-                  କ୍ରୋଡ଼ରେ ନିଶାରେ ବିରହବିଧୁରା ।

କୋକବଧୂଙ୍କ ନେତ୍ରୁ ନୀରଧାରା ।

ପଡ଼ି ବର୍ଷାଧାରା ବୋଲାଏ             ନୟନସ୍ଥାୟୀ ବିନ୍ଦୁବୃନ୍ଦ ତାରା ।

ମୁଁ ବିଚାରେଁ ।

ସୁରସରିତେ ବିହରୁ ଅମରେ ।

ଘୁଞ୍ଚି ପଳାଉ ଦୁରକୁ ଭୟରେ ।

ଗୋଧା କର୍କଟ ମକରେ ତେଣୁ ନିମ୍ନୁଁ ଦିଶନ୍ତି ସ୍ପଷ୍ଟ ଲୋକରେ ।

ରେ ସୁନ୍ଦରି । ୧୧ (୨୦-୨୧) ।

 

କରି ଭୁବନବିଜୟ ବଜାଇବା            ପାଇଁକି ଏ ବିଶାଖା-ଶଙ୍ଖ ।

କାମ ବହିଅଛି କି ? କରେ ଦେଖ ।

ତା ବିନା ଆନ କେ ତାରା-ପୁଷ୍ପ            -ଶଙ୍ଖେ ନିର୍ମାଣିବାରେ ସୁଦକ୍ଷ ।

ରେ ସୁନ୍ଦରି ।

ହେବ ରଜନୀ ବା ମହା-ଯୋଗିନୀ ।

କାମେ ଚେତାଇଛି ମୋହି ପଦ୍ମିନୀ ।

ଶୂନ୍ୟେ ଏ ବିଶାଖାଶଙ୍ଖ କି             ତା ଯୋଗ-ବିଭୂତି ଥାଏ ବଖାଣି ।

ରେ ସୁନ୍ଦରି । ୧୨ (୨୨-୨୩) ।

 

ଦିବସେ ପ୍ରବୋଧ-ସମୟେ       ଅଦୃଶ୍ୟ ତାରକା-ଖପୁଷ୍ପ-ମାନଙ୍କୁ ।

ଦେଇ ଦେଖାଇ ଶୂନ୍ୟାତ୍ସବାଦକୁ ।

ପ୍ରଚାରି ନିଶାଭିକ୍ଷୁକୀ କି             ବିନାଶେ ତମେ ସୃଷ୍ଟି-ଅସ୍ତିତ୍ୱକୁ ।

ରେ ସୁନ୍ଦରି ।

ଭୂରୁଚାପ ଧରି ତୋ ପଞ୍ଚଶର ।

ମୁଖ-ଶଶି-ମୃଗେ କରୁ ପ୍ରହାର ।

ଘାତବ୍ୟସ୍ତ ସେ ଶୂନ୍ୟକୁ             ଚମକିଛି ଆର୍ଦ୍ରାଶୁଗବିଦ୍ଧଶିର ।

ଏ ଦିଶୁଛି । ୧୩ (୨୪-୨୫) ।

 

ବିଧାତାନିର୍ମିତ ଲୋକାଶ୍ରୟୀଭୂତ             ବ୍ରହ୍ମାଣ୍ଡମଣ୍ଡପ ନିୟତ ।

କାଷ୍ଠାବଳିରେ ୟାର କୀଟକୃତ୍ତ ।

-ଗର୍ତ୍ତ-ତାରାରୁ ସୃତ କର-            ନିକର ରଜ-ନିକର-ସଞ୍ଜାତ ।

ରେ ଦିଶଇ ।

ଯାଉଁ ବାସରବନ୍ଧ ଅପସରି ।

ଐରାବତ-ଗଣ୍ଡମଣ୍ଡଳୁ ଝରି ।

ନିରର୍ଗଳେ ମଦତାମସ-            ପ୍ରବାହ ଆସେ ପୂର୍ବଦିଗ ପୂରି ।

କି ? କିଶୋରି । ୧୪ (୨୬-୨୭ ) ।

 

ସେତୁବନ୍ଧ ଯା ରୋମପରି             ଦିଶଇ ସେ ଦକ୍ଷିଣଦିଗ-ବିହାରୀ ।

କାଳଦେବର ବାହନ ବାହାରି ।

ବିଚାରି ଯମୁଁ ଭୀତ ବାହ-            ବାହନେ ଧରି ପଳାନ୍ତି କି ହରି ।

ଗୋ ପ୍ରତ୍ୟହ ।

ସୂର୍ଯ୍ୟମଣ୍ଡଳ-ପକ୍ୱ-ମହାକାଳ ।

ପଡ଼ି ଅସ୍ତଶଇଳ-ଚୂଳ-ଶିଳ ।

-ପରେ ଫାଟି ମଞ୍ଜି ବ୍ୟାଜେ             ବିରଚିଛି ଏ ନିବିଡ଼ ତମଜାଳ ।

ରେ ସୁନ୍ଦରି । ୧୫ (୨୮-୨୯) ।

 

ପର୍ବତରାଜ ହିମବନ୍ତେ ବରଜି             ଏକା ସୁମେରୁ ପ୍ରଦକ୍ଷିଣ ।

କରୁ ସୂର ସେ ହିମାନ୍ଦ୍ରିର ଘେନ ।

ସୂର-ଅନାଦର-ସମ୍ଭୂତ             ଦୂର୍ଯଶ ଯମା ହୋଇଛି କି ପୁଣ ।

ଗୋ ସୁନ୍ଦରି ।

ଚୈତ୍ରରଥ-କାନନ କୁବେରର ।

ଦିଶେ ପତ୍ରାବଳିବତ ଯାହାର ।

ସେ ଉଦୀଚିର ତାମସ ଦିଶେ             ଗିରିଶିର-ଦୁର୍ଯଶ-ପ୍ରକାର ।

ରେ ସୁନ୍ଦରି । ୧୬ (୩୦-୩୧) ।

 

ଦିବସରେ କରସହସ୍ରେ             ଭାସ୍କର ଆକାଶେ ଧରିଥିଲା ଟେକି ।

ଏବେ ସେ ଅସ୍ତ ହୋଇଯିବାରୁ କି ।

ନଭ ପଡ଼ିଆସେ ପାଖକୁ             ତାହାକୁ ତାମସ ବୋଲୁଛନ୍ତି କି ।

ଗୋ ସକଳେ ।

ମୁଖମାଡ଼ି ଅନ୍ତରୀକ୍ଷ-କରାଇ*।

ରଖି ତପନ-ପ୍ରଦୀପ ଜଳାଇ ।

ବହି ପାରିଥିବା କଳାଭାରି                   ହୋଇ ଏବେ ତଳକୁ ଛିଡ଼ଇ ।

କି ବିଚାରେଁ । ୧୭ (୩୧-୩୨) ।

 

ଚର୍ଚ୍ଚି ତାମସ-ମୃଗମଦେ ଶରୀର             ହୋଇ ନୀଳାମ୍ୱରେ ଶୋଭିତା ।

ମାର-ପୁଷ୍ପଶର-ତାରା-ମଣ୍ଡିତା ।

ନିରୀଖି ନ ଦେଖିଲେ ଦେଖି             ନୋହିବାବେଶେ ଏ ଦିଶବନିତା ।

ରେ ବରାଙ୍ଗି ।

କୃଷ୍ଣାଭିସାର କରନ୍ତି ମୋ ପାଶେ ।

ନିଶାନାଥ ନ ଥିବାରୁ ଆକାଶେ ।

ଦେଖି ଏହା ଦୁଃଖ ନ ବହି                   ସୁମୁଖି ! ନ ରୁଷୁଛୁ ଯାହା ଦାସେ ।

ରେ ସୁଧୀରା । ୧୮ (୩୩) ।

 

ଦିନଶେଷପାଇଁ ଦିନେଶ-ଦକ୍ଷିଣ            -ନେତ୍ର ଦିନବନ୍ଧୁ ମୁଦନ୍ତେ ।

ପୁଟଯୁଗଳ ମିଳନ ଲଭନ୍ତେ ।

ପକ୍ଷ୍ମ-ଘନଲୋମତତି ଇନ୍ଦୁ                  କୃଷ୍ଣସାରେ ଶ୍ୟାମଳ ଦିଶନ୍ତେ ।

ରେ କିଶୋରି ।

ତାକୁ ବୋଲନ୍ତି ସିନା ଅନ୍ଧକାର ।

ଅବା ନିଜ-ଗୋ-ସହସ୍ରେ ଭାସ୍କର ।

ଜୀବଙ୍କ ଗୋ ମାନଙ୍କୁ ନେଉ             ଜନ୍ନିଛି ଅନ୍ଧତା ନୁହେଁ ଅନ୍ଧାର ।

ଏ ନିଶାର । ୧୯ (୩୪-୩୫) ।

 

ରେ ମୃଦ୍ୱି ! ତାମସ ତତ୍ତ୍ୱ-            ନିରୂପଣେ ଦର୍ଶନ ବୈଶେଷିକମତ ।

ଶ୍ରେଷ୍ଠ କଣାଦ-ଉଲ୍ଲୂକର ସେ ତ ।

ତେଣୁ ତମତତ୍ତ୍ୱ-ନିରୋପେ             ତା ତୁଲେ ନୁହଁନ୍ତି କେହି ତୁଳିତ ।

ସୁତନୁ ।

ତ୍ରିଶଙ୍କୁବତ ମଳିନ ଅସ୍ପର୍ଶ ।

ଏ ଅନ୍ଧାରର ସମୃଦ୍ଧି ବିଶେଷ ।

ଏକ କୌଶିକନୟନ ବିନା                   ଆନ-ନେତ୍ରେ ହୁଏ ବିଷଦୃଶ ।

ରେ କିଶୋରି ।୨୦ (୩୬-୩୭) ।

 

ଗ୍ରହରାଜ-ତେଜେ ତାରା ମ୍ଳାନିଭଜେ             ଯେ କାଳେ ତହିଁ ଆନ ଜୀବେ ।

ଦ୍ରବ୍ୟ-ନିବହେ ଦେଖନ୍ତି ସ୍ୱଭାବେ ।

ସେ ଦିବସରେ ଏ ପେଚକ ନ             ପାରେ କାହିଁ କିଛି ଦେଖି ଲବେ ।

ରେ କିଶୋରି ।

ଦିବାଶେଷେ ନିଶା ହେଉ ପ୍ରବେଶ ।

ତା’ର ସଞ୍ଜରେ ସର୍ବଦିଶେ ଦୃଶ ।

ଏମନ୍ତେ ଏକା ଏ ଉଲ୍ଲୁକ-            ବିଚାରେ ରଜନୀ ହୁଏ ଦିବସ ।

ରେ କିଶୋରି । ୨୧ (୩୮) ।

 

ଦିବସ ମୋର ଅରାତି ତା’ର             ସହଚର ଆଲୋକର ପ୍ରଚାର ।

ବାରିବାପାଇଁକି ଭାଳି ଅନ୍ଧାର ।

ପେଷିଥିଲା କି ଛାୟା             ଗୁପ୍ତଚରୀକି ପ୍ରତିପଦାର୍ଥ-ପଛର ।

ଗୋ ଦିବସେ’’ ।

ଚନ୍ଦ୍ର-ଶତ୍ରୁ ତାମସେ ବର୍ଣ୍ଣୁଭୂପ ।

ଶତ୍ରୁସ୍ତବେ କି ଶଶୀ ବହି କୋପ ।

ଜବା-ରକ୍ତ ଦିଶି ଆସୁଁ ତାଙ୍କ             ତୋଷ ପାଇଁକି ସ୍ତବନ୍ତି ଭୂପ ।

ସେ କାଳରେ । ୨୨ (୩୯-୪୦) ।

 

ଉଦୟାଦ୍ରି-ଊର୍ଦ୍ଧ୍ୱଭୂମି-ଯବନିକାବୃତ             ହୋଇ ରହି କିଞ୍ଚିତ ।

ପରେ ବାହାରି କିରଣେ ଅମୃତ ।

ବର୍ଷି ତୃଷିତ-ଚକୋର-ଚଞ୍ଚୁ            -ପୁଟାଞ୍ଜଳି କଲେଣି ପୂରିତ ।

ରେ ସୁତନୁ ।

ତମ ଥାଉଁ ଭୁକୁ ତରୁ-ତଳର ।

ଅଭିସାରିଣୀ ବୋଲିଣ ବିଚାର ।

ଚନ୍ଦ୍ର ଉଦୁଁ ଜ୍ୟୋତ୍ସ୍ନାବାସ ପିନ୍ଧିଗଲା             ଫିଙ୍ଗି ଛାୟା-ନିଳାମ୍ୱର ।

ରେ ରୁଚିରା । ୨୩ (୪୧-୪୨) ।

 

ଆରେ ରମ୍ଭୋରୁ ! ତୋ ବଦନ             କାନ୍ତିର ଆଦର୍ଶ ପରାୟ ଏ ଶଶୀ ।

ଥାଏ ଚକୋରେ ସ୍ୱକରେ ସନ୍ତୋଷି ।

ନିଶାନୀଳୋ-ତ୍ପଳବତ ତୋ             ଯୁଗଳ-ନେତ୍ରେ ଯାନ୍ତୁ ଏଥି ରସି ।

ରେ ପ୍ରେୟସି !

ପୂର୍ବେ ମନ୍ଦର-ମନ୍ଥଦଣ୍ଡ-ଯୋଗେ ।

ଜନ୍ମ ଲଭିଛି ଏ ସାଗର-ଭାଗେ ।

ଏବେ ଏ ସଦାସିନ୍ଧୁବାସୀ ଉଦୟ             ଲଭଇ ପର୍ବତଅଗେ ।

ରେ ଗଉରି । ୨୪ (୪୩-୪୪) ।

 

ସାଗର-ସମ୍ଭବବଶୁଁ ଇନ୍ଦୁ             ଐରାବତ ଏ ବେନି ସହୋଦର ।

ଇନ୍ଦୁ ଜ୍ୟେଷ୍ଠ, କନିଷ୍ଠ ଗଜବର ।

ଅତିଥି ପରି ପୁରେ ହେଉ                   ପ୍ରବେଶ ଅଗ୍ରଜ ଦିବା-ଶେଷର ।

ରେ ସୁକେଶି ।

ମୋଦେ ସାଦରେ ଅନୁଜ ଶିରରେ ।

ବହୁ ତାହାକୁ କି ଶିର-ସିନ୍ଦୁରେ ।

ସିନ୍ଦୁରିତ ହୋଇ ଯାଇଛି ଏ                   ଇନ୍ଦୁ ବିଚାରେ ପ୍ରାଣବନ୍ଧୁଁରେ ।

ମୁଁ ଚିତ୍ତରେ । ୨୫ (୪୫) ।

 

ସାଦୃଶ୍ୟବଶରୁ ରସି ଅପସରା             ମୁଖେ ଚୁମ୍ୱନ୍ତେ ଏ ଶଶୀକି ।

ଓଷ୍ଠ-ଅଳକ୍ତକରାଗ ଘଷିକି ।

ହୋଇଯିବାରୁ ପକ୍ୱବିମ୍ବ ପରାୟ             ଲୋହିତବର୍ଣ୍ଣ ଦିଶିକି ।

ଏ ଚନ୍ଦ୍ରମା ।

ଅବା ସୁରତସିନ୍ଧୁ-ବଣିଜାରେ ।

କାମ ସରଣୀ ଦେଖାଇ ଦେବାରେ ।

ଶ୍ୱେତରକ୍ତ-କାଚ-ବିନିର୍ମିତ             ସ୍ୱଚ୍ଛ ପ୍ରଦିପପାତ୍ର ଉଚ୍ଚରେ ।

ଗୋ ଜାଳିଛି । ୨୬ (୪୬) ।

 

ନାରୀମୁଖ ନିର୍ମାଣିବା ପାଇଁ             ଶଶି-ସ୍ୱର୍ଣ୍ଣଛାଞ୍ଚ ରଚିଛି ବିଧି ।

କର-ତେଜେ କଳଙ୍କ-ନାସିକାଦି ।

ନ ଦିଶଇ ତହିଁ ତହିଁରେ ନିର୍ମିତ             ମୁଖେ ନାଶାନୟନାଦି ।

ଗୋ ଦିଶଇ ।

ସହି, ତହି ତୋ ମୁଖ କରି ବିହି ।

ତାକୁ ଦେଇଛି ଥୋଇ ଲେଉଟାଇ ।

ତେଜେ ନେତ୍ରାଦିକ୍ଷତ ତହିଁ ନ             ଦିଶେ ସେ ସର୍ବ ଏଥି ଦିଶଇ ଗୋ ।

ତୋ ମୁଖେ । ୨୭ (୪୮) ।

 

ପ୍ରାଚୀ-ଅମ୍ବର ରଜନୀ-ଯୋଗେ             ବହିଥିଲା ପୀତରାଗ ନବୀନ ।

ତହିଁ ଲାଗନ୍ତେ ଚନ୍ଦ୍ରକରଚୂର୍ଣ୍ଣ ।

ବର୍ଣ୍ଣ ବଦଳି କ୍ଷଣକେ ଲାଲ             ହୋଇ ଗଲାକି ବିଚାରେଁ ମନ ।

ମୁଁ ନବୀନା ।

ରାମ ଛେଦି କାର୍ତ୍ତବୀର୍ଯ୍ୟ ମସ୍ତକେ ।

କଲେ ତର୍ପଣ ଯାହା ପିତୃଲୋକେ ।

ପିତୃଲୋକ ତ ଶଶି ସେ ରକ୍ତ             ତହିଁ ଯାଇ ରଞ୍ଜିଲା ଶଶାଙ୍କେ ।

କି ବିଚାରେ । ୨୮ (୫୦) ।

 

ଲାଞ୍ଛିତ ଲକ୍ଷ୍ମଣେ ହୀନ ନାଶାକର୍ଣ୍ଣେ             ରକ୍ତାସ୍ର-ବରଷୀ ଏ ଶଶୀ ।

ସୂର୍ପଣଖା-ବଦନବତ ଦିଶି ।

ସୀତା ସମ କମନୀୟ ତୋ             ବଦନେ ଚାହିଁ ଯା ନ ଯାଏ ଲସି ।

ସେ ଲାଜରେ ।

ଧୂର୍ତ୍ତା ସନ୍ଧ୍ୟା ରକ୍ତଶଶ-କପଟ- ।

ହେମପିଣ୍ଡ ନଭେ ବିକି ତା କଣ୍ଠ –।

ମଣି ତରଣୀକି ନେଲାଣି ସେ             କୂଟ-ହେମ ରଜତେ ପ୍ରକଟ ।

ଗୋ ହେଲାଣି । ୨୯ (୫୧-୫୨) ।

 

ସୁରକୁମର କେ ରକ୍ତପଟ୍ଟ            ଡ଼ୋରେ ରଜତଲାଟ ବୁଲାଇଲା ।

ବୁଲି ବୁଲି ଦୂରକୁ ଲାଟ ଗଲା ।

ଫଟନ୍ତେ କ୍ରମେ କ୍ରମେ ସେ             ରଙ୍ଗଡ଼ୋର ଏବେ ଧବଳ ଦିଶିଲା ।

ଏ ଶଶାଙ୍କ ।

ନିଶା ତମ-ପ୍ରଶସ୍ତ କୃଷ୍ଣାମ୍ବରେ ।

ତାରାକ୍ଷରେ ଲେଖିଥିଲା ଖଡ଼ିରେ ।

ଲିଭାଇବଶୁଁଶଶ ତା ରକ୍ତକର             ତେଣୁ କି ଶୁଭ୍ର ବିଚାରେଁ ।

ମୁଁ ହୋଇଲା । ୩୦(୫୩-୫୪) ।

 

ଏଥି ଏ କଳାନିଥି ଦିଶି ଶୁକଳ             ଆନଦେଶେ ହୋଇ ଉଦିତ ।

ପରକାଶଇ କିରଣ ଲୋହିତ ।

ବିରାଗ ରାଗକୁ ଏହାର             ଏଣୁବା ବାରିବ କେଉଁ ପଣ୍ଡିତ ।

ରେ ସୁନ୍ଦରି ।

ସନ୍ଧ୍ୟା-କୁଙ୍କୁମରାଗ ଘେନି ଆଗେ ।

ପରେ ତାମସ-କସ୍ତୁରୀ ସରାଗେ ।

ବୋଳି ଏବେ ଦିଗବାଳୀ ଶଶିକର            -ଚନ୍ଦନ ଲେପିଲେ ଅଙ୍ଗେ ।

କି ସୁନ୍ଦରି । ୩୧ (୫୫-୫୬) ।

 

ଶିଶିର-ବାସର-ମଧ୍ୟୁଁ ସାର ହରି                   ବିଧି ଜ୍ୟୋତ୍ସ୍ନା-ନିଶା କରିଛି ।

ତେଣୁ ଏ ଦିବସ ସମ ଦିଶୁଛି ।

କଟା ହୋଇ ଛୋଟ ନୋହି କି             ସେ ଦିନ ଆନ ଦିନ ପରି ଅଛି ।

ରେ ସୁଦତି’’ ।

ହୋଇ ମୁଗ୍ଧା ଦୟିତ ଚାରୁ ଗିରେ ।

ଶୁଣୁ ଥିବାରୁ ବାଳୀ ଏ ପ୍ରକାରେ ।

ମଉନ ହେବାର ଚାହିଁ ନରବର             ଭାଷନ୍ତି ପୁଣ ସଧୀରେ ।

ହେ ସୁଜନେ । ୩୨ (୫୭-୫୮) ।

 

‘‘ଆରେ କୃଶୋଦରି ! ଏ ଶଶାଙ୍କଧାରୀ             ସ୍ପର୍ଦ୍ଧା କରେ ତୋ ମୁଖ ତୁଲେ ।

ତା’ର ପ୍ରଶସ୍ତି ଶୁଣି ମୋ ମୁଖରେ ।

ରୁଷିଲୁ କି ରୁଷ-ମୋହିନି ?             ରସିଲୁ ରୁଷିଭୂଷା ମୂକତାରେ ।

ରେ ସୁଶୀଳା ।

ଶୃଙ୍ଗାର-ଭୃଙ୍ଗାର ଖଣି ସୁଧାର ।

ମୁଖୁଁ ଝରି ତୋ ବର୍ଣ୍ଣାମୃତ-ଧାର ।

ତୋଷୁ ମୋ ଶ୍ରୁତି ମଧୁରେ ଶିକ୍ଷାଗୁରୁ                   ବେଭାରେ ତ ସେ ଇକ୍ଷୁର ।

ରେ ବରାଙ୍ଗ । ୩୩ (୫୮-୫୯) ।

 

ଏବେ ଏ ଅର୍ଣ୍ଣବ-ନନ୍ଦନବର୍ଣ୍ଣନ             ପୀୟୁଷଭଳି ବର୍ଣ୍ଣାବଳି ।

ତୋର ବଦନ-ସୁଧାକରୁ ଗଳି ।

ତୋଷୁ;’’ ଏତେ ବୋଲୁ ଭୁପାଳ             କୋମଳେ ତାଙ୍କୁ ଚାହିଁ ଭାଷେ ବାଳୀ ।

ହେ ସୁଧୀରେ ।

‘ଦେଖି ଶଶାଙ୍କେ ଏତେ ବିଚାରଇ ।

ଇନ୍ଦୁ ସିନ୍ଧୁ-ପ୍ରବାହ ବୁଦ୍ଧି ପାଇଁ ।

ଚନ୍ଦ୍ରକାନ୍ତୁ ପତି-ବିରହ-ଶୋକାର୍ତ୍ତା            -କୋକିନେତ୍ରୁ ଅଛି ନେଇ ।

କି ସଲିଳ । ୩୪ (୬୦-୬୧) ।

 

ରଜନୀ-ଯମୁନା-ତାମସ-ପ୍ରବାହ             ଅପସରୁଁ ସୁଧା-ମୟୁଖ ।

ଦିଶେ ପ୍ରଦୀପ-ସମତୁଲ ଦେଖ ।

ସଇକତମୟ-ଦ୍ୱୀପର ଚାରୁତା             ରହିଛି କୌମୁଦୀ ପାଖ ।

ହେ ଜୀବେଶ ।

କୁମୁଦର ଶୁଭ୍ରହାସ୍ୟେ ସଂସାର ।

ଦିଶେ କ୍ଷୀରେ କ୍ଷାଳିତ ପରକାର ।

ସେ ମୁଖ ମୃଦୁଁ ନଭେ ଇନ୍ଦୁ                   ଥିଲେହେଁ ଦିନେ ନ ଶୋଭେ ସଂସାର ।

ହେ ଜୀବେଶ । ୩୫ (୬୨-୬୩) ।

 

 

ମୃତ୍ୟୁଞ୍ଜୟ-ଜଟେ ରହୁଁ ଶଶି                   ତ୍ରାସ ତାଠାରୁ ପଳାଇ ମରଣ ।

ଏଣୁ ତହିଁ ନୁହଁଇ ସେହି କ୍ଷୀଣ ।

ଏକା ସ୍ୱକରେ ଜୀବିତ ହରହାର            -ମୁଣ୍ଡେ ସ୍ୱର୍ଭାନୁ ଭାବିଣ ।

ଏ ଶଙ୍କଇ ।

କଉମୁଦୀ ଚକୋରେ ସୁଧା ଦେବେ ।

କଳା ଏକ ବିତରିଅଛି ଶିବେ ।

ତଥାପି କଳ୍ପତରୁ-ଭ୍ରାତା ଶଶୀକି             ଏ ଦାନ ଅଳ୍ପ ମୁଁ ଭାବେ ।

ହେ ଜୀବେଶ । ୩୬ (୬୪-୬୫) ।

 

ଏକର କୋଳେ କସ୍ତୁରୀ ଆନଗଳେ                   ଗରଳ ରହିଅଛି ପୂରି ।

ଏକ ସୁଧା ଅପର ଭସ୍ମଧାରୀ ।

ଶିରେ କଲେହେଁ ନୁହେଁ ପର             ପୂର୍ବର ଷୋଡ଼ଶଅଂଶକୁ ସରି ।

ହେ ଜୀବେଶ ।

କଲା ଅର୍ଦ୍ଧଦଗ୍‌ଧାସ୍ଥିରେ କାମର ।

ସିତାସିତ ଚନ୍ଦ୍ରେ କି ବେଦବର ।

ବହିଲେହେଁ ଶିରେ ସୁରାରି                   ତାକୁ ସେ ପାଞ୍ଚଇ ଶୁଭ କାମରେ ।

ସେ ବଢ଼ିଣ । ୩୭ । (୬୬-୬୭)

 

ଶଶଲୋଭେ ସୈଂହିକେୟ ଗ୍ରାସିବାକୁ                   ଯାଉ ନ ତେଜି କୋଳଶଶ ।

ଶଶି ନିଜେ ତା ମୁଖେ ଦେଉଁ ଝାସ ।

ଶରଣବତ୍ସଳ ପଣେ ତା ତୋଷେ             କି ବରଜେ ନ କରି ଗ୍ରାସ ।

ସେ ଶଶାଙ୍କେ ।

ଏହି ସୁଧାନିଧିର ଜନକରେ ।

ଥିଲେ ଅଗସ୍ତ୍ୟ ଶୋଷି ଜଣକରେ ।

ସୁଧାଶୀ ଦେବେ ଯା ଶୋଷନ୍ତି                   ଶଶୀକି ଆଶ୍ଚର୍ଯ୍ୟ କିସ ଏଥିରେ ।

ହେ ଜୀବେଶ । ୩୮। (୬୮-୬୯) ।

 

ସ୍ୱର୍ଗଙ୍ଗାବିଶଦ-ଶୁଭ୍ରଜ୍ୟୋତ୍ସ୍ନା                  -ଜାଲ ଚତୁର୍ଦ୍ଦିଗ କରି ପ୍ଲାବିତ ।

ପିତା କ୍ଷୀରସିନ୍ଧୁ କୋଳୁଁ ରହିତ ।

ହେବାରୁ ଜାତ ତାରାପତିତାପକୁ             ନିବାରୁ ନାହିଁକି ସତ ।

ହେ ଜୀବେଶ ।

ଚନ୍ଦ୍ରସନ୍ତତି ଚକୋର ଆହାର ।

ନେତ୍ର-ସଖୀ ନୃତ୍ୟ ଗୁରୁ ସିନ୍ଧୁର ।

ହେଉ ବା ଚନ୍ଦ୍ରିକା କୁମୁଦେ                   ହସାଇ କୌମୁଦୀ ନାମ ତାହାର ।

ହେ ବିଖ୍ୟାତ । ୩୯ । (୭୦-୭୧) ।

 

କଳଙ୍କି ଶଶୀର ସତାସିତ କର             ଧରାରେ ପଡ଼ି ଶୋଭା ଦିଶେ ।

ଜ୍ୟୋତ୍ସ୍ନାକ୍ଷୀର-କ୍ଷାଳିତ ଧରା କି ସେ ।

ସ୍ୱଦେହୁଁ ଜାତ ନଳାଦି-ତୃଣ-            ବ୍ରାତ-ଛାୟାରେ ଚିତ୍ରା ବିଶେଷେ ।

ସଦୃଶ ।

ଏଣେ ତମେ ଠେଲି ଶଶି ନଭର ।

କେତେ ଅଂଶ କଲାଣି ସମୁଜ୍ଜ୍ଵଳ ।

ପୁଣି ଉଦ୍‌ବେଳ-ଲବଣ-                  ସିନ୍ଧୁଜଳେ ଅପର-ବିଭାଗ କାଳ ।

କି ଦିଶୁଛି । ୪୦ । (୭୨-୭୩)

 

ନିଜପିତା ସମୁଦ୍ରର ହ୍ରାସବୃଦ୍ଧି             ଶଶାଙ୍କ ନ ଲଭନ୍ତା କେହି ।

ସେତ ପ୍ରତ୍ୟହ ଛିଡ଼ଇ ବଢ଼ଇ ।

ଏଥିକି ଆଶ୍ଚର୍ଯ୍ୟ ସ୍ମତ ଯା             ବହୁତ ଦିନେ ସେ ଦଶା ଲଭଇ ।

ହେ ଜୀବେଶ ।

ଶଣି ସଦା ଆଦର୍ଶ-ଦୃଶ୍ୟ ସତ ।

ପୁଣି ଆଦର୍ଶ ଦୃଶ୍ୟ ନୁହଁଇ ତ ।

ତ୍ରିନେତ୍ରଭୁ ଯା’ର ଅତ୍ରିନେତ୍ରୁ             ତା’ର ଜନ୍ମିବା କଥା କେମନ୍ତ ।

ହେ ଜୀବେଶ । ୪୧ । ( ୭୪-୭୫ )

 

ଯାଗ ମୃଗାଙ୍କ ଏ ସମ ବେନି             ଶୁଦ୍ଧ ହୁଅନ୍ତି ଭୋଗ୍ୟ ବୃନ୍ଦାରକେ ।

ପୂର୍ବ ଯୁଷ୍ଟ-ଜୀବ-ହିଂସା ପାତକେ ।

ଅପର ଶଶାଙ୍କ ନିଃଶଙ୍କେ             ଅଙ୍କରେ ବହିଛି ମଳି କଳଙ୍କେ ।

ହେ ଜୀବେଶ ।

ବାୟୁବାହନ ହରିଣ ଶୋଷରେ ।

ରଥୁଁ ଖସି ସଞ୍ଚରି ଆକାଶରେ ।

ଚନ୍ଦ୍ରୁ ସୁଧାପିଇ ତହିଁ ରହିଛି କି କଳଙ୍କ ବୋଲନ୍ତି ତା’ରେ ।

ହେ ସକଳେ । ୪୨ । (୭୬-୬୭)

 

ଶିଶୁଶଶାଙ୍କେ ତ ହରିଣ ନ             ଥାଏ ତେଣୁ ଆସଇ ଏହି ବୁଦ୍ଧି ।

ଯୁବା ଚନ୍ଦ୍ରମାର ପ୍ରିୟାଔଷଧି-।

ମାନେ ବନବାର୍ତ୍ତା ହରିଣେ             ପେଷନ୍ତେ ସେ ତାକୁ ଅଛି ସମ୍ପାଦି ।

ହେ ସାଦରେ ।

ଅବା ଅଉଷଧି ସ୍ୱାମୀ-ସେବନେ ।

ଆସୁଁ କୋଳକୁରଙ୍ଗ ମୋଦମନେ ।

ପଲ୍ଲବତାଙ୍କ ଖାଇ ପିଇ ପୀୟୁଷ             ରହିଛି ସୁଖେ ସେ ସ୍ଥାନେ ।

ମୁଁ ବିଚାରେ । ୪୩ । (୭୮-୭୯) ।

 

ଏକ ମୃଗଶିରା ଶିବଶରେ             ପରା ତାଡ଼ିତ ବିଲୋକି ଅପର ।

ଚନ୍ଦ୍ରେ ଚୂଡ଼ାମଣି ଜାଣି ଶିବର ।

ତା ପାଶେ ଯାଇ ଶରଣ             ପଶିବାରୁ ସେ ତାକୁ ଧରିଛି କୋଳ ।

ହେ ଆଶ୍ୱାସି ।

କୋଳ ପରି ପୃଷ୍ଠେ ତା’ର ହରିଣ ।

ରହିବାରେ ସନ୍ଦେହ ଯେବେ ମନ ।

ସ୍ୱମୁଖେ ପଚାର ସେ ରଣେ             ଶଶିର କରିଛି ପୃଷ୍ଠ ଲୋକନ ।

ହେ ଜୀବେଶ । ୪୪ । (୮୦-୮୧) ।

 

ଉଦରେ ଶୁଭ୍ର ଶଶ ଶଶିକୋଳରେ             ଉତ୍ତାନେ ରହିବା ଯୁକତ ।

ବୃନ୍ଦାରକଙ୍କ ସୁରଭିମାନେ ତ ।

ଉତ୍ତାନେ ଗଗନେ ଭ୍ରମିବା ବୃତ୍ତାନ୍ତ             ବେଦେ ହୋଇଛି ଉକତ ।

ହେ ଜୀବେଶ ।

ଦୂରୁ ନୀଳ ଲୋହିତ ଦ୍ରବ୍ୟ ନୀଳ ।

ଦିଶିଥାଏ, କୃଷ୍ଣରୋମେ ପୃଷ୍ଠର,             

ଥିଲେହେଁ ରକ୍ତସତ୍ତା ଦୂରୁଁ             ଆମ୍ଭଙ୍କୁ ଦିଶଇ ନୀଳ କେବଳ ।

ହେ ଜୀବେଶ । ୪୫ । (୮୨-୮୩) ।

 

ଶଶ-ଥିବାରୁ ଶଶି ଚନ୍ଦ୍ରେ କବିଏ             ବୋଲିଥାନ୍ତି ମୃଗ ଥିବାରେ ।

ମୃଗୀ ନ ବୋଲନ୍ତି କେଉଁ ବେଭାରେ-

ବ୍ୟାକରଣ-ଗର୍ବ ଏକା ସେ             ଚୂରନ୍ତି ତାଙ୍କୁ କେ ନିଷେଧି ପାରେ ।

ହେ ଜୀବେଶ ।

ଥିଲା ପ୍ରସବି ଯେତେମାତ୍ର ସିନ୍ଧୁ ।

ଶୁକ୍ଲ-ପ୍ରତିପେ ତେତେ ଦିଶେ ଇନ୍ଦୁ ।

ପ୍ରମାଣ ତା’ର ରହିଛି             ହରଶିରବିହାରୀ କୁମୁଦବନ୍ଧୁ ।

ହେ ଜୀବେଶ । ୪୬ । (୮୪-୮୫) ।

 

କୌମୁଦି ଭଳି କେତକୀପୁଷ୍ପ             ବୋଲି ଶଶାଙ୍କେ କେତକୀସୁମତ୍ୱ ।

ଆରୋପିବ ଯେବେ କେହି ପଣ୍ଡିତ ।

କୋଳକୁରଙ୍ଗ-ନାଭିଗନ୍ଧେ             ସେ ସୁମସୁଗନ୍ଧ ସାମ୍ୟ ଉଚିତ ।

ହେ ହୋଇବ ।

ଜ୍ୟୋତିଷମତେ ଶଶି ପୂର୍ବୁଁ ଗୋଲ ।

ଦଂଶି ଦଶନେ ରାହୁ ଶୋଷି ତା’ର ।

ସାର ସୁଧା ନେଉଁ ଖାଲି ଖୋଳ             ଲସି ଦିଶୁଛି ଚେପା ଆକାର ।

ହେ ଜୀବେଶ । ୪୭ । (୮୬-୮୭)

 

ସାମ୍ୟ ନ ଥିବାରୁ ଶଶ ସ୍ମର-            ସଖା ନୁହେଁ ଚନ୍ଦ୍ରନାମା କର୍ପୂର ।

ହେବ ନିୟତ ମିତ କନ୍ଦର୍ପର ।

ଯେଣୁ ଦହନାନ୍ତେ ବେନି ଗତୁଁ             ଶତେ ଗୁଣେ କରନ୍ତି ବିସ୍ତାର ।

ହେ ସ୍ୱବୀର୍ଯ୍ୟ ।

ଅବା ସ୍ମର ଶଶୀ ବେନି ମଇତ୍ର ।

ଏକେ ଜାଳିଛି ହର ବହ୍ନି-ନେତ୍ର ।

ଦର୍ଶଯୁତ ହରି-ସୂରନେତ୍ର ସାରି-            ଥାଏ ଆନର ଜୀବିତ ହେ ।

ଯେ ହେତୁ । ୪୮ । (୮୮-୮୯) ।

 

ପୂର୍ବେ ହରି-ନେତ୍ର-ପଦ୍ମ ହେବାବେଳେ       ଏ ଶଶୀ ଏହା କୋଳଶଶ ।

ଥିଲା ହୋଇ ନେତ୍ରତାରା ସଦୃଶ ।

ପଦ୍ମକୋଳକୁ ଅଳି ଭଳି ବିରାଜୁ             ଥିଲା ତା ଲୀଳାବିଳାସ ।

ହେ ଜୀବେଶ ।

ଦ୍ୱିଜରାଜ ଶଶୀ ତାର୍କ୍ଷ୍ୟ ଏ ବେନି ।

ପକ୍ଷ-ଦ୍ୱୟ ବେନିଙ୍କ ଅଛି ପୁଣି ।

ଉଭୟେ ହରିଶ୍ରିତ ତେଣୁ ହରି             କି ନୟନେ ଯୋଜିଲେ ଜାଣି ।

ହେ ଜୀବେଶ । ୪୯ । (୯୦-୯୧) ।

 

ପଦ୍ମଦାହଦକ୍ଷ ଶିଶିରେ ଯେ                   ଲକ୍ଷ ଅଛନ୍ତି କରି ବହ୍ନିତେଜ ।

ଶଶିଶିଶିରକର ତ ସହଜ ।

ଏହା ଅଙ୍କକଳଙ୍କକୁ ଧୂମଧାର             ଭାଳି ଅଛନ୍ତି ଅବ୍ୟାଜ ।

ଏ କବିଏ ।

ମହୀ ପୀଡ଼ିତା ସଂସାରର ଭାରେ ।

ହୋଇ ପ୍ଳୁତା ସରିତ-ସ୍ୱେଦଧାରେ ।

ଶଶାଙ୍କକର-ସାଗରେ ଅବଗାହି             ଦୂରକରେ କି ଶ୍ରମରେ ।

ମୁଁ ବିଚାରେଁ । ୫୦ । (୯୨-୯୩) ।

 

ବିଚାରେଁ ବହୁକାଳରୁ ମଳି ବସି             ସୁମେରୁ ସୁନୀଳ ହୋଇଛି ।

କ୍ଷିତିଛାୟା ତ ରାତ୍ରୀଶେ ପଡ଼ିଛି ।

ତହିଁ ସୁମେରୁ ପୀତବିମ୍ୱ ନ             ପଡ଼ିବାରେ କି କାରଣ ଅଛି ।

ହେ ଜୀବେଶ ।

କରେ ମୁଦିହୋଇଯାଉ ସରୋଜ ।

ନୋହୁ ସ୍ପୁଟ ସରୋଜେ ପଛେ ପୂଜ୍ୟ ।

ସେକ୍ଷତି ତା’ର କି ନବାରେ             ସ୍ୱକୋଳ- କୁରଙ୍ଗ-ନେତ୍ର-ସରୋଜ ।

ହେ ଜୀବେଶ । ୫୧ (୯୪-୯୫) ।

 

ଏ ଯେ ଶଶିରେ ଶଶକେ ଦିଶୁ-            ଅଛି କି ଆଶ୍ଚର୍ଯ୍ୟ ଅଛି ଏଥିରେ ।

ଏହା ଜନକ ସାଗର ଉଦରେ ।

ଅସଂଖ୍ୟ ଅର୍ବ ପର୍ବତ-ଗର୍ବ-                  ଖର୍ବକାରୀ କରୀ ପରା ଥିଲେ ।

ହେ ଜୀବେଶ ।

ଗଉରାଙ୍ଗୀ ସଙ୍ଗେ ଶ୍ୟାମସୁନ୍ଦର ।

ଶ୍ୟାମା ସଙ୍ଗେ ଶୁଭ୍ର ହର ରୁଚିର ।

ତାମସୀ-ଜ୍ୟୋତ୍ସ୍ନିକା–ଭୋଗେ କି             ଶଶିର ଧଳା-କଳା କଳେବର ।

ହେ ଜୀବେଶ । ୫୨ (୯୬-୯୭) ।

 

ଚିରକାଳୁଁ ରୌଦ୍ରବୃଷ୍ଟି କାଷ୍ଠାବଳି             ଭୋଗୁଛନ୍ତି ଅନୁବରତ ।

ତହିଁ କ୍ଷୁଦ୍ରଛତ୍ରାକ ତାରାବ୍ରାତ ।

ସେ ମଧ୍ୟେ ଏ ସୁଧାକର ବିରା-            ଜଇ ବିକଚ-ଶିଳୀନ୍ଧ୍ରବତ ।

ହେ ଜୀବେଶ ।

ପ୍ରଦୋଷରେ ଅତର୍କିତେ ତରଣୀ ।

ବୁଡ଼ୂଁ ଜଗତଜୀବ ନେତ୍ର-ଶ୍ରେଣୀ ।

ତମ-ସରିତ ତରିବାକୁ ଶଶାଙ୍କେ             ଭେଳା କି ଛନ୍ତି ନିର୍ମ୍ମାଣି ।

ହେ ଜୀବେଶ । ୫୩ (୯୮-୯୯) ।

 

ଆମ୍ଭ ନେତ୍ରେ କ୍ଷଣସ୍ଥାୟୀ                   କ୍ଷୁଦ୍ରୋଜ୍ୱଳ ତେଜବିନ୍ଦୁ ଇନ୍ଦୁ ନାହିଁକି ? ।

ଅତ୍ରି ମୁନି ବଡ଼ ଆମ୍ଭ ତହିଁକି ।

ମାସବିନାଶୀ ବୃହତ ତେଜ-            ବିନ୍ଦୁ ଇନ୍ଦୁ ତାଙ୍କ ନୁହଁନ୍ତି କି ।

ହେ ନୟନ ।

ସୁଧା ଔଷଧି ନିଜ-ଶକତିରେ ।

ସିନ୍ଧୁ ମଣିରେ ଦ୍ୱିଜେ ମନ୍ତ୍ରବଳେ ।

କ୍ଷୟୀ ପାତ୍ରପତି ସନ୍ତାନ ନୃପତି-            ରକ୍ଷଣେ ଶଖ୍ୟ ନୋହିଲେ ।

ହେ ଜୀବେଶ । ୫୪ (୧୦୦-୧୦୧) ।

 

ସୁଧାକରର କିରଣ ଏକା ସୁଧା             ଏ ପ୍ରବାଦ ସତ୍ୟ ନୁହଁଇ ।

ଅବା ସେ ଜରାମୃତ୍ୟୁ ନ ନାଶଇ ।

ଚନ୍ଦ୍ରକରପାୟୀ ଚକୋର                   କିପାଇଁ ଅଜରାମର ନୁହଁଇ ।

ହେ ଜୀବେଶ ।’’

ପ୍ରେୟସୀର ଏ କବିତା ଚାତୁରୀ ।

ବହି ଶିଶିରବରଷାର ଶିରୀ ।

ଭାବେ ବିସ୍ମୟେ କିଛିକାଳ                   ନଳଙ୍କୁ ଦେଲା ଜଡ଼ ସ୍ତବ୍‌ଧ କରି ।

ହେ ସୁଧୀରେ । ୫୫ (୧୦୨-୧୦୩) ।

 

‘ସୁଧାଧାରପରି ମଧୁର ଗିର             ଯା ଏ ମୁଖୁଁ ହୋଇଲା ବାହାର’ ।

ବୋଲି ବୋଲି ଏମନ୍ତ ମହୀପାଳ ।

ଚୁମ୍ଭିଲେ କମଳତୁଳ ପ୍ରେୟସୀର             ମୁଖଚନ୍ଦ୍ର ହୋଇ ଭୋଳ ।

ହେ ସୁଜନେ ।

ବିଦର୍ଭରାଜବଂଶମୁକ୍ତା ସତୀ ।

ଶୁଣି ପ୍ରିୟତମ-ପ୍ରିୟଭାରତୀ ।

କମ୍ପାଇ ଅଙ୍ଗ ହାସ-ଭାସେ                   ଦାବିଲା ପାତଦୀପ୍ତ-ତାରାଦ୍ୟୁତି ।

ସେ ପ୍ରମୋଦେ । ୫୬ (୧୦୪-୧୦୫) ।

 

ଭାଷେ, ‘‘ହେ ଜୀବେଶ ! ନିଜର             ପ୍ରଶଂସା ନିଜମୁଖରେ ନ ଶୋଭଇ ।

ତେଣୁ ଶଶୀ-ବର୍ଣ୍ଣନେ ମୋତେ କହି ।

ସ୍ୱମୁଖ-ପ୍ରଶସ୍ତି ଶୁଣୁଛ ମୋ                   ମୁଖେ ଏ ତ ସଙ୍ଗତ ଅଟଇ ।

ହେ ତୁମ୍ଭଙ୍କୁ’’ ।

ପ୍ରିୟାବାଣୀ ଶୁଣିଣ ହାସଭାଷୀ ।

ନରପ୍ରବର ନଳ ରାଜଶଶୀ ।

ଶଶାଙ୍କ-ବର୍ଣ୍ଣନ ଛଳେ ପ୍ରେୟସୀର                   ପରିହାସ-ରସେ ରସି ।

ସେ ଭାଷନ୍ତି । ୫୭ । (୧୦୬-୧୦୭) ।

 

‘‘ପ୍ରିୟେ ! ଏ ହରିଣ ତୋ ମୁଖେ             ଶ୍ରବଣ କରି ସଙ୍ଗୀତ ପୁନର୍ବାର ।

ହୋଇ ଶ୍ରବଣାଭିଳାଷୀ ମୁଖର ।

ଭ୍ରମରେ କୁମୁଦବନ୍ଧୁକୁ             ଆଦରି ଅଛି ନୋହି ତହୁଁ ଦୂର ।

ମୁଁ ବିଚାରେଁ ।

ଗାନେ ରସନା ଆକର୍ଷୁଁ ହରିଣେ ।

ଚନ୍ଦ୍ରେ ତେଜି ସେ ଆସୁଁ ତୋ ଆନନେ ।

ଶ୍ରୁତିତ ତୋ ପାଶ ସଦୃଶ ସେ             ତାକୁ ବାନ୍ଧି ପାଶେ ରଖୁ ଏଣେ ।

ଗୋ ନବୀନା । ୫୮ (୧୦୮-୧୦୯) ।

 

ଜ୍ୟୋତ୍ସ୍ନାପତି ଶକ୍ତି ବଢ଼ାଉ ବା             ତମବନ-ଶୀତଳତା-ଗୁଣରେ ।

ଶବ୍ଦ-ପାନ୍ଥ ନିଶାରେ ଯେତେଦୂରେ ।

ପାରେ ଯାଇ ତେତେ ନ ପାରେ             ବିଚରି ଦିନେ ଦିନେଶ-ତାପରେ ।

ରେ ରମ୍ଭୋରୁ !

ତେଣୁ ଥିଲେହେଁ ଦୂରେ ଶଶଧର ।

ଶୁଣି ସଙ୍ଗୀତ-ମାଧୁର୍ଯ୍ୟ ତୋହର ।

ସ୍ୱାଦ-ଶେଷସୀମା ବାରି                   ଅବଜ୍ଞାରେ ବରଜେ ପୀୟୁଷକର ।

କି କିଶୋରି ।୫୯। (୧୧୦-୧୧୧) ।

 

ଚନ୍ଦ୍ର ହରିନେତ୍ର ହେବାରେ ବିଚିତ୍ର                   ନାହି କିଛି ରେ ପ୍ରାଣପ୍ରୀତି ।

ଅତ୍ରି ନେତ୍ରୁଁ ତ ଏହାର ଉତ୍ପତ୍ତି ।

ନେତ୍ରସୁତ ନେତ୍ର ହେବାରେ                   ଉଚିତ ତେଜନ୍ତା କି ବଂଶରୀତି ।

ଏ ଶଶାଙ୍କ ।

କୃଶକଟି ରେ ! ନିଶାରଜକିନୀ ।

କ୍ଷୀରଧାର-ବିଶଦ ଜ୍ୟୋତ୍ସାଆଣି ।

ଅସିତ-ଅନ୍ଧାର ଛଡ଼ାଇ             ଅମ୍ବର, କାଚି ନିର୍ମ୍ମଳ କଲାଣି ।

ରେ ସଙ୍ଗିନି । ୬୦ (୧୧୨-୧୧୩) ।

 

ରେ କରଭୋରୁ ! ବରଷାର             ମୁଦିରେ ଥାଏ ଦୂରକରି ଶରତ ।

ଶଶିକଳଙ୍କନାଶେ ସେ ହାରେ ତ ।

ଶଶିଷୋଡ଼ଶ-କଳାରୁ ଏକାଦଶ                   ଏକାଦଶ ରୁଦ୍ରେ ଧୃତ ।

ରେ କିଶୋରି ।

ଆଉ ପାଞ୍ଚକଳା ରତିପତିର ।

ଶର ହୋଇ ସମ୍ଭାଏ ତୋ ତୁଣୀର ।

ସେ ପଞ୍ଚକଳାରେ ପଞ୍ଚ ଅର୍ଦ୍ଧ-            ଚନ୍ଦ୍ର ଶର ବହେ ହରପର ।

ରେ କିଶୋରି । ୬୧ (୧୧୪-୧୧୫) ।

 

ବହୁତ ତାରା ଏକକରି ବିଧାତା             ଯେବେ କରନ୍ତା ଆନଶଶୀ ।

ତେବେ ସେ ଅବା ଯାନ୍ତା ସମଦିଶି ।

ତୋ ମୁଖ ସଙ୍ଗରେ ଯା’ର             ତହୁଁ ସ୍ଫୁରେ ନିରତ ସୁଷମାରାଶି

ରେ ରମ୍ଭୋରୁ ।

ତୋର ମୁଖ ସୁଷମା ଲାଭ ପାଇଁ ।

ଶଶୀ ସରୋଜ ବିବାଦୀ ଏ ଦୁଇ ।

ସମଗ୍ର ଗ୍ରହିବାକୁ ଇଛା କରନ୍ତି             ଅଳପେ ସନ୍ତୁଷ୍ଟ ନୋହି ।

ରେ କିଶୋରି । ୬୨ । (୧୧୬-୧୧୭) ।

 

ଥାଉ ଆନକଥା ନିଜେ ଦେବରାଜ             ଯା ପାନ ନ ପାରିଲେ କରି ।

ସେ ତୋ ଓଷ୍ଠସୁଧା ଯା ମୁଁ ଚାଖିଲି ।

ଏଣୁ ସୁଧାଂଶୁ-ସୁଧାରେ ହେଲା             ଘୃଣା ସେ ଦେବ-ଉଚ୍ଛିଷ୍ଟ ବୋଲି ।

ରେ କିଶୋରି ।

ଔଷଧୀଶେ ମୁଣ୍ଡାଇ କି ଇଶ୍ୱର ।

କଲେ ସିନ୍ଧୁଜାତ ଗର ଆହାର ।

ସର୍ବାଙ୍ଗେ ପନ୍ନଗେ ଭୂଷିତ ହୋଇଲେ             ଗଲା ତାଙ୍କ ମୃତ୍ୟୁ ଡରି ।

ରେ କିଶୋରି । ୬୩ (୧୧୮-୧୧୯) ।

 

ଗୁରୁଦାରେ ଗମି ଶଶୀ ଦ୍ୱିଜରାଜ             ବୋଲାଏ ନ ହୋଇ ପତିତ ।

ତେଜୋବନ୍ତ ଚରମ-ଦେହପ୍ରାପ୍ତ ।

ଜନଙ୍କୁ ପ୍ରକୃତି ଆବଦ୍ଧ ନ କରେ             ଏ କଥା ଘେନ ତୁ ଚିତ୍ତ ।

ରେ କିଶୋରି ।

ପିତୃଲୋକ-ଉଦ୍ଦେଶେ ପୁତ୍ରଦତ୍ତ ।

ଶୁଦ୍ଧପୁତ କୃଷ୍ଣତିଳ-ମିଶ୍ରିତ ।

ଜଳ ପିତୃଲୋକ ଆଶ୍ରି ଚନ୍ଦ୍ରେ             ମିଶି ଅମୃତ ନାମେ କି ଖ୍ୟାତ

ରେ ସୁକେଶି । ୬୪ । (୧୨୦-୧୨୧) ।

 

ତୁଙ୍ଗତମ ଏ ଅଟ୍ଟାଳିପରୁଁ ସହି             କେଳିସରିତ ତୋ ଦିଶଇ ।

ନୀର ମୁକୁରକୁ ଯା’ର ହସଇ ।

ତହିଁ ବିମ୍ୱିତ ଚନ୍ଦ୍ରେ ପତି-                  ଭ୍ରମରେ ରାଜମରାଳୀ ଚୁମ୍ୱଇ ।

ଗୋ ଅନାଅଁ ।

ଦିବସରେ ଅମରେ ସୁଧାଶୋଷି ।

ନେଇଥିବାରୁ ଖାଲି ଥାଏ ଶଶୀ ।

ନିଶିରେ ଏ କି ପୀୟୁଷପୂର୍ଣ୍ଣ             ହୁଏ ତୋ କେଳିସରିତେ ପଶି ।

ଗୋ ବିମ୍ୱରେ । ୬୫ (୧୨୨-୧୨୩) ।

 

ଏ କେଳି-ସରିତେ ଇନ୍ଦୁ-କୁମୁଦିନୀ                  -ବିବାହ କେଡ଼େ ମନୋହର ।

ପୁଷ୍ପକରେ ଧରିଛି କାନ୍ତକର ।

ମକରନ୍ଦ ଦାନ-ସଲିଳ ହୋଇଛି             ଏଥି ଅବଧାନ କର ।

ଗୋ ସୁନ୍ଦରି ।

ସ୍ଫୁଟ ନୀଳ ସୁଦୀର୍ଘ ପୁଷ୍ପନେତ୍ରେ ।

କୁମୁଦିନୀ-କୁରଙ୍ଗୀ ଏ ସରିତେ ।

ଊର୍ଦ୍ଧ୍ୱେ ଚାହିଁଛି ତା କାନ୍ତ ଥିବବୋଲି             ତୋ ମୁଖ-ତାରକା-କାନ୍ତେ ।

ଗୋ ସୁନ୍ଦରି । ୬୭ (୧୨୪-୧୨୫) ।

 

ଜଲ-ତାପସ କୁମୁଦର ସଙ୍କୋଚ            -ଧ୍ୟାନ ଭଙ୍ଗାଇବା ମାନସେ ।

ଶଶିମୁଖୀ ଅପ୍‌ସରା ନିଶା ଆସେ ।

ଅଧର ଓଷ୍ଠେ ତା ବିଳସେ                   ପୀୟୁଷ କରେ ମନୋହର ହସେ ।

କି ଭାବୁଛି ।

ଚନ୍ଦ୍ରମଣ୍ଡଳ କାମ-ସରୋବର ।

ଜଳ ପୀୟୁଷ କଳଙ୍କ-ଜମ୍ୱାଳ ।

ଏ ଜଳପାୟୀ ଅମର-            ମତ୍ସେକଲା କେତନ ନିଜଧ୍ୱଜର ।

କି କନ୍ଦର୍ପ । ୬୭ (୧୨୬-୧୨୭) ।

 

ତାରାସ୍ଥି-ଭୂଷାରେ ଶଶି–ସ୍ପର୍ଦ୍ଧୁନିରେ             ଜ୍ୟୋତ୍ସ୍ନାଭସ୍ମରେ ବିଭୂଷିତ ।

ତାରା-ପଥୋରଗ-ହାରେ ରାଜିତ ।

ଦିଗମ୍ବରର ଅଷ୍ଟମୂର୍ତ୍ତି ମୁଁ                   ବୋଲି ଅମ୍ୱର କରେ କି ଖ୍ୟାତ

ଗୋ ସୁନ୍ଦରି ।

ପିତା ଅତ୍ରି ନେତ୍ରର ଏକତାରା ।

ତହୁଁ ସୁତ ଶଶି ବିତ୍ତ ବଢ଼ିଲା ।

ନବତ୍ରିଗୁଣ ତାରକା ବଶେ                   ରଖି ତାରାପତି ବୋଲାଇଲା ।

ଏ ଶଶାଙ୍କ । ୬୮ (୧୨୮-୧୨୯) ।

 

ଏ ଚନ୍ଦ୍ରମଣ୍ଡଳ ମାରଶ୍ୱେତଛତ୍ର             ରାକାପରେ ଯା ଏହା ଭଙ୍ଗ ।

ତାହା କାମରାଜର ଛତ୍ରଭଙ୍ଗ ।

ତେଣୁ ସନ୍ତାପେ କୃଷ୍ଣପକ୍ଷେ                   ତାହାର ଶୁଖି ଯାଉଥାଇ ଅଙ୍ଗ ।

ଗୋ ବରାଙ୍ଗି ।

ପୂର୍ବେ ଦଶାସ୍ୟ ତ୍ରିପୁର-ଜୟରେ ।

ଯାହା ନଥିଲା ଜିଣି ଶଶଧରେ ।

ଏବେ ସେ ଶଶୀ ତୋ ଏକା ଆସ୍ୟେ             ଜିତ ହୋଇ କି ମ୍ଳାନି ଆଦରେ ।

ଗୋ ହୃଦୟେ । ୬୯ (୧୩୦-୧୩୧) ।

 

କେତେ ଦିନ ହେଲା ଦେଖୁଛୁ             ସୁନ୍ଦରି ! କ୍ରମ-ବିକାଶ ଶଶାଙ୍କର ।

ପୂରି ତୁଳିହେଉ ତୋ ମୁଖ ତୁଲ ।

ତେଣିକି ତା କ୍ରମ-ବିନାଶ                   ଦେଖିବୁ ଏଥି ସଂଶୟ ନକର ।

ଗୋ ବରାଙ୍ଗି ।

ଦ୍ୱିଜବର ରାମ କ୍ଷତ୍ରସକଳେ ।

ମାରି ହାରିଥିଲେ ଏକ କ୍ଷତ୍ରରେ ।

ତଥା ଏ ପଦ୍ମବିଜୟୀ ଦ୍ୱିଜରାଜ                   ହାରେ ତୋ ମୁଖ-ପଦ୍ମରେ ।

ଗୋ ବରାଙ୍ଗି । ୭୦ (୧୩୨-୧୩୩) ।

 

ଦେଖରେ ସଖି ! ଏ ଅନ୍ତରେ             ଅସିତ ଶଶକରେ ପ୍ରାନ୍ତରେ ସିତ’’ ।

କେବେ ଅନ୍ତର କେବେ ଅବା ପ୍ରାନ୍ତ- ।

ଦେଶକୁ ଶଶିର ଦେଖାଇ                   ପ୍ରିୟାକୁ ମୋଦେ ଭାଷନ୍ତି ଭୂଭୃତ ।

ସେ ଏମନ୍ତେ ।

‘‘କ୍ଷୀରସାଗରୁ ନୟନୁ ଅତ୍ରିର ।

ଜନ୍ମି ଦ୍ୱିଜ ବୋଲାଏ ଶଶଧର ।

ଏଣୁ ଅତ୍ରିଜ ନାମ ତାର ଖ୍ୟାତ             କି ହେଲା ସଂସାର ମଧ୍ୟର ।

ଗୋ ବରାଙ୍ଗି । ୭୧ । (୧୩୪-୧୩୫) ।

 

ସିଦ୍ଧ-ଆଦେଶରେ ବେଦବର             ତାରା-ବିହାରଭୁରେ ହିମକର ।

ମୃଗନାଭ କଳାକର-ମଣ୍ଡଳ ।

ଯା ବିରଚିଲା ସେ ପୁଣ୍ୟେ ହେଲା             କି ସେ ସୁରକୁଳେ ଶ୍ରେଷ୍ଠତର

ଗୋ କିଶୋରି ।

ଚନ୍ଦ୍ରେ ହସେ ନିୟତ ତୋ ବଦନ ।

ମୁଖତୁଲେ ତୋ ସେତ ବହୁତୃଣ ।

ସେ ଲୋଭେ ତାକୁ ନ ତେଜି ନ             ଭଜଇ ତୋ ମୁଖେ କୁରଙ୍ଗ ଘେନ ।

ସେ ପଶୁ । ୭୨ (୧୩୬-୧୩୭) ।

 

ବଳ ପ୍ରକାଶି ସିଂହିକା-ସୁତ                   ଶଶିମଣ୍ଡଳୁଁ ଗ୍ରାସିବା ଭୟରେ ।

ରହି ନପାରି ପୀୟୁଷ ଥୟରେ ।

ଚନ୍ଦ୍ରୁଁ ପଳାଇ ଆସୁଁ ସେ ସୁଧାକର             କଳାକାର ବୋଲାଇଲେ ।

ରେ କିଶୋରି ! ।

ତହୁଁ ଆସି ତୋର ଅଧ-ଅଧରେ ।

ତା’ର ଅଳକ୍ତ-ଲୋହିତ ବୋଳରେ ।

ନିଜ ଶୁଭ୍ରତା ଛପାଇ ଛପିଛକି             କରେ ବିଚାର ମନରେ ।

ମୁଁ ଏମନ୍ତ । ୭୩ (୧୩୮) ।

 

ବାସବ-ଭୋଗ୍ୟା ପ୍ରାଚୀରୁ ଜନ୍ମ             ଯା’ର ଯେ ଶ୍ରୀହରି-ବାମନୟନ ।

ପୂର୍ଣ୍ଣିମାରେ ପୁଷ୍ଟ ଯା ଅପଘନ ।

ଯା’ର ଅଙ୍କରେ ରଙ୍କୁ ଅବା             ଶଶକ ଅଛିକରି ନିକେତନ ।

ରେ କିଶୋରି ।

ମୁଖପଦ୍ମ ତୋ ପଦ୍ମ ସଂଖ୍ୟ ବହେ ।

ଏକା ଶଶୀ ତହିଁରୁ ହାରିଥାଏ ।

ଏକା ସିଂହିକା-ସୁତକୁ ଯେ ନିଅଣ୍ଟ             ପଦ୍ମେ ଲଭନ୍ତା କି ଜୟେ ।

ସେ ଶଶାଙ୍କ । ୭୪ (୧୩୯) ।

 

ପଦ୍ମଜ ବ୍ରହ୍ମା ଯେ ମୁଖପଦ୍ମେ             ନେତ୍ର-ନିଳୋତ୍ପଳ-ଯୁଗେ ପୂଜିଛି ।

ଯା’ର ଅସମ-ସୁଷମା ରହିଛି ।

ସେ ବିଷ-ପ୍ରସୂନ ଏକା ତୋ             ବଦନ ହୋଇଛି ବୋଲି ଭାବୁଛି ।

ରେ କିଶୋରି ।

ତେବେ ଏ ଶଶି କେ ? ସେ ଦକ୍ଷାଧ୍ୱର- ।

ମୃଗଘାତୀ ଶବର-’’ବେଶୀହର-।

ଶିର-ସ୍ୱର୍ଗଙ୍ଗାର ତୀରସ୍ଥ-            ବାନୀର-କୁଞ୍ଜସ୍ଥାୟୀ ବକବର ।

ରେ କିଶୋରି । ୭୫ (୧୪୦) ।

 

କଳା ଶଶାଙ୍କର ସର୍ବଦା             ଧବଳ ଏହା ସର୍ବବାଦୀ-ସମ୍ମତ ।

ସେହି କଳାରେ ଧଳା ତାରାକାନ୍ତ ।

ଏକା ସେ ଉଦୟ କାଳରେ             ଆରୋହି ଥିବାରୁ ପୂର୍ବ-ପର୍ବତ ।

ରେ କିଶୋରି ।

ସେତ ହରି-ହରିତ ହରି-କରୀ ।

ଥାଏ ସର୍ବଦା ତହିଁରେ ବିହରି ।

କାକତାଳୀୟ ନ୍ୟାୟେ ତା ମଦ             ଏହା ଅଙ୍ଗେ ଲାଗି ଦିଶେ କାଳି ।

ରେ କିଶୋରି । ୭୬ (୧୪୧) ।

 

ଋଷିଏ ଷୋଡ଼ଶ ଅଂଶୁଁ ସୁଧାଂଶୁର             ଅଂଶକୁ କଳା ବୋଲିଥାନ୍ତି ।

ପ୍ରତିପଦୁଁ ରାକା-ପର୍ଯ୍ୟନ୍ତ ତିଥି-।

ପଞ୍ଚଦଶେ ପଞ୍ଚଦଶ ଘେନି             ପୂରେ ଶଶାଙ୍କମୂରତି ।

ରେ କିଶୋରି ।

ତିଥି ନଅଣ୍ଟୁ ନ ମିଶି ଶଶିରେ ।

ବାକି କଳାକ ରହେ ହରଶିରେ ।

କଳାକେ ହୀନ ହେବାରୁ ବିଳ             ଦିଶେ ଅଙ୍କନାମେ ତା ମୂର୍ତ୍ତିରେ ।

କିଶୋରି । ୭୭ (୧୪୨) ।

 

ତୋ ମୁଖ ସମ ହେବାକୁ ଇଚ୍ଛି             ଦୀର୍ଘ-ନୟନ-ଯୁଗେ ଲୋଡ଼ି ଶଶୀ ।

କଉମୁଦୀ-ପ୍ରଦାନରେ ଆଶ୍ୱାସି ।

ନେତ୍ର ନେବାପାଇଁ ଚକୋର-            ଶଶୁକୁ ସାଦରେ ଅଛି କି ପୋଷି ।

ମୁଁ ବିଚାରେଁ ।

ହରିଣତ ନେତ୍ରେ ଦିଶେ ସୁନ୍ଦର ।

ତେଣୁ ତାକୁ ଅଙ୍କେ କରି ଆଦର ।

ରଖିଛି ନୟନ ତା’ର ବସାଇବା             ପାଇଁ ମଣ୍ଡଳ-ମଧ୍ୟର ।

କି ଭାବୁଛି । ୭୮ (୧୪୩) ।

 

ପ୍ରଚୁରତର ଲାବଣ୍ୟରେ ନିର୍ମ୍ମାଣି                   ପ୍ରଥମେ ବିହି ମୁଖ ତୋର ।

ତହିଁପରେ ପୋଛି ପାଛି ପାତ୍ରର ।

ଧାର-ଲଗ୍ନ-ବିମଳିନ ଲାବଣ୍ୟରେ             ରଚିଲାକି କଳାକାର ।

ମୁଁ ମଣଇଁ ।

ରଚିସାରି ପ୍ରକ୍ଷାଜନ ପାଇଁକି ।

କର ସଲିଳେ ବୁଡ଼ାଉ ବିହି କି ।

କର-ଲାବଣ୍ୟବିନ୍ଦୁ ନୀରେ                   ସଞ୍ଚରି ସରସିଜ ହୋଇଲା କି ।

ମୁଁ ବିଚାରେଁ । ୭୯ (୧୪୪) ।

 

ସମଗ୍ର ଲାବଣ୍ୟେ ନିର୍ମ୍ମାଣି ତୋ             ମୁଖ ପାତ୍ର-ଗାତ୍ର-ଲଗ୍ନ ଲାବଣ୍ୟ ।

ପୋଛାପୋଛିରେ ହୋଇଲା ମଳିନ ।

ତା ଅବଶେଷେ ଶଶୀକି କଲା             ବିହି ସେ ପୁଣି ଶୋଭା-ସଦନ ।

ରେ ସୁଦତି !

ଶୋଭା ଗର୍ବେ ସେ ଶଶୀ କଳାକରେ ।

ଥାଏ ଛୁଇଁ ଦର୍ପକ-ଦଳା-ଶିରେ ।

ସେ ହରପୟର-ସ୍ପର୍ଶ ଲଭି                   ପଦ୍ମ ଶୋଭାସଦ୍ମ ଜଗତରେ ।

ଗୋ ସୁଦତି । ୮୦(୧୪୫) ।

 

ପ୍ରଣୟ ଜନ୍ମିଲେ ସିନା ବହୁଜନ             ଏକତ୍ର ଭୋଜନ କରନ୍ତି ।

ପରସ୍ପରେ ସଖୀ ତ ତାରାପନ୍ତି ।

ତେଣୁ ସେ ବେଢ଼ି ମଧ୍ୟରେ                   ଶଶି-ସୂର୍ଯ୍ୟକାନ୍ତ କୁଣ୍ଡ ଥୋଇଛନ୍ତି ।

ଗୋ ସୁଦତି ।

କୁଣ୍ଡେ ପୀୟୁଷ ଅଛନ୍ତି ପୂରାଇ ।

ପାନପାଇଁ ଡଙ୍କି ଛନ୍ତି ପକାଇ ।

ଉତ୍ପେ, କ୍ଷକ କବି ଏକଥା ନ             ଭାବି ଆନେ ବୃଥା ହେଲେ ବାଇ ।

ଗୋ ସୁଦତି । ୮୧ (୧୪୬) ।

 

ସର୍ବଗୁଣ ହରି ଶଶିରୁ ବିରଞ୍ଚି             ତୋର ବଦନ ବିରଚିଲା ।

ତେଣୁ ସେ ଦୋଷାକର ବୋଲାଇଲା ।

ତା କୋଳ-ହରିଣ-ଈକ୍ଷଣେ ନ             ତେଜି ତୋ ବଦନେ ବସାଇଲା ।

ମୁଁ ଭାବୁଛି ।

ଥିଲେ ନୟନ କି ସେହି କୁରଙ୍ଗ ।

ଦେଖୁ ଦେଖୁ ତୋ ବଦନ ସରାଗ ।

ଏଥି ନ ଆସି ସେ ଦୋଷାକର             କୋଳେ କେହି ବହିଥାନ୍ତା ରାଗ ।

ଗୋ ସୁନ୍ଦରି । ୮୨ (୧୪୭) ।

 

ସୂର୍ଯ୍ୟାଶ୍ୱକ୍ଷୁରବିକ୍ଷତ ଗର୍ତ୍ତତତି             ସୁଧାଂଶୁସ୍ରୁତ ସୁଧାଧାରେ ।

ପୂରି ପ୍ରକାଶନ୍ତି ଦୀପ୍ତି ନିଶାରେ ।

ତାଙ୍କୁ ତାରା ବୋଲି କହୁଥାନ୍ତି             ଏହା କର ବିଚାର ମନରେ ।

ଗୋ କିଶୋରି ।

ମୁଁ ତ ସେବକ ରହିଛି ଗହଣେ ।

ତାରାରାଜି-ସୁମନସେ ସୁମନେ ।

ଶଶାଙ୍କ-ତିଳପର୍ପଟ-ନୈବେଦ୍ୟରେ             ପୂଜ ମଦନେ ସୁମନେ ।

ରେ କିଶୋରି । ୮୩ (୧୪୮-୧୪୯) ।

 

ପ୍ରତିଗ୍ରହଣେ ସ୍ୱର୍ଭାନୁରଦ-ବୃନ୍ଦ            -ବିଘାତଜାତ-କ୍ଷତ-ଦ୍ୱାରେ ।

କର-ଅମୃତଧାର ଝରିବାରେ ।

ସହସ୍ରଧାରକୁମ୍ଭ-ଶୋଭା-ସମ୍ଭାର             ବହଇ ଇନ୍ଦୁ ଶରୀରେ ।

ଗୋ କିଶୋରି ।

ଆଜି ରାତିରେ ରତି-ହରାରାତି-।

ପରିଣୟାଭିଷେକରେ ସୁଦତି ।

ସେ ମହାମହୋତ୍ସବେ ମତ୍ତ                   ଆମ୍ଭର ଚିତ୍ତକୁ କରୁ ତୃପତି ।

ଏ ଶଶାଙ୍କ’’ । ୮୪(୧୫୦) ।

 

ଗୌଡ଼ରାଜ ସାହସଙ୍କ-ଚରିତରେ             ଯେ ଚମ୍ପୂବାକ୍ୟ ବିରଚିଛି ।

ହୀରମାମଲ୍ଲଦେବୀ ସୁଖ-ବୀଚି ।

ନଚାଇବାକୁ ଯା ମୂର୍ତ୍ତି             ତାରାପତିପଦ ସ୍ୱୀକାର କରିଛ ।

ହେ ସୁଧୀରେ ।

ସେହି ଶୀହର୍ଷପଦ ଆଶ୍ରାକରି ।

ଯେବା ଶ୍ରୀ-ହର୍ଷ-ବିବର୍ଦ୍ଧନକାରୀ ।

ତା’ ପଦପ୍ରଭାବେ ନୈଷଧ-            ସାଗର ଗଲା ଗୋପୀନାଥ ତରି ।

ହେ ସୁଧୀରେ । ୮୫ (୧୫୧) ।

 

ଯୋଗୀ-ଯୋଗ-ଭଙ୍ଗକାରୀ             ବାଳମୃଗନୟନା ସିନା ଯୁବାମନ-।

କରଷଣ କରିବାରେ ନିପୁଣ ।

ବାଳକ-କୋମଳ-ଚିତ୍ତେ ତା’ର             ଶକ୍ତି କି କରିପାରିବ ଘେନ ।

ହେ ସୁଧୀରେ ।

ହର୍ଷ-ଉକ୍ତି ସୁଧାସାଥି ନିୟତ ।

ଏଥି ରସେ ଯେବେ ରସିକ-ଚିତ୍ତ ।

ଶତ ଶତ ଅରସିକ-ଅନାଦରେ             ହେବ କି ଏ ଅନାଦୃତ ।

ହେ ସୁଧୀରେ । ୮୬(୧୫୨) ।

 

ଶୈଳଶିଖୁଁ ସ୍ତୁତ ସଂଖ୍ୟାତୀତ             ସ୍ରୋତ ସଶବ୍ଦ-ସଲିଳ ପ୍ରପାତେ ।

ତୁଳ ହେଉଥାନ୍ତୁ ଅନୁବରତେ ।

ତାଙ୍କଠାରୁ ଭିନ୍ନ ଗୋରସାର୍ଣ୍ଣ-            ପୂର୍ଣ୍ଣ ସାଗର ନୁହେଁ କି ଚିତ୍ତେ ।

ହେ ବିଚାର ।

ତହୁଁ’ ପରା ଜନ୍ମ ଲଭି ଅମୃତ ।

କରେ ମନ୍ଥକାରୀ ଶ୍ରମ ନିପାତ ।

ପୁଣି ଅନ୍ନବତ ହୁଏ ବ୍ୟବହୃତ             ଅମରଙ୍କର ନିୟତ ।

ହେ ସୁଧୀରେ । ୮୭ (୧୫୩) ।

 

ପଣ୍ଡିତଂମନ୍ୟ-ଖଳ-ଖେଳା-                  ବାରଣେ ଏ ମହାକାବ୍ୟେ ଇଚ୍ଛାକୃତ ।

ଗ୍ରନ୍ଥି ହୋଇଛି ଶ୍ରୀହର୍ଷେ ରଚିତ ।

ଏକା ଗୁରୁପଦ-ସେବୀ ସୁଧୀ-            ପାଇଁ ଏ ରସାମୃତେ ପୂରିତ ।

ହେ ସୁଧୀରେ ।

ରସ ପୂରିଛି ଏଥି ପ୍ରତିପଦେ ।

ସ୍ୱାଦବାରି ହେ କୋବିଦେ ନୈଷଧେ ।

ରସ, ‘ସର୍ବସାରସଂଗ୍ରହ’ ନ                   କହି ନୋହିବ ରହି ଭୂମଧ୍ୟେ ।

ହେ କେବେହେଁ । ୮୮(୧୫୪) ।

କାନ୍ୟକୁବ୍ଜ-ରାଜସଭାରେ             ତାମ୍ୱୁଳଯୁଗଳ ଉଚ୍ଚାସନ ଯା’ର ।

ଧ୍ୟାନବଳେ ଯେ ଆନନ୍ଦ-ସାଗର ।

ପରଂବ୍ରହ୍ମର ସାକ୍ଷାତ ଲଭିଥାଏ             ପୀୟୁଷ ବର୍ଷେ ଯା’ ଗିର ।

ହେ ନିରତ ।

ତର୍କେ ଯା ଉକ୍ତି ପ୍ରତିପକ୍ଷ ନାଶେ ।

ସେହି ଶ୍ରୀହର୍ଷ-ରଚିତ ସୁରସେ ।

ପୂରିତ ଏହି ନୈଷଧ ବୁଧ-ବୃନ୍ଦେ                   ଆନନ୍ଦ ଦେଉ ବିଶେଷେ ।

ହେ ସୁଧୀରେ । ୮୯ (୧୫୫) ।

 

ରଘୁବଂଶ ଭଟ୍ଟିଭାରବୀ             କୁମାରସମ୍ଭବ ମାଘ ନଇଷଧ ।

ଛାନ୍ଦ-ପ୍ରବନ୍ଧେ କରିଛି ନିବଦ୍ଧ ।

ଶୁଦ୍ଧାଶୁଦ୍ଧ ବାରି ଦୋଷ             କ୍ଷମାକର ଉଦାରଚରିତ ବୁଧ ।

ହେ ମୋହର ।

ନାହିଁ କିଛି ମୋ କବିତ୍ୱବିଭବ ।

କାହିଁ ସୁମତି-ମତି ଏ ବାନ୍ଧବ ।

ନ’ ପାରିଲେ ବାନ୍ଧି ଛନ୍ଦି ହୋଇ             ପଦେ ତାଙ୍କ କି ପଡ଼ି ନ ଥିବ ।

ଏ କବିତା । ୯୦ ।

 

ମୁଖ ନୟନ ନାଭି କର ଚରଣେ             ପ୍ରଦ ହୋଇଛନ୍ତି ଯେ ଦେବ ।

ପଦ୍ମଆଳୟା ପଦ୍ମାର ଯେ ଧବ ।

ପଦ୍ମୋଭବ ପଦ ପଦ କରି                   ଯା’ର ବିରଚଇ ନିତି ସ୍ତବ ।

ହେ ସୁଧୀରେ !

ପଦ୍ମ ପଦ୍ମ ପଦ୍ମର ଯେ ନିବାସ ।

ଛଦ୍ମସଦ୍ମ ଯାହାର ମାୟାପାଶ ।

ସେ ହରିଙ୍କି ତରୀ ଗୋପୀନାଥ             କରିଅଛି ଭବବାରି ପାଶ ।

ହେ ସୁଧୀରେ । ୯୧ ।

 

କଳା ନିଳୟ-ଉତ୍କଳ-ଗଳାମାଳ             ରଣପୁର ନାମ ନଗରୀ ।

ତା ନାୟକ ନରେନ୍ଦ୍ର ପଦଧାରୀ ।

ସେ ବଂଶେ ସୁଧୀ-ସେବକ                   ଗୋପୀନାଥ ଅଛି ଜନ୍ମଲାଭ କରି ।

ହେ କୋବିଦେ ।

ତ୍ରଂଶା-ଧିକୋନବିଂଶଶତ ଖ୍ରୀଷ୍ଟ ।

ଅବ୍ଦ ଶେଷ-ଦିବସେ ହୋଇ ହୃଷ୍ଟ ।

ଇଷ୍ଟଦେବ ସ୍ମରି ସାରି ବିରଚନ                   ହୋଇଲା ରଚକ ତୁଷ୍ଟ ।

ହେ ସୁଧୀରେ । ୯୨ ।

 

ସମାପ୍ତ ମିଦଂ ଗ୍ରନ୍ଥଂ ।

ଶ୍ରୀ ରାଧା-ମୋହନାର୍ପଣମସ୍ତୁ ।

ଓଁ ତତ୍‌ ସତ୍‌ ।

------------